Unknown

 

 

 

 

 

 

 

 

 

ଡକ୍ଟର ଲୋହିଆ

ମୂଳ ରଚନା - ଓଁକାର ଶରଦ୍‌

ଅନୁବାଦ - ପ୍ରଫୁଲ୍ଲ କୁମାର ରଥ

 

ଏ ଚରିତ୍ର ଲେଖି ମୁଁ ଅଗ୍ନି–ପରୀକ୍ଷା ଦେଇଚି । ନିଆଁରେ ଡେଇଁ ପଡ଼ିଚି ଏବଂ ନ ପୋଡ଼ି ବାହାରିଆସିଚି । କିନ୍ତୁ କେଉଁଠି କେମିତି ସିଝିବି ଯାଇଚି । ମୋ ପାଖରେ ଆଉ କିଛି କହିବାକୁ ବାକି ନାହିଁ, ଯାହାକୁ କି ବ୍ୟକ୍ତ କରିବାପାଇଁ ବର୍ତ୍ତମାନ ଭୂମିକାବି ଲେଖିବି ।

 

ଓଁକାର ଶରଦ୍‌

✽✽✽

 

କୃତଜ୍ଞତା

 

ଲୋହିଆଙ୍କ ଏଇ ଜୀବନଚରିତ ଲେଖିବାପାଇଁ ମତେ ଯେଉଁ ବନ୍ଧୁ, ସାଥୀ, ମିତ୍ର ଏବଂ ହିତୈଷୀମାନଙ୍କ ସାହାଯ୍ୟ ମିଳିଚି, ସେ ସମସ୍ତଙ୍କଠାରେ ମୁଁ କୃତଜ୍ଞ ।

 

ଭଉଣୀ ଇନ୍ଦୁମତୀ କେଲକରଙ୍କ ପାଖରେ ମୁଁ ସବୁଠୁ ବେଶୀ କୃତଜ୍ଞ । ତାଙ୍କରି ଲେଖା ‘‘ଲୋହିଆ ସିଦ୍ଧାନ୍ତ ଏବଂ କର୍ମ’’ ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନତାର ସଦ୍‌ବ୍ୟବହାର କରିଚି ।

 

ଅନେକ ଗ୍ରନ୍ଥ ଏବଂ ପତ୍ର–ପତ୍ରିକାରୁ ମସଲା ସଂଗ୍ରହ କରିବା ଛଡ଼ା ଯେଉଁ ବନ୍ଧୁମାନଙ୍କଠାରୁ ମତେ ଉପଯୋଗୀ ସୂଚନା ମିଳିଚି, ସେମାନଙ୍କର କୃପାପାଇଁ ମଧ୍ୟ ଧନ୍ୟବାଦ । ସେଇ ବନ୍ଧୁମାନେ ହେଲେ–ବାଳକୃଷ୍ଣ ଗୁପ୍ତ, ଲାଡ଼ଲି ମୋହନ, କିଶନ୍‌ ପଟ୍ଟନାୟକ, ଆଧ୍ୟାତ୍ମ ତ୍ରିପାଠୀ, ଜନେଶ୍ୱର ମିଶ୍ର, ଛେଦିଲାଲ ଗୁପ୍ତ ଏବଂ କୃଷ୍ଣଚନ୍ଦ୍ର ବେରୀ ।

 

ଶେଷରେ ଭଉଣୀ ମାଳତୀ ଶାହ, ଓଁମପ୍ରକାଶ କେଲା, ପ୍ରବୀଣ ଚତୁର୍ବେଦୀ, ସାଲିଗ୍‌ ରାମ ଜୟସଓ୍ୱାଲା, ଓଁମପ୍ରକାଶ ଦୀପକ, ଆଧ୍ୟାତ୍ମ ତ୍ରିପାଠୀ, ଧର୍ମବୀର ଗୋସ୍ୱାମୀ, ରଜନୀକାନ୍ତ ବର୍ମା, ଲକ୍ଷ୍ମୀଭୂଷଣ ଓ୍ୱାର୍ଷଣେୟ ଏବଂ ଲାଡ଼ଲି ମୋହନ ନିଗମ ପ୍ରଭୃତିଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ ନ କରି ରହିପାରୁନି । କାରଣ ସେମାନେ ବାରମ୍ୱାର ମତେ ତାଗିଦ୍‌ କରି କରି ଏଇ କାମଟାକୁ ପୂରା କରେଇ ନେଲେ ଏବଂ ମୋର ଧୈର୍ଯ୍ୟଚ୍ୟୁତି ନ ଘଟିବାପାଇଁ ସବୁବେଳେ ମତେ ଉତ୍ସାହିତ କରିବାରେ ଲାଗିଥିଲେ ।

 

ତା’ପରେ ମୋର ଅଭିନ୍ନ ମିତ୍ର ଗୟାପ୍ରସାଦ ଅଗ୍ରଓ୍ୱାଲାଙ୍କୁ ପୂରା ଧନ୍ୟବାଦ ଦେବି ନା ପ୍ରଶଂସା କରିବି, ମୁଁ ସହଜରେ ବୁଝିପାରୁନି । ସେ ଯେତିକି ତତ୍ପରତା, ଉତ୍ସାହ ଏବଂ ଆଗ୍ରହ ସହକାରେ ଏ ବହିଟିକୁ ଛାପିଚନ୍ତି ଓ ସଜେଇଚନ୍ତି ଏହା ତାଙ୍କ ସମର୍ଥନର ପରିଚାୟକ ଅଟେ ।

 

ପୁଣି ଥରକପାଇଁ ସମସ୍ତଙ୍କ କୃପାପାଇଁ ଆନ୍ତରିକ ଧନ୍ୟବାଦ !

 

ଲେଖକ

✽✽✽

 

ମୋ କଲମରୁ

 

ଦିନେ, ଏକ ଶୁଭ ସନ୍ଧ୍ୟାରେ ବନ୍ଧୁ ନିୟାମତଙ୍କ ସହ ଦେଖା । ହାତରେ ତାଙ୍କର ହିନ୍ଦୀରେ ଲିଖିତ ‘‘ଲୋହିଆ’’ ବହି । ସିଧାସଳଖ ମତେ କହିଲେ–‘‘ପ୍ରଫୁଲ୍ଲବାବୁ ! ‘ଲୋହିଆ’ର ଓଡ଼ିଆ କରିପାରିବେ ?’’ ମୁଁ ବି ସାଙ୍ଗେ ସାଙ୍ଗେ ହଁ କରିଦେଲି । କାରଣ ଲୋହିଆଙ୍କ ନିଷ୍ଠା, ଚରିତ୍ର, ଜନସେବା ତଥା କର୍ମକୁଶଳତା ପ୍ରତି ମୋର ବହୁ ଆଗରୁ ଗୋଟାଏ କିମିତିକା ଆକର୍ଷଣ ରହିଯାଇଥିଲା–ଯଦିଓ ମୁଁ ତାଙ୍କୁ ରାଜନୀତିର ପୃଷ୍ଠଭୂମି ଉପରେ କେବଳ ଓପରଠାଉରିଆ ଭାବରେ ଜାଣିଥିଲି । ଆହୁରିବି ଜାଣିଥିଲି, କଳାହାଣ୍ଡି ମାଟିର ଜଣେ କୃତି ସନ୍ତାନ ପୂଜ୍ୟ ଶ୍ରୀ କିଶନ ପଟନାୟକ ଲୋହିଆଙ୍କର ଖୁବ୍‌ ଅନ୍ତରଙ୍ଗ ଥିଲେ । ପୂଜ୍ୟ କିଶାନ୍‌ବାବୁ ଥିଲେ ମୋର ଶିକ୍ଷାଗୁରୁ । ମତେ ପଢ଼େଇଥିଲେ । କେବଳ ସେତିକି ନୁହେଁ, ତାଙ୍କ ପରିବାର ସହିତ ପିଲାଟି ଦିନରୁ ମୋର ଘନିଷ୍ଠ ସମ୍ପର୍କ ଏପର୍ଯ୍ୟନ୍ତ ରହିଆସିଚି ।

 

‘ଲୋହିଆ’ର ଅନୁବାଦ କରିବାପାଇଁ ‘ହଁ’ ସିନା କରିଦେଲି, ହେଲେ ମୋର ସାହସ କୁଳେଇଲାନି । ଗୁପ୍ତ ମହାଶୟ ମତେ ସାହସ ଦେଇ କହିଲେ–‘‘ଆପଣ ଭୟ କରନ୍ତୁନି, କିଶନବାବୁ ଆପଣଙ୍କୁ ସାହାଯ୍ୟ କରିବେ ।’’

 

ମନରେ ଆଶାର ସଂଚାର ହେଲା । ହଜି ହଜି ଯାଉଥିବା ସାହସ ମୋର ପୁଣି ଫେରିଆସିଲା । ଅନୁବାଦ କାମରେ ଲାଗିପଡ଼ିଲି । ପୃଷ୍ଠା ପୃଷ୍ଠା ଅନୁବାଦ କରି ପଠେଇଲି ଗୁପ୍ତ ମହାଶୟଙ୍କ ପାଖକୁ । ସେ ତାକୁ ସଂଶୋଧନ ପାଇଁ ପୂଜ୍ୟ କିଶନବାବୁଙ୍କ ପାଖକୁ ପଠେଇ ଦେଉଥାନ୍ତି । ମଝିରେ କଟକ ଆସି ଗୁପ୍ତ ମହାଶୟଙ୍କ ନିକଟରୁ ଶୁଣିଲି, କିଶନବାବୁ ଅନୁବାଦଶୈଳୀକୁ ଅନୁମୋଦନ କରିଚନ୍ତି ।

 

ମୋର ଉତ୍ସାହ ପୁଣି ବଢ଼ିଗଲା ଦ୍ୱିଗୁଣ ଭାବରେ ।

 

ତଥାପି ଅନେକ ବିଳମ୍ୱ......ଅନେକ ଡେରି । ଗୁପ୍ତ ମହାଶୟଙ୍କର ବାରମ୍ୱାର ତାଗଦା–‘‘ଏତେ ଡେରି ?’’ ତା’ ସାଙ୍ଗେ ସାଙ୍ଗେ କିଛିଟା ମୃଦୁ ଭର୍ତ୍ସନା ମଧ୍ୟ । କିନ୍ତୁ ମୁଁ ବୁଝିପାରିଚି–ସେ ଭର୍ତ୍ସନା ତାଙ୍କର ସ୍ନେହଶକ୍ତି, ମଧୁମୟ, ସେଇ ଅମର ଆତ୍ମାର ସଂଘର୍ଷମୟ ଜୀବନ କାହାଣୀ କିମିତି ଶୀଘ୍ର ପ୍ରକାଶ ପାଉ ।

 

ସେ ହୁଏତ ମୋ ଅସୁବିଧା ଟିକକ ବୁଝିପାରୁ ନଥାନ୍ତି । ମୂଳ ଲେଖକ ଓଁକାର ଶରଦ୍‍ଙ୍କ ଭାଷା ବୁଝିବାକୁ ମତେ ଅନେକ ସମୟ ଲାଗିଚି । ସେ ଯୋଉ କଥାକୁ ଗୋଟାଏ ଦି’ଟା ବାକ୍ୟରେ ଅତି କୁଶଳତା ସହକାରେ ପ୍ରକାଶ କରି ଯାଇଚନ୍ତି, ତା’ର ସରଳ ଅନୁବାଦ ପାଇଁ ମୁଁ ଢେର୍ ସମୟ ନେଇଚି । ବାରମ୍ୱାର ପଢ଼ିଚି, ଭାବର ଗଭୀରରୁ ଗଭୀରତମ ପ୍ରଦେଶକୁ ପଶି ଗୁମ୍ଫାର ଅମୂଲ୍ୟ ରତ୍ନକୁ ଧରିବାକୁ ଚେଷ୍ଟା କରିଚି । ଯାହା ବୁଝିଚି ଦେଖିଚି । ଯେଉଁଠି ବୁଝିପାରିନି, ସେଇଠି ମତେ ଦୂରରେ ରହିବି ବୁଝେଇଦେଇଚନ୍ତି ମୋ ଶିକ୍ଷାଗୁରୁ ପୂଜ୍ୟ କିଶନ ପଟନାୟକ । ଓଁକାର ଶରଦଙ୍କ ଭାଷା ଆଗରେ ଆଜି ମୋର ମଥା ନତ ହେଇଯାଇଚି ।

 

ଶ୍ରୀଯୁକ୍ତ ପଟନାୟକଙ୍କ ଉପଦେଶ ମୋ ଜୀବନରେ ଏକ ଅଭୁଲା ସ୍ମୃତି.....ତାଙ୍କ ପାଖରେ ମୁଁ ଚିରଋଣୀ ।

 

ଏ ଅନୁବାଦର ପ୍ରକାଶକ ଶ୍ରୀଯୁକ୍ତ ଗୁପ୍ତଙ୍କ ବିଷୟରେ କେବଳ ଏତିକି କହିଲେଇ ବୋଧେ ଯଥେଷ୍ଟ ହବ– ସେ ଲୋହିଆଙ୍କ ଆଦର୍ଶରେ ସମ୍ପୂର୍ଣ୍ଣରୂପେ ଅନୁପ୍ରାଣିତ । ଦେଶବାସୀଙ୍କ ସହିତ ନିଜକୁ ଜଣେ ମନେକରି ସେ ସମ୍ପୂର୍ଣ୍ଣରୂପେ ଲୋହିଆଙ୍କ ଆଦର୍ଶ ଭିତରେ ନିଜକୁ ହଜେଇ ଦେଇଚନ୍ତି । ସେ କହନ୍ତି ‘ଲୋହିଆ’ ଥିଲେ ଆମର ଜାତୀୟ ସମ୍ପତ୍ତି ।

 

ବାସ୍ତବିକ, ସ୍ୱର୍ଗତ ଲୋହିଆଙ୍କ ମୃତ୍ୟୁଶଯ୍ୟାରେ ଦେଶର ପ୍ରଧାନମନ୍ତ୍ରୀଙ୍କଠୁଁ ଆରମ୍ଭ କରି ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ତଥା ଜନତାଙ୍କର ଯୋଉ ଭିଡ଼, କେବଳ ଦର୍ଶନପାଇଁ ଭାରତର ଇତିହାସ ପୃଷ୍ଠାରେ ତାହା ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିଥିବ ଯୁଗଯୁଗ ଧରି ।

 

ଆଜି ଲୋହିଆ ନାହାନ୍ତି ସତ; କିନ୍ତୁ ତାଙ୍କ ଆଦଶର ପଦଚିହ୍ନ ଏ ଦେଶର ପ୍ରତିଟି ଧୂଳିକଣାରେ ଅଙ୍କିତ ହୋଇ ରହିଚି ।

 

ଅନୁବାଦଟି ବର୍ତ୍ତମାନ ଆପଣଙ୍କ ହାତରେ । ଭଲତକ ଆପଣଙ୍କର, ମନ୍ଦତକ ମୋର । ଅନୁବାଦଜନିତ ତ୍ରୁଟି ଥିଲେ କ୍ଷମା ଦେବେ ।

 

ଗଙ୍ଗାଧର କୁଟୀର

ଅନୁବାଦକ

ଭବାନୀପାଟଣା

 

✽✽✽

 

ନିଜ କଥା

 

ଗାନ୍ଧି ଓ ଲୋହିଆ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଭାରତୀୟ । ଗାନ୍ଧିଙ୍କୁ ଦୂରରୁ ଦେଖିଚି; କିନ୍ତୁ ଲୋହିଆଙ୍କର ଖୁବ୍‌ ନିକଟ ସମ୍ପର୍କରେ ଆସିବାର ସୌଭାଗ୍ୟ ମୋର ଘଟିଥିଲା ।

 

ଭାରତର ସ୍ୱାଧୀନତା ଗାନ୍ଧିଙ୍କ ଶ୍ରେଷ୍ଠ କୃତି ବୋଲି କୁହାଯାଏ । କିନ୍ତୁ ସେ ନିଜେ ଏହାକୁ ସ୍ୱୀକାର କରି ନାହାନ୍ତି । ସେ ଯାହା ଚାହୁଁଥିଲେ, ତା’ର କାଣିଚାଏ ସୁଦ୍ଧା ନିଜ ଜୀବନରେ କରିପାରି ନାହାନ୍ତି ବୋଲି ସେ ଭଲଭାବରେ ଜାଣିଥିଲେ । ଲୋହିଆଙ୍କ ଲକ୍ଷ୍ୟ ତ ଆହୁରି ବ୍ୟାପକ ଥିଲା । ଏଇ ଲକ୍ଷ୍ୟକୁ ‘‘ସମାଜବାଦ’’ ବୋଲି କହି ମୁଁ ତାକୁ ଛୋଟ କରିବାକୁ ଯିବି ନାହିଁ । କାରଣ ‘‘ସମାଜବାଦ’’ ଶବ୍ଦଟା ଆଜି ସବୁଠାରୁ କଳୁଷିତ ହେଇପଡ଼ିଚି । ଲୋହିଆବି ତାଙ୍କ ଲକ୍ଷ୍ୟରୁ କାଣିଚାଏ ନିଜ ଜୀବନରେ ପୂରଣ କରିପାରି ନଥିଲେ ।

 

ଆଜି କିନ୍ତୁ ସାରା ଦୁନିଆ ସ୍ୱାଭାବିକ ଭାବରେ ଲୋହିଆଙ୍କ ପ୍ରଦର୍ଶିତ ମାର୍ଗ ଆଡ଼କୁ ଢଳୁଚି । ଏହା ଆହୁରି ବ୍ୟାପକ ହବ । କାରଣ ଏହା ଇତିହାସର ନିର୍ଦ୍ଦେଶ । ଅନେକ ବଡ଼ଲୋକ ଦୂରରୁ ଖୁବ୍‌ ମହତ୍‌ ଦେଖାଯାଆନ୍ତି । ପାଖରୁ ଦେଖିଲେ ସେମାନଙ୍କର ଅନେକ ଛୋଟଲୋକି ଧରାପଡ଼େ । କିନ୍ତୁ ଲୋହିଆଙ୍କର ଯେତେ ନିକଟକୁ ମୁଁ ଆସିଚି, ତାଙ୍କର ମହତ୍ତ୍ୱକୁ ସେତିକି ଗଭୀରଭାବରେ ଅନୁଭବ କରିଚି । ଲୋକଟାର ଏଇ ଥିଲା ସବୁଠାରୁ ବଡ଼ ବିଶେଷତ୍ୱ ।

 

ଏଇ ବହିରେ ଲୋହିଆଙ୍କ ଦର୍ଶନ ସଙ୍ଗେ ସଙ୍ଗେ ତାଙ୍କ ବ୍ୟକ୍ତିତ୍ୱର କିଛି ଆଭାସ ଯଦି ପାଠକମାନେ ପାଆନ୍ତି, ତାହାହେଲେ ମୁଁ ନିଜକୁ ଗୌରବାନ୍ୱିତ ମନେକରିବି ।

 

ଏଇ ବହିର ମୂଳ ହିନ୍ଦୀ ଲେଖକ ହେଉଛନ୍ତି ମୋର ବନ୍ଧୁ ଶ୍ରୀ ଓଁକାର ଶରଦ । ସେ ବିନାସର୍ତ୍ତରେ, କୌଣସି ପାରିଶ୍ରମିକ ନ ନେଇ ଏଇ ପୁସ୍ତକକୁ ଓଡ଼ିଆରେ ପ୍ରକାଶ କରିବାକୁ ଅନୁମତି ଦେଇଥିବାରୁ ମୁଁ ତାଙ୍କ ନିକଟରେ ଗଭୀରଭାବେ କୃତଜ୍ଞ ।

 

ନିୟାମତ ଲାଲ୍‌ ଗୁପ୍ତ

✽✽✽

 

 

ବେଳେବେଳେ ଭାବୁଥିଲି, ସକ୍ରେଟିସ୍‌ କିପରି ହୋଇଥିବେ ।

 

ବିବେକାନନ୍ଦଙ୍କୁ ଦେଖି ନଥିଲି, ମନରେ ଦୁଃଖ ଥିଲା । କିନ୍ତୁ ଯେତେବେଳେ ଲୋହିଆଙ୍କୁ ଦେଖିଲି ଖୁବ୍‌ ଖୁସି ଲାଗିଲା ଏବଂ ମୋର ଦୁଃଖବି ଦୂର ହୋଇଗଲା । କେବଳ ଦେଖିଲିନି, ତାଙ୍କ ସ୍ନେହ–ଶ୍ରଦ୍ଧା ପାଇଲି......ତାଙ୍କ ମହତ୍ତ୍ୱ ଉପଲବ୍ଧି କଲି ।

 

କିନ୍ତୁ ପୁଣି ସନ୍ତୋଷ ଚାଲିଗଲା । ମିଳିଲା ଗୁଡ଼ାଏ ଦୁଃଖ ।

 

ସେ ଏତେ ଶୀଘ୍ର ଚାଲିଗଲେ କାହିଁକି ?

 

ଲୋହିଆଙ୍କ ସାନ୍ନିଧ୍ୟ ଲାଭ କରି ନଥିଲେ ହୁଏତ ଖୁବ୍‌ ଭଲ ହୋଇଥାନ୍ତା । ଆଜି ଶୂନ୍ୟ ମନଟା ମୋର ଡହଳବିକଳ ହେଉ ନଥାନ୍ତା......ଏତେ କଷ୍ଟବି ପାଉ ନଥାନ୍ତା ।

 

ମୋ ଭଳି ସମସ୍ତଙ୍କୁ ଏମିତି ଗୁଡ଼ାଏ ଦୁଃଖ ଦେବାକୁ କ’ଣ ଲୋହିଆ ଆସିଥିଲେ ?

 

ଅକ୍ଟୋବର ଦୁଇ, ସେଦିନ ଥିଲା ଗାନ୍ଧୀଜୟନ୍ତୀ ।

 

ଠିକ୍‌ ଦିପହରବେଳେ ମନକୁ ଅସ୍ଥିର କରିଦେବା ଭଳି ଖବର ଆସିଲା.....ଦିଲ୍ଲୀସ୍ଥ ଡାକ୍ତରଖାନାରେ ଲୋହିଆଙ୍କ ଅବସ୍ଥା ଅତି ସାଙ୍ଘାତିକ ।

 

ଶୁଣୁ ଶୁଣୁ ଚାପଡ଼ଟେ ଖାଇଲା ଭଳି ଧକ୍କା ଲାଗିଲା ।

ଦିଦିନ ଆଗରୁ ଖବରକାଗଜରେ ପଢ଼ିଥିଲି ଗୋଟାଏ ସାଧାରଣ ଅପରେସନ୍ ପାଇଁ ଲୋହିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଚି । ସେତେବେଳଠୁଁ କେଜାଣି କାହିଁକି ମନ ଭିତରେ ଆଶଙ୍କା ଘର କରି ଯାଇଥିଲା ।

ଆଉ ଏବେ ଏସବୁ ହେଲା କ’ଣ ?

ଦୁଇ ତାରିଖ ଅକ୍ଟୋବର ସନ୍ଧ୍ୟାରେ ଦିଲ୍ଲୀକୁ ଫୋନ୍‌ କଲି । ସେଇଠୁ ଓମ୍‌ପ୍ରକାଶ ଦୀପକ କହିଲେ ଯେ ବହୁତ ରକ୍ତ ବୋହିଯାଇଚି । ଡାକ୍ତରମାନେ ରୋଗକୁ ଆୟତ୍ତ କରିବାପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ଦୀପକ ପୁଣି କହିଲେ–ବ୍ୟସ୍ତ ହୁଅନା ।

ଆଉ ବ୍ୟସ୍ତ ହୋଇ ବା କରନ୍ତି କ’ଣ !

ସେଦିନ ରାତିରେ ଜମା ନିଦ ଆସିଲାନି । ରାତିଯାକ ଲେଖିବାରେ ଲାଗିଲି । ମୁଁ ମୋର ଏଇ ବହିଟାକୁ ସେଇ ରାତିରେ ଶେଷ କରିଦେବା ପାଇଁ ଚାହୁଁଥିଲି । କିନ୍ତୁ ସବୁ କଥା କ’ଣ ମୋ ହାତରେ ଅଛି ? ‘‘ଶେଷ–ଅଧ୍ୟାୟ’’ଟା ମତେହିଁ ଏଇ ବହିରେ ଲେଖିବାକୁ ହବ–ଏକଥା କ’ଣ ମୁଁ ଜାଣିଥିଲି ?

ଯାଇତାଇ ରାତିଟା କଟିଗଲା । ପାହାନ୍ତା ରେଡ଼ିଓରେ ଭାସିଆସିଲା ‘‘ମହାଳୟା’’ କାର୍ଯ୍ୟକ୍ରମ । ମୋର କଲମ ଅଟକିଗଲା । କଲିକତାରୁ ବଙ୍ଗଳା ଭାଷାରେ ‘‘‘ମହିଷାସୁରମର୍ଦ୍ଦିନୀ’’ଙ୍କ ବନ୍ଦନା ଆସୁଥିଲା । ଶକ୍ତିଦେବୀ ଦୁର୍ଗାଙ୍କ ସ୍ଥାପନା ହେଉଥିଲା ।

 

ମୁଁ ଚୁପ୍‌ଚାପ୍‌ ବସିଗଲି । ଭାବିଲି, ମୋ ଦେଶର ମଙ୍ଗଳପାଇଁ ଶକ୍ତିଦେବୀ କ’ଣ ଆମକୁ ଏଇ ବିପତ୍ତିରୁ ଉଦ୍ଧାର କରିବେ ନାହିଁ ? ନା.....ନା, ସେଇଆହିଁ ହେବ ।

 

ଲୋହିଆ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ । ମା’ ଦୁର୍ଗା ବର୍ତ୍ତମାନ ଜାଗ୍ରତ । ବର୍ତ୍ତମାନ ଆଉ କିଛି ଅନିଷ୍ଟ ହେବନି ।

 

କିନ୍ତୁ ମା’ ଦୁର୍ଗାବି କିଛି କରିପାରିଲେନି ।

 

ଦୁଇ ଅକ୍ଟୋବରରୁ ଏଗାର ଅକ୍ଟୋବର ପର୍ଯ୍ୟନ୍ତ ଯମରାଜଙ୍କ ସହିତ ଅହରହ ଯୁଦ୍ଧ କରି କରି ଲୋହିଆ କ୍ଳାନ୍ତ ହୋଇପଡ଼ିଥିଲେ । ଆଉ ବାର ଅକ୍ଟୋବର ଠିକ୍‌ ଜହ୍ନରାତ୍ରି ଦିନ–ଅଷ୍ଟମୀ ଆଉ ନବମୀର ସନ୍ଧିବେଳାରେ– ଲୋହିଆ ଯୁଦ୍ଧ ବନ୍ଦ କରିଦେଲେ ।

 

ଯୋଦ୍ଧା ଯୁଦ୍ଧ ବନ୍ଦ କରିଦେଲେ ।

 

କିଏ ଜିଣିଲା ! କିଏ ହାରିଲା !

 

ଏପର୍ଯ୍ୟନ୍ତ ଥକିପଡ଼ିଥିବା ଲୋହିଆଙ୍କ ଶ୍ରାନ୍ତ–କ୍ଳାନ୍ତ ଚେହେରା ମୃତ୍ୟୁକୁ ଆଲିଙ୍ଗନ କରି ଏକ ଆହ୍ୱାନ ଦେବା ଭଳି ଭଙ୍ଗୀରେ ହସିଉଠିଥିଲା ।

 

ଗୁଡ଼ାଏ କାମକୁ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ିଦେଇ ଲୋହିଆ ଡାକ୍ତରଖାନାକୁ ଯାଇଥିଲେ । ବର୍ତ୍ତମାନ କେବଳ ତାଙ୍କ ଶରୀର ତାଙ୍କ କୋଠରୀ ଭିତରେ ପଡ଼ିରହିଛି ।

 

ଚିରନିଦ୍ରାରେ.......ଆଖି ବନ୍ଦ କରି ।

 

ଏତେ ସକାଳୁ ସକାଳୁ କୋଉମାନେ କାନ୍ଦୁଚନ୍ତି ? କିନ୍ତୁ ସମସ୍ତେ ତ କାନ୍ଦୁଚନ୍ତି । ନେତା, ମନ୍ତ୍ରୀ, ବନ୍ଧୁ, ସାଥୀ, ଅନୁଚର ସମସ୍ତଙ୍କ ଆଖିରେ ଲୁହ.......ସମସ୍ତଙ୍କ ହୃଦୟରେ କୋହ ।

 

ଲୋହିଆଙ୍କ ଦିଲ୍ଲୀସ୍ଥ ଘର.....୭, ଗୁରୁଦ୍ୱାର ରକାବଗଞ୍ଜ ରୋଡ଼୍....ସାମ୍ନାରେ ପ୍ରଥମ ଥରପାଇଁ ଜନତାର ପ୍ରବଳ ଭିଡ଼ । ଧାଡ଼ି ଧାଡ଼ି ମୋଟର । ବାରଣ୍ଡା, କୋଠରୀ ଓ ବଗିଚା ଭିତରେ ତିଳ ପକେଇବାକୁ ଜାଗା ନାହିଁ ।

 

ଯିଏ ଆସୁଥିଲା, ଫୁଲତୋଡ଼ା କିମ୍ୱା ଫୁଲମାଳକୁ ତାଙ୍କ ଶରୀର ଉପରେ ଅର୍ପଣ କରି ଶୋକାଭିଭୂତ ଅବସ୍ଥାରେ ନତମସ୍ତକ ହେଉଥିଲା ।

 

ଲୋହିଆଙ୍କ ଅଭିନ୍ନ ମିତ୍ର, ସାଙ୍ଗ–ସାଥୀ, ଅନୁଚରବୃନ୍ଦଙ୍କ ଶୋକାତୁର ହାହାକାର ମନକୁ କିଏ ବା ସାନ୍ତ୍ୱନା ଦେଇପାରନ୍ତା !

 

କାମରାଜବି ନତମସ୍ତକ......ଜୟପ୍ରକାଶ ଆଉ ପ୍ରଭାବତୀ ମଧ୍ୟ । ଅନ୍ୟ ମନ୍ତ୍ରୀଗଣ.....ବଡ଼ବଡ଼ ନେତାଏ.....ସମସ୍ତେ ନିର୍ବାକ୍‌......ନିର୍ବେଦ । ମୋରାରଜୀ ଭାଇବି ନିର୍ବାକ୍‌......ନିସ୍ପନ୍ଦ ।

 

ଏମିତି କ’ଣ ହୋଇଗଲା !

 

ବନ୍ଦୀ ଶେଖ୍‌ ଅବଦୁଲ୍ଲା ଫୁଲତୋଡ଼ା ସାଙ୍ଗକୁ ଖଣ୍ଡେ ଟୁକୁରା କାଗଜବି ଶବର ଚରଣତଳେ ଅର୍ପଣ କଲେ । ଶେଖ୍‌ଙ୍କୁ କଣ୍ଠ ବାଷ୍ପରୁଦ୍ଧ । ମୁହଁରେ ଭାଷା ନଥିଲା । ତେଣୁ କାଗଜ ଖଣ୍ଡକରେ ଲେଖି ଦେଇଥିଲେ–‘‘ଯୋଦ୍ଧା, କାଶ୍ମୀର ତୁମକୁ ସଲାମ କରୁଚି ।’’

 

ରାଷ୍ଟ୍ରପତି ଭବନର ଠିକ୍‌ ପଛ ଆଡ଼କୁ ଥିଲା ପୁରୁଣା ଗିର୍ଜାଘର । ସେଇଠି ଲୋହିଆଙ୍କ ଶେଷଯାତ୍ରା ପାଇଁ ମୋଟରକୁ ଫୁଲରେ ସଜା ଯାଉଥିଲା । ହଜାର ଥର ଲୋହିଆଙ୍କ ଶୋଭାଯାତ୍ରା ବାହାରିଥିଲା; କିନ୍ତୁ ସେତେବେଳେ ଲୋକଙ୍କ ମନରେ ଯେତେଟା ଉତ୍ସାହ ଥିଲା, ଆଜି ଠିକ୍‌ ସେତିକି ଶୋକର ଛାୟା ଖେଳି ଯାଇଥିଲା ।

 

ଏଇଟା ହେବ ଲୋହିଆଙ୍କ ଶେଷଯାତ୍ରା । ଟିକିଏ ଭଲ ଭାବରେ ମୋଟରକୁ ସଜେଇଦେବା ଦରକାର ।

 

ଦିନ ଦୁଇଟା ।

 

ଗୋଟାଏ ବହୁ ଜନପ୍ରିୟ ବ୍ୟକ୍ତିବିଶେଷଙ୍କ ଶବ ଉଠିଲା ।

 

ମୋରାରଜୀ ଭାଇ, ଚୌହାନ୍‌, ରାମସେବକ ଯାଦବ, ଆଚାର୍ଯ୍ୟ କୃପାଳିନୀ, ମନିରାମ ବାଗ୍‌ଡ଼ୀଙ୍କ ଭଳି ସାଙ୍ଗ–ସାଥୀ ତଥା ବାଳକୃଷ୍ଣ ଗୁପ୍ତଙ୍କ ଭଳି ବାଲ୍ୟସଖାଙ୍କ କାନ୍ଧ ଉପରେ........ଫୁଲରେ ଆଚ୍ଛାଦିତ ଶବ.....ଫୁଲଠୁଁ ଆହୁରି କୋମଳ.......ଚଟାଣ ଅପେକ୍ଷା ଆହୁରି କଠିଣ......ଲୋହିଆଙ୍କ ଶରୀର ।

 

କେତେ ଆରାମରେ ଶୋଇଛନ୍ତି ଲୋହିଆ !

 

ଅଗଣିତ ଚକ୍ଷୁର ଅଶ୍ରୁ........କୋଟି ହୃଦୟର କୋହ......ଚିତ୍କାର, କାନ୍ଦ.......ଏକ ଚେତନାଶୂନ୍ୟ ପରିବେଶ ଭିତରେ ଜନପ୍ରେମୀଙ୍କ ଶବଯାତ୍ରା ବାହାରିଲା ।

 

ଗୋଟାଏ ଦେଶପ୍ରେମୀର ଶବଯାତ୍ରା । କୌଣସି ରାଜା, ମନ୍ତ୍ରୀ କିମ୍ୱା କ୍ଷମତାସୀନ ବ୍ୟକ୍ତିବିଶେଷଙ୍କର ନୁହେଁ.......ଗରିବଙ୍କ ଯିଶୁ.......ଦୁଃଖୀରଙ୍କୀଙ୍କର ଦେବତାଙ୍କ ଶବଯାତ୍ରା । ତେଣୁ କୌଣସି ଲୋକଦେଖାଣିଆ ହାବଭାବ ନଥିଲା.......ନଥିଲା ବିଳାସ–ଆଡ଼ମ୍ୱରର ଲେଶମାତ୍ର ଆଭାସ......କେବଳ ଥିଲା ଶୋକ........ପ୍ରକୃତ ଆଉ ବାସ୍ତବ ଶୋକ ।

 

ଏଇଟା ଥିଲା ଲୋହିଆଙ୍କ ଶେଷଯାତ୍ରା ।

 

ସମଗ୍ର ଦେଶ ଶୋକାଭିଭୂତ । ଦିଲ୍ଲୀ ଶ୍ରୀହୀନ ଅବସ୍ଥାରେ କଳା ପଡ଼ି ପଡ଼ି ଯାଉଥିଲା । ଚାରିଆଡ଼େ ନୀରବତା......

 

ଲୋହିଆଙ୍କ ପାଦ ସାଙ୍ଗେ ନିତି ଖେଳୁଥିବା ରକାବଗଞ୍ଜ ସଡ଼କର ଧୂଳିବି ହାହାକାର କରି ଲକ୍ଷ ଲୋକଙ୍କ ପାଦସ୍ପର୍ଶରେ ଉଡ଼ି ବୁଲୁଥିଲା ।

 

ଏଇ ସାତ ନମ୍ୱର ବଙ୍ଗଳା........ଦିନେ ଯାହା ଜନକୋଳାହଳର କ୍ଷେତ୍ର ଥିଲା.......ଆଜିଠୁଁ ଶୂନ୍ୟ ହୋଇଗଲା ।

 

ଏଇଟା ଦିଲ୍ଲୀର କନ୍ନଟ ପ୍ଲେସ୍ ।

 

କେତେ କେତେ ସମ୍ରାଟ ଆଉ ରାଜା–ମହାରାଜାଙ୍କ ସବାରି ଏଇ ବାଟ ଦେଇ ଯାଇଚି । ଏଇ ଜାଗାଟା ସବୁବେଳେ ଜନକୋଳାହଳରେ ମୁଖରିତ । ଜନକୋଳାହଳର ଏଇ ରାଣୀ ଆଜି ଧକେଇ ଧକେଇ କାନ୍ଦୁଚି । ଦୋକାନ ବଜାର ବନ୍ଦ । ଶବଯାତ୍ରା ଅଟକିଗଲା । ସଡ଼କର ଦି’ଧାରରେ ସଂଖ୍ୟାହୀନ ଜନତା ଛଳଛଳ ଆଖିରେ ନତମସ୍ତକ ହୋଇ ଛିଡ଼ା ହୋଇଥିଲେ ।

 

ଏଇଟା ହେଉଚି କଫି ହାଉସ୍‌ ।

 

ଲୋହିଆଙ୍କ ରଙ୍ଗୀନ ଆଉ ଉଦ୍‌ବିଗ୍ନ ବୈଠକର ଏକମାତ୍ର ସାଥୀ.......ଲୋହିଆଙ୍କର ଅଟ୍ଟହାସ, କ୍ରୋଧ, ବିବାଦ ଏବଂ ନୀରବତାର ଏକମାତ୍ର ସାକ୍ଷୀ । ଆଜି ସେଇ କଫି ହାଉସ୍‌ବି ଉଦାସ ହୋଇ ଉଠିଥିଲା ।

 

ଲୋହିଆଙ୍କୁ ଦୂରରୁ ଏବଂ ପାଖରୁ ଦେଖି ବ୍ୟଙ୍ଗ ଏବଂ ଚର୍ଚ୍ଚା କରିବା କଫି ହାଉସ୍‌ର ସମ୍ପର୍କୀୟ ଲୋକେ, କଫି ହାଉସ୍‌ର କର୍ମଚାରୀ, ପ୍ରତିଦିନିଆ ଗ୍ରାହକ ଲୋହିଆଙ୍କ ଶବ ଉପରେ ଫୁଲ ଅର୍ପଣ କରୁଛନ୍ତି । କଫି ହାଉସ୍‌କୁ ଚରମ ରାଜନୀତିର ଆଡ଼୍‌ଡ଼ାସ୍ଥଳୀରେ ପରିଣତ କରିଥିବା ବ୍ୟକ୍ତି ଶେଷଯାତ୍ରାରେ ଯାଉଥିଲେ । ଏଣିକି କଫି ହାଉସ୍‌ରେ ଦେଖାଦେବ ଚରମ ଶୂନ୍ୟତା ।

 

ଆଗରେ ତିଲକ ପୋଲ ।

 

ସେଦିନ ତିଲକଙ୍କ ମୂର୍ତ୍ତିର ଅନାବରଣ ସମାରୋହରେ ଯଶୋବନ୍ତ ରାଓ ଚୌହାନ ଲୋହିଆଙ୍କୁ ସ୍ୱାତନ୍ତ୍ର୍ୟ–ଗ୍ରାମରେ ସେନାପତି ଆଖ୍ୟା ଦେଇଥିଲେ । ସେଇ ସେନାପତି ଆଜି ଯାଉଥିଲେ ତିଲକ ମହାରାଜାଙ୍କ ନିକଟକୁ ।

 

ତା’ପରେ ରିଙ୍ଗରୋଡ଼୍, ଆଡ଼କୁ ରାଜଘାଟ, ଶାନ୍ତିଘାଟ ଏବଂ ବିଜୟଘାଟ–ଗାନ୍ଧୀ, ନେହେରୁ ଏବଂ ଶାସ୍ତ୍ରୀଙ୍କ ସମାଧିସ୍ଥଳ । ତା’ର ଆଗକୁ ଥିଲା ଗରିବ ଆଉ ଅନାଥଙ୍କର ଅନାମ ଘାଟ–ବିଦ୍ୟୁତ୍‌ ଶବଦାହ–ଗୃହ ।

 

ଲୋହିଆ କେବେ କହିଥିଲେ–ବିଦ୍ୟୁତ୍‌ ଶବଦାହ–ଗୃହରେ ତାଙ୍କୁ ଭସ୍ମ କରିଦେବା ହେଉଚି ତାଙ୍କର ଶେଷ ଇଚ୍ଛା । ଆଜି ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦେଶର ଜଣେ ଗରିବ ଲୋକର ଅନ୍ତିମ କ୍ରିୟାରେ ଯେତେ କମ୍‌ ଖର୍ଚ୍ଚ ହେବ, ସେତେ ଭଲ । ତେଣୁ ଠିକ୍‌ କରାଗଲା, ବିଦ୍ୟୁତ୍‌ପ୍ରତିକ୍ରିୟାଦ୍ୱାରା ଲୋହିଆଙ୍କ ଦାହ–ସଂସ୍କାର କରି ଜମା ଦେଢ଼ଶ’ ଟଙ୍କାରେହିଁ ସମସ୍ତ କାମ ଶେଷ କରାଯିବ । ଚନ୍ଦନ କାଠ, ଘିଅ, ପଣ୍ଡିତଙ୍କଦ୍ୱାରା ମନ୍ତ୍ର ଉଚ୍ଚାରଣ, ଲୋକଦେଖାଣିଆ କାର୍ଯ୍ୟକ୍ରମ, ସ୍ୱର୍ଗପ୍ରାପ୍ତି ପାଇଁ ପ୍ରାର୍ଥନା–ଏସବୁର କୌଣସି ଆବଶ୍ୟକତା ନଥିଲା-

 

ସମସ୍ତ କାର୍ଯ୍ୟ ଜଣେ ଧନହୀନ ବ୍ୟକ୍ତିଙ୍କର ।

 

ଲୋହିଆ ନିଜକୁ ଜଣେ ନିର୍ଦ୍ଧନ ଅପେକ୍ଷା ବଡ଼ ବୋଲି କେବେ କ’ଣ ମନେ କରୁଥିଲେ-?

 

ଏଇଟାବି କେତେ ବଡ଼ ବିପରୀତ ଘଟଣା । ଅନ୍ୟ ନେତାଙ୍କର ଅନ୍ତିମ–ଯାତ୍ରା ଏବଂ ଦାହ–ସଂସ୍କାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାର ଦେଖିଚି; କିନ୍ତୁ ଆଜି ଲୋହିଆଙ୍କର ଏଭଳି ସଂସ୍କାର !

 

ଶେଷ ହେଲା ତିନି ଘଣ୍ଟାର ଯାତ୍ରା ।

 

ଲୋହିଆଙ୍କ ଶବକୁ ଗୋଟାଏ ଉଚ୍ଚ ଆସନରେ ରଖାଗଲା । ଲୋକେ ଶେଷ ଥରପାଇଁ......ପୂରାପୂରି ଶେଷ ଥରପାଇଁ ଦର୍ଶନ କରି ଶ୍ରଦ୍ଧାର ଅଶ୍ରୁ ଅର୍ପଣ କଲେ । ପୁଣି ଥରକପାଇଁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା ।

 

ସବୁ ଥର ଭଳି ଶ୍ରଦ୍ଧା ଏବଂ ଫୁଲର ସମ୍ଭାରକୁ ଯେମିତି ଲୋହିଆ ଉପେକ୍ଷିତ ଦୃଷ୍ଟିରେ ଦେଖି ହସିଦେଲେ ।

 

ବର୍ତ୍ତମାନ ଲୋହିଆଙ୍କ ପାର୍ଥିବ ଶରୀର ଦାହ–ଗୃହ ଭିତରେ....

 

କବାଟ ବନ୍ଦ ।

 

କିଛିଟା ଆବେଗ......କିଛିଟା ଚମକ........

 

କ୍ଷଣକ ଏବଂ ମୁହୂର୍ତ୍ତକ ପାଇଁ ।

 

ଗୋଟାଏ ଲୌହ ଶରୀର ଆତ୍ମସାତ୍‌........

 

କିଛି ଦେଖାଯାଉ ନଥିଲା.......ଆଉ କିଛି ବାକି ନଥିଲା.......ଏପରି କି ପାଉଁଶବି । ଶେଷ ଅସ୍ଥି.......ପାଉଁଶ କିମ୍ୱା ଭସ୍ମ......କିଛି ନଥିଲା.........

 

ସବୁ କିଛି ଶେଷ......

 

ବିଦ୍ୟୁତ୍‌ ଶବଦାହ–ଗୃହ ବାହାରେ ଅସୁମାରି ଭିଡ଼ । ସମସ୍ତେ କାନ୍ଦୁଥିଲେ–

 

ଲୋକସଭାର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ରେଡ଼ିଙ୍କ ପାଟି ଶୁଣାଯାଉଥିଲା–‘‘ଯେଉଁ ଲୋକ ପାଖରେ ସାମ୍ରାଜ୍ୟକୁ ଭସ୍ମ କରିଦେବା ଭଳି ଶକ୍ତି ଥିଲା, ଆଜି ତାକୁ ଅଗ୍ନି ଭସ୍ମ କରିଦେଲା । ଏ ଦେଶରେ ଅନେକେ ନେତା ହେଲେ; କିନ୍ତୁ ଲୋହିଆ କେବଳ ଥିଲେ ଜଣେ ।’’

 

ବାବୁ ଜୟପ୍ରକାଶ ନାରାୟଣଙ୍କ ଦୁଃଖର କାହାଣୀ ବା କ’ଣ କହିବା ! ତାଙ୍କ କଣ୍ଠ ବାଷ୍ପରୁଦ୍ଧ, ପାଟିରୁ ଭାଷା ବାହାରୁ ନଥିଲା । ବଡ଼ କଷ୍ଟରେ ସେ କହିଲେ–‘‘ରାମ ମନୋହର ମୋଠୁଁ ଆଠ ବରଷ ସାନ । ତାଙ୍କ ଜାଗାରେ ମୁଁ ଆଉ ମୋ ଜାଗାରେ ସେ ଥିଲେ ହୁଏତ ଖୁବ୍‌ ଭଲ ହୋଇଥାନ୍ତା; କିନ୍ତୁ ପରମାତ୍ମାଙ୍କ ବୋଧହୁଏ ଏଇ ଇଚ୍ଛା ନଥିଲା । ରାମ ମନୋହର ଲୋହିଆଙ୍କ ଭଳି ତ୍ୟାଗୀ ଜୀବନ–ଆଜି ଆଉ ସେଇ ସଂଘର୍ଷମୟ ଜୀବନ ନାହିଁ । ଭବିଷ୍ୟତ୍‌ଦ୍ରଷ୍ଟା ଡକ୍‌ଟର ଲୋହିଆ ଖୁବ୍‌ ଭଲ ଭାବରେ ବୁଝିଥିଲେ ଯେ ହିନ୍ଦୁସ୍ଥାନ ବର୍ତ୍ତମାନ କୁଆଡ଼ୁକୁ ଯାଉଚି । ସେ ଯୋଉ ଚିତ୍ର ଆଙ୍କିଥିଲେ, ତାହା ସତେ କେତେ ବାସ୍ତବ ! ତା’ର ଜ୍ୱଳନ୍ତ ପ୍ରମାଣ ହେଉଚି ଚତୁର୍ଥ ସାଧାରଣ ନିର୍ବାଚନ, ଯାହା କି ସ୍ୱୟଂ ଡକ୍‌ଟର ଲୋହିଆଙ୍କର ଏକ କ୍ରାନ୍ତିକାରୀ ସ୍ମୃତି ମାତ୍ର । ଏଇ ଜ୍ୟୋତିପୁଞ୍ଜ.....ଏଇ ଅଦ୍ୱିତୀୟ ପ୍ରତିଭା.....ଏଇ ବିପ୍ଳବୀ ଆତ୍ମାକୁ ପ୍ରଣାମ ।’’

 

ଲୋହିଆଙ୍କଦ୍ୱାରା ସଂସ୍ଥାପିତ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ଶ୍ରୀଧର ମହାଦେବ ଯୋଷୀ, ଯେ କି ଲୋହିଆଙ୍କୁ କେବଳ ନେତା ନୁହେଁ, ନିଜ ଭାଇ ରୂପରେ ମାନୁଥିଲେ, କହିଲେ–‘‘ଡକ୍ଟର ଲୋହିଆ କେବଳ ଗୋଟାଏ ଦଳର ନେତା ନଥିଲେ–ସେ ଥିଲେ ସମଗ୍ର ଦେଶର ନେତା । ତାଙ୍କର ବକ୍ତବ୍ୟ ଥିଲା, ଯେ ଦେଶ ହିତର ବିରୁଦ୍ଧାଚରଣ କରେ, ସେ ନିଜେ ହିତର ବିରୁଦ୍ଧାଚରଣ କରେ ।’’

 

କଂଗ୍ରେସ ଅଧ୍ୟକ୍ଷ ଶ୍ରୀ କାମରାଜ ମଧ୍ୟ ନୀରବ ରହିପାରିଲେ ନାହିଁ । ଲୋହିଆଙ୍କୁ ସେ ଗରିବ ଆଉ ନିଷ୍ପେଷିତ ଲୋକଙ୍କ ନେତାରୂପେ ମନେ ପକେଇଲେ ।

 

ଯଶୋବନ୍ତ ରାଓ ଚୌହାନ କହିଲେ ‘‘ଡକ୍‌ଟର ଲୋହିଆ ପଦଦଳିତଙ୍କ ପ୍ରବକ୍ତା ଥିଲେ । ଡକ୍‌ଟର ଲୋହିଆ ଥିଲେ ଭାରତୀୟ ରାଜନୀତିର ‘‘କ୍ରୋଧୀ–ଯୁବକ’’; କିନ୍ତୁ ତାଙ୍କର କ୍ରୋଧ କେବେବି ବ୍ୟକ୍ତିଗତ ଦ୍ୱେଷ ଉପରେ ଆଧାରିତ ନଥିଲା । ତାଙ୍କ ଭିତରେ କରୁଣାର ଉତ୍ସ ଥିଲା, ଯାହା କି ଦେଶର ଗରିବଙ୍କ ପ୍ରତି ସମ୍ୱେଦନଶୀଳ ଲୋକଙ୍କ ମନ ଭିତରେ ଥାଏ । ସଂସଦ ଭିତରେ ଆମେ ତାଙ୍କ କ୍ରୋଧକୁ ସହ୍ୟ କରି ଯାଉଥିଲୁ । କର୍ତ୍ତବ୍ୟ ଦୃଷ୍ଟିରୁ ତାଙ୍କ ପ୍ରଶ୍ନର ଉତ୍ତରବି ଦେବାକୁ ପଡ଼ୁଥିଲା । ଏବେ ରହି ରହି ମନେପଡ଼ିବ ଯେ ସେଇ ସଶକ୍ତ ଭାଷା ଗଲା କୁଆଡ଼େ ? ସଂସଦ ଭିତରେ ଗୋଟାଏ ସ୍ଥାନ ଶୂନ୍ୟ ରହିବ–ଯାହା କି ସବୁବେଳେ କଣ୍ଟା ଭଳି ହୃଦୟ ଭିତରେ ସୃଷ୍ଟି କରୁଥିବ ଏକ କିମିତିକା ବେଦନା । ଲୋକସଭା ତାଙ୍କ ବିନା ଶୂନ୍ୟ ରହିଯିବ ।’’

 

ଲୋହିଆଙ୍କ ପୁରୁଣା ବୟୋବୃଦ୍ଧ ବନ୍ଧୁ ଆଚାର୍ଯ୍ୟ କୃପାଳିନୀ କହିଲେ–‘‘ଡକ୍‌ଟର ଲୋହିଆ ମୋ ପରିବାରର ଜଣେ ହୋଇ ରହିଥିଲେ । ସେ ଚାଲିଗଲା ପରେ ମୁଁ ଏକାକୀ ହୋଇଗଲି । ଲୋହିଆଙ୍କ ଭାଷାରେ କ୍ରୋଧ ଥିଲା, କିନ୍ତୁ ସେଇ କ୍ରୋଧ ଅକାରଣ ନଥିଲା । ଡକ୍‌ଟର ଲୋହିଆଙ୍କ ପାଖରେ ଯେତେଟା ଆବେଗ ଥିଲା, ସେତିକି ପରିମାଣରେ କୋମଳତାବି ଥିଲା ।’’

 

ଶ୍ରୀମତୀ ତାରକେଶ୍ୱରୀ ସିହ୍ନା ଯେମିତି କିଛି କହିପାରୁ ନଥିଲେ । ସେ ଅତୀତର ଗୁଡ଼ାଏ ସ୍ମୃତିକୁ ମନେ ପକେଇ କାନ୍ଦି ପକେଇଲେ । ବଡ଼ କଷ୍ଟରେ ସେ କେବଳ ଏତିକି କହିଲେ–‘‘ଆଜି କେବଳ ଲୋକସଭା ନୁହେଁ, ସାରା ଭାରତ ଶୂନ୍ୟ ହୋଇଗଲା ।’’

 

ଏପରି ଭାବରେ ଉପସ୍ଥିତ ଲୋକେ ସ୍ୱର୍ଗୀୟ ଯୋଦ୍ଧା, ସେନାପତି ବୀର, ବିଚାରକ, ନେତା ଏବଂ ବହୁ ଜନପ୍ରିୟ ନାୟକଙ୍କୁ ନିଜ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ଲୋକଙ୍କର ଧ୍ୟାନ ତାଙ୍କର ସ୍ମୃତି ଆଉ ଶ୍ରଦ୍ଧାଞ୍ଜଳି ଭିତରେ ହଜି ଯାଇଥିଲାବେଳେ ତେଣେ ଦାହ–ଗୃହ ଭିତରେ ଲୋହିଆଙ୍କ ଶରୀର ଅଗ୍ନି ଭିତରେ ସ୍ୱାହା ହୋଇ ଯାଇଥିଲା ।

 

ଭାରତୀୟତାର ଏକ ପ୍ରତୀକ ପୁରୁଷ, ରାଜନୀତିର ଗୋଟାଏ ବିଲକ୍ଷଣ ଇତିହାସ ପୁରୁଷ ।

 

ଗୋଟାଏ ସଂଘର୍ଷମୟ ଆଉ ଲୀଳାମୟ ଜୀବନର ସମାପ୍ତି ଘଟିଲା ।

 

ଲୋହିଆ ଥିଲେ ଶାସକଙ୍କ ପାଇଁ, କ୍ଷମତାସୀନଙ୍କ ପାଇଁ ଗୋଟାଏ ଆତଙ୍କ । ଲୋହିଆ ଥିଲେ ଗରିବଙ୍କର ଧୈର୍ଯ୍ୟ । ଲୋହିଆ ଥିଲେ ପତିତଙ୍କର ପ୍ରେରଣା । ସେ ଥିଲେ ମୂକ ଜନତାର ଭାଷା.......ଶକ୍ତିହୀନଙ୍କର ଶକ୍ତି ।

 

ଲୋହିଆ ଥିଲେ ଜଣେ ଅତି ସାଧାରଣ ମାନବ; ତଥାପି ସେ ଥିଲେ ମହାମାନବ । ତାଙ୍କ ଭିତରେ ଥିବା ସରଳତା ଗୋଟାଏ ବିଶିଷ୍ଟ ଉଦ୍ଦେଶ୍ୟ ନେଇ ଚରମ ଶିଖରରେ ପହଞ୍ଚିଥିଲା ।

 

ଦୁନିଆ ଲୋହିଆଙ୍କୁ ଯେଉଁ ରୂପରେବି ଦେଖୁ ନା କାହିଁକି, ତାଙ୍କର ଗୋଟାଏ ନିଜସ୍ୱ ରୂପ ଥିଲା । ଅନେକ ମହାନତା ଥିବା ସତ୍ତ୍ୱେବି ସେ ଥିଲେ ଗୋଟାଏ ମଣିଷ–ଏକ ସାଧାରଣ ମଣିଷ–ଦୁଃଖ–ସୁଖର ମଣିଷ । ସେଦିନ ତାଙ୍କର ଅତି ପ୍ରିୟ, ବନ୍ଧୁବତ୍‌ ସେବକ ଶୋଭନ ସିଂହ କହୁଥିଲା–

 

‘‘ମୁଁ ୧୯୬୩ ସାଲରୁ ଲୋହିଆଙ୍କ ପାଖରେ କାମ କରି ଆସୁଥିଲି । ଯୋଉଦିନ ସନ୍ଧ୍ୟାରେ ସେ ମତେ ତାଙ୍କ ସେବା କରିବାପାଇଁ ନିଯୁକ୍ତ କଲେ, ସେଦିନ ଡକ୍‌ଟର ସାହେବ ମତେ ନିଜ କୋଠରୀକି ଡାକିଲେ, ଯୋଉ କୋଠରୀଟା ତାଙ୍କର ଅଧ୍ୟୟନ ଆଉ ଶୟନପାଇଁ ଉଦ୍ଦିଷ୍ଟ ଥିଲା-। କହିଲେ–‘ଶୋଭନ, ଦେଖ, ତମେ ଏ ଘରର ଚାକର ନୁହ, ତମେ ଯଦି ନିଜକୁ ମୋର ଛୋଟ ଭାଇ ମନେକରି ଏ ଘରକୁ ନିଜର ନ କରି ପାରିବ, ତେବେ ତମକୁ ଏଠୁଁ ଚାଲିଯିବାକୁ ହବ-।’ ଏତକ କହିବା ସାଙ୍ଗେ ସାଙ୍ଗେ ସେ ମତେ ଦୁଇ ଯୋଡ଼ା ଖଦିର କୁରୁତା ଆଉ ପାଇଜାମା ଦେଲେ-। ସେଇଦିନଠୁଁ ମୁଁ ଏ ଘରର ଜଣେ ପାରିବାରିକ ସଦସ୍ୟ ହୋଇ ରହିଲି ।

 

ଡକ୍‌ଟର ସାହେବ ଅତି ସାଧାସିଧା ଖାଦ୍ୟ ଖାଉଥିଲେ । ଡାଲି ଆଉ ରୁଟି । ତାଙ୍କୁ ବୁଟଡ଼ାଲି ଆଉ ହାଲୁକା ଗରମ ରୁଟି ଖୁବ୍ ଭଲ ଲାଗୁଥିଲା । ଯେତେବେଳେ ସେ ଫୁର୍ତ୍ତିଳ ମନରେ ଫେରୁଥିଲେ, ମତେ ଆଗ ଡାଲି ପରଜିବାକୁ କହୁଥିଲେ; କିନ୍ତୁ ଘିଅରେ ନୁହେଁ, ଖାଣ୍ଟି ତେଲ ଆଉ ଜିରାରେ ।

 

ଶୋଇବା ଆଗରୁ ସେ ମତେ ଡାକି ମୋ ଗରିବ ଜିଲା ଟେହେରୀ ଗଡ଼ବାଲ ଆଉ ସେଠିକା ଲୋକଙ୍କ ଅବସ୍ଥା ସମ୍ୱନ୍ଧରେ କଥାବାର୍ତ୍ତା କରୁଥିଲେ ।

 

ସବୁଦିନ ସକାଳୁ–ମୁଁ ଚା’ ପିଇଲିଣି କି ନାହିଁ ପଚାରି ନ ବୁଝିଲା ଯାଏଁ ସେ କେବେ ପାଟିକି ଚା’ ନଉ ନଥିଲେ ।

 

ଦିନକର ଘଟଣା । ଡକ୍‌ଟର ସାହେବ ଦୀର୍ଘଦିନର ଯାତ୍ରା ଶେଷ କରି ଫେରିଆସିଲେ ଏବଂ ଚଞ୍ଚଳ ଶୋଇଗଲେ । ଠିକ୍‌ ସେତିକିବେଳେ କେହି ଜଣେ ତାଙ୍କ ସାଙ୍ଗେ କଥାବାର୍ତ୍ତା କରିବାପାଇଁ ବାରମ୍ୱାର ଟେଲିଫୋନ୍ କରିବାକୁ ଲାଗିଲେ । ଡକ୍ଟର ସାହେବ ଶୋଇଲେଣି ବୋଲି କହିବା ସତ୍ତ୍ୱେବି ସେ ବାରମ୍ୱାର ଫୋନ୍ କରିବାକୁ ଲାଗିଲେ । ସେ ଯେତେବେଳେ ପୁଣି ଥରକପାଇଁ ଫୋନ୍ କଲେ ମୁଁ ରାଗିଯାଇ ତାଙ୍କୁ ଜବାବ ଦେଉଥିଲାବେଳେ ଡକ୍ଟର ସାହେବ ତାଙ୍କ କୋଠରୀରୁ ବାହାରିଆସି ମତେ ସାମାନ୍ୟ ଚଢ଼ାଗଳାରେ କହିଲେ–‘ମୁଁ ବିଶେଷ ଦୁଃଖିତ ଯେ ତମେ ଆଜି ଯାଏଁ ଏ ଘରୁ କିଛିବି ଶିଖି ପାରିଲନି । ତମର ଉଚିତ ହେଉଛି ଲୋକଙ୍କ ସାଙ୍ଗରେ ବିନମ୍ର ବ୍ୟବହାର କରିବା ।’ ମୁଁ ଜାଣିଲି–ଡକ୍ଟର ସାହେବ ମୋ ଉପରେ ବିରକ୍ତ ହୋଇ ଉଠିଛନ୍ତି । ତା’ ଆରଦିନ ସକାଳୁ ସେ ମୋ ହାତରୁ ଚା’ବି ପିଇଲେନି । ମୁଁ ମୋର ଭୁଲ୍‌ପାଇଁ ତାଙ୍କ ପାଖରୁ କ୍ଷମା ମାଗିଲି । ସେ କହିବାରୁ ମୁଁ କାନ ଧରି ପ୍ରତିଜ୍ଞା କଲି, ଏଣିକି ଆଉ କାହା ଉପରେବି ଏମିତି ଖରାପ ବ୍ୟବହାର କରିବିନି ।

 

ଡକ୍ଟର ସାହେବ ସାଢ଼େ ନ’ଟା କିମ୍ୱା ଦଶଟା ପାଖାପାଖିବେଳକୁ ଖଟରେ ଶୋଇଯାନ୍ତି ଏବଂ ପତ୍ରିକା ଓ ବହିପତ୍ରଗୁଡ଼ାଏ ଶେଯ ଉପରେ ରଖି ନିଅନ୍ତି । ରାତିଅଧ ଯାଏଁ ପଢ଼ାପଢ଼ି କରନ୍ତି । ମୁଁ ଯାଇ ଅନେକ ରାତି ହେଲାଣି ବୋଲି ସୂଚନା ଦେଲାପରେ ତାଙ୍କ ହାତରୁ ବହି ଛାଡ଼େ । ତା’ପରେ ସେ ଶୋଇଯାନ୍ତି ।

 

ଡକ୍ଟର ସାହେବ କେବଳ ଖଦିର କପଡ଼ାହିଁ ପିନ୍ଧୁଥିଲେ । ଅଧିକାଂଶ ଧଳା ଖଦି । ହଁ, ମୁଣ୍ଡ ବାଳରେ ତେଲ ଲଗେଇବା ପାଇଁ ସେ ଅତିଶୟ ଘୃଣା କରୁଥିଲେ । ସେ ରୋଜ୍ ଦାଢ଼ି ଖିଅର ହୁଅନ୍ତି.......ଆଉ ଅନ୍ୟମାନଙ୍କଠାରୁ ସେ ସେଇଆବି ଚାହାନ୍ତି । ଦିନେ ସକାଳେ ମୁଁ–ଦାଢ଼ି ଖିଅର ହୋଇ ପାରିଲିନି । ସନ୍ଧ୍ୟା ଯାଏଁ ଅପେକ୍ଷା କରି ଶେଷରେ ସେ ମୋ ଉପରେ ରାଗିଗଲେ ଏବଂ ଯେ ପର୍ଯ୍ୟନ୍ତ ମୁଁ ମୋ ଚେହେରା ଠିକ୍‌ ନ କରିଚି, ରନ୍ଧାବଢ଼ା କରିବାପାଇଁ ମତେ ମନା କରିଦେଲେ-

 

ଏଇ ସାଢ଼େ ତିନିବର୍ଷ ଭିତରେ ମୁଁ ଲେଖା–ପଢ଼ା ଶିଖି ଯାଇଥିଲି । ଯଦିଓ ଏଥିପାଇଁ ମତେ ଡକ୍ଟର ସାହେବ କେବେ କହି ନଥିଲେ, ତଥାପି ମୋ ପ୍ରଗତି ବିଷୟରେ ସେ ଅନ୍ୟମାନଙ୍କଠାରୁ ବୁଝୁଥିଲେ । ବେଳେବେଳେ ସେ ପଢ଼ିଥିବା ହିନ୍ଦୀ ଉପନ୍ୟାସ ମତେ ପଢ଼ିବାକୁ ଦଉଥିଲେ, ଆଉ ପରେ ପରେ ମୋର ପରୀକ୍ଷା ନେବାପାଇଁ ସେ ବିଷୟରେ ଚର୍ଚ୍ଚା ମଧ୍ୟ କରୁଥିଲେ-।’’

 

ଶୋଭନ ଅତି ଦୁଃଖର ସହ ନିଜ ଭବିଷ୍ୟତ ବିଷୟରେ ଚର୍ଚ୍ଚା କଲା–‘‘ଏବେ ଆଉ କ’ଣ ପାଇଁ ଚାକିରି କରିବି ? ମୋ ନିଜ ଗାଁକୁ ଫେରିଯିବି ଆଉ ଡକ୍ଟର ସାହେବଙ୍କ ମହତ୍‌ବାଣୀକୁ ଲୋକଙ୍କ ଭିତରେ ପ୍ରଚାର କରିବି । ମୋ ଗାଁରେ ସୋସାଲିଷ୍ଟ ପାର୍ଟି ନାହିଁ, ମୁଁ ଯାଇ ଗଢ଼ିବି ।’’

 

ଏ ତ ଗୃହସ୍ଥ ଲୋହିଆଙ୍କର ଗୋଟାଏ ଚିତ୍ର ଶୋଭନ ଆଙ୍କିଦେଲା । ସଭା କିମ୍ୱା ଗୋଷ୍ଠୀଛଡ଼ା କଫିହାଉସ୍‌, ହୋଟେଲ ଆଉ ସିନେମାରେ ମୁଁ ଅନେକ ଥର ତାଙ୍କର ସାଙ୍ଗ ହୋଇଚି-। ‘ଚଟପଟି ଜିନିଷ’ ଖାଇବା ଆଉ କଥାବାର୍ତ୍ତାରେ ରସ ଆସ୍ୱାଦନ କରିବାପାଇଁ ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା । ପାଲ ରବସନ୍‌ ଆଉ ସାଇଗଲ୍‌ଙ୍କ ଗୀତର ରେକର୍ଡ଼ ସେ ଖୁବ୍‌ ଆଗ୍ରହ ସହକାରେ ଶୁଣୁଥିଲେ ଆଉ ଯଥେଷ୍ଟ ଆନନ୍ଦ ଉପଲବ୍ଧି କରୁଥିଲେ । ଇଂରେଜୀ ଫିଲ୍ମ ‘‘ମାଇଁ ଫେୟାର ଲେଡ଼ି’’ ସେ ତିନି ଥର ଦେଖିଥିଲେ । ଫିଲ୍ମକୁ ଦେଶସଂଗଠନର ଏକ କୃତି ବୋଲି ସେ ସ୍ୱୀକାର କରୁଥିଲେ-

 

ଲୋହିଆ ଗପୁଡ଼ୀ ବନ୍ଧୁଙ୍କୁ ପାଇଲେ ଘଣ୍ଟା ଘଣ୍ଟା ଧରି ଚା’ କିମ୍ୱା କଫି ହାଉସ୍‌ରେ ଖୁବ୍‌ ଫୁର୍ତ୍ତିର ସହ ସମୟ କଟାଉଥିଲେ । ସେ ନିଜେ ବିରକ୍ତ ହୁଅନ୍ତିନି କିମ୍ୱା ଅନ୍ୟକୁ ବିରକ୍ତ ହେବାକୁବି ଦିଅନ୍ତିନି । ତାଙ୍କର ସେଭଳି ବୈଠକର ବନ୍ଧୁବି ଥିଲେ ବଡ଼ ଆଶ୍ଚର୍ଯ୍ୟ ଧରଣର ଅଫିସର....କିରାଣି....ମଜଦୁର....ବିଦ୍ୟାର୍ଥୀ....କଫି ହାଉସ୍‌ରେ ସମୟ କାଟୁଥିବା ଅଳସୁଆ ଲୋକେ...କପର୍ଦ୍ଦକଶୂନ୍ୟ କବି ଆଉ ଲେଖକ......ବେକାର ଆଉ ରୋଜଗାରବିହୀନ ଲୋକେ । କୌଣସି ଗୋଷ୍ଠୀ ତାଙ୍କପାଇଁ ଦୂରେଇ ରହୁ ନଥିଲେ କିମ୍ୱା କୌଣସି ଗୋଷ୍ଠୀ ସହ ତାଙ୍କର ମୋହବି ନଥିଲା ।

 

ଲୋହିଆଙ୍କ ଗୋଷ୍ଠୀରେ ଯଦି ମହିଳାମାନେ ଭାଗ ନିଅନ୍ତି, ତେବେ ତାଙ୍କର ସଂକୋଚ ଆଉ ପ୍ରଫୁଲ୍ଲତା ଉଭୟ ଚରମ ସୀମାରେ ପହଞ୍ଚିଯାଏ । ସ୍ତ୍ରୀ ଜାତିର ପ୍ରତିଷ୍ଠାପାଇଁ ସେ ଯେତେଟା ସତର୍କ ରହୁଥିଲେ, ସେତିକିମାତ୍ରାରେ ପରିହାସ କରିବାର ଅବସରକୁ ସେ କେବେ କରଛଡ଼ା କରୁ ନଥିଲେ । ହଁ, ସେମିତି ଅବସରରେ ସ୍ତ୍ରୀମାନଙ୍କ ଲଜ୍ଜାଶୀଳତା ପ୍ରତି ବିରକ୍ତି ପ୍ରକାଶ କରୁଥିଲେ । ସେ କହୁଥିଲେ, ଭାରତୀୟ ନାରୀ ପୁରୁଷଙ୍କ ଅପେକ୍ଷା ଅଧିକ ବାଚାଳ ଆଉ ନିର୍ଭୟ ହୁଅନ୍ତୁ । ତାଙ୍କୁ କେବଳ ଭାରତୀୟ ବେଶଭୂଷାହିଁ ଖୁବ୍‌ ପସନ୍ଦ ଲାଗୁଥିଲା । ଭାରତୀୟ ଯୁବକମାନଙ୍କୁ ବିଦେଶୀ କିମ୍ୱା ପାଶ୍ଚାତ୍ୟର ଅନୁକରଣରେ ଅଶ୍ଳୀଳ ଆଉ ବେଢ଼ଙ୍ଗିଆ ପୋଷାକ ପିନ୍ଧିବାର ଦେଖିଲେ ସେ ବିରକ୍ତ ପ୍ରକାଶ କରୁଥିଲେ । ପତଳା ପ୍ୟାଣ୍ଟ ଆଉ ଛୋଟ ସାର୍ଟ୍ ପିନ୍ଧିଥିବା ଯୁବକଙ୍କ ବଦଳରେ ଖଦଡ଼ର ସାଧାରଣ କୁରୁତା ଆଉ ପାଇଜାମାପିନ୍ଧା ଯୁବକଙ୍କୁ ସେ ବେଶୀ ଆଦର କରୁଥିଲେ । ସ୍ୱଭାବତଃ ଆଉ ସ୍ୱ–ଇଚ୍ଛାରେ ସେ ଭାରତୀୟ ସଂସ୍କୃତି ଆଉ ସଭ୍ୟତାର ପୂଜାରୀ ଥିଲେ ।

 

ଲୋହିଆ ହିନ୍ଦୀ କିମ୍ୱା ଭାରତର ଯେକୌଣସି ଅଂଶର ଗଣଭାଷାରେ କଥାବାର୍ତ୍ତା କରିବାକୁହିଁ ଭଲ ପାଉଥିଲେ । ନିଜ ଭାଷାରେ ଅଧା ଇଂରେଜୀ ମିଶେଇ କହିବାର ଆଧୁନିକ ଶିକ୍ଷିତ ଅଭ୍ୟାସକୁ ସେ ଆଦୌ ଭଲ ପାଉ ନଥିଲେ । ଏଭଳି ଢଙ୍ଗର କଥାବାର୍ତ୍ତା କରୁଥିବା କେହି କେହି ଲୋକ କେବେକେବେ ତାଙ୍କ କ୍ରୋଧର ଶିକାର ହେଉଥିଲେ । ଆଉ ଯଦି କେହି କେବେ ଇଂରେଜୀ କହି ତାଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିଲା, ତେବେ ସେ ତାକୁ ଦ୍ୱନ୍ଦ୍ୱ କିମ୍ୱା ଆଖଡ଼ାବାଜି ଶୈଳୀରେ ଏମିତି ଖାଣ୍ଟି ଇଂଲଣ୍ଡିଆ ଇଂଲିଶ୍ ଉଚ୍ଚାରଣ କରି ଚଟାପଟ କହୁଥିଲେ ଯେ ସାମ୍ନା ଲୋକ ଲଜ୍ଜିତ ହୋଇ ଚାଲି ଯାଉଥିଲା ।

 

ସେ କଥାବାର୍ତ୍ତା କରିବାରେ ଏମିତି ଚତୁର ଥିଲେ ଯେ ମିଥ୍ୟାବାଦୀକୁ କ୍ଷଣକ ଭିତରେ ଜାଣି ଯାଉଥିଲେ । ପୁଣି ତାକୁ ଏମିତି ଗଭୀର ଦୃଷ୍ଟିରେ ଦେଖୁଥିଲେ ଯେ ତାଙ୍କ ସାମ୍ନାରେ ମିଛ କହିବା କେବଳ କଷ୍ଟ ନୁହେଁ, ଅସମ୍ଭବ ହୋଇ ପଡ଼ୁଥିଲା ।

 

ଲୋହିଆ ପ୍ରତି ମଣିଷଙ୍କୁ ସ୍ନେହ କରୁଥିଲେ । ଯେ କେହିବି ତାଙ୍କ ସ୍ନେହିଳ ସୀମା ଭିତରକୁ ସହଜରେ ଆସି ପାରୁଥିଲା । ହଁ, ସେ ନିଜ ଆଖପାଖରେ କୌଣସି ଆଇ. ସି. ଏସ୍‌. କିମ୍ୱା ସେଭଳି ସ୍ତରର ଲୋକଙ୍କ ଉପସ୍ଥିତିକୁ ଆଦୌ ପସନ୍ଦ କରୁ ନଥିଲେ । ତାଙ୍କର ସେଇ ଅପସନ୍ଦ ଭାବ ଘୃଣାର ସୀମା ଛୁଇଁ ଯାଉଥିଲା । ସେ କହୁଥିଲେ, ଏଇ ଗୋଷ୍ଠୀହିଁ ଭାରତର ସମସ୍ତ ପ୍ରଗତିର ଏକମାତ୍ର ବାଧକ ।

 

ଲୋହିଆଙ୍କ ପାଖରେ ବୁଦ୍ଧଙ୍କ କରୁଣା ଥିଲା ।

 

ଲୋହିଆଙ୍କ ପାଖରେ ପରମେଶ୍ୱରଙ୍କ ସ୍ନେହ ଥିଲା ।

 

ଲୋହିଆଙ୍କ ପାଖରେ ଶଙ୍କରଙ୍କ କ୍ରୋଧ ଥିଲା ।

 

ଆଶ୍ଚର୍ଯ୍ୟ ଧରଣର ତତ୍ତ୍ୱରେ ତିଆରି ହୋଇଥିଲା ଲୋହିଆଙ୍କ ବ୍ୟକ୍ତିତ୍ୱ । କରୁଣା, ସ୍ନେହ, କ୍ରୋଧ–ସବୁ କିଛିର ମିଶ୍ରଣ ଥିଲା ସ୍ୱ–ଆଦର୍ଶର ରୂପ ଭିତରେ ।

 

ଲୋହିଆ କେବେ କୌଣସି ସୀମାକୁ ମାନି ନଥିଲେ ।

 

ବିଦ୍ରୋହୀ ଆଉ ଅଦମ୍ୟ, ରାଜନୀତି ଆଉ ଅର୍ଥଶାସ୍ତ୍ରର ପଣ୍ଡିତ, ଭାରତର ଏକ ସୁନ୍ଦର ସର୍ବସୁଲଭ ଭାଷାର ନିର୍ମାତା ଲୋହିଆ, ସେଇ ଯୁବକଙ୍କ ହୃଦୟ ଭିତରେ ଘର କରି ରହିଯାଇଥିଲେ, ଯେଉଁମାନେ କି ପୁରୁଣା ନିୟମକୁ ଭାଙ୍ଗି ନଷ୍ଟ କରିଦେବାକୁ ସର୍ବଦା ଲାଳାୟିତ ରହୁଥିଲେ ।

 

ନିୟମଭଙ୍ଗ ଲୋହିଆ ଗାନ୍ଧିଙ୍କ ପାଖରୁ ଶିଖିଥିଲେ । ଆଉ ଆଜିର ଯୁବଗୋଷ୍ଠୀ ଶିଖିଲେ ସେଇ ଲୋହିଆଙ୍କ ପାଖରୁ; କିନ୍ତୁ ସେଇ ‘ନିୟମଭଙ୍ଗ’ କରିବାରେବି ଗାନ୍ଧି–ଲୋହିଆଙ୍କ ଭିତରେ ଅନ୍ତର ଥିଲା ।

 

ନିୟମଭଙ୍ଗ କରିବି ଗାନ୍ଧି ନିୟମକୁ ପସନ୍ଦ କରୁଥିଲେ । କିନ୍ତୁ ଲୋହିଆ ନିୟମର ଅସ୍ତିତ୍ୱକୁହିଁ ଘୃଣା କରୁଥିଲେ.....ଏକ ଗଭୀର ଘୃଣା । ଗାନ୍ଧିଙ୍କ ନିୟମଭଙ୍ଗ ନୀତି ଥିଲା, କିନ୍ତୁ ଲୋହିଆଙ୍କର ଥିଲା ନିୟମଭଙ୍ଗ ଚରିତ୍ର; ମାତ୍ର ଯେଉଁ ନିୟମକୁ ସେ ଥରେ ସ୍ୱୀକାର କରି ଯାଉଥିଲେ, ସେଭଳି ନିୟମଗୁଡ଼ିକୁ ସେ ସବୁବେଳେ ସମ୍ମାନ ଦେଉଥିଲେ ଏବଂ ଜୀବନକୁ ବାଜି ଲଗେଇବି ତାକୁ ସର୍ବଦା ରକ୍ଷା କରୁଥିଲେ । ନିୟମଭଙ୍ଗ ଲୋହିଆଙ୍କ ଜୀବନ ଆଉ ବ୍ୟକ୍ତିତ୍ୱ ସହିତ ଏକରୂପ ହୋଇ ରହିଯାଇଥିଲା । ତାଙ୍କ ନିୟମଭଙ୍ଗ ସାଙ୍ଗରେ ବିଦ୍ରୋହ ମିଶି ରହିଥିଲା । ଏଇ ବିଦ୍ରୋହର ସ୍ୱରୂପ ପ୍ରକାଶ ପାଇଥିଲା–ଲୋହିଆ–ନେହେରୁ ସମ୍ୱନ୍ଧୀୟ ଘଟଣାରେ ।

 

ଲୋହିଆ–ନେହେରୁଙ୍କ ନାଁର ଏକତ୍ରୀକରଣ ଭଳି ବିଶ୍ୱ ଇତିହାସରେ କେଉଁଠିବି ଦୁଇ ବିରୋଧୀ ନାଁର ଏକତ୍ରୀକରଣ କେବେ ହୋଇ ନଥିଲା । ନେହେରୁ–ଲୋହିଆ ସବୁ ଜାଗାରେ ଦୁଇ ଥିଲେ । ହଁ, ଯଦି କେଉଁଠି କେବେ ଏକ ହୋଇଥିଲେ ତ, ତାହା ହେଉଚି କେବଳ ବିରୋଧ କରିବାରେ । ୧୯୬୨ ସାଲରେ ଚୀନ ନେହେରୁ ଉପରେ ଯୋଉ ଆକ୍ରମଣ କଲା, ତା’ଠୁବି ବଳି ଭୟଙ୍କର ଆକ୍ରମଣ ଲୋହିଆ ୧୯୬୩ ସାଲରେ କରିଥିଲେ । ଫଳରେ ନେହେରୁଙ୍କ ଲୋକସଭାର ଆସନ ଉପରେ ବସିଥିବା ମୂର୍ତ୍ତିଟି ଭାଙ୍ଗି ଚୂରମାର ହୋଇ ଯାଇଥିଲା.......ନେହେରୁ ହତପ୍ରଭ ହୋଇଯାଇଥିଲେ । ତା’ ଆଗରୁ ନେହେରୁଙ୍କୁ ‘‘ବିରୋଧ’’ର ହାଲୁକା ସ୍ୱାଦୁବି ଚାଖିବାକୁ ମିଳି ନଥିଲା । ହଠାତ୍‌ ହିନ୍ଦୀ ଭାଷାରେ ଲୋହିଆ ଯେତେବେଳେ ତାଙ୍କ ସାମ୍ରାଜ୍ୟର କ୍ଷେତ୍ର ଲୋକସଭାରେ ତାଙ୍କୁ (ନେହେରୁଙ୍କୁ) ଆହ୍ୱାନ ଦେଲେ, ସେତେବେଳେ ହତପ୍ରଭ ହୋଇ ରହିଯିବା ଛଡ଼ା ତାଙ୍କ ପକ୍ଷରେ ଉପାୟ ବା ଆଉ କ’ଣ ଥିଲା ? ସେତେବେଳକୁ ଲୋହିଆଙ୍କ ‘‘ବିରୋଧ’’ ସଂଯମର ସୀମା ଭାଙ୍ଗି ‘‘ବିଦ୍ରୋହ’’ର ସୀମାକୁ ଛୁଇଁ ଯାଇଥିଲା । ସେତେବେଳେ ଲୋହିଆ କହିଥିଲେ–‘‘ନେହେରୁଙ୍କ ପ୍ରତି ମୋର ରାଗ ଆସିଲା, ଦୟା ଆସିଲା, ତିରସ୍କାର ଆସିଲା, ଧିକ୍‌କାର ଆସିଲା.......କିନ୍ତୁ ଆସି ନଥିଲା ଘୃଣା । ପ୍ରକୃତରେ ସେ ନିଜେ (ନେହେରୁ) ୧୫୦୦ ସାଲର ପୁରୁଣା ହିନ୍ଦୁ ମସ୍ତିଷ୍କର ଶିକାର ହୋଇ ପଡ଼ିଥିଲେ ।’’ ଲୋହିଆଙ୍କ ରାୟରେ ଜବାହରଲାଲ ନେହେରୁଙ୍କ ରାଜନୀତି ଠିକ୍‌ ଶ୍ରୀକୃଷ୍ଣଙ୍କ ରାଜନୀତି ଭଳି ଅତି ପୁରୁଣା ଥିଲା–ଯେ କି ନିଜ ସେନାଙ୍କୁ କୌରବ ପକ୍ଷକୁ ଦେଇ ନିଜେ ପାଣ୍ଡବଙ୍କ ପକ୍ଷରେ ରହିଥିଲେ । ସେନା ଦେଲେ ‘‘ପାପ–ପକ୍ଷକୁ’’, ଆଉ ନିଜେ ରହିଲେ ‘‘ପୁଣ୍ୟ–ପକ୍ଷ’’ ସାଙ୍ଗରେ ।

 

ଲୋହିଆ କୋଳାହଳର ନେତା ନଥିଲେ । ସେ ସିଦ୍ଧାନ୍ତର ରକ୍ଷାପାଇଁ ନିଜ ସାଙ୍ଗ–ସାଥୀଙ୍କୁ ଛାଡ଼ି ଏକାକୀ ଆଗେଇ ଯାଉଥିଲେ । ସିଦ୍ଧାନ୍ତର ରକ୍ଷାପାଇଁ ସେ ସମସ୍ତ ଦୁଃଖ–କଷ୍ଟକୁ ହସି ହସି ହଜମ କରି ଯାଉଥିଲେ । କ୍ଷମତାହୀନ, ସତ୍ତାହୀନ ହୋଇ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଆହ୍ୱାନ ଦେଇ ସେମାନଙ୍କ ବିରକ୍ତିର ପାତ୍ର ହେବାର ଏକ ଅସାଧାରଣ ସାମର୍ଥ୍ୟ ଲୋହିଆଙ୍କ ପାଖରେ ଥିଲା । ଜନପ୍ରିୟ ହୋଇ ମଧ୍ୟ ଜନପ୍ରିୟତାକୁ ପାଦରେ ଦଳି ଦେଇ ସେ ଆଗେଇ ଯାଉଥିଲେ । ବେଳେବେଳେ ତାଙ୍କପାଇଁ ଏକ ଅବସରବି ଆସିଚି । ଲୋହିଆଙ୍କ ସାଙ୍ଗରେ ତାଳ ଦେଇ କେହି ଚାଲି ପାରୁ ନଥିଲେ, ଲୋକେ ତାଙ୍କ ପଛରେହିଁ ଚାଲୁଥିଲେ ।

 

ଯଦି ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲି ପାରିଥାନ୍ତେ, ତେବେ ସେ ଜଣେ ସାଧାରଣ ନେତା ହୋଇଥାନ୍ତେ । ଏଇ ବିଷୟରେ ଲୋହିଆ କହିଥିଲେ–‘‘ଅନେକ ସମୟରେ ମୁଁ ଖୁବ୍‌ ବେଶୀ ବୁଝାମଣା କରେଁ । ମୋ ମତରେ ଯେଉଁ ଦିଗକୁ ଯିବା କଥା, ଯେଉଁ ନୀତିକୁ ଗ୍ରହଣ କରିବା କଥା, ଯଦି ତାହା ଠିକ୍, ତେବେ ଆଜି ନହେଲେବି କାଲି ତ ଲୋକେ ନିଶ୍ଚୟ ସୁଧୁରିଯିବେ; ନଚେତ୍‌ ସୁଧୁରି ଯାଇଥିବା ଲୋକେ ତ ଆସିବେ । ଏଥିପାଇଁ ମୁଁ ଶତକଡ଼ା ୫୧ରେ ବିଶ୍ୱାସ କରିବା ଲୋକ-।’’

 

ଲୋହିଆ ଥିଲେ ମାର୍ଜିତ ପ୍ରକୃତିର ଜନ–ନେତା । ସେ ସବୁଠୁ ଅଧିକ ଭିଡ଼ ସୃଷ୍ଟି କରି ପାରିଥିଲେ । କିନ୍ତୁ ସେ ଭିଡ଼ ପ୍ରତି କେବେ ସ୍ନେହଶୀଳ ନଥିଲେ । ଓଲଟି ଦରକାର ପଡ଼ିଲେ ଭିଡ଼ର ଓଲଟା ଦିଗରେ ଗତି କରୁଥିଲେ ଏବଂ ସଂଘର୍ଷର ସମ୍ମୁଖୀନ ହେଉଥିଲେ । ଜାନୁୟାରୀ ୧୯୬୫ ସାଲରେ ବାରାଣସୀରେ ଯେତେବେଳେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିର ସ୍ଥାପନା ସମ୍ମେଳନ ଅନୁଷ୍ଠିତ ହୋଇଥିଲା, ସେଇଠି ଏମିତି ଏକ ଘଟଣା ଘଟିଥିଲା । ଲୋହିଆଙ୍କ ପ୍ରେରଣାରେହିଁ ପ୍ରଭା–ସୋସାଲିଷ୍ଟ ଏବଂ ସୋସାଲିଷ୍ଟ ଦଳର ମିଶ୍ରଣ ସମ୍ଭବପର ହୋଇପାରିଥିଲା–ସଂଯୁକ୍ତ ସୋସାଲିଷ୍ଟ ଦଳ ଗଠିତ ହୋଇଥିଲା । ସେଇଠି ଡକ୍ଟର ଲୋହିଆଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା । ତେବେବି ଲୋହିଆ କହିଥିଲେ–‘‘କେବଳ କଂଗ୍ରେସକୁ ନିର୍ବାଚନଯୁଦ୍ଧରେ ପରାସ୍ତ କରିବାହିଁ ସଂଯୁକ୍ତ ସମାଜବାଦୀ ଦଳର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ, ତା’ର ମୂଳୋତ୍ପାଟନହିଁ ଏଇ ଦଳର ଏକମାତ୍ର ଲକ୍ଷ୍ୟ-।’’

 

ଏ ପ୍ରକାର ଜିଦ୍‌ଖୋର ସ୍ୱଭାବପାଇଁ ପ୍ରସିଦ୍ଧ ଲୋହିଆ ସିଦ୍ଧାନ୍ତ ସହ ସମୟାନୁସାରେ ବୁଝାମଣା ମଧ୍ୟ କରୁଥିଲେ । ଅଗଷ୍ଟ ୧୯୬୫ ସାଲରେ ‘‘ଭାରତରକ୍ଷା ଆଇନ’’ ଅନୁଯାୟୀ ଗିରଫ୍ ହେବାପରେ ଯେତେବେଳେ ଲୋହିଆଙ୍କ ମକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟରେ ଆରମ୍ଭ ହେଲା, ସେତେବେଳେ ନ୍ୟାୟମୂର୍ତ୍ତି ମୁଧୋଲକର କହିଥିଲେ–‘‘ଆପଣ ଯଦି ଆପଣଙ୍କ କଥା ଇଂରାଜୀରେ କହନ୍ତେ ତେବେ ଖୁବ୍‌ ଭଲ ହୁଅନ୍ତା । ତଦ୍ଦ୍ୱାରା ଆମକୁ ଟିକିଏ ସୁବିଧା ହବ ।’’

 

ହିନ୍ଦୀର ଏକ ଅନନ୍ୟଭକ୍ତ ଲୋହିଆ ସେତେବେଳେ ଅଦାଲତଙ୍କ ଇଚ୍ଛାକୁ ସମ୍ମାନ ଦେଇ କହିଥିଲେ–‘‘ମୁଁ ପ୍ରତିଜ୍ଞା କରିଥିଲି ଯେ ସାର୍ବଜନୀନ ମାମଲାରେ ହିନ୍ଦୀହିଁ କହିବି । ବର୍ତ୍ତମାନ ମୁଁ ଯଦି ମୋର ଶପଥ ଭଙ୍ଗ କରୁଚି, ତେବେ ନିଜ ବିଶ୍ୱାସର ସହ ରୀତିମତ ବିଶ୍ୱାସଘାତକତାହିଁ ହେବ । କିନ୍ତୁ କ’ଣ ବା କରାଯିବ ? ମୁଁ ତ ବର୍ତ୍ତମାନ ସ୍ୱାଧୀନ ନୁହେଁ । ମୁଁ ଗୋଟିଏ ବନ୍ଦୀ । ମୋର ଆତ୍ମନିର୍ଣ୍ଣୟର ସ୍ୱାଧୀନତା ଉପରେ ବେଡ଼ି ପଡ଼ିଯାଇଚି । ତା’ପରେ ଲୋହିଆ ଇଂରାଜୀ ଭାଷାରେହିଁ ନିଜ ମକଦ୍ଦମା ନିଜେ ଲଢ଼ିଥିଲେ ।

 

ଭାରତୀୟ ରାଜନୀତିରେ ଲୋହିଆ ଥିଲେ ପ୍ରହରୀ ।

 

ଦେଶକୁ ଅଧୋଗତିରୁ ଉଦ୍ଧାର କରିବା ଏବଂ ମନ୍ଦ ଅଭ୍ୟାସରୁ ରକ୍ଷା କରିବାପାଇଁ ସେ ଯେମିତି ଠିକା ନେଇ ଯାଇଥିଲେ । ସରକାରଙ୍କ ଅଧଃପତନକୁ ସେ ବିରୋଧୀଦଳକୁ ସବଳ କରିହିଁ ରକ୍ଷା କରିବାକୁ ଚାହୁଁଥିଲେ । ସେ କହୁଥିଲେ–‘‘ଯେ ପର୍ଯ୍ୟନ୍ତ ଗୋଟାଏ ନିଷ୍ଠାପର ବିରୋଧୀଦଳ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନ ପାରିଚି–ଲୋକସଭାରେ ଅନ୍ୟୂନ ପକ୍ଷରେ ୫୧ ସଭ୍ୟ ନ ହେବା ଯାଏଁ–ସେ ପର୍ଯ୍ୟନ୍ତ ଲୋକତାନ୍ତ୍ରିକ ସଂସ୍ଥାଗୁଡ଼ିକ ଏବଂ ପ୍ରଣାଳୀର ସଠିକ୍‌ ବିକାଶ ହୋଇପାରିବ ନାହିଁ । ମୁଁ ଏକାବନ ଜଣ ସଦସ୍ୟ ବୋଲି ଖାସ୍‌ ଏଇଥିପାଇଁ କହୁଚି ଯେ ସେହି ଦଳ ନିଜ ଶକ୍ତିର ପୃଷ୍ଠଭୂମି ଉପରେ ଛିଡ଼ା ହୋଇ ଆପାତତଃ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ସମର୍ଥ ହୋଇପାରିବ । ଲୋକସଭାର ଭିତର ଏବଂ ବାହାର ଶକ୍ତିଗୁଡ଼ିକର ପ୍ରବଳ ସମନ୍ୱୟ ନ ହେବା ପର୍ଯ୍ୟନ୍ତ ଭାରତ ଆଉ ପାକିସ୍ଥାନର ବିଭାଜନକୁ ସମାପ୍ତ କରିବା ଆଦୌ ସମ୍ଭବପର ହେବ ନାହିଁ । ବାହାରେ–ଜନତାଙ୍କ ଭିତରେ ଯେଉଁ ବଡ଼ ଧରଣର ଲହରୀ ଉଠିବ, ସଂସଦ ଭିତରେ ତାକୁ ଠିକ୍‌ ଭାବରେ ପ୍ରତିବିମ୍ୱିତ କରିବାକୁ ହେଲେ ଗୋଟାଏ ଦଳର ନିହାତି ଆବଶ୍ୟକତା ରହିଚି.......ଲୋକତନ୍ତ୍ରର ବିକାଶ ସଂସଦ ଭବନର ଭିତରେ ଏବଂ ବାହାରେ ଏକା ସାଙ୍ଗରେ ହୋଇପାରିବ । ଯଦି ବାହାରେ ତାହା ସମ୍ଭବ ହୋଇ ପାରିବନି ତେବେ ଲୋକସଭାର ଶକ୍ତିବି ସଙ୍କୁଚିତ (କୁଣ୍ଠିତ) ହୋଇଯିବ ।’’

ଭାରତ–ପାକିସ୍ଥାନର ନକଲି ବିଭାଜନକୁ ଶେଷ କରିଦେବା ମଧ୍ୟ ଲୋହିଆଙ୍କର ଏକ ମହାନ୍‌ କଳ୍ପନା ଥିଲା । ଲୋହିଆ କହିଥିଲେ–‘‘ମୁଁ ନକଲି ବିଭାଜନକୁ ସମାପ୍ତ କରିଦେବାକୁ ଚାହେଁ-। ମୋ ମତରେ ଭାରତ ଆଉ ପାକିସ୍ଥାନର ଜନତାଙ୍କ ଭିତରେ ଏକତ୍ରୀକରଣ ଭାବନା ସୃଷ୍ଟି କରିବାହିଁ ଶାନ୍ତିପ୍ରତିଷ୍ଠାର ଏକମାତ୍ର ରାସ୍ତା । ଯେତେବେଳେ ମୁଁ ଭାରତ ଆଉ ପାକିସ୍ଥାନ ମହାସଂଘର ସମ୍ୱିଧାନରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ–ଦୁଇରୁ ଗୋଟାଏ ପଦବୀ ଭାରତ ଆଉ ଅନ୍ୟଟି ପାକିସ୍ଥାନ ପାଖରେ ରହିବା ଉଚିତ । ....ବର୍ତ୍ତମାନ ଅବସ୍ଥାରେ ଦୁଇ ଦେଶ ଜାଣିଶୁଣି କେବଳ କଳିକଜିଆ ଏବଂ ପରସ୍ପର ଦୋଷାରୋପ କରି ଚାଲିଛନ୍ତି । ଖୋଲାଖୋଲି ଭାବରେ ଯୁଦ୍ଧ କରି ସମ୍ପୂର୍ଣ୍ଣ ଭାବରେ ଲଢ଼ିବାପାଇଁ ମଧ୍ୟ ଏମାନଙ୍କର ଇଚ୍ଛା ନାହିଁ ।’’

ଲୋକସଭାର କାର୍ଯ୍ୟକ୍ରମର ଭିତରେ ଜନତାଙ୍କ ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରବୃତ୍ତିକୁ ଜାଗ୍ରତ କରିବା ମଧ୍ୟ ଲୋହିଆଙ୍କର ଏକ କୀର୍ତ୍ତିମାନ କୃତି । ଲୋହିଆ ଲୋକସଭାକୁ, ସଂସଦକୁ ସାର୍ବଜନିକ ପ୍ରତିଷ୍ଠାବି ଦେଇଛନ୍ତି । ଲୋହିଆ କହିଥିଲେ ‘‘ଅତି ଗଭୀରତା ସହକାରେ ଚିନ୍ତା କଲେହିଁ ଦେଶ ଆଉ ଲୋକସଭା ଭିତରେ ସମ୍ୱନ୍ଧ ଅତୁଟ ରହିପାରିବ । ବିଗତ ପନ୍ଦରବର୍ଷ ଭିତରେ ଲୋକସଭାର କୌଣସି ଗୋଟିଏ ବିଷୟବି ଦଶ ବାର ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିନି । କିନ୍ତୁ ବର୍ତ୍ତମାନ ଏଇ ସଂଖ୍ୟା ଦଶ–ବାର କୋଟି ପର୍ଯ୍ୟନ୍ତ ହୋଇଗଲାଣି । ଏଇଠି ଯୁକ୍ତିତର୍କ ଚାଲେ, କିନ୍ତୁ ସମସ୍ତ ଘଟଣା କେବଳ ତୁ.......ତୁ.......ମୁଁ.......ମୁଁ ଭିତରେହିଁ ଶେଷ ହୋଇଯାଏ । ଜନତା ଆଉ ଭିତର ଲୋକେ ବାଃ ବାଃ କରନ୍ତି । ବାଃ ଖୁବ୍‌ ବଢ଼ିଆ ଭାବରେ ଖଣ୍ଡନ କଲ । ଆଉ ସେଇ ଖଣ୍ଡନ କରିବାର ପଦ୍ଧତି ଭିତରେହିଁ ଆଇନକାନୁନ, ନୀତି ସିଦ୍ଧାନ୍ତ ସବୁକିଛି ହଜିଯାଏ । ଜନତା ସଚେତନ ନୁହନ୍ତି । ଦେଶର ଶୋଭା ତ ଜନତାଙ୍କଠୁଁ ଆରମ୍ଭ ହେବା ଉଚିତ । ଜନତାଙ୍କ ଖରାପ ରୁଚିର ପ୍ରତିବିମ୍ୱ ଲୋକସଭାରେ ଫଳିତ ହୁଏ । ପୁଣି ସେଇଠିବି ଏଇ ପ୍ରକ୍ରିୟା ଚାଲେ । ଯାହା ମିଥ୍ୟା ଆଉ ହାସ୍ୟାସ୍ପଦ, ତାହା ଲୋକସଭା ଭିତରକୁ ଆସିବା ଉଚିତ ନୁହେଁ ।

ଜନତାଙ୍କ ଭିତରେ ଏପରି ଭାବନା ସୃଷ୍ଟି କରିବା ଦରକାର ଯେ, ସେମାନେ କୌଣସି ବିଷୟକୁ ଅତି ଗଭୀରତାର ସହ ଚିନ୍ତା କରିବାକୁ ସକ୍ଷମ ହୁଅନ୍ତୁ ଆଉ ଦେଖନ୍ତୁ ଯେ ମନ୍ତ୍ରୀମାନେ କୌଣସି ମୂଲ୍ୟହୀନ ଜବାବ ତ ଦେଉ ନାହାନ୍ତି । ଆଉ ଯଦିବି ଏହା ହଉଥାଏ, ତେବେ ଜନତାର ପ୍ରଥମ କର୍ତ୍ତବ୍ୟ ହେଲା, ସେଇ ବିଷୟଟିକୁ ଗୁରୁତ୍ୱ ଦେଇ ଉତ୍ଥାପନ କରାନ୍ତୁ ଏବଂ ମନ୍ତ୍ରୀମାନଙ୍କୁ ପ୍ରକୃତ ତଥ୍ୟ ପରିବେଷଣ କରିବାକୁ ବାଧ୍ୟ କରନ୍ତୁ । ଏହା ଫଳରେ ମନ୍ତ୍ରୀମାନଙ୍କ ଭିତରେ ଅଳ୍ପ–ବହୁତ ଶଙ୍କା–ଆଶଙ୍କା ସୃଷ୍ଟି ହବ ଆଉ ଯୋଉସବୁ ତଥ୍ୟ ଛପେଇ ଦିଆଯାଏ, ସେସବୁ ଲୋକଲୋଚନକୁ ଆସିବାକୁ ଲାଗିବ !

ହିନ୍ଦୀକୁ ଗଣଭାଷା–ରାଷ୍ଟ୍ରଭାଷା ପଦରେ ନେଇ ଥୋଇବା ଆଉ ଇଂରେଜୀକୁ ଦେଶରୁ ବିଦାୟ କରିଦେବା ମଧ୍ୟ ଲୋହିଆଙ୍କର ଗୋଟାଏ ସ୍ୱପ୍ନ ଥିଲା । ଭାରତର ଇଂରେଜୀ–ମୋହକୁ ଲୋହିଆ ‘‘ପାପମୟ ଜୀବନ’’ର ସଂଜ୍ଞା ଦେଇଥିଲେ ।

 

ଲୋହିଆ ‘‘ଇଂରେଜୀ ହଟାଓ’’ ଆନ୍ଦୋଳନ ଆରମ୍ଭ କରିଦେଲେ । କିଛି ଅଂଶରେ ଇଂରେଜୀର ପତନ ମଧ୍ୟ ହେଲା, କିନ୍ତୁ ହିନ୍ଦୀ ଉଚ୍ଚାସନ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି । ଏଇ କ୍ରୋଧକୁ ବ୍ୟକ୍ତ କରିବାକୁ ଯାଇ ଲୋହିଆ କହିଥିଲେ–‘‘ହିନ୍ଦୀ ବିଷୟରେ ଆମେ ସବୁ ଲଗାୟତ ପଛେଇ ପଛେଇ ଯାଉଛୁଁ । ଆମେ ବେଳେବେଳେ ଏଇ କଥା ଉପରେ ଏତେଦୂର ଖୁସି ହେଉଛୁ ଯେ କେରଳ, ବଙ୍ଗଳା ଆଉ ତାମିଲନାଡ଼ୁରେ ଆଜି ଯେତେ ଲୋକ ହିନ୍ଦୀ ଶିଖିଲେଣି, କାଲିକି ଆହୁରି ସେତେ ଶିଖିଯିବେ । କିନ୍ତୁ ଏସବୁ ସତ୍ତ୍ୱେବି ଇଂରେଜୀ ମୋହଟା କେତେଦୂର ବଢ଼ିଚି, ତା’ବି ଦେଖିବାର କଥା ।’’

 

ପଢ଼ାପଢ଼ିରେ ଲୋହିଆଙ୍କ ଆଗ୍ରହ ଥିଲା ବହୁତ ବେଶୀ । ପ୍ରାଚୀନ ଆଉ ଆଧୁନିକ ସାହିତ୍ୟ, ରାଜନୀତି ଆଉ ଇତିହାସର ସମସ୍ତ ବହିକୁ ସେ ଆଗ୍ରହ ତଥା ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀରେ ପଢ଼ୁଥିଲେ । ତା’ର ଅର୍ଥ ଏଇଆ ନୁହେଁ ଯେ ଲୋହିଆ କେବଳ ଫୁରୁସତ୍‌ ସମୟରେ ବହି ପଢ଼ୁଥିଲେ, ପରନ୍ତୁ ବହି ପଢ଼ିବାପାଇଁ ସେ ସମୟ ବାହାର କରୁଥିଲେ । ସେ ଭଲ–ମନ୍ଦ ସମସ୍ତ ବହି ପଢ଼ୁଥିଲେ ଏବଂ ତା’ ଉପରେ ସାର୍ବଜନିକ ଚର୍ଚ୍ଚା ମଧ୍ୟ କରୁଥିଲେ ।

 

ସନ ୧୯୬୬ର ଘଟଣା । ସେ ୟୁନେସ୍କୋଦ୍ୱାରା ପ୍ରକାଶିତ ଗୋଟାଏ ବହି ପଢ଼ିଲେ । ଗୋଟାଏ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଦ୍ୱାରା ସେ ବହିଟି ଲେଖାଯାଇଥିଲା । ବିଷୟ ମାନବ ଜାତିର ଇତିହାସ ସହ ସମ୍ୱନ୍ଧିତ ଥିଲା । ସେଇ ବହିଟି ବିଷୟରେ ଲୋହିଆ ଲୋକସଭାରେ ଅଧଘଣ୍ଟା ଧରି ଚର୍ଚ୍ଚା କଲେ । ଲୋହିଆ ଆପତ୍ତି କରିଥିଲେ ଯେ ଭାରତ ଇତିହାସ ସମ୍ୱନ୍ଧୀୟ ଯେଉଁ ବିବରଣୀ ସେଇ ବହିରେ ଦିଆଯାଇଛି, ତାହା ଭ୍ରମାତ୍ମକ ! ସେ କହିଲେ, ସାଞ୍ଚିସ୍ତୂପ ସମ୍ୱନ୍ଧରେ ଭୁଲ ତଥ୍ୟ ଦିଆଯାଇଚି ।

 

ତହିଁରେ ଉଲ୍ଲେଖ କରାଯାଇଥିଲା ଯେ ତା’ର ନିର୍ମାଣର ପ୍ରେରଣା ଚୀନ୍‌ର କାଷ୍ଠ–ସ୍ଥାପତ୍ୟ–କଳାରୁ ଆସିଚି । ଏକଥାବି ଲେଖାଯାଇଥିଲା ଯେ ଋଗ୍‌ବେଦ ପୁରୁଣା ନୁହେଁ । ଏ ପ୍ରକାରର ଭୁଲ ତଥ୍ୟର ଭର୍ତ୍ସନା କରିବା ସାଙ୍ଗେ ସାଙ୍ଗେ ଲୋହିଆ କହିଥିଲେ ଯେ, ଏଭଳି ବହିଦ୍ୱାରା ଯୁବଗୋଷ୍ଠୀ ଉପରେ କୁପ୍ରଭାବ ପଡ଼ିପାରେ । ଆଉ ମଧ୍ୟ ଧରିନିଆଯାଇପାରେ ଯେ ଭାରତୀୟ ସଭ୍ୟତା ବିଦେଶୀ ସଭ୍ୟତାଦ୍ୱାରା ପ୍ରଭାବିତ । ଇତିହାସର ଏଇ ବିଷ ମିଜୋ, ନାଗା ତଥା ଅନ୍ୟ ଆଦିବାସୀଙ୍କ ଭିତରେ କଳହ ବଢ଼ଉଚି ।

 

ସାହିତ୍ୟ ପ୍ରତିବି ଲୋହିଆଙ୍କ ଆଗ୍ରହ ଥିଲା ଖୁବ୍‌ ବେଶୀ । ଅନେକ ଲେଖକଙ୍କର ନୂଆ ରଚନା ପଢ଼ି ତା’ ଉପରେ ସେ ଚର୍ଚ୍ଚା ମଧ୍ୟ କରୁଥିଲେ । ଥରେ କବି ନାଗାର୍ଜୁନଙ୍କ ଗୋଟାଏ କବିତା ପଢ଼ି ସେ ଗଦ୍‌ଗଦ୍‌ ହୋଇ ପଡ଼ିଥିଲେ । ସେ ଏତେଦୂର ଖୁସି ହୋଇ ଉଠିଥିଲେ ଯେ ସେ କବିତାଟିକୁ ଲେଖେଇ ସେ କେତେ ଜଣଙ୍କ ଭିତରେ ବାଣ୍ଟି ଦେଇଥିଲେ ଏବଂ ସମସ୍ତଙ୍କୁ ଅନ୍ୟୂନ ପକ୍ଷରେ ଦଶ–ଦଶଟି କପି ଲେଖି ବାଣ୍ଟିବାକୁ କହିଥିଲେ ।

 

ଯେକୌଣସି ଦିଗରୁବି ଲୋହିଆ ଅବଶ୍ୟ ଜଣେ କବି ଥିଲେ । କାବ୍ୟରୁ ଧାଡ଼ିଟେବି ସେ ଲେଖି ନଥିଲେ ମଧ୍ୟ ତାଙ୍କ ଭିତରେ କଳ୍ପନାର ଶକ୍ତି ଥିଲା ଅତି ପ୍ରଖର । ଗୋଟିଏ ସ୍ଥାନରେ ତାଙ୍କର ଏଇ କେତୋଟି ମାତ୍ର ଧାଡ଼ି– ‘‘ହେ ଭାରତମାତା ! ଆମକୁ ଶିବଙ୍କ ମସ୍ତିଷ୍କ ଦିଅ, କୃଷ୍ଣଙ୍କ ହୃଦୟ ଦିଅ ତଥା ରାମଚନ୍ଦ୍ରଙ୍କ କର୍ମ ଆଉ ବଚନ ଦିଅ, ଆମକୁ ଅସୀମ ମସ୍ତିଷ୍କ ଆଉ ଉନ୍ମୁକ୍ତ ହୃଦୟର ସହିତ ଜୀବନର ମର୍ଯ୍ୟାଦାରେ ଭୂଷିତ କର ।’’–ଏହା କ’ଣ କୌଣସି ଏକ ମହାକବିଙ୍କ ସମ୍ୱେଦନଶୀଳ କଳ୍ପନାରୁ ନ୍ୟୂନ ?

 

ଲୋହିଆ ଆତ୍ମାରୁ ବିଦ୍ରୋହୀ ଥିଲେ ।

 

ତାଙ୍କର ବିଦ୍ରୋହୀ ବ୍ୟକ୍ତିତ୍ୱ ଭିତରେ ବିଚାର–ପ୍ରତିଭା ଏବଂ କର୍ମଠତାର ମିଶ୍ରଣ ଥିଲା । ଲୋହିଆଙ୍କ ଅସରନ୍ତି କର୍ମ ଭିତରେ ଅନ୍ୟାୟର ତୀବ୍ରତମ ପ୍ରତିକାରହିଁ ଥିଲା ମୁଖ୍ୟ । ତାଙ୍କ ପାଖରେ ପ୍ରବଳ ଇଚ୍ଛା–ଶକ୍ତି, ସଂଯମ, ଅସୀମ ଶୌର୍ଯ୍ୟ ଏବଂ ଧୈର୍ଯ୍ୟ ଥିଲା । ନିଜର ଏଇ ବିଶାଳତାର ତୀବ୍ରତମ ଅନୁଭୂତି ଯୋଗୁଁହିଁ ସେ ବାରମ୍ୱାର କଷ୍ଟ ତଥା ଅପମାନଜନକ ଅନୁଭବକୁ ଆମନ୍ତ୍ରିତ କରିବାକୁ ଅଭ୍ୟସ୍ତ ହୋଇପଡ଼ିଥିଲେ । ବିରୋଧୀଙ୍କ କଟୁତାର ତ ସେ ଆଜୀବନ........ପ୍ରତି ମୁହୂର୍ତ୍ତରେ ସହ୍ୟ କରିଯାଉଥିଲେ । ତଥାପି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଲୋହିଆଙ୍କର ଅଗଣିତ ଅନ୍ତରଙ୍ଗ ବନ୍ଧୁ ଆଉ ସାଙ୍ଗସାଥୀ ତାଙ୍କଠୁଁ ଦୂରେଇ ଯାଇଥିଲେ । ତା’ର ଉଦାହରଣବି ଯଥେଷ୍ଟ ରହିଚି । କିନ୍ତୁ ଲୋହିଆ ନିଜ ବାଟ କେବେ ହୁଡ଼ି ନଥିଲେ । ହୃଦୟକୁ ଆଘାତ ଦେଲା ଭଳି ଅନେକ କଥାବି ଘଟିଚି । କଷ୍ଟଦାୟକ ପ୍ରସଙ୍ଗବି ଖୁବ୍‌ ଆସିଚି । ତଥାପି ଲୋହିଆଙ୍କ ଧୈର୍ଯ୍ୟ ଅତୁଟ ରହିଚି, ଅଭଙ୍ଗା ରହିଚି । ରାଜନୈତିକ ଜୀବନରେ ନୀତିରୁ ବିଚଳିତ କରିଦେବା ଭଳି ଅନେକ ଦୁଃଖକଷ୍ଟ, ଭୟାବହ ମୋହ ପ୍ରସଙ୍ଗ ବାରମ୍ୱାର ଆସିଚି; କିନ୍ତୁ ଲୋହିଆ ଶେଷ ପର୍ଯ୍ୟନ୍ତ ଅବିଚଳିତହିଁ ରହିଛନ୍ତି ।

 

ଯଦ୍ୟପି ଲୋହିଆଙ୍କ ଜୀବନ ଗୋଟାଏ ଅଜେୟ ଯୋଦ୍ଧାର ଜୀବନ ଥିଲା, ତଥାପି ସମଗ୍ର ଅଜେୟତା ପ୍ରାପ୍ତି ପରେବି ତାଙ୍କର ସାରା ଜୀବନ ବନବାସ ଭଳିହିଁ କଟିଥିଲା । ପଦ–ପଦବୀ ଗ୍ରହଣ କରି, କ୍ଷମତା–ସୁନ୍ଦରୀର ଆଲିଙ୍ଗନ ଭିତରେ ଆବଦ୍ଧ ରହିବାକୁ ସେ ଜମା ପସନ୍ଦ କରୁ ନଥିଲେ ।

 

ଲୋହିଆଙ୍କ ସମସ୍ତ ଜୀବନ–ଯାତ୍ରାକୁ ବିଶ୍ଳେଷଣ କଲେ ବାସ୍ତବିକ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ଜୀବନଟା ସାରା କେତେ ଉପେକ୍ଷା.......କେତେ ଉପହାସ......କେତେ ଅପମାନ ଆଉ ଦୀର୍ଘ ବନବାସକୁ ସେ କିପରି ସହ୍ୟ କରି ରହିଥିଲେ ! ଦେଶର ଖବରକାଗଜଗୁଡ଼ିକ ଲୋହିଆଙ୍କ କଥାକୁ କେବେ ମଧ୍ୟ ସଠିକ ଅର୍ଥରେ ଛାପି ନଥିଲେ । କିନ୍ତୁ ଖବରକାଗଜରେ ଛପା ଯାଇଥିବା ଓଲଟା ଅର୍ଥକୁ ସେ ବହୁ ବିଳମ୍ୱରେ ଖଣ୍ଡନ କରୁଥିଲେ । ଜୀବନ କାଳ ଭିତରେ ନିଜ ମୌଳିକ ବିଚାରର ପ୍ରକୃତ ପ୍ରକାଶନ ତାଙ୍କ ଭାଗ୍ୟରେ କେବେ ଯୁଟି ନଥିଲା । ଯେମିତି କି ଜୀବନସାରା ସେ କେବଳ ସୂତ୍ରହିଁ କହି ଚାଲିଥିଲେ ଏବଂ ଅର୍ଦ୍ଧଶିକ୍ଷିତ ଖବରକାଗଜର ଅଧିକାରୀଗଣ ତାଙ୍କୁ ଭଲ ଭାବରେ ନ ବୁଝି–କଥାଟାକୁ ଓଲଟପାଲଟ କରି ଛାପି ଦେଉଥିଲେ । ଫଳରେ ଅର୍ଥ ଅନର୍ଥ ହୋଇଯାଉଥିଲା । ପ୍ରକାଶ ପାଇଥିବା ସମସ୍ତ ମିଥ୍ୟା କଥାର ଖଣ୍ଡନ ଲୋହିଆ ବା କେତେ କରନ୍ତେ-! ସଫେଇ ଦେଇ ବୁଲିବା ଲୋହିଆଙ୍କ ଆତ୍ମସମ୍ମାନବିରୁଦ୍ଧ ଥିଲା । କିନ୍ତୁ ସମୟ ତାଙ୍କ ବିରୁଦ୍ଧରେ ପ୍ରଚାର କରାଯାଉଥିବା ତଥ୍ୟକୁ ବହୁବାର ମିଥ୍ୟା ପ୍ରମାଣିତ କରିଦେଇଥିଲା ।

 

ସେ ସମ୍ୱଳହୀନ ହୋଇ ମଧ୍ୟ ହିନ୍ଦୁସ୍ଥାନର ପ୍ରତି ଲୋକଙ୍କ ପାଖରେ ପହଞ୍ଚି ପାରିଥିଲେ ଏବଂ ତାଙ୍କ କଥା ଶୁଣି ତାଙ୍କୁ ସ୍ୱୀକାର କରିବା ଜନସଂଖ୍ୟାବି ଅବାଧ ଗତିରେ ବଢ଼ିଯାଉଥିଲା । ଏହା କ’ଣ ତାଙ୍କ ବିଚାରନିଷ୍ଠାର ପ୍ରକୃତ ପ୍ରମାଣ ନୁହେଁ ?

 

ଲୋହିଆଙ୍କ ଜୀବନରେ ଆଉ ଏକ ବିଡ଼ମ୍ୱନା–ନିଜର ସ୍ପଷ୍ଟ ଆଉ ସ୍ୱଚ୍ଛଳ ବ୍ୟବହାର ଯୋଗୁଁ ସେ ନିଜର ଶତ୍ରୁସଂଖ୍ୟା ଖୁବ୍‌ ବେଶୀ ବଢ଼େଇ ଦେଇଥିଲେ । କିନ୍ତୁ ଏଥିପାଇଁ ତାଙ୍କ ମନରେ କେବେ ଚିନ୍ତା ନଥିଲା । ଲୋହିଆ ନେତା ହେବାପାଇଁ କେବେବି ଜନତାଙ୍କୁ ଖୋସାମତ କରୁ ନଥିଲେ ।

 

ନିଜର ସରଳ ସ୍ୱଭାବ ନେଇ ସେ ନିଜ ବିଚାରକୁ ସବୁବେଳେ ମାର୍ଜିତ ଭାଷାରେ କୌଣସି ଉପ୍ରୋଧ ରକ୍ଷା ନ କରି ବ୍ୟକ୍ତ କରିଯାଉଥିଲେ । ଲୋହିଆ ନିଜ ପ୍ରତି ବିମୁଖ ହୋଇ ଯାଇଥିବା ଲୋକଙ୍କୁ ଫୁସୁଲେଇ ନିଜ ଆଡ଼କୁ ଟାଣି ଆଣିବାପାଇଁ କେବେବି ଚେଷ୍ଟା କରି ନଥିଲେ । ତା’ ସାଙ୍ଗେ ସାଙ୍ଗେ ଆଉ ଗୋଟାଏ ନିରାଟ ସତ କଥା–ଲୋହିଆଙ୍କ ମାନବ–ନିଷ୍ଠା ଏତେଦୂର ଅଦମ୍ୟ ଥିଲା ଯେ ପ୍ରତ୍ୟେକ ଲୋକଙ୍କୁ ସେ ଅତି ସହଜରେ ଶ୍ରଦ୍ଧା କରୁଥିଲେ । ତା’ ସଙ୍ଗେ ସଙ୍ଗେ ସେ ନିଜ ଲୋକଙ୍କୁ ସୁଧାରିବା ପାଇଁ ମଧ୍ୟ ଅଧିକରୁ ଅଧିକ ଚେଷ୍ଟା କରୁଥିଲେ । ଯଦି ସେମାନେ ସୁଧୁରୁ ନଥିଲେ ତେବେ ତାଙ୍କ ସଙ୍ଗେ ଅସହଯୋଗ କରିବାପାଇଁ କ୍ଷଣେମାତ୍ର ବିଳମ୍ୱ କରୁ ନଥିଲେ-। ଏସବୁ ଘଟଣାରେ ସେ ଯେତେ ଦୂର ସ୍ନେହୀ ଆଉ ମମତାମୟ ଥିଲେ, ସେତିକି ପରିମାଣରେ ଥିଲେ ନିର୍ମମ ଆଉ କଠୋର ।

 

ଲୋକପ୍ରିୟତା ଅର୍ଜନପାଇଁ ଦେଣନେଣ, କିଣାବିକା କିମ୍ୱା ଲୋକଦେଖାଣିଆ ଭାବ ପ୍ରଦର୍ଶନ କରିବା ସେ ଆଦୌ ଜାଣୁ ନଥିଲେ ।

 

‘‘ନେତା’’ ଶବ୍ଦର ବ୍ୟାପକ ଅର୍ଥର ଲେବୁଲ ତାଙ୍କ ଦେହରେ କେବେ ମରାଯାଇ ନଥିଲା-। ସେ ଥିଲେ ପ୍ରତି ଜଣର ନେତା । ତାଙ୍କୁ ଆଣିବାପାଇଁ ଯାଉଥିବା ସାଙ୍ଗସାଥୀମାନେ ଯେତେବେଳେ ତାଙ୍କୁ ଫୁଲମାଳ ପିନ୍ଧେଇ ଦେଉଥିଲେ କିମ୍ୱା ତାଙ୍କର ଜୟଗାନ କରୁଥିଲେ, ସେ ସାଙ୍ଗେ ସାଙ୍ଗେ ଚିଡ଼ି ଯାଉଥିଲେ.....ଅମଙ୍ଗବି ହେଉଥିଲେ ।

 

କେବଳ ଏତିକିହିଁ ନୁହେଁ, ନିଜ ଜୀବନ ସମ୍ୱନ୍ଧରେ........ବିଶେଷକରି କଷ୍ଟ ଆଉ ତ୍ୟାଗମୟ ମୁହୂର୍ତ୍ତର ଚର୍ଚ୍ଚା–ଯାହା କି ଅନ୍ୟ ନେତାମାନେ ବିଶେଷ ଭାବରେ ବନେଇ ଚୂନେଇ କହନ୍ତି ଆଉ ନିଜ ନିଜର ପ୍ରଚାର କରନ୍ତି–ଲୋହିଆ ସେ ସବୁଠୁ ଥିଲେ ଖୁବ୍‌ ଦୂରରେ । ମୋ ଭଳି ତାଙ୍କ ଚରିତ–ଲେଖକକୁ ମଧ୍ୟ ତାଙ୍କ ଉପସ୍ଥିତିରେ କୋଉଠୁ କିମିତି ଆଉ କି କି ସୂଚନା ସଂଗ୍ରହ କରିବାକୁ ପଡ଼ିଚି, ତା’ବି ଗୋଟାଏ ରୋମାଞ୍ଚକର କଥା । ଯେତେବେଳେ ତାଙ୍କୁ ଘେରିଯାଇ ବାଧ୍ୟତାପୂର୍ବକ ତାଙ୍କ ସମ୍ୱନ୍ଧରେ ଜାଣିଶୁଣି ଭୁଲ ତଥ୍ୟ ପରିବେଷଣ କରାଯାଉଥିଲା, ତେବେ ସେ ବିରକ୍ତି ପ୍ରକାଶ କରି, ତାକୁ ଠିକ୍‌ ଭାବରେ କହିବା ଭଙ୍ଗୀରେ, ନିଜ ବିଷୟରେ ସତକଥା କହିଯାଉଥିଲେ । ତେବେ ଏମିତି ଅବସର ଆଉ ସମୟ ପାଇବା ମଧ୍ୟ କମ୍ କଷ୍ଟକର ବ୍ୟାପାର ନଥିଲା !

 

ନିଜ ସମ୍ୱନ୍ଧରେ ଚର୍ଚ୍ଚା ଚାଲିଥିଲାବେଳେ ଅତି ଚତୁରତାର ସହ ସେଥିରୁ ଓହରିଯିବା (ଏମିତି ଚତୁର) ଲୋକ ମୁଁ ଅନ୍ୟ କାହାକୁ ଦେଖିନି ।

 

ବେଶ–ଭୂଷା, ଖାଇବା–ପିଇବାରେ ତାଙ୍କ ଭଳି ଏତେଟା ସରଳ ବୋଧେ ଆଉ କେହି ନଥିଲେ । ଖଦଡ଼ ଧୋତି, କୁରୁତା, ଜାକେଟ ଆଉ ଚପଲ–ବେଶ୍‌ ଏଇଆହିଁ ଥିଲା ତାଙ୍କ ବାରମାସର ପିନ୍ଧା ସରଞ୍ଜାମ । ଆଉ ଖାଇବା–ପିଇବାରେ ଶାକାହାରୀ ସାଦା ଭୋଜନ । ବେଳେବେଳେ ଭାବେ–କେତେ କପ୍‌ କଫି ଛଡ଼ା ତାଙ୍କ ପେଟକୁ କ’ଣ ରୋଜ୍ ପାଏ ଖଣ୍ଡେ ଖାଦ୍ୟ ଯାଉଥିବ !

 

ଆଉ ଅଧ୍ୟୟନ ! ତାଙ୍କ ଅଧ୍ୟୟନ କ୍ଷେତ୍ର ଥିଲା ବିଶାଳ ଆଉ ବ୍ୟାପକ–ରାଜନୀତି, ଦର୍ଶନ, ଇତିହାସ, ଅର୍ଥଶାସ୍ତ୍ର ଏବଂ ଲାଳିତ୍ୟପୂର୍ଣ୍ଣ ଲେଖା ପ୍ରଭୃତି । ସେ ରାମାୟଣର ବଡ଼ ଭକ୍ତ ଥିଲେ । ମହାଭାରତ, ସ୍ଥାପତ୍ୟ କଳା, ପ୍ରାଚୀନ ଇତିହାସ ଏବଂ ନକ୍ଷତ୍ରମଣ୍ଡଳ ଭିତରେବି ତାଙ୍କର ଗଭୀର ପ୍ରବେଶ ଥିଲା ।

 

କଫି ପିଆଲା ଉପରେ ତାଙ୍କର ଉନ୍ମୁକ୍ତ ହସ, ବର୍ତ୍ତମାନ ତ କେବଳ ଗୋଟାଏ ସ୍ମୃତି ହୋଇ ରହିଯିବ । ସେ ଅକ୍ଳାନ୍ତ ପରିଶ୍ରମୀ ଥିଲେ । ସମ୍ଭବତଃ ତାଙ୍କ ସମ୍ପୂର୍ଣ୍ଣ ରାଜନୈତିକ ଜୀବନ କାଳରେ–ମାସକୁ ତିରିଶ ଦିନ ଭିତରୁ କୋଡ଼ିଏଟି ରାତି କେବଳ ରେଳ କିମ୍ୱା ଯାତ୍ରାରେହିଁ କଟିଯାଉଥିଲା । ଦେଶର ଏମିତି ଏକ କୌଣସି ସ୍ଥାନ ନାହିଁ, ଯାହାର ଧୂଳି ତାଙ୍କ ପାଦରେ ନ ଲାଗିଚି । ବିଦେଶକୁ ତାଙ୍କର ଯାତ୍ରା ତ ସର୍ବବିଦିତ ଅଟେ ।

 

ଭାରତର ତୀର୍ଥସ୍ଥାନଗୁଡ଼ିକ ପ୍ରତି ତାଙ୍କ ମନଭିତରେ ବଡ଼ ଆଶା ଆଉ ଆକାଂକ୍ଷା ରହିଥିଲା । ସାରନାଥ, ଅଜନ୍ତା, ଏଲୋରା, କୋଣାର୍କ, ଖଜୁରାହୋ, ମହାବଳୀପୁରମ୍‌, ରାମେଶ୍ୱରମ୍‌ ଆଡ଼କୁ ସେ ଏପରି ଭାବରେ ଧାଇଁ ଯାଉଥିଲେ–ଯେମିତି ଗାଈକି ଦେଖି ବାଛୁରୀ ଧାଇଁଯାଏ । ସେମିତି ସ୍ଥାନରେ ଚିନ୍ତାମୁକ୍ତ ଅବସ୍ଥାରେ କିଛିଦିନ କଟେଇବାର ସାଧନା ତାଙ୍କର କେବେ ପୂରଣ ହୋଇପାରିଲାନି ।

 

ଲୋହିଆ ଆଜୀବନ ଥିଲେ ଏକାକୀ–ନିତାନ୍ତ ଏକାକୀ ।

 

ଲୋହିଆ କହୁଥିଲେ–‘‘ସଂସାର ଭିତରେ କେବଳ ଦୁଇଟି ପଦାର୍ଥ ପାଇବାର ଯୋଗ୍ୟ ଅଟେ–ଈଶ୍ୱର ଆଉ ନାରୀ । ଈଶ୍ୱରଙ୍କ ଉପରେ ତାଙ୍କର ବିଶ୍ୱାସ ନଥିଲା ଆଉ ନାରୀ ତାଙ୍କୁ ମିଳି ନଥିଲା । ଏ ସମ୍ୱନ୍ଧରେ ଗୋଟାଏ କୌତୂହଳ ଘଟଣା ଉଲ୍ଲେଖନୀୟ । ଥରେ ସେ ଲଣ୍ଡନର ଗୋଟାଏ ରେଷ୍ଟୁରାଣ୍ଟ୍‍ରେ ବସିଥିଲେ । ତାଙ୍କ କୋଟ୍ ଉପରେ ଗୋଟାଏ ମଇଳା ଦାଗ ଦେଖି ସେଠିକା ‘ଓ୍ୱେଟ୍ରେସ୍‌’ ପଚାରିଦେଲା–‘‘ଜଣାପଡ଼ୁଚି, ତୁମେ ନିଜ ପ୍ରତି ସେତେଟା ଯତ୍ନଶୀଳ ନୁହ । ତୁମ କୋଟ୍ ଉପରେ ଏଇ ଦାଗ ଦେଖି ତୁମ ସ୍ତ୍ରୀ କ’ଣ ତୁମ ଉପରେ ନାରାଜ ହେବେନି ?’’

 

ସେତେବେଳେ ଲୋହିଆ କହିଥିଲେ–‘‘ମୋର ସ୍ତ୍ରୀ ନାହିଁ । ମୁଁ ବାହା ହୋଇନି ।’’ ‘ଓ୍ୱେଟ୍ରେସ୍‌’ ଆଶ୍ଚର୍ଯ୍ୟରେ ପଚାରିଥିଲା–‘‘କାହିଁକି ?’’ ଲୋହିଆ ପୁଣି ହସି ହସି କହିଥିଲେ–‘‘କୌଣସି ସ୍ତ୍ରୀ କେବେ ମତେ ଭଲ ପାଇନି ।’’ ‘ଓ୍ୱେଟ୍ରେସ୍‌’ବି ସେମିତି ହସି ହସି କହିଥିଲା–‘‘ମିଛ, ତୁମେ କେବେ କୌଣସି ସ୍ତ୍ରୀକୁ ଭଲ ପାଇ ନଥିବ ?’’

 

ପ୍ରକୃତ କଥା ହେଉଚି–ଲୋହିଆଙ୍କ ପ୍ରତି ଆକର୍ଷିତ ହୋଇ ଉଠିଥିବା ସ୍ତ୍ରୀଙ୍କ ସଂଖ୍ୟା ଥିଲା ଖୁବ୍ ବେଶୀ । ତଥାପି ଲୋହିଆ ନିଜ ବିବାହ କଥା କେବେ କାହିଁକି ଚିନ୍ତା କରି ନଥିଲେ ? ସେ ନାରୀମାନଙ୍କୁ ଗୋଟାଏ କଣ୍ଢେଇ କିମ୍ୱା ଭୋଗ୍ୟବସ୍ତୁ ବୋଲି ସ୍ୱୀକାର କରିବାକୁ କେବେ ପ୍ରସ୍ତୁତ ନଥିଲେ । ସେ ଗାନ୍ଧିଙ୍କ ‘ରାମ–ରାଜ୍ୟ’ ସ୍ଥାନରେ ‘ସୀତା–ରାମ–ରାଜ୍ୟ’ର ସମର୍ଥକ ଥିଲେ ।

 

ଯେଉଁମାନେ ଲୋହିଆଙ୍କ ଅତି ନିକଟରେ ରହୁଥିଲେ, ସେମାନେ ଜାଣିଥିଲେ ଯେ ଲୋହିଆ ସୌନ୍ଦର୍ଯ୍ୟର ଉପାସକ ଆଉ କବି–ହୃଦୟର ବ୍ୟକ୍ତି ଥିଲେ; କିନ୍ତୁ ସୌନ୍ଦର୍ଯ୍ୟର ମାପଦଣ୍ଡ ତାଙ୍କର ସାଧାରଣ ଅର୍ଥରୁ ଭିନ୍ନ ଥିଲା । ଗୋଟାଏ ଜାଗାରେ ଲୋହିଆ କହିଥିଲେ–‘‘ଦିନର ଚାକଚକ୍ୟ ସୌନ୍ଦର୍ଯ୍ୟର ବୃଦ୍ଧି କରେ ନାହିଁ । ସନ୍ଧ୍ୟାର ଧୂମିଳ ପ୍ରକାଶ ସୌନ୍ଦର୍ଯ୍ୟକୁ ବଢ଼ାଏ; କିନ୍ତୁ ସୌନ୍ଦର୍ଯ୍ୟକୁ ସବୁଠୁ ଅଧିକ ଚାନ୍ଦିନୀ ବଢ଼ାଏ । ପୂର୍ଣ୍ଣମୀ ଚନ୍ଦ୍ର ହେଉଚି ସବୁଠୁ ଭଲ । ଚନ୍ଦ୍ରମା ସମସ୍ତଙ୍କୁ ରୂପରେ ସ୍ନାନ କରାଏ; ତଥାପି ସେ ପ୍ରଭାତ ପୂର୍ବରୁ ନିର୍ମଳତା ଦାନ କରିବାକୁ ସମ୍ପୂର୍ଣ୍ଣରୂପେ ଅସମର୍ଥ । ଉଷା–ଯେ କି ବଡ଼ ଅପୂର୍ବ ଭଙ୍ଗିମାରେ ଧୀରେ ଧୀରେ ବିଦାୟ ନିଏ, ତା’ ରେଖାର ନିର୍ମଳ ସୌନ୍ଦର୍ଯ୍ୟର ସ୍ମୃତି ସ୍ୱତଃ ହୃଦୟରୁ ଉଦ୍‌ବେଳିତ ହୁଏ, ମୁଁ କେବେ କଳ୍ପନା କରିନି ।’’

 

ଲୋହିଆ ଥିଲେ ଗୁଣର ଗନ୍ତାଘର ।

 

ଲୋହିଆ ଥିଲେ ବହୁ ଜନପ୍ରିୟ ବ୍ୟକ୍ତି ।

 

ଲୋହିଆ ଥିଲେ ହୃଦୟର ବାଦଶାହ ।

 

ତାଙ୍କର ଗୁଣଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଲେଖିବାପାଇଁ ମୋର ଶକ୍ତି ନାହିଁ କିମ୍ୱା ଧୈର୍ଯ୍ୟବି ନାହିଁ ।

 

ତାଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଭିକାରି ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ଶୋକାତୁର ହୋଇପଡ଼ିଲେ, ସେତେବେଳେ ତାଙ୍କ ବହୁଜନପ୍ରିୟତାର ଆଭାସ ସାରା ସଂସାର ଜାଣିଗଲା ।

 

ରାଷ୍ଟ୍ରପତି ଡକ୍‍ଟର ଜାକୀର ହୁସେନ୍‌ ସେଇ ଦୁଃଖାନ୍ତ ମୁହୂର୍ତ୍ତରେ କହିଥିଲେ, ‘‘ଦେଶର ଏକ ଅପୂରଣୀୟ କ୍ଷତି ହେଲା । ଗୋଟାଏ ମହାନ୍‌ ଦେଶଭକ୍ତ, ଆଦର୍ଶବାଦୀ ତଥା ଆଜୀବନ ବିଦ୍ରୋହୀ ଡକ୍‌ଟର ଲୋହିଆ ତାଙ୍କର ସମଗ୍ର ଜୀବନକୁ ଗରିବଙ୍କ ସେବାରେହିଁ ଉତ୍ସର୍ଗ କରି ଦେଇଥିଲେ । ଡକ୍‌ଟର ଲୋହିଆଙ୍କ ରଙ୍ଗୀନ ବ୍ୟକ୍ତିତ୍ୱର ଅଭାବରୁ ଦେଶର ସାର୍ବଜନୀନ ଜୀବନ ଶୂନ୍ୟ ରହିବ ।’’

 

ଭୂତପୂର୍ବ ରାଷ୍ଟ୍ରପତି ଡକ୍‌ଟର ରାଧାକ୍ରିଷ୍ଣନ୍‌ କହିଥିଲେ, ‘‘ସେ ନିଜର ଅନୁଗାମୀଙ୍କଠାରୁ କେବଳ ଆଦର ନୁହେଁ, ଅତୁଳନୀୟ ସ୍ନେହ ମଧ୍ୟ ପାଉଥିଲେ । ଏକ ଚମତ୍କାର ନେତା.....ଯାହାଙ୍କ ସ୍ଥାନ ଆଉ ପୂରଣ ହେବା ସମ୍ଭବ ନୁହେଁ ।’’

 

ଉପ–ପ୍ରଧାନମନ୍ତ୍ରୀ ମେରାରଜୀ ଦେଶାଇ କହିଥିଲେ–‘‘ଭାରତ ନିଜର ଗୋଟାଏ ଅଦ୍ଭୁତ ଦେଶପ୍ରେମୀକୁ ହରାଇଦେଲା । ତାଙ୍କର ସମଗ୍ର ଜୀବନ କେବଳ ଦେଶସେବାରେହିଁ ଲାଗିଥିଲା । ନିଜ ସାଥୀଙ୍କଠାରୁ ଏତେ ସ୍ନେହର ଅଧିକାରୀ ଅନ୍ୟ କେହି ହୋଇପାରି ନଥିଲେ ।’’

 

ଲୋହିଆଙ୍କ ଜୀବନ ଶେଷ ହୋଇଗଲା ।

 

କିନ୍ତୁ କେବଳ କାହାଣୀଟି ଶେଷ ହେଇଚି, କଥା ଏଯାଏଁ ସରିନି । ଏବେ ତ ଲୋହିଆଙ୍କ ବାଣୀ ଆରମ୍ଭ ହେବାର ଯୁଗ ଆସିଚି ।

 

ଆସନ୍ତୁ, ଆମେ ସମସ୍ତେ ଏକାଠି ମିଳିମିଶି ଡକ୍ଟର ରାମମନୋହର ଲୋହିଆଙ୍କୁ ସ୍ମରଣ କରିବା ।

 

–ଶରଦ

 

 

ରାମମନୋହର ଲୋହିଆ !

 

ବୈଚିତ୍ର୍ୟମୟ ଏଇ ନାୟକଙ୍କ କାହାଣୀ ଆରମ୍ଭ କରିବାପାଇଁ ମୋ ସାଙ୍ଗରେ ପାଠକଙ୍କୁ ତିନିପୁରୁଷ ପଛକୁହିଁ ଫେରିଯିବାକୁ ହେବ ।

 

ଘଟଣା ହଉଚି ଊନବିଂଶ ଶତାବ୍ଦୀର–ଏକ ସନ୍ଧ୍ୟାର ।

 

ସହରଟିଏ, ନାଁ ମିରଜାପୁର, ଗଙ୍ଗାନଦୀକୂଳରେ, ପୂର୍ବକୁ ଦେଖିଲେ କାଶୀ.......ପଶ୍ଚିମକୁ ମୁହଁ କଲେ ପ୍ରୟାଗ ।

 

ଦୁଇଟି ବଡ଼ ତୀର୍ଥସ୍ଥଳ ମଝିରେ ମିରଜାପୁର ।

 

ମହାଭାରତ ସମୟରେ ନିର୍ମିତ, ବିନ୍ଧ୍ୟାଚଳ ପର୍ବତ ଉପରେ ଅଷ୍ଟଭୁଜା ଦେବୀଙ୍କ ମନ୍ଦିର-। ସେଇଠିକାର ପଣ୍ଡାଙ୍କ ପାଖରେ ସମସ୍ତ ସନାତନୀ ହିନ୍ଦୁଙ୍କ ପୁରୁଷଙ୍କ ପରେ ପୁରୁଷଙ୍କ ଖାତା ସୁରକ୍ଷିତ ଅଛି ।

 

ସେଇ ମନ୍ଦିରକୁ ଲାଗି ଗଙ୍ଗାକୂଳରେ ସ୍ଥାପିତ ବସ୍ତି, ମୋଗଲକାଳୀନ ନାଁ ହଉଚି–ମିରଜାପୁର ।

 

ଯେଉଁ ସମୟର କଥା କହୁଚି–ସେତେବେଳେ ଏଇ ବସ୍ତିଟି ଥିଲା ଅତି ସମୃଦ୍ଧିଶାଳୀ; କିନ୍ତୁ ଆଜି ଗୋଟାଏ ଅଭାଗୀନି ବିଧବାର ଶୂନ୍ୟ ସୀମନ୍ତ ଭଳି ଶୂନ୍ୟ । ବର୍ତ୍ତମାନ ଏହା ଏକ ବିଧ୍ୱସ୍ତ ସହର.....ଶ୍ରୀହୀନ ବସ୍ତି; କିନ୍ତୁ ସେତେବେଳେ ଏହା ଏକ ସ୍ୱର୍ଣ୍ଣଖଚିତ ନଗର ଥିଲା । ବ୍ୟବସାୟର ବଡ଼ ପୀଠସ୍ଥଳ ସୁଦୂର ବିନ୍ଧ୍ୟ ପ୍ରଦେଶର ବ୍ୟବସାୟ କ୍ଷେତ୍ରରେ ଏହା ଥିଲା ଏକ ପ୍ରବେଶଦ୍ୱାର । ଏଇଠି ନୀଳ, ଲାଖ, ଲୁହା ଆଉ ଧାନ–ଚାଉଳର ବଜାର ଥିଲା ବେଶ୍ ସରଗରମ । ଏଇଠିକା ଲୋକମାନେ ଥିଲେ ମସ୍ତ କିନ୍ତୁ ଫକଡ଼ । ଭାଙ୍ଗନିଶା ସେବନ କରିବା ଚରିତ୍ରର ଏକ ପ୍ରଧାନ ଅଙ୍ଗ ଥିଲା । ଅନ୍ୟପାଇଁ ପ୍ରାଣ ଦେବାକୁ କିମ୍ୱା ଆଖି ଦେଖାଇଲେ ପ୍ରାଣ ନେବାକୁ ସେମାନେ ଆଦୌ ସଂକୋଚ କିମ୍ୱା କ୍ଷଣକପାଇଁ ଡେରି ମଧ୍ୟ କରୁ ନଥିଲେ । ମୁଣ୍ଡଠୁଁ ହାତେ ଲମ୍ୱର ଉଚ୍ଚ ଲାଠି ଯେମିତି ଶରୀରର ଏକ ଅଂଶ ହୋଇ ରହୁଥିଲା ।

 

କିନ୍ତୁ ଏ କଥାଟି ଅତି ପୁରୁଣା.......ବିଗତ ଶତାବ୍ଦୀର । ଆଜିର ମିରଜାପୁରରେ ଦେଖା ଦେଇଚି ଅନେକ ପରିବର୍ତ୍ତନ–ଯେମିତି ଫସଲର ଶୁଷ୍କତା ନେଇ କ୍ଷେତର ହାହାକାର ରୂପ ଦେଖାଯାଏ । ବର୍ତ୍ତମାନ ଏଇ ସହର ସେହିଭଳି ଶ୍ରୀହୀନ ।

 

ଏଇ ନଗରୀର ଚର୍ଚ୍ଚା । ସେତେବେଳେ ଊନବିଂଶ ଶତାବ୍ଦୀର ଶରୀରରେ ବୃଦ୍ଧତ୍ୱର ସ୍ୱାକ୍ଷର ।

 

ସେଇ ଯୁଗରେ ମିରଜାପୁରରେ ଗୋଟାଏ ସମୃଦ୍ଧ ବୈଶ୍ୟ ପରିବାର ଥିଲା । ଲୁହା ଏବଂ କପଡ଼ା ବ୍ୟବସାୟରେ ଭଲ ଆୟ ଥିଲା । ଏଇ ପରିବାରର ମୁଖିଆ ଥିଲେ ଲାଲା ମନସୁଖ ରାମ । ଲୁହା ବ୍ୟବସାୟ ଥିଲା ବହୁ ପୁରୁଣା । ସେଥିପାଇଁ କେତେ ପୁରୁଷରୁ ଉକ୍ତ ପରିବାରକୁ ‘ଲୋହିଆ’ ସଂଜ୍ଞା ମିଳିଥିଲା ।

 

ଲାଲା ମନସୁଖ ରାମଙ୍କ ପୂର୍ବପୁରୁଷଙ୍କୁ ନ ଖୋଜି ଆମେ ତାଙ୍କ ପାଖରୁ କଥାଟିକୁ ଆରମ୍ଭ କରିବା ।

 

ପୂର୍ବକାଳରେ ଲୋକମାନେ ସଂପନ୍ନତା ସାଙ୍ଗକୁ ଅତିଶୟ ଦୟାଳୁ ମଧ୍ୟ ଥିଲେ । ଆମର ମନସୁଖ ରାମ ମଧ୍ୟ ଖୁବ୍‌ ଦୟାଳୁ ଥିଲେ । ଉତ୍ତମ ବ୍ୟବହାର ଯୋଗୁଁ ଆଖପାଖ ଅଞ୍ଚଳରେ ତାଙ୍କର ବେଶ୍‌ ସୁଖ୍ୟାତି ଆଉ ସମ୍ମାନ ଥିଲା । ଆଉ ସେଇ ସୁଖ୍ୟାତି ଶୁଣି ଦିନେ ଜଣେ ଦରିଦ୍ର ବ୍ରାହ୍ମଣ ଆସି ତାଙ୍କ ଦୁଆରେ ପହଞ୍ଚିଲେ । ବିଚରା କୌଣସି ଏକ ଦୁର୍ଦ୍ଦିନର ଶିକାର ହୋଇ ନିଜର ଜମିବାଡ଼ି ବିକ୍ରି କରିଦେବାକୁ ଚାହୁଁଥିଲେ । ସେ ମନସୁଖ ରାମଙ୍କୁ ତାଙ୍କ ଜମି ଦେବାକୁ ଚାହିଁଲେ । ମନସୁଖ ରାମ ଥିଲେ ଖୁବ୍‌ ଈଶ୍ୱରବିଶ୍ୱାସୀ–ଦୟାଳୁ । ଧର୍ମ ଓ କର୍ମ ପ୍ରତି ତାଙ୍କର ରୁଚିବି ଥିଲା ଖୁବ୍‌ ବେଶୀ ।

 

ବ୍ରାହ୍ମଣଙ୍କ ଜମି କିଣି ପାପରେ ଭାଗୀ ହେବାକୁ ସେ ବା ଯାଆନ୍ତେ କାହିଁକି ? କିନ୍ତୁ ଜମି ନ ବିକିଲେ ଯେ ଏଣେ ବିଚରା ବ୍ରାହ୍ମଣଙ୍କର କାମ ଅଚଳ । ମନସୁଖ ରାମ ସେଇ ବ୍ରାହ୍ମଣଙ୍କୁ ଆବଶ୍ୟକ ଟଙ୍କା ଦେଇ ଜମିକୁ ବନ୍ଧା ରଖିଲେ । ଯେତେବେଳେ ଇଚ୍ଛା କରିବେ, ବ୍ରାହ୍ମଣ ଟଙ୍କା ଫେରସ୍ତ ଦେଇ ଜମି ନେଇଯାଇପାରିବେ ।

 

କିନ୍ତୁ ଭଗବାନଙ୍କ ଇଚ୍ଛା ବୋଧେ ଅନ୍ୟ ପ୍ରକାର ଥିଲା । ମନସୁଖ ରାମଙ୍କ ଜୀବିତାବସ୍ଥାରେ ବ୍ରାହ୍ମଣ ଋଣମୁକ୍ତ ହୋଇପାରିଲେନି । ଅନେକ ବର୍ଷ ପର୍ଯ୍ୟନ୍ତ କରଜ ସୁଝି ନ ପାରି ଅତିଶୟ ଗ୍ଳାନିରେ ବ୍ରାହ୍ମଣଟି ଆତ୍ମହତ୍ୟା କଲେ ।

 

ଏଇ ଦୁର୍ଘଟଣାଟି ଆଖପାଖ ଅଞ୍ଚଳରେ ପ୍ରଚାର ହୋଇଗଲା । ଗ୍ଳାନି ଆଉ ପଶ୍ଚାତ୍ତାପ ଯୋଗୁଁ ତ ବ୍ରାହ୍ମଣଟି ମଲେ; କିନ୍ତୁ ଲୋକେ କହିଲେ, ‘‘ବ୍ରହ୍ମହତ୍ୟା ପାପ ମନସୁଖ ରାମ ଲୋହିଆଙ୍କ ପରିବାରକୁ ଲାଗିବ ।’’

 

ସେତେବେଳେ ଲୋକେ ପାପ–ପୁଣ୍ୟର ଧ୍ୟାନ ରଖୁଥିଲେ । ଜଣେ ବ୍ରାହ୍ମଣଙ୍କର ମୃତ୍ୟୁରେ ସମସ୍ତ ଲୋହିଆ ପରିବାର ଭୟଭୀତ ହୋଇପଡ଼ିଥିଲେ । ନ ହେବେ କାହିଁକି ?

 

ଲୋକେ କହିଲେ, ‘‘ଆତ୍ମହତ୍ୟା କରି ବ୍ରାହ୍ମଣଟି ବ୍ରହ୍ମତ୍ୱ ପାଇଗଲା । ଆଉ ସେ ବ୍ରହ୍ମର କୋପଦୃଷ୍ଟି ପଡ଼ିଲା ଲୋହିଆ ପରିବାର ଉପରେ ।’’

 

କୋପଦୃଷ୍ଟିର ଲକ୍ଷଣବି ଅତି ଶୀଘ୍ର ଦେଖାଗଲା । ଅବିଶ୍ୱାସ କଲେ କାମ ଚଳେନି । ଯେଉଁସବୁ ଘଟଣା ଘଟିଗଲା–ତାହା ଥିଲା ସମ୍ପୂର୍ଣ୍ଣ ଅସମ୍ଭବ ଧରଣର ।

 

ମନସୁଖ ରାମଙ୍କ ଚାରି ପୁଅ ଥିଲେ । ଗୋପୀଲାଲ, କିଶନ୍‌ଲାଲ, ଶିବନାରାୟଣ ଏବଂ ବିଶନଦୟାଲ । ସେମାନେ ବ୍ରହ୍ମକୋପର ପରିଣାମ ସ୍ୱଚକ୍ଷୁରେ ଦେଖିଲେ । ଗୋପୀଲାଲ ଅପୁତ୍ରିକ ରହି ଅକାଳ ମୃତ୍ୟୁ ବରଣ କଲେ । କିଶନ୍‌ଲାଲ ମଧ୍ୟ ଦୁଇ ପୁଅଙ୍କୁ ଛାଡ଼ି ଗୋପୀଲାଲଙ୍କ ପଥ ଅନୁସରଣ କଲେ । ଦି’ ଭାଇଙ୍କୁ ବ୍ରହ୍ମକୋପର ଶିକାର ହେବା ଦେଖି ଶିବନାରାୟଣ ଏବଂ ବିଶନଦୟାଲ ବିଚଳିତ ହୋଇପଡ଼ିଲେ । ହେବା ମଧ୍ୟ ଅତି ସ୍ୱାଭାବିକ କଥା । ବ୍ରହ୍ମକୋପର ମଧ୍ୟ ଯେମିତି ଆଉ ଶେଷ ନଥିଲା । କିଶନ୍‌ଲାଲଙ୍କ ଦୁଇ ପୁଅ–ରାମକୁମାର ଏବଂ ରାମନିରଞ୍ଜନ । ରାମନିରଞ୍ଜନଙ୍କ ମୃତ୍ୟୁ ହେଲା ଶିଶୁ ଅବସ୍ଥାରେ ।

ଚିନ୍ତା ବଢ଼ିଗଲା । ସମଗ୍ର ପରିବାରକୁ କ’ଣ କୋପଭାଜନ ହେବାକୁ ପଡ଼ିବ ! କାଶୀରୁ ପଣ୍ଡିତ ଆସିଲେ । ବହୁତ ଭାବିଚିନ୍ତି ସେ କହିଲେ–‘‘ବ୍ରହ୍ମକୋପରୁ ରକ୍ଷା ପାଇବାକୁ ହେଲେ ଗଙ୍ଗାକୂଳ ଛାଡ଼ି ଶ୍ରୀରାମଚନ୍ଦ୍ରଙ୍କ ନଗରୀ ଅଯୋଧ୍ୟାକୁ ଯାଇ ସରଯୁ ନଦୀକୂଳରେ ରହିବାକୁ ହେବ । ତେବେ ଯାଇ ମଙ୍ଗଳ ହେବ ।’’

ମରିବା ଲୋକ କ’ଣ ବା ନ କରେ ? ସୁରକ୍ଷାପାଇଁ ବାଳକ ରାମକୁମାରଙ୍କୁ କଲିକତା ପଠାଇଦେଇ ଶିବନାରାୟଣ ଏବଂ ବିଶନଦୟାଲ ପରିବାରବର୍ଗଙ୍କ ସହ ଲୁଗାପଟା ବାନ୍ଧିଲେ । ଗଙ୍ଗାଙ୍କୁ ପ୍ରଣାମ କଲେ, ମିରଜାପୁରରୁ ବିଦାୟ ନେଇ ସରଯୁ ଅଭିମୁଖରେ ଯାତ୍ରା କଲେ ।

ଜୀବନ ଥିଲେ ଜୀବିକା ଅଛି ।

ମିରଜାପୁର ରହିଗଲା ପଛରେ । ପୁରୁଣା ଘର ଗଲା, ଅଯୋଧ୍ୟାରେ ଯାଇ ରହିଲେ । ଶାନ୍ତିର ନିଃଶ୍ୱାସ ମାଇଲେ; କିନ୍ତୁ ଜୀବିକା ଉପାର୍ଜନ ?

ଜୀବିକାନିର୍ବାହର ପନ୍ଥା ଖୋଜିବାପାଇଁ ଶିବନାରାୟଣ ଆକବରପୁରକୁ ଚାଲିଆସିଲେ । ଅଯୋଧ୍ୟା ପାଖରେ ଆକବରପୁର । ତମସା ନଦୀର ଶାନ୍ତିଧାରାର କୂଳରେ ଏକ ଶାନ୍ତ ଗାଁ । ସେଇଠି ଉପଯୁକ୍ତ ସ୍ଥାନ ଖୋଜି ବ୍ୟବସାୟକୁ ପ୍ରତିଷ୍ଠିତ କରିବାପାଇଁ ଯତ୍ନ କଲେ । କିନ୍ତୁ ଥିରେ ଉଜୁଡ଼ି ଯାଇଥିବା ବ୍ୟବସାୟ ଜମିବା କ’ଣ ସହଜ କଥା ! ଜୀବିକାନିର୍ବାହର ପନ୍ଥା ତ ହେଲା; କିନ୍ତୁ ମିରଜାପୁରର ସଂପନ୍ନ ଅବସ୍ଥା କାହିଁ ? ଧନୀ ହୋଇପାରିଲେନି; କିନ୍ତୁ ଖାଇବା–ପିଇବାରେ କୌଣସି ଅଭାବ ରହିଲାନି ।

ମିରଜାପୁରରେ ଶିବନାରାୟଣଙ୍କ ଦିନଗୁଡ଼ିକ ଖୁବ୍‌ ମଉଜରେ କଟିଯାଉଥିଲା । ସେ ଦିନଗୁଡ଼ିକ ବର୍ତ୍ତମାନ ସ୍ୱପ୍ନ ହୋଇଗଲା । ଶିବନାରାୟଣ ଖାଣ୍ଟି ମିରଜାପୁରୀ ଥିଲେ । କସରତୀ ଶରୀର । ଲାଠିଚାଳନା ଏବଂ ଦଣ୍ଡ–ବୈଠକ ଉପରେ ତାଙ୍କର ଖୁବ୍‌ ଅଭ୍ୟାସ ଥିଲା । ଦଶ–ଦଶ ସେର ଦୁଧ କରେଇ ଉଠେଇ ଏକ ନିଃଶ୍ୱାସରେ ପିଇଯିବା ତାଙ୍କ ପକ୍ଷରେ ଅତି ସାଧାରଣ କଥା ଥିଲା । ଆଉ ଏମିତି ମଉଜିଆ ଥିଲେ ଯେ ସାନ୍ଧ୍ୟ ଭ୍ରମଣରୁ ଫେରିଆସିବା ପରେ କୁରୁତାଟିକୁ ପୂରାପୂରି ଫାଡ଼ି ପକାଉଥିଲେ । କିନ୍ତୁ ମିରଜାପୁରର ସ୍ମୃତି ଏଇଠି କେବଳ ସ୍ମୃତି ହୋଇ ରହିଗଲା ।

ଶିବନାରାୟଣଙ୍କର ଚାରି ପୁଅ–ଗଣେଶନାରାୟଣ, ଶଙ୍କରଲାଲ, ବାବୁଲାଲ ଏବଂ ହୀରାଲାଲ ।

ଆକବରପୁରକୁ ଆସି ମଧ୍ୟ ବ୍ରହ୍ମକୋପର ପ୍ରହାର ଶେଷ ହେଲାନି । କ୍ରମଶଃ ଗଣେଶନାରାୟଣ, ଶଙ୍କରଲାଲ ଏବଂ ବାବୁଲାଲ ଯୌବନ ଅବସ୍ଥାରେ ଜଣକ ପରେ ଜଣେ ସଂସାରରୁ ବିଦାୟ ନେଇ ଚାଲିଗଲେ ।

ବଞ୍ଚିରହିଲେ କେବଳ ହୀରାଲାଲ ।

ଆଉ ଏକ ସଂଯୋଗବି ଦେଖନ୍ତୁ । ଶିବନାରାୟଣଙ୍କ ବଂଶରେ କେବେ କୌଣସି କନ୍ୟାବି ଜନ୍ମ ହୋଇ ନଥିଲେ । ଭବିଷ୍ୟତରେ ହୀରାଲାଲଙ୍କର ମଧ୍ୟ ଗୋଟିଏ ସନ୍ତାନ ଜାତ ହୋଇଥିଲା । ସେ ବାଳକ, ରାମମନୋହର ।

ସମଗ୍ର ପରିବାର ଉପରେ ଯେମିତି ମୃତ୍ୟୁର କ୍ରୂର ଦୃଷ୍ଟି ପଡ଼ିଯାଇଥିଲା । ଅକାଳ ମୃତ୍ୟୁର ଏଭଳି ଉଦାହରଣ ଅନ୍ୟତ୍ର ଖୁବ୍‌ ବିରଳ କହିଲେ ମଧ୍ୟ କିଛି ଭୁଲ୍‌ ହେବନି । ଯଦି ଶିବନାରାୟଣ ଆଉ ବିଶୁନଦୟାଲଙ୍କ ପରିବାରକୁ ଏକତ୍ର କରି ହିସାବ କରାଯାଏ, ତେବେ ଆକବରପୁରକୁ ଆସିଲା ପରେ ଶିବନାରାୟଣଙ୍କ ତିନି ପୁଅ ଅକାଳ ମୃତ୍ୟୁ ବରଣ କଲେ ଏବଂ ବିଶୁନଦୟାଲଙ୍କ ପୁଅ ପୁରୁଷୋତ୍ତମଙ୍କର ଚବିଶଟି ସନ୍ତାନ ଜାତ ହୋଇଥିଲେ; କିନ୍ତୁ ବଞ୍ଚି ରହିଥିଲେ କେବଳ ଜଣେ । ବିଶୁନଦୟାଲଙ୍କ ଦ୍ୱିତୀୟ ପୁତ୍ର କାଶୀପ୍ରସାଦ ମଧ୍ୟ ଯୌବନାବସ୍ଥାରେ ଅକାଳ ମୃତ୍ୟୁ ବରଣ କରିଥିଲେ ।

 

ମୃତ୍ୟୁର ଏପରି ଭୀଷଣ ପ୍ରହାର ! ସେଥିପାଇଁ ସେ ଯେମିତି ଏଇ ପରିବାରଟିକୁହିଁ ବାଛିଥିଲା ।

 

ଶିବନାରାୟଣଙ୍କ ନିମନ୍ତେ ଏକମାତ୍ର ଆଶାର ପ୍ରଦୀପ ଥିଲେ ହୀରାଲାଲ । ହୀରାଲାଲଙ୍କ ଜୀବନରକ୍ଷା ପାଇଁ ଶିବନାରାୟଣ ସଶଙ୍କିତ, ସତର୍କ ଏବଂ ଚିନ୍ତିତ ରହୁଥିଲେ ।

 

ହସି ଖେଳି ପରିବାରର ସ୍ନେହର ପିତୁଳା ଏକମାତ୍ର ଉତ୍ତରାଧିକାରୀ ହୀରାଲାଲ ବଡ଼ ହେଲେ ।

 

ଅଯୋଧ୍ୟା ଏବଂ ଆକବରପୁର ମାଟିରେ ଖେଳି–କୁଦି ବଡ଼ ହେଲେ ହୀରାଲାଲ ।

 

କେବେ ଦଶରଥଙ୍କ ଚାରି ପୁଅ ମଧ୍ୟ ଏଇ ମାଟିରେ ଖେଳି ବଡ଼ ହୋଇଥିବେ । ଦଶରଥଙ୍କ ପୁଅମାନଙ୍କର ବିବାହ ମିଥିଳାରେ ହୋଇଥିଲା । ହୀରାଲାଲଙ୍କ ବରଯାତ୍ରୀ ମଧ୍ୟ ମିଥିଳାକୁ ଗଲେ ।

 

ମିଥିଳାର ଚନ୍‌ପଟିଆ ନାମକ ଗାଁର ଝୁନ୍‌ଝୁନ୍‌ଓ୍ୱାଲା ପରିବାରର ଝିଅ ଚନ୍ଦା ସଙ୍ଗେ ହୀରାଲାଲଙ୍କ ବିବାହ ହେଲା ।

ଚନ୍ଦାର ରଙ୍ଗ ଶ୍ୟାମଳ, ଦେଖିବାକୁ ସାମାନ୍ୟ ଗେଡ଼ୀ ।

ଦିନେ ଶ୍ୱଶୁରାଳୟରେ କୌଣସି ଏକ ଗୁରୁଜନଙ୍କ ମୁହଁରୁ ଚନ୍ଦା ଗୋଟାଏ କଥା ଶୁଣିଲା-। ଅଯୋଧ୍ୟାରୁ ବନବାସକୁ ବାହାରି ଶ୍ରୀରାମଚନ୍ଦ୍ର ପହିଲି ରାତିଟା ତମସାନଦୀକୂଳରେ ବିତାଇଥିଲେ-। ଏଇ କଥାଟି ଯଦିଓ କିମ୍ୱଦନ୍ତୀ, ତଥାପି କେଜାଣି କାହିଁକି ଚନ୍ଦାର ମନ ଭିତରେ ଏକପ୍ରକାର ବିଚିତ୍ର ଭାବନା ଦୃଷ୍ଟି ହେଲା । ସେ ମନେମନେ ଭାବିଲା–ମୁଁ ସୀତାଙ୍କ ଦେଶର ନାରୀ, ଆସିଲି ରାମଙ୍କ ରାଜ୍ୟକୁ । ଏଇଠିକା ଧୂଳି ଶ୍ରୀରାମଚନ୍ଦ୍ରଙ୍କ ପଦସ୍ପର୍ଶ ପାଇଚି । ଭାବୁ ଭାବୁ ଚନ୍ଦା ଆତ୍ମବିଭୋର ହୋଇଉଠିଲା ।

ଅକ୍ଷୟ ତୃତୀୟା.......ଚୈତ୍ର କୃଷ୍ଣ ତୃତୀୟା ।

୨୩ ମାର୍ଚ୍ଚ, ୧୯୧୦ ।

ପ୍ରାତଃକାଳ ।

ନୂତନ ସୂର୍ଯ୍ୟର ଆଗମନୀ ସହିତ ଚନ୍ଦାର କୋଳ ପୂରିଉଠିଲା । ଚନ୍ଦା ହେଲା ଜନନୀ । କୋଳରେ ଶିଶୁ । ମନେ ହେଲା, ଦିନେ କୌଶଲ୍ୟାଙ୍କ କୋଳକୁ ରାମ ଏମିତି ଆସିଥିବେ ।

ନବଜାତ ଶିଶୁର ନାଁ ଦିଆଗଲା ରାମମନୋହର ।

 

 

ଶିଶୁ ରାମମନୋହର ।

 

ଶିବନାରାୟଣ ପୌତ୍ରଦର୍ଶନ ସୁଖ ଲାଭ କଲେ; କିନ୍ତୁ ଆଜି ପର୍ଯ୍ୟନ୍ତ ପରିବାରର ଶାଖାଗୁଡ଼ିକ ଗୋଟିକ ପରେ ଗୋଟିଏ ଭାଙ୍ଗିପଡ଼ିବା ସେ ଯେମିତି ଭାବରେ ଦେଖିଥିଲେ, ତା’ରି କଳ୍ପନାରେ ହୃଦୟ ବେଳେବେଳେ କମ୍ପି ଉଠୁଥିଲା । ସେ ଈଶ୍ୱରଙ୍କୁ ସ୍ମରଣ କରି ମନେମନେ ରାମମନୋହରର ଦୀର୍ଘଜୀବନ କାମନା କରୁଥିଲେ ।

 

ଶଙ୍କାଗ୍ରସ୍ତ ମନ ଅତି ଦୁର୍ବଳ । ଶିଶୁଟିର ଚିରାୟୁପାଇଁ ସେ ପ୍ରାୟ ସମସ୍ତ ପ୍ରକାର ଜଡ଼ିବୁଟିର ଆଶ୍ରୟ ନେଉଥିଲେ । ଶିଶୁଟି ଠିକ୍‌ ମା’ ଭଳି । ମା’ର ଆକୃତି, ମା’ର ରୂପ । ମା’ ଆକୃତିର ଶିଶୁ ପ୍ରାୟ ଭାଗ୍ୟବାନ ହୁଅନ୍ତି । କେହି ଜଣେ ତୁଟୁକା ଶିଖେଇଦେଲା ତ ଶିଶୁଟିର ଜୀବନରକ୍ଷା ପାଇଁ ସେ ସବୁ କିଛି ମାନି ଯାଉଥିଲେ । ଶିଶୁଟି ଉପରୁ ସମସ୍ତ ପ୍ରକାର ଅନିଷ୍ଟର ଛାୟା ଦୂର କରିବାକୁ ମା’ ତାଙ୍କର କୋଳର ଛୁଆଟିକୁ ଗୋଟାଏ ଅଧଲାରେ ମେହେନ୍ତରାଣୀକୁ ବିକିଦେଲେ ଏବଂ ପୁଣି ଥରେ କିଣି ଆଣି ନିଜର କରିନେଲେ । ଏହି ତୁଟୁକା ଫଳପ୍ରଦ ମଧ୍ୟ ହେଲା-। ଶିଶୁଟି ଆନନ୍ଦରେ ବଢ଼ିବାକୁ ଲାଗିଲା ।

 

ଶିଶୁଟି ତୃତୀୟ ବର୍ଷରେ ପଦାର୍ପଣ କଲା । ମା’ ତାକୁ ଲଣ୍ଡା କରିବାପାଇଁ ଶିବପୁର ନେଇଗଲେ । ସେଇଠୁ ପିଲାଟିକୁ ନେଇ ସିଧା ବାପଘରକୁବି ଗଲେ । ସେଠାରୁ ଫେରିଆସି ଶିଶୁଟିର ମମତା ତୁଟେଇ ଦେଇ ସେ ହଠାତ୍‌ ସ୍ୱର୍ଗବାସିନୀ ହୋଇଗଲେ ।

 

ଅଢ଼େଇବର୍ଷର ଶିଶୁଟି ହେଲା ମାତୃହୀନ । ମାତୃହୀନ ଶିଶୁଟିର ଲାଳନପାଳନ ଦାୟିତ୍ୱ ପଡ଼ିଲା ଆଈମା’ଙ୍କ ଉପରେ ।

 

ରାମମନୋହର ମା’ଙ୍କର ମୃତ୍ୟୁ ପରେ ପିତା ହୀରାଲାଲ ଦ୍ୱିତୀୟ ବିବାହର ପ୍ରସ୍ତାବକୁ ସ୍ୱୀକାର କଲେନି । ଯଦିଓ ସେ ଥିଲେ ଯୁବକ, ତଥାପି ନିଜର ସୁଖପାଇଁ ନିଜ ସ୍ନେହୀ ପୁତ୍ରକୁ ସଉତୁଣୀ ମା’ର କୋଳରେ ଅର୍ପଣ କରିବାକୁ ସେ ଉଚିତ ମନେ କଲେନି; କିନ୍ତୁ ନିଜର ମନକୁ ସାନ୍ତ୍ୱନା ଦେବାପାଇଁ ରାଷ୍ଟ୍ର–ସେବା ବ୍ରତ ଗ୍ରହଣ କଲେ ଏବଂ କଂଗ୍ରେସ କାର୍ଯ୍ୟରେ ସମୟ ଖର୍ଚ୍ଚ କରିବାକୁ ଲାଗିଲେ ।

 

ବାଳକ ରାମମନୋହର ମାତୃହୀନ ହେବା ସାଙ୍ଗେ ସାଙ୍ଗେ ସାଇପଡ଼ିଶାର ମହିଳାମାନେ ତାଙ୍କ ଉପରେ ସମସ୍ତ ସ୍ନେହ–ଶ୍ରଦ୍ଧା ଅଜାଡ଼ି ଦେଲେ । ଆଈମା’ଙ୍କ ଅମାପ ମମତା ଯୋଗୁଁ ସେ ମା’ର ଅଭାବକୁ ଆଦୌ ଅନୁଭବ କରିପାରିଲେନି । ଶିଶୁ ରାମମନୋହର ଆଈଙ୍କୁ ମା’ ବୋଲି ଭାବୁଥିଲେ; କିନ୍ତୁ ଜ୍ଞାନୋଦୟ ହେବାପରେ ସେ ଯେତେବେଳେ ଶୁଣିଲେ ଯେ ତାଙ୍କ ପିତାବି ଆଈଙ୍କୁ ମା’ ବୋଲି ଡାକୁଚନ୍ତି, ସେତେବେଳେ ସେ ସାମାନ୍ୟ ଚିନ୍ତାରେ ପଡ଼ି ଯାଇଥିଲେ । ସେ ଭାବିଲେ, ତାଙ୍କର ଏବଂ ତାଙ୍କ ପିତାଙ୍କର ମା’ କେବେ କ’ଣ ଜଣେ ହୋଇପାରେ !

 

ଆଈଙ୍କ ଛଡ଼ା ରାମମନୋହରଙ୍କ ବାଲ୍ୟକାଳରେ ଆଉ ଜଣେ ସ୍ତ୍ରୀଲୋକ ତାଙ୍କ ଲାଳନପାଳନରେ ଖୁବ୍‌ ସହଯୋଗ କରିଥିଲା । ତା’ର ନାଁ ଥିଲା ସରଯୁ ଦେଈ–ପରିବାରର ଭଣ୍ଡାରୁଣୀ । ସେ ରାମମନୋହରଙ୍କୁ ଖୁବ୍ ସ୍ନେହ–ଶ୍ରଦ୍ଧା କରୁଥିଲା । ତା’ର ବଡ଼ପୁଅ ରାମନନ୍ଦନ ଯଦିଓ ରାମମନୋହରଙ୍କଠାରୁ ବୟସରେ ଆଠ ଦଶବର୍ଷ ବଡ଼ ଥିଲା, ତଥାପି ରାମମନୋହରଙ୍କ ଶୈଶବାବସ୍ଥାରେ ସେ ଥିଲା ତାଙ୍କର ଏକମାତ୍ର ସଖା । ସେ ଥିଲା ରାମମନୋହରଙ୍କ ଅଭିନ୍ନ ମିତ୍ର । ରାମମନୋହର ତାକୁ ନନ୍ଦା ବୋଲି ଡାକୁଥିଲେ । ନନ୍ଦା ବେଳେବେଳେ ତାଙ୍କୁ ତମସାନଦୀକୁ ଗାଧୋଇବା ପାଇଁ ନେଇ ଯାଉଥିଲା । ନଦୀକୂଳରେ ଖୁବ୍‌ ଦୁଷ୍ଟାମି ଚାଲେ । ଦୁଷ୍ଟ ରାମମନୋହରବି ନନ୍ଦାକୁ ନାକେଦମ୍ କରି ଛାଡ଼ୁଥିଲେ ।

 

ରାମମନୋହରଙ୍କୁ ପାଞ୍ଚବର୍ଷ ।

 

ବିଦ୍ୟାଳୟକୁ ଯିବା ସମୟ ହୋଇଗଲା ।

 

ଘର ପାଖକୁ ଲାଗି ଟଣ୍ଡନ ପାଠଶାଳା । ସେଠି ନାଁ ଲେଖାଗଲା । ନିଜ ଶ୍ରେଣୀର ସମସ୍ତଙ୍କଠୁ ସାନ ଛାତ୍ର ରାମମନୋହର ନିଜର ବାଳସୁଲଭ ଚପଳତା ପାଇଁ ଅତି ଚଞ୍ଚଳ ସମସ୍ତଙ୍କର ସ୍ନେହର ଅଧିକାରୀ ହୋଇଉଠିଲେ ।

 

ସ୍କୁଲ୍‍ପଢ଼ା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ବାଲ୍ୟ–ସଖାଙ୍କୁ ନେଇ ଗୋଟାଏ ଦଳ ଗଠନ କରାଗଲା । ପାଠ ଅପେକ୍ଷା ଗୁଚିଦଣ୍ଡା ଏବଂ କବାଡ଼ି ଖେଳରେହିଁ ଅଧିକ ସମୟ ଯାଉଥିଲା ।

 

ଏକେ ତ ବାଲ୍ୟାବସ୍ଥା, ପୁଣି ନିଜ ଭଳି ଅନେକ ଦୁଷ୍ଟ ପିଲା ଏକାଠି ହେଲେ ବାନରସେନା ଦଳ ଗଢ଼ିବାକୁ ସମୟ ବା କେତେ ଲାଗନ୍ତା ! ବାଳକ ରାମମନୋହର ନିଜ ଦୁଷ୍ଟାମି ନେଇ ବ୍ୟସ୍ତ ରହନ୍ତି ଏବଂ ବାଲ୍ୟସଖା ନନ୍ଦା ଭଣ୍ଡାରୀ ଛାୟା ଭଳି ସବୁବେଳେ ତାଙ୍କ ଚାରିପାଖେ ଘୂରିବୁଲେ ।

 

ପଞ୍ଚମ ଶ୍ରେଣୀରୁ ନୂଆ ସ୍କୁଲ୍–ବିଶ୍ୱେଶ୍ୱର ହାଇସ୍କୁଲରେ ପ୍ରବେଶ କଲେ । ସେଇ ସ୍କୁଲ୍‍ଟି ତମସାନଦୀର ସେପାରିରେ; ଷ୍ଟେସନ୍ ପାଖରେ ଥିଲା । ସାଙ୍ଗ ହେଇ ସ୍କୁଲ୍‍କୁ ଯିବା ଆସିବା କାମ ନନ୍ଦା ଉପରେ ଅର୍ପଣ କରାଗଲା । ଗୁଚିଦଣ୍ଡା ଏବଂ ପେଣ୍ଡୁ ଆଦି ଖେଳ ପ୍ରତିହିଁ ବାଳକ ରାମମନୋହରଙ୍କ ଅଧିକ ରୁଚି ଥିଲା । ସେଇ ସମୟରେ ରାମମନୋହର ଅଲଗୁଜା (ବଂଶୀ) ବଜେଇ ଶିଖିଲେ ।

 

ସେଇ ସମୟର ଗୋଟିଏ ଘଟଣା । ଦିନେ ରାମମନୋହରର ସ୍କୁଲ୍‍କୁ ଯାଉଥିଲାବେଳେ ରାସ୍ତାରେ ଦେଖିଲେ ଯେ ୧୯।୨୦ ବର୍ଷର ଜଣେ ଯୁବକ ଗୋଟାଏ ଛୋଟପିଲାକୁ ପିଟୁଚି । ନିହାତି ଛୋଟପିଲା ଏବଂ ଏତେ ବଡ଼ ଯୁବକ ! ଲଢ଼େଇଟା ଅମେଳ ମନେହେଲା–ମନେହେଲା ଯେ ଛୋଟପିଲାଟି ଉପରେ ଅତ୍ୟାଚାର କରାଯାଉଛି । ବେଶ୍‌, ନିଜ ବୟସ, ଦୁର୍ବଳ ଶରୀର ଆଉ ବଳ କଥା ଭୁଲିଯାଇ ରାମମନୋହର ବସ୍ତାନି ପକେଇ ଦେଇ ଦି’ହାତ ମୁଠାକରି ସେଇ ଯୁବକଟି ଉପରେ ପ୍ରହାର କରିବାକୁ ଲାଗିଲେ । ମାଡ଼ ଖାଉଥିବା ପିଲାଟି ପ୍ରତି ଦୟା ଏବଂ କରୁଣା ତଥା ମାରୁଥିବା ଯୁବକଟି ପ୍ରତି ରାଗ, କ୍ରୋଧ ତଥା ଘୃଣାରେ ରାମମନୋହରଙ୍କ ମନ ଅସ୍ଥିର ହୋଇପଡ଼ିଲା ।

 

ଯେକୌଣସି ପ୍ରକାର ଅନ୍ୟାୟର ପ୍ରତିକାର କରିବାପାଇଁ ରାମମନୋହର ଯେମିତି ପିଲାଟି ଦିନରୁ ସତର୍କ ରହି ଆସିଥିଲେ ।

 

ବୟସ ତଥା ବୁଦ୍ଧି ବଢ଼ିବା ସାଙ୍ଗେ ସାଙ୍ଗେ ରାମମନୋହରଙ୍କ ରୁଚି ପଢ଼ା ପ୍ରତି ମଧ୍ୟ ବଢ଼ିବାକୁ ଲାଗିଲା ।

 

ପ୍ରାରମ୍ଭିକ ଶ୍ରେଣୀଗୁଡ଼ିକରେ ସେ ସଦାସର୍ବଦା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ ଏବଂ କେବଳ ସେଇଥିପାଇଁହିଁ ସେ ସଦାସର୍ବଦା ଅଧ୍ୟାପକଙ୍କ ସ୍ନେହର ଭାଜନ ହୋଇ ରହୁଥିଲେ ।

 

ହୀରାଲାଲ କଂଗ୍ରେସ କାର୍ଯ୍ୟ କରିବାକୁ ଆରମ୍ଭ କରି ଦେଇଥିଲେ । ୧୯୧୮ରେ ସେ ଯେତେବେଳେ ଅହମଦାବାଦ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ଗଲେ, ବାଳକ ରାମମନୋହରଙ୍କୁବି ସାଙ୍ଗରେ ନେଇ ଯାଇଥିଲେ । ସେଇଠୁ ବମ୍ୱେ ଗଲେ ଏବଂ ସେଇଠି ଜମିଗଲେ । ହୀରାଲାଲଜୀ ବେଶ୍‌ ମଉଜିଆ ସ୍ୱଭାବର ଲୋକ ଥିଲେ । ଆକବରପୁରରୁ ତାଙ୍କ ମନ ଭାଙ୍ଗିଯାଇଥିଲା; ତେଣୁ ବମ୍ୱେରେ କାମଧନ୍ଦା ଜମେଇବାକୁ ଆରମ୍ଭ କଲେ ।

 

ରାମମନୋହରଙ୍କ ନାଁ ବମ୍ୱେସ୍ଥ ମାରଓ୍ୱାଡ଼ୀ ବିଦ୍ୟାଳୟରେ ଲେଖାଗଲା । ସେଇଠି ରାମମନୋହରଙ୍କୁ ସହରୀ ବାତାବରଣ ମିଳିଲା । ଶିକ୍ଷାର ବିକାଶ ହେବା ସାଙ୍ଗେ ସାଙ୍ଗେ ଦୁଷ୍ଟାମି ସ୍ୱଭାବର ବୃଦ୍ଧିପାଇଁ ମଧ୍ୟ ଉତ୍ସାହ ମିଳିଲା । ଭଲ ପାଠ ପଢ଼ୁଥିବା ଛାତ୍ର ଯେତେ ଦୁଷ୍ଟ ହେଲେବି ଅଧ୍ୟାପକଙ୍କର ଅଧିକ ପ୍ରିୟପାତ୍ର ହୁଅନ୍ତି । ବିଦ୍ୟାଳୟରେ ଅଧ୍ୟାପକଙ୍କର ପ୍ରିୟପାତ୍ର ହେବା ସୌଭାଗ୍ୟ ରାମମନୋହରଙ୍କୁ ପୂର୍ଣ୍ଣମାତ୍ରାରେ ମିଳିଲା ।

 

ପାଠ ଆଉ ଦୁଷ୍ଟାମି ସାଙ୍ଗକୁ ତାଙ୍କ ପାଖରେ ଆଉ ଗୋଟାଏ ବିଶେଷତ୍ୱ ଥିଲା–ଯେଉଁଥିପାଇଁ ଅଧ୍ୟାପକମାନେ ବେଶୀ ଆକୃଷ୍ଟ ହେଉଥିଲେ । ତାହା ଥିଲା–ଇଂରେଜୀ ଭାଷା ପ୍ରତି ତାଙ୍କର ପ୍ରଗାଢ଼ ରୁଚି ଏବଂ ବାଦ–ବିବାଦ ତଥା ବକ୍ତୃତା ଦେବାର ଉତ୍ତମ ଅଭ୍ୟାସ ।

 

ସେତେବେଳେ ବିଦ୍ୟାଳୟର ଦଳେ ଛାତ୍ର ଏଲିଫେଣ୍ଟା ଭ୍ରମଣରେ ଯାଇଥିଲେ । ସେଇଠି ସମୁଦ୍ରରେ ନୌକା ଓଲଟିଗଲା । ରାମମନୋହର ପାଣି ଭିତରେ ପଡ଼ିଗଲେ; କିନ୍ତୁ ବୁଡ଼ିଗଲେନି । ଜୀବନରେ ଏଭଳି ବିପଦକୁ ସ୍ୱାଗତ କରିବାର ରୁଚି ସମ୍ଭବତଃ ରାମମନୋହରଙ୍କ ଚରିତ୍ରରେ ଆରମ୍ଭରୁ ରହିଥିଲା ।

ବମ୍ୱେର ସେଇ ବିଦ୍ୟାଳୟରେ ରହି ରାମମନୋହର ସ୍ୱଭାବସୁଲଭ ଭାବରେ ବାହାର ଦୁନିଆ ସହିତ ଖୁବ୍‌ ଭଲ ସମ୍ପର୍କ ସ୍ଥାପନ କରିବାକୁ ଆରମ୍ଭ କରି ଦେଇଥିଲେ ।

୧୯୨୦ ଅଗଷ୍ଟ ମାସର ପହିଲା ତାରିଖ ।

ବର୍ଷାଦିନ ।

ଅଚାନକ ଦେଶର ଆତ୍ମାକୁ କମ୍ପମାନ କରିଦେଲା ଭଳି ଦାରୁଣ ସମାଚାର ପ୍ରଚାର ହୋଇଗଲା, ‘‘ଭାରତୀୟ ଦେଶଭକ୍ତିର ପ୍ରତୀକ, ଲୋକମାନ୍ୟ ତିଳକ ସ୍ୱର୍ଗାରୋହଣ କଲେ ।’’

ସମଗ୍ର ବମ୍ୱେ ସହର ଉପରେ ଯେମିତି ମୃତ୍ୟୁର ନୀରବତା ଛାଇଗଲା । ସେଦିନ ବାତାବରଣରେ ଯେପରି ଶୋକ–ସାଗର ମାଡ଼ି ଆସିଥିଲା, ଠିକ୍‌ ସେମିତି ମୂଷଳଧାରା ବର୍ଷା ମଧ୍ୟ ହେଉଥିଲା ।

ସହରର ସମସ୍ତ ଅଧିବାସୀ, ସ୍ତ୍ରୀ–ପୁରୁଷ, ଯୁବା–ବୃଦ୍ଧ, ଗରିବ–ଧନୀ, ସାନ–ବଡ଼ ସମସ୍ତେ ବର୍ଷା ପ୍ରତି ଭ୍ରୂକ୍ଷେପ ନ କରି ଲୋକମାନ୍ୟଙ୍କୁ ‘ଶେଷ ପ୍ରଣାମ’ ଜଣାଇବା ପାଇଁ ବାହାରି ପଡ଼ିଲେ ।

 

ରାମମନୋହର ଲୋକମାନ୍ୟଙ୍କ ମୃତ୍ୟୁକୁ ‘ମହାନ୍‌ ମୃତ୍ୟୁ’ ମନେକଲେ ଏବଂ ସାଙ୍ଗେ ସାଙ୍ଗେ ବିଦ୍ୟାଳୟର ଛାତ୍ରମାନଙ୍କୁ ହରତାଳ କରିବାକୁ ସଙ୍କେତ ଦେଲେ ଏବଂ ନିଜେ ନେତୃତ୍ୱ ମଧ୍ୟ ନେଲେ ।

 

ରାମମନୋହରଙ୍କ ପଛେ ପଛେ ବିଦ୍ୟାଳୟର ସମସ୍ତ ଛାତ୍ର ସେଇ ଆଡ଼କୁ ଧାଇଁଲେ–ଯେଉଁଠି ଲୋକମାନ୍ୟଙ୍କର ପାର୍ଥିବ ଶରୀର ପଡ଼ିରହିଥିଲା ।

 

ଲୋକମାନ୍ୟଙ୍କର ଚିରବିଦାୟ ସାଙ୍ଗେ ସାଙ୍ଗେ ରାମମନୋହରଙ୍କ ସଂଘର୍ଷମୟ ପଥର ଏହା ପ୍ରଥମ ସୋପାନ ଥିଲା ।

 

ସେହି ୧୯୨୦ ମସିହା କେବେ ଭୁଲି ହବନି ।

 

ଭାରତୀୟ ରାଜନୈତିକ–ଆକାଶରୁ ଲୋକମାନ୍ୟଙ୍କ ବିଦାୟବେଳାର ପାଖାପାଖି ସମୟରେହିଁ ଗାନ୍ଧିଜୀଙ୍କ ଆଗମନ ହେଲା । ଗାନ୍ଧିଜୀ ଆସିବା ସାଙ୍ଗେ ସାଙ୍ଗେ ଭାରତୀୟ ରାଜନୀତିର ରଙ୍ଗ ବଦଳିବାକୁ ଆରମ୍ଭ କଲା ।

 

ବିଦେଶୀ ଜିନିଷର ବହିଷ୍କାର, ସବିନୟ ଅବଜ୍ଞା, ଖଦିର ପ୍ରଚାର ଏବଂ ଚରଖାର କାର୍ଯ୍ୟକ୍ରମ ନେଇ ଗାନ୍ଧିଙ୍କ ଆଗମନରୁହିଁ ବାୟୁମଣ୍ଡଳ ପ୍ରକାଶମାନ ହୋଇଉଠିଲା ।

 

ସହର ସହର, ଗାଁ ଗାଁରେ ଉତ୍ତେଜନା ସୃଷ୍ଟି ହେଲା ।

 

ବିଦେଶୀ କପଡ଼ାର ହୋଲି ଜଳିଉଠିଲା ।

 

ଓକିଲମାନେ ଓକିଲାତି ଛାଡ଼ିଦେଲେ ।

 

ସରକାରୀ କର୍ମଚାରୀମାନେ ଦପ୍ତର ଯିବା ଛାଡ଼ିଲେ ।

 

ଛାତ୍ରମାନେ ସ୍କୁଲ୍–କଲେଜ ଯିବା ବନ୍ଦ କରିଦେଲେ ।

 

ଛୋଟ ଛୋଟ ଛୁଆଙ୍କୁ ନେଇ ‘ବାନରସେନା’ ଦଳ ସଂଗଠିତ ହେଲା ।

 

ଆଉ ଏଇ ଅବସରରେ ରାମମନୋହରର ଭଲା ଶାନ୍ତ ହୋଇ କିମିତି ବସିରହନ୍ତେ ! ଗାନ୍ଧିଜୀଙ୍କ ଆହ୍ୱାନ ଯୋଗୁଁ ଗୋଟାଏ ଛୋଟ ସିପାହୀ ରୂପରେ ଦଶବର୍ଷର ବାଳକ ରାମମନୋହର ମଧ୍ୟ ସ୍କୁଲ୍ ଯିବା ଛାଡ଼ିଦେଲେ ଏବଂ ଆନ୍ଦୋଳନରେ ଯାଇ ଯୋଗ ଦେଲେ । କେହି ଜଣେ କହିଦେଲା, ‘ବମ୍ୱେରେ ଚାଲୁଥିବା ଟ୍ରାମ୍‌ ଗାଡ଼ିଟାବି ବିଦେଶୀ ।’ ବସ୍‌, ଟ୍ରାମ୍‌ ଚାଲିବାରେ ସାହାଯ୍ୟ କରୁଥିବା ବିଜୁଳିର ତାରକୁ କାଟିଦେଲେ ।

 

ବିଦେଶୀ ଟ୍ରାମ୍‌ ଗାଡ଼ି ଚଳିବ ନାହିଁ ।

 

ଏଇ କାମରେ ପୂରା ଗୋଟାଏ ବର୍ଷ ବିଦ୍ୟାଳୟରୁ ବାହାରେ ବିତିଗଲା । ପିତା ହୀରାଲାଲଙ୍କୁ ମଧ୍ୟ କେତେ ମାସପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା । ବିଦ୍ରୋହୀ ପିତାଙ୍କ ବିଦ୍ରୋହୀ ପୁତ୍ରର ଜୀବନରେ ସୃଷ୍ଟି ହେଲା ଏକ ନୂତନ ପରମ୍ପରା ।

 

ସେଇ ସମୟରେ ଗାନ୍ଧିଜୀ ବମ୍ୱେ ଆସିଲେ । ହୀରାଲାଲ ତାଙ୍କୁ ଦେଖା କରିବାକୁ ଗଲାବେଳେ ତାଙ୍କ ଆନ୍ଦୋଳନକାରୀ ପୁଅ ରାମମନୋହରଙ୍କୁବି ସାଙ୍ଗରେ ନେଇଗଲେ । ସେଇଠି ଗାନ୍ଧିଜୀଙ୍କ ସାଙ୍ଗରେ ରାମମନୋହରଙ୍କ ପ୍ରଥମ ଦେଖାସାକ୍ଷାତ୍‌ । ଗାନ୍ଧିଜୀଙ୍କୁ ଦେଖୁଦେଖୁ ରାମମନୋହର ନିଜ ସ୍ୱଭାବର ବିପରୀତ କୌଣସି ଏକ ପ୍ରେରଣାରେ ଭାରାକ୍ରାନ୍ତ ହୋଇ ଗାନ୍ଧିଜୀଙ୍କ ଚରଣ ଛୁଇଁଲେ ଏବଂ ଗାନ୍ଧିଜୀଙ୍କ ହାତ ଆପେଆପେ ରାମମନୋହରଙ୍କ ପିଠିରେ ବୁଲିଆସିଲା ।

 

ଗାନ୍ଧିଜୀ ଏବଂ ରାମମନୋହରଙ୍କ ଏଇ ପ୍ରଥମ ସାକ୍ଷାତ୍‌ ଯଦିଓ ଅଜଣା ଥିଲା, ତଥାପି ଇତିହାସର ଏକ ନୂତନ ଅଧ୍ୟାୟର ଅଲିଖିତ କେତୋଟି ଧାଡ଼ିର ଆରମ୍ଭ ଥିଲା ନିଶ୍ଚୟ ।

 

୧୯୨୧ରେ ହଠାତ୍‌ ହୀରାଲାଲଙ୍କୁ ଆକବରପୁରକୁ ଆସିବାକୁ ପଡ଼ିଲା । ରାମମନୋହରବି ସାଙ୍ଗରେ ଆସିଲେ ।

 

ସେଇ ବର୍ଷ ରାମମନୋହରଙ୍କ ଆଈମା’ଙ୍କ ଦେହାନ୍ତ ହୋଇଗଲା ।

 

ସେଇଥିପାଇଁ ପିତା–ପୁତ୍ରଙ୍କୁ କିଛିଦିନ ପାଇଁ ଆକବରପୁରରେ ରହିବାକୁ ପଡ଼ିଲା । ଏଇ ସମୟରେ ଦେଶ କାମକୁ ହାତଛଡ଼ା ନ କରିବାପାଇଁ ସେ ଆକବରପୁରରେ ହାତ ଚରଖା ପ୍ରଚଳନ କାର୍ଯ୍ୟ ଆରମ୍ଭ କରିଦେଲେ ।

 

ସେଇ ବର୍ଷ ଫୈଜାବାଦ୍‌ କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଜବାହରଲାଲ ଆକବରପୁରକୁ ଆସିଥିଲେ । ସେତେବେଳେ ସେ ଥିଲେ ଯୁବକ ଏବଂ ଭାରତୀୟ ରାଜନୀତି କ୍ଷେତ୍ରରେ ଖୁବ୍‌ ଚମକ ଖେଳାଇ ସେ ପ୍ରବେଶ କରିଥିଲେ । ସେ ସେଇଠି ଲୋହିଆ ପରିବାରରେହିଁ ରହିଲେ । ଥରେ ଗାଧୋଇସାରି ଜବାହରଲାଲ ରାମମନୋହରଙ୍କ ହାତରେ ପାନିଆ–ଦର୍ପଣ ମଗାଇଲେ । ଜବାହରଲାଲଙ୍କ ଯିବା ପରେ ରାମମନୋହରଙ୍କ ମନରେ ଗୋଟାଏ କୁତୂହଳପୂର୍ଣ୍ଣ ପ୍ରଶ୍ନ ବରାବର ଉଙ୍କିମାରି ଉଠୁଥିଲା । ପ୍ରଶ୍ନଟି ହେଉଛି–ଯାହା ମୁଣ୍ଡରେ ବାଳ ନାହିଁ, ସେ ପାନିଆରେ ମୁଣ୍ଡ କୁଣ୍ଡାଏ କାହିଁକି ?

 

ଆସନ୍ତା ବର୍ଷ ଆନ୍ଦୋଳନ ଥମିଗଲା । ହୀରାଲାଲ ପୁଅ ସାଙ୍ଗରେ ପୁଣି ବମ୍ୱେ ଫେରିଆସିଲେ ।

 

ରାମମନୋହରଙ୍କ ପାଠପଢ଼ାରେ ଛିଣ୍ଡା ତାରକୁ ପୁଣି ଯୋଡ଼ି ଦିଆଗଲା ।

 

୧୯୨୪ରେ ରାମମନୋହର ପ୍ରତିନିଧିରୂପେ ଗୟାରେ ଅନୁଷ୍ଠିତ ହେବାକୁ ଯାଉଥିବା କଂଗ୍ରେସ ଅଧିବେଶନରେ ଯୋଗଦେଲେ । ଚଉଦବର୍ଷ ଭଳି ନିତାନ୍ତ କମ୍‌ ବୟସରେ ରାମମନୋହର ପ୍ରତିନିଧି ଭାବରେ କଂଗ୍ରେସ ଅଧିବେଶନକୁ ଯିବା ଗୋଟାଏ ଅସମ୍ଭବ ଘଟଣା ।

 

୧୯୨୫ ସାଲରେ ରାମମନୋହର ମାଟ୍ରିକ୍‌ ପରୀକ୍ଷା ଦେଲେ । ଫଳ ପ୍ରକାଶ ପାଇଲା-। ରାମମନୋହର ଶ୍ରେଣୀରେ ସର୍ବପ୍ରଥମ । ଶତକଡ଼ା ୬୧ ନମ୍ୱର ।

 

କିନ୍ତୁ ସେ ବର୍ଷ ବମ୍ୱେ ଛାଡ଼ିବାକୁ ପଡ଼ିଲା ।

 

ଇଣ୍ଟର୍‌ମିଡ଼ିଏଟ୍‌ ପଢ଼ା ତାଙ୍କର ବନାରସରେ ହେଲା । କାଶୀ ବିଶ୍ୱବିଦ୍ୟାଳୟ–ମଦନମୋହନ ମାଲବ୍ୟଙ୍କ କାଶୀ ବିଶ୍ୱବିଦ୍ୟାଳୟ–ରାଷ୍ଟ୍ରୀୟ ଶିକ୍ଷାର ପ୍ରତୀକ କାଶୀ ବିଶ୍ୱବିଦ୍ୟାଳୟ-

 

ବନାରସର ବିଦ୍ୟାର୍ଥୀ ଜୀବନ ରାମମନୋହରଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ଅଂଶ । ସେତେବେଳର କାଶୀ ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ପ୍ରଦାନ କରିବାପାଇଁ ନୁହେଁ, ବରଂ ଭାରତୀୟ ଜୀବନକୁ ମର୍ଯ୍ୟାଦା ଦେବା, ସ୍ନାତକଙ୍କୁ ଗଢ଼ିବାର ଗୋଟାଏ କାରଖାନା ଥିଲା ।

 

ଲୋହିଆଙ୍କ ଛାତ୍ରଜୀବନର ଏହା ଥିଲା ତୃତୀୟ ଅଧ୍ୟାୟ ।

 

ଆକବରପୁର, ବମ୍ୱେ ଏବଂ ବନାରସ, ପୁଣି ଗଙ୍ଗାକୂଳ ।

 

ଦି’ବର୍ଷର ଇଣ୍ଟର୍‌ମିଡ଼ିଏଟ୍ ପାଠ ବନାରସରେହିଁ ଶେଷ ହେଲା ।

 

ଏପର୍ଯ୍ୟନ୍ତ ରାମମନୋହରଙ୍କ ବ୍ୟକ୍ତିତ୍ୱର ବିକାଶ ବିକଶିତ ହୋଇ ଉଠିଥିଲା । ନିଜର କୁଶାଗ୍ର ବୁଦ୍ଧି, ବିଦ୍‌ବତ୍ତାପୂର୍ଣ୍ଣ ତଥା ତର୍କପୂର୍ଣ୍ଣ ଭାଷଣଶୈଳୀ, ପ୍ରଫୁଲ୍ଲ–ବଦନ ଏବଂ ଚମକପୂର୍ଣ୍ଣ ବ୍ୟକ୍ତିତ୍ୱ ଯୋଗୁଁ ସେ ସମସ୍ତଙ୍କର ବିଶେଷକରି ଅଧ୍ୟାପକଙ୍କର ଅତି ପ୍ରିୟପାତ୍ର ହୋଇଉଠିଲେ ।

 

ରାମମନୋହରଙ୍କ ସ୍ୱାଭବରୁହିଁ ଅସାଧାରଣ ସ୍ମରଣ ଶକ୍ତିର ପରିଚୟ ମିଳିଥିଲା । ପଢ଼ାପଢ଼ିରେ ମଧ୍ୟ ତାଙ୍କର ନିଜସ୍ୱ ସୁନ୍ଦର ଶୈଳୀ ଥିଲା । ଶ୍ରେଣୀରେ ଅଧ୍ୟାପକଙ୍କଠାରୁ ଯେତିକି ଶୁଣିବାକୁ ମିଳୁଥିଲା, ତାଙ୍କପାଇଁ ତାହାହିଁ ଥିଲା ଯଥେଷ୍ଟ । କଲେଜ ପରୀକ୍ଷାରେ ପାସ୍ କରିବା ଏବଂ ପାଣ୍ଡିତ୍ୟ ହାସଲ କରିବା କିମ୍ୱା ଜ୍ଞାନାର୍ଜନକୁ ସେ ଭିନ୍ନ ଦୃଷ୍ଟିରେ ଗ୍ରହଣ କରୁଥିଲେ ।

 

ଇତିହାସ ଥିଲା ତାଙ୍କର ପ୍ରିୟ ବିଷୟ । ଇତିହାସ ସମ୍ୱନ୍ଧୀୟ ଅନେକ ବହି–ପାଠ୍ୟକ୍ରମ ଭିତରୁ କମ୍‌ ଏବଂ ବାହାରୁ ବେଶୀ–ସେ ପଢ଼ିବାକୁ ପଛଉ ନଥିଲେ; କିନ୍ତୁ ଅଧିକ ଇତିହାସ ପଢ଼ିବା ଫଳରେ ତାଙ୍କ ମନ ଭିତରେ ଲେଖା ହୋଇଥିବା ଇତିହାସ ପ୍ରତି ତାଙ୍କର ଆସ୍ଥା ବିଲ୍‌କୁଲ୍ କମିଗଲା-। ତାଙ୍କର ସମାଲୋଚକ ବୁଦ୍ଧିକୁ ଏତିକି ପରୀକ୍ଷା କରିବାକୁ ସମୟ ଲାଗିଲାନି ଯେ ଅଧିକାଂଶ ଇତିହାସ ବହି ସ୍ୱାର୍ଥ ତଥା ଭୁଲ ତଥ୍ୟ ଉପରେହିଁ ଆଧାରିତ । ଇତିହାସର ଏଭଳି ବିକୃତି ତାଙ୍କ ମନ ଭିତରେ ସେଇ ସମୟରୁ ଗ୍ଳାନି ତଥା ବିରକ୍ତିଭାବ ସୃଷ୍ଟି କରିଥିଲା ।

 

ଇଣ୍ଟର୍‌ମିଡ଼ିଏଟ୍‍ର ଇତିହାସ ପାଠ୍ୟକ୍ରମରେ ଖଣ୍ଡିଏ ବହି ଥିଲା–‘ରାଇଜ୍‌ ଅଫ୍‌ ଖ୍ରୀଷ୍ଟିଆନ୍‌ ପାଓ୍ୱାର’ । ସେଇ ବହିରେ କଲିକତାର ଗୋଟାଏ ‘କାଳକୋଠରୀ’ର ବର୍ଣ୍ଣନା ଥିଲା, ଯେଉଁଠି ଭାରତୀୟଙ୍କ ଉପରେ ଏକ କଳଙ୍କ ଆରୋପ କରାଯାଇଥିଲା ଯେ ଶହେ ଚାଳିଶ ଜଣ ଇଂରେଜଙ୍କୁ ଗୋଟାଏ କୋଠରୀ ଭିତରେ ବନ୍ଦ କରି ହତ୍ୟା କରାଯାଇଥିଲା ।

 

ସେଇ ବର୍ଣ୍ଣନା ପଢ଼ି ତାଙ୍କର ମନେହେଲା, ଏଇ କାହାଣୀଟି ମିଥ୍ୟା ଏବଂ ସମ୍ପୂର୍ଣ୍ଣ ମନଗଢ଼ା । କେବଳ ଭାରତୀୟ ଜନତାଙ୍କୁ ନିନ୍ଦିତ କରିବାପାଇଁହିଁ ଏହା ଲେଖାଯାଇଚି । ଲୋହିଆଙ୍କ ଭିତରେ ଲୁଚି ରହିଥିବା ‘ନିର୍ଭୀକ ବିଚାର ପ୍ରବୃତ୍ତି’ ଏତକ ପଢ଼ୁ ପଢ଼ୁ ବିଦ୍ରୋହ କରିଉଠିଲା । ସେ ଏଇ ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଲେ । ଏ ବିଷୟକୁ ନେଇ ବହୁତ ଯୁକ୍ତିତର୍କ ହେଲା । ଲୋହିଆ ପ୍ରମାଣ କରିଦେଲେ ଯେ ଯେଉଁ ଶହେ ଚାଳିଶ ଜଣ ଇଂରେଜଙ୍କୁ ହତ୍ୟା କରାଗଲା ବୋଲି ଲେଖାଯାଇଚି, ସେମାନେ କେବେ ଇଂଲଣ୍ଡରୁ ଭାରତକୁ ଆସି ନଥିଲେ କିମ୍ୱା ଇଂଲଣ୍ଡରୁ ଭାରତକୁ ଆସୁଥିବା ଇଂରେଜଙ୍କ ତାଲିକାରେ ସେମାନଙ୍କର ନାଁ ମଧ୍ୟ ନାହିଁ । ତା’ପରେ ଯେଉଁ ‘କାଳ–କୋଠରୀ’ କଥା ଲେଖା ହୋଇଛି, ତା’ରି ଭିତରେ ଶହେ ଚାଳିଶ ଜଣ ଲୋକ ରହିବି ପାରିବେନି ।

 

ଯୁବକ ଲୋହିଆ ଇତିହାସ ଲିଖିତ ଏପରି ଅନେକ ଘଟଣାକୁ ମିଥ୍ୟା ପ୍ରମାଣିତ କରିଦେଲେ । ସେହି ବହିରେ ଶିବାଜୀଙ୍କୁ ‘ଡକାୟତ ସର୍ଦାର’ ବୋଲି ଆଖ୍ୟା ଦିଆଯାଇଥିଲା । ଲୋହିଆ ତାକୁବି ମିଥ୍ୟା ପ୍ରମାଣିତ କରିଦେଲେ ଏବଂ ସ୍ପଷ୍ଟଭାବେ ପ୍ରମାଣିତ କରିଦେଲେ ଯେ ଇଂରେଜମାନେ ଯୋଉ ଇତିହାସ ଲେଖିଛନ୍ତି ବା ଲେଖେଇଛନ୍ତି, ସେସବୁ ପ୍ରତିଶୋଧ ତଥା ଭାରତୀୟ ଜନତାଙ୍କୁ ହୀନ ପ୍ରମାଣିତ କରିବା ଦୃଷ୍ଟିରେ ଲେଖାଯାଇଚି । ଲୋହିଆ ସ୍ୱରୋତ୍ତୋଳନ କଲେ–‘‘ଏଭଳି ସମସ୍ତ ଇତିହାସର ପଢ଼ା ବନ୍ଦ ହେବା ଉଚିତ ଏବଂ ଶୁଦ୍ଧ ତଥା ବାସ୍ତବ ଇତିହାସ ପୁଣି ଲେଖାଯିବା ଉଚିତ ।’’

 

କିନ୍ତୁ ଷୋଳବର୍ଷର ଗୋଟାଏ ଯୁବକର ସ୍ୱର ବା କିଏ ଶୁଣନ୍ତା ? ଶିକ୍ଷାର ବାତାବରଣ ଏମିତି ଥିଲା ଯେ କେତେ ଜଣ ଅଧ୍ୟାପକ ତାଙ୍କ କଥାରେ ପ୍ରଭାବିତ ହୋଇ ମଧ୍ୟ ତାଙ୍କ କଥାକୁ ମହତ୍ତ୍ୱ ଦେଇପାରି ନଥିଲେ ।

 

ଲୋହିଆ ସେତେବେଳେ ଖଦଡ଼ ପିନ୍ଧିବାକୁ ଆରମ୍ଭ କଲେଣି । ତାଙ୍କ ଶରୀର ବହୁତ ଦୁର୍ବଳ ଥିଲା ।

 

ସୁନାରଙ୍ଗର ଫ୍ରେମ୍‌ବନ୍ଧା ଚଷମା ପିନ୍ଧିବାକୁ ଆରମ୍ଭ କଲେଣି । ‘ରାଷ୍ଟ୍ର–ପ୍ରେମ’ର ଦୃଷ୍ଟିକୋଣ ତାଙ୍କର ବେଳକୁବେଳ ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଆସୁଥିଲା । ଖଦଡ଼ ପିନ୍ଧିବା ଏବଂ ଅନ୍ୟକୁ ଖଦଡ଼ ପିନ୍ଧିବାକୁ ପ୍ରେରଣା ଦେବା ସେତେବେଳେ ତାଙ୍କର ବିଶେଷ କାର୍ଯ୍ୟକ୍ରମ ଥିଲା । ଥରେ ବିଦ୍ୟାର୍ଥୀମାନଙ୍କର ଗୋଟାଏ ସଭାରେ ଲୋହିଆ ବଡ଼ ତର୍କପୂର୍ଣ୍ଣ ଭାଷଣ ଦେଲେ ଏବଂ ପ୍ରମାଣ କରିଦେଲେ ଯେ ଖଦଡ଼ ପିନ୍ଧିବା ଭାରତପାଇଁ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଆବଶ୍ୟକ । ଏଇ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ଜଣେ ଅଧ୍ୟାପକ ଖଦଡ଼ ବ୍ରତ ଗ୍ରହଣ କରି ନେଇଥିଲେ ।

 

Unknown

ବନାରସର ପ୍ରବାସ କାଳ ଭିତରେ–ତାଙ୍କର ସହପାଠୀମାନଙ୍କ ଭିତରୁ ଯେଉଁମାନେ ତାଙ୍କର ଅତି ଘନିଷ୍ଠ ମିତ୍ର ଥିଲେ–ସେମାନଙ୍କ ଭିତରୁ ପ୍ରଫେସର୍ ଲାଲଜୀରାମ ନାମ ବିଶେଷ ଉଲ୍ଲେଖନୀୟ, ଯାହାଙ୍କ ବନ୍ଧୁତା ସର୍ବଦା ଅତୁଟ ରହିଥିଲା ।

 

ଥରେ ଇଣ୍ଟର୍‍ମିଡ଼ିଏଟ୍ ପରୀକ୍ଷାର କିଛିଦିନ ଆଗରୁ ଅଚାନକ ଲୋହିଆ ଆସି ଶୁକ୍ଳଜୀଙ୍କୁ କହିଲେ–‘‘ଚାଲ, ଆଜି ସାରନାଥ ଭ୍ରମଣରେ ଯିବା ।’’ ଶୁକ୍ଳଜୀଙ୍କୁ ଏଇ ପ୍ରସ୍ତାବଟା ନିତାନ୍ତ ଅସମୟ ମନେହେଲା । ସେ କହିଲେ–‘‘ଦେଖ, ସମସ୍ତେ ପଢ଼ିବାରେ ବ୍ୟସ୍ତ । ପରୀକ୍ଷା ମୁଣ୍ଡ ଉପରେ, ଅଥଚ ତମ ମନରେ ସାରନାଥ ଭ୍ରମଣର ଝୁଙ୍କ୍‌ ଉଠୁଚି ?’’

 

ଲୋହିଆ କହିଲେ–‘‘ଭାଇ, ଏମାନେ ଯୋଉମାନେ ପଢ଼ୁଛନ୍ତି ସେମାନେ ଆଇ.ସି.ଏସ୍‌, ହେବେ, ସରକାରୀ ଅଫିସର ହେବେ; କିନ୍ତୁ ତୁମକୁ ଆଉ ମତେ ଦୁନିଆର ଖୁବ୍‌ ବଡ଼ଲୋକ ହେବାକୁ ପଡ଼ିବ ।’’

 

ଏହା ଲୋହିଆଙ୍କର ଆତ୍ମବିଶ୍ୱାସ ଏବଂ ପଢ଼ା ପ୍ରତି ନିଜସ୍ୱ ଦୃଷ୍ଟିକୋଣ ଥିଲା ।

 

ଲୋହିଆଙ୍କର ପାଠ ପଢ଼ିବାରେ ମଧ୍ୟ ଏକ ସୁନ୍ଦର ଢଙ୍ଗ ଥିଲା । ସେ ନିଜର କୌଣସି ଏକ ବନ୍ଧୁଙ୍କୁ ପାଠ୍ୟପୁସ୍ତକକୁ ଜୋରରେ ପଢ଼ିବାକୁ କହି ନିଜେ ଶୋଇ ରହି ଶୁଅନ୍ତି । ବେଶ୍‌; ୟାଠୁଁ ଅଧିକ ପରିଶ୍ରମ ସେ କେବେ କରନ୍ତିନି । ପରୀକ୍ଷାରେ ପାସ୍ କରିବାପାଇଁ ୟାଠୁଁ ଅଧିକ କିଛି କରିବାକୁ ସେ ଅନାବଶ୍ୟକ ମନେ କରୁଥିଲେ ।

 

ଲୋହିଆ ନିଜ ଶ୍ରେଣୀର ସଦାସର୍ବଦା ପ୍ରତ୍ୟୁତ୍ପନ୍ନମତି ଛାତ୍ରମାନଙ୍କ ଭିତରୁ ଜଣେ ଥିଲେ-। ଶ୍ରେଣୀ ଭିତରେ ସମସ୍ତେ ତାଙ୍କୁ କୁଶାଗ୍ର ବୁଦ୍ଧିସମ୍ପନ୍ନ ଛାତ୍ର ବୋଲି ମାନୁଥିଲେ; କିନ୍ତୁ ପରୀକ୍ଷାରେ ତାଙ୍କୁ ଭଲ ନମ୍ୱର ମିଳୁ ନଥିଲା । ପରୀକ୍ଷାବେଳେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା ସମୟରେ ନିଜର ମୌଳିକ ବିଚାରକୁ ବ୍ୟକ୍ତ କରିବାପାଇଁ ସେ କେବେ ଭୁଲୁ ନଥିଲେ ଏବଂ ତାଙ୍କର ବିଚାରଧାରା ପରୀକ୍ଷାଖାତା ଦେଖୁଥିବା ଅଧ୍ୟାପକଙ୍କର ବୋଧେ ଧାର ଧାରୁ ନଥିଲା ।

 

ସନ ୧୯୨୬ରେ ନିଜ ପିତାଙ୍କ ସାଙ୍ଗରେ ଲୋହିଆ ଗୌହାଟୀ କଂଗ୍ରେସ ଅଧିବେଶନକୁ ଦେଖିବା ଏବଂ ବୁଲିବାପାଇଁ ଯାଇଥିଲେ । ସେଠାକୁ ପଞ୍ଜାବରୁ ଖୁବ୍‌ କମ୍‌ ପ୍ରତିନିଧି ଆସିଥିଲେ । ତେଣୁ ପଞ୍ଜାବୀମାନେ ନିଜର ପ୍ରତିନିଧିସଂଖ୍ୟା ବଢ଼ାଇବା ପାଇଁ ଲୋହିଆଙ୍କୁ ତାଙ୍କର ପ୍ରତିନିଧି କରିଦେଲେ । ସେତେବେଳକୁ ଲୋହିଆଙ୍କ ବୟସ ଷୋଳବର୍ଷ । ଏ ବୟସ ପ୍ରତିନିଧି ହେବାପାଇଁ ଅନୁପଯୁକ୍ତ ଥିଲା, କିନ୍ତୁ ଲୋହିଆଙ୍କ କିଶୋର ବ୍ୟକ୍ତିତ୍ୱର ଚମକ ଦେଖି ଲୋକେ ପ୍ରଭାବିତ ହେଲେ । ଏଇ ଅଧିବେଶନରେ ଗୋଟାଏ ପ୍ରସ୍ତାବ ଉପରେ ପ୍ରତିନିଧି ହିସାବରେ ସେ ଭାଷଣ ଦେବାକୁ ଚାହିଁଲେ; କିନ୍ତୁ ତାଙ୍କ ବୟସ ଦେଖି ତାଙ୍କୁ ଅନୁମତି ଦିଆଗଲା ନାହିଁ ।

 

ସନ ୧୯୨୬ରେ ଲୋହିଆ ବନାରସରୁ ଇଣ୍ଟର୍‌ମିଡ଼ିଏଟ୍ ପାସ୍ କଲେ ଏବଂ ଆହୁରି ପଢ଼ିବାପାଇଁ କଲିକତା ଚାଲିଗଲେ । ସେତେବେଳକୁ ବ୍ୟବସାୟ ସଂକ୍ରାନ୍ତରେ ହୀରାଲାଲ ଆସି କଲିକତାରେ ରହୁଥିଲେ ।

 

କଲିକତାରେ ଲୋହିଆ ତାରାଚନ୍ଦ ଦତ୍ତ ଷ୍ଟ୍ରିଟ୍‌ରେ ଥିବା ‘ପୋଦ୍ଦାର ଛାତ୍ରନିବାସ’ ନାମକ ହଷ୍ଟେଲ୍‍ରେ ଆଡ଼୍‌ଡ଼ା ଜମେଇଦେଲେ ।

 

କଲିକତାରେ ବିତିଥିବା ଲୋହିଆଙ୍କ ଛାତ୍ରଜୀବନହିଁ ତାଙ୍କପାଇଁ ରାଜନୀତିରେ ପ୍ରବେଶର ମାଧ୍ୟମ ହେଲା ।

 

କଲିକତାକୁ ଆସୁ ଆସୁ କଲେଜ ନିର୍ବାଚନରେ ସମସ୍ୟା ଆସି ଦେଖାଦେଲା । ଲୋହିଆଙ୍କର ବି.ଏ.ରେ କେଉଁ କଲେଜରେ ନାଁ ଲେଖା ହେବ, ତାହା ନିର୍ଣ୍ଣୟ କରିବାର ଥିଲା । ସେଇ ସମୟର ପୋଦ୍ଦାର ଛାତ୍ରନିବାସରେ ରହୁଥିବା ଅଧିକାଂଶ ଯୁବକ ସ୍କଟିସ୍‌ ଚର୍ଚ୍ଚ କଲେଜ ନଚେତ୍‌ ସେଣ୍ଟଜେଭିୟର୍ସ କଲେଜର ଛାତ୍ର ଥିଲେ । କଲିକତାର ସମ୍ମାନିତ କିମ୍ୱା ପ୍ରତିଷ୍ଠିତ ଇଂରେଜୀ ଏବଂ ସରକାରୀ କଲେଜ ମଧ୍ୟରେ ଏଇ ଦୁଇଟି କଲେଜହିଁ ଶ୍ରେଷ୍ଠ ବୋଲି ଧରାଯାଉଥିଲା । ତାଙ୍କର ବନ୍ଧୁ ଏବଂ ଶୁଭଚିନ୍ତକମାନେ ଏହି ଦୁଇଟି କଲେଜରୁ ଗୋଟିକୁ ବାଛିବାପାଇଁ ପରାମର୍ଶ ଦେଲେ; କିନ୍ତୁ ଲୋହିଆ ଏଇ ଦୁଇଟିଯାକ କଲେଜରେ ପଢ଼ିବାକୁ ଅସ୍ୱୀକାର କରିଦେଲେ । ସେ ବିଦ୍ୟାସାଗର କଲେଜକୁ ବାଛିଲେ । ସେ କୌଣସି ସରକାରୀ କଲେଜରେ ପଢ଼ିବାକୁ ଚାହୁଁ ନଥିଲେ । ବିଦ୍ୟାସାଗର କଲେଜରେ ଥିବା ଅଧିକାଂଶ ଅଧ୍ୟାପକଙ୍କ ମନ ଭିତରେ ରାଷ୍ଟ୍ରୀୟ ବିଚାରଧାରା ଥିଲା । ଏଇ କାରଣ ଯୋଗୁଁ ଇଂରେଜ ପ୍ରଭାବିତ ଛାତ୍ରମାନଙ୍କ ଭିତରେ ବିଦ୍ୟାସାଗର କଲେଜ ‘ମେଣ୍ଢାଙ୍କ ଆଶ୍ରୟସ୍ଥଳ’ କିମ୍ୱା ‘ମେଣ୍ଢାଙ୍କ ଗୁହାଳ’ ନାମରେ ପ୍ରସିଦ୍ଧ ଥିଲା । ଏଠିକା ପଢ଼ାସ୍ତର ଉଚ୍ଚକୋଟୀର ବୋଲି କେହି ସ୍ୱୀକାର କରୁ ନଥିଲେ କିମ୍ୱା ପରୀକ୍ଷା ଫଳ ମଧ୍ୟ ଖୁବ୍‌ ଭଲ ହେଉ ନଥିଲା; କିନ୍ତୁ ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ଲୋହିଆ ଏଇ କଲେଜଟିକୁ ବାଛିଲେ ଏବଂ ସେଇ ‘ମେଣ୍ଢା ଗୁହାଳ’ରୂପେ ପରିଚିତ ବିଦ୍ୟାସାଗର କଲେଜକୁ ଯାଇ ମେଣ୍ଢା ହୋଇ ରହିବାକୁ ପସନ୍ଦ କଲେ ।

 

ସେତେବେଳେ ଲୋହିଆ ଦେଖିବାକୁ ଖୁବ୍‌ ଦୁର୍ବଳ ଶରୀରର ଯୁବକ ଥିଲେ । ଚଷମା ତ ଲଗାଉଥିଲେ, ଚେହେରାରେ ଅସାଧାରଣ ତେଜ ମଧ୍ୟ ଥିଲା । ଖଦଡ଼ ପିନ୍ଧୁଥିଲେ । ଖୁବ୍‌ ଇଂରେଜୀ ପଢ଼ନ୍ତି ଏବଂ କହନ୍ତି ମଧ୍ୟ । ଯୁକ୍ତିତର୍କରେ ଯେକୌଣସି ଲୋକଠୁଁ ଦୁଇ କଦମ ଆଗରେ । ତର୍କଶୈଳୀ ଏବଂ ପ୍ରଖର ବୁଦ୍ଧି ଯୋଗୁଁ ସମସ୍ତେ ତାଙ୍କୁ ଯେତିକି ଭୟ କରୁଥିଲେ, ସେତିକି ପ୍ରଭାବିତ ହେଉଥିଲେ ମଧ୍ୟ ।

 

ବର୍ତ୍ତମାନ ଲୋହିଆ କିଶୋରବସ୍ଥା ଅତିକ୍ରମ କରି ଯୁବାବସ୍ଥାର ପୃଷ୍ଠଭୂମି ଉପରେ ଛିଡ଼ା ହୋଇସାରିଥିଲେ ।

 

ଷୋଳବର୍ଷର ଏକ ନବଯୁବକ । ଶରୀରରେ ଏବେବି ଆକର୍ଷଣ ଥିଲା । ମସ୍ତିଷ୍କରେ ପ୍ରୌଢ଼ ବିଚାରଧାରାର ଶକ୍ତି ଏବଂ ଉଗ୍ରତା ମଧ୍ୟ ଥିଲା । ସେଥିପାଇଁ ନିଜ ଅପେକ୍ଷା ଅଧିକ ସୁସ୍ଥ ଏବଂ ଉଚ୍ଚତାରେ ବଡ଼ ବନ୍ଧୁମାନଙ୍କ ଭିତରେ ମଧ୍ୟ ସେ ବରାବର ଶୋଭା ପାଉଥିଲେ ।

 

ଲୋହିଆଙ୍କୁ କଲିକତାରେ ଅଙ୍କୁଶହୀନ ସ୍ୱତନ୍ତ୍ର ଜୀବନ ବିତେଇବାକୁ ଏବଂ ଜୀବନ ପ୍ରତି ନିର୍ଭୀକ ଦୃଷ୍ଟିକୋଣ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଅବସର ମିଳିଲା । ପିତା ହୀରାଲାଲ ମଧ୍ୟ ଏ ସମ୍ୱନ୍ଧରେ ଜଣେ ଆଦର୍ଶ ପିତା ଥିଲେ । ପୁତ୍ରର ସ୍ୱତନ୍ତ୍ର ବିକାଶ ପଥରେ ସେ କେବେ ବାଧା ଦେଲେ ନାହିଁ କିମ୍ୱା ପିତୃତ୍ୱର ଅଧିକାର ସାବ୍ୟସ୍ତ କରିବାପାଇଁ ଚେଷ୍ଟା ମଧ୍ୟ କଲେନି । ସେ ରାଷ୍ଟ୍ରୀୟ ତଥା କଂଗ୍ରେସ ସମ୍ୱନ୍ଧୀୟ କାର୍ଯ୍ୟରେ ବେଶୀ ସମୟ ଖର୍ଚ୍ଚ କରୁଥିଲେ ଏବଂ ଧନ ଉପାର୍ଜନ ପାଇଁ କେବଳ ସେତିକିହିଁ କାମ କରୁଥିଲେ–ଯେତିକିରେ ତାଙ୍କର ସୀମିତ ଖର୍ଚ୍ଚ ଏବଂ ରାମମନୋହରଙ୍କ ପଢ଼ାଖର୍ଚ୍ଚ ଉଠିଯିବ । ଧନ ସଂଗ୍ରହ କରିବାର ଜାତୀୟ ପ୍ରବୃତ୍ତି ତାଙ୍କ ପାଖରେ ଟିକିଏବି ନଥିଲା । ବେଶ୍‌, ସେ ପ୍ରତି ମାସରେ ପୁଅ ନିକଟକୁ ପଚାଶ ଟଙ୍କା ପଠାଇଦେଇ ନିଜକୁ ବ୍ୟସ୍ତତାରୁ ମୁକ୍ତ ରଖୁଥିଲେ । ବାପ–ପୁଅଙ୍କ ଭିତରେ ପ୍ରାୟତଃ ମାସ ମାସ ଧରି ଭେଟ ହେଉ ନଥିଲା ।

 

ପଢ଼ିବାପାଇଁ ବାପାଙ୍କ ନିକଟରୁ ପ୍ରତି ମାସରେ ମିଳୁଥିବା ପଚାଶଟି ଟଙ୍କାରେ ବଡ଼ କଷ୍ଟରେ ହପ୍ତାଏ ଖଣ୍ଡେ ଚଳୁଥିଲା । ଟଙ୍କା ଆସିବାକ୍ଷଣି ସେ ବନ୍ଧୁଙ୍କ ସାଙ୍ଗରେ ବସି ଖୁବ୍‌ ଖାଉଥିଲେ କିମ୍ୱା ସିନେମା ଦେଖୁଥିଲେ ନଚେତ୍‌ ଅନେକଗୁଡ଼ିଏ ବହି କିଣି ଆଣୁଥିଲେ । ସେତେବେଳେ ମେରେଡ଼ିଥଙ୍କ ଉପନ୍ୟାସ ତାଙ୍କର ଅତି ପ୍ରିୟ ଥିଲା । ସେଇ ଉପନ୍ୟାସଗୁଡ଼ିକୁ ସେ ଖୋଜି ଖୋଜି କିଣନ୍ତି ଏବଂ ପଢ଼ନ୍ତି ।

 

ଲୋହିଆ ସ୍ୱଭାବତଃ ଉଦାର ଥିଲେ । ପକେଟ୍‌ ସାମାନ୍ୟ ଗରମ ଥିଲାବେଳେ ବନ୍ଧୁଗହଣରେ ଖର୍ଚ୍ଚ କରିବାପାଇଁ ତାଙ୍କ ଭଳି ଖୋଲା ହୃଦୟ ବୋଧେ ଆଉ କାହାରି ନଥିଲା ।

 

ଲୋହିଆ ସେଇ ବୟସରୁ ଯୁଗ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଯେମିତି ଠିକା ନେଇ ଯାଇଥିଲେ । ସେତେବେଳେ ଖଦଡ଼ ପିନ୍ଧିବା ବିଦ୍ରୋହୀର ଚିହ୍ନ ବୋଲି ଧରି ନିଆଯାଉଥିଲା । ତେଣୁ ଖୁବ୍‌ କମ୍‌ ଲୋକ ଖଦଡ଼ ପିନ୍ଧୁଥିଲେ; କିନ୍ତୁ ଯୁବକ ଲୋହିଆଙ୍କ ଖଦଡ଼ ପିନ୍ଧା କେବଳ ରାଷ୍ଟ୍ରୀୟ ଭାବନା ଭିତରେହିଁ ସୀମିତ ନଥିଲା; ବରଂ ତାଙ୍କର ଖଦଡ଼ପିନ୍ଧା କିଛି ଅଂଶରେ ଦେଖାଇ ହେବାର ସୀମା ଭିତରକୁ ଆସୁଥିଲା ।

 

ଲୋହିଆ ଇଂରେଜୀ କହିବାର ଢଙ୍ଗକୁବି ଖୁବ୍‌ ଭଲ ଭାବରେ ଅଭ୍ୟାସ କରି ନେଇଥିଲେ । ସେ ଇଂରେଜୀରେ ଖୁବ୍ ଭାଷଣ ଦିଅନ୍ତି । ବନ୍ଧୁମାନଙ୍କୁ ଜୁଟେଇ ଭାଷଣ ଦେବା ଏବଂ ସେମାନଙ୍କୁ ଖୋଇବା ପେଇବାରେ ସେ ଆଦୌ କୁଣ୍ଠାବୋଧ କରୁ ନଥିଲେ ।

 

ତା’ର ପ୍ରଭାବ ସହପାଠୀ ବିଶେଷକରି ବଙ୍ଗାଳୀ ଯୁବକମାନଙ୍କ ଉପରେ ଖୁବ୍‌ ଗଭୀର ଭାବରେ ପଡ଼ୁଥିଲା ।

 

ସେଦିନର ଗୋଟାଏ ଘଟଣା । କଲିକତାରେହିଁ ‘ଅଖିଳବଙ୍ଗ ବିଦ୍ୟାର୍ଥୀ ପରିଷଦ’ର ସମ୍ମେଳନ ହେଲା । ସୁଭାଷଚନ୍ଦ୍ର ବୋଷ ଅଧ୍ୟକ୍ଷତା କରିବାର ଥିଲା । ସମ୍ମେଳନର ସମୟ ହୋଇଗଲା; କିନ୍ତୁ ସୁଭାଷବାବୁ ଆସିଲେନି । ଅନେକ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଯେତେବେଳେ ସୁଭାଷବାବୁ ଆସିଲେନି, ସେଇଠି ଉପସ୍ଥିତ ଥିବା ବଙ୍ଗାଳୀ ଛାତ୍ରମାନେ ଲୋହିଆଙ୍କୁ ଅଧ୍ୟକ୍ଷ କରି ସମ୍ମେଳନ ଆରମ୍ଭ କରିଦେଲେ । ସେଇ ସମ୍ମେଳନରେ ଲୋହିଆହିଁ ଅଧିକ କହିଲେ ଏବଂ ଖୁବ୍‌ ଭଲବି କହିଲେ । ସତରବର୍ଷ ବୟସ୍କ ଯୁବକ ଲୋହିଆଙ୍କର ପ୍ରତିଭା, ପ୍ରବୃଦ୍ଧ ତଥା ଜାଜ୍ଜଲ୍ୟମାନରୂପେ ଦେଖି ସମସ୍ତେ ପ୍ରଭାବିତ ହୋଇଥିଲେ ।

 

କେବଳ ଲୋହିଆହିଁ ଏକମାତ୍ର ଅଣବଙ୍ଗାଳୀ ଯୁବକ ଥିଲେ, ଯେ କି ବଙ୍ଗଳାର ସକ୍ରିୟ ଛାତ୍ର–ରାଜନୀତିରେ ଖୁବ୍ କମ୍ ବୟସରେ ମଧ୍ୟ ଏକ ବିଶିଷ୍ଟ ସ୍ଥାନ ହାସଲ କରିପାରିଥିଲେ ।

 

ସନ ୧୯୨୮ରେ କଲିକତାରେ କଂଗ୍ରେସ ଅଧିବେଶନ ହେଲା । ମୋତିଲାଲ ନେହେରୁ ଥିଲେ ସଭାପତି । ଯେତେବେଳେ ସେ କଲିକତା ଆସିଲେ, ଅଠେଇଶଟି ଘୋଡ଼ା ଯୋଚା ହୋଇଥିବା ବଗିରେ ତାଙ୍କୁ ବସାଇ ଶୋଭାଯାତ୍ରା ବାହାର କରାଯାଇଥିଲା । ପାକ–ସର୍କସ୍ ପଡ଼ିଆରେ ଗୋଟାଏ ବିରାଟ ପେଣ୍ଡାଲ୍ ତିଆରି ହୋଇଥିଲା । ସେଇ ଅଧିବେଶନର ଯୋଗାଡ଼ରେ ଲୋହିଆ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଲୋହିଆଙ୍କ ପାଖେପାଖେ ସବୁବେଳେ ନବ–ଯୁବକମାନଙ୍କର ଗୋଟାଏ ଦଳ ରହୁଥିଲା । ସେଇ ଅଧିବେଶନରେ ପେଣ୍ଡାଲ୍‍ର ବାହାରେ ଜବାହରଲାଲ କୌଣସି ଏକ କାମ ବିଷୟରେ ଏକାକୀ ଛିଡ଼ା ହୋଇ ଚିନ୍ତା କରୁଥିଲେ । ତାଙ୍କ ସେମିତି ଛିଡ଼ା ହୋଇଥିବା ଦେଖି ଲୋହିଆଙ୍କ ମନରେ କି ଆବେଗ ଆସିଲା କେଜାଣି, ସେ ତାଙ୍କ ବନ୍ଧୁମାନଙ୍କୁ କହିଲେ–‘‘ଦେଖ, ନବ–ଯୁବକମାନଙ୍କର ସମ୍ରାଟ ଛିଡ଼ା ହୋଇଛନ୍ତି, ଯାଇ ତାଙ୍କ ଚରଣ ଛୁଅଁ ।’’

ତିନି–ଚାରି ଜଣ ସେଇ ଆଡ଼କୁ ଧାଇଁଗଲେ ଏବଂ ସେମାନେ ନଇଁପଡ଼ି ନେହେରୁଙ୍କ ପାଦ ଛୁଇଁବାକ୍ଷଣି ସେ ରାଗିଗଲେ । ସେତେବେଳେ ଲୋହିଆ ତାଙ୍କର ସାମ୍ନାକୁ ଯାଇ ହସି ହସି କହିଲେ, ‘‘ଏଥିରେ ରାଗିବାର କ’ଣ ଅଛି ? ସେମାନେ ଖୁବ୍‌ ସ୍ନେହର ସହିତ ଆପଣଙ୍କ ପାଦ ଛୁଇଁଛନ୍ତି ।’’

ଏ କଥା ଶୁଣି ନେହେରୁ କେବଳ ଶାନ୍ତ ହେଲେନି, ହସିବି ଦେଲେ ।

ଯେତେବେଳ ପର୍ଯ୍ୟନ୍ତ କଂଗ୍ରେସ ଅଧିବେଶନର ଗହଳଚହଳ କଲିକତାରେ ଲାଗି ରହିଥିଲା, ଲୋହିଆ ତା’ର ଗତିବିଧି ଭିତରେ ବ୍ୟସ୍ତ ରହି ତା’ରି ଭିତରେ ନିଜକୁ ହଜେଇ ଦେଇଥିଲେ ।

କିନ୍ତୁ ସେଇ ବ୍ୟସ୍ତତା ଭିତରେ ମଧ୍ୟ ସେ ସର୍ବଦା ନିଜକୁ ହଜେଇ ରଖୁ ନଥିଲେ । ନିଜର ମଉଜ–ମଜଲିସ୍‌ ପାଇଁ ମଧ୍ୟ ସମୟ ବାହାର କରିପାରୁଥିଲେ ।

 

ଯେଉଁଠି ଥାଏ ଇଚ୍ଛା, ସେଇଠି ଥାଏ ରାସ୍ତା ।

 

ଲୋହିଆଙ୍କର ଚାଟ୍‌ ଓ ଗୁପ୍‌ଚୁପ୍‌ ଖାଇବାପାଇଁ ଖୁବ୍‌ ସଉକ ଥିଲା । ସେତେବେଳେ, ଆଜି ଯେଉଁଠି ଏସ୍‌ପ୍ଳାନେଡ଼୍‌ରେ ଷ୍ଟେଟସ୍‌ମ୍ୟାନ୍ ଖବରକାଗଜର କୋଠାଘର ଅଛି, ସେଇ ଜାଗାଟା ଖାଲି ପଡ଼ିଥିଲା । ସେଇଠି ‘ଚାଟ୍‌’ ଖାଇବାର ଆଗ୍ରହୀସବୁ ଯୁଟୁଥିଲେ । ସେଠିକି ଯାଇ ‘ଗୁପ୍‌ଚୁପ୍‌’ ଖାଇ ଲୋହିଆ ଖୁବ୍ ଆତ୍ମପ୍ରସାଦ ଲାଭ କରୁଥିଲେ ।

 

କଂଗ୍ରେସ ଅଧିବେଶନ ଭଳି ବ୍ୟସ୍ତତା ଭିତରେ ମଧ୍ୟ ଗୁପ୍‌ଚୁପ୍‌ ଖାଇବାର କାର୍ଯ୍ୟକ୍ରମରେ ଲୋହିଆ କୌଣସି ବ୍ୟତିକ୍ରମ କରୁ ନଥିଲେ ।

 

ଖାଇବାରେ ଖଟା ଓ କଟୁ ସ୍ୱାଦ ପସନ୍ଦ କରୁଥିବା ଲୋକ ସାଧାରଣତଃ ସ୍ୱଭାବରେ ମଧ୍ୟ କିଛିଟା କଟୁ, ତୀକ୍ଷ୍ଣ ଏବଂ ଜିଦ୍‌ଖୋର ହୁଅନ୍ତି ।

 

ସେତେବେଳେ ଲୋହିଆ ସ୍ୱଭାବତଃ ଖୁବ୍‌ ଜିଦ୍‌ଖୋର ଥିଲେ । ତାଙ୍କର ଗୁଡ଼ାଏ ଜିଦ୍‌ ଥିଲା । ଯେମିତି ଖୁବ୍‌ ପଢ଼ିବାର ଜିଦ୍‌, ଭାଷଣ ଦେବାର ଜିଦ୍‌ ଏବଂ ସେଭଳି ଯୁକ୍ତିତର୍କ ପଛରେବି ଜୋର୍ ଜବରଦସ୍ତିରେ ଭାଗ ନେବା ଜିଦ୍‌ । ଏହାଛଡ଼ା ସିନେମା ଦେଖିବାର ଜିଦ୍‌ ମଧ୍ୟ ତାଙ୍କ ପାଖରେ ବହୁ ପରିମାଣରେ ଥିଲା । ଇଂରାଜୀ ସିନେମା ପ୍ରତି ତାଙ୍କର ସଉକ ଥିଲା ଖୁବ୍‌ ବେଶୀ । ସେତେବେଳେ ‘ଏମ୍ପାୟାର’ରେ ଇଂରାଜୀ ସିନେମା ଓ ‘ମଦନ–ଥିଏଟର୍ସ’ ଏବଂ ‘ଏଲଫିନ୍‌ଷ୍ଟନ୍‌’ରେ ନାଟକ ହେଉଥିଲା । ଲୋହିଆ ପ୍ରାୟତଃ ସିନେମା ଦେଖିବାକୁ ଯା’ନ୍ତି । ସେତେବେଳେ କେବଳ ମୂଳ ଚିତ୍ରହିଁ ପ୍ରଦର୍ଶିତ ହେଉଥିଲା । ବେଳେବେଳେ ଥିଏଟରବି ଦେଖନ୍ତି; କିନ୍ତୁ ତାଙ୍କର ସିନେମା ଦେଖା ସାଧାରଣ ନଥିଲା । ସିନେମା କିମ୍ୱା ଥିଏଟର ଦେଖି ସେ ବିଷୟବସ୍ତୁ ଉପରେ ଏମିତି ଆଲୋଚନା କରୁଥିଲେ, ଯେମିତି ମନେ ହେଉଥିଲା, ସେ ସମଗ୍ର କଥାବସ୍ତୁକୁ ଥଣ୍ଡା ପାନୀୟ ଭଳି ଘୋଟି ପିଇ ଯାଇଛନ୍ତି ।

 

ଛାତ୍ରାବସ୍ଥାରେ ଲୋହିଆଙ୍କର ବ୍ୟବହାର ଅନ୍ୟାନ୍ୟ ଛାତ୍ର–ବନ୍ଧୁଙ୍କ ପ୍ରତି ଖୁବ୍‌ ସ୍ନେହପୂର୍ଣ୍ଣ ଥିଲା; କିନ୍ତୁ ଲୋହିଆଙ୍କର ଚରିତ୍ରରେ ଗୋଟାଏ କଥା ଅବଶ୍ୟ ରହିଥିଲା–ସେ ଛାତ୍ରାବାସରେ ଏଭଳି ଭାବରେ ରହୁଥିଲେ ଯେମିତି କି ପାଣିରେ ରହି ମଧ୍ୟ ସେ ବାହାରେ ରହୁଥିଲେ । ତାଙ୍କ ଭିତରେ କୌଣସି ପ୍ରକାର ଅହଂକାର ନଥିଲା, କିନ୍ତୁ ନିଜର ସ୍ୱତନ୍ତ୍ର ଏବଂ ଉନ୍ମୁକ୍ତ ଜୀବନ ଭିତରେ ବ୍ୟସ୍ତ ରହୁଥିବା ଯୋଗୁଁ ସେ ଅନ୍ୟ ଛାତ୍ରମାନଙ୍କ ସହିତ ମିଳିମିଶି ପାରୁ ନଥିଲେ । ସେ ରାତିରେ ବହୁ ସମୟ ଧରି ପଢ଼ନ୍ତି ଏବଂ ସକାଳୁ ଖୁବ୍‌ ଡେରିରେ ଉଠନ୍ତି । ତାଙ୍କର ନିଜ କାମ, ନିଜ କାର୍ଯ୍ୟକ୍ରମ ଏବଂ ନିଜର ନିୟମ ଥିଲା । ନିୟମ ପାଳନ କରିବାପାଇଁ ତାଙ୍କୁ ବେଳେବେଳେ ଛାତ୍ରାବାସର ନିୟମ ଭଙ୍ଗ କରିବାକୁ ପଡ଼ୁଥିଲା । ତା’ ପ୍ରତି ସେ ଅଧିକ ସଜାଗ ରହିପାରୁ ନଥିଲେ । ଛାତ୍ରାବାସରେ ଠିକ୍‌ ସମୟରେ ଯିବାଆସିବାର ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାପାଇଁ ଅଧିକାରୀଙ୍କର ପ୍ରବଳ ଚେଷ୍ଟା ରହୁଥିଲା । ଲୋହିଆ ସେ ନିୟମକୁ କେବେ ପାଳନ କରି ପାରୁ ନଥିଲେ । ଏଇ ସମ୍ୱନ୍ଧରେ ଥରେ ଛାତ୍ରାବାସର ମୁଖ୍ୟ ତାଙ୍କ ଉପରେ ଅନୁଶାସନଭଙ୍ଗ ଆରୋପ ଲଗାଇ ସୂଚନା–ପଟାରେ ଲେଖି ଟାଙ୍ଗିଦେଲେ ଯେ ତାଙ୍କୁ ଚାରି ଅଣା ଜୋରିମାନା ଦଣ୍ଡ ଦିଆଗଲା-। ଲୋହିଆ ଯେତେବେଳେ ତାହା ପଢ଼ିଲେ, ତାଙ୍କ ମନରେ ରାଗ ଆସିଲା । ବନ୍ଧୁମାନେ ପରାମର୍ଶ ଦେଲେ ଯେ ମୁଖ୍ୟଙ୍କ ସହିତ ଦେଖାକଲେ ସେ ଦଣ୍ଡମୁକ୍ତ ହୋଇଯିବେ; କିନ୍ତୁ ଲୋହିଆ ଏହି ପରାମର୍ଶକୁ ପସନ୍ଦ କଲେନି ଏବଂ ନିଜର କ୍ରୋଧ ପ୍ରକାଶ କରିବାକୁ ଯାଇ ସୂଚନା–ପଟାକୁ ଟେକିନେଇ ଅଳିଆଗଦାରେ ଫିଙ୍ଗିଦେଲେ ।

 

ଲୋହିଆ ନିବେଦନ କରିବାକୁ ଆଦୌ ଭଲ ପାଉ ନଥିଲେ ।

 

ଛାତ୍ରାବାସର ରହଣି–ଚଳଣି ସହିତ ତାଙ୍କର ସ୍ୱଭାବ ଆଦୌ ଖାପ ଖାଉ ନଥିଲା । ଝଗଡ଼ାକୁ ଆଉ ଏମିତି କେତେ ଦିନ ଏଡ଼ି ହୁଅନ୍ତା ?

 

ଏଇ ଛାତ୍ରାବାସର ଆଉ ଏକ ନିୟମ ଥିଲା–ସମସ୍ତେ ବଡ଼ିଭୋରରୁ ଉଠି କସରତ କରିବାକୁ ବାଧ୍ୟ । ଲୋହିଆଙ୍କର ବଡ଼ିଭୋରରୁ ଉଠିବାର ଅଭ୍ୟାସ ନଥିଲା କି ସେ କସରତ କରିବାକୁ ମଧ୍ୟ ପସନ୍ଦ କରୁ ନଥିଲେ । ଏତିକି କହିଲେ ବୋଧେ ଆଦୌ ଭୁଲ ହବନି ଯେ, ସେ କସରତର ନାଁକୁ ନିଆଁ ହେଉଥିଲେ ଏବଂ ତାକୁ ଖୁବ୍‌ ଘୃଣା ମଧ୍ୟ କରୁଥିଲେ ।

 

କସରତକୁ ସେ ଜଙ୍ଗଲୀ ସ୍ୱଭାବର ଶେଷ ସୀମା ବୋଲି ଧରି ନେଇଥିଲେ । ହଁ, ବୁଲିବା, ପହଁରିବା, ନୌକାବିହାର କରିବା ଭଳି ଆଦି କାମ ଯାହା କି ଶରୀର ପକ୍ଷରେ ସ୍ୱାଭାବିକ ବ୍ୟାୟାମ–ସେସବୁକୁ ସେ ଖୁବ୍‌ ଭଲ ପାଉଥିଲେ ।

 

ଲୋହିଆଙ୍କୁ ନିଜ ବନ୍ଧୁମାନଙ୍କ ସହିତ ପ୍ରତିଦିନ ଅନେକ ଛଳନାର ଆଶ୍ରୟ ନେବାକୁ ପଡ଼ିଥିଲା । ସକାଳୁ ଉଠିବାରେ ସେ ଅତି ଅଳସୁଆ ଥିଲେ । ଲୋହିଆ ଜନ୍ମରୁହିଁ ଖୁବ୍ ସ୍ୱଚ୍ଛନ୍ଦ ପ୍ରକୃତିର ଯୁବକ ଥିଲେ । କାହାରି ଆଦେଶରେ କୌଣସି କାମ କରିବାର ସ୍ୱଭାବ ତାଙ୍କର ଆଦୌ ନଥିଲା । ଛାତ୍ରାବାସରେ ସମସ୍ତ ଆୟୋଜନ ତଥା ନିୟମ ତାଙ୍କୁ ଖରାପ ଲାଗୁଥିଲା କେବଳ ବାଦ–ବିବାଦ ସଭାକୁ ଛାଡ଼ି । କସରତ ଏବଂ ସକାଳୁ ଉଠିବା ବିଷୟକୁ ନେଇ ଶେଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହେଲା । ଅଧିକାରୀ ମନେକଲେ ଯେ ଜଣକୁ ପ୍ରତିବନ୍ଧମୁକ୍ତ କରିଦେବାମାନେ ଅନୁଶାସନକୁ ହୁଗୁଳା କରିଦେବା । ଶେଷରେ ପରିସ୍ଥିତି ଆସି ଏମିତି ହେଲା ଯେ ଲୋହିଆ ଛାତ୍ରାବାସ ଛାଡ଼ି ଚାଲିଯିବାକୁ ତତ୍ପର ହୋଇଉଠିଲେ । ସେତେବେଳେ ବନ୍ଧୁମାନଙ୍କ ଭିତରେ ହଇଚଇ ପଡ଼ିଗଲା । ଲୋହିଆଙ୍କ ଭଳି ବନ୍ଧୁ ଯଦି ଛାତ୍ରାବାସ ଛାଡ଼ି ଚାଲିଯାନ୍ତି, ତେବେ ତ ଛାତ୍ରାବାସଟା ପୂରାପୂରି ଜେଲ୍‍ଖାନା ହୋଇଯିବ । ବନ୍ଧୁମାନେ ଲୋହିଆଙ୍କୁ ଘେରିଗଲେ । ବନ୍ଧୁତା ଦ୍ୱାହି ଦେଲେ । ଶେଷରେ ବାଧ୍ୟ ହୋଇ, ବହୁ ଚେଷ୍ଟା କରି ସେ ଏତିକି କରିବାକୁ ସକ୍ଷମ ହୋଇପାରିଲେ ଯେ, ଯେକୌଣସିମତେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ଏବଂ କସରତ ପ୍ରତି ସଦା ଘୃଣାଭାବ ରହିଥିଲେ ମଧ୍ୟ କସରତ କରିବାର ନାଟକ କରନ୍ତି । ଢିଲାପିନ୍ଧା ଧୋତିକୁ କଷିକରି ଅଣ୍ଟାରେ ବାନ୍ଧି ଆଖଡ଼ାକୁ ଆସନ୍ତି ଏବଂ ଦି’ଚାରି ଥର ବାମ–ଡାହାଣକୁ ହାତଗୋଡ଼ ହଲେଇବାରେ ଲାଗନ୍ତି । ବେଶ୍‌, ତାଙ୍କର କସରତ ଶେଷ ହୁଏ ଏବଂ ଅଧିକାରୀଙ୍କ ନିୟମର ମଧ୍ୟ ପାଳନ ହୋଇଯାଏ ।

 

ସେଇ ଛାତ୍ରାବାସରେ ରହୁଥିବା ଅବସ୍ଥାରେ ସନ ୧୯୨୮ରେ କଲେଜ ପଢ଼ା ସାଙ୍ଗେ ସାଙ୍ଗେ ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବାକୁ ଲାଗିଲେ । ଲୋହିଆ ଅଖିଳ ଭାରତ ବିଦ୍ୟାର୍ଥୀ ସଂଗଠନର ପ୍ରମୁଖ କର୍ମକର୍ତ୍ତା ହୋଇଗଲେ ।

 

ସେଇ ବର୍ଷ–୧୯୨୮ରେ ।

 

ରାଷ୍ଟ୍ରୀୟ ଆନ୍ଦୋଳନର ଭାବନା ଲୋକଙ୍କ ଭିତରେ ଗଭୀର ପ୍ରଭାବ ସୃଷ୍ଟି କରି ଚାଲିଥିଲା । ଚତୁର ଇଂରେଜଙ୍କ ପକ୍ଷରେ ଏ ବିଷୟଟି ଅଜଣା ନଥିଲା । ହିନ୍ଦୁସ୍ଥାନର ବିଧାନରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତା ଅଛି କି ନା ତା’ର ଯାଞ୍ଚ କରିବାପାଇଁ ଇଂଲଣ୍ଡର ମହାପ୍ରଭୁଗଣ ତାଙ୍କର ଗୋଟାଏ ପ୍ରତିନିଧି ଦଳକୁ ଭାରତ ପଠାଇଲେ । ତାହା ‘‘ସାଇମନ କମିଶନ’’ ନାମରେ ବିଦିତ । ଦେଶର ଜନତା ସେଇ ‘‘ସାଇମନ କମିଶନ’’ର ଆଗମନକୁ ପ୍ରବଳ ବିରୋଧ କଲେ ଏବଂ ତାକୁ ବହିଷ୍କାର କରିବାପାଇଁ ମଧ୍ୟ ସଂକଳ୍ପ କଲେ ।

 

ସମଗ୍ର ଭାରତରେ କେବଳ ଗୋଟାଏ ସ୍ଲୋଗାନ ଗୁମରି ଉଠୁଥିଲା–‘‘ସାଇମନ, ଫେରିଯାଅ ।’’

 

କଲିକତାରେ ସେଇ କମିଶନକୁ ବହିଷ୍କାର କରିବାପାଇଁ ଲୋହିଆ ବିଦ୍ୟାର୍ଥୀମାନଙ୍କୁ ପ୍ରସ୍ତୁତ କଲେ ଏବଂ ତା’ର ନେତୃତ୍ୱବି ନେଲେ । ସାଇମନ କମିଶନର ବିରୋଧକୁ ନେଇ ଛାତ୍ରମାନଙ୍କ ଭିତରେ ଉଦ୍‌ବେଗ ଥିଲା... ଭାବୋଚ୍ଛ୍ୱାସ ଥିଲା...ଦେଶଭକ୍ତିର ସ୍ପନ୍ଦନ ଥିଲା ଏବଂ ସମସ୍ତ ଛାତ୍ର ଏକମତ ହୋଇଥିଲେ ଯେ ସାଇମନ କମିଶନକୁ ବହିଷ୍କାର କରିବାପାଇଁ ଛାତ୍ରସମାଜ କେବେହେଲେ ପଛେଇ ଯିବେନି । ପାର୍କ୍ ଷ୍ଟ୍ରୀଟ୍‍ର ଗୋଟାଏ ସ୍ଥାନରେ ତା’ର ଯୋଜନା ପ୍ରସ୍ତୁତ କରିବାପାଇଁ ଲୋହିଆଙ୍କ ନେତୃତ୍ୱରେ ଗୁପ୍ତସଭା ହୁଏ । ଲୋହିଆ ସଭାରେ ଭାଷଣ ଦିଅନ୍ତି, ଖୋଲାଖୋଲି ଭାବରେ ଖୁବ୍‌ କହନ୍ତି । ତାଙ୍କ ଭାଷଣର ସାରାଂଶ ହେଉଛି–‘‘ଆବାଳ–ବୃଦ୍ଧ–ବନିତା ସମସ୍ତ ଭାରତବାସୀ ଏହି ବହିଷ୍କାର ପାଇଁ ସ୍ୱର ଉତ୍ତୋଳନ କରିବା ଉଚିତ ଏବଂ ଏପରି ପରିସ୍ଥିତିରେ ଛାତ୍ରମାନେ ଯଦି କୌଣସି ପ୍ରକାରେ ପଛେଇ ଯାଆନ୍ତି, ତେବେ ଆମର ଦାବିରେ ଦୁର୍ବଳତା ଆସିଯିବ ।’’

 

ଲୋହିଆଙ୍କ ନେତୃତ୍ୱରେ କଲିକତାର ଛାତ୍ରସମାଜ ଦୃଢ଼ତାର ସହ କମିଶନର ବହିଷ୍କାର ପାଇଁ ଅଂଶଗ୍ରହଣ କଲା ।

 

ଲୋହିଆ ବିଦ୍ୟାସାଗର କଲେଜର ଛାତ୍ର ଥିଲେ, ଯାହା କି ରାଷ୍ଟ୍ରୀୟ ଭାବନାରେ ଆପ୍ଳୁତ ଥିବା ଅଧିକାରୀଙ୍କଦ୍ୱାରା ନିୟନ୍ତ୍ରିତ ଥିଲା । ତେଣୁ ସେଠି ତ ନୁହେଁ; କିନ୍ତୁ ଅନ୍ୟାନ୍ୟ କଲେଜର ଅଧିକାରୀମାନେ ଛାତ୍ରମାନଙ୍କ ସାଙ୍ଗରେ କଡ଼ାକଡ଼ି ବ୍ୟବହାର ଆରମ୍ଭ କରିଦେଲେ । କେବଳ ଏତିକିହିଁ ନୁହେଁ, କେତେକ କଲେଜରୁ ଅନେକ ଛାତ୍ରଙ୍କୁ ବାହାର ମଧ୍ୟ କରି ଦିଆଗଲା । ସେତେବେଳେ ଲୋହିଆ ହେଲେ ସ୍ୱୟଂସେବକ । ଲୋହିଆ ସେଇ ବହିଷ୍କୃତ ଛାତ୍ରମାନଙ୍କ ପାଠ ନଷ୍ଟ ନ କରିବାପାଇଁ ସେମାନଙ୍କୁ ଆଣି ବିଦ୍ୟାସାଗର କଲେଜରେ ଭର୍ତ୍ତି କରାଇଦେଲେ ।

 

ଲୋହିଆଙ୍କୁ ବ୍ୟକ୍ତିଗତ ଭାବରେ ଅନେକ ସ୍ୱାର୍ଥତ୍ୟାଗ କରିବାକୁ ପଡ଼ିଲା । ପୂର୍ଣ୍ଣ ଯୋଗ୍ୟତା ଥିବା ସତ୍ତ୍ୱେବି ସେ ବି.ଏ.ରେ ପ୍ରଥମ ଶ୍ରେଣୀ ଅନର୍ସ ପାଇ ପାରିଲେନି, ସାଧାରଣ ଅନର୍ସହିଁ ପାଇଲେ । କାରଣ ଏକେ ତ ରାଜନୀତି କାର୍ଯ୍ୟ ତଥା ଉଗ୍ର ବିଚାରଭାବ ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟର ଅଧିକାରୀ ତାଙ୍କ ଉପରେ ରୁଷ୍ଟ ଥିଲେ । ତା’ପରେ ପୁଣି ସେ ବଙ୍ଗାଳୀ ନଥିଲେ । ତୃତୀୟରେ ମେଣ୍ଢାଗୁହାଳ ବୋଲାଉଥିବା ବିଦ୍ୟାସାଗର କଲେଜର ଛାତ୍ର ଥିଲେ । ତେଣୁ ତାଙ୍କୁ ପ୍ରଥମ ଶ୍ରେଣୀ ଅନର୍ସ କିପରି ଦିଆଯାନ୍ତା ?

 

ସେଇ ୧୯୨୮ ସାଲର ଶେଷ ଭାଗରେ ଅନୁଷ୍ଠିତ ହୋଇଥିବା ଯୁବ–ସମ୍ମେଳନର ଅଧ୍ୟକ୍ଷତା କରିବାପାଇଁ ଜବାହରଲାଲ ନେହେରୁ ଆସିଲେ । ସେଇ ସମ୍ମେଳନର ବିଷୟ ନିର୍ବାଚନ ସମିତିର ଅଧ୍ୟକ୍ଷ ଥିଲେ ସୁଭାଷଚନ୍ଦ୍ର ବୋଷ ଏବଂ ଲୋହିଆ ଥିଲେ ଜଣେ ସଭ୍ୟ । ସେଇ ଯୁବ–ସମ୍ମେଳନରେ ନେହେରୁ ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଲୋହିଆ ଆସିଲେ । ଲୋହିଆ ଏବଂ ନେହେରୁ ପରସ୍ପର ଖୁବ୍‌ ଆକର୍ଷିତ ହୋଇପଡ଼ିଲେ । କେଜାଣି କାହିଁକି ସୁଭାଷ ବୋଷ ଆଉ ଲୋହିଆଙ୍କ ଭିତରେ ସେଇ ଆକର୍ଷଣ ସୃଷ୍ଟି ହୋଇ ପାରିଲାନି । ଲୋହିଆଙ୍କର ପ୍ରଖର ବୁଦ୍ଧି, ପ୍ରଭାବଶାଳୀ ଭାଷଣଶୈଳୀ, ରାଷ୍ଟ୍ରୀୟତା ପ୍ରତି ଜ୍ୱଳନ୍ତ ଆଗ୍ରହ ତଥା ନିଷ୍ଠା ନେହେରୁଙ୍କୁ ଖୁବ୍‌ ପ୍ରଭାବିତ କଲା । ଲୋହିଆଙ୍କ ମନରେବି ନେହେରୁଙ୍କ ପ୍ରତି ସ୍ନେହ ତଥା ଆଦର ଭାବ ଜାଗ୍ରତ ହେଲା । ଦୁହେଁ ଦୁହିଁଙ୍କର ନିକଟକୁ ଆସିବାକୁ ଲାଗିଲେ ।

 

୧୯୨୯ ସାଲରେ ଲୋହିଆ ଦ୍ୱିତୀୟ ଶ୍ରେଣୀରେ ବି.ଏ. ପାସ୍ କଲେ ।

 

ବି.ଏ. ପାସ୍ କଲା ପରେ ଲୋହିଆଙ୍କ ସମ୍ମୁଖରେ ଉଚ୍ଚଶିକ୍ଷା ପାଇବାର ସମସ୍ୟା ଆସି ଦେଖାଦେଲା । ହୀରାଲାଲ ନିଜର ସୀମିତ ଆୟ ଭିତରେ ମଧ୍ୟ ପ୍ରତ୍ୟୁପନ୍ନମତି ପୁତ୍ରକୁ ବିଦେଶ ପଠାଇ ଉଚ୍ଚଶିକ୍ଷା ଦେବାକୁ ଚାହୁଁଥିଲେ । କେତେକ ବନ୍ଧୁ ଏବଂ ସ୍ନେହୀ ମତ ଦେଲେ ଯେ ଲୋହିଆ ବିଦେଶ ନ ଯାଇ ଦେଶ ଭିତରେହିଁ ଉଚ୍ଚଶିକ୍ଷା ପାଆନ୍ତୁ; କିନ୍ତୁ ଲୋହିଆଙ୍କର ଇଚ୍ଛା ଥିଲା ବିଦେଶ ଯିବାକୁ ।

 

ବିଦେଶ ଏବଂ ସ୍ୱଦେଶ ଭିତରେ ଗୋଟାଏ ନିର୍ଣ୍ଣୟର ପ୍ରକ୍ରିୟା ଚାଲିଥିଲା । ଛାତ୍ରାବାସ ତ୍ୟାଗ କରିବାର ଶେଷ ମୁହୂର୍ତ୍ତରେ–ଦିନେ ଲୋହିଆଙ୍କ ଛାତ୍ରାବାସ ଜୀବନରେ ଦି’ଜଣ ବନ୍ଧୁ–ଚୌଥମଲ ସରାଫ ଏବଂ ବାଳକୃଷ୍ଣ ଗୁପ୍ତ ବ୍ୟଙ୍ଗାତ୍ମକ କଣ୍ଠରେ କହିଲେ, ‘‘ଲୋହିଆ, ତୁମେ ବିଦେଶ କିପରି ଯାଇପାରିବ ? ତୁମକୁ କ’ଣ ଟାୟ ବାନ୍ଧିଆସେ ?’’

 

ଲୋହିଆ କେବଳ ଲଜ୍ଜାର ହସ ହସିହିଁ ନୀରବ ରହିଗଲେ । ପ୍ରକୃତରେ ତାଙ୍କୁ ଟାୟ ବାନ୍ଧି ଆସୁ ନଥିଲା । ଆଜି ପର୍ଯ୍ୟନ୍ତ ସେ କୋଟ୍‍ପ୍ୟାଣ୍ଟ ପିନ୍ଧି ନଥିଲେ । ତେବେ କ’ଣ ବିଦେଶରେବି ଧୋତିପିନ୍ଧା ପୋଷେଇବ ?

 

ଲୋହିଆ ଟାୟ ବାନ୍ଧିବାକୁ ଚେଷ୍ଟା କଲେ; କିନ୍ତୁ ଟାୟର ଗଣ୍ଠି ପକେଇ ଆସିଲାନି ।

 

ତା’ପରେ ସେଇ ଦୁଇ ଜଣ ବନ୍ଧୁ ମିଶି ତାଙ୍କୁ ଟାୟ ବାନ୍ଧିବା ଶିଖେଇଲେ ।

 

ସେଦିନ, ପ୍ରଥମ ଥରପାଇଁ ଟାୟ ବନ୍ଧେଇ, କୋଟ୍‌–ପ୍ୟାଣ୍ଟ୍‌ ପିନ୍ଧେଇ ଦି’ବନ୍ଧୁ ମିଶି ଲୋହିଆଙ୍କୁ ସଜେଇଲେ ଏବଂ ତିନି ଜଣ ମିଶି ଗୋଟିଏ ଫଟୋ ଉଠାଇଲେ ।

 

 

ଲଣ୍ଡନ କିମ୍ୱା ବର୍ଲିନ୍‌ !

 

ବର୍ଲିନ୍‌ ନୁହେଁ, ଲଣ୍ଡନ !

 

ନା ଲଣ୍ଡନ ନୁହେଁ, ବର୍ଲିନ୍‌ !

 

ଲଣ୍ଡନ ଏବଂ ବର୍ଲିନ୍‌, କେଉଁଠି ସେ ଯାଇ ଉଚ୍ଚଶିକ୍ଷା ଲାଭ କରିବେ ନିଷ୍ପତ୍ତି ହୋଇପାରୁ ନଥିଲା । ଲୋକଙ୍କର ମତ ଥିଲା, ଯଦି ଲୋହିଆ ଲଣ୍ଡନରୁ ଉଚ୍ଚଶିକ୍ଷା ପାଇ ଫେରନ୍ତି, ତେବେ ତାଙ୍କର ପ୍ରତିଷ୍ଠା ଖୁବ୍‌ ବଢ଼ିଯିବ । କିନ୍ତୁ ଲୋହିଆ ବର୍ଲିନ୍‌ ଯିବାକୁ ଚାହୁଁଥିଲେ । ସେଇ ଇଚ୍ଛାପତ୍ରରେ ମଧ୍ୟ ଗୋଟାଏ ଯୁକ୍ତି ଥିଲା । ସେ କହୁଥିଲେ, ଯେଉଁ ଦେଶ ଆମ ଦେଶ ଉପରେ ରାଜତ୍ୱ କରୁଚି, ସେଇ ଦେଶକୁ ଯାଇ ଶିକ୍ଷା ପାଇଲେ ଆମର ଦାସ–ମନୋବୃତ୍ତି ବଢ଼ିଯିବ ।

 

ହୀରାଲାଲଙ୍କର ଆର୍ଥିକ ପରିସ୍ଥିତି ପୂର୍ବଭଳି ନଥିଲା ଏବଂ ରାମମନୋହରଙ୍କ ବିଦେଶ ପଢ଼ାଖର୍ଚ୍ଚ ପୂରା ବହନ କରିବାର ସାମର୍ଥ୍ୟବି ତାଙ୍କର ନଥିଲା । କୌଣସିମତେ ୧୯୨୯ ସାଲର ଜୁଲାଇ ମାସରେ ଲୋହିଆ ବିଦେଶ ଯାତ୍ରା ଆରମ୍ଭ କଲେ । ତାଙ୍କ ପ୍ରବାସ ଖର୍ଚ୍ଚ ବହନ କଲେ ‘‘ଅଗ୍ରବାଲ ଜାତି–କୋଷ’’ । ସେ ସିଧାସଳଖ ଇଂଲଣ୍ଡ ଚାଲିଗଲେ । କିନ୍ତୁ ଇଂଲଣ୍ଡରେ ପହଞ୍ଚିବା ପର୍ଯ୍ୟନ୍ତ ମଧ୍ୟ ‘‘ଲଣ୍ଡନ କିମ୍ୱା ବର୍ଲିନ୍‌’’ର ଶେଷ ନିଷ୍ପତ୍ତି ହୋଇପାରି ନଥିଲା । ମନ ଭିତରେ ବର୍ତ୍ତମାନବି ଶଙ୍କା ଥିଲା । କିନ୍ତୁ ଇଂଲଣ୍ଡରେ କିଛିଦିନ ରହଣିର ଅନୁଭବହିଁ ଲୋହିଆଙ୍କ ମନରୁ ଆଶଙ୍କା ଦୂର କରିଦେଲା । ସେଠିକାର ଅନୁଭୂତିରୁହିଁ ଲୋହିଆଙ୍କ ମନ ଭାଙ୍ଗିଗଲା ଯେ ତାଙ୍କ ପକ୍ଷରେ ଲଣ୍ଡନରେ ରହିବା ଆଦୌ ସମ୍ଭବପର ନୁହେଁ । ସେ ପରିଷ୍କାର ଅନୁଭବ କଲେ ଯେ ସେଇଠି ଭାରତୀୟମାନଙ୍କୁ ସବୁବେଳେ ହେୟ ଦୃଷ୍ଟିରେ ଦେଖାଯାଉଛି ଏବଂ ସେମାନଙ୍କ ସହିତ କୁକୁର ସଦୃଶ ବ୍ୟବହାର କରାଯାଉଛି । ଏଭଳି ପରିସ୍ଥିତିରେ ଆଉ ଦିନେବି ସେଇଠି ରହିବା ଲୋହିଆଙ୍କ ପକ୍ଷରେ କ’ଣ ସମ୍ଭବପର ଥିଲା ?

 

ଇଂଲଣ୍ଡର ରହଣିକାଳ ଭିତରେ ବହୁ ଇଂରେଜ ଲୋହିଆଙ୍କର ବନ୍ଧୁ ହେଲେ । କିନ୍ତୁ ତାଙ୍କର ଜଣେ ବିଶିଷ୍ଟ ଇଂରେଜ ବନ୍ଧୁଙ୍କର ନାଁ ଥିଲା–ଜିରାର୍ଡ଼ । ସେ ଜଣେ ଅତି ସାଧାରଣ ସ୍ଥିତିର, ଅର୍ଥାତ୍‌ ଗରିବ ଥିଲେ । ଦିନେ ସେ ଲୋହିଆଙ୍କୁ ନିଜ ଘରକୁ ଡାକି ନେଇଗଲେ । ଜିରାର୍ଡ଼ର ମା’ଙ୍କୁ ଲୋହିଆ ଖୁବ୍‌ ପସନ୍ଦ କଲେ । ସେ ସାଧାରଣ ଭାବରେ ଅତି ସ୍ନେହଶୀଳା ମହିଳା ଥିଲେ । ନିଜ ପୁଅର ବନ୍ଧୁକୁ ନିଜ ପୁଅ ଭଳି ସ୍ନେହ ଦେଲେ । ତାଙ୍କର ବ୍ୟବହାର ଲୋହିଆଙ୍କୁ ଖୁବ୍‌ ଭଲ ଲାଗିଲା-। କିଛି ସମୟ ଭିତରେହିଁ ଲୋହିଆ ସେଇ ପରିବାର ଭିତରେ ପୂରାପୂରି ମିଶିଗଲେ-। ମା’ ଲୋହିଆଙ୍କୁ ଖୁବ୍‌ ସ୍ନେହର ସହ ଖୋଇଲେ । ନିଜର କୁହାଳିଆ ସ୍ୱଭାବ ଯୋଗୁଁ ଲୋହିଆଙ୍କ ସହ ତାଙ୍କର ଖୁବ୍‌ ପଟିଗଲା । ଦୁହେଁ ଖୁବ୍‌ ଗପ୍‍ସପ୍ କରିବାକୁ ଲାଗିଲେ । ଲୋହିଆ ତାଙ୍କୁ ପଚାରିଲେ, ‘‘ଏଇଠି ଭାରତର କୋଉ ଲୋକଟା ଖୁବ୍‌ ଲୋକପ୍ରିୟ ?’’

 

ମା’ କହିଲେ–‘‘କ୍ରିକେଟ୍‌ ଖେଳାଳି ରଣଜୀ ।’’

 

ତା’ପରେ ଲୋହିଆ ପଚାରିଲେ, ‘‘ନମ୍ୱର ଦୁଇ କିଏ ?’’

 

ମା’ ଉତ୍ତର ଦେଲେ–‘‘ଆଗା ଖାଁ ।’’

 

ତଥାପି ଲୋହିଆ ସନ୍ତୁଷ୍ଟ ହେଲେନି । ସେ ପୁଣି ପଚାରିଲେ–‘‘ତୃତୀୟ ବ୍ୟକ୍ତିଟି କିଏ ?’’

 

ତା’ପରେ ମା’ ହୋହୋ ହୋଇ ହସିଉଠିଲେ, କହିଲେ–‘‘ଦୁଷ୍ଟ, ମୁଁ ଜାଣେ, ତୁ ଗାନ୍ଧିଙ୍କ ନାଁଟା ଶୁଣିବାକୁ ଚାହୁଁ ?’’

 

ଏଇ କଥା ଶୁଣି ଲୋହିଆବି ଖୁବ୍‌ ହସିଲେ ।

 

ଦିନେ ଲଣ୍ଡନର କୌଣସି ଏକ ପୁସ୍ତକାଳୟରେ ଲୋହିଆ ଅନେକ ସମୟ ଧରି ବ୍ୟସ୍ତ ରହିଲେ । ସେତେବେଳେ ପୁସ୍ତକାଳୟର ପ୍ରବନ୍ଧକ ପଚାରିଲେ ଯେ ସେ କୋଉ ବିଷୟରେ କିପରି ପଢ଼ିବାକୁ ଚାହାନ୍ତି ? ଏଇ ବାହାନାରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହେବାକୁ ଲାଗିଲା । ଯେତେବେଳେ ପ୍ରବନ୍ଧକ ଜାଣିଲେ ଯେ ଏଇ ନବ–ଯୁବକ ଏପର୍ଯ୍ୟନ୍ତ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହାନ୍ତି–ଏଠି କେଉଁଠି ପଢ଼ିବେ–ସେ ସହଜ ଭାବରେ ନିଜର ସମ୍ମତି ଜଣାଇ କହିଲେ, ‘‘ଯଦି କିଛି ନୂଆ କଥା ଶିଖିବାର ଥାଏ, ତେବେ ଇଂଲଣ୍ଡର ମୋହ ଛାଡ଼ ଏବଂ ବର୍ଲିନ୍‌ ଚାଲିଯାଅ । ସେଇଠି ବିଚାରଧାରାର ନୂଆ ଦିଗ୍‌ଦର୍ଶନ ମିଳିବ ।’’

 

ଲୋହିଆଙ୍କୁ ଅଚାନକ ମିଳିଥିବା ଏଇ ପରାମର୍ଶ ଯେମିତି ତାଙ୍କ ସମସ୍ତ ସମସ୍ୟାର ସମାଧାନ କରିଦେଲା ।

 

ଆଉ ମୁହୂର୍ତ୍ତେବି ଡେରି ହେଲାନି । ଲୋହିଆ ସେତେବେଳେହିଁ ଠିକ୍‌ କଲେ ସେ ନିଶ୍ଚୟ ବର୍ଲିନ୍‌ ଚାଲିଯିବେ ।

 

ତା’ପରେ ଆଉ ଗୋଟାଏ ସପ୍ତାହ ଲଣ୍ଡନରେ ରହିବା ତାଙ୍କ ପକ୍ଷରେ କଷ୍ଟ ହୋଇପଡ଼ିଲା ଏବଂ ସେ ବର୍ଲିନ୍‌ ଅଭିମୁଖରେ ଯାତ୍ରା ଆରମ୍ଭ କରିଦେଲେ ।

 

ବର୍ଲିନ୍‍ରେ ପହଞ୍ଚି ଲୋହିଆ ବର୍ଲିନ୍ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲେ । ସେତେବେଳେ ପର୍ଯ୍ୟନ୍ତ ଲୋହିଆଙ୍କର ଜର୍ମାନ୍‌ ଭାଷାରେ ଟିକିଏବି ଜ୍ଞାନ ନଥିଲା । ଆଉ ସେଇଠି ଇଂଲିଶ୍‌ ଭାଷା ସାହାଯ୍ୟରେ କାମବି ଚଳିବାର ନଥିଲା ।

 

ସେଇ ବିଶ୍ୱବିଦ୍ୟାଳୟରେ ନିୟମ ଥିଲା–ଛାତ୍ର ନିଜର ଅଧ୍ୟାପକ ତଥା ପରୀକ୍ଷକ ନିଜେ ବାଛିବେ । ସେତେବେଳେ ସେଇ ବିଶ୍ୱବିଦ୍ୟାଳୟରେ ଜଣେ ଅର୍ଥଶାସ୍ତ୍ର ଥିଲେ–ପ୍ରଫେସର୍ ବର୍ନର ଜୋମ୍ୱାର୍ଟ । ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ଅର୍ଥଶାସ୍ତ୍ରବିତ୍‌ରୂପେ ଲୋହିଆ ତାଙ୍କ ନାଁଟାକୁ ବହୁ ଆଗରୁ ଶୁଣିଥିଲେ । ଲୋହିଆ ତାଙ୍କୁହିଁ ନିଜର ଅଧ୍ୟାପକରୂପେ ବାଛିଲେ । ବର୍ତ୍ତମାନ ନିୟମ ଅନୁସାରେ ତାଙ୍କୁ ନିଜର ଅଧ୍ୟାପକଙ୍କ ସହ ଦେଖା କରିବାର କଥା । ସେ ପ୍ରଫେସର୍ ଜୋମ୍ୱାର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ତାଙ୍କର କେତୋଟି ପ୍ରଶ୍ନକୁ ଜର୍ମାନ୍‌ ଭାଷାରେ ଅନଭିଜ୍ଞତା ଯୋଗୁଁ ଲୋହିଆ ଇଂରାଜୀରେହିଁ ଉତ୍ତର ଦେଲେ । ଶୁଣିସାରି ପ୍ରଫେସର୍ ଜୋମ୍ୱାର୍ଟ ମୃଦୁ ମୃଦୁ ହସିଲେ ଏବଂ ଜର୍ମାନ୍‌ ଭାଷାରେ କହିଲେ–‘‘ମୁଁ ତ ଇଂରେଜୀ ଜାଣେନି ।’’ ଏକଥା ଶୁଣି ଲୋହିଆ ଖୁବ୍‌ ଦୁଃଖିତ ହେଲେ । ତାଙ୍କର ମନେହେଲା ଯେ ଏଇ ବିଶ୍ୱବିଖ୍ୟାତ ଜର୍ମାନ୍‌ ଅର୍ଥଶାସ୍ତ୍ରବିତ୍‌ ଇଂରେଜୀ ମାଧ୍ୟମକୁ ଆଦୌ ପସନ୍ଦ କରନ୍ତିନି । ଲୋହିଆ କହିଲେ–‘‘ମୁଁ ଆଉ ତିନି ମାସ ପରେ ଆପଣଙ୍କୁ ଦେଖା କରିବି ।’’

 

ତା’ପରେ–ତିନି ମାସ ଭିତରେ ଲୋହିଆ ଜର୍ମାନ୍‌ ଭାଷାରେ ଏତେଦୂର ଅଭ୍ୟସ୍ତ ହୋଇଗଲେ ଯେ ମନେହେଲା ସେ ଯେମିତି ବର୍ଷ ବର୍ଷ ଧରି ଜର୍ମାନୀରେ ରହି ଆସିଛନ୍ତି ।

 

ତିନି ମାସ ପରେ ଯେତେବେଳେ ଲୋହିଆ ଯାଇ ପ୍ରଫେସର୍ ଜୋମ୍ୱାର୍ଟଙ୍କ ସହ ଜର୍ମାନ୍‌ ଭାଷାରେ କଥାବାର୍ତ୍ତା କଲେ, ପ୍ରଫେସର୍ ଅବାକ୍‌ ହୋଇଗଲେ । ଲୋହିଆଙ୍କର ନିଜ କାର୍ଯ୍ୟ ପ୍ରତି ଏତେଦୂର ନିଷ୍ଠା ଦେଖି ସେ ଖୁବ୍‌ ଖୁସି ହୋଇଗଲେ ।

 

ସେତେବେଳେ ଜର୍ମାନୀ ଦେଶର ପରିସ୍ଥିତି ସଙ୍କଟଜନକ ଥିଲା । ଆର୍ଥିକ ଦୃଷ୍ଟିରୁ ଜର୍ମାନୀର ଅବସ୍ଥା ଅତିଶୟ ଶୋଚନୀୟ ଥିଲା । ବେକାରି ଏବଂ ଦରଦାମ୍‍ ଖୁବ୍‌ ବଢ଼ି ଯାଇଥିଲା । ସମସ୍ତ ଜନତା ବେକାରି ଏବଂ ଦରଦାମ୍‍ ବୃଦ୍ଧି ଯୋଗୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ବିଭିନ୍ନ ବିଚାରସଂପନ୍ନ ଅନେକ ରାଜନୈତିକ ଦଳ ଭିତରେ ଆପୋସ ଝଗଡ଼ା ଚରମ ସୀମାରେ ପହଞ୍ଚି ଯାଇଥିଲା । ଜର୍ମାନୀର ରାଜନୀତି ପ୍ରତି ମୁହୂର୍ତ୍ତରେ ବଦଳି ବଦଳି ଯାଉଥିଲା । ହିଟ୍‌ଲରଙ୍କ ଅଭ୍ୟୁତ୍‌ଥାନ ହୋଇ ସାରିଥିଲା ଓ ଲାଞ୍ଛିତ ଜର୍ମାନ୍‌ ଜାତି ଉପରେ ତାଙ୍କର ପ୍ରଭାବ କ୍ଷିପ୍ରତାର ସହ ବଢ଼ି ବଢ଼ି ଯାଉଥିଲା ।

 

ଏଣେ ସେତେବେଳକୁ ନିଜ ଦେଶ ଭାରତବର୍ଷରେ ରାଜନୈତିକ ବାତାବରଣ ଖୁବ୍‌ ସରଗରମ ଥିଲା । ୧୯୩୦ ସାଲର ଆରମ୍ଭରେହିଁ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱର ଲବଣ–ଆଇନ ଭଙ୍ଗ ତଥା ସବିନୟ ଅବଜ୍ଞା ଆନ୍ଦୋଳନ (ସିବିଲ୍‌ ନାଫରମାନି) ଆରମ୍ଭ ହୋଇ ଯାଇଥିଲା ।

 

ସେଇ ବର୍ଷ–ମାର୍ଚ୍ଚ ୧୨ ତାରିଖ ଦିନ–ମହାତ୍ମା ଗାନ୍ଧି ନିଜର ପ୍ରସିଦ୍ଧ ଦାଣ୍ଡି ଯାତ୍ରା ଆରମ୍ଭ କରିଦେଲେ ଏବଂ ପୂରା ଅଢ଼େଇ ଶହ ମାଇଲ ପାଦରେ ଚାଲି ଚାଲି ଯାଇ ଅପ୍ରେଲ ଛ’ ତାରିଖ ଦିନ ସମୁଦ୍ରକୂଳରେ ଲୁଣ ମାରି ‘ଲବଣ–ଆଇନ’ ଭଙ୍ଗ କଲେ ।

 

ଏହାର ତତ୍‌କାଳୀନ ପ୍ରଭାବ କେବଳ ଏତିକି ହେଲା ଯେ ସମଗ୍ର ଦେଶରେ ଲବଣ–ଆଇନ ଭଙ୍ଗ ହେବାକୁ ଲାଗିଲା । ଲୋକେ ଲୁଣ ମାରି ମାରି ଜେଲ ଯିବାକୁ ଲାଗିଲେ । କେବଳ ଏତିକି ନୁହେଁ, ଇଂରେଜମାନେ ସତ୍ୟାଗ୍ରହୀଙ୍କୁ ହିଂସାତ୍ମକ କାଣ୍ଡ କାରଖାନାରୁ ନିବୃତ୍ତ କରିବାପାଇଁ ଅସଫଳ ଚେଷ୍ଟା ଚଳାଇଲେ । ଦେଶ ଭିତରେ ଅନେକ ସ୍ଥାନରେ ଇଂରେଜ ସରକାର ଅସ୍ତ୍ର–ଶସ୍ତ୍ରବିହୀନ ଅହିଂସକ ସତ୍ୟାଗ୍ରହୀଙ୍କ ଉପରେ ଲାଠି ଚଳାଇବାକୁ ଲାଗିଲେ । ଧାରାସନା ନାମକ ଗୋଟିଏ ସ୍ଥାନରେ ମହିଳା ସତ୍ୟାଗ୍ରହୀ ସରୋଜିନୀ ନାଇଡ଼ୁଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରୁଥିବା ଦେଶସେବକଙ୍କ ଉପରେ ପୋଲିସ୍ ଏପରି ନିର୍ମମ ଭାବରେ ମାଡ଼ ଦେଲେ ଯେ ସେମାନେ ସବୁ ବେହୋସ ହୋଇଗଲେ । ଏଇ ଧାରାସନା ସତ୍ୟାଗ୍ରହର ପ୍ରଥମ ଦଳରେ ପୋଲିସ୍‍ଦ୍ୱାରା ଯେଉଁମାନେ ଅତ୍ୟାଚାରିତ ହୋଇଥିଲେ, ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ହୀରାଲାଲ ଲୋହିଆ-

 

ହୀରାଲାଲ ଦେଶର ସମସ୍ତ ପରିସ୍ଥିତି ତଥା ଧାରାସନା ସତ୍ୟାଗ୍ରହର ଆଖିଦେଖା ତଥା ଅଙ୍ଗେ ନିଭେଇଥିବା ବିବରଣୀସବୁ ବିସ୍ତାରପୂର୍ବକ ବର୍ଣ୍ଣନା କରି ନିଜ ପୁଅ ରାମମନୋହରଙ୍କ ପାଖକୁ ଗୋଟାଏ ଚିଠି ଲେଖିଥିଲେ ।

 

ଜର୍ମାନୀର ତତ୍‌କାଳୀନ ରାଜନୀତି ପରିସ୍ଥିତିର ସଙ୍କଟଜନକ ଅବସ୍ଥା ଭିତରେ ପଡ଼ିରହିଥିବା ଗୋଟାଏ ସ୍ୱାଭିମାନୀ ଦେଶଭକ୍ତ ଯୁବକ ଲୋହିଆଙ୍କ ମନରେ ନିଜ ପିତାଙ୍କ ଚିଠି ପଢ଼ି କିଭଳି ପ୍ରତିକ୍ରିୟା ଯେ ସୃଷ୍ଟି ହୋଇଥିବ, ତା’ ସହଜରେ ଅନୁମାନ କରିବା କଥା । ସାତ ସମୁଦ୍ର ସେପାରିରେ....ଗୋଟାଏ ବିଦେଶୀ ଛାତ୍ରାବାସ ଭିତରେ ପଡ଼ି ରହିଥିବା ଗୋଟାଏ ଭାରତୀୟ ଯୁବକ–୨୩ ମାର୍ଚ୍ଚରେ ଲାହୋରଠାରେ ଭଗତ ସିଂହ ଭଳି ଗୋଟାଏ ଦେଶଭକ୍ତ ବୀରକୁ ଫାଶି ଦିଆଯାଇଥିବା ଖବର ପଢ଼ି ଯେ ଆଗରୁ କ୍ଷୁବ୍ଧ ହୋଇ ବସିଥିଲା–ତା’ ମନରେ ଧାରାସନାର କାଣ୍ଡକାରଖାନା ସମ୍ୱାଦ ହଠାତ୍‌ ହାହାକାର ସୃଷ୍ଟି କରିଦେଲା ।

 

ମନଭିତରେ ଉଠିଥିବା ଏଇ ହାହାକାର ଏବଂ କ୍ଷୁବ୍ଧ ବାତାବରଣର ପ୍ରତିକ୍ରିୟାକୁ ପ୍ରଦର୍ଶନ କରିବାପାଇଁ ସାଙ୍ଗେ ସାଙ୍ଗେ ଅବସର ମଧ୍ୟ ମିଳିଗଲା ।

 

ସେତେବେଳେ ଦେଶଗୁଡ଼ିକରେ ଗୋଟାଏ ସଂଘ ଥିଲା–ଲିଗ୍‌ ଅଫ୍ ନେସନ୍‌ସ (League of Nations) । ଏଇ ସଂଘର ବୈଠକ କେବଳ ଇଂରେଜଙ୍କ ମିତ୍ର ରାଷ୍ଟ୍ରଗୁଡ଼ିକ ଭିତରେ ବସୁଥିଲା । ଠିକ୍‌ ସେତେବେଳେ ଲିଗ୍‌ ଅଫ୍‌ ନେସନ୍‌ର ବୈଠକ ଜେନେଭାରେ ହେଉଥିଲା-। ଇଂରେଜଙ୍କ ଖୋସାମତିଆ ରାଜା–ମହାରାଜାଙ୍କ ମୁଖ୍ୟ ବିକାନୀର ମହାରାଜା ସେଇ ବୈଠକରେ ଇଂରେଜ ଭାରତୀୟ ସରକାରଙ୍କ ପ୍ରତିନିଧିତ୍ୱ କରୁଥିଲେ ଏବଂ ସେଇ ସଭାରେ ସେ ଭାରତ ସମ୍ୱନ୍ଧରେ ଇଂରେଜ ମାଲିକମାନେ ଘୋଷେଇଥିବା ବକ୍ତବ୍ୟକୁ ଶୁଆ ଭଳି ପଢ଼ି ଯାଉଥିଲେ-

 

କିନ୍ତୁ ବାସ୍ତବ ଘଟଣା ଏଇଆ ଥିଲା ଯେ ଭାରତର କ୍ରାନ୍ତିକାରୀ ପରିସ୍ଥିତି ଦିନକୁଦିନ ସରଗରମ ହୋଇ ଆସୁଥିଲା, ଲୋକମାନେ ଇଂରେଜ ବିରୁଦ୍ଧରେ ଲଢ଼ିବାରେ ବ୍ୟସ୍ତ ଥିଲେ; କିନ୍ତୁ ଏଣେ ସଂଘର ବୈଠକରେ ଭାରତର ଗୋଲାମି ପ୍ରତିନିଧି ମହାରାଜା ବିକାନୀର ଏଇଆ କହି ଦୁନିଆ ଆଖିରେ ଧୂଳି ଦେଇଥିଲେ ଯେ ଭାରତରେ ବର୍ତ୍ତମାନ ଦୁଧର ନଦୀ ବହୁଛି ।

 

ବର୍ଲିନ୍‌ରେ ଯୁବକ ରାମମନୋହର ଯେତେବେଳେ ଏଇ ବିଶ୍ୱାସଘାତକତା ଖବରକାଗଜଗୁଡ଼ିକରୁ ପଢ଼ିଲେ, ସେ ଏଇ ମିଥ୍ୟା ସମ୍ୱାଦର ଆବରଣ ଖୋଲିଦେବା ପାଇଁ ଛଟପଟ ହେବାକୁ ଲାଗିଲେ । ସାଙ୍ଗେ ସାଙ୍ଗେ ଲୋହିଆ ଠିକ୍‌ କଲେ–ଲିଗ୍‍ର ବୈଠକ ଚାଲିଥିବାବେଳେ ସଭାଗୃହ ଭିତରେ ବିକ୍ଷୋଭ କରିବାକୁ ହେବ; କିନ୍ତୁ ଲିଗ୍‌ର ବୈଠକକୁ ଦର୍ଶକ ହିସାବରେ ଗାଲେରୀ ପର୍ଯ୍ୟନ୍ତ ଯିବା ତାଙ୍କ ପକ୍ଷରେ ଆଦୌ ସହଜସାଧ୍ୟ ନଥିଲା । ବହୁ ଚେଷ୍ଟା କରି ମଧ୍ୟ ସଭାଗୃହ ଭିତରକୁ ଯିବାପାଇଁ ସେ ଯୋଗାଡ଼ କରିପାରିଲେନି ।

 

ସେଇଠି ଲୋହିଆଙ୍କର ଜଣେ ସହପାଠୀ ମଧ୍ୟ ଥିଲେ–ଗୋଆନିବାସୀ ଜୁଲିଓସ୍‌ ମେନେଜି ।

 

ଲୋହିଆ ତାଙ୍କୁବି ଏଇ ଅଭିଯାନରେ ସହକର୍ମୀ କରିନେଲେ । ଲିଗ୍‌ ଦପ୍ତରରେ କାମ କରୁଥିବା ଜଣେ ଭାରତୀୟଙ୍କ ସନ୍ଧାନ ମିଳିଲା । ତାଙ୍କୁ ନିଜର ଯୋଜନା ସମ୍ୱନ୍ଧରେ କିଛି ନ କହି ଲୋହିଆ ଏବଂ ମେନେଜିସ୍‌ କେବଳ ବୈଠକର କାର୍ଯ୍ୟକଳାପ ଦେଖିବାପାଇଁ ତୀବ୍ର ଇଚ୍ଛା ପ୍ରକାଶ କଲେ ।

 

ଦପ୍ତରର ସେଇ ଭାରତୀୟ ବାବୁ ଜଣକ କୌଣସିମତେ ଦି’ଜଣକ ପାଇଁ ପାସ୍‍ର ବ୍ୟବସ୍ଥା କରିଦେଲେ । ବୈଠକ ସମୟରେ ଦୁଇ ବନ୍ଧୁ ଚୁପ୍‌ଚାପ୍‌, ସାଧାରଣ ଭାବରେ ଯାଇ ସଭାଗୃହରେ ଉପର କକ୍ଷରେ ଦର୍ଶକଙ୍କ ସ୍ଥାନରେ ବସିଗଲେ । ଭାରତୀୟ ପ୍ରତିନିଧି ମହାରାଜ ବିକାନୀର ଯେମିତି ଉଠି କହିବାକୁ ଆରମ୍ଭ କଲେ ଏବଂ ବିଶ୍ୱର ସମସ୍ତ ଦେଶର ପ୍ରତିନିଧିମାନଙ୍କୁ ଇଂରେଜୀ ରାଜତ୍ୱରେ ଭାରତର ସୁଖସମୃଦ୍ଧିର ମିଥ୍ୟା ବର୍ଣ୍ଣନା ଶୁଣାଇବାକୁ ଲାଗିଲେ, ତାଙ୍କୁ ବାଧା ଦେବାପାଇଁ ଏବଂ ସଭାର ଧ୍ୟାନ ଭଙ୍ଗ କରିବାପାଇଁ ଲୋହିଆ ସାଙ୍ଗେ ସାଙ୍ଗେ ଦର୍ଶକ ଗାଲେରୀରୁ ସିଟି ମାରିବାକୁ ଲାଗିଲେ ।

 

ଲିଗ୍‌ ଅଫ୍‌ ନେସନ୍‍ସର ବୈଠକ ଗୃହ ଗୋଟାଏ ବିକ୍ଷୁବ୍ଧ ଭାରତୀୟ ଯୁବକର ସିଟି ଶବ୍ଦ ଶୁଣି ଚମକି ଉଠିଲା । ଏହା ଏକ ଅଭୂତପୂର୍ବ ଏବଂ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା । ଯେଉଁଠି–ଯେଉଁ ସଭାଗୃହରେ ଆଲପିନ୍‌ ପଡ଼ିବା ଶବ୍ଦ ଶୁଣାଯିବା ମଧ୍ୟ କଷ୍ଟସାଧ୍ୟ, ଯେଉଁଠି ପତ୍ରବି ହଲେନି, ସେଇଠି ଜଣେ ବ୍ୟକ୍ତିଙ୍କ ଭାଷଣରେ ବାଧା ସୃଷ୍ଟି କରିବାକୁ ଏତେ ସାହସର ସହ ସିଟି ମାରିବା ବାସ୍ତବିକ ଏକ ଗଭୀର ଘଟଣା ଥିଲା ।

ସିଟିର ଶବ୍ଦ ହେବା ସାଙ୍ଗେ ସାଙ୍ଗେ ସମଗ୍ର ସଭାଗୃହ ଭିତରେ ନୀରବତା ଛାଇଗଲା । ଅଧ୍ୟକ୍ଷ ଚକିତ ଦୃଷ୍ଟିରେ ଦର୍ଶକ ଗାଲେରୀ ଆଡ଼କୁ ଚାହିଁଲେ ଏବଂ କେଜାଣି କାହିଁକି ତାଙ୍କୁ ହସ ମାଡ଼ିଲା । କିନ୍ତୁ ସାଙ୍ଗେ ସାଙ୍ଗେ ତାଙ୍କୁ ତାଙ୍କ ପଦ–ପଦବୀର ଖିଆଲ ଆସିଲା ଏବଂ ମହାରାଜଙ୍କ ଭାଷଣରେ ବାଧା ଦେଇଥିବା ଏବଂ ତାଙ୍କୁ ଅପମାନ କରୁଥିବା ଯୁବକକୁ ବାହାର କରିଦେବାକୁ ସେ ଆଦେଶ ଦେଲେ ।

ପହରାଦାର ଦଉଡ଼ି ଆସି ଲୋହିଆଙ୍କୁ ଘେରିଗଲେ । କିନ୍ତୁ ଏତେ ସହଜରେ ସେଇଠୁ ଲୋହିଆଙ୍କୁ ବାହାର କରିଦେବା କ’ଣ ସମ୍ଭବପର ଥିଲା ? ଭାରତ ଭଳି ତ ଆଉ କୌଣସି ଦେଶ ନଥିଲା ଯେ ଆଦେଶ ମିଳିବାକ୍ଷଣି ସିପାହୀ କାନ ଧରି ବାହାର କରିଦିଅନ୍ତେ ।

ପହରାଦାର ଆସି ଲୋହିଆଙ୍କୁ ଫ୍ରାନ୍‌ସିସ୍‌‌ ଭାଷାରେ କହିଲା । ଲୋହିଆଙ୍କୁ ସମୟ ଗଡ଼େଇବା ପାଇଁ ସୁଯୋଗ ମିଳିଗଲା । ଲୋହିଆ ହିନ୍ଦୀରେ କିଛି କହିଲେ । ପହରାଦାର ବା ହିନ୍ଦୀ ବୁଝନ୍ତା କ’ଣ ! ସେ ଇଂରେଜୀରେ ଲୋହିଆଙ୍କୁ ବୁଝେଇବାକୁ ଚେଷ୍ଟା କଲା । ଏଥରବି ଲୋହିଆ ହିନ୍ଦୀରେହିଁ ଉତ୍ତର ଦେଲେ । ଏଭଳି ଅଜଣା ଭାଷା ମାଧ୍ୟମରେ ନ ବୁଝିଲା ଭଳି ଅଭିନୟ କିଛି ସମୟ ଧରି ଚାଲିଲା । ପରେ ପରେ ଯେତେବେଳେ ଏକଥା ସୁରକ୍ଷା ଅଧିକାରୀମାନେ ଜାଣିଲେ ଯେ ଦୁଇଜଣ ଭାରତୀୟ ଯୁବକ କେବଳ ଇଂରେଜୀ, ଫରାସୀ ନୁହେଁ, ଜର୍ମାନ୍‌ ଭାଷା ମଧ୍ୟ ଭଲଭାବରେ ଜାଣନ୍ତି, ସେମାନେ ବିଗିଡ଼ିଯାଇ ଲୋହିଆ ଏବଂ ମେନେଜିସ୍‌ଙ୍କୁ ସଭାଗୃହ ଭିତରେ ବାହାର କରିଦେଲେ ।

ଲୋହିଆଙ୍କୁ ଏତିକିରେହିଁ ସନ୍ତୋଷ ମିଳିଲାନି । ସେ ଆଉ ଗୋଟାଏ ଉପାୟ ଚିନ୍ତା କଲେ । ତା’ ଆରଦିନ ବୈଠକ ଆରମ୍ଭ ହେବା ଆଗରୁ ଲିଗ୍‌ର ବୈଠକରେ ସେଦିନର ଅଧ୍ୟକ୍ଷ ରୁମାନିୟାର ପ୍ରତିନିଧି ଟିଟଲେସ୍‌ମୁଙ୍କୁ ଏକ ଖୋଲା ଚିଠି ଲେଖିଲେ ଏବଂ ସେଇ ଚିଠିଟିକୁ ସେ ପ୍ରକାଶ କରିବାପାଇଁ ଖବରକାଗଜମାନଙ୍କୁ ପଠାଇଦେଲେ । ପ୍ରାୟ ଅଧିକାଂଶ ଖବରକାଗଜ ସେଇ ଚିଠିଟିକୁ ପ୍ରକାଶ କଲେ ନାହିଁ, କିନ୍ତୁ ‘‘ଲୁତ୍ରାବୈ ହ୍ୟିମେନାଇଟ୍‌’’ ନାମକ ଖବରକାଗଜ ତାକୁ ଛାପିଦେଲା । ଲୋହିଆ ସାଙ୍ଗେ ସାଙ୍ଗେ ସେଇ ଖବରକାଗଜରୁ ଗୁଡ଼ାଏ କପି କିଣି ପକାଇଲେ ଏବଂ ବୈଠକ ଆରମ୍ଭ ହେବା ପୂର୍ବରୁ ଲିଗ୍‌ର ସଭାଗୃହ ସାମ୍ନାରେ ଛିଡ଼ା ହୋଇ ଭିତରକୁ ଯାଉଥିବା ସମସ୍ତ ସଭ୍ୟଙ୍କ ଭିତରେ ଖଣ୍ଡିଏ ଖଣ୍ଡିଏ ବାଣ୍ଟିଦେଲେ । ଅଧ୍ୟକ୍ଷଙ୍କ ନାଁରେ ସେଇ ଚିଠିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରୁଥିବା ବିକାନୀର ମହାରାଜାଙ୍କୁ ହେଉଛନ୍ତି ଇଂରେଜମାନଙ୍କର ଦଲାଲ ଏବଂ ସେ ଯାହା ଏଇଠି କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ମିଥ୍ୟା ପ୍ରଚାର ଛଡ଼ା ଆଉ କିଛି ନୁହେଁ । ଭାରତୀୟ ଜନତା ଇଂରେଜମାନଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି, ବରଂ ବିଦ୍ରୋହ କରିବାପାଇଁ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ।

ଏହି କାର୍ଯ୍ୟ କରି ଲୋହିଆ ‘ଲିଗ୍‌’ର ବୈଠକରେ ଖୁବ୍‌ ହଇଚଇ ସୃଷ୍ଟି କରିଦେଲେ । ମହାରାଜଙ୍କ ବକ୍ତବ୍ୟ ବନ୍ଦ ହୋଇଗଲା ଏବଂ କେତେକାଂଶରେ ଇଂରେଜମାନଙ୍କୁ ବ୍ୟଙ୍ଗ–ବିଦ୍ରୂପରେ ଉଡ଼େଇ ମଧ୍ୟ ଦିଆଗଲା ।

 

ଅତି ସ୍ୱାଭାବିକ କଥା–ଭାରତୀୟ ଖବରକାଗଜଗୁଡ଼ିକରେ ଏହି ଘଟଣାର ବର୍ଣ୍ଣନା ଛାପି ଦିଆଗଲା । ଭାରତବାସୀଙ୍କ ଦୃଷ୍ଟି–ବିଦେଶରେ ଏ ପ୍ରକାରର ନିର୍ଭୀକତାପୂର୍ବକ ଭାରତର ପକ୍ଷ ପ୍ରସ୍ତୁତ କରୁଥିବା ସେଇ ଯୁବକଙ୍କ ଉପରେ ପଡ଼ିବା ମଧ୍ୟ ଅତି ସ୍ୱାଭାବିକ ଥିଲା ।

 

ଏହି ଘଟଣାଦ୍ୱାରା ଲୋହିଆଙ୍କ ପ୍ରତି ସମସ୍ତ ଭାରତୀୟଙ୍କ ଦୃଷ୍ଟି ଆକର୍ଷିତ ହୋଇଉଠିଲା-

 

ଏହି ଘଟଣା ସମୟରେ ଲୋହିଆ ଅତିଶୟ ଉତ୍ତେଜିତ ମାନସିକ ଅବସ୍ଥାରେ ରହୁଥିଲେ-

 

ସେ ସମୟର ଆଉ ଏକ ଘଟଣା । ଦିନେ ଲୋହିଆ ମୋଟରରେ ବସି ବୁଲିବାକୁ ବାହାରିଥିଲେ । ସହର ବାହାରକୁ ଯାଇ ସେ ଅତି ଆନନ୍ଦର ସହିତ ଘଣ୍ଟାକୁ ସତୁରି–ଅଶୀ ମାଇଲ ବେଗରେ ଗାଡ଼ି ଚଳାଇବାକୁ ଲାଗିଲେ । ଠିକ୍‌ ସେତିକିବେଳେ ସାମ୍ନାରୁ ଆସୁଥିବା ଗୋଟାଏ ଠେଲାଗାଡ଼ି ସହିତ ଧକ୍କା ହୋଇଗଲା । ସାମ୍ନାରୁ ବିନା ଆଲୁଅରେ ଠେଲା ଭୁଲ ରାସ୍ତାରେ ଆସୁଥିଲା । ସେଇ ଠେଲାରେ ଜଣେ କୃଷକ ପରିବା ବୋଝେଇ କରି ଆଣୁଥିଲା । ଧକ୍କା ହେବା ସାଙ୍ଗେ ସାଙ୍ଗେ ପନିପରିବାଗୁଡ଼ିକ ଏଣେତେଣେ ବିଛେଇ ହୋଇ ପଡ଼ିଗଲା ଏବଂ ଠେଲା ଉପରେ ବସିଥିବା କୃଷକର ବୁଢ଼ୀମା ମଧ୍ୟ ତଳେ ପଡ଼ିଗଲା । କିନ୍ତୁ କାହାରି କିଛି ଗଭୀର ଆଘାତ ଲାଗିଲାନି-। ମାତ୍ର କୃଷକଟି ଅସମ୍ଭବ ଭାବରେ ରାଗି ଉଠିଲା । ଅତି କଟୁ ଭାଷାରେ ସେ ନିଜର କ୍ରୋଧ ପ୍ରକାଶ କରିବାକୁ ଯାଇ କହିଲା, ‘‘ମୋ ଭଳି ଗୋଟାଏ ଗରିବ କୃଷକର ତମେ ବିସ୍ତର କ୍ଷତି କରିଛ-। ମୁଁ ବର୍ତ୍ତମାନ ପୋଲିସ୍‌କୁ ଡାକିବି । ଯେତେବେଳ ପର୍ଯ୍ୟନ୍ତ ମୁଁ ପୋଲିସ୍‌ ନେଇ ନ ଆସିଛି, ସେତେବେଳ ପର୍ଯ୍ୟନ୍ତ ତୁମକୁ ଏଇଠି ରହିବାକୁ ପଡ଼ିବ । ଯଦି ତୁମେ ରହିବନି ମୁଁ ତୁମର ମୁଣ୍ଡ ଫଟେଇଦେବି । କୁହ, ରହିଥିବ କି ନା ?’’

 

ଲୋହିଆ ନିର୍ଭୟ ସହକାରେ କହିଲେ, ‘‘ହଁ ହଁ, ନିଶ୍ଚୟ ରହିବି । କିନ୍ତୁ ଅଧଘଣ୍ଟାରୁ ଅଧିକ ନୁହେଁ । ପୋଲିସ୍‌‌କୁ ନେଇଆସିବା ପାଇଁ ଏତିକି ସମୟ ତୁମପାଇଁ ଯଥେଷ୍ଟ ହବ ।’’

 

‘‘ଆଚ୍ଛା ଠିକ୍‌, ଅଛି’’ କହି କୃଷକଟି ପୋଲିସ୍‌ ଡାକିବାପାଇଁ ଚାଲିଗଲା । ତା’ ମୁଣ୍ତରେ ଏକଥା କେଜାଣି କାହିଁକି ଢୁକିଲାନି ଯେ ରହିବାକୁ କହି ମଧ୍ୟ ଜଣେ ଚାଲିଯାଇପାରେ । ପୁଣି ଯିଏ ଚାଲିଯିବ, ତା’ ମୁଣ୍ତକୁ ବା ସେ ଫଟେଇବ କିପରି !

 

କୃଷକଟି ଚାଲିଗଲା । ଲୋହିଆ ସେଇଠି ଛିଡ଼ା ହୋଇ ଅପେକ୍ଷା କରିବାକୁ ଲାଗିଲେ। ଦଶ ମିନିଟ୍‌, ପନ୍ଦର ମିନିଟ୍‌.... । କୃଷକ ବା ପୋଲିସ୍‌ର ତଥାପି ଦେଖା ନାହିଁ । ଅନ୍ୟାନ୍ୟ ବାଟୋଇମାନେ କହିଲେ ଯେ ତା’ ଅପେକ୍ଷାରେ ରହିବା ମୂର୍ଖତା ଛଡ଼ା ଆଉ କିଛି ନୁହେଁ । କିନ୍ତୁ ଲୋହିଆ କହିଲେ, ‘‘ନା, ମୁଁ ଅଧଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି, ସେତିକି ସମୟ ପର୍ଯ୍ୟନ୍ତ ମୁଁ ନିଶ୍ଚୟ ରହିବି ।’’

 

ଠିକ୍‌ ଅଧ ଘଣ୍ଟାକ ପରେ କୃଷକଟି ପୋଲିସ୍‌କୁ ଗାଳି ଦେଇ ଦେଇ ଏକୁଟିଆ ଫେରିଆସିଲା । ଆସି ସେ ଲୋହିଆଙ୍କୁ କହିଲା, ‘‘ଦେଖ, ଶାସନ କଳ କେତେ ଖରାପ । ଆଉ ଏ ପୋଲିସ୍‌ ତ ଆହୁରି ବେଶୀ ନିକମା । ଯେତେବେଳେ ପୋଲିସ୍‌ ଦରକାର ହୁଏନି, ସେତେବେଳେ ଲୋକଙ୍କ ଚାରିପାଖେ ଘୂରିବୁଲନ୍ତି, ବ୍ୟକ୍ତିଗତ ଜୀବନ ଭିତରେ ଅଯଥା ହସ୍ତକ୍ଷେପ କରନ୍ତି । କିନ୍ତୁ ଯେତେବେଳେ ଦରକାର ପଡ଼େ, ସେମାନଙ୍କର ପତ୍ତା ମିଳେନି ।’’

 

ଲୋହିଆ ସାଙ୍ଗେ ସାଙ୍ଗେ କୃଷକଟିକୁ ଆଶ୍ୱାସନା ଦେବାକୁ ଯାଇ କହିଲେ, ‘‘ଠିକ୍‌ କହୁଛ-। ଏକଥା କେବଳ ଏଇଠି ନୁହେଁ, ସମଗ୍ର ଦୁନିଆରେ ପୋଲିସ୍‌ର ଚରିତ୍ରହିଁ ସେମିତି ।’’

 

କୃଷକଟିକୁ ନିଜ କଷ୍ଟ ବାଣ୍ଟି ହୋଇଗଲା ଭଳି ଲାଗିଲା । ସେ ଖୁସି ହୋଇଗଲା ଏବଂ ତା’ପରେ ଦୁହିଁଙ୍କ ଭିତରେ ବନ୍ଧୁତା ଜମିଗଲା ।

 

ଲୋହିଆ ସେଇ ଘଟଣା ପରେ ପରେ ମୋଟର ଚଳାଇବା ବିଲ୍‌କୁଲ୍‌ ବନ୍ଦ କରିଦେଲେ-

 

ନିଜର ଭୁଲ ଜାଣିଯିବା ପରେ ତାକୁ ସୁଧାରିନେବା ଲୋହିଆଙ୍କର ଅତି ପୁରୁଣା ଅଭ୍ୟାସ ଥିଲା ।

 

ସେଇ ବର୍ଲିନ୍‌ରହିଁ ଘଟଣା । ଥରେ ସଡ଼କ ଉପରେ ସେ ଅନ୍ୟମନସ୍କ ଭାବରେ ଚାଲି ଯାଉଥିଲେ । ଅଜାଣତରେ ସେ ପକେଟରୁ ଖଣ୍ଡିଏ କାଗଜ ଟୁକୁଡ଼ା ବାହାର କଲେ ଏବଂ ତାକୁ ଅଦରକାରୀ ଭାବି ଚିରି ଫାଡ଼ି ଏଣେତେଣେ ଫିଙ୍ଗିବାକୁ ଲାଗିଲେ । ଜଣେ ପୋଲିସ୍‌ ଦେଖି ତାଙ୍କୁ ସତର୍କ କରିଦେଇ କାଗଜ ଟୁକୁଡ଼ାଗୁଡ଼ିକୁ ଗୋଟାଇବାକୁ କହିଲା । ପ୍ରଥମେ ତ ଲୋହିଆ ରାଗିଗଲେ; କିନ୍ତୁ ପରମୁହୂର୍ତ୍ତରେ ସେ ନିଜର ଭୁଲ ବୁଝିପାରିଲେ । ସେ ରହିଯାଇ ଚୁପ୍‍ଚାପ୍‌ କାଗଜ ଟୁକୁଡ଼ାଗୁଡ଼ିକୁ ଗୋଟେଇବାକୁ ଲାଗିଲେ । ବାଧ୍ୟ ହୋଇ ଶେଷରେ ପୋଲିସ୍‌ ଲୋକେ ତାଙ୍କୁ ସାହାଯ୍ୟ କଲେ ।

 

ବର୍ଲିନ୍‌ ଛାତ୍ରମାନଙ୍କ ଭିତରେ ପାଠ ସାଙ୍ଗେ ସାଙ୍ଗେ ରାଜନୀତିରେ ମଧ୍ୟ ଭାଗ ନେବାର ଅଭ୍ୟାସ ଥିଲା । ସେଇ ବାତାବରଣର ପ୍ରଭାବରେ ଆସି ଲୋହିଆ ମଧ୍ୟ ବର୍ଲିନ୍‍ର ଶିକ୍ଷାକାଳ ସମୟରେ ରାଜନୀତିଠାରୁ ଦୂରରେ ରହିପାରିଲେନି । ତାଙ୍କରି ପ୍ରେରଣାରେ ସେଇଠିକାର ପ୍ରବାସୀ ଭାରତୀୟ ଛାତ୍ରମାନେ ଗୋଟିଏ ସଂସ୍ଥା ଗଠନ କଲେ–‘‘ମଧ୍ୟ–ୟୁରୋପ–ହିନ୍ଦୁସ୍ଥାନୀ ସଂଘ ।’’ ଲୋହିଆ ସେଇ ସଂଘର ମନ୍ତ୍ରୀ ନିଯୁକ୍ତ ହେଲେ । ସମ୍ଭବତଃ ଭାରତ ବାହାରେ ପ୍ରବାସୀ ଯୁବକମାନଙ୍କର ଏହା ପ୍ରଥମ ସଂସ୍ଥା ଥିଲା–ଯାହା କି ଭାରତୀୟ ରାଷ୍ଟ୍ରୀୟତାର ପ୍ରଚାର କାର୍ଯ୍ୟ କରିଥିଲା ।

 

ସେଇ ସମୟରେ ଭାରତରେ ‘‘ଗାନ୍ଧି–ଇର୍‌ଉଇନ୍‌’’ ବୁଝାମଣା ହେଲା । ଏହାର ମିଳିତ ପ୍ରତିକ୍ରିୟା ବିଦେଶରେ ପ୍ରଚାରିତ ହେଲା । ବିଶେଷତଃ ଜର୍ମାନୀ ଏବଂ ମଧ୍ୟ–ୟୁରୋପର କମ୍ୟୁନିଷ୍ଟ ଏହି ବୁଝାମଣାର ତୀବ୍ର ବିରୋଧୀ ଥିଲେ । ସେତେବେଳେ ‘‘ମଧ୍ୟ–ୟୁରୋପ–ହିନ୍ଦୁସ୍ଥାନୀ ସଂଘ’’ର ଏକ ସମ୍ମେଳନର କମ୍ୟୁନିଷ୍ଟମାନେ ଗାନ୍ଧି ଓ ଭାରତର ଭର୍ତ୍ସନା କରି ଗୋଟାଏ ଖରାପ ପ୍ରସ୍ତାବ ଆଗତ କଲେ । ଲୋହିଆ ସେଇ ପ୍ରସ୍ତାବର ଘୋର ବିରୋଧ କରିବା ସାଙ୍ଗେ ସାଙ୍ଗେ ଗାନ୍ଧିଙ୍କର ପକ୍ଷକୁ ଖୁବ୍‌ ସମର୍ଥନ କଲେ । ସେ ସେତେବେଳେ ଗୋଟାଏ ଟାଣୁଆ ଯୁକ୍ତି ବାଢ଼ିଥିଲେ । ଯେତେବେଳେ କୌଣସି ବିଶାଳ ଜନ–ପ୍ରବୃତ୍ତି ପ୍ରକାଶ ପାଏ, ତା’ ବିରୁଦ୍ଧରେ ଅକାରଣ ଯାଇ ଲାଭ କ’ଣ ? ନାଏଗ୍ରା ପ୍ରପାତକୁ ନାଆରେ ପାର ହେବାକୁ ଚେଷ୍ଟା କରୁଥିବା ଲୋକ ଅବଶ୍ୟ ଧ୍ୱଂସ ପାଇବ ।

 

ଲୋହିଆଙ୍କର ଯୁକ୍ତିପୂର୍ଣ୍ଣ ଭାଷଣଦ୍ୱାରା କମ୍ୟୁନିଷ୍ଟଙ୍କର ପ୍ରସ୍ତାବ ରଦ୍ଦ ତ ହୋଇଗଲା; କିନ୍ତୁ ସମ୍ମେଳନ ସରିବା ସାଙ୍ଗେ ସାଙ୍ଗେ ଲୋହିଆ ଏବଂ କମ୍ୟୁନିଷ୍ଟଙ୍କ ଭିତରେ ପ୍ରବଳ ବାକ୍‌ବିତଣ୍ଡା ଚାଲିଲା । ବାଧ୍ୟ ହୋଇ ଲୋହିଆଙ୍କୁ ଅନ୍ୟ କମ୍ୟୁନିଷ୍ଟବିରୋଧ ସଭ୍ୟଙ୍କ ସାଙ୍ଗରେ ଅଲଗା ସଂସ୍ଥା ସ୍ଥାପନ କରିବାକୁ ପଡ଼ିଲା ।

 

ଲୋହିଆ ପାରୁପର୍ଯ୍ୟନ୍ତ ଜର୍ମାନୀର ରାଜନୈତିକ ଜୀବନ ଭିତରେ ଆଗ୍ରହ ସହକାରେ ଭାଗ ନେଉଥିଲେ ।

 

ସହରରେ ଅନୁଷ୍ଠିତ ହେଉଥିବା ସମସ୍ତ ପାର୍ଟି ଭିତରକୁ ସେ ଅବାଧରେ ଯିବା ଆସିବା କରୁଥିଲେ । ସେ ଏମିତି ଚାରୋଟି ସଭାରେ ଅଂଶଗ୍ରହଣ କରିଥିଲେ–ଯେଉଁଠି କି ହିଟ୍‍ଲର୍‌ ଭାଷଣ ଦେଇଥିଲେ ।

 

ସେମିତି ଏକ ସଭାର ଗୋଟାଏ ଘଟଣା । ଥରେ ‘‘ସ୍ପୋଟର୍ସ ପ୍ୟାଲେସ୍’’ ନାମକ ସ୍ଥାନରେ–ଯେଉଁଟି ତିରିଶ ଚାଳିଣ ହଜାର ପର୍ଯ୍ୟନ୍ତ ଲୋକ ବସି ପାରୁଥିଲେ, ସେଇଠି ଟିକେଟ କରି ହିଟ୍‍ଲର୍‌ଙ୍କ ଭାଷଣ ହେବାର ଥିଲା । ଦେଖୁଦେଖୁ ସମଗ୍ର ହଲ୍‌ଟି ଭରପୂର ହୋଇଗଲା । ଲୋହିଆ ସେଇ ସଭାରେ ଯୋଗ ଦେବାପାଇଁ ଆଗରୁ ଟିକେଟ କିଣି ରଖିଥିଲେ; କିନ୍ତୁ ସେ ଯେତେବେଳେ ଠିକ୍‌ ସମୟରେ ଯାଇ ହଲ୍‌ ପାଖରେ ପହଞ୍ଚିଲେ, ଜଣାଗଲା ଯେ ଆଉ ଜାଗା ଖାଲି ନାହିଁ । ପହରା ଦେଉଥିବା ପୋଲିସ୍‌ ତାଙ୍କୁ ହଲ୍‌ ଭିତରକୁ ଛାଡ଼ିଲେନି । ଲୋହିଆ ପୋଲିସ୍‌ ଅଫିସରଙ୍କ ପାଖରେ ନିଜର ଅଭିଯୋଗ ବାଢ଼ିଲେ, ‘‘ଆବଶ୍ୟକତାରୁ ଅଧିକ ଟିକେଟ୍‌ କାହିଁକି ବିକାଗଲା ? ମତେ ଜାଗା ଦିଅନ୍ତୁ । ମୁଁ ବହୁ ଆଗରୁ ଟିକେଟ କିଣିଛି ।’’

 

ପୋଲିସ୍‌ କହିଲା, ‘‘ଭିତରକୁ ତମେ କେବେ ଯାଇ ପାରିବନି । ହଁ, ଅଧିକ ଟିକେଟ୍‌ କାହିଁକି ବିକାଗଲା, ସେ ବିଷୟ ନେଇ ତମେ ଅଧିକାରୀଙ୍କ ନାଁରେ ମକଦ୍ଦମା କରିପାର ।’’

 

ହତାଶ ଲୋହିଆଙ୍କୁ ଗୋଟାଏ ଉପାୟ ମିଳିଗଲା । ତାଙ୍କୁ ମୋଟର କିମ୍ୱା ସବାରିର ମହତ୍ତ୍ୱ ଜଣାଥିଲା । ସଭାସ୍ଥଳରୁ କିଛି ଦୂର ଯାଇ ସେ ଗୋଟାଏ ଟାକ୍‌ସି ଧଇଲେ ଏବଂ ତାକୁ କହିଲେ ସଭାଗୃହ ପାଖରେ ପହଞ୍ଚେଇ ଦେବାକୁ । ସେଇ ଟାକ୍‌ସିରେ ବସି ସେ ସଭାଗୃହର ଦରଜା ପାଖକୁ ଆସିଲେ । ଟାକ୍‌ସିରେ ବସିଥିବାରୁ ପୋଲିସ୍‍ର ଘେର ତ ସୁରୁଖୁରୁରେ ଟପିଗଲେ; କିନ୍ତୁ ଦରଜା ପାଖରେ ଗୁଇନ୍ଦା ପୋଲିସ୍ ତାଙ୍କୁ ଅଟକେଇ ନେଲେ । ଠିକ୍‌ ସେତିକିବେଳକୁ ନାଜି ପାର୍ଟିର ସଭାପତି ପରିଲେ ଶେଫରଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଲା । ସେ ଧାଇଁ ଆସିଲେ ଏବଂ ଲୋହିଆଙ୍କୁ ସଲାମ ବଜେଇଲେ । ଗୁଇନ୍ଦା ଅଫିସର ପ୍ରଶ୍ନବାଚୀ ଦୃଷ୍ଟିରେ ତାଙ୍କୁ ଚାହିଁଲେ । ଶେଫର କହିଲେ, ‘‘ସେ ଆମର ବିଦେଶୀ ପ୍ରତିନିଧି ।’’

 

ତା’ପରେ ଲୋହିଆଙ୍କୁ ସମ୍ମାନ ସହକାରେ ଭିତରକୁ ଛାଡ଼ି ଦିଆଗଲା ।

 

ଏହା ହେବା ସତ୍ତ୍ୱେବି ନାଜି ପାର୍ଟି ସହିତ ଲୋହିଆଙ୍କର ମତ ଖାପିଲାନି । ଜାତିଗତ ବଂଶ–ବୈଭବ ଉପରେ ଛିଡ଼ା ହୋଇଥିବା ନାଜି ପାର୍ଟିକୁ ଲୋହିଆ ଆଦୌ ପସନ୍ଦ କରୁ ନଥିଲେ ।

 

୧୯୩୨ ସାଲରେ ଲୋହିଆ ‘ଲୁଣ ଏବଂ ସତ୍ୟାଗ୍ରହ’ ବିଷୟ ଉପରେ ନିଜର ଗବେଷଣାମୂଳକ–ପ୍ରବନ୍ଧ ଶେଷ କଲେ ଏବଂ ବର୍ଲିନ୍‌ ବିଶ୍ୱବିଦ୍ୟାଳୟରୁ ‘ଡକ୍ଟରେଟ୍’ ଉପାଧି ଲାଭ କଲେ ।

 

ସେଇ ଉପାଧି ପାଇବାର କାହାଣୀଟି ମଧ୍ୟ କିଛି କମ୍‌ କୌତୂହଳର ବିଷୟ ନୁହେଁ । ବର୍ଲିନ୍‌ରେ ଯେଉଁ ପ୍ରଫେସର୍ ଥିଲେ, ସେ ହିଁ ଥିଲେ ପରୀକ୍ଷକ । ଚାରି ଜଣ ପ୍ରଫେସର୍ ଲୋହିଆଙ୍କର ପରୀକ୍ଷା ନେଲେ । ଆଉ ଶେଷ ପରୀକ୍ଷାର ଅନେକ ଦିନ ଆଗରୁ ପ୍ରଫେସର୍ ‘ଶୁମାଖର’ ଲୋହିଆଙ୍କୁ ଡାକି ଖୁବ୍‌ ଗୋପନୀୟ ଭାବରେ କହିଲେ–‘‘ତୁମେ ଆଉ ଏଇଠି ରୁହନି । ହିଟ୍‍ଲର୍‍ବାଦର ବିଜୟ ନିଶ୍ଚିତ ପ୍ରାୟ । ଏଭଳି ବାତାବରଣ ଭିତରେ ତମ ପକ୍ଷରେ ଜର୍ମାନୀରେ ରହିବା ଆଦୌ ଉଚିତ ହେବନି ।’’

 

ଏତକ କହି ଲୋହିଆଙ୍କ ପରୀକ୍ଷାର ନିର୍ଦ୍ଧାରିତ ଦିବସ ପୂର୍ବରୁ ପରୀକ୍ଷାର ଆୟୋଜନ କରିଦେଲେ ।

 

ଏପରି ଭାବରେ ୧୯୩୩ ସାଲ ଆରମ୍ଭ ହେଉ ନ ହେଉଣୁ ‘ଡକ୍ଟରେଟ୍‌’ ଉପାଧି ଲାଭ କରି ରାମମନୋହର ଲୋହିଆ ବର୍ଲିନ୍‌ରେ ବିଦ୍ୟାର୍ଥୀ ଜୀବନ ସମାପ୍ତ କରି ସ୍ୱଦେଶ ଅଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ ।

 

 

ଏଇ ମାନ୍ଦ୍ରାଜ ।

 

ଦର୍ଶନୀୟ ସହର, ସମୃଦ୍ଧିଶାଳୀ ବନ୍ଦର ।

 

ଜର୍ମାନୀରୁ ଆସିଥିବା ଜାହାଜକୂଳରେ ଲାଗିଲା । ସମୁଦ୍ରକୂଳରେ ତରଙ୍ଗର ତାରଲ୍ୟ ନଥିଲା, ଜାହାଜର ଯାତ୍ରୀଙ୍କ ଭିତରେ ଖେଳି ଯାଇଥିଲା ହଇଚଇ ।

 

ସେଇ ଜାହାଜର ଅନ୍ୟାନ୍ୟ ଯାତ୍ରୀ ଜଲଦି ଜଲଦି ଜାହାଜ ଛାଡ଼ିବାପାଇଁ ଅତ୍ୟଧିକ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲେ...ନିଜ ନିଜର ସମ୍ମାନ ସଜଡ଼ାସଜଡ଼ି ତଥା ଗଣାଗଣିରେ ବ୍ୟସ୍ତ ଥିଲାବେଳେ ଶ୍ୟାମଳ ବର୍ଣ୍ଣର...ଗେଡ଼ା.... ପତଳା ଶରୀରଧାରୀ ତଥା ଦୀପ୍ତିମାନ୍‌ ଦେଖା ଯାଉଥିବା ଜଣେ ଭାରତୀୟ ଯୁବକ ଦୁଃଖିତ ମନରେ ଉଦାସର ଭାବ ନେଇ ଜାହାଜର ଛାତ ଉପରେ ରେଲିଂ ଧରି ନିଜ ମାତୃଭୂମି ଭାରତର ମାଟି ଆଡ଼କୁ କ୍ରୋଧମିଶ୍ରିତ ଅକ୍ଷମତା ତଥା ଶୂନ୍ୟ ଚକ୍ଷୁରେ ଛିଡ଼ା ହୋଇ ଚାହିଁ ରହିଥିଲେ ।

 

ସତେ କି ଅଦ୍ଭୁତ ଏ ଯୁବକଟି ! ଶୀଘ୍ର ଶୀଘ୍ର ଜାହାଜ ଛାଡ଼ିବାକୁ ତା’ ମନରେ କ’ଣ କୌଣସି ଆଗ୍ରହ କିମ୍ୱା ବ୍ୟସ୍ତତା ନାହିଁ ? ସେ କାହିଁକି ଆଜି ଏତେଦୂର ଉଦାସ ? ସେ କାହିଁକି ଦୁଃଖୀ ଭଳି ଦେଖାଯାଉଛି ?

 

କିନ୍ତୁ ତାଙ୍କୁ ଏହି କଥା ପଚାରିବା ପାଇଁ ଭଲା ଫୁରୁସତ୍‌ ବା କାହାର ଥିଲା ?

 

ସେଇଠି ସମସ୍ତେ ନିଜର ସାମାନ ସହ ବ୍ୟସ୍ତ; କିନ୍ତୁ ସେଇ ଯୁବକଟି ନିଜର ଅସରନ୍ତି ଭାବନାକୁ ନେଇ ଯେମିତି ବ୍ୟସ୍ତ ।

 

ସେ ନବଯୁବକଟି ଆଉ କେହି ନୁହେଁ, ରାମମନୋହର ଲୋହିଆ । ଦୀର୍ଘ ଚାରିବର୍ଷ କାଳ ଜର୍ମାନୀରେ ବିଦ୍ୟାର୍ଥୀ ଜୀବନ ବିତେଇ ଆଜି ସ୍ୱଦେଶକୁ ଫେରି ଆସିଛନ୍ତି । ଯେତେବେଳେ ଯାଇଥିଲେ ସେତେବେଳେ ସେ ଥିଲେ ବି.ଏ. ପାସ୍ କରିଥିବା ଜଣେ ବିଦ୍ୟାର୍ଥୀ, ମାତ୍ର ଆଜି ଫେରି ଆସିଛନ୍ତି ବର୍ଲିନ୍‌ ବିଶ୍ୱବିଦ୍ୟାଳୟରୁ ‘ଡକ୍ଟରେଟ୍‌’ ଉପାଧି ନେଇ ।

 

ବିଦେଶରୁ ଉଚ୍ଚ ଶିକ୍ଷା ଲାଭ କରି ଫେରିଆସିଥିବା ଏଇ ଯୁବକଟି ଆଜି ପୁଣି ଆଖି ସାମ୍ନାରେ ମାତୃଭୂମିର ବିସ୍ତୀର୍ଣ୍ଣ କୋଳକୁ ଦେଖୁଦେଖୁ ଆତ୍ମବିଭୋର ହୋଇ ଉଠିଛନ୍ତି । ନିଜର ମାତୃଭୂମି ପ୍ରତି ନିଜ କର୍ତ୍ତବ୍ୟ କଥା ଯେମିତି ଆଜି ତାଙ୍କର ମନେ ପଡ଼ିଯାଉଛି ।

 

ତେବେ ସେ ଆନମନା ହୋଇ ଚୁପ୍‌ଚାପ୍‌ ନୀରବରେ ଛିଡ଼ା ନ ହୋଇ ବା କରନ୍ତେ କ’ଣ-? ଜୀବନରେ ‘ନିର୍ଣ୍ଣୟ’ ଆଉ ‘ନିଶ୍ଚୟ’ର ମୁହୂର୍ତ୍ତ ଏମିତି ଭାରୀହିଁ ଜଣାପଡ଼େ ।

 

ପୁଣି ଲୋହିଆ ଭଳି ଜଣେ ପ୍ରବୁଦ୍ଧ ଯୁବକ । ପ୍ରବୁଦ୍ଧ ବ୍ୟକ୍ତି ଯେଉଁ ବିଷୟ ଚିନ୍ତା କରେ, ଟିକିଏ ଗଭୀର ଭାବରେହିଁ ଚିନ୍ତା କରେ ।

 

ତା’ପରେ ଚାରିବର୍ଷ ଜର୍ମାନୀରେ ଲୋହିଆ ଜଣେ ସାଧାରଣ ବିଦ୍ୟାର୍ଥୀ ଜୀବନ କଟାଇ ନଥିଲେ । ସେଇଠି ଲୋହିଆ ରହିଥିଲେ ଆଖି ଏବଂ ମସ୍ତିଷ୍କର ଖିଡ଼ିକି ଖୋଲା ରଖି । ସେ ସେଇଠି ରହି ଜର୍ମାନୀକୁ ଦେଖିଲେ, ଦୁନିଆକୁ ଦେଖିଲେ, ହିଟ୍‌ଲର୍‍କୁ ଦେଖିଲେ, ପଲ୍‌ଟନୀ ଆଡ଼ମ୍ୱର ଦେଖିଲେ, ନାଜି ସଂଘଠନ ଦେଖିଲେ, ଫାସିଷ୍ଟ ଚରିତ୍ର ଦେଖିଲେ ଏବଂ ଆହୁରି ଦେଖିଲେ ଗୋଟାଏ ବର୍ବର ଶକ୍ତିର ଉତ୍ଥାନ ।

 

ଚାରିବର୍ଷର ଅନେକ ସ୍ମୃତି ମସ୍ତିଷ୍କ ଭିତରେ ଯେମିତି ଚେଇଁ ଉଠୁଥିଲା । ମନେ ପଡ଼ୁଥିଲେ ଅନେକ ବନ୍ଧୁ । ଅନେକ ଘଟଣାବି ମନେ ପଡ଼ିଯାଉଥିଲା ।

 

ଆଉ ସେ ସମସ୍ତ ଘଟଣା ଭିତରେ ଅକ୍ଷମତା ସହ ଗୋଟାଏ କ୍ରୋଧ ଯେମିତି ରହି ରହି ଉଛୁଳି ପଡ଼ୁଥିଲା ।

 

ଅକ୍ଷମତା ! ହଁ, ଅକ୍ଷମତା ତ ନିଶ୍ଚୟ ।

 

ଲୋହିଆ ଯେତେବେଳେ ଜର୍ମାନୀରୁ ବାହାରିଥିଲେ, ତାଙ୍କ ପାଖରେ ଥିଲା ଶହ ଶହ ବହିରେ ଭରପୂର କେତୋଟି ବାକ୍‌ସ । କିନ୍ତୁ ଏଇଠି ପହଞ୍ଚିବା ପୂର୍ବରୁ ଖଣ୍ଡିଏ ବହିବି ତାଙ୍କ ପାଖରେ ରହି ପାରି ନଥିଲା । ଜର୍ମାନୀ ସରକାରଙ୍କ ଇଙ୍ଗିତରେ ନତୁବା କେଜାଣି କାହିଁକି ରାସ୍ତାରେହିଁ ତାଙ୍କଠୁଁ ବହିଗୁଡ଼ିକୁ ଛଡ଼େଇ ନିଆଯାଇଥିଲା । କେବଳ ବହିଗୁଡ଼ିକ ନୁହେଁ, ତାଙ୍କର ଅନ୍ୟ ସାମାନଗୁଡ଼ିକ ମଧ୍ୟ ରାସ୍ତାରେ ଜବତ କରି ନିଆଯାଇଥିଲା । ତାଙ୍କ ପକେଟରେ ପଇସାବି ନଥିଲା । ବେଶ୍‌, ଭାରତର ଉପକୂଳରେ....ମାନ୍ଦ୍ରାଜରେ ପହଞ୍ଚିଲାବେଳକୁ ତାଙ୍କ ଦେହରେ ଥିବା କପଡ଼ାତକହିଁ କେବଳ ରହିଥିଲା । ଏପରି ପରିସ୍ଥିତିରେ ସେ ଅନ୍ୟମନସ୍କ ଭାବରେ ଛିଡ଼ା ହୋଇ କିଛି ଚିନ୍ତା କରିବା ତାଙ୍କ ପକ୍ଷରେ ଆଶ୍ଚର୍ଯ୍ୟ ବା କ’ଣ ?

 

ଆଉ ଭାବିବାର କାରଣବି ଥିଲା । ମାନ୍ଦ୍ରାଜରେ ସେ କ’ଣ କରିବେ, ଆଗକୁ କିପରି ଯିବେ ?

 

ଲୋହିଆଙ୍କର ମାନ୍ଦ୍ରାଜରୁ କଲିକତା ଯିବାର ଥିଲା । ହୀରାଲାଲଜୀ କଲିକତାରେ ଥିଲେ-। କିନ୍ତୁ କଲିକତାରେ ପହଞ୍ଚିବେ କିପରି ?

 

କିନ୍ତୁ ଲୋହିଆ ଭଳି ଲୋକ ନୈରାଶ୍ୟପୂର୍ଣ୍ଣ ବାତାବରଣ ଭିତରେ ମଧ୍ୟ କେବେ ହତାଶ ହୁଅନ୍ତିନି । ବାଟ ଖୋଜିହିଁ ନିଅନ୍ତି ।

 

ଜାହାଜରୁ ଓହ୍ଲେଇ ସେ ସିଧାସଳଖ ମାନ୍ଦ୍ରାଜର ପ୍ରସିଦ୍ଧ ଖବରକାଗଜ ‘‘ହିନ୍ଦୁ’’ ଅଫିସ୍‍ରେ ଯାଇ ପହଞ୍ଚିଗଲେ । ସେଇଠୁ ସେ ସିଧା ସମ୍ପାଦକଙ୍କ କକ୍ଷକୁ ଚାଲିଗଲେ । ସେତେବେଳେ ସମ୍ପାଦକ ସେଠାରେ ନଥିଲେ । ହଁ, ଏକ ଉପ–ସମ୍ପାଦକଙ୍କ ସହ ଭେଟ ହେଲା । ସେ ବି ନବଯୁବକ ଥିଲେ । କକ୍ଷ ଭିତରକୁ ହଠାତ୍‌ ନିର୍ଭୟରେ ପଶି ଆସୁଥିବା ଏଇ ନବ–ଯୁବକଙ୍କର ପ୍ରତିଭାରେ ଉଜ୍ଜ୍ୱଳି ଉଠୁଥିବା ଚେହେରା ଆଡ଼କୁ ସେ କୌତୂହଳ ଏବଂ ଉତ୍ସୁକତାର ସହ ଦେଖିବାକୁ ଲାଗିଲେ ।

 

ଲୋହିଆ ସାଙ୍ଗେ ସାଙ୍ଗେ ଧଡ଼ାଧଡ଼ି ଇଂରେଜୀରେ କହିଲେ–‘‘ମୁଁ ଜର୍ମାନୀରୁ ଆସିଚି, ଆପଣଙ୍କୁ ଗୋଟାଏ ଦି’ଟା ଲେଖା ହେବାକୁ ଚାହୁଁଚି ।’’

 

‘‘ଲେଖା କାହିଁ ?’’

 

‘‘କାଗଜ କଲମ ଦିଅନ୍ତୁ, ବର୍ତ୍ତମାନ ଲେଖିଦେବି ।’’

 

‘‘କିନ୍ତୁ କାହିଁକି ?’’

 

‘‘ମୋର ପଇସା ଦରକାର । କଲିକତା ଯିବାର ଅଛି ।’’

 

ସିଧା କଥାର ପ୍ରଭାବ ମଧ୍ୟ ସବୁବେଳେ ସିଧାରେହିଁ ଶେଷ ହୁଏ । ସେ ଚୁପ୍‌ଚାପ୍‌ କାଗଜର ପ୍ୟାଡ଼୍‌ ଏବଂ ଗୋଟାଏ ପେନ୍‌ସିଲ୍‌ ବଢ଼େଇଦେଲେ ।

 

ତାଙ୍କ ଟେବୁଲ ପାଖରେ ବସି ଲୋହିଆ ଲେଖିବାକୁ ଲାଗିଲେ । କାଗଜ ଉପରେ ଲୋହିଆଙ୍କର ହାତ ମେସିନ୍‌ ଭଳି ଚାଲୁଥିଲା । କ୍ଷଣିକପାଇଁ ବିରାମ ନାହିଁ କି ଭାବିବାକୁବି ନାହିଁ । ଯେମିତି କି ଲେଖାର ସମସ୍ତ ସ୍କେଚ୍‌ ଆଗରୁ ମନ ଭିତରେ ଭରି ରହିଥିଲା ।

 

ସେଇ ଉପ–ସମ୍ପାଦକ ଆଶ୍ଚର୍ଯ୍ୟରେ ଏଇ ଯୁବକର ପ୍ରତିଭାକୁ କଳନା କରିବାକୁ ଲାଗିଲେ ।

 

ଏଇ ନିଅନ୍ତୁ, ଲେଖା ଶେଷ ।

 

ଏହା ଭିତରେ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବନ୍ଧୁତାବି ଜମି ଯାଇଥିଲା । ଏଇ ହାତରେ ଲେଖା ଦେଲେ, ସେଇ ହାତରୁ ଲେଖାର ପାରିଶ୍ରମିକବି ମିଳିଲା ପଚିଶ ଟଙ୍କା । ତା’ ସହ ସେଦିନ ସନ୍ଧ୍ୟାରେ ତାଙ୍କ ଘରେ ଖାଇବାକୁ ନୂଆ ବନ୍ଧୁ ଜଣକ ନିମନ୍ତ୍ରଣବି କଲେ । ଲୋହିଆ ଭାବିଲେ, ଯାହାହେଉ, କଲିକତା ପର୍ଯ୍ୟନ୍ତ ଟିକଟ ଖର୍ଚ୍ଚ ତ ମିଳିଗଲା ।

 

ସନ୍ଧ୍ୟାବେଳେ ଲୋହିଆ ନୂଆ ବନ୍ଧୁଙ୍କ ଘରେ ଯାଇ ପହଞ୍ଚିଗଲେ । ନୂତନ ବନ୍ଧୁତ୍ୱ । ବିଦେଶୀ ଶିଷ୍ଟାଚାରକୁ ରକ୍ଷା କରିବାକୁ ଯାଇ ବନ୍ଧୁପତ୍ନୀଙ୍କ ପାଇଁ ଗୋଟାଏ ଭଲ ଫୁଲତୋଡ଼ାବି କିଣି ସାଙ୍ଗରେ ନେଇଗଲେ । କିନ୍ତୁ ବନ୍ଧୁଙ୍କ ଘରେ ପତ୍ନୀ ନଥିଲେ । ଥିଲା ଗୋଟିଏ ଛୋଟ ଝିଅ ।

 

ସେଇଠି ଆକଣ୍ଠ ଭୋଜନ କଲେ । ୟା’ ଭିତରେ ବନ୍ଧୁତାବି ଜମିଗଲା । ତା’ପରେ ନୂଆ ବନ୍ଧୁଙ୍କୁ ତାଙ୍କ ଦୟାପାଇଁ ଧନ୍ୟବାଦ ଦେଇ ଲୋହିଆ ତାଙ୍କଠାରୁ ବିଦାୟ ନେଲେ ।

 

ବାହାରିଲେ କଲିକତା ।

 

ମାନ୍ଦ୍ରାଜ–କଲିକତା ମେଲ ।

 

ଚଞ୍ଚଳ ଗାଡ଼ି...ଗତିବି କ୍ଷିପ୍ର ।

 

ଗାଡ଼ିର ଗତି ଯେତିକି କ୍ଷିପ୍ର ଥିଲା, ତା’ଠୁଁ ଆହୁରି କ୍ଷିପ୍ରତର ଥିଲା ଲୋହିଆଙ୍କର ମସ୍ତିଷ୍କର ଗତି ।

 

ଗାଡ଼ିରେ ସମୟ କଟେଇବା ପାଇଁ ଲୋହିଆ ନିଜ ସାଙ୍ଗରେ ଗୁଡ଼ାଏ ନୂଆ–ପୁରୁଣା ଖବରକାଗଜର ଗୋଟାଏ ବିଡ଼ା ବାନ୍ଧି ନେଇଥିଲେ । ସେଇ ଖବରକାଗଜଗୁଡ଼ିକରୁହିଁ ରାସ୍ତାରେ ଦେଶର ପରିସ୍ଥିତି ତଥା ବାତାବରଣ ସମ୍ୱନ୍ଧରେ ପୂରା ଅନୁମାନ କରି ନେଇଥିଲେ ।

 

ଗୋଲଟେବୁଲ ବୈଠକରୁ ଫେରିଆସିବା ପରେ ପରେ ଗାନ୍ଧିଜୀଙ୍କୁ ଗିରଫ୍ କରି ନିଆଯାଇଥିଲା ।

 

ଦେଶ ଭିତରେ ଦମନ ଏବଂ ଜୋର୍–ଜୁଲୁମର ପୂର୍ଣ୍ଣ ସାମ୍ରାଜ୍ୟ ଥିଲା ।

 

ଭାଇସ୍‌ରାୟ ଲର୍ଡ଼ ଉଇଲିଂଡ଼ନ ପ୍ରତିଜ୍ଞା କରିଥିଲେ–କଂଗ୍ରେସ ଆନ୍ଦୋଳନକୁ ଛଅ ସପ୍ତାହ ଭିତରେ ନଷ୍ଟ କରିଦେବେ ।

 

ଜବାହରଲାଲ ନେହେରୁବି ଜେଲ୍‌ ଭିତରେ ବନ୍ଦୀ ହୋଇ ରହିଥିଲେ ।

 

ଖାଁ ଅବଦୁଲ୍ ଗଫୁର ଖାଁ ମଧ୍ୟ ବର୍ମା ଜେଲରେ ବନ୍ଦୀ ହୋଇ ରହିଥିଲେ ।

 

ଗାନ୍ଧିଜୀ ଗିରଫ୍ ହୋଇଯିବା ପରେ ଦେଶର ନୈରାଶ୍ୟ ଏବଂ ହତାଶର ବାତାବରଣ ଖେଳି ଯାଇଥିଲା ।

 

ଦେଶ ଭିତରେ ଦାରିଦ୍ର୍ୟ ଏବଂ ବେକାରି ତୀବ୍ର ଭାବରେ ବଢ଼ି ଚାଲିଥିଲା ।

 

ଦେଶର କ୍ରାନ୍ତିକାରୀମାନଙ୍କୁ ଗୋଟି ଗୋଟି କରି ଶେଷ କରି ଦିଆଯାଉଥିଲା ।

 

ଅହିଂସ ଆନ୍ଦୋଳନକୁ ଦମନ ରୂପକ କଳାମେଘ ସମ୍ପୂର୍ଣ୍ଣରୂପେ ଢାଙ୍କି ରଖିଥିଲା ।

 

ଏମିତି ଥିଲା ଦେଶର ବାତାବରଣ....ଏମିତି ଥିଲା ପରିସ୍ଥିତି । ଆଉ ଚଳନ୍ତା ଗାଡ଼ିରେ ବସି ଲୋହିଆ ଚିନ୍ତା କରୁଥିଲେ–ଏଇ ଚାରୋଟି ବର୍ଷ ଭିତରେ ଦେଶଟା କେତେଦୂର ବଦଳିଗଲା !

 

ଏପରି ବାତାବରଣ ଭିତରେ ନିଜ ଦେଶକୁ ଫେରିଆସି ଲୋହିଆ ଚିନ୍ତିତ ହୋଇପଡ଼ିଲେ ।

 

ତା’ପରେ ବଙ୍ଗଳାର ଶ୍ୟାମଳା ଧରିତ୍ରୀ ।

 

ହାବଡ଼ାର ସେଇ ପୋଲ ।

 

ସେଇ ପୁରୁଣା କଲିକତା ।

 

ଗାଡ଼ିରୁ ଓହ୍ଲାଇବାକ୍ଷଣି ଲୋହିଆ ଦେଖିଲେ–କଲିକତା ଅବିକଳ ଠିକ୍‌ ସେମିତି ଅଛି–ଯେମିତି କି ଚାରିବର୍ଷ ଆଗେ ଥିଲା । କିନ୍ତୁ ଦାରିଦ୍ର୍ୟ ଆଉ ବେକାରିର ପ୍ରଭାବ କଲିକତାରେ ଖୁବ୍‌ ବେଶୀ–ଏକଥା ବୁଝିବାକୁ ତାଙ୍କୁ ଡେରି ଲାଗିଲାନି ।

 

କଲିକତା ଆସି ଲୋହିଆ ସିଧାସଳଖ ନିଜ କକେଇ ରାମକୁମାର ଲୋହିଆଙ୍କ ଘରେ ପହଞ୍ଚିଲେ । ସେ ସେଇଠି ବ୍ୟବସାୟଦ୍ୱାରା ପ୍ରଚୁର ଧନ ଅର୍ଜ୍ଜନ କରିଥିଲେ । ସେଇଠି ଲୋହିଆଙ୍କ ନିଜ ପିତା ହୀରାଲାଲଙ୍କ ସମ୍ୱନ୍ଧରେ ସବୁ ଖବର ମିଳିଗଲା ।

 

ହୀରାଲାଲଜୀ ପୁଅ ବିଦେଶ ଯିବା ପରେ ନିଜର ସମସ୍ତ ବ୍ୟବସାୟ ବନ୍ଦ କରି ଦେଇଥିଲେ । ସେ ପୂରା ସମୟ କଂଗ୍ରେସ କାମରେ ଲାଗିଥିଲେ । ସେ ୟା’ ଭିତରେ ଦୀର୍ଘ ଦିନପାଇଁ ଆଲିପୁରସ୍ଥ ‘ପ୍ରେସିଡ଼େନ୍‌ସୀ ଜେଲ୍‌’ରେ ସଜା ଖଟି ଫେରି ଆସିଥିଲେ । ସେ ଗୀତାର ବଡ଼ ଅନୁରାଗୀ ହୋଇ ପଡ଼ିଥିଲେ । ଆଜିକାଲି ବଡ଼ବଜାରକୁ ନିଜର କର୍ମକ୍ଷେତ୍ରରୂପେ ବାଛି ନେଇ ସେ କଂଗ୍ରେସର ପ୍ରଚାର କାମରେ ସମସ୍ତ ସମୟ ଖର୍ଚ୍ଚ କରୁଥିଲେ ।

 

ଚରଖା ସମିତି ସ୍ଥାପନ କରି ସେ ଚରଖାର ପ୍ରସାର କରାଉଥିଲେ । ସେ ଚରଖାକୁ ‘ସ୍ୱଦେଶୀ–ତୋପ’ ବୋଲି କହୁଥିଲେ । ସେ କଂଗ୍ରେସରେ କୌଣସି ପଦ–ପଦବୀ ନ ନେଇ କେବଳ ରଚନାତ୍ମକ କାମରେହିଁ ଲାଗିଥିଲେ । କଂଗ୍ରେସର କାର୍ଯ୍ୟ ସାଙ୍ଗେ ସାଙ୍ଗେ ସେ ‘ହିନ୍ଦୀ ନାଟ୍ୟ–ପରିଷଦ’ ପ୍ରଭୃତି ସଂସ୍ଥା ମଧ୍ୟ ଚଳାଉଥିଲେ ।

 

ହିନ୍ଦୀ ପ୍ରତି ହୀରାଲାଲଜୀଙ୍କର ସ୍ୱାଭାବିକ ଆଗ୍ରହ ତଥା ପ୍ରେମ ଥିଲା । ନିଜର ବ୍ୟସ୍ତ ଜୀବନ ତଥା କଂଗ୍ରେସ କାମରେ ବ୍ୟସ୍ତ ରହୁଥିବା ସତ୍ତ୍ୱେବି ସେ ପ୍ରତିଦିନ ସନ୍ଧ୍ୟାରେ ବଡ଼ବଜାରସ୍ଥିତ ହିନ୍ଦୀ ପୁସ୍ତକର ପ୍ରସିଦ୍ଧ ବହି ଦୋକାନ ‘ହିନ୍ଦୀ ପ୍ରଚାରକ ପୁସ୍ତକାଳୟ’ରେ ନିୟମିତରୂପେ ବସୁଥିଲେ ଏବଂ ସେଠାକୁ ଯିବା ଆସିବା କରୁଥିବା ଲୋକଙ୍କ ସାଙ୍ଗେ ହିନ୍ଦୀ ସମ୍ୱନ୍ଧରେ ଚର୍ଚ୍ଚାବି କରୁଥିଲେ ।

 

ସେତେବେଳେ ହିନ୍ଦୁ–ମୁସଲମାନର ଭେଦଭାବ ଚରମ ସୀମାରେ ପହଞ୍ଚିଯାଇଥିଲା । ଜଣେ ଅନ୍ୟ ଜଣକର ଛୁଆଁ ପାଣି ପିଇବାକୁ ମଧ୍ୟ କୁଣ୍ଠାବୋଧ କରୁଥିଲା । ସେଇ ଦୋକାନରେ ହୀରାଲାଲଜୀ ଗୋଟାଏ ବାଲଟି ରଖିଥିଲେ । ସେ ବାଲଟିର ନାଁ ସେ ରଖିଥିଲେ, ‘‘କୌମୀ ବାଲଟି’’ । ହୀରାଲାଲଜୀ ସେଇଠି ପହଞ୍ଚିବା ସାଙ୍ଗେ ସାଙ୍ଗେ ‘‘କୌମୀ ବାଲଟି’’ରେ ପାଣି ଭର୍ତ୍ତିକରି ରଖି ଦିଆଯାଉଥିଲା ଏବଂ ସେଇଠିକି ଆସୁଥିବା ପ୍ରତ୍ୟେକ ହିନ୍ଦୁ–ମୁସଲମାନ ସେଇ କୌମୀ–ବାଲଟିରୁ ପାଣି ପିଉଥିଲେ । ହିନ୍ଦୁ–ମୁସଲମାନ ଏକତାର ଏଭଳି ପ୍ରତୀକାତ୍ମକ ପ୍ରୟୋଗରେ ହୀରାଲାଲଜୀ ଆନ୍ତରିକ ଆନନ୍ଦ ଅନୁଭବ କରୁଥିଲେ ।

 

ଲୋହିଆ ସାଙ୍ଗେ ସାଙ୍ଗେ ନିଜ ପିତାଙ୍କୁ ଦେଖା କରିବାକୁ ଚାହିଁଲେ । ସେତେବେଳେ କକା ରାମକୁମାର ଲୋହିଆ କହିଲେ, ‘‘ତାଙ୍କର କିଛି ଠିକ୍‌ଠିକଣା କିମ୍ୱା କୌଣସି ଆଡ଼୍‌ଡ଼ାସ୍ଥଳ ତ ନାହିଁ । ହଁ, ପ୍ରତିଦିନ ସନ୍ଧ୍ୟାରେ ବୁଲିଚାଲି ସେ ଥରେ ନିଶ୍ଚୟ ଆସନ୍ତି । ବର୍ତ୍ତମାନ ଖୋଜିଲେବି ତାଙ୍କର କୌଣସି ଖବର ମିଳିବନି । ମୁଁ କେତେ ଜାଗାକୁ ଖବର ପଠଉଚି । ସନ୍ଧ୍ୟା ସୁଦ୍ଧା ଅବଶ୍ୟ ଖବର ମିଳିଯିବ ।’’

 

ତା’ପରେ ସନ୍ଧ୍ୟାବେଳେ ଲୋହିଆ ପିତାଙ୍କର ଦର୍ଶନ କଲେ । ପୁଅକୁ ଫେରିଆସିବା ଦେଖି ପିତାଙ୍କ ପକ୍ଷରେ ଆନନ୍ଦ ହେବା ତ ଅତି ସ୍ୱାଭାବିକ କଥା । କିନ୍ତୁ ହୀରାଲାଲଜୀ ଅଧିକ ସମୟପାଇଁ ଆନନ୍ଦ ପ୍ରଦର୍ଶନ କରିପାରିଲେନି । କେବଳ ହାଲ୍‍ଚାଲ୍ ପଚାରି ସାଙ୍ଗେ ସାଙ୍ଗେ ନିଜ କାମରେ ବ୍ୟସ୍ତ ହୋଇପଡ଼ିଲେ ।

 

ଲୋହିଆ ମଧ୍ୟ ଆଉ ଦିନଟେ ନଷ୍ଟ ନ କରି ନିଜକୁ କାମରେ ନିୟୋଜିତ କରିବାକୁ ଇଚ୍ଛା ପ୍ରକାଶ କଲେ । ପିତା, କକା ତଥା ଅନ୍ୟ ଶୁଭଚିନ୍ତକମାନେ ରାୟ ଦେଲେ ଯେ ଲୋହିଆ ଶୀଘ୍ର କୌଣସି ଚାକିରି କରିନେବା ଦରକାର । ଜୀବିକା–ଉପାର୍ଜନ ପାଇଁ କୌଣସି କାମ କରିବା ତ ନିତାନ୍ତ ଆବଶ୍ୟକ । କିନ୍ତୁ ଲୋହିଆ ଆଗରୁ ସ୍ଥିର କରି ଆସିଥିଲେ ଯେ ସେ ରାଜନୈତିକ ଜୀବନହିଁ ଆରମ୍ଭ କରିବେ ।

 

ଲୋହିଆଙ୍କର ସିଦ୍ଧାନ୍ତ ଶୁଣି କେତେ ଜଣ ନିରାଶ ହେଲେ ଏବଂ କେତେ ଜଣ ଖୁସି ମଧ୍ୟ ହେଲେ ।

 

ଲୋହିଆ ରାଜନୀତିରେ କାମ କରିବାପାଇଁ ଯେଉଁ ଉତ୍ସାହ ଏବଂ ଧୈର୍ଯ୍ୟ ନେଇ ଜର୍ମାନୀରୁ ଆସିଥିଲେ, ଦେଶର ବାତାବରଣ ଏବଂ କଲିକତାର ଆବହାଓ୍ୱା ଦେଖି କିଛିଟା ଅଡ଼ୁଆରେ ପଡ଼ିଗଲେ । ବର୍ତ୍ତମାନ ତାଙ୍କ ଭିତରେ ସ୍ୱଭାବଗତ ଗାମ୍ଭୀର୍ଯ୍ୟ ଆସି ଯାଇଥିଲା । ଲୋହିଆ ବହୁତ କିଛି କରିବାକୁ ଚାହୁଁଥିଲେ; କିନ୍ତୁ ତାଙ୍କୁ କୌଣସି ରାସ୍ତା ଦେଖାଯାଉ ନଥିଲା । ଗରିବ ବାପର ପୁଅ ହୋଇଥିବା ଯୋଗୁଁ ଦାରିଦ୍ର୍ୟର ସମସ୍ତ ଅସୁବିଧା ଆସି ବିଶାଳ ରୂପରେ ତାଙ୍କ ସାମ୍ନାରେ ଛିଡ଼ା ହେଲା । ହୀରାଲାଲଜୀ ତୀବ୍ର ସ୍ୱାଭିମାନୀ ପ୍ରକୃତିର ବ୍ୟକ୍ତି ହୋଇଥିବା ଯୋଗୁଁ ପଇସା ଆଗରେ ମୁଣ୍ଡ ନୁଆଁଇବା ଜାଣି ନଥିଲେ । ତେଣୁ ଲୋହିଆଙ୍କୁ ନିଜ ବାଟ ନିଜେ ବାଛିବାର ଅକ୍ଷମତାକୁ ସ୍ୱୀକାର କରିନେବାକୁ ପଡ଼ିଥିଲା ।

 

ଲୋହିଆ କଂଗ୍ରେସ ସଂଗଠନ ଭିତରେ ପଶି କାମ କରିବାକୁ ଚାହୁଁଥିଲେ । ବଡ଼ବଜାରସ୍ଥ ଡିଷ୍ଟ୍ରିକ୍ଟ କଂଗ୍ରେସ କମିଟିର ସେତେବେଳେ ସର୍ବମାନ୍ୟ ନେତା ଥିଲେ ଲୋହିଆଙ୍କ ପିତା ହୀରାଲାଲଜୀ । ହୀରାଲାଲଜୀ ମଧ୍ୟ ନିଜର ମେଧାବୀ ପୁତ୍ରକୁ ବଡ଼ବଜାର କଂଗ୍ରେସ କମିଟିରେ କିଛି କାମ ଦେବାକୁ ଚାହିଁଲେ; କିନ୍ତୁ କଂଗ୍ରେସରେ କାମ କରୁଥିବା ଅନ୍ୟ ମହନ୍ତମାନେ ଲୋହିଆଙ୍କୁ ଅତି ବୁଦ୍ଧିମାନ୍‌ ମନେକରି ତାଙ୍କୁ କମିଟି ଭିତରେ ପୂରେଇ ଦେଲେନି । କୌଣସି ନବ–ଯୁବକର ଯଦି ବୁଦ୍ଧିଥାଏ, ନିଷ୍ଠା ଥାଏ, ତେବେ ପୁରୁଣା କଂଗ୍ରେସ ଲୋକ ନିଜ ଭିତରେ ତାଙ୍କୁ ସାମିଲ କରୁ ନଥିଲେ । କଂଗ୍ରେସର ଏଇ ପୁରୁଣା ବେମାରି ଆଜିବି ଅଛି, ଆଉ ସେତେବେଳେ ମଧ୍ୟ ରହିଥିଲା ।

ଲୋହିଆ କିଛିଦିନ କଲିକତାରେ ବିତେଇଲେ । ତା’ପରେ ନିଜର ପୁରୁଣା ପ୍ରିୟବନ୍ଧୁ ପ୍ରଫେସର୍ ଲାଲଜୀ ରାମ ଶୁକ୍ଳଙ୍କ ସହ ଦେଖା କରିବାକୁ ବନାରସ ଚାଲିଗଲେ । ବନ୍ଧୁଙ୍କର ଅବସ୍ଥା ମଧ୍ୟ ଭଲ ଦେଖିଲେନି ।

ସିଗାରେଟ ଟାଣିବା ଲୋହିଆଙ୍କର ଗୋଟାଏ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା-। ଘଣ୍ଟା ଘଣ୍ଟା ଧରି ତାଙ୍କ ହାତରୁ ସିଗାରେଟ ଲିଭୁ ନଥିଲା, କିନ୍ତୁ ବନ୍ଧୁଙ୍କର ଅବସ୍ଥା ଦେଖି ସେ ସିଗାରେଟ ପିଇବା ଛାଡ଼ିଦେଲେ । ଲୋହିଆଙ୍କର ଆତ୍ମଶକ୍ତି ଖୁବ୍‌ ପ୍ରବଳ ଥିଲା । ମନ ଦୃଢ଼ କରିନେବାରୁ ସିଗାରେଟ ପିଆ ବନ୍ଦବି ହୋଇଗଲା ।

ପ୍ରଫେସର୍ ଶୁକ୍ଳ ବନାରସର ଟିଚର୍ସ ଟ୍ରେନିଙ୍ଗ୍ କଲେଜରେ ଲୋହିଆଙ୍କ ପାଇଁ ଗୋଟାଏ ଭାଷଣ ଦେବାର ଯୋଗାଡ଼ କରିଦେଲେ । ବିଷୟବସ୍ତୁ ଥିଲା, ‘‘ସ୍ୱତନ୍ତ୍ରତାରେ ଶିକ୍ଷା’’ । ଲୋହିଆ ଖୁବ୍‌ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଦେଲେ । ଶୁଣିବା ଲୋକଙ୍କ ଭିତରେ କେତେକ ପ୍ରଭାବଶାଳୀ ଲୋକବି ଥିଲେ । ସେମାନେ ଲୋହିଆଙ୍କୁ ସାକ୍ଷାତ କରି କହିଲେ ଯେ ଯଦି ସେ ଅଧ୍ୟାପକ କାର୍ଯ୍ୟ କରନ୍ତି, ତେବେ ଖୁବ୍‌ ସଫଳ ହୋଇପାରିବେ । ତା’ପରେ ସେମାନେ ସୂଚନା ଦେଲେ ଯେ କାଶୀ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଗୋଟାଏ ଅଧ୍ୟାପକ ପୋଷ୍ଟ୍ ଖାଲି ପଡ଼ିଛି । ତା’ପରେ ପୁଣି ବିଶ୍ୱବିଦ୍ୟାଳୟରେ ପ୍ରାଣ ପଣ୍ଡିତ ମଦନମୋହନ ମାଲବ୍ୟ ଏଭଳି ପ୍ରଖର ପ୍ରତିଭାଶାଳୀ ଦେଶଭକ୍ତ ଯୁବକଙ୍କୁ ବିଶ୍ୱବିଦ୍ୟାଳୟରେ ରଖି ଖୁବ୍‌ ଆନନ୍ଦ ଅନୁଭବ କରନ୍ତି ।

ସେ ସମୟରେ ଲୋହିଆଙ୍କ ପାଇଁ ଜୀବିକା–ଉପାର୍ଜନ ସମସ୍ୟାହିଁ ପ୍ରଧାନ ଥିଲା । ଭାବିଲେ, ଯଦି ପ୍ରଫେସର୍ ଚାକିରିଟି ମିଳିଯାଏ, ତେବେ ଅନ୍ତତଃ ବର୍ତ୍ତମାନ ପାଇଁ ସେ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିପାରିବେ । ଆଗକୁ ପରେ ଦେଖାଯିବ ।

 

ଏଇ ବିଚାର କରି ଲୋହିଆ ମାଲବ୍ୟଙ୍କ ସହ ଦେଖା କଲେ । ମାଲବ୍ୟଜୀ ଲୋହିଆଙ୍କ ସାଙ୍ଗରେ ଦେଖା କରି ଖୁବ୍‌ ଖୁସି ହେଲେ; କିନ୍ତୁ ଚାକିରି ଦେଇପାରିଲେ ନାହିଁ । କିଛିଦିନ ଆଗରୁ ସେ ସ୍ଥାନରେ ଅନ୍ୟ ଜଣେ ନିଯୁକ୍ତି ପାଇ ସାରିଥିଲେ ।

 

କିନ୍ତୁ ମାଲବ୍ୟଜୀ ସେଇଠି ଲୋହିଆଙ୍କୁ ରାମେଶ୍ୱର ଦାସ ବିରଳାଙ୍କ ସହ ଦେଖା କରାଇଦେଲେ । ବିରଳାଜୀଙ୍କ ନିଜପାଇଁ ଜଣେ ସେକ୍ରେଟେରୀର ଦରକାର ଥିଲା । ସେ ଲୋହିଆଙ୍କୁ ତାଙ୍କର ସେକ୍ରେଟାରୀ ହେବାପାଇଁ ପ୍ରେରଣା ଦେଲେ । ଯଦିଓ ଲୋହିଆଙ୍କ ସମ୍ମୁଖରେ ଜୀବିକାର୍ଜନର ଭୀଷଣ ସମସ୍ୟା ଥିଲା, ତଥାପି ସେ ଏପରି ବ୍ୟକ୍ତିଗତ ଚାକିରି କରିବାର ସପକ୍ଷରେ ନଥିଲେ । ସେ ମନା କରିଦେଲେ । କିନ୍ତୁ ବିରଳାଜୀ ତାଙ୍କୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ । ତେଣୁ ହଠାତ୍‌ ଲୋହିଆ ବିରଳାଜୀଙ୍କ ଆଗ୍ରହ ଏଡ଼ିଦେଇ ପାରିଲେ ନାହିଁ ।

 

ବାଧ୍ୟ ହୋଇ ଲୋହିଆ ଗୋଟିଏ ବାଟ ବାଛିନେଲେ । ସେ ଅବସ୍ଥା ଜାଣିବାକୁ କିଛିଦିନ ପାଇଁ ବିରଳାଜୀଙ୍କ ସାଙ୍ଗରେ ରହି ବୁଲିବାକୁ ଠିକ୍‌ କଲେ । ଚାକିରି କଥା ପରେ ସ୍ଥିର କରାଯିବ ।

 

ବିରଳାଜୀ ସମ୍ମତ ହୋଇ ଲୋହିଆଙ୍କୁ ନିଜ ସାଙ୍ଗରେ ନେଇଗଲେ । କିନ୍ତୁ ଲୋହିଆ ଶୀଘ୍ର ନିଜ ପନ୍ଥା ନିର୍ଣ୍ଣୟ କରିନେଲେ । ଦୁଇ ସପ୍ତାହ ପରେ ଲୋହିଆ ବିରଳାଜୀଙ୍କୁ ପରିଷ୍କାର କହିଦେଲେ ଯେ ଏଇ ବ୍ୟବସ୍ଥା ତାଙ୍କୁ ଆଦୌ ସୁହାଇବ ନାହିଁ ।

 

ସେତେବେଳେ କଂଗ୍ରେସର ବିଖ୍ୟାତ ନେତା ଏବଂ ଗାନ୍ଧିଭକ୍ତ ସେଠ୍‌ ଯମୁନାଲାଲ ବଜାଜ ହୀରାଲାଲଜୀଙ୍କର ମିତ୍ର ଥିଲେ । ସେ ଲୋହିଆଙ୍କୁ ନିଜ ପାଖକୁ ଡାକିନେଲେ । ଯମୁନାଲାଲଜୀ ଲୋହିଆଙ୍କୁ ଖୁବ୍‌ ସ୍ନେହ କରିବାକୁ ଲାଗିଲେ । ସେ ତାଙ୍କୁ ପୁଅ ଭଳି ଦେଖୁଥିଲେ । ଲୋହିଆଙ୍କଦ୍ୱାରା ସେ ଖୁବ୍‌ ପ୍ରଭାବିତ ହୋଇପଡ଼ିଲେ ଏବଂ ତା’ ସାଙ୍ଗେ ସାଙ୍ଗେ ତାଙ୍କ ମନରେ ଲୋହିଆଙ୍କ ଭବିଷ୍ୟତ ପାଇଁ ଖୁବ୍‌ ବଡ଼ବଡ଼ କଳ୍ପନାବି ଘର କରିଗଲା । ଯେତେବେଳେ ସେ ଜାଣିଲେ ଯେ ଲୋହିଆ ରାଜନୈତିକ ଜୀବନ ବିତେଇବା ପାଇଁ ଆଗରୁ ଠିକ୍‌ କରି ସାରିଛନ୍ତି, ସେ ତାଙ୍କୁ ସାଙ୍ଗରେ ନେଇ ମହାତ୍ମା ଗାନ୍ଧିଙ୍କ ନିକଟକୁ ଗଲେ ଏବଂ ଗାନ୍ଧିଜୀଙ୍କୁ କହିଲେ, ‘‘ଏ ପିଲାଟି ରାଜନୀତି କରିବାକୁ ଚାହେଁ ।’’

 

ଗାନ୍ଧିଜୀ କିଛି ନିର୍ଣ୍ଣୟ କରିବା ଆଗରୁ ସମସ୍ତ ବିଷୟକୁ ଖୁବ୍‌ ଭଲ ଭାବରେ ଯାଞ୍ଚ ଏବଂ ଚିନ୍ତା କରି ଦେଖିବାର ଲୋକ ‌ଥିଲେ । ସେ ହସିଦେଇ ଲୋହିଆଙ୍କୁ ପଚାରିଲେ, ‘‘ଧନୀଘରର ପିଲା କି ?’’

 

ଲୋହିଆ କିଛି କହିଲେନି, କହିଲେ ଯମୁନାଲାଲଜୀ, ‘‘ନା, କିନ୍ତୁ ତାଙ୍କପାଇଁ ଆର୍ଥିକ ଚିନ୍ତାର କାରଣ କିଛି ନାହିଁ ।’’

 

ଗାନ୍ଧିଜୀ ବୁଝିଗଲେ । ଲୋହିଆ ଯମୁନାଲାଲଜୀଙ୍କ ପାଖରେ ରହିବାକୁ ଲାଗିଲେ । ଗାନ୍ଧିଜୀ ତାଙ୍କପାଇଁ କୌଣସି ଉପଯୁକ୍ତ କାର୍ଯ୍ୟ ଖୋଜୁଥିଲାବେଳେ ଦିନେ ହଠାତ୍‌ କେଜାଣି କାହିଁକି ଲୋହିଆ ପୁଣି କଲିକତା ଅଭିମୁଖରେ ଟିକେଟ କାଟିଲେ । ଅଚାନକ ଲୋହିଆ ଯେ ଏପରି ନିର୍ଣ୍ଣୟ କାହିଁକି କଲେ, କେହି ଜାଣିପାରିଲେନି । ଯମୁନାଲାଲଜୀ ଖୁବ୍‌ ଦୁଃଖିତ ହେଲେ ।

 

ଅନେକ ଦିନ ପରେ ଦିନେ ଜଣେ ଗୁରୁସ୍ଥାନୀୟ ଲୋକ ଲୋହିଆଙ୍କୁ କହିଲେ, ‘‘ତମେ ହଠାତ୍‌ କାହିଁକି ଯମୁନାଲାଲଜୀଙ୍କୁ ଛାଡ଼ି ଚାଲିଆସିଲ ? ସେ ବହୁତ ଦୁଃଖ କରୁଥିଲେ ।’’

ଲୋହିଆ ନୀରବ ରହିଲେ । ସେ ଭଦ୍ରଲୋକ ପୁଣି କହିଲେ, ‘‘ଜାଣ, ସେ ତମକୁ ନିଜର ଜାମାତାରୂପେ ବରଣ କରିବାକୁ ଚାହୁଁଥିଲେ ।’’

ତା’ପରେ ଲୋହିଆ କହିଲେ, ‘‘ଜାଣେ, ସେଇଥିପାଇଁ ତ ଚାଲି ଆସିଲି । ବିବାହ କରି ଘରସଂସାର କରିବାକୁ ମୋର ଇଚ୍ଛା ନାହିଁ । ମତେ କେତେକ ବଡ଼ବଡ଼ କାମ କରିବାକୁ ପଡ଼ିବ ।’’

ପୁଣି କଲିକତା ।

କଲିକତାର ସଂଘର୍ଷମୟ କଠିନ ଜୀବନ ।

କଥାରେ ଅଛି, ସୁନାକୁ ଯେତେ ନିଆଁରେ ପୋଡ଼ିଲେ ସେତେ ଉଜ୍ଜ୍ୱଳ । ତେଣୁ କଲିକତାର ସେଇ ଜୀବନ ଲୋହିଆଙ୍କ ପକ୍ଷରେ ଜ୍ୱଳନର ସମୟ ଥିଲା । ସୁନା ଉଜ୍ଜ୍ୱଳି ଉଠିବାର ସୂଚନା ମିଳୁଥିଲା ।

୧୯୩୪ ସାଲରେ କଂଗ୍ରେସ ସଂଗଠନ ଭିତରେହିଁ ‘‘କଂଗ୍ରେସ ସୋସାଲିଷ୍ଟ ପାର୍ଟି’’ର ଜନ୍ମ ହୋଇଥିଲା । ସେତେବେଳେ ‘‘କଂଗ୍ରେସ ସୋସାଲିଷ୍ଟ’’ ନାମକ ଏଇ ନୂଆ ପାର୍ଟିର ସାପ୍ତାହିକ ମୁଖପତ୍ରର ପ୍ରକାଶନ ଯୋଜନା ତିଆରି ହେଲା ଏବଂ ତା’ରି ସମ୍ପାଦକ ହେଲେ ଲୋହିଆ ।

ବିଚାରଧାରାର ନୂତନତ୍ୱ ଏବଂ ତର୍କରେ ପ୍ରଭାବିତ କଲା ଭଳି ଚମକ ଯୋଗୁଁହିଁ ଜର୍ମାନୀରୁ ସଦ୍ୟ ଲେଉଟି ଆସିଥିବା ଲୋହିଆଙ୍କ ଉପରେ ଏଇ ଗୁରୁ ଦାୟିତ୍ୱ ସଙ୍ଗେ ସଙ୍ଗେ ଅର୍ପଣ କରି ଦିଆଗଲା । ଲୋକେ ଲୋହିଆଙ୍କର ପ୍ରତିଭାଦ୍ୱାରା ଖୁବ୍‌ ପ୍ରଭାବିତ ହୋଇ ପଡ଼ିଥିଲେ ।

 

ଲୋହିଆ ମଧ୍ୟ ଏଇ ଗୁରୁ ଦାୟିତ୍ୱ ବହନ କରିବାକୁ ତିଳେହେଲେ କୁଣ୍ଠାବୋଧ କଲେନି-। ସେ ଥିଲେ ଏକ ଅଶାନ୍ତ ନବଯୁବକ । ସେ ମନମୁତାବକ କାମର ଅନ୍ୱେଷଣରେ ଥିଲେ-। ତା’ପରେ ରାଜନୀତିରେ ଅଧିକ ଉତ୍ସାହୀ ଯୁବକ ଉପରେ ଶକ୍ତିରୁ ଅଧିକ ବୋଝ ଆଦି ଦେବାପାଇଁ ଲୋକେ ଆଦୌ ସଂକୋଚବି ମନେ କରୁ ନଥିଲେ ।

 

‘‘କଂଗ୍ରେସ–ସୋସାଲିଷ୍ଟ’’ ପତ୍ରର ପ୍ରକାଶନ ଫଳରେ କଲିକତାରୁହିଁ ଆରମ୍ଭ ହେଲା । ଲୋହିଆ ମନପ୍ରାଣ ଦେଇ ପତ୍ର କାମରେ ଲାଗିପଡ଼ିଲେ; କିନ୍ତୁ ତାଙ୍କ ଜୀବିକାର୍ଜନ ସମସ୍ୟା ପ୍ରତି କେହିବି ଧ୍ୟାନ ଦେଲେ ନାହିଁ । ଲୋହିଆଙ୍କ ଆଗରେ ଏଇ ସମସ୍ୟା ଆଗ ଭଳି ରହିଲା, ବରଂ ପୂର୍ବାପେକ୍ଷା ଆହୁରି ଅଧିକ ଏବଂ ଭୟାନକ ଭାବରେ ପ୍ରକାଶ ପାଇଲା ।

 

କାମ ପ୍ରତି ପାଗଳଙ୍କ ଭଳି ଲାଗିଥିବା ଯୁବକ ଲୋହିଆ ଏଇ ସମସ୍ୟା ଭିତରୁ ନିଜକୁ ପ୍ରାୟ ଭୁଲେଇଦେବାକୁ ଲାଗିଲେ ଏବଂ ପତ୍ର କାମରେ ଲାଗି ରହିଲେ; କିନ୍ତୁ ସମସ୍ୟା ତା’ର ଅସ୍ତିତ୍ୱକୁ ବା କିମିତି ନଷ୍ଟ କରିଦିଅନ୍ତା !

 

କଲିକତାରେ ସେଇ ଦିନଗୁଡ଼ିକ ଲୋହିଆ ଅତିଶୟ ଦାରିଦ୍ର୍ୟ ଭିତରେ କଟକ ନଉଥିଲେ । ମସ୍ତିଷ୍କ ତ ଉଗ୍ର ବିଚାରଧାରାରେ ପରିପୂର୍ଣ୍ଣ ଥିଲା, ମନରେ ମଧ୍ୟ ଭରି ରହିଥିଲା ଅଦମ୍ୟ ଉତ୍ସାହ; କିନ୍ତୁ ପକେଟ୍‌ ନିଜର ପବିତ୍ରତା ସହ ପୂରାପୂରି ଖାଲି ଥିଲା । ଖାଇବାର ଯୋଗାଡ଼ କିମ୍ୱା ରହିବାର କୌଣସି ଠିକଣା ନଥିଲା । ପିତା ହୀରାଲାଲଜୀ ମଧ୍ୟ କଂଗ୍ରେସ କାମରେ ଏତେଦୂର ବ୍ୟସ୍ତ ରହୁଥିଲେ ଯେ ଦୁନିଆର କୌଣସି ବିଷୟ ପ୍ରତି ଯେପରି ତାଙ୍କର କୌଣସି ସମ୍ୱନ୍ଧହିଁ ନଥିଲା । ପିତା ଯେପରି ନିଜ କାମରେ ପାଗଳ, ପୁଅ ମଧ୍ୟ ତଥୈବଚ । ଗୋଟାଏ ସହରରେ କଲିକତାରେ ରହୁଥିଲେ ମଧ୍ୟ ମାସ ମାସ ଧରି ବାପ–ପୁଅଙ୍କ ଭିତରେ ଦେଖା–ସାକ୍ଷାତ୍ ହୋଇପାରୁ ନଥିଲା ।

 

କୌଣସିମତେ ଯୋଗାଡ଼ଯନ୍ତ୍ର କରି ‘‘ଟ୍ରେଡ଼୍‌ ୟୁନିୟନ୍’’ ଦପ୍ତରରେ ତାଙ୍କର ରହିବାପାଇଁ ଅସ୍ଥାୟୀ ବ୍ୟବସ୍ଥା କରି ଦିଆଗଲା । କିନ୍ତୁ ସେଇଠି ବେଶୀ ଦିନ ରହିବା ସମ୍ଭବପର ହେଲାନି । ସେଇଠି ଗାଧୋଇବାର କୌଣସି ବ୍ୟବସ୍ଥା ନଥିଲା । ସେତେବେଳେ ପ୍ରକୃତରେ ଲୋହିଆଙ୍କର ଅବସ୍ଥା ଏଇ ପରିପ୍ରେକ୍ଷୀରେ ବଡ଼ ଶୋଚନୀୟ ଥିଲା । ରହିବାର କୌଣସି ସୁବନ୍ଦୋବସ୍ତ ନଥିଲା କିମ୍ୱା ଖାଇବା ପିଇବାର କୌଣସି ଧାରାବାହିକ ବ୍ୟବସ୍ଥାବି ନଥିଲା । ପିନ୍ଧିବାପାଇଁ ଯଥେଷ୍ଟ କପଡ଼ା ମଧ୍ୟ ନଥିଲା । ଦିନଯାକ ସେ ବାହାର କାମରେ କଟାଉଥିଲେ ଏବଂ ରାତିରେ ମେଜ ଯୋଡ଼ି ତା’ରି ଉପରେ ଶୋଇ ଯାଉଥିଲେ । କିନ୍ତୁ ଏଇ ବ୍ୟବସ୍ଥା ମଧ୍ୟ ବେଶୀ ଦିନ ରହିପାରିଲାନି ।

 

କିଛିଦିନ ପାଇଁ ସେ ନିଜର ପୁରୁଣା ବସା ତାରାଚନ୍ଦ ଷ୍ଟ୍ରୀଟ୍‌ସ୍ଥିତ ମାରଓ୍ୱାଡ଼ି ଛାତ୍ରାବାସରେ ରହିଲେ । କିନ୍ତୁ ସେଇଠି ରହିବାର ସୁବିଧା ସହିତ ଆଉ କେତେକ ଅସୁବିଧା ଥିଲା । ସେଇ ଅସୁବିଧାଗୁଡ଼ିକ ଭିତରୁ ଗୋଟାଏ ଥିଲା–ସେଇଠି ରହୁଥିବା ଅଧିକାଂଶ ଛାତ୍ର ବର୍ଲିନ୍‌ରୁ ଫେରି ଆସିଥିବା ଜଣେ ‘‘ଡକ୍‌ଟର’’ ଏବଂ ବିଦ୍ୱାନ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାକୁ ଖୁବ୍‌ ସଙ୍କୋଚବୋଧ କରୁଥିଲେ । ତା’ପରେ ନିଜେ ଲୋହିଆ ମଧ୍ୟ ସେମାନଙ୍କ ସହିତ ଖୋଲାଖୋଲି ଭାବରେ ମିଳିମିଶି ପାରିଲେନି ।

 

ସେଇ ସମୟରେ ତାଙ୍କୁ ନିଜର ଜଣେ ବନ୍ଧୁଙ୍କ ଘରେ ମିର୍ଜାପୁର ଷ୍ଟ୍ରୀଟ୍‌ରେ ରହିବାର ଉପଯୁକ୍ତ ସୁବିଧା ମିଳିଗଲା ।

 

ଲୋହିଆଙ୍କର ଯେତୋଟି ଅନ୍ତରଙ୍ଗ ବନ୍ଧୁ ଥିଲେ, ସେମାନଙ୍କର ଆର୍ଥିକ ଅବସ୍ଥାବି ଊଣା ଅଧିକେ ଲୋହିଆଙ୍କ ଭଳିହିଁ ଥିଲା । ସମସ୍ତଙ୍କର ପକେଟ୍‌ ଖାଲି, ସମସ୍ତେ ପଇସାର ଅଭାବରେ ସନ୍ତ୍ରସ୍ତ । ସେତେବେଳେ ରାଷ୍ଟ୍ରୀୟ ଆନ୍ଦୋଳନ ଜନ–ଆନ୍ଦୋଳନ ରୂପରେ ପରିଣତ ହୋଇ ହୋଇ ଯାଉଥିଲା । ପ୍ରତିଦିନ କେଉଁଠି ନା କେଉଁଠି ସଭା–ସମିତି ଅନୁଷ୍ଠିତ ହେଉଥିଲା । ଲୋହିଆ ଏବଂ ତାଙ୍କର ବନ୍ଧୁମାନେ ସଭାକୁ ଅବଶ୍ୟ ଯାଉଥିଲେ । ସଭାକୁ ଯିବା ପୂର୍ବରୁ ସମସ୍ତ ବନ୍ଧୁ ମିଶି ଗୋଟାଏ ହୋଟେଲରେ ଚା’ ମଧ୍ୟ ପିଉଥିଲେ । କିନ୍ତୁ ସେଇ ଦିନଗୁଡ଼ିକର ସଂଖ୍ୟା ବେଶୀ, ଯେଉଁ ଦିନଗୁଡ଼ିକରେ କି କାହାରି ପକେଟ୍‌ରେ ପଇସା ନଥାଏ ଏବଂ ଧାରଦ୍ୱାରା କାମ ଚଳେଇ ନିଆଯାଏ-

 

ତା’ପରେ ସେଇ ମିତ୍ର–ମଣ୍ଡଳୀ.....

 

ସେତେବେଳେ ଲୋହିଆଙ୍କ ଗୋଷ୍ଠୀରେ ପ୍ରାୟ ତିରିଶ–ଚାଳିଶ ଲୋକ ସାମିଲ ହୋଇ ରହିଥିଲେ ।

 

ପୂରା ଗୋଟାଏ କାଫିଲା (ଦଳ) । ବନ୍ଧୁମାନେ ଲୋହିଆଙ୍କୁ ଖୁବ୍‌ ସ୍ନେହ କରୁଥିଲେ ଏବଂ ତାଙ୍କଦ୍ୱାରା ଖୁବ୍‌ ପ୍ରଭାବିତ ମଧ୍ୟ ହେଉଥିଲେ । ପ୍ରତିଦିନ ରାତିରେ ସମସ୍ତେ ଲୋହିଆଙ୍କ କୋଠରୀରେ ଜମା ହୁଅନ୍ତି ଏବଂ ଅନେକ ରାତି ଯାଏଁ ଖୁବ୍‌ ଗପ୍‍ସପ୍ ଏବଂ ଯୁକ୍ତିତର୍କବି ଚାଲେ ।

 

ଘର ସାମ୍ନାରେହିଁ ଜୋତିନ୍‌ ନାମକ ଜଣେ ଚା’ବାଲାର ଗୋଟାଏ ଛୋଟିଆ ଦୋକାନ ଥିଲା । ସେ ଲୋକଟିର ହୃଦୟ ଥିଲା ଅତି ନିର୍ମଳ । ସେ ନିଃସଙ୍କୋଚରେ ଏଇ ମିତ୍ର–ମଣ୍ଡଳୀକୁ ଉଧାରି ଚା’ ପିଇବାକୁ ଦେଉଥିଲା । ସେତେବେଳେ ସିଙ୍ଗଲ୍‌ ଚା’ର ଦାମ୍‌ ଥିଲା ମାତ୍ର ପଇସାଟାଏ । ତଥାପି ମାସକ ଭିତରେ ଚା’ର ବିଲ୍‌ ହୁଏ ତିରିଶ–ଚାଳିଶ ଟଙ୍କା । ଏଇ ବ୍ୟବସ୍ଥା ଅନେକ ଦିନ ଧରି ଚାଲିଲା । କିନ୍ତୁ ବିଚାରା ଜୋତିନ୍‌ ଆଉ କେତେ ଦିନ ଯାଏଁ ହିସାବ–କିତାବର ଗୋଳମାଳରେ ଘାଣ୍ଟି ହୁଅନ୍ତା ? ପରେ ପରେ ସେ ନିଜେ ସେଇ ମଣ୍ଡଳୀର ଜଣେ ସଭ୍ୟ ହୋଇଗଲା । ତା’ପରେ ସ୍ୱାଭାବିକ କଥା–ଜୋତିନ୍‌ ମଧ୍ୟ ଧୀରେ ଧୀରେ ରାଜନୈତିକ କର୍ମକର୍ତ୍ତା ହୋଇଗଲା ଏବଂ ଚା’ ଦୋକାନ ବଳେ ବଳେ ବନ୍ଦ ହୋଇଗଲା ।

 

ଲୋହିଆଙ୍କ ସାଙ୍ଗରେ ରହୁଥିବା କୌଣସି ଲୋକ ସକ୍ରିୟ ରାଜନୀତିରୁ ଭଲା କେତେ ଦିନ ବା ଦୂରେଇ ରହିପାରନ୍ତା !

 

କିନ୍ତୁ ଯେଉଁ ବନ୍ଧୁଙ୍କ ସାଙ୍ଗରେ ଲୋହିଆ ରହୁଥିଲେ, ତାଙ୍କର ରାଜନୀତିରେ କୌଣସି ଆଗ୍ରହ ନଥିଲା । ଲୋହିଆଙ୍କ ସାଙ୍ଗରେ ଦିନ ଦିନ ଧରି ରହି ମଧ୍ୟ ତାଙ୍କ ଭିତରେ କୌଣସି ସ୍ପୃହା ଆସିଲାନି । ଲୋହିଆଙ୍କ ସାଙ୍ଗରେ ତାଙ୍କର ଦେଖା–ସାକ୍ଷାତ୍‌ ମଧ୍ୟ ଅତି ବିଚିତ୍ର ଢଙ୍ଗରେ ହୋଇଥିଲା ।

 

ଦିନକର ଘଟଣା, ହରିସନ୍‌ ରୋଡ଼୍‌ ଉପରେ ଛିଡ଼ା ହୋଇ ଲୋହିଆ ନିଜର ବାଲ୍ୟବନ୍ଧୁଙ୍କ ସହିତ ଯୁକ୍ତିତର୍କ କରୁଥିଲେ । ଠିକ୍‌ ସେଇ ସମୟରେ ଉକ୍ତ ବନ୍ଧୁ ଜଣକ ବସ୍‌ରୁ ଓହ୍ଲାଇଲେ । ଲୋହିଆଙ୍କ ବାଲ୍ୟବନ୍ଧୁଙ୍କ ସହ ତାଙ୍କର ବହୁ ଆଗରୁ ପରିଚୟ ଥିଲା । ସେ ତାଙ୍କ ପାଖକୁ ଆସିଲେ । ସେତେବେଳେ ବାଲ୍ୟବନ୍ଧୁ ଜଣକ ଦୁହିଁଙ୍କୁ ପରିଚୟ କରାଇଦେବାକୁ ଯାଇ କହିଲେ, ‘‘ଆପଣ ଦି’ଜଣଯାକହିଁ ବାରବୁଲା । ଜଣେ ଆନ୍ତର୍ରାଷ୍ଟ୍ରୀୟ ଏବଂ ଆଉ ଜଣେ କେବଳ ରାଷ୍ଟ୍ରୀୟ । ମୋର ବିଶ୍ୱାସ ଯେ ଆପଣ ଦୁଇ ଜଣଙ୍କର ବନ୍ଧୁତା ଚିରସ୍ଥାୟୀ ହେବ ।’’

 

ତା’ପରେ ହାତ ମିଳେଇ ତିନି ଜଣ ଚା’ ଖାଇବାକୁ ଗୋଟାଏ ଚା’ ଦୋକାନ ଭିତରକୁ ଚାଲିଗଲେ ।

 

ସେଇ ବନ୍ଧୁଙ୍କ ଶୁଭେଚ୍ଛା ଫଳପ୍ରଦ ହେଲା । ତା’ପରେ ଲୋହିଆଙ୍କ ସହ ତାଙ୍କର କେବଳ ବନ୍ଧୁତା ଜମିଲାନି, ଓଲଟି ସେ ଲୋହିଆଙ୍କୁ ତାଙ୍କ ଘରକୁ ନେଇଆସିଲେ । ଲୋହିଆ ତାଙ୍କ ଘରେ ରହିବାକୁ ଲାଗିଲେ । ଏକାଠି ରହି ମଧ୍ୟ ଦୁହେଁ ନିଜ ନିଜର ସ୍ୱଚ୍ଛନ୍ଦ ଜୀବନଯାପନ କରୁଥିଲେ-। ଦୁହେଁ ଦୁହିଁଙ୍କର ଅନ୍ତରଙ୍ଗ ବନ୍ଧୁ ହେବା ସତ୍ତ୍ୱେବି କିଏ କାହାଦ୍ୱାରା ପ୍ରଭାବିତ ହେଉ ନଥିଲେ-

 

ସେଇ ସମୟରେ ଅନେକ ରାତି ପର୍ଯ୍ୟନ୍ତ ଉଜାଗର ରହି ଲେଖାଲେଖି କରିବା ଏବଂ ସକାଳୁ ଖୁବ୍‌ ବିଳମ୍ୱରେ ଉଠିବା ଲୋହିଆଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦୁଇ ବନ୍ଧୁଙ୍କ ପାଖରେ ଜୀବିକାର୍ଜନର କୌଣସି ପନ୍ଥା ନଥିଲା; ତଥାପି ଦୁହେଁ ହୃଦୟର ସହ ଫକଡ଼ ତଥା ମସ୍ତ ରହୁଥିଲେ । ସେଥିପାଇଁ ଅଭାବର ପ୍ରଭାବ ବାହ୍ୟ ରୂପରେ କେବେ ଅଧିକ ପ୍ରକାଶ ପାଇପାରୁ ନଥିଲା ।

 

ଥରେ ଲୋହିଆ ସେଇ ବନ୍ଧୁଙ୍କ ସାଙ୍ଗରେ ନିଜର ଆଉ ଜଣେ ଧନୀ ବନ୍ଧୁଙ୍କ ସହିତ ଦେଖା କରିବାକୁ ଗଲେ । ସେଇ ଧନୀ ବନ୍ଧୁଙ୍କଠାରୁ ଲୋହିଆଙ୍କ ପାଖକୁ ଆଗରୁ ଅନେକ ଚିଠି ଆସିଥିଲା । ସେଥିପାଇଁ ଗୋଟାଏ ଖାଲି ଦିନରେ ତାଙ୍କୁ ଦୁହେଁ ଦେଖା କରିବାକୁ ଗଲେ । ସେ ଅବସ୍ଥାସଂପନ୍ନ ଥିଲେ । ଲୋହିଆଙ୍କୁ ସେ ଖୁବ୍‌ ମାନୁଥିଲେ । ଲୋହିଆଙ୍କ ସେତେବେଳର ଜୀବନଯାପନ ସମ୍ୱନ୍ଧରେ ସେ ଆଗରୁ ଆଭାସ ପାଇଥିଲେ । ସେ ଲୋହିଆଙ୍କ ଦୁରବସ୍ଥା ଯୋଗୁଁ ଖୁବ୍‌ ଦୁଃଖିତ ଥିଲେ । ସେ ଲୋହିଆଙ୍କୁ ଏଇ କଷ୍ଟମୟ ଜୀବନ ଛାଡ଼ି ଚାକିରି କିମ୍ୱା କୌଣସି ଧନ୍ଦା କରିବାପାଇଁ କହିଲେ । କିନ୍ତୁ ଲୋହିଆଙ୍କ ଉପରେ ତାଙ୍କ ଉପଦେଶର ବା କି ପ୍ରଭାବ ପଡ଼ନ୍ତା ! ଗୋଟାଏ କାନରେ ଶୁଣି ଅନ୍ୟ କାନରେ ଉଡ଼େଇଦେଲେ । ଧନୀ ବନ୍ଧୁଜଣଙ୍କ ଲୋହିଆଙ୍କ ଏଭଳି ବ୍ୟବହାରରେ ଖୁବ୍‌ ଦୁଃଖିତ ହେଲେ ଏବଂ ଫେରିଲାବେଳେ ଲୋହିଆଙ୍କ ପକେଟ୍‌ରେ ଜବରଦସ୍ତି ଗୋଟାଏ ନୋଟ୍‌ବିଡ଼ା ଭର୍ତ୍ତି କରିଦେଲେ ।

 

ବାହାରକୁ ଆସି ଲୋହିଆ ଦେଖିଲେ, ଦୁଇ ଶହ ଟଙ୍କାର ନୋଟ୍‌ । ଖାଲି ପକେଟ୍‌ ଭିତରେ ଦୁଇ ଶହ ଟଙ୍କା ନୋଟ୍‌ର ଗରମ ଯୋଗୁଁ ସେ ନିଜ ବନ୍ଧୁଙ୍କୁ ଚାହିଁ ମୃଦୁ ମୃଦୁ ହସିଲେ । ବନ୍ଧୁ ଜଣକବି ଉତ୍ତରରେ ହସିଦେଲେ ।

 

ବର୍ତ୍ତମାନ ପ୍ରଶ୍ନ ଉଠିଲା ଯେ ଦୁଇ ଶହ ଟଙ୍କାରେ କ’ଣ କରାଯିବ ? କିନ୍ତୁ ବେଶୀ ଚିନ୍ତା କରିବାକୁ ପଡ଼ିଲାନି । ସର୍ବପ୍ରଥମେ ଦୁହେଁ ଗୋଟାଏ ଗୋଟାଏ ଧୋତି, କୁରୁତା ଏବଂ ଜୋତା କିଣିଲେ । ଲୋହିଆ ଗାନ୍ଧୀଟୋପିଟାଏବି କିଣିଲେ । ତା’ପରେ ଦୁହେଁ ଯାଇ ପହଞ୍ଚିଲେ ଗୋଟାଏ ବହି ଦୋକାନରେ । ରାଜନୀତି ତଥା ଅନ୍ୟ ବିଷୟରେ ନୂଆ ହୋଇ ଆସିଥିବା ବହିଗୁଡ଼ିଏ କିଣାଗଲା । ସତୁରି ଟଙ୍କାର ବହି । ତା’ପରେ ଗୋଟାଏ ବିରାଟ ହୋଟେଲରେ ଆକଣ୍ଠ ଭୋଜନ କଲେ । ହୋଟେଲରୁ ବାହାରି ଆସି ୯୯୯ ମାର୍କାର ଗୋଟାଏ ଟିଣ ସିଗାରେଟ କିଣିଲେ । ସିନେମା ହଲ୍‌ ଭିତରୁ ଅଧରାତିରେ ବାହାରିଲେ । ଏବେ କ’ଣ ହବ ? ବର୍ତ୍ତମାନବି ପକେଟ୍‌ରେ ପ୍ରଚୁର ଟଙ୍କା ଥିଲା । ଗୋଟାଏ ଖୋଲା ଘୋଡ଼ାଗାଡ଼ି ଭଡ଼ାରେ ନେଇ ଦୁହେଁ ବସିଲେ ଏବଂ ପବନ ଖାଇ ଖାଇ ହୁଗୁଳିକୂଳରେ ଥିବା ଖିଦିରୀପୁର ପର୍ଯ୍ୟନ୍ତ ଚାଲିଆସିଲେ । ଠିକ୍ ହେଲା, ବନ୍ଦରସ୍ଥ ମଜଦୁର ବସ୍ତି ଦେଖିବେ । ବସ୍ତିରେ ଚେଇଁ ରହିଥିବା ମଜଦୁର କିମ୍ୱା ପିଲାଙ୍କ ହାତରେ ସେମାନେ କିଛି କିଛି ଟଙ୍କା ଗୁଞ୍ଜି ଦେଇଗଲେ ।

 

ରାତ୍ରିର ନିର୍ଜନତା ଭିତରେ ଟଙ୍କା ଦେଉଥିବା ରାତ୍ରିଚାରୀଙ୍କ ଆଡ଼କୁ ଭୟଭୀତ ଦୃଷ୍ଟିରେ ନିରୀହ ମଜଦୁରମାନେ ସଂକୋଚରେ ଚାହିଁରହିଲେ । ସକାଳ ଚାରିଟା ପର୍ଯ୍ୟନ୍ତ ସେମାନେ ସେଇଠି ବୁଲିବାକୁ ଲାଗିଲେ । ଯେତେବେଳେ ଘରେ ପହଞ୍ଚିଲେ, ସକାଳ ହୋଇ ସାରିଥିଲା । ସନ୍ଧ୍ୟାରେ ପାଇଥିବା ଦୁଇ ଶହ ଟଙ୍କା ଭିତରୁ ବର୍ତ୍ତମାନବି ତିରିଶ ଟଙ୍କା ବଳିଥିଲା ।

 

ସକାଳେ ଦୁହେଁ ଶୋଇଲେ । ରାତିଟାର କ୍ଳାନ୍ତି ଥିଲା । ଠିକ୍‌ ଦଶଟାବେଳେ କାହାର ପାଟି ଶୁଣି ଲୋହିଆ ଉଠିଲେ । ଶୁଣିବାକୁ ପାଇଲେ ଗୋଟାଏ ସ୍ତ୍ରୀଲୋକର କଣ୍ଠସ୍ୱର । ଧ୍ୟାନ ଦେଇ ଶୁଣିଲେ । ସେ ସାହାଯ୍ୟ ମାଗୁଥିଲା । ବନ୍ଧୁଜଣଙ୍କ ଯାଇ ତାକୁ କିଛି ଟଙ୍କା ଦେଇଦେଲେ । ସେତେବେଳକୁ ଲୋହିଆ ବାହାରକୁ ଆସି ସାରିଥିଲେ । ସେ ସ୍ତ୍ରୀକୁ ପଚରାଉଚରା କଲେ । ଜାଣିବାକୁ ପାଇଲେ ଯେ ସେ ବିଚାରୀ ବଡ଼ ଦୁର୍ଦ୍ଦିନ ଭିତରେ ଗତି କରୁଛି ଏବଂ ତା’ର ସ୍ୱାମୀ ରାଜନୈତିକ ବନ୍ଦୀରୂପେ ନଜରବନ୍ଦୀ ହୋଇ ରହିଛି । ଶୁଣିବାକ୍ଷଣି ଲୋହିଆଙ୍କ ମନ ଉଦ୍‌ବେଳିତ ହୋଇଉଠିଲା । ସେତେବେଳେ ଏମିତି କେତେ ପରିବାର ନିରାଶ୍ରୟ ହୋଇ ପଡ଼ିଥିଲେ । ସେ ସମୟରେ ଅଲିପୁର ଜେଲ୍‌ ଏବଂ ବଙ୍ଗଳାର ଅନ୍ୟାନ୍ୟ ଜେଲରେ ପ୍ରାୟ ଛ’ ହଜାର ସ୍ତ୍ରୀ–ପୁରୁଷ ନଜରବନ୍ଦୀରୂପେ ଅଟକ ହୋଇ ରହିଥିଲେ ।

 

ଆତଙ୍କବାଦୀ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ଏପରି ଗିରଫ୍ କରି ଚାଲିଥିଲେ । ସେଇ ଲୋକଙ୍କୁ ତଥା ସେମାନଙ୍କର ପରିବାରକୁ ଏପରି ଭାବରେ ଦଳିଚକଟି ଦେଇ ସରକାର ଆନ୍ଦୋଳନକୁ ଦବେଇ ଦେବାକୁ ଚାହୁଁଥିଲେ । ଲୋହିଆ ନିଜ ବନ୍ଧୁଙ୍କୁ ପଚାରିଲେ ଯେ ସେ ସେଇ ସ୍ତ୍ରୀକୁ କେତେ ଟଙ୍କା ଦେଲେ । ଜାଣିଲେ, ଜମା ପାଞ୍ଚ ଟଙ୍କା ଦେଇଛନ୍ତି । ଶୁଣିବାକ୍ଷଣି ଲୋହିଆଙ୍କ ଆଖି ଯୋଡ଼ିକ ଲାଲ ହୋଇଗଲା । କ୍ରୋଧରେ ଚେହେରାଟା ଥରି ଉଠିଲା । ଗୋଟାଏ ରାଜନୈତିକ ବନ୍ଦୀର ଅସହାୟା ପତ୍ନୀ ସାହାଯ୍ୟପାଇଁ ହାତ ପତେଇଛି ଅଥଚ ତାକୁ ଦିଆଯାଇଛି ଜମା ପାଞ୍ଚ ଟଙ୍କା ! ଲୋହିଆଙ୍କ ପାଇଁ ଏହା ଯେପରି ଅତିଶୟ ଲଜ୍ଜାଜନକ ଏବଂ ଅସହ୍ୟକର ବିଷୟ ଥିଲା । ସେଇ ସ୍ତ୍ରୀ ସାମ୍ନାରେହିଁ ସେ ନିଜ ବନ୍ଧୁଙ୍କ ଉପରେ ଚିଡ଼ି ଉଠିଲେ ଏବଂ ତାଙ୍କର କୃପଣସ୍ୱଭାବ ଯୋଗୁଁ ତାଙ୍କୁ ଭଲମନ୍ଦ କରି ଦି’ଚାରି ପଦ ଶୁଣାଇଦେଲେ । ତା’ପରେ ବାଧ୍ୟ ହୋଇ ବନ୍ଧୁ ଜଣକ ରାତିର ବଳିଥିବା ସମସ୍ତ ଟଙ୍କା ଆଣି ସେଇ ସ୍ତ୍ରୀଲୋକର ହାତକୁ ବଢ଼େଇଦେଲେ ।

 

ଯେତେବେଳେ ସେଇ ସ୍ତ୍ରୀଲୋକଟି ଚାଲିଗଲା ଲୋହିଆ ମୃଦୁ ହସ ହସି ବନ୍ଧୁଙ୍କୁ ଚାହିଁଲେ । ସେ ବି ହସିଦେଲେ । ଦୁହେଁ ଦୁହିଁଙ୍କ ମନକୁ ବେଶ୍‌ ଚିହ୍ନିପାରୁଥିଲେ ।

 

ଲୋହିଆଙ୍କର ସେଇ ବନ୍ଧୁ ଜଣକ ଢାକାର ଲୋକ ଥିଲେ । ଦିନେ ହଠାତ୍‌ ତାର ଆସିଲା–ତାଙ୍କ ମା’ ବେମାର ଅଛନ୍ତି । ତାର ଆସିବା ସାଙ୍ଗେ ସାଙ୍ଗେ ସେ ଢାକା ଚାଲିଗଲେ । ସେଦିନ ରାତିରେ ଲୋହିଆ ଏକାକୀ ଘରେ ରହିଲେ । ରାତିଯାକ ବନ୍ଧୁଙ୍କ ମା’ଙ୍କ ଚିନ୍ତାରେ ଚେଇଁ ରହିଲେ । ସକାଳ ପାଉ ପାଉ ସେ ବଡ଼ ଅସ୍ଥିର ହୋଇପଡ଼ିଲେ । ସେତେବେଳେ ପକେଟ୍‌ର ଅବସ୍ଥା ଅତିଶୟ ହାଲୁକା ଥିଲା । କେବଳ ଢାକା ପର୍ଯ୍ୟନ୍ତ ଟିକେଟ୍‌ ହୋଇପାରନ୍ତା । ବେଶ୍‌, ସେ ସିଧା ଢାକା ଅଭିମୁଖରେ ବାହାରି ପଡ଼ିଲେ । ଯେତେବେଳେ ଢାକା ଷ୍ଟେସନ୍‍ରେ ଓହ୍ଲେଇଲେ ତାଙ୍କ ପାଖରେ ଆଉ ପଇସାଟିଏବି ନଥିଲା । ବନ୍ଧୁଙ୍କ ଘରବି ଷ୍ଟେସନ୍‍ଠାରୁ ଅଳ୍ପ ଦୂର ଥିଲା । କିନ୍ତୁ ଚିନ୍ତାଦ୍ୱାରା ସମୟ ନଷ୍ଟ ନ କରି ସେ ଭଡ଼ାରେ ଗୋଟାଏ ଘୋଡ଼ାଗାଡ଼ି ଧଇଲେ ଏବଂ ବନ୍ଧୁଙ୍କ ଘରେ ଯାଇ ପହଞ୍ଚିଲେ । ସେତେବେଳକୁ ବନ୍ଧୁ ଜଣକ ଘରେ ନଥିଲେ । ବୁଝିଲେ, ସେ ୟୁନିଭର୍‌ସିଟିକୁ ଯାଇଛନ୍ତି । ସେଇ ଗାଡ଼ିରେହିଁ ୟୁନିଭର୍‌ସିଟିରେ ଯାଇ ପହଞ୍ଚିଲେ । ସେଇଠି ବନ୍ଧୁଙ୍କ ସହ ଦେଖା ହେଲା । ଜାଣିଲେ, ତାଙ୍କ ମା’ଙ୍କ ଅବସ୍ଥା ସୁଧୁରି ଯାଇଛି । ଦୋସ୍ତଙ୍କୁ ଭଡ଼ା କଥା କହିଲେ; କିନ୍ତୁ ତାଙ୍କ ପାଖରେବି ପଇସାଟିଏ ନଥିଲା । ତା’ପରେ ସେଠିକାର ବନ୍ଧୁମାନଙ୍କଠାରୁ ଯୋଗାଡ଼ କରି ଗାଡ଼ି ଭଡ଼ା ଦେଲେ ।

 

ତା’ପରେ ଲୋହିଆ ପୂରାପୂରି ଗୋଟାଏ ସପ୍ତାହ ଢାକାରେ ରହିଲେ ବନ୍ଧୁଙ୍କ ମା’ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା ପର୍ଯ୍ୟନ୍ତ ।

 

କିନ୍ତୁ ବର୍ତ୍ତମାନ ସମସ୍ୟା ହେଲା, ଦୁଇ ବନ୍ଧୁ କଲିକତା ଫେରିବେ କିପରି ? ଦୁହିଁଙ୍କ ପାଖରେ ଟିକେଟ୍‌ପାଇଁ ବି ପଇସା ନଥିଲା । ଘରୁବି କିଛି ପଇସା ପାଇବାର ଆଶା ତାଙ୍କ ବନ୍ଧୁଙ୍କର ନଥିଲା । ତା’ପରେ ଗୋଟାଏ ଉପାୟ ସ୍ଥିର କରାଗଲା । ବନ୍ଧୁ ଜଣକ ନିଜର ଜଣେ ପ୍ରଫେସର୍ ବନ୍ଧୁଙ୍କ ଜରିଆରେ ଲୋହିଆଙ୍କ ପାଇଁ ୟୁନିଭର୍‍ସିଟିରେ ଗୋଟାଏ ଭାଷଣ ଦେବାର ଯୋଗାଡ଼ କରାଇଦେଲେ । ବିଷୟବସ୍ତୁ ଥିଲା, ‘‘ବିଶ୍ୱ ରାଜନୀତିର ଆଗାମୀ ଦଶବର୍ଷ’’ । ଏଇ ଭାଷଣର ପ୍ରଚାର ଖୁବ୍‌ କରାଗଲା । ଫଳସ୍ୱରୂପ ଜର୍ମାନୀରୁ ଫେରିଆସିଥିବା ରାଜନୀତିକ ବିଦ୍ୱାନ ଲୋହିଆଙ୍କର ଭାଷଣ ଶୁଣିବାକୁ ଛାତ୍ରମାନଙ୍କର ଏତେ ଭିଡ଼ ହେଲା ଯେ ହଲ୍‌ ଭିତରେ ସୋରିଷ ପକାଇବାକୁବି ଜାଗା ନଥିଲା । ଖୁବ୍‌ ଭିଡ଼ ଯୋଗୁଁ ଲୋହିଆଙ୍କୁବି ଉତ୍ସାହ ମିଳିଲା ଏବଂ ସେ ଖୁବ୍‌ ଭଲ ଭାବରେ କହିଲେ । ସେ ବ୍ୟାଖ୍ୟା ସହିତ ଏଇ ଗୋଟାଏ କଥା ଉପରେ ଜୋର୍‌ ଦେଇ କହିଲେ ଯେ ସମଗ୍ର ବିଶ୍ୱ ବର୍ତ୍ତମାନ କ୍ଷିପ୍ରଗତିରେ ସମାଜବାଦ ଆଡ଼କୁ ଧାଇଁଯାଉଛି । ଲୋହିଆଙ୍କର ଏଇ ଭାଷଣଦ୍ୱାରା ସମସ୍ତେ ଖୁବ୍‌ ପ୍ରଭାବିତ ହେଲେ ।

 

ଭାଷଣ ଶେଷରେ ୟୁନିଭର୍‌ସିଟିର ପ୍ରଫେସର୍ ଜେ.ସି. ଘୋଷ ଲୋହିଆଙ୍କ ବନ୍ଧୁଙ୍କୁ ଲୋହିଆଙ୍କ ପ୍ରଶଂସା କରି କହିଲେ, ‘‘ତମେ ହଉଛ ଖୁବ୍‌ ଭାଗ୍ୟବାନ । ତମେ ଲୋହିଆଙ୍କ ଭଳି ଜଣେ ବିଦ୍ୱାନ ବନ୍ଧୁ ପାଇଛ ।’’

 

ପ୍ରଫେସର୍‍ ଘୋଷଙ୍କର ଏଇ ଭାବପୂର୍ଣ୍ଣ ଉଦ୍‌ଗାରର ଫାଇଦା ଉଠାଇବାକୁ ଯାଇ ଲୋହିଆଙ୍କର ବନ୍ଧୁ ସାଙ୍ଗେ ସାଙ୍ଗେ ତାଙ୍କୁ କହିଲେ ଯେ କଲିକତା ପର୍ଯ୍ୟନ୍ତ ଯିବାକୁ ସେମାନେ ଭଡ଼ା ଯୁଟାଇ ପାରି ନାହାନ୍ତି । ପ୍ରଫେସର୍‍ ଘୋଷ ସାଙ୍ଗେ ସାଙ୍ଗେ ସତୁରି ଟଙ୍କା ଦେଲେ ।

 

ଏପରି ଭାବରେ କଲିକତା ଫେରି ଆସିବାର ସମସ୍ୟା ସମାଧାନ ହେଲା ।

 

କଲିକତା ଆସିଲା ପରେ ଦିନେ ନିଜ ପିତାଙ୍କ ସହ ଲୋହିଆଙ୍କର ଦେଖା ହେଲା । ସେ କହିଲେ, ‘‘ଆଜି ତୁମର ସମୟ ଅଛି ?’’

 

ସେତେବେଳେ ଲୋହିଆଙ୍କ ପାଖରେବି ବେଶୀ କିଛି କାମ ନଥିଲା । ସେ କହିଲେ, ‘‘ହଁ, ସମୟ ତ ଅଛି ।’’

 

ହୀରାଲାଲଜୀ କହିଲେ, ‘‘ତେବେ ମୋ ସାଙ୍ଗରେ ଚାଲ । ଆଜି ମୋହନବାଗାନର ଫୁଟବଲ ମ୍ୟାଚ୍ ଅଛି, ଦେଖିଆସିବା ।’’

 

ଲୋହିଆଙ୍କୁବି ମ୍ୟାଚ୍‌ ଦେଖିବାର ଉତ୍ସାହ ଆସିଗଲା । ସେ ବାପାଙ୍କ ସାଙ୍ଗରେ ଚାଲିଗଲେ ।

 

ଖେଳପଡ଼ିଆରେ ଲୋହିଆଙ୍କର ଆହୁରି ଅନେକ ବନ୍ଧୁ ଦେଖା ହେଲେ । ସମସ୍ତେ ଏକାଠି ବସି ଖେଳ ଦେଖିବାକୁ ଲାଗିଲେ । ସେଇଠି ହଠାତ୍‌ ଗୋଟାଏ କୌତୂହଳପୂର୍ଣ୍ଣ ଘଟଣା ଘଟିଲା ।

 

ଖେଳ ଭିତରେ ହୀରାଲାଲଜୀ ସିଗାରେଟ ବାହାର କରି ଟାଣିବାକୁ ଲାଗିଲେ । କେଜାଣି କାହିଁକି ସେତେବେଳେ ଲୋହିଆଙ୍କରବି ସିଗାରେଟ ପିଇବାକୁ ଇଚ୍ଛା ହେଲା । ସେ ହୀରାଲାଲଜୀଙ୍କୁ କହିଲେ, ‘‘ଆମେମାନେ ଯେତେବେଳେ ସାଙ୍ଗରେ ଅଛୁ, ଆପଣ ଏକା କିମିତି ସିଗାରେଟ ଲଗେଇଲେ ? ଏହା ଶିଷ୍ଟାଚାରବିରୁଦ୍ଧ କଥା ।’’

 

ହସିଦେଇ ହୀରାଲାଲଜୀ କହିଲେ, ‘‘ବାଃ, ଆପଣ କ’ଣ ଜାଣନ୍ତିନି, ବିଗତ ଚାରିବର୍ଷ ଧରି ମୁଁ ସିଗାରେଟ ପିଇଆସୁଛି ।’’

 

ନୀରବରେ ହୀରାଲାଲଜୀ ଲୋହିଆଙ୍କୁ ଗୋଟିଏ ସିଗାରେଟ ବଢ଼ାଇଦେଲେ । ସିଗାରେଟ ନେଇ ଲୋହିଆ ଯେତେବେଳେ ବାପାଙ୍କୁ ଦିଆସିଲି ମାଗିଲେ, ସେତେବେଳେ ସେ ଗମ୍ଭୀର ହୋଇ କହିଲେ, ‘‘ବାଃ, ସିଗାରେଟ ପିଇବାର ଅଭ୍ୟାସ ଅଛି, ଅଥଚ ପାଖରେ ଦିଆସିଲିବି ରଖି ନାହଁ । ଏହା କି ସଭ୍ୟତା !’’

 

ଲୋହିଆ ହଡ଼ବଡ଼େଇ ଗଲେ । ତା’ପରେ ହୀରାଲାଲଜୀ ଦିଆସିଲି ଜଳାଇ ଲୋହିଆଙ୍କ ଆଡ଼କୁ ବଢ଼େଇଦେଲେ ଏବଂ ଲୋହିଆଙ୍କ ସିଗାରେଟ ଲଗାଇଦେଲେ ।

 

କ୍ଷଣକପାଇଁ ହସ ହସି ପିତା ଓ ପୁତ୍ର ଉଭୟ ଉଭୟଙ୍କୁ ଚାହିଁଲେ ଏବଂ ସିଗାରେଟ ଟାଣୁ ଟାଣୁ ଖେଳର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ ।

 

ପିତା ଏବଂ ପୁତ୍ର, ସତେ କି ଅଦ୍ଭୁତ ଥିଲେ ଦୁହେଁ !

 

ଯେମିତି ବାପ, ସେମିତି ପୁଅ ।

 

ଦୁହେଁ ଦୁହିଁଙ୍କୁ ଖୁବ୍‌ ଚିହ୍ନିପାରିଥିଲେ । ଜଣେ ଜଣକର ମନକୁବି ଖୁବ୍‌ ଜାଣିଥିଲେ ।

 

ଏଭଳି ଆଉ ଏକ ଘଟଣା ।

 

ଜଣେ ସ୍ୱଜାତୀୟ ସଜ୍ଜନ ଲୋହିଆଙ୍କ ସହିତ ନିଜ ଝିଅର ବିବାହ ଦେବାକୁ ଲାଳାୟିତ ଥିଲେ । ସେ ହୀରାଲାଲଜୀଙ୍କୁ ତୋଷାମଦ କରିବାକୁ ଲାଗିଲେ । ହୀରାଲାଲଜୀ ତାଙ୍କୁ ଅନେକ ବୁଝେଇଲେ ଯେ ତାଙ୍କ ପୁଅ ଆଦୌ ବିବାହ କରିବାକୁ ଚାହେଁନି ଏବଂ ଏ ବିଷୟରେ ତାକୁ ବାଧ୍ୟବି କରାଯାଇ ନ ପାରେ; ତଥାପି କନ୍ୟାପିତା କୌଣସିମତେ ମାନିଲେନି । ଥରେ, କୌଣସି ଜଣେ ସମ୍ୱନ୍ଧୀୟଙ୍କ ବିବାହରେ ଯୋଗ ଦେବାପାଇଁ ପିତା–ପୁତ୍ର ଦୁହେଁ ଯାଇଥିଲେ । ସେଇଠି ବିବାହପାଇଁ ଜିଦ୍‌ ଧରିଥିବା ଭଦ୍ରଲୋକ ଜଣକ ମଧ୍ୟ ଦେଖା ହେଲେ । ତାଙ୍କୁ ଦେଖୁଦେଖୁ ହୀରାଲାଲଜୀ ଚୁପ୍‌କିନା ଲୋହିଆଙ୍କୁ କହିଲେ ଯେ ତାଙ୍କ କଥା ବର୍ତ୍ତମାନ ତମେ ବୁଝ ।

 

ସେ ଭଦ୍ରଲୋକ ଜଣକ ଲୋହିଆଙ୍କ ସାମ୍ନାରେହିଁ ବାହାଘର ଚର୍ଚ୍ଚା ଆରମ୍ଭ କରିଦେଲେ-। ହୀରାଲାଲଜୀ ହସି ହସି ଲୋହିଆଙ୍କ ଆଡ଼କୁ ଚାହିଁଲେ । ଲୋହିଆ କ୍ଷଣିକପାଇଁ ଚିନ୍ତିତ ହୋଇପଡ଼ିଲେ; କିନ୍ତୁ ସାଙ୍ଗେ ସାଙ୍ଗେ ତାଙ୍କୁ ଗୋଟାଏ ଯୁକ୍ତି ମିଳିଗଲା । ସେ ନିଜ ଆଖିରୁ ଚଷମାଟିକୁ ସାଙ୍ଗେ ସାଙ୍ଗେ ତଳେ ପକାଇଦେଇ ଏମିତି ଭାବରେ ଅଣ୍ଡାଳିବାକୁ ଲାଗିଲେ ଯେ ମନେହେଲା ବିନା ଚଷମାରେ ତାଙ୍କୁ ଯେମିତି କିଛି ଦେଖାଯାଏନି । କୌଣସିମତେ ଚଷମାଟିକୁ ତଳୁ ଗୋଟାଇ ଆଖିରେ ଲଗାଇଲେ ଏବଂ କନ୍ୟାପିତାଙ୍କୁ କହିଲେ, ‘‘ଦେଖନ୍ତୁ, ମୁଁ ପ୍ରାୟ ଅନ୍ଧ ହୋଇଗଲିଣି କହିଲେ ଚଳେ । ଆପଣ ମୋ ଭଳି ଗୋଟାଏ ଅନ୍ଧକୁ ନିଜ କନ୍ୟା ଦାନ କରି ଅଯଥା ତା’ ଜୀବନକୁ ନଷ୍ଟ କରିବାକୁ ଚାହୁଁଛନ୍ତି କାହିଁକି ?’’

 

କନ୍ୟାପିତା ନିରୁତ୍ତର ହେଲେ ।

 

ଫେରିଆସି ହୀରାଲାଲଜୀ ପୁଅକୁ କହିଲେ, ‘‘ସାବାସ୍‌, ତମେ ଠିକ୍‌ ଜବାବ ଦେଇଛ । ନାଟକବି ଠିକ୍‌ କରିଛ । ଯାହାହେଉ, ତା’ଠୁ ତ୍ରାହି ମିଳିଲା ।’’

 

ଏଭଳି ପିତା–ପୁତ୍ର ଦୁହେଁ ପରସ୍ପରକୁ ବୁଝି ବରାବର ନିଜସ୍ୱ ଢଙ୍ଗରେ ସମସ୍ତ ସମସ୍ୟା ସମାଧାନର ପନ୍ଥା ଖୋଜି ନେଉଥିଲେ ।

 

ଲୋହିଆଙ୍କର ଆଉ ଜଣେ ବାଲ୍ୟସଖା ଥିଲେ ଜିତେନ୍ଦ୍ରନାଥ ଚକ୍ରବର୍ତ୍ତୀ । ଲୋହିଆଙ୍କୁ ସମୟ ମିଳିବା ସାଙ୍ଗେ ସାଙ୍ଗେ ସେ ପ୍ରାୟ ତାଙ୍କ ଘରକୁ ଚାଲି ଯାଉଥିଲେ । ତାଙ୍କ ଘରର ସମସ୍ତ ଲୋକ ଲୋହିଆଙ୍କୁ ଖୁବ୍‌ ସ୍ନେହ କରୁଥିଲେ । ବିଶେଷକରି ଚକ୍ରବର୍ତ୍ତୀଙ୍କ ମା’ । ସେ ଲୋହିଆଙ୍କୁ ନିଜର ପୁଅ ଭଳି ଦେଖୁଥିଲେ । ଦିନେ ଲୋହିଆ ଯାଇ ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଗଲେ । ସେଦିନ ଏମିତି କିଛି ଅବସ୍ଥା ଆସି ପହଞ୍ଚିଥିଲା ଯେ ଲୋହିଆଙ୍କୁ ଖାଇବାପାଇଁ ଅବସର ମିଳି ନଥିଲା । ଲୋହିଆଙ୍କ ଚେହେରା ଦେଖୁଦେଖୁ ଚକ୍ରବର୍ତ୍ତୀଙ୍କ ମା’ ନିଜେ ନିଜେ କିଛି ନ ପଚାରି ସବୁ କିଛି ବୁଝିଗଲେ ଏବଂ ସାଙ୍ଗେ ସାଙ୍ଗେ ଗୋଟାଏ ଥାଳିରେ ଖାଇବା ଜିନିଷ ସଜାଡ଼ି ନେଇଆସିଲେ । ଲୋହିଆ ବାରମ୍ୱାର ମନା କରିବାକୁ ଲାଗିଲେ; କିନ୍ତୁ ସେ କୌଣସି କଥା ଶୁଣିଲେନି ଏବଂ ନିଜ ପାଖରେ ବସେଇ ଲୋହିଆଙ୍କୁ ଖୋଇଲେ । ପେଟ ପୂରେଇ ଖାଇସାରିଲା ପରେ ଲୋହିଆଙ୍କ ଚେହେରାର ରଙ୍ଗ ସାମାନ୍ୟ ବଦଳିଗଲା । ତା’ପରେ ଚକ୍ରବର୍ତ୍ତୀଙ୍କ ମା’ ଅତି ସ୍ନେହରେ କହିଲେ, ‘‘ଏତେ ଭୋକିଲା ଥାଇବି ଏମିତି ଦୁଷ୍ଟାମି କରୁଥିଲୁ କାହିଁକି ?’’

 

ହସି ହସି ଲୋହିଆ କହିଲେ, ‘‘ନ ମାଗୁଣୁ ଯେତେବେଳେ ମିଳୁଛି, ମାଗନ୍ତି ଆଉ କାହିଁକି-?’’

 

ଦିନେ ଲୋହିଆଙ୍କର ତାଙ୍କ କକା ରାମକୁମାରଙ୍କ ସହିତ ଯୁକ୍ତିତର୍କ ଆରମ୍ଭ ହୋଇଗଲା-। ସେ କହିଲେ, ‘‘ତୁ ବେକାରଟାରେ ସମୟ ନଷ୍ଟ କରୁଛୁ । ତୋ ବାପ କୌଣସି ଗୋଟାଏ ଧନ୍ଦା ଠିକ୍‌ ଭାବରେ କଲେନି । କ’ଣ ତୁ ବି ସେମିତି ରହିବୁ ?’’

 

ଲୋହିଆ କହିଲେ, ‘‘ମୁଁ ଯେଉଁ ଧନ୍ଦା କରିବାକୁ ଚାହୁଁଛି, ସେଥିପାଇଁ ପ୍ରଚୁର ଟଙ୍କା ଦରକାର । ମୋ ପାଖରେ ଟଙ୍କା ନାହିଁ । ଆପଣଙ୍କ ପାଖରେ ଅନେକ ଟଙ୍କା ଅଛି; କିନ୍ତୁ ଆପଣ ଦେବେନି ।’’

 

କକା ବୁଝିଗଲେ ଯେ, ବୋଧେ ପୁତୁରା ପ୍ରକୃତରେ କୌଣସି ନା କୌଣସି ଧନ୍ଦା କରିବା ଫିକରରେ ଅଛି । ଖୁବ୍‌ ଆଶାର ସହିତ ଉତ୍ସାହିତ ହୋଇ ସେ କହିଲେ, ‘‘ତୋର କେତେ ଟଙ୍କା ଦରକାର ? ମୁଁ ଦେବି । କିନ୍ତୁ ଆଗ କହିଲୁ, ତୁ କ’ଣ କରିବୁ ?’’

 

ଲୋହିଆ ସାଙ୍ଗେ ସାଙ୍ଗେ କହିଲେ, ‘ଦଳ ଗଠନ କରି ଧନୀମାନଙ୍କୁ ଶେଷ କରିଦେବି-।’’

 

କକାଙ୍କ ଚେହେରା ଫିକା ପଡ଼ିଗଲା । ସେ ଜାଣିଗଲେ ଯେ ପିଲା ଓଲଟା ଚିନ୍ତା କରୁଛି-। ଦୁଃଖିତ ମନରେ କହିଲେ, ‘‘ତେବେ ସେଥିପାଇଁ ମୋ ପାଖରେ ଟଙ୍କା ନାହିଁ । ମୋ ଟଙ୍କାରେ ମତେହିଁ ମାରିବୁ ? କିନ୍ତୁ ବାବୁ, ତୁ ପରା ବିଦ୍ୱାନ ! ଏମିତି ଗୋଟାଏ ରାସ୍ତା କାହିଁକି ବାହାର କରୁନୁ, ଯଦ୍ଦ୍ୱାରା କି ସମସ୍ତେ କୋଟିପତି ହୋଇଯିବେ ?’’

 

ଲୋହିଆ କକାଙ୍କର ଯୁକ୍ତିକୁ ବୁଝିପାରି କହିଲେ, ‘‘କକା, ସେମାନଙ୍କ ସଂଖ୍ୟା ଖୁବ୍‌ ବେଶୀ । ଦୁନିଆରେ ଏତେ ଧନ ନାହିଁ ଯେ ସମସ୍ତେ ଏକାଥରକେ କୋଟିପତି ହୋଇପାରିବେ । ସେଥିପାଇଁ କୋଟିପତିଙ୍କଠାରୁ ଛଡ଼େଇ ଆଣି ସେମାନଙ୍କୁବି ସାଧାରଣ ଶ୍ରେଣୀକୁ ଅଣାଯାଇପାରିବ-।’’

 

ତା’ପରେ ଚିଡ଼ିଉଠି କକା ତାଙ୍କର ପୁରୁଣା ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ, ଯାହାକୁ ପ୍ରୟୋଗ କରି ସେ ସଦାସର୍ବଦା ଯୁକ୍ତିକୁ ଶେଷ କରିଦିଅନ୍ତି । ସେ କହିଲେ, ‘‘ମୁଁ ତୋର କକା ନା !’’

 

ତା’ପରେ ଆଉ ବା ଯୁକ୍ତିତର୍କ କିପରି ବଢ଼ନ୍ତା !

 

ଏଇଆ ଥିଲା ୧୯୩୪–୩୫ ସାଲରେ ଲୋହିଆଙ୍କର କଲିକତାର ଜୀବନ । ନିଜର ସିଦ୍ଧାନ୍ତ ଆଉ ଜୀବନକ୍ରମରେ ସାମାନ୍ୟ ପରିବର୍ତ୍ତନ କରିଥିଲେ ଲୋହିଆ ସଂଘର୍ଷ ରୂପକ ଚକିତଳେ ପେଷି ହେଉଥିବା ଜୀବନରୁ ମୁକ୍ତ ହୋଇ ସଂପନ୍ନ ଅବସ୍ଥା ହାସଲ କରି ପାରିଥାନ୍ତେ; କିନ୍ତୁ ସେ ତ ଠିକ୍‌ କରି ସାରିଥିଲେ, ସଂଘର୍ଷର ପଥହିଁ ତାଙ୍କ ଜୀବନର ଚଲାପଥ ।

 

କଲିକତାରେ ଲୋହିଆଙ୍କ ସଂଘର୍ଷମୟ ଜୀବନର ପୃଷ୍ଠଭୂମିରେ ତାତ୍କାଳିକ ପରିସ୍ଥିତିକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ପଡ଼ିବ ।

 

ଦେଶର ପରିସ୍ଥିତି ଯେପରି ଥିଲା, ସେଥିରେ ସଂଘର୍ଷ ଛଡ଼ା ଅନ୍ୟ କୌଣସି ବାଟ ବୋଧହୁଏ ସମ୍ଭବ ନଥିଲା ।

 

ଦେଶର ରାଜନୀତି ପ୍ରତି ମୁହୂର୍ତ୍ତରେ କଡ଼ ଲେଉଟଉଥିଲା । ପ୍ରତି ପଦକ୍ଷେପରେ ନୂତନ ପରିବର୍ତ୍ତନର ସୂଚନା ମିଳୁଥିଲା ।

 

ଗାନ୍ଧିଙ୍କ ଗିରଫ୍‍ଦାରି ପରେ ପରେ ରାଜନୀତିର ଧାରା କ୍ଷୀଣ ପଡ଼ିଆସିଥିଲା । ଦେଶର ରାଜନୀତିରେ ଯେମିତି ଗୋଟାଏ ସ୍ଥାଣୁତ୍ୱ ଆସିଗଲା ଭଳି ମନେ ହେଉଥିଲା । ବିଚାର–ବିମର୍ଷର ସ୍ତର ଯେମିତି କି ସମାପ୍ତ ହୋଇଯାଇଥିଲା ।

 

କିନ୍ତୁ ଦେଶର ରାଜନୀତିର ଏଇ ଗତିରୋଧ କିପରି ଶେଷ ହେବ, ଏହି ପ୍ରଶ୍ନ ସମସ୍ତଙ୍କ ସାମ୍ନାରେ ଉଙ୍କିମାରି ଉଠୁଥିଲା ।

 

ମେ’ ୧୯୩୪ ସାଲରେ ପାଟଣାଠାରେ କଂଗ୍ରେସ ମହାସମିତିର ବୈଠକ ବସିଲା । ଏଇ ବୈଠକରେ କଂଗ୍ରେସ ଭିତରେ ସୃଷ୍ଟି ହେଉଥିବା ଦୁଇ ବିରୋଧୀ ଧାରା ସ୍ପଷ୍ଟ ଭାବରେ ଜଣା ପଡ଼ିଗଲା ।

 

ଗୋଟାଏ ଦିଗରେ ଏମିତି ଲୋକ ଥିଲେ, ଯେଉଁମାନେ ଏହି ଗତିରୋଧକୁ ଭାଙ୍ଗି ନ ଦେଇ ଅପେକ୍ଷା କରିବା ଏବଂ ଆପଣା ଛାଏଁ ରାସ୍ତା ପାଇବାପାଇଁ ପ୍ରତ୍ୟାଶୀ ହୋଇ ପଡ଼ିଥିଲେ । ଅନ୍ୟ ଦିଗରେବି ଏମିତି ଦଳେ ଥିଲେ, ଯେଉଁମାନେ କି ସଂଘର୍ଷ ମାଧ୍ୟମରେ ତାକୁ ଭାଙ୍ଗିଦେବାକୁ ଚାହୁଁଥିଲେ । ଏଭଳି ଲୋକଙ୍କ ମନ ଭିତରେ ବୈଚାରିକ ସ୍ତରରେ ଖୁବ୍‌ କ୍ଷିପ୍ର ଗତିରେ ଆଲୋଡ଼ନ ସୃଷ୍ଟି ହେଉଥିଲା ।

 

ସେମାନେ କଂଗ୍ରେସ ସଂସ୍ଥାକୁ କ୍ରାନ୍ତିକାରୀରୂପେ ଛିଡ଼ା କରାଇବାକୁ ଚାହୁଁଥିଲେ । ଏଇ ବୈଚାରିକ ସଂଘର୍ଷର ଫଳସ୍ୱରୂପ ସମାଜବାଦୀ ବିଚାରଧାରାର ସ୍ପଷ୍ଟ ଦର୍ଶନବି ନିଜର ପ୍ରକୃତ ରୂପ ପ୍ରକାଶ କରିବାକୁ ଲାଗିଲା । ରାଷ୍ଟ୍ରୀୟ ଆନ୍ଦୋଳନରେ ବିଶ୍ୱାସ ରଖୁଥିବା ଅନେକ ନବଯୁବକ ସମାଜବାଦୀ ବିଚାରଧାରାର ସମର୍ଥନ କଲେ । ସ୍ୱତନ୍ତ୍ର ସମାଜବାଦୀ ଆନ୍ଦୋଳନର ପୃଷ୍ଠଭୂମି ତିଆରି ସରିଥିଲା; କିନ୍ତୁ ସମାଜବାଦୀ ବିଚାରଧାରାରେ ପ୍ରଭାବିତ ଲୋକଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ନଥିଲା ।

 

ଭିନ୍ନ ଭିନ୍ନ କ୍ଷେତ୍ରରେ ସମାଜବାଦୀ ସଙ୍ଗଠନରେ ଚର୍ଚ୍ଚା ହୋଇ ସାରିଥିଲା । ନାସିକ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା କେତେକ ସମାଜବାଦୀ ଯୁବକ ନିଜ ନିଜ ଢଙ୍ଗରେ ହୃଦୟ ମନ୍ଥନ କରି ଚାଲିଥିଲେ । କାଶୀ ବିଦ୍ୟାପୀଠ ଏବଂ ବନାରସରେବି ଗୋଟାଏ ଦଳ ଗୁମରି ଗୁମରି ଉଠୁଥିଲେ ।

 

ଗୋଟାଏ ଦିଗରେ, ଯେଉଁଠି ଏଇଭଳି ଭାବରେ ସମାଜବାଦୀ ଆନ୍ଦୋଳନ ଅଙ୍କୁରିତ ହୋଇ ଉଠୁଥିଲା, ସେଇଠି ଅନ୍ୟ ଦିଗରେ କଂଗ୍ରେସର ବଡ଼ବଡ଼ ନେତାମାନେ ନୂଆ ପଦ୍ଧତିର ଅନୁସରଣରେ ହେବାକୁ ଯାଉଥିବା ନିର୍ବାଚନ ଏବଂ ବିଧାନସଭା ଭିତରେ ପ୍ରବେଶ କରିବାର ଯୋଜନା କରିବାରେ ବ୍ୟସ୍ତ ଥିଲେ । ଠିକ୍‌ ସେତିକିବେଳେ ଗାନ୍ଧିଜୀ ମଧ୍ୟ କିଛି ସମୟପାଇଁ କଂଗ୍ରେସ ସଂସ୍ଥାରୁ ସମସ୍ତ ସମ୍ପର୍କ ଛିନ୍ନ କରିଦେବା ଲାଗି ଘୋଷଣା କରି ସାରିଥିଲେ ଏବଂ ସେ ଦେଶ ଆଗରେ ଗ୍ରାମସୁଧାର କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରି ସାରିଥିଲେ ।

 

ଏପରି ବାତାବରଣ !

 

ଦେଶର ରାଜନୀତିରେ ଘଡ଼ିସନ୍ଧି ମୁହୂର୍ତ୍ତ !

 

ପାଟଣାରେ, ୧୭ ମେ’ ୧୯୩୪ ଦିନ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଅଧ୍ୟକ୍ଷତାରେ ସମଗ୍ର ଦେଶର ସମାଜବାଦୀମାନେ ‘‘ଅଞ୍ଜୁମନ–ଏ ଇସ୍‌ଲାମିୟା’’ ହଲ୍‍ରେ ଏକତ୍ର ହେଲେ ।

 

ସେଇ ସମ୍ମେଳନ ରାଷ୍ଟ୍ରୀୟତାର ପୃଷ୍ଠଭୂମି ଉପରେ କଂଗ୍ରେସ ଭିତରେହିଁ ରହି ଗୋଟାଏ ବିଧିବଦ୍ଧ ସଙ୍ଗଠିତ ସମାଜବାଦୀ ପାର୍ଟିର ସ୍ଥାପନା କରିବାକୁ ସ୍ଥିର କଲେ । ସେଇ ସମ୍ମେଳନର ଲୋହିଆ ସମାଜବାଦୀ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କଲେ । ସେ କଂଗ୍ରେସର ବର୍ତ୍ତମାନ ନେତୃତ୍ୱର ଖୋଲାଖୋଲି ସମାଲୋଚନା କଲେ । ସେ ସ୍ପଷ୍ଟ ଭାବରେ ଘୋଷଣା କଲେ ଯେ ନିର୍ବାଚନ ମାଧ୍ୟମରେ ବିଧାନସଭାରେ ପ୍ରବେଶ କରିବାଦ୍ୱାରା ସ୍ୱାଧୀନତା ଆନ୍ଦୋଳନ କେବେ ଶକ୍ତିଶାଳୀ ହୋଇ ପାରିବନି । ଏହି ବକ୍ତବ୍ୟଦ୍ୱାରା ଲୋକଙ୍କ ଦୃଷ୍ଟି ଲୋହିଆଙ୍କ ପ୍ରତି ଆକର୍ଷିତ ହୋଇଉଠିବା ଅତି ସ୍ୱାଭାବିକ ଥିଲା ।

 

ପାଟଣାର ସେଇ ସମ୍ମେଳନରେ ଲୋହିଆ ଖୁବ୍‌ ଆଗୁଆ ଭାବରେ ରହି ଅଂଶଗ୍ରହଣ କଲେ । ସମ୍ମେଳନ ବିଧାନ...କାର୍ଯ୍ୟକ୍ରମ...ସଂଗଠନ ଆଦିପାଇଁ ଯେଉଁ କେତୋଟି କମିଟି ଗଠନ କଲେ, ସବୁଥିରେ ଲୋହିଆଙ୍କୁ ରଖାଗଲା; କିନ୍ତୁ ସଂଗଠନ ସମିତିର ପ୍ରଥମ ସଭାରେହିଁ ଲୋହିଆଙ୍କୁ ସଂଘର୍ଷ କରିବାକୁ ପଡ଼ିଲା । ପାର୍ଟିର ଉଦ୍ଦେଶ୍ୟ ସମ୍ୱନ୍ଧରେ ପ୍ରସ୍ତାବ ରଖାଗଲା–ପାର୍ଟିର ଉଦ୍ଦେଶ୍ୟ–‘‘ସମାଜବାଦୀ ସମାଜର ସ୍ଥାପନା’’ । ଲୋହିଆ ଗୋଟାଏ ସଂଶୋଧନ ପ୍ରସ୍ତାବ ଆଗତ କଲେ ଯେ, ସେଥିରେ ‘‘ପୂର୍ଣ୍ଣ ସ୍ୱରାଜ୍ୟର ଲକ୍ଷ୍ୟ’’ ଯୋଡ଼ି ଦିଆଯାଉ । ଏହି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିଯିବା ଅନ୍ୟମାନଙ୍କ ପକ୍ଷରେ କଠିନ ହୋଇ ପଡ଼ୁଥିଲା । ସଂଶୋଧନ ପ୍ରସ୍ତାବର ଘୋର ବିରୋଧ ହେଲା । ସଂଶୋଧନ ପ୍ରସ୍ତାବର ସପକ୍ଷରେ କେବଳ ଏକୁଟିଆ ଆଚାର୍ଯ୍ୟ ନରେନ୍ଦ୍ର ଦେବହିଁ ଥିଲେ । ମିନୁ ମାସାନୀ, ପୁରୁଷୋତ୍ତମ ଦାସ, ତ୍ରିକମ ଦାସ ଏବଂ ସଂପୂର୍ଣ୍ଣାନନ୍ଦଙ୍କ ଭଳି ଲୋକମାନେ ବିରୋଧରେ ଥିଲେ । ସେମାନଙ୍କର ଗୋଟାଏ ଯୁକ୍ତି ଥିଲା ଯେ ଯଦି ପାର୍ଟିର ଉଦ୍ଦେଶ୍ୟରେ ‘ପୂର୍ଣ୍ଣ ସ୍ୱରାଜ୍ୟ’’ ଯୋଡ଼ି ଦିଆଯିବ, ତେବେ ପାର୍ଟି ନିଶ୍ଚୟ ବେଆଇନ ଘୋଷିତ ହୋଇଯିବ । କଂଗ୍ରେସ ମଧ୍ୟ ଏଇ ପାର୍ଟିକୁ ନିଜର ଗୋଟାଏ ଅଂଶବିଶେଷ ବୋଲି କେବେ ସ୍ୱୀକାର କରିବନି । ଏଇ ଯୁକ୍ତିତର୍କରେ ଜୟପ୍ରକାଶ ନାରାୟଣ ନିଜର ସ୍ୱାଭାବିକ ଢଙ୍ଗରେ ଦୁଇ ତରଫା କଥା କହିଲେ–‘‘ଏ ପ୍ରଶ୍ନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ ଏବଂ ଆଗାମୀ ସଭାରେ ସ୍ଥିର କରାଯାଉ ।’’ ଫଳସ୍ୱରୂପ ଅଳ୍ପ ମତ ଯୋଗୁଁ ଲୋହିଆଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଦିଆଗଲା ।

 

ତହିଁ ଆରଦିନ କଂଗ୍ରେସ ମହାସମିତି ବୈଠକରେ ଲୋହିଆ ଏବଂ ଅନ୍ୟ ସମାଜବାଦୀଙ୍କ ଘୋର ବିରୋଧ ସତ୍ତ୍ୱେବି ଏଇ ଦୁଇଟି ପ୍ରସ୍ତାବକୁ ଗ୍ରହଣ କରି ନିଆଗଲା । ପ୍ରଥମଟି ହେଲା–ସିଭିଲ୍‌ ନାଫରମାନିକୁ ସ୍ଥଗିତ ରଖାଯିବା ଏବଂ ଅନ୍ୟଟି ହେଲା–ନିର୍ବାଚନ ଲଢ଼ିବା ଏବଂ କାଉନ୍‌ସିଲ୍‌ ପ୍ରବେଶ ସ୍ୱୀକୃତି । କଂଗ୍ରେସ ନିଜ ଲାହୋର ଅଧିବେଶନର ପ୍ରସ୍ତାବ ବିରୁଦ୍ଧରେ ଏଇ ଦୁଇଟି ପ୍ରସ୍ତାବକୁ ଗ୍ରହଣ କରିଗଲା ।

 

ଏଇ ଘଟଣାର ଫଳସ୍ୱରୂପ ସମାଜବାଦୀମାନେ ବାଧ୍ୟ ହୋଇ ନିଜର ସ୍ୱତନ୍ତ୍ର ସଂଗଠନ ଗଢ଼ିବାପାଇଁ ଆବଶ୍ୟକ ମନେ କଲେ ।

 

ଛ’ଟି ମାସବି ଗଲାନି । ୨୧–୨୨ ଅକ୍‌ଟୋବର ୧୯୩୪ ସାଲରେ ବମ୍ୱେର ବରେଲୀସ୍ଥ ‘‘ରେଡ଼ିମନି ଟେରେସ୍‌’’ରେ ସାରା ଭାରତରୁ ପ୍ରାୟ ୧୫୦ ଜଣ ଯାଏଁ ସମାଜବାଦୀ ଏକତ୍ର ହେଲେ ଏବଂ ‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ ସ୍ଥାପନା କରିବାର ସମ୍ମିଳନୀ ଜୋର୍‌ସୋର୍‌ରେ ଆରମ୍ଭ ହେଲା । ସେଇଠି ପାର୍ଟିର ଯେଉଁ ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ଗଠିତ ହେଲା, ଲୋହିଆ ତାହାର ସଭ୍ୟରୂପେ ନିର୍ବାଚିତ ହେଲେ ।

 

ସେଇଠିବି ସ୍ଥିର ହେଲା ଯେ କଲିକତାରୁ ଲୋହିଆଙ୍କ ସମ୍ପାଦକତ୍ୱରେ ପାର୍ଟିର ମୁଖପତ୍ର ‘‘କଂଗ୍ରେସ–ସୋସାଲିଷ୍ଟ’’ର ପ୍ରକାଶନ କରାଯାଉ ।

 

ସେଇ ସମ୍ମିଳନୀର ଅଧ୍ୟକ୍ଷ ଥିଲା ସଂପୂର୍ଣ୍ଣାନନ୍ଦ ।

 

ପରେ ପରେ ପାର୍ଟିର ଦ୍ୱିତୀୟ ଅଧିବେଶନ କମଳା ଦେବୀ ଚଟ୍ଟୋପାଧ୍ୟୟାଙ୍କ ଅଧ୍ୟକ୍ଷତାରେ ୧୯୩୬ ସାଲରେ ମେରଡ଼ଠାରେ, ତୃତୀୟ ଅଧିବେଶନ ଜୟପ୍ରକାଶ ନାରାୟଣଙ୍କ ଅଧ୍ୟକ୍ଷତାରେ ସେଇ ୧୯୩୬ ସାଲରେ ଫୈଜପୁରରେ ଏବଂ ଚତୁର୍ଥ ଅଧିବେଶନ ମିନୁ ମାସାନୀଙ୍କ ଅଧ୍ୟକ୍ଷତାରେ ୧୯୩୮ ସାଲରେ ଲାହୋରଠାରେ ଅନୁଷ୍ଠିତ ହୋଇଥିଲା ।

 

ଲୋହିଆ ପାର୍ଟିର କୌଣସି ପଦ–ପଦବୀକୁ ଗ୍ରହଣ ନ କରି ମନପ୍ରାଣ ଦେଇ ପାର୍ଟି ସଂଗଠନରେ ଲାଗିପଡ଼ିଲେ । ‘‘କଂଗ୍ରେସ–ସୋସାଲିଷ୍ଟ’’ ପତ୍ର ତାଙ୍କର ବିଚକ୍ଷଣ ପ୍ରତିଭା ଏବଂ କଠିନ ପରିଶ୍ରମ ଯୋଗୁଁ ବିଶେଷ ଲୋକପ୍ରିୟ ହୋଇଉଠିଲା ।

 

ସେଇ ବର୍ଷ ଗାନ୍ଧିଜୀଙ୍କ ସାଙ୍ଗରେ ଲୋହିଆଙ୍କର ମତପାର୍ଥକ୍ୟ ଦେଖାଦେଲା ।

 

ଲୋହିଆ ତ ପ୍ରଥମରୁହିଁ କାଉନ୍‌ସିଲ୍–ପ୍ରବେଶର ବିରୋଧୀ ଥିଲେ ଏବଂ ତା’ ସାଙ୍ଗେ ସାଙ୍ଗେ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ‘ଗ୍ରାମ–ସୁଧାର’ର ପକ୍ଷପାତୀବି ନଥିଲେ । ଲୋହିଆ ‘‘କଂଗ୍ରେସ–ସୋସାଲିଷ୍ଟ’’ରେ ଗୋଟାଏ ଲେଖା ଲେଖିଲେ ଏବଂ ଗାନ୍ଧିଜୀଙ୍କର ଏଇ କାର୍ଯ୍ୟକ୍ରମର ଖୁବ୍‌ କଟୁ ସମାଲୋଚନା କଲେ । ସେ ଲେଖିଲେ, ‘‘ଭାରତର କାନ୍ଧ ଉପରେ ରଖାଯାଇଥିବା ବିଦେଶୀ ଶାସନର ଯୁଆଳିକୁ ହଟେଇବା କାମ ଏତେ କଠିନ ଯେ ଛୋଟ ଛୋଟ ସୁଧାର କାର୍ଯ୍ୟ ତା’ ସହିତ ଆଦୌ ଖାପ ଖାଇବନି ।’’ ପତ୍ରିକାର ଗୋଟାଏ କପି ଲୋହିଆ ଗାନ୍ଧିଜୀଙ୍କ ପାଖକୁ ପଠେଇଦେଲେ ଏବଂ ଲେଖା ସମ୍ୱନ୍ଧରେ ନିଜର ବିଚାର ପ୍ରକାଶ କରିବାକୁ ତାଙ୍କୁ ଆହ୍ୱାନବି କଲେ-। ଉତ୍ତରରେ ଗାନ୍ଧିଜୀଙ୍କର ସଂକ୍ଷିପ୍ତ ତଥା ରୋଷପୂର୍ଣ୍ଣ ଜବାବ ଆସିଲା ଯେ ସେ ଉତ୍ତର ପାଇବାପାଇଁ ଆଶା ରଖିବା ଉଚିତ ନୁହେଁ, କାହିଁକି ନା ତାଙ୍କ ବିରୋଧର ଦୃଷ୍ଟିକୋଣକୁ ବୁଝିବାପାଇଁ ତାଙ୍କର ଆଦୌ ଧୈର୍ଯ୍ୟ ନାହିଁ ।

 

ଏଇ ଉତ୍ତରରେ ଲୋହିଆ ଚିଡ଼ିଗଲେ । ଏହା ସ୍ୱାଭାବିକ ମଧ୍ୟ ଥିଲା । ଗାନ୍ଧିଙ୍କଠାରୁ ଏଭଳି ଉତ୍ତର ସେ ଆଶା କରି ନଥିଲେ । କିନ୍ତୁ ଲୋହିଆ ମଧ୍ୟ ଏତିକିରେ ଗାନ୍ଧିଜୀଙ୍କୁ ଛାଡ଼ିଦେବା ଲୋକ ନଥିଲେ । ସେ ଗାନ୍ଧିଜୀଙ୍କୁ ପୁଣି ଲେଖିଲେ ଯେ ସେ ଶବ୍ଦ ପ୍ରୟୋଗ କରିବାରେ ବୋଧେ ଖୁବ୍‌ ଅବହେଳା ପ୍ରଦର୍ଶନ କରିଛନ୍ତି ।

 

କିନ୍ତୁ ଲେଖାରେ ତାଙ୍କର ଉଦ୍ଦେଶ୍ୟ ଅତି ସ୍ପଷ୍ଟ ହୋଇଛି ଏବଂ ଗାନ୍ଧିଜୀ ତାହାର ତାତ୍ପର୍ଯ୍ୟ ବୁଝି ତା’ର ଉତ୍ତର ତ ନିଶ୍ଚୟ ଦେଇ ପାରିଥାନ୍ତେ ।

 

ଖୁବ୍‌ ଶୀଘ୍ର ଗାନ୍ଧିଜୀଙ୍କ ଦ୍ୱିତୀୟ ଚିଠିଟି ଲୋହିଆଙ୍କୁ ମିଳିଲା–ପ୍ରଥମ ଚିଠି ଖଣ୍ଡିକ ଯେତେ କ୍ରୋଧପୂର୍ଣ୍ଣ ଥିଲା, ଦ୍ୱିତୀୟ ଚିଠିଟି ସେତିକି ସ୍ନେହପୂର୍ଣ୍ଣ ।

 

ଏପରି ଭାବରେ ବୈଚାରିକ ସ୍ତରରେ ଲୋହିଆଙ୍କୁ ପ୍ରଥମରୁହିଁ ପାର୍ଟି ଭିତରେ ଏବଂ ପାର୍ଟି ବାହାରେ ବଡ଼ ଧରଣର ସଂଘର୍ଷ କରିବାକୁ ପଡ଼ିଲା ।

 

‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ର ସ୍ଥାପନା ଭାରତୀୟ ରାଜନୀତି ଇତିହାସରେ ବଡ଼ ମହତ୍ୱପୂର୍ଣ୍ଣ ଘଟଣା ଥିଲା । ତେଣୁ ରାଷ୍ଟ୍ରୀୟ ଏବଂ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ସମସ୍ତଙ୍କ ଦୃଷ୍ଟି ଏଇ ଆଡ଼କୁ ଉଠିବା ଅତି ସ୍ୱାଭାବିକ ଥିଲା । ଭାରତର କମ୍ୟୁନିଷ୍ଟ ପାର୍ଟି ଏଇ ନୂଆ ପାର୍ଟିର ଜନ୍ମ ହେବା ଯୋଗୁଁ ସଉତୁଣୀ ଈର୍ଷାରେ ଫାଟି ପଡ଼ିଲା । କମ୍ୟୁନିଷ୍ଟମାନେ ଏଇ ପାର୍ଟିକୁ ‘ସୋସିଆଲ୍ ଫାସିଷ୍ଟ’ ଏବଂ ‘ପୁଞ୍ଜିବାଦୀର ଗରମାଗରମ ସୁଆଙ୍ଗ’ ଆଦି ବିଶେଷଣ ଲଗେଇ ସ୍ୱାଗତ କଲେ ।

 

ଲୋହିଆ କମ୍ୟୁନିଷ୍ଟମାନଙ୍କ ଚରିତ୍ରକୁ ଖୁବ୍‌ ଭଲଭାବରେ ବୁଝିପାରୁଥିଲେ । କିନ୍ତୁ ପାର୍ଟିର ଅନ୍ୟ ନେତାମାନେ, ଖାସ୍ ଜୟପ୍ରକାଶ ନାରାୟଣ ସେମାନଙ୍କର ସ୍ୱରୂପ ଏବଂ ଚରିତ୍ର ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ଲୋହିଆ ଏ ସମ୍ୱନ୍ଧରେ ଜୟପ୍ରକାଶ ନାରାୟଣଙ୍କୁ ନିଜ ମସ୍ତିଷ୍କକୁ ସଫା କରିବାପାଇଁ ବାରମ୍ୱାର ଚେତାବନୀ ଦେଲେ; କିନ୍ତୁ ଜୟପ୍ରକାଶ ନାରାୟଣ ରାଷ୍ଟ୍ରୀୟତାର ପ୍ରଶ୍ନକୁ ଛାଡ଼ି ଆଉ ସବୁ ବିଷୟରେ କମ୍ୟୁନିଷ୍ଟମାନଙ୍କର ସମର୍ଥକ ଥିଲେ । ତାଙ୍କର ଇଚ୍ଛା ଥିଲା ଯେ କଂଗ୍ରେସ–ସୋସାଲିଷ୍ଟ ପାର୍ଟି ଏବଂ କମ୍ୟୁନିଷ୍ଟର ସମ୍ୱନ୍ଧ ଗଭୀର ହେଉ ଏବଂ ପରସ୍ପର ଏକାଠି ମିଶିଯାନ୍ତୁ । କମ୍ୟୁନିଷ୍ଟ ନିଜର ଅନ୍ତର୍ରାଷ୍ଟ୍ରୀୟ ନୀତି ଯୋଗୁଁ ଆନ୍ଦୋଳନର ଘୋର ବିରୋଧ କରୁଥିଲେ । କିନ୍ତୁ ୧୯୩୬ ସାଲରେ କମ୍ୟୁନିଷ୍ଟ ଅନ୍ତର୍ରାଷ୍ଟ୍ରୀୟ ସଂଘ ଯେତେବେଳେ ମିଳିତ ଯୁଦ୍ଧ ଘୋଷଣା ନୀତି ଗ୍ରହଣ କଲେ, ସେତେବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ମଧ୍ୟ ରୂପ ପରିବର୍ତ୍ତନ କରିବାକୁ ଜମା ଡେରି ଲାଗିଲା ନାହିଁ । ସଙ୍ଗେ ସଙ୍ଗେ କମ୍ୟୁନିଷ୍ଟମାନେ କଂଗ୍ରେସ ଭିତରେ ପଶିଗଲେ । ଗାନ୍ଧିଜୀଙ୍କ ନେତୃତ୍ୱର ଜନ୍ମଜାତ ବିରୋଧୀ କମ୍ୟୁନିଷ୍ଟମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ସ୍ୱୀକାର କରିବାପାଇଁ ତିଳେହେଲେ କୁଣ୍ଠାବୋଧ କଲେ ନାହିଁ । ସମାଜବାଦୀ ଲୋକଙ୍କ ସହିତବି ସେମାନଙ୍କର ମିଳାମିଶା ବଢ଼ିଗଲା । ସେମାନେ ହେଲେ ଭାଇ–ଭାଇ । କମ୍ୟୁନିଷ୍ଟଙ୍କର ଏଇ ଅଚାନକ ଚରିତ୍ର ପରିବର୍ତ୍ତନକୁ ଭଲଭାବରେ ନ ବୁଝି କିମ୍ୱା ବିଶ୍ଳେଷଣ ନ କରି, ୧୯୩୬ ସାଲରେ ମେରଠ୍‌ ଅଧିବେଶନରେ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ର ନେତାମାନେ ପାର୍ଟି ସଦସ୍ୟତାର ଦୁଆର କମ୍ୟୁନିଷ୍ଟମାନଙ୍କ ପାଇଁ ଖୋଲିଦେଲେ ।

 

କମ୍ୟୁନିଷ୍ଟ ପାର୍ଟିବି ରହିଲା ଏବଂ ତା’ର ସଭ୍ୟମାନେ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ ଭିତରକୁବି ଆସିଗଲେ । ଏଇ ସଂଯୁକ୍ତ ଦଳ ଗଠନ କରିବାରେ ଜୟପ୍ରକାଶ ନାରାୟଣଙ୍କର ଖୁବ୍‌ ହାତ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଇ ଯେ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ସମର୍ଥନ ମଧ୍ୟ ତାଙ୍କୁ ମିଳିଥିଲା । ଫଳସ୍ୱରୂପ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ ସଂଗଠନରେ ଅନେକ ମହତ୍ୱପୂର୍ଣ୍ଣ ପଦରେ କମ୍ୟୁନିଷ୍ଟ ସଭ୍ୟମାନେ ବିରାଜମାନ କଲେ । କିନ୍ତୁ କମ୍ୟୁନିଷ୍ଟମାନଙ୍କର ଏକ ଚାଲ୍‌କୁ ଲୋହିଆଙ୍କ ଛଡ଼ା ଆଉ କେହି ବୁଝିପାରିଲେନି । ପାର୍ଟିର ସଂଗଠନକୁ ଏପରି ଭାବରେ ଅଧିକାର କରିନେଇ କମ୍ୟୁନିଷ୍ଟମାନେ ଉଇ ଭଳି ଲାଗିରହି ସଂଗଠନକୁ ସମାପ୍ତ କରିଦେବାକୁ ନିଜ କୌଶଳରେ ସଫଳ ହେବାକୁ ଯାଉଥିଲେ ।

 

ଲୋହିଆ ବାରମ୍ୱାର ସଂଗଠନରେ କର୍ଣ୍ଣଧାରମାନଙ୍କୁ କମ୍ୟୁନିଷ୍ଟମାନଙ୍କ ପ୍ରତି ସତର୍କ କରିବାକୁ ଚେତାବନୀ ଦେଲେ । କମ୍ୟୁନିଷ୍ଟମାନଙ୍କ ଚକ୍ରାନ୍ତର ପ୍ରମାଣବି ଦେଲେ । କିନ୍ତୁ ଜୟପ୍ରକାଶ ନାରାୟଣଙ୍କ ସହ ଅନ୍ୟ ନେତାମାନେ ‘ଏକତା’ ରୂପକ ମରୀଚିକା ପଛରେ ଆଖିବୁଜି ଧାଇଁବାକୁ ଲାଗିଲେ । ସେମାନେ ଭବିଷ୍ୟତ୍‌ ଚିନ୍ତା କଲେ ନାହିଁ ।

 

ସନ ୧୯୩୫ରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌଠାରେ କଂଗ୍ରେସ ଅଧିବେଶନ ବସିଲା । ସେଇ ଅଧିବେଶନରେ ଲୋହିଆ ମଧ୍ୟ ଯୋଗ ଦେଇଥିଲେ । ସେଇଠି କଂଗ୍ରେସ ନିଜର ଅଖିଳ ଭାରତୀୟ ସମିତି ଅନ୍ତର୍ଗତରେ ପରରାଷ୍ଟ୍ର ବିଭାଗ ଖୋଲିବାକୁ ସ୍ଥିର କଲେ-। ଜବାହରଲାଲ ନେହେରୁଙ୍କ ସାଙ୍ଗରେ ଲୋହିଆଙ୍କର ଭେଟ ୧୯୨୮ ସାଲରେ କଲିକତାରେ ଏଥିପୂର୍ବରୁ ହୋଇ ସାରିଥିଲା । ସେଇଠି ଲୋହିଆଙ୍କ ସାଙ୍ଗରେ ତାଙ୍କର ଦେଖା ହେବାରୁ ସେ ଲୋହିଆଙ୍କୁ ଧଇଲେ ଏବଂ ପରରାଷ୍ଟ୍ର ବିଭାଗର ଦାୟିତ୍ୱ ତାଙ୍କ ଉପରେ ଲଦିଦେଲେ-। ଲୋହିଆ ପରରାଷ୍ଟ୍ର ବିଭାଗର ମନ୍ତ୍ରୀ ନିଯୁକ୍ତ ହେଲେ ।

 

କଂଗ୍ରେସର ପରରାଷ୍ଟ୍ର ବିଭାଗ ମନ୍ତ୍ରୀରୂପେ କାମ କରିବାପାଇଁ ଲୋହିଆଙ୍କୁ କଂଗ୍ରେସ କମିଟିର କାର୍ଯ୍ୟାଳୟ ଏଲାହାବାଦ ଯିବାକୁ ପଡ଼ିଲା ।

Unknown

 

ଲୋହିଆ କଲିକତା ଛାଡ଼ିବାକ୍ଷଣି ‘କଂଗ୍ରେସ–ସୋସାଲିଷ୍ଟ’ର ମୁଖପତ୍ର କଲିକତାରୁ ବମ୍ୱେକୁ ଉଠେଇ ନିଆଗଲା ।

 

‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ର କମ୍ୟୁନିଷ୍ଟ ପାର୍ଟି ସହିତ ଯେଉଁ ଛଳପୂର୍ଣ୍ଣ ନାଟକ ଚାଲିଥିଲା, ତା’ର ବିପଦ ପ୍ରତି ଲୋହିଆ ବାରମ୍ୱାର ପାର୍ଟି ନେତୃତ୍ୱର ଧ୍ୟାନ ଆକର୍ଷଣ କରିବାକୁ ଲାଗିଲେ । କିନ୍ତୁ ସେଇ ନେତାମାନଙ୍କର ଆଖି ଯାଇ ସେତେବେଳେ ଖୋଲିଲା, ଯେତେବେଳେ ସେଇ ଏକତାକୁ କେନ୍ଦ୍ର କରି ପାର୍ଟି ଭିତରେ ଭେଦ ସୃଷ୍ଟି ହେଲା ।

 

ଏପର୍ଯ୍ୟନ୍ତ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ ଗୋଟାଏ ଶୁଦ୍ଧ ସମାଜବାଦୀ ପାର୍ଟିରୂପେ ବିକଶିତ ହୋଇ ସାରିଥିଲା । ବୈଚାରିକ ସ୍ତରରେ କଂଗ୍ରେସ ଭିତରେ ଏଇ ପାର୍ଟି ଖୁବ୍‌ କ୍ରାନ୍ତି ସୃଷ୍ଟି କରି ପାରିଥିଲା । ବର୍ତ୍ତମାନ ସୁଦ୍ଧା ପାର୍ଟିର କେତେକ ନେତା ରାଷ୍ଟ୍ରୀୟ ସ୍ତରରେ ନିଜ ବ୍ୟକ୍ତିତ୍ୱର ବିକାଶ କରି ସାରିଥିଲେ । ଲୋହିଆଙ୍କୁ ଛାଡ଼ି ସେମାନଙ୍କ ଭିତରେ ମୁଖ୍ୟ ଥିଲେ–ଆଚାର୍ଯ୍ୟ ନରେନ୍ଦ୍ରଦେବ, ୟୁସୁଫ ମେହର ଅଲି, କମଳାଦେବୀ ଚଟ୍ଟୋପାଧ୍ୟାୟ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ମିନୁ ମାସାନୀ, ଜୟପ୍ରକାଶ ନାରାୟଣ, ସେଠ୍‌ ଦାମୋଦର ସ୍ୱରୂପ, ମୁନ୍‌ସୀ ଅହମଦ ଦୀନ, ଶିବନାଥ ବାନାର୍ଜୀ, ପୂର୍ଣ୍ଣିମା ବାନାର୍ଜୀ, ଅଶୋକ ମେହେଟ୍ଟା ପ୍ରଭୃତି ।

 

୧୯୩୬ ସାଲରେ ରୁଷର କ୍ରାନ୍ତିକାରୀ ନାୟକ, କମ୍ୟୁନିଷ୍ଟ, ପାର୍ଟିର ନେତା, ସେନାବାହିନୀର ପୁରୁଣା ଅଫିସରମାନଙ୍କ ଉପରେ ମକଦ୍ଦମା ଚାଲିଲା ଏବଂ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାରୁ ସାମ୍ୟବାଦ ତଥା ସୋଭିଏଟ୍‌ ରୁଷର ଚରିତ୍ର ସମ୍ୱନ୍ଧରେ ଲୋକଙ୍କ ମନରେ ନାନାପ୍ରକାରର ଶଙ୍କା ଆଶଙ୍କା ଆରମ୍ଭ ହୋଇଗଲା । ଏଇଆ ମଧ୍ୟ ସାର୍ବଜନୀନ ଭାବରେ ପ୍ରଚାର ହୋଇଗଲା ଯେ ଅନେକ ଦେଶର କମ୍ୟୁନିଷ୍ଟ ପାର୍ଟି ରୁଷର ପରରାଷ୍ଟ୍ର ବିଭାଗର ଦଲାଲ ଅଛନ୍ତି । ସେତେବେଳେ ଯାଇ ‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ର ଆଖି ଫିଟିଲା । ଏପର୍ଯ୍ୟନ୍ତ କେତେକ ପ୍ରମାଣ ମଧ୍ୟ ମିଳିସାରିଥିଲା ଯେ କମ୍ୟୁନିଷ୍ଟମାନେ ‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ ଭିତରେ ପାର୍ଟିକୁ ଶେଷ କରିଦେବା ପାଇଁ ପଶିଛନ୍ତି । ମିନୁ ମାସାନୀ ଏବଂ ଅଶୋକ ମେହେଟ୍ଟା କମ୍ୟୁନିଷ୍ଟମାନଙ୍କର ଏଇ ନାଟକକୁ ଶୀଘ୍ର ବନ୍ଦ କରିଦେବା ପାଇଁ ସ୍ଲୋଗାନ ଦେଲେ । କିନ୍ତୁ ସେଇ ସାଥୀମାନଙ୍କ ପାଟି ଶୁଣି ମଧ୍ୟ ଜୟପ୍ରକାଶ ନାରାୟଣ କମ୍ୟୁନିଷ୍ଟ ପ୍ରେମ ଛାଡ଼ିପାରିଲେନି । ତା’ପରେ ବାଧ୍ୟ ହୋଇ ଲୋହିଆ, ପଟ୍ଟବର୍ଦ୍ଧନ, ମାସାନୀ ଏବଂ ମେହେଟ୍ଟା ପାର୍ଟିର କାର୍ଯ୍ୟକାରୀ ସମିତିରୁ ଇସ୍ତଫା ଦେଇଦେଲେ ।

 

ଏହାପରେ ସାଙ୍ଗେ ସାଙ୍ଗେ ୧୯୩୮ ସାଲରେ ଲାହୋରଠାରେ ପାର୍ଟିର ସମ୍ମିଳନୀ ବସିଲା । ସେଇଠି କମ୍ୟୁନିଷ୍ଟ ପାର୍ଟି ନିଜର ପ୍ରକୃତସ୍ୱରୂପ ଦେଖାଇଦେଲା । ଲୋହିଆଙ୍କ ସହ ଉପରୋକ୍ତ ତିନି ଜଣ ସଦସ୍ୟ କାର୍ଯ୍ୟକାରୀ କମିଟିରୁ ଇସ୍ତଫା ଦେଇଥିବାରୁ କମ୍ୟୁନିଷ୍ଟମାନେ ମନଇଚ୍ଛା କାମ କରିବାକୁ ସାହସ ପାଇଗଲେ । ସେମାନେ ଲାହୋର ସମ୍ମିନଳୀର କାର୍ଯ୍ୟକାରୀ ସମିତିପାଇଁ ନିଜ ସଦସ୍ୟମାନଙ୍କର ଗୋଟାଏ ତାଲିକା ଦାଖଲ କଲେ । ପାର୍ଟି ସଙ୍ଗଠନ ଭିତରେ ପୂରାପୂରି ଆଧିପତ୍ୟ ବିସ୍ତାର କରିବାପାଇଁ ଖୁବ୍‌ ଚେଷ୍ଟା କଲେ । କିନ୍ତୁ ଲୋହିଆଙ୍କର ଲଗାୟତ ପାଟିତୁଣ୍ଡ ଯୋଗୁଁ ଶେଷରେ ସମାଜବାଦୀମାନେ ସଚେତନ ହୋଇଗଲେ ଏବଂ ସେଇଠି ଆଉ କମ୍ୟୁନିଷ୍ଟଙ୍କର କର୍ତ୍ତୃତ୍ୱ କାମ କଲାନି ।

 

କମ୍ୟୁନିଷ୍ଟ ପ୍ରତି ସମାଜବାଦୀମାନଙ୍କ ମନରେ ଯୋଉ ଆଶଙ୍କା ରହିଥିଲା, ବର୍ତ୍ତମାନ ତାହା ସ୍ପଷ୍ଟ ଭାବରେ ଦୃଢ଼ବିଶ୍ୱାସର ରୂପ ଧାରଣ କରି ସାରିଥିଲା ।

 

ଲୋହିଆ ପୁଣି ଥରକପାଇଁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭ୍ୟ ଭାବରେ ବହୁମତରେ ନିର୍ବାଚିତ ହେଲେ ।

 

ପାର୍ଟି ଭିତରେ ପୁଣି ନୂତନ ଭାବରେ ପ୍ରାଣସଞ୍ଚାର ହେବାର ସୂଚନା ମିଳିଲା ।

 

କିନ୍ତୁ କମ୍ୟୁନିଷ୍ଟ ପାର୍ଟିର କୁଚକ୍ରରୁ ବର୍ତ୍ତମାନ ସୁଦ୍ଧା ପାର୍ଟି ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରି ନଥିଲା । ୧୯୩୯ ସାଲ ଆରମ୍ଭରେ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ଅଧିକାଂଶ ସଭ୍ୟ ଏଇ ମତ ବ୍ୟକ୍ତ କଲେ ଯେ କମ୍ୟୁନିଷ୍ଟଙ୍କ ପାର୍ଟିବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ପାର୍ଟିରୁ ବହିଷ୍କାର କରିଦେବା ଉଚିତ । କିନ୍ତୁ ସେତେବେଳେ ପାର୍ଟିର ପ୍ରଧାନମନ୍ତ୍ରୀ ଥିଲେ ଜୟପ୍ରକାଶ ନାରାୟଣ ଏବଂ କମ୍ୟୁନିଷ୍ଟଙ୍କ ପ୍ରତି ତାଙ୍କର ମମତା ପୂର୍ବବତ୍‌ ଥିଲା । ପାର୍ଟି ଭିତରେ ଏଇ ପ୍ରସଙ୍ଗକୁ କେନ୍ଦ୍ର କରି ରୀତିମତ ଆନ୍ତରିକ ସଂଘର୍ଷ ବଢ଼ିବାକୁ ଲାଗିଲା ଏବଂ ୧୯୪୦ ସାଲରେ ରାମଗଡ଼ କଂଗ୍ରେସ ଅଧିବେଶନରେ ଅନ୍ତିମ ରୂପରେ ଏହା ସ୍ଥିର କରାଗଲା ଯେ କମ୍ୟୁନିଷ୍ଟମାନଙ୍କୁ ସଙ୍ଗେ ସଙ୍ଗେ ପାର୍ଟିରୁ ବହିଷ୍କାର କରାଯାଉ ।

 

ଏପରି ଭାବରେ କମ୍ୟୁନିଷ୍ଟ ସାଙ୍ଗରେ ଏକତାର ଏଇ ନାଟକ ଲୋହିଆଙ୍କର ନିରନ୍ତର ସଂଘର୍ଷ ଯୋଗୁଁହିଁ ବନ୍ଦ ହୋଇଗଲା । ସତ କହିବାକୁ ଗଲେ ଏଇ ନିର୍ଣ୍ଣୟ ଯୋଗୁଁ ସୋସାଲିଷ୍ଟ ପାର୍ଟି ବାଳ–ମୃତ୍ୟୁ ଅଭିଶାପରୁ ଅଳ୍ପକେ ରକ୍ଷା ପାଇଗଲା । କିନ୍ତୁ ଏଥିପାଇଁ ପାର୍ଟିକୁ ଖୁବ୍‌ ତ୍ୟାଗ କରିବାକୁ ପଡ଼ିଲା । ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଭାରତର ଅନ୍ୟ ପ୍ରଦେଶଗୁଡ଼ିକରେ ପାର୍ଟିର ଉଚ୍ଚପଦଗୁଡ଼ିକରେ କମ୍ୟୁନିଷ୍ଟମାନଙ୍କର ଅଧିକାର ଥିଲା । ଏଥି ସଙ୍ଗେ ସଙ୍ଗେ ପାର୍ଟିର ଏକ ବୃହତ୍‌ ଅଂଶ ଭାଙ୍ଗି କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହୋଇଗଲା ।

 

ଆଜି ଦକ୍ଷିଣ ଭାରତରେ କମ୍ୟୁନିଷ୍ଟ ପାର୍ଟିର ଯେଉଁ ସଙ୍ଗଠନ ଅଛି, ତାହା ସୋସାଲିଷ୍ଟ ପାର୍ଟିର ପୁରୁଣା ସଙ୍ଗଠନର ଏକ ଭଗ୍ନାବଶେଷରେହିଁ ପ୍ରଭାବ ।

 

ଯଦି ଆରମ୍ଭରୁ ସୋସାଲିଷ୍ଟ ପାର୍ଟି ଲୋହିଆଙ୍କ ଦୂରଦର୍ଶିତାରୁ ଲାଭ ଉଠେଇ ପାରିଥାନ୍ତେ, ପାର୍ଟିକୁ ବଡ଼ ବିସ୍ତାର କ୍ଷତିରୁ ରକ୍ଷା କରି ନେଇପାରିଥାନ୍ତେ !

 

୧୯୩୬ରୁ ୧୯୩୮ ପର୍ଯ୍ୟନ୍ତ ଲୋହିଆ ‘‘କଂଗ୍ରେସ’’ ପରରାଷ୍ଟ୍ର ବିଭାଗର ମନ୍ତ୍ରୀ ରହିଥିଲେ । ଏହି ଦୁଇବର୍ଷ କାଳ ଲୋହିଆ ଲଗାତର ଏଲାହାବାଦରେ ରହିଥିଲେ ।

 

ବର୍ତ୍ତମାନ ସୁଦ୍ଧା ଲୋହିଆଙ୍କର ବ୍ୟକ୍ତିତ୍ୱ ଜଣେ ଗମ୍ଭୀର ବିଚାରକ, ପ୍ରବୃଦ୍ଧଚେତା ଏବଂ ଦୂରଦର୍ଶୀ ରାଜ–ନାୟକରୂପେ ପ୍ରତିଷ୍ଠିତ ହୋଇ ସାରିଥିଲା । ଯଦିଓ ସେତେବେଳକୁ ଲୋହିଆଙ୍କ ବୟସ ଜମା ଛବିଶବର୍ଷ, ତଥାପି ବଡ଼ବଡ଼ କଂଗ୍ରେସ ନେତାମାନେ ମଧ୍ୟ ଲୋହିଆଙ୍କୁ ଶକ୍ତି ତଥା ଚିନ୍ତନର ଏକ ପ୍ରତିମୂର୍ତ୍ତିରୂପେ ସ୍ୱୀକାର କରି ସାରିଥିଲେ ।

 

କଂଗ୍ରେସର ପରରାଷ୍ଟ୍ର ମନ୍ତ୍ରୀ ହିସାବରେ ଲୋହିଆ ଅପୂର୍ବ କୃତିତ୍ୱ ଦେଖାଇଥିଲେ ।

 

ସେତେବେଳେ ପର୍ଯ୍ୟନ୍ତ କଂଗ୍ରେସର କୌଣସି ପରରାଷ୍ଟ୍ର ନୀତି ବୋଲି କିଛି ନଥିଲା ।

 

ଅନ୍ତର୍ରାଷ୍ଟ୍ରୀୟ ରାଜନୀତିରେ ବଡ଼ବଡ଼ ଘଟଣାସବୁ ଘଟିଯାଉଥିଲା । ତା’ରି ପ୍ରଭାବରୁ ଦେଶର ରାଜନୀତିକୁ କେବେ ଅଲଗା ରଖାଯାଇପାରନ୍ତାନି । ଗାନ୍ଧିଜୀ ମାନବିକତା ଦୃଷ୍ଟିକୋଣରେହିଁ ବିଦେଶୀ ଘଟଣାଗୁଡ଼ିକୁ ଦେଖୁଥିଲେ । ତାଙ୍କ ପକ୍ଷରେ ଅନ୍ତର୍ରାଷ୍ଟ୍ରୀୟ ସମସ୍ୟାଠାରୁ ଅଧିକ ମହତ୍ୱପୂର୍ଣ୍ଣ ସମସ୍ୟା ଥିଲା ଦେଶର ସ୍ୱାଧୀନତା ।

 

କିନ୍ତୁ ୧୯୨୦ ସାଲ ପରେ ପରେ ଦେଶର ରାଜନୀତିରେ ଏପରି ଲୋକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନଙ୍କର ଦୃଷ୍ଟିକୋଣ ଥିଲା ଅନ୍ତର୍ରାଷ୍ଟ୍ରୀୟ । ୧୯୨୪ ସାଲରେହିଁ ରୁଷର ଅନ୍ଧ ଭକ୍ତ କମ୍ୟୁନିଷ୍ଟ ପାର୍ଟିର ସୃଷ୍ଟି ହୋଇଯାଇଥିଲା । ଇଂଲଣ୍ଡରୁ ଫେରିଆସିବା ଜବାହରଲାଲ ନେହେରୁ ଭାରତୀୟ ରାଜନୀତିରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ତର୍ରାଷ୍ଟ୍ରୀୟ ରାଜନୀତି ଭିତରେ ପୂରେଇ ଦେବାପାଇଁ ଚେଷ୍ଟା ଚାଲିଥିଲା । ୧୯୩୪ ସାଲରେ ‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ର ସୃଷ୍ଟି ହେଲା ଏବଂ ତା’ର ଏକ ପ୍ରଧାନ ପ୍ରବକ୍ତା ଜୟପ୍ରକାଶ ନାରାୟଣ ସଦ୍ୟ ଆମେରିକାରୁ ଫେରିଥିଲେ–ଯେ କି ମାର୍କସ୍‍ବାଦୀ ଏବଂ ଆଂଶିକ ଭାବରେ ରୁଷର କ୍ରାନ୍ତିର ମଧ୍ୟ ସମର୍ଥକ ଥିଲେ ।

 

ଏପରି ଭାବରେ ଭାରତୀୟ ରାଜନୀତିର ସମ୍ପର୍କ ଅନ୍ତର୍ରାଷ୍ଟ୍ରୀୟ ରାଜନୀତି ସହ କ୍ରମଶଃ ବଢ଼ି ବଢ଼ି ଯାଉଥିଲା । ଆଉ ସେ ତତ୍ତ୍ୱର ଭିତ୍ତି ଉପରେ ଦୁଇଟି ଅନ୍ତର୍ମୁଖୀ ଧାରା କାମ କରି ଚାଲିଥିଲା । ଗୋଟାଏ ଧାରା ଥିଲା ଇଂଲଣ୍ଡ ସଭ୍ୟତାର ପ୍ରେରଣା । ତା’ର ପ୍ରଧାନ ସମର୍ଥକ ଥିଲେ ଜବାହରଲାଲ ନେହେରୁ । ଅନ୍ୟ ଧାରାର ପ୍ରେରଣା ସ୍ରୋତ ଥିଲା ଗାନ୍ଧିଜୀଙ୍କର ମାନବୀୟ ଦୃଷ୍ଟିକୋଣ । ଏଇ ଧାରାର ଦୃଢ଼ ସମର୍ଥକ ଥିଲେ ରାମମନୋହର ଲୋହିଆ ।

 

ଏପରି ପରିସ୍ଥିତିରେ ଲୋହିଆଙ୍କୁ ଏଲାହାବାଦ ଆସି କଂଗ୍ରେସର ପରରାଷ୍ଟ୍ର ବିଭାଗର ମନ୍ତ୍ରୀପଦ ସମ୍ଭାଳିବାକୁ ପଡ଼ିଲା । କହିବାକୁ ଗଲେ ତ ଲୋହିଆଙ୍କର ଅଫିସ୍ କାମ କରିବାରେ ଅଭ୍ୟାସ ନଥିଲା । ତାଙ୍କୁ କଲିକତାର ସ୍ୱଚ୍ଛନ୍ଦ ଜୀବନର ସ୍ୱାଦ ମିଳି ସାରିଥିଲା । କିନ୍ତୁ ଜବାହରଲାଲ ନେହେରୁ ତାଙ୍କୁ ‘ଉଦୀୟମାନ ନକ୍ଷତ୍ର’’ ଆଦି ଶବ୍ଦଦ୍ୱାରା ପ୍ରଶଂସା କରି ନିଜର କରିନେବାକୁ ଚାହିଁଲେ-। ପ୍ରଥମେ ତ ଲୋହିଆ ରାଜି ହେଲେ ନାହିଁ, କିନ୍ତୁ ପରେ ନେହେରୁ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କୁ ଆଣି ମଝିରେ ଛିଡ଼ା କରେଇ ଦେବାରୁ ତାଙ୍କ ଅନୁରୋଧକୁ ଲୋହିଆ ଟାଳି ପାରିଲେନି-

 

କଲିକତା ଛାଡ଼ି ଏଲାହାବାଦ ଆସିବାପାଇଁ ଲୋହିଆଙ୍କୁ ନିଜ ମନ ସଙ୍ଗେ ଗଭୀର ସଂଘର୍ଷ କରିବାକୁ ପଡ଼ିଥିଲା ।

 

ଲୋହିଆ ଭାବିଥିଲେ ଯେ ପରରାଷ୍ଟ୍ର ବିଭାଗ ଖୋଲି କଂଗ୍ରେସ ଗୋଟାଏ କିଛି ବିଦେଶୀ–ନୀତି ନିର୍ଦ୍ଧାରଣ କରିନେବ; କିନ୍ତୁ ପରେ ଜଣାପଡ଼ିଲା ଯେ ଏହି ବିଭାଗର ଉଦ୍ଦେଶ୍ୟ ଜବାହରଲାଲ ନେହେରୁଙ୍କ ପାଇଁ ଏତିକି ଥିଲା ଯେ ସେ ଭାରତୀୟ କଂଗ୍ରେସ ସଂଗଠନର ସମ୍ପର୍କ ଅନ୍ତର୍ରାଷ୍ଟ୍ରୀୟ ମଜଦୁର ସଂଗଠନ ତଥା ଅନ୍ୟାନ୍ୟ ସଂଗଠନ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ ।

 

ସେ ଯାହାହେଉ, ଲୋହିଆ କାର୍ଯ୍ୟଭାର ସମ୍ଭାଳିନେଲେ । ନୈରାଶ୍ୟପୂର୍ଣ୍ଣ ବାତାବରଣ ଭିତରେ ମଧ୍ୟ କେବଳ ଆଠ ମାସ ଭିତରେ ବାରଟି ଦେଶ ସଂଗଠନ ସହ ସମ୍ପର୍କ ସ୍ଥାପିତ ହେଲା ଏବଂ ବିଦେଶରେ ମଧ୍ୟ ଭାରତୀୟ କଂଗ୍ରେସ ଏବଂ ତା’ର କାର୍ଯ୍ୟକଳାପ ସମ୍ବନ୍ଧରେ ଚର୍ଚ୍ଚା ହେବାକୁ ଲାଗିଲା ।

 

୧୯୩୬ ସାଲରେ ଫୈଜପୁର କଂଗ୍ରେସ ଅଧିବେଶନରେ ଲୋହିଆ ପରରାଷ୍ଟ୍ର ବିଭାଗର ରିପୋର୍ଟ ପେଶ୍‌ କଲେ । ରିପୋର୍ଟଦ୍ୱାରା ଲୋକେ ଜାଣିଗଲେ ଯେ ଅଳ୍ପ ସମୟ ଭିତରେ ଏହି ବିଭାଗ କେତେ ଭଲ ଭଲ କାମ କରିଛି । ଲୋହିଆଙ୍କର ପରିଶ୍ରମର ଫଳ ସାଙ୍ଗେ ସାଙ୍ଗେ ମିଳିଲା । କଂଗ୍ରେସ ରାଜନୀତିରେ ଅନ୍ତର୍ରାଷ୍ଟ୍ରୀୟ ବିଚାରଧାରାର ସମାବେଶ ହେଲା ଏବଂ ଲୋକେ କ୍ଷିପ୍ରଗତିରେ ବିଦେଶୀ ମାମଲାରେ ଆଗ୍ରହାନ୍ୱିତ ହୋଇଉଠିଲେ ।

 

ଏଇ ଅଧିବେଶନରେ ଜବାହରଲାଲ ନେହେରୁ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେଲେ ଏବଂ ଲୋହିଆଙ୍କ ବେକରେ ପୁଣି ଥରକପାଇଁ ପରରାଷ୍ଟ୍ର ବିଭାଗର ଦାୟିତ୍ୱ ବାନ୍ଧି ଦିଆଗଲା ।

 

ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ବିଶ୍ୱ–ଆକାଶରେ ଛାଇ ଯାଉଥିଲା । ‘‘ଲିଗ୍‌ ଅଫ୍ ନେସନ୍‌ସ୍‌’’ ଶେଷ ନିଃଶ୍ୱାସ ମାରୁଥିଲା ।

 

ଛୋଟ ବଡ଼ ଯୁଦ୍ଧ ମଧ୍ୟ ଏଠିସେଠି ଆରମ୍ଭ ହୋଇ ଯାଇଥିଲା । ଚୀନ ଏବଂ ଜାପାନ ଭିତରେ, ଇତାଲି ଏବଂ ଆବିସିନିଆ ଭିତରେ ଯୁଦ୍ଧ ଲାଗିଥିଲା । ସ୍ପେନ୍‌ରେ ବିଦ୍ରୋହ ଆରମ୍ଭ ହୋଇ ଯାଇଥିଲା ।

 

ଲୋହିଆ ପରରାଷ୍ଟ୍ର ବିଭାଗ ଜରିଆରେ ଏସବୁ ଘଟଣା ସହିତ ପୂରାପୂରି ସମ୍ପର୍କ ରଖିବାକୁ ଲାଗିଲେ । ଏହି ବିଭାଗ ମାଧ୍ୟମରେ ଲୋହିଆଙ୍କଦ୍ୱାରା ଲିଖିତ ରାଷ୍ଟ୍ରୀୟ ତଥା ଅନ୍ତର୍ରାଷ୍ଟ୍ରୀୟ ବିଷୟ ଉପରେ ଗୁଡ଼ାଏ ପ୍ରବନ୍ଧ ପ୍ରକାଶ ପାଇଲା । ସେ ଭିତରୁ କେତେକଙ୍କର ନାଁ ହେଲା–‘‘ଚୀନ ଏବଂ ଭାରତ’’, ‘‘ଭାରତୀୟ ବିଦେଶ ନୀତି’’, ‘‘ବିଦେଶୀ ଠିକାଦାରଙ୍କ ଲୁଟ’’, ‘‘ସରକାରୀ କର୍ମଚାରୀଙ୍କ ବେତନ’’ ପ୍ରଭୃତି ।

 

ଏଥିପୂର୍ବରୁ ଏହି ବିଭାଗର ପ୍ରଥମ ପ୍ରକାଶନ ରୂପରେ ଲୋହିଆଙ୍କ ପୁସ୍ତକ–‘‘ନାଗରିକ ସ୍ୱତନ୍ତ୍ରତା ନିମନ୍ତେ ଲଢ଼େଇ’’ ପ୍ରକାଶିତ ହୋଇ ସାରିଥିଲା ।

 

ଏଇ ବିଭାଗରୁ ଲୋହିଆ ଗୋଟାଏ ସାପ୍ତାହିକ ‘‘ପରିପତ୍ର’’ ମଧ୍ୟ ପ୍ରକାଶ କଲେ–ଯେଉଁଥିରେ କି ତାତ୍କାଳିକ ଘଟନାବଳି ଉପରେ ଟିପ୍ପଣୀ ଏବଂ ଅନ୍ତର୍ରାଷ୍ଟ୍ରୀୟ ସମସ୍ୟା ପ୍ରତି ନୂତନ ଦୃଷ୍ଟିକୋଣର ସୃଜନ କଲେ ଲୋହିଆ ।

 

ପରରାଷ୍ଟ୍ର ବିଭାଗର ଏଇ ପରିପତ୍ର ତ ବର୍ତ୍ତମାନ ରାଜନୀତିକ ‘‘ଦସ୍ତାବିଜ’’ ରୂପରେ ପ୍ରମାଣିତ ହୋଇସାରିଚି । ଏଇ ପରିପତ୍ରରୁ ଲୋହିଆଙ୍କର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଏବଂ ତାଙ୍କ ଚିନ୍ତାଧାରାର କ୍ରମଶଃ ବିକାଶର ସୂଚନା ମିଳେ ।

 

ସେତେବେଳର ଏକ ସ୍ମରଣୀୟ ଘଟଣା ।

 

ଲୋହିଆ ନିଜ ସାପ୍ତାହିକ ପରିପତ୍ରରେ ପୁଲିସ୍‌ର ମନଇଚ୍ଛା ଗୁଳି ଚଳେଇବା ନୀତିର ବିରୋଧ ଖୋଲାଖୋଲି ଭାବରେ ଆଲୋଚନା କଲେ । ସେତେବେଳେ ସଂଯୁକ୍ତ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଥିଲା ଏବଂ ଗୋବିନ୍ଦବଲ୍ଲଭ ପନ୍ଥ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କରି ମନ୍ତ୍ରିତ୍ୱ ସମୟରେ ପୋଲିସ୍ କାନପୁରର ମଜଦୁରମାନଙ୍କ ଉପରେ ଗୁଳି ଚଳେଇଲେ । ଲୋହିଆ ନିଜ ପରିପତ୍ରରେ ଏଇ ଗୁଳିକାଣ୍ଡର ତୀବ୍ର ନିନ୍ଦା କଲେ । ଲୋହିଆଙ୍କର ଏଇ ପରିପତ୍ର ସ୍ୱଦେଶ ଛଡ଼ା ବିଦେଶକୁବି ଯାଉଥିଲା ପନ୍ଥଜୀ ଲିଖିତ ଆକାରରେ ନେହେରୁଙ୍କ ପାଖରେ ଅଭିଯୋଗ ବାଢ଼ିଲେ ଯେ ପରିପତ୍ର କଂଗ୍ରେସ ମନ୍ତ୍ରିମଣ୍ଡଳର ବଦନାମ କରୁଛି । ତଥାପି ପନ୍ଥଙ୍କୁ ଅସନ୍ତୁଷ୍ଟ ରଖିବାକୁ ସାହସ ନଥିଲେ ମଧ୍ୟ ନେହେରୁଙ୍କର ଏ ବିଷୟରେ ଲୋହିଆଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ସାହସ ହେଲାନି ।

 

୨୭ ସେପ୍‌ଟେମ୍ବର ୧୯୩୭ ସାଲରେ ଏଲାହାବାଦରେ ‘‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’’ ତରଫରୁ ଗୋଟାଏ ଜନ–ସଭା ଅନୁଷ୍ଠିତ ହେଲା । ସେଥିରେ ଲୋହିଆ ତତ୍‌କାଳୀନ ଅନ୍ତର୍ରାଷ୍ଟ୍ରୀୟ ରାଜନୀତିକ ପରିସ୍ଥିତି ସମ୍ବନ୍ଧରେ ବିଶ୍ଳେଷଣ କରିବାକୁ ଯାଇ ସ୍ପଷ୍ଟଭାବରେ କହିଲେ–‘‘ସଂସାରର ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡ଼ିକ ନିଜ ନିଜର ମଙ୍ଗଳ ତଥା ସୁରକ୍ଷାପାଇଁ ମହାଯୁଦ୍ଧର ଭୂମିକା ପ୍ରସ୍ତୁତ କରି ସାରିଲେଣି । କିନ୍ତୁ ଭାରତୀୟ ଜନତା ଯୁଦ୍ଧରେ ଭାଗ ନେବେ ନାହିଁ । ଯଦି ଯୁଦ୍ଧ ଆରମ୍ଭ ହୋଇଯାଏ, ତେବେ ସେଇ ସୁଯୋଗର ବ୍ୟବହାର ନିଜର ସ୍ୱାଧୀନତା ଯୁଦ୍ଧର ଗତିକୁ କ୍ଷିପ୍ରତର କରିବାପାଇଁ ଲାଗିପଡ଼ିବ ।’’

 

ଏପର୍ଯ୍ୟନ୍ତ ଲୋହିଆଙ୍କଦ୍ୱାରା ସଂଚାଳିତ ପରରାଷ୍ଟ୍ର ବିଭାଗ ଖୁବ୍‌ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରି ସାରିଥିଲା । ଏହି ବିଭାଗର କାର୍ଯ୍ୟର ପରିଣାମ ଏଇଆ ଥିଲା ଯେ ୧୯୩୮ ସାଲରେ ହରିପୁରା କଂଗ୍ରେସ ଅଧିବେଶନ ସମୟରେ କେବଳ ଆଫ୍ରିକା, ମରିସସ୍‌ ଏବଂ ଫିଜିସ୍ଥ ଭାରତୀୟ ପ୍ରବାସୀଙ୍କ ବିଷୟରେ ନୁହେଁ, ପରନ୍ତୁ ଚୀନ, ଫିଲିସ୍ଥିନ୍‌, ବ୍ରିଟିଶ–ଗାଇନା, ଲଙ୍କା ଏବଂ ମହାଯୁଦ୍ଧ ଆଦି ସମ୍ବନ୍ଧରେ ମଧ୍ୟ ଗୁଡ଼ାଏ ପ୍ରସ୍ତାବ ପାସ୍ ହେଲା ।

 

ଅପ୍ରେଲ ୧୯୩୮ରେ ଲାହୋରଠାରେ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ର ଅଧିବେଶନ ବସିଲା । ଲୋହିଆ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ସଦସ୍ୟରୂପେ ବଛା ହେଲେ । ସେତେବେଳେ କଂଗ୍ରେସ ଏଇ ନିୟମ ଧାର୍ଯ୍ୟ କଲା ଯେ ‘କଂଗ୍ରେସ–ସୋସାଲିଷ୍ଟ ପାର୍ଟି’ର କାର୍ଯ୍ୟକାରୀ ସମିତିର ସଦସ୍ୟ କଂଗ୍ରେସ କମିଟିର କୌଣସି ବିଭାଗରେ ମନ୍ତ୍ରୀରୂପେ ରହିପାରିବେ ନାହିଁ । ଲୋହିଆଙ୍କ ପାଇଁ ନିର୍ବାଚନର ସୁଯୋଗ ଆସିଲା । ଲୋହିଆ ସାଙ୍ଗେ ସାଙ୍ଗେ କଂଗ୍ରେସର ପରରାଷ୍ଟ୍ର ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ଏବଂ ପୂରା ସମୟ ଦେଇ ସୋସାଲିଷ୍ଟ ପାର୍ଟିର ସଂଗଠନ କାମରେ ଲାଗିପଡ଼ିଲେ ।

 

 

ଅଗଷ୍ଟ ୧୯୩୮ ସାଲରେ କଂଗ୍ରେସ ପରରାଷ୍ଟ୍ର ବିଭାଗ ମନ୍ତ୍ରୀପଦରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଲୋହିଆଙ୍କର ରାଜନୀତିକ ଜୀବନର ଗୋଟାଏ ଅଧ୍ୟାୟର ସମାପ୍ତି ଘଟିଲା । ସେଇଠି କାର୍ଯ୍ୟରତ ଥିଲାବେଳେ ଲୋହିଆଙ୍କର ବ୍ୟକ୍ତିତ୍ୱ ଭାରତୀୟ ରାଜନୀତି କ୍ଷେତ୍ରରେ ଗୋଟାଏ ପ୍ରତିଭାବାନ ବିଚାରକ ଏବଂ ପରରାଷ୍ଟ୍ର ନୀତିର ବିଜ୍ଞ ପ୍ରବକ୍ତା ରୂପରେ ସର୍ବମାନ୍ୟ ଏବଂ ବିକଶିତ ହୋଇ ସାରିଥିଲା ।

 

ବର୍ତ୍ତମାନ ଆସିଲା ୧୯୩୯ ମସିହା ।

 

ଏଇ ବର୍ଷ ଭାରତର ରାଷ୍ଟ୍ରୀୟ ଆନ୍ଦୋଳନ ପାଇଁ କେବଳ ନୁହେଁ, ପରନ୍ତୁ ଅନ୍ତର୍ରାଷ୍ଟ୍ରୀୟ ରାଜନୀତି ପାଇଁ ମଧ୍ୟ ଖୁବ୍‌ ମହତ୍ୱପୂର୍ଣ୍ଣ ଥିଲା ।

 

ରାଜନୀତିକ ପୃଷ୍ଠଭୂମି ଉପରେ ଘଟଣାଗୁଡ଼ିକ ଖୁବ୍‌ କ୍ଷିପ୍ରଭାବରେ ନୂଆ ନୂଆ ରୂପ–ରଙ୍ଗ ଧାରଣ କରି ଚାଲିଥିଲା । ୟୁରୋପରେ ଯୁଦ୍ଧର ଘନଘଟା ଦେଖାଯାଉଥିଲା । ବ୍ରିଟେନ, ଜର୍ମାନୀ, ରୁଷ ଭଳି ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ର ଭିତରେ ଯୁଦ୍ଧର ଭିତିରି ପ୍ରସ୍ତୁତି ଜୋର୍‍ସୋର୍‌ରେ ଚାଲିଥିଲା । ଅନ୍ତର୍ରାଷ୍ଟ୍ରୀୟ ପରିସ୍ଥିତିର ପ୍ରଭାବ ରାଷ୍ଟ୍ରୀୟ ଆନ୍ଦୋଳନ ଉପରେ ପୂର୍ଣ୍ଣମାତ୍ରାରେ ପଡ଼ୁଥିଲା । ଭାରତରେ ଅହିଂସା ପଦ୍ଧତିରେ ଲଢ଼ାଯାଉଥିବା ସ୍ୱାଧୀନତା ସଂଗ୍ରାମ ଯଦି ଯୁଦ୍ଧ ହୁଏତ କି ରୂପ ଧାରଣ କରିବ, ଏଇ ଚିନ୍ତାହିଁ ମୁଖ୍ୟ ବିଷୟ ଥିଲା ।

 

ସେଇ ବର୍ଷ କଂଗ୍ରେସ ଅଧ୍ୟକ୍ଷ ଥିଲେ ସୁଭାଷଚନ୍ଦ୍ର ବୋଷ । ସୁଭାଷବାବୁଙ୍କର ଆକର୍ଷକ ବ୍ୟକ୍ତିତ୍ୱ ଏବଂ ତାଙ୍କର ଜ୍ୱଳନ୍ତ ଦେଶଭକ୍ତି ଯୋଗୁଁ ପ୍ରତ୍ୟେକ ଯୁବକଙ୍କ ହୃଦୟରେ ସେ ସ୍ଥାନ ପାଇ ପାରିଥିଲେ । ଯୁଦ୍ଧର ସମ୍ଭାବନା ସହିତ କଂଗ୍ରେସ ନୀତିର ପ୍ରଶ୍ନକୁ ନେଇ ସୁଭାଷଚନ୍ଦ୍ର ଏବଂ ଗାନ୍ଧିଙ୍କର ବିଚାରଧାରାରେ ସଂଘର୍ଷ ଉପୁଜୁଥିଲା । ସୁଭାଷଚନ୍ଦ୍ରଙ୍କ ମତ ଥିଲା ଯେ ଯୁଦ୍ଧ ସମ୍ଭାବନାରୁ ଲାଭ ଉଠେଇ କଂଗ୍ରେସର ସ୍ୱାଧୀନତା ସଂଗ୍ରାମକୁ କ୍ଷିପ୍ର କରିଦେବା ଉଚିତ । କିନ୍ତୁ ଗାନ୍ଧିଙ୍କ ପରାମର୍ଶ ଥିଲା ଯେ କଂଗ୍ରେସ ପକ୍ଷରେ ଧୈର୍ଯ୍ୟ ଧରି ରହିବା ଉଚିତ । ଲୋହିଆ ଏଇ ବିଷୟରେ ସୁଭାଷଚନ୍ଦ୍ରଙ୍କର ଘୋର ସମର୍ଥକ ଥିଲେ । କଂଗ୍ରେସ ଭିତରେ ଦୁଇ ମତକୁ କେନ୍ଦ୍ର କରି ଝଗଡ଼ା ଆରମ୍ଭ ହୋଇଗଲା । ଗାନ୍ଧି ଏବଂ ସୁଭାଷଙ୍କ ମଧ୍ୟରେ ମତାନ୍ତର ବଢ଼ି ବଢ଼ି ଚାଲିଲା ।

 

ଏହି ସମୟରେ ତ୍ରିପୁରା କଂଗ୍ରେସର ଯେଉଁ ଅଧିବେଶନ ୧୯୩୯ ମାର୍ଚ୍ଚ ମାସରେ ହେବାର ଥିଲା, ସେଥିପାଇଁ ସଭାପତି ନିର୍ବାଚନ କରିବାର ଅବସର ଆସିଗଲା । ଗାନ୍ଧିଜୀଙ୍କର ଅସନ୍ତୋଷ ତଥା ମତଭେଦ ସତ୍ତ୍ୱେବି ସୁଭାଷ ବୋଷଙ୍କର ଶକ୍ତି ଆଉ ଲୋକପ୍ରିୟତା ଦିନକୁଦିନ ବଢ଼ିବାରେ ଲାଗିଥିଲା । ଭାରତୀୟ ଜନତାଙ୍କର ତଥା ନବଯୁବକଙ୍କର ହୃଦୟକୁ ସୁଭାଷ ବୋଷ ପୂରାପୂରି ଜିଣି ଯାଇଥିଲେ । ଏଥର ମଧ୍ୟ ପୁଣି ଥରକପାଇଁ ସୁଭାଷବାବୁ ନିଜକୁ ଅଧ୍ୟକ୍ଷ ପଦପାଇଁ ପ୍ରାର୍ଥୀରୂପେ ଘୋଷିତ କରିଦେଲେ । ତାଙ୍କ ବିରୁଦ୍ଧରେ ଗାନ୍ଧିଜୀ ପଟ୍ଟାଭି ସୀତାରାମେୟାଙ୍କୁ ନିଜର ସମର୍ଥିତ ପ୍ରାର୍ଥୀରୂପେ ଛିଡ଼ା କରେଇଦେଲେ । ଗାନ୍ଧିଜୀ ଖୋଲାଖୋଲି ଭାବରେ ପଟ୍ଟାଭିଙ୍କୁ ସମର୍ଥନ କଲେ, ତାଙ୍କ ପକ୍ଷବି ନେଲେ । ଗାନ୍ଧୀବିରୋଧୀ ଲୋକମାନଙ୍କର ନେତା ହେଲେ ସୁଭାଷ ବୋଷ । କଂଗ୍ରେସ ଇତିହାସରେ ଅଧ୍ୟକ୍ଷ ପଦପାଇଁ ନିର୍ବାଚନର ଏଇ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆସି ଦେଖାଗଲା । ସୁଭାଷ–ପଟ୍ଟାଭି ସଂଘର୍ଷ ବଡ଼ ବିକୃତ ରୂପ ଧାରଣ କଲା । ଶେଷରେ ନିର୍ବାଚନ ହେଲା ଏବଂ ସୁଭାଷ ବୋଷ ୨୧୩ ଅଧିକ ଭୋଟ ପାଇ ପଟ୍ଟାଭିଙ୍କୁ ପରାସ୍ତ କରିଦେଲେ । ପଟ୍ଟାଭିଙ୍କ ପରାସ୍ତକୁ ଗାନ୍ଧିଜୀ ନିଜ ପ୍ରତିଷ୍ଠାର ପ୍ରଶ୍ନ ବୋଲି ଧରିନେଲେ ଏବଂ ସେଇ ପରାସ୍ତକୁ ନିଜର ପରାସ୍ତ ବୋଲି ମାନିନେଲେ । ଏ ସମ୍ବନ୍ଧରେ ଗୋଟାଏ ବିବୃତିବି ଗାନ୍ଧିଜୀ ଦେଲେ ।

 

ପରେ ରହସ୍ୟ ଖୋଲିଯିବାରୁ ଜଣାଗଲା ଯେ ସୁଭାଷ ବୋଷଙ୍କର ଜୟ ମୁଖ୍ୟତଃ ସୋସାଲିଷ୍ଟ ସଦସ୍ୟ ସମର୍ଥନ ଯୋଗୁଁହିଁ ସମ୍ଭବପର ହେଲା । ସମସ୍ତ ସୋସାଲିଷ୍ଟମାନେ ସୁଭାଷ ବୋଷଙ୍କୁହିଁ ନିଜର ମତଦାନ କରିଥିଲେ । କିନ୍ତୁ ତା’ ସାଙ୍ଗେ ସାଙ୍ଗେ ଆଉ ଗୋଟାଏ ରହସ୍ୟବି ପରେ ଖୋଲିଗଲା ଯେ ଲୋହିଆ ଆନ୍ତରିକତାର ସହ ପଟ୍ଟାଭିଙ୍କ ମୁକାବିଲାରେ ସୁଭାଷ ବୋଷଙ୍କର ସମର୍ଥକ ହୋଇ ମଧ୍ୟ ସୁଭାଷ ବୋଷଙ୍କୁ ତାଙ୍କର ମତଦାନ ଦେଇ ନଥିଲେ । ସେ ତଟସ୍ଥ ହୋଇ ରହିଗଲେ । ସେ ଗାନ୍ଧିଙ୍କର ବିରୋଧ କରି ପାରିଲେନି । ତଥାପି ସୁଭାଷ ବୋଷଙ୍କର ଜଣେ ସମର୍ଥକ ହୋଇ ମଧ୍ୟ ସେ କାହିଁକି ଯେ ତଟସ୍ଥ ହୋଇ ରହିଗଲେ, ସେ କଥା ଆଜି ମଧ୍ୟ ରହସ୍ୟ ଭିତରେହିଁ ରହିଚି । ନିଜର ବିଚାରଧାରାକୁ ନିର୍ଭୟରେ ବ୍ୟକ୍ତ କରିବାକୁ ଲୋହିଆ ମଧ୍ୟ ଗାନ୍ଧିଙ୍କ ସମ୍ମୁଖରେ ଶଙ୍କିଗଲେ । କେବଳ ଏତିକିହିଁ ନୁହେଁ, ଗାନ୍ଧିଙ୍କ ପ୍ରତି ଲୋହିଆଙ୍କର ମୋହ ପକ୍ଷପାତର ସୀମା ଛୁଇଁ ଯାଇଥିଲା । ତା’ ମଧ୍ୟ ତ୍ରିପୁରା କଂଗ୍ରେସ ଅଧିବେଶନ ସମୟରେ ସ୍ପଷ୍ଟ ହୋଇଗଲା ।

 

ଘଟଣାଟି ଏହିଭଳି । ୯ ମାର୍ଚ୍ଚ ୧୯୩୯ରେ ତ୍ରିପୁରାରେ ବିଷୟ ନିର୍ବାଚନ ସମିତିରେ ଗୋବିନ୍ଦବଲ୍ଲଭ ପନ୍ଥ ଗୋଟାଏ ପ୍ରସ୍ତାବ ବାଢ଼ିଲେ ଯେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଯେଉଁ ନୀତି ଗଢ଼ାଯାଇଚି ଏବଂ ଯେଉଁ କାର୍ଯ୍ୟକ୍ରମ ଜାରି ରହିଛି, ତା’ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ତା’ର କାମ ଭବିଷ୍ୟତରେବି ଚାଲୁ ରହିବ । ଗାନ୍ଧିଜୀ କଂଗ୍ରେସ ଏବଂ ରାଷ୍ଟ୍ରକୁ ପଥ ଦେଖାଇବାରେ ପୂରା ସମର୍ଥ ଅଟନ୍ତି । ସେଇ ଦୃଷ୍ଟିରୁ ଅଧ୍ୟକ୍ଷ ନିଜର କାର୍ଯ୍ୟକାରୀ ସମିତି ଗାନ୍ଧିଜୀଙ୍କର ଇଚ୍ଛାନୁସାରେ ଗଢ଼ନ୍ତୁ ।

 

ଏହି ପ୍ରସ୍ତାବରେ ଗାନ୍ଧିଙ୍କ ପ୍ରତି ବ୍ୟକ୍ତିପୂଜା ଏବଂ ସୁଭାଷ ବୋଷଙ୍କର ଅଧ୍ୟକ୍ଷୀୟ ଅଧିକାରକୁ କ୍ଷୁଣ୍ଣ କରିବାର ସ୍ପଷ୍ଟ ସୂଚନା ମିଳୁଥିଲା । କିନ୍ତୁ କାହାର ସାହସ ଥିଲା ଗାନ୍ଧିଙ୍କର ବିରୋଧ କରିବାକୁ ? ଗାନ୍ଧିଙ୍କର ଭୟ କିଛି କମ୍‌ ନଥିଲା । ଏ ପ୍ରସ୍ତାବ ଅନେକଙ୍କର ମନକୁ ପାଇଲାନି; ତଥାପି କେହି ଜଣେ ମଧ୍ୟ ଖୋଲାଖୋଲି ଭାବରେ ସମ୍ମୁଖକୁ ଆସିଲେନି ।

 

ଲୋହିଆଙ୍କର ଗାନ୍ଧି ମୋହ ତାଙ୍କୁବି ବିଚଳିତ କରିଦେଲା । ପ୍ରସ୍ତାବ ଉପରେ କହିବାକୁ ଯାଇ ଲୋହିଆ କହିଲେ, ‘‘ଯେଉଁ ଲୋକମାନେ କହିଥିଲେ ଯେ କଂଗ୍ରେସ ଭିତରେ ମତଭେଦ ହେବ, ସେମାନଙ୍କୁ ଏଇ ପ୍ରସ୍ତାବଟା ଉପଯୁକ୍ତ ଜବାବ ଦେଇଚି । କଂଗ୍ରେସ ସଙ୍କଟ କାଳ ଭିତରେ ଗତି କରୁଚି ଏବଂ ଏ ବର୍ଷହିଁ ବ୍ରିଟିଶ ସାମ୍ରାଜ୍ୟଶାହୀ ସହ ସଂଗ୍ରାମ କରିବାକୁ ହେବ । ଏଇ ଦୃଷ୍ଟିରୁ ଏକତା ନିହାତି ଦରକାର । ଗାନ୍ଧିଜୀ କହିଥିଲେ ଯେ ଶ୍ରୀ ବୋଷ ନିର୍ବାଚିତ ହେବା ମୋ ପକ୍ଷରେ ଅପମାନଜନକ । ଏଇ ପ୍ରସ୍ତାବ ଗାନ୍ଧିଜୀଙ୍କୁ ସମ୍ମାନର ସହ ଆହ୍ୱାନ କରେ ଯେ ଏଇଠି ତାଙ୍କର ଅପମାନ ହୋଇନି ।’’

 

କଂଗ୍ରେସ ଏକତାର ଦ୍ୱାହି ଦେଇ ଲୋହିଆ ସିଧାସଳଖ ଗାନ୍ଧିଜୀଙ୍କର ସମର୍ଥନରେ ଯାଇ ଛିଡ଼ା ହୋଇଗଲେ । ସେ ଜୋର ଦେଇ ସଂଯୁକ୍ତ ସଂଗ୍ରାମ କାର୍ଯ୍ୟକ୍ରମ ଏବଂ ସଂଯୁକ୍ତ ନେତୃତ୍ୱର ସମର୍ଥନ କରିଗଲେ । କିନ୍ତୁ ଏହା ଲୋହିଆଙ୍କ ସ୍ୱଭାବର ବିପରୀତ ଆଚରଣ ଥିଲା । ବୋଧହୁଏ ଗାନ୍ଧି–ମୋହ ଯୋଗୁଁହିଁ ଲୋହିଆଙ୍କୁ ଏଇ ରୂପ ଧାରଣ କରିବାକୁ ପଡ଼ିଲା । ଯଦି ଲୋହିଆ ସେତେବେଳେ ଏଇ ମୋହ ଛାଡ଼ି ପାରିଥାନ୍ତେ ଏବଂ ସୁଭାଷ ବୋଷଙ୍କୁ ଖୋଲାଖୋଲି ସମର୍ଥନ କରିଥାନ୍ତେ, ତେବେ କଂଗ୍ରେସ ଏକ ବଡ଼ ଦୁର୍ଗତିର ଶିକାର ହେବା ଆଗରୁ ରକ୍ଷାପାଇ ଯାଇଥାନ୍ତା ।

 

ଲୋହିଆ ଏବଂ ଅନ୍ୟ ସୋସାଲିଷ୍ଟ ସଦସ୍ୟଙ୍କଠାରୁ ଗାନ୍ଧିଙ୍କୁ ପୂରା ସମର୍ଥନ ମିଳିଲା ଏବଂ ପନ୍ଥଙ୍କ ପ୍ରସ୍ତାବ ମଧ୍ୟ ପାସ୍ ହୋଇଗଲା; କିନ୍ତୁ ଏହାଦ୍ୱାରା ଝଗଡ଼ା ସରିଲାନି, ବରଂ ଆହୁରି ବଢ଼ିଗଲା । ସୁଭାଷ ବୋଷ ମଧ୍ୟ କମ୍‌ ଜିଦ୍‌ଖୋର ନଥିଲେ । ଗାନ୍ଧିଙ୍କ ଇଚ୍ଛାନୁସାରେ କାର୍ଯ୍ୟକାରୀ–ସମିତି ଗଢ଼ିବାକୁ ସେ ରାଜି ହେଲେନି । ସେ ନିଜ ପସନ୍ଦ ମୁତାବକ କାର୍ଯ୍ୟକାରୀ ସମିତିର ଘୋଷଣା କରିଦେଲେ । କିନ୍ତୁ ନେହେରୁ ଆଦି ଅନ୍ୟ ସମସ୍ତ ସଭ୍ୟ ସୁଭାଷ ବୋଷଙ୍କର ସମିତିରେ ରହିବାକୁ ସ୍ପଷ୍ଟ ମନା କରିଦେଲେ । ଶେଷରେ ବାଧ୍ୟ ହୋଇ ସୁଭାଷ ବୋଷଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡ଼ିଲା ।

 

ଏହି ଘଟଣାଦ୍ୱାରା ଦେଶର ରାଜନୀତି–ସମୁଦ୍ରରେ ଏପରି ତୋଫାନ ଉଠିଲା, ଯାହା କି ଅଭୂତପୂର୍ବ ଥିଲା । ଏ କଥା ସତ ଯେ ସୁଭାଷ ଚନ୍ଦ୍ରବୋଷଙ୍କର ସେତେବେଳକୁ ଏମିତି ଏକ ବ୍ୟକ୍ତିତ୍ୱ ସୃଷ୍ଟି ହୋଇଥିଲା, ଯାହା କି ସଂଘର୍ଷ ତଥା ବିଦ୍ରୋହର ପ୍ରତୀକ ଥିଲା, ଯାହା କି ଜନସାଧାରଣଙ୍କ ପାଇଁ ପ୍ରେରଣାର ସ୍ରୋତ ଏବଂ ଅନ୍ୟ ନେତାଙ୍କପାଇଁ ଚରମ ଈର୍ଷାର କାରଣ ଥିଲା ।

 

ଏଇ ସମୟରେ ଗାନ୍ଧିଜୀ ଗୋଟାଏ ବିବୃତି ଦେଲେ, ‘‘ଯାହା କିଛିବି ହେଉ ନା କାହିଁକି, ସୁଭାଷବାବୁ ଦେଶର ଶତ୍ରୁ ନୁହନ୍ତି । ସେ ଦେଶପାଇଁ ଖୁବ୍‌ କଷ୍ଟ ସହିଛନ୍ତି । ସୁଭାଷଙ୍କ ମତରେ ତାଙ୍କର ନୀତି ଆଉ କାର୍ଯ୍ୟକ୍ରମ ବହୁତ ପ୍ରଗତିଶୀଳ ତଥା ଉପଯୁକ୍ତ ଅଟେ । ଯେଉଁମାନେ ଅଳ୍ପ ସଂଖ୍ୟକ, ସେମାନେ ତାଙ୍କର ମଙ୍ଗଳକାମନା କରିବା ଉଚିତ । ବହୁମତ ସଦସ୍ୟଙ୍କର ଶକ୍ତିକୁ ଆହୁରି ବଢ଼ାଇବା ସେମାନଙ୍କର କର୍ତ୍ତବ୍ୟ । ଯଦି ସେ ସହଯୋଗ କରିପାରିବେନି, ତେବେ ତାଙ୍କର ଅଲଗା ହୋଇଯିବା ଉଚିତ ।’’

 

କୂଟନୀତିରେ ପରିପୂର୍ଣ୍ଣ ଥିଲା ଏଇ ବିବୃତି । ବାଧ୍ୟହୋଇ ସୁଭାଷ ବୋଷ କଂଗ୍ରେସ ସଂସ୍ଥାରୁ ସମ୍ବନ୍ଧ ବିଚ୍ଛେଦ କରିଦେଲେ ।

 

ଆଉ ସବୁ ଘଟିଯାଉଥିଲା ଏବଂ ଗାନ୍ଧିଙ୍କ ମୋହ ଲୋହିଆଙ୍କୁ ନୀରବ ରହିବାକୁ ବାଧ୍ୟ କରି ଯାଉଥିଲା ।

 

ଏଣେ ଦେଶ ପ୍ରତି କଂଗ୍ରେସର ଏଇ ଅବସ୍ଥା ଥିଲାବେଳେ, ତେଣେ ୟୁରୋପରେ ଯୁଦ୍ଧର ଅଗ୍ନିଶିଖା ଜଳି ଉଠିବାକୁ ଲାଗିଲା । ଜର୍ମାନୀ ଅଷ୍ଟ୍ରିୟାକୁ ଅଧୀନସ୍ଥ କରିନେଲା । ମହାଯୁଦ୍ଧ ଆରମ୍ଭ ହୋଇଗଲା । ୟୁରୋପର ମାଟି କମ୍ପିଉଠିଲା ।

 

ଏହି ସମୟରେ ଗାନ୍ଧି ସ୍ପଷ୍ଟଭାବରେ କହିଦେଲେ ଯେ ମହାଯୁଦ୍ଧ ସହିତ ହିନ୍ଦୁସ୍ଥାନର କୌଣସି ସମ୍ବନ୍ଧ ନାହିଁ । ଯଦି ହିନ୍ଦୁସ୍ଥାନକୁ ଜବରଦସ୍ତି ଯୁଦ୍ଧ ଭିତରକୁ ଟାଣି ନିଆଯାଏ, ତେବେ ସେ ବ୍ରିଟେନର ନିଶ୍ଚୟ ବିରୋଧ କରିବେ ।

 

ଲୋହିଆଙ୍କର ମନେ ହେଲା ଯେ ଭାରତର ସ୍ୱାଧୀନତା ସଂଗ୍ରାମକୁ ନୂଆ ଏବଂ ଶକ୍ତିଶାଳୀ ମୋଡ଼ ଦେବାପାଇଁ ଏଭଳି ଏକ ସୁବର୍ଣ୍ଣ ସୁଯୋଗ ବୋଧହୁଏ ଆଉ ଆସିବନି । ଲୋହିଆ ଦେଶକୁ ସାବଧାନ ହେବାପାଇଁ ସଙ୍କେତ ଦେବାକୁ ଯାଇ କହିଲେ ଯେ ଗଫଲତ୍‌ କରିବା ବୋକାମି ହେବ । ସେ ଗୋଟାଏ ଚାରି ସୂତ୍ରର କାର୍ଯ୍ୟସୂଚୀ ବାଢ଼ିଲେ–(୧) ଯୁଦ୍ଧ–ସାମିଲ ବିରୋଧ, (୨) ଦେଶୀୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ, (୩) ବ୍ରିଟିଶ ମାଲବାହୀ ଜାହାଜଗୁଡ଼ିକର ମାଲ ବୋଝେଇ ଏବଂ ଖଲାସ କରୁଥିବା ମଜଦୁରମାନଙ୍କର ସଂଗଠନ, (୪) ଯୁଦ୍ଧ–କର ଏବଂ ଯୁଦ୍ଧ–ଋଣକୁ ମଞ୍ଜୁର ନ କରିବା ଏବଂ ପଇଠ ନ ଦେବା ।

 

ସେଇ ସମୟରେ ଯୁଦ୍ଧବିରୋଧୀ ପ୍ରଚାରହିଁ ଲୋହିଆଙ୍କର ମୁଖ୍ୟ କାର୍ଯ୍ୟ ଏବଂ ଉଦ୍ଦେଶ୍ୟ ଥିଲା ।

 

କଂଗ୍ରେସ ଭିତରେ ‘‘ଯୁଦ୍ଧରେ ସହଯୋଗ’’ ବିଷୟକୁ ନେଇ ଦ୍ୱିମତ ସୃଷ୍ଟି ହୋଇଯାଇଥିଲା । ଗୋଟାଏ ମତ ଚାହୁଁଥିଲା ଯେ ଯୁଦ୍ଧ ସମୟରେହିଁ ଇଂରେଜମାନଙ୍କୁ ଦବାଇ ସ୍ୱାଧୀନତା ହାସଲପାଇଁ ଚେଷ୍ଟା କରାଯାଉ । ଅନ୍ୟ ପକ୍ଷ କହୁଥିଲେ ଯେ ଯୁଦ୍ଧ ସମୟରେ ଇଂରେଜଙ୍କ ସହିତ ସଂଘର୍ଷ କରା ନ ଯାଉ, କାହିଁକି ନା ଇଂଲଣ୍ଡ ଜନତନ୍ତ୍ରର ରକ୍ଷା କରିବାପାଇଁହିଁ ନାଜୀ ଶକ୍ତି ସହିତ ଲଢ଼େଇ କରୁଛି । ଜବାହରଲାଲ ନେହେରୁ ଏଇ ଦ୍ୱିତୀୟ ପକ୍ଷର ମୁଖ୍ୟ ପ୍ରବକ୍ତା ଥିଲେ ।

 

ଲୋହିଆଙ୍କୁ ଦ୍ୱିତୀୟ ପକ୍ଷର ଯୁକ୍ତି ପସନ୍ଦ ଆସିଲାନି । ଲୋହିଆ କହୁଥିଲେ ଯେ ଇଂଲଣ୍ଡ ଭାରତର ଜନ ଏବଂ ସାମଗ୍ରୀକୁ ଆମର ଇଚ୍ଛା ବିରୁଦ୍ଧରେ ଜବରଦସ୍ତି ଯୁଦ୍ଧକୁ ଟାଣି ଆମର ରାଷ୍ଟ୍ରୀୟ ଭାବନାକୁ ଉତ୍ତ୍ୟକ୍ତ କରୁଛି ଏବଂ ଆମକୁ ସଂଘର୍ଷ କରିବାପାଇଁ ଆହ୍ୱାନ ଦେଉଛି । ଆମେ ଭାରତୀୟ କୌଣସି ପ୍ରକାରେ ମଧ୍ୟ ଯୁଦ୍ଧରେ କୌଣସି ପକ୍ଷରୁ ସାମିଲ ହେବାକୁ ଚାହୁଁନା । ଆମେ କେବଳ ଚାହୁଁଛୁ ଯେ ଏଇ ଯୁଦ୍ଧ ସମୟରେ ସଂସାରର ଅନ୍ୟ ଭାଗକୁ ମଧ୍ୟ ସାମ୍ରାଜ୍ୟଲିପ୍‌ସୁ ଏବଂ ମହାଯୁଦ୍ଧ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିବୁ । ଯୁଦ୍ଧତ୍ରସ୍ତ ଆଜିର ଦୁନିଆରେ ଅହିଂସାର ଆବାଜ ଉଠାଇବାହିଁ ଆମର ଏକମାତ୍ର ଧ୍ୟେୟ ହେବା ଉଚିତ ।

 

ନିଜର ଏଇ ବିଚାରଧାରାକୁ ଲୋହିଆ ସମଗ୍ର ଦେଶ ଭିତରେ ବୁଲି ବୁଲି ପ୍ରଚାର କରିବାକୁ ଲାଗିଲେ ।

 

ସେଇ ସମୟରେ ମେ’ ୧୯୩୯ ସାଲରେ ଦକ୍ଷିଣ କଲିକତା କଂଗ୍ରେସ କମିଟିଦ୍ୱାରା ଆୟୋଜିତ ଗୋଟାଏ ସଭାରେ ଲୋହିଆ ଭାଷଣ ଦେଲେ । ଇଂରେଜ ସରକାର ଲୋହିଆଙ୍କର ଯୁଦ୍ଧବିରୋଧୀ ଭାଷଣ ଯୋଗୁଁ ତାଙ୍କୁ ଗିରଫ୍ କରିବାପାଇଁ ସୁଯୋଗ ଖୋଜୁଥିଲେ । ଏହି ସଭା ପରେ ପରେହିଁ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ୍ କରି ନିଆଗଲା । ସରକାର ଗିରଫ୍‍ର କାରଣ ଦର୍ଶାଇଲେ–କିଛିଦିନ ପୂର୍ବେ କଲିକତା ବିଶ୍ୱବିଦ୍ୟାଳୟରେ ଲୋହିଆ ଦେଇଥିବା ଭାଷଣ, ଯାହାର ବିଷୟବସ୍ତୁ ଥିଲା–‘‘ଭାରତ ଏବଂ ଯୁଦ୍ଧ’’ ।

 

ଏପର୍ଯ୍ୟନ୍ତ କଲିକତାହିଁ ଲୋହିଆଙ୍କର କର୍ମଭୂମି ଥିଲା । ସେଇଠି ଲୋହିଆ ପ୍ରଥମ ଥରପାଇଁ ଇଂରେଜ ସରକାରଙ୍କଦ୍ୱାରା ୨୪ ମେ’ ୧୯୩୯ ଦିନ ଗିରଫ୍ ହେଲେ ।

 

ଲୋହିଆଙ୍କୁ ଗିରଫ୍ କରିବା କାରଣ ଯୋଗୁଁ ସେତେବେଳେ ନବଯୁବକଙ୍କ ଖୁବ୍‌ ଅସନ୍ତୋଷ ଏବଂ କ୍ରୋଧ ଜାଗିଉଠିଲା । କଲିକତାରେ ତହିଁ ଆରଦିନ ଲୋହିଆଙ୍କ ଗିରଫ୍‍ଦାରି ବିରୁଦ୍ଧରେ ଗୋଟାଏ ଖୁବ୍ ବଡ଼ ଶୋଭାଯାତ୍ରା ବାହାରିଲା । ସରକାର ସେତେବେଳେ କୌଣସି ଗୋଟାଏ ବଡ଼ ସଂଘର୍ଷକୁ ନିମନ୍ତ୍ରଣ କରିବାକୁ ଚାହୁଁ ନଥିଲେ । ତେଣୁ ଗିରଫ୍ ହେବାର ଅନ୍ୟ ଦିନହିଁ ତାଙ୍କୁ ଜମାନତ୍‍ରେ ଛାଡ଼ି ଦିଆଗଲା । କଲିକତାର ଚିଫ୍‌ ପ୍ରେସିଡ଼େନ୍‌ସି ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କର ମକଦ୍ଦମା ଚାଲିଲା । ଲୋହିଆ ନିଜ ମକଦ୍ଦମା ନିଜେ ଲଢ଼ିଲେ । ଯୁକ୍ତିତର୍କବି କଲେ । ରାଜନୈତିକ ମକଦ୍ଦମାର ଯୁକ୍ତି ନିଜେ କରି ରାଜନୈତିକ ସିଦ୍ଧାନ୍ତର ଆଧାର ଉପରେ ଲଢ଼ିବାର ଏଇ ପଦ୍ଧତି ଲୋହିଆହିଁ ଆରମ୍ଭ କଲେ ।

 

ଅନେକ ତାରିଖ ପରେ ଶେଷରେ ୧୪ ଅଗଷ୍ଟରେ ମାଜିଷ୍ଟ୍ରଟ ରଣଜିତ୍‌ ଗୁପ୍ତା, ଆଇ.ସି.ଏସ୍‌. ଲୋହିଆଙ୍କୁ ମୁକ୍ତ କରିଦେଲେ ଏବଂ ଲୋହିଆଙ୍କର ଆଇନ–ଜ୍ଞାନର ପ୍ରଶଂସା କରିବାକୁ ଯାଇ କହିଲେ ଯେ ଲୋହିଆ ଯଦି ବାରିଷ୍ଟର ହୋଇଥାନ୍ତେ, ତେବେ ଖୁବ୍‌ କୃତିତ୍ୱ ହାସଲ କରି ପାରିଥାନ୍ତେ ।

 

ମକଦ୍ଦମା ଭିତରେ ଲୋହିଆ ବମ୍ବେ ଗଲେ । ସେଇଠି ୨୪ ଜୁନ୍‌ରେ ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ହେବାର ଥିଲା ।

 

ସେଇ ସମୟରେ ବିଶ୍ୱ–ଶାନ୍ତି କଂଗ୍ରେସକୁ ଜବାହରଲାଲ ନେହେରୁ କଂଗ୍ରେସ ଅଧ୍ୟକ୍ଷ ଡ. ରାଜେନ୍ଦ୍ରପ୍ରସାଦଙ୍କ ନାଁରେ ଏଇ ଅଭିପ୍ରାୟରେ ଗୋଟାଏ ତାର କଲେ ଯେ ଯଦି ଭାରତକୁ ସ୍ୱାଧୀନତା ଦିଆଯାଏ, ତେବେ ତା’ ବଦଳରେ ସେ ଯୁଦ୍ଧରେ ସହଯୋଗ କରିବ ।

 

ଲୋହିଆଙ୍କର ମନେ ହେଲା ଯେ ନେହେରୁ ରାଜନୈତିକ କିଣା–ବିକା କରୁଛନ୍ତି । ଲୋହିଆ ସଦାସର୍ବଦା ସଂଘର୍ଷର ପଥକୁହିଁ ବାଛି ନେଇଛନ୍ତି । ରାଜନୈତିକ କିଣା–ବିକାକୁ ସେ ଆଦୌ ପସନ୍ଦ କରୁ ନଥିଲା । ନେହେରୁଙ୍କର ଏଇ ଆଚରଣ ଯୋଗୁଁ ଲୋହିଆ ଖୁବ୍ ବିରକ୍ତ ହୋଇପଡ଼ିଲେ । ସେ ଏଇ ରୋଗଟା ବଢ଼ିବା ଆଗରୁ ତା’ର ଚେର ଓପାଡ଼ି ଶେଷ କରିଦେବାକୁ ଅଧୀର ହୋଇଉଠିଲେ ।

 

ଲୋହିଆ ବୈଠକ ଦିନ ବମ୍ବେରେ ପହଞ୍ଚିଲେ ଏବଂ କଂଗ୍ରେସ ଅଧ୍ୟକ୍ଷ ଡ. ରାଜେନ୍ଦ୍ରପ୍ରସାଦଙ୍କୁ କହିଲେ ଯେ ଏ ପ୍ରଶ୍ନର ସମାଧାନ ବୈଠକରେ ହେବା ଆବଶ୍ୟକ । ରାଜେନ୍ଦ୍ରବାବୁ ଏ ପ୍ରଶ୍ନକୁ ଏଡ଼ିଯିବା ପାଇଁ ଚାହିଁଲେ । ସେ କହିଲେ–‘‘ଆଜି ତ ସମୟ ନାହିଁ; କାଲି ଯଦି ସମୟ ହୁଏ, ତେବେ ଦେଖିବା ।’’

 

ଲୋହିଆବି ଅଡ଼ିବସିଲେ । କହିଲେ, ‘‘ଏହା ଏକ ମହତ୍ୱପୂର୍ଣ୍ଣ ବିଷୟ । ଆଜିହିଁ ସମାଧାନ ହୋଇଯିବା ଉଚିତ, ନଚେତ୍‌ ମତେ ବାଧ୍ୟ ହୋଇ ସଭାରେ ପ୍ରକାଶ୍ୟରୂପେ କହିବାକୁ ପଡ଼ିବ ।’’

 

ଶେଷରେ ରାଜେନ୍ଦ୍ରବାବୁଙ୍କ ଏ ବିଷୟ ଉପରେ ଚର୍ଚ୍ଚା କରିବାକୁହିଁ ପଡ଼ିଲା । ଲମ୍ବା–ଚଉଡ଼ା ତର୍କ–ବିତର୍କ ଚାଲିଲା । ଗରମାଗରମ ବାଦବିବାଦବି ହେଲା । ନେହେରୁଙ୍କର ଏଇ ସଫେଇର ଚର୍ଚ୍ଚା ବନ୍ଦ ହେଲା ଯେ ଟେଲିଗ୍ରାମ୍‍ରେ ପଲଟଣର ସହଯୋଗ କଥା ଉଲ୍ଲେଖ କରାଯାଇ ନାହିଁ ।

 

ଏଇ ବୈଠକରେ ଦକ୍ଷିଣ–ଆଫ୍ରିକା ବିଷୟରେ ମଧ୍ୟ ଗୋଟାଏ ପ୍ରସ୍ତାବ ରଖାଗଲା । ଏଇ ବିଷୟ ଉପରେ ସଂଶୋଧନ ପ୍ରସ୍ତାବ ଆଗତ କରି ଲୋହିଆ ଆରୋପ ଲଗାଇଲେ ଯେ ପ୍ରସ୍ତାବ ଠିକ୍‌ ଭାବରେ ଲେଖାଯାଇନି କିମ୍ବା ସମସ୍ୟାବି ସ୍ପଷ୍ଟ ଭାବରେ ବଢ଼ାଯାଇପାରିନି ।

 

ଲୋହିଆଙ୍କ ଭାଷଣ ପରେ ନେହେରୁ ତାଙ୍କୁ କହିଲେ–

 

‘‘ତୁମେ ଖୁବ୍‌ ଜୋରରେ କହୁଚ । ଏହାଦ୍ୱାରା ତୁମ କଥା ସ୍ପଷ୍ଟ ଭାବରେ ବୁଝି ହେଉନି । ତୁମ ଭାଷଣ କିଛି ବୁଝି ହେଲାନି ।’’

 

ଲୋହିଆ ତ ଉତ୍ତେଜିତ ଅବସ୍ଥାରେ ଥିଲେ । ନେହେରୁଙ୍କର ଏଇ କଥା ଶୁଣି ଆହୁରି ଉତ୍ତେଜିତ ସ୍ୱରରେ କହିଲେ, ‘‘କେମିତି ବୁଝିବେ–ଯେତେବେଳେ ଅନ୍ୟ କେହି ନୁହେଁ, ଆପଣମାନେ ପରସ୍ପର ବାକ୍ୟରତ ଥାଆନ୍ତି ।’’

 

ଲୋହିଆ ଏବଂ ନେହେରୁଙ୍କ କଥାବାର୍ତ୍ତା ପାଖରେ ବସିଥିବା ଶ୍ରୀମତୀ ସରୋଜିନୀ ନାଇଡ଼ୁ ଏହା ଶୁଣୁଥିଲେ । ସେ ଲୋହିଆ ଏବଂ ନେହେରୁ ଦୁହିଁଙ୍କର ସ୍ୱଭାବକୁ ଖୁବ୍ ଭଲଭାବେ ଜାଣିଥିଲେ । ତାଙ୍କୁ ଡର ଲାଗିଲା ଯେ କାଳେ କଥା ବଢ଼ିଯିବ । ତେଣୁ ସେ ଲୋହିଆଙ୍କୁ କହିଲେ, ‘‘ଆରେ, ଝଗଡ଼ା କାହିଁକି କରୁଛ ? ନେହେରୁ ତ ତୁମକୁ ସାହାଯ୍ୟ କରୁଛନ୍ତି ।’’

 

ଲୋହିଆ ବିଗିଡ଼ିଯାଇ କହିଲେ, ‘‘କିଭଳି ସାହାଯ୍ୟ ?’’

 

ନେହେରୁ ଉତ୍ତର ଦେଲେ, ‘‘ତୁମର ଉଦ୍ଦେଶ୍ୟ ଠିକ୍‌ ଅଛି । କେବଳ ପ୍ରସ୍ତାବର ଶୈଳୀଟା ବଦଳାଇଦେବା ଦରକାର ।’’

 

ଲୋହିଆ କହିଲେ, ‘‘ପ୍ରସ୍ତାବ ଆପଣଙ୍କର, ଆପଣହିଁ ବଦଳାନ୍ତୁ । ସଂଶୋଧନର ଆତ୍ମାକୁ ପୂର୍ବବତ୍‌ ରଖି କିଛିଟା ଶବ୍ଦର ଢାଞ୍ଚା ତ ବଦଳାଇ ଦେଇପାରିବେ ।’’

 

ନେହେରୁ ବୁଝେଇବା ସ୍ୱରରେ କହିଲେ, ‘‘ନା, ଆମେ ଦୁହେଁ ଏକାଠି ବସି ଗୋଟାଏ ନୂଆ ରୂପରେଖ ପ୍ରସ୍ତୁତ କରିବା ।’’

 

ତା’ପରେ ଦୁହେଁ ଏକାଠି ବସି ନୂଆ ରୂପରେଖ ପ୍ରସ୍ତୁତ କଲେ ଏବଂ ପ୍ରସ୍ତାବଟି ବହୁମତରେ ଗୃହୀତ ହୋଇଗଲା ।

 

ଏହାକୁ ଲୋହିଆ ନିଜର ଖୁବ୍‌ ବଡ଼ ବିଜୟ ବୋଲି ମନେ କଲେ । କଂଗ୍ରେସ ଭିତରେ କେତେକ ବଡ଼ବଡ଼ିଆଙ୍କ ନିଜର ଦଳ ଥିଲା–ଯେଉଁମାନେ କି ନିଜ ସାମ୍ନାରେ ଅନ୍ୟର ମହତ୍ତ୍ୱକୁ ଆଦୌ ସ୍ୱୀକାର କରୁ ନଥିଲେ । କିନ୍ତୁ ବୌଦ୍ଧିକ ସ୍ତରରେ ଗାନ୍ଧିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଲୋହିଆଙ୍କ ପାଖରେ ଦବି ଯାଉଥିଲେ ଏବଂ ଯେଉଁଠି ଲୋହିଆ ଅଡ଼ି ବସୁଥିଲେ, ସେଇଠି ଅନ୍ୟମାନେ ମଥା ନତ କରି ଦେଉଥିଲେ ।

 

ନିଜ ସଂଶୋଧନକୁ ନେଇ ପ୍ରସ୍ତାବ ସ୍ୱୀକୃତ ହେଲାପରେ ଲୋହିଆ ଆନନ୍ଦରେ ବୈଠକ ବାହାରକୁ ଆସି ଏଣେତେଣେ ବୁଲାବୁଲି କରୁଥିଲାବେଳେ ଜଣାଗଲା ଯେ ତାଙ୍କୁ ଭିତରେ ଖୋଜା ପଡ଼ିଛି । ଏଇଆବି ଶୁଣିଲେ ଯେ ଗାନ୍ଧିଜୀଙ୍କ ନିକଟରୁ ସମ୍ବାଦ ନେଇ ମହାଦେବ ଭାଇ ଆସିଛନ୍ତି । ଲୋହିଆ ପୁଣି ବୈଠକକୁ ଗଲେ ।

 

କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ନେତାଗଣ ମଞ୍ଚ ଉପରେ ବସିଥିଲେ । ଲୋହିଆଙ୍କୁ ଦେଖି ସମସ୍ତେ ନିଜ ନିଜ ପାଖକୁ ଡାକିଲେ । କିନ୍ତୁ ସମସ୍ତଙ୍କୁ ଥରେ ଭଲ କରି ଦେଖି ନେଇ ଲୋହିଆ ସିଧା ଯାଇ ନେହେରୁଙ୍କ ପାଖରେ ବସିଲେ । ସେଇଠି ଜାଣିଲେ ଯେ ପ୍ରସ୍ତାବରେ ଲୋହିଆଙ୍କ ଯେଉଁ ସଂଶୋଧନ ସ୍ୱୀକୃତ ହୋଇଛି, ତାକୁ ଗାନ୍ଧିଜୀ ପସନ୍ଦ କରୁ ନାହାନ୍ତି । ତାଙ୍କର ଇଚ୍ଛା ଯେ ମୂଳ ପ୍ରସ୍ତାବଟା ଯେମିତି ଥିଲା, ସେମିତି ସ୍ୱୀକୃତ ହେଉ, ନଚେତ୍‌ ସମ୍ପୂର୍ଣ୍ଣରୂପେ ରଦ୍ଦ କରିଦିଆଯାଉ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଲୋହିଆଙ୍କ ପାଖରେ ଯାଇ ବସିଲେ ଏବଂ ତାଙ୍କ ସାଙ୍ଗରେ ଯୁକ୍ତିତର୍କ ଆରମ୍ଭ କରିଦେଲେ । ଖୁବ୍‌ ଗରମାଗରମ ଯୁକ୍ତିତର୍କ ଚାଲିଲା । ଧୀରେ ଧୀରେ ସମଗ୍ର ସମିତିହିଁ ସଂଶୋଧନ ପ୍ରସ୍ତାବକୁ ଫେରସ୍ତ କରିନେବା ପାଇଁ ଲୋହିଆଙ୍କ ଉପରେ ଚାପ ପକାଇଲେ । ଲୋହିଆଙ୍କୁ କଂଗ୍ରେସ ନେତାଙ୍କର ଏଇ ନାଟକ ଭଲ ଲାଗିଲାନି । ସେ ବିରକ୍ତ ହୋଇ ପଚାରିଲେ, ‘‘ଚାରି ଘଣ୍ଟା ତଳେ ଆମେ ଯେତେବେଳେ ପ୍ରସ୍ତାବଟି ଗ୍ରହଣ କଲୁ, ଠିକ୍‌ ଏଇ ଅବସ୍ଥା ଥିଲା; ଏବେ ପୁଣି ଏ ପରିବର୍ତ୍ତନ କାହିଁକି ?’’

 

ଲୋହିଆଙ୍କ ପ୍ରଶ୍ନର କୌଣସି ଉତ୍ତର କାହା ପାଖରେ ନଥିଲା । ସମସ୍ତେ ନୀରବ ରହିଗଲେ । ସମସ୍ତେ ଭାବିଲେ, ବର୍ତ୍ତମାନ ତ ଗାନ୍ଧିଙ୍କ ସହ ଟକ୍କର, ନିଜେ ଲୋହିଆହିଁ ସମ୍ଭାଳନ୍ତୁ । ନେତାମାନଙ୍କର ଏଇ ରୂପ ଦେଖି ଲୋହିଆ ମହାଦେବ ଭାଇଙ୍କୁ କହିଲେ, ‘‘ଦେଖନ୍ତୁ, ଆପଣଙ୍କ ଯୁକ୍ତିକୁ ମୁଁ ସ୍ୱୀକାର କରୁନି; ତଥାପି ଗୋଟାଏ ପ୍ରଶ୍ନ ଉଠୁଛି, ଆଉ ସେଇ ପ୍ରଶ୍ନଟି ହେଉଚି ଯେ କାର୍ଯ୍ୟକାରୀ ସମିତି କିମ୍ବା ମୋ ଭଳି କୌଣସି ବ୍ୟକ୍ତି ଦକ୍ଷିଣ–ଆଫ୍ରିକାର ‘‘ସିବିଲ୍‌ ନାଫରମାନି’’ ଚଳେଇବା ପାଇଁ ସମର୍ଥ ନୁହନ୍ତି । ଗାନ୍ଧିହିଁ ଏହା ଚଳେଇବା ଉଚିତ । ଏଣୁ ଏଥିପାଇଁ ଯଦି ସେ ମୋର ଦୃଷ୍ଟିକୋଣକୁ ଗ୍ରହଣ କରୁ ନାହାନ୍ତି, ତେବେ ମୋତେ ମଧ୍ୟ ନିମ୍ନଶ୍ରେଣୀର ‘‘ସିବିଲ୍‌ ନାଫରମାନି’’ କିମ୍ବା ବିଲ୍‌କୁଲ୍ ‘‘ସିବିଲ ନାଫରମାନି’’ ନ ହେବା, ଏ ଦୁଇଟି ଭିତରୁ ଗୋଟିକୁ ବାଛିନେବାକୁ ପଡ଼ିବ ଏବଂ ଏଇ ଦୃଷ୍ଟିରୁ ମୋର ସଂଶୋଧନ ପ୍ରସ୍ତାବଟିକୁ ଫେରାଇନେବା ପାଇଁ ସମ୍ମତି ଦେବା ଛଡ଼ା ମୋ ପାଖରେ ଆଉ କୌଣସି ରାସ୍ତା ନାହିଁ ।’’

 

ଗାନ୍ଧିଜୀଙ୍କୁ ଲୋହିଆଙ୍କ ସଂଶୋଧନ ସହିତ ପ୍ରସ୍ତାବଟି ସୁହାଉ ନଥିଲା । ତେଣୁ ସେ ପ୍ରସ୍ତାବଟିକୁ ରଦ୍ଦ କରିଦେବା ପାଇଁ ଖବର ପଠାଇଥିଲେ ।

 

ଲୋହିଆଙ୍କ କଥାରେ ମହାଦେବ ଭାଇ ଖୁସି ହୋଇଯାଇ କହିଲେ, ‘‘ହଁ...ହଁ...ଏ କଥା ଠିକ୍‌ ।’’

ସମିତି ଆଗରେ ପ୍ରସ୍ତାବଟି ମୂଳ ରୂପରେ ପୁଣି ଆଗତ କରାଗଲା ଏବଂ ସେଇ ରୂପରେହିଁ ତାକୁ ଗ୍ରହଣ କରି ନିଆଗଲା ।

 

ବୈଠକ ଶେଷ ହେବାପରେ ବାହାରେ ଗୋଟାଏ ସ୍ଥାନରେ ଲୋହିଆଙ୍କର ଭେଟ ସୁଭାଷବାବୁଙ୍କ ସାଙ୍ଗରେ ହୋଇଗଲା ।

 

ସେ ବ୍ୟଙ୍ଗାତ୍ମକ କଣ୍ଠରେ କହିଲେ, ‘‘ଦେଖିଲ ତ ?’’

 

ଲୋହିଆ ବୁଝିପାରିବି କହିଲେ, ‘‘କ’ଣ ଦେଖିଲି ?’’

 

ସୁଭାଷ ବୋଷ କହିଲେ, ‘‘ଏଇଠି କିପରି ଜଣକର କଥାହିଁ ଚଳେ ।’’

 

ଲୋହିଆ ସାଙ୍ଗେ ସାଙ୍ଗେ କହିଲେ, ‘‘ଦେଖିଲି ଏବଂ ସବୁ କିଛି ଜାଣେ ମଧ୍ୟ । ତଥାପି ସବୁ ଜାଣିଶୁଣି ଆଉ ବୁଝିବିଚାରିହିଁ ତାଙ୍କ କଥା ଅନୁସାରେ ଚଳୁଚି ।’’

 

ପ୍ରକୃତରେ ସତ କଥା ଏଇଆ ଥିଲା ଯେ କଂଗ୍ରେସର ସାମୂହିକ ଶକ୍ତି ଅପେକ୍ଷା ଗାନ୍ଧିଜୀଙ୍କର ଏକାକୀ–ଶକ୍ତି ଖୁବ୍‌ ଅଧିକ ଥିଲା । କଂଗ୍ରେସ କାର୍ଯ୍ୟକାରୀ ସମିତିଦ୍ୱାରା ଗୃହୀତ ପ୍ରସ୍ତାବ ଯେତେବେଳେ ଗାନ୍ଧି ଅସ୍ୱୀକାର କରିଦେଲେ, କାର୍ଯ୍ୟକାରୀ ସମିତି ମଧ୍ୟ ନିଜ ଫଇସଲାକୁ ଓଲଟେଇ ଦେବାକୁ ପଡ଼ିଲା । ସେତେବେଳେ କଂଗ୍ରେସ ଗାନ୍ଧିଙ୍କ ବୁଦ୍ଧି ଏବଂ ତାଙ୍କର ଇସାରାଦ୍ୱାରାହିଁ ଚଳୁଥିଲା । ଗାନ୍ଧିଙ୍କ ସହିତ ଟକ୍କର ଦେବାର ପରିଣତିବି ଲୋହିଆ ଆଗରୁ ଦେଖି ସାରିଥିଲେ ସୁଭାଷ ବୋଷଙ୍କ ଘଟଣାରୁ । ଯଦ୍ୟପି ଲୋହିଆ ସୁଭାଷବାବୁଙ୍କ ସାହସକୁ ସ୍ୱୀକାର କରୁଥିଲେ, ତଥାପି ଉଦ୍ଦେଶ୍ୟର ମୂଳମଞ୍ଜିକୁ ଧରିପାରୁ ନଥିବା ଭଳି ସୁଭାଷ ବୋଷଙ୍କର ଦୁର୍ବଳତାକୁ ମଧ୍ୟ ଲୋହିଆ ବୁଝିପାରୁଥିଲେ । ସୁଭାଷଙ୍କ ତୁଳନାରେ ଯଦ୍ୟପି ନେହେରୁଙ୍କର ସାହସ ଖୁବ୍ କମ୍ ଥିଲା, ତଥାପି ଅନ୍ୟ ପ୍ରକାର ଚତୁରତା ତାଙ୍କ (ନେହେରୁ) ପାଖରେ ଅଧିକ ଥିଲା । ସେଥିପାଇଁ ନେହେରୁ ଗାନ୍ଧିଜୀଙ୍କ କୃପାପାତ୍ର ହୋଇପାରିଥିଲେ । ଲୋହିଆ ସବୁ କିଛି ବୁଝିପାରୁଥିଲେ; ତଥାପି ଗାନ୍ଧିଙ୍କ ପ୍ରସ୍ତାବ ସମ୍ମୁଖରେ ସେ କିଛି କରିପାରୁ ନଥିଲେ । ସେତେବେଳେ ଲୋହିଆଙ୍କ ପାଇଁ ଗାନ୍ଧି ସ୍ୱପ୍ନ ଥିଲେ, ନେହେରୁ ଆଶା ଏବଂ ସୁଭାଷ ସାହସର ପ୍ରତୀକ ଥିଲେ ।

 

ଏଇ ବୈଠକ ଶେଷ ପରେ ପରେ ଗାନ୍ଧି ଲୋହିଆଙ୍କୁ ଡାକିଲେ । ଦେଖା ହେଲାପରେ ଲୋହିଆ ଗାନ୍ଧିଙ୍କ ଆଗରେ ବିସ୍ତାରପୂର୍ବକ ନିଜ ଦୃଷ୍ଟିକୋଣକୁ ବୁଝାଇଦେଲେ । ଲୋହିଆଙ୍କ କଥାରେ ଅନେକାଂଶରେ ଏକମତ ହୋଇ ମଧ୍ୟ ଗାନ୍ଧିଜୀ ପ୍ରସ୍ତାବଟିକୁ ପରିବର୍ତ୍ତନ କରିବାକୁ ଚାହିଁଲେନି । ଲୋହିଆ ବାଧ୍ୟ ହୋଇ ଶାନ୍ତ ହେଲେ । ଏଇଠିବି ଲୋହିଆଙ୍କ ଗାନ୍ଧି–ମୋହ ଖୁବ୍‌ ପ୍ରବଳ ଥିଲା ।

 

ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେବାର ଠିକ୍‌ ଛଅ ଦିନ ପରେ ୯ ସେପ୍‌ଟେମ୍ବର, ୧୯୩୯ରେ ଭାରତର ଭାଇସ୍‌ରାୟ ଏବଂ ଗାନ୍ଧିଙ୍କ ଭିତରେ ସାକ୍ଷାତ୍‌ ହେଲା ।

 

ଗାନ୍ଧି ଭାଇସ୍‌ରାୟଙ୍କୁ କହିଲେ, ‘‘ମୋର ବ୍ୟକ୍ତିଗତ ସହାନୁଭୂତି କେବଳ ମାନବିକତା ଦୃଷ୍ଟିକୋଣରୁ ଇଂଲଣ୍ଡ ଏବଂ ଫ୍ରାନ୍‌ସ ସହିତ ରହିଛି । ଲଣ୍ଡନର ବିନାଶ କଳ୍ପନାରେହିଁ ମୋର ହୃଦୟ ଥରିଉଠୁଛି । ପାର୍ଲିଆମେଣ୍ଟ୍‍ର କୋଠା ଏବଂ ‘ଓ୍ୱେଷ୍ଟ ମାଞ୍ଚେଷ୍ଟର ଏବେ’ର ସମ୍ଭାବିତ ବିନାଶର କଳ୍ପନାବି ମୁଁ କରିପାରୁ ନାହିଁ ।’’

 

ଗାନ୍ଧି–ଭାଇସ୍‌ରାୟଙ୍କ ଭେଟ ସମ୍ବାଦ ଲୋହିଆ ରେଡ଼ିଓରୁ ଶୁଣିଲେ । ଖବରଟା କେତେକାଂଶରେ ଏପରି ଭାବରେ ପ୍ରଚାର କରାଯାଇଥିଲା ଯେ ବିଷୟଟା ଖୋଲାଖୋଲି ଭାବରେ ବୁଝି ହେଉ ନଥିଲା । ଲୋହିଆ ଗାନ୍ଧିଜୀଙ୍କ ଉପରେ ଖୁବ୍‌ ବିରକ୍ତ ହେଲେ । ସେ ଏତିକି ବୁଝିଗଲେ ଯେ ଗାନ୍ଧି କେବଳ ମାନବିକତା ଦୃଷ୍ଟିକୋଣରୁ ଇଂରେଜ ପ୍ରତି ସ୍ନେହ ପ୍ରଦର୍ଶନ କରିଛନ୍ତି । ତଥାପି ତାଙ୍କର ମନେ ହେଲା ଯେ ଏଇ ବାର୍ତ୍ତାରେ ଗାନ୍ଧି ସୀମାରେଖାର ଧ୍ୟାନ ରଖି ନାହାନ୍ତି । ଲୋହିଆଙ୍କର ମନେ ହେଲା ଯେ ଗାନ୍ଧିଜୀ ଇଂରେଜଙ୍କ ପକ୍ଷପାତ କରିଛନ୍ତି । ଲୋହିଆଙ୍କ ଦୃଷ୍ଟିରେ ଗାନ୍ଧିଜୀ ବିଶ୍ୱ–ନେତା ସ୍ତରରୁ ଖସିପଡ଼ିଲେ ।

 

କିଛିଦିନ ପରେ ଲୋହିଆ ଗାନ୍ଧିଜୀଙ୍କୁ ଦେଖାକରି ନିଜର ପ୍ରତିକ୍ରିୟା ପ୍ରକାଶ କଲେ । ଲୋହିଆଙ୍କ ବିରକ୍ତି ଗାନ୍ଧିଜୀଙ୍କୁ ଉଚିତ ମନେ ହେଲା । ଗାନ୍ଧି କହିଲେ, ‘‘ତମ ମନରେ ମୋର ବିବୃତି ପଢ଼ି କେବେ ଯଦି ଏପରି ଭାବନା ଉଠେ, ତାହାହେଲେ ମତେ ସଙ୍ଗେ ସଙ୍ଗେ ଲେଖିବ । ଯେକୌଣସି ବିଷୟରେ, ଯାହା କିଛି ଲେଖିବାର ପୂର୍ଣ୍ଣ ସ୍ୱାଧୀନତା ତମର ଅଛି ।’’

 

ସେଇ ବର୍ଷ ଅକ୍‍ଟୋବର ୯ ତାରିଖରେ ବର୍ଷାକାଳରେ ଭାରତୀୟ କଂଗ୍ରେସ ସମିତିର ବୈଠକ ବସିଲା । ସେଥିରେ ସେପ୍‌ଟେମ୍ବର ୧୫ ତାରିଖରେ ସେଇ ପ୍ରସ୍ତାବ ଆଗତ କରାଗଲା, ଯେଉଁଥିରେ କି ସ୍ୱାଧୀନ ହିନ୍ଦୁସ୍ଥାନଦ୍ୱାରା ଯୁଦ୍ଧରେ ସହଯୋଗ କରିବାପାଇଁ ଆଶ୍ୱାସନା ଦିଆଯାଇଥିଲା । ଲୋହିଆ ଏଇ ପ୍ରସ୍ତାବର ବିରୋଧ କରି ସ୍ପଷ୍ଟ ଭାବରେ କହିଲେ ଯେ, ‘‘ସ୍ୱାଧୀନତାକୁ ନେଇ ଏପରି ବୁଝାମଣା କରିବା ଆଦୌ ଉଚିତ ନୁହେଁ–ଯଦ୍ଦ୍ୱାରା କି ଯୁଦ୍ଧରେ ସହଯୋଗ କରିବାପାଇଁ ଆଗରୁ କଥା ଦେବାକୁ ପଡ଼ିବ । ଯୁଦ୍ଧରେ ସହଯୋଗ କରିବା ପ୍ରଶ୍ନ ଭାରତକୁ ସ୍ୱାଧୀନତା ଦେଲାପରେହିଁ ଉଠାଯାଇପାରେ । ବିଟ୍ରେନକୁ ସହଯୋଗ କଲେ ଯେ ସ୍ୱାଧୀନତା ଆପଣାଛାଏଁ ମିଳିଯିବ, ଏ ଭ୍ରମ ସମ୍ପୂର୍ଣ୍ଣରୂପେ ମନରୁ ଦୂର କରିଦେବାକୁ ପଡ଼ିବ ।’’

 

ସେଇ ସମୟରେ ଅସ୍ତ୍ର ଏବଂ ତା’ର ଘାତକ ପରିଣାମ ପ୍ରତି ଜନତାର ଧ୍ୟାନ ଆକର୍ଷଣ କରିବାପାଇଁ ‘‘ଅସ୍ତ୍ରଶସ୍ତ୍ର ନାଶ ହେଉ’’ ଶୀର୍ଷକ ଗୋଟାଏ ଲେଖା ଲେଖିଲେ–ଯାହା କି ସେ ସମୟର ପରିସ୍ଥିତିକୁ ସ୍ପଷ୍ଟ କରିଦେବା ପାଇଁ ପ୍ରସିଦ୍ଧ ହୋଇଥିଲା ।

 

ଲୋହିଆ ଲେଖିଥିଲେ–

 

‘‘ଆମେରିକାର ଉଡ଼ାଜାହାଜ ଚୀନ ଉପରେ ବୋମା ବର୍ଷଣ କରୁଛି ଏବଂ ଜର୍ମାନୀ ଗୁଳିଦ୍ୱାରା ଜାପାନୀମାନେ ଚୀନକୁ ମାରୁଛନ୍ତି । ଏହାର ଉଦ୍ଦେଶ୍ୟ କ’ଣ ?

 

‘‘.....ସ୍ପେନ ପ୍ରଜାତନ୍ତ୍ରକୁ ହିଟ୍‍ଲର୍ ପଠାଇଥିବା ଜର୍ମାନୀ ସେନାବାହିନୀ ଧ୍ୱଂସ କରିଦେଲେ । ଜର୍ମାନୀ ଗ୍ରୀସ୍‌ଠାରୁ ଯୁଦ୍ଧସାମଗ୍ରୀ ବଦଳରେ ତମାଖୁ ନେଲେ । ...ଚେକୋସ୍ଳୋଭାକିୟା ଏବଂ ପୋଲାଣ୍ଡର ଅସ୍ତ୍ରଶସ୍ତ୍ର ବିଶେଷ ରୂପରେ ବ୍ରିଟିଶ ଏବଂ ଫ୍ରେଞ୍ଚ କାରଖାନାରେ ନିର୍ମାଣ କରାଯାଇଛି ଏବଂ ଆଜି ସେ ଅସ୍ତ୍ରଶସ୍ତ୍ର ଜର୍ମାନୀର ଅଧିକାରରେ ରହିଛି । ଆଶା କରାଯାଏ ଯେ ବ୍ରିଟେନ ଏବଂ ଫ୍ରାନ୍‌ସ ନିକଟରେ ମଧ୍ୟ ଜର୍ମାନୀରେ ତିଆରି ହୋଇଥିବା ଯୁଦ୍ଧସାମଗ୍ରୀ ପ୍ରଚୁର ପରିମାଣରେ ରହିଥିବ । ଅତ୍ୟଧିକମାତ୍ରାରେ ଏଇ ହତ୍ୟା ପଶୁ ତୁଲ୍ୟ ଏବଂ ଘୃଣାସ୍ପଦ ମଧ୍ୟ..... । ବନ୍ଧୁମାନେ ପରସ୍ପରକୁ ହତ୍ୟା କରୁଛନ୍ତି । ସାଥୀ ପରସ୍ପରକୁ ମାରୁଛନ୍ତି । ରାଷ୍ଟ୍ରଗୁଡ଼ିକ ନିଜ ନିଜ ନାଗରିକଗଣଙ୍କୁ ବଧ କରୁଛନ୍ତି । ଏହା କେତେ ବଡ଼ ହୃଦୟହୀନତାର ବିଷୟ-

 

‘‘...କେହି କେହି କହନ୍ତି ଯେ, ଏ ବ୍ୟବସାୟ କେବଳ ଲାଭ ନିମନ୍ତେ କରାଯାଉଛି । ଦେଶର ନାଗରିକମାନଙ୍କ ଜୀବନ ଅପେକ୍ଷା ସେମାନଙ୍କ ପାଇଁ ପଇସାଟା ଖୁବ୍‌ ବଡ଼ ହୋଇଯାଇଛି-। ରୁଷିଆ ଏପର୍ଯ୍ୟନ୍ତ ସାମ୍ରାଜ୍ୟବାଦ, ଆକ୍ରମଣ ଏବଂ ଯୁଦ୍ଧରେ ତୀବ୍ର ନିନ୍ଦା କରିଆସିଛି; କିନ୍ତୁ ଇଟାଲୀର ଉଡ଼ାଜାହାଜଗୁଡ଼ିକୁ ରୁଷିଆରୁ ତେଲ ଯୋଗାଇ ଦିଆଯାଉଛି । ଜର୍ମାନୀକୁ ମଧ୍ୟ ରୁଷିଆରୁ ଯୁଦ୍ଧସାମଗ୍ରୀ ମିଳୁଛି ଏବଂ ରୁଷିଆର ଅସ୍ତ୍ରଶସ୍ତ୍ର ମଧ୍ୟ ତା’ର ନୈତିକ ଏବଂ ସୈଦ୍ଧାନ୍ତିକ ବନ୍ଧୁମାନଙ୍କ ବିନାଶପାଇଁ ପ୍ରୟୋଗ କରାଯାଉଛି ।

 

‘‘.....ଫୌଜ ଏବଂ ଅସ୍ତ୍ରଶସ୍ତ୍ର ରାସ୍ତାକୁ ଏପର୍ଯ୍ୟନ୍ତ ଯେଉଁମାନେ ଗ୍ରହଣ କରି ନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ଶିକ୍ଷା । କୌଣସି ଆଘାତ ପାଇବା ଆଗରୁ ଚେକୋସ୍ଳୋଭାକିୟାର ପତନ ଘଟିଛି ଏବଂ ପୋଲାଣ୍ଡ ତ କେବଳ ପନ୍ଦର ଦିନ ଭିତରେ ପରାସ୍ତ ହୋଇଯାଇଛି ।

 

‘‘....ଏହା କେତେ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଭଦ୍ର ଏବଂ ବୁଦ୍ଧିବାଦୀମାନେ ଭାରତୀୟ ଅସ୍ତ୍ରଶସ୍ତ୍ରର ବିନାଶ ଘଟୁ ।’’

 

ମେ ୧୯୪୦ ସାଲର ଏଗାର ତାରିଖ ।

 

ଦୋସ୍ତପୁର, ଜିଲ୍ଲା ସୁଲତାନପୁରରେ ଜିଲ୍ଲା ରାଜନୈତିକ ସମ୍ମେଳନ ହେଉଥିଲା । ଖୁବ୍‌ ଗହଳିଚହଳି, ଅନେକ ଆବେଗ ଉତ୍ତେଜନା । ମଞ୍ଚ ଉପରେ ଛିଡ଼ା ହୋଇଥିବା ତିରିଶବର୍ଷର ଏକ ଯୁବକ ଅଧ୍ୟକ୍ଷ ରାମମନୋହର ଲୋହିଆଙ୍କ ସଶକ୍ତ ବାଣୀଦ୍ୱାରା ସମଗ୍ର ପେଣ୍ଡାଲ୍ ଧ୍ୱନିତ ହୋଇ ଉଠୁଥିଲା ।

 

ଲୋହିଆ କହିଲେ–

 

‘‘ଶୋଷଣ ଏବଂ ଗୋଲାମିର ପୃଷ୍ଠଭୂମି ଉପରେ ଛିଡ଼ା ହୋଇଥିବା ବ୍ରିଟିଶ ସାମ୍ରାଜ୍ୟର ବିଶାଳ କୋଠା ବର୍ତ୍ତମାନ ଦୋଦୁଲ୍ୟମାନ ଅବସ୍ଥାରେ ଆସି ପହଞ୍ଚିଯାଇଛି ଏବଂ ବ୍ରିଟିଶ ସରକାରଦ୍ୱାରା ପରିଶ୍ରମପୂର୍ବକ ନିର୍ମିତ ହୋଇଥିବା ତା’ର ବିଶାଳ ସ୍ତମ୍ଭ ଭୁଷୁଡ଼ି ମାଟିରେ ମିଶିଯିବା ଭୟରୁ ଆଉ କେହି ତାକୁ ରକ୍ଷା କରିପାରିବେନି । ....

 

‘‘ଦେଶର ଦଶଟି ପ୍ରଦେଶରେ ଲୋକପ୍ରିୟ ସରକାର ସ୍ଥାନରେ ଗଭର୍ଣ୍ଣରୀ ନିରଙ୍କୁଶତା କାୟମ କରି ଦିଆଯାଇଛି । ସେଥିପାଇଁ ସତ୍ୟାଗ୍ରହ ଚାଲୁ କରିବା ନିମନ୍ତେ ଯଥେଷ୍ଟ ଔଚିତ୍ୟ ମହଜୁଦ୍‌ ରହିଛି ।’’

 

ଲୋହିଆଙ୍କର ନିଶ୍ଚିତ ରାୟ ଥିଲା ଯେ ଏହାଠୁ ବଳି ଭଲ ଅବସର ଆଉ କେବେ ଆସିବନି ଏବଂ ସଙ୍ଗେ ସଙ୍ଗେ ସତ୍ୟାଗ୍ରହ ଆରମ୍ଭ କରିବାରେ କଂଗ୍ରେସ ଆଉ ବିଳମ୍ବ କରିବା ଉଚିତ ନୁହେଁ । କିନ୍ତୁ ଗାନ୍ଧି ବର୍ତ୍ତମାନ ସତ୍ୟାଗ୍ରହ ସପକ୍ଷରେ ନଥିଲେ ।

 

ଲୋହିଆ ଗାନ୍ଧିଙ୍କ ପତ୍ରିକା ‘ହରିଜନ’ର ୧ ଜୁନ୍‌ ଅଙ୍କରେ ଗୋଟାଏ ଲେଖା ଲେଖିଲେ–‘‘ସତ୍ୟାଗ୍ରହ ତୁରନ୍ତ’’ ଏବଂ ସେହି ଅଙ୍କରେ ଗାନ୍ଧିଜୀ ଆଉ ଗୋଟାଏ ଲେଖା ‘‘ସତ୍ୟାଗ୍ରହ ବର୍ତ୍ତମାନ ନୁହେଁ’’ ଲେଖି ଲୋହିଆଙ୍କ ଲେଖାର ଉତ୍ତରବି ଦେଲେ ।

 

ଗୁରୁ ଏବଂ ଚେଲା–ଗାନ୍ଧି ଏବଂ ଲୋହିଆଙ୍କର ଏଇ ବିଷୟରେ ଘଟିଥିବା ବାଦ–ବିବାଦଦ୍ୱାରା ଦେଶର ଜନତା କେବଳ ରସଆସ୍ୱାଦନ କଲେନି, ବରଂ ଗାନ୍ଧିଙ୍କ ସମାନ୍ତରାଳରେ ବଢ଼ୁଥିବା ଏବଂ ପୁଷ୍ଟ ହେଉଥିବା ଲୋହିଆଙ୍କ ବୈଚାରିକ ଏବଂ ବ୍ୟକ୍ତିତ୍ୱକୁ ମଧ୍ୟ ଚିହ୍ନିଲେ ।

 

ଏଇ ଲେଖାଦ୍ୱାରା ଲୋହିଆ ଦେଶ ସମ୍ମୁଖରେ ଗୋଟାଏ ଚାରିସୂତ୍ରୀ ପ୍ରସ୍ତାବବି ବାଢ଼ିଲେ–

 

୧–ସମସ୍ତ ଦେଶ ସ୍ୱାଧୀନ ହେବ । ଯେଉଁ ଦେଶଗୁଡ଼ିକ ବର୍ତ୍ତମାନ ସ୍ୱାଧୀନ ହୋଇସାରିଛି ସେମାନେ ନିଜର ବିଧାନର ନିର୍ଣ୍ଣୟ ସାବାଳକ ମତାଧିକାର ଉପରେ ନିର୍ବାଚିତ–ବିଧାନ ପରିଷଦଦ୍ୱାରା କରିବେ ।

 

୨–ସମସ୍ତ ଜାତି ସମାନ ଏବଂ ଦୁନିଆର କୌଣସି ଭାଗରେ କୌଣସି ଜାତିଗତ ବିଶେଷ ଅଧିକାର କରିବ ନାହିଁ । ଯେ ଯେଉଁଠିକି ସେଠିକି ଯାଇ ବସବାସ କରିବାରେ କୌଣସି ରାଜନୈତିକ ବାଧା ରହିବ ନାହିଁ ।

 

୩–ଅନ୍ୟ ଦେଶର କୌଣସି ଦେଶର ସରକାର ଏବଂ ତା’ର ଅଧିକାରୀଙ୍କ ପ୍ରଭୁତ୍ୱ ଏବଂ ଖଟାଯାଇଥିବା ପୁଞ୍ଜି ରଦ୍ଦ କରି ଦିଆଯିବ କିମ୍ବା ଅନ୍ତର୍ରାଷ୍ଟୀୟ ପଞ୍ଚାୟତ ସମ୍ମୁଖରେ ପୁନର୍ବାର ବିଚାରପାଇଁ ପେଶ୍ କରାଯିବ । ଯାଞ୍ଚ କରିସାରିଲା ପରେ ଯେଉଁ ଧାରକରା କିମ୍ବା ଖଟାଯାଇଥିବା ପୁଞ୍ଜି ଉପଯୁକ୍ତ ବିବେଚିତ ହେବ, ତା’ର ଦାୟିତ୍ୱ ବ୍ୟକ୍ତିବିଶେଷଙ୍କ ଉପରେ ନୁହେଁ, ରାଷ୍ଟ୍ର ଉପରେ ରହିବ ।

 

୪–ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ।

 

ଗାନ୍ଧି ମୂଳ ରୂପରେ ଲୋହିଆଙ୍କର ଚାରି ସୂତ୍ରକୁ ସ୍ୱୀକାର କଲେ; କିନ୍ତୁ ତତ୍‌କାଳ ସତ୍ୟାଗ୍ରହ ଚାଲୁ କରିବାପାଇଁ ସମ୍ମତ ହୋଇପାରିଲେନି । ତାଙ୍କର ବକ୍ତବ୍ୟ ଥିଲା ଯେ ଦେଶ ଏପର୍ଯ୍ୟନ୍ତ ସ୍ପଷ୍ଟଭାବରେ ଅହିଂସାତ୍ମକ ରୂପ ଗ୍ରହଣ କରିପାରିନି । କଂଗ୍ରେସର ବାହାରେ ଏବଂ ଭିତରେ ମଧ୍ୟ ଅହିଂସା ବିଷୟରେ ଅଲଗାଅଲଗା ମତ ପୋଷଣ କରୁଥିବା ଭିନ୍ନ ଭିନ୍ନ ଲୋକ ଅଛନ୍ତି । ସେମାନେ ଅହିଂସା ସହିତ ଖେଳୁଆଡ଼ ନୀତି ଗ୍ରହଣ କରୁଛନ୍ତି । ଏସବୁ କାରଣରୁ ‘‘ସତ୍ୟାଗ୍ରହ’’ ଚାଲୁ କରିଦେବା ବିଷୟ ଆଦୌ ଉଠାଯାଇ ନ ପାରେ ।

 

ଗାନ୍ଧିଙ୍କ ରାୟ ସାମ୍ନାରେ ଲୋହିଆଙ୍କର କଥା ରହିଲାନି । ଲୋହିଆଙ୍କୁ ପୁଣି ଥରକପାଇଁ ଗାନ୍ଧିଜୀଙ୍କ କଥା ମାନି ନୀରବ ରହିଯିବାକୁ ପଡ଼ିଲା ।

 

ସ୍ୱରାଜ୍ୟ ଭବନ, ଏଲାହାବାଦ ।

 

ଅଖିଳ–ଭାରତୀୟ କଂଗ୍ରେସ ଦପ୍ତର ।

 

ସାତ ଜୁନ୍ ଊଣେଇଶହ ଚାଳିଶ, ସମୟ ଦିପହର ।

 

କଂଗ୍ରେସ କମିଟି ଦପ୍ତରର ହତା । ହତା ଭିତରେ ପୋଲିସ୍‌ ଦଳ ଭରପୂର ଏବଂ ବାହାରେ ସ୍ଲୋଗାନ ଦେଉଥିବା ସଂଖ୍ୟାହୀନ ଜନତାଙ୍କର ଅସୁମାରି ଭିଡ଼ ।

 

ଦପ୍ତର ଭିତରେ ବସିଥିବା ରାମମନୋହର ଲୋହିଆଙ୍କୁ ଗିରଫ୍ କରିନେବା ପାଇଁ ପୋଲିସ୍‌ ଫୌଜ ଆସିଛନ୍ତି ।

 

ଗିରଫ୍‍ଦାରିର କାରଣ ହେଲା–ମେ’ ଏଗାର ତାରିଖରେ ଦୋସ୍ତପୁରଠାରେ ଦେଇଥିବା ଲୋହିଆଙ୍କର ଭାଷଣ ।

 

ଲୋହିଆଙ୍କୁ ସ୍ୱରାଜ ଭବନ ଭିତରୁ ଗିରଫ୍ କରି ଜନତାଙ୍କ ଗଗନଭେଦୀ ସ୍ଲୋଗାନ ଭିତରେ ପୋଲିସ୍ ମଟରରେ ବସେଇ ସୁଲତାନପୁର ଜେଲକୁ ନିଆଗଲା ।

 

ଗାନ୍ଧିଜୀଙ୍କ ଅହିଂସାର ବେଡ଼ି ଏପରି ଭାବରେ ଲାଗିଥିଲା ଯେ କିଛି କରି ହେଉ ନଥିଲା-। ତା’ ନହେଲେ ସ୍ୱରାଜ ଭବନ ଭିତରୁ ଏମିତି ଭାବରେ ଲୋହିଆଙ୍କୁ ବାନ୍ଧି ପୋଲିସ୍ କେବେ ନେଇଯାଇ ପାରି ନଥାନ୍ତା ।

 

ଜନତା ହାତବାନ୍ଧି ରହିଗଲେ ।

 

ମାମଲା ସୁଲତାନପୁର ଅଦାଲତରେହିଁ ଚାଲିବ, ସେଥିପାଇଁ ଲୋହିଆଙ୍କୁ ଗିରଫ୍ କରି ସୁଲତାନପୁରକୁ ନିଆଗଲା ।

 

ସେଇ ରାତିଟା ତାଙ୍କୁ ସୁଲତାନପୁର ଥାନାର ଗୋଟାଏ ଅନ୍ଧାରୁଆ କୋଠରୀ ଭିତରେ ବନ୍ଦ କରି ରଖାଗଲା ।

 

ଏହା ଲୋହିଆଙ୍କର ଦ୍ୱିତୀୟ ଗିରଫ୍‍ଦାରି ।

 

ଥାନାରୁ କଚେରି ତିନି ମାଇଲ ଦୂର । ମକଦ୍ଦମା ବିଚାରପାଇଁ ଲୋହିଆଙ୍କୁ ହାତକଡ଼ା ଲଗେଇ କଚେରି ପର୍ଯ୍ୟନ୍ତ ଚଲେଇ ଚଲେଇ ନିଆଗଲା ।

 

ଲୋହିଆ ହାତକଡ଼ି ପିନ୍ଧିବାକୁ ସଫା ମନା କରିଦେଲେ । ନିଜର ଶକ୍ତି ଖଟେଇ ବିରୋଧ କଲେ; କିନ୍ତୁ ଯେଉଁଠି ଅମାନୁଷିକ ବଳ ପ୍ରୟୋଗ କରାଯାଉଥିଲା, ସେଇଠି ଆଉ କ’ଣ ବା କରାଯାଇପାରେ ? ବଳପ୍ରୟୋଗଦ୍ୱାରାହିଁ ତାଙ୍କ ହାତରେ ହାତକଡ଼ି ଲଗେଇ ଦିଆଗଲା । ଥାନା ଭିତରେବି ତାଙ୍କୁ ବଡ଼ ଦୁର୍ଦ୍ଦଶା ଭିତରେ ରଖାଯାଇଥିଲା ।

 

ମକଦ୍ଦମାର ତାରିଖ ବରାବର ପଡ଼ିବାକୁ ଲାଗିଲା । ଲୋହିଆ ନିଜ ମାମଲା ନିଜେଇ ଲଢ଼ିଲେ । ଅଦାଲତରେ ଲୋହିଆ ନିଜର ସଫେଇ ଦେଇ କହିଲେ–

 

‘‘......କୁହାଯାଇଚି ଯେ ମୁଁ ମୋ ଭାଷଣରେ କହିଛି, ଯେତେବେଳେ ଆମେ ଅସ୍ତ୍ରଶସ୍ତ୍ରର ଆଶ୍ରୟ ନେଉ, ଆମ ହୃଦୟ ଖୁବ୍‌ ଦୁର୍ବଳ ହୋଇପଡ଼େ । ଯେଉଁମାନେ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରି ରହନ୍ତି, ସେମାନେ ନିଜ ହୃଦୟ ଉପରେ ନିର୍ଭର କରି ରହିପାରନ୍ତିନି । ସେମାନେ ଅସ୍ତ୍ରଶସ୍ତ୍ରର ଗୋଲାମ । ସମଗ୍ର ଦୁନିଆରେ ସାବାଳକ ଲୋକତନ୍ତ୍ରର ରାଜତ୍ୱ ଚାଲିବା ଦରକାର ଏବଂ ସାମ୍ରାଜ୍ୟଲିପ୍‌ସୁ କିମ୍ବା ପୁଞ୍ଜିବାଦୀଙ୍କୁ କୌଣସି ସୁବିଧା ଦିଆଯିବା ଉଚିତ ନୁହେଁ । ମୁଁ ମୋ ଭାଷଣରେ ସେଭଳି ଏକ ସରକାର ପ୍ରତି ଇଙ୍ଗିତ କରିଛି..... ।

 

‘‘ମୁଁ ବ୍ରିଟେନର ବିନାଶ ଚାହେଁନା । ଇଂରେଜମାନେ ଆମ ସହିତ ନୀଚ ବ୍ୟବହାର କରିଛନ୍ତି; କିନ୍ତୁ ମୁଁ ସେମାନଙ୍କ ସହ ଖରାପ ବ୍ୟବହାର କରିବାକୁ ଚାହେଁନି । ଦୁଃଖର ବିଷୟ ଏଇ ଯେ ଇଂରେଜକୁ ଆଜି ମଧ୍ୟ ଦୁନିଆର ରାଷ୍ଟ୍ରଗୁଡ଼ିକୁ ଗୋଲାମ କରି ରଖିବାର ଯେଉଁ ପଦ୍ଧତି, ତା’ର ବୋଝକୁ ନିଜ କାନ୍ଧରେ ଉଠେଇବାକୁ ପଡ଼ୁଚି ।’’

 

ଏକ ଜୁଲାଇ ଊଣେଇଶହ ଚାଳିଶ ଦିନ ଅଦାଲତ ନିଜ ଫଇସଲା ଶୁଣାଇଦେଲେ–ଭାରତ ସୁରକ୍ଷା ଆଇନର ୩୮ ଧାରାନୁଯାୟୀ ତାଙ୍କୁ ଦି’ବର୍ଷପାଇଁ କଠିନ ଜେଲଦଣ୍ଡ ଦିଆଗଲା ।

 

ଶେଷରେ ମାଜିଷ୍ଟ୍ରେଟ ମକବୁଲ ଅହମ୍ମଦ ଲୋହିଆଙ୍କ ସମ୍ବନ୍ଧରେ କହିଲେ–‘‘ଅଭିଯୁକ୍ତ (ଲୋହିଆ) ଜଣେ ଉଚ୍ଚଶ୍ରେଣୀର ବିଦ୍ୱାନ ଏବଂ ସୁସଂସ୍କୃତ ସଜ୍ଜନ ଅଟନ୍ତି । ୟୁରୋପୀୟ ୟୁନିଭର୍‍ସିଟିରୁ ଡକ୍ଟରେଟ୍‌ ପଦବୀ ପାଇଥିବା, ଉଦାତ୍ତ ସିଦ୍ଧାନ୍ତରେ ପୂର୍ଣ୍ଣ ଏବଂ ନୈତିକ ଚରିତ୍ରର ସେ ଜଣେ ବ୍ୟକ୍ତିବିଶେଷ ଅଟନ୍ତି । ନିଜର ସିଦ୍ଧାନ୍ତପାଇଁ କଷ୍ଟ ଉଠେଇବାକୁ ସେ ତିଳେହେଲେ କୁଣ୍ଠାବୋଧ କରନ୍ତିନି । ଆଉ ଦଣ୍ଡର ଅବଧି ବିଷୟରେ ସେ କୌଣସି ପ୍ରକାର ଚିନ୍ତା ମଧ୍ୟ କରିବେ ନାହିଁ । ଅଦାଲତ ନିଶ୍ଚିତ ରୂପରେ ସ୍ଥାପିତ ସରକାର ପ୍ରତି କିଛି ଗୋଟାଏ ବିଶିଷ୍ଟ ମତକୁ ଧାରଣ କରିବା ଯୋଗୁଁ ତାଙ୍କୁ ଦଣ୍ଡ ଦେଉ ନାହିଁ । କାହିଁକି ନା ସରକାରଙ୍କ ଦାବି ଯେ ସେ ଜନତନ୍ତ୍ର ଏବଂ ଲୋକମତ ଅନୁସାରେହିଁ ଚଳୁଛି ଏବଂ ଜନତାଙ୍କୁ ନିଜ ଖିଆଲ ଅନୁଯାୟୀ ବୈଧାନିକ ରୀତିରେ ଆଲୋଚନା କରିବାର ଅଧିକାର ସରକାର ଦେଇଛି । କିନ୍ତୁ ସରକାର ଆଉ ଜନତା ଭିତରେ ଦେଖା ଦେଇଥିବା ମନୋମାଳିନ୍ୟ ଭିତରୁ ସରକାରଙ୍କୁ ରକ୍ଷା କରିବା ହେଉଛି ଅଦାଲତର କର୍ତ୍ତବ୍ୟ । ମୁଖ୍ୟତଃ ଯେତେବେଳେ ବ୍ରିଟିଶ ରାଷ୍ଟ୍ର ଏବଂ ସାମ୍ରାଜ୍ୟ ଯୁଦ୍ଧ ଭିତରେ ଜଡ଼ିତ, ଏପରି ସମୟରେ ଅଭିଯୁକ୍ତଙ୍କର ଦୋସ୍ତପୁରରେ ଦେଇଥିବା ଭାଷଣର ପ୍ରଭାବକୁ ଶେଷ କରିଦେବା ଉଚିତ । ଏହି କାରଣରୁ ମୁଁ ସ୍ୱୀକାର କରୁଛି ଯେ ଦୀର୍ଘ ସମୟପାଇଁ କିମ୍ବା ଯୁଦ୍ଧର ଘନଘଟା ଦୂର ହେବା ପର୍ଯ୍ୟନ୍ତ ତାଙ୍କ ପକ୍ଷରେ ଜେଲ୍‌ ଭିତରେ ରହିବା ନିହାତି ଆବଶ୍ୟକ । ଏଇ ଦୃଷ୍ଟିରୁ ମୁଁ ତାଙ୍କୁ ଦୁଇବର୍ଷ ପାଇଁ କଠିନ ଜେଲଦଣ୍ଡ ଦେଉଛି । ଏବଂ ‘ବି’ କ୍ଲାସ୍‍ର କଏଦୀ ଭାବରେ ରଖିବାପାଇଁ ସୁପାରିସ୍ କରୁଛି ।’’

 

ଜେଲଦଣ୍ଡ ପରେ ଲୋହିଆଙ୍କୁ ଅଗଷ୍ଟ ୧୨ ତାରିଖରେ ବରେଲୀ ଜେଲକୁ ପଠେଇ ଦିଆଗଲା ।

 

ଏଥର ସରକାର ଲୋହିଆଙ୍କ ପ୍ରତି ଜେଲରେ ଅତି କଠୋର ବ୍ୟବହାର ପ୍ରଦର୍ଶନ କଲେ ।

 

ଲୋହିଆଙ୍କ ଗିରଫ୍‍ଦାରି ଏବଂ ଦୀର୍ଘ ଦୁଇବର୍ଷ ପାଇଁ ଜେଲଦଣ୍ଡର ଖବର ପାଇ ଦେଶର ପ୍ରତ୍ୟେକ ନାଗରିକ ମନେମନେ ବିକଳ ହୋଇଉଠିଲେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ରାଜନୀତିରେ ଲୋହିଆଙ୍କର ଅଦ୍ଭୁତ ବ୍ୟକ୍ତିତ୍ୱ ଆସିଯାଇଥିଲା । ତାଙ୍କୁ ଲୋକେ ଜଣେ ରାଜନୈତିକ ବୁଦ୍ଧିବାଦୀ ବୋଲି ସ୍ୱୀକାର କରି ସାରିଥିଲେ ।

 

ଦୀର୍ଘ ଦୁଇବର୍ଷ ଧରି ଲୋହିଆଙ୍କର ଜେଲରେ ଅଟକ ରହିବାର କଳ୍ପନାରେହିଁ ସମସ୍ତେ ଦୁଃଖିତ ହେଲେ ।

 

ଗାନ୍ଧିଜୀଙ୍କ ପତ୍ରିକା ‘ହରିଜନ’ର ସଂଖ୍ୟାରେ (୧୫ ଜୁନ ୧୯୪୦) କେହି ଜଣେ ଗାନ୍ଧିଙ୍କ ନାଁରେ ଗୋଟାଏ ଚିଠି ଲେଖିଲା । ଚିଠିର ସାରାଂଶ ଥିଲା–‘‘ଆପଣ ଜାଣନ୍ତି ଯେ ଭାରତ ସୁରକ୍ଷା ଆଇନ ମୁତାବକ ଗୋଟାକ ପରେ ଗୋଟାଏ ଗିରଫ୍‍ଦାରି ଚାଲିଛି । ଆପଣଙ୍କ ସ୍ନେହୀ ଡ. ରାମମନୋହର ଲୋହିଆଙ୍କୁ ମଧ୍ୟ ଗିରଫ୍ କରାଯାଇଚି । ବର୍ତ୍ତମାନ ଆପଣ ଏଇ ଗିରଫ୍‍ଦାରି ବିରୁଦ୍ଧରେ ସାମୂହିକ ପ୍ରତିକାରର ଆନ୍ଦୋଳନ ଆରମ୍ଭ କରିବେ ନା ଗିରଫ୍‍ଦାରି ଉପଯୁକ୍ତ କାରଣରୁ ହେଉଛି, ଏ କଥା ସ୍ୱୀକାର କରିଯିବେ ?’’

 

ଗାନ୍ଧି ଉତ୍ତର ଦେଇଥିଲେ–‘‘ମୋପାଇଁ ଅନ୍ୟ କଂଗ୍ରେସୀ ଲୋକେ ଯେତିକି ସ୍ନେହୀ, ଡ. ଲୋହିଆ ମଧ୍ୟ ସେତିକି । ଏ କଥା ସତ ଯେ ଡ. ଲୋହିଆ ପୂର୍ବାପେକ୍ଷା ଅଧିକ ମୋର ସ୍ନେହଭାଜନ ହୋଇ ପାରିଛନ୍ତି । ପ୍ରତ୍ୟେକ ଗିରଫ୍‍ଦାରିକୁ କେନ୍ଦ୍ର କରି ମୋର ମାନସିକ ପ୍ରତିକାର ଚିତ୍କାର କରିଉଠୁଛି । କିନ୍ତୁ ମୋର ସମସ୍ତ ବିଚାରଧାରାକୁ ଲିପିବଦ୍ଧ କରିବାର ଅଭ୍ୟାସ ମୋର ନାହିଁ-। ମୋର ଦୃଢ଼ବିଶ୍ୱାସ ଅଛି ଯେ ଆମର ବିଚାର ସାଙ୍ଗେ ସାଙ୍ଗେ ତା’ର ପରିଣାମ ମଧ୍ୟ ମିଳୁଚି–ଆମକୁ କିମ୍ବା ଦୁନିଆକୁ ଏହା ଜ୍ଞାତ ହେଉ ବା ନ ହେଉ । ମୁଁ ମାନୁଚି ଯେ ମୋର କୌଣସି ପ୍ରକାଶ୍ୟ ଆଲୋଚନା ପରିଣାମଶୂନ୍ୟ ହେବ । ଯୁଦ୍ଧ ସମୟରେ ସମସ୍ତ ବିଷୟ ଉପଯୁକ୍ତ କିମ୍ବା ଅନୁପଯୁକ୍ତ ବୋଲି ଧରି ନିଆଯାଏ । ମୁଁ ତ ଯୁଦ୍ଧକୁବି ବେଆଇନ ବୋଲି ମାନୁଛି । ମୋ ଦୃଷ୍ଟିରେ ସମସ୍ତ ଜୋର୍–ଜୁଲୁମ ଖରାପ ଅଟେ । କିନ୍ତୁ ଯୁଦ୍ଧ ବିରୁଦ୍ଧରେ ମୋ ନିକଟରେ କୌଣସି ସୁଚିନ୍ତିତ ଯୋଜନା ନାହିଁ । ଏଇ ପରିପ୍ରେକ୍ଷୀରେ ମୁଁ ଯେଭଳି ଭାବରେ ଯୁଦ୍ଧକୁ ସହ୍ୟ କରିଯାଉଚି, ସେଭଳି ଭାବରେହିଁ ଯୁଦ୍ଧଖୋରଙ୍କ ସମସ୍ତ ଅତ୍ୟାଚାରର ସ୍ୱାକ୍ଷରକୁ ମଧ୍ୟ ସହିଯାଉଚି ।’’

 

କିନ୍ତୁ ଗାନ୍ଧି ଏତିକିରେହିଁ ନୀରବ ରହିପାରିଲେନି । ୨୫ ଅଗଷ୍ଟ ‘ହରିଜନ’ରେ ସେ ପୁଣି ଲେଖିଲେ–‘‘ଶ୍ରୀ ଅଚ୍ୟୁତ ପଟ୍ଟବର୍ଦ୍ଧନ ପଠାଇଥିବା ଅଦାଲତରେ ଲୋହିଆ ଦେଇଥିବା ବିବୃତି ଏବଂ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିର ନକଲ ମୋ ପାଖରେ ଅଛି । ଡକ୍ଟର ଲୋହିଆଙ୍କର ପୂର୍ଣ୍ଣ ବିବୃତିକୁ ଉଦ୍ଧୃତ କରିବାର ମୁଁ ପୂର୍ଣ୍ଣ ଅଧିକାର ପାଇସାରିଚି । ସେ ଯାହାହେଉ, ଏଇଠି ବିବୃତିର ସେଇ କେତୋଟି ଅଂଶ ଉଦ୍ଧୃତ କରୁଚି, ଯାହା କି ମତେ ଚିରସ୍ଥାୟୀ ଭଳି ମନେ ହେଉଚି ।’’

 

ଏଇ ଟିପ୍ପଣୀ ପରେ ପରେ ଗାନ୍ଧି ଲୋହିଆଙ୍କର ଅଦାଲତରେ ଦେଇଥିବା ବିବୃତିର କେତେକ ମହତ୍ୱପୂର୍ଣ୍ଣ ଅଂଶ ଛାପିଦେଲେ ଏବଂ ପୁଣି ସେ ଗୋଟାଏ ପ୍ରଶ୍ନ ଉଠାଇଲେ–‘‘ତେବେ ତାଙ୍କୁ ଏତେ କଠିନ ଦଣ୍ଡ ଦିଆଗଲା କାହିଁକି ? ଦଣ୍ଡର ଅବଧି ବିଷୟ ମୁଁ ବୁଝିପାରୁଚି । ....ସରକାର ହୋଇ ଫଇସଲା କରିବା ଉଚିତ । କିନ୍ତୁ ଜନତା ଭଲଭାବରେ ଧ୍ୟାନ ରଖିବା ଉଚିତ ଯେ ଯେଉଁଠିକା ସରକାର ଜନତା ପ୍ରତି ଅତ୍ୟନ୍ତ ଦାୟିତ୍ୱହୀନ ହୋଇପଡ଼ନ୍ତି, ସେଭଳି ଦେଶରେ ଦେଶ–ପ୍ରେମ ଏବଂ ସ୍ପଷ୍ଟ କଥା କହିବା ଦୋଷ । ଡକ୍ଟର ଲୋହିଆ ଏବଂ ଅନ୍ୟ କଂଗ୍ରେସ ଲୋକଙ୍କର ଦଣ୍ଡ–ହିନ୍ଦୁସ୍ଥାନକୁ ବାନ୍ଧି ରଖିଥିବା ଲୁହା ଶିକୁଳିକୁ ଦୁର୍ବଳ କରିଦେବାକୁ ଗୋଟାଏ ହାତୁଡ଼ିର ପ୍ରହାର ଅଟେ । ସରକାର କଂଗ୍ରେସକୁ ‘‘ସିଭିଲ୍ ନାଫରମାନି’’ ଆରମ୍ଭ କରିବାକୁ ଏବଂ ଶେଷ ପ୍ରହାର କରିବାକୁ ପ୍ରେରିତ କରୁଚି ଯଦ୍ୟପି କଂଗ୍ରେସ ଏଇ ନୀତିକୁ ସେଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଚାହୁଁଥିଲା.....ଯୋଉଦିନ ପର୍ଯ୍ୟନ୍ତ କି ଇଂଲଣ୍ଡର ବିପଦ ଦୂର ନ ହୋଇଚି ।’’

 

ଲୋହିଆ ଯେତେବେଳେ ବରେଲୀ ଜେଲରେ ଦଣ୍ଡଭୋଗ କରୁଥିଲେ, ସେତେବେଳେ ତତ୍‌କାଳୀନ ସଂଯୁକ୍ତ ପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ ତାଙ୍କୁ ଦେଖା କରିବାପାଇଁ ଜେଲକୁ ଗଲେ । ଲୋହିଆଙ୍କ ପ୍ରତି ସରକାରଙ୍କ ବ୍ୟବହାର ଦେଖି ସେ ଅତ୍ୟନ୍ତ ଦୁଃଖିତ ହେଲେ । ଯେତେବେଳେ ଟଣ୍ଡନ ଲୋହିଆଙ୍କୁ ଦେଖା କଲେ । ସେତେବେଳେ ଲୋହିଆଙ୍କ ବାଁ ହାତରେ ଖୁବ୍‌ ବଡ଼ ଓଜନର ହାତକଡ଼ି ଲାଗିଥିଲା ଏବଂ ତା’ ସହିତ ବନ୍ଧା ହୋଇଥିବା ଦଉଡ଼ି ଧରି ଗୋଟାଏ ସିପାହୀ ଛିଡ଼ା ହୋଇଥିଲା । ଟଣ୍ଡନ ସାମ୍ବାଦିକମାନଙ୍କ ସହ ଏଇ କଥା ଆଲୋଚନା କରିବାକୁ ଯାଇ କହିଥିଲେ ଯେ ଓଜନିଆ ହାତକଡ଼ି ପିନ୍ଧିଥିବା ସତ୍ତ୍ୱେବି ଲୋହିଆ ପ୍ରସନ୍ନ ଦେଖାଯାଉଥିଲେ, ହସୁଥିଲେ ଏବଂ ତାଙ୍କ ଉତ୍ସାହ ଓ ଆଗ୍ରହ ପ୍ରକାଶରେ କାଣିଚାଏବି ଊଣା ନଥିଲା-। ଲୋହିଆଙ୍କୁ ଏଭଳି ଅପମାନିତ ଏବଂ ଯନ୍ତ୍ରଣା ଦେଇ ସରକାର ଦେଖେଇ ଦେଇଥିଲେ ଯେ ବର୍ବରତାପୂର୍ଣ୍ଣ ଅମାନୁଷିକ ବ୍ୟବହାର କରିବାରେ ଇଂରେଜମାନେ ଜର୍ମାନୀର ଖୁଡ଼ୁତାପୁଅ ଭାଇ ଅଟନ୍ତି ।

 

ଜେଲ୍‌ର ଯନ୍ତ୍ରଣା ।

 

ସର୍ବଦା ହାତକଡ଼ିରେ ଆବଦ୍ଧ ।

 

ତଥାପି ମୁଖମଣ୍ଡଳରେ ପ୍ରସନ୍ନତା.....ହସ ।

 

କିନ୍ତୁ ଇଂରେଜ ସରକାରଙ୍କ ଏଭଳି ବ୍ୟବହାର ଯୋଗୁଁ ଲୋହିଆଙ୍କ ହୃଦୟ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲା । ଲୋହିଆଙ୍କର ସେଇ ସମୟର ମନୋଦଶାର ଅନୁମାନ ଶ୍ରୀମତୀ ପୂର୍ଣ୍ଣିମା ବାନାର୍ଜୀଙ୍କର ଗୋଟାଏ ଚିଠିରୁ ଜଣାପଡ଼େ ।

 

ପୂର୍ଣ୍ଣିମାଜୀ ଜେଲ୍‌ରେ ଲୋହିଆଙ୍କୁ ଦେଖା କରିସାରିଲା ପରେ ସେତେବେଳେ ଡୋରାଡ଼ୁନ୍‌ ଜେଲ୍‌ରେ ବନ୍ଦୀ ଥିବା ଜବାହରଲାଲ ନେହେରୁଙ୍କ ପାଖକୁ ୭ ମେ’ ୧୯୪୧ରେ ଗୋଟାଏ ଚିଠି ଲେଖିଥିଲେ–‘‘ରାମମନୋହର ଖୁବ୍‌ ପ୍ରସନ୍ନ ଅଛନ୍ତି; କିନ୍ତୁ ସେ ଦାଢ଼ି ବଢ଼େଇଛନ୍ତି ଏବଂ ମୁଣ୍ଡ ଲଣ୍ଡା କରି ଦେଇଛନ୍ତି । ସେ ବଡ଼ ଅଦ୍ଭୁତ ଦେଖା ଯାଉଚନ୍ତି । ମୋର ମନେ ହୁଏ, ତାଙ୍କର ପାଖରେ ଦର୍ପଣ ନାହିଁ, ନଚେତ୍‌ ସେ ନିଜର ସ୍ୱରୂପ ଦେଖି ଖୁବ୍‌ ଶୀଘ୍ର ନିଜ ପୁରୁଣା ରୂପକୁ ଫେରି ଆସନ୍ତେ । ମୁଁ ତାଙ୍କୁ ଗତ ମାସ ଅଠେଇଶ ତାରିଖରେ ଦେଖା କରିଥିଲି ।’’

 

ବରେଲୀ ଜେଲକୁ ଲୋହିଆଙ୍କ ସାଙ୍ଗରେ ଦେଖା କରିବାକୁ ଯାଉଥିବା ଲୋକଙ୍କୁ ମଧ୍ୟ କମ୍ ହଇରାଣ କରାଯାଉ ନଥିଲା । ଦେଖା କରିବାକୁ ଆସୁଥିବା ଲୋକଙ୍କ ହାତରେ ଏକପ୍ରକାର ନମ୍ବର ଛାପି ଦିଆଯାଉଥିଲା । ଲୋହିଆ ଏଇ ପ୍ରଥାର ବିରୋଧ କଲେ । ଅଧିକାରୀମାନଙ୍କ ସହ ଝଗଡ଼ାବି କଲେ । ସେ ଏଇ ପ୍ରଥାକୁ ଅପମାନଜନକ ବୋଲି କହିଲେ । ତାଙ୍କୁ ଦେଖା କରିବାକୁ ଆସୁଥିବା ଲୋକଙ୍କ ଭିତରୁ ଜଣକ ସହ ବଳପ୍ରୟୋଗଦ୍ୱାରା ଏହି କାମ କରାଯାଇଥିଲା । ଏଇ ଘଟଣା ପରେ ଲୋହିଆଙ୍କ ସପକ୍ଷରେ ବିରୋଧ କରିବା ଉଦ୍ଦେଶ୍ୟ ରଖି ଲୋହିଆଙ୍କୁ ଦେଖା କରିବାପାଇଁ ଆସୁଥିବା ଲୋକଙ୍କୁ ବିଲ୍‌କୁଲ୍‌ ମନା କରି ଦିଆଗଲା ।

 

ସନ ୧୯୪୧ର ଶେଷଭାଗ ଆଡ଼କୁ ଭାରତ ତଥା ବିଶ୍ୱର ଅନ୍ୟାନ୍ୟ ଦେଶର ରାଜନୀତି ଏପରି ତୀବ୍ର ଗତି ଧାରଣ କଲା ଯେ ଇଂରେଜଙ୍କ ଅବସ୍ଥା ଅତିଶୟ ଶୋଚନୀୟ ହୋଇପଡ଼ିଲା ।

 

ଲୋହିଆ ଜେଲ୍‌ରେ ଥିଲେ ।

 

ଭାରତର ଅନ୍ୟ ନେତା ମଧ୍ୟ । ବିଶେଷକରି ସୋସାଲିଷ୍ଟ ନେତାମାନେ ମଧ୍ୟ ଦେଶର ଭିନ୍ନ ଭିନ୍ନ ଜେଲ୍‌ରେ ଅଟକ ହୋଇ ରହିଥିଲେ ।

 

ଗାନ୍ଧିଜୀ ନିଜ ଶକ୍ତି ଖଟେଇ ଏଇ ବନ୍ଦୀ ବିରୁଦ୍ଧରେ ବିରୋଧ କରି ଚାଲିଥିଲେ । କିନ୍ତୁ କୌଣସି ଫଳ ଫଳିବାର ସୂଚନା ମିଳୁ ନଥିଲା । ହିନ୍ଦୁସ୍ଥାନର ଜନତାଙ୍କ ଭିତରେ କିମିତିକା ଏକ ଅଦ୍ଭୁତ ମାନସିକ ଅଶାନ୍ତି ଘର କରି ରହିଥିଲା । ମନେ ହେଉଥିଲା, ସେମାନେ ଯେମିତି ସହିବାର ସମସ୍ତ ଶକ୍ତି ହରେଇ ବସିଛନ୍ତି ଏବଂ ସଂଘର୍ଷ କରିବାପାଇଁ ବେଳକୁ ବେଳ ଉଦ୍ଧତ ହୋଇ ଉଠୁଛନ୍ତି-

 

ବାହାର ଶକ୍ତିର ଚାପବି ବଢ଼ି ବଢ଼ି ଯାଉଥିଲା । ସେତେବେଳେ କଂଗ୍ରେସ କମିଟିର ଗୋଟାଏ ସଭାରେ, ବମ୍ବେଠାରେ ଗାନ୍ଧିଜୀ ସ୍ପଷ୍ଟଭାବରେ କହିଥିଲେ–‘‘ଯେତେବେଳ ପର୍ଯ୍ୟନ୍ତ ଡକ୍ଟର ରାମମନୋହର ଲୋହିଆ ଜେଲ୍‌ ଭିତରେ ରହିଥିବେ, ସେତେବେଳେ ପର୍ଯ୍ୟନ୍ତ ମୁଁ ଆଦୌ ନୀରବ ରହିପାରିବିନି । ତାଙ୍କଠୁ ବେଶୀ ସରଳ ଏବଂ ସାହସୀ ବ୍ୟକ୍ତି ଆଉ କିଏ ଅଛି ବୋଲି ମୁଁ ଜାଣେନା । ସେ ହିଂସାର ପ୍ରଚାର କରି ନାହାନ୍ତି । ସେ ଯାହା କିଛିବି କରିଛନ୍ତି, ତଦ୍ଦ୍ୱାରା ତାଙ୍କର ସମ୍ମାନ ଖୁବ୍‌ ବଢ଼ିଯାଇଛି ।’’

 

ସନ ୧୯୪୧, ୭ ସେପ୍‌ଟେମ୍ବର ଦିନ ଜାପାନ ପର୍ଲହାର୍ବର ଉପରେ ଚଢ଼ାଉ ଆରମ୍ଭ କରିଦେଲା । ସିଙ୍ଗାପୁର, ମାଳୟ, ଥାଇଲାଣ୍ଡ, ଇନ୍ଦୋନେସିଆ, ବର୍ମା ଏବଂ ପ୍ରଶାନ୍ତ ମହାସାଗରର ଅନେକ ଦ୍ୱୀପକୁ ଅଧିକାର କରିନେବା ସାଙ୍ଗେ ସାଙ୍ଗେ ବ୍ରିଟିଶ ଯୁଦ୍ଧଜାହାଜକୁ ଅଧିକାର କରିନେଇ ଜାପାନ ଇଂରେଜଙ୍କ ସମ୍ମାନକୁ ମାଟିରେ ମିଶେଇଦେଲା । ସେତେବେଳକୁ ଜାପାନ ଭାରତର ସୀମା ପର୍ଯ୍ୟନ୍ତ ଆସି ପହଞ୍ଚି ଯାଇଥିଲା । ୟୁରୋପରେ ଚାଲିଥିବା ଯୁଦ୍ଧ ତୁଳନାରେ ଜାପାନର ପ୍ରଗତିଦ୍ୱାରା ଭାରତୀୟ ଜନତା ଅଧିକ ନିକଟତା ଅନୁଭବ କଲେ । ଇଂରେଜଙ୍କ ପ୍ରତି ମନ ଭିତରେ ଘୃଣା ଏବଂ ବିଦ୍ରୋହ ପ୍ରଦର୍ଶନ କରିବାର ସୁଯୋଗ ମିଳିଗଲା । ଜାପାନର ବୀରତ୍ୱର ଚର୍ଚ୍ଚା ଗଳି–କନ୍ଦିରେ ହେବାକୁ ଲାଗିଲା । ଇଂରେଜଙ୍କ ପରାସ୍ତ ହେବା ଖବର ପାଇ ଜନତା ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବାକୁ ଲାଗିଲେ ।

 

ଏଭଳି ପରିସ୍ଥିତିରେ ଇଂରେଜ ନିଜ ସ୍ଥିତି ଏବଂ ନୀତି ଉପରେ ପୁନଃ ବିଚାର କରିବାର ଅବସ୍ଥାକୁ ବୁଝିପାରିଲା । ଜାପାନର ପ୍ରଗତି ଦେଖି ମନରେ ଭୟ ଆସୁଥିଲା ଯେ ଭାରତ ଉପରେ ଜାପାନ ନିଜର ଆଧିପତ୍ୟ ଆଉ ବିସ୍ତାର କରିଯିବନି ତ । ଭାରତ ଭିତରେ ମଧ୍ୟ ଜନତାର ଭାବନା ଇଂରେଜ ବିରୁଦ୍ଧରେ ଖୁବ୍‌ ରୋଷପୂର୍ଣ୍ଣ ପରିସ୍ଥିତି ଭିତରକୁ ଚାଲିଆସୁଥିଲା । ଇଂରେଜଙ୍କ ବନ୍ଧୁ ରାଷ୍ଟ୍ର ଆମେରିକା ତଥା ଚୀନ ମଧ୍ୟ ହିନ୍ଦୁସ୍ଥାନର ରାଷ୍ଟ୍ରୀୟ ଆନ୍ଦୋଳନ ସହ ବୁଝାମଣା କରିନେବାକୁ ଇଂରେଜ ସରକାର ଉପରେ ପ୍ରଭାବ ପକାଇଥିଲେ ।

 

ଇଂରେଜ ଚାରିଆଡ଼ୁ ପଡ଼ୁଥିବା ପ୍ରଭାବ ଯୋଗୁଁ ନିଜ ନୀତିକୁ ସାମାନ୍ୟ କୋହଳ କରିଦେଲେ ।

 

୪ ଡିସେମ୍ବର ୧୯୪୧ ଦିନ କୌଣସି ପୂର୍ବ ସୂଚନା ନ ଦେଇ ଲୋହିଆଙ୍କୁ ଅଚାନକ ଜେଲରୁ ମୁକ୍ତ କରି ଦିଆଗଲା । ତା’ ସାଙ୍ଗେ ସାଙ୍ଗେ ଅନ୍ୟ ନେତାମାନଙ୍କୁ ମଧ୍ୟ–ଯେଉଁମାନେ କି ବିଭିନ୍ନ ଜେଲରେ ଥିଲେ, ଛାଡ଼ି ଦିଆଗଲା ।

 

ବର୍ତ୍ତମାନ ଇଂରେଜ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନ ନେତାମାନଙ୍କ ସହ କଥାବାର୍ତ୍ତାଦ୍ୱାରା ଗୋଟାଏ ବୁଝାମଣାର ରାସ୍ତା ଖୋଜିବାର ନୀତି ଗ୍ରହଣ କଲେ । କଥାବାର୍ତ୍ତାରେ ମଧ୍ୟସ୍ଥତା କରିବାପାଇଁ ତଥା ପ୍ରଭାବ ପକେଇବା ପାଇଁ ଚୀନରୁ ଚ୍ୟାଙ୍ଗ୍‌ କାଇଶେକ ଆସିଲେ । ତାଙ୍କ ପଛେ ପଛେ ବୁଝାମଣାର ସୂତ୍ର ଧରି ଇଂଲଣ୍ଡରୁ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ ମଧ୍ୟ ଆସିଲେ । ତାଙ୍କର ପରାମର୍ଶ ଏଇଆ ଥିଲା ଯେ ଯଦି ବର୍ତ୍ତମାନ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନକୁ ଶେଷ କରି ଦିଆଯାଏ, ତେବେ ଯୁଦ୍ଧ ଶେଷ ହେଲାପରେ ସେମାନେ ଭାରତକୁ ଔପନିବେଶିକ ସ୍ୱରାଜ୍ୟ ପ୍ରଦାନ କରିବେ ।

 

ଏଇ ଅବସରରେ ବୁଝାମଣା ଭିତରେ ନିଜର ପ୍ରଭାବ ପକାଇବା ପାଇଁ ଆମେରିକାର ପ୍ରତିନିଧି ଶ୍ରୀ ଜନ୍‌ସନ ମଧ୍ୟ ଆସିଲେ ।

 

ଭାରତବର୍ଷ ଏକ ଉଚ୍ଚସ୍ତରୀୟ ରାଜନୀତିର ଆଡ଼୍‌ଡ଼ାସ୍ଥଳୀରେ ପରିଣତ ହୋଇଯାଇଥିଲା-। କଂଗ୍ରେସ ନେତୃତ୍ୱ ସେତେବେଳକୁ ଏତେଦୂର ବୁଢ଼ା, ହତାଶ, ନିରାଶ ଏବଂ ସିଦ୍ଧାନ୍ତହୀନ ହୋଇପଡ଼ିଥିଲା ଯେ ନେତୃତ୍ୱର ଗୋଟାଏ ବଡ଼ ଅଂଶ କ୍ରିପ୍‍ସ୍‌ଙ୍କ ସୂତ୍ରକୁ ଗ୍ରହଣ କରିବାପାଇଁ ଆଗଭର ହୋଇ ପଡ଼ୁଥିଲା ।

 

ଏଇ ଅବସରର ସୁଯୋଗ ନେଇ ଅତି ନମ୍ରତା ଏବଂ ସାହସର ସହିତ ଲୋହିଆ ସେଇ ନେତାମାନଙ୍କର ଧ୍ୟାନ ଆକୃଷ୍ଟ କଲେ ଏବଂ ସେମାନଙ୍କୁ ସତର୍କ କରି କହିଦେଲେ ଯେ ଯଦି ଇଂରେଜଙ୍କ ମିଥ୍ୟାବଚନରେ ଭୁଲିଯାଇ କିଣାବିକା କରନ୍ତି କିମ୍ବା ସେମାନଙ୍କର ପାଦ ଦୋହଲିଯାଏ, ତେବେ ଶେଷରେ ବାରମାସର ତପସ୍ୟା ଶୁଖୁଆପୋଡ଼ାରେ ଯିବ ।

 

ଖୁବ୍‌ ପେଞ୍ଚ–ପାଞ୍ଚର ଚକ୍ରାନ୍ତ ଚାଲିଲା; କିନ୍ତୁ ଶେଷରେ ବୁଝାମଣା କୌଣସି ଫଳପ୍ରଦ ହେଲାନି । ୧୯ ଅପ୍ରେଲ ୧୯୪୨ ସାଲରେ ବୁଝାମଣା ଭାଙ୍ଗିଗଲା ଏବଂ ତଦ୍ଦ୍ୱାରା ଇଂରେଜଙ୍କ ପ୍ରକୃତସ୍ୱରୂପ ମଧ୍ୟ ଜଣାପଡ଼ିଗଲା । ସାଙ୍ଗେ ସାଙ୍ଗେ କ୍ରିପ୍‍ସ୍‌ ସାଂପ୍ରଦାୟିକ ମତଭେଦର ରାଗିଣୀ ଆଳାପନା କରିବାକୁ ଆରମ୍ଭ କରିଦେଲେ ।

 

କ୍ରିପ୍‍ସ୍‌ଙ୍କ ବାର୍ତ୍ତା ଅସଫଳ ହେବାର ପରିଣାମସ୍ୱରୂପ କଂଗ୍ରେସ ଶେଷରେ ବାଧ୍ୟ ହୋଇ ରାଷ୍ଟ୍ରୀୟ ଆନ୍ଦୋଳନ ବିଷୟରେ ଏକ ନୂଆ ନୀତି ଗ୍ରହଣ କଲେ । କିନ୍ତୁ କଂଗ୍ରେସ ନେତୃତ୍ୱ ସେ ପର୍ଯ୍ୟନ୍ତ ଦୃଢ଼ ହୋଇପାରି ନଥିଲା । ଜବାହରଲାଲ ନେହେରୁ ଏବଂ ତାଙ୍କ ପ୍ରଭାବରେ ରହୁଥିବା କଂଗ୍ରେସ ନେତା ବର୍ତ୍ତମାନବି ବୁଝାମଣା କରିଦେବା ଏବଂ ଯୁଦ୍ଧରେ ଇଂରେଜଙ୍କୁ ସାହାଯ୍ୟ କରିବା ସପକ୍ଷରେ ଥିଲେ । କିନ୍ତୁ ଲୋହିଆ ସେମାନଙ୍କର କୌଣସି କଥାକୁ କାଟୁ କରିବାକୁ ଦେଲେନି । ଲୋହିଆ ଇଂରେଜ ଏବଂ ଆମେରିକା ସମ୍ମୁଖରେ ଗୋଟାଏ ବିକଳ୍ପ ପ୍ରସ୍ତାବ ରଖିଲେ ଯେ ଯୁଦ୍ଧକୁ ପ୍ରକୃତ ଅର୍ଥରେ ଦୁନିଆର ରାଷ୍ଟ୍ରଗୁଡ଼ିକର ସ୍ୱତନ୍ତ୍ରତାର ଯୁଦ୍ଧ ବୋଲି ଘୋଷଣା କରି ଦିଆଯାଉ । ତା’ ସାଙ୍ଗେ ସାଙ୍ଗେ ସେ ଭାରତର ସ୍ୱାଧୀନତା ପାଇଁ ତତ୍‌କାଳ ସଂଘର୍ଷ କରିବାର ଆବଶ୍ୟକତା ଉପରେ ମଧ୍ୟ ଜୋର୍‌ ଦେଲେ ।

 

ଏଇ ବିଷୟ ନେଇ ଲୋହିଆ ଗୋଟାଏ ଲେଖା ଲେଖିଲେ–‘‘ବିଶ୍ୱାସଘାତକ ଜାପାନ କିମ୍ବା ଆତ୍ମସନ୍ତୁଷ୍ଟ ଜାପାନ’’ । ଏଇ ଲେଖାଦ୍ୱାରା ଭାରତର ସମଗ୍ର କଂଗ୍ରେସ ଏବଂ ଅଣକଂଗ୍ରେସଙ୍କ ଭିତରେ ଗୋଟାଏ ହଇଚଇ ଖେଳିଗଲା । ସେମାନେବି ଏ ସମ୍ବନ୍ଧରେ ନିଜର ନିଶ୍ଚିତ ଧାରଣା ତଥା ନୀତି ପ୍ରକାଶ କରିବାକୁ ଶେଷରେ ବାଧ୍ୟ ହେଲେ ।

 

ଗାନ୍ଧିଜୀ ନିଜ ‘ହରିଜନ’ ପତ୍ରିକାର ୧୮ ଅପ୍ରେଲ ୧୯୪୨ରେ ଏଇ ଲେଖାଟିକୁ ବଡ଼ ଆଗ୍ରହର ସହିତ ପ୍ରକାଶ କଲେ ।

 

ଲେଖାର କିଛି ଅଂଶ ହେଉଚି–

 

‘‘ସୈନିକ କିମ୍ବା ଅଣ–ସୈନିକ ଆଡ଼୍‍ଡ଼ା । ସେ ପର୍ଯ୍ୟନ୍ତ ବେକାର ହୋଇ ରହନ୍ତି...ଯେ ପର୍ଯ୍ୟନ୍ତ ତାଙ୍କ ପଛରେ ସମର୍ଥକ ଜନଶକ୍ତି ରହେନି । ଏସିଆ ଭିତରେ ନିଜର ସମର୍ଥକଙ୍କୁ ଇଂଲଣ୍ଡ ଶକ୍ତିହୀନ କରି ରଖିଛି ।

 

‘‘ବର୍ମାରେ, ଭାରତୀୟ ମୋଟର ମାଲିକଙ୍କ ମୋଟରଗୁଡ଼ିକୁ ପ୍ରକାଶ୍ୟ ଭାବରେ ଯୁଦ୍ଧପାଇଁ, କିନ୍ତୁ ପ୍ରକୃତରେ ୟୁରୋପର ନିଷ୍କ୍ରମଣପାଇଁହିଁ ସରକାର ନିଜ ଅଧିକାର ରଖିଛନ୍ତି । ....ଭାରତ ଏବଂ ବର୍ମାର ଲୋକମାନଙ୍କ ପାଖରେ ଜାପାନ ବିରୁଦ୍ଧର ଇଂଲିଶ୍ ସ୍ଥାନର ଯୁଦ୍ଧ କରିବାପାଇଁ ଆଦୌ ପ୍ରେରଣା ନାହିଁ । ବରଂ ପରିସ୍ଥିତି ତା’ର ସମ୍ପୂର୍ଣ୍ଣ ବିପରୀତ ଅଟେ । ହିନ୍ଦୁସ୍ଥାନ ଏସିଆର ଯେ ଗୋଟାଏ ଅସହାୟ ଏବଂ ଅପମାନିତ ରାଷ୍ଟ୍ର–ଏକଥା ଭୁଲିଯିବା ଆଦୌ ଉଚିତ ନୁହେଁ ଏବଂ ଜାପାନ ଗୋଟାଏ ଏସିଆର ଶକ୍ତି । ଯଦି ମୁଁ କେବଳ ୟୁରୋପୀୟ ନୀତି–ଶାସ୍ତ୍ରଜ୍ଞ ହୋଇଥାନ୍ତି ଏବଂ ମହାତ୍ମା ଗାନ୍ଧିଙ୍କର କିମ୍ବା ନିଜ ଦେଶର ଇତିହାସର ରହସ୍ୟର ପ୍ରଭାବ ମୋ ଉପରେ ପଡ଼ି ନଥାନ୍ତା, ତେବେ ମୁଁ ବୋଧହୁଏ ‘ତୋଜୋ’ର ସ୍ୱାଗତ ନିଶ୍ଚୟ କରିଥାନ୍ତି ।

 

‘‘କିନ୍ତୁ ମୁଁ ‘ତୋଜୋ’କୁ ସେତିକି ଖରାପ ମନେ କରେ, ଯେତିକି ହିଟ୍‍ଲର୍ ଏବଂ ଚର୍ଚ୍ଚିଲଙ୍କୁ-। କାହିଁକି ବା ଏଇ ଦୁର୍ଦ୍ଧର୍ଷ ହତ୍ୟାକାଣ୍ଡ....ଏ ଦୁହିଁଙ୍କ ଭିତରୁ ଯଦି ଯାହାଙ୍କ ବିଜୟଦ୍ୱାରାହିଁ ଶେଷ ହେବ, ତେବେ ଆଜିଠୁଁ ଆଉ ଏକ ଖୁବ୍‌ ସଂସାର ଭଲ ଗଢ଼ି ତୋଳିବାର ଆଶା ମାଟିରେ ମିଶିଯିବ-

 

‘‘ଇଂଲଣ୍ଡ ହିନ୍ଦୁସ୍ଥାନକୁ ରକ୍ଷା କରିପାରେ, ଏଥିପାଇଁ ବୋଧେ ଖୁବ୍‌ ବିଳମ୍ବ କରିଦେଇଛି ଏବଂ ହିନ୍ଦୁସ୍ଥାନ ଇଂଲଣ୍ଡକୁ ରକ୍ଷା କରିପାରେ, ସେଥିପାଇଁ ବୋଧେ ବର୍ତ୍ତମାନ ସମୟ ଆସିନି । କିନ୍ତୁ ହିନ୍ଦୁସ୍ଥାନ ଏବଂ ଇଂରେଜ ଦୁହେଁ ମିଶି ସମସ୍ତ ଦୁନିଆକୁ ରକ୍ଷା କରିବାପାଇଁ ଚେଷ୍ଟା କରିପାରନ୍ତି । ....ଯଦି କେତେକ ଅତିଶୟ ଲାଳସୀ ଏବଂ ଉଦ୍ଦଣ୍ଡ ପ୍ରମାଣିତ ହୁଅନ୍ତି, ତେବେ ଏ ଯୁଦ୍ଧ ଏସିଆବାସୀଙ୍କ ପାଇଁ ଭିନ୍ନ ରୂପ ଧାରଣ କରିବ ।’’

 

ଏହି ଲେଖାଟିକୁ ପୂରାପୂରି ଛାପି ଦେଇ ଗାନ୍ଧିଜୀ ତା’ରି ତଳେ ଲେଖିଲେ–‘‘ମୋର ବିଶ୍ୱାସ ଯେ ସମସ୍ତ ସମ୍ବନ୍ଧିତ ଲୋକେ ଏଥିପ୍ରତି ଧ୍ୟାନ ଦେବେ ।’’

 

ଲୋହିଆ ସେତେବେଳେ ଖୁବ୍‌ ସ୍ପଷ୍ଟ ଏବଂ ଜୋର୍‌ ଦେଇ କହିଲେ ଯେ ଯୁଦ୍ଧଲିପ୍ତ ଦୁଇ ଦଳ ଭିତରେ କେବଳ ସମାନତା ରହିଛି ଏବଂ ସେଥିରେ ତଫାତ୍‌ ବାଛିବା ଭୁଲ ହେବ ।

 

ସେଇ ଅପ୍ରେଲରେ ଲୋହିଆ ଗାନ୍ଧିଙ୍କ ନିକଟକୁ ଓ୍ୱାର୍ଦ୍ଧା ଯାଇ ଗୋଟାଏ ସପ୍ତାହ ରହିଲେ ଏବଂ ଗାନ୍ଧିଜୀଙ୍କୁ ଶୀଘ୍ର ଯୁଦ୍ଧ ଆରମ୍ଭ କରିଦେବା ପାଇଁ ରାଜି ହେବାକୁ ବିରକ୍ତ କରିବାକୁ ଲାଗିଲେ । ଶେଷରେ ୨୬ ଅପ୍ରେଲ ‘ହରିଜନ’ରେ ଗାନ୍ଧିଜୀ ଲେଖିଲେ–ଏସିଆ ଏବଂ ଆଫ୍ରିକା ଜାତିର ଶୋଷଣ ଏବଂ ଦାସତ୍ୱ–ଏଇ ଦୁଇଟି ପାପକର୍ମ ପାଇଁ ବ୍ରିଟେନକୁ ଦଣ୍ଡ ଦେବା ଦୃଷ୍ଟିରୁ–ତା’ ବଦଳରେ ନ୍ୟାୟ ରୂପରେ ନାଜି ଜାତିର ଉଦୟ ହୋଇଛି ।

 

ଏହାପରେ ସଙ୍ଗେ ସଙ୍ଗେ ଗାନ୍ଧିଜୀ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବା ଆବଶ୍ୟକତା ସମ୍ବନ୍ଧରେ କଥାବାର୍ତ୍ତା କଲେ ।

 

ସେ କହିଲେ, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ବ୍ରିଟେନ ସହିତ ସହାନୁଭୂତି ରଖୁଥିଲି; କିନ୍ତୁ ଆଜି ମୋ ମନ ଏଇ ନୈତିକ ସମର୍ଥନ ଦେବାକୁ ସ୍ପଷ୍ଟ ମନା କରିଦେଉଛି ।’’

 

ଗାନ୍ଧିଜୀ ‘‘ଭାରତଛାଡ଼’ ଏବଂ ‘ଅହିଂସାତ୍ମକ ଅସହଯୋଗ’ର ଭୂମିକା ଏବଂ ଚିଠା ପ୍ରସ୍ତୁତ କଲେ ।

 

ଅନ୍ୟ କଂଗ୍ରେସୀ ନେତାମାନେ ଗାନ୍ଧିଜୀଙ୍କୁ ଉସ୍କେଇ ଦେବାର ଆରୋପ ଲୋହିଆଙ୍କ ମୁଣ୍ଡ ଉପରେ ଲଦିଦେଲେ ।

 

୧୯୪୨ ସାଲର ଆରମ୍ଭ ସମୟ ।

 

ଏଲାହାବାଦରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିବେଶନ ବସିଲା ।

 

ଏହି ସଭାରେ ଗାନ୍ଧିଙ୍କର ‘‘ଭାରତଛାଡ଼’’ ପ୍ରସ୍ତାବ ଉପରେ ବିଚାର ହେବାର ଥିଲା । ଗାନ୍ଧି ତ ଏଥିରେ ଭାଗ ନେଇ ପାରିଲେନି; କିନ୍ତୁ ପ୍ରସ୍ତାବର ଚିଠା ସେ ମୀରା ଭଉଣୀ ହାତରେ ପଠାଇ ଦେଇଥିଲେ ।

 

ଗାନ୍ଧିଙ୍କ ଏଇ ପ୍ରସ୍ତାବ ଉପରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । ଖୁବ୍‌ ଚର୍ଚ୍ଚା ହେଲା । ବାଦ–ବିବାଦ ଗରମାଗରମର ରୂପ ନେଲା । ନେହେରୁ ଢିଲା ନୀତି ଏବଂ ବିଭ୍ରାନ୍ତିକର ଭୂମିକା ଗ୍ରହଣ କଲେ । ଲୋହିଆ ସ୍ପଷ୍ଟ ଭାବରେ ଅନୁଭବ କଲେ ଯେ କଂଗ୍ରେସୀ ନେତାଗଣ ଇଂରେଜଙ୍କ ପକ୍ଷ ନେଇ ଦେଶଟାକୁ ନାଶ କରିଦେବା ପାଇଁ ଲାଗିପଡ଼ିଛନ୍ତି । ନେହେରୁ ତ ଜାପାନ ବିରୁଦ୍ଧରେ ଇଂରେଜଙ୍କ ସାହାଯ୍ୟପାଇଁ ଗରିଲାବାହିନୀ ଗଠନ କରିବା କଥା ମଧ୍ୟ ଉଠାଇଲେ । ଲୋହିଆ ଏଇଠି ଖୋଲାଖୋଲି ଭାବରେ ତାଙ୍କର ବିରୋଧ କଲେ ଏବଂ ଗାନ୍ଧିଙ୍କ ପ୍ରସ୍ତାବକୁ ଅବିକଳ ଗ୍ରହଣ କରିନେବାକୁ ପରାମର୍ଶବି ଦେଲେ ।

 

ଠିକ୍‌ ଏହା ପରେ ପରେ ଅଲମୋଡ଼ା ଜିଲ୍ଲା ରାଜନୀତି ସମ୍ମେଳନ ଅନୁଷ୍ଠିତ ହେଲା । ଅଧ୍ୟକ୍ଷ ଥିଲେ ଲୋହିଆ । ନିଜ ଅଧ୍ୟକ୍ଷ ଭାଷଣରେ ଲୋହିଆ ପରିଷ୍କାରରୂପେ ରାଷ୍ଟ୍ରୀୟ ଭାବନା ପ୍ରତି ସାବଧାନ ରହିବାପାଇଁ ନେହେରୁଙ୍କୁ ଚେତାବନୀ ଦେଲେ । ନେହେରୁଙ୍କର ଅଦୂରଦର୍ଶିତା ତଥା ପ୍ରକୃତି ବିଷୟରେ ନିଜର କ୍ରୋଧ ପ୍ରକାଶ କରି ଲୋହିଆ ତାଙ୍କୁ (ନେହେରୁଙ୍କୁ) ‘ଶୀଘ୍ର ପଟ୍ଟପରିବର୍ତ୍ତନ କରିବା ଜଣେ ନଟ’ ଆଖ୍ୟା ଦେଇ ସତର୍କ କରିଦେଲେ ଯେ ଯଦି ନେହେରୁ ନିଜ ରାସ୍ତା ଠିକ୍‌ ନ କରନ୍ତି, ଲୋକେ ମୁଖ୍ୟତଃ ଯୁବକମାନେ, ଯେଉଁମାନେ କି ଆଜି କେବଳ ଭାରତରେ ଦୁଇ ଜଣଙ୍କର କଥା ଶୁଣନ୍ତି, ବର୍ତ୍ତମାନ ଜଣକର କଥାହିଁ ଶୁଣିବେ ।

 

ଲୋହିଆଙ୍କର ଏହି ଇଙ୍ଗିତ ଗାନ୍ଧି ଏବଂ ନେହେରୁଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ।

 

ଭାରତର ତାତ୍କାଳିକ ରାଜନୀତିକ୍ଷେତ୍ରରେ ଲୋହିଆ ନେହେରୁଙ୍କ ପ୍ରତି ଖୁବ୍‌ ନିରାଶ ହୋଇ ପଡ଼ିଥିଲେ । ନେହେରୁଙ୍କ ଟାଳଟୁଳ ନୀତି ତାଙ୍କୁ ପସନ୍ଦ ଲାଗୁ ନଥିଲା ।

 

ସମୟ ନଷ୍ଟ ନ କରି ଲୋହିଆ ସିଧା ଓ୍ୱାର୍ଦ୍ଧାରେ ପହଞ୍ଚିଲେ । ଗାନ୍ଧିଙ୍କ ସହିତ ଦେଖା କଲେ । ଦୁହେଁ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କଲେ । ଲୋହିଆ ତତ୍‌କାଳ ସଂଗ୍ରାମ ଆରମ୍ଭ କରିଦେବା ପାଇଁ ଗାନ୍ଧିଜୀଙ୍କୁ ବ୍ୟସ୍ତ କଲେ ଏବଂ ଭରସାବି ଦେଲେ ଯେ, ଆନ୍ଦୋଳନରେ ତାଙ୍କ ଦଳ ପୂର୍ଣ୍ଣମାତ୍ରାରେ ଜୋର୍‌ଦାର ଭାଗ ନେବ ।

 

ସେତେବେଳେ ଲୋହିଆଙ୍କ ମସ୍ତିଷ୍କରେ ଗୋଟାଏ ଅଦ୍ଭୁତ କଳ୍ପନା ରୂପ ଧାରଣ କରୁଥିଲା । ତାଙ୍କ ମନରେ ଗୋଟାଏ ଯୋଜନା ବଳବତ୍ତର ହୋଇ ଆସୁଥିଲା । ତାହା ହେଉଛି ଭାରତର ପ୍ରତ୍ୟେକ ସହରରୁ ପୋଲିସ୍‌ ଫୌଜ ହଟେଇ ନେବାପାଇଁ ସରକାରକୁ ବାଧ୍ୟ କରାଯାଉ । ତାଙ୍କର ଯୁକ୍ତି ଥିଲା ଯେ, ‘ବିନା ପୋଲିସ୍‌ କିମ୍ବା ଫୌଜର’ ସହର ଘୋଷିତ କଲେ ସେଇ ସହରରେ ଫୌଜ ରହିବେନି କିମ୍ବା ସେଇ ସହର ଅସ୍ତ୍ର–ଶସ୍ତ୍ର ଉତ୍ପାଦନର କେନ୍ଦ୍ର ହୋଇ ପାରିବନି । ସୁରକ୍ଷା ଦୃଷ୍ଟିରୁ ପରିଣାମ ଏଇଆ ହେବ ଯେ ଶତ୍ରୁ ସେଇ ସହରକୁ ନଷ୍ଟ–ଭ୍ରଷ୍ଟ କରିପାରିବନି କିମ୍ବା ବୋମା ବର୍ଷଣବି କରି ପାରିବନି ।

 

ଲୋହିଆ ଏଇ ପ୍ରସ୍ତାବ ଗାନ୍ଧିଙ୍କ ସାମ୍ନାରେ ବାଢ଼ିଲେ । କହିଲେ, ଗାନ୍ଧି ଦାବି କରନ୍ତୁ ଯେ ହିନ୍ଦୁସ୍ଥାନର ସମସ୍ତ ସହରକୁ ‘ବିନା ପୋଲିସ୍‌ କିମ୍ବା ଫୌଜର’ ସହରରୂପେ ଘୋଷଣା କରାଯାଉ । ଲୋହିଆ ଇତିହାସ, ଭୂଗୋଳ, ରାଜନୀତି ଆଦି ସବୁ ଦୃଷ୍ଟିରୁ ନିଜ ପ୍ରସ୍ତାବର ଔଚିତ୍ୟ ପ୍ରମାଣିତ କରିଦେଲେ । ଅଶ୍ୱତ୍‌ଥାମା, କୁରୁକ୍ଷେତ୍ର ଆଦିର ଉଦାହରଣ ଦେଇ କହିଲେ, ‘‘ପୁରାତନ କାଳରେବି ଯୁଦ୍ଧରତ ସେନା ମାନବିକତା ଦୃଷ୍ଟିକୋଣରୁ ବଡ଼ବଡ଼ ସହରରେ ଲଢ଼େଇ କରୁ ନଥିଲେ । ଏ ସମ୍ବନ୍ଧରେ ଅତୀତର କେତେକ ପ୍ରମାଣବି ମହଜୁଦ୍‌ ରହିଛି ।

 

ଗାନ୍ଧିଜୀ ଲୋହିଆଙ୍କର ଯୋଜନାକୁ ଅତି କୌତୂହଳ ଦୃଷ୍ଟିରେ ଖୁବ୍ ରସ ଗ୍ରହଣ କରି ବୁଝିଲେ ଏବଂ ଶେଷରେ କହିଲେ, ‘‘ତମର ତର୍କ ଟିକିଏ ଗୋଳମାଳିଆ ଜଣା ପଡ଼ୁଛି ।’’

 

ଗାନ୍ଧି ଏବଂ ଲୋହିଆ । ଯେତେବେଳେବି ଦୁହେଁ କଥାବାର୍ତ୍ତା କରନ୍ତି, ଦୁହେଁ ଖୁବ୍ ସତର୍କ ରହନ୍ତି । ଦୁହେଁ ଜାଣୁଥିଲେ ଯେ ଜଣେ ଆଉ ଜଣେ ଚତୁର ଲୋକ ସହ କଥାବାର୍ତ୍ତା କରୁଛନ୍ତି । ଏତେ ଲୋଭିଲା ଏବଂ ସରଳ ପ୍ରସ୍ତାବ ମଧ୍ୟ ଗାନ୍ଧିଜୀଙ୍କୁ ଗୋଳମାଳିଆ ଜଣାଗଲା । ସାଧାରଣ ଭାବରେ ସରଳ ଭଳି ମନେ ହେଉଥିବା ଏଇ ପ୍ରସ୍ତାବଟି ବାସ୍ତବିକ ଗୋଳମାଳିଆହିଁ ଥିଲା । ଏତେଟା ସରଳ ନଥିଲା–ଯେତେଟା ବାହାରକୁ ଜଣା ପଡ଼ୁଥିଲା । ଗାନ୍ଧିଜୀ ତା’ର ଗଭୀରତା ଏବଂ ଚାଲ୍‌କୁ ବୁଝିପାରୁଥିଲେ । ଲୋହିଆ ମଧ୍ୟ ଏହାର ଗଭୀରତାକୁ ବହୁତ କୋମଳ ଏବଂ ସରଳ ଭାବରେ ପ୍ରସ୍ତୁତ କରି ବାଢ଼ିଥିଲେ । କିନ୍ତୁ ଏହା ପଛରେ ସାମ୍ରାଜ୍ୟଲିପ୍‌ସୁ ବିରୁଦ୍ଧରେ ଲଢ଼ିବାର ଇଚ୍ଛା ଲୋହିଆଙ୍କର ଥିଲା । ଲୋହିଆଙ୍କର ଏଇ ଚାଲ୍‌କୁ ଗାନ୍ଧିଜୀ ଖୁବ୍‌ ଭଲ ଭାବରେ ବୁଝୁଥିଲେ ।

 

ଲୋହିଆ ଜିଦ୍‌ଖୋର ଭାବରେ ଯେତେବେଳେ ପୁଣି ଥରକପାଇଁ ଏଇ ପ୍ରସ୍ତାବଟିକୁ ଗାନ୍ଧିଜୀଙ୍କ ଉପରେ ଲଦିଦେବାକୁ ଇଚ୍ଛା କଲେ, ସେତେବେଳେ ଗାନ୍ଧି ବୁଢ଼ା ହସିଦେଇ ସେଇ ଚାଲ୍‌ରୁ ନିଜକୁ ରକ୍ଷା କରିବାକୁ ଯାଇ କହିଲେ, ‘‘ତମେ ମତେ ଯେଉଁଠିକି ଟାଣୁଛ ମୁଁ ଜାଣୁଛି । ତମେ ଇଂରେଜମାନଙ୍କ ସାଙ୍ଗରେ ଘୋର ଲଢ଼େଇ କରିବାକୁ ଚାହୁଁଛ, ନା କ’ଣ ?’’

 

ଧରାପଡ଼ିଯିବା ଭଳି ହସ ହସି ଲୋହିଆ କହିଲେ–ହଁ, ମୁଁ ସେଇୟାହିଁ ଚାହୁଁଛି ।’’

 

‘‘ତେବେ ତମେ ପରିଷ୍କାର କହିଲନି କାହିଁକି ଯେ ତମେ ଲଢ଼େଇ ଚାହଁ ? ଠିକ୍‌ ଅଛି । କିନ୍ତୁ ଲଢ଼େଇପାଇଁ ଦାବି କରିଦେଲେଇ କ’ଣ ଆମେ ଲଢ଼େଇ କରିପାରିବା ?’’

 

ଏପରି ଭାବରେ କିଛିଦିନ ପାଇଁ ଏ ଯୁକ୍ତିତର୍କ ଚାଲିବାକୁ ଲାଗିଲା । ଗାନ୍ଧି ଏବଂ ଲୋହିଆ–ଗୁରୁ ଏବଂ ଶିଷ୍ୟ–ଦୁହେଁଯାକ ନିଜ ନିଜର କୌଶଳକୁ ପରୀକ୍ଷା କରିବାକୁ ଲାଗିଲେ । କିଏ କାହା ପାଲରେ ପଡ଼ୁ ନଥିଲେ ।

 

ଚତୁର୍ଥ ଦିନ ଗାନ୍ଧିଜୀ ଲୋହିଆଙ୍କୁ ପାଖକୁ ଡାକି କହିଲେ, ‘‘ତୁମେ ବୋଧେ ମୋର ‘‘ଅନ୍ତରାତ୍ମାର ଚିତ୍କାର’’ ଶୁଣି ହସିବନି ତ ! କିନ୍ତୁ ତୁମର କଳ୍ପନା ସମ୍ବନ୍ଧରେ ମୁଁ ବାରମ୍ବାର ଚିନ୍ତା କରୁଥିଲି ଏବଂ କାଲି ରାତି ଦି’ଟାରେ ଉଠି ମୁଁ ଭାଇସ୍‌ରାୟଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲି ।’’

 

ଶୁଣୁ ଶୁଣୁ ଲୋହିଆଙ୍କ ଆଖି ଚମକି ଉଠିଲା । ମନେ ହେଲା, ସେ ଯେପରି ବିଜୟ ହାସଲ କଲେ । ଗାନ୍ଧି କ’ଣ ତାଙ୍କ କଥା ମାନିଗଲେ ?

 

ଗାନ୍ଧିଜୀ ଭାଇସ୍‌ରାୟଙ୍କ ପାଖକୁ ଲେଖିଥିବା ଚିଠିଟି ଲୋହିଆଙ୍କୁ ଦେଖାଇଲେ ।

 

ଲୋହିଆ ଚିଠିଟି ପଢ଼ିଲେ । ପରିଷ୍କାର ଲେଖାଥିଲା । ଗାନ୍ଧିଜୀ ଲେଖିଥିଲେ– ‘‘ଅହିଂସନିଷ୍ଠ ସୋସାଲିଷ୍ଟ ଲିଡ଼ର୍ ଡ: ଲୋହିଆ ଭାରତୀୟ ସହରଗୁଡ଼ିକୁ ‘ବିନା ପୋଲିସ୍‌ ବିନା ଫୌଜର’ ସହରରୂପେ ଘୋଷିତ କରିବାକୁ କଳ୍ପନା କରିଛନ୍ତି ।’’

 

ଚିଠିଟି ପଢ଼ିସାରି ଲୋହିଆ ଗାନ୍ଧିଜୀଙ୍କୁ ପଚାରିଲେ, ‘‘ଚିଠି ତ ବିଲ୍‌କୁଲ୍ ଠିକ୍‌ ଅଛି; କିନ୍ତୁ କଳ୍ପନାକୁ ଆପଣ ଯେ ସ୍ୱୀକାର କରନ୍ତି, ସେମିତି କିଛି ସୂଚନା ତ ଆପଣ କେଉଁଠିବି ଦେଲେ ନାହିଁ । ଆପଣ କ’ଣ ନିଜ ସମର୍ଥନବି ୟା’ ସଙ୍ଗରେ ଦେଇ ପାରିବେନି ?

 

ଗାନ୍ଧିଜୀ ଗମ୍ଭୀର ହୋଇଯାଇ କହିଲେ, ‘‘ନା, ମୁଁ ସେମିତି ଲେଖି ପାରିବିନି ।’’

 

ଲୋହିଆ କହିଲେ, ‘‘ତେବେ ମୋ କଳ୍ପନା ଉପରେ ଭାଇସ୍‌ରାୟ କାହିଁକି ବା ନିଜ ପ୍ରତିକ୍ରିୟା ପ୍ରକାଶ କରିବେ ? ମୁଁ ବା ଏମିତି କୋଉ ଲୋକରେ ଲୋକ ଯେ ! ଯଦି ଆପଣ ୟା’ ଉପରେ କେତେକାଂଶରେ ନିଜର ସ୍ୱୀକୃତି ଦେଇପାରିବେ, ତେବେ ଭାଇସ୍‌ରାୟ ଉତ୍ତର ଲେଖିବା ଆଗରୁ ଆଉଥରେ ଚିନ୍ତା କରିବେ ।’’

 

ଗାନ୍ଧିଜୀ କହିଲେ, ‘‘ଏଇଠି ତୁମେ ଭୁଲ କରୁଚ । ମୁଁ ନିଜେହିଁ ତ ଚିଠିଟା ଲେଖିଛି । ଏତିକିହିଁ ଗମ୍ଭୀରତାର ସହ ଉତ୍ତର ଦେବାକୁ ଭାଇସ୍‌ରାୟଙ୍କ ପାଇଁ ଯଥେଷ୍ଟ ।’’

 

ଲୋହିଆ ନୀରବ ହୋଇଗଲେ । ଗାନ୍ଧିଜୀ ମୃଦୁ ମୃଦୁ ହସିଲେ ।

 

ଯେତେବେଳେ ଗାନ୍ଧିଜୀ ଏବଂ ଲୋହିଆଙ୍କ ଭିତରେ ଏଇ କୌତୂହଳପୂର୍ଣ୍ଣ କଥାବାର୍ତ୍ତା ଚାଲିଥିଲା, ସେତେବେଳେ ସେଇଠି ବସିଥିବା ଆଶ୍ରମର ଜଣେ ମହିଳା ଗାନ୍ଧିଜୀଙ୍କୁ ଶାସିତ କଣ୍ଠରେ କହିଲେ, ‘‘ବାପୁ, ଆପଣ ଏଭଳି ଚିଠି ଲେଖି କେବଳ ରାମମନୋହରଙ୍କୁ ପୋଲିସ୍‌ ଜିମା କରିଦେବାକୁ ଯାଉଛନ୍ତି ।’’

 

ଶୁଣୁ ଶୁଣୁ ଗାନ୍ଧିଙ୍କ ଚେହେରା ଗମ୍ଭୀର ହୋଇଗଲା । କପାଳ କୁଞ୍ଚିତ ହୋଇଆସିଲା । ସେ ଅନେକ ସମୟ ଧରି ନୀରବ ରହିଲେ । ମନେହେଲା, ଏଇ ମହିଳାଙ୍କ ନିର୍ଣ୍ଣୟ ଗାନ୍ଧିଙ୍କ ଦୃଷ୍ଟିରେ ଯେମିତି ଶେଷ ନିର୍ଣ୍ଣୟ ଥିଲା । କିନ୍ତୁ ଲୋହିଆ ବା ନୀରବ ରହନ୍ତେ କାହିଁକି ? ସେ ଗାନ୍ଧିଙ୍କର ମତପରିବର୍ତ୍ତନ ପାଇଁ ଆପ୍ରାଣ ଚେଷ୍ଟାକଲେ । ତଥାପି ଗାନ୍ଧିଙ୍କର ନୀରବତା ଭାଙ୍ଗିଲାନି । ଶେଷରେ ବିରକ୍ତ ହୋଇ ଲୋହିଆ କହିଲେ, ‘‘ଅଳ୍ପ ଦିନ ଭିତରେ ତ ଆମ ସମସ୍ତଙ୍କୁ ନିଶ୍ଚୟ ଗିରଫ୍ କରାଯିବ । ଏଇ ଚିଠି ଯୋଗୁଁ ଅଧିକରୁ ଅଧିକ ଦି’ତିନି ମାସ ଆଗରୁ ଗିରଫ୍‌ ହୋଇଗଲେ ବା କ୍ଷତି କ’ଣ ?’’

 

ତଥାପି ଗାନ୍ଧିଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲାନି ।

 

ତା’ପରେ...ଠିକ୍‌ ଦିଦିନ ପରେ, ଗାନ୍ଧିଜୀ ଲୋହିଆଙ୍କ କ୍ରୋଧ ଶାନ୍ତ କରିବାକୁ ଯାଇ ପରିହାସ ଢଙ୍ଗରେ କହିଲେ, ‘‘ତୁମର ସେଇ କଳ୍ପନା ତ ମତେ ରାତିରେ ଶୁଆଇ ଦଉ ନଥିଲା । ଆଉ କିଛି ନୂଆ କଳ୍ପନା କରି ନାହଁ ନା କ’ଣ ?’’

 

ସେତେବେଳେ ସାଙ୍ଗେ ସାଙ୍ଗେ ଲୋହିଆ ଆଉ ଏକ ନୂତନ କଳ୍ପନା ବିଷୟରେ କହିଲେ-

 

ଏଇ କଳ୍ପନାଟି ଥିଲା–ପୃଥିବୀର ସମସ୍ତ ସରକାରଙ୍କୁ ଗୋଟାଏ ନୂତନ ସଂସାରର ପୃଷ୍ଠଭୂମି ପ୍ରସ୍ତୁତ କରିବାର ଯୋଜନା କରି ଆବାହନ କରିବାର କଳ୍ପନା, ଯାହାର ମୂଳଦୁଆ ମୁଖ୍ୟତଃ ଚାରୋଟି ଉପରେ ପ୍ରତିଷ୍ଠିତ ଥିଲା–

 

(୧) ଗୋଟାଏ ଦେଶର ପୁଞ୍ଜି, ଯାହା ଅନ୍ୟ ଦେଶରେ ଖଟାଯାଇଛି, ତାକୁ ବାଜ୍ୟାପ୍ତ କରିବା;

 

(୨) ସମସ୍ତ ଲୋକଙ୍କୁ ସଂସାର ଭିତରେ ଯେକୌଣସି ସ୍ଥାନକୁ ସ୍ୱଚ୍ଛନ୍ଦରେ ଯିବାଆସିବା କରିବା ତଥା ବସତି ସ୍ଥାପନ କରିବାର ଅଧିକାର ଦେବା;

 

(୩) ଦୁନିଆର ସମସ୍ତ ରାଷ୍ଟ୍ରକୁ ରାଜନୈତିକ ସ୍ୱାଧୀନତା ପ୍ରଦାନ

 

ଏବଂ

 

(୪) ବିଶ୍ୱ ନାଗରିକତା ଅଧିକାର ପ୍ରଦାନ ।

 

ଗାନ୍ଧିଜୀ ଏଇ କଳ୍ପନାଟିକୁ ମଧ୍ୟ ମନଧ୍ୟାନ ଦେଇ ଶୁଣିଲେ । କିନ୍ତୁ ଏଇ କଳ୍ପନାକୁ ଅବ୍ୟାବହାରିକ ମନେକରି କୌଣସି ସରକାରଙ୍କୁ ଏ ବିଷୟରେ କିଛି ଲେଖିଲେନି । ହଁ, ‘ହରିଜନ’ରେ ଏଇ ପରାମର୍ଶକୁ ପୂରା ଛାପିଦେଇ ନିଜର ସମର୍ଥନବି ପ୍ରଦାନ କଲେ ।

 

କିନ୍ତୁ ଲୋହିଆଙ୍କ ମନ ଭିତରେ ହଠାତ୍‌ ସଂଘର୍ଷପାଇଁ ଯେଉଁ ଅଶାନ୍ତି ଘର କରି ରହିଥିଲା, ତା’ର କୌଣସି ସମାଧାନ ତାଙ୍କୁ ମିଳିଲାନି । ତାଙ୍କର ମନେ ହେଲା, ଯେମିତି ଗାନ୍ଧିଜୀ ମଧ୍ୟ କେତେକାଂଶରେ ସଂଘର୍ଷକୁ ଏଡ଼ାଇ ଦେଇ ଯାଉଛନ୍ତି ।

 

ଜୁଲାଇ ୨୯ ତାରିଖରେ ଗୁରୁ–ଶିଷ୍ୟଙ୍କର ପୁଣି ଭେଟ ହେଲା । ଗାନ୍ଧି ଏବଂ ଲୋହିଆଙ୍କର ଏଇ ଦେଖା–ସାକ୍ଷାତ୍‍ର ବିଷୟ ଥିଲା–‘‘ଶୀଘ୍ର ଲଢ଼େଇ ଆରମ୍ଭ କର ।’’

 

ଗାନ୍ଧିଜୀ ସେତେବେଳେ ଖୁବ୍‌ ହୃଦୟ–ମନ୍ଥନ ସ୍ଥିତିରେ ରହୁଥିଲେ । ସେ ଅତିଶୟ ବାଷ୍ପରୁଦ୍ଧ କଣ୍ଠରେ ଲୋହିଆଙ୍କୁ କହିଲେ, ‘‘ମୁଁ ତୁମର ଉତ୍ତେଜନାକୁ ଖୁବ୍‌ ଭଲ ଭାବରେ ବୁଝୁଛି । କିନ୍ତୁ ମୁଁ ତ ଏତେଦୂର ଉତ୍ତେଜିତ ହୋଇପାରିବିନି । କାରଣ ମୁଁ ବୁଢ଼ା ।’’

 

ଲୋହିଆ ନୀରବ ରହିବାରୁ ପୁଣି ଗାନ୍ଧିଜୀ କହିଲେ, ‘‘ତମେ ଆଉ ମାତ୍ର ଦଶଟି ଦିନ ଅପେକ୍ଷା କର ।’’

 

ନୀରବରେ ଲୋହିଆ ଭାବିଲେ–ଦଶ ଦିନ ପରେ ! କ’ଣ ବା ହେବ ଏଇ ଦଶ ଦିନ ଭିତରେ !

 

କିନ୍ତୁ ଦଶ ଦିନ ପରେ ପଡ଼ୁଥିଲା ଅଗଷ୍ଟ ଆଠ ତାରିଖ । ସେତେବେଳେ କିଏ ବା ଜାଣିଥିଲା ଯେ ଏଇ ‘‘ଅଗଷ୍ଟ ଆଠ’’ ଇଂରେଜ ସରକାରଙ୍କ ପାଇଁ ଏକ ପ୍ରଳୟଙ୍କର ଦିବସରୂପେ ସାବ୍ୟସ୍ତ ହେବାକୁ ଯାଉଛି ଏବଂ ଭାରତପାଇଁ ତାହା କ୍ରାନ୍ତିର ଅୟମାରମ୍ଭ ଦିବସ ।

 

ବୋଧେ ବୁଢ଼ା ଗାନ୍ଧିଜୀଙ୍କ ଆଖି ଆଗରେ ‘‘ଅଗଷ୍ଟ ଆଠ’’ର ବମ୍ବେ ସଭା ସ୍ପଷ୍ଟ ହୋଇ ପଡ଼ିଥିଲା ।

 

 

ଇନ୍ କିଲାବ : ଜିନ୍ଦାବାଦ୍‌ !

 

ଇଂରେଜ : ଭାରତଛାଡ଼ ।

 

ବମ୍ବେରୁ ଚିତ୍କାର ଭାସିଆସିଲା : ଇନ୍ କିଲାବ, ଜିନ୍ଦାବାଦ !

 

ହଁ, ବମ୍ବେରୁ ସେ ଚିତ୍କାର ଭାସି ଆସିଥିଲା–

 

କର ବା ମର !

 

ଗାନ୍ଧି ୨୯ ଜୁଲାଇ ଦିନ ଓ୍ୱାର୍ଦ୍ଧାଠାରେ ଲୋହିଆଙ୍କୁ କହିଥିଲେ–‘‘ତମେ କେବଳ ଦଶଟି ଦିନ ଅପେକ୍ଷା କର ।’’

 

ଆଉ ଠିକ୍‌ ଦଶ ଦିନ ପରେ !

 

ଆଠ ଅଗଷ୍ଟ, ସନ ବୟାଳିଶ ।

 

ବମ୍ବେଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭା ଚାଲିଛି । ଅଦ୍ଭୁତ ବାତାବରଣ-। ଉତ୍ତେଜନା, କ୍ରୋଧ ଏବଂ ତା’ ସାଙ୍ଗେ ସାଙ୍ଗେ ଅନିଶ୍ଚିତ ଭବିଷ୍ୟତର ଅନ୍ଧକାର ମଧ୍ୟ-। ଚାରିଆଡ଼େ ଧିମା–ଧିମା...ଅସ୍ପଷ୍ଟ ଫୁସୁରୁଫାସର । କ’ଣ ହବ !

 

ରାଜନୈତିକ–ଆକାଶରେ ଚାରିଆଡ଼ୁ ଉଠି ଉଠି ଆସୁଥିବା କଳା...କଳା ଚଉଦର ଘେରରେ ଏକ ଅଦ୍ଭୁତ ଅନ୍ଧକାର ଛାଇ ଯାଇଥିଲା । ଖୁବ୍‌ ବର୍ଷା ହେବ; କିନ୍ତୁ କେଉଁଠି, କେତେ, କିଏ ଜାଣେ !

 

ବମ୍ବେର ଏଇ ଐତିହାସିକ ସମ୍ମେଳନରେ ଭାଗ ନେବା ଆଗରୁ ଲୋହିଆ ଅଖିଳ ଭାରତୀୟ କୃଷକ ସମ୍ମେଳନରେ ଅଂଶଗ୍ରହଣ କରିବାପାଇଁ ବେଦୌଲ (ମୁଜାଫରପୁର, ବିହାର) ଚାଲି ଯାଇଥିଲେ । ସେଇଠୁ ସୋସାଲିଷ୍ଟ ପାର୍ଟିର ଏକ ବୈଠକରେ ଲୋହିଆ ଅତି ସ୍ପଷ୍ଟ ଭାବରେ କହି ଦେଇଥିଲେ–ଏଥର କୌଣସି ଗଫଲତି ହୋଇପାରିବନି । ଏହା ଶେଷ ଯୁଦ୍ଧ ହେବ । କ୍ରାନ୍ତିର ପ୍ରସ୍ତୁତି କରି ଚାଲିଥାଅ । ଯେମିତି ବମ୍ବେରୁ ସବୁଜ ଝଣ୍ଡା ଦେଖାଯିବ । ବେଶ୍‌, ସୁଯୋଗ ମିଳିବା ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିବାକୁ ହେବ । ଏଥର ପାର୍ଟିର ଯେଉଁ ସଭ୍ୟମାନେ ଗିରଫ୍ ହୋଇଯିବେ...ସେମାନଙ୍କୁ ନିକମା ବୋଲି ଧରି ନିଆଯିବ...ପ୍ରକୃତ ଅର୍ଥରେ ଏ କ୍ରାନ୍ତିକୁ ସମାଜବାଦୀମାନଙ୍କୁହିଁ ଚଳେଇବାକୁ ପଡ଼ିବ ।’’

 

ଏଥିରୁ ମନେ ହେଉଥିଲା ଯେ ଲୋହିଆଙ୍କ ସମ୍ମୁଖରେ ମାଡ଼ି ଆସୁଥିବା ତୋଫାନର ରୂପରେଖ ସ୍ପଷ୍ଟ ହୋଇ ପଡ଼ିଥିଲା । କ୍ରାନ୍ତି ପ୍ରତି ତାଙ୍କର ହୃଦୟ ଏବଂ ମସ୍ତିଷ୍କ ଖୋଲା ରହିଥିଲା । ଏପରି ମନ ନେଇ ଲୋହିଆ ବମ୍ବେରେ ପହଞ୍ଚିଲେ ।

 

୭ ଅଗଷ୍ଟ ୧୯୪୨, ସନ୍ଧ୍ୟା ସାଢ଼େ ଛ’ଟା । ବମ୍ବେ, ଗୋଆଲିୟର ତାଲାବର ମଇଦାନ-। ତ୍ରିରଙ୍ଗ ପତାକା ଫରଫର ହୋଇ ଉଡ଼ୁଛି । ଅଖିଳ ଭାରତୀୟ କଂଗ୍ରେସ ବୈଠକ-। କଂଗ୍ରେସ କମିଟିର ଅଢ଼େଇ ଶହ ସଦସ୍ୟ ଏବଂ ଦର୍ଶକ ରୂପରେ ଯୋଗ ଦେଉଥିବା ପ୍ରାୟ ପନ୍ଦର ହଜାର ଲୋକ–ସ୍ୱାଧୀନତା ସଂଗ୍ରାମର ସୈନିକ । ‘‘ଭାରତଛାଡ଼’’ ପ୍ରସ୍ତାବ ଉପରେ କଂଗ୍ରେସ ଅଧ୍ୟକ୍ଷ ମୌଲାନା ଆଜାଦ୍‌ଙ୍କ ଦେଢ଼ ଘଣ୍ଟା ଧରି ଗରମାଗରମ ଉତ୍ତେଜନାପୂର୍ଣ୍ଣ ଭାଷଣ ପରେ, ମହାତ୍ମା ଗାନ୍ଧିଙ୍କର ସୂକ୍ଷ୍ମ ଏବଂ ସିଧା ହୃଦୟ ଭେଦ କଲା ଭଳି ଆବାଜ ଶୁଣାଗଲା । ଗାନ୍ଧିଜୀ ତିନି ଘଣ୍ଟା ପର୍ଯ୍ୟନ୍ତ କହି ଚାଲିଲେ । ଗାନ୍ଧିଜୀ ଆଜି ଖୁବ୍‌ ଉତ୍ସାହର ସହ କହୁଛନ୍ତି–

 

‘‘ମୁଁ ବର୍ତ୍ତମାନ ମଧ୍ୟ ଅହିଂସାର ସିଦ୍ଧାନ୍ତ ଉପରେ ଅଟଳ ରହିଛି । ଯଦି ଆପଣମାନେ କ୍ଳାନ୍ତ ହୋଇ ପଡ଼ିଥାନ୍ତି, ତେବେ ଆପଣମାନଙ୍କର ମୋ ସାଙ୍ଗରେ ଆଗେଇ ଯିବାର କୌଣସି ଆବଶ୍ୟକତା ନାହିଁ...ଜଣେ ଜଣେ ଶିଶୁ ମଧ୍ୟ ବୀରଗତି ପାଇଯିବେ । ଆମେ ଆମର ସ୍ୱାଧୀନତା ଲଢ଼େଇ କରି ହାସଲ କରିବୁଁ । ତାହା ଆକାଶକୁ ପଡ଼ି ଆମ ହାତକୁ ଆସି ପାରିବନି । ମୁଁ ଆପଣଙ୍କୁ କହିଦଉଚି ଯେ ମୁଁ ଜଣେ ପକ୍କା ବଣିଆ ଅଟେ ଏବଂ ମୋର ସଉଦା ହଉଚି ସ୍ୱରାଜ୍ୟ ହାସଲ କରିବା ।’’

 

ଏବଂ ତା’ ଆରଦିନ ।

 

ଆଠ ଅଗଷ୍ଟ ଦିନ ‘ଭାରତଛାଡ଼’ ପ୍ରସ୍ତାବ ବହୁମତରେ ଗୃହୀତ ହୋଇଗଲା । ପ୍ରସ୍ତାବ ଉପରେ ଯେତେବେଳେ ଆଲୋଚନା ଚାଲିଲା, କେତେକ ନାମୀ କଂଗ୍ରେସ ନେତା ପଛଘୁଞ୍ଚା ଦେବାକୁ ଲାଗିଲେ । ଠିକ୍‌ ସେତିକିବେଳେ ବତିଶବର୍ଷ ବୟସ୍କ ସେଇ ପତଳା ଯୁବକ ଲୋହିଆ ଆହ୍ୱାନ କଲେ, ‘‘ଗତ କେତେ ମାସ ଭିତରେ ବ୍ରିଟିଶ ରାଷ୍ଟ୍ରପତି ହିନ୍ଦୁସ୍ଥାନର ଭାବନାରେ କେତେକ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଚି । ଘଟଣାଚକ୍ରରେ ଏହା ସ୍ପଷ୍ଟ ଯେ ବ୍ରିଟିଶ ରାଷ୍ଟ୍ର ବର୍ତ୍ତମାନ ସେମିତି କିଛି ଗୋଟାଏ ଅଜେୟ ରାଷ୍ଟ୍ର ନୁହେଁ–ଯେପରି ବର୍ତ୍ତମାନ ସୁଦ୍ଧା ମନେ କରାଯାଉଥିଲା । ଫଳସ୍ୱରୂପ ବ୍ରିଟିଶ ସାମ୍ରାଜ୍ୟର ପରାଧୀନ ଦେଶଗୁଡ଼ିକ ଭିତରେବି ଆଉ ବ୍ରିଟେନର ଡରଭୟ ନାହିଁ । ହିନ୍ଦୁସ୍ଥାନ ସମ୍ବନ୍ଧରେ ବ୍ରିଟେନ ବର୍ତ୍ତମାନ ଯେଉଁ ବାଟ ଧରିଚି, ତାହା ବିରୁଦ୍ଧରେ ଅସନ୍ତୋଷ ଭାବ ଆଜି ଚରମ ସୀମାରେ ପହଞ୍ଚି ସାରିଚି ।’’

 

ସେଇ ଦିନ ଗାନ୍ଧି ରାଷ୍ଟ୍ର ନାଁରେ ଗୋଟାଏ ବାର୍ତ୍ତା ଦେଲେ–‘‘କର ବା ମର’’ ।

 

ଗାନ୍ଧିଙ୍କ ହୃଦୟର ମଥିତ ଭାବନା ଏପରି ଭାବରେ ପ୍ରକାଶ ପାଇବାର ଦେଖି ଜନତାଙ୍କ ମନରେ ପରାଧୀନତା ପ୍ରତି କ୍ଷୋଭ, ବେଦନା ଏବଂ ବ୍ୟାକୁଳତା ଜାଗିଉଠିଲା । ଗାନ୍ଧିଜୀ କହିଲେ–

 

‘‘....କେହି କେହି କହୁଛନ୍ତି, ସମୟ ଦରକାର । ପ୍ରସ୍ତୁତିର ଆବଶ୍ୟକତା ରହିଚି । ମୁଁ ଯେତିକି ବୁଲିଚି, ଆଉ କେହି ସେତିକି ବୁଲି ନାହାନ୍ତି । ମୁଁ ଲୋକଙ୍କୁ ଜାଣେ, ମୋ ହୃଦୟ ତ ତାଙ୍କ ପାଖରେ ରହିଚି । ଆଉ ପ୍ରସ୍ତୁତି ବା କ’ଣ କରିବି ? ମୋର ପ୍ରସ୍ତୁତି କଞ୍ଚା, ମୁଁ କଞ୍ଚା ଏବଂ ମୋର ସୈନ୍ୟ ମଧ୍ୟ କଞ୍ଚା । କିନ୍ତୁ ଆକ୍ରମଣ ଆସିଗଲେ ଆଉ କ’ଣ କରିବି ? ବର୍ତ୍ତମାନ କ’ଣ ପ୍ରସ୍ତୁତ କରିବା ? ଈଶ୍ୱର କ’ଣ କହିବେ ? ସେ ଚାପୁଡ଼ା ମାରିବେନି ? ସେ କ’ଣ ଏଇଆ କହିବେନି ଯେ ମୁଁ ତୁମକୁ ଯେଉଁ ପୁଞ୍ଜି ଦେଇଚି, ତାକୁ ତ ଖର୍ଚ୍ଚ କରି ଦେଇଥାନ୍ତ । ବାକି ମୁଁ ତ ପଛରେ ନିଶ୍ଚୟ ଥିଲି-। ....ମୋ ପାଖରେ ଅନେକ ଲଢ଼େଇ ଲଢ଼ିବାକୁ ରହିଚି । ....ଆଉ ଏମିତି କେତେ ଦିନ ବସିବା...ମୁଁ କାହିଁକି ଯୁଝିବିନି ? ଆପଣ ମୋ ହୃଦୟକୁ ବୁଝି ପାରୁଚନ୍ତି ?

 

‘‘....ଆପଣ ଧରିନିଅନ୍ତୁ ଯେ ଆମେ ସ୍ୱାଧୀନ ହୋଇଗଲୁ । ସ୍ୱାଧୀନତାର ଅର୍ଥ କ’ଣ ? ଗୋଲାମିର ଶିକୁଳି ତ ଛିଣ୍ଡିଗଲା । ବର୍ତ୍ତମାନ ମାଲିକକୁ କହିବା ମୁଁ ଗୋଲାମି ଛାଡ଼ି ଦେଇଚି, ଆପଣଙ୍କୁ ଆଉ ଡରିବିନି । ଆପଣ ବଞ୍ଚେଇ ରଖିବାକୁ ଚାହାନ୍ତି ତ ବଞ୍ଚେଇ ରଖନ୍ତୁ । ଆପଣ ମତେ ଖୋରାକି ଦେଉଥିଲେ । କିନ୍ତୁ ତାହା ତ ମୁଁ ଉତ୍ପାଦନ କରୁଥିଲି ।

 

‘‘....ଆଜି ଆଉ ମଝିରେ ବୁଝାମଣାର ପ୍ରଶ୍ନ ନାହିଁ । ମୁଁ ଲୁଣର ସୁବିଧା କରିବାକୁ କିମ୍ବା ନିଶାନିବାରଣ ନୀତି ଗ୍ରହଣ କରିବାକୁ ଯାଉନି, ମୁଁ ତ ଗୋଟାଏ ଜିନିଷ ନେବାକୁ ଯାଉଚି–‘ସ୍ୱାଧୀନତା’ । ନ ଦେବାର ଅଛି ତ ମୋତେ ହତ୍ୟା କରନ୍ତୁ । ମୁଁ ସେଇ ଗାନ୍ଧି ନୁହେଁ, ଯେ କି ମଝିରେ କିଛି ଗୋଟାଏ ଜିନିଷ ନେଇ ଚାଲିଆସିବି । ଆପଣମାନଙ୍କୁ ତ ମୁଁ ଗୋଟାଏ ମନ୍ତ୍ର ଦେଉଛି–‘‘କରିବା କିମ୍ବା ମରିବା ।’’ ଜେଲ୍‌କୁ ଭୁଲିଯିବା । ଆପଣମାନେ ସଞ୍ଜ–ସକାଳେ ଏଇଆ କହନ୍ତୁ ଯେ ମୁଁ ଖାଉଚି, ପିଉଚି, ନିଃଶ୍ୱାସ ନେଉଚି କେବଳ ଗୋଲାମିର ଶିକୁଳିକୁ ଛିଣ୍ଡେଇ ଦେବାପାଇଁ । ଯିଏ ମରିବା ଜାଣେ, ସେ ବଞ୍ଚି ରହିବାର କଳାବି ଜାଣେ । ଆଜିଠୁଁ ଠିକ୍‌ କରିବା ଯେ ସ୍ୱାଧୀନତା ଆଣିବାକୁଇ ହେବ । ନ ଆଣିବା ତ ମରିବା । ସ୍ୱାଧୀନତା ଭୟାଳୁଙ୍କ ପାଇଁ ନୁହେଁ । ଯାହା ପାଖରେ କିଛି କରିବାର ଶକ୍ତି ଅଛି, ସେ କେବଳ ବଞ୍ଚି ରହିପାରିବ । ଆମେ ପିମ୍ପୁଡ଼ି ନୋହୁ, ହାତୀଠୁଁବି ଆହୁରି ବଡ଼ । ଆମେ ସିଂହ ।

 

‘‘....ମୋତେ ନେତାଗିରି ଦିଆଗଲା । ଫୌଜୀ ପରିଭାଷାରେ ମତେ ସେନାପତି କରି ଦିଆଗଲା । କିନ୍ତୁ ମୁଁ ନିଜକୁ ସେଇ ଦୃଷ୍ଟିରେ ଦେଖୁନି । ମୋର ସେନାପତି ପଦ ଚଳେଇବା ପାଇଁ ମୋ ପାଖରେ ‘ପ୍ରେମ’ ଛଡ଼ା ଆଉ କୌଣସି ଅସ୍ତ୍ର ନାହିଁ । ଯେଉଁ ଲାଠି ସାହାଯ୍ୟରେ ମୁଁ ଚାଲୁଚି, ତାକୁ ତ ଆପଣମାନେ ଅତି ସହଜରେ ଭାଙ୍ଗି ଫିଙ୍ଗିଦେଇ ପାରିବେ । ଏପରି ଅପଙ୍ଗ ବ୍ୟକ୍ତିକୁ ଯେତେବେଳେ ଏଭଳି ଲଢ଼େଇର ବୋଝ ଉଠାଇବାକୁ ନିମନ୍ତ୍ରଣ କରାଯାଏ, ତେବେ ତା’ ପାଖରେ ପୌରୁଷ ଅନୁଭବ କଲା ଭଳି ଅଛି ବା କ’ଣ ? ମୋର ଏଇ ବୋଝକୁ ଆପଣମାନେ ସେତେବେଳେ ଯାଇ ହାଲୁକା କରିପାରିବେ, ଯେତେବେଳେ କି ମୁଁ ଆପଣଙ୍କର ସେନାପତି ରୂପରେ ନୁହେଁ, ବରଂ ଗୋଟାଏ ବିନୀତ ସେବକ ଭାବରେ ଛିଡ଼ା ହୋଇ ରହିପାରିବି । ଯେ ସେବା କରିବାକୁ ଆଗଭର, ସେ ସମସ୍ତଙ୍କ ସେବକ ଭିତରେ କେବଳ ଜଣେ ଆଗୁଆ ସେବକ–ଏତିକିହିଁ ତା’ର ପ୍ରକୃତ ଅର୍ଥ ।

 

‘‘....ମୁଁ କୁଆଡ଼େ ଯିବି ? ଚାଳିଶ କୋଟି ଜନତାଙ୍କୁ କୁଆଡ଼େ ନେଇଯିବି ? ଆଜି ତ ଜନତାଙ୍କ ପ୍ରାଣ ଶୋଷିତ...ନିଷ୍ପେଷିତ । ତାଙ୍କର ନିସ୍ତେଜ ଚକ୍ଷୁରେ ସତେଜତା ଆଣିବାକୁ ହେଲେ ସ୍ୱାଧୀନତା କାଲି ନୁହେଁ, ଆଜିହିଁ ଆଣିବାକୁ ହେବ । ସେଥିପାଇଁ ମୁଁ ଆଜି କଂଗ୍ରେସକୁ ବାଜି ଲଗେଇ ଦେଉଛି ଯେ କଂଗ୍ରେସ ଦେଶକୁ ସ୍ୱାଧୀନ କରିବ ଅଥବା ନିଜେ ମାଟିରେ ମିଶିଯିବ ।’’

 

ତା’ପରେ ‘‘କର ବା ମର’’ ମନ୍ତ୍ର ଦେଇ କ୍ରାନ୍ତିର ଆଗୁଆ ମହାତ୍ମା ଗାନ୍ଧି ସମସ୍ତ ଭାରତବାସୀଙ୍କ ହୃଦୟରେ ଏକ ବହ୍ନି ଜଳାଇଦେଲେ ।

 

ଗାନ୍ଧିଙ୍କ ଭାଷଣର ଗୋଟାଏ ଗୋଟାଏ ଶବ୍ଦ ଯୁବକ ଲୋହିଆଙ୍କ ମାନସପଟରେ ବେଦର ଶବ୍ଦ ଭଳି ଅଙ୍କିତ ହେବାକୁ ଲାଗିଲା । ଲୋହିଆଙ୍କ ମନ ଉତ୍ସାହ ତଥା ଉତ୍ତେଜନାରେ ଡେଇଁବାକୁ ଲାଗିଲା । ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ଜଣା ନଥିଲା ଯେ ଆସନ୍ତା ଲଢ଼େଇରେ ସେ କିଭଳି ଭୂମିକା ଗ୍ରହଣ କରିବେ । ହଁ, ଅବଶ୍ୟ ସେ ଏତିକି ଠିକ୍‌ କରି ନେଉଥିଲେ ଯେ ଯେତେଦୂର ସମ୍ଭବ ହୁଏ ଏଥର ପୋଲିସ୍ ହାତରେ ଧରା ଦେବେନି । ଆଉ ତା’ ସାଙ୍ଗେ ସାଙ୍ଗେ ଲୋହିଆଙ୍କ ମନ ଭିତରୁ କିଏ ଯେପରି ଆହ୍ୱାନ ଦେଇ କହୁଥିଲା–ଏହା ଇତିହାସର ପରିବର୍ତ୍ତନ ସମୟ ଆସୁଛି, ଆଉ ମଧ୍ୟ ରାଜନୀତି ଜୀବନରେ ସୌଭାଗ୍ୟର ସମୟ ଆସୁଛି । ଏଇ ଦେଶ ଭିତରେ କ୍ରାନ୍ତିର ପର୍ବ ଆରମ୍ଭ ହେଉଛି ।

 

ଲୋହିଆ ଯେମିତି ଅଜ୍ଞ ଭାବରେ ଏକ ମୁହୂର୍ତ୍ତକୁ କେତେ ଯୁଗରୁ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ମନେ ହେଲା ଯେ ଅସ୍ଥିରତାକୁ ଶାନ୍ତ କରିବା ଏବଂ ମନର ସ୍ୱପ୍ନ ତଥା ଆକାଂକ୍ଷାକୁ ପୂର୍ଣ୍ଣ କରିବାର ସମୟ ଆସିଯାଇଛି ।

 

ବମ୍ୱେରେ ଯେତେ ଦିନ ଧରି କମିଟିର ବୈଠକ ଚାଲିଥିଲା, ସେତେ ଦିନ ଧରି ତେଣେ ଦିଲ୍ଲୀରେ ଭାଇସ୍‌ରାୟଙ୍କ କାଉନ୍‌ସିଲ୍‌ର ବୈଠକ ରାତିରାତି ଧରି ଚାଲିଥିଲା । ଏଣେ ‘‘ଭାରତଛାଡ଼’’ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା, ଆଉ ତେଣେ ଆଗାମୀ ଆନ୍ଦୋଳନକୁ ଦମନ କରିବାର ଦେଶବ୍ୟାପୀ କାର୍ଯ୍ୟକ୍ରମର ପ୍ରସ୍ତୁତ ଚାଲିଥିଲା ।

 

ଏଣେ ‘‘ଭାରତଛାଡ଼’’ ପ୍ରସ୍ତାବ ପାସ୍ ହେଲା, ଆଉ ତେଣେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ସରକାରଙ୍କର ଦମନଚକ୍ର ଘୂରିବାକୁ ଲାଗିଲା ।

 

ନଅ ଅଗଷ୍ଟ ସକାଳ । ରାତିର ଅନ୍ଧକାର ଭଲ ଭାବରେ ଦୂର ହୋଇ ନଥିଲା । ସକାଳ ଚାରିଟାରେ ଗାନ୍ଧିଙ୍କୁ ଗିରଫ୍ କରି ନିଆଗଲା । କଂଗ୍ରେସର ଅନ୍ୟାନ୍ୟ ବଡ଼ବଡ଼ ନେତାଙ୍କୁ, ଯେଉଁମାନେ ବମ୍ବେରେ ଥିଲେ କିମ୍ବା ବମ୍ବେରେ ନଥାଇ ଆଉ ଯେଉଁଠିବି ଥିଲେ, ସାଙ୍ଗେ ସାଙ୍ଗେ ଗିରଫ୍ କରାଗଲା ।

 

ଏସବୁ କାମ ସରକାର ଖୁବ୍‌ ତତ୍ପରତା ସହକାରେ କଲେ । ଏଥିପାଇଁ ଆଗରୁ ସମସ୍ତ ଆୟୋଜନ କରାଯାଇଥିଲା । ଗାନ୍ଧିଜୀଙ୍କୁ ଗୋଟାଏ ସ୍ୱତନ୍ତ୍ର ରେଲଗାଡ଼ିରେ ପୁନା ଆଡ଼କୁ ନିଆଗଲା ଏବଂ ଅନ୍ୟ ନେତାମାନଙ୍କୁ ଅହମ୍ମଦନଗର ଆଡ଼କୁ । ସେମାନଙ୍କୁ କେଉଁ ଜେଲ୍‌କୁ ନିଆଯାଉଚି, ଏବେବି ଜଣା ନଥିଲା ।

 

ଲୋହିଆ କୌଣସିମତେ ଏଇ ସାମୂହିକ ଗିରଫ୍‍ଦାରିରୁ ନିଜକୁ ରକ୍ଷା କରିନେଲେ ।

 

ଗାନ୍ଧି ଏବଂ ଅନ୍ୟ ନେତାଙ୍କ ଗିରଫ୍‍ଦାରି ଯୋଗୁଁ ଦେଶର ଆହତ ଆତ୍ମା କଡ଼ ଲେଉଟେଇ ଉଠି ଠିଆ ହୋଇଗଲା । ‘‘ଭାରତଛାଡ଼’’ ପ୍ରସ୍ତାବ ପାସ୍ ହେଲାବେଳେ ଗାନ୍ଧିଜୀ ଭାଇସ୍‌ରାୟଙ୍କୁ ଆଉଥରେ ଭଲ ଭାବରେ ଚିନ୍ତା କରିବାପାଇଁ ପନ୍ଦର ଦିନ ସମୟ ଦେବାକୁ ଘୋଷଣା କରିଥିଲେ । ତେବେ ତା’ ପୂର୍ବରୁ ଏଭଳି ଗିରଫ୍‍ଦାରି କାହିଁକି ? ଏହା କ’ଣ ଜନତାଙ୍କୁ ଆହ୍ୱାନ ନୁହେଁ ?

 

ଭାରତୀୟ ଜନତା ଇଂରେଜ ସରକାରଙ୍କର ଏଇ ଆହ୍ୱାନକୁ କେବଳ ସ୍ୱୀକାର କଲେନି ଯେ ଓଲଟି ମୁହଁଭଙ୍ଗା ଜବାବ ମଧ୍ୟ ଦେଲେ ।

 

ଦେଖୁଦେଖୁ ସମଗ୍ର ବମ୍ବେ ଗୋଟାଏ ଉତ୍ତପ୍ତ ଭାଟିରେ ପରିଣତ ହୋଇଗଲା । ଜନତା ଯେପରି ଆନ୍ଦୋଳନର ନେତୃତ୍ୱ ନିଜ ହାତରେ ସମ୍ଭାଳି ନେଇଥିଲେ । କେବଳ ବମ୍ବେ ନୁହେଁ, ଦେଶର ଅନ୍ୟାନ୍ୟ ସହର ଏବଂ ନଗରରେ ମଧ୍ୟ ବିଦ୍ରୋହର ନିଆଁ ଖୁବ୍‌ ଜୋରରେ ଜଳିଉଠିଲା....

 

ଥାନା ଜଳୁଚି । ରେଳ ଲାଇନ୍‌ ଓପାଡ଼ି ଦିଆଯାଉଚି । ବିଜୁଳି ଖୁମ୍ବସବୁ ଟଳି ପଡ଼ୁଚି । ଟେଲିଫୋନ୍‌ ତାର କଟାଯାଉଚି । ଡାକଘରସବୁ ଜଳୁଚି ।

 

ଆଉ ତେଣେ ଦମନ–ଚକ୍ର ପୂରାପୂରି ଦାନବୀୟ ପ୍ରକୃତି ସହ ଘୂରୁଚି । ଲାଠିମାଡ଼ ହେଉଛି...ଗୁଳି ଚାଲୁଚି । ଜେଲରେ ଲୋକଭିଡ଼ ବଢ଼ୁଛି ।

 

ଦେଶର କୋଣ କୋଣରେ, ସଡ଼କ ଉପରେ...ଗଳିକନ୍ଦିରେ...ପଡ଼ିଆରେ ଜନତା ଏବଂ ଫୌଜ ତଥା ସିପାହୀଙ୍କ ମଧ୍ୟରେ ବଳ କଷାକଷି ଚାଲୁଚି ।

 

ସ୍ତ୍ରୀ–ପୁରୁଷ, ପିଲା–ବୁଢ଼ା, ବିଦ୍ୟାର୍ଥୀ–ମଜଦୁର, କୃଷକ–କିରାଣି ସମସ୍ତେ ଆଜି ଯେପରି ପାଗଳ...ଗୋଟାଏ ଆବେଗର ବଶବର୍ତ୍ତୀ । ସମସ୍ତଙ୍କ ମୁହଁରେ ଆଜି ଗୋଟାଏ କଥା–‘କରିବୁ ବା ମରିବୁ’ ।

 

କିନ୍ତୁ କ୍ରାନ୍ତି କୌଣସି ପାଗଳାମୀ କିମ୍ବା ଆବେଗ ମାତ୍ର ନୁହେଁ । କ୍ରାନ୍ତିପାଇଁ ଗୋଟାଏ ନିଶ୍ଚିତ କାର୍ଯ୍ୟକ୍ରମ ଦରକାର; ଯୋଜନା ଦରକାର । କିନ୍ତୁ ଏଭଳି ସମୟରେ କାର୍ଯ୍ୟକ୍ରମ କିଏ ବା ଦେବ ? ଗାନ୍ଧିଜୀହିଁ ଏଇ କାର୍ଯ୍ୟକ୍ରମର ଆଗୁଆ ଥିଲେ, କିନ୍ତୁ ତାଙ୍କୁ ତ ସର୍ବପ୍ରଥମେ ଗିରଫ୍ କରି ନିଆଗଲା । ମାତ୍ର ସେ ତ ଏତିକି କହି ଦେଇଥିଲେ ଯେ ପ୍ରତ୍ୟେକେ ନିଜ ନିଜର ନେତା । ବେଶ୍‌, ସବୁ କିଛି ଅହିଂସାର ସୀମା ଭିତରେହିଁ ହେଉ । କେବଳ ଏତିକିହିଁ ତାଙ୍କର ଆଦେଶ ଥିଲା । ତେଣୁ କରିବୁ ବା ମରିବୁ ସହିତ ଗୋଟାଏ ପ୍ରଶ୍ନ ସଂଲଗ୍ନ ଥିଲା ଯେ ‘‘କରିବା କ’ଣ ? କିମ୍ବା ମରିବା କିପରି-?’’ ଏ ବିଦ୍ରୋହକୁ ଚଳେଇବା ତ କିଛି ଖେଳଘର ନଥିଲା । ଇଂରେଜ ଭଳି ଗୋଟାଏ ହିଂସ୍ର ମହାପ୍ରଭୁଙ୍କୁ ଦେଶରୁ ବାହାର କରିବାକୁ ପଡ଼ିବ ।

 

କିନ୍ତୁ କ୍ରୁଦ୍ଧ ଜନତା ସମ୍ମୁଖରେ ସେତେବେଳେ କେବଳ କିଛି ଗୋଟାଏ କରିବାର ଉତ୍ତେଜନାହିଁ ଥିଲା । ହିଂସା ଅହିଂସାର ତର୍କରେ ପଡ଼ିବାପାଇଁ ଭଲା ସେମାନଙ୍କ ପାଖରେ ସମୟ ବା କାହିଁ !

 

ଦେଶ ପକ୍ଷରେ ଏହା ଏକ ଅଦ୍ଭୁତ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା । ଏତେବେଳେ ଗିରଫ୍‍ଦାରିରୁ ରକ୍ଷା ପାଇଥିବା ସମାଜବାଦୀ ନେତାମାନେହିଁ ଆନ୍ଦୋଳନର ନେତୃତ୍ୱର ଭାର ଗ୍ରହଣ କଲେ ।

 

ବମ୍ବେରେ ସ୍ଥାନେ ସ୍ଥାନେ ଗୁଳି ଚାଲିଥିଲା; ତଥାପି ଗୁଳିମାଡ଼ର ଆଢ଼ୁଆଳରେ ରହି ସମାଜବାଦୀ ଯୋଦ୍ଧାମାନେ ନିଜ କାମ ଚାଲୁ କରିଦେଲେ ।

 

ଗୁପ୍ତ ବୈଠକ ବସିଲା । ରୂପ ବେଶ ବଦଳେଇ ସମସ୍ତେ ଗୋଟି ଗୋଟି କରି ଆସିବାକୁ ଲାଗିଲେ ।

 

ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ସାଦ୍ଦିକ ଅଲ୍ଲି, ପୁରୁଷୋତ୍ତମ ତ୍ରିକମ ଦାସ, ମୋହନଲାଲ ସାକ୍‌ସେନା, ରମାନନ୍ଦ ମିଶ୍ର, ସଦାଶିବ ମହାଦେବ ଯୋଷୀ, ସାନେ ଗୁରୁଜୀ, କମଳାଦେବୀ ଚଟ୍ଟୋପାଧ୍ୟାୟ, ଅରୁଣା ଆସଫ ଅଲ୍ଲୀ, ସୁଚେତା କୃପାଳିଜୀ ଏବଂ ପୂର୍ଣ୍ଣିମା ବାନାର୍ଜୀ-। ଏହି ନେତାମାନଙ୍କୁ ନେଇ ଏକ କେନ୍ଦ୍ରୀୟ ସଞ୍ଚାଳନ ମଣ୍ଡଳ ଗଢ଼ାଗଲା । କାର୍ଯ୍ୟ–ବିଭାଜନ ମଧ୍ୟ କରାଗଲା ।

 

ସଂଗଠନ କାର୍ଯ୍ୟ ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କୁ ଦିଆଗଲା ।

 

ଲୋହିଆଙ୍କ ଉପରେ ନୀତି–ନିର୍ଦ୍ଧାରଣ କରି ବିଚାର ଦେବା ଦାୟିତ୍ୱ ଅର୍ପଣ କରାଗଲା ।

 

ଲୋହିଆ ସାଙ୍ଗେ ସାଙ୍ଗେ କାର୍ଯ୍ୟକ୍ରମ ଏବଂ ବିଚାର ପେଶ୍ କଲେ । ଅଚ୍ୟୁତ ପଟ୍ଟବର୍ଦ୍ଧନ ଏବଂ ଲୋହିଆଙ୍କର ବିଶେଷ ଆଗ୍ରହ ଥିଲା ଯେ ମାନବ–ହତ୍ୟା ଏବଂ ଜନ–କ୍ଷତିକୁ ଛାଡ଼ି ଭୂମିଗତ ଆନ୍ଦୋଳନ (underground revolution) ଚଳେଇବା ଉଚିତ । ଲୋହିଆଙ୍କ ଯୋଜନା ଅନୁସାରେ ଭୂ–ଗର୍ଭ ଆନ୍ଦୋଳନ କାର୍ଯ୍ୟକ୍ରମକୁ ଗ୍ରହଣ କରିବାହିଁ ନିତାନ୍ତ ଆବଶ୍ୟକ ହୋଇପଡ଼ିଲା । ଏଇ କାର୍ଯ୍ୟକ୍ରମଦ୍ୱାରା ରାଜତନ୍ତ୍ରକୁ ସ୍ଥାଣୁ କରିଦେବାର ଉଦ୍ଦେଶ୍ୟ ଥିଲା । ଲୋହିଆଙ୍କ ବିଚାର ଥିଲା ଯେ, ତାର–ଯନ୍ତ୍ର ଭାଙ୍ଗିବା, ହତିଆର ବୋହୁଥିବା ଫୌଜୀ ରେଳଗାଡ଼ିସବୁକୁ ବାରୁଦରେ ଉଡ଼େଇଦେବା, ଗମନାଗମନପଥକୁ ଭାଙ୍ଗିଦେବା–ଏସବୁ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯିବା ଉଚିତ-। ତା’ ସାଙ୍ଗେ ସାଙ୍ଗେ ସରକାରୀ କାରବାରର ମୁଖ୍ୟ ସ୍ଥଳକୁ ଅଧିକାର କରିନେବା କିମ୍ବା ତାକୁ ନଷ୍ଟ କରିଦେବା ଭୂମିଗତ କାର୍ଯ୍ୟକ୍ରମର ପ୍ରଧାନ କାର୍ଯ୍ୟ ହେବା ଉଚିତ ।

 

ବମ୍ବେର ଏଇ ‘‘କେନ୍ଦ୍ରୀୟ ସଂଚାଳନ ମଣ୍ଡଳ’’ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ତା’ର ସମ୍ବାଦ ପ୍ରତ୍ୟେକ ଅଞ୍ଚଳକୁ ପଠେଇବାର ଗୋଟାଏ ଯୋଜନା ପ୍ରସ୍ତୁତ କଲେ ।

 

କାର୍ଯ୍ୟକ୍ରମ କିମ୍ବା ସମ୍ବାଦ କେଉଁଠି ପହଞ୍ଚିବା ପୂର୍ବରୁ ସମଗ୍ର ଦେଶ ଭିତରେ ବିଦ୍ରୋହର ବିଗୁଲ ବାଜିଉଠିଲା । ଦିଦିନ ଭିତରେହିଁ ଦେଶର ପ୍ରାୟ ସମସ୍ତ ଜାଗାରେ ଖୋଲାଖୋଲି ବିଦ୍ରୋହର ତତ୍ପରତା ଆରମ୍ଭ ହୋଇଯାଇଥିଲା । ହଁ , ପ୍ରତ୍ୟେକ ସ୍ଥାନରେ କିନ୍ତୁ ବିଦ୍ରୋହର ରୂପ ଭିନ୍ନ ଭିନ୍ନ ଆକାର ଧାରଣ କରିଥିଲା ।

 

ଠିକ୍‌ ଏଇ ସମୟରେ ଇଂରେଜ ସରକାରଙ୍କର ଲଣ୍ଡନସ୍ଥ ଭାରତ ମନ୍ତ୍ରୀ ମିଷ୍ଟର୍ ଏମ୍‌ରୀଙ୍କର ବ୍ରିଟିଶ ପାର୍ଲିଆମେଣ୍ଟ୍‍ରେ ଦେଇଥିବା ଗୋଟାଏ ବିବୃତି ଭାରତରେ ରେଡ଼ିଓଦ୍ୱାରା ବିଭିନ୍ନ ଭାଷାରେ ପ୍ରଚାରିତ କରାଗଲା, ଯେଉଁଥିରେ ଏମ୍‌ରୀ କହିଥିଲେ ଯେ ଭାରତୀୟ ଜନତା ଖୋଲା ବିଦ୍ରୋହ ନାମରେ ରେଳ–ଲାଇନ୍‌ ଓପାଡ଼ି ଫିଙ୍ଗିବା, ତାର କାଟିବା, ପୋଲ ଭାଙ୍ଗିବା, ଥାନା ଅଧିକାର କରିବା, କଚେରିରେ ଶାସନକଳକୁ ଅଧିକାର କରିନେବା କାମସବୁ କରୁଚନ୍ତି । ରେଡ଼ିଓଦ୍ୱାରା ଏ ଖବର ଶୁଣି ଜନତା ଭାବିନେଲେ ଯେ ବୋଧହୁଏ ଆନ୍ଦୋଳନର କାର୍ଯ୍ୟକ୍ରମ ଏଇଆ । ତା’ପରେ ସମଗ୍ର ଦେଶ ଏଇ କାର୍ଯ୍ୟକ୍ରମକୁ ଚଳେଇବାରେ ଲାଗିଗଲେ ।

 

ଏ କଥା ସର୍ବବିଦିତ ଯେ ପ୍ରାୟ ଗୋଟାଏ ପକ୍ଷ ପର୍ଯ୍ୟନ୍ତ ଭାରତର ଅନେକ ସ୍ଥାନରେ ଇଂରେଜ ରାଜତ୍ୱ ଉଠିଯାଇଥିଲା; କିନ୍ତୁ ଯେମିତି ସଂଗଠିତ ଭାବରେ ସରକାର ଦମନଲୀଳା ଆରମ୍ଭ କରିଦେଲେ, ଭାରତର ମାଟି ବିଦ୍ରୋହୀଙ୍କ ରକ୍ତରେ ଲାଲ ହେବାକୁ ଲାଗିଲା ।

 

ଠିକ୍‌ ସେତିକିବେଳେ ବମ୍ବେରୁ ଦିଆଯାଇଥିବା ସମାଜବାଦୀ ନେତାଙ୍କ ବାର୍ତ୍ତା, ସହର...ସହର, ଗାଁ...ଗାଁରେ ପହଞ୍ଚିଗଲା । ଧିମେଇ ପଡ଼ୁଥିବା ବିଦ୍ରୋହ ପୁଣି ତେଜିଉଠିଲା । ବୀରତ୍ୱର ସହ ଦମନର ମୁକାବିଲା ହେବାକୁ ଲାଗିଲା । କ୍ରାନ୍ତିର ଜ୍ୱାଳାରେ ନୂଆ ଇନ୍ଧନ ପଡ଼ିବାକୁ ଲାଗିଲା ।

 

ପୂରା ଆନ୍ଦୋଳନକୁ ଗୁପ୍ତଭାବରେ ଚଳେଇବା ଏବଂ ଭୂମିଗତ କରି ରଖିବାପାଇଁ ଚେଷ୍ଟା କରାଗଲା । ବିଦ୍ରୋହୀଙ୍କର ବୁଲେଟିନ୍‌ ଏବଂ ବେଆଇନ ଖବରକାଗଜସବୁ ଛପା ହୋଇ ଆସିବାକୁ ଲାଗିଲା । କ୍ରାନ୍ତିର ଜ୍ୱଳନ୍ତ ଶିଖା ପୁଣି ଥରକପାଇଁ ଆକାଶକୁ ଛୁଇଁଗଲା ।

 

ସାରା ଦେଶ ଗୋଟାଏ ସ୍ଲୋଗାନ୍‌ରେ ମୁଖରିତ ହୋଇଉଠୁଥିଲା–

 

‘‘ଚାଳିଶ କୋଟି ଜନତା ଦବିଯିବେ ନାହିଁ’’–

 

‘‘କରିବୁ ବା ମରିବୁ ।’’

 

ଆଠ ଅଗଷ୍ଟ ରାତିରେ ପୋଲିସ୍ ଲୋହିଆଙ୍କ ଉପରେ ଆକ୍ରମଣ କରିଥିଲା; କିନ୍ତୁ ନିଜେ ସତର୍କ ରହିଥିବା ଯୋଗୁଁ ଲୋହିଆ ଖସିଯାଇ ସାଙ୍ଗେ ସାଙ୍ଗେ ଆତ୍ମଗୋପନ କରିଗଲେ ।

 

ଭୂମିଗତ ରହି ଲୋହିଆ ଆରମ୍ଭରେ କିଛିଦିନ ପାଇଁ ଦେଶରେ ବିଦ୍ରୋହରେ ଭାଗ ନେଇଥିବା ବିଦ୍ରୋହୀଙ୍କ ପାଇଁ ବୁଲେଟିନ୍‌ ଏବଂ ଛୋଟ ଛୋଟ ବହିଗୁଡ଼ାଏ ଲେଖିଲେ ।

 

ସବୁଠୁ ବେଶୀ ପ୍ରସିଦ୍ଧ ଏବଂ ପ୍ରେରଣା ଦେବା ଭଳି ପୁସ୍ତକ ଥିଲା–‘ଯୋଦ୍ଧାଗଣ, ଆଗେ ବଢ଼’ । ସେଥିରେ ଲୋହିଆ ଲେଖିଥିଲେ–

 

‘‘ପରିସ୍ଥିତିରେ ପ୍ରତିଦିନ ହେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ନୂଆ ନୂଆ ପ୍ରତିକାର ଲୋଡ଼ିବା ଏବଂ ସାମୁଦାୟିକ କୃତିପାଇଁ ସଂଗଠନ ଛିଡ଼ା କରେଇବା ଆମମାନଙ୍କର କର୍ତ୍ତବ୍ୟ । କେବଳ ପରିସ୍ଥିତିର ଚାପାରେ ଆମେ କେତେ ଜଣ ଆତ୍ମଗୋପନ କରି ଜୀବନ କଟଉଚୁଁ; କିନ୍ତୁ ସ୍ୱାଧୀନତା ଗୋଟାଏ କ’ଣ ପ୍ରତ୍ୟେକ ଭାରତବାସୀଙ୍କୁ ବୁଝିବାକୁ ପଡ଼ିବ । ‘ମୁଁ ସ୍ୱାଧୀନ’–ଗାନ୍ଧିଜୀଙ୍କର ଏଇ ଘୋଷଣାହିଁ ଆମମାନଙ୍କର ଉଦ୍ଦେଶ୍ୟ ହେବା ଉଚିତ । ବ୍ରିଟିଶ ରାଜ୍ୟ ପ୍ରତି ଚପିରହିଥିବା ଘୃଣା ସ୍ୱାଧୀନତାର ପ୍ରମତ୍ତ ଭାବନାରେ ପରିବର୍ତ୍ତନ ହେବା ଉଚିତ । ଯଶ–ଅପଯଶର ପରଓ୍ୱା ନ କରି ସ୍ୱାତନ୍ତ୍ର୍ୟର ଉତ୍ଥାନ ଜନତାଙ୍କୁ କରିବାକୁହିଁ ପଡ଼ିବ । ‘ମୁଁ ସ୍ୱାଧୀନ ଅଟେ’–ଏଇ ଆହ୍ୱାନ ଆଜି ନିରସ୍ତ୍ର ଭାରତୀୟଙ୍କୁ ନିଜର ନିଜ କୃତିଦ୍ୱାରା ପ୍ରମାଣିତ କରିବାକୁ ପଡ଼ିବ ।’’

 

‘କ୍ରାନ୍ତି ପ୍ରସ୍ତୁତ କର’ ନାମକ ଲେଖାରେ ଲୋହିଆ ଦେଶର ଇନ୍‌କିଲାବୀ ଜନତାଙ୍କୁ ବାର୍ତ୍ତା ଦେଲେ–

Unknown

 

‘‘କାର୍ଯ୍ୟକ୍ଷେତ୍ରରେ ଦୃଢ଼ ଏବଂ ଶିକ୍ଷା ପାଇଥିବା ପାଞ୍ଚ ପାଞ୍ଚ ଜଣ ଲୋକଙ୍କୁ ନେଇ ଏମିତି ଗୋଟାଏ ଗୋଟାଏ ଦଳ ଗଢ଼ାଯାଉ, ଯେଉଁମାନେ କି କ୍ରାନ୍ତି ଆରମ୍ଭ ହେବା ସଙ୍ଗେ ସଙ୍ଗେ ଆଗଭର ହୋଇ ଜନତାର ନେତୃତ୍ୱ ନେଇପାରିବେ ଏବଂ ତାକୁ ସଫଳତା ପ୍ରଦାନ କରିପାରିବେ । ଖୁବ୍‌ ବଡ଼ ବଳିଦାନ ଦେଇ ମଧ୍ୟ ନିଜେ ନିଜେ ବିଦ୍ରୋହପାଇଁ ଠିଆ ହୋଇଥିବା ଜନତା–ଯେଉଁ କାମକୁ ସମ୍ପୂର୍ଣ୍ଣ ଭାବରେ କରିପାରିବେ ନାହିଁ, ସେଇ କାମକୁ ଏପରି ସଂଗଠିତ ଦଳ ସହଜରେ ସଂପନ୍ନ କରିଦେଇପାରିବେ । ଶୋଭାଯାତ୍ରା ଉପରେ ଗୁଳି ଚଳାଇବା ପାଇଁ ପଠାଯାଇଥିବା କିମ୍ବା ଇଂରେଜ ସରକାରଙ୍କ କେନ୍ଦ୍ରଗୁଡ଼ିକୁ ରକ୍ଷା କରିବାପାଇଁ ନିଯୁକ୍ତ ହୋଇଥିବା ସୈନିକଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼େଇ ଆଣିବାଠାରୁ ଆରମ୍ଭ କରି ସଡ଼କ ଭାଙ୍ଗିବା, ତାର କାଟିବା, ରେଳଲାଇନ୍‌ ଓପାଡ଼ିବା କିମ୍ବା ଥାନା ଉପରେ, କଚେରି ଉପରେ ଓ ସେକ୍ରେଟେରିଏଟ୍‌ ଉପରେ ଜନସମୂହକୁ ନେଇ ଆକ୍ରମଣ କରିବା ପର୍ଯ୍ୟନ୍ତ ଏସବୁ କାମପାଇଁ ଆଗରୁ ଶିକ୍ଷା ପାଇଥିବା ନବଯୁବକମାନଙ୍କୁ ନେଇ ଗଠିତ ହୋଇଥିବା ଦଳଗୁଡ଼ିକହିଁ କମାଲ୍ କରି ଦେଖେଇ ଦେଇପାରିବେ । ଯେଉଁ ଯେଉଁ କ୍ଷେତ୍ରରେ ଏଭଳି ଦଳ ରହିବେ, ସେଇଠି ସେଇଠି କ୍ରାନ୍ତି ଆରମ୍ଭ ହେବାକ୍ଷଣି ଇଂରେଜ ରାଜତ୍ୱକୁ ଫୁଟକି ମାରି ସହଜରେ ଖତମ୍‌ କରି ଦିଆଯାଇପାରିବ ଏବଂ ଏମାନଙ୍କଠାରୁ ଉତ୍ସାହ ପାଇ ଅନ୍ୟ ସ୍ଥାନରେ ମଧ୍ୟ କ୍ରାନ୍ତିର ନିଆଁ ଜଳିଉଠି ଇଂରେଜ ସାମ୍ରାଜ୍ୟକୁ ସ୍ୱାହା କରିଦେବ ।’’

 

‘ସ୍ୱାଧୀନ ଦେଶ କିପରି ନିର୍ମିତ ହେବ ?’ ନାମକ ପୁସ୍ତକରେ ସଂଯୁକ୍ତ ପ୍ରଦେଶର (ବର୍ତ୍ତମାନ ଉତ୍ତରପ୍ରଦେଶ) ଲୋକମାନଙ୍କୁ ଲେଖିଲେ–

 

‘‘ମୁଁ ଜୋର୍‌ ଦେଇ କହିପାରେ ଯେ, ଯଦି ନିଜ ପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ ଶହେ ଜଣ ମଜବୁତ୍‌ ଆଉ ସାହସୀ ଲୋକ ବାହାରନ୍ତି ଏବଂ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ପର୍ଯ୍ୟନ୍ତ ଭଲ ଭାବରେ ସଂଗଠନ କରାଯାଏ, ତେବେ ସମଗ୍ର ପ୍ରଦେଶରେ ନିଶ୍ଚୟ କିଛି ହୋଇପାରିବ ଏବଂ ଆମେ ପୁଣି ଗୋଟାଏ ଜୋର୍‌ଦାର ଓ ସଫଳ କ୍ରାନ୍ତି ଆରମ୍ଭ କରିଦେଇପାରିବା ।’’

 

ସତ କହିବାକୁ ଗଲେ ଲୋହିଆ ସ୍ୱଭାବରୁହିଁ ଭୂମିଗତ ଆନ୍ଦୋଳନ ପାଇଁ ଖୁବ୍‌ ସକ୍ଷମ ଥିଲେ । ଅଗଷ୍ଟ ୧୯୪୨ ସାଲ ରାତିରେ ଆରମ୍ଭ ହୋଇଥିବା ଲୋହିଆଙ୍କ ଭୂମିଗତ ଜୀବନ ୨୦ ମେ ୧୯୪୪ ସାଲ ପର୍ଯ୍ୟନ୍ତ–ଏକୋଇଶ ବାଇଶି ମାସ କାଳ ଚାଲିଲା । ଏଇ ଦୀର୍ଘ ସମୟରେ ଲୋହିଆଙ୍କର କାହାଣୀ ଖୁବ୍‌ ରୋମାଞ୍ଚକାରୀ ତଥା ପ୍ରେରଣାଦାୟକ ଅଟେ ।

 

କିନ୍ତୁ କଷ୍ଟ ସହ୍ୟ କରିବା ଏବଂ ତା’ ମଧ୍ୟ ନିଜ ମନର ଆଦର୍ଶକୁ ଚରିତାର୍ଥ କରିବାପାଇଁ ବାସ୍ତବିକ କେତେ ସୁଖଦାୟକ ଏବଂ ରୋମାଞ୍ଚକ ହୋଇଥିବ !

 

ବମ୍ବେରୁ ଲୋହିଆ କଲିକତା ଆସିଲେ ।

 

ଲୋହିଆଙ୍କ ଚାରିପାଖରେ ଗୁପ୍ତ ପୋଲିସ୍‍ର ଜାଲ ବିଛେଇ ହୋଇ ରହିଥିଲା । ବମ୍ବେରେ ରହିବା କଷ୍ଟକର ହୋଇପଡ଼ୁଥିଲା । ତେଣୁ ପୁଣି କଲିକତା !

 

ଲୋହିଆ ଭୂ–ଗର୍ଭରେ । ପୋଲିସ୍ ଭୂମି ଉପରେ ।

 

ପୋଲିସ୍ ନିଜ ସତର୍କତା ଉପରେ ବ୍ୟସ୍ତ ଥିଲାବେଳେ ଲୋହିଆ ଆସି କଲିକତାରେ ପହଞ୍ଚିଗଲେ ।

 

ପୁରୁଣା ସହର–ପୁରୁଣା ଦୋସ୍ତ–ପୁରୁଣା ସାଥୀ ।

 

ଲୋହିଆ କଲିକତାରେ ପହଞ୍ଚିବାକ୍ଷଣି ବିଦ୍ରୋହର ନୂଆ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା ।

 

ଲୋହିଆଙ୍କ ପ୍ରେରଣାରେହିଁ କଲିକତାସ୍ଥ ମାଣିକତାଲା ଡାକଘରକୁ ଲୁଟ କରି ନିଆଗଲା-

 

ସେତେବେଳେ ଲୋହିଆ କହିଲେ, ‘‘ଲୁଟ କରାଯାଇଥିବା ଗୋଟାଏ ପଇସା ମଧ୍ୟ ନିଜପାଇଁ ଖର୍ଚ୍ଚ କର ନାହିଁ ।’’

 

ଭୂମିଗତ ଜୀବନର ଅଧିକାଂଶ ସମୟ ଲୋହିଆ କଲିକତା ଏବଂ ବମ୍ବେରେହିଁ କଟେଇଲେ । ଯେତେବେଳେ କଲିକତା ମୁଖରିତ ହୁଏ, ପୋଲିସ୍‍ର ସରଗରମୀ ବଢ଼ିଯାଏ....ଲୋହିଆ ବମ୍ବେ ଚାଲିଯାନ୍ତି । ଯେତେବେଳେ ପୋଲିସ୍ ଧାଇଁ ଯାଇ ବମ୍ବେରେ ପହଞ୍ଚିଯାଏ, ସେତେବେଳେ ଲୋହିଆ କଲିକତା ଚାଲିଆସନ୍ତି ।

 

ଲୁଚା–ଛପାର ଏଇ ଖେଳବି ସତେ କେତେ ଆନନ୍ଦଦାୟକ ଥିଲା !

 

ସେତେବେଳେ (ଭୂମିଗତ) ଆତ୍ମଗୋପନ ଜୀବନରେ ଲୋହିଆ ସଦାସର୍ବଦା ଖାଣ୍ଟି ଇଂରେଜ ପୋଷାକ ପିନ୍ଧି ରହୁଥିଲେ । କୋଟ୍‌, ପ୍ୟାଣ୍ଟ୍‌, ବୁଟ୍‌, ଟାୟରେ ସଜ୍ଜିତ । ଏକଦମ୍‌ ଆଧୁନିକ-। ଇଂରେଜପଢ଼ୁଆ ବିଦ୍ୟାର୍ଥୀ ଭଳି ମନେ ହେଉଥିଲେ । ସେ ଯେ ଜଣେ ଦେଶଭକ୍ତ, ଏ ସନ୍ଦେହ କାହାର ନଥିଲା । ଚେହେରାରେ ତଫାତ୍‌ ଆଣିବାପାଇଁ ମୁହଁ ଉପରେ କଳା ଦାଗ ଲଗେଇ ରଖୁଥିଲେ ।

 

କଲିକତାର ସେଣ୍ଟ୍ରାଲ ଏଭିନ୍ୟୁର ଗୋଟାଏ ଛ’ ମହଲା କୋଠାର ତୃତୀୟ ମହଲାସ୍ଥ ଗୋଟାଏ କୋଠରୀରେ ଲୋହିଆ ରହୁଥିଲେ । ସେଇଠି ସେ ଗୋଟାଏ ପରିବାର ସାଙ୍ଗରେ ରହୁଥିଲେ । ଆଖପାଖର ଲୋକେ ପ୍ରାୟ ସେ ଘରର ଗୃହିଣୀଙ୍କୁ ପଚାରନ୍ତି–ଏ ଲୋକଟି କିଏ ? ବେଳେବେଳେ ଆସି ପୁଣି ମଝିରେ ମଝିରେ କୁଆଡ଼େ ଅଦୃଶ୍ୟ ହୋଇଯାନ୍ତି ?

 

ସେତେବେଳେ ବିଚାରୀ ଗୃହିଣୀ ଛନ୍ଦପୂର୍ଣ୍ଣ ଦୁଃଖରେ କହନ୍ତି, ‘‘ଏ ବିଚାରା ଲୋକଟି ବଡ଼ ବ୍ୟସ୍ତରେ ଅଛି । ମୋ ଶାଶୁଙ୍କ ଦୂର ସମ୍ପର୍କୀୟ । ତା’ର ସମସ୍ତ ଟଙ୍କା ‘ସଟାବାଜି’ (ଜୁଆଖେଳ)ରେ ସ୍ୱାହା ହୋଇଯାଇଛି । ସେଥିପାଇଁ ସେ ବର୍ତ୍ତମାନ ମୁହଁ ଲୁଚେଇ ବୁଲୁଛନ୍ତି । ଦିନରାତି ଘର ଭିତରେହିଁ ବସିରହୁଛନ୍ତି ।’’

 

ଏଭଳି ନକଲି କଥା କହିବାଦ୍ୱାରା ଲୋହିଆଙ୍କ ପ୍ରତି ଲୋକଙ୍କର ଉତ୍ସୁକତାକୁ ସେ କୌଣସି ପ୍ରକାରେ ଚପେଇ ଦିଅନ୍ତି ।

 

ଏଇ ଭୂମିଗତ ଜୀବନ କାଳରେ ଲୋହିଆ କଲିକତାରେ ‘ବାଁଠିଆଜୀ’ ନାମରେ ଖ୍ୟାତ ଥିଲେ । ଇଂରେଜ ପୋଷାକ ପିନ୍ଧି ସେ ଯେତେବେଳେ ଲୋକଙ୍କ ସାଙ୍ଗରେ ‘ବାଁଠିଆଜୀ’ ଭାବରେ ଖାଣ୍ଟି ମାରଓ୍ୱାଡ଼ୀ ଭାଷାରେ ବ୍ୟବସାୟ ସମ୍ବନ୍ଧୀୟ କଥାବାର୍ତ୍ତା କରନ୍ତି, ଲୋକେ ତାଙ୍କୁ ଜୁଆଡ଼ି ଶେଠ ବୋଲିହିଁ ମନେକରନ୍ତି । ସ୍ୱପ୍ନରେ ମଧ୍ୟ ସେଇ ଲୋହିଆ ରୂପକୁ ଦେଖି କେହି ତାଙ୍କୁ ଦେଶଭକ୍ତ କିମ୍ବା କ୍ରାନ୍ତିକାରୀ ବୋଲି ଭାବନ୍ତିନି ।

 

ସେ ସମୟରେ ବମ୍ବେ ଏବଂ କଲିକତାରେ ଲୋହିଆଙ୍କ ପ୍ରେରଣାରେ ଦୁଇଟି ଗୁପ୍ତ ରେଡ଼ିଓ କେନ୍ଦ୍ର ସ୍ଥାପନା କରାଯାଇଥିଲା । ବମ୍ବେ ରେଡ଼ିଓ କେନ୍ଦ୍ରର କାମ ଚଳେଇବାରେ ଲୋହିଆଙ୍କ ସାହାଯ୍ୟକାରିଣୀ ଥିଲେ ଉଷା ମେହତା । ସେଇ ‘ରେଡ଼ିଓ’ର ନାଁ ଥିଲା–‘କଂଗ୍ରେସ ରେଡ଼ିଓ’ ।

 

ନିଜ ରେଡ଼ିଓ ପାଖରେ ବସି ଆରାମରେ ଗୀତ ଶୁଣୁଥିବା ଲୋକଙ୍କୁ ପ୍ରାୟ ମଝିରେ ମଝିରେ ହଠାତ୍‌ ଶୁଣିବାକୁ ମିଳୁଥିଲା–‘‘ଏହା କଂଗ୍ରେସ ରେଡ଼ିଓ ଅଟେ । ଆମେ ଦେଶର କୌଣସି ଏକ ସ୍ଥାନରୁ କହୁଚୁ । ସ୍ୱାଧୀନତା ପାଇଁ ଲଢ଼ୁଥିବା ଲୋକଙ୍କ ନାମରେ ବର୍ତ୍ତମାନ ଖବର ଶୁଣନ୍ତୁ ।’’

 

ତା’ପରେ ବଡ଼ ତୀକ୍ଷ୍ଣ ଭାଷାରେ ଖୁବ୍‌ ଗରମାଗରମ ଭାଷଣ ଆରମ୍ଭ ହୋଇଯାଉଥିଲା ।

 

ସେଇ ତୀକ୍ଷ୍ଣ ଭାଷା ଲୋହିଆଙ୍କର ଥିଲା । ରେଡ଼ିଓରେ ପ୍ରଚାର କରିବାର ଗୁରୁ ଦାୟିତ୍ୱ ଲୋହିଆଙ୍କ ଉପରେହିଁ ଅର୍ପଣ କରାଯାଇଥିଲା । ପ୍ରାୟ ସମସ୍ତ ଖବର ଏବଂ ଭାଷଣ ତାଙ୍କୁହିଁ ପ୍ରସାରିତ କରିବାକୁ ପଡ଼ୁଥିଲା । ତାଙ୍କ ଭାଷଣଦ୍ୱାରା ବିଦ୍ୟାର୍ଥୀ, ମଜଦୁର, ପୋଲିସ୍ କର୍ମଚାରୀ, ସରକାରୀ କର୍ମଚାରୀ ଏବଂ ଅନ୍ୟ ସମସ୍ତେ ଅତି ପ୍ରଚଣ୍ଡ ଭାବରେ ପ୍ରେରିତ ହୋଇ ଉଠୁଥିଲେ ।

 

ବାସ୍ତବିକ ଏଇ କଂଗ୍ରେସ ରେଡ଼ିଓ ଆନ୍ଦୋଳନକୁ ଅନେକ ଦିନ ଧରି ବଞ୍ଚେଇ ରଖିଥିଲା-। ପୋଲିସ୍ ଏବଂ ସରକାର ରେଡ଼ିଓର ଶବ୍ଦ ଶୁଣି ସହର...ସହର, ଜଙ୍ଗଲ...ଜଙ୍ଗଲ, ଗଳି...କନ୍ଦିରେ ରେଡ଼ିଓ ଷ୍ଟେସନ୍‍କୁ ଖୋଜି ବାହାର କରିବାପାଇଁ ବ୍ୟସ୍ତ ହୋଇପଡ଼ିଲେ । କିନ୍ତୁ ରେଡ଼ିଓ ହାତକୁ ଆସିପାରିଲାନି ।

 

୧୩ ଅଗଷ୍ଟଠାରୁ ୧୪ ନଭେମ୍ବର ୧୯୪୨ ସାଲ ପର୍ଯ୍ୟନ୍ତ ମାନେ ଚଉରାନବେ ଦିନ ପର୍ଯ୍ୟନ୍ତ ଏଇ ରେଡ଼ିଓ ଯେମିତି ଭାବରେ କ୍ରାନ୍ତିର ଯଶସ୍ୱୀ ମାର୍ଗ ପ୍ରଦର୍ଶନ କଲା, ତାହା ଅଭୂତପୂର୍ବ । ଅନେକ ରୋମାଞ୍ଚକାରୀ ବୀରତ୍ୱର ଗାଥା ଏବଂ ରହସ୍ୟପୂର୍ଣ୍ଣ କାହାଣୀ ଏଇ ରେଡ଼ିଓ ସହିତ ସଂଶ୍ଳିଷ୍ଟ ହୋଇ ରହିଛି ।

 

ଏହା ସମ୍ବନ୍ଧରେ ଘରେ ଘରେ ଆଶ୍ଚର୍ଯ୍ୟ ଧରଣର ଚର୍ଚ୍ଚା ହେଉଥିଲା । କିଏ କହୁଥିଲା, ଏଇ ରେଡ଼ିଓ ଷ୍ଟେସନ୍ ନେପାଳରେ ଅଛି, କିଏ କହୁଥିଲା ଗୋଆରେ, ଆଉ କିଏ କହୁଥିଲା ପଣ୍ଡିଚେରୀରେ, କିଏ ବା କହୁଥିଲା ଦିଲ୍ଲୀରେ ।

 

ଯେତେବେଳେ ଲୋହିଆ ଆନ୍ଦୋଳନର ସଙ୍ଗଠନରେ ଅଧିକ ବ୍ୟସ୍ତ ହୋଇଗଲେ, ରେଡ଼ିଓରେ ଭାଷଣ ଦେବାପାଇଁ ନିୟମିତ ତଥା ନିଶ୍ଚିତ ସମୟରେ ପହଞ୍ଚିବା ତାଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡ଼ିଲା । ତା’ପରେ ଲୋହିଆଙ୍କର କେତେକ ଭାଷଣକୁ ଏକାଠି କରି ରେକର୍ଡ଼ କରି ଦିଆଗଲା, ଯାହା କି ଠିକ୍‌ ସମୟରେ ବଜେଇ ଦିଆଯାଉଥିଲା । ଲୋହିଆଙ୍କ ଭାଷଣରେ ସେତେବେଳେ ପ୍ରସ୍ତୁତ କରାଯାଇଥିବା ରେକର୍ଡ଼ ବର୍ତ୍ତମାନ ମଧ୍ୟ ସୁରକ୍ଷିତ ରହିଚି ।

 

ଦିନେ କେଜାଣି କିମିତି କଥାଟା ପ୍ରଘଟ ହୋଇଗଲା ଏବଂ ରେଡ଼ିଓ ସମ୍ବନ୍ଧରେ ପୋଲିସ୍‍କୁ ସୁରାକ ମିଳିଗଲା । ସାଙ୍ଗେ ସାଙ୍ଗେ ପୋଲିସ୍‍ର ବିଶାଳ ଏବଂ ସଙ୍ଗଠିତ ଦଳ ଆକ୍ରମଣ କରିଦେଲେ । ସୌଭାଗ୍ୟବଶତଃ ସେଇଠି ରେଡ଼ିଓ ତଥା ରେଡ଼ିଓ ସମ୍ବନ୍ଧୀୟ କୌଣସି ଯନ୍ତ୍ରପାତି କିମ୍ବା ଲୋହିଆବି ନଥିଲେ । କୌଣସି ଅନ୍ୟ ଏକ ଗୁପ୍ତ ସ୍ଥାନରେ ସେ ନିଜ ଦୋସ୍ତଙ୍କ ଗହଣରେ ରେଡ଼ିଓପାଇଁହିଁ କାର୍ଯ୍ୟକ୍ରମର ରେକର୍ଡ଼ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ । ଯେତେବେଳେ ପୋଲିସ୍ ଆସୁଥିବାର ଖବର ମିଳିଲା, ଅତି କୌଶଳ ସହକାରେ ‘ବାଁଠିୟା ଜୀ’ ସେଇଠୁ ଖସି ଚାଲିଗଲେ । କିନ୍ତୁ କେଜାଣି କିମିତି ତାଙ୍କର ଦି’ ଜଣ ସାଙ୍ଗ ପୋଲିସ୍ କବଳରେ ପଡ଼ିଗଲେ । ଏଇ ରେଡ଼ିଓ କାରବାର ଲୋହିଆହିଁ ପରିଚାଳନା କରୁଛନ୍ତି ବୋଲି ପୋଲିସ୍ ସେତେବେଳକୁ ପୂରାପୂରି ଜାଣି ସାରିଥିଲା । ତେଣୁ ଲୋହିଆଙ୍କ ସନ୍ଧାନ ଦେବାପାଇଁ ଗିରଫ୍ ହୋଇଥିବା ତାଙ୍କର ଦୁଇ ଜଣ ସାଥୀଙ୍କ ଉପରେ ଖୁବ୍ ଜୁଲମ କରାଗଲା । କିନ୍ତୁ ସାଥୀ ଦି’ ଜଣ ତ ଆଉ ଛୁଆ ନଥିଲେ । ପୋଲିସ୍ ଅନେକ କଷ୍ଟ ଦେଇ ହାର ମାନିଗଲା ସିନା, ହେଲେ ଲୋହିଆଙ୍କର ସନ୍ଧାନ ପାଇପାରିଲାନି ।

 

ରେଡ଼ିଓଦ୍ୱାରା କ୍ରାନ୍ତିର ବିସ୍ତାରପାଇଁ ପ୍ରଚାର କାର୍ଯ୍ୟ କରିବା ଛଡ଼ା ଲୋହିଆ ‘କରିବୁଁ ନଚେତ୍ ମରିବୁଁ’ ନାମରେ ଭୂମିଗତ ପାମ୍ପ୍‍ଲେଟ୍‌ର ପ୍ରକାଶନ ତଥା ବିତରଣର କାର୍ଯ୍ୟ ମଧ୍ୟ କରିବାକୁ ଲାଗିଲେ ।

 

ଯେତେବେଳେ ଲୋହିଆ ‘ଭୂମିଗତ ଜୀବନ ବିତେଇ କ୍ରାନ୍ତିକୁ କୌଣସିମତେ ବଞ୍ଚେଇ ରଖିବାର ଚେଷ୍ଟାରେ ବ୍ୟସ୍ତ ଥିଲେ, ସେତେବେଳେ ଭୂମି ଉପରର ଅବସ୍ଥା ଅତି ଦୟନୀୟ ଥିଲା । କଂଗ୍ରେସୀ ନେତାଗଣ ଜେଲ୍‌ ଭିତରେ ରହି ଚରଖା ଚଳାଉଥିଲେ ଏବଂ ବାହାରେ ହିଂସ୍ର ଇଂରେଜ ସରକାର ବାଛି ବାଛି ଜଣ ଜଣ କରି ସମାଜବାଦୀ ଯୋଦ୍ଧାଙ୍କୁ ଶିକାର କରିବାରେ ଲାଗିଥିଲେ । ସେଇ ସମୟରେ କମ୍ୟୁନିଷ୍ଟ ‘ବିଭୀଷଣ’ ଏବଂ ‘ଜୟଚନ୍ଦ୍ର’ର ଭୂମିକା ନିର୍ବାହ କରୁଥିଲେ । ସେମାନେ ନିଜର ରୁଷିଆ ମାଲିକର ସପକ୍ଷରେ ‘ଜନ–ଯୁଦ୍ଧ’ର ସ୍ଲୋଗାନ ଦେବାରେ ଲାଗିଥିଲେ । ଦେଶପାଇଁ ଲଢ଼ୁଥିବା ଲୋକଙ୍କର ଭେଦ ଏବଂ ସନ୍ଧାନ ସରକାରଙ୍କୁ ବତେଇ ଦେଇ କ୍ରାନ୍ତିର ପିଠିରେ ଛୁରା ଭୁଷିବାହିଁ ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା ।

ଲୋହିଆ ବାରମ୍ବାର ନିଜ ରେଡ଼ିଓ ଭାଷଣରେ ତଥା ଗୁପ୍ତ ପାମ୍ପ୍‍ଲେଟ୍‌ ଜରିଆରେ କମ୍ୟୁନିଷ୍ଟମାନଙ୍କୁ ଏଭଳି ଦେଶଦ୍ରୋହୀ ପ୍ରବୃତ୍ତିରୁ ନିବୃତ୍ତ ରହିବାପାଇଁ ଚେତାବନୀ ଦେବାକୁ ଲାଗିଲେ ଏବଂ ଜନତାଙ୍କ ସାହସକୁ ଅତୁଟ ରଖିବାରେ ଲାଗିଲେ ।

ଦିନେ ଲୋହିଆ ନିଜ ଭାଷଣରେ କହିଥିଲେ–‘‘ଏକଲା ଲୋକ ଭୟାଳୁ ହୁଏ; କିନ୍ତୁ ସଙ୍ଗଠିତ ସମୁଦାୟ ଭିତରେ ସେ ବାହାଦୁର ହେବାପାଇଁ ଚେଷ୍ଟା କରେ । ଏହି ଦୃଷ୍ଟିରୁ ମାନବୀୟ ଆତ୍ମାକୁ ସଙ୍ଗଠନ ସହ ଯୋଡ଼ି ଦେବା ନିହାତି ଆବଶ୍ୟକ ଅଟେ । ଗାନ୍ଧିଜୀ ମାନବ–ଆତ୍ମଶକ୍ତି ଉପରେ ସର୍ବଦା ଜୋର୍‌ ଦେଇ ଆସିଛନ୍ତି ।’’

ଆଉଥରେ ଲୋହିଆ କହିଥିଲେ–‘‘ଗାନ୍ଧିଜୀ ଏବଂ ଦେଶର ପ୍ରାୟ ପଚାଶ ହଜାର ପର୍ଯ୍ୟନ୍ତ ସତ୍ୟାଗ୍ରହୀ ଜେଲ ଭିତରେ ରହି ଶଢ଼ୁଛନ୍ତି । ସେମାନଙ୍କର ଦିନକର ଜେଲ–ବିଳାସ ଇଂଲଣ୍ଡପାଇଁ ଯେତିକି ଅଭିଶାପ–ସେତିକି ଆମର ଭର୍ତ୍ସନା ମଧ୍ୟ ।’’

ଲୋହିଆଙ୍କୁ ଭୂମିଗତ ବନବାସ ସମୟରେ କଲିକତା ଏବଂ ବମ୍ବେ ଛଡ଼ା କିଛିଦିନ ନେପାଳର ଜଙ୍ଗଲ ଭିତରେ କଟେଇବାକୁ ପଡ଼ିଥିଲା ।

 

ନେପାଳରେ ଲୋହିଆଙ୍କ ଆତ୍ମଗୋପନ ଜୀବନ ଗୋଟାଏ ଅଦ୍ଭୁତ ରୋମାଞ୍ଚକାରୀ କାହାଣୀ ।

 

ସେଇ ରୋମାଞ୍ଚକର ପ୍ରସଙ୍ଗର କିଛି ଉଦାହରଣ ଏପରି–

 

କଲିକତା, ବମ୍ବେ ଏବଂ ଅନ୍ୟ କେନ୍ଦ୍ରରେ ଲୋହିଆଙ୍କ କାର୍ଯ୍ୟକଳାପର ଖବର ବେଳେବେଳେ ଗୁଇନ୍ଦା ପୋଲିସ୍ ଜାଣିପାରୁଥିଲେ । ଫଳସ୍ୱରୂପ ସରକାର ଲୋହିଆଙ୍କୁ ଗିରଫ୍ କରିବାପାଇଁ ନିଜର ସମସ୍ତ ଶକ୍ତି ଖଟେଇଦେଲେ । ତଥାପି ଲୋହିଆଙ୍କୁ ଧରିପାରିଲେନି । ଶେଷରେ ବାଧ୍ୟ ହୋଇ ଲୋହିଆଙ୍କୁ ଗିରଫ୍ କରେଇଦେବା କିମ୍ବା ତାଙ୍କର ସନ୍ଧାନ ଦେବା ଲୋକଙ୍କପାଇଁ ସରକାର ଗୋଟାଏ ମୋଟା ଅଙ୍କର ପୁରସ୍କାର ଘୋଷଣା କଲେ । ସରକାର ଜାଣିଥିଲେ ଯେ ଗରିବ ଭାରତୀୟ ଜନତା ପକ୍ଷରେ ଟଙ୍କାପଇସାର ଲୋଭ ପ୍ରାୟ ଅକାଟ୍ୟ ଔଷଧ ଭଳି କାମ ଦିଏ ।

 

କିନ୍ତୁ ଲୋହିଆଙ୍କ ବିଷୟରେ ଏଇ ଔଷଧ ମଧ୍ୟ କାଟୁ କଲାନି । ଲୋହିଆଙ୍କ ଭଳି ଗୋଟାଏ ଚଞ୍ଚଳ ଯୁବକ–ଯୋଦ୍ଧାଙ୍କୁ ଗିରଫ୍ କରେଇ ଦେବାର ମହାପାପ ନିଜ ମୁଣ୍ଡ ଉପରକୁ କିଏ ବା ନେବାକୁ ଯାଆନ୍ତା !

 

ଲୋହିଆ ଯେତେବେଳେ ଦେଖିଲେ ଯେ କଲିକତା ଏବଂ ବମ୍ବେରେ ପୋଲିସ୍ ଜାଲ ପୂରାପୂରି ବିଛାଇ ଦିଆଯାଇଚି, ଆଉ ସେଇଠି ରହିବା ମାନେ ପ୍ରକୃତରେ ବିପଦକୁ ନିମନ୍ତ୍ରଣ କରିଆଣିବା । ତେଣୁ ସେ ଦିନେ ହଠାତ୍‌ ଚୁପ୍‌ଚାପ୍‌ ଖସିଯାଇ ନେପାଳ ଆଡ଼କୁ ଆଗେଇ ଚାଲିଲେ-

 

ହଜାରିବାଗ୍‌ ଜେଲ୍‌ରୁ ଖସିଆସି ଜୟପ୍ରକାଶ ନାରାୟଣ ଏବଂ ତାଙ୍କର ଅନ୍ୟ କେତେକ ସାଥୀ ସେତେବେଳେ ନେପାଳରେହିଁ ପଳାତକ ଜୀବନଯାପନ କରୁଥିଲେ ।

 

ଲୋହିଆ ମଧ୍ୟ ଭାରତ ସୀମା ପାର ହୋଇ ନେପାଳରେ ପହଞ୍ଚିଗଲେ । କଲିକତା ଏବଂ ବମ୍ୱେର ପୋଲିସ୍ ଲୋହିଆଙ୍କ ବାସନା ଶୁଙ୍ଘି ଶୁଙ୍ଘି ଦ୍ୱାର ଦ୍ୱାର ବୁଲୁଥିଲାବେଳେ ଏଣେ ଲୋହିଆ ହଠାତ୍‌ ଦିନେ ନିଜର ରେଡ଼ିଓ ଷ୍ଟେସନ୍‍କୁ କାଖରେ ଜାକି ନେପାଳର ସ୍ୱାଧୀନ ମାଟିରେ ଯାଇ ପହଞ୍ଚିଗଲେ ।

 

ନେପାଳରେ ପହଞ୍ଚିବା ଆଗରୁ ଜୟପ୍ରକାଶ ନାରାୟଣ ‘ଆଜାଦ ଦସ୍ତା’ ନାମକ ଗୋଟାଏ ସଂଗଠନର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

 

ନେପାଳ ମାଟି । କୋଶୀ ନଦୀର ଉପତ୍ୟକା । ‘ବକ୍‌ରୋ ଟାପୁ’ ନାମକ ଗୋଟାଏ ପାହାଡ଼ ଭିତରେ ନଡ଼ାର ଦୁଇ ତିନୋଟି କୁଟୀର । ତାହାହିଁ ଥିଲା ‘ଆଜାଦ–ଦସ୍ତା’ର ଦପ୍ତର ଏବଂ ସେଇଠି ସ୍ଥାପନା କରାଯିବ ଲୋହିଆଙ୍କର ରେଡ଼ିଓ ଷ୍ଟେସନ୍ ।

 

ଭୂମିଗତ ଆନ୍ଦୋଳନର ରେଡ଼ିଓ ପ୍ରଚାର ବିଭାଗର ଅଧ୍ୟକ୍ଷ ଡକ୍ଟର ରାମମନୋହର ଲୋହିଆ ନିଜର ଟ୍ରାନ୍‌ସମିଟର ବ୍ୟାଟେରୀ ଆଦି ନେଇ ସେଇଠି ଯାଇ ପହଞ୍ଚିଗଲେ ।

 

ସେଇଠି ଆଗରୁ ଜୟପ୍ରକାଶ ନାରାୟଣ ଏବଂ ମହାରାଷ୍ଟ୍ରର କୁମାରୀ ବିଜୟା (ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କର ଭଉଣୀ) ବଙ୍ଗାଳୀ ବେଶରେ ବଙ୍ଗାଳୀ ଜମିଦାର ପରିବାର ଗଢ଼ି ରହିଥିଲେ । ଜୟପ୍ରକାଶ ବଙ୍ଗାଳୀ ଜମିଦାର ଏବଂ ବିଜୟା ହୋଇଥିଲେ ତାଙ୍କ କନ୍ୟା । ସେଠାକୁ ଜଳବାୟୁ ପରିବର୍ତ୍ତନ କରିବାକୁ ଆସିଥିଲେ । ଲୋହିଆ ମଧ୍ୟ ସେମାନଙ୍କ ସାଙ୍ଗରେ ଆସି ମିଶିଗଲେ । ନିଜ ରେଡ଼ିଓ ସରଞ୍ଜାମ ସେଇଠି ଜମେଇ ଦେଲେ ।

 

ବର୍ତ୍ତମାନ ଆରମ୍ଭ ହେଲା ‘ଆଜାଦ–ଦସ୍ତା’ର କାମ ।

 

‘ଆଜାଦ–ଦସ୍ତା’ର ସଙ୍ଗଠନ କରାଯାଇଥିଲା ଗରିଲା ପ୍ରଣାଳୀରେ ଆକ୍ରମଣ କରିବାପାଇଁ । ଲୋହିଆ ଆସିବା ପରେ ‘ଆଦାଜ–ଦସ୍ତା’ର କାର୍ଯ୍ୟରେ ଉନ୍ମାଦନା ଆସିଗଲା ।

 

କିନ୍ତୁ ଏହା ଭିତରେ ଏମିତି କିଛି ସୂଚନା ମିଳିଲା ଯେ ଲୋହିଆ ଏବଂ ଜୟପ୍ରକାଶ ନାରାୟଣ ନେପାଳରେ ଅଛନ୍ତି ବୋଲି ସରକାର ସୁରାକ ପାଇଯାଇଚନ୍ତି । କିଛିଟା ଅଶୁଭ ସଙ୍କେତବି ମିଳିବାକୁ ଲାଗିଲା । ଖବର ମିଳିଲା ଯେ ଲୋହିଆଙ୍କୁ ଗିରଫ୍ କରିବାପାଇଁ ଇଂରେଜ ସରକାର ବାରମ୍ୱାର ନେପାଳ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ତା’ପରେ ଲୋହିଆ ନେପାଳରେ ମାସେବି ରହିପାରିଲେନି । ପୁଣି ତାଙ୍କୁ ସେଇଠୁ ଚାଲିଯିବାକୁ ପଡ଼ିଲା । ସାଙ୍ଗେ ସାଙ୍ଗେ ବିଜୟାକୁ ପୁନା ପଠେଇ ଦିଆଗଲା ଏବଂ ପାହାଡ଼ର ଆଖ–ପାଖରେ ନିଜ ଲୋକଙ୍କୁ ଜଗେଇ ଦିଆଗଲା ।

 

ଏଇ ଆଲୋଚନାବି ହେଲା ଯେ ଏଇ ସ୍ଥାନ ଛାଡ଼ିଦେଇ ବାରାହ କ୍ଷେତ୍ରରେ କ୍ୟାମ୍ପ୍ କରାଯାଉ–ଯେଉଁଠି ଖାଲି ପାହାଡ଼ ଆଉ ଜଙ୍ଗଲ ରହିଛି ।

 

ଏଇ କାମପାଇଁ କିଛି ଟଙ୍କାର ଆବଶ୍ୟକତା ଥିଲା । ଲୋହିଆ ନିଜର ବିଶ୍ୱସ୍ତ ସାଥୀମାନଙ୍କୁ କଲିକତା, ପାଟନା ଆଦି ସ୍ଥାନକୁ ଟଙ୍କା–ପଇସା ଯୋଗାଡ଼ କରି ଆଣିବାପାଇଁ ପଠାଇଦେଇ ସେମାନଙ୍କ ଅପେକ୍ଷାରେ ରହିଥିଲେ ।

 

କିନ୍ତୁ ସାଙ୍ଗମାନେ ତ ଆଉ ଫେରିଲେନି, ଓଲଟି ପୋଲିସ୍ ଆସି ପାହାଡ଼ ଚାରିପାଖ ଘେରାଉ କରିଦେଲେ । ହଠାତ୍‌ ଏସବୁ ଘଟିଗଲା । ରକ୍ଷା ପାଇବାର କୌଣସି ଯୋଗାଡ଼ବି ହୋଇପାରିଲାନି । ସାଙ୍ଗେ ସାଙ୍ଗେ ଜଣେ ନେପାଳୀ ପୋଲିସ୍ ଅଫିସର ଆସି ଲୋହିଆ ଏବଂ ଜୟପ୍ରକାଶଙ୍କୁ ଗିରଫ୍ କରିବାପାଇଁ ସୂଚନା ଦେଲେ । ସେ କହିଲେ, ‘‘ହନୁମାନ ନଗର ଯିବାକୁ ପଡ଼ିବ ।’’

 

ଲୋହିଆ ପଚାରିଲେ ‘‘କିନ୍ତୁ ଆମକୁ କାହିଁକି ଗିରଫ୍ କରାଯାଉଛି ? ନେପାଳ ସରକାରଙ୍କର ଆମେ କି କ୍ଷତି କରିଛୁଁ ?’’

 

ଅଫିସର ଜଣକ କହିଲେ, ‘‘ଏସବୁ କଥା ହନୁମାନ ନଗରସ୍ଥ ବଡ଼ ଅଫିସରଙ୍କ ପାଖରୁ ଜଣା ପଡ଼ିବ ।’’

 

ଜଣା ପଡ଼ିଲା, ଦଳର ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଆଖପାଖରୁ ଗିରଫ୍ କରାଯାଇଛି ।

 

ଦାରୋଗା ବୁଝାଇଲେ ‘‘ମୁଁ ଜାଣେ, ଆପଣମାନେ ସମସ୍ତେ ନିର୍ଦ୍ଦୋଷ । ଅନୁସନ୍ଧାନ ପରେ ଆପଣମାନଙ୍କୁ ଛାଡ଼ି ଦିଆଯିବ । କିନ୍ତୁ ଆମେ ବା ଆଉ କ’ଣ କରିପାରିବୁଁ ? ଭାରତର କେତେକ ଭୟାନକ କ୍ରାନ୍ତିକାରୀ ଆସି ନେପାଳରେ ଲୁଚି ରହିଛନ୍ତି । ସେଥିପାଇଁ ସମସ୍ତ ବାହାର ଲୋକଙ୍କୁ ଯାଞ୍ଚ କରାଯାଉଛି ।’’

 

ସଶସ୍ତ୍ର ସିପାହୀଙ୍କ ଘେର ଭିତରେ ଲୋହିଆ, ଜୟପ୍ରକାଶ ତଥା ଅନ୍ୟ ପାଞ୍ଚ ଜଣ ସାଥୀ ହନୁମାନ ନଗର ଆଡ଼କୁ ଚାଲିଲେ । ବାଟରେ କୋଶୀ ନଦୀ ପାର ହେଉ ହେଉ ରାତି ହୋଇଗଲା-। ତେଣୁ ସେଇଠି ଗୋଟାଏ ଶିବିର ପକାଗଲା । ଲୋହିଆ ବ୍ୟସ୍ତ ଏବଂ ଚିନ୍ତିତ ଥିଲେ-। ବଡ଼ ସୁରକ୍ଷିତ ସ୍ଥାନ ମନେ କରି ଆସିଥିଲେ, ମାତ୍ର ଶେଷରେ ଏଭଳି ବିପଦରେ ପଡ଼ିଗଲେ ।

 

ସକାଳୁ ଗୋଟାଏ ବଳଦ ଗାଡ଼ିରେ ବସେଇ ଏଇ କଇଦୀମାନଙ୍କୁ ହନୁମାନ ନଗର ଅଣାଗଲା । ଜଣା ପଡ଼ିଲା, ତହିଁ ଆରଦିନ କଚେରି ଖୋଲିଲେ ଯାଇ ଯାହା ହେବ ।

 

ଏହା ଭିତରେ ‘ଆଜାଦ–ଦସ୍ତା’ର ମୁଖ୍ୟ କର୍ମକର୍ତ୍ତା ସୂରଜ ନାରାୟଣଙ୍କ ପାଖକୁ ଖବର ପଠାଇ ଦିଆଗଲା ଯେ ଲୋହିଆ ଏବଂ ଜୟପ୍ରକାଶ ଧରା ପଡ଼ି ଯାଇଛନ୍ତି । ନେପାଳ ସରକାର ସେମାନଙ୍କୁ ଇଂରେଜ ସରକାରଙ୍କ ହାତରେ ସମର୍ପଣ କରିଦେବା ପୂର୍ବରୁ ସେମାନଙ୍କୁ ରକ୍ଷା କରିବାପାଇଁ ଚେଷ୍ଟା କରାଯାଉ ।

 

ତା’ ଆରଦିନ କଚେରି ବସିଲା । ଜଣେ ବଡ଼ ହାକିମ ଟେଲିଫୋନ୍‌ ଯୋଗେ କାଠମାଣ୍ତୁ ସହିତ କଥାବାର୍ତ୍ତା କଲେ ଏବଂ କଇଦୀମାନଙ୍କଠାରୁ ବିବୃତି ନେବା ଆରମ୍ଭ କଲେ ।

 

ବିବୃତି ଦେବାରେ ଲୋହିଆ ଥିଲେ ଓସ୍ତାଦ । ନିଜ ବିବୃତିରେ ତ ଲୋହିଆ ବଡ଼ ମଜା କଲେ । ଅନ୍ୟକୁ ଶବ୍ଦଜାଲରେ ଛନ୍ଦି ଭୁଲେଇଦେବା କଳାରେ ଲୋହିଆ ଥିଲେ ଖୁବ୍‌ ପଟୁ । ଏଠାରେ କେବଳ ବିବୃତି ଦେଲେନି, ବରଂ ଦେଶ–ପ୍ରେମ ଉପରେ ଗୋଟାଏ ଲମ୍ୱା–ଚଉଡ଼ା ଭାଷଣ ଝାଡ଼ିଦେଲେ । ସେ କହିଲେ–

 

‘‘ଆମେ ତ ତାଙ୍କର (ଜୟପ୍ରକାଶଙ୍କର ) ବନ୍ଧୁ । ତାଙ୍କ ସାଙ୍ଗରେ ଚାଲି ଆସିଥିଲୁ ଜଳବାୟୁ ପରିବର୍ତ୍ତନ ସକାଶେ । ଆମେ କ’ଣ ଜାଣିଥିଲୁ ଯେ ଏଠିକା ସରକାର ଭଲ–ମନ୍ଦ ଚିହ୍ନିପାରନ୍ତିନି ବୋଲି ? ଶରଣାର୍ଥୀମାନଙ୍କ ଉପରେ କ’ଣ ଏମିତି ଅତ୍ୟାଚାର କରାଯାଏ ? ନେପାଳ ଗୋଟାଏ ହିନ୍ଦୁ ରାଜ୍ୟ ଅଟେ । ସମଗ୍ର ଦୁନିଆରେ ଏକମାତ୍ର କ୍ଷତ୍ରିୟ ରାଜ୍ୟ । କ୍ଷତ୍ରିୟତ କେବେ ଶରଣ ପଶିଥିବା ଲୋକଙ୍କ ପ୍ରତି ଏପରି କଦର୍ଯ୍ୟ ବ୍ୟବହାର କରନ୍ତିନି, ବରଂ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ହେଲା ତାଙ୍କର ବଂଶଗତ ପରମ୍ପରା । ତା’ପରେ ତ ଆମେ କୌଣସି ପ୍ରକାରେବି ନେପାଳର ଅପରାଧୀ ନୋହୁଁ । ତେବେ ଆମକୁ ଏମିତି କଷ୍ଟ କାହିଁକି ଦିଆଯାଉଚି ? ନେପାଳ ଗୋଟାଏ ସ୍ୱତନ୍ତ୍ର ରାଜ୍ୟ ଏବଂ ସ୍ୱତନ୍ତ୍ର ରୂପରେ ରହିଛି; ଇଂରେଜ ସରକାରଙ୍କ ହୁକୁମ ମାନିବାକୁ ସେ ବାଧ୍ୟ ନୁହେଁ । ଇଂରେଜକୁ ଏମିତି ତୋଷାମଦ କରି ନେପାଳ ନିଜର ସ୍ୱାତନ୍ତ୍ର୍ୟ ତଥା ମର୍ଯ୍ୟାଦା ଉପରେ ଆଞ୍ଚ ଆଣୁଚି...ସ୍ୱତନ୍ତ୍ରତାର ଅପମାନ କରୁଚି । ଦୁନିଆର ଯେକୌଣସି ଅପରାଧୀ ଇଂଲଣ୍ତରେ ପହଞ୍ଚି ନିଜକୁ ଅତି ସୁରକ୍ଷିତ ମନେକରେ । ତା’ପରେ ପୁଣି ନେପାଳର ମାଟିତ ଇଂଲଣ୍ତଠୁ ବହୁତ ଗୁଣରେ ପବିତ୍ର ଅଟେ । ରାଜ୍ୟ ମଧ୍ୟ ଇଂଲଣ୍ତ ଅପେକ୍ଷା ଅଧିକ ଧର୍ମନିଷ୍ଠ । ନେପାଳର ସ୍ୱତନ୍ତ୍ରତାହିଁ ତ ଭାରତପାଇଁ ପ୍ରେରଣାଦାୟକ ଅଟେ । ତେବେ ବର୍ତ୍ତମାନ କ’ଣ ଭାରତ ନେପାଳ ପ୍ରତି ନିଜର ଶ୍ରଦ୍ଧା ହରେଇଦେବ ? ଆମକୁ ଏପରି ହଇରାଣ ହରକତ୍ କରିବା ଅପେକ୍ଷା ଆମର ରକ୍ଷା କରିବା ହେଉଛି ନେପାଳର କର୍ତ୍ତବ୍ୟ ।’’ ।

 

ହାକିମ ବିବୃତି ଲେଖିଲେ । ଲେଖିସାରି ଖୁସି ହେଲେ ଏବଂ କହିଲେ–‘‘ଆପଣମାନେ ବ୍ୟସ୍ତ ହୁଅନ୍ତୁନି । ପଶୁପତିନାଥ ବାବାଙ୍କ କୃପାରୁ ଆପଣମାନେ ଶୀଘ୍ର ମୁକ୍ତି ପାଇଯିବେ ।’’

 

କିନ୍ତୁ ଲୋହିଆ ମନେମନେ ପଶୁପତିନାଥ ବାବାଙ୍କ କୃପାର ଅର୍ଥ ବେଶ୍‌ ବୁଝୁଥିଲେ ।

 

ହାକିମ କାଠମାଣ୍ତୁରୁ ଆଦେଶ ଅପେକ୍ଷାରେ ଥିଲେ । ଯାଞ୍ଚ କରିବାପାଇଁ ଭାରତରୁ ସି.ଆଇ.ଡ଼ି. ଆସିବାର ଥିଲା ।

 

ଆଉ ଏଣେ ଖବର ପାଇ ସୂରଜ ନାରାୟଣ ପଇଁତିରିଶ ଜଣ ସାଥୀଙ୍କ ସହ ସେମାନଙ୍କୁ ମୁକ୍ତ କରିବାକୁ ବାହାରି ପଡ଼ିଲେ । ସେମାନେ ତା’ ଆରଦିନ ଆସି ହନୁମାନ ନଗରରେ ପହଞ୍ଚିଗଲେ । ସେମାନଙ୍କ ପାଖରେ ଅସ୍ତ୍ର–ଶସ୍ତ୍ର ବୋଲି ଥିଲା–ତିନୋଟି ବନ୍ଧୁକ, ଗୋଟାଏ ରାଇଫଲ, ଗୋଟାଏ ଡିନାମାଇଟ୍‌, ଦୁଇଟି ରିଭଲ୍‍ଭର୍ ଏବଂ ଅନ୍ୟମାନଙ୍କ ହାତରେ ଥିଲା ବାଉଁଶକୁ ଚିରି ତିଆରି କରାଯାଇଥିବା ‘ଫଟ୍ଟା’ (ଏକପ୍ରକାର ଅସ୍ତ୍ର) । ନେପାଳର ସିପାହୀ ବନ୍ଧୁକ ଅପେକ୍ଷା ଏଇ ବାଉଁଶ ତିଆରି ଫଟ୍ଟାକୁ ବେଶ୍ ଭୟ କରନ୍ତି ।

 

ରାତି ହେବାକ୍ଷଣି ସର୍ବପ୍ରଥମେ କାଠମାଣ୍ତୁ ସହ ସମ୍ପର୍କ ସ୍ଥାପନ କରୁଥିବା ଟେଲିଫୋନ୍‌ ତାରକୁ କାଟି ଦିଆଗଲା । ତା’ପରେ ଆଉ ଟିକିଏ ରାତି ବଢ଼ିଯିବାରୁ ହନୁମାନ ନଗର ଜେଲ୍‌ ପାଖରେ ତିଆରି ହୋଇଥିବା ସିପାହୀମାନଙ୍କ କୁଡ଼ିଆ ଘର ଉପରେ ତେଲ ଢାଳି ନିଆଁ ଲଗେଇ ଦିଆଗଲା ।

 

ପହରା ଦେଉଥିବା ସିପାହୀମାନେ ନିଜ ଘର ଜଳୁଥିବା ଦେଖି ସେଇ ଆଡ଼କୁ ଧାଇଁଗଲେ । ହଠାତ୍‌ ଗୋଟାଏ ଗୁଳି ଫୁଟିଲା । ଗ୍ୟାସ୍‍ବତୀକୁ ଲକ୍ଷ୍ୟ କରାଯାଇଥିଲା ।

 

ଗ୍ୟାସ୍‍ବତୀ ଭାଙ୍ଗିଲା, ଆଲୁଅ ଲିଭିଲା, ଅନ୍ଧାର ହେଲା ।

 

‘‘ଆଜାଦ–ଦସ୍ତା’’ର ଆକ୍ରମଣକାରୀ ଯବାନ୍‌ମାନେ ତତ୍ପର ହୋଇଉଠିଲେ । କେତେ ଜଣ କୁଡ଼ିଆ ଘର ନିଆଁ ଲିଭାଉଥିବା ସିପାହୀମାନଙ୍କୁ ଆକ୍ରମଣ କଲେ, ବାକି ସମସ୍ତେ ଜେଲ୍‌ ଉପରେ ଚଢ଼ାଉ କଲେ ।

 

ଦୁଇ ପକ୍ଷରୁ ଗୁଳିମାଡ଼ ଚାଲିଲା ।

 

ଧାୟଁ...ଧାୟଁ...ଧାୟଁ... !

 

ଗୋଟାଏ ବଡ଼ ହଇଚଇ ପଡ଼ିଗଲା ।

 

ଜେଲ୍‌ ଭିତରେ ଲୋହିଆ ଏବଂ ଜୟପ୍ରକାଶ ପରସ୍ପର ପାଖରେ ଶୋଇଥିଲେ । ଜନ୍ମରୁ ଘୁଙ୍ଗୁଡ଼ି ମାରି ଆରାମରେ ଶୋଇବା ଅଭ୍ୟାସ ଲୋହିଆଙ୍କର ଥିଲା । ଥରେ ଶୋଇବାମାନେ ସାମନ୍ୟ ଧରଣର ପାଟିତୁଣ୍ତ ତାଙ୍କୁ ଉଠେଇ ପାରୁ ନଥିଲା ।

 

ଗୁଳି ଫୁଟିବାର ଶବ୍ଦ, ତଥାପି ଲୋହିଆ ସେମିତି ଶୋଇ ରହିଥିଲେ । ଜୟପ୍ରକାଶଙ୍କ ନିଦ ଭାଙ୍ଗିଗଲା । ସେ ଘଟଣା କ’ଣ, ହଠାତ୍‌ ବୁଝି ପାରିଲେନି । ଉଠି ଗୋଟାଏ ଦିଗକୁ ଚାଲିଗଲେ-। ଲୋହିଆ ସେମିତି ଶୋଇ ରହିଥିଲେ । ତା’ପରେ ଯେତେବେଳେ ‘‘ଆଜାଦ–ଦସ୍ତା’’ର ଯବାନ୍‌ମାନେ ଜେଲ୍‌ ଭାଙ୍ଗି ଭିତରକୁ ପଶିଆସିଲେ ଏବଂ ବନ୍ଦୀମାନଙ୍କୁ ଛାଡ଼ିଦେବାକୁ ଲାଗିଲେ, ଜେଲ୍‌ ଭିତରେବି ଗୁଳି ଚାଲିବାକୁ ଲାଗିଲା, ତେବେ ଯାଇ ଲୋହିଆଙ୍କର ନିଦ ଭାଙ୍ଗିଲା । ଲୋହିଆ ଚିଡ଼ିଯାଇ ବିରକ୍ତ କଣ୍ଠରେ କହିଲେ ‘‘ଏସବୁ ଗୋଳମାଳ କାହିଁକି ?’’

 

କିଏ ଜଣେ ସତର୍କ କରିଦେଲା ‘‘ନିଜ ଲୋକ ।’’

 

କେହି ଜଣେ ମୁଣ୍ତ ଟେକିଲା । ଗୁଳି ଧାୟଁ କରି ପାଖ ଦେଇ ଚାଲିଗଲା ।

 

ସେତେବେଳକୁ ଲୋହିଆ ସମସ୍ତ ବିଷୟ ବୁଝି ଯାଇଥିଲେ । ଚିତ୍କାର କରି କହିଲେ ‘‘କିଏ ମୁଣ୍ତ ଟେକନି । ଗୁଳି ବାଜିଯିବ ।’’

 

ତା’ପରେ ପୁଣି ଆରମ୍ଭ ହୋଇଗଲା ଧାଁ–ଦଉଡ଼ । ଏଇ ଅଚାନକ ଆକ୍ରମଣର ମୁକାବିଲା କରି ନ ପାରି ସିପାହୀମାନେ ପ୍ରାଣବିକଳରେ ଧାଇଁ ପଳାଇଗଲେ ।

 

ଠିକ୍‌ ସେତିକିବେଳେ ଆକ୍ରମଣକାରୀ ଦଳର ନେତା ସୂରଜ ନାରାୟଣ ପାଟିକରି ଉଠିଲେ ‘‘ଆମ ଲୋକେ ଚଞ୍ଚଳ ଚାଲିଯାନ୍ତୁ ।’’

 

ଅଦ୍ଭୁତ ପରିସ୍ଥିତି ।

 

ଘୋର ଅନ୍ଧକାର । କିଏ କୁଆଡ଼େ ଗଲା, କେଉଁଠିକି ଗଲା !

 

ଦେଖାଗଲା, ଜଣେ ଲୋକ ଅନ୍ଧକାର ଭିତରେ ମାଟି ଉପରେ କ’ଣ ଅଣ୍ତାଳୁଛି । ନିଶ୍ଚୟ କୌଣସି ଗୋଟାଏ ସିପାହୀ ହତିଆର ଅଣ୍ତାଳୁଥିବ । ସୂରଜ ତାକୁ ଧକ୍କା ମାରି ତା’ ଉପରେ ବନ୍ଧୁକର ମୁନ ଲଗାଇଦେଲେ–ଖବରଦାର୍‌ ।

 

–ଆରେ ଏ କ’ଣ ?

 

ଏତ ଲୋହିଆଙ୍କର ପାଟି !

 

–ଆରେ, ଭାଇ, ଚଶମାଟା ଖୋଜୁଚି । ସିଗାରେଟ ଡବାଟାବି ପଡ଼ିଯାଇଛି ।

 

ସୂରଜ ନାରାୟଣ ସାହାଯ୍ୟ କଲେ । ଚଶମା ମିଳିଗଲା । ଲୋହିଆଙ୍କ ହାତ ଧରି ବାହାରକୁ ଟାଣି ନେଇଗଲେ । ଲୋହିଆ ନିଜ ସିଗାରେଟ ଡବା କଥା କହିବାକୁ ଲାଗିଲେ; କିନ୍ତୁ ସୂରଜ ନାରାୟଣ ଶୁଣିଲେନି ।

 

ଜୟପ୍ରକାଶ ଆଗରୁ ବାହାରି ଯାଇଥିଲେ । ଅନ୍ୟ ସାଥୀମାନେ ମଧ୍ୟ ବାହାରକୁ ଚାଲି ଆସିଥିଲେ ।

 

ନେପାଳରେ ଏଭଳି ଘଟଣା ବଡ଼ ଅଭୂତପୂର୍ବ ।

 

ଜେଲ୍‌କୁ ଭାଙ୍ଗି କଇଦୀମାନଙ୍କୁ ତ ମୁକ୍ତ କରାଗଲା; କିନ୍ତୁ ସମସ୍ତ କଇଦୀ ଅନ୍ଧାର ଭିତରେ ଯୁଆଡ଼େ ବାଟ ପାଇଲେ ଛିଟିକିଗଲେ । ଜୟପ୍ରକାଶ ଆଉ ଲୋହିଆ ଦୁହେଁ ଦୁଇ ଦିଗରେ ହଜିଗଲେ । ଦୁହିଁଙ୍କର ଅନ୍ୟ ଜଣଙ୍କର ଜୀବନପାଇଁ ଚିନ୍ତା ଏବଂ ସୂରଜ ନାରାୟଣଙ୍କର ସମସ୍ତ କଇଦୀଙ୍କ ପାଇଁ ଫିକର । କିଏ କେଉଁଠି କେଜାଣି ?

 

ଅନେକ ସମୟ ପରେ ସମସ୍ତେ ଏକାଠି ହୋଇପାରିଲେ । ସମସ୍ତେ ବେଶ୍‌ ସୁରକ୍ଷିତ । ଈଶ୍ୱରଙ୍କର ଦୟା ।

 

ବର୍ତ୍ତମାନ ପଳାଇଯିବା କଥା ।

 

କିନ୍ତୁ ପଳେଇବେ କିପରି ? ସମସ୍ତେ ଆଘାତ ପାଇଥିଲେ । ଜୟପ୍ରକାଶ ଅନ୍ଧାର ଭିତରେ କଣ୍ଟା ତାରରେ ଝୁଣ୍ଟିପଡ଼ି ନିଜ ଗୋଡ଼କୁ ଲହୁଲୁହାଣ କରି ପକାଇଥିଲେ । ଲୋହିଆଙ୍କ ପାଦରୁବି ରକ୍ତ ବୋହୁଥିଲା । କିନ୍ତୁ ତାଙ୍କର ହୋସ୍‌ ନଥିଲା ଯେ ଆଘାତ କେଉଁଠି ଲାଗିଥିଲା, କିପରି ବା ଲାଗିଲା ?

 

ଦୁହେଁ ଚାଲିବାପାଇଁ ଅକ୍ଷମ ।

 

କିନ୍ତୁ ସେଇଠି ତ ଆଉ କ୍ଷଣିକପାଇଁ ରହିହେବ ନାହିଁ ।

 

ଲୋହିଆ ଏବଂ ଜୟପ୍ରକାଶଙ୍କୁ କାନ୍ଧରେ ବସେଇ ପଳେଇବା ପାଇଁ ଦୁଇ ଜଣ ହୃଷ୍ଟପୁଷ୍ଟ ସାଥୀ ଇଚ୍ଛା ପ୍ରକାଶ କଲେ । ଜୟପ୍ରକାଶ ଜଣେ ସାଥୀର କାନ୍ଧ ଉପରେ ବସିପଡ଼ିଲେ; କିନ୍ତୁ ଲୋହିଆ ସାଥୀ କାନ୍ଧରେ ବସିବାକୁ ସଫା ମନା କରିଦେଲେ । ସେ ଛୋଟେଇ ଛୋଟେଇ ବରଂ ଯିବେ, କିନ୍ତୁ କାହା ଉପରେ ବସି ନୁହେଁ ।

 

ସମସ୍ତେ ପଳେଇବାକୁ ଲାଗିଲେ ।

 

ଲୋହିଆଙ୍କ ଭାଗ୍ୟ ! କିଛି ଦୂର ଆସିଲା ପରେ ବରଯାତ୍ରୀଙ୍କୁ ଛାଡ଼ି ଫେରୁଥିବା ଗୋଟାଏ ଘୋଡ଼ା ଦେଖାଗଲା । ଘୋଡ଼ାବାଲାକୁ ଭଡ଼ା ନେଇ ଲୋହିଆଙ୍କୁ ଘୋଡ଼ା ଉପରେ ବସେଇବା ପାଇଁ କୁହାଗଲା । କିନ୍ତୁ ଏତେଗୁଡ଼ିଏ ବାବୁ ଭଳି ଦେଖାଯାଉଥିବା ଲୋକଙ୍କର ଦୟନୀୟ ଅବସ୍ଥା ଦେଖି ଘୋଡ଼ାବାଲା ଡରିଗଲା । କିଛିଟା ଭୟ ମଧ୍ୟ ପାଇଲା । ତା’ର ମନେହେଲା, ଏମାନେ ସମସ୍ତେ ଡକେଇତ । ସେଇଠି ଘୋଡ଼ାଟାକୁ ଛାଡ଼ିଦେଇ, ପ୍ରାଣ ବଞ୍ଚେଇ, ପାଟି କରି ଧାଇଁ ପଳେଇଲା ।

 

କିଛି ସମୟ ଆଗରୁ କୌଣସି ଏକ ‘‘ବର’’ର ସବାରିରୂପେ ବ୍ୟବହୃତ ହୋଇଥିବା ସେଇ ଘୋଡ଼ା ଉପରେ ବସି ଲୋହିଆ ଚାଲିଲେ ।

 

ଏହି ଚଳନ୍ତି ରାଜନୀତିରେ ଲୋହିଆଙ୍କର ‘ବର’ ବେଶ ସାଜିବାର ସୌଭାଗ୍ୟ ତ ଜୁଟିଲା ନାହିଁ; କିନ୍ତୁ ଆଜି ବିଦ୍ରୋହ ତାଙ୍କୁ ନେଇ ଗୋଟାଏ ‘ବର’ର ଘୋଡ଼ା ଉପରେ ବସେଇଦେଲା-

 

କିନ୍ତୁ ଏଇ ଅନ୍ଧାର ରାତିରେ କି ‘ବର’, କି ବରଯାତ୍ରୀ !

 

ରାତିରେ ଲୋହିଆ ଅନ୍ୟ ସାଥୀମାନଙ୍କ ସହିତ ଯେଉଁ ଘରେ ଲୁଚିଥିଲେ, ସେଇ ଘରର ଲୋକେ ବାହାରେ ବସି ଚର୍ଚ୍ଚା କରୁଥିଲେ–‘‘ତିରିଶ ହଜାର ବିପ୍ଳବୀ ଫଉଜ ଜେଲ ଉପରେ ଆକ୍ରମଣ କରି ‘‘କ୍ରାନ୍ତିକାରୀ’’ମାନଙ୍କୁ ମୁକ୍ତ କରିଦେଲେ । ବିଜୁଳିର ତୋପ ସାଙ୍ଗରେ ଆଣିଥିଲେ–ଯାହାକୁ ଦେଖିବାକ୍ଷଣି ସିପାହୀମାନେ ବେହୋସ ହୋଇ ପଡ଼ିଥିଲେ ।

 

ତା’ପରେ ସକାଳ ହେବାକ୍ଷଣି ସମସ୍ତେ ରୂପ–ବେଶ ବଦଳେଇ ବାହାରି ପଡ଼ିଲେ । ଲୋହିଆ ଚଶମା କାଢ଼ି ପକେଟରେ ରଖିଲେ । ମୁଣ୍ତ ବାଳଗୁଡ଼ିକୁ ଅସ୍ତବ୍ୟସ୍ତ କରି ଖେଳେଇ ଦେଇ ରୂପ ପରିବର୍ତ୍ତନ କରିନେଲେ । ଏବେ ଭଲା କିଏ ଚିହ୍ନିପାରିବ ?

 

ତା’ପରେ ପହଞ୍ଚିଲେ ମଞ୍ଜାରୀ ଘାଟରେ ।

 

ଭୋକରେ ପେଟଭିତର ହୁହୁ ହୋଇ ଜଳୁଥିଲା । ଗୋଟାଏ ଦୋକାନକୁ ଯାଇ ଲୋହିଆ ନିର୍ଭୟରେ ରାବିଡ଼ି ଖାଇଲେ । ଚାରିଆଡ଼େ କ୍ରାନ୍ତିକାରୀମାନେ ଜେଲ ଭାଙ୍କି ପଳେଇଥିବା ଚର୍ଚ୍ଚା ଚାଲିଥିଲା । କେତେକ ଲୋକ ସନ୍ଦେହ ଚକ୍ଷୁରେ ମଧ୍ୟ ଦେଖୁଥିଲେ । ଜଣେ ପଚାରିବି ଦେଲା ‘‘ଆପଣମାନେ କିଏ ? କୁଆଡ଼େ ଯାଉଛନ୍ତି ?’’ ।

 

ଲୋହିଆ କେବଳ ଭୋଜପୁରୀ ଜାଣନ୍ତି । କହିଦେଲେ–ନାଁ ହରିହର ଠାକୁର, ଜାତି ଭଣ୍ତାରୀ, ବିବାହ ଖବର ନେଇ ଆସିଥିଲୁ । ଆରା ଜିଲ୍ଲାରେ ରହୁଁ ।’’

 

ବର୍ତ୍ତମାନ ନୌକାରେ ପାରିହେବା କଥା । ଧୀରେ ଧୀରେ ସମସ୍ତ ସାଥୀ ଆସି ଜୁଟିଗଲେ ।

ଜଣେ ନାଉରି ସାଙ୍ଗରେ ସମସ୍ତେ ଅଲଗାଅଲଗା କଥାବାର୍ତ୍ତା କଲେ, ଯେମିତି କି କିଏ କାହାକୁ ଜାଣନ୍ତିନି । କେବଳ ସମସ୍ତେ ପାରିହେବା ଫିକରରେ ଅଛନ୍ତି ।

କିନ୍ତୁ ନାଉରି ଖୁବ୍‌ ଚାଲାକ ଥିଲା । କଇଦୀମାନେ ପଳେଇବା ଖବର ଆଗରୁ ଶୁଣି ସାରିଥିଲା । ସେ ଜାଣିଦେଲା । ଉଁ କି ଚୁ କଲାନି । ତାଙ୍କୁ ସବୁ ଧରେଇଦେଲେ ପୁରସ୍କାର ମିଳିବ । ସେ ସେମାନଙ୍କୁ କଥାରେ ଭୁଲେଇ ରଖିବାକୁ ଚାହୁଁଥିଲା । ଆଗରୁ ପାଖ ଥାନାକୁ ଖବର ପଠେଇ ଦେଇସାରିଥିଲା ।

ଲୋହିଆ ଜାଣିଗଲେ–ସାରୁ ଭିତରେ ମାରୁ ଅଛି ।

ଠିକ୍‌ ହେଲା, ପାଦରେ ଚାଲିଚାଲି ଅନ୍ୟ ଘାଟ ପର୍ଯ୍ୟନ୍ତ ଯିବେ ।

ତା’ପରେ ଚଞ୍ଚଳ ପଦକ୍ଷେପରେ ନଦୀ କୂଳେ କୂଳେ ଚାଲିବାକୁ ଲାଗିଲେ । ଲୋହିଆଙ୍କର ଧାଇଁବାର ଅଭ୍ୟାସ ଆଦୌ ନଥିଲା । ତଥାପି ପଳେଇବାକୁ ହେବ ।

କିଛି ଦୂର ଗଲା ପରେ ପଛରୁ ପାଟିତୁଣ୍ତ ଶୁଣାଗଲା । ବୁଲି ଦେଖିଲେ ତିରିଶ ଚାଳିଶ ଖଣ୍ତେ ଲୋକଙ୍କ ସହ ତିନି ଚାରି ଜଣ ସିପାହୀ ପଛରୁ ଦଉଡ଼ି ଆସୁଚନ୍ତି । ବର୍ତ୍ତମାନ କ’ଣ ହେବ ?

ହଠାତ୍‌ ସୂରଜ ନାରାୟଣଙ୍କୁ ଗୋଟାଏ ବୁଦ୍ଧି ଦେଖାଗଲା । ସେ ପୂରାପୂରି ସାମରିକ ଲୋକ । ବୁଲିପଡ଼ି ଛିଡ଼ା ହେଲେ ଏବଂ ଗୋଟାଏ ‘ଫାଙ୍କା’ ଫାୟାର୍‌ କରିଦେଲେ ।

ପିଛା ଧରିଥିବା ଲୋକଙ୍କ ପାଦ ଥମିଗଲା ।

ସୂରଜ ଚିତ୍କାର କରି କହିଲେ–‘‘ରୁହ । ଆଗକୁ ବଢ଼ିଲେ ଗୁଳି ମାରିଦେବି ।’’

ସିପାହୀଙ୍କ ସମେତ ସମସ୍ତେ ହଠାତ୍‌ ଛିଡ଼ା ହୋଇଗଲେ ।

ସୂରଜ ପୁଣି ଚିତ୍କାର କରି କହିଲେ–‘‘ଲଜ୍ଜା ଲାଗେନା, ଆମେ କ’ଣ ଚୋର ଡକେଇତ ହେଇଚୁ ଯେ ଆମର ପିଛା ଧରୁଚ ? ଆମେ ବିଦ୍ରୋହୀ । ଦେଶପାଇଁ ଲଢ଼ୁଛୁ । ଲଜ୍ଜା କର ମୁହଁ ପଛକୁ ବୁଲାଅ ! ଏବାଉଟ୍‌ ଟର୍ଣ୍ଣ (About turn) !’’

ସମସ୍ତେ ମେସିନ୍‌ ଭଳି ବୁଲିଗଲେ ।

ସୂରଜଙ୍କୁ ମଜା ଲାଗିଲା । ଫଉଜି ପରେଡ଼୍ ଢଙ୍ଗରେ କହିଲେ–‘‘ପଳା ! ପଛକୁ ଚାହିଁଲେ ଗୁଳି ମାରିବି ।’’

ଆଉ ଗୋଟାଏ ଫାଙ୍କା ଆବାଜ ।

‘‘କୁଇକ୍‌ ମାର୍ଚ୍ଚ, ଭାଗ୍‌ ।’’

ସମସ୍ତେ ପ୍ରାଣବିକଳରେ ପଳେଇଲେ ।

ବଞ୍ଚିଗଲେ ।

ଲୋହିଆଙ୍କୁବି ଖୁବ୍‌ ମଜା ଆସିଲା । ମଉଜରେ ଲୋହିଆ ଜୟପ୍ରକାଶଙ୍କୁ ବ୍ୟଙ୍ଗ କଲେ–‘‘ଏହା ହିଂସା ନା ଅହିଂସା ?’’

 

ଜୟପ୍ରକାଶ କହିଲେ, ‘‘ତୁମେ ଜାଣିଥିବ । ମୋ ପାଦ ତ ଫୋଟକା ହୋଇଯାଇଚି ।’’

 

ସମସ୍ତେ କୋଶୀ ନଦୀର କୂଳେ କୂଳେ ଚାଲିବାକୁ ଲାଗିଲେ ।

 

ଲୋହିଆ ନରମ ଘାସ ଉପରେ ଦେଖି ଦେଖି ପାଦ ପକାଉଥିଲେ । ଜୟପ୍ରକାଶ ଦେଖି ହସିଦେଇ କହିଲେ–‘‘ଲୋହିଆ, ଗରମ ବାଲି ଉପରେ ଚାଲ । ଗରମରେ ପାଦ ସେକି ହୋଇଯିବ-। ଆରାମ ଲାଗିବ ।’’

 

ଲୋହିଆ ହସି ହସି କହିଲେ, ‘‘ତୁମେ ଭୁଲରେ କ୍ରାନ୍ତିକାରୀ ହୋଇଗଲ, ମାତ୍ର ତୁମର ତ କବି ହେବା ଉଚିତ ଥିଲା ।’’

 

ଲୋହିଆଙ୍କ ପାଦର ଫୋଟକା ଫାଟିଗଲା, ଚମଡ଼ା ଛିଡ଼ିଗଲା, ରକ୍ତ ବୋହିବାକୁ ଲାଗିଲା ।

 

କୌଣସିମତେ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବାକୁ ଲାଗିଲେ ।

 

ରାତିରେ ଜଣେ ଗଉଡ଼ ଘରେ ବିଶ୍ରାମ ନେଲେ । ଚାରି ସେର ଦୁଧ ନଗଦ କିଣିବାରୁ ସେହି ଗଉଡ଼ ରହିବାପାଇଁ ଅନୁମତି ଦେଇଥିଲା; କିନ୍ତୁ ଚାରି ସେର ଦୁଧ ବା ପିଇବ କିଏ ? ସମସ୍ତେ କ୍ଳାନ୍ତିରେ ଅବଶ ହୋଇ ପଡ଼ିଥିଲେ ।

 

ରାତିରେ ଖୁବ୍‌ ବର୍ଷା ହେଲା । ଥଣ୍ତାବି ଲାଗିଲା ।

 

ସମସ୍ତେ ଖୁବ୍‌ ଗଭୀର ନିଦରେ ଶୋଇପଡ଼ିଲେ ।

 

ଅନ୍ୟ ଦିନଟି ରାଧୋପୁରରେ କଟେଇଲେ । ମୁଢ଼ି ଏବଂ ଖୁଆ ଖାଇଲେ ।

 

ଯିଏ ସନ୍ଦେହ କରି ଠିକଣା ପଚାରୁଥିଲା, ସମସ୍ତେ ମୁହଁ ଶୁଖେଇ ତାକୁହିଁ ଥାନାର ଠିକଣା ପଚାରୁଥିଲେ ଏବଂ କହୁଥିଲେ ସମସ୍ତେ ବ୍ୟବସାୟୀ ରାସ୍ତାରେ ଡାକୁମାନେ ସବୁ ଲୁଟି ନେଇଚନ୍ତି । ରିପୋର୍ଟ ଲେଖେଇବାର ଅଛି ।

 

ତା’ପରେ ଆଉ କିଏ ବା ସନ୍ଦେହ କରନ୍ତା ! କାରଣ ସେମାନେ ନିଜେ ଥାନାକୁ ଯାଉଚନ୍ତି ।

 

ସେଇଠୁଁ ଲୋହିଆ ଟ୍ରେନ୍‌ ଧରିଲେ । ଜୟପ୍ରକାଶଙ୍କୁ କୁଣ୍ଢେଇ ବିଦାୟ ନେଲେ ।

 

‘‘ଦୋସ୍ତ ! ଭାଗ୍ୟ ଯେତେବେଳେ ଯେଉଁଠି ଭେଟ କରିବ । ବିଦାୟ, ଲାଲ ସଲାଗ୍‌ ।’’

 

ତା’ପରେ କଲିକତା ଅଭିମୁଖରେ ।

 

ପାର୍ବତୀପୁର, ଦିନାଜପୁର ଏବଂ ସିଆଲ୍‌ଦା ।

 

ନେପାଳରୁ ମୁକ୍ତି ପାଇ ଲୋହିଆ କଲିକତାରେ ପହଞ୍ଚିଲେ । ସେତେବେଳକୁ କ୍ରାନ୍ତି ମଉଳି ଆସିଲାଣି । ନୈରାଶ୍ୟର ସାମ୍ରାଜ୍ୟ ଚାଲିଥିଲା ।

 

କଲିକତାର ଯେଉଁମାନଙ୍କ ଉପରେ ଲୋହିଆଙ୍କର ବିଶ୍ୱାସ ଥିଲା, ସେମାନେ ସେତେବେଳକୁ ଏତେଦୂର ଭୟଭୀତ ଏବଂ ନିରାଶ ହୋଇ ପଡ଼ିଥିଲେ ଯେ ଗୁପ୍‌–ଚୁପ୍, ଲୁଚାଚୋରାରେ ଟଙ୍କା–ପଇସା ସାହାଯ୍ୟ କରିବା ଛଡ଼ା ଆଉ କିଛି କରିବାକୁ ପ୍ରସ୍ତୁତ ନଥିଲେ । ସମସ୍ତେ ପରାମର୍ଶ ଦେଲେ ଯେ ସେ (ଲୋହିଆ) ଯେମିତି ହେଲେବି ବିଦେଶ ଚାଲିଯାନ୍ତୁ ।

 

ଲୋହିଆ ବିରକ୍ତ ହୁଅନ୍ତି ।

 

କ’ଣ ଏଇଥିପାଇଁ ଏସବୁ କରିଥିଲି ?

 

ଲୋହିଆଙ୍କୁ ଗୋଟାଏ ନୂତନ ଯୋଜନା ଦେଖାଗଲା ।

 

ସୁଭାଷ ବୋଷଙ୍କ ସହିତ ସମ୍ପର୍କ ସ୍ଥାପନ ବା କାହିଁକି ନ କରାଯିବ ! ଆସାମର ଇମ୍ଫାଲ ପର୍ଯ୍ୟନ୍ତ ତ ସେ ନିଜର ‘‘ଆଜାଦ ହିନ୍ଦ୍‌ ଫଉଜ’’ ସହ ଆସିଯାଇଛନ୍ତି ।

 

ଲୋହିଆ ରୂପ ବଦଳେଇ ଆସାମ ପର୍ଯ୍ୟନ୍ତବି ଗଲେ; କିନ୍ତୁ ସମଗ୍ର ଆସାମ ଭିତରେ ଫଉଜି ଜାଲ ବିଛେଇ ହେଇ ରହିଥିଲା । ଶତ ଚେଷ୍ଟା କରିବା ପରେବି ଲୋହିଆ ସୁଭାଷ ବୋଷଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିଲେନି ।

 

ନୈରାଶ୍ୟ ତଥା ଅସଫଳତାରେ ଆହତ ହୋଇ ଲୋହିଆ ପୁଣି କଲିକତା ଫେରିଆସିଲେ ।

 

କୋଡ଼ିଏ ମେ’ ୧୯୪୪ ।

 

ସେଇ ଦୁର୍ଭାଗ୍ୟର ଦିନ ।

 

ନ’ ଅଗଷ୍ଟ ୧୯୪୨ଠାରୁ କୋଡ଼ିଏ ମେ’ ୧୯୪୪ । ବାଇଶ ମାସର ପଳାତକ ଜୀବନ ଲୋହିଆ ତୋଫାନରେ ଉଡ଼ୁଥିବା ଶୁଖିଲା ପତ୍ର ଭଳି କଟେଇ ଦେଲେ । ପୂରା ବାଇଶ ମାସ ଭିତରେ ଗୋଟାଏ ସ୍ଥାନରେ ଲଗାତାର ଗୋଟିଏ ମାସ ମଧ୍ୟ ରହିବାକୁ ତାଙ୍କୁ ସୁଯୋଗ ମିଳି ନଥିଲା-। ସଦାସର୍ବଦା ସତର୍କ, ସମସ୍ତଙ୍କଠାରୁ ଲୁଚି–ଛପି, କାହାରିକୁ ବିଶ୍ୱାସ ନ କରି । ସବୁବେଳେ ପୋଲିସ୍ ହାବୁଡ଼ରୁ ନିଜକୁ ରକ୍ଷା କରିବା, ଗୁପ୍ତଚରଙ୍କ ଆଖିରୁ ଛପିରହିବା ଏବଂ ସମସ୍ତଙ୍କ ପ୍ରତି ସତର୍କ ରହିବା । କେଜାଣି କିଏ ସରକାରୀ ଗୁପ୍ତଚର ହୋଇଥିବ । ଦୁଇ ରାତି ଲଗାତାର ଗୋଟାଏ ସ୍ଥାନରେ ନ ଶୋଇବା । ପ୍ରତିଦିନ ନୂଆ ନୂଆ ଚେହେରା ତଥା ବେଶଭୂଷା ବଦଳେଇ ବୁଲିବା । ଏଇଟାବି ଏକ ଜୀବନ !

 

ପଳାତକ–ଭୂମିଗତ ଜୀବନ । ନିଜ ଇଚ୍ଛା ମୁତାବକ କିଛି କରିବାର ସୁବିଧା ନାହିଁ । ଶାନ୍ତିରେ ଟିକିଏ ନିଃଶ୍ୱାସ ମାରିବାକୁବି ସମୟ ନାହିଁ । ବଞ୍ଚିରହି, ଭୂତ ଭଳି ଜୀବନ ବିତେଇଦେବା ।

 

ନେପାଳର ‘‘ଆଜାଦ–ଦସ୍ତା’’ ଇତସ୍ତତଃ ହୋଇଯାଇଥିଲା । ସମଗ୍ର ଦେଶ ଭିତରେ କ୍ରାନ୍ତିର ନିଆଁ ଲିଭି ଲିଭି ଆସିଲା । ପଚାଶ ହଜାରରୁ ଅଧିକ ଲୋକ ଜେଲ ଭିତରେ ବନ୍ଦୀ । ହଜାର ହଜାର ଅଜଣା–ଅଶୁଣା ଲୋକ ଇଂରେଜ ସରକାରଙ୍କ ଗୁଳିର ଶିକାର ହୋଇ ସାରିଥିଲେ । ସରକାର ନଗ୍ନ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଦମନଚତ୍ର ଭୀଷଣ ଭାବରେ ଘୂରୁଥିଲା । ଆନ୍ଦୋଳନର ନିଆଁରେ ନୈରାଶ୍ୟର ବରଫ ପଡ଼ିଯାଇଥିଲା । ବାକି ରହିଯାଇଥିବା କ୍ରାନ୍ତିକାରୀମାନେ ମଧ୍ୟ ଇତସ୍ତତଃ ଭାବରେ ଏକାକୀ...ପଳାତକ ତଥା ଭୂମିଗତ ଜୀବନ କୌଣସିମତେ ବିତେଇ ନେଉଥିଲେ ।

 

ଏଭଳି ଏକ ନୈରାଶ୍ୟପୂର୍ଣ୍ଣ ବାତାବରଣ ଭିତରେ ଶ୍ରାନ୍ତ–କ୍ଳାନ୍ତ ଲୋହିଆ ଆସାମରେ ସୁଭାଷ ବାବୁଙ୍କ ସହିତ ସମ୍ପର୍କ ରକ୍ଷା କରି ନ ପାରି ହତାଶ ମନରେ କଲିକତା ଫେରି ଆସିଥିଲେ ।

 

ହାୟ, ପୂର୍ବଆଡ଼ୁ ଆଗେଇ ଆସୁଥିବା ସୁଭାଷବାବୁଙ୍କର ‘‘ଆଜାଦ ହିନ୍ଦ୍‌’’ ଫଉଜକୁ ଦେଶ ଭିତର ଆନ୍ଦୋଳନର ସାହାଯ୍ୟ ଯଦି ମିଳିଯାଇଥାନ୍ତା !

 

ଦିନକର କଥା, ଲୋହିଆ ଯେତେବେଳେ କଲିକତାରେ ଥିଲେ, ଜଣାଗଲା ଯେ ସରକାରଙ୍କୁ କୌଣସିମତେ ଖବର ମିଳିଯାଇଚି ଏବଂ ଲୋହିଆଙ୍କୁ ଗିରଫ୍ କରିବାପାଇଁ ବିଶାଳ ଫଉଜ ଶକ୍ତିର ଆୟୋଜନ କରାଯାଉଚି ।

 

ଶୁଣିବାକ୍ଷଣି ଲୋହିଆ ସତର୍କ ହୋଇଗଲେ । ଏମିତି ଅବସ୍ଥାରେ ବୋଧେ ସେ ନିଜକୁ ଗିରଫ୍‍ଦାରିରୁ ରକ୍ଷା କରିପାରିବେନି । କଲିକତାର ଲୋକମାନଙ୍କ ସହ ଲୋହିଆ ଖୁବ୍‌ ଭଲ ଭାବରେ ମିଶି ଯାଇଥିଲେ । ଖୁବ୍‌ ଜଲଦି ଚିହ୍ନା ପଡ଼ିଯିବାର ଆଶଙ୍କା ମଧ୍ୟ ଥିଲା । ତେଣୁ ଲୋହିଆ ଚଟାପଟ ବେଶ ବଦଳେଇ ପଳେଇଲେ । କୋଟ୍‌, ପ୍ୟାଣ୍ଟ, ବୁଟ୍‌ ପିନ୍ଧିଲେ, ଟାଇବି ବାନ୍ଧିଲେ । ମୁଣ୍ତରେ ଫେଲ୍‌ଟ ହ୍ୟାଟ୍‌ ଲଗେଇଲେ । ଚେହେରା ଉପରେ କିଛି ଦାଗ ଟାଣିଦେଲେ । ନକଲି ନିଶ ଲଗେଇଲେ ଏବଂ ବେଧଡ଼କ ସଡ଼କ ଉପରକୁ ବାହାରି ପଡ଼ିଲେ ।

 

ଷ୍ଟେସନ୍‍ରେ ପହଞ୍ଚିଲେ ଏବଂ ଗୋଟାଏ ଗୁଜରାଟୀ ନାଁରେ (କୌଣସି ଏକ ମେହେତା ନାଁରେ...) ବମ୍ୱେପାଇଁ ବମ୍ୱେ ମେଲ୍‍ରେ ଗୋଟାଏ ପ୍ରଥମ ଶ୍ରେଣୀର ଟିକଟ କାଟିଲେ ଏବଂ କଲିକତା ଓ ହାବଡ଼ା ପୋଲକୁ ନମସ୍କାର କରି ବିଦାୟ ନେଲେ ।

ସିଧା ବମ୍ୱେ ।

ପୁରୁଣା ସାଥୀ କେହି ବାହାରେ ନଥିଲେ । ସମସ୍ତେ ଜେଲ୍‌ ଭିତରେ । କୌଣସିମତେ ବାବୁଲ୍‌ନାଥ ରୋଡ଼୍‍ରେ ମୁଣ୍ତ ଗୁଞ୍ଜିବାପାଇଁ ଗୋଟାଏ ଘର ମିଳିଗଲା ।

କଲିକତା ପୋଲିସ୍ ବମ୍ୱେ ପୋଲିସ୍‍କୁ ଖବର କରିଦେଲେ । ଲୋହିଆ କଲିକତାରୁ ଖସି ପଳେଇଛନ୍ତି, ବମ୍ୱେରେ ତଲାସ କର । ବମ୍ୱେ ପୋଲିସ୍ ମଧ୍ୟ ଚଞ୍ଚଳତା ପ୍ରକାଶ କଲେ । ଯେଉଁ ଯେଉଁ ସ୍ଥାନରେ ଲୋହିଆଙ୍କ ରହିବାର ଆଶଙ୍କା ଥିଲା, ସେଇଭଳି ଏଗାରଟି ସ୍ଥାନରେ ହଠାତ୍ ଚଢ଼ଉ ଆରମ୍ଭ କରିଦେଲେ । ସରକାର ରୋଜ୍‌ ଖବରକାଗଜରେ ବିଜ୍ଞାପନ ଛାପୁଥିଲେ–ଲୋହିଆଙ୍କୁ ଯିଏ ଧରାଇଦେବ କିମ୍ୱା ତାଙ୍କ ଠିକଣା କହିଦବ, ତାକୁ ଖୁବ୍‌ ବଡ଼ ଧରଣର ପୁରସ୍କାର ଦିଆଯିବ । ଫଳରେ ପୁରସ୍କାର ଲୋଭରେ କେତେକ ଲୋକ ମଧ୍ୟ ଲୋହିଆଙ୍କ ଗନ୍ଧ–ବାସନା ବାରିବାପାଇଁ ଘୂରି ବୁଲୁଥିଲେ ।

ଶେଷରେ ପୋଲିସ୍ ଗନ୍ଧ ପାଇଗଲା ।

ହଠାତ୍‌ ୨୦ ମେ’ ୧୯୪୪ ଦିନ ପୋଲିସ୍ ଦଳ ବାବୁଲ୍‌ନାଥ ରୋଡ଼୍‍ରେ ଥିବା ଘରଟିକୁ ଘେରାଉ କରିଦେଲେ । ତଳଠାରୁ ଉପର ପର୍ଯ୍ୟନ୍ତ ପ୍ରତ୍ୟେକ କୋଠରୀକୁ ତନ୍ନତନ୍ନ କରି ଖୋଜିଗଲେ ।

ସେତେବେଳେ ସେଇ କୋଠାର ତିନି ମହଲାସ୍ଥ ଗୋଟିଏ କୋଠରୀରେ ବସି ଲୋହିଆ କେତେକ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିଲେ । ସମଗ୍ର କୋଠାରେ ହଇଚଇ ପଡ଼ିଗଲା । ସେଇ କୋଠାର ଅନ୍ୟାନ୍ୟ ନିର୍ଦ୍ଦୋଷ ଭଡ଼ାଟିଆମାନେ ପୋଲିସ୍ ଅତ୍ୟାଚାର ଭୋଗିବାକୁ ଲାଗିଲେ । ପ୍ରତ୍ୟେକ କୋଠରୀରୁ ଲୋକେ ବାହାରିଆସି ବାରଣ୍ତା ଏବଂ ଛାତ ଉପରେ ରୁଣ୍ତ ହେବାକୁ ଲାଗିଲେ-

ଏ କୋଠା ଭିତରେ ଏମିତି କିଏ ଅଛି ଯେ ପୋଲିସ୍ ଏତେ ଅତ୍ୟାଚାର କରିଚାଲିଛି ? ଲୋହିଆ ନାମକ ଜଣେ ଫେରାର ବ୍ୟକ୍ତି ଯେ ଏଇ କୋଠାରେ ରହିଛନ୍ତି, ଏ କଥା କାହାରିକୁ ମଧ୍ୟ ଜଣା ନଥିଲା ।

ବନ୍ଧୁମାନେ ଧରାପଡ଼ିବା ଆଗରୁ ଖସି ଚାଲିଯିବା ପାଇଁ ଲୋହିଆଙ୍କୁ ପରାମର୍ଶ ଦେଲେ-। ଲୋହିଆ ନୀରବରେ ଶୁଣିଗଲେ । ସେତେବେଳେ ତାଙ୍କ ମନର ଅବସ୍ଥା ଯେ କିପରି ଥିଲା ତାଙ୍କରି ଭାଷାରେ ଶୁଣନ୍ତୁ–‘‘ମୁଁ ନିଶ୍ଚେଷ୍ଟ ହୋଇ ପଡ଼ିଥିଲି । ଏଇଆ ମଧ୍ୟ ହୋଇପାରେ ଯେ ଟଣା–ଓଟରା ପରିସ୍ଥିତିର ଆରମ୍ଭ ଏବଂ ତା’ର ପରିଣାମସ୍ୱରୂପ ପ୍ରଥମ ଉଦ୍‌ବେଗ, ଏଇ ଦୁଇଟି ମଝିରେ ମୋର ନିଜସ୍ୱ ପଦ୍ଧତି ଏଇ ବାଟଟି ବୋଧେ ବାଛି ନେଇଥିବ ।’’

ପୂରାପୂରି ପାଲରେ ପଡ଼ିଗଲେଣି ବୋଲି ଲୋହିଆ ଜାଣିଗଲେ ।

ଖସି ପଳେଇବାର ଚେଷ୍ଟାରେ ଦୀର୍ଘଦିନର ବ୍ୟସ୍ତତା ଭିତରେ ବର୍ତ୍ତମାନ ପୋଲିସ୍‍ର ବର୍ବରତାର ଶିକାର ହେବା ବେକାର । ଘର ଚାରିଆଡ଼େ ପୋଲିସ୍ ଘେରି ରହିଥିଲେ । କୋଠା ଭିତରେ ପ୍ରତ୍ୟେକ କୋଠରୀରେ ପୋଲିସ୍, ପାଇଖାନା ଏବଂ ରୋଷେଇଘରେବି ପୋଲିସ୍ ।

ଇଂରେଜ ସରକାରଙ୍କ ସୌଭାଗ୍ୟରୁ ଏବଂ ଭାରତର ଦୁର୍ଭାଗ୍ୟରୁ ପୋଲିସ୍ ଲୋହିଆଙ୍କୁ ଧରିବାରେ ସଫଳ ହେଲେ ।

ଯେତେବେଳେ ତାଙ୍କ କୋଠରୀରୁ ପୋଲିସ୍ ତାଙ୍କୁ ଗିରଫ୍ କରିନେବାକୁ ବାହାରିଲେ, ସେତେବେଳେ କୋଠା ଭିତରେ ଥିବା ଲୋକେ ଆଶ୍ଚର୍ଯ୍ୟରେ ଜିଭ କାମୁଡ଼ି ପକେଇଲେ–ଏଇ ସାଦା–ସିଧା, ଦୁର୍ବଳ ଲୋକଟି କ’ଣ ପ୍ରସିଦ୍ଧ କ୍ରାନ୍ତିକାରୀ, ଫେରାର ରାମମନୋହର ଲୋହିଆ ? ୟାଙ୍କପାଇଁ କ’ଣ ସରକାର ଏତେ ବଡ଼ ପୁରସ୍କାର ଘୋଷଣା କରିଥିଲେ ? ଇଏ କ’ଣ ବ୍ରିଟିଶ ସାମ୍ରାଜ୍ୟର ପ୍ରାଣାନ୍ତକ ଶତ୍ରୁ ?

ବେଶ୍‌, ଏପରି ଭାବରେ ଲୋହିଆଙ୍କର ପଳାତକ ଜୀବନର ଶେଷ ହୋଇଗଲା ।

ଏହା ଲୋହିଆଙ୍କ ପାଇଁ ତୃତୀୟ ଗିରଫ୍‍ଦାରି ଥିଲା ।

ଚଉତିରିଶବର୍ଷର ଗୋଟାଏ ନବ–ଯୁବକ ଅନନ୍ତ କାଳ ପାଇଁ ଇଂରେଜର ଖୁନୀ ପଞ୍ଝା ଭିତରେ ପଶିଯାଇଥିଲା ।

ତା’ ପରଦିନ ଭାରତ ଏବଂ ଇଂଲଣ୍ତର ସମସ୍ତ ଖବରକାଗଜରେ ସରକାର ଲୋହିଆଙ୍କ ଗିରଫ୍‍ଦାରି ଏବଂ ନିଜର ସଫଳତାର ସୂଚନା ଖୁବ୍‌ ସନ୍ତୋଷର ସହ ଛପେଇଦେଲେ ।

 

ସେଦିନ ଲଣ୍ତନସ୍ଥ ଭାରତର ସଚିବ ଏବଂ ଭାରତର ଇଂରେଜ ଅଫିସରସବୁ କେତେ ସୁଖ ନିଦ୍ରାରେ ନ ଶୋଇଥିବେ !

 

ସେତେବେଳେ ଜର୍ମାନୀ କ୍ୟାମ୍ପ୍‌ ଜେଲ୍‌ଗୁଡ଼ିକରେ ଦିଆଯାଉଥିବା ଯନ୍ତ୍ରଣାକୁ ଇଂରେଜମାନେ ‘‘ନାଜି–ବିରୋଧ’’ ନାମରେ ଖୁବ୍‌ ବଡ଼ ପ୍ରଚାର ଚଳାଇଥିଲେ । କିନ୍ତୁ ସେତେବେଳେ ଜନତା ଜାଣି ନଥିଲେ ଯେ ନାଜିକ୍ୟାମ୍ପ୍‍ଠାରୁ ମଧ୍ୟ ଅଧିକ ଯନ୍ତ୍ରଣା ଦେବା ଭଳି ଇଂରେଜଙ୍କରବି ଏପରି ଗୋଟାଏ ଆଡ଼୍‌ଡ଼ା ଭାରତରେ ମହଜୁଦ୍‌ ଅଛି । ନାରକୀୟ କୃତ୍ୟପାଇଁ ନିନ୍ଦିତ ଲାହୋର କିଲ୍ଲା ।

 

ଇଂରେଜ ନିଜର ଏତେ ବଡ଼ ଅତିଥି ଲୋହିଆଙ୍କୁ ଲାହୋର କିଲ୍ଲା ଛଡ଼ା ଆଉ କେଉଁଠିକି ବା ନିଅନ୍ତେ !

 

ଚଉଦବର୍ଷ ପୂର୍ବେ ଭାରତର ଆଉ ଜଣେ ପ୍ରିୟ ପୁତ୍ର ଭଗତ ସିଂହଙ୍କୁ ମଧ୍ୟ ସେହି କିଲ୍ଲା ଭିତରେ...

 

ବମ୍ୱେରେ ଗିରଫ୍ କରି ଲୋହିଆଙ୍କୁ ସରକାର ଖୁବ୍‌ ଯତ୍ନ ସହକାରେ ଲାହୋର କିଲ୍ଲାର ଗୋଟାଏ ଅନ୍ଧାରୁଆ କୋଠରୀ ଭିତରେ ପହଞ୍ଚେଇ ଦେଲେ । ତା’ପରେ ଯାଇ ଶାନ୍ତିରେ ନିଃଶ୍ୱାସ ମାଇଲେ ।

 

ଲୋହିଆଙ୍କର ଲାହୋର କିଲ୍ଲାର ବନ୍ଦୀଜୀବନର ବୃତ୍ତାନ୍ତ ଅତି ଦାରୁଣ ଏବଂ ରୋମାଞ୍ଚକର ।

 

ଲାହୋର କିଲ୍ଲା ଯନ୍ତ୍ରଣା ଦେବାରେ ପ୍ରସିଦ୍ଧ ଏବଂ କୁଖ୍ୟାତ ଥିଲା । ଲାହୋର କିଲ୍ଲାର କାନ୍ଥଗୁଡ଼ିକ ବଡ଼ ଘୃଣ୍ୟ ଆଉ ଅମାନୁଷିକ କାଣ୍ତପାଇଁବି ଆବହମାନ କାଳରୁ ମୂକ ସାକ୍ଷୀରୂପେ ରହିଆସିଛି । ଅଧିକରୁ ଅଧିକ ଯନ୍ତ୍ରଣା ଦେଉଥିବା କିଲ୍ଲାଗୁଡ଼ିକ ଭିତରେ ଏଇ କିଲ୍ଲା ସର୍ବପ୍ରଥମ ସ୍ଥାନ ଅଧିକାର କରିଥିଲା ।

 

ନିୟମତଃ ଲୋହିଆଙ୍କ ଗିରଫ୍‍ଦାରି ବମ୍ୱେରେ ହୋଇଥିଲା । ସେଥିପାଇଁ ତାଙ୍କୁ ବମ୍ୱେ ପ୍ରାନ୍ତରେ କିମ୍ୱା ତାଙ୍କ ନିଜ ପ୍ରାନ୍ତ ସଂଯୁକ୍ତ ପ୍ରଦେଶ (ବର୍ତ୍ତମାନର ଉତ୍ତରପ୍ରଦେଶ)ର କୌଣସି ଏକ ଜେଲ୍‌ରେ ରଖାଯିବା ଉଚିତ ଥିଲା । କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟ ପ୍ରଥମରୁହିଁ ଖରାପ ଥିଲା । ଜାଣିଶୁଣି କଷ୍ଟ ଦେବାପାଇଁ ତ ଲୋହିଆଙ୍କୁ ସେଇ କୁଖ୍ୟାତ ଲାହୋର କିଲ୍ଲାରେ ବନ୍ଦୀ କରି ରଖାଗଲା । ସେଇଠି ଲୋହିଆଙ୍କୁ ଯେତେଟା କଷ୍ଟ ଦିଆଗଲା, ତାଙ୍କ ଉପରେ ଯେତେ ଅମାନୁଷିକ ଅତ୍ୟାଚାର କରାଗଲା, ଯେତେ ଅସଭ୍ୟ ବ୍ୟବହାର କରାଗଲା, ତାହାର ଏକ ନିଜସ୍ୱ ଢଙ୍ଗ ଥିଲା ।

 

ତେବେ ପଞ୍ଜାବ ସରକାର ନିର୍ଦ୍ଦୟତା ପାଇଁ କେନ୍ଦ୍ର ସରକାରଙ୍କ ମୁଣ୍ତରେ ଅଠା ବୋଳୁଥିଲାବେଳେ ବ୍ରିଟିଶ ଅଣ୍ତର୍ ସେକ୍ରେଟାରି ସେଇ ଦାୟିତ୍ୱକୁ ପଞ୍ଜାବ ସରକାରଙ୍କ ଉପରେ ଲଦି ଦେଉଥିଲେ । ଦୁଇ ସରକାର ସେଇ ନିର୍ଲଜ୍ଜ କର୍ମର ଦାୟିତ୍ୱରୁ ନିଜ ନିଜକୁ ରକ୍ଷା କରିବାପାଇଁ ଚେଷ୍ଟା କରୁଥିଲେ । କାହିଁକି ନା, ସେମାନେ ଜାଣିଥିଲେ ଯେ ଯଦି କେବେ ପୃଥିବୀର କୌଣସି ଏକ ସ୍ୱାଧୀନ ନ୍ୟାୟାଳୟରେ ତାଙ୍କର କୁକର୍ମପାଇଁ କୈଫିୟତ ମଗାଯାଏ, ତେବେ ତାଙ୍କ ପାଖରେ ସ୍ୱକୃତ ଦାନବୀୟ କୁକର୍ମକୁ ସମର୍ଥନ କରିବାପାଇଁ କୌଣସି ଭାଷା ନଥିବ ।

 

ଲୋହିଆଙ୍କ ବିଷୟରେ ପ୍ରକୃତରେ କହିବାକୁ ଗଲେ କେନ୍ଦ୍ର ସରକାର ପୂରାପୂରି ଗୋଟାଏ ଷଡ଼ଯନ୍ତ୍ର କରି ସାରିଥିଲେ । ପଞ୍ଜାବ ସରକାର ଗୋଟାଏ ନିର୍ଜୀବ ଯନ୍ତ୍ର ଭଳି କେବଳ ପାପର ଭାଗୀଦାର ମାତ୍ର ଥିଲେ ।

 

ଲୋହିଆଙ୍କୁ ଯେତେବେଳେ ବମ୍ୱେରୁ ପୋଲିସ୍‍ର ବିରାଟ ଘେର ଭିତରେ ଚାଲଣ କରାଗଲା, ସେତେବେଳେ ଏଇ ବିଷୟଟିକୁ ପୂରାପୂରି ଗୁପ୍ତ ରଖାଗଲା ଯେ ତାଙ୍କୁ ଲାହୋର କିଲ୍ଲା ଭିତରକୁ ନିଆଯାଉଛି ।

କିଲ୍ଲାର ଫାଟକରୁ ଭିତର କୋଠରୀ ପର୍ଯ୍ୟନ୍ତ ଲୋହିଆଙ୍କୁ ସବୁବେଳେ ଗାଡ଼ି ଭିତରେହିଁ ରୁଦ୍ଧ କରି ନିଆଗଲା । ଲାହୋର କିଲ୍ଲା ଭିତରେ ବନ୍ଦୀ ହେଲାପରେବି ଦୀର୍ଘ ଦିନ ଧରି ଲୋହିଆ ଜାଣିପାରିଲେନି ଯେ ସେ ପୃଥିବୀର କେଉଁ ଭୂଖଣ୍ତରେ ଏବଂ କେଉଁଠି ଏପରି ଭାବରେ ବନ୍ଦୀ ହୋଇ ରହିଚନ୍ତି । ସେତେବେଳେ ନିଜ ମାନସିକ ଅବସ୍ଥାର ବର୍ଣ୍ଣନା ଲୋହିଆ ଏପରି ଭାବରେ କରିଛନ୍ତି ‘‘ମୋ ମନର ଭାବନାଗୁଡ଼ିକର ଦ୍ୱନ୍ଦ୍ୱ ମୋର ଠିକ୍‌ ଭାବରେ ମନେ ପଡ଼ୁନି । କିନ୍ତୁ ଭବିଷ୍ୟତରେ ମୋ ଭାଗ୍ୟରେ କ’ଣ ଲେଖାଅଛି, ତା’ ମୁଁ ଖୁବ୍‌ ଭଲ ଭାବରେ ଜାଣେ । ସେ ଯାହାହେଉ, ଗୋଟାଏ ଜିଜ୍ଞାସାପୂର୍ଣ୍ଣ ସୂତ୍ର ମୋର ଠିକ୍‌ ଭାବରେ ମନେ ପଡ଼ୁଛି । ମୋ ମନର ଭୟ, କ୍ରୋଧ ଏବଂ ଉଦାସୀନତାକୁ ପାରକରି ସେଇ ସୂତ୍ରଟି ଯାଇଥିବ । ଏପରି ଅବସ୍ଥାରେ ଏକପ୍ରକାର ନୀରବତାର ଭାବନା କେବେକେବେ ମୋ ମନରେ ଆସୁଛି । ଏଇ ସୂତ୍ର ସହିତ ତାହା ମଧ୍ୟ ମୋର ମନେପଡ଼ୁଛି ।’’

ଏଇଆବି କ’ଣ ମନଃସ୍ଥିତି !

ମନୁଷ୍ୟ ଗୋଟାଏ ଅନ୍ଧାର କୋଠରୀ ଭିତରେ ଚବିଶିଘଣ୍ଟା ଧରି ବନ୍ଦ । ସେ କେବଳ ଏତିକିହିଁ ଭାବେ, ନିଜକୁ ପଚାରେ ମୁଁ କେଉଁଠି ? ଏବଂ ତାକୁ କୌଣସି ଉତ୍ତର ମିଳେନି । କୋଠରୀର କାନ୍ଥଗୁଡ଼ାକ ମଧ୍ୟ ମଉନ ରହନ୍ତି । ଏପରି ଅବସ୍ଥାରେ ମଣିଷ କ’ଣ ପାଗଳ ହୋଇଯିବନି ?

 

ମନୁଷ୍ୟ ମନୁଷ୍ୟର ରୂପ ଦେଖିବାପାଇଁ ବ୍ୟଗ୍ର...ବିକଳ । ଆଃ...ନିଜ ରୂପ ଦେଖିପାରିବାର ମଧ୍ୟ କୌଣସି ଉପାୟ ନାହିଁ ।

 

ସଂସାର, ସମାଜ, ଜନଗହଳି, ଆନ୍ଦୋଳନ, ଶୋଭାଯାତ୍ରା ଭିତରେ ରହିବା ଲୋକର ସମ୍ୱନ୍ଧ ଯଦି ସବୁ ଆଡ଼ୁ ଛିନ୍ନ କରି ଦିଆଯାଏ ଏବଂ କାହା ସାଙ୍ଗେ ଟିକିଏ କଥାବାର୍ତ୍ତା କରିବାକୁ ଯଦି ସେ ହପ୍ତା ହପ୍ତା ଧରି ଡହଳବିକଳ ହୁଏ, ତେବେ ମନ ଭିତରେ ତ ପ୍ରଥମେ ଭୟାନକ, ପ୍ରଚଣ୍ତ ହାହାକାର ଏବଂ ପରେ ପରେ କେତେ ଗଭୀର... କେତେ ଅଶୁଭ ନୀରବତା ଛାଇ ଯାଉଥିବ ! ତା’ କଳ୍ପନାର ବାହାରେ... !

 

କିନ୍ତୁ ଲୋହିଆ ସହିଲେ, ଭୋଗିଲେ, ଅନୁଭବ କଲେ ।

 

ଏ କଥା ସତ ଯେକୌଣସି ଲୋକ ଅନିଶ୍ଚିତ କାଳପାଇଁ ଜେଲ୍‌ରେ ପଥର ହୋଇ ରହି ନପାରେ । ଏମିତି ଅବସ୍ଥାରେ ମଣିଷକୁ ଟିକିଏ ହାତ–ଗୋଡ଼ ହଲେଇବା ପାଇଁବି ସୁବିଧା ମିଳେନି-। ମନୁଷ୍ୟ ପୂରାପୂରି କର୍ମଶୂନ୍ୟ ହୋଇଯାଏ । କାହିଁକି ନା, ମୁକ୍ତ ମନୁଷ୍ୟହିଁ କର୍ମ କରିପାରେ...କଏଦୀ ନୁହେଁ ।

 

ଲାହୋର ଜେଲ୍‌ର କୋଠରୀ କ୍ଷୁଦ୍ର, ରୁଦ୍ଧ ଏବଂ ଅନ୍ଧାରିଆ ଥିଲା । ସେଇଠି ବାଛି ବାଛି ରାକ୍ଷସମାନଙ୍କୁ ଅଫିସରରୂପେ ରଖାଯାଇଥିଲା । ସେଇଠି ଚାକିରିରେ ରଖାଯାଇଥିଲେ କଷ୍ଟ ଏବଂ ଯନ୍ତ୍ରଣା ଦେବାର ଲୋକ, ଯେଉଁମାନେ ତାଙ୍କ କାମରେ ଖୁବ୍‌ ଅନୁଭବୀ, କର୍ମକୁଶଳ ଏବଂ ଓସ୍ତାଦ ।

 

ତାଙ୍କର ବିଶ୍ୱାସ ଥିଲା ଯେ ଯିଏ ଯେତେ କଠୋର ହେଉ ନା କାହିଁକି, କ୍ରମବଦ୍ଧ ଏବଂ ଯୋଜନାବଦ୍ଧ ଯନ୍ତ୍ରଣାର ପ୍ରୟୋଗ ପରେ ଅନ୍ତତଃ ସେ ନିଶ୍ଚୟ ନତମସ୍ତକ ହବ । ବାକି ଯନ୍ତ୍ରଣା ଦେଲାବେଳେ ତା’ ମନ ଏବଂ ଶରୀରର ଦୁର୍ବଳ ସ୍ଥାନଗୁଡ଼ିକୁ କେବଳ ଜାଣିବା ଉଚିତ । କାରଣ ଏହାଦ୍ୱାରା କଏଦୀ ଶାରୀରିକ ଅକ୍ଷମତା ଏବଂ ମାନସିକ ଶୂନ୍ୟତା ଅନୁଭବ କରେ । ତା’ ପାଖରେ କଥାବାର୍ତ୍ତା କରିବାକୁ କୌଣସି ସାଥୀ, ପଢ଼ାପଢ଼ି କରିବାକୁ ବହି କିମ୍ୱା ଲେଖାଲେଖି କରିବାକୁ କାଗଜ–କଲମ ନଥାଏ । ଏପରି ଅବସ୍ଥାରେ ସେ ଭିତରେ ଖାଲି ଫମ୍ପା ଏବଂ ବାହାରେ ଅନ୍ଧକାରଦ୍ୱାରା ଆଚ୍ଛାଦିତ ହୋଇ ରହେ । ତା’ର ସମ୍ପର୍କ ବାହାର ଦୁନିଆ ସହିତ ପୂର୍ଣ୍ଣମାତ୍ରାରେ ବିଚ୍ଛିନ୍ନ ହୋଇଯାଏ । ଭୂତ, ବର୍ତ୍ତମାନ ଏବଂ ଭବିଷ୍ୟତ୍‌ ସମସ୍ତେ ତା’ର ସାଙ୍ଗ ଛାଡ଼ି ଚାଲି ଯାଇଥାନ୍ତି-। ହଁ, ସୌଭାଗ୍ୟବଶତଃ କୌଣସି ଚେହେରା ଯଦି ଦେଖିବାକୁ ମିଳେ, ତେବେ ସେଇ ଚେହେରା ହେଉଚି ଶତ୍ରୁର । ତା’ ମନରେ ସେଇ ‘‘ଭ୍ରମ’’ ସହଜ ବିଶ୍ୱାସର ରୂପ ଧାରଣ କରେ ଯେ ଏଣିକି ଭବିଷ୍ୟତ୍‌ ଜୀବନରେ ତାକୁ କେବଳ ଚାରିଆଡ଼େ ଶତ୍ରୁହିଁ ଦେଖାଯିବେ ।

 

ଲୋହିଆଙ୍କୁ ଧୀରେ ଧୀରେ ଯାତନାଗ୍ରସ୍ତ କରିବାପାଇଁ ସରକାରୀ କାର୍ଯ୍ୟକ୍ରମ ପ୍ରକାଶ ପାଇବାକୁ ଲାଗିଲା ।

 

ଯନ୍ତ୍ରଣାକୁ ଧୀରେ ଧୀରେ ବୃଦ୍ଧି କରିବାପାଇଁ ବୋଧେ ଗୋଟାଏ କିଛି ପ୍ରକ୍ରିୟା ରହିଛି । ଯନ୍ତ୍ରଣା ପାଇବା ଲୋକ କ୍ରୋଧରେ ଯେପରି ବିକ୍ଷିପ୍ତ ହୋଇ ନଉଠେ, ତା’ର ସମ୍ପୂର୍ଣ୍ଣ ଖିଆଲ ରଖାଯାଏ । ଲୋହିଆଙ୍କର ଯନ୍ତ୍ରଣା ଆରମ୍ଭ କରିବା ଆଗରୁ ଏ କଥାର ଖିଆଲ ପୂରାପୂରି ରଖାଗଲା । କାରଣ ତାଙ୍କର ଆରମ୍ଭରୁ ଯେମିତି କ୍ରୋଧ ନ ଆସିବ ଏବଂ ସ୍ୱଭାବତଃ ଜିଜ୍ଞାସୁ ତତ୍ତ୍ୱବି ଠିକ୍‌ ଠିକ୍‌ ରହିବ; କିନ୍ତୁ ଏଇ ଜିଜ୍ଞାସାବି ବେଳେବେଳେ ବଡ଼ ବିଶ୍ୱାସଘାତକ ପ୍ରମାଣିତ ହୁଏ ଏବଂ ତଦ୍ଦ୍ୱାରା ମନୁଷ୍ୟ ବେଳେବେଳେ ଭୟାନକ ବିପଦରେବି ପଡ଼ିଯାଏ ।

 

ପ୍ରଥମେ ପ୍ରଥମେ କିଲ୍ଲା ଅଫିସର ଲୋହିଆଙ୍କୁ ତାଙ୍କ ଅନ୍ଧାରୁଆ କୋଠରୀରୁ ଅଫିସ୍ ପର୍ଯ୍ୟନ୍ତ ବିନା କାରଣରେ ଦିନ କିମ୍ୱା ରାତିରେ ନେଇ ଆସନ୍ତି ଏବଂ ବିନା କାରଣରେହିଁ ତାଙ୍କୁ କେବେକେବେ ଅନେକ ସମୟ ଧରି ଏବଂ କେବେକେବେ ଖୁବ୍‌ ଅଳ୍ପ ସମୟପାଇଁ ସେଇଠି ଚଉକିରେ ବସେଇ ରଖନ୍ତି କିମ୍ୱା ଛିଡ଼ା କରେଇ ଦିଅନ୍ତି । ଏହା ମନ ଭିତରେ ବିରକ୍ତି ଏବଂ କ୍ରୋଧ ସୃଷ୍ଟି କରି ଆତ୍ମାକୁ ରୋଷାନ୍ୱିତ କରିବାର ପ୍ରଣାଳୀ ବା ଢଙ୍ଗ । କେବେକେବେ ଲୋହିଆଙ୍କୁ ବିରକ୍ତ କରିବାପାଇଁ ଗୋଟାଏ ଶବ୍ଦ କିମ୍ୱା ବାକ୍ୟ ତାଙ୍କୁ ପଚାଶ କିମ୍ୱା ଶହେ ଥର ପର୍ଯ୍ୟନ୍ତ ପଚରାଯାଏ । ସେମାନଙ୍କର କେବଳ ଏକମାତ୍ର ଧ୍ୟେୟ ଥିଲା–ମନୁଷ୍ୟର ମନ ଏତେଦୂର ବିକ୍ଷିପ୍ତ ହୋଇଯାଉ, ଏତେଦୂର ଭାଙ୍ଗିପଡ଼ୁ, ଯଦ୍ଦ୍ୱାରା ତା’ର ଆତ୍ମାର ବିନାଶ ସହଜରେ ହୋଇପାରିବ ।

 

ଲୋହିଆଙ୍କୁ ସବୁବେଳେ ହାତକଡ଼ି ପିନ୍ଧି ରହିବାକୁ ପଡ଼ୁଥିଲା । ଲାହୋର କିଲ୍ଲାରେ ଯେଉଁ ହାତକଡ଼ି ତାଙ୍କୁ ପିନ୍ଧିବାକୁ ପଡ଼ୁଥିଲା, ତାହା କେତେକାଂଶରେ ଅସାଧାରଣ ଭାବରେ ଓଜନ ଥିଲା ।

 

କିନ୍ତୁ ବାସ୍ତବ ଯନ୍ତ୍ରଣା ତ ସେତେବେଳେ ଯାଇ ଆରମ୍ଭ ହେଲା, ଯେତେବେଳେ ଲୋହିଆଙ୍କୁ ଜୋର୍‌କରି ଶୋଇବାକୁ ଦିଆଗଲା ନାହିଁ । ଜୋର୍‌କରି ଶୋଇବାକୁ ନ ଦେବାର ଏଇ ଢଙ୍ଗ ହେଉଚି–ବିଛଣା ସାମ୍ନାରେ ବିଛା ହୋଇଥିବ, ଅଥଚ ତା’ ଉପରେ ଯାଇ ଶୋଇପଡ଼ିବା ଏତେ ସହଜ ଏବଂ ସରଳ ନଥିଲା । ଏମିତି ତ ଚଉକି ଉପରେ ବସି ବସି ମଧ୍ୟ ଜଣେ ଶୋଇ ଯାଇପାରେ-। ଲୋହିଆଙ୍କୁ ଜବରଦସ୍ତି ଆଖି ଖୋଲା ରଖିବାକୁ ବାଧ୍ୟ କରାଯାଉଥିଲା । ନିଦରେ ଆକ୍ରାନ୍ତ ଲୋକକୁ ଆଖି ବୁଜିବାପାଇଁ ନ ଦେବାଠାରୁ ଯନ୍ତ୍ରଣା ବା ଆଉ କ’ଣ ଥାଇପାରେ ! ଯଦି ଜୋର୍‌କରି ପଲକ ପକେଇବାକୁ ଚେଷ୍ଟାବି କରନ୍ତି, ତେବେ ପଲକ ପକେଇବାକୁହିଁ ଯାହା ସମୟ ଲାଗେ-। ତା’ପରେ ଆଖି ଖୋଲିଦେବାକୁହିଁ ହୁଏ । ଯଦି ମୁହୂର୍ତ୍ତକରୁ ଅଧିକ ଆଖି ବନ୍ଦ ରଖନ୍ତି, ତେବେ ପୋଲିସ୍ ପହରାରେ ଥିବା ଅଫିସର ସାଙ୍ଗେ ସାଙ୍ଗେ ହାତକଡ଼ିରେ ଲାଗିଥିବା ଶିକୁଳିକି ଧରି ଜୋର୍‌ରେ ଟାଣିଦିଏ କିମ୍ୱା ମୁଣ୍ତଟାକୁ ଚାରିଆଡ଼ୁ ଟିକିଏ ହଲେଇଦିଏ । ଏଭଳି ନିଦ୍ରାରହିତ ଜୀବନ ଲୋହିଆଙ୍କୁ ଭୟାଳୁ କରିଦେଲା ।

 

ଜବରଦସ୍ତି ଉଜାଗରର ଅବଧି ଧୀରେ ଧୀରେ ବଢ଼ି ତିନି ଦିନ ହେଲା ଏବଂ ଅନ୍ୟ ମାସକୁ ଏଇ ଅବଧି ପାଞ୍ଚ ଦିନକୁ ବଢ଼ିଗଲା । ତା’ର ଏକପ୍ରକାର ପ୍ରଭାବ ତ ଲୋହିଆ ସାଙ୍ଗେ ସାଙ୍ଗେ ଅନୁଭବ କଲେ । ଯଦି ତାଙ୍କ ପାଖରେ କେବେ ଶାରୀରିକ ସଂଘର୍ଷ କିମ୍ୱା ଲଢ଼େଇ କରିବାର ଇଚ୍ଛା ଥିଲା, ତେବେ ତାହା ବର୍ତ୍ତମାନ ଶେଷ ହୋଇ ଯାଇଥିଲା ।

 

ବଳାତ୍କାର ଅନିଦ୍ରାର ଏଇ ଧାରା ପୂରାପୂରି ଚାରି ମାସ ପର୍ଯ୍ୟନ୍ତ ଅବାଧ ଗତିରେ ଚାଲିବାକୁ ଲାଗିଲା ଏବଂ ଶେଷ ଆଡ଼କୁ ଅନିଦ୍ରାର ଅବଧି ସପ୍ତାଏ ପର୍ଯ୍ୟନ୍ତ ବଢ଼େଇ ଦିଆଗଲା ଏବଂ ପରେ ପରେ ଦଶ ଦିନ ଏବଂ ଦଶ ରାତି ପର୍ଯ୍ୟନ୍ତ ଏକା ସାଙ୍ଗରେ ଚାଲିଲା ।

 

ବଳାତ୍କାର ଅନିଦ୍ରା ସାଙ୍ଗକୁ ଲୋହିଆଙ୍କୁ ଶାରୀରିକ କଷ୍ଟ ଏବଂ ମାନସିକ ଯନ୍ତ୍ରଣା ମଧ୍ୟ ଖୁବ୍‌ ଦିଆଯାଉଥିଲା । ଏମିତି କି ଅନେକ ଅବସର ଆସିଲା, ଯଦ୍ଦ୍ୱାରା ଲୋହିଆ ଅତିମାତ୍ରାରେ କ୍ଷୁବ୍ଧ ହୋଇପଡ଼ିଲେ ।

 

ଏଭଳି ଦୁଇଟି ଘଟଣା ଲୋହିଆଙ୍କର ଏପର୍ଯ୍ୟନ୍ତ ମନେଅଛି ।

 

ପ୍ରଥମ ଥର–

 

ଜଣେ ଶିକ୍ଷା ପାଉଥିବା ଅଫିସର ଲୋହିଆଙ୍କ ସମ୍ମୁଖରେହିଁ ଯୋଜନାବଦ୍ଧ ଢଙ୍ଗରେ ତାଙ୍କର (ଲୋହିଆଙ୍କର) ବନ୍ଧୁ ଏବଂ ରାଷ୍ଟ୍ରୀୟ ନେତାମାନଙ୍କୁ କଦର୍ଯ୍ୟ ଏବଂ କୁ–ଭାଷାରେ ଗାଳିଦେବାକୁ ଆରମ୍ଭ କଲା । ଗାଳି–ଗୁଲଜର ଏଇ କ୍ରମ ଆରମ୍ଭ ହେବାରୁ ରାଗରେ ଲୋହିଆଙ୍କ ରକ୍ତ ଗରମ ହେବାକୁ ଲାଗିଲା; କିନ୍ତୁ କେତେକାଂଶରେ ସେ ନୀରବ ରହି କୌଣସିମତେ ନିଜକୁ ସମ୍ଭାଳି ରଖିଲେ; କିନ୍ତୁ ସେଇ ଅଫିସର ଯେତେବେଳେ ଗାନ୍ଧିଙ୍କ ନାଁ ଉଚ୍ଚାରଣ କଲା, ମନେହେଲା, କୌଣସି ଗୋଟାଏ ଉଚ୍ଚ ପର୍ବତର ଗୋଟାଏ ବଡ଼ ଚଟାଣକୁ ଫଟେଇ ଯେମିତି କ୍ରୋଧ ପ୍ରକାଶିତ ହେଲା । ଲୋହିଆଙ୍କ ଶରୀର ଆଉ ପ୍ରାଣରେ ଯେତେ ଶକ୍ତି ଥିଲା, ସେସବୁକୁ ମିଶେଇ ସେ ଏକାସାଙ୍ଗରେ ଚିତ୍କାର କରିଉଠିଲେ–‘‘ମୁହଁ ବନ୍ଦ କର ।’’

 

ଆଉ ଦ୍ୱିତୀୟ ଥର–

 

ବଳାତ୍କାର ଅନିଦ୍ରାର ଦୀର୍ଘ ମିଆଦ ଚାଲିଥିଲା । ସାପ୍ତାହିକ ମିଆଦର ତାହା ଥିଲା ଷଷ୍ଠ ଦିବସ । ଛ’ ଦିନ ଏବଂ ପାଞ୍ଚ ରାତି ଧରି ତାଙ୍କୁ ପଲକ ପକେଇବାକୁ ଦିଆଯାଇ ନଥିଲା । ସମୟ ସକାଳ ଚାରିଟା । ସେତେବେଳେ ଲୋହିଆଙ୍କର ମନେ ହେଉଥିଲା, ଯେମିତି ତାଙ୍କର ମସ୍ତିଷ୍କ ଗରମ ପାଉଁଶ ଭିତରେ ପୋତି ହୋଇ ରହିଛି । ପୋଲିସ୍ ଅଫିସର ଜଣକ ଅଳ୍ପ ସମୟ ତଫାତ୍‌ରେ ଲୁହାର ଗୋଟାଏ ଦଣ୍ତକୁ ମେଜ ଉପରେ ବାଡ଼େଇ ଶବ୍ଦ ସୃଷ୍ଟି କରୁଥିଲା । ଲୋହିଆ ପ୍ରତିକାରର ଭାବନା ନେଇ କ୍ଷଣିକପାଇଁ ଆଖି ବନ୍ଦ କରିଦେଲେ । ଅଫିସର ଜଣକ ଭୟଙ୍କର ଭାବରେ ବିଗିଡ଼ିଗଲା । ସେ ଜୋରରେ ଚିତ୍କାର କରିଉଠିଲା । ଲୋହିଆଙ୍କ ଆଖି ସେମିତି ବନ୍ଦ ରହିଥିଲା । ତା’ପରେ ଅଧ ମିନିଟ୍‌ ପରେ ସେ ଯେତେବେଳେ ଆଖି ଖୋଲିଲେ, ଦେଖିଲେ ଯେ ସେଇ ଅଫିସର ନିଜ ଚଉକିରୁ ଏମିତି ଭାବରେ ଉଠିଲା ଏବଂ ଏଭଳି ଭଙ୍ଗୀ ଦେଖାଇଲା ଯେ, ମନେହେଲା ଯେମିତି ସେ ଲୋହିଆଙ୍କ ଉପରେ ହଠାତ୍‌ ଆକ୍ରମଣ କରିଦେବ । ଲୋହିଆଙ୍କ ହାତରେ ହାତକଡ଼ି ପଡ଼ିଥିଲା । ସେ ଏକାକୀ ମଧ୍ୟ ଥିଲେ । କିନ୍ତୁ ସଂଯମ ନ ହରେଇ ସେ ଧୈର୍ଯ୍ୟ ଏବଂ ଦୃଢ଼ତା ସହକାରେ କହିଲେ, ‘‘ଶାରୀରିକ ଲଢ଼େଇପାଇଁ ଏକା ଆସନା; କାରଣ ଆସିଲେ ଆଦୌ ଭଲ ହେବନି ।’’

 

କେଜାଣି କ’ଣ ଭାବି ଅଫିସରଟି ପଛକୁ ହଟିଗଲା । ମନେ ହେଲା, ଯେମିତି ସେ କୌଣସି ଏକ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଉଛି । ଏହା ମଧ୍ୟ ହୋଇପାରେ ଯେ ଲୋହିଆଙ୍କର ଦ୍ୱେଷ ତଥା ରୋଷପୂର୍ଣ୍ଣ ଥରି ଉଠୁଥିବା ଚେହେରାକୁ ଦେଖି ସେ କୌଣସି ନିଷ୍ପତ୍ତିରେ ପହଞ୍ଚି ଯାଇଥାଇପାରେ । ସେ ହଠାତ୍‌ ଚିତ୍କାର କରି ସାହାଯ୍ୟପାଇଁ ଗୁହାରି କରିବାକୁ ଲାଗିଲା । ସାଙ୍ଗେ ସାଙ୍ଗେ ଚାରି–ପାଞ୍ଚ ଜଣ ସିପାହୀ ଦଉଡ଼ି ଆସିଲେ । ପହରାରେ ଥିବା ଶସ୍ତ୍ରଧାରୀ ସିପାହୀ ମଧ୍ୟ ଆସିଲା । ସେମାନେ ଲୋହିଆଙ୍କୁ ଧରି ଚଉକିରୁ ଉଠେଇଲେ ଏବଂ କାନ୍ଥ ପାଖରେ ନେଇ ଛିଡ଼ା କରାଇଦେଲେ । ଅଫିସର ଜଣକ ଯେମିତି ତାଙ୍କ ଆଡ଼କୁ ଆଗେଇବାକୁ ଚାହିଁଲା, ଲୋହିଆ ଅତ୍ୟନ୍ତ ଘୃଣା ଭାବ ଦେଖାଇ କହିଲେ, ‘‘କିଲ୍ଲାରେ କାପୁରୁଷ !’’

 

ସେ ଅଫିସରଟି ପୁଣି ରହିଗଲା । ଲୋହିଆ ପୁଣି ଆଖି ବୁଜିଦେଲେ । ତା’ପରେ ସେ ଅଫିସରର ଇଙ୍ଗିତରେ ହଠାତ୍‌ ଲୋହିଆଙ୍କୁ ଜଣେ ସିପାହୀ ଟାଣିଆଣି ଖଦଡ଼ିଆ ଚଟାଣ ଉପରେ ପକେଇ ଭଉଁରୀ ଆକାରରେ ଘୋଷାରିବାକୁ ଲାଗିଲା । ଏଇ ଘୋଷରା–ଘୋଷରି କାମ ଘଣ୍ଟାକରୁ ଅଧିକ ଚାଲିଥିବ । ଯେତେବେଳେ ସମସ୍ତ ସିପାହୀ ଥକିପଡ଼ିଲେ, ତେବେ ଯାଇ ଲୋହିଆଙ୍କୁ ମୁକ୍ତି ମିଳିଲା । ସେତେବେଳେ ଯାଇ ସେ ଦେଖିଲେ ଯେ ତାଙ୍କ ହାତ ତଥା କହୁଣୀ ଲହୁ–ଲୁହାଣ ହୋଇପଡ଼ିଛି ।

 

ତା’ପରେ ଲୋହିଆଙ୍କୁ ଗାଧୋଇବା ପାଇଁ ନିଆଗଲା ଏବଂ ଗାଧୋଇ ଦେଇ ପୁଣି ବଳାତ୍କାର ଅନିଦ୍ରାର କାର୍ଯ୍ୟକ୍ରମ ଚାଲୁ କରି ଦିଆଗଲା ।

 

କିଲ୍ଲାର ସବୁଠୁ ବଡ଼ ପୋଲିସ୍ ଅଫିସର ଲୋହିଆଙ୍କ ସାଙ୍ଗରେ ଖୁବ୍‌ ମିଠା ମିଠା କଥାବାର୍ତ୍ତା କରେ ଏବଂ ତାଙ୍କର ପ୍ରଶଂସା ଗାନ କରିବା ସଙ୍ଗେ ସଙ୍ଗେ ତାଙ୍କର ନୈରାଶ୍ୟକୁ ଖୋଳି ବାହାର କରେ । ମାନସିକ ଯନ୍ତ୍ରଣା ଦେବାପାଇଁ କେତେକ କର୍ମଚାରୀ ଛଳନାପୂର୍ବକ ଲୋହିଆଙ୍କ ପାଦ ଏବଂ ଆଣ୍ଠୁ ଛୁଇଁ ସମ୍ମାନ ଦେଖାନ୍ତି । କିଛି ସମୟ ପର୍ଯ୍ୟନ୍ତ ଯାତନା–ଯନ୍ତ୍ରଣା ଏବଂ ଛଳପୂର୍ଣ୍ଣ ସମ୍ମାନ ! ଏଭଳି ପ୍ରସଙ୍ଗରୁ ଲୋହିଆଙ୍କ ସମ୍ମୁଖରେ ଗୋଟିଏ କିଛି ଅଦ୍ଭୁତ ଏବଂ ଭୟାନକ ତଥା ଭୟାର୍ତ୍ତ ରୂପ ଆସି ଦେଖାଯାଏ । ଯେମିତି ତାଙ୍କୁ ଅଜାଣତରେ ମଇଳା ପାଣିଗୁଡ଼ାଏ ପେଇ ଦିଆଯାଉଛି । ଲୋହିଆ ପୋଲିସ୍ ଅଫିସରଙ୍କୁ ସ୍ପଷ୍ଟ ଭାବରେ କହିଦେଲେ ଯେ ନିଜ କାର୍ଯ୍ୟକଳାପର ବିବରଣୀ ଦେବାରେ ତାଙ୍କର କୌଣସି ଆପତ୍ତି ନାହିଁ; କିନ୍ତୁ ଅନ୍ୟ ସମ୍ୱନ୍ଧରେ ଦୋଷୀ ସାବ୍ୟସ୍ତ କରିବା ଭଳି ଖବର ତାଙ୍କଠୁଁ ଜାଣିବାର ଆଶା ଛାଡ଼ିଦେବା ଉଚିତ ।

 

ବଡ଼ ଅଫିସର, ଯେ କି ଖାସ୍‌ ଲୋହିଆଙ୍କୁ ଦଣ୍ତ ଦେବାପାଇଁ ନିଯୁକ୍ତ ହୋଇଥିଲେ, ସେ ସେଇ ଲୋକ, ଯେ କି ଚଉଦବର୍ଷ ପୂର୍ବେ ସର୍ଦ୍ଦାର ଭଗତ୍‌ ସିଂହଙ୍କପାଇଁବି ନିଯୁକ୍ତ ହୋଇଥିଲେ । ସେଇ ଅଫିସର ଜଣକ ଲୋହିଆଙ୍କୁ କହିଲେ ଯେ ଭଗତ୍‌ ସିଂହ ମଧ୍ୟ ଶେଷରେ ଗୁପ୍ତତଥ୍ୟ କହି ଦେଇଥିଲେ । ତା’ପରେ ଲୋହିଆ ପ୍ରଶ୍ନ କଲେ ଯେ ସେତେବେଳେ ଭଗତ୍‌ ସିଂହଙ୍କ ବୟସ କେତେ ଥିଲା ? ।

 

ତା’ପରେ କହିଲେ ଯେ ତାଙ୍କର ବୟସ ନିହାତି କମ୍‌ ଥିଲା । ଅନେକ କଥା କମ୍‌ ବୟସର ଲୋକଙ୍କପାଇଁ କ୍ଷମ ଅଟେ ଏବଂ ବୟସାଧିକ ଲୋକଙ୍କପାଇଁ ତାହା କ୍ଷମଣୀୟ ନୁହେଁ ।

 

ଯନ୍ତ୍ରଣାଗ୍ରସ୍ତ ସମୟରେ ଲୋହିଆ କ୍ରୋଧ ଏବଂ ଘୃଣା ଯୋଗୁଁ ପୋଲିସ୍‍ବାଲାଙ୍କ ସହିତ କଥାବାର୍ତ୍ତା ବିଲ୍‌କୁଲ୍ ବନ୍ଦ କରି ଦେଇଥିଲେ । ଯେତେବେଳେ ଯନ୍ତ୍ରଣାର କ୍ରମ ସାମାନ୍ୟ ଢିଲା ପଡ଼ିଯାଏ, ସେତେବେଳେ ସାମାନ୍ୟ କିଛି କଥାବାର୍ତ୍ତା କରନ୍ତି । ଜଣେ ଅଫିସର ଇତିହାସରେ ଏମ.ଏ. ଥିଲା । ସେ ତା’ର ଇତିହାସ–ଜ୍ଞାନ ଉପରେ ଖୁବ୍‌ ଗର୍ବ ଅନୁଭବ କରୁଥିଲା । ଦିନେ ସେ ଲୋହିଆଙ୍କୁ କହିଲା ଯେ ଯିଶୁ ଖ୍ରୀଷ୍ଟ ଖୁବ୍‌ ସୁନ୍ଦର ଇଂରେଜୀ କହିପାରୁଥିଲେ । ସେ ସିପାହୀରୁ ଇନ୍‌ସପେକ୍ଟର ହୋଇଥିଲା । ସେ ବଡ଼ ନିର୍ଦ୍ଦୟ ଏବଂ ନିଷ୍ଠୁର ଥିଲା । ଯାତନା ଦିଆଯାଉଥିବାବେଳେ ଥରେ ସେ ‘‘ବକ୍‌ରିଦ’’ ଦିନ ଗୋଟିଏ ସପୁରି ଆଣିଲା ଏବଂ ଲୋହିଆଙ୍କୁ ଦେଖେଇ କହିଲା–ଏ ଫଳ କ’ଣ କେବେ ଖାଇଛ ? ତା’ର ନିଷ୍ଠୁରତାର ଆଉ ଗୋଟିଏ ନମୁନା କେବେକେବେ ସେ ଗୋଟାଏ କୁକୁଡ଼ା କପଡ଼ାରେ ବାନ୍ଧି ଆଣେ ଏବଂ ଲୋହିଆଙ୍କ ସାମ୍ନାରେହିଁ ଖୁଣ୍ଟି ଉପରେ ଗଣ୍ଠିଲି ଭଳି ଟାଙ୍ଗି ଦେଇଯାଏ । ଲୋହିଆଙ୍କୁ ସେଇ ଦୃଶ୍ୟ ବଡ଼ କଠୋର ଏବଂ ଅସହ୍ୟ ମନେ ହୁଏ । ଘଣ୍ଟା ଘଣ୍ଟା ଧରି ସେଇ ଗଣ୍ଠିଲି ଭିତରେ ଫଡ଼ଫଡ଼ ହୋଇ ଏବଂ କେବେକେବେ ଚିତ୍କାର କରି କରି ସନ୍ଧ୍ୟା ପୂର୍ବରୁ କୁକୁଡ଼ାଟି ଏଭଳି ଭାବରେ ଶାନ୍ତ ହୋଇଯାଏ, ମନେ ହୁଏ, ସେ ଯେପରି ମୃତ୍ୟୁକୁ ଆପଣା ଛାଏଁ ସ୍ୱୀକାର କରିନେଇଛି ।

 

ଲୋହିଆଙ୍କ ମସ୍ତିଷ୍କରେ ଏସବୁ ଘଟଣା ଗଭୀର ପ୍ରଭାବ ପକାଏ ।

 

ଲୋହିଆ ଯେତେବେଳେ ଅନ୍ଧାର ଏବଂ ନିର୍ଜନତା ଭିତରେ ଅତ୍ୟଧିକ ଅତିଷ୍ଠ ହୋଇପଡ଼ନ୍ତି, ତାଙ୍କର ମନେ ହୁଏ, ତାଙ୍କୁ ଆଣି ଏମିତି ଏକ ଗୁପ୍ତ–ଗୁମ୍ଫା ଭିତରେ ବନ୍ଦ କରି ରଖାଯାଇଛି, ଯାହାର ଦରଜା କି ତାଙ୍କୁ ଭିତରେ ପୂରେଇ ବାହାରୁ ବନ୍ଦ କରି ଦିଆଯାଇଛି ।

 

ଥରେ କୋଠରୀ ଭିତରୁ ଦପ୍ତର ଆଡ଼କୁ ଖୋଲୁଥିବା ଦରଜାର ସିଡ଼ି ଉପରୁ ସେ ତଳକୁ ଡେଇଁପଡ଼ିବାକୁ ଚେଷ୍ଟା କଲେ; କିନ୍ତୁ ସେଥିରେ ବିଫଳ ହେଲେ ।

 

ଏପରି ଏକ ବ୍ୟତିବ୍ୟସ୍ତ ପରିବେଶ ଭିତରେ ସେ ବାଧ୍ୟ ହୋଇ କାନ୍ଥଗୁଡ଼ିକ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ । କିନ୍ତୁ କାନ୍ଥ ଦେହରେ ବାଜି ଲୋହିଆଙ୍କର ଶବ୍ଦଗୁଡ଼ିକ ତାଙ୍କ ପାଖକୁହିଁ ଫେରିଆସିଲା ।

 

ସେଇଠି କେବଳ ଗୋଟାଏ ଶସ୍ତ୍ରଧାରୀ ସିପାହୀ ଏଭଳି ଥିଲା–ଯେ କି ଅନ୍ୟମାନଙ୍କ ତୁଳନାରେ କିଛି ଅଂଶରେ ଭଲ ଥିଲା । ଯେତେବେଳେ ସେ କିଛି ସମୟପାଇଁ ଏକାକୀ ପହରାରେ ରହେ, ଲୋହିଆଙ୍କୁ କିଛି ସମୟପାଇଁ ଆଖି ବନ୍ଦ କରିନେବାକୁ ଅନୁମତି ଦିଏ । ଯାତନାଗ୍ରସ୍ତ ଦିନଗୁଡ଼ିକରେ ତାକୁ ଏତେଦୂର ପରିଶ୍ରମ କରିବାକୁ ପଡ଼ିଥିଲା ଯେ ଦିନେ ସେ ବିରକ୍ତିରେ ଅଫିସର ଉପରେ ଆକ୍ରମଣ କରିବାପାଇଁ ଲୋହିଆଙ୍କୁ ପରାମର୍ଶ ଦେଲା । ସେ ସାଧାରଣ ରୂପରେ ଗୋଟାଏ ଭଲ ମଣିଷ ଥିଲା; କିନ୍ତୁ ପ୍ରତିଦିନ ଯନ୍ତ୍ରଣାର ଧାରା ଦେଖି ଦେଖି ତା’ ଆତ୍ମା ମଧ୍ୟ ଶେଷରେ ମରିଯାଇଥିଲା ।

 

ଲୋହିଆଙ୍କୁ ପାଖରେ ଥିବା ଫାଶୀଘରରୁ ବେଳେବେଳେ ଚିତ୍କାର ଶୁଣାଯାଏ । କିନ୍ତୁ ପରମୁହୂର୍ତ୍ତରେ ପବନ ପର୍ଯ୍ୟନ୍ତବି ଚୁପ୍‌ ହୋଇଯାଏ । ଥରେ ସେଠିକି ଏମିତି ଗୋଟାଏ ବନ୍ଦୀ ଆସିଲା, ଯେ କି ଅଫିସରମାନଙ୍କୁ ପରୁଆ ନ କରି ଉଚ୍ଚ ସ୍ୱରରେ ଗାୟତ୍ରୀ ମନ୍ତ୍ର ପଢ଼ିଥିଲା ।

 

ଲାହୋର କିଲ୍ଲାକୁ ଅଣାଯିବା ପରେ ପ୍ରାୟ ଚାରି ମାସ ପର୍ଯ୍ୟନ୍ତ ଲୋହିଆଙ୍କୁ ସାଦା କିମ୍ୱା ଲେଖା କାଗଜ ତୁକୁଡ଼ା ଖଣ୍ତେବି ଦେଖିବାକୁ ମିଳି ନଥିଲା । ଦିନେ କେଜାଣି କାହିଁକି ଆନନ୍ଦରେ ଅଫିସର ଜଣକ ଟିକିଏ ଚିନି ଆଣି ଲୋହିଆଙ୍କୁ ଦେବାପାଇଁ ଅନୁମତି ଦେଲେ । ସେତେବେଳେ ଚିନି ସହିତ ଖଣ୍ତିଏ କାଗଜ ତୁକୁଡ଼ା ମଧ୍ୟ ଆସିଯାଇଥିଲା । ଗୋଟାଏ ଖବରକାଗଜର ଏକ ଖଣ୍ତିତ ଅଂଶ । ତା’ବି ଉର୍ଦ୍ଦୁର । ସେତେବେଳେ ଚିନିର ମୋହ ଛାଡ଼ି ଲୋହିଆ ଆଗ୍ରହ ସହକାରେ ସେଇ ଭୁଲିଯାଇଥିବା ଲିପିର ଗୋଟାଏ ଗୋଟାଏ ଅକ୍ଷରକୁ ପଢ଼ି ପକେଇଥିଲେ । ସେତେବେଳେ ତାଙ୍କର ମନେ ହୋଇଥିଲା ଯେ ଜୀବନ–ନଦୀ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣମାତ୍ରାରେ ଶୁଖି ଯାଇ ନାହିଁ ।

 

ଏଇ ଚାରି ମାସ ଭିତରେ ଲୋହିଆଙ୍କୁ ଦାନ୍ତ ଘଷିବାପାଇଁ ‘ବ୍ରସ୍‌’ କିମ୍ୱା ‘ପେଷ୍ଟ’ କିମ୍ୱା ଦାନ୍ତକାଠିବି ଦିଆଯାଇ ନଥିଲା । ତାଙ୍କୁ ମାଟି, କୋଇଲା କିମ୍ୱା ସାବୁନରେହିଁ ଦାନ୍ତ ସଫା କରିବାକୁ ପଡ଼ିଥିଲା । ଆଗ ଆଗ ତ ତାଙ୍କୁ ହପ୍ତା ହପ୍ତା ଧରି ଗାଧୋଇବାକୁବି ଦିଆଯାଇ ନଥିଲା । ସେତେବେଳେ ବିରୋଧ କରି ଲୋହିଆ ଅନଶନ ଆରମ୍ଭ କରି ଦେଇଥିଲେ । ତା’ପରେ ଜେଲ୍‌ବାଲା ଟିକିଏ କୋହଳ ହୋଇ ପଡ଼ିଥିଲେ ଏବଂ କେବଳ ଦଶ ମିନିଟ୍‍ପାଇଁ ଗାଧୋଇବାକୁ ଛୁଟି ମିଳୁଥିଲା । ସେଇ ଦଶ ମିନିଟ୍‌ପାଇଁ ହାତକଡ଼ିରୁ ମଧ୍ୟ ମୁକ୍ତି ମିଳୁଥିଲା । ସେଇ ଦଶ ମିନିଟ୍‌ ଥିଲା ପରମାନନ୍ଦ ଏବଂ ସୁଖର ସମୟ । ମନେ ହେଉଥିଲା, ଚବିଶିଘଣ୍ଟାର ବଳାତ୍କାର ଉଜାଗରର ଉଷ୍ମତା ଯେମିତି ଏଇ ସମୟରେ ଶରୀରରୁ ଦୂର ହୋଇ ଯାଉଥିଲା ।

 

ଲୋହିଆଙ୍କର ଦାନ୍ତ ସେ ସମୟରେ ଖରାପ ହୋଇ ଯାଇଥିଲା ଏବଂ ତାଙ୍କର ହୃଦୟ ମଧ୍ୟ ଦୁର୍ବଳ ହୋଇ ପଡ଼ିଥିଲା ।

 

ବଳାତ୍କାର ଅନିଦ୍ରାର ମିଆଦ ଯେତେବେଳେ ଦଶ ଦିନ ଆଉ ଦଶ ରାତି ହୋଇଗଲା, ସେତେବେଳେ ଲୋହିଆଙ୍କ ନାକ ଆଉ ମୁହଁରୁ ରକ୍ତ ବାହାରିବାରେ ଲାଗିଲା । ନାକ ଭିତରେ ରକ୍ତର ଛୋଟ ଛୋଟ ବିଣ୍ତା ବସି ଯାଇଥିଲା । ଘଣ୍ଟା ଘଣ୍ଟା ଧରି ଦେହରେ ଭୀଷଣ ଜ୍ୱର ମଧ୍ୟ ରହୁଥିଲା । ଜେଲ୍‌ ଡାକ୍ତର ପରୀକ୍ଷା କରି କହିଲେ ଯେ ଏଇ ଜ୍ୱର କେବଳ ସପ୍ତାହକ ପାଇଁ ଯାହାକି ଠିକ୍‌ ସମୟରେ ଆପଣାଛାଏଁ ଛାଡ଼ିଯିବ । ସେ ଔଷଧ ଦେବାର ଆବଶ୍ୟକତା ମଧ୍ୟ ଉପଲବ୍ଧି କଲେନି । ତା’ପରେ...ଠିକ୍‌ ସାତ ଦିନ ପରେ ଲୋହିଆଙ୍କୁ ଭୂଗର୍ଭସ୍ଥ ଏକ ବିରାଟ କୋଠରୀ ଭିତରକୁ ନିଆଗଲା । ତାହା ପୁରୁଣା ମୋଗଲ ବାଦଶାହଙ୍କର ହାତୀଘର ଥିଲା ଏବଂ ବର୍ତ୍ତମାନ ତାହା ‘‘ଯନ୍ତ୍ରଣାଜନିତ କାହାଣୀର ଲୀଳାସ୍ଥଳ’’ ନାମରେ ବିଖ୍ୟାତ ଥିଲା । ସେଠିକି ନିଆଗଲା ପରେ ଗୋଟାଏ ସିପାହୀଠାରୁ ସେ ଜାଣିପାରିଲେ ଯେ ତାଙ୍କୁ କିଭଳି ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିବ-

 

ଏଇ ସମୟରେ ନିଜର ମାନସିକ ଅବସ୍ଥାର ବର୍ଣ୍ଣନା ସ୍ୱୟଂ ଲୋହିଆ ଏପରି ଭାବରେ କରିଛନ୍ତି–‘‘ଯେତେବେଳେ ମୁଁ ଏଇ ଭାବନା ଏବଂ କଳ୍ପନାଗୁଡ଼ିକର ବର୍ଗୀକରଣ କରୁଛି, ସେତେବେଳେ ମୋ ସାମ୍ନାରେ ତିନୋଟି ବର୍ଗ ସ୍ପଷ୍ଟ ହୋଇ ଉଠୁଛନ୍ତି–ଯାହାଙ୍କୁ କି ମୁଁ ପ୍ରତିଦିନ ଅନୁଭବ କରୁଛି । ପ୍ରଥମ ବର୍ଗରେ ସ୍ୱାଧୀନତା ସଂଘର୍ଷର ଭାବୀ ଯୋଜନା ଏବଂ ସଂଗଠନରେ ଯେଉଁ ଦୁର୍ବଳତା ଥିଲା, ସେଗୁଡ଼ିକ ଠିକ୍‌ ହୋଇଯିବା । ଏହା ଥିଲା ମଧ୍ୟାହ୍ନ ସମୟ । ଦ୍ୱିତୀୟ ବର୍ଗର ସମୟ ଥିଲା ସନ୍ଧ୍ୟା ଏବଂ ବିଷୟ ଥିଲା–ଦର୍ଶନ, ତତ୍ତ୍ୱ–ଚିନ୍ତନ, ବିଶ୍ୱ–ସମ୍ୱନ୍ଧ ଏବଂ ମାନବ ଭବିଷ୍ୟତ । ତା’ପରେ ତୃତୀୟ ବର୍ଗ ଭିତରେ ଆସୁଥିଲା–ଅଧରାତି ପରେ ଆସୁଥିବା ସମ୍ପୂର୍ଣ୍ଣ ଅନ୍ଧକାର ତଥା ଅସୁମାରି ଦୁଃଖ–ଦରଦ ।

 

ପ୍ରତିଶୋଧ ନେବାର କ୍ରୂର ବିଚାର ମଧ୍ୟ ମୋ ମନ ଭିତରେ ଆସୁଛି । ବ୍ରିଟେନ ଏବଂ ଭାରତର ଶାସନର ଉଚ୍ଚ ପଦବୀରେ ବସିଥିବା ଲୋକଙ୍କ ଉପରେ ମୁଁ ସ୍ୱପ୍ନବତ୍‌ ପରିସ୍ଥିତିରେ ଛଳନାର ପ୍ରୟୋଗ କରନ୍ତି । ମୋ କଳ୍ପନା ଭିତରେ ଏମିତି ଏକ ପଞ୍ଜୁରୀ ରହିଥିଲା–ଯାହାକୁ କି ତଳ–ଉପରକୁ ସହଜରେ ଟଣାଓଟରା କରାଯାଇପାରନ୍ତା; କିନ୍ତୁ ତାହା ସଦା–ସର୍ବଦା ଛାତରେହିଁ ଲାଖି ରହୁଥିଲା । ମନ ଭିତରେ ନିଆଁ ଆଉ ପାଣିର ବ୍ୟବସ୍ଥା ମଧ୍ୟ ଥିଲା–ଯେଉଁଠି ଥିଲା କେବଳ ଗୋଟାଏ ବୋତାମ...ଟିପିଦେଲାକ୍ଷଣି କାମ ଶେଷ । ବିଦ୍ୟୁତ୍‌ କାରଖାନାରେ ତିଆରି ହୋଇଥିବା ଅସ୍ତ୍ର–ଶସ୍ତ୍ର କଥାବି ଥିଲା–ଯାହାର ମୁକାବିଲା କରିବା ଇଂରେଜର ଶକ୍ତିରୁ ବାହାରେ ଥିଲା । ......ଏଭଳି ଯୋଜନାକୁ କାର୍ଯ୍ୟରେ ପରିଣତ କରିବାପାଇଁ ଏକ ଲକ୍ଷ ଲଢ଼ୁଆ ଲୋକଙ୍କର ଦରକାର ଥିଲା । ...ତା’ପରେ ମୁଁ ଆଉ ଏକ ଯୋଜନା ଭାବିଥିଲି ଯେ ଭାରତର ସମସ୍ତ ଭାଷାରେ ଗୁଡ଼ାଏ ସାପ୍ତାହିକ ଏବଂ ମାସିକ ପତ୍ରିକା ଛପାଯିବା ଉଚିତ ।’’

 

ଅଧିରାତିର ପାଖାପାଖି...ଅସହ୍ୟ ଏବଂ ଭୟଙ୍କର କଷ୍ଟ ସମୟରେ ଲୋହିଆଙ୍କ ଅବସ୍ଥା ନିଶ୍ଚେଷ୍ଟ ଭଳି ରହିଯାଉଥିଲା । ତାଙ୍କର ସେଇ ନିଶ୍ଚେଷ୍ଟତା କେବେକେବେ ପ୍ରଚଣ୍ତ ମାନସିକ ବ୍ୟଥାରେ ବଦଳି ଯାଉଥିଲା ।

 

ଶରୀରର ଉଷ୍ମତା ମଧ୍ୟ ସେଇ ସମୟରେ ବଢ଼ିଯାଉଥିଲା । କେବେକେବେ ତ ତାଙ୍କର ମନେ ହୁଏ, ଯେମିତି କି ତାଙ୍କର ମୁଣ୍ତକୁ ନିଆଁ ଭିତରେ ରଖି ଦିଆଯାଇଛି ଏବଂ ଧୂଆଁବି ବାହାରିବାରେ ଲାଗିଚି । ତା’ପରେ ପ୍ରଭାତର ପ୍ରଥମ କିରଣ ପଡ଼ିବା ଆଗରୁ ସେଇ ଉଷ୍ମତା ନିଜର ଚରମ ସୀମାରେ ପହଞ୍ଚି ଯାଇଥିଲା । ନିଆଁକୁ ସ୍ପର୍ଶ କରିବାପାଇଁ ତାଙ୍କର ହାତ ଆପେଆପେ ମୁଣ୍ତ ଉପରକୁ ଚାଲିଯାଉଥିଲା । ବେଳେବେଳେ ତାଙ୍କର ମନେ ହେଉଥିଲା, ତାଙ୍କର ମୁଣ୍ତ ବର୍ତ୍ତମାନ ଯେକୌଣସି ସମୟରେ ବିସ୍ଫୋରଣ ହୋଇଯିବ ଏବଂ ତୁକୁଡ଼ା ତୁକୁଡ଼ା ଭାବରେ ବିଞ୍ଚି ହୋଇପଡ଼ିବ-। ସେ ସେଇ ମୁହୂର୍ତ୍ତର ପ୍ରତୀକ୍ଷାରେ ଯେମିତି ବସି ରହୁଥିଲେ ।

 

ରାତି ଦି’ଟାଠାରୁ ସକାଳ ଭିତରେହିଁ ପୋଲିସ୍‍ବାଲା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇ ଯେମିତି ନିଜର ମନୋରଞ୍ଜନ କରୁଥିଲେ ଏବଂ ଅସଂଖ୍ୟ ପ୍ରଶ୍ନ ଓ ଅନାବଶ୍ୟକ, ବାଜେ କଥା ସବୁ ବାରମ୍ବାର ପଚାରୁଥିଲେ ।

 

ଏଭଳି ସମସ୍ତ କଷ୍ଟ ସହ୍ୟ କରିବାପାଇଁ କେଜାଣି ଲୋହିଆଙ୍କ ପାଖରେ ଶକ୍ତି କେଉଁଠୁଁ ଆସିଲା ? –ଏ ବିଷୟରେ ଲୋହିଆ ନିଜେ ଲେଖିଛନ୍ତି ‘‘ସମସ୍ତ ଭାରତୀୟ ଯୋଗ ଏବଂ ହଠଯୋଗ ଓ ତା’ର ପ୍ରୟୋଗ ବିଷୟ ଜାଣନ୍ତି । ଏଭଳି ଦୈବବାଦୀ ପ୍ରୟୋଗ ଶ୍ମଶାନ ଭିତରେ ମଣିଷ ଅଥବା ଶବର ଖପୁରୀ ଉପରେହିଁ କରାଯାଏ–ଯେଉଁଥିପାଇଁ କି ଦୀର୍ଘ ସମୟ ଧରି ଉଜାଗର ରହିବାକୁ ପଡ଼େ । ପିଲାଦିନେ ବାପାଙ୍କ ମୁହଁରୁ ପାତଞ୍ଜଳି ଯୋଗସୂତ୍ରର ଦୁଇଟି ସଂସ୍କୃତ ମନ୍ତ୍ର ଶୁଣିଥିଲି । ଏଭଳି ଭାବରେ ଯୋଗର ଅନୁଶାସନ ଆରମ୍ଭ ହୁଏ ଏବଂ ଯୋଗର ଅର୍ଥ ହେଉଛି–‘‘ଇଚ୍ଛାଶକ୍ତି ସ୍ରୋତର ସଂଯମ ।’’ ବେଳେବେଳେ ମୁଁ ଅନୁଭବ କରେ, ଯେପରି ଅତିଶୟ ବାଧ୍ୟବାଧକତା ସହକାରେ ମୁଁ ହଠଯୋଗର ପ୍ରୟୋଗ କରୁଚି । ମୁଁ ଇଚ୍ଛାଶକ୍ତି–ସ୍ରୋତ ବିଷୟରେ ମଧ୍ୟ ଜିଜ୍ଞାସୁ ଥିଲି ଏବଂ ଭାବୁଥିଲି ଯେ ମୁଁ କ’ଣ କେବେ ତା’ ଉପରେ ସଂଯମ ରକ୍ଷା କରିପାରିବି ? ଶାରୀରିକ ଯନ୍ତ୍ରଣା ମନ ଏବଂ ମସ୍ତିଷ୍କକୁ କଷ୍ଟଦାୟକ କରି ରଖିଥିଲା । କିନ୍ତୁ ସେ କଷ୍ଟର ଅଲଗାଅଲଗା ରୂପ ଅଛି...ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଭୂତି ।’’

 

ଲୋହିଆଙ୍କ ପକ୍ଷରେ ଧୀରେ ଧୀରେ ଏସବୁ ଯନ୍ତ୍ରଣା ଅସହ୍ୟ ମନେହେଲା । କିନ୍ତୁ ଗୋଟାକ ପରେ ଗୋଟାଏ କରି ସମସ୍ତ ଯାତନା ଉପରେ ସେ ବିଜୟ ହାସଲ କରି ଯାଉଥିଲେ । ଯଦିଓ ଯାତନା ଆସିଲେ ଅସହ୍ୟ ବୋଧ ହେଉଥିଲା, ତଥାପି ଲୋହିଆ ଏଥିରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ସେ ଯନ୍ତ୍ରଣାକୁ ଏକପ୍ରକାର ଅନୁଭବ ତଥା ଅଧ୍ୟୟନର ବିଷୟ ବୋଲି ଧରି ନେଇଥିଲେ ଏବଂ ତାକୁ ସହ୍ୟ କରିଯିବାର ଶକ୍ତିକୁ ଅନୁମାନ କରି ନେଉଥିଲେ । ଯେଉଁ କଷ୍ଟ ଅସହ୍ୟ ବୋଧହୁଏ, ତା’ର ଅଧ୍ୟୟନରେ କେଉଁଠି କିଛି ଅଭାବ ରହି ଯାଉଥିଲା ବୋଲି ତାଙ୍କର ମନେ ହେଉଥିଲା । ଏଭଳି କଷ୍ଟକୁ ମଧ୍ୟ ବୌଦ୍ଧିକ ସ୍ତରରେ ସହ୍ୟ କରିଯିବାକୁ ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ । ତା’ ପରେ ପରେ ତାଙ୍କୁ କୌଣସି କଷ୍ଟ ବା ଯନ୍ତ୍ରଣା ଆଉ ଅସହ୍ୟ ମନେ ହେଲାନି ।

 

ଲୋହିଆ ସମସ୍ତ ପ୍ରକାର ଅସହ୍ୟ ଯନ୍ତ୍ରଣାକୁ ନୀରବରେ ସହିଯିବା ଅଭ୍ୟାସରେ ସଫଳତା ହାସଲ କରି ନେଇଥିଲେ । କିନ୍ତୁ ଶରୀରଟା କେବେ ପ୍ରକୃତିର ବିରୋଧରେ ଯାଇପାରେନା । ଏଭଳି ସମସ୍ତ ପ୍ରକାର ଯନ୍ତ୍ରଣାର କିଛି ନା କିଛି ଗୋଟାଏ ସୀମା ଥାଏ । ଯେତେବେଳେ ଶରୀର ଯନ୍ତ୍ରଣା ସହ୍ୟ କରିବାରେ ଅସମର୍ଥ ହୋଇପଡ଼େ, ସେତେବେଳେ ମୂର୍ଚ୍ଛା ଆପେଆପେ ଆସିଯାଏ ।

 

ଲୋହିଆ ଏଇ ମାନସିକ ଅବସ୍ଥାର ବର୍ଣ୍ଣନା ଏପରି ଭାବରେ କରିଛନ୍ତି–‘‘ମୁଁ ଅନୁଭବ କରୁଚି ଯେ ଯନ୍ତ୍ରଣାଗୁଡ଼ିକ ମଧ୍ୟ ବେଳେବେଳେ ପୂରାପୂରି ଅସହ୍ୟ ହୋଇପଡ଼େ । କିନ୍ତୁ କାଳର ରହସ୍ୟ ସାଙ୍ଗରେ ସେଇ ଯନ୍ତ୍ରଣାଗୁଡ଼ିକ ବଢ଼େ ଏବଂ କମେ ମଧ୍ୟ । ବେଳେବେଳେ ସହ୍ୟ ଅସହ୍ୟ ମନେ ହୁଏ ଏବଂ ଅସହ୍ୟ ସହ୍ୟ । ...ବର୍ତ୍ତମାନର ଯନ୍ତ୍ରଣା ସବୁବେଳେ ସହ୍ୟ ଏବଂ ଭବିଷ୍ୟତରେ ଆସିବାକୁ ଥିବା ଯନ୍ତ୍ରଣା ସବୁବେଳେ ଅସହ୍ୟ ମନେ ହୁଏ । ଯନ୍ତ୍ରଣାର ପ୍ରତ୍ୟେକ ସ୍ରୋତ ନିଦ ସାଙ୍ଗରେ ଭବିଷ୍ୟତରେ ଆସୁଥିବା ଯନ୍ତ୍ରଣାର କଳ୍ପନା ମଧ୍ୟ ଆଣେ । ଆସୁଥିବା ଯନ୍ତ୍ରଣାର କଳ୍ପନାହିଁ ସବୁଠୁ ବେଶୀ ଅସହ୍ୟ ମନେ ହୁଏ । ଯେତେବେଳେ ବଳାତ୍କାର ଅନିଦ୍ରା ସମୟରେ ଆଗାମୀ ମୁହୂର୍ତ୍ତର କଳ୍ପନା ମତେ ଭୟଭୀତ କରୁଥିଲା, କିନ୍ତୁ ତା’ ପରେ ପରେ ମୁଁ ଅନୁଭବ କଲି ଯେ ଅତୀତର କ୍ଷଣ ତଥା ବର୍ତ୍ତମାନର କ୍ଷଣ କେବଳ ଭୟର କଳ୍ପନାର ପରିଣାମହିଁ ଥିଲା । ଯନ୍ତ୍ରଣାର ଭୟ ବର୍ତ୍ତମାନର ନୁହେଁ, ବରଂ ଭବିଷ୍ୟତର । କାରଣ ଆମେ ଭବିଷ୍ୟତ ଭିତରେ କେବେ ବଞ୍ଚିରହୁନା । ଆମେ କେବଳ ତା’ର କଳ୍ପନା ମାତ୍ର କରିଥାଉଁ । ବର୍ତ୍ତମାନ ଭିତରେ ଡରବି ରହେନା । ଏଭଳି ଭାବରେ ମୁଁ କାଳକୁ ସ୍ୱୀକାର କରେ । ସେଥିପାଇଁ ଗୋଟାଏ ସଂଯମଶୀଳ ବ୍ୟକ୍ତି ନିମନ୍ତେ ଭୟ ନାମକ କୌଣସି ବସ୍ତୁର କିଛି ଅର୍ଥ ନାହିଁ ।’’

 

ଲୋହିଆ ଏ ବିଷୟରେ ଆହୁରି ଲେଖିଛନ୍ତି–‘‘କାଳ ସହିତ ଦର୍ଶନର ସମ୍ୱନ୍ଧ ଏତେଟା ନିଶ୍ଚିତ ନଥିଲା । ଏହାଦ୍ୱାରା ବେଳେବେଳେ ଆଶା ତଥା ପ୍ରସନ୍ନତାର ଡାକ ମଧ୍ୟ ହାତମୁଠାକୁ ଆସିଯାଏ । ଦର୍ଶନରୁ ଆଶାବାଦିତା ଆସେ, ଗୋଟାଏ ସଶକ୍ତ ଆଶାବାଦିତା । ଲାହୋର କିଲ୍ଲାରେ କଟୁଥିବା ନିୟତିଦ୍ୱାରା ନିଶ୍ଚିତ ଦିନଗୁଡ଼ିକ ବିଷୟରେ ମୁଁ ଭାବେ । କିନ୍ତୁ ଯଦି ମୋର ବନ୍ଦୀ ସମୟ ନିଶ୍ଚିତ ହୋଇଥାନ୍ତା, ତେବେ ଏପରି ବିଚାରକୁ କିଛି ସମ୍ୱଳ ମିଳନ୍ତା । କିନ୍ତୁ ଅନିଶ୍ଚିତ କାଳପାଇଁ ତ ମୁଁ ନଜରବନ୍ଦୀରୂପେ ରହିଥିବା ଯନ୍ତ୍ରଣାପୂର୍ଣ୍ଣ ଦିନଗୁଡ଼ିକ ବିଷୟରେ ଅବଶ୍ୟ ଭାବନ୍ତି । ଏଭଳି ବିଚାର ନିୟତି ସହ ଜଡ଼ିତ ।

 

ନିୟତିର ସମ୍ପର୍କ ଈଶ୍ୱର କିମ୍ୱା କୌଣସି ଦୈବୀଶକ୍ତି ସହ ଜଡ଼ିତ ହୋଇ ରହିବାର କିଛି ଆବଶ୍ୟକତା ନାହିଁ । ମନୁଷ୍ୟ ସାରା ସଂସାରକୁ ନିୟତି ସହ ଯୋଡ଼ିକରିହିଁ ଚିନ୍ତା କରେ । କିନ୍ତୁ ନିୟତିର ସମ୍ୱନ୍ଧ କେବଳ ଗୋଟାଏ ସାମୂହିକ ଇତିହାସ ମାତ୍ର–ଯେଉଁଠି ଭବିଷ୍ୟତର ଗର୍ଭରେ ଅତୀତ ମାତ୍ର ଗୋଟାଏ ବୀଜ ରୂପରେ ରହିଥାଏ । କିନ୍ତୁ ଏଇଠି ତ ମୋର ସମ୍ୱନ୍ଧ କେବଳ ନିୟତି ସହ ଥିଲା । ...ମତେ ମିଳୁଥିବା ଯନ୍ତ୍ରଣାର ଗୋଟାଏ ନିଶ୍ଚିତ ସୀମା ନିଶ୍ଚୟ ଥିବ । କେବେ ନା କେବେ ମଧ୍ୟ ତା’ର ଶେଷ ନିଶ୍ଚୟ ଅଛି । ଯଦି ବା ସେଦିନ ଥିଲା ବହୁଦୂରରେ, ତା’ର ଅନୁମାନ ନଥିଲା, ତଥାପି ସେଦିନ କେବେ ନିକଟରେ ନଥିଲା । କେବଳ ମୁଁ ଏତିକି ମାତ୍ର ଜାଣୁଥିଲି ଯେ ପ୍ରତିଦିନ ଯାହାକୁ ମୁଁ ସଫଳତାର ସହ କଟେଇ ନେଉଥିଲି, ତାହା ନିୟତିଦ୍ୱାରା ନିର୍ଦ୍ଧାରିତ କାଳ ଭିତରେ ଶେଷ ହୋଇ ହୋଇ ଆସୁଥିଲା । ଏଇ ଆଶା ସହିତ ଗୋଟାଏ ଅତୁଟ ବିଶ୍ୱାସ ଜଡ଼ିତ ରହିଥିଲା । ଭବିଷ୍ୟତର ଆଶା ପ୍ରତି ମୁଁ ଯଥେଷ୍ଟ ଆସ୍ଥାବାନ ଥିଲି ।

 

ତଥାପି ମଧ୍ୟ ନିୟତିଦ୍ୱାରା ନିର୍ଦ୍ଧାରିତ ଯନ୍ତ୍ରଣା–କାଳର ଦୀର୍ଘତାର କଳ୍ପନା କରିବା ମୁଁ ମୋ ନିଜ ପ୍ରତି ଅନ୍ୟାୟ ବୋଲି ଭାବୁଥିଲି । ଯେଉଁ ପର୍ଯ୍ୟନ୍ତ ମୋ ଜୀବନର ସମ୍ୱନ୍ଧ ରହିଛି, ସେ ପର୍ଯ୍ୟନ୍ତ ହୁଏତ ଏ କାଳର ଯେମିତି ଆଉ ଶେଷ ମଧ୍ୟ ନାହିଁ । ବୋଧେ ବିଧିର ବିଧାନ ଏଇଆ ଥିଲା–ମୁଁ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିରହିବି, ଏଇ ଯନ୍ତ୍ରଣା ଗୃହରେହିଁ ରହିଥିବି । ମୁଁ ଭାବିନେଲି, ବୋଧେ ମୋ ଜୀବନ ଆଉ ଏ ଯନ୍ତ୍ରଣାକ୍ରମର ଶେଷ ଏକା ସାଙ୍ଗରେ ହେବାହିଁ ନିଶ୍ଚିତ । ଭବିଷ୍ୟତର ଅନ୍ଧାର ଗୁମ୍ଫା ଭିତରକୁ ଚାହିଁ କେବଳ ଏତିକିହିଁ ଦେଖାଯାଇପାରେ ।’’

 

ଲାହୋର କିଲ୍ଲାର ଯେଉଁ କକ୍ଷ ବା କୋଠରୀ ଭିତରେ ଲୋହିଆ ଯନ୍ତ୍ରଣା ଭୋଗ କରୁଥିଲେ, ବାହାର ଦୁନିଆ ସହିତ କାହିଁକି, ସେଇ କୋଠରୀ ବାହାରେ ଥିବା କିଲ୍ଲାର ଅନ୍ୟ ଭାଗ ସହିତ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନଥିଲା । ପାଞ୍ଚ–ଛଅ ମାସ ପର୍ଯ୍ୟନ୍ତ ଲୋହିଆ ଏତକବି ଜାଣିପାରିଲେନି ଯେ ସେଇ ଲାହୋର କିଲ୍ଲାର ଏକ ଅନ୍ୟ ଯାତନା–ଗୃହରେ ସାଥୀ ଜୟପ୍ରକାଶ ନାରାୟଣ ମଧ୍ୟ ତାଙ୍କ ଭଳି ଯନ୍ତ୍ରଣାର ଶିକାର ହୋଇ ବନ୍ଦୀ ଅବସ୍ଥାରେ ରହିଛନ୍ତି ।

 

ଲୋହିଆ ଗରିଫ୍ ହେବା ପରେ ପରେ ସେ କେଉଁଠି, କେଉଁ ଜେଲ୍‌ରେ କିମ୍ୱା କେଉଁ କିଲ୍ଲାରେ ବନ୍ଦୀ ହୋଇ ରହିଛନ୍ତି, ଏଇ ଖବରକୁ ସରକାର ଗୁପ୍ତ ରଖିବାକୁ ଚାହୁଁଥିଲେ । କିନ୍ତୁ ଧୀରେ ଧୀରେ ଏ କଥାଟି ଜଣା ପଡ଼ିଗଲା ଏବଂ ସମଗ୍ର ଦେଶର ଜନତାଙ୍କ ଭିତରେ ଅପବାଦ ରଟିଗଲା । ଯେ ଲୋହିଆଙ୍କୁ ଲାହୋର କିଲ୍ଲା ଭିତରେ ରଖି ଭୟାନକ ଏବଂ ଅମାନୁଷିକ ଯନ୍ତ୍ରଣା ଦିଆଯାଉଛି । ଏଇ ଅପବାଦ ସହିତ ଯନ୍ତ୍ରଣାର କେତେକ ସତମିଛ କାହାଣୀବି ସ୍ୱାଭାବିକ ଭାବରେ ଜଡ଼ିତ ହୋଇଗଲା । ଆଉ ଯିଏବି ଏସବୁ ଶୁଣୁଥିଲା, ତା’ର ଆତ୍ମା ଚିତ୍କାର କରି ଉଠୁଥିଲା । ଲୋକେ କିଛି କରି ନ ପାରିବାର ଅକ୍ଷମତା ନେଇ ଆହୁରି ଅଧିକ ଦ୍ରବିତ ଏବଂ ଚିନ୍ତିତ ହୋଇପଡ଼ିଲେ । ସେତେବେଳେ କେତେକ ଭାରତୀୟ ଦେଶଭକ୍ତ ଆଇନଜୀବୀ ରାଜନୈତିକ ବନ୍ଦୀଙ୍କୁ ରକ୍ଷା କରିବାପାଇଁ ଆଇନର ବାଟ ଖୋଜିବାରେ ବ୍ୟସ୍ତ ରହି ଆଇନ ବହିଗୁଡ଼ିକର ଆଶ୍ରୟ ନେବାରେ ଲାଗିପଡ଼ିଥିଲେ ।

 

ବମ୍ୱେର ପ୍ରସିଦ୍ଧ ବାରିଷ୍ଟର ପାରଡ଼ିଓ୍ୟାଲା ସାହସର ସହିତ ଅଣ୍ଟାଭିଡ଼ି ବାହାରି ପଡ଼ିଲେ-। ସେ ଲାହୋର ଯାଇ ଲାହୋର ହାଇକୋର୍ଟରେ ଲୋହିଆ ଏବଂ ଜୟପ୍ରକାଶ ନାରାୟଣଙ୍କ ପାଇଁ ‘‘ହେଲିୟସ୍‌ କର୍‌ପସ୍‌ ଦରଖାସ୍ତ ପେଶ୍ କଲେ । ସେଇ ଦରଖାସ୍ତ ବିଚାର ହେବା ଆଗରୁ ପଞ୍ଜାବ ପୋଲିସ୍ ପାରଡ଼ିଓ୍ୟାଲାଙ୍କୁ ଗିରଫ୍ କରି ଜେଲ୍‌ ଭିତରେ ବନ୍ଦ କରିଦେଲେ । ପାରଡ଼ିୱାଲାଙ୍କର ଏଇ ଅନୈତିକ ଗିରଫ୍‍ଦାରି ପାଇଁ ସମଗ୍ର ଦେଶରେ ହୁଲସ୍ତୁଲ ପଡ଼ିଗଲା...ବିଶେଷକରି ଆଇନଜୀବୀ ସମାଜରେ ।

 

ତା’ପରେ ସମାଜବାଦୀ ପାର୍ଟିର ପ୍ରମୁଖ ନେତ୍ରୀ–ପୂର୍ଣ୍ଣିମା ବାନାର୍ଜୀ, ଯେ କି ଲୋହିଆଙ୍କୁ ସ୍ନେହ କରୁଥିବା ଅନ୍ତରଙ୍ଗ ବାନ୍ଧବୀ ଥିଲେ, ଲାହୋରରେ ପହଞ୍ଚିଗଲେ । ଲାହୋରର ପ୍ରସିଦ୍ଧ ଓକିଲ ଜୀବନଲାଲ କପୁରଙ୍କଦ୍ୱାରା ସେ ଆଉ ଏକ ‘‘ହେବିୟସ୍‌ କର୍‌ପସ୍‌’’ ଦରଖାସ୍ତ ପେଶ୍‌ କରାଇଦେଲେ । ସେତେବେଳେ ପଞ୍ଜାବ ସରକାର ଆଉ ଏକ ସଇତାନି ପେଞ୍ଚ ଖେଳିଲା । ଲୋହିଆ ଏବଂ ଜୟପ୍ରକାଶଙ୍କୁ ‘‘ସିକ୍ୟୁରିଟି ପ୍ରିଜ୍‌ନର’’ (ଅଟକବନ୍ଦୀ)ରୁ ବଦଳେଇ ଦେଇ ୧୮୧୮ ସାଲର ତୃତୀୟ ରେଗୁଲେସନ୍ ଅନ୍ତର୍ଗତ ‘‘ଷ୍ଟେଟ୍‌ ପ୍ରିଜ୍‌ନର’’ (ରାଜବନ୍ଦୀ)ରୂପେ ଘୋଷଣା କରିଦେଲେ । ତେଣୁ ‘‘ହେବିୟସ୍‌ କର୍‌ପସ୍‌’’ର ଶୁଣାଣି ଆଉ ହୋଇପାରିଲାନି ।

 

କିନ୍ତୁ ପ୍ରେତ ମାରେନି, ହଇରାଣ କରେ । ପଞ୍ଜାବର ପ୍ରେତ ସରକାରଙ୍କର ହଇରାଣ କରିବା ଭଳି ଖେଳକୁ ତ ଦେଖନ୍ତୁ ! ଯେତେବେଳେ ଲୋହିଆ ଏବଂ ଜୟପ୍ରକାଶ ‘‘ଷ୍ଟେଟ୍‌ ପ୍ରିଜ୍‌ନର’’ ଭାବରେ ଘୋଷିତ ହେଲେ, ସେତେବେଳେ ବାଧ୍ୟ ହୋଇ ‘‘ହେବିୟସ୍‌ କର୍‍ପସ୍’’ ଦରଖାସ୍ତକୁ ଫେରାଇ ଅଣାଗଲା । ସଇତାନ ସରକାର ପୁଣି ଥରେ ଲୋହିଆଙ୍କୁ ‘‘ସିକ୍ୟୁରିଟି ପ୍ରିଜ୍‌ନର’’ କରିଦେଲେ ।

 

ଏହା ପରେ ପରେ ସରକାରଙ୍କ ଆଡ଼ୁ ଏଇ ଖବରଟା ପ୍ରଚାର କରାଗଲା ଯେ ଲୋହିଆ ଏବଂ ଜୟପ୍ରକାଶଙ୍କ ଉପରେ ମକଦ୍ଦମା ଚଳାଇବା ପାଇଁ ସରକାର ନିଶ୍ଚୟ କରିଛନ୍ତି । ତାଙ୍କ ଉପରେ ରାଜଦ୍ରୋହ ଛଡ଼ା ହତ୍ୟା, ଷଡ଼ଯନ୍ତ୍ର ଏବଂ ଏପରି ଆଉ କେତେକ ଅଭିଯୋଗ କରାଯାଇଛି-। ଅପବାଦ ତ ଏପରି ପ୍ରଚାରିତ ହେଲା ଯେ ତାଙ୍କ କାର୍ଯ୍ୟକଳାପର ଅନୁସନ୍ଧାନ କରିବାପାଇଁ ଇଂଲଣ୍ତରୁ ‘‘ସ୍କଟ୍‌ଲ୍ୟାଣ୍ତ ୟାର୍ଡ଼’’ର ପ୍ରସିଦ୍ଧ ଗୁଇନ୍ଦାଙ୍କୁ ଅଣାଯାଉଚି ।

 

ମକଦ୍ଦମା ଖବର ଶୁଣି ଦେଶ ଭିତରେ ହୁଲସ୍ତୁଲ ପଡ଼ିଗଲା । ସମଗ୍ର ଭାରତର ସମସ୍ତ ଓକିଲ ବିନା ଫିସ୍‌ରେ ତାଙ୍କର ମକଦ୍ଦମା ଲଢ଼ିବାପାଇଁ ନିଶ୍ଚୟ କଲେ । ଆହୁରି ଶୁଣାଗଲା ଯେ ଇଂଲଣ୍ତର ‘‘ଇଣ୍ତିପେଣ୍ତେଣ୍ଟ ଲେବର୍ ପାର୍ଟି’’ ଇଂଲଣ୍ତର ବଛାବଛା ଓକିଲମାନଙ୍କୁ ତାଙ୍କର ମକଦ୍ଦମା ଲଢ଼ିବାପାଇଁ ପଠାଉଥିବା ସମ୍ୱାଦ ଦେଇଥିଲେ ।

 

ତା’ପରେ ଏସବୁ ଖବର ଶୁଣି ଚାରିଆଡ଼େ ଏପରି ହୁଲସ୍ତୁଲ ପଡ଼ିଗଲା ଯେ ସରକାର ଆଉ ତାଙ୍କ ନାମରେ ମକଦ୍ଦମା ଚଳେଇବା ପାଇଁ ସାହସ ମଧ୍ୟ କଲେନି ।

 

ୟା ଭିତରେ ମକଦ୍ଦମା ନାଁରେ ଖେଳିଯାଇଥିବା ହଇଚଇର ପରିଣାମ ଶେଷକୁ ଏଇଆ ହେଲା ଯେ ପୂର୍ଣ୍ଣିମା ବାନାର୍ଜୀ ଏବଂ ଅନ୍ୟ କେତେ ଜଣ ଓକିଲଙ୍କୁ ଲାହୋର କିଲ୍ଲାରେ ଲୋହିଆଙ୍କୁ ଦେଖା କରିବାପାଇଁ ଅନୁମତି ଦେବା ଲାଗି ସରକାର ଶେଷରେ ବାଧ୍ୟ ହେଲେ ଏବଂ ଏଇ କାରଣ ଯୋଗୁଁ ଲୋହିଆଙ୍କୁ ଲେଖା–ପଢ଼ା କରିବାପାଇଁ ସୁବିଧା ମଧ୍ୟ ଦେବାକୁ ପଡ଼ିଲା । ଏଇ ସମୟରେ ଲାହୋର କିଲ୍ଲାରୁ ଲୋହିଆ ‘‘ବ୍ରିଟିଶ ଲେବର୍ ପାର୍ଟି’’ର ତତ୍କାଳୀନ ଅଧ୍ୟକ୍ଷ ପ୍ରଫେସର୍‍ ହେରାଲ୍‌ଡ଼ ଜେ ଲାସ୍କିଙ୍କ ନାଁରେ ଗୋଟାଏ ଲମ୍ୱା ଚଉଡ଼ା ଚିଠି ଲେଖିଲେ ଏବଂ ଲୁଚେଇ କରି ତାକୁ କିଲ୍ଲା ବାହାରକୁ ପଠେଇଦେଲେ ।

 

ପ୍ରଫେସର୍‍ ଲାସ୍କିଙ୍କ ନାମରେ ସେଇ ଚିଠି ଖଣ୍ତିକ ଗୋଟାଏ ରାଜନୀତି ଦଲିଲ୍ ଭାବରେ ସବୁଦିନ ପାଇଁ ମନେ ରହିଥିବ ।

 

ସେଇ ଚିଠି ଖଣ୍ତିକ ଯେତେବେଳେ ବାହାରକୁ ଆସିଲା, ସେତେବେଳେ ସରକାରୀ ଆତଙ୍କର କୌଣସି ଚିନ୍ତା ନକରି ଦେଶର ପ୍ରାୟ ସମସ୍ତ ଖବରକାଗଜ ତାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇ ନିର୍ଭୟ ସହକାରେ ପ୍ରକାଶ କରିଦେଲେ ।

 

ସେଇ ଚିଠିଟି ଛପା ହେବାକ୍ଷଣି ଦେଶର ବାତାବରଣ ପୁଣି ଥରକପାଇଁ ବେଶ୍ ସରଗରମ ହୋଇଉଠିଲା । ଏଇ ଚିଠି ଖଣ୍ତିକ ଲୋହିଆ କିପରି ଲେଖିଲେ, ତାହା ବାହାରକୁ ଗଲା କିମିତି ଏବଂ ଖବରକାଗଜଗୁଡ଼ିକ ଗୋଟାଏ ବେଆଇନ କଏଦୀ ଭାବରେ ଲେଖି ପଠାଇଥିବା ଚିଠିଟିକୁ କିପରି ଛାପିଲେ, ସରକାର ତାହାର ଅନୁସନ୍ଧାନ କରିବାରେ ଲାଗିପଡ଼ିଲେ ।

 

ସେ ଯାହାହେଉ, ଚିଠି ଖଣ୍ତିକ ତ ଛପାହେଲା । ହୁଲସ୍ତୁଲ ତ ପଡ଼ିଗଲା । ଭାରତଠାରୁ ଇଂଲଣ୍ତ ପର୍ଯ୍ୟନ୍ତ ହୁଲସ୍ତୁଲ ।

 

ସେଇ ଚିଠିରେ ଲୋହିଆ ଜୟପ୍ରକାଶ ଏବଂ ନିଜର ନଜରବନ୍ଦୀ ବିଷୟ, ଦେଶ ଭିତରେ ଘଟିଥିବା ଅତ୍ୟାଚାର, ଲାହୋର କିଲ୍ଲା ଭିତରେ ନିଜର ଦୁର୍ଗତି, ସରକାରଙ୍କ ପ୍ରଯୁଜ୍ୟ ନୀତି ଏବଂ ବିଶେଷ ଭାବରେ ତାଙ୍କ ଉପରେ ବ୍ୟକ୍ତିଗତ ଭାବରେ ଆରୋପ କରାଯାଇଥିବା ମିଥ୍ୟା ଅଭିଯୋଗ ସମ୍ୱନ୍ଧରେ ଖୋଲାଖୋଲି ଭାବରେ ଲେଖିଥିଲେ । ଲୋହିଆ ସେଇ ଚିଠିରେ ପ୍ରଫେସର୍‍ ଲାସ୍କିଙ୍କୁ ପ୍ରଶ୍ନ ପଚାରିଥିଲେ–‘‘ସରକାରଙ୍କ ଅଭିଯୋଗ ଯେ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ଲୋକେ ସୋସାଲିଷ୍ଟ ଅଟନ୍ତି ଏବଂ ହିଂସାତ୍ମକ କାଣ୍ତ କାରଖାନାରେ ଲିପ୍ତ ଅଟନ୍ତି–ଏହା କେତେଦୂର ସତ ? ଏଇ ଦେଶର ବ୍ରିଟିଶ ଫାସିଷ୍ଟମାନେ ଭାରତୀୟ ସୋସାଲିଷ୍ଟମାନଙ୍କ ବିରୁଦ୍ଧରେ ଯେଉଁ ବେଆଇନ ହିଂସାତ୍ମକ ଭାବ ପୋଷଣ କରିଛନ୍ତି, ତାକୁ କ’ଣ ବ୍ରିଟିଶ ସୋସାଲିଷ୍ଟ ମଧ୍ୟ ସମର୍ଥନ କରନ୍ତି ?’’

 

ଚିଠିର ଶେଷରେ ଲୋହିଆ ସ୍ପଷ୍ଟ ଭାବରେ ଲେଖିଥିଲେ–‘‘ମୁକ୍ତି ପାଇବାକୁ ମୋର ତ ତିଳେମାତ୍ର ଇଚ୍ଛା ନାହିଁ । ଯେତେବେଳ ପର୍ଯ୍ୟନ୍ତ ଏ ଦେଶରେ ବ୍ରିଟିଶ ସରକାର ରହିଥିବ, ସେ ପର୍ଯ୍ୟନ୍ତ ସେ ମତେ ଜେଲ୍‌ରେ ରଖିପାରେ । କିନ୍ତୁ ଗୋଟାଏ ବାସ୍ତବ କଥା ରହିଯାଉଛି, ତାହା ହେଉଛି–ଆପଣଙ୍କ ପାର୍ଲାମେଣ୍ଟାରୀ ପାର୍ଟିରେ କ’ଣ ଏମିତି ଜଣେ କେହି ନାହିଁ, ଯେ କି ପ୍ରମାଣ ସହିତ ବ୍ରିଟିଶ ଅଣ୍ତର୍‌ ସେକ୍ରେଟାରିଙ୍କୁ ଏତକ କହନ୍ତା ଯେ ସରକାର ମିଥ୍ୟାବାଦୀ, ମିଛହିଁ କହୁଛନ୍ତି ଏବଂ କୋର୍ଟରେ ମତେ କେବେ ମଧ୍ୟ ହାଜର କରି ନାହାନ୍ତି । ଗୋଲାମ ଦେଶର ମାଲିକମୁଲକକୁ ଲେଖାଯାଇଥିବା ଚିଠି ପ୍ରମାଣଶୂନ୍ୟ ଏବଂ ବିରକ୍ତିକର ତ ହେବ । କିନ୍ତୁ ମୁଁ ଆଶାକରେ ଯେ ଆପଣଙ୍କ ମନରେ ଏଇ ପ୍ରଶ୍ନ କେବେ ଉଠି ନଥିବ; କାରଣ ମୁଁ ଏକଥା ଆପଣଙ୍କ ପାର୍ଲାମେଣ୍ଟାରୀ ପାର୍ଟିକୁ ନ ଲେଖି ଆପଣଙ୍କୁହିଁ ସମ୍ୱୋଧନ କରି ଲେଖିଛି ।’’

 

ପତ୍ରରେ ଉଲ୍ଲିଖିତ ତତ୍କାଳୀନ ହିନ୍ଦୁସ୍ଥାନର ‘‘ଷ୍ଟେଟ୍‌ ଅଣ୍ତର୍ ସେକ୍ରେଟାରି’’ ଆର୍ଥର ହ୍ୟାଣ୍ତରସନ୍‌ କହିଥିଲେ ଯେ ଲାହୋର କିଲ୍ଲାର ଉତ୍ପୀଡ଼ନ ବିଷୟରେ ଲୋହିଆ ମିଥ୍ୟା ଆରୋପ କରିଛନ୍ତି । ସରକାର ଗୋଟାଏ ଦିଗରୁ କହୁଥିଲେ ଯେ ଲୋହିଆ ଆଣିଥିବା ଅଭିଯୋଗ ନିତାନ୍ତ ଅସତ୍ୟ ଏବଂ ଅନ୍ୟ ଦିଗରେ ତାଙ୍କର ସେଇ ଅଭିଯୋଗ ପତ୍ରକୁ ପ୍ରକାଶ କରିବାକୁ ମଧ୍ୟ ଦେଲେ ନାହିଁ । ଦେଶବାସୀ ଜାଣିପାରିଲେନି ଯେ ସରକାର ଉପରେ ଲୋହିଆ କି ଅଭିଯୋଗ କରିଛନ୍ତି !

 

ଲାହୋର କିଲ୍ଲାରେ ବନ୍ଦୀ ଥିବା ସମୟରେ ଯେତେବେଳେ ଲୋହିଆ ଡିସେମ୍ୱର ୧୯୪୪ ସାଲରେ ସରକାରଙ୍କଠାରୁ ଲେଖା–ପଢ଼ା କରିବାପାଇଁ ଅନୁମତି ପାଇଲେ, ସେ ସାଙ୍ଗେ ସାଙ୍ଗେ ଗୋଟାଏ ‘‘ହେବିୟସ୍‌ କର୍‌ପସ୍‌’’ ଦରଖାସ୍ତ ଲେଖିଲେ । ପୁଣି ୧୯୪୫ ସାଲର ଜାନୁୟାରୀ ମାସରେ ସେ ସେଥିରେ ଆହୁରି ଅଧିକ ଅଭିଯୋଗର ବିବରଣୀ ପତ୍ରବି ଯୋଡ଼ିଦେଲେ । ଯେତେବେଳେ ବାଧ୍ୟ ହେଇ ହାଇକୋର୍ଟକୁ ଶୁଣାଣି କରିବାକୁ ପଡ଼ିଲା, ସେତେବେଳେ ଜଜ୍‌ ପୂର୍ଣ୍ଣମାତ୍ରାରେ ‘‘ଗୁପ୍ତତା’’ର ଆଦେଶ ଦେଲେ । ଏଇ ମକଦ୍ଦମା ସମ୍ୱନ୍ଧରେ କେଉଁଠି ମଧ୍ୟ କୌଣସି ଖବରକାଗଜରେ ଯେମିତି କିଛି ଛପା ନ ହୋଇପାରିବ, ସେଥିପାଇଁ ସରକାର ଦୁଇ ଦୁଇଟା ଅଧ୍ୟାଦେଶଦ୍ୱାରା ପ୍ରତିବନ୍ଧ ଲଗାଇଦେଲେ । ଶୁଣାଣିବେଳେ ଲୋହିଆଙ୍କ ଦରଖାସ୍ତର ଦୋଷ–ଗୁଣ ବାଛିବାକୁ ଯେତେବେଳେ ନ୍ୟାୟମୂର୍ତ୍ତି ଇଚ୍ଛା ପ୍ରକାଶ କଲେ, ସେତେବେଳେ ଶପଥ କରାଇ ଲୋହିଆଙ୍କୁ ଏ ସମ୍ୱନ୍ଧରେ ପଚାରିବାକୁ ଲାଗିଲେ ।

 

କିନ୍ତୁ ଯେତେବେଳେ ହାଇକୋର୍ଟରେ ଏ ବିଷୟରେ ଶୁଣାଣି ଚାଲିଥିଲା, ଠିକ୍‌ ସେତିକିବେଳେ ସରକାର ଅଚାନକ ଭାବରେ ଲୋହିଆ ଏବଂ ଜୟପ୍ରକାଶଙ୍କୁ ଲାହୋର କିଲ୍ଲାରୁ ହଟେଇଆଣି ଆଗ୍ରା ଜେଲ୍‌କୁ ପଠେଇଦେଲେ ।

 

ତା’ପରେ ଅଭିଯୋଗ ପତ୍ର ଯାଞ୍ଚ ହେଉଥିବା ସମୟରେ ଅନ୍ୟ ପ୍ରଦେଶକୁ ବଦଳି ହୋଇଯିବା ଯୋଗୁଁ ମକଦ୍ଦମାର ଶୁଣାଣି କାର୍ଯ୍ୟ ଜଜ୍‌ ବାଧ୍ୟ ହୋଇ ସ୍ଥଗିତ ରଖିଦେଲେ । ଲୋହିଆଙ୍କର ଦରଖାସ୍ତକୁ ରଦ୍ଦ କରିଦେଇ ଜଜ୍‌ ମତପ୍ରକାଶ କଲେ ଯେ ଲୋହିଆଙ୍କୁ ଲାହୋର କିଲ୍ଲା ଭିତରେ ବନ୍ଦୀ କରି ରଖିବା ପଛରେ ହିନ୍ଦୁସ୍ଥାନ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ତାଙ୍କୁ କଷ୍ଟ ଦେବାର ନଥିଲା ।

 

ଲୋହିଆ ନିଜେହିଁ ଭାରତର ଉଚ୍ଚତର ନ୍ୟାୟାଳୟ (ଫେଡ଼େରାଲ କୋର୍ଟ)ରେ ତାଙ୍କୁ ଆଗ୍ରା ଜେଲ୍‌କୁ ବଦଳି କରିଦେବା ପାଇଁ ଅର୍ଜି ଦେଇଥିଲେ । ସେତେବେଳେ ଭାରତର ମୁଖ୍ୟ ନ୍ୟାୟାଳୟ କହିଥିଲେ ଯେ ଏ ପ୍ରଶ୍ନ ତାଙ୍କ ଅଧିକାରର ପରିସର ଭିତରକୁ ଆସୁନି । ତା’ପରେ ଲୋହିଆ ଲାହୋର ହାଇକୋର୍ଟରେ ଆଉ ଦୁଇଟି ଅର୍ଜି ଦେଇଥିଲେ । ସେତେବେଳେ ଲୋହିଆ ଭାରତର ଭାଇସ୍‌ରାୟ ଲର୍ଡ଼ ଲିନ୍‌ ଲିଥ୍‌ ଗୋ ଏବଂ ଗଭର୍ଣ୍ଣର ହ୍ୟାଲଟ୍‌ଙ୍କ ନିକଟକୁ ମଧ୍ୟ ଚିଠି ଲେଖିଥିଲେ ।

 

ଶେଷରେ ୧୯୪୫ ସାଲ ଆରମ୍ଭରେ ଲୋହିଆ ଏବଂ ଜୟପ୍ରକାଶ ଦୁହିଁଙ୍କୁ ସରକାର ନିଜ ସ୍ୱାର୍ଥବଶତଃ ଆଗ୍ରା ଜେଲ୍‌କୁ ବଦଳି କରି ଦେଇଥିଲେ ।

 

ଏହାଦ୍ୱାରା କିଛିଟା ତ ରକ୍ଷା ମିଳିଲା !

 

ଲାହୋର କିଲ୍ଲାର ନାରକୀୟ ବାତାବରଣ ଏବଂ ଅମାନୁଷିକ ଯନ୍ତ୍ରଣାକ୍ରମରୁ ତ ରକ୍ଷା ମିଳିଗଲା !

 

ଆଗ୍ରା ଜେଲ୍‌ରେ ଯେତେବେଳେ ଲୋହିଆ ଏବଂ ଜୟପ୍ରକାଶ ଅନିଶ୍ଚିତ କାଳପାଇଁ ଦଣ୍ତ ଭୋଗ କରୁଥିଲେ, ସେତେବେଳେ ବ୍ରିଟେନ ସଂସଦ–ସଦସ୍ୟଙ୍କର ଗୋଟାଏ ଶିଷ୍ଟ–ମଣ୍ତଳ ଭାରତକୁ ଆସିଲେ । ସେଇ ଶିଷ୍ଟମଣ୍ତଳର ମୁଖ୍ୟ ରେଜିନାଲ୍‌ଡ଼ ସୋରେନ୍‌ ସେନ୍‌ ସ୍ୱତନ୍ତ୍ର ଭାବରେ ଲୋହିଆ ଏବଂ ଜୟପ୍ରକାଶଙ୍କ ସହ ଦେଖା କରିବାକୁ ଇଚ୍ଛା ପ୍ରକାଶ କଲେ । ଆଗ୍ରା ଜେଲକୁ ଯାଇ ସେ ଦୁହିଁଙ୍କ ସାଙ୍ଗରେ ଦେଖା କଲେ । ନିଜର ସେଇ ସାକ୍ଷାତ ବିଷୟରେ ଚର୍ଚ୍ଚା କରିବାକୁ ଯାଇ ସୋରେନ୍‌ ସେନ୍‌ ନିଜେ ଲେଖିଛନ୍ତି–

 

‘‘ଆମେ ଠିକ୍‌ ସନ୍ଧ୍ୟାବେଳେ ଯାଇ ଜେଲରେ ପହଞ୍ଚିଲୁ । ଲମ୍ୱା ଲମ୍ୱା ଲୁହା ବାଡ଼ ଲାଗିଥିବା ଫାଟକରେ କେବଳ ତାଲା ଏବଂ ଚାବିର ଶବ୍ଦହିଁ ଶୁଣିବାକୁ ମିଳୁଥିଲା । କେତେକ ଏଭଳି ଫାଟକ ପାର ହୋଇ ଆମେ ଅଗଣା ଭଳି ଜଣା ପଡ଼ୁଥିବା ଉଚ୍ଚ କାନ୍ଥଘେରା ସ୍ଥାନରେ ଯାଇ ପହଞ୍ଚିଲୁ । ସେଇଠିକି ସିପାହୀଙ୍କ ଘେର ଭିତରେ ଲୋହିଆ ଏବଂ ଜୟପ୍ରକାଶଙ୍କୁ ଅଣାଗଲା । ତା’ପରେ ତାଙ୍କ ଚାରିପାଖେ ଗୁଡ଼ାଏ ଚଉକି ପକେଇ ଦିଆଗଲା, ଯାହା ଉପରେ କି ଆମେ ସବୁ ବସିଲୁଁ । ସେମାନଙ୍କ ସାଙ୍ଗରେ ଆମେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କଲୁଁ । ଜେଲର ସୁପରିନ୍‌ଟେଣ୍ତେଣ୍ଟ ଏବଂ ଅନ୍ୟ ଅଧିକାରୀସବୁ ସାମାନ୍ୟ ଦୂରତା ରକ୍ଷାକରି ବଡ଼ ସତର୍କତା ସହ ଛିଡ଼ାହୋଇ ରହିଲେ । ଅନ୍ଧାର ହେବା ଆଗରୁ ଦୁଇଟି ବଡ଼ବଡ଼ ଲଣ୍ଠନ ଜଳେଇ ସେଇଠି ରଖା ଦିଆଗଲା–ଯାହା କେବଳ ମ୍ଳାନ ଆଲୋକ ପ୍ରଦାନ କରିବାରେ ସକ୍ଷମ ଥିଲା । ଏହା ଏକ ଅଭିନବ ଦୃଶ୍ୟ ଥିଲା–ଖୁବ୍‌ ଛୋଟ ଅଗଣା ଏବଂ ଖୁବ୍ ବଡ଼ବଡ଼ କାନ୍ଥସବୁ । ଅନ୍ଧାରୁଆ ବାତାବରଣ ଭିତରେ କେଉଁଠି କେଉଁଠି ମ୍ଳାନ ଆଲୋକର ଚିହ୍ନ, କିଛିଦୂର ଛାଡ଼ି ଛାଇ ଭଳି ଛିଡ଼ାହୋଇ ରହିଥିବା ଜେଲ୍‌ ଅଧିକାରୀ ତଥା କର୍ମଚାରୀ ଏବଂ ତାଙ୍କ ମଝିରେ ବସିଥିବା ଅଧଡ଼ଜନ ବ୍ରିଟିଶ ସଂସଦ–ସଦସ୍ୟ ଯେଉଁମାନେ କି ସାମାନ୍ୟ ଝୁଙ୍କିପଡ଼ି ଯୋଡ଼ାଏ ଭୟଙ୍କର ଭାରତୀୟ ବନ୍ଦୀଙ୍କ ସହିତ କଥାବାର୍ତ୍ତା କରୁଥିଲେ ଯେଉଁମାନେ କି ଅନିଶ୍ଚିତ ସମୟପାଇଁ ବନ୍ଦୀ ହୋଇ ରହିଥିଲେ । ଶେଷରେ ଯେତେବେଳେ ମୈତ୍ରୀପୂର୍ଣ୍ଣ କଥାବାର୍ତ୍ତା ଶେଷ ହେଲା, ବ୍ୟତିବ୍ୟସ୍ତ କର୍ମଚାରୀଗଣ ସନ୍ତୋଷରେ ନିଃଶ୍ୱାସ ମାଇଲେ । ତା’ପରେ ଆମେ ଆମର ଦି’ଜଣ ଭାରତୀୟ ବନ୍ଦୀ–ମିତ୍ରଙ୍କ ଅନ୍ଧାରୁଆ କାରାବାସ କୋଠରୀ ଭିତରକୁ କ୍ଷଣକପାଇଁ ଚାହିଁ ଦେଖିଲୁ, ଯେଉଁଠି ଆସବାବପତ୍ର ଅତି ସାମାନ୍ୟ ଥିଲା; କିନ୍ତୁ କବିତା, ଦର୍ଶନ, କଳା ଓ ସମାଜ ଶାସ୍ତ୍ର ବିଷୟକ ବହିଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ରହିଥିଲା । ଯଦି କେତେବେଳେ ସେ ଦୁହେଁ ନିଜ ବିଶ୍ୱାସ ତଥା ସିଦ୍ଧାନ୍ତରୁ ମୁହଁ ମୋଡ଼ି ନେଇଥାନ୍ତେ, ତେବେ ଅନେକ ଆଗରୁ ସେ ଦୁହେଁ ମୁକ୍ତି ପାଇସାରିଥାନ୍ତେ । କିନ୍ତୁ ଏମିତି ସେମାନେ କେବେବି କରିପାରିବେ ନାହିଁ; କାରଣ ଦୁହେଁ କହୁଥିଲେ ଯେ ଜେଲ୍‌ରୁ ମୁକ୍ତି ପାଇବା ଛଡ଼ା ଆଉ ଅନେକ ମହତ୍ୱପୂର୍ଣ୍ଣ ଘଟଣା ରହିଚି । ତା’ପରେ ସେ ଦୁହେଁ ଅନିଶ୍ଚିତ ସମୟପାଇଁ ବନ୍ଦୀ ରହି ମଧ୍ୟ ସେଇଠି ବେଶ୍‌ ଆନନ୍ଦରେ ରହିଥିଲେ । ସେ ଦୁହେଁ ଆନନ୍ଦରେ ଆମ ସହିତ ହାତ ମିଳାଇଲେ ଏବଂ ଆମକୁ ବିଦାୟ ଦେଲେ, ଯେମିତି କି ଆମେ ସେମାନଙ୍କର ଅତିଥି ଭାବରେ ମନୋରଞ୍ଜନ କରିବାକୁ ଯାଇଥିଲୁ ଏବଂ ସେ ଦୁହେଁ ପୁଣି ଏକାନ୍ତ ବାସର ଆନନ୍ଦ ଉପଭୋଗ କରିବାପାଇଁ ନିଜ ନିଜ କକ୍ଷ ଭିତରକୁ ଚାଲିଯିବେ ।’’

 

ସୋରେନ୍‌ ସେନ୍‌ ଏବଂ ଅନ୍ୟ ବ୍ରିଟିଶ ସଂସଦ–ସଦସ୍ୟଙ୍କ ସହ ଲୋହିଆଙ୍କର ସାକ୍ଷାତ୍‌ ପରେ ପରେ ଅପବାଦ ପ୍ରଚାର ହୋଇଗଲା ଯେ ବର୍ତ୍ତମାନ ଲୋହିଆ ମୁକ୍ତି ପାଇଯିବେ; କିନ୍ତୁ ଏଇ କଥା ସେଇ ଅପବାଦ ଭିତରେହିଁ ରହିଗଲା ।

 

୧୯୪୫ ସାଲରେ ବିଶ୍ୱ–ବ୍ୟାପୀ ସ୍ତରରେ ଲଢ଼ା ଯାଉଥିବା ଦ୍ୱିତୀୟ ମହାଯୁଦ୍ଧର ସମାପ୍ତି ଘଟିଲା ।

 

ମହାଯୁଦ୍ଧ ଦୁନିଆର ସମସ୍ତ ବିଜେତା ଏବଂ ବିଜିତ ରାଷ୍ଟ୍ରଗୁଡ଼ିକର ଅଣ୍ଟା ଭାଙ୍ଗିଦେଇଗଲା । ଯୁଦ୍ଧ ପୂର୍ବରୁ ଦୁନିଆର ‘‘ମହାନ୍‌–ଶକ୍ତି’’ରୂପେ ସ୍ୱୀକାର କରାଯାଉଥିବା ବ୍ରିଟେନର ପରିସ୍ଥିତି ହ୍ରାସପାଇ ଗୋଟାଏ ସାଧାରଣ ସ୍ତରକୁ ଚାଲିଆସିଥିଲା ।

 

ଭାରତ ଦେଶର ସ୍ଥିତି ମଧ୍ୟ ବଡ଼ ବିଚିତ୍ର ଥିଲା । ଗାନ୍ଧି ୧୯୪୪ ସାଲର ଶେଷ ଭାଗରେ ଜେଲ୍‌ରୁ ମୁକ୍ତ ହୋଇ ଯାଇଥିଲେ । ୧୯୪୫ ସାଲର ଜୁନ୍‌ ମାସରେ କାର୍ଯ୍ୟକାରୀ ସମିତିର ସଦସ୍ୟମାନେ ମଧ୍ୟ ଛାଡ଼ ପାଇଯାଇଥିଲେ । ୧୯୪୫ ସାଲର ଶେଷ ସୁଦ୍ଧା ସମସ୍ତ କଂଗ୍ରେସୀ ନେତା ଓ କର୍ମକର୍ତ୍ତାଙ୍କୁ ଛାଡ଼ି ଦିଆଗଲା । ସେଇ ବର୍ଷ ଶେଷରେ ମଧ୍ୟ ପ୍ରାନ୍ତୀୟ ବିଧାନସଭାଗୁଡ଼ିକର ନିର୍ବାଚନ ହେଲା ।

 

ସରକାର ଯେଉଁମାନଙ୍କ ନାମରେ ହତ୍ୟା, ଡକାୟତି ଆଦିର ଅଭିଯୋଗ ଆଣିଥିଲେ, ସେଇ ବନ୍ଦୀମାନେ ଏପର୍ଯ୍ୟନ୍ତ ସୁଦ୍ଧା ଜେଲ୍‌ଦଣ୍ତ ଭୋଗ କରୁଥିଲେ । ତା’ ସାଙ୍ଗେ ସାଙ୍ଗେ ରାଷ୍ଟ୍ରୀୟ ସ୍ତରର କେବଳ ଦୁଇ ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ ଜେଲ୍‌ରେ ଥିଲେ ଲୋହିଆ ଏବଂ ଜୟପ୍ରକାଶ ।

 

ଲୋହିଆ ଏବଂ ଜୟପ୍ରକାଶଙ୍କର ମୁକ୍ତିପାଇଁ ଗାନ୍ଧିଜୀ ସେତେବେଳେ ଅବଶ୍ୟ ଚିନ୍ତିତ ରହୁଥିଲେ ଏବଂ ସେଥିପାଇଁ ଆପ୍ରାଣ ଚେଷ୍ଟା ମଧ୍ୟ କରୁଥିଲେ ।

 

କିନ୍ତୁ ଫଳ କିଛି ହେଉ ନଥିଲା ।

 

ଆଗ୍ରା ଜେଲ୍‍ରେ ଦିନେ ହୀରାଲାଲଜୀ ନିଜ ପୁଅକୁ ଦେଖିବାକୁ ଆସିଲେ । କିଛି ସମୟପାଇଁ ପିତା–ପୁତ୍ର ପରସ୍ପର ନିକଟରେ ରହିଲେ । ଯିବା ସମୟରେ ହୀରାଲାଲଜୀ କହିଲେ, ‘‘ଏଣିକି ତୁମକୁ ଦେଖା କରିବା କଷ୍ଟକର ।’’ ତା’ପରେ ଅଳ୍ପ ଦିନ ଭିତରେ ତାଙ୍କ ମୃତ୍ୟୁର ଖବର ଆସି ପହଞ୍ଚିଲା । ଲୋହିଆଙ୍କୁ ପ୍ରଥମ ଥରପାଇଁ ମନେ ହେଲା, ଯେମିତି ସେ ଆଜି ଏକାକୀ ହୋଇପଡ଼ିଛନ୍ତି । ଲୋକମାନେ ତାର କରି ଲୋହିଆଙ୍କୁ ‘‘ପେରୋଲ’’ରେ ଜେଲ୍‌ରୁ ଆସିବାପାଇଁ ପରାମର୍ଶ ଦେଲେ; କିନ୍ତୁ ସେଥିପାଇଁ ସେ (ଲୋହିଆ) ରାଜି ହେଲେନି । ମନେମନେ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଣାମ କଲେ । ପିତାଙ୍କ ମୃତ୍ୟୁର ବାହାନାରେ ଜେଲ୍‌ରୁ ମୁକ୍ତି ପାଇ ଆସିବାର କଳ୍ପନାରେହିଁ ଲୋହିଆଙ୍କ ମନ ଘୃଣାରେ ପୂରିଉଠିଲା ।

 

ଠିକ୍‌ ଏତିକିବେଳେ ଇଂରେଜ ସରକାର ଏବଂ କଂଗ୍ରେସ ଭିତରେ ବୁଝାମଣାର କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା । ଏଇ ଅବସରର ଫାଇଦା ଉଠାଇ ଗାନ୍ଧି ଇଂରେଜ ସରକାରଙ୍କୁ ନିଜର ସଚ୍ଚୋଟପଣିଆର ପ୍ରମାଣ ଦେବାପାଇଁ ଲୋହିଆ ତଥା ଜୟପ୍ରକାଶଙ୍କ ମୁକ୍ତିର ସର୍ତ୍ତ ରଖିଲେ ।

 

ଇଂଲଣ୍ତରେ ମଧ୍ୟ ଲେବର୍ ପାର୍ଟିର ସରକାର ଗଠିତ ହୋଇଯାଇଥିଲା । ଭାରତ ସମ୍ୱନ୍ଧରେ ଅଧିକ କଥାବାର୍ତ୍ତା ପାଇଁ ଇଂଲଣ୍ତରୁ ଲେବର୍ ପାର୍ଟି ସରକାରଙ୍କ ଗୋଟାଏ ପ୍ରତିନିଧିମଣ୍ତଳ ଭାରତକୁ ଆସିଲେ । ସେଇ ପ୍ରତିନିଧିମଣ୍ତଳ ଆଗ୍ରା ଜେଲ୍‌କୁ ଯାଇ ଲୋହିଆଙ୍କୁ ଦେଖାକଲେ ଏବଂ ତାଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କଲେ ।

 

ବର୍ତ୍ତମାନ ଏ ସମ୍ୱନ୍ଧରେ କିଛିଟା ଆଶାର ସୂଚନା ଫୁଟିଉଠିଲା । ବୁଝାମଣାର କଥାବାର୍ତ୍ତା ଭିତରେ ତାଙ୍କର ମୁକ୍ତି ଗାନ୍ଧିଜୀଙ୍କ ସର୍ତ୍ତ ଆରୋପ ଯୋଗୁଁ ବୋଧେ ସମ୍ଭବପର ହୋଇପାରେ ।

 

ଗାନ୍ଧି ଆଉ ନେହେରୁ ଖଲାସ ପାଇଯାଇଥିଲେ ସୁଦ୍ଧା ଲୋହିଆଙ୍କୁ ଏପର୍ଯ୍ୟନ୍ତ ଜେଲ୍‌ରେ ରଖିବାର କାରଣ ଦେଶବାସୀ ବୁଝିପାରୁ ନଥିଲେ । ଧୀରେ ଧୀରେ ଆରମ୍ଭ ହୋଇଗଲା ସନ ୧୯୪୬ । ଦେଶର ଚାରିଆଡ଼ୁ ଲୋହିଆଙ୍କୁ ଖଲାସ କରିଦେବା ପାଇଁ ଦାବି ହେଲା–

 

‘‘ଲୋହିଆଙ୍କୁ ଖଲାସ କର ।’’

 

ଲୋହିଆଙ୍କୁ ଛାଡ଼ି ବୁଝାମଣାର କଥାବାର୍ତ୍ତା କେବଳ ଲୋକଦେଖାଣିଆ ଛଡ଼ା ଆଉ କିଛି ନୁହେଁ ।

 

ଇଂରେଜ ସରକାର ଭାରତରେ ରହିବା ପର୍ଯ୍ୟନ୍ତ ଲୋହିଆଙ୍କ ଭଳି ଗୋଟାଏ ଭୟାନକ ବ୍ୟକ୍ତିବିଶେଷଙ୍କୁ ଖଲାସ କରିଦେଇ ବିପଦକୁ ମୁଣ୍ତେଇ ଆଣିବାକୁ ଚାହୁଁ ନଥିଲେ । କିନ୍ତୁ ଗାନ୍ଧିଜୀ ଜିଦ୍‌ ଧରିବସିଲେ । ଜନତା ମଧ୍ୟ ବିଚଳିତ ହୋଇପଡ଼ିଥିଲେ । ସମଗ୍ର ଦେଶ ଦାବି କରୁଥିଲା ‘‘ଲୋହିଆଙ୍କୁ ଶୀଘ୍ର ଖଲାସ କର ।’’

 

ଦେଖାଯାଉ, କ’ଣ ହେଉଚି ।

 

 

ଗ୍ରୀଷ୍ମଋତୁ ଆରମ୍ଭ ହୋଇଗଲା ।

 

ଦେଶର ବାତାବରଣ ମଧ୍ୟ ଗରମ ହୋଇଉଠିଲା ।

 

କଂଗ୍ରେସ ରାଷ୍ଟ୍ରୀୟ–ସପ୍ତାହ ପାଳନ କରିବାରେ ଲାଗିଲେ; କିନ୍ତୁ ଲୋହିଆଙ୍କୁ ଛାଡ଼ି ରାଷ୍ଟ୍ରୀୟ–ସପ୍ତାହ ବା ପାଳନ କରାଯାନ୍ତା କିପରି ?

 

ହଠାତ୍‌ ଖବର ମିଳିଲା ଯେ ଲୋହିଆ ଖଲାସ ହେବାକୁ ଯାଉଛନ୍ତି ।

 

ଏହା କ’ଣ ସତ ?

 

ଇଂରେଜଙ୍କର କ’ଣ ସୁବୁଦ୍ଧି ଫେରିଆସିଲା ?

 

୧୯୪୬ ଅପ୍ରେଲ ଏଗାର ତାରିଖ । ନୂତନ ସୂର୍ଯ୍ୟର ଆଗମନୀ ସଙ୍ଗେ ସଙ୍ଗେ ନୂତନ ଆଶାର କିରଣ ଫୁଟିଉଠିଲା ।

 

ସରକାରୀ ସୂଚନା ପ୍ରସାରିତ ହେଲା ଯେ ଆଜି ଲୋହିଆ ଏବଂ ଜୟପ୍ରକାଶ ଜେଲ୍‌ରୁ ଖଲାସ ହେବେ ।

 

ନିୟମତଃ ଜେଲ୍‌ରୁ କଏଦୀମାନଙ୍କୁ ସକାଳୁ ଖଲାସ କରାଯାଏ । କିନ୍ତୁ ଏଇ ‘‘ସ୍ୱତନ୍ତ୍ର ସରକାରୀ ଅତିଥି ଦୁହିଁଙ୍କୁ’’ ସନ୍ଧ୍ୟା ସାତଟାରେ ଛାଡ଼ିଦେବା ପାଇଁ ସରକାର ଆଦେଶ ଦେଲେ । କିନ୍ତୁ ସକାଳୁ ସକାଳୁ ସମଗ୍ର ଆଗ୍ରା ସହର ଭିତରେ ଏକଥା ଭଳି ପ୍ରଚାରିତ ହୋଇଗଲା ଯେ ଆଜି କ୍ରାନ୍ତିର ଦୁଇଟି ସିଂହ ଖଲାସ ହୋଇଯିବେ ଏବଂ ସନ୍ଧ୍ୟା ହେଉ ହେଉ ଆଗ୍ରା ଜେଲ୍‌ର ଫାଟକ ପାଖରେ ହଜାର ହଜାର ଲୋକ ଆସି ରୁଣ୍ତ ହୋଇଗଲେ ।

 

ସନ ୧୯୪୨ ସାଲର ଆନ୍ଦୋଳନ, ଫେରାର ଜୀବନ, କଂଗ୍ରେସ ରେଡ଼ିଓ, ଲାହୋର କିଲ୍ଲାର ଯନ୍ତ୍ରଣା ଆଦି କାରଣ ଯୋଗୁଁ ଜନତାଙ୍କ ହୃଦୟରେ ଲୋହିଆଙ୍କ ପ୍ରତି ପ୍ରେମ ତଥା ଆଦର ଅଧିକମାତ୍ରାରେ ଘର କରି ଯାଇଥିଲା । ପୂରା ଚାରିବର୍ଷ ପରେ ଲୋହିଆଙ୍କୁ ସ୍ୱାଧୀନ ଭାବରେ ଦେଖିବାର କଳ୍ପନାରେ ସେଇଠି ରୁଣ୍ତ ହୋଇଥିବା ଜନସମୂହଙ୍କ ହୃଦୟରେ ଉତ୍ସାହର ଏକ ଅଭୂତପୂର୍ବ ସମୁଦ୍ର ଲହରୀ ଉଠୁଥିଲା ।

 

ତା’ପରେ...ସ୍ୱାଧୀନତା ପାଇଁ ପାଗଳ ଭାବରେ ଲଢ଼ିଥିବା ଲୋହିଆଙ୍କ ସମ୍ୱନ୍ଧରେ ଅନେକ ସତ–ମିଛର କାହାଣୀ ଜନତାଙ୍କ ଭିତରେ ପ୍ରଚାରିତ ହୋଇ ସାରିଥିଲା । ତେଣୁ ଲୋହିଆଙ୍କ ଚେହେରାକୁ ଦେଖିବାପାଇଁ ଲୋକେ ଏକପ୍ରକାର ବ୍ୟଗ୍ର ହୋଇ ପଡ଼ୁଥିଲେ ।

 

ଆଗ୍ରା ଜେଲ୍‌ ବାହାରେ ହଜାର ହଜାର ଲୋକଙ୍କ ଅସୁମାରି ଭିଡ଼ ।

 

ସ୍ଲୋଗାନ ଚାଲିଥିଲା ।

 

‘‘ଲୋହିଆ–ଜୟପ୍ରକାଶ ଜିନ୍ଦାବାଦ ।’’

 

ଜେଲର ଫାଟକ ଫିଟିବ–ଲୋହିଆ ଓ ଜୟପ୍ରକାଶ ଖଲାସ ହେବେ !

 

ସେତେବେଳେ ଜନତା ଭିତରେ ଯେତେ ଉତ୍ସାହ ଆଉ ଆବେଗ ଥିଲା, ତାକୁ ସମ୍ଭାଳିବା ପାଇଁ ପୋଲିସ୍ ପକ୍ଷରେ କଷ୍ଟକର ହୋଇ ପଡ଼ୁଥିଲା ।

 

ଲୋକମାନେ ଚଞ୍ଚଳ ଚିତ୍ତରେ ଘଣ୍ଟା ଦେଖୁଥିଲେ ବାରମ୍ୱାର ।

 

ବର୍ତ୍ତମାନ ସାତଟା ବାଜିବା ଉପରେ ।

 

ହଠାତ୍‌ ଜେଲ ଫାଟକରେ ତାଲା–ଚାବିର ଝଙ୍କାର ସୃଷ୍ଟି ହେଲା । ସିପାହୀ, ଜଗୁଆଳଙ୍କ ସତର୍କତା ଏବଂ ଚଞ୍ଚଳତା ବଢ଼ିଗଲା । ଲୁହା ଫାଟକ ଏକ ଦରଦୀ ଝଙ୍କାର ତୋଳି ଖୋଲିଗଲା–ମନେହେଲା, ଯେମିତି ଗୋଟାଏ ମୃତ ରାକ୍ଷସର ପାଟି ମେଲା ହୋଇଗଲା । ତା’ପରେ ଲୋହିଆ ଜୟପ୍ରକାଶଙ୍କ ମୁକ୍ତି–ସୂଚନାର ପ୍ରତୀକସ୍ୱରୂପ କିଛି ଆସବାବପତ୍ର ବାହାରକୁ କାଢ଼ି ଦିଆଗଲା ।

 

ସାତଟି ସିନ୍ଦୁକ, ଦୁଇଟା ବେଡ଼ିଙ୍ଗ୍, ବହି–ପତ୍ରରେ ଭର୍ତ୍ତି ହୋଇଥିବା ପେଡ଼ି, ଟୋକେଇ, ଗୋଟାଏ ଚରଖା, ଚା’ ସରଞ୍ଜାମ ଏବଂ ବାସନ–କୁସନ ଆଦି । ସାମ୍ନାରେ ଛିଡ଼ା ହୋଇଥିବା ଲୋକେ ଉତ୍ସାହ ସହକାରେ ଡେଇଁବାକୁ ଲାଗିଲେ ଏବଂ ପଛ ଧାଡ଼ିରେ ଥିବା ଲୋକେ ଡେଇଁ ଡେଇଁ ଦେଖିବାପାଇଁ ବ୍ୟଗ୍ର ହୋଇପଡ଼ିଲେ । ପାଟିତୁଣ୍ତ ମଧ୍ୟ ବଢ଼ିଗଲା, ଠେଲାପେଲାବି ଆରମ୍ଭ ହୋଇଗଲା । ସମସ୍ତେ ସ୍ୱଚକ୍ଷୁରେ ସିଂହ ଦୁଇଟିର ମୁକ୍ତି ଦେଖିବାକୁ ଚାହୁଁଥିଲେ ।

 

ଏଇ ଦେଖ ! ସେ ଦି’ଜଣ !

 

ଲୋହିଆ ଏବଂ ଜୟପ୍ରକାଶ । ଧଳା ଖଦିର କୁରୁତା, ଧୋତି ଏବଂ ଗାନ୍ଧୀଟୋପି ।

 

ଦୁହେଁ ପ୍ରସନ୍ନ...ହସୁଥିଲେ । ଜଣ ଜଣ କରି ସମସ୍ତ ଜେଲ୍‌ ଅଫିସରଙ୍କ ସାଙ୍ଗରେ ହାତ ମିଳାଉଥିଲେ । କିଛିଟା କଥାବାର୍ତ୍ତାବି କରୁଥିଲେ । କିନ୍ତୁ କଥାବାର୍ତ୍ତା ବା କିପରି ଶୁଣାଯାନ୍ତା ? ବୋଧହୁଏ ଅଫିସର ନିଜର ବ୍ୟବହାର ପାଇଁ ସୌଜନ୍ୟବଶତଃ କ୍ଷମା ମାଗୁଥିବେ ଏବଂ ଲୋହିଆ ଓ ଜୟପ୍ରକାଶ ବନ୍ଧୁତ୍ୱ ସୂତ୍ରରେ ସେମାନଙ୍କ ପାଖରୁ ବିଦାୟ ଆଣୁଥିବେ ।

 

ହଠାତ୍‌ ଜନତା ଜୋରରେ ଚିତ୍କାର କରିଉଠିଲେ ।

 

ଇନ୍‌କିଲାବ–ଜିନ୍ଦାବାଦ !

 

ଲୋହିଆ–ଜେ.ପି. ଜିନ୍ଦାବାଦ !

 

ଧରିତ୍ରୀ–ଆକାଶ ସ୍ଲୋଗାନରେ କମ୍ପିଉଠିଲା । ସମଗ୍ର ବାତାବରଣ ହର୍ଷ–ଉଲ୍ଲାସରେ ମୁଖରିତ ହୋଇଉଠିଲା । ହସି ହସି ଲୋହିଆ ଓ ଜୟପ୍ରକାଶ ବାହାରକୁ ଆସିଲେ ।

 

ଦୀର୍ଘ ଚାରିବର୍ଷ ପରେ ସ୍ୱଚ୍ଛନ୍ଦ ପବନର ପ୍ରଥମ ପରଶ ବାଜିବାକ୍ଷଣି ଲୋହିଆ ସ୍ୱାଭାବିକ ହସ ହସି ଚାରିଆଡ଼େ ଦେଖିବାକୁ ଲାଗିଲେ । ହଁ, ଏଇଟା ନିଜ ଦେଶ, ନିଜ ପବନ, ନିଜ ଲୋକ ।

 

ତା’ପରେ ଅନେକ ସମୟ ଧରି ଛିଡ଼ା ହୋଇଥିବା ଅଧୀର ଜନତା ଉହୁଙ୍କିଯାଇ ଲୋହିଆଙ୍କୁ କାନ୍ଧ ଉପରକୁ ଟେକିନେବାକୁ ଚାହିଁଲେ । ବଡ଼ କଷ୍ଟରେ ଲୋହିଆ ଲୋକଙ୍କୁ ଅଟକାଇଲେ । ସ୍ନେହ ତଥା ଶ୍ରଦ୍ଧାମିଶ୍ରିତ ଅନୁଭୂତିର ଏହା ଏକ ଆଶ୍ଚର୍ଯ୍ୟ ଦୃଶ୍ୟ । ସମସ୍ତେ ଥରେ ଥରେ ଲୋହିଆଙ୍କୁ ଛୁଇଁ ନିଜକୁ କୃତାର୍ଥ କରିବାକୁ ଚାହୁଁଥିଲେ ।

 

ଆଗ୍ରାର ସ୍ଥାନୀୟ ନେତାଙ୍କ ସତର୍କତା ଏବଂ ପରିଶ୍ରମ ଯୋଗୁଁ ଲୋହିଆ କୌଣସିମତେ ଜନତାଙ୍କ ଭିତରେ ସୁରକ୍ଷିତ ରହିପାରିଲେ । ଜନତା ଯେପରି ଅଧୀର ହୋଇ ପଡ଼ୁଥିଲେ । ଯୁବକଙ୍କ ଅବସ୍ଥା କଥା ପଚାରନ୍ତୁନି । ଆଜି ସମସ୍ତ ଯୁବକଙ୍କ ମସ୍ତକ ଲୋହିଆଙ୍କ ଯୋଗୁଁ ଉନ୍ନତ ହୋଇଉଠିଥିଲା ।

 

ସମସ୍ତ ଭିଡ଼ ଶୋଭାଯାତ୍ରାରେ ବଦଳିଗଲା ।

Unknown

 

ଗୋଟାଏ ଗାଡ଼ି ଉପରେ ଲୋହିଆ ଆଉ ଜୟପ୍ରକାଶ ଛିଡ଼ା ହୋଇଛନ୍ତି । ଶୋଭାଯାତ୍ରାର ଆବେଗ ଆଉ ଉତ୍ସାହ ଅବର୍ଣ୍ଣନୀୟ । ଦୁହିଁଙ୍କୁ ମୁଣ୍ତରୁ ପାଦ ଯାଏଁ ଫୁଲମାଳରେ ଛାଇ ଦିଆଯାଇଛି ।

 

ଲୋହିଆ ମୃଦୁ ମୃଦୁ ହସୁଛନ୍ତି । ଜୟପ୍ରକାଶବି ହସୁଛନ୍ତି । ଦୁହେଁ ହାତଯୋଡ଼ି ସମସ୍ତଙ୍କୁ ସ୍ନେହରେ ଉତ୍ତର ଦେଉଛନ୍ତି । ବଜାର ଭିତରେ ଶୋଭାଯାତ୍ରା ଚାଲିଛି । ସମସ୍ତ କାମ–ଧନ୍ଦା ବନ୍ଦ । କେହି ସରବତ ଗିଲାସ ଧରି ତାଙ୍କ ପାଖକୁ ଧାଉଁଛି ତ ଆଉ କିଏ ତାଙ୍କ ନିକଟକୁ ଯାଇ ନ ପାରି ଦୂରରୁ ତାଙ୍କ ଉପରକୁ ଫୁଲ ଫିଙ୍ଗୁଛି । ଛାତ ଉପରେ ଏବଂ ବାରଣ୍ତାରେ ଛିଡ଼ା ହୋଇଥିବା ସ୍ତ୍ରୀଲୋକମାନେ ମଙ୍ଗଳ କାମନାର ସହ ବୀରଙ୍କ ସ୍ୱାଗତରେ ସଜ୍ଜିତ ଆରତି ଥାଳି ସେହି ସ୍ଥାନରୁହିଁ ବନ୍ଦାଉଛନ୍ତି । କେହି କେହି ଚାଉଳ ଏବଂ ଦୂବ–ବରକୋଳିପତ୍ର ତାଙ୍କ ଉପରକୁ ପକାଉଛନ୍ତି ।

 

ଚାରିବର୍ଷ ପରେ କାରାଗାରର ଯନ୍ତ୍ରଣା ଏବଂ କାଳକୋଠରୀର ସଂକୁଚିତ ବ୍ୟବଧାନ ପରେ ଖୋଲା ବାତାବରଣର ଉତ୍ସାହ ଦେଖି ଲୋହିଆ ଚକିତ–ବିସ୍ମିତ ହୋଇ ଚାରିଆଡ଼କୁ ଉତ୍ସୁକ ଦୃଷ୍ଟିରେ ଦେଖୁଛନ୍ତି ।

 

ତା’ପରେ ବୀରଙ୍କ ସ୍ୱାଗତପାଇଁ ଶୋଭାଯାତ୍ରା ସଭାରେ ବଦଳିଗଲା । କିନ୍ତୁ ସେଦିନ ସେଇ ସଭାରେ ଲୋହିଆ କିଛି କହିପାରିଲେନି । ତାଙ୍କ ହୃଦୟ ଦ୍ରବିତ ହୋଇ ଆସିଥିଲା । ଜନତାଙ୍କଠାରୁ ଏପରି ସ୍ନେହ ଲାଭ କରି କିଏ ବା କ୍ଷଣିକପାଇଁ ବିଚଳିତ ନ ହୋଇଯିବ ? ପୁଣି ଚାରିବର୍ଷ ପାଇଁ ଦେଶର ଅବସ୍ଥାଠାରୁ ଦୂରରେ ରହି ହଠାତ୍‌ ଲୋହିଆ ବା କହନ୍ତେ କ’ଣ ?

 

ଆଜି ତ ଭାଷଣ ଦେବା କିମ୍ୱା ଶୁଣିବାର ଦିନ ନୁହେଁ ।

 

ଆଜି ତ ସ୍ନେହରେ ବାନ୍ଧି ହେବା ଦିନ ।

 

ସେଇ ରାତିରେ ଲୋହିଆ ସିଧା କଲିକତା ଅଭିମୁଖରେ ଚାଲିଗଲେ । ଜୟପ୍ରକାଶ ମଧ୍ୟ ପାଟନା ଚାଲିଗଲେ ।

 

ଲୋହିଆଙ୍କର କଲିକତାରେ ପହଞ୍ଚିବାର ଦୃଶ୍ୟବି ବଡ଼ ମାର୍ମିକ ଏବଂ ହୃଦୟବିଦାରକ ।

 

ପରିବାର, କୁଟୁମ୍ୱ କିମ୍ୱା ନିଜର ଲୋକ କହିଲେ କେବଳ ଲୋହିଆଙ୍କ ପିତାହିଁ ଥିଲେ–ଶ୍ରୀ ହୀରାଲାଲ ଲୋହିଆ ।

 

ତାଙ୍କରବି ଲୋହିଆଙ୍କର ଆଗ୍ରା କାରାବାସ ସମୟରେ ମୃତ୍ୟୁ ହୋଇଯାଇଥିଲା ।

 

ଲୋକେ କହନ୍ତି, ଦିନେ ଗୋଟାଏ ସଭାରେ ଯୋଗ ଦେବାପାଇଁ ହୀରାଲାଲଜୀ ବସ୍‍ରେ ବସି ଯାଉଥିଲେ । ସେତେବେଳେ ବସ୍ ଉପରେହିଁ ତାଙ୍କ ହୃଦ୍‌ଗତି ବନ୍ଦ ହୋଇ ଯାଇଥିଲା । ବେମାର ପଡ଼ି ନଥିଲେ କିମ୍ୱା କାହାଠୁଁ ସେବା–ଯତ୍ନବି ପାଇ ନଥିଲେ । ଜୀବନଟା ଯେତେବେଳେ ଦେଶପାଇଁ ଉତ୍ସର୍ଗ ହୋଇ ସାରିଥିଲା, ଶରୀରଟାବି ସେଇ ଦେଶ–ମାଟିରେ ମିଶିଗଲା । ଜନତାର ସଭାକୁ ଯାଉ ଯାଉ, ଚାଲି ଚାଲିହିଁ ଜନତାଙ୍କ ଭିତରେହିଁ ଶରୀରଟାକୁ ମଧ୍ୟ ଦେଶକୁ ସମର୍ପଣ କରିଦେଇ ହୀରାଲାଲଜୀ ପରମଧାମକୁ ଚାଲିଗଲେ ।

 

ହୀରାଲାଲଜୀଙ୍କର ଶବଯାତ୍ରାର ଯୋଉ ଶୋଭାଯାତ୍ରା କଲିକତାର ଲୋକେ ବାହାର କରିଥିଲେ, ତାହା ଅପୂର୍ବ ଥିଲା । କେତେ ଭିଡ଼...କେତେ ମମତା...କେତେ ଶ୍ରଦ୍ଧା ! ବଡ଼ବଜାର ଏବଂ ଅନ୍ୟ ବ୍ୟବସାୟ କେନ୍ଦ୍ରର ହରତାଳ ମଧ୍ୟ ସେଦିନ ଅପୂର୍ବ ଥିଲା । ଗାନ୍ଧିଜୀ ମଧ୍ୟ ଜଣେ ବିଶେଷ ପ୍ରତିନିଧି ହାତରେ ପୁଷ୍ପାଞ୍ଜଳି ପଠାଇ ହୀରାଲାଲଜୀଙ୍କ ପ୍ରତି ଆଦର ଏବଂ ସମ୍ମାନ ପ୍ରଦର୍ଶନ କରିଥିଲେ ।

 

କଲିକତା–ଜୀବନର ଗୋଟାଏ ଉତ୍ସାହୀ ପ୍ରାଣ–ଶ୍ୱାସ ସବୁଦିନ ପାଇଁ ବନ୍ଦ ହୋଇଗଲା ହୀରାଲାଲଙ୍କ ମୃତ୍ୟୁ ଯୋଗୁଁ ।

 

କଲିକତାର ଲୋକଙ୍କ ଭିତରେ ନିଜର ଫକ୍କଡ଼ ସ୍ୱଭାବ ଯୋଗୁଁ ହୀରାଲାଲଜୀ ଯେତେଟା ଜନପ୍ରିୟ ଥିଲେ, ସେପରି ଉଦାହରଣ ଆଉ ଦେଖାଯାଏନି ।

 

ହୀରାଲାଲଜୀଙ୍କ ମୃତ୍ୟୁ–ସମ୍ୱାଦ ଯେତେବେଳେ ଆଗ୍ରା ଜେଲ୍ ଭିତରେ ଲୋହିଆଙ୍କୁ ତାରଦ୍ୱାରା ଜଣାଇ ଦିଆଗଲା, ସେତେବେଳେ ସରକାର ଲୋହିଆଙ୍କୁ ‘‘ପେରୋଲ୍‌’’ ଉପରେ ଛାଡ଼ିଦେବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ସରକାରଙ୍କ ଏଇ ଦୟାକୁ ଲୋହିଆ ଗ୍ରହଣ କରି ନଥିଲେ ।

 

ତା’ପରେ ପୁତ୍ରର ଅନୁପସ୍ଥିତିରେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଜନତାହିଁ ସମାପନ କରିଥିଲେ-

 

ହୀରାଲାଲଜୀ ଜଣେ ଉଦ୍ଭଟ ଦେଶଭକ୍ତ ଏବଂ ଗାନ୍ଧୀବାଦୀ ଲୋକ ଥିଲେ । ସନ ୧୯୨୧, ୧୯୩୦ ଏବଂ ୧୯୪୦ରେ ସେ ଜେଲବରଣବି କରିଥିଲେ । ସେ ବଡ଼ ଖୋଲାମୁହାଁ, ଫକ୍କଡ଼ ଏବଂ ନିର୍ଭୟ ତଥା ମଉଜିଆ ପ୍ରକୃତିର ଲୋକ ଥିଲେ । ତା’ ସାଙ୍ଗେ ସାଙ୍ଗେ ସେ ଥିଲେ ବଡ଼ ଗମ୍ଭୀର, ଧୈର୍ଯ୍ୟଶୀଳ ଏବଂ ବାହାଦୁର । ଇଂରେଜଙ୍କ ନାଁକୁ ସେ ବଡ଼ ଘୃଣା କରୁଥିଲେ । ସେ ତାଙ୍କର ଏଇ ଘୃଣାକୁ କେବେ ଦବେଇ କିମ୍ୱା ଲୁଚେଇ ରଖୁ ନଥିଲେ । ଇଂରେଜଙ୍କୁ ମୁହଁ ଉପରେ ଗାଳି ଦେବାରେ ସେ ଖୁବ୍‌ ଆନନ୍ଦ ଅନୁଭବ କରୁଥିଲେ । ହିନ୍ଦୀରେ ବଛାବଛା ଗାଳିସୂଚକ ଶବ୍ଦମାନଙ୍କୁ ନେଇ ସେ ଇଂରେଜଙ୍କ ପାଇଁ ଗୋଟାଏ ‘‘ଗାଳିଦୋହା’’ ବନେଇ ରଖିଥିଲେ ।

 

ସଡ଼କ ଉପରେ କୌଣସି ଇଂରେଜଙ୍କୁ ଦେଖୁଦେଖୁ ସେ ସଙ୍ଗେ ସଙ୍ଗେ ଉଚ୍ଚ ସ୍ୱରରେ ଏଇ ‘‘ଗାଳିଦୋହା’’ଟାକୁ ପଢ଼ି ପକାଉଥିଲେ । ଥରେ ନିଜର ଏଇ କୌତୁକିଆ ସ୍ୱଭାବ ଯୋଗୁଁ କଲିକତାର ‘‘ବାଙ୍ଗଡ଼ ବିଲ୍‌ଡ଼ିଂ’’ର ତଳେ ଗୋଟାଏ ଖୁବ୍ ବଡ଼ ହାଙ୍ଗାମା ସୃଷ୍ଟି କରି ଦେଇଥିଲେ ।

 

ହୀରାଲାଲଜୀଙ୍କ ଦେଶପ୍ରେମ ଉତ୍କଟ ରୂପ ଧାରଣ କରିଯାଇଥିଲା । ୧୯୪୧ ସାଲରେ ବ୍ୟକ୍ତିଗତ ସତ୍ୟାଗ୍ରହ ସମୟରେ, ଗରମ କିମ୍ୱା ଟାଣ ଖରା ଯାହା କିଛି ହେଉନା କାହିଁକି, ସେ ‘‘ଦିଲ୍ଲୀ ଚଲୋ’’ର ଆବାହନ ଉପରେ ଦିଲ୍ଲୀରେ ତ୍ରିରଙ୍ଗ ପତାକା ଉଡ଼ାଇବା ଉଦ୍ଦେଶ୍ୟରେ କଲିକତାରୁ ଦିଲ୍ଲୀକୁ ପଦଯାତ୍ରାରେ ଯାଇଥିଲେ । ୧୯୪୨ ସାଲର ଆନ୍ଦୋଳନରେ ମଧ୍ୟ ସେ ଅନେକ ମହତ୍ୱପୂର୍ଣ୍ଣ କାମ କରିଥିଲେ । ସେ ଶୋଭାଯାତ୍ରାଗୁଡ଼ିକରେ ପତାକା ଧରି ସବୁବେଳେ ଆଗେଆଗେ ଚାଲୁଥିଲେ । ତା’ପରେ ପୋଲିସ୍‍ର ମନଇଚ୍ଛା ମାଡ଼ ଖାଇ ତଳେ ପଡ଼ି ମଧ୍ୟ ସେ ହାତରୁ ପତାକା କେବେ ଛାଡ଼ୁ ନଥିଲେ । ସେ ଅତି ଭୟାନକ ଭାବରେ ନିର୍ଭୟ ତଥା ସେତିକି ପରିମାଣରେ ଜବରଦସ୍ତ ସହନ–ଶକ୍ତିର ଲୋକ ଥିଲେ । ଅନେକ ଦିନ ଧରି ସେ ଆତ୍ମଗୋପନ ମଧ୍ୟ କରିଥିଲେ ଏବଂ ବୁଲେଟିନ୍‌ ଲେଖିବାଠୁଁ ଆରମ୍ଭ କରି ବାଣ୍ଟିବା କାମ ମଧ୍ୟ ନିର୍ଭୀକତା ସହ କରୁଥିଲେ । ନିଜର ସେବାମୟ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଯୋଗୁଁ ସେ ନିଜ ସମ୍ପର୍କରେ ଆସୁଥିବା ସମସ୍ତଙ୍କର ଆକର୍ଷଣର କାରଣ ଥିଲେ । କେବେ କିମିତି କେହି ଜଣେ ଯୁବକ ଯଦି ତାଙ୍କ ପାଖରେ ଯୁକ୍ତିତର୍କ ଆରମ୍ଭ କରି ଦେଉଥିଲା ଏବଂ ସମାଜବାଦର ଚର୍ଚ୍ଚା କରୁଥିଲା, ତେବେ ସେ ଅତି ଗର୍ବ ସହକାରେ କହୁଥିଲେ–‘‘ଆରେ, ତୁମେ ସବୁ ତ ଖାଲି ସୋସାଲିଷ୍ଟ; କିନ୍ତୁ ମୁଁ ଯେ ଗୋଟାଏ ସୋସାଲିଷ୍ଟର ବାପ !’’

 

ଯେତେବେଳେବି ହୀରାଲାଲଜୀ ଗିରଫ୍ ହୋଇ ଯାଉଥିଲେ, ପୋଲିସ୍ ଘେରରେ ସେ ବରାବର ନିର୍ଭୟ ସହକାରେ ରାଷ୍ଟ୍ରୀୟ ସ୍ଲୋଗାନ ଦେଇ ଦେଇ ଥାନା କିମ୍ୱା ଜେଲ ଭିତରକୁ ଯାଉଥିଲେ । ସେ ଥିଲେ କଲିକତାସ୍ଥ ବଡ଼ବଜାର କଂଗ୍ରେସ କମିଟିର ସଦସ୍ୟ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ।

 

ସେଇ କମିଟି ମାଧ୍ୟମରେ ସେ ‘‘ଚରଖା–ପ୍ରସାର’’ ସମିତିଦ୍ୱାରା ଚରଖା ଏବଂ ଖଦିର ଖୁବ୍‌ ପ୍ରଚାର କରିଥିଲେ । ଚରଖାର ପ୍ରଚାର ନିମନ୍ତେ ସେ ନିଜ ହାତରୁ ଚରଖା ତିଆରି କରି ମାଗଣାରେ ବାଣ୍ଟି ଦେଉଥିଲେ ।

 

ହୀରାଲାଲଜୀ ନିଜର ସମସ୍ତ ଜୀବନ ଅତି ନିଷ୍କାମ ଏବଂ ଅନାସକ୍ତ ଭାବରେ କଟାଇ ଦେଇଥିଲେ । ଧର୍ମପୁସ୍ତକ ପଢ଼ିବାରେ ମଧ୍ୟ ତାଙ୍କର ନିଷ୍ଠା ଥିଲା । ତାଙ୍କ ପାଖରେ ପ୍ରାୟ ଛଅ ଶହ ଧର୍ମ ତଥା ରାଷ୍ଟ୍ରୀୟ ବିଷୟସମ୍ୱଳିତ ଭଲ ଏବଂ ଦୁର୍ଲ୍ଲଭ ପୁସ୍ତକର ଏକ ସଂଗ୍ରହାଳୟ ଥିଲା । ପରେ ପରେ ତାଙ୍କର ସ୍ମୃତିରକ୍ଷା ପାଇଁ କଲିକତାସ୍ଥ କାଶୀପୁରରେ ‘‘ଶ୍ରୀ ହୀରାଲାଲ ଲୋହିଆ ପୁସ୍ତକାଳୟ’’ ଖୋଲାଗଲା–ଯାହାର ଉଦ୍‌ଘାଟନ କରିଥିଲେ ଶ୍ରୀମତୀ ଅରୁଣା ଆସଫ୍‌ ଅଲ୍ଲି । ସେଇଠି ତାଙ୍କ ବହିର ସଂଗ୍ରହ ପର୍ଯ୍ୟନ୍ତ ମଧ୍ୟ ସୁରକ୍ଷିତ ହୋଇ ରହିଛି । ୧୯୪୯ ଜୁଲାଇରେ, ଢାକାଠାରେ ‘‘ଲୋହିଆ ସେବାଗ୍ରାମ’’ର ସ୍ଥାପନା ମଧ୍ୟ ତାଙ୍କରି ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କରାଗଲା । ସେଇ ସେବାଗ୍ରାମ ଭିତରେ ଗୋଟାଏ ପାଠଶାଳା, ଗୋଟାଏ ଡାକ୍ତରଖାନା ଏବଂ ଗୋଟାଏ ବ୍ୟାୟାମଗାର ବର୍ତ୍ତମାନ ସୁଦ୍ଧା ଚାଲିଛି ।

 

ଖୁବ୍‌ ସୀମିତ ସାଧନର ଲୋକରୂପେ ଗରିବ ହୀରାଲାଲ ନିଜ ତ୍ୟାଗ ଏବଂ ନିଷ୍ଠା ବଳରେ ସାଦାସିଧା ଜୀବନ ବିତେଇ ସମସ୍ତ ପ୍ରକାର ଦୁଃଖ–କଷ୍ଟ ସହି ମଧ୍ୟ ସଦାସର୍ବଦା ଲୋହିଆଙ୍କୁ ରାଜନୀତି ତଥା ଦେଶସେବା କାର୍ଯ୍ୟରେ ସହାୟତା କରୁଥିଲେ । ରାମମନୋହର ଲୋହିଆ ରୂପରେ ସେ ଦେଶକୁ ଏଭଳି ଗୋଟାଏ ପୁତ୍ର–ରତ୍ନ ଦେଇ ଯାଇଛନ୍ତି, ଯାହାକୁ ନେଇ ଆଜି ସମଗ୍ର ହିନ୍ଦୁସ୍ଥାନ ଗର୍ବ ତଥା ଗୌରବ ବୋଧ କରୁଛି । ଜଣେ ପିତାର ସ୍ୱାଭାବିକ ଆକାଂକ୍ଷା ନେଇ ସେ କେବେ ମଧ୍ୟ ରାମମନୋହର ଲୋହିଆଙ୍କୁ ରାଜନୀତିରୁ ଓହରିଆସି ବିବାହ ତଥା ଘରଜଞ୍ଜାଳ ଭିତରେ ବାନ୍ଧି ହୋଇ ରହିବାକୁ ବାଧ୍ୟ କରି ନଥିଲେ । ବରଂ ସେ ସର୍ବଦା ଲୋହିଆଙ୍କ ରାଜନୀତିକ ରାସ୍ତା ସଫା କରିବାରେ ଲାଗିଥିଲେ ।

 

ରାମମନୋହର ଲୋହିଆଙ୍କର ସେଇ ଆଦର୍ଶ ପିତା ବର୍ତ୍ତମାନ ଆଉ ସଂସାରରେ ନଥିଲେ ।

 

ଆଗ୍ରାରୁ କଲିକତା ଯିବାବେଳେ ବାଟରେ କେତେ ଥର ତାଙ୍କ ପିତାଙ୍କ ସ୍ମୃତି ମନେପଡ଼ି ତାଙ୍କ ହୃଦୟ ଦ୍ରବୀଭୂତ ହୋଇ ଯାଇଥିଲା ।

 

ତା’ ପରଦିନ ଲୋହିଆ ଆସି କଲିକତାରେ ପହଞ୍ଚିଗଲେ ।

 

ଲୋହିଆଙ୍କ କଲିକତା ଆସୁଥିବା ଖବର ସମଗ୍ର କଲିକତା ସହରରେ ଆଗରୁ ପ୍ରଚାର ହୋଇ ସାରିଥିଲା । ଗାଡ଼ି ପ୍ଲାଟ୍‍ଫର୍ମ୍‍ରେ ଆସି ପହଞ୍ଚିବାରେ କେତେ ଘଣ୍ଟା ଆଗରୁ ଜନତାର ଭିଡ଼ ଏତେଦୂର ବଢ଼ିଗଲା ଯେ ପ୍ଲାଟ୍‍ଫର୍ମ୍‍ରେ ସୋରିଷ ପକାଇବାକୁବି ଆଉ ଜାଗା ନଥିଲା ।

 

ଗାଡ଼ି ଯେମିତି ଆସି ପ୍ଲାଟ୍‍ଫର୍ମ୍‍ରେ ରହିଗଲା ଏବଂ ଲୋହିଆ ଗାଡ଼ିରୁ ଓହ୍ଲାଇ ପଡ଼ିଲେ, ଉପସ୍ଥିତ କଲିକତାବାସୀଙ୍କ ହୃଦୟ ପୁଣି ଲୋହିଆଙ୍କୁ ଦେଖି ହୀରାଲାଲଜୀଙ୍କ ସ୍ମୃତିରେ ଦ୍ରବୀଭୂତ ହୋଇଗଲା । ସେଇ ପ୍ଲାଟ୍‍ଫର୍ମ୍ ଉପରେହିଁ ଲୋହିଆଙ୍କ ପ୍ରତି ପିତୃଶୋକ ଏବଂ ସମ୍ବେଦନା ପ୍ରକାଶ କରିବାକୁ ଯାଇ ସଂଖ୍ୟାହୀନ ଜନତା ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଶାନ୍ତ ଏବଂ ମଉନରେ ଛିଡ଼ା ହୋଇ ରହିଲେ ।

 

ତା’ପରେ ଲୋହିଆଙ୍କ ସ୍ୱାଗତ ଉପଲକ୍ଷେ ସପ୍ତାହେ ପର୍ଯ୍ୟନ୍ତ ‘‘ସ୍ୱାଗତ–ପର୍ବ’’ ପାଳନ କରାଗଲା । ସ୍ଥାନେ ସ୍ଥାନେ ଶୋଭାଯାତ୍ରା, ସଭା ଏବଂ ମିଳନ ଗୋଷ୍ଠୀର ଦୃଶ୍ୟ ।

 

ବଡ଼ କଷ୍ଟରେ, ବହୁ ଦିନ ପରେ କଲିକତା ସହରକୁ ଯେମିତି ତା’ର ସ୍ନେହୀ ପୁତ୍ର ମିଳିଥିଲା ।

 

କଲିକତାରେ ଗୋଟାଏ ପକ୍ଷବି ଭଲ ଭାବରେ ନ ବିତୁଣୁ ଦିଲ୍ଲୀରୁ ଲୋହିଆଙ୍କ ନିକଟକୁ ଗାନ୍ଧିଜୀଙ୍କର ଚିଠି ଆସିଲା । ଗାନ୍ଧି ଲେଖିଥିଲେ–‘‘ଆଗ୍ରା ଜେଲ୍‌ରୁ ମୁକୁଳି ମତେ ଦେଖା କରି ତୁମେ କଲିକତା ଯାଇଥିଲେ ଭଲ ହୋଇଥାନ୍ତା ।’’

 

ସେ ସମୟରେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ବସିବାର ଥିଲା । ସେଥିରେ ବିଶେଷ ନିମନ୍ତ୍ରିତ ଭାବରେ ଯୋଗ ଦେବାପାଇଁ ଲୋହିଆଙ୍କ ପାଖକୁ ଖବର ଆସିଲା ।

 

ଅରୁଣା ଆସଫ୍ ଅଲିଙ୍କଠାରୁ ମଧ୍ୟ ଖବର ଆସିଲା ସେ ଲୋହିଆ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଦେଖା କରିବା ଆଗରୁ ପାର୍ଟିର ସଭ୍ୟମାନଙ୍କ ସହ ବିଚାର–ବିନିମୟ କରିବା ଦରକାର । ଜୟପ୍ରକାଶ ଏବଂ ଅଚ୍ୟୁତ ପଟ୍ଟବର୍ଦ୍ଧନ ମଧ୍ୟ ଦିଲ୍ଲୀ ଆସୁଛନ୍ତି ।

 

ଲୋହିଆ ଦିଲ୍ଲୀ ଗଲେ ।

 

ସେତେବେଳେ ଦେଶର ରାଜନୀତିରେ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ଆସୁଥିଲା । ଇଂଲଣ୍ତରେ ଲେବର୍‌ ପାର୍ଟି ସରକାର ଗଠିତ ହୋଇ ସାରିଥିଲା ଏବଂ ପ୍ରଧାନମନ୍ତ୍ରୀ ଅଟଲୀ ଭାରତକୁ ଅତିଶୀଘ୍ର ସ୍ୱାଧୀନତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସାହାଯ୍ୟ କରିବାପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଗୋଟାଏ ଯୋଜନା ସହିତ ଦିଲ୍ଲୀ ପଠାଇଥିଲେ । କିନ୍ତୁ ସେଇ ଯୋଜନାରେ ମୁସଲିମ ଲିଗ୍‌ର ନେତା ଜିନ୍ନାଙ୍କଦ୍ୱାରା ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତି ରାସ୍ତାରେ ବାଧା ସୃଷ୍ଟି କରିବାପାଇଁ ଅସ୍ତ୍ର ଆସୁଥିଲା । ଲୋହିଆ ଯୋଜନାର ସେଇ ପକ୍ଷର ଘୋର ବିରୋଧୀ ଥିଲେ ।

 

ବୁଲି ବୁଲି ଲୋହିଆ ସେଇ ଯୋଜନାର ଦୁର୍ବଳତା ଉପରେ ଆଲୋକପାତ କରିବାକୁ ଲାଗିଲେ ଏବଂ ଜନତାକୁ ସହଜରେ ଭଳି ନ ଯିବାକୁ ଏବଂ ମନୋବଳ ଉଚ୍ଚ ରଖିବାକୁ ନିଜ ଭାଷଣ ମାଧ୍ୟମରେ ସତର୍କ କରିଦେଲେ ।

 

ଚବିଶ ଏପ୍ରିଲ ୧୯୪୬ ଦିନ କଲିକତାର ଗୋଟାଏ ବିରାଟ ଛାତ୍ରସଭାରେ ଲୋହିଆ ସ୍ପଷ୍ଟ ଭାବରେ କହିଲେ–‘‘ଭାରତୀୟ ଜନତାଙ୍କ ଶକ୍ତି ଦେଖିହିଁ ‘‘କ୍ୟାବିନେଟ୍‌ ମିଶନ’’ ଭାରତକୁ ଆସିଚି । ଯେତେଦୂର ସମ୍ଭବ, ବୁଝାମଣାର ଏହି କଥାବାର୍ତ୍ତା ଯଦିବି ଅସଫଳ ହୋଇଯାଏ, ତଥାପି ଜନତା ନିଜ ମନକୁ ଗମ୍ଭୀର ରଖି ଆବଶ୍ୟକ ହେବା ପର୍ଯ୍ୟନ୍ତ ସ୍ୱାତନ୍ତ୍ର୍ୟ ଆନ୍ଦୋଳନ ଚଳାଇବାର ସାହସ ରଖିବା ଦରକାର ।’’

 

୬ ମେ ୧୯୪୬ ଦିନ ଲୋହିଆ ନିଜ ଜେଠେଈଙ୍କ ସହ ଦେଖା କରିବାକୁ ମିର୍‌ଜାପୁର ଗଲେ । ସେଠାରେ ତାଙ୍କର ସ୍ୱାଗତପାଇଁ ଯେଉଁ ବିରାଟ ସଭାର ଆୟୋଜନ କରାଗଲା, ସେଥିରେ ମଧ୍ୟ ସେ ଏଇ ବିଷୟ କହିଥିଲେ ।

 

ସେତେବେଳେ ଲୋହିଆଙ୍କର ସ୍ୱାସ୍ଥ୍ୟ ଅତି ଖରାପ ଆଡ଼କୁ ଗତି କରୁଥିଲା । ଚାରିବର୍ଷର ଦୀର୍ଘ କାରାବାସ ଏବଂ ଯନ୍ତ୍ରଣା ଯୋଗୁଁ ଶରୀର ତ ଭାଙ୍ଗିପଡ଼ିଥିଲା, ଆଉ ତା’ ସାଙ୍ଗେ ସାଙ୍ଗେ ରାଜନୀତିକ ପରିସ୍ଥିତି ଏବଂ ଚାଲୁଥିବା ରାଜନୈତିକ ବ୍ୟବସାୟ ତଥା ଅସଫଳତା କାରଣରୁ ମନବି ମରି ଯାଉଥିଲା ।

 

କିଛିଦିନ ବିଶ୍ରାମ ଗ୍ରହଣ କରି ସ୍ୱାସ୍ଥ୍ୟ ଲାଭ କରିବାର ପରାମର୍ଶ ଡାକ୍ତରମାନେ ଦେଲେ ଏବଂ ରାଜନୀତିକ ଜଟିଳତାରୁ ଓହରିଯାଇ ବିଶ୍ରାମ କରିବାକୁ ଶୁଭଚିନ୍ତକମାନେ ମଧ୍ୟ ପରାମର୍ଶ ଦେଲେ ।

 

କିନ୍ତୁ ଲୋହିଆଙ୍କ ଭାଗ୍ୟରେ ବିଶ୍ରାମ ନେବା କ’ଣ ଲେଖାଥିଲା !

 

ଲୋହିଆଙ୍କର ଗୋଆବାସୀ ବନ୍ଧୁ ଜୁଲିଓ ମୈନେଜିସ୍‌ ବିଶ୍ରାମ ନେବାପାଇଁ ଲୋହିଆଙ୍କୁ ଗୋଆକୁ ଆସିବାପାଇଁ ଲେଖିଲେ । ଲୋହିଆଙ୍କର ମଧ୍ୟ ଗୋଆ ଯିବାକୁ ମନ ଡାକିଲା । ଗୋଆର ଆସୋଲନା ନାମକ ଏକ ପଲ୍ଲୀରେ ନିଜ ବନ୍ଧୁଙ୍କ ଘରେ ଲୋହିଆ ଯାଇ ପହଞ୍ଚିଗଲେ ।

 

ସେଦିନ ଥିଲା ୧୯୪୬ ଜୁନ୍ ୧୦ ତାରିଖ । ଜେଲରୁ ମୁକୁଳିବା ପୂରା ଦି’ମାସ ମଧ୍ୟ ହୋଇ ନଥିଲା ।

 

ଯାଇଥିଲେ ଆରାମ କରିବାକୁ, ସ୍ୱାସ୍ଥ୍ୟ ଲାଭପାଇଁ; କିନ୍ତୁ ସେଇଠି ଗୋଟାଏ ବଡ଼ ଝମେଲା ଆସି ଦେଖାଦେଲା ।

 

ଗୋଆ ଭାରତର ଗୋଟାଏ ଅଙ୍ଗ ହେବା ସତ୍ତ୍ୱେବି ଗତ ପାଞ୍ଚ ଶହ ବର୍ଷ ଧରି ତାହା ପର୍ତ୍ତୁଗୀଜ୍‍ର କ୍ରୂର ଶାସନର ଶିକାର ହୋଇ ରହିଥିଲା । ସେଇଠିକାର ଲୋକଙ୍କର ନିଃଶ୍ୱାସ ନେବାରେ କିମ୍ୱା ମୁଣ୍ତ ଟେକିବାରେ ମଧ୍ୟ ସ୍ୱାତନ୍ତ୍ର୍ୟ ନଥିଲା ।

 

ଲୋହିଆ ଗୋଆରେ ପହଞ୍ଚିବା ସଙ୍ଗେ ସଙ୍ଗେ ହଇଚଇ ସୃଷ୍ଟି ହୋଇଗଲା–ସନ ୪୨ର ନାୟକ ଆସିଛନ୍ତି ।

 

ତା’ପରେ ଲୋକେ ଲୋହିଆଙ୍କୁ ଦେଖିବାପାଇଁ ଏବଂ କଥାବାର୍ତ୍ତା କରିବାପାଇଁ ଆସିବାକୁ ଲାଗିଲେ । ଲୋହିଆଙ୍କୁ ଲୋକେ ସବୁବେଳେ ଘେରି ରହିଲେ । ଅଧ୍ୟାପକ, ବିଦ୍ୟାର୍ଥୀ, ମଜଦୁର, ପୋଲିସ୍ ଲୋକ, କିରାଣି–ସମସ୍ତ ପ୍ରକାର ଲୋକ ଆସନ୍ତି ଏବଂ ଲୋହିଆଙ୍କ ସାଙ୍ଗରେ ମିଳି ଦେଶପ୍ରେମ ନିଶାରେ ମାତି ଉଠନ୍ତି । ସେମାନଙ୍କଠାରୁ ଲୋହିଆ ଗୋଆର ପ୍ରକୃତ ଅବସ୍ଥା ଜାଣିବାକୁ ପାଇଲେ । ଏପରି ଏକ ନିଷ୍ଠୁର ଶାସନର କଳ୍ପନା ଲୋହିଆ କେବେ କରି ନଥିଲେ–ଯେଉଁଠି କି ବିବାହର ନିମନ୍ତ୍ରଣ ପତ୍ର ଛପେଇବା ଆଗରୁ ସରକାରଙ୍କର ସ୍ୱୀକୃତି ନେବାକୁ ପଡ଼ୁଥିଲା-। ଲୋହିଆ ଆଶ୍ଚର୍ଯ୍ୟ ହେଲେ–ଏଠି ମଣିଷ ବଞ୍ଚୁଚି କେମିତି ଏବଂ ଭାବୁ ଭାବୁ ଲୋହିଆଙ୍କ ମନ ଭିତରେ ଥିବା ଅନ୍ୟାୟ ପ୍ରତି ବିଦ୍ରୋହ କରିବାର ଏକ ବିଦ୍ରୋହୀ ପ୍ରକୃତି ଜାଗ୍ରତ ହୋଇଉଠିଲା-

 

ଲୋହିଆ ସାଙ୍ଗେ ସାଙ୍ଗେ ସ୍ଥିର କରିନେଲେ–ଲଢ଼ିବାକୁ ହେବ ।

 

ଗୋଆରେ ରଚନାତ୍ମକ କାର୍ଯ୍ୟ ଚଳାଉଥିବା ଶ୍ରୀ ପୁରୁଷୋତ୍ତମ କାକୋଦକର କେତେକ ନବଯୁବକଙ୍କ ସାଙ୍ଗରେ ଆସି ଲୋହିଆଙ୍କୁ ଦେଖା କଲେ ।

 

ପନ୍ଦର ଜୁନ୍‍ରେ ପାଞ୍ଜିମଠାରେ ଗୋଟାଏ ସଭା କରିବାର ସ୍ଥିର କରାଗଲା ।

 

ପ୍ରାୟ ଦୁଇ ଶହ ପୋଷ୍ଟ୍‍କାର୍ଡ଼୍ ପଠେଇ ଗୋଆର ଏପରି ସମସ୍ତ ଲୋକଙ୍କୁ ଡକାଗଲା, ଯେଉଁମାନେ କି ଗୋଆର ମୁକ୍ତି ଚାହୁଁଥିଲେ ।

 

ନିର୍ଦ୍ଧାରିତ ସମୟରେ ସଭା ହେଲା । ଲୋହିଆ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ କହିଲେ । ଗୋଆବାସୀଙ୍କୁ ସବିନୟ ଅବଜ୍ଞା କାର୍ଯ୍ୟକ୍ରମ ପାଳନ କରିବାପାଇଁ ନିବେଦନ କଲେ । ସଭା ଖୁବ୍‌ ସଫଳତାର ସହ ଚାଲିଲା । ସଭା କଥା ଶୁଣି ଗୋଆର ଗଭର୍ଣ୍ଣର ଘାବରେଇ ଗଲେ । ତିନି ଥର ସେ ସଭାସ୍ଥଳ ପରିକ୍ରମା କରି ଚାଲିଗଲେ ।

 

ଅଠର ଜୁନ୍ ଦିନ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କରାଗଲା ।

 

ସତର ଜୁନ୍‍ରେ ଆନ୍ଦୋଳନ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ଭାବରେ ନିଶ୍ଚିତ କରିବାପାଇଁ ମଡ଼ଗାଁଓର ଦାମୋଦର ବିଦ୍ୟାଭବନଠାରେ କେତେକ ପ୍ରଭାବଶାଳୀ ଲୋକଙ୍କର ଗୋଟାଏ ବୈଠକ ବସିଲା ।

 

କେତେ ଜଣ ଲୋହିଆଙ୍କୁ କହିଲେ–‘‘ଆପଣ ଛଅ ମାସ ପର୍ଯ୍ୟନ୍ତ ରହିଯାନ୍ତୁ । ପ୍ରସ୍ତୁତ ହେବାପାଇଁ ଆପଣ ଆମକୁ ଛଅ ମାସ ସମୟ ଦିଅନ୍ତୁ । ତା’ପରେ ଆପଣହିଁ ଆସି ଲଢ଼େଇ ଆରମ୍ଭ କରିବେ ।’’

 

ଏକଥା ଶୁଣି ଲୋହିଆ ବିରକ୍ତ ହୋଇଉଠିଲେ । ଏପରି ରାୟ ଦେବା ଲୋକଙ୍କ ଭିତରେ ତିନି ପ୍ରକାରର ଲୋକ ଥିଲେ । ପ୍ରଥମ ଶ୍ରେଣୀ–ଗୋଆର ବ୍ୟବସାୟୀ ଗୋଷ୍ଠୀ, ଯେଉଁମାନେ କି ସରକାରଙ୍କୁ ଡରୁଥିଲେ; ଦ୍ୱିତୀୟ ଶ୍ରେଣୀ, ଯେଉଁମାନେ ଜେଲ ଯିବାପାଇଁ ଭୟ କରୁଥିଲେ ଏବଂ ତୃତୀୟ ଶ୍ରେଣୀ–ଯେଉଁମାନେ କି ଅଜ୍ଞାନୀ ଥିଲେ ଏବଂ ଏତିକି ମଧ୍ୟ ଜାଣିପାରୁ ନଥିଲେ ଯେ ସଂଗଠନ କିମ୍ୱା ପ୍ରସ୍ତୁତି ସଂଘର୍ଷଦ୍ୱାରାହିଁ ସମ୍ଭବପର ହୁଏ । ଏଇଠି କାକୋଦକର କହିଲେ–‘‘ଏହି ସଭା କେବଳ ଲଢ଼େଇ କରିବାକୁ ଡକାଯାଇଚି, କିନ୍ତୁ ଲଢ଼େଇ ହେବ କି ନ ହେବ ତା’ର ଯୁକ୍ତିତର୍କ କରିବାକୁ ଡକା ଯାଇନି ।

 

ଲୋହିଆ ମଧ୍ୟ ସେଭଳି ଲୋକଙ୍କୁ ଭର୍ତ୍ସନା କରି କହିଲେ–‘‘ମୁଁ ଏଠିକି ଆସିବା ପୂର୍ବରୁ ତ ଆପଣଙ୍କୁ ପ୍ରସ୍ତୁତିପାଇଁ ବର୍ଷ ବର୍ଷ ଧରି ସମୟ ମିଳିଥିଲା; କିନ୍ତୁ ଆପଣମାନେ କାହିଁକି କିଛି କରିପାରିଲେନି ? ବର୍ତ୍ତମାନ ଆମେ ନିଶ୍ଚୟ ଆରମ୍ଭ କରିବୁଁ । ଆପଣମାନେ ଛଅ ମାସ ପରେ ପ୍ରସ୍ତୁତ ହୋଇ ଆସି ଆମ ସାଙ୍ଗେ ମିଶିବେ । ତେବେ ଛଅ ମାସପାଇଁ ଲଢ଼େଇ ବନ୍ଦ କରିବାର ଆଉ ଅର୍ଥ କ’?’’

 

ତା’ପରେ ଅଠର ଜୁନ୍‌ ଦିନ !

 

ଖୁବ୍‌ ବର୍ଷା ହେଉଥିଲା । ମୃଗା ନକ୍ଷତ୍ରର ଜମାଟିଆ ବର୍ଷା ।

 

ସମସ୍ତ ଗୋଆରେ ଯେପରି ନିଆଁ ଲାଗିଗଲା । ମନେହେଲା, ହଠାତ୍‌ ଯେପରି ଗୋଆ କର ଲେଉଟେଇ ଜାଗି ଉଠିଚି ।

 

ମଡ଼ଗାଁଓରେ ସଭା ହେବ ।

 

ସମଗ୍ର ବାତାବରଣ ଯେମିତି ଗୋଟାଏ ତୋଫାନରେ ସରଗରମ ହୋଇଉଠିଲା । ବର୍ଷ ବର୍ଷ ଧରି ଦାସତ୍ୱ ବନ୍ଧନରେ ତ୍ରସ୍ତ, ପୀଡ଼ିତ ଏବଂ ମୃତପ୍ରାୟ ଜନତା ଜାଗ୍ରତ ହୋଇଉଠିଲେ । ଏହି ତେଜ, ଏହି ଚଞ୍ଚଳତା, ଏହି ପ୍ରେରଣା କେଉଁଠୁଁ କିମିତି ଆସିଲା କେଜାଣି, ଦେଖୁଦେଖୁ ସମଗ୍ର ଗୋଆ ଦୋହଲିବାକୁ ଆରମ୍ଭ କଲା । ଜିଜ୍ଞାସା, ବୀରତା ଏବଂ ପ୍ରେରଣାଦ୍ୱାରା ପ୍ରେରିତ ହୋଇ ଲକ୍ଷ ଲକ୍ଷ ଲୋକ ଆସି ଜମା ହୋଇଗଲେ । ଏପରି ଜନସମୁଦ୍ରର ଭିଡ଼ ଦେଖି ପର୍ତ୍ତୃଗୀଜ୍‍ଙ୍କ ମନ ଭୟରେ କମ୍ପିଉଠିଲା ।

 

ମଡ଼ଗାଁଓର ସେଇ ସଭାର ପ୍ରସଙ୍ଗ ମଧ୍ୟ ବଡ଼ ବିଚିତ୍ର ।

 

ମଡ଼ଗାଁଓକୁ ଆସୁଥିବା ରେଳଗାଡ଼ିଗୁଡ଼ିକରେ ହଜାର ହଜାର ଲୋକ ଚଢ଼ିବାକୁ ଲାଗିଲେ-। ସମସ୍ତେ ସ୍ଲୋଗାନ ଦେଉଥିଲେ–

 

ଲୋହିଆ–ଜିନ୍ଦାବାଦ !

 

ମହାତ୍ମା ଗାନ୍ଧିକୀ ଜୟ !

 

ଦିପହର ପରେ, ଠିକ୍‌ ଚାରିଟା ପନ୍ଦରବେଳେ ଲୋହିଆ ନିଜ ବନ୍ଧୁ ଡ: ମେନେଜିସ୍‍ଙ୍କ ସାଙ୍ଗରେ ସଭାସ୍ଥଳ ଆଡ଼କୁ ଚାଲିଲେ । ପୋଲିସ୍ ସମସ୍ତ ଟାକ୍‌ସିବାଲାଙ୍କୁ ଲୋହିଆଙ୍କୁ ବସେଇ ନେବାପାଇଁ ମନା କରି ଦେଇଥିଲେ । ତେଣୁ ସେ ଦୁହେଁ ଗୋଟାଏ ଘୋଡ଼ାଗାଡ଼ିରେ ବସି ମ୍ୟୁନିସିପାଲ୍‌ ହଲ୍‌ରେ ପହଞ୍ଚିଲେ ।

 

ଯେମିତି ଗାଡ଼ି ସେଇଠି ପହଞ୍ଚିଲା, ସେଠିକା ଆଡ଼ମିନିଷ୍ଟ୍ରେଟର ମିରାଣ୍ତା ଗାଡ଼ି ପାଖକୁ ଦଉଡ଼ି ଆସି ଲାଟିନ୍‌ ଭାଷାରେ ସେଇଠୁ ତାଙ୍କୁ ଫେରିଯିବାକୁ କହିଲେ । କିନ୍ତୁ ତାଙ୍କ କଥା ନ ଶୁଣି ଲୋହିଆ ସଭାସ୍ଥଳରେ ଯାଇ ପହଞ୍ଚିଗଲେ । ପ୍ରାୟ କୋଡ଼ିଏ ହଜାର ଜନତାଙ୍କର ଭିଡ଼ । ଲୋହିଆଙ୍କର ଜୟନାଦର ଗଗନଭେଦୀ ସ୍ଲୋଗାନ । ସଭାର ଚାରିଆଡ଼େ ମେସିନ୍‌ଗନ୍‌ ଲଗେଇ ଫଉଜ ଛିଡ଼ା ହୋଇଥିଲେ । କିନ୍ତୁ ଆଜି ଗୋଆବାସୀ ଯେମିତି ମରିବା ପାଇଁ ପ୍ରତିଜ୍ଞା କରି ଆସିଥିଲେ । ଜନତା ଫୁଲମାଳରେ ଲୋହିଆଙ୍କୁ ଢାଙ୍କି ପକାଇଲେ ।

 

ତା’ପରେ ଏକ ସରଗରମ ବାତାବରଣ ଭିତରେ ଲୋହିଆ ଭାଷଣ ଦେବାପାଇଁ ଛିଡ଼ା ହୋଇଗଲେ । ଠିକ୍‌ ସେତିକିବେଳେ ନିଜର ଲାଟିନ୍‌ ଭାଷାରେ ଚିତ୍କାର କରି ମିରାଣ୍ତା ପିସ୍ତଲ ହସ୍ତରେ ଲୋହିଆଙ୍କ ଆଡ଼କୁ କ୍ଷିପ୍ର ଗତିରେ ଧାଇଁଗଲେ । ସମସ୍ତେ ସ୍ତବ୍ଧ, ଚକିତ ! ବର୍ତ୍ତମାନ କ’ଣ ହବ ? ମିରାଣ୍ତା କ’ଣ ଗୁଳି ମାରିଦେବେ ?

 

ହଠାତ୍‌ ଲୋହିଆ ଆଗେଇଯାଇ ତାଙ୍କ ରିଭଲ୍‍ଭର୍‌ ଧରିଥିବା ହାତକୁ ତଳକୁ କରିଦେଇ କହିଲେ–‘‘ଧୈର୍ଯ୍ୟର ସହ କାମ କରନ୍ତୁ । ଦେଖୁ ନାହାନ୍ତି, ଏଇଠି କେତେ ଭିଡ଼ ! ଆଜି ଏଠାରେ ରକ୍ତପାତ ଘଟିଲେ କ’ଣ ଶାନ୍ତି କାଏମ ହୋଇ ରହିପାରିବ ?’’

 

ମିରାଣ୍ତା ଏକଥା ଶୁଣି ସ୍ତମ୍ଭୀଭୂତ ହୋଇପଡ଼ିଲେ ।

 

ଗୋଆର ଇତିହାସରେ ସେଠିକାର ଜନତା ଯେମିତି ପ୍ରଥମ ଥରପାଇଁ ଗୋଟାଏ ଅଫିସରକୁ ଅପମାନିତ ହୋଇ ଚୁପ୍‌ ରହିଯିବାର ଦେଖିଲେ ।

 

ଏହି ଘଟଣାର ଗଭୀର ପ୍ରଭାବ ଲୋକଙ୍କ ଉପରେ ପଡ଼ିଲା । ଶକ୍ତି ସହିତ ଅହିଂସାକୁ ଯୋଡ଼ିଦେଇ କ’ଣ ଏପରି ଏକ ଅଦ୍ଭୁତ ଶକ୍ତି ସୃଷ୍ଟି କରାଯାଇପାରେ ? ଗୋଆର ଜନତା ଏଇଠି ପ୍ରଥମ ଥରପାଇଁ ସିଭିଲ୍ ନାଫରମାନିର ପାଠ ଶିଖିଲେ ।

 

ତା’ ପରେ ପରେ ପୋଲିସ୍ କମିଶନର ଆସି ଲୋହିଆ ଏବଂ ତାଙ୍କ ବନ୍ଧୁ ମେନେଜିସ୍‌ଙ୍କୁ ଗିରଫ୍ କରିନେଲେ ଏବଂ ସେ ଦୁହିଁଙ୍କୁ ନେଇ ସେଠାରୁ ଚାଲିଗଲେ ।

 

ଲୋହିଆ ଆଗରୁ ଜାଣିଥିଲେ ଯେ ତାଙ୍କୁ ବୋଧେ ଭାଷଣ ଦେବାକୁ ସୁଯୋଗ ମିଳିବ ନାହିଁ । ତେଣୁ ସେ ଆଗରୁ ତାଙ୍କୁ ଭାଷଣଟିକୁ ଛପେଇ ଦେଇଥିଲେ । ସେଇ ଭାଷଣ ଜନତାଙ୍କ ଭିତରେ ବାଣ୍ଟିଦିଆଗଲା ।

 

ଲୋହିଆ ସେଇ ଭାଷଣରେ କହିଥିଲେ–

 

‘‘ଗୋଆବାସୀଙ୍କ ହୃଦୟରେ ଅସୁମାରି ଦୁଃଖ ଆଉ ଯନ୍ତ୍ରଣା ଭରି ରହିଚି । ତାଙ୍କର ଦୃଷ୍ଟି ହିନ୍ଦୁସ୍ଥାନ ଆଡ଼କୁ ରହିଚି । ଏଠିକାର ଜନତାଙ୍କ ମନରେ ଗୋଆ ସରକାରଙ୍କ ପ୍ରତି ଘୃଣା ଆଉ କ୍ରୋଧ ରହିଚି; କିନ୍ତୁ ସେମାନେ ତାକୁ ପ୍ରକାଶ କରିବାର ଉପାୟ ଜାଣନ୍ତିନି । ଏଠିକାର ପର୍ତ୍ତୁଗୀଜ୍ ଶାସନର ଚିନ୍ତା ମୋର ମନରେ ନାହିଁ । କାହିଁକି ନା ପର୍ତ୍ତୁଗୀଜ୍‍ର ବଡ଼ ଭାଇ ଇଂରେଜ ହିନ୍ଦୁସ୍ଥାନରୁ ଶେଷ ହୋଇଗଲା । ପରେ ପର୍ତ୍ତୁଗୀଜ୍‍ଙ୍କ ଶାସନ ମଧ୍ୟ ଆପଣାଛାଏଁ ଏଇଠୁ ନଷ୍ଟ ହୋଇଯିବ । ଗୋଆବାସୀଙ୍କ ରାଷ୍ଟ୍ରୀୟ ଜୀବନର ପୁନରୁତ୍ଥାନ ପାଇଁ, ନାଗରିକ ସ୍ୱାତନ୍ତ୍ର୍ୟର ଅପହରଣକାରୀଙ୍କ ନିନ୍ଦିତ ଆଇନ–କାନୁନକୁ ହଟେଇଦେବାହିଁ ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ । ଯଦି ଗୋଆବାସୀ ମୋ ପାଖକୁ ଆସି ନଥାନ୍ତେ, ତେବେ ମଧ୍ୟ ମୁଁ ନୀରବରେ ବସି ରହି ନଥାନ୍ତି । ଗୋଆ ହେଉଛି ହିନ୍ଦୁସ୍ଥାନର ଗୋଟାଏ ଅଂଶବିଶେଷ ଏବଂ ମୁଁ ନିଜେ ଜଣେ ହିନ୍ଦୁସ୍ଥାନୀ । ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କର କର୍ତ୍ତବ୍ୟ ହେଉଚି ଗୋଆବାସୀଙ୍କୁ ସାହାଯ୍ୟ କରିବା ।’’

 

ଲୋହିଆଙ୍କର ଏହି ଭାଷଣ ଆଗରୁହିଁ ଭାରତକୁ ପଠେଇ ଦିଆଯାଇଥିଲା । ଭାରତର ପ୍ରତ୍ୟେକ ଖବରକାଗଜରେ ଲୋହିଆଙ୍କର ଏହି ଭାଷଣ ଛପାଗଲା ଏବଂ ପ୍ରତ୍ୟେକ ଭାରତୀୟ ଗୋଆ ସମସ୍ୟା ଏବଂ ସେଠିକାର ସଂଘର୍ଷ ଭିତରେ ଜଡ଼ିତ ହୋଇଗଲେ ।

 

ଗିରଫ୍ କଲା ପରେ ଲୋହିଆ ଏବଂ ମେନେଜିସ୍‌ଙ୍କୁ ପୋଲିସ୍ ଥାନା ହାଜତରେ ନେଇ ବନ୍ଦ କରି ଦିଆଗଲା ।

 

ଏଣେ ଗୋଆର ସମସ୍ତ ସ୍ଥାନରେ ଶୋଭାଯାତ୍ରା, ବିପ୍ଳବୀ ସ୍ଲୋଗାନ । ଜନତାଙ୍କ ଭିତରେ ପ୍ରବଳ ହଇଚଇ ଏବଂ ସେ ସମୟରେ ସେମିତି ଭୀଷଣ ମୂଷଳଧାରାର ବର୍ଷା ମଧ୍ୟ ଲାଗି ରହିଥିଲା ।

 

ବର୍ଷାରେ ଭିଜି ଭିଜି ଲୋକେ ଦଳ ବାନ୍ଧି ଯାଇ ଥାନାରେ ପହଞ୍ଚିଗଲେ । ଭିଡ଼ର ଉଗ୍ରତା ଦେଖି ଅଫିସର ଭୟରେ କମ୍ପିଉଠିଲେ । ଭୟରେ ସେ ନିରସ୍ତ୍ର ଜନତାଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଲେ; କିନ୍ତୁ ଲୋକେ ତ ମରିବାକୁ ପ୍ରତିଜ୍ଞା କରି ଆସିଥିଲେ । ତାଙ୍କୁ ତାଙ୍କର ଲୋହିଆ ଦରକାର । କମାଣ୍ତର୍ ଯେତେବେଳେ ପରିସ୍ଥିତି ଜଟିଳ ଦେଖିଲେ, ଉପସ୍ଥିତ ଜନସମୂହକୁ ଶାନ୍ତ କରିବାପାଇଁ ସେ ଯାଇ ଲୋହିଆଙ୍କୁ ଅନୁରୋଧ କଲେ । ଲୋହିଆ ସାଙ୍ଗେ ସାଙ୍ଗେ ଏଇ ସୁଯୋଗର ଫାଇଦା ଉଠେଇନେଲେ । ଲୋହିଆ ଥାନା ବାହାରକୁ ଆସି ଜନତାଙ୍କୁ ଭାଷଣ ଦେଲେ ହିନ୍ଦୀ ଭାଷାରେ, ଯାହା କି ପର୍ତ୍ତୁଗୀଜ୍ ଅଫିସର ଆଦୌ ବୁଝିପାରିଲେନି । ଲୋହିଆଙ୍କ କଥା ମାନି ଜନତା ଫେରିଗଲେ; କିନ୍ତୁ ଫେରିଯାଇ ଜନତା ବା ଯାନ୍ତେ କୁଆଡ଼େ ?

ସମସ୍ତ ସହରରେ ହରତାଳର ନୀରବତା । ପାଞ୍ଜିମ୍‌ରେ ଏକ ବିରାଟ ଶୋଭାଯାତ୍ରା ବାହାରିଲା ଏବଂ ଲୋକେ ରାଜମହଲ ଆଡ଼କୁ ଚାଲିଲେ ।

ଗୋଆରେ ନିଜସ୍ୱ ଢଙ୍ଗରେ ଏହା ପ୍ରଥମ ଜନ–ପ୍ରଦର୍ଶନ ଥିଲା, ଯାହାକୁ ପର୍ତ୍ତୁଗାଲ ସରକାର ସହଜରେ କିପରି ବା ବରଦାସ୍ତ କରିଥାନ୍ତା !

ଆଜି ପୂରା ଗୋଆ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଥିଲା ।

ଚାରିଆଡ଼େ ସଭା ଏବଂ ଶୋଭାଯାତ୍ରା । ଗୋଆର ଭୟାଳୁ, ଅକ୍ଷମ ଏବଂ ଦୁର୍ବଳ ଜନତା ଆଦି ଯେମିତି ନିର୍ଭୀକ, ବାହାଦୁର ଏବଂ ସଚେତ ହୋଇ ଉଠିଥିଲେ । ତାଙ୍କ ଆତ୍ମାର ଚିତ୍କାରକୁ ବର୍ତ୍ତମାନ ନିଷ୍ଠୁର ପର୍ତ୍ତୁଗାଲ ସରକାର ଆଉ ଦବେଇ ରଖିବାର ଅବସ୍ଥାରେ ନଥିଲା ।

ଗୋଆର ଜନତା ପାଞ୍ଜିମ୍‌ ମ୍ୟୁନିସିପାଲ ଭବନ ପାଖରେ ଥିବା ‘ଚଉକ’ର ନାଁ ‘ଲୋହିଆ ଚଉକ’ ରଖିଦେଲେ ଏବଂ ସେଇଠି ପ୍ରତିଦିନ ସଭା କରିବାକୁ ଲାଗିଲେ ।

 

ହଠାତ୍‌ ଦିନେ ଜନରବ ପ୍ରଚାରିତ ହୋଇଗଲା ଯେ ଗୋଆର ବିଦ୍ରୋହୀ ଜନତା ମଣ୍ତଗାଁଓ ଜେଲ୍‌ ଉପରେ ଚଢ଼ାଉ କରି ଲୋହିଆଙ୍କୁ ଜେଲ୍‌ ଭିତରୁ ଖଲାସ କରିନେବେ । ଏ ଖବର ପାଇ କମାଣ୍ତର୍ ଡରିଗଲେ । ଅଧରାତିରେ ଚୁପ୍‌ଚାପ୍‌ ଲୋହିଆ ଏବଂ ମେନେଜିସ୍‌ଙ୍କୁ ନେଇ ପାଞ୍ଜିମ୍‍ରେ ପହଞ୍ଚେଇ ଦେବାକୁ ଚାହିଁଲେ । ଗୋଟାଏ ମୋଟର ଭ୍ୟାନ୍‌ରେ ଦୁହିଁଙ୍କୁ ବସେଇ ନେଇଗଲେ; କିନ୍ତୁ ଜନତା ଆଉ ଭୁଲିଯିବା ଅବସ୍ଥାରେ ନଥିଲେ । ଏତେ ରାତିରେବି ଜେଲ୍‌ ବାହାରେ ଜନତାର ଭିଡ଼ ଜମିଥିଲା । ଲୋକେ ମୋଟରକୁ ଘେରିଯାଇ ଆକ୍ରମଣ ଆରମ୍ଭ କରିଦେଲେ; କିନ୍ତୁ ମୋଟରଟି ଖସି ଚାଲିଗଲା ।

 

ରାସ୍ତାରେ ଗୋଟାଏ କୌତୂହଳପୂର୍ଣ୍ଣ ଘଟଣା ଘଟିଲା । ଲୋହିଆଙ୍କ ସୁରକ୍ଷାପାଇଁ ତାଙ୍କ ଦି’ପାଖରେ ଦି’ଜଣ ପର୍ତ୍ତୁଗାଲ ଅଫିସର ବସିଥିଲେ । ଜଣେ ଲୋହିଆଙ୍କ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ଫଳରେ ଲୋହିଆଙ୍କୁ କିଛିଟା ଆନନ୍ଦ ମିଳିଲା । ଅଫିସର ଜଣକ ତିନି ତିନିଟା ବିଦେଶୀ ୟୁରୋପୀୟ ଭାଷା ବ୍ୟବହାର କଲେ; କିନ୍ତୁ ଲୋହିଆ କିଛି ବୁଝି ନ ପାରିବାର ସଙ୍କେତ ଦେଲେ । ତା’ପରେ ଆରମ୍ଭ ହେଲା ସାଙ୍କେତିକ ଭାଷା । ସେ ଆଗ ହିଟଲର୍‌ ଏବଂ ପରେ ଗାନ୍ଧିଙ୍କ ନାମ ଉଚ୍ଚାରଣ କଲେ ଏବଂ ଦୁଇ ଥର ଡାହାଣ ହାତ ପାପୁଲି ଉପରେ ବାଁ ହାତର ଆଙ୍ଗୁଠି ଚାଳନା କଲେ । ହିଟଲର୍‌ଙ୍କବେଳେ ଆଙ୍ଗୁଠିଗୁଡ଼ିକ କ୍ଷିପ୍ରଗତିରେ ଦଉଡ଼ିଲା ଏବଂ ପାପୁଲି ସୀମାରେ ଯାଇ ତଳେ ପଡ଼ିଗଲା; କିନ୍ତୁ ଗାନ୍ଧିଙ୍କ ସମୟରେ ଆଙ୍ଗୁଠିଗୁଡ଼ିକ ଧୀରେ ଧୀରେ ଚାଲିଲା-

 

ଲୋହିଆଙ୍କୁ ଖୁବ୍‌ ମଜା ଲାଗିଲା । ହିଟଲର୍‍ଙ୍କ ବୋକାମି ଏବଂ ଶୀଘ୍ରତା ତଥା ଗାନ୍ଧିଙ୍କ ବିବେକ ଏବଂ ଧୈର୍ଯ୍ୟ ପ୍ରତି ଏହା ଥିଲା ଏକ ସଙ୍କେତ । ଶୀଘ୍ରତା ବନାମ ସ୍ଥିର ବିଚାର । ଲୋହିଆ ଆନନ୍ଦିତ ହୋଇଉଠିଲେ ।

 

ପାଞ୍ଜିମ୍‍ରେ ଦୁହିଁଙ୍କୁ ଗୋଟାଏ ବାଜେ କୋଠରୀ ଭିତରେ ନେଇ ବନ୍ଦ କରି ଦିଆଗଲା । ଶୋଇବାପାଇଁ ଦୁର୍ଗନ୍ଧପୂର୍ଣ୍ଣ ବିଛଣା । ଗାଧୋଇବା ଜାଗାବି ଦୁର୍ଗନ୍ଧମୟ ।

 

୧୯ ଜୁନ୍‌ ଦିପହରବେଳେ ହଠାତ୍‌ ଦୁହିଁଙ୍କୁ ଜେଲ୍‌ରୁ ଛାଡ଼ି ଦିଆଗଲା । ଛାଡ଼ ପାଇବା ଖବର ଲୋକେ ଆଗରୁ ଜାଣିପାରିଥିଲେ । ସ୍ୱାଗତପାଇଁ ଅସୁମାରି ଭିଡ଼ । ପୋଲିସ୍ ଲାଠିଚାଳନା କଲେ, ତେବେବି ଭିଡ଼ ଭାଙ୍ଗିଲାନି । କମାଣ୍ତର୍ ଯାଇ ଲୋହିଆଙ୍କୁ କହିଲେ ଯେ ସେ ଯାଇ ଲୋକମାନଙ୍କୁ ଚାଲିଯିବା ପାଇଁ କହନ୍ତୁ; କିନ୍ତୁ ଲୋହିଆ ଏକଥା କହିବାପାଇଁ ସଫା ମନା କରିଦେଲେ ।

 

ଲୋକଙ୍କ ଭିତରେ ଆବେଗ ବଢ଼ି ଚାଲିଥିଲା ।

 

କମାଣ୍ତର୍ ଲୋହିଆଙ୍କ ଉପସ୍ଥିତିକୁହିଁ ଅନର୍ଥର ମୂଳକାରଣ ବୋଲି ଭାବିନେଲେ । ତେଣୁ ତାଙ୍କୁ ନେଇ ଗୋଆର ସରହଦ ବାହାରେ ଛାଡ଼ିଦେଇ ଆସିବାକୁ ଚିନ୍ତା କଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ କୋମେଲ୍‌ ଷ୍ଟେସନ୍‌ ପାଖକୁ ନେଇଗଲେ । ଏହି ଖବର ମଧ୍ୟ ଲୋକଙ୍କ ଭିତରେ ପ୍ରଚାର ହୋଇଗଲା ।

 

ଜନତା ପାଞ୍ଜିମ୍ ଥାନା ଉପରେ ଚଢ଼ାଉ କରିଦେଲେ । ଲାଠିମାଡ଼ ଚାଲିଲା । ଲୋକେ ଗିରଫ୍ ହେଲେ ।

 

ଜୋର୍‌ସୋର୍‌ରେ ହରତାଳ ହେଲା ।

 

ସ୍ତ୍ରୀଲୋକମାନଙ୍କର ଶୋଭାଯାତ୍ରା ମଧ୍ୟ ବାହାରିଲା । ଗୋଟାଏ ଛୋଟିଆ ଝିଅ ‘ଜୟହିନ୍ଦ୍‌’ କହି ଖୁବ୍‌ ଜୋରରେ ମାଡ଼ ଖାଇଲା ।

 

ଜୁନ୍‌ ୨୧ ତାରିଖ–

 

ଲୋହିଆ ଚୌକରେ ପତାକା ଉଡ଼େଇ ଏକ ବିରାଟ ସଭା ହେଲା । ସରକାର ଶେଷକୁ ନଇଁବାକୁ ବାଧ୍ୟ ହେଲେ । ଗଭର୍ଣ୍ଣରଙ୍କ ଆଦେଶ ଜାରି ହେଲା–ସାଧାରଣସଭା କିମ୍ୱା ଭାଷଣ ଦେବାପାଇଁ ଆଉ ସରକାରୀ ଆଦେଶ ନେବାକୁ ପଡ଼ିବ ନାହିଁ । ଏହା ଗୋଆବାସୀଙ୍କର ପ୍ରଥମ ବିଜୟ ।

 

ଗୋଆର ସୀମା ବାହାରକୁ ଆଣି ବମ୍ୱେ ରାସ୍ତାରେ ଲୋହିଆଙ୍କୁ ଛାଡ଼ି ଦିଆଗଲା । ଏଇଠୁଁ ଲୋହିଆ ଗୋଆର ପର୍ତ୍ତୁଗାଲ ସରକାରଙ୍କୁ ଏକ ଆହ୍ୱାନ ଦେଇ କହିଲେ ଯେ ତିନି ମାସ ଭିତରେ ଯଦି ନାଗରିକ ସ୍ୱତନ୍ତ୍ରତା ନ ମିଳେ, ତେବେ ମୁଁ ପୁଣି ଗୋଆ ଭିତରେ ପ୍ରବେଶ କରିବି ।

 

ଲୋହିଆ ତା’ପରେ ବମ୍ୱେ ଫେରିଆସିଲେ । ସେଇଠି କଂଗ୍ରେସ କମିଟିର ଗୋଟାଏ ବୈଠକ ବସିବାର ଥିଲା ।

 

ବମ୍ୱେ ଫେରିଆସିବା ପରେ ଲୋହିଆ ଜାଣିପାରିଲେ ଯେ ଗୋଆରେ ତାଙ୍କର ଗିରଫ୍ ଏବଂ କାଶ୍ମୀରରେ ଜବାହରଲାଲ ନେହେରୁଙ୍କ ଗିରଫ୍ ପ୍ରାୟ ଏକ ସମୟରେ ହୋଇଥିଲା । ପ୍ରଥମେ ତ ଖବରକାଗଜବାଲା ଦୁହିଁଙ୍କ ଗିରଫ୍‍କୁ ସମପରିମାଣରେ ମହତ୍ତ୍ୱ ଦେଇ ଛାପିଥିଲେ; କିନ୍ତୁ ପରେ ପରେ ଗୋଆର ମହତ୍ତ୍ୱକୁ ହ୍ରାସ କରାଇବା ପାଇଁ ଭିତରେ ଭିତରେ ଗୋଟାଏ ନୂଆ ଷଡ଼ଯନ୍ତ୍ର ଆରମ୍ଭ ହେଲା ।

 

ସମଗ୍ର ଦେଶ ଭିତରେ କେବଳ ଗାନ୍ଧିଜୀହିଁ ଏକମାତ୍ର ନେତା ଥିଲେ, ଯେ କି ଲୋହିଆଙ୍କ ଗୋଆ କାର୍ଯ୍ୟକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ । ୨୬ ଜୁନ୍‌ର ‘ହରିଜନ’ରେ ସେ ଲେଖିଲେ–‘‘ଖବରକାଗଜଗୁଡ଼ିକରୁ ଜଣାପଡ଼େ ଯେ ଡକ୍ଟର ଲୋହିଆ ଗୋଆବାସୀଙ୍କ ଆତ୍ମନିୟନ୍ତ୍ରଣ ପାଇଁ ଗୋଆ ଯାଇଥିଲେ ଏବଂ ତାଙ୍କ ଉପରେ ଭାଷଣ ନ ଦେବାକୁ ଆଦେଶନାମା ଜାରି କରାଯାଇଥିଲା । ଡକ୍ଟର ଲୋହିଆଙ୍କ କଥା ଅନୁସାରେ ଆଜିକୁ ଦୀର୍ଘ ୧୮୮ ବର୍ଷ ହେଲା ଗୋଆର ଜନତା ସଭା ଏବଂ ସଂଗଠନ ସମ୍ୱନ୍ଧୀୟ ଅଧିକାରରୁ ସମ୍ପୂର୍ଣ୍ଣରୂପେ ବଞ୍ଚିତ ହୋଇ ପଡ଼ିଛନ୍ତି ।

 

ଲୋହିଆ ସ୍ୱଭାବଗତ ଭାବରେ ଉକ୍ତ ଆଦେଶକୁ ଅମାନ୍ୟ କଲେ । ନିଜର ଯୋଗ୍ୟତା ଏବଂ କାର୍ଯ୍ୟଦ୍ୱାରା ସେ ନାଗରିକ ସ୍ୱତନ୍ତ୍ରତା ସୃଷ୍ଟି କଲେ ଏବଂ ଗୋଆବାସୀଙ୍କର ସେବା କଲେ । ଇଂରେଜଙ୍କ ଅନୁକମ୍ପାରୁ ବର୍ତ୍ତମାନ ସୁଦ୍ଧା ଗୋଆରେ ଉପନିବେଶର ଅସ୍ତିତ୍ୱ ଜାରି ରହିଛି; କିନ୍ତୁ ସ୍ୱାଧୀନ ହିନ୍ଦୁସ୍ଥାନରେ, ସ୍ୱତନ୍ତ୍ର ରାଜ୍ୟର ନିୟମାନୁଯାୟୀ ଗୋଆ କେବେହେଲେ ଅଲଗା ହୋଇ ରହି ନ ପାରେ । ବନ୍ଧୁକର ଗୁଳି ବିନା ଗୋଆର ଜନତା ସ୍ୱାଧୀନ ରାଜ୍ୟର ହକ୍‌ ଦାବି ବର୍ତ୍ତମାନ ମଧ୍ୟ ହାସଲ କରିପାରିବେ । ପ୍ରସ୍ତାବିତ ପର୍ତ୍ତୁଗୀଜ୍ ସରକାର ଆଉ ଅଧିକ ସମୟ ପର୍ଯ୍ୟନ୍ତ ଗୋଆବାସୀଙ୍କ ଇଚ୍ଛା ବିରୁଦ୍ଧରେ ସେମାନଙ୍କୁ ଅଲଗା ଏବଂ ଗୋଲାମ କରି ରଖିବାପାଇଁ ବ୍ରିଟିଶ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରି ରହିପାରିବେ ନାହିଁ । ମୁଁ ଗୋଆର ପର୍ତ୍ତୁଗୀଜ୍ ସରକାରଙ୍କୁ ପରାମର୍ଶ ଦେଇଛି ଯେ ସମୟକୁ ଚିହ୍ନି ଏବଂ ପର୍ତ୍ତୁଗୀଜ୍ ତଥା ବ୍ରିଟିଶ ସରକାରଙ୍କ ଭିତରେ ହୋଇଥିବା ବୁଝାମଣା ଅନୁସାରେ ନିଜର ନାଗରିକମାନଙ୍କ ସହ ଦୁର୍ବ୍ୟବହାର ନ କରି ସମ୍ମାନପୂର୍ଣ୍ଣ ବ୍ୟବହାର କରନ୍ତୁ ।

 

ଗୋଆର ନାଗରିକମାନଙ୍କୁ ମୁଁ କହିବି ଯେ ସେମାନେ ପର୍ତ୍ତୁଗାଲ ସରକାରଙ୍କ ଭୟକୁ ଛାଡ଼ନ୍ତୁ, ଯେପରି କି ଭାରତୀୟ ଜନତା ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ଛାଡ଼ିଛନ୍ତି ଏବଂ ନାଗରିକ ସ୍ୱାତନ୍ତ୍ର୍ୟର ବୁନିଆଦି ଅଧିକାରକୁ ଜୋର୍‌ସୋର୍‍ରେ ସାବ୍ୟସ୍ତ କରନ୍ତୁ । ଗୋଆ ନାଗରିକମାନଙ୍କ ଭିତରେ ଯେଉଁ ଧର୍ମଭେଦ ରହିଛି, ସେଥିରେ ଦୈନନ୍ଦିନ ଜୀବନରେ ବାଧା ଉପୁଜେଇବା ଆଦୌ ଉଚିତ ନୁହେଁ । ଧର୍ମ ବ୍ୟକ୍ତିଗତ ଜୀବନପାଇଁ ଉଦ୍ଦିଷ୍ଟ । ଧାର୍ମିକ ଦଳ ଭିତରେ ଏହା ଝଗଡ଼ାର ବିଷୟବସ୍ତୁ ହେବା ଆଦୌ ଉଚିତ ନୁହେଁ ।’’

 

ଲୋହିଆ ଗୋଆରେ ଯୁଦ୍ଧର ଯେଉଁ ରଣଭେଦୀ ବଜାଇଥିଲେ, ପୁଣି ତିନି ମାସ ପରେ ଅଧିକ ଶକ୍ତି ସଞ୍ଚୟ କରି ସେଠିକି ଯିବାର ଥିଲା ।

 

ବମ୍ବେର ଫଣସବାଡ଼ି ବିଦ୍ୟା ଭାରତର ସଭାରେ ଲୋହିଆଙ୍କୁ ପନ୍ଦର ହଜାର ଟଙ୍କାର ଥଳି ଉପହାର ଦିଆଗଲା । ଗୋଆ ବିଷୟରେ ଆଉ ଏକ ସଭାରେ ଜୁନ୍‌ ୩୦ ତାରିଖ ଦିନ ଚୌପାଟିରେ ମଧ୍ୟ ଲୋହିଆ ଭାଷଣ ଦେଲେ ।

 

ବମ୍ବେର ଜାହାଙ୍ଗୀର ହଲ୍‍ରେ ଜୁଲାଇ ୬ ତାରିଖ ଦିନ ଅଖିଳ ଭାରତୀୟ କଂଗ୍ରେସ କମିଟିର ଗୋଟାଏ ସଭା ବସିଲା ।

 

ସଭା ପୂର୍ବରୁ ଜବାହରଲାଲ ନେହେରୁ ଲୋହିଆ ଏବଂ ଜୟପ୍ରକାଶଙ୍କୁ ତାଙ୍କୁ ଆସି ଦେଖା କରିବାକୁ ଡାକିଲେ । ଏହା ପୂର୍ବରୁ ସର୍ବଦା ଗୋଟାଏ ପରମ୍ପରା ଥିଲା ଯେ ଲୋହିଆ, ଜୟପ୍ରକାଶ, ଅରୁଣା ଏବଂ ଅଚ୍ୟୁତ ପଟବର୍ଦ୍ଧନ ଯେତେବେଳେବି ନେହେରୁଙ୍କୁ ଦେଖା କରିବାକୁ ଯାଉଥିଲେ, ଚାରିଜଣଯାକ ଏକାଠି ମିଶିହିଁ ଯାଉଥିଲେ । ଏଥରକ କେବଳ ଦୁଇ ଜଣଙ୍କୁ ଡକେଇ ପଠେଇଥିବାରୁ ଲୋହିଆ ଆଗରୁ ସତର୍କ ହୋଇଗଲେ । ତା’ପରେ କଥାବାର୍ତ୍ତା ଭିତରେ ନେହେରୁ ଲୋହିଆଙ୍କୁ କଂଗ୍ରେସର ଜେନେରାଲ ସେକ୍ରେଟେରୀ ହେବାପାଇଁ ନିଜର ଆଗ୍ରହ ପ୍ରକାଶ କଲେ । ଲୋହିଆ ପଚାରିଲେ, ‘‘ଖବରକାଗଜଗୁଡ଼ିକରେ ତ ଜୟପ୍ରକାଶଙ୍କ ନାଁ ଏଥିପାଇଁ ପ୍ରକାଶିତ ହେଉଛି-?’’

 

ଏ ପ୍ରଶ୍ନ ଶୁଣି ନେହେରୁ ଏବଂ ଜୟପ୍ରକାଶ ଦୁହେଁ ସଙ୍କୁଚିତ ହୋଇପଡ଼ିଲେ । ଅବସ୍ଥାକୁ ସମ୍ଭାଳି ନେଇ ନେହେରୁ କହିଲେ ‘‘ମୋର ଏଇ ଇଚ୍ଛା ଏବଂ ଆଉ କେତେକ କଂଗ୍ରେସୀ ନେତାଙ୍କର ମଧ୍ୟ ଏହି ମତ ।’’

 

ତା’ପରେ ଲୋହିଆ ତିନୋଟି ସର୍ତ୍ତ ରଖିଲେ–(୧) କଂଗ୍ରେସର ଅଧ୍ୟକ୍ଷ ମନ୍ତ୍ରିମଣ୍ଡଳରେ ତଥା ପ୍ରଧାନମନ୍ତ୍ରୀ ପଦରେ ରହିବା ଅନୁଚିତ । (୨) କଂଗ୍ରେସର କାର୍ଯ୍ୟକାରିଣୀ ସମିତିରେ କୌଣସି ଅଞ୍ଚଳର କିମ୍ବା କେନ୍ଦ୍ରର କୌଣସି ମନ୍ତ୍ରୀ ରହିପାରିବେ ନାହିଁ । (୩) କଂଗ୍ରେସ ମନ୍ତ୍ରିମଣ୍ଡଳ ଏବଂ କଂଗ୍ରେସ କାର୍ଯ୍ୟକାରିଣୀ ସମିତିର ସମ୍ବନ୍ଧ ଅଲଗା ଭାବରେ ରହିବ ଏବଂ କାର୍ଯ୍ୟକାରିଣୀ ସମିତି ଆବଶ୍ୟକ ହେଲେ ସ୍ୱାଧୀନ ଭାବରେ ମନ୍ତ୍ରିମଣ୍ଡଳର ସମାଲୋଚନା ମଧ୍ୟ କରିପାରିବେ ।

 

ତା’ପରେ ନେହେରୁ କହିଲେ, ‘‘ନିଜେ ନ ଗଲେ କୌଣସି କାମବି ହୋଇପାରିବନି ।’’

 

ନେହେରୁଙ୍କ ଏଇ କଥା ଲୋହିଆଙ୍କୁ ଖୁବ୍‌ ଖରାପ ଲାଗିଲା ଏବଂ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ସଙ୍କେତ ଦେବା ଭଙ୍ଗୀରେ ସେ ପୁଣି କହିଲେ, ‘‘କଂଗ୍ରେସ ଅଧ୍ୟକ୍ଷ କିମ୍ବା ପ୍ରଧାନମନ୍ତ୍ରୀ, ଏ ଦୁଇଟି ପଦବୀ ଭିତରୁ ଆପଣ ଯେକୌଣସି ଗୋଟିଏ ବାଛିନିଅନ୍ତୁ ।’’

 

ତା’ପରେ ନେହେରୁ ବିରକ୍ତି ପ୍ରକାଶ କରି କହିଲେ, ‘‘ଏଭଳି ସର୍ତ୍ତର କୌଣସି ମାନେ ନାହିଁ ।’’

 

ଏହାପରେ ଆଉ କ’ଣ ବା କଥାବାର୍ତ୍ତା ହୁଅନ୍ତା !

 

ଲୋହିଆ ପ୍ରକୃତରେ କଂଗ୍ରେସକୁ ଗୋଟାଏ ଯଶସ୍ୱୀ ଅନୁଷ୍ଠାନରେ ପରିଣତ କରିବାପାଇଁ ଚାହୁଁଥିଲେ; କିନ୍ତୁ ନେହେରୁ ନିଜର ଅମର୍ଯ୍ୟାଦିତ ବ୍ୟକ୍ତିଗତ ଆକାଂକ୍ଷାକୁ ମର୍ଯ୍ୟାଦିତ କରିବାପାଇଁ ଆଦୌ ପ୍ରସ୍ତୁତ ନଥିଲେ । ତେଣୁ କରି କଥାବାର୍ତ୍ତା ସେଇଠୁହିଁ ବନ୍ଦ ହୋଇଗଲା । କହିବାକୁ ଗଲେ ଏହି ଆଲୋଚନା ତିନି ଦିନ ତିନି ରାତି ପର୍ଯ୍ୟନ୍ତ ଚାଲିଥିଲା । ନେହେରୁ ଲୋହିଆଙ୍କୁ ବୁଝାଇବା ପାଇଁ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କୁ ମଧ୍ୟ ମଝିକି ଟାଣିଆଣିଲେ; କିନ୍ତୁ ଲୋହିଆ ନେହେରୁଙ୍କ ଲାଳସା ପ୍ରତି ପ୍ରତିବନ୍ଧକ ସୃଷ୍ଟି କରିବା ପ୍ରଚେଷ୍ଟାକୁ ଯେମିତି ଆରମ୍ଭ କରି ଦେଇଥିଲେ-। ଗାନ୍ଧିଜୀ ଥାଇ ମଧ୍ୟ ଲୋହିଆ ଏଇ ଚେଷ୍ଟାରେ ସଫଳତା ହାସଲ କରିପାରିଲେ ନାହିଁ-

 

ନେହେରୁଙ୍କର ଏପରି ବ୍ୟବହାର ଏବଂ ବିଚାରଧାରା ପ୍ରତି ଲୋହିଆ ବଡ଼ କ୍ଷୁବ୍ଧ ହୋଇଉଠିଲେ; କିନ୍ତୁ ବାସ୍ତବ ଘଟଣା ହେଉଛି, ଏ ଭିତରେ ନେହେରୁଙ୍କ ଦୃଷ୍ଟିକୋଣରେ ଗଭୀର ପରିବର୍ତ୍ତନ ଆସି ସାରିଥିଲା । ଜନତାର ଶକ୍ତି ଉପରୁ ତାଙ୍କର ବିଶ୍ୱାସ ତୁଟି ତୁଟି ଯାଉଥିଲା । ଥରେ ଲୋହିଆଙ୍କ ସହ ସଂଗଠନ ସମ୍ବନ୍ଧୀୟ ଚର୍ଚ୍ଚା କଲାବେଳେ ସେ କହିଥିଲେ, ‘‘ଏଭଳି କୌଣସି ଅପରାଧ ନାହିଁ, ଯାହା କଂଗ୍ରେସୀ ଲୋକ କରନ୍ତି ନାହିଁ । ସଂଗଠନକୁ ସୁଧାରିବା ପାଇଁ ମୁଁ ଚେଷ୍ଟା କରୁଥିବାରୁ ଅନେକ ନିକଟତମ ବନ୍ଧୁ ମଧ୍ୟ ଆଉ ମତେ ଦେଖା କରିବାକୁ ଆସୁ ନାହାନ୍ତି ।’’ ବୋଧହୁଏ ନେହେରୁଙ୍କ ମନ ଭିତରେ ଦିନକୁଦିନ ନୈରାଶ୍ୟ ଘର କରି ଆସୁଥିଲା । ତାଙ୍କ ମନ ଭିତରେ ଦୃଢ଼ ଧାରଣା ଆସିଯାଇଥିଲା ଯେ ସରକାରରେ ରହିଲେହିଁ କିଛି କରାଯାଇପାରେ, ଅନ୍ୟଥା ନାହିଁ ।

 

ବମ୍ବେରେ ଜୁଲାଇ ୧୦ ତାରିଖ ଦିନ ନେହେରୁ ଗୋଆ ବିଷୟରେ କହିଥିଲେ, ‘‘ଛୋଟ ଛୋଟ ଲଢ଼େଇ ପ୍ରତି ଦୃଷ୍ଟି ଦେବାକୁ ବର୍ତ୍ତମାନ ଆମର ସମୟ ନାହିଁ ।’’

 

ଭାରତର ସୁନ୍ଦର ଚେହେରା ଉପରେ ଗୋଆ ହେଉଛି ଗୋଟାଏ ବ୍ରଣ ମାତ୍ର । ଭାରତ ସ୍ୱାଧୀନ ହେଲାପରେ ତାକୁ କେବଳ ହାତଅଙ୍ଗୁଳିରେ ଚପାଇ ଦେବାପାଇଁ ଆମକୁ ଅଧିକ ସମୟ ଲାଗିବ ନାହିଁ । ଗୋଆର ଶାସନ ବିରୋଧରେ ଆନ୍ଦୋଳନ କରିବାର ଆବଶ୍ୟକତା ବର୍ତ୍ତମାନ ଆମେ ଅନୁଭବ କରିପାରୁ ନାହୁଁ । ବ୍ରିଟିଶ ଶକ୍ତି ଲୋପ ପାଇଯିବା ସଙ୍ଗେ ସଙ୍ଗେ ପର୍ତ୍ତୁଗୀଜ୍ ଶକ୍ତି ଆପେଆପେ ଲୋପ ପାଇଯିବ । କାଶ୍ମୀର ପ୍ରକରଣ ବର୍ତ୍ତମାନ ମୋର ବ୍ୟକ୍ତିଗତ ଦୁଃସାହସ ବୋଲି ଧରାଯାଇପାରିବନି । କାରଣ କଂଗ୍ରେସ ଏହି ପ୍ରଶ୍ନକୁ ନିଜ ହାତକୁ ନେଇସାରିଛି । ଏହି ପ୍ରଶ୍ନ ବର୍ତ୍ତମାନ କଂଗ୍ରେସ ତଥା ରାଜ୍ୟ ପ୍ରଜାପରିଷଦ ଏବଂ ହିନ୍ଦୁସ୍ଥାନ ସରକାରଙ୍କ ରାଜକୀୟ ବିଭାଗ ତଥା କାଶ୍ମୀର ଦରବାର ସହିତ ଓତପ୍ରୋତ ଭାବରେ ଜଡ଼ିତ ।

 

ନେହେରୁଙ୍କ ଏହି ବିବୃତିର ଉତ୍ତରରେ ଜୁଲାଇ ୧୨ ତାରିଖ ଦିନ ଲୋହିଆ ଏକ ଜବାବୀ ବିବୃତି ଦେଲେ–‘‘ଗୋଆ ଭାରତର ଚେହେରା ଉପରେ ବସ୍ତୁତଃ ଗୋଟାଏ ବ୍ରଣ ହୋଇପାରେ, କିନ୍ତୁ କାଶ୍ମୀର ଭଳି ଆଉ ଏକ ବ୍ରଣ ଅପେକ୍ଷା ପ୍ରଥମ ବ୍ରଣଟି ତାହା ଭାରତର ଚେହେରାକୁ ଖୁବ୍‌ କମ୍‌ ଭାବରେ ଅସୁନ୍ଦର କରି ରଖି ନାହିଁ । ଭାରତର ଅନ୍ୟ ଯେକୌଣସି ଅଞ୍ଚଳ ଅପେକ୍ଷା ଗୋମନ୍ତକମାନଙ୍କ ମନ ଅଧିକ ବନ୍ଧନରେ ବାନ୍ଧି ହୋଇପଡ଼ିଛି । ଗୋଆର ଚିନ୍ତାଶୀଳ ଲୋକେ ଅତ୍ୟାଚାରୀ ଆଇନର ବିରୁଦ୍ଧରେ ସାହସର ସହିତ ଛିଡ଼ା ହୋଇ ଯାଇଛନ୍ତି ଏବଂ ଭାରତୀୟ ଜନତାଙ୍କ ସହାନୁଭୂତି ତାଙ୍କ ଆଡ଼କୁ ଅଧିକ ପରିମାଣରେ ଟାଣି ହୋଇ ଯାଉଛି । ଆମ ସମସ୍ତଙ୍କୁ ଗାନ୍ଧିଙ୍କ ସମର୍ଥନ ମଧ୍ୟ ମିଳିଯାଇଛି; ତେଣୁ ଅନ୍ୟ ନେତାଙ୍କୁ ଅପେକ୍ଷା କରିବା ବେକାର ।’’

 

ଠିକ୍‌ ଏଇ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମଧ୍ୟ ଗୋଆର ଲଢ଼େଇ ପ୍ରତି ତାଙ୍କର ସମର୍ଥନ ନାହିଁ ବୋଲି କହିଦେଲେ ।

 

ଲୋହିଆଙ୍କୁ ସବୁଠୁ ବଡ଼ ଧକ୍କା ଯାଇ ସେତେବେଳେ ଲାଗିଲା, ଯେତେବେଳେ କି ଜୟପ୍ରକାଶ ନାରାୟଣ ମଧ୍ୟ କହିଲେ ଯେ ଗୋଆ ପ୍ରଶ୍ନକୁ ଏତେଟା ଗୁରୁତ୍ୱ ଦେବା ବର୍ତ୍ତମାନ ଉଚିତ ନୁହେଁ । କାରଣ ଏହାଠୁଁ ଆହୁରି ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଆମ ଆଗରେ ରହିଛି ।

 

ଏସବୁ ବିବୃତି ଯୋଗୁଁ ଭାରତୀୟ ନେତାଙ୍କ ପ୍ରତି ଗୋମନ୍ତକମାନେ ଅତ୍ୟଧିକ ନିରାଶ ହୋଇପଡ଼ିଲେ । କିନ୍ତୁ ଏକାକୀ ଲୋହିଆହିଁ ଗୋଆର ଡିଣ୍ଡିମ ପିଟି ଚାଲିଲେ । ବେଶ୍‌, ଏହା ଗାନ୍ଧିଙ୍କ ସହଯୋଗହିଁ ତାଙ୍କୁ ମିଳୁଥିଲା ।

 

ଠିକ୍‌ ସେତେବେଳେ ଜୁଲାଇ ୧୮ ତାରିଖ ଦିନ ଗୋଆର ଗଭର୍ଣ୍ଣର ଗାନ୍ଧିଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିଲେ–‘‘ଆପଣ ଯେମିତି ଜଣେ ଆଇନବିଶାରଦ, ସେମିତି ମୁଁ ମଧ୍ୟ । ବରଂ ନ୍ୟାୟାଧୀଶ ଭାବରେ ତା’ଠୁଁ ବେଶି କିଛି ଉଚ୍ଚରେ । ଗୋଆର ଆଭ୍ୟନ୍ତରୀଣ ବ୍ୟାପାର ଭିତରେ ଆପଣ ଅଯଥା ହସ୍ତକ୍ଷେପ କରିଛନ୍ତି । ଗୋଆର ନାଗରିକ ସ୍ୱାତନ୍ତ୍ର୍ୟ ବିପଦପୂର୍ଣ୍ଣ ନୁହେଁ । ଆମର ଏଠିକି ଆସିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କେବଳ ସମତା ଏବଂ ବନ୍ଧୁତ୍ୱର ପ୍ରଚାର ।’’

 

ଗଭର୍ଣ୍ଣରଙ୍କୁ ଉତ୍ତର ଦେବାକୁ ଯାଇ ଗାନ୍ଧି ୧୯୪୬ ଅଗଷ୍ଟ ୧୪ ତାରିଖ ଦିନ ‘ହରିଜନ’ରେ ଲେଖିଲେ–

 

‘‘ପ୍ରିୟ ମିତ୍ର, ଗୋଆର ଘଟଣା ବିଷୟରେ ମୁଁ ‘ହରିଜନ’ରେ ଯାହା ଲେଖିଥିଲି, ତା’ର ଉତ୍ତର ଦେବାକୁ ଯାଇ ଆପଣ ମୋ ପାଖକୁ ଖଣ୍ଡିଏ ଚିଠି ଲେଖିଲେ । ସେଥିପାଇଁ ଧନ୍ୟବାଦ । ଆପଣ ବୋଧେ ଜାଣିଥିବେ ଯେ ମୁଁ ମୁଜାମ୍ବିକ୍‌, ଡେଲାଗୋଆ ତଥା ଇହ୍ଲାମଜେନ ଯାଇଥିଲି । ମୁଁ ସେଠାରେ ଲୋକପ୍ରିୟ ସରକାର ଦେଖିଲିନି । ପ୍ରକୃତରେ ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ସରକାର ଭାରତୀୟ ଏବଂ ପର୍ତ୍ତୁଗୀଜ୍‍ଙ୍କ ଭିତରେ ଏବଂ ଆଫ୍ରିକୀୟ ଓ ନିଜ ଭିତରେ ବହୁତ ତଫାତ୍‌ ସୃଷ୍ଟି କରିଛନ୍ତି । ଆପଣଙ୍କର ଦାବିକୁ ଭାରତର ପର୍ତ୍ତୁଗୀଜ୍ ଉପନିବେଶର ଇତିହାସ ମଧ୍ୟ ସିଦ୍ଧ କରିପାରୁନି । ଗୋଆର ଯେଉଁ ଅବସ୍ଥା ମୁଁ ଦେଖିଛି ଏବଂ ଜାଣିଛି, ତାହା ଆଦୌ ସନ୍ତୋଷଜନକ ନୁହେଁ । ଗୋଆସ୍ଥ ଭାରତୀୟମାନଙ୍କ ନୀରବତା ସରକାରଙ୍କ ନିର୍ଦ୍ଦୋଷ କିମ୍ବା ଲୋକପ୍ରିୟ ଚରିତ୍ରର ପ୍ରମାଣ ନୁହେଁ, ବରଂ ଆତଙ୍କରାଜର ପ୍ରମାଣ ଅଟେ । ଆନ୍ଦୋଳନ ସେ ଖୁବ୍‌ ଅଳ୍ପ ସଂଖ୍ୟକ ଅସନ୍ତୁଷ୍ଟ ଲୋକଙ୍କ ଭିତରେ ସୀମିତ ଏବଂ ଗୋଆରେ ପୂର୍ଣ୍ଣ ସ୍ୱାଧୀନତା ଅଛି–ଆପଣଙ୍କର ଏଇ ଉକ୍ତି ସହିତ ମୁଁ ଆଦୌ ଏକମତ ହୋଇପାରୁନି । ଏଣୁ ଆପଣ ମୋତେ କ୍ଷମା ଦେବେ । ଭାରତୀର ଖବରକାଗଜଗୁଡ଼ିକରୁ ଏ ସମ୍ବନ୍ଧରେ ମିଳୁଥିବା ଖବରର ପ୍ରତ୍ୟେକ ଘଟଣା ଆପଣଙ୍କର ମତକୁ ଖଣ୍ଡନ କରୁଚି । ମୁଁ ଜାଣେ ଯେ ଆପଣଙ୍କ କୋର୍ଟ ମାର୍ଶାଲଦ୍ୱାରା ଡ: ବ୍ରଘାନ୍‌ଜାଙ୍କୁ ଦିଆଯାଇଥିବା ଆଠବର୍ଷ ଜେଲଦଣ୍ଡ ଏବଂ ନିର୍ବାସନ ଗୋଆରେ ନାଗରିକ ସ୍ୱାତନ୍ତ୍ର୍ୟ ନଥିବାର ଏକ ପ୍ରମାଣ । ଡାକ୍ତର ବ୍ରଘାନ୍‌ଜାଙ୍କ ଭଳି ଜଣେ ଶାନ୍ତିପ୍ରିୟ ନାଗରିକଙ୍କୁ ଜଣେ ଭୟାନକ ବ୍ୟକ୍ତିରୂପେ କାହିଁକି ନିର୍ବାସିତ କରାଯାଇଛି ?

 

ଡକ୍ଟର ଲୋହିଆଙ୍କ ରାଜନୀତି ଆପାତତଃ ମୋଠାରୁ ଭିନ୍ନ ହୋଇପାରେ; କିନ୍ତୁ ସେ ଗୋଆକୁ ଯାଇ ସେଠିକାର କଳଙ୍କମୟ ଶାସନ ସମ୍ମୁଖରେ ନିଜର ଆସ୍ଥାନ ଜମେଇ ପାରିଥିବାରୁ ମୁଁ ତାଙ୍କୁ ଭୂୟସୀ ପ୍ରଶଂସା କରୁଛି । ଗୋଆର ନାଗରିକମାନେ ‘ବାକି ହିନ୍ଦୁସ୍ଥାନ’ର ସ୍ୱାଧୀନତା ପର୍ଯ୍ୟନ୍ତ ପ୍ରତୀକ୍ଷା କରିପାରନ୍ତି; କିନ୍ତୁ ଯେକୌଣସି ବ୍ୟକ୍ତି ବା ଦଳ ସ୍ୱାଭିମାନଶୂନ୍ୟ ହୋଇ ନାଗରିକ ସ୍ୱାତନ୍ତ୍ର୍ୟର ଅଭାବରେ କଦାପି ବଞ୍ଚି ରହିପାରିବ ନାହିଁ । ଲୋହିଆ ଯେଉଁ ମଶାଲ ପ୍ରଜ୍ଜ୍ୱଳିତ କରିଛନ୍ତି, ତାକୁ ଯଦି ଗୋଆର ନାଗରିକମାନେ ଲିଭିଯିବାକୁ ଦିଅନ୍ତି, ତେବେ ତାହାହିଁ ତାଙ୍କ ପକ୍ଷରେ ଏକ ମସ୍ତବଡ଼ ବିପଦ ହେବ । ଆପଣ ଏବଂ ଗୋଆର ନାଗରିକ ଦୁହେଁ ମିଶି ଡକ୍ଟର ଲୋହିଆଙ୍କୁ ବଧେଇ ଜଣାଇବା ଉଚିତ ଯେ ସେ ଏଭଳି ଏକ ମଶାଲ ପ୍ରଜ୍ଜ୍ୱଳିତ କରିପାରିଛନ୍ତି । ତାଙ୍କୁ ବାହାରର ଲୋକ ବୋଲି କହିବା ହାସ୍ୟାସ୍ପଦ ଅଟେ । । ବାସ୍ତବରେ କହିବାକୁ ଗଲେ ପର୍ତ୍ତୁଗାଲରୁ ଆସିଥିବା ପର୍ତ୍ତୁଗୀଜ୍‍ମାନେ ପର ଅଟନ୍ତି । ସେମାନେ ଲୋକହିତୈଷୀ ଭାବରେ ଆସିଥାନ୍ତୁ ନତୁବା ସଂସାରର ତଥାକଥିତ ଦୁର୍ବଳ ଜାତିଙ୍କ ଶାସକ ରୂପରେ ଆସିଥାନ୍ତୁ; ସେଥିରେ କିଛି ଯାଏଁ ଆସେ ନାହିଁ । ବର୍ଣ୍ଣଭେଦକୁ ସମାପ୍ତ କରିବାର ଆଗ୍ରହ ଆପଣ ପ୍ରକାଶ କରିଛନ୍ତି । ମୁଁ ଯାହା ଅବସ୍ଥା ଦେଖିଛି, ଜାତିଭେଦର ତ ଶେଷ ହୋଇନି, ବରଂ ଜାତିପ୍ରଥା ଅପେକ୍ଷା ବେଶି ଭୟାନକ ପର୍ତ୍ତୁଗୀଜ୍ ଶାସକଙ୍କର ଗୋଟାଏ ନୂଆ ଜାତି ସୃଷ୍ଟି ହୋଇଛି ।

 

ସେଥିପାଇଁ ମୁଁ ଆଶାକରେ ଯେ ଲୋକହିତ ସମ୍ବନ୍ଧୀୟ ନାଗରିକ ସ୍ୱାତନ୍ତ୍ର୍ୟ ଏବଂ ଜାତି ସମ୍ବନ୍ଧୀୟ ବିଚାର ବିଷୟରେ ପୁଣି ଚିନ୍ତା କରିବେ ଏବଂ ଆଫ୍ରିକୀୟ ପୋଲିସ୍‍ଙ୍କୁ ହଟେଇ ନିଜକୁ ନାଗରିକ ସ୍ୱାତନ୍ତ୍ର୍ୟର ଜଣେ ଶୁଭଚିନ୍ତକ ଭାବରେ ଘୋଷିତ କରିବେ । ଯଦି ମୋ କଥା ଆପଣଙ୍କ ମନକୁ ପାଇଛି, ତେବେ ଗୋଆର ନାଗରିକମାନଙ୍କୁ ନିଜର ସରକାର ଗଢ଼ିବାର ପରାମର୍ଶ ଦିଅନ୍ତୁ । ଆଉ ଏଇ କାମରେ ସେମାନଙ୍କୁ ଆଉ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଅନ୍ୟ ଅନୁଭବୀ ଭାରତୀୟଙ୍କୁ ମଧ୍ୟ ନିମନ୍ତ୍ରଣ କରନ୍ତୁ ।’’

 

–ଆପଣଙ୍କର ଏମ. କେ. ଗାନ୍ଧି ।

 

ସନ ୧୯୪୬ର ୯ ଅଗଷ୍ଟକୁ ଏକ ଐତିହାସିକ ଦିବସର ଜୟନ୍ତୀରୂପେ ସମଗ୍ର ଦେଶ ଭିତରେ ପାଳନ କରାଗଲା । କଲିକତାରେ ଏକ ବିରାଟ ଜନସଭା ହେଲା । ସେଇଠି ସେ ସମୟରେ କଂଗ୍ରେସୀ ନେତାଙ୍କଦ୍ୱାରା ସମ୍ବିଧାନ ସଭାର ସ୍ଥାପନା ପ୍ରସ୍ତାବର ସ୍ୱୀକୃତି ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ଲୋହିଆ କହିଲେ–‘‘ସମ୍ବିଧାନ ସଭା ଇଂରେଜଙ୍କର ଆଉ ଏକ ଛଳନାପୂର୍ଣ୍ଣ କୌଶଳ ହୋଇପାରେ । ସମ୍ବିଧାନ ସଭାରେ ଯଦି ଗତିରୋଧ ସୃଷ୍ଟି ହୁଏ, ତେବେ ବାହାରକୁ ଆସିବାପାଇଁ ବା ରାସ୍ତା ଆଉ କ’ଣ ହୋଇପାରେ ? ସେଇ ମତାନ୍ତରକୁ କିଏ ବା ଭାଙ୍ଗିବ-?’’

 

ସରକାର ଭିତରେ ପଶିଯିବାର ଲାଳସା କଂଗ୍ରେସୀ ନେତାଙ୍କ ମନରେ ସୃଷ୍ଟି ହୋଇ ସାରିଥିଲା । ତାହାର ଅପ୍ରତ୍ୟକ୍ଷ ପ୍ରଭାବ ସମସ୍ତ ସମାଜବାଦୀ ଲୋକଙ୍କ ଉପରେ ମଧ୍ୟ ଖୁବ୍‌ କୁପ୍ରଭାବ ସୃଷ୍ଟି କରୁଥିଲା । ଲୋହିଆ ଏଇ ଘଟଣାକୁ ନେଇ ସମାଜବାଦୀ ପାର୍ଟି ବିଷୟରେ ବଡ଼ ଚିନ୍ତିତ ହୋଇ ପଡ଼ିଥିଲେ । ଯଦିଓ ଲୋହିଆ ତାଙ୍କର ସମସ୍ତ ଶକ୍ତି କେବଳ ପାର୍ଟି ସଙ୍ଗଠନ କରିବାରେ ଖଟାଉଥିଲେ ଏବଂ ପାର୍ଟିର ସିଦ୍ଧାନ୍ତ ଓ ନିୟମ ଉପରେ ତାଙ୍କ ସିଦ୍ଧାନ୍ତର ପ୍ରଭାବ ଅଧିକାଧିକ ପଡ଼ୁଥିଲା, ତଥାପି ପାର୍ଟିର ରୂପ ଲୋହିଆ ଯେପରି ଭାବରେ ଦେବାକୁ ଚାହୁଁଥିଲେ, ସେପରି ହୋଇପାରୁ ନଥିଲା ।

 

ସନ ୧୯୪୨ କ୍ରାନ୍ତିର ଆଂଶିକ ସଫଳତା ଯୋଗୁଁ ସୋସାଲିଷ୍ଟମାନଙ୍କ ମନରେ ଆତ୍ମସନ୍ତୋଷ ଆସିଯାଇଥିଲା । କିନ୍ତୁ ସଂଗଠନ ଭିତରେ ଯେମିତି ପୂର୍ବବତ୍‌ ସାଙ୍ଗଠନିକ ଦୁର୍ବଳତା ଲାଗି ରହିଥିଲା । ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ବ୍ୟସ୍ତ ରହିଲା ଭଳି ଦେଖାଯାଉଥିଲେ ମଧ୍ୟ ଦଳ ଭିତରେ ସମନ୍ୱୟର ତୀବ୍ର ଅଭାବ ରହିଥିଲା । ବ୍ୟକ୍ତିଗତ ଝଗଡ଼ାବି ବହୁଳ ଭାବରେ ଲାଗିରହିଥିଲା-। ଯୋଜନାବଦ୍ଧ କାର୍ଯ୍ୟ ଏବଂ ସଙ୍ଗଠନର ଘୋର ଅଭାବ ରହିଥିଲା । ସେ କହିଥିଲେ– ‘‘ସୋସାଲିଷ୍ଟମାନେ କଂଗ୍ରେସର ବୈଧାନିକ ପ୍ରଚେଷ୍ଟାର ମାର୍ଗରୁ ଦୂରରେ ରହି ଅଧାରେ ରହିଥିବା କ୍ରାନ୍ତିକୁ ସଫଳ କରିବା ଉଚିତ ।’’

 

ତେର ଅଗଷ୍ଟ ଦିନ ଲୋହିଆ ଲକ୍ଷ୍ନୌରୁ ଗୋଟାଏ ବିବୃତି ଦେଲେ–‘‘ସୋସାଲିଷ୍ଟ ପାର୍ଟି ସମ୍ବିଧାନ ସଭାରେ ଅଂଶଗ୍ରହଣ ନ କରିବାର ନିର୍ଣ୍ଣୟ ଠିକ୍‌ ଭାବରେ ଘୋଷଣା କରାଯାଇ ନାହିଁ । ଯେଉଁ ଚାରି ଜଣ ବଛାଯାଇ ଆସିଥିଲେ, ସେମାନେ ପାର୍ଟିର ନିର୍ଣ୍ଣୟ ପରେ ସମ୍ବିଧାନ ସଭାର ନିର୍ବାଚନରୁ ହଟି ଆସିବାପାଇଁ ଚେଷ୍ଟା କଲେ । କିନ୍ତୁ ଏହା ସେମାନଙ୍କ ପକ୍ଷରେ କଣ୍ଟକିତ ହୋଇପଡ଼ିଥିଲା । ନିର୍ବାଚନ ଜିଣିଲା ପରେ ମଧ୍ୟ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶେଠ୍‌ ଦାମୋଦର ସ୍ୱରୂପ ନିଜ ସ୍ଥାନରୁ ଇସ୍ତଫା ଦେବାପାଇଁ ଚାହିଁଥିଲେ । ଏହି ସଭ୍ୟମାନଙ୍କୁ ନିଜର ନୀତି ଠିକ୍‌ ଭାବରେ ଜଣେଇ ନ ଦେଇ ସେମାନଙ୍କୁ ଅସୁବିଧାରେ ପକେଇ ଦେବାର ଭୁଲ ଆମ ଆଡ଼ୁ ହୋଇଯାଇଛି । ଏଥିରେ ସେମାନଙ୍କର କିଛି ଦୋଷ ନାହିଁ । ଆଉ ଅଧିକ ଭୁଲ ବୁଝାମଣା ନ ହେବା ଉଚିତ; କାରଣ ଆମେ ଖୁବ୍‌ ଭଲ ଭାବରେ ସ୍ପଷ୍ଟ କରିଦେଇଛୁ ଯେ ସମ୍ବିଧାନ ପରିଷଦ ନୁହେଁ, ବରଂ ଜନଶକ୍ତିହିଁ ହେଉଛି ଆମର ପ୍ରକୃତ ଶକ୍ତି–ଉପଯୁକ୍ତ ମାର୍ଗ ।’’

 

ଦେଶର ରାଜନୀତି ଏବଂ ପାର୍ଟି ସଙ୍ଗଠନରେ ବ୍ୟସ୍ତ ରହି ମଧ୍ୟ ଲୋହିଆ ଗୋଆ ପ୍ରତି ନିଜର କର୍ତ୍ତବ୍ୟକୁ ଭୁଲିପାରି ନଥିଲେ । କିଛି ମାସ ପରେ ପୁଣି ଥରକପାଇଁ ଗୋଆକୁ ଯିବା କଥା ବର୍ତ୍ତମାନ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ଭିତରେ ଥିଲା ।

 

ବମ୍ବେରେ ସେପ୍‌ଟେମ୍ବର ୨୧ ତାରିଖ ଦିନ ଲୋହିଆ ଗାନ୍ଧିଙ୍କୁ ଦେଖାକଲେ । ଗୋଆର ସଂଘର୍ଷ ବିଷୟରେ ବିସ୍ତୃତ ଚର୍ଚ୍ଚା ହେଲା । ଗାନ୍ଧି ଏ ସମ୍ବନ୍ଧରେ କେବଳ ଯେ ଲୋହିଆଙ୍କ ସମର୍ଥକ ଥିଲେ, ତା’ ନୁହେଁ, ବରଂ ପର୍ତ୍ତୁଗୀଜ୍‍ମାନଙ୍କ ସହ ଚିଠିପତ୍ର ବ୍ୟବହାରଦ୍ୱାରା ସେ ଲଢ଼େଇ ମଧ୍ୟ କରୁଥିଲେ । ଅନ୍ୟ କଂଗ୍ରେସୀ ନେତାମାନେ ତ ଗୋଆର ନାମ ସୁଦ୍ଧା ଉଚ୍ଚାରଣ କରୁ ନଥିଲେ-

 

ଗୋଆ ଯିବା ଆଗରୁ ଲୋହିଆ ବମ୍ବେରେ ଗୋମନ୍ତକମାନଙ୍କର ଗୋଟାଏ ସଭା କଲେ-। ଏଇ ସୂଚନା ପାଇ ଗୋଆ ସରକାରଙ୍କ ହୋସ୍‌ ଉଡ଼ିଗଲା । ସେ ତାଙ୍କର ପୂର୍ଣ୍ଣ ଶକ୍ତି ଖଟେଇ ଗୋଆର ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଠିକ୍‌ କଲେ । ବମ୍ବେ, ପୁନା, ସାଙ୍ଗଲି ଏବଂ ମିରାଜ ଆଦି ସ୍ଥାନଗୁଡ଼ିକରେ ସଭା କରି କରି ତଥା ଜନଚେତନାକୁ ପ୍ରସ୍ତୁତ କରି ସେପ୍‌ଟେମ୍ବର ୨୯ ତାରିଖ ଦିନ ଲୋହିଆ ବେଲଗାଓଁରେ ପହଞ୍ଚିଲେ । ଲୋକମାନେ ଗୋଆ ସରକାରଙ୍କ ଉଗ୍ରତା ଦେଖି ତାଙ୍କୁ ଗୋଆ ନ ଯିବାପାଇଁ ଅଟକେଇ ରଖିବାକୁ ଚେଷ୍ଟା କଲେ; କିନ୍ତୁ ଲୋହିଆ ଦୃଢ଼ତାର ସହ କହିଲେ–‘‘ମୁଁ ତିନି ମାସ ପରେ ଯିବି ବୋଲି କଥା ଦେଇସାରିଛି ଯେତେବେଳେ ମତେ ଯିବାକୁଇ ହେବ । ମୁଁ ନ ଯାଇ ରହିପାରିବିନି ।’’

 

ତା’ପରେ ଲୋହିଆ ମଣ୍ଡଗାଁଓ ଆଡ଼କୁ ଆଗେଇ ଚାଲିଲେ ।

 

ଲୋହିଆ ପୁଣି ଆସୁଛନ୍ତି–ଏ ଖବର ଶୁଣି ଗୋଆ ସରକାରଙ୍କ ଫାକାସି ଉଡ଼ିଯାଉଥିଲା-। ଏଇ ଅସମ୍ଭାଳ ଅବସ୍ଥାରେ ଗୋଆ ସରକାର ଲୋହିଆଙ୍କୁ କୋଲେମ୍‌ ଷ୍ଟେସନ୍‌ ପାଖରେହିଁ ଗିରଫ୍ କରିନେଲେ ଏବଂ ତାଙ୍କୁ ପ୍ରଥମେ ନିଚୌଲିରେ ଏବଂ ତା’ପରେ ଅଗବାଦର କିଲ୍ଲାକୁ ନେଇ ଅଧ ରାତିରେ ଗଭୀର ନିର୍ଜନତା ଭିତରେ ବନ୍ଦ କରି ରଖିଲେ । ଲୋହିଆଙ୍କୁ ସେଇଠି ରାଜନୈତିକ ବନ୍ଦୀମାନଙ୍କୁ ଦିଆଯାଇଥିବା ସାଧାରଣ ସୁବିଧାଗୁଡ଼ିକରୁ ମଧ୍ୟ ବଞ୍ଚିତ କରି ରଖାଗଲା-

 

୨୯ ସେପ୍‌ଟେମ୍ବର ଅଧ ରାତିଠାରୁ ଆଠ ଅକ୍‌ଟୋବର ପର୍ଯ୍ୟନ୍ତ ଦଶ ଦିନ ଧରି ଲୋହିଆଙ୍କୁ କଷ୍ଟ ଦେଲା ପରେ ଅଗବାଦ କିଲ୍ଲାରୁ ବାହାର କରି ଦିଆଗଲା ଏବଂ ତାଙ୍କୁ ନେଇ ଅନ୍‌ମୋଡ଼ ରାସ୍ତାରେ ଭାରତୀୟ ସୀମାରେ ଛାଡ଼ି ଦିଆଗଲା । ଲୋହିଆଙ୍କର ଏଇ ମୁକ୍ତି ବଡ଼ ରହସ୍ୟପୂର୍ଣ୍ଣ ଥିଲା ।

 

ପରେ ଜଣାଗଲା ଯେ ତାଙ୍କର ଏଇ ମୁକ୍ତିର ମୁଖ୍ୟ କାରଣ ଥିଲା ଗାନ୍ଧିଙ୍କ ନିରନ୍ତର ପ୍ରଚେଷ୍ଟା । ସେତେବେଳେ ଦିଲ୍ଲୀରେ ସ୍ୱଦେଶୀ ସରକାର ଥିଲା । ପ୍ରଥମେ ଗାନ୍ଧି ନେହେରୁଙ୍କୁ ଲେଖିଲେ ଯେ ସେ ଲୋହିଆଙ୍କ ମୁକ୍ତିପାଇଁ ସରକାରୀ ସ୍ତରରେ ଚେଷ୍ଟା କରନ୍ତୁ । କିନ୍ତୁ ନେହେରୁ ନିଜ ଆଡ଼ୁ କିଛି କରି ନ ପାରିବାର ଅସମର୍ଥତା ପ୍ରକାଶ କଲେ । ତା’ପରେ ଗାନ୍ଧି ତତ୍‌କାଳୀନ ଭାଇସ୍‌ରାୟ ୱାଭେଲଙ୍କୁ ଲେଖିଲେ ଯେ ସେ ପର୍ତ୍ତୁଗାଲ ସରକାରଙ୍କ ଉପରେ ପ୍ରଭାବ ପକାଇ ଲୋହିଆଙ୍କୁ ମୁକ୍ତ କରାନ୍ତୁ । ଦୁଇ ଅକ୍‌ଟୋବର ଦିନ ନିଜର ଜନ୍ମଦିବସରେ ଗାନ୍ଧି ଗୋଟାଏ ସଭାରେ ସାର୍ବଜନୀନ ଭାବରେ ଲୋହିଆଙ୍କ ଘଟଣାରେ ଭାଇସ୍‍ରାୟଙ୍କୁ ମଧ୍ୟସ୍ଥତା କରିବାପାଇଁ ଅନୁରୋଧ କଲେ । ଭାଇସ୍‍ରାୟଙ୍କ ହସ୍ତକ୍ଷେପ ତଥା ଗୋଆସ୍ଥ ବଡ଼ ପାଦ୍ରୀଙ୍କ ମାଧ୍ୟମରେ ଲୋହିଆ ମୁକ୍ତି ପାଇଲେ । ଏହା ସତ ଯେ ଗାନ୍ଧି ଯଦି ଏତେଟା ସତର୍କତା ଅବଲମ୍ବନ କରି ନଥାନ୍ତେ କିମ୍ବା ବାରମ୍ବାର ଚେଷ୍ଟା କରି ନଥାନ୍ତେ, ତେବେ ପର୍ତ୍ତୁଗାଲ ସରକାର ଦୀର୍ଘ ଦିନପାଇଁ ଲୋହିଆଙ୍କୁ ଜେଲ୍‌ ଭିତରେ ଶଢ଼େଇ ଶଢ଼େଇ ମାରିଥାନ୍ତେ ।

 

ଲୋହିଆଙ୍କ ଉପଯୁକ୍ତ ଗିରଫ୍‍ଦାର ଯୋଗୁଁ ଗୋଆ ପୁଣି ଥରକପାଇଁ ଜଳି ଉଠିଲା । ସଭା, ଶୋଭାଯାତ୍ରା ଏବଂ ହରତାଳର ଲାଇନ୍‌ ଲାଗିଗଲା ।

 

ଗୋଆ ସରକାର ଲୋହିଆ ପାଞ୍ଚବର୍ଷ ପାଇଁ ଗୋଆ ଭିତରେ ପ୍ରବେଶ କରିପାରିବେନି ବୋଲି ଘୋଷଣା ଜାରି କଲେ ।

 

ସେତେବେଳେ ଲୋହିଆ ବେଲଗାଁଓରୁ ଗୋଆର ପ୍ରଧାନ ନ୍ୟାୟମୂର୍ତ୍ତିଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲେ–‘‘ମୁଁ ଗୋଆର କୌଣସି ଗୋଟାଏ ଆଇନବି ଭଙ୍ଗ କରିନି । ....୨୯ ସେପ୍‌ଟେମ୍ବରଠାରୁ ଆଠ ଅକ୍‌ଟୋବର ପର୍ଯ୍ୟନ୍ତ ମତେ ଏମିତି ଏକ କୋଠରୀ ଭିତରେ ରଖାଯାଇଥିଲା, ଯେଉଁଠି କି ବାୟୁ ସଞ୍ଚାଳନ କେବଳ ବଞ୍ଚିରହିବା ପାଇଁ ହିଁ ସୀମିତ ଥିଲା । ପରେ ପରେ ଯଦିଓ ମତେ ଅନ୍ୟ ଏକ କୋଠରୀରେ ସାମାନ୍ୟ ଭଲ ଅବସ୍ଥାରେ ରଖାଗଲା, ତଥାପି ମତେ ଚିଠିପତ୍ର ଲେଖାଲେଖି କିମ୍ବା ଅନ୍ୟକୁ ସାକ୍ଷାତ କରିବାର ସୁବିଧା ମଧ୍ୟ ଦିଆଯାଇ ନଥିଲା । ମୋର ଏକ ଦଣ୍ଡ ସମ୍ପୂର୍ଣ୍ଣ ବେଆଇନ ଥିଲା । ଏଥିପାଇଁ ଗୋଆ ସରକାର ମତେ କ୍ଷମା ମାଗନ୍ତୁ ଏବଂ ଉପଯୁକ୍ତ କ୍ଷତିପୂରଣବି ଦିଅନ୍ତୁ ।’’

 

ଲୋହିଆଙ୍କର ଏହି ଚିଠିକୁ ଗାନ୍ଧି ‘ହରିଜନ’ରେ ପୂରାପୂରି ଛାପି ଦେଇ ଗୋଟାଏ ଟିପ୍ପଣୀବି ଲେଖିଦେଲେ–‘‘ଏଇଟା ଗୋଟାଏ ସାଧାରଣ ଚିଠି ନୁହେଁ କିମ୍ବା ଯଦି ଡକ୍ଟର ଲୋହିଆଙ୍କ କ୍ଷତିପୂରଣ ମାଗିବା ଦାବି ମଧ୍ୟ ହାସ୍ୟାସ୍ପଦ ନୁହେଁ । ଯଦି ଡକ୍ଟର ଲୋହିଆଙ୍କ ପଛରେ ଶକ୍ତି ଥାନ୍ତା, ତେବେ ଗୋଆର ମାଲିକ ନିଶ୍ଚୟ କ୍ଷମା ମାଗିଥାନ୍ତେ ଏବଂ କ୍ଷତିପୂରଣ ମଧ୍ୟ ଦେଇଥାନ୍ତେ । ଏହା ଗୋଟାଏ ସାଧାରଣ ଘଟଣା ନୁହେଁ । ବଡ଼ବଡ଼ ଶକ୍ତିଶାଳୀ ଦେଶ ସାଧାରଣ ଲୋକର ଅପମାନ କିମ୍ବା କ୍ଷତି ହେଲେ କ୍ଷତିପୂରଣ ମାଗନ୍ତି ଏବଂ ତାକୁ ହାସଲ ମଧ୍ୟ କରନ୍ତି । ଡକ୍ଟର ଲୋହିଆ ଜଣେ ସାଧାରଣ ଲୋକ ନୁହନ୍ତି ଏବଂ ଭାରତର ମଧ୍ୟ ରାଷ୍ଟ୍ରୀୟ ସରକାର ଅଛି । ମୋର ବିଶ୍ୱାସ ଅଛି ଯେ ଅନ୍ୟ ଦେଶ ଭଳି ଭାରତ ସରକାର ମଧ୍ୟ ନିଜର ସମ୍ମାନ ପ୍ରତି ସଚେତନ ଅଛନ୍ତି । ଯଦି ସେ ନିଜର ବିରୋଧ ପ୍ରକାଶ କରି ଗୋଆ ସରକାରଙ୍କୁ ନିଜର ବ୍ୟବହାର ସୁଧାରିବାକୁ କହନ୍ତି, ତେବେ ମୋତେ ଆଦୌ ଆଶ୍ଚର୍ଯ୍ୟ ଲାଗିବନି । ସେ ଯାହାହେଉ, ଜନମତର ଶକ୍ତି ସରକାର ଏବଂ ଅତ୍ୟାଚାରିତ ଡକ୍ଟର ଲୋହିଆଙ୍କ ପଛରେ ରହିବା ଉଚିତ । ତାଙ୍କ ସହିତ ଯେଭଳି ଶିଷ୍ଟାଚାରହୀନ ବ୍ୟବହାର କରାଯାଇଛି, ତାହା ଗୋମନ୍ତକମାନଙ୍କୁ ଏବଂ ତାଙ୍କଦ୍ୱାରା ସମସ୍ତ ଭାରତ ପ୍ରତି କରାଯାଇଛି ।’’

 

ଲୋହିଆଙ୍କର ଏଇ ସଂଘର୍ଷର ତାତ୍କାଳିକ ପରିମାଣ ଏଇଆ, ହେଲା ଯେ ଲୋକେ ଗୋଆର ସୀମା ଭିତରକୁ ଫଳ, ଲହୁଣୀ ଏବଂ ଗାଈଗୋରୁ, ଛେଳି ଆଦି ପଠେଇବା ବିଲ୍‌କୁଲ୍ ବନ୍ଦ କରିଦେଲେ ।

 

ଗୋଆର ମାଂସାହାରୀ ଲୋକଙ୍କ କଷ୍ଟ ବଢ଼ିଗଲା ।

 

ଗୋଆପାଇଁ ସତ୍ୟାଗ୍ରହୀ ଦଳ ପ୍ରସ୍ତୁତ ହେବାରେ ଲାଗିଲେ । ଲୋହିଆ ସୀମାନ୍ତର ସାବନ୍ତବାଡ଼ି, କୋହ୍ଲାପୁର, କାଖାନ ଆଦିକୁ ବାରମ୍ବାର ଯା-ଆସ କରି ସତ୍ୟାଗ୍ରହୀ ଗଢ଼ିବାରେ ଲାଗିଲେ । ପଇସା ସଂଗ୍ରହ କରାଗଲା ।

 

ଠିକ୍‌ ଏଇ ସମୟରେ ଗାନ୍ଧି ତାର କରି ଲୋହିଆଙ୍କୁ ଦିଲ୍ଲୀ ଡକାଇ ଆଣିଲେ । ଲୋହିଆ ଦିଲ୍ଲୀ ଆସିଲେ । କିନ୍ତୁ ସେଇ ଦିନ ଗାନ୍ଧି ନୂଆଖାଲି ବାହାରି ଯାଇଥିଲେ । ତେଣୁ ଦେଖା ହୋଇପାରିଲାନି ।

 

ଲୋହିଆ ପୁଣି ବେଲଗାଁଓ ଫେରିଆସିଲେ । ସତ୍ୟାଗ୍ରହ କାମ ଠିକ୍‌ ଠିକ୍‌ ଚାଲିବାରେ ଲାଗିଲା ।

 

ଠିକ୍‌ ସେତିକିବେଳେ ଗାନ୍ଧିଙ୍କ ପାଖରୁ ଆଉ ଏକ ତାର ଆସିଲା । ଲୋହିଆ ସାଙ୍ଗେ ସାଙ୍ଗେ କଲିକତା ଚାଲିଆସିଲେ । ଗାନ୍ଧି ଲୋହିଆଙ୍କୁ ନୂଆଖାଲିରେ ଅଟକେଇନେଲେ । ଫଳରେ ଏଇଆ ହେଲା ଯେ ଗୋଆର ଆନ୍ଦୋଳନ ଉପରେ ଭ୍ରଷ୍ଟ ଲୋକଙ୍କର ପ୍ରଭାବ ବଢ଼ିଗଲା ଏବଂ ଆନ୍ଦୋଳନ ଧୀରେ ଧୀରେ ଶିଥିଳ ପଡ଼ିଆସିଲା । ଗାନ୍ଧି ଚାହୁଁଥିଲେ ଯେ, ଲୋହିଆ କେବଳ ଗୋଆବାସୀଙ୍କୁ ରାସ୍ତା ଦେଖାଇ ଦେଇଛନ୍ତି ଏବଂ ବର୍ତ୍ତମାନ ସେଠିକାର ଆନ୍ଦୋଳନ ସେମାନେ ନିଜେ ନିଜେ ଚଳାନ୍ତୁ । ଭାରତ ସରକାରଙ୍କର ମତିଗତିକୁ ଲକ୍ଷ୍ୟ କରି ଗାନ୍ଧି ଏଭଳି ସୂଚନା ଦେବାକୁ ବାଧ୍ୟ ହୋଇଥିଲେ । କାରଣ ଦିଲ୍ଲୀ ସରକାର କହୁଥିଲେ ଯେ ସେ ସରକାରୀ ସ୍ତରରେ ପର୍ତ୍ତୁଗାଲ ସରକାରଙ୍କ ସହ ଯେଉଁ ପ୍ରଶ୍ନର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି, ଗୋଆରେ ଲୋହିଆଙ୍କ ଉପସ୍ଥିତି ସେଥିପାଇଁ ବାଧା ସୃଷ୍ଟି କରୁଛି । ଠିକ୍‌ ସେତେବେଳେ ଲୋହିଆ ଗୋଆବାସୀଙ୍କ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତା ପଠାଇଲେ, ‘‘ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନକୁ ତେଜେଇ ରଖନ୍ତୁ, ଜେଲ୍‌ ଯା’ନ୍ତୁ, ଲାଠି ମାଡ଼ ଖା’ନ୍ତୁ, ମିଳିତ ଶୋଭାଯାତ୍ରା ପ୍ରଦର୍ଶନ କରନ୍ତୁ ଏବଂ ୟୁରୋପୀୟଙ୍କ ଧଳା ପାଦକୁ ଏସିଆ ମାଟି ଉପରୁ ସବୁଦିନ ସକାଶେ ଉଠେଇ ଦିଅନ୍ତୁ ।’’

 

ଜାନୁୟାରୀ ୧୯୪୭ ଆରମ୍ଭରେ ଲୋହିଆ ପୁଣି ବମ୍ବେ ଗଲେ । ଜିହ୍ନା ହଲ୍‌ରେ ଗୋମନ୍ତକମାନଙ୍କର ଏକ ବିଶାଳ ସଭା ହେଲା । ସେଇଠି ଗୋଆ ଆନ୍ଦୋଳନ ପାଇଁ ଲୋହିଆ ଧନ ସଂଗ୍ରହ କରିବାପାଇଁ ନିବେଦନ କଲେ । ତା’ପରେ ଲୋହିଆଙ୍କ ଉପରେ ଧନର ବର୍ଷା ହେବାକୁ ଲାଗିଲା । ସ୍ତ୍ରୀଲୋକମାନେ ନିଜ ଶରୀରରୁ ଗହଣାସବୁ କାଢ଼ି ଦେଇ ପକେଇଲେ ।

 

କିନ୍ତୁ ଛଅ ଶହ ଲୋକ ଜେଲ ଗଲା ପରେବି ଆନ୍ଦୋଳନ ଦବିବାରେ ଲାଗିଲା । ସଂଗଠନ ଭିତରେ ଆପୋସୀ ଝଗଡ଼ା ବଢ଼ିଲା । ଆନ୍ଦୋଳନର ନେତୃତ୍ୱ ଧୋବଧାଉଳିଆ ଲୋକଙ୍କ ହାତକୁ ଚାଲିଗଲା ।

 

ଏସବୁ ହେଲା ପରେବି ଗୋଆ ଆନ୍ଦୋଳନରେ ପ୍ରାଣ ସଞ୍ଚାରପାଇଁ ଲୋହିଆ ଚେଷ୍ଟା ଚଳାଇଥିଲାବେଳେ ୧୦ ଫେବୃୟାରୀ ଦିନ ଦିଲ୍ଲୀରେ ନେହେରୁ ଗୋଟାଏ ବିବୃତି ଦେଇ ମୁମୂର୍ଷୁ ଆନ୍ଦୋଳନର ଉତ୍ସାହକୁ ପୂରାପୂରି ମାଟିରେ ମିଶେଇଦେଲେ । ନେହେରୁ କହିଲେ, ‘‘ଗୋଆ, ଡାମନ୍‌ ଏବଂ ଡିଉ ବହୁସଂଖ୍ୟକ ଜନତା ହିନ୍ଦ୍‌ ରାଜ୍ୟ ସଂଘରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି କି ନା, ଏହା ସରକାର ନିଃସନ୍ଦେହ ଭାବରେ କହିପାରିବେନି ।’’

 

ଏଇ ବିବୃତିର ବଡ଼ ନିରାଶଜନକ ପ୍ରଭାବ ପଡ଼ିଲା ଏବଂ ତା’ର ଲାଭ ଉଠେଇ ଗୋଆ ସରକାର ଆନ୍ଦୋଳନକାରୀଙ୍କୁ ଏତକ କହିଦେଇ ନିଜ ମୁଣ୍ଡରୁ ଅଠା ଛଡ଼େଇଦେଲେ ଯେ ଭାରତ ସରକାରହିଁ ଗୋଆକୁ ଅଲଗା କରି ରଖିବାକୁ ଚାହାନ୍ତି ।

 

ଏପରି ଭାବରେ ଗୋଆ ସଂଘର୍ଷର କାହାଣୀ କୂଳକୁ ଲାଗି ଲାଗି ଆସୁଥିବା ଅବସ୍ଥାରେହିଁ ଅଧାପଇଁତରା ଭାବରେ ରହିଗଲା । ଏଇ ସଂଘର୍ଷରେ ସୋସାଲିଷ୍ଟମାନଙ୍କ ଅପେକ୍ଷା ଗାନ୍ଧିଙ୍କର ଦିଲ୍ଲୀ ସରକାରଙ୍କ ପ୍ରତି ମୋହାସକ୍ତ ନୀତି, ନେହେରୁଙ୍କ ଅନ୍ତର୍ରାଷ୍ଟ୍ରୀୟ ରାଜ୍ୟକରଣର ମିଥ୍ୟା, ଅପରିପକ୍ୱ ଚାଲାକି ତଥା ଆନ୍ଦୋଳନକାରୀଙ୍କ ଆଭ୍ୟନ୍ତରୀଣ ମନାନ୍ତରହିଁ ଗୋଆ ସମସ୍ୟାକୁ ପୂରାପୂରି ଶିଥିଳ କରିଦେଲା ।

 

ନେହେରୁ ଇଚ୍ଛା କରିଥିଲେ ଗୋଆ ସମସ୍ୟାର ସମାଧାନ ସେତେବେଳେହିଁ ହୋଇଯାଇପାରିଥାନ୍ତା; କିନ୍ତୁ ନିଜର ନେତୃତ୍ୱ ସେଇଠି ନଥିବା ଯୋଗୁଁ ନେହେରୁ ଗୋଆକୁ ଧୋକା ଦେଇ ସଂଘର୍ଷକୁ ନଷ୍ଟଭ୍ରଷ୍ଟ କରିଦେଲେ । ଯେତେବେଳେ ମଧ୍ୟ ଗୋଆର ପ୍ରକୃତ ଇତିହାସ ଲେଖାଯିବ, ସେତେବେଳେ ନେହେରୁଙ୍କଦ୍ୱାରା ଏ ସମ୍ବନ୍ଧରେ କରାଯାଇଥିବା ପାପକୁ ଦୁନିଆ ଖୁବ୍‌ ଭଲ ଭାବରେ ଜାଣିଯିବ ।

 

ସେ ଯାହା କିଛି ହେଉ ନା କାହିଁକି, ୧୯୪୬ ଜୁନ୍‌ରେ ଲୋହିଆ ଗୋଆରେ ଯେଉଁ ମଶାଲ ଜାଳିଥିଲେ, ତଦ୍ଦ୍ୱାରା ଗୋଆରେ ନିଶ୍ଚେଷ୍ଟ ଏବଂ ଦୁର୍ବଳ ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ଏବଂ ସ୍ଫୂର୍ତ୍ତି ଆସିଗଲା । ଲୋହିଆଙ୍କର ଏଇ କୃତିକୁ ଇତିହାସ କଦାପି ଭୁଲିପାରିବନି । ଗୋଆର ସ୍ତ୍ରୀଲୋକମାନେ ନିଜର ଲୋକଗୀତରେ ଲୋହିଆଙ୍କ ନାଁ ଯୋଡ଼ିଛନ୍ତି । ସେଠିକାର ଏଇ ଗୀତ ତ ଖୁବ୍‌ ପ୍ରସିଦ୍ଧି ଲାଭ କରିପାରିଚି–

 

‘‘ପହିଲି ମାଝି ଓଇ

ପହିଲେ ମାଝି ଫୁଲ୍‌

ଭକ୍ତି ନେ ଅର୍ପିନ୍‌ ଲୋହିଆ ନାଁ ।’’

 

କବି ବୋର୍‍କରଙ୍କର ଏଇ ପଂକ୍ତି ସର୍ବବିଦିତ ଅଟେ–‘‘ଧନ୍ୟ ଲୋହିଆ, ଧନ୍ୟ ଭୂମି ୟହ, ଧନ୍ୟ ଉସ୍‍କେ ପୁତ୍ର ।’’

 

କାନପୁରରେ, ଦୀର୍ଘ ୯ ବର୍ଷ ପରେ ସମଗ୍ର ଦେଶରେ ସୋସାଲିଷ୍ଟମାନେ ଆସି ଜମା ହେଲେ ।

 

୨୬, ୨୭, ୨୮ ଫେବୃୟାରୀ ୧୯୪୭ ତିନି ଦିନ ଧରି କଂଗ୍ରେସ ସୋସାଲିଷ୍ଟ ପାର୍ଟିର ସମ୍ମେଳନ ହୋଇଥିଲା ।

 

ଏହା ଏକ ଐତିହାସିତ ସମ୍ମେଳନ ଥିଲା ।

 

ଅଧ୍ୟକ୍ଷ ଥିଲେ ଡକ୍ଟର ରାମମନୋହର ଲୋହିଆ ।

 

ଏଇଠି ‘କଂଗ୍ରେସ ସୋସାଲିଷ୍ଟ ପାର୍ଟି’ ନାମରୁ ‘କଂଗ୍ରେସ’ ଶବ୍ଦକୁ କାଟି ଫିଙ୍ଗି ଦିଆଗଲା ଏବଂ ଗୋଟାଏ ଶୁଦ୍ଧ ନାମ ରହିଲା ‘ସୋସାଲିଷ୍ଟ ପାର୍ଟି ।’

 

କଂଗ୍ରେସର ବର୍ତ୍ତମାନ ନୀତି ଏବଂ ଶୀଘ୍ରାତିଶୀଘ୍ର ସରକାର ଭିତରେ ପଶିଯିବାର ବ୍ୟଗ୍ରତା ଯୋଗୁଁ ଦେଶର ଅହିତ ଜୋର୍‍ସୋର୍‍ରେ ବଢ଼ିଯିବାକୁ ଲାଗିଲା । ଏପରି ପରିସ୍ଥିତି ଭିତରେ ସୋସାଲିଷ୍ଟମାନଙ୍କୁ ଏକ ବିଶେଷ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ପଡ଼ିଲା । ତେବେ ଏଇ ‘କଂଗ୍ରେସ’ ନାଁ ବା ଆଉ ରହିବ କାହିଁକି ?

 

କୌଣସି ପ୍ରକାରର ଭୁଲ ଧାରଣା ଯେମିତି ସୃଷ୍ଟି ନହୁଏ, ସେଥିପାଇଁ ଡକ୍ଟର ଲୋହିଆ ନିଜ ଅଧ୍ୟକ୍ଷ ଭାଷଣରେ କହିଲେ–‘‘କଂଗ୍ରେସ ଶବ୍ଦକୁ କାଟିଦେବା ଅର୍ଥ କଂଗ୍ରେସକୁ ବିରୋଧ କରିବା ନୁହେଁ । କଂଗ୍ରେସ ଆମର ରାଷ୍ଟ୍ରୀୟ ସଙ୍ଗଠନରୂପେ ରହିଆସିଚି । ଅନିବାର୍ଯ୍ୟ ରୂପରେ କଂଗ୍ରେସ ସଦସ୍ୟ ହେବାର ସର୍ତ୍ତକୁ କେବଳ ହଟେଇ ଦିଆଯାଇଛି । ଏହାର ଅର୍ଥ ଏଇଆ ନୁହେଁ ଯେ ଆମେ ସବୁ କଂଗ୍ରେସରୁ ବାହାରି ଆସିଚୁ । କଂଗ୍ରେସ ଶବ୍ଦ ହଟେଇଦେବା ଯୋଗୁଁ ଅନ୍ୟ ଦଳର ଲୋକେ, ଯେଉଁମାନେ କି ନୀତିଗତି ଭାବରେ ଆମ ସହିତ ଏକମତ ଏବଂ ଯେଉଁମାନେ କି କଂଗ୍ରେସରେ ମିଶିବାକୁ ଚାହାନ୍ତିନି–ସେମାନେବି ଏଇ ପାର୍ଟିରେ ସାମିଲ ହୋଇପାରିବେ । ....କଂଗ୍ରେସର ବନ୍ଧନ ଛିଣ୍ଡି ଯାଇନି, କେବଳ ଢିଲା ପଡ଼ି ଯାଇଛି । କଂଗ୍ରେସ ଆମର ଘର । ଘର ଛାଡ଼ିବାପାଇଁ ଭଲ ଲାଗେନି । ଘର ଛାଡ଼ିଲା ପରେବି କେହି ନିଜ ଘରର ଅମଙ୍ଗଳ ଚିନ୍ତା କରିପାରେ ନାହିଁ । ଯେଉଁ ଘରେ ବର୍ଷ ବର୍ଷ ଧରି ରହିଆସିଚି ତାକୁ ମୁଁ ନିଜ ହାତରେ କେବେ ଭାଙ୍ଗି ଦେଇ ପାରିବିନି । ....କଂଗ୍ରେସର ନିଖୁଣ ସୌନ୍ଦର୍ଯ୍ୟର ଅଭିବୃଦ୍ଧି ଆମେଇ କରିଚୁ । ବର୍ତ୍ତମାନ ତାକୁ ଆମେ କେବେ ଅସୁନ୍ଦର ରୂପ ଦେଇ ପାରିବୁନି । ......କଂଗ୍ରେସ ମନ୍ତ୍ରିମଣ୍ଡଳର ଲାଞ୍ଜ ହୋଇ ସାରିଚି । ...ମୁଁ କଂଗ୍ରେସ ଛାଡ଼ିବାକୁ ଚାହେଁନି । ଆମର ବିଶ୍ୱାସ ଅଛି ଯେ ଯେ ପର୍ଯ୍ୟନ୍ତ ଗାନ୍ଧି ଅଛନ୍ତି, ସେ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳର କ୍ରାନ୍ତିକାରୀସ୍ୱରୂପକୁ କଦାପି ନଷ୍ଟ ହେବାକୁ ଦେବେ ନାହିଁ । ବର୍ତ୍ତମାନ ଅତି କମ୍‌ରେ ସୋସାଲିଷ୍ଟମାନଙ୍କୁ କଂଗ୍ରେସ ସହିତ ଲଢ଼ିବାକୁ ସୁବିଧା ମିଳିବ ଏବଂ କିଛିଟା ନ୍ୟାୟ ମଧ୍ୟ ମିଳିପାରିବ ।’’

 

ସେଇ ଫେବୃୟାରୀ ୪୭ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଅଟ୍‌ଲି ଘୋଷଣା କଲେ ଯେ ଆମେ ଜୁନ୍ ୪୭ରେ ଦେଶ ଛାଡ଼ି ଚାଲିଯିବୁଁ । ଠିକ୍‌ ଏଇ ଘୋଷଣା ପରେ ପରେହିଁ ଲର୍ଡ଼ ୱାଭେଲଙ୍କୁ ଫେରାଇ ନିଆଗଲା ଏବଂ ଲର୍ଡ଼ ମାଉଣ୍ଟ ବ୍ୟାଟେନ୍‌ ଭାଇସ୍‍ରାୟ ହୋଇ ଆସିଲେ । ନିଜ ସାଙ୍ଗରେ ମାଉଣ୍ଟ ବ୍ୟାଟେନ୍‌ ଗୋଟାଏ ଯୋଜନା ମଧ୍ୟ ନେଇ ଆସିଲେ, ଯେଉଁଥିରେ ଦେଶବିଭାଜନର ତତ୍ତ୍ୱ ନିହିତ ଥିଲା । ଆସୁ ଆସୁହିଁ ମାଉଣ୍ଟ ବ୍ୟାଟେନ୍ ନେହେରୁଙ୍କ ସହ ବନ୍ଧୁତା ସ୍ଥାପନ କରିଦେଲେ । ଅନ୍ୟ କଂଗ୍ରେସୀ ବଡ଼ପଣ୍ଡାଙ୍କ ସହିତ କି ମୋହିନୀ ଯାଦୁ ଲଗେଇଦେବାକୁ ଆରମ୍ଭ କରିଦେଲେ ଏବଂ ଗୁପ୍ତ ଭାବରେ କଂଗ୍ରେସ ନେତାମାନେ ମାଉଣ୍ଟ ବ୍ୟାଟେନ୍‌ ଯୋଜନାକୁ ଗ୍ରହଣ କରିନେଇ ବିଭାଜନର ତତ୍ତ୍ୱକୁବି ମଞ୍ଜୁର କରିନେଲେ ।

 

କଂଗ୍ରେସର ନେତୃତ୍ୱ ଏପର୍ଯ୍ୟନ୍ତ ଖୁବ୍‌ ବୁଢ଼ା ଏବଂ ଅତିଷ୍ଠ ହୋଇପଡ଼ିଥିଲା । ବିଭାଜନକୁ ସ୍ୱୀକାର କରିନେବା ସପକ୍ଷରେ ଆଗରୁହିଁ ନେତାଙ୍କ ମସ୍ତିଷ୍କ କାମ କରି ଆସୁଥିଲା ।

 

୧୯୪୬ର ଶେଷବେଳକୁ ଗାନ୍ଧି ନୂଆଖାଲିରେ ଥିଲେ । ସେ ସମୟରେ ଯେତେବେଳେ ନେହେରୁ ଗାନ୍ଧିଜୀଙ୍କୁ ଦେଖା କରିବାପାଇଁ ନୂଆଖାଲି ଗଲେ, ସେତେବେଳେ ଗାନ୍ଧି ନେହେରୁଙ୍କୁ ଦେଖା କରିବାପାଇଁ ଲୋହିଆଙ୍କୁ ପଠାଇଲେ । କଥାବାର୍ତ୍ତା ଭିତରେ ନେହେରୁ ପୂର୍ବବଙ୍ଗର ଚତୁର୍ଦ୍ଦିଗରେ ବ୍ୟାପିଯାଇଥିବା ପାଣି, କାଦୁଅ, ଲତା ଏବଂ ଗଛର ଚର୍ଚ୍ଚା କରିବାକୁ ଯାଇ କହିଥିଲେ–‘‘ହିନ୍ଦୁସ୍ଥାନର ଯେଉଁ ରୂପରେଖକୁ ମୁଁ ଜାଣେ, ତା’ଠୁ ଏସବୁ ପୂରାପୂରି ଅଲଗା ଅଟେ ।’’ ଲୋହିଆ ଠିକ୍‌ ସେତିକିବେଳୁହିଁ ନେହେରୁଙ୍କ ମନକୁ ଜାଣି ପାରିଥିଲେ । ତାଙ୍କର ସ୍ପଷ୍ଟ ଧାରଣା ହୋଇଗଲା ଯେ ନେହେରୁ ପୂରାପୂରି ବିଭାଜନର ସପକ୍ଷରେ ଏକମତ ଅଛନ୍ତି ଏବଂ ଅନ୍ତରାତ୍ମା ଭିତରେ ସାମାନ୍ୟ ବଞ୍ଚିରହିଥିବା ବିଚାରକୁ ଏଇ ଭୌଗୋଳିକ କାରଣ ଖୋଜିହିଁ ଜଣାଇଦେବାକୁ ଚାହାନ୍ତି । ଯଦିଓ ନେହେରୁ ଅଳ୍ପ କିଛିଦିନ ତଳେ କହିଥିଲେ ଯେ ଯେତେବେଳେ ଇଂରେଜଙ୍କ ସହ ବୁଝାମଣାର କଥାବାର୍ତ୍ତା ଚାଲିବ, ଠିକ୍‌ ସେତିକିବେଳେ ଆମର ଏବଂ ତାଙ୍କର ମଝିରେ ଭଗତ୍‌ ସିଂହଙ୍କର ଶବ ରହିବ ।

 

କିନ୍ତୁ ନେହେରୁ ସ୍ୱଭାବତଃ ମନମୁତାବକ ନିଜ କଥାକୁ ବଦଳାଇ ନେବାରେ ବଡ଼ ଧୁରନ୍ଧର ଥିଲେ ।

 

ଗାନ୍ଧି ଖୋଲାଖୋଲି ଭାବରେ ବିଭାଜନର ବିରୋଧୀ ଥିଲେ ।

 

କିନ୍ତୁ କଂଗ୍ରେସର ବଡ଼ପଣ୍ଡାମାନେ ଭିତରେ ଭିତରେ ବିଭାଜନକୁ ସ୍ୱୀକାର କରିନେଇ ଆରାମରେ ବସି ଯାଇଥିଲେ ।

 

୧୯୪୭ ଜୁନ୍‌ରେ ଦିଲ୍ଲୀରେ କଂଗ୍ରେସ ମହାସମିତିର ବୈଠକ ବସିଲା । ଗାନ୍ଧି ଜଣ ଜଣକର ନାଡ଼ି ଚିପିବାରେ ଲାଗିଥିଲେ । ଲୋହିଆଙ୍କ ସହ ଏବଂ ଅନ୍ୟାନ୍ୟ ସମାଜବାଦୀ ନେତାମାନଙ୍କ ସହ ସେ ଅଲଗାଅଲଗା କଥାବାର୍ତ୍ତା କଲେ । ସେ ଯେମିତି ବୁଝିପାରିଥିଲେ ଯେ ତାଙ୍କୁ ବର୍ତ୍ତମାନ ଲର୍ଡ଼ ମାଉଣ୍ଟ ବ୍ୟାଟେନ୍‌ଙ୍କ ଯୋଜନା ସହିତ ଏବଂ କଂଗ୍ରେସୀ ନେତାଙ୍କ ଦେଶବିଭାଜନର ସ୍ୱୀକୃତି ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ ଏବଂ ସେ ପରୀକ୍ଷା କରି ଦେଖୁଥିଲେ ଯେ ସମାଜବାଦୀ ଦଳକୁ ନେଇ ଏ ଲଢ଼େଇ ସମ୍ଭବ ହେବ କି ନା । ସେ ଦେଶର ସମସ୍ତ ଶକ୍ତି–କେନ୍ଦ୍ରରୁ ଆଲୋକ ଖୋଜୁଥିଲେ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ସମାଜବାଦୀ ଦଳର କ୍ଷୀଣତା ଦେଖି ସେ ନିରାଶ ହୋଇପଡ଼ିଲେ ।

 

କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକରେ ଗାନ୍ଧି ଶେଷ ଚେଷ୍ଟା କଲେ । ଏହି ବୈଠକରେ ଲୋହିଆ ଏବଂ ଜୟପ୍ରକାଶ ମଧ୍ୟ ସାମିଲ ହୋଇଥିଲେ । ଏଇ ବୈଠକର ବାତାବରଣ ବଡ଼ ନିଷ୍ପ୍ରାଣ ଏବଂ ଉଦାର ଥିଲା । ନେହେରୁ ଏବଂ ପଟେଲ, କେବଳ ଏଇ ଦୁଇ ଜଣହିଁ କହି ଚାଲିଥିଲେ । ବାକି ସମସ୍ତେ ଶବ୍ଦହୀନ ହୋଇପଡ଼ିଥିଲେ । ମୌଲାନା ଆଜାଦ ତ ପୂରା ଦୁଇ ଦିନ ପର୍ଯ୍ୟନ୍ତ ବୈଠକର ଗୋଟାଏ କୋଣରେ ବସି ଅବାଧଗତିରେ ସିଗାରେଟ ଫୁଙ୍କି ଚାଲିଥିଲେ । କେବେବି କିଛି କହୁ ନଥିଲେ ।

 

ଏଇ ବୈଠକର ବୃତ୍ତାନ୍ତ ବଡ଼ ବେଦନାଦାୟକ ସାଙ୍ଗକୁ ରୁଚିକର ମଧ୍ୟ ଥିଲା ।

 

କଂଗ୍ରେସ ଅଧ୍ୟକ୍ଷ ଆଚାର୍ଯ୍ୟ କୃପାଳିନୀଙ୍କ ଦଶା ସବୁଠୁ ବଡ଼ ଦୟନୀୟ ହୋଇ ପଡ଼ିଥିଲା-। ସେ ମଥା ପୋତି କେବଳ ବସି ରହିଥିଲେ, ବୋଧେ ମୁଣ୍ଡବ୍ୟଥା ଯୋଗୁଁ ଅସମ୍ଭାଳ ହୋଇପଡ଼ିଥିଲେ ।

 

ହଁ, ଖାଁ ଅବଦୁଲ୍ ଗଫୁର ଖାଁ କେବଳ ମାତ୍ର ଦୁଇଟି ଶବ୍ଦ କହିଥିଲେ । ଅନ୍ୟମାନେ ବିଭାଜନକୁ ସ୍ୱୀକାର କରି ନେଇ ସାରିଥିଲେ; ତେଣୁ ଏକଥା ଉପରେ କେବଳ ସାମାନ୍ୟ ଦୁଃଖ ପ୍ରକାଶ କଲେ ମାତ୍ର । ବେଶ୍‌ ସେତିକି । ଜୟପ୍ରକାଶ ନାରାୟଣ ନିଶ୍ଚିତ ଭାବରେ କିନ୍ତୁ ସଂକ୍ଷେପରେ ବିଭାଜନର ସ୍ପଷ୍ଟ ବିରୋଧ କଲେ ।

 

ଲୋହିଆଙ୍କ ପାଇଁ ବିଭାଜନର ଏଇ ପ୍ରଶ୍ନ ଖୁବ୍‌ ବେଶି ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ବିରୋଧ କରିବାରେ ମୁଖର ହୋଇପଡ଼ିଲେ । ଦୃଢ଼ତାର ସହ କହିଲେ । ତାଙ୍କର ଯୁକ୍ତି ଥିଲା ଯେ ମନ ଭିତରୁ କ୍ଷମତାର ଲୋଭ ନ ଛାଡ଼ିଲେ ଏଇ ସମସ୍ୟାର ସମାଧାନ ଆଦୌ ହୋଇପାରିବନି । କିନ୍ତୁ ପଟେଲ ଲୋହିଆଙ୍କୁ କହିବାପାଇଁ ମନା କରିଦେଲେ । ନେହେରୁ ଏବଂ ପଟେଲ ମିଶି ଥରକୁଥର ଗାନ୍ଧି ଏବଂ ତାଙ୍କ ସମର୍ଥକଙ୍କ ଉପରେ ବାଣ ଚଳେଇବାକୁ ଲାଗିଲେ । ତାଙ୍କ କ୍ରୋଧର ସମସ୍ତ ଉଦ୍‌ଗାର କେବଳ ଗାନ୍ଧିଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ନେହେରୁ କମ୍‌ କହୁଥିଲେ; କିନ୍ତୁ ପଟେଲଙ୍କୁ ଅଧିକ କହିବାପାଇଁ ବାରମ୍ବାର ଉସ୍କଉଥିଲେ ।

 

ପଟେଲ କହିଗଲେ–‘‘ହିନ୍ଦୁସ୍ଥାନର କ’ଣ ହେବ, ଏକଥା ଭୁଲିଯାନ୍ତୁ । ଆପଣ ଜାଣନ୍ତି ନାହିଁ, ଆମେ ଠେଙ୍ଗାର ଭାଷା ଆରମ୍ଭ କରିଦେବୁ ।’’ ଏତକ କହି ସେ ନିଜ ନିଜ କଥାର ପ୍ରକୃତ ଅର୍ଥ ବୁଝିପାରି ଘାବରେଇଗଲେ । ପୁଣି ସଙ୍ଗେ ସଙ୍ଗେ କହିଉଠିଲେ–‘‘ମୋର କଥାକୁ ଦୟାକରି ଭୁଲ ବୁଝନ୍ତୁ ନାହିଁ ।’’

 

କିନ୍ତୁ ଏତକ ଶୁଣୁ ଶୁଣୁ ଲୋହିଆ ଏପରି ଭାବରେ ରାଗିଉଠିଲେ ଯେ ମଝିରେହିଁ ପଟେଲଙ୍କୁ ଅଟକେଇ କ୍ରୁଦ୍ଧ କଣ୍ଠରେ କହିଲେ–‘‘ହଁ, ବିଗତ କେତେ ବର୍ଷ ଧରି ଆମେ ଖଣ୍ଡାର ଭାଷା ଶୁଣି ଆସୁଚୁ, ଆଉ ଏବେ ଠେଙ୍ଗାର ଭାଷାବି ଶୁଣୁଚୁ ।’’

 

ପଟେଲ ନିଜକୁ ନରମ କରିନେଇ କହିଲେ–‘‘ଦେଖ, ତୁମପାଇଁହିଁ ଆମେ ସ୍ୱାଧୀନତା ସଂଗ୍ରାମ କଲୁ । ଶେଷରେ ଆମେ ଏଇଆ ଚାହୁଁ ଯେ ଦେଶଟାକୁ ତୁମମାନଙ୍କ ହାତରେ ଟେକିଦେଇ ଯିବୁ, ଯଦ୍ଦ୍ୱାରା କି ତୁମେ ସବୁ ଦେଶଟାକୁ ନୂଆ ରୂପ ଦେଇପାରିବ ।’’

 

ଲୋହିଆ ପୁଣି ରାଗିଗଲେ–‘‘ଧନ୍ୟବାଦ । ଆପଣ ଯେମିତି ସ୍ୱାଧୀନତା ପାଇଁ ସଂଗ୍ରାମ କରିଛନ୍ତି, ଆମେ ଠିକ୍‌ ସେମିତି କରିଚୁ । ଏଇଠି ଦେବାନେବାର ପ୍ରଶ୍ନ କ’ଣ ?’’

 

ଏସବୁ ବାଗ୍‌ବିଚଣ୍ଡା ଗାନ୍ଧିଙ୍କ ଉପସ୍ଥିତିରେ ଚାଲିଥିଲା ।

 

ବସ୍ତୁତଃ କଥାବାର୍ତ୍ତାର ଶୈଳୀରୁ ନେହେରୁ ଏବଂ ପଟେଲଙ୍କୁ କ୍ଷମତାପାଇଁ ଏତେଦୂର ଲାଳାୟିତ ହେବାର ଦେଖି ଲୋହିଆ ବିରକ୍ତ ହୋଇଉଠିଲେ । ଯେଉଁ ପ୍ରସ୍ତାବ ସାମ୍ନାରେ ଥିଲା, ସେଥିରେ ଦୁଇ–ରାଷ୍ଟ୍ର ସିଦ୍ଧାନ୍ତର କୌଣସି ଉଲ୍ଲେଖ ନଥିଲା । ଲୋହିଆ ସ୍ପଷ୍ଟ ଭାବରେ କହିଲେ ଯେ ପ୍ରସ୍ତାବରେ ପରିଷ୍କାର ଭାବରେ ଦୁଇ–ରାଷ୍ଟ୍ର ସିଦ୍ଧାନ୍ତକୁ ଅସ୍ୱୀକାର କରାଯିବା କଥା ଉଲ୍ଲେଖ କରାଯାଉ । ତା’ପରେ ହଠାତ୍‌ ନେହେରୁ ରାଗିଯାଇ କହିଲେ–‘‘ଜିନ୍ନାଙ୍କ ସହ ସବୁଦିନ ପାଇଁ ଆମର ଯୋଉ ସମ୍ବନ୍ଧ ରହିଛି, ତାକୁ ଭଲା ଟିକିଏ ଦେଖ । ଲୋକେ ପରସ୍ପରର ତଣ୍ଟି କାଟୁଛନ୍ତି, ଆଉ ତୁମେ ଭାଇବନ୍ଧୁର କଥା କହୁଛ ।’’

 

ଏହି ବିଚିତ୍ର ଯୁକ୍ତି ଶୁଣି ଲୋହିଆ ସ୍ତବ୍ଧ ହୋଇପଡ଼ିଲେ । ଘୃଣା ଯୋଗୁଁ ନୀରବ ରହିବାକୁ ଚାହୁଁଥିଲେ ମଧ୍ୟ ବାଧ୍ୟ ହୋଇ ତାଙ୍କୁ କହିବାକୁ ପଡ଼ିଲା–‘‘ଦେଶର ଏକତାପାଇଁ କ’ଣ ଲିଙ୍କନଙ୍କୁ ଯୁଦ୍ଧ କରିବାକୁ ପଡ଼ି ନଥିଲା ? ଆମେରିକାର ଗୃହଯୁଦ୍ଧରେ ଦୁଇ ପକ୍ଷଙ୍କୁ ମିଶେଇ ପ୍ରାୟ ତିନି ଚାରି ଲକ୍ଷ ଲୋକ ମରି ଯାଇଥିଲେ । ତଥାପି ତାଙ୍କର ଭାଇ–ବନ୍ଧୁତ୍ୱ ତ ଅତୁଟ ରହିପାରିଲା । ହିନ୍ଦୁ–ମୁସଲମାନ ପଶୁ ଭଳି ଉଭୟେ ଉଭୟଙ୍କୁ ମାରିପାରନ୍ତି, ତଥାପି ସେମାନେ ଭାଇ–ଭାଇ ରୂପରେହିଁ ରହିବେ । ଭାଇ–ଭାଇ ଆପଣାର ନିଜ ଝଗଡ଼ାବେଳେ ଜଣେ ଅନ୍ୟକୁ ମାରନ୍ତି ନାହିଁ ନା କ’ଣ ?’’

 

ଗାନ୍ଧି ଶୂନ୍ୟ ଆଖିରେ ଏଇ ବୈଠକର ରଙ୍ଗ ବସି ଦେଖୁଥିଲେ । ସେତେବେଳେ ତାଙ୍କର ଦଶା ଖୁବ୍‌ ବ୍ୟଥାପୂର୍ଣ୍ଣ ହୋଇଉଠିଥିଲା, ଯେମିତି କି ଗୋଟାଏ ଶକ୍ତିହୀନା ବୁଢ଼ୀମା ନିଜ ଘର ପୁଅମାନେ ସମ୍ପତ୍ତିପାଇଁ ଲଢ଼ୁଥିବାର ଦେଖି ନିଜକୁ ଅସହାୟା ମନେକରି ନୀରବ ରହିଯାଏ ।

 

ଯେମିତି ହେଲେବି ବିଭାଜନ ନ ହେଉ, ଏଥିପାଇଁ ଗାନ୍ଧିଙ୍କ ମନ ବିକଳ ହୋଇ ଉଠୁଥିଲା । ତାଙ୍କ ହୃଦୟରେ ଯେଉଁ ଗଭୀର ଯନ୍ତ୍ରଣା ଥିଲା, ତାହା ଗୋଟାଏ ଯୁକ୍ତିକୁ ଜନ୍ମ ନେଲା । ସେ ଖୁବ୍‌ ହତାଶ କଣ୍ଠରେ କହିଲେ–‘‘ଆପଣମାନେ ଆପଣମାନଙ୍କ ସହ ମାଉଣ୍ଟ ବ୍ୟାଟେନ୍‍ଙ୍କର ଯୋଉ ବୁଝାମଣାର କଥାବାର୍ତ୍ତା ହେଲା, ସେ ସମ୍ବନ୍ଧରେ ତ ମତେ କିଛି କହିଲେନି ।’’ କିନ୍ତୁ......

 

ଗାନ୍ଧିଙ୍କ ବାକ୍ୟ ପୂରାବି ନ ହେଉଣୁ କେହି ଜଣେ ମଝିରୁହିଁ ବାଧା ଦେଲା–‘‘ବାପୁଜୀ ! କ’ଣ କ’ଣ ହେଉଥିଲା, ତା’ର ଖବର କ’ଣ ଆପଣଙ୍କୁ ଦିଆ ଯାଇ ନଥିଲା ?’’

 

ନେହେରୁ ସେଇ କହୁଥିବା ଲୋକଟିକୁ ଅଟକେଇ ଦେବାକୁ ଚାହୁଁଥିଲେ; କିନ୍ତୁ ଠିକ୍‌ ସେତିକିବେଳେ ଗାନ୍ଧିଜୀ କହିଉଠିଲେ ଯେ ତାଙ୍କୁ ବିଭାଜନର ପୂର୍ଣ୍ଣ ବିବରଣୀ ଆଦୌ ଦିଆଯାଇ ନଥିଲା ଏବଂ ଏତକ କହି ସେ ବଡ଼ ନିରୀହ ଏବଂ ଅକ୍ଷମ ଚାହାଣୀରେ ନେହେରୁଙ୍କ ଆଡ଼କୁ ଚାହିଁଲେ ।

 

ନେହେରୁ ବୋଧେ ଗାନ୍ଧିଙ୍କର ସେହି ଚାହାଣିକୁ ସହିପାରିଲେନି । ସାଙ୍ଗେ ସାଙ୍ଗେ ଅନ୍ୟ ଆଡ଼କୁ ମୁହଁ ବୁଲେଇ ନେଇ କହିଲେ, ‘‘ନୂଆଖାଲ ଖୁବ୍‌ ଦୂର । ହୁଏତ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ଜଣାଇ ଦିଆ ନ ଯାଇଥାଇପାରେ, ତଥାପି ବିଭାଜନ ଯୋଜନା ବିଷୟରେ ମୁଁ ଆପଣଙ୍କୁ ଚିଠି ଲେଖି ଦେଇଥିଲି ।’’

 

ଏହା ସ୍ପଷ୍ଟ ହୋଇଗଲା ଯେ ଗାନ୍ଧିଙ୍କୁ ସବୁ ବିଷୟ ଜଣାଇ ଦିଆଯାଇ ନଥିଲା ଏବଂ ଜାଣିଶୁଣି ତାଙ୍କୁ ଅନ୍ଧକାର ଭିତରେ ରଖାଯାଇଥିଲା । ପ୍ରକୃତ ଘଟଣା ଏଇଆ ଥିଲା ଯେ, ଲର୍ଡ଼ ମାଉଣ୍ଟ ବ୍ୟାଟେନ୍‌ଙ୍କ ମନ୍ତ୍ରଣା ଅନୁସାରେ ନେହେରୁ ଏବଂ ପଟେଲ ଏଇ ଚେଷ୍ଟାରେ ଥିଲେ ଯେ, ଯେ ପର୍ଯ୍ୟନ୍ତ ବିଭାଜନ ଯୋଜନାକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ନ ହୋଇଛି, ସେପର୍ଯ୍ୟନ୍ତ ବିଭାଜନ ଯୋଜନା ବିଷୟରେ ଚାଲିଥିବା କଥାବାର୍ତ୍ତାଠାରୁ ଗାନ୍ଧିଙ୍କୁ ଦୂରରେ ରଖାଯିବା ଉଚିତ ।

 

ଶେଷରେ ଗାନ୍ଧି ପରାମର୍ଶ ଦେବାକୁ ଯାଇ କହିଲେ, ‘‘ବର୍ତ୍ତମାନ ଆପଣମାନେ ଯୋଜନାକୁ ସ୍ୱୀକାର କରି ସାରିଛନ୍ତି । ଆପଣମାନେ ବିଭାଜନର ତତ୍ତ୍ୱକୁ ମଧ୍ୟ ମଞ୍ଜୁର କରି ନେଇଛନ୍ତି । ବର୍ତ୍ତମାନ ଆପଣମାନେ ଉଠେଇଥିବା ପାଦକୁ ପଛକୁ ଫେରେଇ ଆଣନ୍ତୁ, ଏଇଆ ମୁଁ କହିବାକୁ ଚାହୁଁନି, କିନ୍ତୁ ମୋର ଗୋଟାଏ କଥା ମାନିବେ । ବ୍ରିଟିଶ ଭାଇସ୍‌ରାୟଙ୍କୁ ଲେଖନ୍ତୁ ଯେ, କଂଗ୍ରେସ କାର୍ଯ୍ୟକାରୀ ସମିତି ବିଭାଜନ ତତ୍ତ୍ୱକୁ ମଞ୍ଜୁର କରି ନେଇଛନ୍ତି; କିନ୍ତୁ ଏହି ତତ୍ତ୍ୱକୁ ନିଶ୍ଚିତ ସମୟରେ କାର୍ଯ୍ୟରେ ପରିଣତ କରିବାପାଇଁ ଏଇଠି କୌଣସି ବ୍ରିଟିଶ ଅଧିକାରୀ ରହିବେ ନାହିଁ । ଏଇ ତତ୍ତ୍ୱ ସ୍ୱୀକୃତ ହେବା ସଙ୍ଗେ ସଙ୍ଗେ ବ୍ରିଟିଶ ଅଧିକାରୀ ଏଇଠୁଁ ଚାଲିଯିବା ଉଚିତ । କଂଗ୍ରେସ ଏବଂ ମୁସଲିମ ଲିଗ୍‍ର ପ୍ରତିନିଧିମାନେ ଏଇ ତତ୍ତ୍ୱ ସବିସ୍ତାର ଏବଂ ସ୍ପଷ୍ଟ ରୂପରେ ସାକାର କରିବାପାଇଁ ଏକତ୍ର କରି ନିଷ୍ପତ୍ତି କରିବେ ।’’

 

ଗାନ୍ଧିଙ୍କର ଏଇ ପ୍ରସ୍ତାବ ଶୁଣି ଲୋହିଆ ଯେପରି ଜାଗିଉଠିଲେ । କେତେ ମହାନ୍‌ ଏବଂ ଅନୁପମ ପ୍ରସ୍ତାବ ସତେ ! ଲୋହିଆଙ୍କର ମନେ ହେଲା, ଗାନ୍ଧିଙ୍କ ପାଖରେ ଭଙ୍ଗାକୁ ଗଢ଼ିଦେବା ପାଇଁ ଯେମିତି ବର୍ତ୍ତମାନ ସୁଦ୍ଧା ମସଲା ସୁରକ୍ଷିତ ଅଛି । ଲୋହିଆ ଆଶ୍ଚର୍ଯ୍ୟରେ ଗାନ୍ଧିଙ୍କୁ ଅନେଇ ରହିଗଲେ । ବୁଝିପାରିଲେନି ଯେ, ରାଜନୈତିକ ସନ୍ଥ ହେବାପାଇଁ ଇଚ୍ଛା କରୁଚି ନା ସନ୍ଥ ରାଜନୈତିକ ହେବାପାଇଁ ଆଗ୍ରହ ପ୍ରକାଶ କରୁଛି !

 

କିନ୍ତୁ ଧନ୍ୟ ଅଟନ୍ତି ଗାନ୍ଧିଙ୍କ ଶିଷ୍ୟଗଣ ।

 

କାର୍ଯ୍ୟକାରୀ ସମିତି ଗାନ୍ଧିଙ୍କର ଏଇ ଜୀବନ୍ତ ପ୍ରସ୍ତାବଟିକୁ ଉପେକ୍ଷା କରିଦେଲେ । ଏହାପରେ ସମସ୍ତେ ଆଶ୍ଚର୍ଯ୍ୟ ଧରଣର ମନୋବୃତ୍ତି ପୋଷଣ କଲେ । କିଏ କୌଣସି ଯୁକ୍ତିତର୍କ କଲେନି । ହଁ, ଡକ୍ଟର ଖାନ୍‌ ସାହେବ ଟିକିଏ ଗରମ ହୋଇ ଉଚ୍ଚ ସ୍ୱରରେ କହିଲେ, ‘‘ଏହାର ଅର୍ଥ ହେଉଚି ଯେ, ଆମେ ଯୋଜନାଟିକୁ ଅସ୍ୱୀକାର କରିଦଉଚୁ ଏଇ ଦୃଷ୍ଟିକୋଣରୁ ଯେ ଯଦି ବ୍ରିଟିଶ ଅଧିକାରୀ ଏଠି ରହିବେ ନାହିଁ, ତେବେ ଲିଗ୍‌ ଯୋଜନାର ବିଷୟବସ୍ତୁକୁ କାର୍ଯ୍ୟରେ ପରିଣତ କରିବାପାଇଁ କଂଗ୍ରେସ ସହିତ ବସିବାକୁ କଦାପି ରାଜି ହେବନି ।’’

 

ତା’ପରେ ବିଚାରା ଗାନ୍ଧିଙ୍କର ପ୍ରସ୍ତାବ ବିନା ଆଲୋଚନାରେହିଁ ବନ୍ଦ ହୋଇଗଲା । ଏ କଥା ସତ ଯେ ଯଦି ଏଇ ପ୍ରସ୍ତାବଟିକୁ ଗ୍ରହଣ କରି ନିଆଯାଇଥାନ୍ତା, ତେବେ ରକ୍ଷା ପାଇବାର ରାସ୍ତାଟି ସଫା ହୋଇଯାଇଥାନ୍ତା । ଦେଶର ଭାଗ୍ୟକୁ ବଦଳେଇ ଦେବା ଭଳି କାମ ହେଇଯାନ୍ତା; କିନ୍ତୁ ଏହା ହେବାର ନଥିଲା । ଗାନ୍ଧିଙ୍କର ଏହି ମହାନ୍‌ କାମରେ ସାହାଯ୍ୟ କରିବାକୁ ବୋଧେ କୌଣସି ଶକ୍ତି ମହଜୁଦ୍ ନଥିଲା ।

 

ତା’ ଆରଦିନ ଲୋହିଆଙ୍କ ଅଧ୍ୟକ୍ଷତାରେ ସୋସାଲିଷ୍ଟ ପାର୍ଟିର କାର୍ଯ୍ୟକାରିଣୀ ସମିତିର ବୈଠକ ବସିଲା । ବୈଠକ ପରେ ଜଣାଗଲା ଯେ, ସୋସାଲିଷ୍ଟ ପାର୍ଟି ନିଶ୍ଚୟ କରିଛନ୍ତି ଯେ, କଂଗ୍ରେସ କମିଟିର ବୈଠକରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଆଡ଼ୁ ଏଇ ଯୋଜନା ସମ୍ବନ୍ଧୀୟ ଯେଉଁ ପ୍ରସ୍ତାବ ଆଗତ କରାଯିବ, ତାକୁ ବିରୋଧ କରିବେ ନାହିଁ କିମ୍ବା କୌଣସି ସଂଶୋଧନ ପ୍ରସ୍ତାବ ମଧ୍ୟ ପେଶ୍‌ କରିବେ ନାହିଁ । ମୌନ ନୀତି ଅବଲମ୍ବନ କରାଯିବ ।

 

ସୋସାଲିଷ୍ଟ ପାର୍ଟିର ଏଇ ନିର୍ଣ୍ଣୟ ଉପରେ ହସିଦେଇ ବ୍ୟଙ୍ଗାତ୍ମକ କଣ୍ଠରେ ନେହେରୁ କହିଲେ, ‘‘ଏହା କ’ଣ ଗୋଟାଏ କିଛି ନିଷ୍ପତ୍ତି ?’’

 

ସେତେବେଳେ ଲୋହିଆ ଉତ୍ତର ଦେଲେ, ‘‘ଆମର ନୀରବତା ଭିତରେ ଆଗେଇ ଯିବାର ସଙ୍କେତ ଅଛି ।’’

 

ଏଭଳି ଭାବରେ ଲୋହିଆଙ୍କ ଅଧ୍ୟକ୍ଷତାରେ ସୋସାଲିଷ୍ଟ ପାର୍ଟି ବିଭାଜନ ପ୍ରସ୍ତାବ ଉପରେ ନୀରବ ରହିଲେ । ଲୋହିଆ ମନ ଭିତରେ ବିଭାଜନର ବିରୋଧୀ ରହି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେଲେ । ସେ ଏମିତି କାହିଁକି କଲେ, ସେ କଥା ସହଜରେ ବୁଝି ହେଲାନି । ହୋଇପାରେ ଯେ ଗାନ୍ଧିଙ୍କ ଦୁର୍ବଳତା ଯୋଗୁଁ ସାମୂହିକ ଭାବରେ ବିଭାଜନ ବିରୋଧରେ କୌଣସି ନିଷ୍ପତ୍ତି ନିଆଯାଇପାରିଲାନି; କିନ୍ତୁ ସ୍ୱଭାବତଃ ଲୋହିଆ ବ୍ୟକ୍ତିଗତ ଭାବରେ ତ ବିଭାଜନର ବିରୋଧ ନିଶ୍ଚୟ କରି ପାରିଥାନ୍ତେ । ଯଦି ବା କିଛି କରି ନଥାନ୍ତେ, ତେବେ ବିଭାଜନ ପ୍ରତି କଂଗ୍ରେସୀ ବଡ଼ପଣ୍ଡାଙ୍କର ନୀତିର ସାର୍ବଜନୀନ ଭାବରେ ଆଲୋଚନା କରି ଜେଲ ତ ଯାଇପାରିଥାନ୍ତେ । ବୋଧହୁଏ ଏହାଦ୍ୱାରା ଗାନ୍ଧି ମଧ୍ୟ ସକ୍ରିୟ ଭାବରେ ବିରୋଧ କରିବାର ସ୍ଥିତିରେ ନିଜକୁ ପାଇ ପାରିଥାନ୍ତେ ଏବଂ ଗାନ୍ଧି ଯଦି ଖୋଲାଖୋଲି ଭାବରେ ପ୍ରକାଶ୍ୟର ବିରୋଧୀ ହୋଇପଡ଼ିଥାନ୍ତେ, ତେବେ କ’ଣ ଦେଶର ନକ୍ସା ଆଜି ଅନ୍ୟ ପ୍ରକାର ହୋଇ ନଥାନ୍ତା ! ତା’ପରେ ବୋଧେ ଖାଁ ଅବଦୁଲ୍ ଗଫାର ଖାଁ ମଧ୍ୟ ମଉନ ହୋଇ ରହିପାରି ନଥାନ୍ତେ ।

 

ସେ ସମୟରେ ନୀରବରେ ସବୁ କିଛି ସହ୍ୟ କରାଯିବା ଅପରାଧର ଭାଗୀଦାର ଗାନ୍ଧି ଏବଂ ଲୋହିଆ ଦୁହେଁ ଅଟନ୍ତି । ସେ ଦୁହିଁଙ୍କର ନୀରବତା ଅପ୍ରତ୍ୟକ୍ଷ ଭାବରେ ଦେଶବିଭାଜନର ସମର୍ଥନ କଲ ।

 

ଦେଶବିଭାଜନ ପରି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ସୋସାଲିଷ୍ଟ ପାର୍ଟି ଓ ଲୋହିଆଙ୍କ ଭୂମିକା ଦେଶ ପକ୍ଷରେ ବିଷ ବୋଲି ପ୍ରମାଣିତ ହେଲା ।

 

ସେ ସମୟରେ ସୋସାଲିଷ୍ଟ ପାର୍ଟିର ଅବସ୍ଥା ପ୍ରକୃତରେ ବଡ଼ ସଙ୍କଟଜନକ ଥିଲା । ବାହାର ଲୋକେ ତାକୁ କଂଗ୍ରେସର ସହଯୋଗୀ ବୋଲି ମନେ କରୁଥିଲେ ଏବଂ କଂଗ୍ରେସ ତାଙ୍କୁ ନିଜର ଶତ୍ରୁ ବୋଲି ମନେ କରୁଥିଲା । ସୋସାଲିଷ୍ଟ ପାର୍ଟି ମଝିରେ ତ୍ରିଶଙ୍କୁ ଭଳି ରହିଯାଇଥିଲା ।

 

ବିଭାଜନକୁ ନେଇ ନିଜର ଭୂମିକାପାଇଁ ବୋଧେ ଲୋହିଆ ସେତେବେଳେ ନିଶ୍ଚୟ ପଶ୍ଚାତ୍ତାପ କରିଥିବେ । ସେଥିପାଇଁ ସେ କହିଥିଲେ, ‘‘ଆମେ ଯାହା କିଛି କାମ କରୁଛୁ, ତାହା କଂଗ୍ରେସର ସଭାପତି ଏବଂ ଦୃଢ଼ତାପାଇଁହିଁ କରୁଛୁ; କିନ୍ତୁ ଯେଉଁ ଲୋକଙ୍କ ହାତରେ ବର୍ତ୍ତମାନ କଂଗ୍ରେସ ପଡ଼ିଛି, ସେମାନେ ଯଦି ଆମକୁ ଏସବୁ କାମ କରିବାକୁ ନ ଦିଅନ୍ତି, ତେବେ ସୋସାଲିଷ୍ଟମାନଙ୍କୁ ବାଧ୍ୟ ହୋଇ କଂଗ୍ରେସ ବାହାରକୁ ଚାଲିଯିବାକୁ ହେବ ।’’

 

ଲୋହିଆଙ୍କ ମନରେ ଗୋଟାଏ ଦିଗରୁ କଂଗ୍ରେସ ପ୍ରତି ବିରକ୍ତି ଭାବ ଆସି କଂଗ୍ରେସ ଛାଡ଼ିବା କଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା । ଅନ୍ୟ ଦିଗରେ କିନ୍ତୁ ଥିଲା ଦେଶର ଅନେକ ସମସ୍ୟା । ବିଶେଷକରି ଶରଣାର୍ଥୀ ସମସ୍ୟା ।

 

କଂଗ୍ରେସ ଲୋକେ ତ ଏ ସମସ୍ୟାର ଭୀମକାୟ ରୂପକୁ ଦେଖି କୁଣ୍ଠିତ ହୋଇପଡ଼ିଥିଲେ; କିନ୍ତୁ ଲୋହିଆ କହିଥିଲେ, ‘‘ପାକିସ୍ଥାନରୁ ଆସିଥିବା ପଚାଶ ଲକ୍ଷ ଲୋକଙ୍କର ସଂଖ୍ୟା ସେମିତି କିଛି ବେଶୀ ତ ନୁହେଁ । ମୁସଲମାନ କିମ୍ବା ଅନ୍ୟମାନଙ୍କୁ ଏଠାରୁ ନ ହଟେଇହିଁ ସେମାନଙ୍କୁ ଅତି ସହଜରେ ଥଇଥାନ କରାଯାଇପାରିବ । ଆମ ଦେଶରେ ବର୍ଷକୁ ବର୍ଷ ବଢ଼ୁଥିବା ଲୋକସଂଖ୍ୟା ତ ୟା’ଠୁ କିଛି ବେଶି । ଆମେ ବିଗତ ଦିନଗୁଡ଼ିକରେ ୟା’ଠୁ ଦଶ ଗୁଣ ଅଧିକ ଲୋକଙ୍କୁ ଆଶ୍ରୟ ଦେଇସାରିଛୁ । ଇତିହାସରେ ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଯେ ବିଭିନ୍ନ ବିଦେଶୀ ଜାତି ଓ ସମ୍ପ୍ରଦାୟକୁ ଆମେ ସ୍ଥାନ ଦେଇଛୁ ଏବଂ ଆପଣାର କରିନେଇଛୁ ।’’

 

ତା’ ସାଙ୍ଗେ ସାଙ୍ଗେ ମୁସଲମାନମାନଙ୍କୁ ମଧ୍ୟ ଲୋହିଆ କହିଥିଲେ, ‘‘ମୁସଲମାନର ଦୁଇ ଦେଶ (ଭାରତ ତଥା ପାକିସ୍ଥାନ) ପ୍ରତି ଆନୁଗତ୍ୟ ରହିବା ଉଚିତ ନୁହେଁ । ସେମାନେ ଭାରତରେ ରହି ପାକିସ୍ଥାନକୁ ସମର୍ଥନ କରିପାରିବେ ନାହିଁ ।’’

 

ଜାନୁୟାରୀ ୧୯୪୭ରେ ଲୋହିଆ କଲିକତା ଗଲେ ।

 

କଲିକତାରେ ଲୋହିଆଙ୍କୁ ନେପାଳର କେତେକ ଲୋକ ଘେରିଗଲେ । ସେମାନେ ଚାହିଁଥିଲେ ଯେ ନେପାଳ ସମସ୍ୟା ଉପରେ ମଧ୍ୟ ଲୋହିଆ ହସ୍ତକ୍ଷେପ କରନ୍ତୁ, ଯେମିତି କି ସେ ଗୋଆକୁ ନେତୃତ୍ୱ ଦେଇଥିଲେ ।

 

ଦେଶ ଏବଂ ପାର୍ଟିର ଅବସ୍ଥା ଯୋଗୁଁ ଲୋହିଆଙ୍କ ମନ କ୍ଷୁବ୍ଧ ଥିଲା । କିନ୍ତୁ ସେ ସକ୍ରିୟ ସହଯୋଗ ନ ଦେଇ ସେମାନଙ୍କୁ ‘‘ନେପାଳୀ ରାଷ୍ଟ୍ରୀୟ କଂଗ୍ରେସ’’ ସ୍ଥାପନ କରିବାକୁ ପ୍ରେରଣା ଦେଲେ ।

 

ନେପାଳର ସମସ୍ୟା ଉପରେ ଲୋହିଆ ଅବଶ୍ୟ ଗୋଟାଏ ବିବୃତି ଦେଇଥିଲେ, ‘‘ନେପାଳ ବ୍ରିଟିଶ ସାମ୍ରାଜ୍ୟବାଦ ଆଉ ଗୋଟିଏ ଦ୍ୱୀପ ଭାବରେ ଗଢ଼ିଉଠିଚି–ଯେଉଁଠି ଲକ୍ଷ ଲକ୍ଷ ସୈନିକ ପରମ୍ପରା ଅନୁଯାୟୀ ଭର୍ତ୍ତି ହୁଅନ୍ତି ଏବଂ ତାଙ୍କଦ୍ୱାରା ତାଙ୍କର ଭାଇ–ବନ୍ଧୁଙ୍କୁ ଡକେଇ ଦିଆଯାଉଚି । ....ନେପାଳ ସରକାରଙ୍କ ବାର୍ଷିକ ଆୟ ପ୍ରାୟ ନଅ କୋଟି ଟଙ୍କା ଏବଂ ରାଣାମାନଙ୍କର ନିଜ ଆୟରୁ କେବଳ ତିନି ଲକ୍ଷ ଆରୋଗ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ କରାଯାଏ । .....ନେପାଳର ଚାଳିଶ ଜଣ ରାଣାଙ୍କୁ ସେଠିକାର ଦେଢ଼କୋଟି ନେପାଳୀ ଏବଂ ସମଗ୍ର ଏସିଆ ବିରୁଦ୍ଧରେ ମନଇଚ୍ଛା କାମ କରିବାପାଇଁ ଅନୁମତି ଦିଆଯାଏ । ଏହା କେତେ ନିନ୍ଦନୀୟ ।’’

 

ଲୋହିଆଙ୍କ ପ୍ରେରଣା ଯୋଗୁଁ ତିନି ମାସ ଭିତରେହିଁ ନେପାଳରେ ରାଣାଶାହୀ ବିରୁଦ୍ଧରେ ସତ୍ୟାଗ୍ରହ ଏବଂ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା ।

 

‘‘ନେପାଳୀ ରାଷ୍ଟ୍ରୀୟ କଂଗ୍ରେସ’’ ଏବଂ ନେପାଳୀ ସଂଘର୍ଷରେ ଲୋହିଆ ପ୍ରେରଣାର ସ୍ରୋତ ହୋଇ ଛିଡ଼ା ହୋଇଥିଲେ । ୧୯୪୭ ସାଲର ୨୫ ଏପ୍ରିଲ ଦିନ ‘‘ନେପାଳୀ କଂଗ୍ରେସ’’ର ଗୋଟାଏ ସାଧାରଣସଭା ଦାର୍ଜିଲିଙ୍ଗ୍‌ ପାଖରେ ଥିବା ‘‘ସୁକିୟାପୋକରୀ’’ରେ ହେବାର ଥିଲା । ସେଇ ସଭାରେ ଯୋଗ ଦେବାପାଇଁ ଲୋହିଆ ଦାର୍ଜିଲିଙ୍ଗ୍‍ରୁ ମୋଟର ଯୋଗେ ଗଲେ । ଦାର୍ଜିଲିଙ୍ଗ୍‍ର ପୋଲିସ୍ ଅଧିକାରୀ ତାଙ୍କ ମୋଟରକୁ ଅଟକେଇ ରଖିଲେ ଏବଂ ୧୪୪ ଦଫା ଲାଗୁ କରି ତାଙ୍କୁ ‘‘ସୁକିୟାପୋକରୀ’’ ଯିବାକୁ ମନା କଲେ । ଲୋହିଆ ତାହା ଅମାନ୍ୟ କରି ଆଗେଇଯିବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ଗିରଫ୍ କରି ନିଆଗଲା । ଦୁଇ ଘଣ୍ଟା ଅଟକେଇ ରଖିବା ପରେ ତାଙ୍କୁ ଛାଡ଼ି ଦିଆଗଲା । ଲୋହିଆ ପୁନଶ୍ଚ ‘‘ସୁକିୟାପୋକରୀ’’ ଆଡ଼କୁ ଆଗେଇଯିବାରୁ ପୁଣି ତାଙ୍କୁ ଗିରଫ୍ କରାଗଲା । ଦିନକ ଭିତରେ ସେ ଅନେକଥର ଆଗେଇଗଲେ ଏବଂ ବାରମ୍ବାର ଗିରଫ୍ ହେବାକୁ ଲାଗିଲେ । ଶେଷରେ ଦିନ ଶେଷ ହୋଇଗଲା ଏବଂ ସେ ‘‘ସୁକିୟାପୋକରୀ’’ ଯାଇପାରିଲେନି ।

 

୧୯୪୬–୪୭ ସାଲର ଏଇ ବର୍ଷ ସମ୍ଭବତଃ ଲୋହିଆଙ୍କ ପକ୍ଷରେ ଅତି ସଂଘର୍ଷର ସମୟ ଥିଲା ।

 

 

୧୯୪୭ ମସିହା

 

ଭାରତର ସ୍ୱାଧୀନତା ବର୍ଷ ।

 

ଦାସତ୍ୱରୁ ମୁକ୍ତି ବର୍ଷ ।

 

ଦୀର୍ଘ ଅନ୍ଧକାର ରାତ୍ରି ପରେ ଗୋଟାଏ ସୁନ୍ଦର ସକାଳ ।

 

କିନ୍ତୁ ସକାଳର ବାଳରବିକୁ ଭାଙ୍ଗିଦେବା ପାଇଁ କଳା କଳା ବଉଦ ମଧ୍ୟ ଆକାଶରେ ମୁଣ୍ଡ ଟେକି ଉଠୁଥିଲେ । ପୂର୍ବ ଆଡ଼କୁ ଆଗେଇବାରେବି ଲାଗିଲେ ।

 

ସନ ୧୯୪୪ର ଗିରଫ୍‍ଦାରି ପରେ ୧୯୪୭ ପର୍ଯ୍ୟନ୍ତ କଠୋର ବନ୍ଦୀ ଜୀବନ, ପୁଣି ଗୋଆ ସଂଘର୍ଷ ଏବଂ ତା’ ସାଙ୍ଗେ ସାଙ୍ଗେ ଦିଲ୍ଲୀର ସିଂହାସନ ପାଇଁ ବୁଢ଼ା ଏବଂ ହତାଶ କଂଗ୍ରେସୀ ବଡ଼ପଣ୍ଡାଙ୍କ ବ୍ୟଗ୍ରତା, ସ୍ୱାଧୀନତା ପାଇଁ ମୂଲଚାଲ, କଂଗ୍ରେସଦ୍ୱାରା ଗାନ୍ଧିଙ୍କ ଉପେକ୍ଷା–ଏସବୁ ଘଟଣାଗୁଡ଼ିକ ଏମିତି କିଛି କ୍ରମ ଏବଂ କ୍ଷିପ୍ରଗତିରେ ଘଟିଚାଲିଲା, ଯାହା ଫଳରେ କି ଲୋହିଆଙ୍କ ମନ ଭିତରେ ଆଘାତ ପରେ ଆଘାତହିଁ ବାଜିଲା । ଲୋହିଆ ଛଟପଟ ହୋଇଉଠନ୍ତି ଏବଂ ପର ମୁହୂର୍ତ୍ତରେ ଗାନ୍ଧୀଙ୍କ ମୁହଁକୁ ଦେଖି ନୀରବ ହୋଇ ରହିଯାନ୍ତି ।

 

କଂଗ୍ରେସୀ ନେତାଙ୍କର କ୍ଷମତା–କ୍ଷୁଧା ହଠାତ୍‌ ସମ୍ପୂର୍ଣ୍ଣ ନଗ୍ନତାର ସହ ଜାଗ୍ରତ ହୋଇଉଠିଥିଲା । ଆଗେଇ ଆସୁଥିବା ସ୍ୱାଧୀନତାର ଚମକ ଏବଂ ଉତ୍ସାହ ଯୋଗୁଁ ଭାରତର ଜନତା ଅବଶ୍ୟ କଂଗ୍ରେସର ବ୍ୟାପକ ଅଧଃପତନକୁ ଦେଖିପାରିଲେ ନାହିଁ । କିନ୍ତୁ ଗାନ୍ଧି ଏବଂ ଲୋହିଆ ଦୁହିଁଙ୍କର ଏପରି ଆଖି ଥିଲା, ଯଦ୍ଦ୍ୱାରା ସେ ଦୁହେଁ ଭବିଷ୍ୟତର ଘନଘୋର ଅନ୍ଧକାରକୁ ପରିଷ୍କାର ଭାବରେ ଦେଖିପାରୁଥିଲେ । ଗାନ୍ଧି ନିଜ ବିଶ୍ୱସ୍ତ ଶିଷ୍ୟଙ୍କ ଅସଲ ରୂପ ଦେଖି ଦୁଃଖାନ୍ତ ଦିବାସ୍ୱପ୍ନରେ ପୀଡ଼ିତ ହୋଇ ପଡ଼ିଥିଲେ ଏବଂ ଲୋହିଆ ଗାନ୍ଧିଙ୍କ ନୈରାଶ୍ୟ ଯୋଗୁଁ ଭୟଭୀତ ହୋଇ ପଡ଼ିଥିଲେ-

 

ଲୋହିଆଙ୍କ ନୈରାଶ୍ୟର ଅନ୍ୟ କାରଣ ଥିଲା–ଜବାହରଲାଲ ନେହେରୁ । ନେହେରୁ, ଯେ କି ଦିନେ ଲୋହିଆଙ୍କ ହୃଦୟରେ ତାଙ୍କର ଇଷ୍ଟ ରୂପରେ ବସିଥିଲେ, ସେ ଆଜି ପତନର ମାର୍ଗଦର୍ଶ୍ୱକରୂପେ ପରିଗଣିତ ହେଉଥିଲେ । ଦିଲ୍ଲୀରେ ଗଢ଼ାଯାଇଥିବା ସ୍ୱଦେଶୀ ସରକାର ଏବଂ ନେହେରୁଙ୍କ ଭୂମିକା ଦେଖି ଲୋହିଆ ଏଇ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ନେହେରୁ ଯେ ପର୍ଯ୍ୟନ୍ତ ଦିଲ୍ଲୀ ସିଂହାସନରେ ବସିରହିଛନ୍ତି, ସେ ପର୍ଯ୍ୟନ୍ତ କୌଣସି ପ୍ରଶ୍ନର ସମାଧାନ ହେବା ସହଜସାଧ୍ୟ ନୁହେଁ । ଦିଲ୍ଲୀର ସିଂହାସନ ଯେ ପର୍ଯ୍ୟନ୍ତ ସୁଧୁରି ନ ପାରିଛି କୌଣସି ସମସ୍ୟାର ନିରାକରଣ ସମ୍ଭବପର ନୁହେଁ । ଲୋହିଆ ମନେମନେ ଗୋଟାଏ ନିଷ୍ପତ୍ତି କରିନେଲେ ଯେ ଯଦି କୌଣସି ବେସରକାରୀ ଲୋକର ଦେଶର ସମସ୍ୟା ପ୍ରତି ଆଗ୍ରହ ଅଛି, ତା’ର ସର୍ବପ୍ରଥମେ ଦିଲ୍ଲୀ ସିଂହାସନକୁ ସୁଧାରିବା କାମରେ ଲାଗିଯିବା ଉଚିତ ।

 

ବୋଧେ ଏଇ ନିଷ୍ପତ୍ତି ସାଙ୍ଗକୁ ଲୋହିଆ ବୁଝିପାରିଥିଲେ ଯେ ସେ ବେସରକାରୀ ଲୋକଟି ଆଉ କେହି ନୁହେଁ, ସେ ନିଜେ ।

 

ସନ ୧୯୪୬ ଏକ ଦୁର୍ଭାଗ୍ୟଭରା ବର୍ଷ ଥିଲା ।

 

ଦିଲ୍ଲୀରେ ଗୋଟାଏ ରାଷ୍ଟ୍ରୀୟ ସରକାର ଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିଲେ । ତା’ ସହିତ ଦିଲ୍ଲୀରେ ଇଂରେଜ ଭାଇସ୍‌ରାୟ ମଧ୍ୟ ରହିଥିଲେ ଏବଂ ବ୍ରିଟିଶ ସେନାଙ୍କ ସହ ଇଂରେଜ କମାଣ୍ଡର୍–ଇନ୍‌–ବିଫ୍‌ ମଧ୍ୟ ବଳବତ୍ତର ଥିଲେ ।

 

ଦେଶର ଆଭ୍ୟନ୍ତରୀଣ ଅବସ୍ଥା ଖୁବ୍‌ ଦୟନୀୟ ହୋଇ ପଡ଼ିଥିଲା । ସମଗ୍ର ଦେଶରେ ବିଶେଷକରି ଉତ୍ତର ଭାରତ ତଥା ବଙ୍ଗଳାରେ ହିନ୍ଦୁ–ମୁସଲମାନଙ୍କ ଦଙ୍ଗାହଙ୍ଗାମା ଲାଗିରହିଲା । ରକ୍ତନଦୀ ବହିଚାଲିଥିଲା ଏବଂ ମୁସଲିମ ଲିଗ୍‌ର ନେତା ଜିନ୍ନା ଏଇ ପରିସ୍ଥିତିରୁ ଲାଭ ଉଠେଇ ଚାଲିଥିଲେ ।

 

ସେଇ ବର୍ଷ ୧୬ ଅଗଷ୍ଟ ଦିନ ମୁସଲିମ ଲିଗ୍‌ ‘‘ପ୍ରତ୍ୟକ୍ଷ ସଂଘର୍ଷ’’ (Direct action) ଘୋଷଣା କଲେ । ଏଇ ଘୋଷଣାଦ୍ୱାରା ଭାରତର ବିଷାକ୍ତ ବାତାବରଣରେ ଯେମିତି ନିଆଁରେ ଘିଅ ପଡ଼ିଗଲା । ଦଙ୍ଗାର ଅଗ୍ନିଶିଖା ଆକାଶକୁ ଛୁଇଁଗଲା ।

 

ସେଇ ୧୬ ଅଗଷ୍ଟ ଦିନ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଲୋହିଆ ବଙ୍ଗଳା ଏବଂ ଆସାମର ପାର୍ଟି ସଙ୍ଗଠନ ହେତୁ ଗସ୍ତରେ ବାହାରିଲେ । ପ୍ରଥମ ନିଶ୍ଚିତ ଲକ୍ଷ୍ୟ ଚଟ୍ଟଗ୍ରାମ ଥିଲା ଏବଂ ସେଇଠିକି ପାବନା ଷ୍ଟେସନ୍‍ରୁ ଯିବାର ଥିଲା; କିନ୍ତୁ ଲୋହିଆ ଯେତେବେଳେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଷ୍ଟେସନ୍‍ରେ ପହଞ୍ଚିଲେ, ଜଣାଗଲା ଯେ ଠିକ୍‌ ପାଞ୍ଚ ମିନିଟ୍‌ ଆଗରୁ ଗାଡ଼ି ଛାଡ଼ି ଦେଇଛି । ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ–ଏବେ କ’ଣ କରାଯାଇପାରେ । ଠିକ୍‌ ସେତିକିବେଳେ ଜଣାଗଲା ଯେ ଶୀଘ୍ର ଗୋଟାଏ ମାଲଗାଡ଼ି ସେ ଆଡ଼କୁ ଯିବ । ତିନି ଜଣ ସାଥୀଙ୍କ ସହିତ ଲୋହିଆ ମାଲଗାଡ଼ିରେ ଚଢ଼ିଗଲେ । କିନ୍ତୁ ଚଟ୍ଟଗ୍ରାମକୁ ଯିବାପାଇଁ କୁଷ୍ଟିୟା ଷ୍ଟେସନ୍‍ରୁ ଗାଡ଼ି ବଦଳେଇବାର ଥିଲା ଏବଂ ସେଇ ମାଲଗାଡ଼ି କୁଷ୍ଟିୟା ପାଖରେହିଁ ମାଲଗାଡ଼ିର ଗତି ଧିମେଇ ପଡ଼ିଆସିଲା । ଏଇ ଅବସରର ସୁଯୋଗ ଉଠେଇ ଲୋହିଆ ତାଙ୍କ ବନ୍ଧୁମାନଙ୍କ ସହ ଗାଡ଼ିରୁ ଡେଇଁପଡ଼ିଲେ । କୁଷ୍ଟିୟା ଷ୍ଟେସନ୍ ପାଖରେ ଗୋଟାଏ ବିରାଟ ଜନତାର ସୁଅ ଲୋହିଆଙ୍କ ଅପେକ୍ଷାରେ ଥିଲା । ସେଠି ମଧ୍ୟ ଦଙ୍ଗା ଚାଲିଥିଲା । ଷ୍ଟେସନ୍‍ରେହିଁ ଲୋକମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇ ଲୋହିଆ ଚଟ୍ଟଗ୍ରାମ ଅଭିମୁଖରେ ବାହାରି ପଡ଼ିଲେ ।

 

ଚଟ୍ଟଗ୍ରାମରେ ପାର୍ଟି ବୈଠକ ପରେ ରେଲୱେ ମଜଦୁରମାନଙ୍କର ସ୍ୱାଗତ ସଭାକୁ ଲୋହିଆ ଗଲେ । ସନ୍ଧ୍ୟା ପାଞ୍ଚଟାରେ ଗାନ୍ଧି ପଡ଼ିଆରେ ଜନ–ସଭା ହେବାର ଥିଲା । ଚାରିଆଡ଼େ ପାହାଡ଼–ପର୍ବତଘେରା ଛୋଟ ଗାନ୍ଧି ମଇଦାନରେ ଅସୁମାରି ଜନତାର ଭିଡ଼ । କିନ୍ତୁ ସେଠିକାର ବାତାବରଣ ମଧ୍ୟ ଖରାପ ଥିଲା । ଅବସ୍ଥା ଅସ୍ୱାସ୍ଥ୍ୟକର ଥିଲା, ହିଂସାର ଦୁର୍ଗନ୍ଧ ଉଠୁଥିଲା ।

 

ସଭା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଜିଲ୍ଲା ମାଜିଷ୍ଟ୍ରେଟ ସଭାକୁ ଆସିଲେ । ସେ ଥିଲେ ମୁସଲମାନ ଏବଂ ତାଙ୍କ ସାଙ୍ଗରେ ଥିଲେ ଖୁବ୍‌ ସଂଖ୍ୟାରେ ମୁସଲିମ ଲିଗ୍‌ର ଲୋକେ । ପାଞ୍ଚ ଛଅ ମିନିଟ୍‌ ଖଣ୍ଡେ ରହି ମାଜିଷ୍ଟ୍ରେଟ ତ ଫେରି ଚାଲିଗଲେ; କିନ୍ତୁ ତାଙ୍କର ଯିବା ପରେ ପରେ ସଭାର ଚାରି ଦିଗରୁ ଖାଲି ଇଟା–ପଥର ଭୟାନକ ଭାବରେ ବୃଷ୍ଟି ହେବାକୁ ଲାଗିଲା । ଆଉ ‘‘ଆଜ୍ଞା ହୋ ଆକବର’’ ଏବଂ ‘‘ମାର ମାର’’ ଚିତ୍କାରହିଁ ସ୍ଲୋଗାନ ରୂପରେ ଶୁଣାଯାଉଥିଲା ।

 

ଦେଖୁଦେଖୁ ଲିଗ୍‌ର କେତେକ ଲୋକ ଲାଠି ଏବଂ ଖଣ୍ଡା ଧରି ନିରସ୍ତ୍ର ଜନତା ଉପରକୁ କୁଦି ପଡ଼ିଲେ । ଜଣେ ଲୋକକୁ ତ ଠିକ୍‌ ଲୋହିଆଙ୍କ ସାମ୍ନାରେହିଁ ମାରି ଦିଆଗଲା । ଲୋହିଆଙ୍କ ଦେହରେ ମଧ୍ୟ ବାରମ୍ବାର ଟେକା–ପଥର ଆସି ପଡ଼ୁଥିଲା । ଧୀରେ ଧୀରେ ସଭାସ୍ଥଳୀର ଭିଡ଼ ଇତସ୍ତତଃ ହୋଇଗଲା । ଲୋକେ ନିଜ ନିଜର ଜୀବନ ଧରି ପଳେଇବାକୁ ଲାଗିଲେ । ସଭାସ୍ଥଳରେ କେବଳ ଲୋହିଆ ଏବଂ ତାଙ୍କର ଅନ୍ୟ ପାଞ୍ଚ ଜଣ ବନ୍ଧୁହିଁ ରହିଗଲେ । ବାତାବରଣରେ ହିଂସା ଏବଂ ଭୟ ଦେଖି ବନ୍ଧୁମାନେ ଲୋହିଆଙ୍କୁ ସେଇଠୁ ଚାଲିଯିବାକୁ କହିଲେ । କିନ୍ତୁ ଲୋହିଆ କର୍ତ୍ତବ୍ୟ ଏବଂ ଜିଦ୍‌ ଉପରେ ଅଟଳ ହୋଇ ରହିଲେ । ସେ କହିଲେ, ‘‘ଯେ କୌଣସିମତେ ସଭା ନିଶ୍ଚୟ ହେବ । ସଭା ନ କରି ମୁଁ ଏପରି ଭାବରେ ଚାଲିଯାଇପାରିବିନି ।’’

 

ଏତକ ଶୁଣି ବନ୍ଧୁମାନେ ବ୍ୟସ୍ତ ହୋଇପଡ଼ିଲେ । ଏ ସମୟ ଜିଦ୍‌ କରିବାର ସମୟ ନଥିଲା । ତେବେ ସଭା ପୁଣି ହେବ କିପରି ! ଶ୍ରୋତାସବୁ ତ ଚାଲିଗଲେଣି । ଠିକ୍‌ ସେତିକିବେଳେ ଦଙ୍ଗାକାରୀମାନଙ୍କର ଚିତ୍କାର ଶୁଣାଗଲା, ‘‘ଆମକୁ ଲୋହିଆଙ୍କ ମୁଣ୍ଡ ଦରକାର ।’’

 

ଏ ଚିତ୍କାର ଶୁଣି ବନ୍ଧୁମାନଙ୍କର ଫାକାସି ଉଡ଼ିଗଲା । କିନ୍ତୁ ଲୋହିଆ ସଭାସ୍ଥଳ ଛାଡ଼ିଯିବାକୁ ଆଦୌ ପ୍ରସ୍ତୁତ ନଥିଲେ । ଶେଷରେ ବନ୍ଧୁମାନେ ବିରକ୍ତ ହୋଇ ଲୋହିଆଙ୍କୁ ବଳପୂର୍ବକ ଧରି ଟାଣି ଟାଣି ସଭାସ୍ଥଳରୁ ନେଇଗଲେ । ଦଙ୍ଗାକାରୀ ଦଳ ସେମାନଙ୍କର ପିଛା ଧରିଲେ । ଶେଷରେ କୌଣସି ଉପାୟ ନ ଦେଖି ବନ୍ଧୁମାନେ ଲୋହିଆଙ୍କୁ ପାଖରେ ଥିବା ଗୋଟାଏ କୋଠାଘର ଭିତରକୁ ଟାଣି ନେଇଗଲେ ।

 

ସଭାଭଙ୍ଗର ଖବର ଶୁଣି ସମଗ୍ର ସହରରେ କୋଳାହଳ ଛାଇଗଲା । ଖୁବ୍‌ ସଂଖ୍ୟାରେ ରୁଣ୍ଡ ହୋଇଥିବା ଲିଗ୍‌ର ଗୁଣ୍ଡାମାନେ ସ୍ଥିର କଲେ, ଲୋହିଆ ଲୁଚିଥିବା ଘର ଉପରେ ଆକ୍ରମଣ କରି ନିଆଁ ଲଗାଇଦେବେ । ଲିଗ୍‌ ଗୁଣ୍ଡାଙ୍କର ଏଇ ମନ୍ତ୍ରଣା ଜାଣି ସୁଦ୍ଧା ପୋଲିସ୍ ଖୁବ୍‌ ବିଳମ୍ବରେ ଆସି ପହଞ୍ଚିଲେ । ତା’ପରେ ସଶସ୍ତ୍ର ପୋଲିସ୍ ଫଉଜବି ଆସିଲେ । ସହର ଭିତରେ କର୍ଫ୍ୟୁ ଜାରି କରି ଦିଆଗଲା । ପରେ ପରେ ପୋଲିସ୍‍ର ଜଣେ ହାବିଲଦାର ଲୋହିଆଙ୍କୁ ପଚାରିଲେ ଯେ ତାଙ୍କୁ ଖୁବ୍‌ ଆଘାତ ତ ଲାଗିନି ! ସେ କହିଲେ ଯେ ଲିଗ୍‌ ଘୋଷଣା କରିଥିଲା କି ଲୋହିଆଙ୍କର ମୁଣ୍ଡ ଆଣି ଦେବା ଲୋକକୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ ।

 

ଲୋହିଆଙ୍କ ମସ୍ତକର ମୂଲ୍ୟ ଦଶ ହଜାର ଟଙ୍କା !

 

ଲିଗ୍‌ର କେତେକ ପାଗଳ ଯୁବକ ଲୋହିଆଙ୍କର ମୁଣ୍ଡ କାଟି ନେଇ ପୁରସ୍କାର ପାଇବାକୁ ପାଗଳ ହୋଇଉଠିଥିଲେ ଯେମିତି । କିନ୍ତୁ କୌଣସିମତେ ସାରା ରାତି ଉଜାଗର ରହି, କୋଠାର ଚାରିପଟେ ପହରା ଦେଇ ପାର୍ଟି ଲୋକମାନେ ଲୋହିଆଙ୍କୁ ରକ୍ଷା କଲେ ଏବଂ ତହିଁ ଆରଦିନ ସକାଳୁହିଁ ଲୋହିଆଙ୍କୁ ନେଇ ଅନ୍ୟ ସ୍ଥାନକୁ ଚାଲିଗଲେ ।

 

ଚଟ୍ଟଗ୍ରାମରେ ଆଉ ମିନିଟଟେବି ରହିବା ମାନେ ବିପଦକୁ ହାତ ଠାରି ଡାକି ଆଣିବା । କିନ୍ତୁ ଲୋହିଆ ବିପଦର ସମ୍ମୁଖୀନ ହେବାକୁ ଯେମିତି ପ୍ରସ୍ତୁତ ଥିଲେ । କିନ୍ତୁ ପାର୍ଟିର କର୍ମକର୍ତ୍ତା ତଥା ବନ୍ଧୁମାନଙ୍କର ତ ପୁଣି ଦାୟିତ୍ୱ ବୋଲି କିଛି ଗୋଟାଏ ଥିଲା । ସେମାନେ ଆଉ ମିନିଟଟେବି ତାଙ୍କୁ ଚଟ୍ଟଗ୍ରାମରେ ରହିବାକୁ ଦେଲେ ନାହିଁ ।

 

ଯେଉଁ ଯେଉଁ ସ୍ଥାନକୁ ଲୋହିଆ ଗଲେ, ସେଇ ସେଇ ସ୍ଥାନରେ ସ୍ଥିତି ଆଦୌ ଭଲ ନଥିଲା । ଚାରିଆଡ଼େ ଦଙ୍ଗାର ସାମ୍ରାଜ୍ୟ ଲାଗି ରହିଥିଲା । କ୍ଷୁବ୍ଧ ଜନତା ପ୍ରତିଶୋଧ ନେବା ଭାବନାରେ ଯେମିତି ପାଗଳ ହୋଇ ଉଠିଥିଲା । ଲୋହିଆ ଶାନ୍ତିର ସନ୍ଦେଶ ଦେଇ ଦେଇ ଏବଂ ଉତ୍ତେଜିତ ଲୋକଙ୍କୁ ବୁଝାବୁଝି କରି ଆଗେଇ ଯିବାକୁ ଲାଗିଲେ ।

 

ପରିସ୍ଥିତି ଅତିଶୟ ଶୋଚନୀୟ ଯୋଗୁଁ ଲୋହିଆ ଶୀଘ୍ର କଲିକତା ଫେରିଆସିଲେ । ହିନ୍ଦୁ–ମୁସଲମାନଙ୍କର ଏକତା ରକ୍ଷା ଏବଂ ସାମ୍ପ୍ରଦାୟିକତା ନିଆଁକୁ ଶାନ୍ତକରିବାହିଁ ବର୍ତ୍ତମାନ ଲୋହିଆଙ୍କର ପ୍ରଥମ କାମ ହୋଇପଡ଼ିଲା । କଲିକତାରେ ଲୋହିଆ ପାର୍ଟିର ବନ୍ଧୁମାନଙ୍କୁ ନେଇ ‘‘ଗଣ–ଫୌଜ’’ ନାମରେ ଏକ ସ୍ୱୟଂ–ସେବକ ସଂଗଠନ ଗଢ଼ିଲେ । କାଶୀପୁରରେ ଗୋଟାଏ ‘‘ଶାନ୍ତି–କେନ୍ଦ୍ର’’ ମଧ୍ୟ ଖୋଲିଲେ ।

 

ବଙ୍ଗଳାରେ ନିଆଁ ଲାଗିଥିଲା ଏବଂ ଦିଲ୍ଲୀରେ ସମ୍ବିଧାନ ସଭା ଚାଲିଥିଲା । କଲିକତା ପୋଡ଼ୁଥିଲା ଏବଂ ଦିଲ୍ଲୀ ସଜା ଚାଲିଥିଲା ।

 

୩୦ ଡିସେମ୍ବର, ୧୯୪୬ ଦିନ ନୂଆଖାଲିରେ ଲୋହିଆ କହିଲେ, ‘‘ନୂଆଖାଲିରେ ଗାନ୍ଧିଜୀଙ୍କ କାର୍ଯ୍ୟକଳାପର ଦୁଇଟି ଦିଗ ଅଛି । ଏକ–ମୁସଲିମମାନଙ୍କ ମନରୁ ଅବିଶ୍ୱାସର ଭାବନା ଦୂର କରିବା ଏବଂ ଦୁଇ–ରାଷ୍ଟ୍ରୀୟତା ପାଇଁ ଦାବି କରୁଥିବା ଲୋକଙ୍କ ମନ ଭିତରେ ଆତ୍ମବିଶ୍ୱାସ ଏବଂ ସାହସ ବୃଦ୍ଧି କରିବା । ହିନ୍ଦୁସ୍ଥାନର ରଙ୍ଗମଞ୍ଚ ଉପରେ ଦୁଇଟି ନାଟକ ଚାଲିଛି । ଗୋଟାଏ ଶ୍ରୀରାମପୁରର ଏବଂ ଅନ୍ୟଟି ସମ୍ବିଧାନ ସଭାର ।’’

 

ନୂଆଖାଲିରେ ଗାନ୍ଧିଜୀଙ୍କ ସହ ଲୋହିଆଙ୍କର ସାକ୍ଷାତ ହେଲା । ଗାନ୍ଧି ଏବଂ ଲୋହିଆ, ଦୁହେଁ ହିନ୍ଦୁ–ମୁସଲମାନଙ୍କ ଏକତା ରକ୍ଷା କାମରେ ଲାଗିଥିଲେ । ଗାନ୍ଧିଜୀ ଲୋହିଆଙ୍କୁ କଲିକତାରେ ରହି ତାଙ୍କ କାମରେ ଲାଗିପଡ଼ିବାକୁ କହିଲେ । ଦେଶର ଏଇ ପତନ ଅବସ୍ଥା ଏବଂ ଏଇ ଅବସରରେ କଂଗ୍ରେସୀ ନେତାଙ୍କ ଭୂମିକା ଦେଖି ଲୋହିଆ ଆନ୍ତରିକ ଭାବରେ କ୍ଷୁବ୍ଧ ଏବଂ ପୀଡ଼ିତ ହୋଇ ପଡ଼ିଥିଲେ । କଂଗ୍ରେସର ଏଇ ଦାୟିତ୍ୱହୀନତା ପାଇଁ ଲୋହିଆ ମୁଖ୍ୟତଃ ଗାନ୍ଧିଜୀଙ୍କୁହିଁ ଦାୟୀ ବୋଲି ମନେ କରୁଥିଲେ । ଗାନ୍ଧିଜୀ ତ ବ୍ୟକ୍ତିଗତ ଭାବରେ ଦେଶଟାକୁ ପତନ ମୁଖରୁ ଉଦ୍ଧାର କରିବାପାଇଁ ସର୍ବାଧିକ ପ୍ରୟାସ କରୁଥିଲେ; କିନ୍ତୁ କଂଗ୍ରେସୀ ନେତାମାନଙ୍କୁ ଟଳେଇ ଦେବାର ଶକ୍ତି ଯେମିତି ସେ ସମ୍ପୂର୍ଣ୍ଣ ଭାବରେ ହରେଇ ବସିଥିଲେ । ସେଥିପାଇଁ ଲୋହିଆ ଗାନ୍ଧିଙ୍କ ଉପରୁ ନିରାଶ ହେବା ଅପେକ୍ଷା ତାଙ୍କ ପ୍ରତି ବିକଳ ହୋଇ ଉଠୁଥିଲେ । ଏଇ ବୁଢ଼ା ବୟସରେ ଗାନ୍ଧିଙ୍କ ସହିତ ତାଙ୍କର ଶିଷ୍ୟମାନେ ଯେପରି ବ୍ୟବହାର କରୁଥିଲେ, ତା’ କେବଳ ଦୟା ଦେଖାଇବାର ବିଷୟ ଥିଲା ।

 

ପ୍ରଥମେ ପ୍ରଥମେ ଲୋହିଆ ଗାନ୍ଧିଙ୍କ ଆଗ୍ରହକୁ ସ୍ୱୀକାର କରିପାରିଲେନି । ଏଇ ଦଙ୍ଗାକୁ ବନ୍ଦ କରିବା ବିଷୟରେ ତାଙ୍କର ଆତ୍ମବିଶ୍ୱାସ ଯେମିତି ସହଯୋଗ କରୁ ନଥିଲା । କିନ୍ତୁ ତିନି ଚାରି ଦିନ ଲୋହିଆଙ୍କୁ ପାଖରେ ରଖି ଗାନ୍ଧିଜୀ ନିଜ କାମରେ ଭାଗୀଦାର ହେବାପାଇଁ ରାଜି କରାଇନେଲେ ।

 

ଲୋହିଆ ସେ ପର୍ଯ୍ୟନ୍ତ ଗାନ୍ଧିଙ୍କ ପ୍ରଚେଷ୍ଟାର ପରିଣାମ ସମ୍ବନ୍ଧରେ ନିଜ ମନ ଭିତରେ ଆଶାର ସଞ୍ଚାର କରିପାରି ନଥିଲେ ସୁଦ୍ଧା ଗାନ୍ଧିଙ୍କ ପ୍ରତି ତାଙ୍କ ମନରେ କୃତଜ୍ଞତା ଭରି ଉଠିଥିଲା । ସେଥିପାଇଁ ଗାନ୍ଧିଙ୍କ ସାମ୍ନାରେ ସ୍ପଷ୍ଟ ମନା କରିଦେବା ପାଇଁ ତାଙ୍କ ପକ୍ଷରେ କଷ୍ଟକର ହୋଇଉଠିଲା-। ଗାନ୍ଧିଙ୍କର କାର୍ଯ୍ୟକଳାପକୁ ଲୋହିଆ ଭୁଲି ପାରି ନଥିଲେ । ଲୋହିଆଙ୍କ ମନେ ଥିଲା–ଯେତେବେଳେ ସେ ଗୋଆରେ ଗିରଫ୍ ହୋଇଥିଲେ, ସେତେବେଳେ ତାଙ୍କ (ଲୋହିଆଙ୍କ) କାର୍ଯ୍ୟକଳାପ ସମ୍ବନ୍ଧରେ କୌଣସି ଖବର ନ ରଖି ମଧ୍ୟ ଗାନ୍ଧି ତାଙ୍କୁ ସମର୍ଥନ କରି କେତେ ଲେଖାପଢ଼ା କରିଥିଲେ । ବମ୍ବେରେ ଗାନ୍ଧିଜୀ ଲୋହିଆଙ୍କୁ କହିଲେ, ‘‘ତୁମର ଗିରଫ୍ ହେବାର ସମ୍ବାଦ ମୁଁ ସକାଳ ଦଶଟାରେ ଜାଣିପାରିଲି ଏବଂ ଠିକ୍‌ ବାରଟାରେ ତୁମ ଗିରଫ୍‍ଦାରିର ଧିକ୍‌କାର କରିବା ସଙ୍ଗେ ସଙ୍ଗେ ଗୋଆ ଆନ୍ଦୋଳନର ସମର୍ଥନ କରି ବିବୃତି ପ୍ରକାଶ କରିଥିଲି । ...ଯଦିଓ ତୁମେ ସେଠି କ’ଣ କରିବାକୁ ଯାଉଛ, ସେ ସମ୍ବନ୍ଧରେ ମୋତେ କିଛି କହି ନଥିଲ, ତଥାପି ମୁଁ ମୋର କର୍ତ୍ତବ୍ୟ କଲି ।’’

 

ଲୋହିଆ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ସ୍ଥିର କରିନେଲେ । ସେ କଲିକତାରେ ଜମି ରହିବାକୁ ମଧ୍ୟ ଠିକ୍‌ କରିନେଲେ । କିନ୍ତୁ କଲିକତାରେ ରହି କ’ଣ କରିବାକୁ ହେବ, ଗାନ୍ଧିଜୀ ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସଂକେତ ଦେଇ ନଥିଲେ । ନା ଏ ସମ୍ବନ୍ଧରେ ଖୋଲାଖୋଲି ଭାବରେ କିଛି ଚର୍ଚ୍ଚା ହୋଇଥିଲା, ନା ଗାନ୍ଧିଜୀ କିଛି କହିଥିଲେ, ନା ଲୋହିଆ ତାଙ୍କୁ କିଛି ପଚାରିଥିଲେ । ଯେତେବେଳେ କଲିକତାରେ ରହିବା ସ୍ଥିର ନିଶ୍ଚିତ ହୋଇଗଲା, ଦିନେ ଲୋହିଆ ଗାନ୍ଧିଜୀଙ୍କୁ ପଚାରିଲେ–‘‘ମୁଁ ଏ ପ୍ରଶ୍ନ ଯଦିଓ ଆପଣଙ୍କୁ ପଚାରିବାକୁ ଚାହୁଁ ନଥିଲି, ସେ ଯାହାହେଉ, ବର୍ତ୍ତମାନ ଆପଣଙ୍କ ଇଚ୍ଛା କ’ଣ କହନ୍ତୁ ମୁଁ କ’ଣ କରିବି ?’’

 

ଗାନ୍ଧିଜୀ ସାଙ୍ଗେ ସାଙ୍ଗେ କହିଥିଲେ–‘‘ତୁମେ କ’ଣ କରିବ, ସେକଥା କହିବା ମୋର ଆବଶ୍ୟକ ନାହିଁ । ତୁମେ ଯାହା ଭାବୁଛ, ଯାହା ଚାହୁଁଛ, କର । ତୁମେ କଲିକତାରେ ରୁହ । ମୁଁ ଚାହୁଁଛି ଯେ ତୁମେ ସେଠି ରହି ନିଜର କେତେକ ମୁସଲମାନ ବନ୍ଧୁଙ୍କୁ ଖୋଜି, ତାଙ୍କୁ ତାଙ୍କ ଘରେ ଯାଇ ଦେଖା କର ଏବଂ ବନ୍ଧୁତା ବଢ଼ାଇବାକୁ ଚେଷ୍ଟା କର ।’’

 

ସେତେବେଳେ ଗାନ୍ଧିଙ୍କ କଥା ଶୁଣି ଲୋହିଆଙ୍କର ମନେ ହେଲା ଯେ ଏଇଟା ତ ଗୋଟାଏ ଅତି ସାଧାରଣ ଏବଂ ସହଜ କାମ । କିନ୍ତୁ ପରେ ସେ ଜାଣିଲେ ଯେ ଏ କାମ କେତେ କଠିଣ ଏବଂ ଦୁରୂହ । କଲିକତାର ବାତାବରଣ ଦୂଷିତ ହୋଇ ପଡ଼ିଥିଲା । ହିଂସା, ହତ୍ୟା ଏବଂ ରକ୍ତପାତଦ୍ୱାରା ସହରର ବାତାବରଣ ସମ୍ପୂର୍ଣ୍ଣରୂପେ ବଷାକ୍ତ ହୋଇ ପଡ଼ିଥିଲା । କହିବାକୁ ଗଲେ ସହରଟି ଦୁଇ ଭାଗ ହୋଇଯାଇଥିଲା । ହିନ୍ଦୁ କିମ୍ବା ମୁସଲମାନ ଉଭୟେ ଉଭୟଙ୍କ ଘରକୁ ଯିବା–ଆସିବା କଷ୍ଟକର ହୋଇ ପଡ଼ିଥିଲା । କେବଳ ବଜାର ଭିତରେ, ଦରକାରୀ ଜିନିଷପତ୍ର ଦୁହେଁ ଏକା ସାଙ୍ଗରେ କିଣୁଥିଲେ । ଲୋକେ ଦୋକାନକୁ ଆସନ୍ତି, କିଣାବିକା କରନ୍ତି; କିନ୍ତୁ ପରସ୍ପର ଭିତରେ କଥାବାର୍ତ୍ତା କରିବାକୁ ଖୁବ୍‌ କମ୍‌ ଚେଷ୍ଟା କରନ୍ତି । ପ୍ରତ୍ୟେକ ଲୋକ ସଦାସର୍ବଦା ନିଜ ନିଜକୁ ହିନ୍ଦୁ କିମ୍ବା ମୁସଲମାନ ବୋଲି ମନେ କରୁଥିଲେ । ଦିନଯାକ ପରସ୍ପର ତଣ୍ଟି ଛୁରିରେ କାଟିଦେବା ପାଇଁ ଉପାୟ ଖୋଜିବାରେ ବ୍ୟସ୍ତ ଥିବା ଲୋକେ କେବଳ ନିଜ ବ୍ୟାପାରହିଁ ସ୍ୱାଭାବିକ ଢଙ୍ଗରେ ଚଳାଉଥିଲେ ।

 

ସେତେବେଳେ ଏଭଳି ଅଦ୍ଭୁତ ଅବସ୍ଥା କଲିକତାର ।

 

କଲିକତା ଆସି ଲୋହିଆଙ୍କୁ ନିଜର ପୁରୁଣା ମୁସଲମାନ ବନ୍ଧୁଙ୍କୁ ଖୋଜିବାରେ ବଡ଼ ଅଡ଼ୁଆ ପଡ଼ିଲା । କେହି ମିଳିଲେ ନାହିଁ । ତା’ପରେ ତାଙ୍କୁ ଖୋଜିବାପାଇଁ ଲୋହିଆ କେତେ ଲୋକଙ୍କୁ ପଠାଇଲେ ଏବଂ ପ୍ରତ୍ୟେକ ସ୍ଥାନରୁ ଯେମିତି ମନଗଢ଼ା ହୋଇ ଗୋଟାଏ ପ୍ରକାର ଉତ୍ତର ମିଳୁଥିଲା–ଅମୁକ ଲୋକ କଲିକତା ଛାଡ଼ି ଚାଲିଗଲେଣି, ସମୁକ ଘରେ ନାହାନ୍ତି, ସେ କହିଛନ୍ତି ଯେ ସେ ନିଜେ ଯାଇ ଦେଖା କରି ଆସିବେ, ବେଶ୍‌ ।

 

ଚାରି ପାଞ୍ଚ ଦିନ ଧରି ସେଇ ଗୋଟାଏ କିସମର ଉତ୍ତର ପାଇ ପାଇ ଲୋହିଆ ବିରକ୍ତ ହୋଇପଡ଼ିଲେ । ଶେଷରେ ସେ ନିଜେ ବାହାରକୁ ବାହାରି ପଡ଼ିଲେ । ଗୋଟାଏ ଜାଗାରେ, ସେ ଯେତେବେଳେ ହିନ୍ଦୁ ଗଳି ପାର ହୋଇ ମୁସଲମାନ ଗଳି ଭିତରେ ପଶିବାକୁ ଆଗେଇଗଲେ, ଗଳି ସୀମାରେ ପ୍ରାୟ ଦୁଇ ତିନି ଶହ ହିନ୍ଦୁକୁ ରୁଣ୍ଡ ହୋଇଥିବାର ଦେଖିଲେ । ସେମାନେ ସମସ୍ତେ ଲୋହିଆଙ୍କର ଏଇ ଦୁଃସାହସ ଏବଂ ବିବେକହୀନତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଲୋହିଆ ସେମାନଙ୍କ ଚିନ୍ତା ନ କରି ମୁସଲମାନଙ୍କ ବସ୍ତି ଭିତରକୁ ପଶିଗଲେ । ସେଇଠି ଯାଇ ଦେଖିଲେ ଯେ ମୁସଲମାନଙ୍କ ଚେହେରା ଅତିଶୟ କ୍ରୋଧରେ ନାଲି ପଡ଼ି ରହିଛି । ବର୍ତ୍ତମାନ ଲୋହିଆଙ୍କୁ ଗାନ୍ଧିଜୀ କହିଥିବା ଗୋଟାଏ ସାଧାରଣ କାମର ଗମ୍ଭୀରତାର ଆଭାସ ମିଳିଲା ।

 

ସେଇ ବସ୍ତିର ଲୋକଙ୍କ ସାଙ୍ଗରେ ଲୋହିଆ ହସ–ଖୁସିରେ କଥା ହେବାକୁ ଇଚ୍ଛା କଲେ-। ଶେଷରେ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେ ଯାହାକୁବି ରାସ୍ତାରେ ଦେଖୁଥିଲେ ତା’ ସାଙ୍ଗେ ବାଟ–ଘାଟ ପଚାରିବା ଭଳି ସାଧାରଣ କଥାବାର୍ତ୍ତା କରୁଥିଲେ । ଏହି କ୍ରିୟାର ପ୍ରଭାବ ପଡ଼ିଲା । ଯେତେ ଯାହା ହେଲେବି ସମସ୍ତେ ମଣିଷ ତ ! ରାସ୍ତା ବତେଇଦେବା ପାଇଁ ଲୋକେ ଆଗେଇ ଆସିଲେ । ଗୋଟାଏ ପିଲା କହିଲା–‘‘ଚାଲ ମୁଁ ବତେଇ ଦେବି । ମୋ ପଛେ ପଛେ ଆସ-।’’ ସେଇ ପିଲାଟିର ସାହାଯ୍ୟରେ ଲୋହିଆ ନିଜର କେତେ ଜଣ ବନ୍ଧୁଙ୍କ ଘର ଖୋଜି ପାଇଲେ ଏବଂ ତା’ପରେ ‘‘ମୁସଲିମ ବିଦ୍ୟାର୍ଥୀ ସଂଘ ହଷ୍ଟେଲ୍’’ ଭିତରେ ଥିବା ନିଜର ଜଣେ ବନ୍ଧୁଙ୍କ ପାଖରେ ଯାଇ ପହଞ୍ଚିଗଲେ । କିନ୍ତୁ ସେଠିବି ଯୁକ୍ତିତର୍କ କରିବାକୁ ପଡ଼ିଲା । ଦୀର୍ଘ ଦୁଇ ଘଣ୍ଟାର ଯୁକ୍ତିତର୍କ ପରେ ସେ ପରିସ୍ଥିତିକୁ ଆୟତ୍ତ କରିନେଲେ । ମୁସଲିମ ହଷ୍ଟେଲ୍‍ର ପିଲାମାନେ ସିଧାସଳଖ ପ୍ରଶ୍ନ କଲେ–‘‘ଜିନ୍ନା ସାହେବଙ୍କୁ ଆପଣ ବିଶ୍ୱାସଘାତକ ଏବଂ ମୀର୍‍ଜାଫର ବୋଲି ମାନୁଛନ୍ତି କି ?’’

 

ଲୋହିଆ କହିଲେ–‘‘ଜିନ୍ନା ସାହେବ ଇଂରେଜ ରାଜତ୍ୱକୁ ମଜବୁତ୍‌ କରିବାପାଇଁ କାମ କରୁଛନ୍ତି କାହିଁକି ?’’

 

ପିଲାମାନେ ମଧ୍ୟ ରାଗରେ ପଚାରିଲେ–‘‘ଯଦି ଆପଣ ଜିନ୍ନା ସାହେବଙ୍କୁ ବିଶ୍ୱାସଘାତକ ଏବଂ ମୀର୍‍ଜାଫର ବୋଲି ଭାବୁଛନ୍ତି, ତେବେ ଆମେବି ଆପଣଙ୍କୁ ବିଶ୍ୱାସଘାତକ ବୋଲି ମାନୁଛୁ ।’’

 

ତା’ପରେ ଲୋହିଆ ବୁଝାମଣାର ସ୍ୱରରେ କହିଲେ–‘‘ତା’ ତ ଆପଣମାନଙ୍କ ଇଚ୍ଛା । ଆଚ୍ଛା, ଆପଣମାନେ ପାକିସ୍ଥାନକୁ ସ୍ୱୀକାର କରି ନିଅନ୍ତୁ । କିନ୍ତୁ ଆସନ୍ତୁ, ଆମେ ଆଉ ଆପଣମାନେ ମିଶି ବିରଳା ଏବଂ ଇସ୍‌ପାହାନୀଙ୍କ ଭଳି ପୁଞ୍ଜିପତିଙ୍କ ସାଙ୍ଗେ ମୁକାବିଲା କରିବା ।’’

 

ଏହିଭଳି କ୍ଷୁବ୍ଧ ଏବଂ କ୍ରୁଦ୍ଧ ସ୍ୱରରେ ଦୀର୍ଘ କଥାବାର୍ତ୍ତା ଚାଳିଲା । ଯଦିଓ ସନ ୧୯୪୨ର ନେତା ଭାବରେ ଏ ଛାତ୍ରମାନେ ମଧ୍ୟ ଲୋହିଆଙ୍କୁ ସମ୍ମାନ ଦେଉଥିଲେ, ତଥାପି ସେମାନେ ସମସ୍ତେ ବାତାବରଣଦ୍ୱାରା ଖୁବ୍‌ ପ୍ରଭାବିତ ହୋଇ ପଡ଼ିଥିଲେ ।

 

ଜଣେ ଛାତ୍ର ଖୁବ୍‌ କଟୁ ସ୍ୱରରେ ପଚାରିଲା, ‘‘ଆପଣ ଯେମିତି ଏଠିକି ଆସିଛନ୍ତି, ଆମ ୟୁନିଭର୍‍ସିଟିର ଅଧ୍ୟାପକମାନେ ସେମିତି କାହିଁକି ଆସିଲେ ନାହିଁ ?’’

 

ତା’ପରେ ଲୋହିଆ ପ୍ରକାଶ୍ୟରେ କହିଲେ, ‘‘ମୁଁ ତ ଆସିଛି ।’’ କିନ୍ତୁ ମନେମନେ କହିହେଲେ, ‘‘ଯଦି ଗାନ୍ଧି କହି ନଥାନ୍ତେ, ତେବେ ମୁଁ ବି ଆସି ନଥାନ୍ତି ।’’

ସେଦିନ ଅନ୍ଧାର ହେଲାପରେ ଲୋହିଆ ଫେରିଆସିଲେ ଏବଂ ତାଙ୍କୁ ସୀମାପର୍ଯ୍ୟନ୍ତ ଛାଡ଼ିଦେବାକୁ ମୁସଲମାନ ଯୁବକମାନେ ତାଙ୍କ ସାଙ୍ଗରେ ଆସିଲେ । ତା’ପରେ ଯେତେବେଳେ ଲୋହିଆ ହିନ୍ଦୁବସ୍ତି ଭିତରେ ପଶିଲେ, ସେତେବେଳେ ଜାଣିପାରିଲେ ଯେ ରୁଣ୍ଡ ହୋଇଥିବା ଲୋକେ ଏଇଆ ଚିନ୍ତା କରୁଥିଲେ ଯେ ଲୋହିଆ ତିନି ଘଣ୍ଟା ହେଲା ଗଲେଣି, ଅଥଚ ଏପର୍ଯ୍ୟନ୍ତ ଫେରି ନାହାନ୍ତି କାହିଁକି ?

ଲୋହିଆ ଗାନ୍ଧିଙ୍କ ‘‘ସାଧାରଣ କାମ’’ର ମହାନତାଦ୍ୱାରା ପ୍ରଭାବିତ ହୋଇ ପଡ଼ିଥିଲେ । ସେ ଜାଣିପାରିଲେ ଯେ ଏଭଳି କାମ କରିବାକୁ ଯାଇ ତାଙ୍କର ପୁରୁଣା ବନ୍ଧୁ ସତୀନ୍‌ ମିତ୍ର ମରିଛନ୍ତି । କିନ୍ତୁ ଏଭଳି କାମପାଇଁ ନିଜକୁ ବଳିଦାନ ଦେବାକୁ ସେ ମନେମନେ ଠିକ୍‌ କରି ସାରିଥିଲେ ।

ବର୍ତ୍ତମାନ ସମଗ୍ର ଦିଗରୁ ନିଜକୁ ପ୍ରସ୍ତୁତ କରି ଲୋହିଆ କଲିକତାର ବାତାବରଣ ସୁଧାରିବାର ଚେଷ୍ଟାରେ ଲାଗିଗଲେ ।

ସେଇ ବର୍ଷ ତମାମ ଦେଶର ଅବସ୍ଥା ଠିକ୍‌ ସେମିତିହିଁ ରହିଲା । ବେଶୀ କିଛି ସୁଧୁରି ପାରିଲା ନାହିଁ ।

ନୂଆଖାଲି, କଲିକତା, ବିହାର, ଦିଲ୍ଲୀ–ଚାରିଆଡ଼େ ଦଙ୍ଗାର ନିଆଁ ଜଳୁଥିଲା । ସେଇ ଅଗ୍ନିପଥର ଏକମାତ୍ର ଯାତ୍ରୀ ଭଳି–‘‘ଏକ୍‌ଲା ଚଲୋରେ....’’ ଗାନ୍ଧି ଚାଲିଯାଉଥିଲେ କେବେ କଲିକତା, କେବେ ପାଟନା, କେବେ ଦିଲ୍ଲୀ । ଗାନ୍ଧି ଯେଉଁ କାମ କରିବାକୁ ଯାଉଥିଲେ, ତାହା ଫଟା ଆକାଶକୁ ଯୋଡ଼ିବା ସଙ୍ଗେ ସମାନ ଥିଲା । ସେଇ ସମୟରେ ଲୋହିଆ କହିଲେ–‘‘ଭାରତ ମାଟିରେ ଯଦି ଜଣେ ମଧ୍ୟ ମୁସଲମାନ ମରେ, ତେବେ ତାହା ପାପ ଏବଂ ଅକ୍ଷମଣୀୟ ଦୋଷ ବୋଲି ଧରି ନିଆଯିବ । ସେଭଳି ସରକାର ସ୍ପଷ୍ଟଭାବରେ ପାକିସ୍ଥାନ ଏବଂ ପାକିସ୍ଥାନର ନେତାମାନଙ୍କୁ କହିଦେବା ଉଚିତ ଯେ ଯଦି ସେମାନେ ଶାନ୍ତି ଭଙ୍ଗ କରି ସଂଖ୍ୟାଲଘୁ ଲୋକଙ୍କ ସହିତ ଦୁର୍ବ୍ୟବହାର କରିବେ, ତେବେ ଭାରତ ତାଙ୍କୁ କୋଇଲା, ଲୁହା, କପଡ଼ା ଆଦି ମାଲ ସେ ପର୍ଯ୍ୟନ୍ତ ଦେବ ନାହିଁ, ଯେ ପର୍ଯ୍ୟନ୍ତ କି ସେମାନଙ୍କର ମନୋବୃତ୍ତି ନ ବଦଳିଛି ।’’

କିନ୍ତୁ ଲୋହିଆଙ୍କ କଥା ଉପରେ ସରକାର ସେତେବେଳେ ଆଦୌ ଗୁରୁତ୍ୱ ଦେଲେ ନାହିଁ ।

ଅଗଷ୍ଟ ୧୯୪୭ ନଅ ତାରିଖ ।

କଲିକତାର ଅବସ୍ଥା ହଠାତ୍‌ ବିଗିଡ଼ିଗଲା । ଗାନ୍ଧି ସେତେବେଳେ ଦିଲ୍ଲୀରେ ଥିଲେ । କଲିକତା ଧାଇଁ ଆସିଲେ । କଲିକତା ଶୂନ୍ୟ ହୋଇ ଯାଉଥିଲା । କାହାର ଜୀବନ ମଧ୍ୟ ସୁରକ୍ଷିତ ନଥିଲା । ଟ୍ରାମ୍‌ଗାଡ଼ି ଚଳେଇବା ଲୋକେ ମଧ୍ୟ ଚାଲିଯାଉଥିଲେ ।

ଗାନ୍ଧି ଲୋହିଆଙ୍କୁ ଡାକି ପଚାରିଲେ–‘‘ଟ୍ରାମ୍‍ର ମଜଦୁରମାନଙ୍କ ଭିତରେ କାହାର ହାତ ଅଛି ?’’

ଲୋହିଆ କହିଲେ–‘‘ସୋସାଲିଷ୍ଟ ପାର୍ଟିର ଅଛି ।’’

ଗାନ୍ଧି କହିଲେ–‘‘ତେବେ ଟ୍ରାମ୍‌ ଚଳାଚଳ ପାଇଁ ଚେଷ୍ଟା କର ।’’

ଲୋହିଆ ଚେଷ୍ଟାରେ ଲାଗିଗଲେ । କିନ୍ତୁ ଟ୍ରାମ୍‍ର କର୍ମଚାରୀମାନେ ଏଭଳି ଅରକ୍ଷିତ ବାତାବରଣ ଭିତରେ କାମ କରିବାକୁ ଆଦୌ ରାଜି ହେଲେ ନାହିଁ । ସେଇଠୁ ବାଧ୍ୟହୋଇ ଲୋହିଆ ନିଜର ‘‘ଗଣ–ଫଉଜ’’ଦ୍ୱାରା ଟ୍ରାମ୍ ଚଳାଚଳର ଗୋଟାଏ ଯୋଜନା ପ୍ରସ୍ତୁତ କଲେ । ତହିଁ ଆରଦିନ ସୋସାଲିଷ୍ଟ ପାର୍ଟିର କର୍ମକର୍ତ୍ତା ତଥା ସ୍ୱୟଂସେବକମାନେ ମିଶି ଟ୍ରାମ୍‌ ଚଳାଚଳ ଆରମ୍ଭ କରିଦେଲେ-। ଗୋଟାଏ ଜାଗାରେ ମୁସଲମାନମାନଙ୍କର ଭିଡ଼ ଲାଗି ରହିଲା । ଟ୍ରାମ୍‌କୁ ବନ୍ଦ କରି ଦିଆଗଲା-। ଯେମିତି ଟ୍ରାମ୍‌ ବନ୍ଦ ହେଲା, ସ୍ୱୟଂସେବକମାନେ ସାଙ୍ଗେ ସାଙ୍ଗେ ଆରମ୍ଭ କରିଦେଲେ ସ୍ଲୋଗାନ–‘‘ହିନ୍ଦୁ–ମୁସଲମାନ ଭାଇ–ଭାଇ ।’’

ଠିକ୍‌ ସେତିକିବେଳେ ଜଣେ ମୁସଲମାନ ପଚାରିଲେ, ‘‘ହୃଦୟରୁ କହୁଛ ନା ମୁହଁରୁ ?’’ ସ୍ୱୟଂସେବକମାନେ ଉତ୍ତର ଦେଲେ–‘‘ହୃଦୟରୁ ।’’

ଏଇ ଘଟଣାର ପ୍ରଭାବ ଖୁବ୍‌ ପଡ଼ିଲା ।

ଆସନ୍ତାକାଲି ୧୪ ଅଗଷ୍ଟ ।

ପନ୍ଦର ଅଗଷ୍ଟ ଦିନ ସ୍ୱାଧୀନତାର ଉତ୍ସବ ଥିଲା । କିନ୍ତୁ ଯେଉଁଠି ଏତେଦୂର ହିଂସା ବ୍ୟସ୍ତ, ସେଇଠି ବା ଉତ୍ସବ ଆଉ କ’ଣ ?

ଚଉଦ ଅଗଷ୍ଟ ଦିନ ଲୋହିଆ ଗୋଟାଏ ଯୋଜନା ପ୍ରସ୍ତୁତ କଲେ । ଦିନସାରା ଯୋଗାଡ଼ରେ ଲାଗିଲେ । ବନ୍ଧୁମାନଙ୍କୁ କହିଲେ–‘‘ଆଜି ୧୪ ରାତିରେ ଦେଶରୁ ଗୋଲାମି ବିଦାୟ ନେବ । ଆଜି ଦାସତ୍ୱର ଶେଷ ରାତି । ଆଜି ଶୋଇବା ଆଉ କ’ଣ !’’

 

୧୪ ଅଗଷ୍ଟ ସନ୍ଧ୍ୟାରେ କଲିକତାସ୍ଥ ଶ୍ରଦ୍ଧାନନ୍ଦ ପାର୍କ୍‍ରେ ଗୋଟାଏ ବିରାଟ ମୁହୂର୍ତ୍ତପାଇଁ ସଭା ଅନୁଷ୍ଠିତ ହେଲା । ସଭା ଶେଷରେ ସେଇଠୁ ଗୋଟିଏ ବିରାଟ ଶୋଭାଯାତ୍ରା ବାହାରିଲା । ଲୋହିଆ ଥିଲେ ଶୋଭାଯାତ୍ରାର ମାର୍ଗଦର୍ଶ୍ୱକ । ଶୋଭାଯାତ୍ରା ରାତିସାରା ସହର ଭିତରେ ବୁଲିବାକୁ ଲାଗିଲା । ରାଷ୍ଟ୍ରୀୟତାର ସ୍ଲୋଗାନ–ହିନ୍ଦୁ–ମୁସଲିମ ଏକତାର ସ୍ଲୋଗାନ । ରାତିଯାକ ଶୋଭାଯାତ୍ରା ସମସ୍ତ ସମ୍ଭବପର ସ୍ଥାନକୁ ଗଲା ଏବଂ ଶେଷରେ ପରିଣାମ ଏଇଆ ହେଲା ଯେ ୧୫ ଅଗଷ୍ଟର ସକାଳ, ସ୍ୱାଧୀନତାର ପ୍ରଥମ ଦିବସର ପ୍ରଥମ ସକାଳ ପର୍ଯ୍ୟନ୍ତ ବାତାବରଣ ଯଥେଷ୍ଟ ଆୟତ୍ତାଧୀନ ହୋଇ ଆସିଥିଲା ।

 

୧୫ ଅଗଷ୍ଟର ଉତ୍ସବ କଲିକତାରେ ଖୁବ୍‌ ଧୁମ୍‌ଧାମ୍‌ ସହକାରେ ପାଳନ କରାଗଲା । ହିନ୍ଦୁ ଓ ମୁସଲମାନ ପରସ୍ପର ପରସ୍ପରକୁ ସ୍ନେହରେ ଆଲିଙ୍ଗନ କଲେ । ଦୀର୍ଘ ଏକବର୍ଷ ଧରି ଲାଗିରହିଥିବା ବିଷାକ୍ତ ଆବହାୱାରେ ଶିଥିଳତା ଦେଖାଦେଲା । ସବୁ ଜାଗାକୁ ସମସ୍ତେ ସ୍ୱଚ୍ଛନ୍ଦରେ ଯିବା ଆସିବା କରିବାକୁ ଲାଗିଲେ ।

 

ମନେହେଲା, ଯେମିତି ପ୍ରେମ ଆଉ ସଦ୍‍ଭାବନାର ଦିନ ପୁଣି ଥରକପାଇଁ ଫେରିଆସିବ-। କିନ୍ତୁ ଏଇ ବାତାବରଣ କୌଣସିମତେ ୩୧ ଅଗଷ୍ଟ ପର୍ଯ୍ୟନ୍ତହିଁ ରହିପାରିଲା ।

 

ଅଗଷ୍ଟ ୩୧ ତାରିଖ ଦିନ ଗାନ୍ଧିଙ୍କ ଶାନ୍ତି–ଯଜ୍ଞ ବିରୁଦ୍ଧରେ ସହରର ହିନ୍ଦୁ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କଲେ । ତାହାର ପ୍ରତିକ୍ରିୟା ମଧ୍ୟ ସାଙ୍ଗେ ସାଙ୍ଗେ ଘଟିଲା । ହାହାକାର, ହିଂସା, ରକ୍ତପାତର ବୀଭତ୍ସ ରୂପ ନେଇ ପୁଣି ସାମ୍ପ୍ରଦାୟିକତାର ନଗ୍ନ ନୃତ୍ୟ ଆରମ୍ଭ ହୋଇଗଲା ।

 

ଗାନ୍ଧି ଏବଂ ଲୋହିଆଙ୍କର ବହୁ ଦିନର ପରିଶ୍ରମ ମାଟି ହୋଇଗଲା ।

 

ବାଧ୍ୟ ହୋଇ ଗାନ୍ଧି ଅନଶନ କରିବାପାଇଁ ଘୋଷଣା କଲେ । ଯେ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲମାନ ହଣାକଟା ବନ୍ଦ ନ କରିବେ, ସେ ଅନଶନ ଜାରି ରଖିବେ । ଗାନ୍ଧି ସାଙ୍ଗେ ସାଙ୍ଗେ ଅନଶନରେ ବସିଗଲେ ।

 

ଗାନ୍ଧିଙ୍କ ଅନଶନ ଯୋଗୁଁ ସମସ୍ତଙ୍କ ମନରେ ଖୁବ୍‌ ଚିନ୍ତା ଘାରିଲା ।

 

ନେତାମାନେ ଅନଶନ ଭାଙ୍ଗିବାକୁ ଗାନ୍ଧିଙ୍କୁ ଖୁବ୍‌ ତୋଷାମଦ କରିବା ଆରମ୍ଭ କରିଦେଲେ । କିନ୍ତୁ ଅନଶନର ସର୍ତ୍ତ ପ୍ରତି କେହି ମଧ୍ୟ ଧ୍ୟାନ ଦେଲେ ନାହିଁ ।

 

ବଙ୍ଗଳାରେ ମୁସଲିମ ଲିଗ୍‌ର ମନ୍ତ୍ରିମଣ୍ଡଳ ଥିଲା । ଏଇ ମନ୍ତ୍ରିମଣ୍ଡଳ ଲିଗ୍‌ର ଗୁଣ୍ଡାମାନଙ୍କୁ ଦଙ୍ଗା ବଢ଼େଇବାରେ ଉତ୍ସାହିତ କରୁଥିଲେ । ଏପରି ଭାବରେ ଏହା କେବଳ ହିନ୍ଦୁ–ମୁସଲମାନଙ୍କର ଦଙ୍ଗାହିଁ ନଥିଲା, ଅପରନ୍ତୁ ଏହା ଜନତା ଏବଂ ସରକାର ସମ୍ବନ୍ଧୀୟ ମାମଲା ଥିଲା ।

 

ଲୋହିଆ ଗୋଟାଏ ଯୋଜନା ତିଆରି କଲେ । ଦଙ୍ଗାକାରୀମାନଙ୍କଠାରୁ ହିଂସାର ଅସ୍ତ୍ର–ଶସ୍ତ୍ର ରୁଣ୍ଡେଇ ଆଣି ଯଦି ଗାନ୍ଧିଙ୍କ ଜିମା କରି ଦିଆଯାଏ, ତେବେ ତାଙ୍କର ବିଶ୍ୱାସ ଆସିଯିବ ଏବଂ ସେ ଅନଶନ ଭାଙ୍ଗିଦେବେ ।

 

ଲୋହିଆ ଅସ୍ତ୍ର–ଶସ୍ତ୍ର ରୁଣ୍ଡ କରିବାକୁ ବାହାରିଲେ । ଲୋହିଆ ଜାଣିଥିଲେ ଯେ ସନ ୧୯୪୨ ଘଟଣାଠାରୁ ତାଙ୍କର କେତେକ ଶିଷ୍ୟଙ୍କ ପାଖରେ ଅସ୍ତ୍ର–ଶସ୍ତ୍ର ରହିଛି । ସେ ୧୯୪୨ର ନିଜ ସହଯୋଗୀ ଜଗମୋହନ ବୋଷଙ୍କୁ ଦେଖା କଲେ । ସେ ଲୋକଙ୍କ ଭିତରେ ‘ଜଗୁ’ ନାମରେ ଖ୍ୟାତ ଥିଲେ । ଯେତେବେଳେ ଲୋହିଆ ଯାଇ ଜଗୁକୁ କହିଲେ ଯେ ସମସ୍ତ ଅସ୍ତ୍ର–ଶସ୍ତ୍ର ରୁଣ୍ଡେଇ ନେଇ ଗାନ୍ଧିଙ୍କ ପାଖରେ ଜମା କରିବାକୁ ହେବ, ସେତେବେଳେ ଜଗୁ ତ ପ୍ରଥମେ ଅନିଚ୍ଛା ପ୍ରକାଶ କଲେ, କିନ୍ତୁ ଲୋହିଆଙ୍କ ଆଗ୍ରହକୁ ସେ ସହଜରେ ଟାଳି ଦେଇ ପାରିଲେନି । ବାଧ୍ୟ ହୋଇ ସେ ଅସ୍ତ୍ର–ଶସ୍ତ୍ର ଦେଇଦେବାକୁ ବଚନ ଦେଲେ । ତା’ପରେ ଜଗୁ ଲୋହିଆଙ୍କୁ ଆଉ ଏକ କେନ୍ଦ୍ରକୁବି ନେଇଗଲେ । ଲୋକେ ଏବେବି ସନ ୧୯୪୨ର କାର୍ଯ୍ୟ ଯୋଗୁଁ ଲୋହିଆଙ୍କୁ ଖୁବ୍‌ ସମ୍ମାନ ଦେଖାଉଥିଲେ । ଜଗୁ ଯେଉଁଠିକି ଲୋହିଆଙ୍କୁ ନେଇଗଲେ, ତାହା ଗୋଟାଏ ଅଜଣା ସ୍ଥାନ ଥିଲା । ସେଠିକି ସିଧା ରାସ୍ତାରେ ନିଆଗଲା ନାହିଁ । ଚକ୍କର ମାରି ଏବଂ ବୁଲି ବୁଲିହିଁ ଯିବାକୁ ପଡ଼ିଲା । କଥା ଥିଲା ଯେ ସେ ସ୍ଥାନର ଠିକଣା ଯେମିତି ଲୋହିଆ ଜାଣିପାରିବେନି ।

 

ଜଗୁ ସାଙ୍ଗରେ ଲୋହିଆ ଯାଇ ଗୋଟାଏ ଛୋଟ କୋଠରୀ ଭିତରେ ପହଞ୍ଚିଲେ ଏବଂ ଅପେକ୍ଷା କରିବାକୁ ଲାଗିଲେ । ସେଠି ଆଉ କେହି ନଥିଲେ । କିଛି ସମୟ ପରେ ଜଣେ ଲୋକ ଆସିଲା । ଖୁବ୍‌ ଉଚ୍ଚା–ଚଉଡ଼ା ଭୀମକାୟ ବ୍ୟକ୍ତି । ଚୀନା କାହାଣୀର ଦୈତ୍ୟ ଭଳି ଦେଖିବାକୁ । ଆସୁ ଆସୁ ବିରକ୍ତିକର ସ୍ୱରରେ ସେ ପଚାରିଲା–‘‘ତୁମେ କିଏ ଏବଂ କାହିଁକି ଆସିଛ ?’’

 

ଲୋହିଆ ସେଇ ସମସ୍ତ ବାତାବରଣ ଏବଂ ସେ ଲୋକଟିକୁ ଦେଖି ଏବଂ ତା’ କଥା ଶୁଣି ଖୁବ୍ ବିରକ୍ତ ହୋଇ ପଡ଼ିଥିଲେ । ତେଣୁ କହିଲେ, ‘‘ମୁଁ ବି ଜାଣିବାକୁ ଚାହେଁ ଯେ ମତେ ଏଠିକି କାହିଁକି ଅଣାଯାଇଛି ?’’

 

ତା’ପରେ ସେଇ ଲୋକଟି କହିଲା–‘‘ତୁମେ ଚାହଁ ଯେ ଆମ ପକ୍ଷରେ ସମସ୍ତ ଅସ୍ତ୍ର–ଶସ୍ତ୍ର ଫେରାଇଦେବା ଉଚିତ । କିନ୍ତୁ ତୁମେ କ’ଣ ଜାଣନା ଯେ ମୁସଲମାନମାନେ କ’ଣ କରୁଛନ୍ତି ?’’

 

ଲୋହିଆ କହିଲେ–‘‘ସେସବୁ ମୁଁ ଜାଣେ ।’’

 

‘‘ତେବେ ଜାଣିଶୁଣି ଅସ୍ତ୍ର–ଶସ୍ତ୍ର ଦେଇଦେବାକୁ କେମିତି କହୁଛ ? ଜାଣିଶୁଣି ଆମେ କ’ଣ ନିଜ ତଣ୍ଟି କଟେଇ ହବୁ ? ଥରେ ହତିଆର ହାତରୁ ଖସିଗଲେ, ସମୟ ଆସିଲେ ଆମେ କ’ଣ କରିପାରିବୁ ?’’

 

‘‘କିନ୍ତୁ ମୁଁ ହତିଆର ଦେବା କଥା କହୁଛି, ହାତ ଦେବାକୁ କହୁ ନାହିଁ । ତୁମେ ସନ ୧୯୪୨ରେ କୋଉଠି ଥିଲ ? ତମେ କ’ଣ ଜାଣନା ଯେ ସେ ସମୟରେ ମଧ୍ୟ ଅଳ୍ପ କିଛି ହତିଆର ଯୋଗାଡ଼ ହୋଇ ପାରିଥିଲା ? ପରେ ପରେ ଖୁବ୍‌ ଆସିଥିଲା । ‘‘ଶକ୍ତି ହାତରେ ଥାଏ, ହତିଆରରେ ନୁହେଁ ।’’ ଲୋହିଆ ଖୁବ୍‌ ଗମ୍ଭୀର ଭାବରେ ଏକଥା କହିଦେଲେ ।

 

ସେ ଲୋକଟି ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲା । ଜଗୁ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଗଲା । କିନ୍ତୁ ସେ କଥା ଦେଇ ସାରିଥିଲା । ତା’ପରେ ଦୁହେଁ ଅଲଗା ସ୍ଥାନକୁ ଯାଇ କଥାବାର୍ତ୍ତା କଲେ । ଶେଷରେ ସେମାନେ ହତିଆର ସବୁ ଆଣି ଲୋହିଆଙ୍କ ଜିମା କରିଦେଲେ । ଷ୍ଟେନ୍‌ଗନ୍‌, ହ୍ୟାଣ୍ଡଗ୍ରେନେଡ଼୍‌ ବମ୍‌ ଆଦି । ସବୁ ନେଇ ରାତି ଏଗାରଟାବେଳେ ଲୋହିଆ ଗାନ୍ଧିଜୀଙ୍କ ପାଖରେ ପହଞ୍ଚିଲେ ।

 

ସେତେବେଳେ ଲୋହିଆ ଭାବିଥିଲେ ଯେ ଗାନ୍ଧିଜୀ ଶୋଇ ପଡ଼ିଛନ୍ତି; ତେଣୁ କୋଠରୀ ଭିତରେ ଆସ୍ତେ ଆସ୍ତେ ସବୁ ଜିନିଷ ରଖିଦେଲେ । ତା’ପରେ ସକାଳୁ ଆସିବାପାଇଁ ଠିକ୍‌ କରି ଚାଲିଯିବାକୁ ବାହାରିଲେ । କିନ୍ତୁ ଗାନ୍ଧିଜୀ ଚେଇଁ ରହିଥିଲେ । ସେ ସିଧା ପଚାରିଲେ–‘‘କ’ଣ, ଏତେ ଶୀଘ୍ର ହେଲା ?’’

 

ଲୋହିଆ ଗାନ୍ଧିଜୀଙ୍କ ଚେହେରାରେ ଅପାର ଖୁସି ଦେଖିପାରିଲେ । ଫେରିଆସିବା ପରେ ଲୋହିଆଙ୍କର ମନେପଡ଼ିଲା ଯେ ଗାନ୍ଧିଙ୍କ କକ୍ଷରେ ରଖାଯାଇଥିବା ଜିନିଷଗୁଡ଼ିକ ବିସ୍ଫୋରକ ଅଟେ । ସେଗୁଡ଼ାକ ପାଣିରେ ନ ରଖିଲେ ବିପଦ ନିଶ୍ଚୟ । ପୁଣି ରାତି ଗୋଟାଏରେ ଫେରିଯାଇ ସେଗୁଡ଼ାକ ସୁରକ୍ଷିତ ଢଙ୍ଗରେ ରଖିନେଲେ ।

 

ତହିଁ ଆରଦିନ ‘‘ଶାନ୍ତି ସମିତି’’ ସ୍ଥାପନା କରାଗଲା ଏବଂ ଦଙ୍ଗା ମଧ୍ୟ ବନ୍ଦ ହୋଇଗଲା । ୪ ସେପ୍‍ଟେମ୍ବର ଦିନ ଗାନ୍ଧିଜୀ ଅନଶନ ଭାଙ୍ଗିଲେ ।

 

ସାଙ୍ଗେ ସାଙ୍ଗେ ଗାନ୍ଧିଜୀଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଲା । ସେଠିକାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଥିଲା । ଲୋହିଆଙ୍କୁ ଗାନ୍ଧି ସାଙ୍ଗରେ ନେଇଗଲେ । ଲୋହିଆ ଦିଲ୍ଲୀରେ ମଧ୍ୟ ଏକତାର କାମ ଆରମ୍ଭ କରିଦେଲେ; କିନ୍ତୁ ସେଠି ସେମିତି କିଛି ଫଳ ମିଳିଲାନି, ଯେଉଁଥିରେ କି କିଛିଟା ଆତ୍ମସନ୍ତୋଷ ମିଳିଥାନ୍ତା । ପୁଣି କଲିକତାର କାମ ଅଧାରେ ଛାଡ଼ି ଆସିଥିଲେ । ତେଣୁ ଲୋହିଆ କଲିକତା ଫେରିଯିବା ପାଇଁ ଗାନ୍ଧିଙ୍କୁ ଅନୁମତି ମାଗିଲେ । ପ୍ରଥମତଃ ଗାନ୍ଧି କିଛି ସମୟ ଧରି ନୀରବ ରହିଲେ, ତା’ପରେ କହିଲେ, ‘‘ତୁମେ ଯାଇପାର; କିନ୍ତୁ ଯେତେବେଳେବି ତୁମେ କୌଣସି କାମ କରିବାରେ ସଫଳତା ହାସଲ କରିବ, ମୋ ପାଖକୁ ଖଣ୍ଡେ କାର୍ଡ଼ ପକେଇଦେବ, ତାହାହେଲେ ମୁଁ ବି ତୁମ ପାଖକୁ ଯାଇପାରିବି ।’’

 

ଲୋହିଆଙ୍କ ଅଳ୍ପ ଦିନ କଲିକତା ରହଣି ଭିତରେ ଗାନ୍ଧିଙ୍କଠାରୁ ପୁଣି ଖବର ଆସିଲା । ଦିଲ୍ଲୀ ଯିବାକୁ ଡାକରା । ଲୋହିଆ ଗଲେ । ସେତେବେଳେ ଦିଲ୍ଲୀରେ ଶରଣାର୍ଥୀମାନଙ୍କୁ ଥଇଥାନ କରିବାର ସମସ୍ୟା ଥିଲା ଖୁବ୍‌ ଭୀଷଣ । ଦିଲ୍ଲୀରେ ଏଇ କାମ ଲୋହିଆ ଆରମ୍ଭ କଲେ ।

 

ଦିନକର ଘଟଣା ।

 

ଦିନେ ଲୋହିଆ ଯେତେବେଳେ ଗୋଟାଏ ମୁସଲମାନ ବସ୍ତି ଆଡ଼କୁ ଯିବାପାଇଁ ବାହାରିଲେ, ସେତେବେଳେ ଗୋଟାଏ ମୁସଲମାନ ପିଲା ଦଉଡ଼ିଆସି ତାଙ୍କ ମୋଟର ଭିତରକୁ ଚଢ଼ିଗଲା । ସେତେବେଳେ ମୁସଲମାନମାନେ ଖୋଲାଖୋଲି ଭାବରେ ଦିଲ୍ଲୀରେ ବୁଲିପାରୁ ନଥିଲେ । ତାଙ୍କପାଇଁ କୌଣସି ସୁରକ୍ଷାର ବ୍ୟବସ୍ଥା ନଥିଲା । ପିଲାଟିକୁ ମୋଟର ଭିତରେ ଦେଖି ଲୋହିଆ ବୁଝିଗଲେ ଯେ ଆଜି କିଛି ଗୋଟାଏ ହେବ । ଲୋହିଆଙ୍କ ମୋଟର ଯେତେବେଳେ ଦରିଆଗଞ୍ଜ ଭିତର ଦେଇ ଚାଲିଲା, ପ୍ରାୟ ୧୫।୨୦ ଜଣ ଖଣ୍ଡେ ଦରମରା ମୁସଲମାନ ପୁରୁଷ ଏବଂ ସ୍ତ୍ରୀଙ୍କର ଗୋଟାଏ ଦଳ ଦେଖାଗଲା । ପିଲାଟି ମୋଟର ଭିତରୁ ଚିତ୍କାର କରିଉଠିଲା, ‘‘ଡର ନାହିଁ । ନିଜ ବାଟରେ ଚାଲିଯାଅ ।’’ ଲୋହିଆ ସେଇ ପିଲାଟିର ମଉଜ ସ୍ୱଭାବକୁ ଦେଖି ଦିଲ୍ଲୀର ସେଇ ବାତାବରଣ ଭିତରେ ସେ ଗୋଟାଏ ଅସାଧାରଣ ଭଳି ତାଙ୍କର ମନେ ହେଲା । ଲୋହିଆଙ୍କ ମନରେ ସନ୍ଦେହ ହେଲା ଯେ ବୋଧେ ପିଲାଟି ପାଖରେ ହତିଆର ଅଛି ଏବଂ ସେ ପିଲାଟି ଯେତେଦୂର ସମ୍ଭବ ବିପଦକୁ ହାତଠାରି ଡାକିଆଣିବାରେ ସଫଳବି ହୋଇପାରେ ।

 

ତା’ପରେ ବିପଦ ମଧ୍ୟ ଆସିବାକୁ ଆଦୌ ଡେରି ହେଲାନି । ଗୋଟାଏ ପ୍ରକ୍ଷୁବ୍ଧ ଭିଡ଼ ଲୋହିଆଙ୍କର ମୋଟରକୁ ଅଟକେଇଦେଲା । ଦେଖୁଦେଖୁ ଭିଡ଼ ବଢ଼ିଚାଳିଲା । ଭିଡ଼ ଦାବି କରୁଥିଲା, ‘‘ଏଇ ପିଲାଟିକୁ ଓହ୍ଲେଇ ଦିଅ । ଆମେ ସେ ପିଲାଟିର ରକ୍ତ ଚାହୁଁ । ତା’ ପାଖରେ ହତିଆର ଅଛି ।’’

Unknown

 

ଲୋକେ କହିଲେ ଯେ ଲୋହିଆ ମଟରରୁ ଓହ୍ଲେଇ ଅଲଗା ହୋଇଯା’ନ୍ତୁ । ଲୋହିଆ ମୋଟରରେ ଦରଜା ପାଖରେ ଛିଡ଼ାହୋଇ ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କଲେ । ଲୋକେ ପାଟିତୁଣ୍ଡ କଲେ, ‘‘ଆପଣ କିଏ ? ଯେତେବେଳେ ଲାହୋରରେ ହତ୍ୟାକାଣ୍ଡ ଚାଲିଥିଲା, ସେତେବେଳେ ଆପଣ କେଉଁଠି ଥିଲେ ?’’

 

ଲୋହିଆ ମଧ୍ୟ ଉଚ୍ଚ ସ୍ୱରରେ କହିଲେ, ‘‘ଲାହୋର ଦିଲ୍ଲୀରେ ମୁଁ ବହୁଦିନ ଧରି ରହିଚି । ସେଇଠି ଯେତେବେଳେ ମୋ ଉପରେ ଜୁଲମ ଚାଲିଥିଲା, ସେତେବେଳେ ଆପଣମାନେ କେଉଁଠି ଥିଲେ ?’’

 

ଭିଡ଼ ଭିତରେ ଅଧିକାଂଶ ଲୋକ ଶାନ୍ତ ରହିଥିଲେ । ତିନି ଚାରିଟା ଖଣ୍ଡେ ଗୁଣ୍ଡା ଥିଲେ । ସେମାନେହିଁ ବେଶି ପାଟିତୁଣ୍ଡ କରୁଥିଲେ । ସେଇ ଗୁଣ୍ଡାମାନେହିଁ ଆଗେଇ ଆସିଲେ । ମୋଟର ପାଖକୁ ଆସି ଲୋହିଆଙ୍କୁ ଠେଲାପେଲା କରିବାକୁ ଆରମ୍ଭ କରିଦେଲେ; କିନ୍ତୁ ଭିଡ଼ ସେମାନଙ୍କୁ ସମର୍ଥନ କଲାନି । ଏଇ ଖେଳ କେବଳ ଲୋହିଆ ଏବଂ ଗୁଣ୍ଡାଙ୍କ ଭିତରେହିଁ ଚାଲିଥିଲା । ସେମାନେ ଲୋହିଆଙ୍କୁ ଧକ୍କା ଦେଇ ପିଲାଟିକୁ ଛଡ଼େଇ ନେବାକୁ ଚାହୁଁଥିଲେ; କିନ୍ତୁ ଲୋହିଆ ମୋଟରର ଦରଜା ପାଖରୁ ଉଠୁ ନଥିଲେ । ଲୋକେ ଇଚ୍ଛା କରିଥିଲେ ଲୋହିଆଙ୍କୁ ବଳପୂର୍ବକ ଉଠେଇ ଦେଇପାରିଥାନ୍ତେ; କିନ୍ତୁ ବୋଧେ ସେମାନଙ୍କ ପାଖରେ ନୀତି–ଧୈର୍ଯ୍ୟ ଊଣା ଥିଲା ।

 

ଠିକ୍‌ ସେତିକିବେଳେ ଗୋଟାଏ ଫଉଜି ଯବାନ୍‌ ସେଇଠି ଆସି ପହଞ୍ଚିଗଲା । ସେ ହିନ୍ଦୁ ଆଉ ଶିଖଙ୍କ ଭିଡ଼କୁ ଅଟକେଇବାବୁ ଚେଷ୍ଟା କଲା; କିନ୍ତୁ ଲୋକେ କହିଲେ ଯେ ସେ ପିଲାଟି ପାଖରେ ହତିଆର ଅଛି, ତା’ର ତଲାସ କର ।

 

ଫଉଜି ଯବାନ୍‌ ନିଜେ ତାକୁ ତଲାସ କଲା; କିନ୍ତୁ କିଛି ନ ପାଇ ଲୋକମାନଙ୍କୁ ଚାଲିଯିବାକୁ କହିଲେ । ତା’ପରେ ମୋଟରର ଦୁଆରକୁ ଭଲ ଭାବରେ ବନ୍ଦ କରିଦେଇ ଡ୍ରାଇଭରକୁ ସଙ୍କେତ ଦେଇ କହିଲା, ‘‘ବର୍ତ୍ତମାନ ଆପଣ ଯା’ନ୍ତୁ ।’’

 

ଦିଲ୍ଲୀରେ କାମ କରିବା ପ୍ରକୃତରେ ବଡ଼ କଷ୍ଟକର ବ୍ୟାପାର ଥିଲା; କିନ୍ତୁ ଲୋହିଆଙ୍କ ପାଖରେ ଧୈର୍ଯ୍ୟ କିଛି କମ୍‌ ନଥିଲା ।

 

ଦିନେ ଲୋହିଆଙ୍କ ମନରେ ଆସିଲା ଚଞ୍ଚଳତା । ସେ ଗାନ୍ଧିଙ୍କ ପାଖକୁ ଯାଇ କହିଲେ, ‘‘ମୁଁ ଏକୁଟିଆ କଥାବାର୍ତ୍ତା କରିବାକୁ ଦୁଇ ତିନି ଶହ ବଛାବଛା ହିନ୍ଦୁ, ମୁସଲମାନ ଆଉ ଶିଖଙ୍କୁ ଡାକିବି । ଆପଣ ମଧ୍ୟ ସେଇ ସଭାରେ ଉପସ୍ଥିତ ରହିବେ ।’’

 

ଗାନ୍ଧି ସ୍ୱୀକୃତି ଦେଲେ–‘‘ଠିକ୍‌ ଅଛି ।’’

 

ସେ ସମୟରେ ଦିଲ୍ଲୀର ପରିସ୍ଥିତି ଯେପରି ଖରାପ ଥିଲା, ଏମିତି ଗୋଟାଏ ସଭା କରିବା ବାସ୍ତବିକ ବଡ଼ କଷ୍ଟକର ବ୍ୟାପାର ଥିଲା ।

 

ଲୋହିଆ ତିନି ସମ୍ପ୍ରଦାୟ–ହିନ୍ଦୁ, ମୁସଲମାନ ଏବଂ ଶିଖମାନଙ୍କ ସହ କଥାବାର୍ତ୍ତା କରି ପ୍ରତିଶ୍ରୁତି ହାସଲ କରିନେଲେ । ତା’ପରେ ସେ ଦିଲ୍ଲୀ କଂଗ୍ରେସର ମନ୍ତ୍ରୀଙ୍କୁ ଅତିଶୀଘ୍ର ସଭାର ସୂଚନା ପ୍ରଚାର କରିବାକୁ ଅନୁରୋଧ କଲେ । ସେ ତ ମନା କରିପାରିଲେ ନାହିଁ; କିନ୍ତୁ ଟାଳଟୁଳ କରିବାରେ ଲାଗିଲେ । ଲୋହିଆ ଅନେକ ଅନୁରୋଧ କଲା ପରେ ମଧ୍ୟ ସେ ସଭା ହେବାର ସୂଚନାକୁ ପ୍ରଚାର କଲେ ନାହିଁ । ସେତେବେଳେ ଲୋହିଆ ସ୍ପଷ୍ଟ ଭାବରେ ବୁଝିପାରିଲେ ଯେ କଂଗ୍ରେସ ଲୋକେ ଏଭଳି ସଭାପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ । ଲୋହିଆଙ୍କୁ ତ ସଭା କରିବାରହିଁ ଥିଲା । ସେ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କୁ ପରିସ୍ଥିତି ବୁଝାଇଦେଇ କହିଲେ, ‘‘ଯଦି ଆପଣ ରାଜି ହେବେ ତ ସୋସାଲିଷ୍ଟ ପାର୍ଟି ତରଫରୁ ସଭା ଡକାଯାଇପାରିବ ।’’

 

ଚିନ୍ତାକରି ଗାନ୍ଧି କହିଲେ, ‘‘କୌଣସି ଆପତ୍ତି ନାହିଁ । ଯଦି କୌଣସି ଗୋଟାଏ ଭଲ କାମ ହେଉଚି, ତାକୁ ଯିଏବି କରୁନା କାହିଁକି, ସେଥିରେ କିଛି ଯୁକ୍ତିତର୍କର ଅବକାଶ ନାହିଁ ।’’

 

ସଭାର ଦିନ ଏବଂ ସମୟ ସ୍ଥିର ହୋଇଗଲା । ଘୋଷଣା ମଧ୍ୟ କରି ଦିଆଗଲା । ସୂଚନା ବୁଲେଇ ଦିଆଗଲା ।

 

ଯୋଉଦିନ ଏଇ ସଭା ହେବାର ସ୍ଥିର ହୋଇଥିଲା, ଠିକ୍‌ ସେଇ ଦିନହିଁ ଦିଲ୍ଲୀରେ ‘‘କଂଗ୍ରେସ କାର୍ଯ୍ୟକାରୀ ସମିତି’’ର ବୈଠକ ମଧ୍ୟ ରଖାଗଲା ।

 

ଠିକ୍‌ ସଭା ଦିନ ସକାଳୁ ଲୋହିଆ ଯେତେବେଳେ ଖବରକାଗଜ ଦେଖିଲେ, ଜାଣିଲେ ଯେ ସଭାର ସୂଚନା–ଗୋଟାଏ ସାଧାରଣସଭାର ସୂଚନା ଭାବରେ ଛାପି ଦିଆଯାଇଚି । ଲୋହିଆ ଚିନ୍ତିତ ହୋଇପଡ଼ିଲେ । ଏହି ସଭା ତ କେତେକ ବଛାବଛା ଲୋକଙ୍କର ସ୍ୱପ୍ନ । ଏହାକୁ ସାଧାରଣସଭାରୂପେ କିଏ ଆଉ କାହିଁକି ବା ଘୋଷଣା କରିଦେଲା ? ଲୋହିଆ ଗାନ୍ଧିଙ୍କ ପାଖକୁ ଧାଇଁଗଲେ । ଲୋହିଆଙ୍କ ବ୍ୟସ୍ତତା ଦେଖି ଗାନ୍ଧି ମୃଦୁ ମୃଦୁ ହସି କହିଲେ, ‘‘ତୁମେ ଏତେଟା ବ୍ୟସ୍ତ କାହିଁକି ହଉଚ ? ଭଲ କାମରେ ବିଘ୍ନ ସୃଷ୍ଟି କରିବା ଲୋକମାନେ ସର୍ବଦା ସତର୍କ ରହନ୍ତି ।’’

 

ସଭାର ସମୟ ହୋଇଗଲା । ଭିଡ଼ ଯଥେଷ୍ଟ ବଢ଼ିଗଲା । ଲୋହିଆ ଖୁବ୍‌ ନମ୍ରତା ସହକାରେ କଥାଟାକୁ ବୁଝେଇବାକୁ ଯାଇ କହିଲେ, ‘‘ଏ ସଭା କେବଳ କେତେକ ମୁଷ୍ଟିମେୟ ଲୋକଙ୍କପାଇଁହିଁ ଉଦ୍ଦିଷ୍ଟ ।’’ ତା’ପରେ ଶ୍ରୋତା ହୋଇ ଆସିଥିବା ଲୋକମାନେ ଆନନ୍ଦରେ ଚାଲିଗଲେ ଏବଂ କେତେକ ରହିଗଲେ ନିମନ୍ତ୍ରିତ ଲୋକେ । ସଭା ଠିକ୍‌ ବାରଟାରେ ଆରମ୍ଭ ହେଲା-

 

ସଭା ତିନି ଘଣ୍ଟା ଧରି ଖୁବ୍‌ ଜମି କରି ଚାଲିଲା । କିନ୍ତୁ ସଭାରେ କିଛି କମ୍‌ ବାଧା ଆସିଲା ନାହିଁ । ଗାନ୍ଧିଙ୍କର ପ୍ରତ୍ୟେକ ସଭାରେ ଅଲ୍‌ ଇଣ୍ଡିଆ ରେଡ଼ିଓର ଲାଉଡ଼୍‌ସ୍ପିକର୍ ସବୁବେଳେ ରହୁଥିଲା–ଯାହା କି କେବେ ମଧ୍ୟ ଖରାପ ହେଉ ନଥିଲା । ଆଜି ତାହା ମଧ୍ୟ କେଜାଣି କିପରି ଖରାପ ହୋଇଗଲା ।

 

ସାଢ଼େ ବାରଟା ପରଠୁଁ କଂଗ୍ରେସ କାର୍ଯ୍ୟକାରୀ ସମିତିର ସଭା ଥିଲା । ସଭା ମଝିରେହିଁ କଂଗ୍ରେସ କାର୍ଯ୍ୟକାରୀ ସମିତିରୁ ଗାନ୍ଧିଙ୍କୁ ଡାକରା ଆସିଲା । ଗାନ୍ଧି କହି ପଠେଇଲେ–‘‘ମୋ ଅନୁପସ୍ଥିତିରେହିଁ ବୈଠକ ଚଳେଇ ନିଅ ।’’

 

ତା’ପରେ ଜଣ ଜଣ କରି ଅନେକ କାର୍ଯ୍ୟକାରୀ ସମିତିର ସଭ୍ୟ ଗାନ୍ଧିଙ୍କୁ ଡାକିବାପାଇଁ ଆସିଲେ; କିନ୍ତୁ ସମସ୍ତଙ୍କୁ ନିରାଶ ହୋଇ ଫେରିଯିବାକୁ ପଡ଼ିଲା । ଶେଷରେ ନେହେରୁ ଏବଂ ପଟେଲ ମଧ୍ୟ ଆସିଲେ । ପଟେଲ ତ ସିଧାସଳଖ ଆସି ଗାନ୍ଧିଙ୍କ ପାଖରେ ମଞ୍ଚ ଉପରେ ଯାଇ ବସିଲେ; କିନ୍ତୁ ନେହେରୁ ଲୋକଙ୍କ ଭିତରେ ପଛରେ ବସିଲେ । ଗାନ୍ଧି ସଭା ମଝିରେ ଅଟଳ ରହିଲେ । ଗାନ୍ଧି ଏଇ ସଭା ଯୋଗୁଁ ଖୁବ୍‌ ଖୁସି ଥିଲେ, କାହିଁକି ନା ଏକତାରକ୍ଷାର ମସଲା ତାଙ୍କପାଇଁ ସବୁଠୁ ବେଶୀ ମହତ୍ୱପୂର୍ଣ୍ଣ ବିଷୟ ଥିଲା ।

 

ଗାନ୍ଧି ନ ଯିବାରୁ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ସ୍ଥଗିତ କରି ଦିଆଗଲା । ଏ କଥା କଂଗ୍ରେସୀ ବଡ଼ପଣ୍ଡାଙ୍କୁ ଭଲ ନ ଲାଗିବାହିଁ ଅତି ସ୍ୱାଭାବିକ କଥା । ସଭା ଶେଷ ପର୍ଯ୍ୟନ୍ତ ନେହେରୁ ବସିରହିଲେ । ତା’ପରେ ଲୋହିଆଙ୍କୁ ଦେଖେଇ ସେ ବିଦ୍ରୂପ କରି କହିଲେ, ‘‘ଖୁବ୍‌ ଚତୁର ହୋଇଗଲଣି ତ !’’

 

ବିସ୍ମୟ ପ୍ରକାଶ କରି ଲୋହିଆ କ୍ରୁଦ୍ଧ କଣ୍ଠରେ କହିଲେ–‘‘ଆପଣଙ୍କ ଉଦ୍ଦେଶ୍ୟ କ’ଣ ?’’

 

ନେହେରୁ ହସିକରି କଥାଟାକୁ ଉଡ଼େଇ ଦେଇ କହିଲେ–‘‘ଆଚ୍ଛା, ଆଚ୍ଛା, ଚାଲ । ମୁଁ ତୁମକୁ ମୋଟରରେ ଛାଡ଼ିଦେବି ।’’

 

ଲୋହିଆ ବିରକ୍ତ ହୋଇ ନେହେରୁଙ୍କୁ ଉତ୍ତର ଦେଲେ–‘‘ଚାଲନ୍ତୁ, ମୁଁ ଆପଣଙ୍କୁ ମୋଟର ପର୍ଯ୍ୟନ୍ତ ଛାଡ଼ିଦେଇ ଆସିବି ।’’

 

ଏହା ଭିତରେ ଲୋହିଆଙ୍କୁ କଲିକତା ଯିବାକୁ ପଡ଼ିଲା । ସେଇଠି ସନ ୧୯୪୨ର ବିପ୍ଳବରେ ସହିଦ ହୋଇଥିବା ଦେଶଭକ୍ତଙ୍କ ସ୍ମୃତିରେ ଗୋଟାଏ ‘‘ସହିଦ–ସ୍ମାରକ’’ ନିର୍ମାଣ କରାଯାଇଥିଲା–ଯାହାର ଉଦ୍‌ଘାଟନ ଲୋହିଆ କରିବାର ଥିଲା ।

 

ଲୋହିଆ ଯେତେବେଳେ ‘‘ସହିଦ–ସ୍ମାରକ’’ ଉଦ୍‌ଘାଟନ କଲେ, ସେତେବେଳର ଦୃଶ୍ୟ ଥିଲା ଅତୀବ ଅନୁପମ । ଅସଂଖ୍ୟ ଭିଡ଼, ଖୁବ୍‌ ଉନ୍ମାଦନା ଏବଂ ସହିଦମାନଙ୍କ ପ୍ରତି ଶ୍ରଦ୍ଧାର ଥିଲା ସେ ଏକ ଅନୁପମ ଦୃଶ୍ୟ ।

 

ଲୋହିଆ ସାଙ୍ଗେ ସାଙ୍ଗେ ଦିଲ୍ଲୀ ଚାଲିଆସିଲେ । ସାଙ୍ଗେ ସାଙ୍ଗେ ଦିଲ୍ଲୀ ଫେରି ଆସିବାର ଆବଶ୍ୟକତା ମଧ୍ୟ ଥିଲା ।

 

ଗାନ୍ଧିଜୀ କହିବାରୁ ସରକାର ଲୋହିଆଙ୍କୁ ‘‘ଅନ୍ନ–ସମିତି’’ର ସଦସ୍ୟ କରିଥିଲେ । ସେଇ ସମିତିର ଅନ୍ୟାନ୍ୟ ସଦସ୍ୟ ଥିଲେ ଶ୍ରୀ ଘନଶ୍ୟାମ ଦାସ ବିରଳା, ଶ୍ରୀ ପୁରୁଷୋତ୍ତମ ଦାସ ଠାକୁର ଦାସ, ଡ: ବି.କେ.ଆର.ବି ରାଓ ତଥା ଆଉ ଅନ୍ୟ କେତେକ ଲୋକ ।

 

ଅନ୍ନ ଉପରେ ନିୟନ୍ତ୍ରଣ ରହିବ କି ରହିବ ନାହିଁ, ଏହା ଥିଲା ଅନ୍ନ–ସମିତିର ଆଲୋଚ୍ୟ ବିଷୟବସ୍ତୁ । ଲୋହିଆ ନିୟନ୍ତ୍ରଣର ଘୋର ବିରୋଧୀ ଥିଲେ । ଗାନ୍ଧି ମଧ୍ୟ ନିୟନ୍ତ୍ରଣର ବିପକ୍ଷରେ ଥିଲେ ଏବଂ ଦେଶର ଗରିବ ଜନତା ମଧ୍ୟ । ବିରଳା ପ୍ରଭୃତି ଲୋକେ ନିୟନ୍ତ୍ରଣର ପକ୍ଷପାତୀ ଥିଲେ-

 

‘‘ଅନ୍ନ–ସମିତି’’ର ବୈଠକ ଆରମ୍ଭ ହେଲା । ଲୋହିଆ ଏ ସମ୍ବନ୍ଧରେ ଗାନ୍ଧିଜୀଙ୍କର ବିଚାର ଜଣାଇବାକୁ ‘‘ହରିଜନ’’ ଫାଇଲ୍‌ ମଗାଇଲେ । କିନ୍ତୁ ସେ ଫାଇଲ୍‌ ବୈଠକକୁ ଆଣିବାପାଇଁ ମନା କରି ଦିଆଗଲା ।

 

ତା’ପରେ ଲୋହିଆ ଗୋଟାଏ ପରାମର୍ଶ ବାଢ଼ିଲେ ଯେକୌଣସି ନିର୍ଣ୍ଣୟ କରିବା ପୂର୍ବରୁ ଏଇ ସମିତି ଯାଇ ଗାନ୍ଧିଙ୍କ ସହିତ ପରାମର୍ଶ କରିବା ଉଚିତ । କିନ୍ତୁ ଏ ପରାମର୍ଶକୁ ମଧ୍ୟ ସେଇଠି କେହି ମାନିଲେ ନାହିଁ । ତା’ପରେ ଲୋହିଆ ବିରକ୍ତିରେ ସମିତିର ଶେଷ ରିପୋର୍ଟରେ ନିଜର ବିରୋଧୀ ମତକୁ ଲେଖେଇ ନେଇ ସମିତିର ସଭ୍ୟ ପଦରୁ ଇସ୍ତଫା ଦେଇଦେଲେ ।

 

ଅନ୍ନ–ନିୟନ୍ତ୍ରଣ ବିରୋଧରେ ଲୋହିଆ ଗୋଟାଏ ଛଅ ସୂତ୍ରର ଯୋଜନା ମଧ୍ୟ ରଖିଲେ–ଯାହାର ସାରମର୍ମ ଏଭଳି–ଏକ–ଅଧିକ ଉତ୍ପାଦନ, ଦୁଇ–ଆମଦାନୀ ଉପରେ ପ୍ରତିବନ୍ଧକ ଜାରି, ତିନି–ଅନିୟନ୍ତ୍ରଣ, ଚାରି–ଅନ୍ନ ସହକାରୀ ସୋସାଇଟି, ପାଞ୍ଚ–ଦର ନିୟନ୍ତ୍ରଣ ଏବଂ ଛଅ–ମିଳି ପାରୁଥିବା ଅନ୍ନର ଅଧିକତମ ବ୍ୟବହାର । ଏଇ ଯୋଜନା ଉପରେ ମଧ୍ୟ ସମିତି କୌଣସି ଧ୍ୟାନ ଦେଲେ ନାହିଁ । ଅତି ମଜାର କଥା ଏଇଆ ଥିଲା ଯେ ନେହେରୁ ମଧ୍ୟ ନିୟନ୍ତ୍ରଣର ସପକ୍ଷରେ ଥିଲେ ଏବଂ ଅଶୋକ ମେହେଟ୍ଟାଙ୍କ ଭଳି ଜଣେ ସୋସାଲିଷ୍ଟ ସଭ୍ୟ ମଧ୍ୟ ।

 

ଏ ସମ୍ବନ୍ଧରେ ଆଉ ଗୋଟାଏ ପ୍ରସଙ୍ଗ ମଧ୍ୟ ଉଲ୍ଲେଖନୀୟ । ସମିତିର ବୈଠକପାଇଁ କଲିକତାରୁ ଫେରିଆସିବା ସାଙ୍ଗେ ସାଙ୍ଗେ ଲୋହିଆ ନେହେରୁଙ୍କ ସାଙ୍ଗରେ ଟେଲିଫୋନ୍‍ରେ କଥାବାର୍ତ୍ତା କଲେ । ନେହେରୁ ଖୁବ୍‌ ଅସୁବିଧା କଥା ଉଲ୍ଲେଖ କଲେ, ‘‘ଦିଲ୍ଲୀର ଅବସ୍ଥା ବର୍ତ୍ତମାନ ଅତି ଖରାପ । ଜୀବନଧାରଣ ମୁସ୍କିଲ୍ ହୋଇପଡ଼ିଛି–ଆଜି...ଆଜି ।’’ ଲୋହିଆ କହିଲେ ଯେ ତାଙ୍କ ସରକାର ଦଙ୍ଗାର ବାୟୁମଣ୍ଡଳକୁ ସୁଧାରିବା ପାଇଁ କୌଣସି ଚେଷ୍ଟା କରୁ ନାହାନ୍ତି । ତା’ପରେ ନେହେରୁ ପଚାରିଥିଲେ ଯେ ଅନ୍ନ ସମିତିର ବୈଠକ ପରେ ତୁମର ଆଉ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ? ଲୋହିଆ କହିଥିଲେ ଯେ ଫେରିଯିବାର ଇଚ୍ଛା ଅଛି । ତା’ପରେ ନେହେରୁ ଫେରିଯିବା ଆଗରୁ ଲୋହିଆଙ୍କୁ ଭୋଜନପାଇଁ ନିମନ୍ତ୍ରଣ କଲେ । ଲୋହିଆ କହିଲେ ଯେ ମୋଟର ପଠେଇଦେଲେ ନିଶ୍ଚୟ ଯିବି ।

 

ଲୋହିଆ ଭୋଜନ କରିବାପାଇଁ ନେହେରୁଙ୍କ ଘରକୁ ଯାଇଥିଲେ ଏବଂ ଭୋଜନ ପରେ ନେହେରୁ ପୁଣି ଯେତେବେଳେ ଲୋହିଆଙ୍କୁ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ପଚାରିଲେ, ସେତେବେଳେ ପୁଣି ଲୋହିଆ ଦିଲ୍ଲୀରୁ ବାହାରକୁ ଯିବା କଥା କହିଲେ ।

 

ତା’ଆରଦିନ ଲୋହିଆ ଯେତେବେଳେ ପୁଣି ଗାନ୍ଧିଙ୍କୁ ଦେଖାକଲେ ସେତେବେଳେ ଗାନ୍ଧି ଲୋହିଆଙ୍କୁ ବର୍ତ୍ତମାନ ଦିଲ୍ଲୀ ବାହାରକୁ ଯିବାପାଇଁ ମନା କରିଦେଲେ ଏବଂ କହିଲେ ଯେ ଏଇଠି ରହି ବର୍ତ୍ତମାନ ମୋ ସାଙ୍ଗରେ କାମ କର ।

 

ସେଦିନ ସନ୍ଧ୍ୟାରେ ନେହେରୁ ଯେତେବେଳେ ଗାନ୍ଧିଙ୍କ ପାଖକୁ ଆସିଲେ, ଲୋହିଆଙ୍କୁ ଦେଖି ପଚାରିଲେ–‘‘କ’ଣ, ତୁମର ଯିବାର ଥିଲା ନା ? ଗଲ ନାହିଁ ?’’

 

ସେତେବେଳେ ଲୋହିଆ ଗାନ୍ଧିଙ୍କ ଆଡ଼କୁ ସଙ୍କେତ କରି କହିଲେ, ‘‘ତାଙ୍କୁ ପଚାରନ୍ତୁ !’’ ତା’ପରେ ଗାନ୍ଧି ହସି ଦେଇ କହିଥିଲେ–‘‘ବର୍ତ୍ତମାନ ରାମମନୋହର ବିନା ମୋ କାମକୁ କିଏ ଆଗେଇନେବ ?’’

 

ଶୁଣି କରି ନେହେରୁ ବିସ୍ମିତ ହୋଇ ପଡ଼ିଥିଲେ ।

 

ସତ କଥା । ଏ ଭିତରେ ଲୋହିଆ ଗାନ୍ଧିଙ୍କ ଖୁବ୍‌ ନିକଟକୁ ଆସି ଯାଇଥିଲେ । ଗାନ୍ଧି ମଧ୍ୟ ଏପର୍ଯ୍ୟନ୍ତ ଲୋହିଆଙ୍କ ବିଶେଷତ୍ୱକୁ ଖୁବ୍‌ ଭଲ ଭାବରେ ଜାଣିସାରିଥିଲେ । ଥରେ ଗାନ୍ଧି ମଧ୍ୟ ଲୋହିଆଙ୍କୁ କହିଥିଲେ, ‘‘ତୁମେ ସାହସୀ; କିନ୍ତୁ ତୁମ ଲୋକମାନଙ୍କ ଭିତରେ ତୁମଠୁଁ ବୋଧେ ଆହୁରି ସାହସୀ ଲୋକ ନିଶ୍ଚୟ ଥିବେ । କିନ୍ତୁ ସାହସରେ କ’ଣ ଅଛି ? ସିଂହ ମଧ୍ୟ ସାହସୀ । ତୁମେ ଖୁବ୍‌ ବୁଦ୍ଧିମାନ୍; ଓକିଲବି ଖୁବ୍‌ ବୁଦ୍ଧିମାନ୍‌ । କିନ୍ତୁ ଗୋଟାଏ ଗୁଣ ଏମିତି ଅଛି, ଯଦ୍ଦ୍ୱାରା କି ତୁମେ ସମସ୍ତଙ୍କଠୁଁ ଭଲ, ଆଉ ତା’ ହେଉଛି ‘ଶୀଳ’ ।’’ ଶୀଳ କହିବାଦ୍ୱାରା ଗାନ୍ଧିଜୀ ବୁଝୁଥିଲେ ଚରିତ୍ରର ଧାରାବାହିକତା ।

 

ଦିନେ ଯେତେବେଳେ ଲୋହିଆ ଯାଇ ଗାନ୍ଧିଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ଗାନ୍ଧିଜୀ କୋଠରୀ ଭିତରୁ ସର୍ଦ୍ଦାର ପଟେଲ ବାହାରକୁ ଆସୁଥିଲେ । ଠିକ୍‌ ଦରଜା ପାଖରେ ଦୁହେଁ ମୁହାଁମୁହିଁ ହୋଇଗଲେ । ପଟେଲ ବ୍ୟଙ୍ଗାତ୍ମକ କଣ୍ଠରେ ଲୋହିଆଙ୍କୁ ପଚାରିଲେ, ‘‘କ’ଣ, ଆମକୁ ହଟେଇ ଦେବାର ଇଚ୍ଛା ଅଛି କି ? ତେବେ କେବେ ହଟଉଚ ?’’

 

ଲୋହିଆ ଏଭଳି ପ୍ରଶ୍ନ ଆଶା କରି ନଥିଲେ । ତେଣୁ ବିରକ୍ତିରେ କହିଲେ, ‘‘ହଟେଇ ଦେବାକୁ ତ ଚାହୁଁଛି; କିନ୍ତୁ ମୋ ପାଖରେ ଏତେଟା ଶକ୍ତି ନାହିଁ । ଆଉ ଯାହା କିଛି ବା ଶକ୍ତି ଅଛି, ଅନ୍ୟମାନେ ଯେମିତି ଆପଣଙ୍କୁ ହଟେଇ ନ ଦିଅନ୍ତି, ସେଥିପାଇଁ ତାହା ପ୍ରୟୋଗ କରିବି ।’’

 

ଶୁଣିଦେଇ ପଟେଲ ହସି ହସି ଚାଲିଗଲେ । ଗାନ୍ଧି କୋଠରୀ ଭିତରୁହିଁ ଦୁହିଁଙ୍କର କଥାବାର୍ତ୍ତା ଶୁଣୁଥିଲେ । ଲୋହିଆ ଭିତରକୁ ଆସିଲା ପରେ ଗାନ୍ଧି ପଚାରିଲେ–‘‘କ’ଣ, ବର୍ମାରେ ଯେମିତି ‘ଆଙ୍ଗ୍‍ସାଙ୍ଗ୍‌’ଙ୍କୁ ବୋମାମାଡ଼ରେ ଉଡ଼େଇ ଦିଆଯାଇଥିଲା, ସେମିତି ପଟେଲ ଆଉ ନେହେରୁଙ୍କୁ ବୋମା ଫିଙ୍ଗି ଉଡ଼େଇ ଦେବାର ଉଦ୍ଦେଶ୍ୟ ଅଛି ନା କ’ଣ ?’’

 

ଲୋହିଆ ଗାନ୍ଧିଙ୍କ ପ୍ରଶ୍ନ ଶୁଣି ଚମକି ପଡ଼ିଲେ । କହିଲେ–‘‘ତା’ ତ ବୋକାମି ହେବ । ଇଂରେଜ ଶାସନ ଅମଳରେ ମଧ୍ୟ ମୁଁ ଗମନାଗମନର ସୁବିଧାକୁ ଭାଙ୍ଗିଦେବା ଏବଂ ମାନବହତ୍ୟା ଭିତରେ ପ୍ରଭେଦ ରଖିଥିଲି । ସନ ୧୯୪୨–୪୩ରେ ଯେତେବେଳେ ଆଗେ ଇଂରେଜ ଶାସନ ବିରୁଦ୍ଧରେ ଲଢ଼େଇ କରୁଥିଲୁଁ, ସେତେବେଳେ ମଧ୍ୟ ମୁଁ ଅହିଂସା ଆଚରଣ କରିଥିଲି । ଆଜିର ସରକାର ବିଷୟରେ ଏପରି ଚିନ୍ତା କରିବା କେବେ କ’ଣ ସମ୍ଭବପର ? ହଁ, ଏ ସରକାର ନିକମା, ଅକର୍ମା ଆଉ ବୋକା, ଏଥିରେ କୌଣସି ସନ୍ଦେହ ନାହିଁ । ଏ ଧାରଣା ମୋର ନିଶ୍ଚୟ ଅଛି; କିନ୍ତୁ ହିଂସାଦ୍ୱାରା ତାକୁ ହଟେଇବା ପାଇଁ ମୋର ଇଚ୍ଛା ନାହିଁ ।

 

ତା’ପରେ ଗାନ୍ଧିଜୀ କହିଲେ ଯେ ବର୍ତ୍ତମାନ ପଟେଲ ନାଗପୁର ସି.ଆଇ.ଡି.ଦ୍ୱାରା ପଠାଯାଇଥିବା ରିପୋର୍ଟ ବିଷୟରେ କହିଗଲେ ଯେ ତୁମର କେତେକ ଭାଷଣରେ–ଅଣ୍ଡରଗ୍ରାଉଣ୍ଡ୍ ପଦ୍ଧତିଦ୍ୱାରା ଆନ୍ଦୋଳନ ଚଳେଇ ଏ ସରକାରକୁ ଆଙ୍ଗ୍‍ସାଙ୍ଗ୍‌ ପଦ୍ଧତି ଅନୁସାରେ ସମାପ୍ତ କରିଦେବା ପାଇଁ କୁହାଯାଇଛି । ଏହା ଶୁଣି ଲୋହିଆ ହସିଦେଲେ । ତା’ପରେ ଗାନ୍ଧି କହିଲେ–‘‘ଠିକ୍‌ ଅଛି । ସରକାର ବିଷୟରେ ତୁମର ଏଭଳି ମତ ରହିପାରେ । କିନ୍ତୁ ତମେ ସର୍ଦ୍ଦାର ପଟେଲଙ୍କ ପାଖକୁ ଚିଠି ଲେଖି ନିଜର ବିଚାରଧାରା ବୁଝେଇ ଦଉନ କାହିଁକି ?’’

 

ଲୋହିଆ ବିଗିଡ଼ିଗଲେ–‘‘ସର୍ଦ୍ଦାର ପଟେଲ କିଏ ? ମୁଁ ତାଙ୍କୁ କାହିଁକି ଚିଠି ଲେଖିବି ?’’

 

ଗାନ୍ଧି କହିଲେ–‘‘ହଁ, ଏଇଆବି ଠିକ୍‌ । ତୁମର ଘରୋଇମନ୍ତ୍ରୀଙ୍କୁ କିଛି ଲେଖିବା ଦରକାର ନାହିଁ । କିନ୍ତୁ ତୁମେ ମୋ ପାଖକୁ ତ ଲେଖିପାରନ୍ତ ?’’

 

ଲୋହିଆ ଲେଖି ଗାନ୍ଧିଙ୍କୁ ଦେଇଦେଲେ ଯେ ରିପୋର୍ଟ ‘ଈର୍ଷାପୂର୍ଣ୍ଣ’ ଅଟେ ।

 

ଲୋହିଆଙ୍କଠାରୁ ଲିଖିତ ଆକାରରେ ପାଇ ଗାନ୍ଧି ପଟେଲଙ୍କ ପାଖରୁ ସେଇ ସି.ଆଇ.ଡ଼ି. ରିପୋର୍ଟଟି ମଗାଇ ଲୋହିଆଙ୍କୁ ଦେଖାଇବା ପାଇଁ ଇଚ୍ଛା କଲେ । କିନ୍ତୁ ଗାନ୍ଧିଙ୍କର ଶତ ଚେଷ୍ଟା ସତ୍ତ୍ୱେବି ପଟେଲ ତାଙ୍କୁ ସେଇ ରିପୋର୍ଟଟି ଦେଖାଇଲେ ନାହିଁ । ସେଇ ରିପୋର୍ଟଟିକୁ ଗାୟବ୍ କରି ଦିଆଗଲା ।

 

ଗୋଟାଏ ଘଟଣା ଆହୁରି ଉଲ୍ଲେଖନୀୟ ଅଟେ–

 

ଲୋହିଆ ହିନ୍ଦୁ–ମୁସଲମାନଙ୍କ ଏକତା କାମରେ ଲାଗିଥିଲେ । ଠିକ୍‌ ସେତିକିବେଳେ ଖବରକାଗଜରେ ଗୋଟାଏ ଖବର ପ୍ରକାଶ ପାଇଲା ଯେ ମୁସଲମାନ ଇଲାକାରେ ୩୦୩ ବନ୍ଧୁକ ଆବିଷ୍କାର କରାଯାଇଛି ।

 

ଲୋହିଆ ଏ ଖବର ପଢ଼ୁ ପଢ଼ୁ ଘାବରେଇଗଲେ । ସେଇ ଇଲାକା ସହିତ ଲୋହିଆଙ୍କର ସମ୍ପର୍କ ଥିଲା । ସେଇଠି ସେ କାମ କରୁଥିଲେ । ସେଇ ଇଲାକାର ଗୋଟାଏ ମୁସଲମାନ ଘରୁ ଗୋଟାଏ ବନ୍ଧୁକ ମରାମତ କରାଗଲା–ଯାହାକୁ କୁହାଯାଇଥିଲା ୩୦୩ । ଏହା ବନ୍ଧୁକର ନାଁ ଥିଲା ଏବଂ ବନ୍ଧୁକର ନାମକୁ ଖବରକାଗଜରେ ବନ୍ଧୁକର ସଂଖ୍ୟାରୂପେ ବଢ଼େଇ ଦିଆଯାଇଥିଲା ।

 

ଏଭଳି ବଦମାସିଦ୍ୱାରା ଯେ କେହିବି ନାରାଜ ହେବା କଥା । ଲୋହିଆ ଭାବିଲେ ଯେ ଏ ଖବରଦ୍ୱାରା ମୁସଲମାନଙ୍କ ଭିତରେ କ୍ଷୋଭ ବ୍ୟାପିଯିବ ଏବଂ ‘‘ଏକତା’’ କାମରେ ଧକ୍କା ଲାଗିବ । ତେଣୁ ନ ଗାଧୋଇ ଲୋହିଆ ସେଇ ଖବରକାଗଜଟି ଧରି ସିଧା ଯାଇ ଗାନ୍ଧିଙ୍କ ପାଖରେ ପହଞ୍ଚିଗଲେ । ଗାନ୍ଧିଙ୍କୁ ସେଇ ଛପା ଖବରଟି ଦେଖାଇ ସାମାନ୍ୟ ଚଢ଼ାଗଳାରେ କହିଲେ, ‘‘ବାପୁ, ହିନ୍ଦୁ–ମୁସଲମାନଙ୍କ ଏକତାପାଇଁ କାମ କରୁଥିବା ମୋ ଭଳି ଗୋଟାଏ ଲୋକକୁ ଏଭଳି ଭାବରେ ବେକାର କାହିଁକି କରି ଦିଆଯାଉଛି !’’

 

ଆଗରୁ ତ ଲୋହିଆ ଅନେକ ଥର ବର୍ତ୍ତମାନର ସରକାର ସମ୍ବନ୍ଧରେ ନିଜର ଧାରଣାକୁ ଗାନ୍ଧିଙ୍କ ସମ୍ମୁଖରେ ପ୍ରକାଶ କରି ସାରିଥିଲେ । କଂଗ୍ରେସୀ ସରକାର ବିଷୟରେ କିଛି କହିବାବେଳେ ଲୋହିଆଙ୍କ ପାଟିରେ ଏଭଳି କଟୁତା ଆପେଆପେ ପ୍ରକାଶ ପାଇ ଯାଉଥିଲା । ଗାନ୍ଧିଙ୍କ ସାମ୍ନାରେ ତାଙ୍କ ଶିଷ୍ୟମାନଙ୍କ ସରକାରର ଆଲୋଚନା ସେ ଖୋଲାଖୋଲି ଭାବରେ କରୁଥିଲେ । ବର୍ତ୍ତମାନ ଲୋହିଆଙ୍କ କଟୁତା ଏବଂ କ୍ରୋଧକୁ ଦେଖି ଗାନ୍ଧିଜୀ ହସି ଦେଇ କହିଲେ, ‘‘ତୁମର ବାପ ତ ମୋର ଗୋଟାଏ ଅନ୍ଧ ଭକ୍ତ ଥିଲେ; କିନ୍ତୁ ତୁମେ କିପରି ଏତେ କଳହପ୍ରିୟ ହେଲ ?’’

 

‘‘କିନ୍ତୁ ବାପୁ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟଦ୍ୱାରା ଜାରି କରାଯାଇଥିବା ଏଇ ରିପୋର୍ଟଟି ହପ୍ତା ହପ୍ତା ଧରି କରିଥିବା ଆମ କାମକୁ ପୂରାପୂରି ମାଟିରେ ମିଶେଇଦେଲା ।’’

 

ଗାନ୍ଧିଜୀ ଲୋହିଆଙ୍କ କ୍ରୋଧକୁ ଅନ୍ୟ ଦିଗରେ ପରିବର୍ତ୍ତନ କରିବାକୁ ଯାଇ କହିଲେ, ‘‘କ’ଣ, ତୁମେ ଏ ମନ୍ତ୍ରାଳୟକୁ ଚଳେଇ ପାରିବନି ? ତୁମେ ଦାୟିତ୍ୱ ବହନରୁ ଦୂରେଇ ଯାଉଛ କାହିଁକି ?’’

 

ଗମ୍ଭୀର ହୋଇ ଲୋହିଆ କହିଲେ, ‘‘ଯଦି ଆପଣ ଏଇ ନିଷ୍ପତ୍ତିରେ ପହଞ୍ଚନ୍ତି ଯେ ଦେଶର ସବୁଠୁ ଭଲ ଲୋକମାନେ କଂଗ୍ରେସୀ ନେତା ନୁହନ୍ତି, ତେବେ ଆପଣ ମତେ ଏ ଦାୟିତ୍ୱ ଦେଇପାରନ୍ତି ।’’

 

ଗାନ୍ଧି ପୁଣି କଥାଟାକୁ ପରିହାସରେ ଉଡ଼େଇ ଦେବାକୁ ଚାହିଁଲେ, ‘‘ତେବେ ତମେ ନେହେରୁ ଅପେକ୍ଷା ଖୁବ୍‌ ଭଲ ବୋଲି ମୁଁ ଘୋଷଣା କରିଦେବି ?’’

 

ଲୋହିଆ ଉତ୍ତେଜିତ ହୋଇ କହିଲେ, ‘‘ଏପରି ଘୋଷଣାରେ କୌଣସି ଆପତ୍ତି ନାହିଁ । ଆଉ ଏହା ବିରୁଦ୍ଧରେ ଆପଣଙ୍କ ପାଖରେ ଯଦି କିଛି କାରଣ ଥାଏ, ତେବେ ଦୟାକରି ମତେ କହନ୍ତୁ ।’’

 

ତା’ପରେ ଗାନ୍ଧି ଗମ୍ଭୀର ହୋଇଗଲେ । ଲୋହିଆ ମଧ୍ୟ ଚୁପ୍‌ ରହିଲେ ।

 

କିନ୍ତୁ ଏ ଘଟଣାରେ ଛତିଶ ଘଣ୍ଟା ପରେ ରାତିରେ ଗାନ୍ଧି ନିଜ ଶୟନକକ୍ଷ ଭିତରକୁ ଲୋହିଆଙ୍କୁ ଡାକି ପଚାରିଲେ, ‘‘ସେମାନେ ସମସ୍ତଙ୍କଠାରୁ ବେଶୀ ଭଲଲୋକ ବୋଲି ମୁଁ କ’ଣ କେବେ କହିଛି ?’’

 

ଲୋହିଆ ଚଢ଼ାଗଳାରେ କହିଲେ, ‘‘ଥରେ ନୁହେଁ, ହଜାର ଥର ।’’

 

ଗାନ୍ଧି କହିଲେ, ‘‘ମନେ ହେଉଛି ଯେ ତୁମ ମସ୍ତକରେ ଆଉ ତୀକ୍ଷ୍ଣତା ନାହିଁ । ମୁଁ କହିଥିଲି ଯେ, ସେମାନଙ୍କ ଅପେକ୍ଷା ଭଲଲୋକ ଆଉ ନାହାନ୍ତି । ଉଭୟ କଥା ଭିତରେ ଫରକ ଦେଖିପାରୁନା ?’’

 

ଲୋହିଆ ଗାନ୍ଧିଙ୍କ କଥାକୁ ବୁଝିପାରିଲେ ନାହିଁ ।

 

ଲୋହିଆଙ୍କ ପ୍ରତି ଗାନ୍ଧିଙ୍କ ସରଳ ସ୍ନେହର ପ୍ରସଙ୍ଗ ମଧ୍ୟ ଅଛି । ଦିଲ୍ଲୀରହିଁ ଘଟଣା ।

 

ଦିନେ ଗାନ୍ଧି ଲୋହିଆଙ୍କୁ ସନ୍ଧ୍ୟାବେଳେ ଆସିବାକୁ କହିଲେ । ପ୍ରାର୍ଥନା ପରେ ପରେ ଗାନ୍ଧି ବୁଲିବାକୁ ବାହାରିଲେ । ଅନ୍ୟ ଲୋକମାନଙ୍କୁ ଚାଲିଯିବା ପାଇଁ କହିଲେ ଏବଂ ଲୋହିଆଙ୍କୁ ସାଙ୍ଗରେ ନେଇ ବାହାରି ପଡ଼ିଲେ । ବୁଲିବା ଭଙ୍ଗୀରେ ଗାନ୍ଧି ଲୋହିଆଙ୍କ କାନ୍ଧରେ ହାତ ରଖି କଥାବାର୍ତ୍ତା ଆରମ୍ଭ କଲେ । ତା’ପରେ ଯୋଉ ବିଷୟ ସେ ଆରମ୍ଭ କଲେ, ତାହା ଲୋହିଆଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା ।

 

ଲୋହିଆ ଗାନ୍ଧିଙ୍କ ସମ୍ପର୍କରେ ଆସିବାର ଅନେକ ବର୍ଷ ହୋଇ ଯାଇଥିଲା । ରାଜନୀତି ଛଡ଼ା ବ୍ୟକ୍ତିଗତ ଭାବରେ ମଧ୍ୟ ଅତି ଘନିଷ୍ଠ ସମ୍ପର୍କ ରଖିବା ସତ୍ତ୍ୱେ ଗାନ୍ଧି ୟା’ ଆଗରୁ ଏମିତି କଥା କେବେ କହି ନଥିଲେ । ଲୋହିଆଙ୍କ ଜୀବନ, ଦିନଚର୍ଯ୍ୟା, ରହିବା–ଖାଇବା ବିଷୟରେ କେବେ କିଛି ପଚାରି ନଥିଲେ । ସେଥିପାଇଁ ଏ ସମୟରେ ଗାନ୍ଧି ଲୋହିଆଙ୍କ ସାଙ୍ଗରେ ସିଗାରେଟ, ଚା’, କଫି ଆଦି ବିଷୟରେ ଯେତେବେଳେ କଥାବାର୍ତ୍ତା ଆରମ୍ଭ କରିଦେଲେ, ଲୋହିଆ ଆଶ୍ଚର୍ଯ୍ୟରେ ଚକିତ ହେବା ଅପେକ୍ଷା ଅଧିକ ସଙ୍କୁଚିତ ଏବଂ ଶଙ୍କିତ ହୋଇପଡ଼ିଲେ ।

 

ଗାନ୍ଧି ସେତେବେଳେ କହୁଥିଲେ, ‘‘ତୁମେ ସିଗାରେଟ ଟାଣୁଛ, ଚା’ ଏବଂ କଫି ମଧ୍ୟ ପାନ କରୁଛ । ବେଶୀ ଚା’ ଏବଂ କଫି ପାନ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଆଦୌ ଭଲ ରହେନି । ସିଗାରେଟ ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଦୌ ଭଲ ଜିନିଷ ନୁହେଁ ।

 

ଲୋହିଆ ନୀରବ । ଗାନ୍ଧି ପୁଣି ଧୀରେ ଧୀରେ ସିଗାରେଟ ଏବଂ ଚା’ କଫି ଛାଡ଼ିବାପାଇଁ ଚୀନ ଆଉ ଜାପାନର ପଦ୍ଧତି ବତେଇଲେ । ତା’ପରେ ଏଇ ବ୍ୟକ୍ତିତଗ କଥାଭାଷାକୁ ସିଦ୍ଧାନ୍ତରେ ନେଇ ଯୋଡ଼ିବାକୁ ସମାଜବାଦର ସନ୍ଦର୍ଭ ବାଢ଼ି କହିଲେ, ‘‘ଜଣେ ସୋସାଲିଷ୍ଟ ଭାବରେ ତୁମର ତ ଗୋଟାଏ ରୂପ ହେବା ଉଚିତ । ଯୋଉ ସିଗାରେଟ–ହିନ୍ଦୁସ୍ଥାନ ଭଳି ଗୋଟାଏ ଦେଶରେ ଜନତା ସାଙ୍ଗରେ ଏକରୂପ ହେବାପାଇଁ ଏବଂ ତା’ର ପ୍ରତିନିଧି ହେବାପାଇଁ ଦେବ ନାହିଁ, ତା’ର ସମର୍ଥନ ବା ତୁମେ କିପରି କରି ପାରିବ ?’’

 

ଲୋହିଆ ପୁଣି ନୀରବ । ଏକାବେଳକେ ନୀରବ । ଲୋହିଆଙ୍କର ସ୍ୱଚ୍ଛନ୍ଦମୟ ଜୀବନରେ ଏଭଳି ଭାବୁକ ତଥା ସଙ୍କୋଚମୟ ମୁହୂର୍ତ୍ତ ଆଗରୁ କେବେ ଆସି ନଥିଲା । ଭାବିଲେ ସେଠୁ ଖସି ପଳେଇଯିବେ; କିନ୍ତୁ ଗାନ୍ଧିଙ୍କ ହାତ ତାଙ୍କ କାନ୍ଧ ଉପରେ ଥିଲା । ଇଚ୍ଛା କରି ମଧ୍ୟ ଖସିଯିବା ବାଟ ନଥିଲା । ସୁତରାଂ ଚୁପ୍‌ଚାପ୍ ଶୁଣିଯିବା ଛଡ଼ା ଅନ୍ୟ ଉପାୟ ନଥିଲା ।

 

ଲୋହିଆଙ୍କ ନୀରବତା ଲକ୍ଷ୍ୟ କରି ଗାନ୍ଧି ପଚାରିଲେ, ‘‘ତୁମର କ’ଣ କିଛି କହିବାର ନାହିଁ ?’’

 

ଲୋହିଆ ତଥାପି ନୀରବ । କିଏ ଯେମିତି ତାଙ୍କ ଜିଭକୁ ଧରି ପକେଇଛି । ସାଧାରଣ ଲୋକେ ଯାହାଙ୍କୁ ମହାପୁରୁଷ ବୋଲି କହନ୍ତି, ଗାନ୍ଧି ସେପରି ମହାପୁରୁଷ ନଥିଲେ । ମହାନ୍‌ ଶବ୍ଦର ପ୍ରକୃତ ଅର୍ଥରେ ସେ ଥିଲେ ଜଣେ ମହାନ୍‌ ବ୍ୟକ୍ତି । ତେଣୁ ଲୋହିଆଙ୍କ ନୀରବତା ତାଙ୍କୁ ବାଧା ଦେଇ ପାରି ନଥିଲା । ସେ ବରାବର ପଚାରୁଥିଲେ ଏବଂ ତାଙ୍କ ପରି ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ନ ଦେବା ଲୋହିଆଙ୍କ ପକ୍ଷରେ ଧୃଷ୍ଟତା । ତଥାପି ସେ ନାଚାର । ଗାନ୍ଧି କହିଯାଉଥିଲେ । ଲୋକପ୍ରତିନିଧି କିପରି ଆଚରଣ ଓ ବ୍ୟବହାର କରିବା ଉଚିତ ତାହା ବୁଝାଉଥିଲେ । ସେ ପୁଣି ଥରେ ପଚାରିଲେ–‘‘ତୁମର କିଛି ହେଲେ କହିବାର ନାହିଁ ?’’

 

ଲୋହିଆ ତଥାପି ନୀରବ ।

 

ଅଗତ୍ୟା ସାମାନ୍ୟ ବିରକ୍ତ ହୋଇ ଗାନ୍ଧି କହିଲେ, ‘‘ଦେଖ, ତୁମେ କ’ଣ ମତେ ବାଧା ଦେବାକୁ ଚାହୁଁଛ ?’’

 

ଏଥର ବାଧ୍ୟ ହୋଇ ଲୋହିଆଙ୍କୁ ମୁହଁ ଖୋଲିବାକୁ ପଡ଼ିଲା । କ୍ଷୀଣସ୍ୱରରେ କହିଲେ–‘‘ନା, ଆପଣ କହିଯା’ନ୍ତୁ । ମୋର ଉଦ୍ଦେଶ୍ୟ ତାହା ନୁହେଁ ।’’

 

ଗାନ୍ଧି ଟିକିଏ ରହି ପଚାରିଲେ–‘‘ତୁମେ କ’ଣ ଭାବୁଛ ଯେ ମୁଁ କେବଳ ତୁମର ସର୍ବସାଧାରଣ ଜୀବନ ସହିତ ଜଡ଼ିତ ?’’

 

‘‘ନା, ମୁଁ ସେପରି କୌଣସି ସୀମାରେଖା ମାନେ ନାହିଁ । ବ୍ୟକ୍ତିଗତ ଓ ସାର୍ବଜନିକ ମଧ୍ୟରେ କିଛିଟା ପାର୍ଥକ୍ୟ ରଖେ ନିଶ୍ଚୟ । ସ୍ୱକୀୟ ଓ ସାଧାରଣ ଏପରି ଦୁଇଟି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ବିଭାଗ ଥିବା ହେତୁ ଯାହାକୁ ସାର୍ବଜନୀନ ଜୀବନରେ ନିନ୍ଦା କରାଯାଏ ତାହାକୁ ନିଜ ଜୀବନରେ ଗ୍ରହଣ କରାଯାଇପାରେ । ଏହା ଏକ ହାସ୍ୟାସ୍ପଦ କଥା ହେବ । ମୁଁ ଏଭଳି ପାର୍ଥକ୍ୟ ମାନେ ନାହିଁ । ତଥାପି ଯେତେଟା ପାର୍ଥକ୍ୟ ଅନ୍ୟମାନଙ୍କ ଲାଗି ରଖେ, ତାହା ମଧ୍ୟ ଆପଣଙ୍କ ପାଇଁ ନୁହେଁ । ମୋର ଜୀବନ ସହିତ ଜଡ଼ିତ ସଂସାରର ଯେକୌଣସି ବିଷୟ ନେଇ କହିବାକୁ ଆପଣଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ।’’ ଲୋହିଆ ସଫେଇ ଦେବା ଢଙ୍ଗରେ କହିଲେ; କିନ୍ତୁ ଆତ୍ମରକ୍ଷାପାଇଁ ସେ ଚର୍ଚ୍ଚାର ସମାପ୍ତି ଚାହୁଁଥିଲେ । କିନ୍ତୁ ଚର୍ଚ୍ଚାର ଶେଷ ସମ୍ଭବ ନଥିଲା । ଗାନ୍ଧି ଅବିରାମ କହିଯାଉଥିଲେ ଏବଂ ଲୋହିଆଙ୍କ ନିକଟରେ ତାଙ୍କ ପ୍ରଶ୍ନର ଉତ୍ତର ନଥିଲା ।

 

ପ୍ରାୟ ୪୫ ମିନିଟ ଅତିବାହିତ ହେବାପରେ ଲୋହିଆ କହିଲେ–‘‘ମୁଁ ତ ଆଜି ଆପଣଙ୍କୁ ଜବାବ ଦେଇପାରୁନି, ତେବେ ଶୀଘ୍ର ଦେବି ।’’

 

ଜନସାଧାରଣଙ୍କଠାରୁ ସାମଞ୍ଜସ୍ୟ ତଥା ପ୍ରତିନିଧିତ୍ୱ ପାଇବାର ଏହି ପ୍ରକ୍ରିୟାରେ କେତେଦୂର ସଫଳ ହୋଇପାରିବେ ଲୋହିଆ ତାହା ଜାଣିପାରୁ ନଥିଲେ । ସଫଳ ହୁଅନ୍ତୁ ବା ନ ହୁଅନ୍ତୁ, ମନ କିନ୍ତୁ ଦୃଢ଼ ଥିଲା ।

 

କିଛିଦିନ ପରେ ଲୋହିଆ ସିଗାରେଟ ଛାଡ଼ିବାପାଇଁ ନିଶ୍ଚୟ କଲେ ଏବଂ ଯେତେବେଳେ ନିଜର ଏହି ସିଦ୍ଧାନ୍ତ ଗାନ୍ଧିଙ୍କୁ ଜଣାଇଲେ, ତାହା ଶୁଣି ଗାନ୍ଧି କେବଳ ଅଳ୍ପ ହସି ଦେଇଥିଲେ ।

 

ଜାନୁଆରୀ ୨୫, ୧୯୪୮ର ଘଟଣା ।

 

ବମ୍ବେରେ ହରତାଳ ଚାଲିଥାଏ । ଏହି ଘଟଣାରେ ଗାନ୍ଧିଙ୍କୁ ସାକ୍ଷାତ କରିବାପାଇଁ ଜଣେ ଶ୍ରମିକ କର୍ମକର୍ତ୍ତା ଦିଲ୍ଲୀକୁ ଆସିଲେ । ଗାନ୍ଧିଙ୍କୁ ଭେଟିବା ଉଦ୍ଦେଶ୍ୟରେ ସେ ଲୋହିଆଙ୍କୁ ସାକ୍ଷାତ କଲେ । ଲୋହିଆଙ୍କୁ ହରତାଳ ସମ୍ପର୍କରେ ସଠିକ ବିବରଣୀ ଦେଇ ଗାନ୍ଧିଙ୍କ ସହିତ ସାକ୍ଷାତ କରାଇଦେବା ପାଇଁ କହିଲେ ।

 

ଜାନୁଆରୀ ୨୭ ତାରିଖରେ ଲୋହିଆ ଗାନ୍ଧିଙ୍କ ପାଖକୁ ଯାଇ ବମ୍ବେ ହରତାଳ କଥା କହିଲେ । ଗାନ୍ଧି କହିଲେ–‘‘ହରତାଳ ସମ୍ପର୍କରେ ତ କହିବି ନିଶ୍ଚୟ । କିନ୍ତୁ ତୁମ ସହିତ ଆହୁରି ଜରୁରୀ କଥାବାର୍ତ୍ତା କରିବାକୁ ଅଛି । କାଲି କିମ୍ବା ପଅରଦିନ ମଧ୍ୟରେ କଥା ହେବି ।’’

 

ଜାନୁଆରୀ ୨୮ ତାରିଖରେ ଗାନ୍ଧି ଲୋହିଆଙ୍କୁ କହିଲେ–‘‘ସମୟ ହେଉ ନାହିଁ, ତୁମ ସହିତ ବିଶେଷଭାବେ କଥାବାର୍ତ୍ତା କରିବାକୁ ଅଛି । ତୁମେ ମୋ ଶୋଇବା ଘରେହିଁ ଶୋଇବ । ରାତିରେ କଥାବାର୍ତ୍ତା ହେବା ।’’

 

ଲୋହିଆ କହିଲେ, ‘‘ଆପଣ ତ ରାତିରେ ଅନେକ ଥର ଉଠି କାମ କରନ୍ତି ଆଉ ଶୁଅନ୍ତି-। ମୋ ପକ୍ଷରେ ତାହା ସମ୍ଭବ ହେବ କି ? ତେବେ ମୁଁ ଆପଣଙ୍କ ନିକଟରେ ବିଛଣା ପକାଇବି, ଆପଣ ଯେତେବେଳେ ଉଠିବେ ମତେ ଉଠାଇଦେବେ ।’’

 

ସେଦିନ ରାତିରେ ଲୋହିଆ ଗାନ୍ଧିଙ୍କ ଖଟ ପାଖରେହିଁ ଶୋଇଲେ । ଭାବିଲେ, ଗାନ୍ଧି ଯେତେବେଳେ ଉଠିବେ, ତାଙ୍କୁ ଉଠାଇଦେବେ । କିନ୍ତୁ ନିଦ ଭାଙ୍ଗିଲାବେଳକୁ ସକାଳ ହୋଇ ସାରିଥିଲା । ଗାନ୍ଧିଙ୍କ ବିଛଣା ଖାଲି ପଡ଼ିଥିଲା । ସେ ବାହାରି ଯାଇଥିଲେ । ଲୋହିଆ ପସ୍ତେଇ ହେଲେ, ନିଜର ନିଦ ପ୍ରତି କ୍ରୋଧ ଜାତ ହେଲା; କିନ୍ତୁ ଗାନ୍ଧି କାହିଁକି ତାଙ୍କୁ ଉଠାଇଦେଲେ ନାହିଁ ?

 

ଜାନୁଆରୀ ୨୯ ତାରିଖରେ ଗାନ୍ଧିଙ୍କ ସହ ଭେଟ ହେବାବେଳେ ସେ କହିଲେ, ‘‘ତୁମକୁ ରାତିରେ ଉଠାଇ ପାରିଲି ନାହିଁ । ତୁମର ନିଦ ଭାଙ୍ଗିବାକୁ ମୋର ସାହସ ହେଲା ନାହିଁ । କାଲି ତୁମ ସହ କଥାବାର୍ତ୍ତା କରିବି । ଜରୁରୀ ବିଷୟ ଏହି ଯେ ତୁମର ପାର୍ଟି ଓ କଂଗ୍ରେସ ସମ୍ପର୍କରେ ମତେ କିଛି ନିଷ୍ପତ୍ତି କରିବାକୁ ହେବ । କାଲି ସନ୍ଧ୍ୟାରେ ତୁମେ ନିଶ୍ଚୟ ଆସିବ । କାଲି ପେଟ ପୂରାଇ କଥା ହେବା ।’’

 

‘‘କାଲି ପେଟ ପୂରାଇ କଥା ହେବା’’–ଏହି କେତୋଟି ଶବ୍ଦ ଲୋହିଆଙ୍କ କାନରେ ବାରମ୍ବାର ଘୂରିବାକୁ ଲାଗିଲା । ସେ ଏବଂ ଗାନ୍ଧି ଦୁହେଁ ବୁଝିପାରିଥିଲେ ଯେ ବର୍ତ୍ତମାନ ଚାଲିଥିବା ନୀତି ଉପରେ ପାର୍ଟି ଓ କଂଗ୍ରେସର ମେଳ ରହିପାରିବ ନାହିଁ । ତେଣୁ ଏହି ସମ୍ପର୍କରେ ପନ୍ଥା ନିର୍ଣ୍ଣୟ କରିବାପାଇଁ ଗାନ୍ଧିଙ୍କ ପ୍ରସ୍ତାବ ଅତି ସମୟୋଚିତ ବୋଲି ଲୋହିଆଙ୍କ ମନେ ହେଲା ।

 

ପୂର୍ବନିର୍ଦ୍ଧାରିତ ଅନୁସାରେ ଗାନ୍ଧିଙ୍କ ସହିତ ପେଟପୂରା କଥା ହେବାପାଇଁ ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଲୋହିଆ ବାହାରିଲେ । ଖଣ୍ଡେ ଟାକ୍‌ସି କରି ସେ ବିରଳା ଭବନ ଆଡ଼କୁ ଚାଳିଲେ । କିନ୍ତୁ ସେ କ’ଣ ଜାଣିଥିଲେ ଯେ ଗାନ୍ଧିଙ୍କ ପାଖକୁ ତାଙ୍କର ଏହି ଯାତ୍ରା ଆଉ କେବେ ପୂରା ହୋଇପାରିବ ନାହିଁ ଏବଂ ଗାନ୍ଧୀଙ୍କ ‘ପେଟ ପୂରାଇ କଥା ହେବା’ କଥାଟି ମନଭିତରେହିଁ କବର ନେବ ?

 

ରାସ୍ତାରେହିଁ ଗାନ୍ଧିଙ୍କୁ ଘୃଣିତ ଓ ନୃଶଂସଭାବେ ହତ୍ୟା କରାଯାଇଥିବା ଘଟଣା ଲୋହିଆ ଶୁଣିବାକୁ ପାଇଲେ ।

 

ଲୋହିଆ ତତ୍‌କ୍ଷଣାତ୍‌ ‘ବିରଳା ଭବନ’କୁ ଦଉଡ଼ିଗଲେ ।

କିନ୍ତୁ ସେଠାରେ ଗାନ୍ଧିଙ୍କ ବ୍ୟତୀତ ଅନ୍ୟମାନଙ୍କର ଖୁବ୍‌ ଭିଡ଼ ଜମିଥିଲା ।

କୋଠରୀ ଭିତରେ ଗାନ୍ଧିଙ୍କ ମୃତଦେହ ପଡ଼ିରହିଥିଲା ।

ଲୋହିଆ ଗାନ୍ଧିବିହୀନ ଭାରତର କଳ୍ପନା ମଧ୍ୟ କରି ନଥିଲେ । କିନ୍ତୁ ଯେଉଁ ଦୁର୍ଘଟଣାର କଳ୍ପନା ମଧ୍ୟ ଅସମ୍ଭବ ଥିଲା, ସେହି ଦୁର୍ଘଟଣା ସତ୍ୟରୂପେ ସମ୍ମୁଖରେ ଉପସ୍ଥିତ ହେଲା ।

ଲୋହିଆଙ୍କ ମନେହେଲା, ସେ ଆଜି ଦ୍ୱିତୀୟ ଥରପାଇଁ ଏବଂ ପ୍ରକୃତ ଅର୍ଥରେ ପ୍ରଥମ ଥରପାଇଁ ଅନାଥ ହେଲେ ।

ଦେଶର ପ୍ରହରୀ ସମ୍ମୁଖରେ ମରିପଡ଼ିଥିଲା ଏବଂ ଦେଶର ରାଜା ହୋଇଥିବା ଲୋକେ ଲୁହ ବୁହାଉଥିଲେ ।

ସାରା ଦେଶ କ୍ରୋଧ ଓ ଶୋକରେ ଅଚେତ ହୋଇ ଉଠୁଥିଲା । କେତେ ହାହାକାର, କେତେ କ୍ରନ୍ଦନ ! ସମଗ୍ର ଦେଶର ବିଳାପ । ଗାନ୍ଧିଙ୍କ ବିଶ୍ୱସ୍ତ ଶିଷ୍ୟ–ନେହେରୁ ଓ ପଟେଲ ଶାସନଗାଦିରେ ଥାଉଁଥାଉଁ ଗାନ୍ଧିଙ୍କ ହତ୍ୟା କିପରି ହେଲା ? ଜଣେ ପାଗଳ, ସାମ୍ପ୍ରଦାୟିକ ହିନ୍ଦୁ ରାଷ୍ଟ୍ରପିତାଙ୍କୁ କାହିଁକି ହତ୍ୟା କଲା ?

ଗାନ୍ଧିଙ୍କ ହତ୍ୟା ପୂର୍ବରୁହିଁ ତାଙ୍କ ଜୀବନ ପ୍ରତି ବିପଦ ସଙ୍କେତ ପ୍ରତ୍ୟକ୍ଷରୂପେ ମିଳିଥିଲା ଏବଂ ତତ୍କାଳୀନ ରାଷ୍ଟ୍ରୀୟ ସରକାର ଗାନ୍ଧିଙ୍କୁ ରକ୍ଷା କରିପାରି ନଥିଲା, ଏହା ଅତ୍ୟନ୍ତ ଲଜ୍ଜାକର କଥା-

 

ଲୋହିଆଙ୍କ ଏକମାତ୍ର ଆଶ୍ରୟ ଛିନ୍ନ ହୋଇଗଲା । ତିନିବର୍ଷ ପୂର୍ବେ ତାଙ୍କ ପିତା ହୀରାଲାଲଙ୍କ ଦେହାନ୍ତ ହୋଇଥିଲା । ଯେତେବେଳେ ସେ ଆଗ୍ରା ଜେଲରୁ ମୁକୁଳି ପ୍ରଥମ ଥରପାଇଁ ଗାନ୍ଧିଙ୍କୁ ଦେଖାକଲେ, ଗାନ୍ଧି ଦୁଃଖିତ ହୋଇ କହିଥିଲେ ଯେ ଲୋହିଆ କାହିଁକି ସିଧା ତାଙ୍କ ପାଖକୁ ଆସିଲେ ନାହିଁ ? ହୀରାଲାଲ ମରିଛନ୍ତି, ହେଲେ ଗାନ୍ଧି ତ ଜୀବିତ ଅଛନ୍ତି ।

 

କେବଳ ଗାନ୍ଧିହିଁ ଜଣେ ଲୋକ ଥିଲେ, ଯାହାଙ୍କ ଆଗରେ ଲୋହିଆ ମନର ସବୁ ପ୍ରକାର କଟୁତା ଓ କ୍ଷୋଭକୁ ପୂରାପୂରି ପ୍ରକାଶ କରିପାରୁଥିଲେ । କେବଳ ସେତିକି ନୁହେଁ, ଗାନ୍ଧି ଲୋହିଆଙ୍କ ପାଇଁ ଏପରି ଏକ ରକ୍ଷା–ପୁରୁଷ ଥିଲେ, ଯିଏ କି ଲୋହିଆଙ୍କ ପରି ଅନେକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ଆଖି ରଖୁଥିଲେ ।

 

ଲୋହିଆଙ୍କର ଦିନକର କଥା ମନେ ପଡ଼ିଲା । ଗାନ୍ଧି ଲୋହିଆଙ୍କୁ ପଚାରିଥିଲେ, ‘‘ଈଶ୍ୱରଙ୍କଠାରେ ତୁମର ଶ୍ରଦ୍ଧା ଅଛି ?’’ ଲୋହିଆ ଅବିଳମ୍ବେ ଉତ୍ତର ଦେଇଥିଲେ–‘‘ନା’’ । ସେତେବେଳେ ଗାନ୍ଧି କହିଥିଲେ, ‘‘ତେବେ ତୁମେ ଜଣେ ଉତ୍ତମ ସତ୍ୟାଗ୍ରହୀ ହୋଇପାରିବ ନାହିଁ, କିନ୍ତୁ କିଏ ଜାଣେ ?’’

 

ଆଜି ଲୋହିଆ ଭାବୁଥିଲେ–ଈଶ୍ୱରଙ୍କଠାରେ ଅତୁଟ ଶ୍ରଦ୍ଧା ରଖି ଯେ ଜୀବନଯାକ ଅହିଂସା ପ୍ରଚାର କଲା, ଆଜି ହିଂସାଦ୍ୱାରା ତାହାର ହତ୍ୟା ହେଲା । ଏହା କି ବିପରୀତ ଘଟନା ସତେ !

 

ଲୋହିଆ ତ ଈଶ୍ୱରଙ୍କଠାରେ ଶ୍ରଦ୍ଧା ନ ରଖିବା ଲୋକ ଥିଲେ; କିନ୍ତୁ ଗାନ୍ଧିଙ୍କ ପ୍ରତି ତାଙ୍କର ଈଶ୍ୱର ସମାନ ଶ୍ରଦ୍ଧା ଓ ଆସ୍ଥା ରହିଥିଲା । ଆଉ ତାଙ୍କ ଅନ୍ତରର ଈଶ୍ୱର ମରିଯାଇଛି । ଭାବି ଭାବି ଲୋହିଆଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା । ସେ କେବଳ ଏତିକି କହିପାରିଲେ ଆଉ ଗାନ୍ଧି ଯେପରି ତାଙ୍କ କଥା ଶୁଣୁଥିଲେ–‘‘କାହିଁକି ଆପଣ ମୋ ସହିତ ଏବଂ ହିନ୍ଦୁସ୍ଥାନର ଜନତା ପ୍ରତି ବିଶ୍ୱାସଘାତକତା କଲେ, ଆପଣ ଏତେ ଶୀଘ୍ର ଚାଲିଗଲେ କାହିଁକି ?’’

ଆଉ ଗାନ୍ଧିଙ୍କର ବିଶ୍ୱାସଘାତକତାର ପ୍ରତିଶୋଧ ନେବା ଦୃଷ୍ଟିରୁ ଲୋହିଆ ପୁଣି ସିଗାରେଟ ପିଇଲେ ।

ଲୋହିଆଙ୍କ ଏହି ଅଭିମାନଭରା ଭାବନା କି ବେଦନାକ୍ତ ! କେତେ ନିଷ୍ପାପ !!

ଗାନ୍ଧିଙ୍କ ହତ୍ୟା ପରେ ତାଙ୍କ ଅନ୍ତିମ–କ୍ରିୟା ସମୟରେ ତାଙ୍କ ଶିଷ୍ୟମାନଙ୍କ ଢଙ୍ଗ ଦେଖି ଲୋହିଆଙ୍କ ମନରୁ ଅବଶିଷ୍ଟ ଭାବନା ମଧ୍ୟ ନଷ୍ଟ ହୋଇଗଲା । ଗାନ୍ଧିଙ୍କ ମୃତଦେହ ସହିତ ମଧ୍ୟ ତାଙ୍କ ଶିଷ୍ୟଗଣ ଖେଳ ଖେଳିବାକୁ ଛାଡ଼ିଲେ ନାହିଁ । ତାହା ଦେଖି ଲୋହିଆଙ୍କ ଆତ୍ମା ଅଭିଯୋଗ କରିବାପାଇଁ ଚିତ୍କାର କରିଉଠିଥିଲା; କିନ୍ତୁ ତାଙ୍କର ଏହି ଅଭିଯୋଗ ବା ଚିତ୍କାର ଶୁଣିବାକୁ କିଏ ଥିଲା-?

ଦିଲ୍ଲୀଠାରେ ଗାନ୍ଧିଙ୍କ ଅନ୍ତିମ–ଯାତ୍ରା ସମୟରେ ତାଙ୍କ ଶିଷ୍ୟଗଣ ଗାନ୍ଧିଙ୍କ ମୃତଦେହକୁ ଏକ ସୈନ୍ୟବାହିନୀ–ଗାଡ଼ି ଉପରେ ସଜାଇ ରଖିଲେ ଏବଂ ସେମାନେ ସମସ୍ତେ ସଫାସୁତୁରା ପୋଷାକ ପିନ୍ଧି ଶବ ପାଖରେ ବସିଗଲେ । ସେମାନେ ଜୋତା ପିନ୍ଧି ଶବ–ଗାଡ଼ିରେ ଚଢ଼ିଲେ । ଏସବୁ ଦେଖି ଲୋହିଆ କମ୍ପିଉଠିଲେ । କେତେ ଅଧଃପତନ ! କେତେ ନୀଚତା ! କେତେ ବିକୃତି ! କେତେ ଧୃଷ୍ଟତା । ଲୋହିଆ ଭାବିଲେ, ୟୁରୋପର ଲୋକେ ମଧ୍ୟ ଶବ ପଛେ ପଛେ ପଦବ୍ରଜରେ ଟୋପି କାଢ଼ି ଚାଲନ୍ତି । ଭାରତର ଲୋକେବି ଶବଯାତ୍ରାରେ ନଗ୍ନପଦ, ନଗ୍ନଶିର ହୋଇ ଚାଲି ଚାଲି ଯାଆନ୍ତି । ସଂସାରର ସମସ୍ତ ଶବ ଆଦର ପାଏ, ଭିକାରିର ହେଉ ବା ରାଜାର; କିନ୍ତୁ ଗାନ୍ଧିଙ୍କ ଶବକୁ ଏ କେଉଁ ମର୍ଯ୍ୟାଦା ଦିଆଯାଉଛି ! ରାଷ୍ଟ୍ରପିତାଙ୍କ ମୃତଦେହ ସହିତ ମଧ୍ୟ ଏହି ବିଡ଼ମ୍ବନା !

ସେହି ବେଦନାମୟ ମୁହୂର୍ତ୍ତରେ କୋଟି କୋଟି ରୋରୁଦ୍ୟମାନ ଜନତାଙ୍କୁ ଲୋହିଆ ଯେତେବେଳେ ଶୋକାକୁଳ ଆଖିରେ ଚାହିଁଲେ, ତାଙ୍କୁ କିଛିଟା ସାନ୍ତ୍ୱନା ମିଳିଲା । ସମ୍ଭବତଃ ଏବେବି ଗାନ୍ଧି ସେଇ କୋଟି କୋଟି ନିରୀହ ଜନତା ଭିତରେ ଜୀବିତ ଅଛନ୍ତି । ଲୋହିଆଙ୍କ ଅନ୍ତର୍ବେଦନା ଜନସମୁଦାୟଙ୍କ ମଧ୍ୟରେ ସାକାର ହୋଇଉଠିଲା । ଜନତା ଶୋକବିହ୍ୱଳ । ଶୋକାକୁଳ ଜନତାଙ୍କୁ ଚାହିଁ ଲୋହିଆଙ୍କ ରୁଦ୍ଧବେଦନା ଆହୁରି ତୀବ୍ର ହୋଇଉଠିଲା । ଗାନ୍ଧିଙ୍କ ଦାୟାଦଗଣ ନିଜ ନିଜ ଉତ୍ତରାଧିକାର ବା ଶକ୍ତି ପ୍ରଦର୍ଶନୀରେ ଜୋତା ଟୋପି ପିନ୍ଧି ଶବବାହୀ ସାମରିକ ଗାଡ଼ି ଉପରେ ଚଢ଼ିଥିଲେ ଏବଂ ଜନତା, ଜନତାର ବେଦନାରେ ଆକାଶ ମଧ୍ୟ କମ୍ପି ଉଠୁଥିଲା ।

ତା’ପରେ ଗାନ୍ଧିଙ୍କ ହତ୍ୟାର ବାର ଦିନ ପରେ ତାଙ୍କ ଅସ୍ଥି ଅବଶେଷ ନେଇ ଏକ ସ୍ୱତନ୍ତ୍ର ଗାଡ଼ି କ୍ଷିପ୍ର ଗତିରେ ଘର୍ଘର ଶବ୍ଦ କରି ଦିଲ୍ଲୀରୁ ପ୍ରୟାଗ ଆଡ଼କୁ ଛୁଟିଥିଲା ତ୍ରିବେଣୀ–ସଂଗମରେ ଅସ୍ଥିବିସର୍ଜନ ପାଇଁ । ଲୋହିଆ ମଧ୍ୟ ସେଇ ଗାଡ଼ିରେ ଥିଲେ । ଯେଉଁ ପର୍ଯ୍ୟନ୍ତ ସାଥୀ ହୋଇପାରିବେ, ଗାନ୍ଧିଙ୍କ ଅବଶେଷ ପର୍ଯ୍ୟନ୍ତ ଲୋହିଆ ଚାଲିବାକୁ ଚାହୁଁଥିଲେ ।

ଦିଲ୍ଲୀରୁ ପ୍ରୟାଗ ପର୍ଯ୍ୟନ୍ତ ରାସ୍ତାର ପ୍ରତ୍ୟେକ ଷ୍ଟେସନ୍‍ରେ ଶୋକବିହ୍ୱଳ ଜନତାର ଭିଡ଼ ଆପଣାର ରାଷ୍ଟ୍ରପିତା, ଆପଣାର ଯିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ଅପେକ୍ଷା କରି ରହିଥିଲା । ଚଳନ୍ତା ଗାଡ଼ିରୁ ଲୋହିଆ ଦେଖିଲେ ବିସ୍ତୀର୍ଣ୍ଣ କ୍ଷେତ ମଝିରେ ଜଣେ ଅର୍ଦ୍ଧନଗ୍ନ ବୃଦ୍ଧ କୃଷକ ଗାଡ଼ି ଉପରକୁ ଶ୍ରଦ୍ଧାଞ୍ଜଳି ଫୁଲ ଫିଙ୍ଗୁଥିଲା । ତାହାକୁ ଲକ୍ଷ୍ୟ କରି ଲୋହିଆଙ୍କର ହୃଦ୍‌ବୋଧ ହେଲା ଯେ ପ୍ରକୃତରେ ଏହି କୃଷକ, ଏହି ଦେଶ ଆଜି ଅନାଥ ହେଲା । ସେହି ଏକାକୀ ଠିଆ ହୋଇଥିବା ଜରାଜୀର୍ଣ୍ଣ କୃଷକହିଁ ଦେଶର ପ୍ରତୀକ । ସେତେବେଳେ ଛାଏଁ ଛାଏଁ ଲୋହିଆଙ୍କ ଆଖି ଛଳଛଳ ହୋଇଉଠିଲା । ନିଜର ଅଜାଣତରେ ଲୁହ ବହିଯାଉଥାଏ । ଲୋହିଆଙ୍କ ଜୀବନରେ ପ୍ରକାଶ୍ୟଭାବେ ଲୁହ ଢାଳିବା ବୋଧହୁଏ ଏହାହିଁ ପ୍ରଥମ ଓ ଶେଷ ଅବସର । ସେଇ କୃଷକର ବିବଶ ଶୋକ ଭାବନାରେ ଲୋହିଆଙ୍କ ସୁପ୍ତଶୋକ ଜାଗିଉଠିଲା । ଲୋହିଆ ଧୀରେ ଧୀରେ ଆଖି ପୋଛିନେଲେ ।

ଆଉ ସେଇ ବେଦନାର ଉଚ୍ଛ୍ୱାସ ଶୀଘ୍ର ଲୋହିଆଙ୍କ ମନରେ ତିରସ୍କାର, ଘୃଣା ଓ ଉଦ୍‌ବେଗରୂପେ ବଦଳିଗଲା ।

ବାପୁଙ୍କର ଅସ୍ଥି ନେଇ ଯେତେବେଳେ ଗାଡ଼ି ପ୍ରୟାଗରେ ପହଞ୍ଚିଲା, ଗାନ୍ଧି–ଶିଷ୍ୟଗଣ ଦିଲ୍ଲୀରେ ଦେଖାଇଥିବା ଭାବ ପ୍ରଦର୍ଶନ କଲେ । ପ୍ରୟାଗରେ କୋଟି କୋଟି ସଂଖ୍ୟାରେ ଜମା ହୋଇଥିବା ଜନତାଙ୍କ ଆଖିଲୁହ ଦେଖି ଲୋହିଆ ନିଜକୁ ସମ୍ଭାଳି ପାରୁ ନଥିଲେ । ଜନତା ବିଳାପ କରୁଥିଲା, ଲୋକେ ଅସ୍ଥିର ହୋଇଉଠୁଥିଲେ । ରାଷ୍ଟ୍ରପିତାଙ୍କ ଅସ୍ଥିକଳସ ସାମରିକ ଗାଡ଼ିରେ ରଖାହୋଇ ସଜା ଯାଉଥିଲା । ଏହି ଅବସରରେ ସରକାର ଯେପରି ସୈନ୍ୟବାହିନୀ ପ୍ରଦର୍ଶନୀ ଆୟୋଜନ କରିଥିଲେ, ସେପରି ଆଉ କେବେ କରି ନାହାନ୍ତି ।

ତା’ପରେ ଏଲ୍‌ହାବାଦ ସଡ଼କ ଉପରେ ଶୋଭାଯାତ୍ରା ଚାଲିଲା । ନେହେରୁଙ୍କ ନିଜ ସହର ଏଲ୍‌ହାବାଦ । ନେହେରୁ ଖୁବ୍ ବ୍ୟସ୍ତ ଦେଖା ଯାଉଥିଲେ । ସେଇ ବ୍ୟସ୍ତତା ଭିତରେ ନେହେରୁ ଧୋତି–ଅଚକନ ପିନ୍ଧି ଟୋପି ଲଗାଇ ଜୋତା ମାଡ଼ି ବାପୁଙ୍କ ଅସ୍ଥିବାହୀ ଗାଡ଼ି ଉପରେ ଚଢ଼ିଗଲେ ।

 

ଲୋହିଆ ଆଉ ସମ୍ଭାଳି ପାରିଲେ ନାହିଁ । ଆଗେଇଯାଇ ଗାଡ଼ିରେ ଚଢ଼ୁଥିବା ନେହେରୁଙ୍କ ଗୋଡ଼ ଧରି ତଳକୁ ଟାଣିଆଣିଲେ । ନେହେରୁ ତଳକୁ ଖସି ଆସିଲେ ଏବଂ ରାଗିଯାଇ ଲୋହିଆଙ୍କୁ ଚାହିଁବାରୁ ଲୋହିଆ କହିଲେ–‘‘ଟିକିଏବି ଲଜ୍ଜା ଆସୁନି ! ଜୋତା ପିନ୍ଧି ସେଇ ପବିତ୍ର ଗାଡ଼ି ଉପରକୁ ଚଢ଼ିଯାଇ ଗାନ୍ଧିଙ୍କ ପ୍ରତି ଏହା କେଉଁ ଶ୍ରଦ୍ଧା ଦେଖାଉଛନ୍ତି ?’’

 

କିନ୍ତୁ ନେହେରୁଙ୍କ ପାଇଁ ଏହା ଧ୍ୟାନଯୋଗ୍ୟ କଥା ନଥିଲା । ଆଜି ନେହେରୁଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଗାନ୍ଧିଙ୍କ ପ୍ରଭୁତ୍ୱ ମିଳିଥିଲା...ରାସ୍ତା ଉପରେ ଠିଆ ହୋଇଥିବା ସେଇ କୃଷକ ଏବଂ ନେହେରୁଙ୍କ ବ୍ୟଥା ଦୁଇ ପ୍ରକାର ଥିଲା ।

 

ସେଇ ମୁହୂର୍ତ୍ତରେ ଲୋହିଆ ଜାଣିପାରିଥିଲେ ଯେ ଗାନ୍ଧିଙ୍କ ହତ୍ୟା ଘଟଣାଠାରୁ ଭାରତର ଅଧଃପତନ ଆରମ୍ଭ ହୋଇଯାଇଛି । ସତ୍ୟ, ନ୍ୟାୟ ଓ ବିଶ୍ୱାସର ପ୍ରତୀକ ନଷ୍ଟ ହେବାପରେ ଦେଶର ଅନ୍ୟ ରୂପ ଆଉ କ’ଣ ବା ହୁଅନ୍ତା ?

 

ଗାନ୍ଧିଙ୍କ ଅନ୍ତିମ–କ୍ରିୟାର ପ୍ରଦର୍ଶନକାରୀ ରୂପ ମଧ୍ୟ ସମ୍ପୂର୍ଣ୍ଣ ବୀଭତ୍ସତା ସହିତ ସମାପ୍ତ ହୋଇଗଲା ।

 

ଲୋହିଆଙ୍କ ଧର୍ମପିତା, ଧର୍ମଗୁରୁ ସବୁଦିନ ପାଇଁ ଚାଲିଗଲେ । ଆଜିର ଇତିହାସରେ ଏକଥା ଲିପିବଦ୍ଧ ହୋଇଯାଇଛି ଯେ ଗାନ୍ଧିଙ୍କ ପରେ ଏକମାତ୍ର ଲୋହିଆହିଁ ଗାନ୍ଧି–ନୀତିକୁ ବଞ୍ଚାଇ ରଖିଅଛନ୍ତି । ସଂସାର ଏହି ସତ୍ୟକୁ ଆଜି ନହେଲେ କାଲି ବୁଝିବ ।

 

୧୦

 

ଦେଶରେ ବର୍ତ୍ତମାନ ଗାନ୍ଧି ନଥିଲେ ।

 

ଗାନ୍ଧି–ହତ୍ୟାଠାରୁ ଦେଶର ରାଜନୈତିକ ଜୀବନରେ ବର୍ତ୍ତମାନ ପରିବର୍ତ୍ତନ ଆସିବା ଆବଶ୍ୟକ ଥିଲା । କାରଣ ଗାନ୍ଧିହିଁ ନେହେରୁ–ପଟେଲ ସରକାରର ଶେଷ ଅଙ୍କୁଶ ଥିଲେ । କଂଗ୍ରେସର କ୍ରମବର୍ଦ୍ଧମାନ ଅବନତିର ଏକମାତ୍ର ବାଧା ଥିଲେ ଗାନ୍ଧି ।

 

ଶେଷ ଜୀବନରେ ଗାନ୍ଧି କଂଗ୍ରେସ ଦଳକୁ ଭାଙ୍ଗିଦେବା ପାଇଁ ନତୁବା ଲୋକସେବକ ସଂଘରୂପେ ବଦଳାଇ ତାହାର ପରିଚାଳନା ସୂତ୍ର ସମାଜବାଦୀଙ୍କ ହାତରେ ସମର୍ପଣ କରିବାପାଇଁ କଂଗ୍ରେସୀ ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଲେ । ତାହାର ପରିଣାମରେ କଂଗ୍ରେସର ମଠାଧୀଶଗଣ ପଦେପଦେ ଗାନ୍ଧିଙ୍କ ପ୍ରତ୍ୟେକ ଇଚ୍ଛାକୁ ପଦାଘାତ କଲେ ଏବଂ ତାଙ୍କ ପ୍ରତି ଅବହେଳା କରିବାକୁ ଲାଗିଲେ ।

 

ବର୍ତ୍ତମାନ ଗାନ୍ଧି ଚାଲିଯାଇଥିଲେ–ସବୁ ଦିନପାଇଁ । କଂଗ୍ରେସକୁ ଅଳ୍ପ ବହୁତେ ବାଧା ଦେବାର ଅଙ୍କୁଶ ଭାଙ୍ଗିଯାଇଥିଲା ।

 

ନେହେରୁ ଓ ପଟେଲ ଦୁହେଁ ଦିଲ୍ଲୀର ଶାସନଗାଦିରେ ଅଧିଷ୍ଠିତ ଥାଉଁଥାଉଁ ଦିଲ୍ଲୀରେହିଁ ଗାନ୍ଧିଙ୍କର ହତ୍ୟା ଭାରତ–ମାନସରେ ଆଘାତପ୍ରଦ ଘଟଣା ଥିଲା । ଦେଶର ଏକମାତ୍ର ରକ୍ଷା–ପୁରୁଷର ରକ୍ଷା ମଧ୍ୟ ନେହେରୁ–ପଟେଲ କରିପାରି ନଥିଲେ ।

 

ଗାନ୍ଧି–ହତ୍ୟା ପରେ ପରେ ଜୟପ୍ରକାଶ ନାରାୟଣ ଏବଂ କମଳାଦେବୀ ଚଟ୍ଟୋପାଧ୍ୟାୟ ଏହି ସଂକ୍ରାନ୍ତରେ ପ୍ରକାଶ କରିବାପାଇଁ ଏକ ବକ୍ତବ୍ୟ ତିଆରି କଲେ । ବକ୍ତବ୍ୟ ନେଇ ଦୁହେଁ ଲୋହିଆଙ୍କ ନିକଟକୁ ଆସିଲେ ।

 

ସେଇ ବକ୍ତବ୍ୟରେ ଗାନ୍ଧି–ହତ୍ୟା ଦୋଷ କେବଳ ସର୍ଦ୍ଦାର ପଟେଲଙ୍କ ଉପରେ ଆରୋପ କରାଯାଇଥିଲା । ଲୋହିଆ ସଂଶୋଧନ କଲେ–ପୂରାପୂରି ନେହେରୁ ମନ୍ତ୍ରିମଣ୍ଡଳ ଏଥିପାଇଁ ଦାୟୀ । ସଂଶୋଧନ ସହିତ ଲୋହିଆ ମଧ୍ୟ ବକ୍ତବ୍ୟରେ ସ୍ୱାକ୍ଷର କଲେ । ତା’ପରେ ତିନି ଜଣଙ୍କ ସମ୍ମିଳିତ ସ୍ୱାକ୍ଷରରେ ବକ୍ତବ୍ୟ ଛପାଗଲା–ଗାନ୍ଧିଙ୍କ ଜୀବନରକ୍ଷା ଦିଗରେ ଅଯୋଗ୍ୟ ସରକାର ପ୍ରାୟଶ୍ଚିତ୍ତ ପାଇଁ ତୁରନ୍ତ ଇସ୍ତଫା ଦେଉ ।

 

ସେଇ ବକ୍ତବ୍ୟ ହେତୁ ଦେଶରେ ଆଲୋଡ଼ନ ଦେଖାଗଲା । ଯେଉଁ ଲୋକେ ଆତଙ୍କରେ ନୀରବ ଥିଲେ, ସେମାନଙ୍କ ମୁହଁ ଖୋଲିଲା । କଂଗ୍ରେସ ସରକାରଙ୍କ ଅପାରଗତା ସମସ୍ତେ ଜାଣିପାରିଲେ । କଂଗ୍ରେସ ସରକାର ବିଶେଷତଃ ନେହେରୁ–ପଟେଲ ଜଳିଉଠିବା ସ୍ୱାଭାବିକ ଥିଲା-

 

ଦେଶର ଅବସ୍ଥା ଦିନକୁଦିନ ଖରାପ ଦିଗକୁ ଗତି କରୁଥିଲା ଏବଂ ନେହେରୁ–ପଟେଲ ତାକୁ ସମ୍ଭାଳିବା ପାଇଁ ଅସମର୍ଥ ଥିଲେ; କାରଣ ଗାନ୍ଧି–ହତ୍ୟା ପାପରୁ ଦୁହିଁଙ୍କର ଆତ୍ମା ମରି ସାରିଥିଲା ।

 

ଏହି ଅବସରରେ ସୋସାଲିଷ୍ଟ ଦଳ ୧୯୪୮ ମାର୍ଚ୍ଚ ମାସରେ ନାସିକ–ସମ୍ମେଳନରେ କଂଗ୍ରେସରୁ ଅଲଗା ହୋଇଯିବାର ସିଦ୍ଧାନ୍ତ ଗ୍ରହଣ କଲା । ଏଇ ନାସିକ ସମ୍ମେଳନରେ ଆଉ ଏକ ପ୍ରସ୍ତାବ ଲୋହିଆଙ୍କ ପ୍ରେରଣାରେ ସ୍ୱୀକୃତ ହେଲା ଯେ–ଭାରତଗର୍ଭରେ ୬୫୦ ରାଜୁଡ଼ାଶାସିତ ଅଞ୍ଚଳର ଅସ୍ତିତ୍ୱ ଦେଶର ସ୍ୱତନ୍ତ୍ରତା ପାଇଁ ବିପଜ୍ଜନକ ଅଟେ । ମାଉଣ୍ଟ ବ୍ୟାଟେନ୍ ନିଜର ଚାଲାକିରେ ସେହି ରାଜ୍ୟମାନଙ୍କୁ ତିଷ୍ଠିରହିବା ପାଇଁ ସୂତ୍ର ଖଞ୍ଜିଥିଲେ ଏବଂ କଂଗ୍ରେସୀ ବଡ଼ପଣ୍ଡାଗଣ କ୍ଷମତାର ମୋହରେ ମାଉଣ୍ଟ ବ୍ୟାଟେନ୍‍ଙ୍କର ଏହି କୂଟନୀତିକୁ ବୁଝିପାରି ନଥିଲେ ।

 

ସୋସାଲିଷ୍ଟ ଦଳ ଭାରତ ଦେହରେ ରହିଥିବା ଏହି ପୁରୁଣା କ୍ଷତ ପ୍ରତି ଦେଶର ଧ୍ୟାନ ଆକର୍ଷଣ କଲା । ମଧ୍ୟ–ଭାରତ, ମଧ୍ୟ–ପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହାଇଦ୍ରାବାଦ ଆଦି ରାଜ୍ୟର ରାଜୁଡ଼ାଶାସିତ ଅଞ୍ଚଳମାନଙ୍କରେ ଉଚ୍ଛେଦ ଆନ୍ଦୋଳନର ନେତୃତ୍ୱ ସମାଜବାଦୀ କରୁଥିଲେ । ବର୍ତ୍ତମାନ ସୋସାଲିଷ୍ଟ ପାର୍ଟି ରାଜୁଡ଼ାଶାସିତ ଜନତାଙ୍କ ସ୍ୱାତନ୍ତ୍ର୍ୟ ସଂଗ୍ରାମକୁ ଅଧିକ ତୀବ୍ର ଓ ଉଗ୍ର କରି ରାଜା–ମହାରାଜାଙ୍କ ନିରଙ୍କୁଶ ଶାସନର ସମାପ୍ତି କରିବାପାଇଁ ସିଦ୍ଧାନ୍ତ ଗ୍ରହଣ କଲା ।

 

କଂଗ୍ରେସଦ୍ୱାରା ପରିଚାଳିତ ରାଜୁଡ଼ାଶାସିତ ପ୍ରଜାମଣ୍ଡଳର ମଧ୍ୟ ସେହି ଅବସ୍ଥା ଥିଲା, ଯାହା କି କଂଗ୍ରେସର ଥିଲା ।

 

ଜୁନାଗଡ଼, ଭୋପାଳ, କାଶ୍ମୀର, ତ୍ରିବାଙ୍କୁଡ଼, ଗୁଆଲିୟର, ଇନ୍ଦୋର, ଭାବନଗର, ପାତିଆଲା ପ୍ରଭୃତି ରାଜ୍ୟ ନିଜ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱର ଯୋଜନା ତିଆରି କରିବାକୁ ଲାଗିଥିଲେ ।

 

ହାଇଦ୍ରାବାଦର ନିଜାମ ନିଜର ସ୍ୱତନ୍ତ୍ର–ସତ୍ତା ସ୍ଥାପନ କରିବା ଘୋଷଣା ମଧ୍ୟ କରିଦେଇଥିଲା । ରାଜପ୍ରମୁଖଙ୍କ ସାମ୍ପ୍ରଦାୟିକ ସଙ୍ଗଠନ ବଡ଼ ଉପଦ୍ରବ ଘଟାଉଥିଲା । ଏକ ବକ୍ତବ୍ୟରେ ଲୋହିଆ ନିର୍ଭୀକ ଭାବରେ କହିଲେ–ନିଜାମଙ୍କ ନୀତି ହାଇଦ୍ରାବାଦ ଓ ଦକ୍ଷିଣ ଭାରତର ମୁସଲମାନମାନଙ୍କୁ ବିପଦରେ ପକାଉଛି; କାରଣ ଅନ୍ୟ ଲୋକଙ୍କ ମନରେ ଯଦି ପ୍ରତିହିଂସା ଭାବନା ଜାଗିଉଠେ, ତେବେ ନିଜାମ ସେହି ଲୋକମାନଙ୍କୁ ରକ୍ଷା କରିପାରିବ ନାହିଁ, ଯାହାକୁ ସେ ଉତ୍ତେଜିତ କରୁଛି ।

 

ଏଆଡ଼େ ରୀୱାଁ ପରିସ୍ଥିତି ମଧ୍ୟ ଚିନ୍ତାଜନକ । ବିନ୍ଧ୍ୟବାସୀ ଜନତା ଖୁବ୍‌ କ୍ଷୁବ୍ଧ ଥିଲେ ।

 

ଲୋହିଆ ରୀୱାଁରେ ପହଞ୍ଚିଲେ ।

 

ଡିସେମ୍ବର ୧୯୪୮ରେ ରୀୱାଁର ନଗରପାଳିକା ଲୋହିଆଙ୍କୁ ମାନପତ୍ର ପ୍ରଦାନ କଲେ-। ତାହାର ଉତ୍ତରରେ ଲୋହିଆ ଖୁବ୍‌ ତର୍କସଙ୍ଗତ ଦୃଷ୍ଟିରେ ଲୋକଙ୍କ ଆଗରେ ବିନ୍ଧ୍ୟର ସମସ୍ୟାକୁ ବିଶ୍ଳେଷଣ କଲେ ।

 

ରୀୱାଁର ଜନତା ଜାଗିଉଠିଲେ ।

 

ଜାନୁଆରୀ ୨ ତାରିଖ ଦିନ ରୀୱାଁରେ ବିରାଟ ଶୋଭାଯାତ୍ରା ବାହାରିଥିଲା । ‘‘ଆମେ ନିର୍ବାଚନ ଚାହୁଁ–ବିଭାଜନ ରଦ୍ଦ ହେଉ’’ ପ୍ରଭୃତି ଧ୍ୱନିରେ ବିନ୍ଧ୍ୟଭୂମି କମ୍ପିଉଠିଲା । ସହରରେ ହରତାଳ ପାଳିତ ହେଲା ଏବଂ ରୀୱାଁର ମୋଟର ଷ୍ଟାଣ୍ଡଠାରେ ଗୋଟାଏ ବଡ଼ ଧରଣର ଭିଡ଼ ଲାଗିଲା ।

 

ଭିଡ଼କୁ ଇତସ୍ତତଃ କରିଦେବା ପାଇଁ ପୋଲିସ୍ ପକ୍ଷରୁ ଗୁଳି ଚାଲିଲା । ଚାରି ଜଣ ମଲେ ଏବଂ ବାଇଶି ଜଣ ଆହତ ହେଲେ । ଦୁଇ ଶହ ଲୋକଙ୍କୁ ଗିରଫ୍ କରାଗଲା । ଆଖିବୁଜି ଗୁଳି ଚଳା ହୋଇଥିଲା । ଗୋଟିଏ ଗାଈ ଓ ଆଉ କେତେକ ମହିଷ ମଧ୍ୟ ସହିଦ ହେଲେ ।

 

ଅନ୍ୟ ପ୍ରଦେଶ ସହିତ ବିନ୍ଧ୍ୟପ୍ରଦେଶର ଯୋଗାଯୋଗ ଛିନ୍ନ କରିବାପାଇଁ ତାର ଓ ଟେଲିଫୋନ୍ ବନ୍ଦ କରି ଦିଆଗଲା । ୧୪୪ ଧାରା ଜାରି ହେଲା । ବିନ୍ଧ୍ୟରେ ମାର୍ଶାଲ ଆଇନ ଚାଲୁ ହୋଇଯାଇଥିବା ପରି ଦେଖା ଯାଉଥିଲା ।

 

୧୯୪୯ ଜାନୁଆରୀ ୮ ତାରିଖ ଦିନ ନିଜେ ଲୋହିଆ ବିନ୍ଧ୍ୟ ପ୍ରଦେଶରେ ପହଞ୍ଚିଲେ । ରୀୱାଁର ପୂର୍ବଦିଗରେ ଥିବା ସତନା ଷ୍ଟେସନ୍‍ରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ବିନ୍ଧ୍ୟବାସୀ ଜନତା ଲୋହିଆଙ୍କୁ ସ୍ୱାଗତ ଜଣାଇଲେ ।

 

ରୀୱାଁରେ ପହଞ୍ଚି ଲୋହିଆ ଲାଠି ଓ ଗୁଳିକାଣ୍ଡ ଘଟିଥିବା ସ୍ଥାନ ଦେଖିଲେ । ଆହତ ଲୋକଙ୍କ ସହିତ କଥାବାର୍ତ୍ତା କଲେ । ସହିଦ ହୋଇଥିବା ଲୋକଙ୍କ ପରିବାରକୁ ଗଲେ । ଲୋହିଆ ହାସ୍‌ପାତାଳ ମଧ୍ୟ ଗଲେ । ଆହତମାନଙ୍କର ଜଙ୍ଘ, ଛାତି ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିଲା । ସେମାନଙ୍କ ଭିତରେ ଜଣେ ଦଶବର୍ଷର ପିଲା ମଧ୍ୟ ଥିଲା । ସେହି ପିଲାଟି ଖୁବ୍‌ ଦରଦଭରା ସ୍ୱରରେ ଲୋହିଆଙ୍କୁ କହିଲା, ‘‘ମୁଁ ପାଣି ପିଇ ପାରୁ ନାହିଁ ।’’

 

ଗଙ୍ଗାପ୍ରସାଦ ନାମକ ଜଣେ ବ୍ୟକ୍ତି ସହିଦ ହୋଇଥିଲେ । ତାଙ୍କର ଶବକୁ ବହୁଦୂର ପର୍ଯ୍ୟନ୍ତ ପୋଲିସ୍ ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ତାଙ୍କର ଯୁବତୀ ବିଧବା ପତ୍ନୀ ଅନେକ ଦିନ ଧରି ବେହୋସ ହୋଇ ପଡ଼ିଥିଲେ । ଆଉ ଜଣେ ଏଗାର ବର୍ଷିଆ ବାଳିକା ମଧ୍ୟ ମୃତ୍ୟୁମୁଖରେ ପଡ଼ିଥିଲା । ସରକାର ମୃତ ଲୋକଙ୍କ ସଠିକ ସଂଖ୍ୟା ଲୁଚାଇ ରଖିଥିଲେ, ବୋଧହୁଏ ନିଜର ମନ୍ଦ କୃତ୍ୟର ପରିଣାମ ମଧ୍ୟ ତାଙ୍କୁ ଜଣା ନଥିଲା । ରୀୱାଁର ଯାତାୟାତ ପଥରେ ହତିଆରଧାରୀ ପୋଲିସ୍‍ଙ୍କ ପହରା ଥିଲା । ସରକାରୀ କୋଠାବାଡ଼ିରେ ତାଲା ପଡ଼ିଥିଲା ।

 

ରୀୱାଁର ପରିସ୍ଥିତି ଉପରେ ଆଲୋକପାତ କରି ଲୋହିଆ ଦେଶର ଧ୍ୟାନ ଆକର୍ଷଣ କଲେ ।

 

ଲୋହିଆ ରୀୱାଁ ଓ ମେହର ଜେଲରେ ବନ୍ଦୀ ହୋଇଥିବା ଲୋକଙ୍କୁ ଭେଟିବାପାଇଁ ଅନୁମତି ଚାହିଁଲେ; କିନ୍ତୁ ସରକାର ଅନୁମତି ଦେଲେ ନାହିଁ । ଗୋଟିଏ ସଭା ପୂର୍ବରୁ ଲାଉଡ଼୍‍–ସ୍ପିକର୍ ଜବତ କରି ନିଆଗଲା । ରୀୱାଁରେ ୨ ଜାନୁଆରୀଠାରୁ ୮ ଜାନୁଆରୀ ପର୍ଯ୍ୟନ୍ତ ହରତାଳ ଚାଲୁରହିଲା । ସମସ୍ତ ଦୋକାନ ବନ୍ଦ ହେଲା । ନିର୍ଭୟ ଦୋକାନୀମାନେ ସରକାରଙ୍କ ଲାଇସେନ୍‌ସ୍ ଜବତ ଧମକକୁ ମଧ୍ୟ ଖାତିର କଲେ ନାହିଁ । ଲୋକମାନଙ୍କ ମନରେ ସରକାରଙ୍କ ପ୍ରତି ଅବିଶ୍ୱାସ ଘର କରି ସାରିଥିଲା ।

 

ଲୋହିଆ ରୀୱାଁର ଉତ୍ତେଜକ ପରିସ୍ଥିତିକୁ ଶାନ୍ତ କରିବାକୁ ଯାଉଥିଲେ; କିନ୍ତୁ ସରକାର ଅଚାନକ ବଡ଼ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଦେଲେ । ସୋସାଲିଷ୍ଟ ପାର୍ଟି କାର୍ଯ୍ୟାଳୟଠାରେ ଲୋହିଆଙ୍କୁ ‘ଜନସୁରକ୍ଷା ଆଦେଶ’ ବଳରେ ଗିରଫ୍ କରାଗଲା । କିନ୍ତୁ ଜନତାଙ୍କ ଉଗ୍ରତା ଦେଖି ଲୋହିଆଙ୍କୁ ରୀୱାଁ ଜେଲରେ ରଖିବାପାଇଁ ସରକାରଙ୍କର ସାହସ ହେଲା ନାହିଁ । ତାଙ୍କୁ ଧରିନେଇ ପୁଲିସ ଗାଡ଼ିରେ ମିର୍ଜାପୁର ଆଡ଼କୁ ନିଆଗଲା ।

 

ଲୋହିଆଙ୍କ ଏହି ଗିରଫ୍ ଘଟଣା ଅତ୍ୟନ୍ତ ନାଟକୀୟ ଢଙ୍ଗରେ ହୋଇଥିଲା । ରୀୱାଁର ସୋସାଲିଷ୍ଟ ପାର୍ଟି ଅଫିସ୍ ତଥା ଚାରିଆଡ଼ର ସଡ଼କ ଉପରେ ଶହ ଶହ ହତିଆରଧାରୀ ପୁଲିସ ପହରା ନିଯୁକ୍ତ କରାଯାଇଥିଲା ଏବଂ ତିନୋଟି ଗାଡ଼ିରେ ଭର୍ତ୍ତିହୋଇ ପୁଲିସ ଏକାକୀ ଲୋହିଆଙ୍କୁ ଧରିବାପାଇଁ ଯାଇଥିଲେ ।

 

ରୀୱାଁର ପରିସ୍ଥିତି ପୁଣି ଉଦ୍‌ବେଗଜନକ ହୋଇଉଠିଲା । ଦୋକାନଗୁଡ଼ିକ ବନ୍ଦ ରହିଲା-

 

ଲୋହିଆଙ୍କୁ ନେଇ ରୀୱାଁ ଓ ମିର୍ଜାପୁର ସୀମାରେ ଛାଡ଼ି ଦିଆଗଲା । ବଳପ୍ରୟୋଗପୂର୍ବକ ତାଙ୍କୁ ରୀୱାଁରେ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଲୋହିଆ ସିଧା ଲକ୍ଷ୍ନୌ ଗଲେ ଏବଂ ବିନ୍ଧ୍ୟ ପରିସ୍ଥିତି ଉପରେ ଏକ ଖୋଲା ବକ୍ତବ୍ୟରେ କହିଲେ–‘‘ରାଜ୍ୟର ଜଣେ ନାଗରିକକୁ ଏକ ପ୍ରଦେଶରୁ ଅନ୍ୟ ପ୍ରଦେଶକୁ ବଳପୂର୍ବକ ନିଷ୍କାସିତ କରିବା ଭାରତୀୟ ଏକତା ଓ ସମ୍ବିଧାନ ଅତ୍ୟନ୍ତ ତାଚ୍ଛଲ୍ୟଜନକ ଅଟେ । ନିଷ୍କାସନ ଏବଂ ନିର୍ବାସନ ମଧ୍ୟରେ ପାର୍ଥକ୍ୟ ରହିଛି । ସରକାରଙ୍କର ସାହସ ଥାନ୍ତା ଯଦି ମତେ ଜେଲରେ ରଖନ୍ତେ । କିନ୍ତୁ ଏପରି ଭାବରେ ଭାରତୀୟ ଏକତାର ମୌଳିକ ନିୟମ ଭଙ୍ଗ କରିବା ସର୍ବଥା ଅନୁଚିତ ।’’

 

୧୯୪୯ରେ ନାଗପୁରଠାରେ ଦଳ ତରଫରୁ ରାଷ୍ଟ୍ରୀୟ ସମିତିର ଯେଉଁ ବୈଠକ ହୋଇଥିଲା, ସେଥିରେ ଲୋହିଆଙ୍କ ଦୂରଦୃଷ୍ଟିର ଆଉ ଏକ ପ୍ରସଙ୍ଗ ସମ୍ମୁଖକୁ ଆସିଥିଲା । ଲୋହିଆ ‘ହିମାଳୟୀ ନୀତି’ ନାମରେ ଏକ ନୂତନ ନୀତି ଉପସ୍ଥାପନ କଲେ ।

 

ଲୋହିଆ କହିଥିଲେ–‘‘ହିମାଳୟର ଦୁଇ ବାହୁ ଭିତରେ ରହୁଥିବା ଆଠ କୋଟି ଲୋକ ବର୍ତ୍ତମାନ କ୍ଷୁବ୍ଧ ହୋଇଅଛନ୍ତି । ପୃଥିବୀର ଉତ୍ତୁଙ୍ଗ ଓ ଶୀତଳମୟ ପର୍ବତରାଜ ବର୍ତ୍ତମାନ ତପ୍ତ ହୋଇଛି । ତା’ ଉପରେ ଦଖଲ ପାଇବାପାଇଁ ଆରପଟେ ଅସୁମାରି ସୈନ୍ୟଙ୍କ ଉତ୍ତେଜନାପୂର୍ଣ୍ଣ କଳ୍ପନା ବଢ଼ି ଚାଲିଛି । ଏଣୁ ବର୍ତ୍ତମାନ ହିନ୍ଦୁସ୍ଥାନର ପ୍ରାକୃତିକ ସଂରକ୍ଷକ ହିମାଳୟ ପ୍ରତି ବିପଦ ଆଶଙ୍କା ଜାତ ହୋଇଛି । ତିବ୍ବତ ଉପରେ ଚୀନର ଆକ୍ରମଣ କେବଳ ଶିଶୁହତ୍ୟା ସଙ୍ଗେ ସମାନ ଏବଂ ଏହା ଏସିଆର ସ୍ଥିତିକୁ ସ୍ପଷ୍ଟ କରିଦେଇଛି । ‘ଏସିଆର ମନ’ ବା ‘ଏସିଆର ମଣିଷ’–ଏପରି କୌଣସି ଭାବନାର ଅସ୍ତିତ୍ୱ ଆଉ ନାହିଁ । ଏସିଆ ତିନି ଶ୍ରେଣୀରେ ବାଣ୍ଟି ହୋଇଯାଇଛି–ସ୍ଥିତିପ୍ରିୟ, କମ୍ୟୁନିଷ୍ଟ ଏବଂ ସୋସାଲିଷ୍ଟ । ତିବ୍ବତରେ ଆଜି ସ୍ଥିତିପ୍ରିୟ ଓ କମ୍ୟୁନିଷ୍ଟ ଏସିଆ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି; କିନ୍ତୁ ଏସୀୟ ଜନତା ବା ତିବ୍ବତୀୟ ଜନତାର ଆବଶ୍ୟକତା ପ୍ରତିବିମ୍ବ ଏହି ଦ୍ୱନ୍ଦ୍ୱ ଭିତରେ ନାହିଁ ।

 

ଗୋଆ, ନେପାଳ ପ୍ରଭୃତି ସୀମା ସଂକ୍ରାନ୍ତରେ ଭାରତ ସରକାରଙ୍କ ଅସ୍ଥିର ନୀତିର ଆଲୋଚନା କରି ଲୋହିଆ କହିଲେ ଯେ ତଟସ୍ଥତା ଏବଂ ହସ୍ତକ୍ଷେପର ମର୍ଯ୍ୟାଦାକୁ ତୃତୀୟ–ଶକ୍ତି ବୁଝିବା ଆବଶ୍ୟକ । ଭାରତ ଯଦି ହିମାଳୟୀ–ପ୍ରଦେଶମାନଙ୍କ ପ୍ରତି ତଟସ୍ଥ ଏବଂ ଉଦାସୀନ ନୀତି ଗ୍ରହଣ କରେ, ତେବେ ରାଜନୈତିକ ଶୂନ୍ୟତା ପ୍ରକଟ ହୋଇଯିବ ଏବଂ ସେହି ଶୂନ୍ୟସ୍ଥାନ ପୂରଣ କରିବାପାଇଁ ସୋଭିଏଟ ଓ ଆଟଲାଣ୍ଟିକ ଦଳ ଅଗ୍ରସର ହେବେ । ସୁତରାଂ ଏହି ଅଞ୍ଚଳର ଆହ୍ୱାନକୁ ଠିକ୍‌ରୂପେ ବୁଝି ତୃତୀୟ ଶକ୍ତି ନୀତିର ପରିପୋଷଣ କରିବାହିଁ ଭାରତର ଜରୁରୀ କର୍ତ୍ତବ୍ୟ ହୋଇପଡ଼ିଛି ।

 

ସେତେବେଳେ ଲୋହିଆ ଆଉ ଏକ କଥା କହିଥିଲେ–‘‘ଭାରତକୁ ପଶ୍ଚିମରେ ପଠାଣମାନଙ୍କର ସ୍ୱାଧୀନତା ଆନ୍ଦୋଳନକୁ ସରକାରୀ ସ୍ତରରେ ନହେଲେବି ଜନସାଧାରଣ ସ୍ତରରେ ସମର୍ଥନ କରିବା ଆବଶ୍ୟକ ।

 

କିନ୍ତୁ ଲୋହିଆଙ୍କ କଥା ବା ଚେତାବନୀକୁ ଭାରତ ସରକାର ଧ୍ୟାନ ଦେଲେ ନାହିଁ । ନେହେରୁ ତ ଚୀନର କାଳ୍ପନିକ ବନ୍ଧୁତ୍ୱରେ ଭ୍ରାନ୍ତ ହୋଇଥିଲେ ।

 

ଲୋହିଆଙ୍କ ପ୍ରେରଣାରେ ନେପାଳ–କଂଗ୍ରେସ ସ୍ଥାପିତ ହୋଇଥିଲା । ନେପାଳରେ ରାଜତନ୍ତ୍ରର ଅତ୍ୟାଚାର ଚାଲିଥିଲା । ତା’ ବିରୁଦ୍ଧରେ ନେପାଳ–କଂଗ୍ରେସ ସଂଗ୍ରାମ ଚଳାଇଥିଲା । ନେପାଳ–କଂଗ୍ରେସର ଶହ ଶହ ଯୁବକ ଜେଲରେ ବନ୍ଦୀ ହୋଇଥିଲେ । ସେଇ ରାଜବନ୍ଦୀମାନଙ୍କ ପ୍ରତି କରାଯାଇଥିବା ଅମାନୁଷିକ ବ୍ୟବହାର ବିରୁଦ୍ଧରେ ନେପାଳ–କଂଗ୍ରେସର ଭୂତପୂର୍ବ ଅଧ୍ୟକ୍ଷ ବିଶ୍ୱେଶ୍ୱର ପ୍ରସାଦ କୋଇରାଲା ଆମରଣ ଅନଶନ କରିଥିଲେ । ନେପାଳୀ ଜନତାଙ୍କ ପ୍ରତି ସହାନୁଭୂତି ଓ ସହଯୋଗ ପ୍ରଦର୍ଶନ କରିବାପାଇଁ ୨୫ ମଇ, ୧୯୪୯ରେ ସୋସାଲିଷ୍ଟ ପାର୍ଟି ତରଫରୁ ନୂଆଦିଲ୍ଲୀର କନ୍ନଟ ସର୍କସ୍‍ଠାରେ ଲୋହିଆଙ୍କ ନେତୃତ୍ୱରେ ଏକ ସଭା ସଂଗଠିତ କରାଯାଇଥିଲା ।

 

ସେଇ ସଭା ପରେ ନେପାଳ–କଂଗ୍ରେସର ଦାବି ସମର୍ଥନସମ୍ବଳିତ ଏକ ସ୍ମୃତିପତ୍ର ଭାରତସ୍ଥିତି ନେପାଳ ରାଜଦୂତଙ୍କୁ ଦେବାପାଇଁ ଲୋହିଆଙ୍କ ନେତୃତ୍ୱରେ ଏକ ଜନତା ପଟୁଆର ଅଗ୍ରସର ହେଲା । ପ୍ରାୟ ତିନି ଶହ ଲୋକଙ୍କ ଏଇ ଶୋଭାଯାତ୍ରାକୁ ନେପାଳ ଦୂତାବାସଠାରୁ ପଚାଶ ଗଜ ବ୍ୟବଧାନରେ ପୋଲିସ୍ ବାଧା ଦେଲା । ପୋଲିସ୍ ଅଧିକାରୀଗଣ ଶୋଭାଯାତ୍ରାକୁ ଭାଙ୍ଗିବାକୁ କହିଲେ । ପଟୁଆରରେ ଥିବା ଲୋକେ ସଡ଼କ ଉପରେ ବସି ନେପାଳୀ ନେତାମାନଙ୍କର ମୁକ୍ତି ଦାବି କରି ସ୍ଲୋଗାନ ଦେଲେ । ଏଇ ପ୍ରଦର୍ଶନ ଘଣ୍ଟାକରୁ ଅଧିକ କାଳ ଚାଲିଲା । ପରେ ପରେ ଜଣେ ମାଜିଷ୍ଟ୍ରେଟ ଆସିଲେ ଏବଂ ତାଙ୍କ ଆଦେଶରେ ବସିଥିବା ଲୋକଙ୍କ ମଝିରେ ଅଗ୍ନିମୁଖୀ ବୋମାସବୁ ଫୁଟିବାକୁ ଲାଗିଲା । ସମଗ୍ର ଅଞ୍ଚଳ ଲୁହବୁହା ଗ୍ୟାସର ତୀବ୍ର ଧୂଆଁରେ ଛାଇଗଲା । ଲୁହବୁହା ଗ୍ୟାସ ଏତେ କଡ଼ା ଓ ତୀବ୍ର ଥିଲା ଯେ ଏକ ମାଇଲ ବ୍ୟବଧାନରେ କନ୍‌ଷ୍ଟିଚ୍ୟୁସନ କ୍ଳବ୍ ଭିତରେ ହେଉଥିବା ଅନ୍ୟ ଏକ ସଭାରେ ବସିବାପାଇଁ ଲୋକମାନଙ୍କ ପକ୍ଷେ ଅସହ୍ୟ ହୋଇଉଠିଲା ଏବଂ ସଭା ଭାଙ୍ଗିଗଲା । ଲୁହବୁହା ଗ୍ୟାସର ଧୂଆଁ ଛାଇର ଲାଭ ଉଠାଇ ପୋଲିସ୍ ଲାଠି ଚଳାଇଲେ ଏବଂ ବହୁତ ଲୋକ ଆଘାତ ପାଇଲେ ।

 

ସେଇ ଦିନ ରାତି ୯ ଘଣ୍ଟାରେ ଲୋହିଆଙ୍କୁ ଗିରଫ୍ କରିନେଇ ପାର୍ଲିଆମେଣ୍ଟ୍ ଷ୍ଟ୍ରିଟ୍‌ର ଥାନାରେ ରଖାଗଲା ।

 

ଏହା ଏକ ଅତ୍ୟନ୍ତ ଲଜ୍ଜାକର ଘଟଣାର ପ୍ରାରମ୍ଭ ଥିଲା । ସ୍ୱାଧୀନତା–ସଂଗ୍ରାମରେ ଆଗୁଆ ହୋଇ ଲଢ଼ିଥିବା ଲୋକଙ୍କୁ ସ୍ୱାଧୀନ ଭାରତରେ ମଧ୍ୟ ଗିରଫ୍ କରିବା ଏହା ପ୍ରଥମ ଘଟଣା-

 

ଗିରଫ୍ ହେବାପରେ ଲୋହିଆ ଖୁବ୍ କ୍ଷୁବ୍ଧ ହୋଇ କହିଥିଲେ–ଇଂରେଜ ସରକାର ମୋ ସହିତ ଖୁବ୍‌ ମନ୍ଦ ବ୍ୟବହାର କରିଥିଲେ; କିନ୍ତୁ ମୋ ଉପରେ ଲୁହବୁହା ଗ୍ୟାସ ଛାଡ଼ିବା କାମ କେବଳ ସ୍ୱାଧୀନ ହିନ୍ଦୁସ୍ଥାନର ସରକାରହିଁ କଲେ । ....ମୋର ମନେ ହୁଏ, ହିଂସ୍ରକ କ୍ରାନ୍ତିରେ ଲଢ଼ୁଥିବା ଲୋକେ ପରସ୍ପରକୁ ଯେତେ ଆଦର କରନ୍ତି, ଅହିଂସା–କ୍ରାନ୍ତିରେ ଲଢ଼ିଥିବା ସହଯୋଦ୍ଧାଗଣ ସେତକବି କରନ୍ତି ନାହିଁ ।

 

ଏଥର ପ୍ରାୟ ପଚାଶ ଜଣ ଲୋହିଆଙ୍କ ସହିତ ଗିରଫ୍ ହୋଇଥିଲେ । ସେମାନଙ୍କ ଭିତରେ ଦୁଇ ଜଣ ଝିଅ ଓ ୧୦–୧୫ ବର୍ଷର ଦୁଇ ଜଣ ବାଳକ ମଧ୍ୟ ଥିଲେ । ପରଦିନ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଗଲା; କିନ୍ତୁ ସନ୍ଧ୍ୟାରେହିଁ ସେମାନଙ୍କୁ ମୁଚାଲିକାରେ ଛାଡ଼ି ଦିଆଗଲା । ମକଦ୍ଦମା ପାଇଁ ଜୁନ୍ ମାସର ୨ ତାରିଖ ନିର୍ଦ୍ଧାରିତ ହେଲା ।

 

ଜୁନ୍ ୪ ତାରିଖକୁ ବିରୋଧ ଦିବସରୂପେ ପାଳନ କରିବାପାଇଁ ସୋସାଲିଷ୍ଟ ପାର୍ଟି ଦିଲ୍ଲୀରେ ସଭା ଆୟୋଜନ କଲା । ଏହାକୁ ଆଳ କରି ଜୁନ୍ ୨ ତାରିଖରେ ସମସ୍ତଙ୍କର ଜାମିନ୍‍କୁ ରଦ୍ଦ କରି ଦିଆଗଲା ଏବଂ ସମସ୍ତଙ୍କୁ ଅଦାଲତରୁ ସିଧା ଜେଲକୁ ପଠାଇ ଦିଆଗଲା । ଲୋହିଆଙ୍କୁ ‘ବି’ ଏବଂ ଅନ୍ୟ ସମସ୍ତଙ୍କୁ ‘ସି’ ଶ୍ରେଣୀର କଏଦୀରୂପେ ରଖାଗଲା । ଲୋହିଆ ନିଜ ସାଥୀମାନଙ୍କଠାରୁ ଅଲଗା ରହିବାପାଇଁ ବିରୋଧ କଲେ । ପରିଶେଷରେ ସମସ୍ତେ ‘ବି’ ଶ୍ରେଣୀରେ ରହିଲେ ।

 

ଜୁନ୍ ୬ ତାରିଖରେ ଜେଲ ଭିତରେହିଁ ମକଦ୍ଦମା ଆରମ୍ଭ ହେଲା । ପ୍ରଥମ ଦିନ ମାଜିଷ୍ଟେଟ ମହେନ୍ଦ୍ର ସିଂ ବେଦୀ ଜେଲ ବାହାରେ ଫିରୋଜ ଶାହ କୋଟଲା ମୈଦାନରେ ଇଜଲାସ କରିଥିଲେ । ମକଦ୍ଦମା ଦେଖିବାକୁ ଖୁବ୍‌ ଭିଡ଼ ଜମିଥିଲା । କିନ୍ତୁ ସମ୍ଭବତଃ ଉପରୁ ମାଜିଷ୍ଟ୍ରେଟ ବେଦୀଙ୍କ ଉପରେ ଚାପ ଦିଆଗଲା ଏବଂ ପରଦିନ ଅଦାଲତ ଜେଲ ହତା ଭିତରେ ଚାଲିଲା ।

 

ସୋସାଲିଷ୍ଟ ପାର୍ଟି ଜୁନ୍ ୨୦ ତାରିଖକୁ ‘ଲୋହିଆ ଦିବସ’ରୂପେ ପାଳନ କରିବାପାଇଁ ସମଗ୍ର ଦେଶକୁ ସନ୍ଦେଶ ଦେଲେ । ମାନ୍ଦ୍ରାଜ, କଲିକତା, ପାଟନା, ଆହ୍ଲାବାଦ, ଆଜମିର, ଇନ୍ଦୋର ଏବଂ ଦିଲ୍ଲୀ ତଥା ଅନ୍ୟ ସହରମାନଙ୍କରେ ‘ଲୋହିଆ ଦିବସ’ ପାଳନ କରି ଜନତା ସରକାରଙ୍କୁ କଟୁ ସମାଲୋଚନା କଲେ ।

 

ଲୋହିଆଙ୍କ ବିଚାର ମାସେ ପର୍ଯ୍ୟନ୍ତ ଚାଲିଲା । ସମସ୍ତଙ୍କୁ ଦୁଇ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ଶହେ ଟଙ୍କା ଲେଖାଏଁ ଅର୍ଥଦଣ୍ଡ ଦିଆଗଲା । କିନ୍ତୁ ଜୁଲାଇ ୩ ତାରିଖରେ ଲୋହିଆଙ୍କୁ ମୁକୁଳାଇ ଦିଆଗଲା । ମୁକ୍ତି ସମୟରେ ଭାରତ ସରକାରଙ୍କ ବିଜ୍ଞପ୍ତି ବାହାରିଲା ଯେ ସରକାର ଡ: ଲୋହିଆ ତଥା ଅନ୍ୟ ଲୋକଙ୍କର ମାମଲା ଉପରେ ବିଚାର କରିଅଛନ୍ତି ଏବଂ ତାଙ୍କ ମତରେ ସେମାନେ ଯେତେ ଦଣ୍ଡ ଭୋଗି ସାରିଛନ୍ତି ତାହା ଯଥେଷ୍ଟ; ସୁତରାଂ ସେମାନଙ୍କୁ ମୁକ୍ତି ଆଦେଶ ଦିଆଯାଇଛି ।

 

ଜେଲରୁ ମୁକୁଳିଲା ପରେ ମଧ୍ୟ ଲୋହିଆ ନେପାଳୀ କଂଗ୍ରେସକୁ ସମର୍ଥନ କରିବାକୁ ଲାଗିଲେ; କିନ୍ତୁ ନେପାଳ କଂଗ୍ରେସର ନେତାମାନଙ୍କ ମଧ୍ୟରେ ପରସ୍ପର ବିରୋଧ ଦେଖା ଦେଇଥିଲା ଏବଂ ଭାରତର ଅନ୍ୟ ନେତାଗଣ ତାହାର ଲାଭ ଉଠାଇବାକୁ ଲାଗିଥିଲେ । ଠିକ୍‌ ସେହି ସମୟକୁ ଯୋଗକୁ ନେହେରୁଙ୍କ ହାତରେ ଗୋଟାଏ ବଡ଼ ସୁଯୋଗ ଆସି ଆପଣାଛାଏଁ ଧରାଦେଲା । ନେପାଳର ମହାରାଜା ତ୍ରିଭୁବନ ଆସି ଦିଲ୍ଲୀରେ ଶରଣ ପଶିଲେ । ବିରାଟ ନଗର ନେପାଳୀ କଂଗ୍ରେସର ଅଧିକାରରେ ଆସିଗଲା । ସେଇଠି ଗୋଟିଏ ବଡ଼ ଧରଣର ରାଜକୋଷ ମଧ୍ୟ ହାତକୁ ଆସିଗଲା । ସେଇ ରାଜକୋଷକୁ ସାଙ୍ଗରେ ନେଇ ବିଶ୍ୱେଶ୍ୱର ପ୍ରସାଦ କୋଇରାଲା ଦିଲ୍ଲୀ ଆସିଲେ-। ଭାରତ ସରକାର ସେଇ ରାଜକୋଷକୁ ହାତେଇ ନେବାପାଇଁ ଖୁବ୍‌ ତତ୍ପର ହୋଇଉଠିଲେ-। ତା’ପରେ ନେହେରୁ, ମହାରାଜା ତ୍ରିଭୁବନ ଏବଂ କୋଇରାଲାଙ୍କ ମଧ୍ୟରେ ବୁଝାମଣାର କଥାବାର୍ତ୍ତା ଚାଲିଲା । ବୁଝାମଣାବି ହୋଇଗଲା । ବିଶ୍ୱେଶ୍ୱରପ୍ରସାଦ ନେପାଳର ଘରୋଇମନ୍ତ୍ରୀ ହୋଇଗଲେ-। ନେପାଳର କ୍ରାନ୍ତି ଅଧାରୁହିଁ ଶେଷ ହୋଇଗଲା । ଗୋଟାଏ ଆଶାର ସମାପ୍ତି ଏପରି ଭାବରେ ଘଟିଗଲା ।

 

ଯେଉଁ ସମୟରେ ନେପାଳ–କ୍ରାନ୍ତି ଚାଲିଥିଲା, ଠିକ୍‌ ସେତିକିବେଳେ ୨୨–୨୩ ଡିସେମ୍ବର ୧୯୫୦ରେ ଲକ୍ଷ୍ନୌଠାରେ ‘ହିମାଳୟ ସମ୍ମେଳନ’ ଅନୁଷ୍ଠିତ ହେଲା । ‘‘ପାକ୍‌ତୁନ ଜିରଗଏ–ହିନ୍ଦ୍‌’’ ତରଫରୁ ଆକବର ଖାଁ କୁମାୟୁନ, ତିବ୍ବତ ସୀମାରୁ ଦୁର୍ଗାସିଂହ ରାବତ୍‌ ଏବଂ ନେପାଳୀ କଂଗ୍ରେସ ତରଫରୁ ମାତୃକାପ୍ରସାଦ କୋଇରାଲା ଅଂଶଗ୍ରହଣ କଲେ । କିନ୍ତୁ ଦୁର୍ଭାଗ୍ୟ ସେଇଠିବି ଲୋହିଆଙ୍କ ସାଙ୍ଗ ଛାଡ଼ିଲା ନାହିଁ । ନେପାଳୀ କଂଗ୍ରେସ ନେତାଙ୍କର ପରସ୍ପର ବିରୋଧ ଭାବ ଏବଂ ଭୁଲ ନୀତି ତଥା ସୋସାଲିଷ୍ଟ ନେତାଙ୍କର ଏ ସମ୍ବନ୍ଧରେ ଉଦାସୀନତା ଓ ଗୁପ୍ତ ବିରୋଧ ଫଳରେ ଲୋହିଆଙ୍କର ହିମାଳୟ ନୀତିର ସ୍ୱପ୍ନ ମଧ୍ୟ ପୂର୍ଣ୍ଣ ହୋଇପାରିଲାନି ।

 

ସନ ୧୯୪୯ ଜୁଲାଇରେ ମାନ୍ଦ୍ରାଜରେ ପାର୍ଟିର ବାର୍ଷିକ ସମ୍ମେଳନ ଥିଲା । ଲୋହିଆ ଦଳର ‘ପରରାଷ୍ଟ୍ର ବିଭାଗ ସମିତି’ର ଅଧ୍ୟକ୍ଷ ଥିଲେ । ଲୋହିଆ ତାଙ୍କ ବିଭାଗର ରିପୋର୍ଟ ପଠାଇଦେଲେ; କିନ୍ତୁ ନିଜେ ସମ୍ମେଳନରେ ଭାଗ ନେଲେ ନାହିଁ । ୟା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ରହିଥିଲା ।

 

ମାନ୍ଦ୍ରାଜ ସମ୍ମେଳନର କିଛିଦିନ ଆଗରୁ କୋରିଆ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ସେଇ ସମୟରେ ପାର୍ଟିର ‘‘ପରରାଷ୍ଟ୍ର ନୀତି ସମିତି’’ର ବୈଠକ ବସିଲା । ଲୋହିଆଙ୍କ ଛଡ଼ା ଅଶୋକ ମେହେଟ୍ଟା ଏବଂ ଜୟପ୍ରକାଶ ନାରାୟଣ ମଧ୍ୟ ଉପସ୍ଥିତ ଥିଲେ । ସେ ଦୁଇ ଜଣ ଦକ୍ଷିଣ କୋରିଆ ଏବଂ ଆମେରିକାକୁ ସମର୍ଥନ କଲା ଭଳି ଆଚରଣ କଲେ । ଲୋହିଆଙ୍କ ସାଙ୍ଗରେ ଏଇ ସମ୍ବନ୍ଧରେ ନୀତି–ସମ୍ବନ୍ଧୀୟ ମତଦ୍ୱୈଧ ହେଲା ଏବଂ ବୈଠକ ଅଧଘଣ୍ଟାବି ଚାଲିପାରିଲା ନାହିଁ ।

 

ଜୟପ୍ରକାଶ ଏବଂ ଅଶୋକ ମେହେଟ୍ଟାଙ୍କ ଦୃଷ୍ଟିକୋଣର ବିକୃତିରେ ଭାଗୀଦାର ହେବାକୁ ଲୋହିଆ ଆଦୌ ପ୍ରସ୍ତୁତ ନଥିଲେ । ଏଇ ବିରୋଧ ଯୋଗୁଁ ସେ ମାନ୍ଦ୍ରାଜ ସମ୍ମେଳନରେ ଯୋଗ ଦେଇ ନଥିଲେ ।

 

ଲୋହିଆ ତାଙ୍କ ପରରାଷ୍ଟ୍ର ନୀତିରେ ପୃଥିବୀର ଦେଶଗୁଡ଼ିକ ଦୁଇ ଦଳରେ ବିଭକ୍ତ ହେବାର ବିରୋଧ ତଥା ଗୋଟାଏ ‘‘ତୃତୀୟ’’ ଶକ୍ତିର କଳ୍ପନା କରିଥିଲେ । ଲୋହିଆ ୧୯୪୮ର ନାସିକ ସମ୍ମେଳନରେ ସ୍ପଷ୍ଟ ଭାବରେ କହିଥିଲେ–‘‘ସନ ୧୯୪୫ରେ ଦ୍ୱିତୀୟ ମହାଯୁଦ୍ଧ ଶେଷ ହେଲା । ବର୍ତ୍ତମାନ ଠିକ୍‌ ତା’ର ତିନିବର୍ଷ ପରେ ଆମେ ସ୍ପଷ୍ଟ ଦେଖିବାକୁ ପାଉଛୁଁ ଯେ ପୃଥିବୀଟା ପୁଣି ରୁଷିଆ ଦଳ, ଆମେରିକା ଦଳ–ଏପରି ଦୁଇଟି ଶିବିରରେ ବିଭକ୍ତ ହେବାକୁ ଯାଉଛି । ଏଇ ଦୁଇ ଦଳ ଆଗାମୀ ଯୁଦ୍ଧପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି । ପୃଥିବୀର ଶାନ୍ତିପାଇଁ ଏହା ଖୁବ୍‌ ବିପଜ୍ଜନକ ମନେ ହୁଏ । ସେତେବେଳେ ଭାରତ ସରକାର ରୁଷିଆ ଓ ଆମେରିକା ଉଭୟ ଗୋଷ୍ଠୀକୁ ଏକା ସାଙ୍ଗରେ ସେବା କରିବା ଏବଂ ସେମାନଙ୍କୁ ସନ୍ତୁଷ୍ଟ କରି ରଖିବାରେ ବ୍ୟସ୍ତ ଥିଲେ । ସେଥିପାଇଁ ଲୋହିଆ ଆଉ ଏକ ତୃତୀୟ ଶକ୍ତିର କଳ୍ପନା କରିଥିଲେ, ଯାହା କି ଭବିଷ୍ୟତରେ ଅନ୍ତର୍ରାଷ୍ଟ୍ରୀୟ ଶକ୍ତିରୂପେ ଛିଡ଼ା ହୋଇପାରିବ ।

 

ସେତେବେଳେ କାଶ୍ମୀର ପ୍ରଶ୍ନ ଉପରେ ସଂଯୁକ୍ତ ରାଷ୍ଟ୍ରସଙ୍ଘରେ ଆଲୋଚନା ହେଲା ଏବଂ ଭାରତର ‘‘ପରରାଷ୍ଟ୍ର ନୀତି’’ର ବିଫଳତା ସାରା ପୃଥିବୀରେ ବ୍ୟାପିଗଲା । ଲୋହିଆ ଆରମ୍ଭରୁହିଁ ‘‘କାଶ୍ମୀର ପ୍ରଶ୍ନକୁ’’ ସଂଯୁକ୍ତ ରାଷ୍ଟ୍ରସଙ୍ଘକୁ ନେବା ଏକ ‘‘ମହାନ୍‌ ଭୁଲ’’ ବୋଲି ଚେତାବନୀ ଦେଇଥିଲେ ।

 

କିନ୍ତୁ ଲୋହିଆଙ୍କ ଦୁର୍ଭାଗ୍ୟ । ତାଙ୍କର ‘‘ତୃତୀୟ ଶକ୍ତି’’ର ସିଦ୍ଧାନ୍ତକୁ ସୋସାଲିଷ୍ଟ ପାର୍ଟିର ଅନ୍ୟ ନେତାମାନେବି ହଜମ କରିପାରିଲେ ନାହିଁ କିମ୍ବା ବୁଝି ମଧ୍ୟ ପାରିଲେ ନାହିଁ । ନାସିକ ସମ୍ମେଳନରେ ଜୟପ୍ରକାଶ ନାରାୟଣ ନିଜ ରିପୋର୍ଟରେ ରୁଷିଆକୁ ତ କଟୁ ସମାଲୋଚନା କଲେ; କିନ୍ତୁ ଆମେରିକାର ମେଣ୍ଟ ସମ୍ବନ୍ଧରେ କିଛି କହିଲେ ନାହିଁ ।

 

ଅନ୍ୟ ଦିଗରେ କମ୍ୟୁନିଷ୍ଟମାନେ ବର୍ଷ ବର୍ଷ ଧରି ଲୋହିଆଙ୍କୁ ଗାଳି–ଗୁଲଜପୂର୍ଣ୍ଣ ଆଲୋଚନାର ଶରବ୍ୟ କରି ରଖିଥିଲେ । ସେତେବେଳେ ରୁଷୀୟ ଏକଛତ୍ରପତି ଷ୍ଟାଲିନ୍‌ ତଟସ୍ଥତା ନୀତିର ଘୋର ବିରୋଧୀ ଥିଲେ । ମସ୍କୋରୁ ପ୍ରକାଶିତ ‘‘ନ୍ୟୁ ଟାଇମ୍‍ସ୍’’ ଲୋହିଆଙ୍କ ‘‘ତୃତୀୟ ଶକ୍ତି’’ର କଳ୍ପନାକୁ କଟୁ ସମାଲୋଚନା କରି ଆରୋପ କଲେ ଯେ ଲୋହିଆ କୋରିଆରେ ଆମେରିକାର ହସ୍ତକ୍ଷେପକୁ ସମର୍ଥନ କରିଛନ୍ତି ।

 

‘‘ନ୍ୟୁ ଟାଇମ୍‍ସ୍’’ ଆଲୋଚନାର ଉତ୍ତର ଦେବାକୁ ଯାଇ ଲୋହିଆ କହିଲେ ଯେ, ‘‘ଏହି ଆଲୋଚନା ବିକୃତ ଏବଂ ମିଥ୍ୟା ଅଟେ । ତୃତୀୟ ଶକ୍ତି କେବଳ ଏସିଆ ଦେଶଗୁଡ଼ିକ ନୁହେଁ, ବରଂ ସ୍ୱିଡ଼େନ ଏବଂ ଯୁଗୋସ୍ଲାଭିଆ ଭଳି ୟୁରୋପୀୟ ତଟସ୍ଥ ଦେଶଗୁଡ଼ିକ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଜନ–ଆନ୍ଦୋଳନ ରୂପରେ ତୃତୀୟ ଶକ୍ତିର ଏଇ ଧ୍ୱନି ବୋଧହୁଏ ରୁଷିଆ ପର୍ଯ୍ୟନ୍ତ ପହଞ୍ଚି ପାରିବ କି ନାହିଁ ସନ୍ଦେହ ।

 

ନିଜ ନୀତିକୁ ସ୍ପଷ୍ଟ କରିବାକୁ ଯାଇ ଲୋହିଆ ‘‘ନ୍ୟୁ ଟାଇମ୍‍ସ୍’’ରେ ପ୍ରକାଶନାର୍ଥେ ଗୋଟିଏ ଲମ୍ବା ଚିଠି ଲେଖି ପଠାଇଲେ; କିନ୍ତୁ ‘‘ନ୍ୟୁ ଟାଇମ୍‍ସ୍’’ ସେଇ ଚିଠିକୁ ପ୍ରକାଶ କଲେ ନାହିଁ କିମ୍ବା ତା’ର କୌଣସି ଉତ୍ତର ମଧ୍ୟ ଦେଲେ ନାହିଁ ।

 

କେବଳ ସେତିକି ନୁହେଁ, ସେତେବେଳେ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏକଥା ମଧ୍ୟ ଖୁବ୍ ଜୋର୍‍ସୋର୍‍ରେ ପ୍ରଚାର କରାଗଲା ଯେ ସୋସାଲିଷ୍ଟ ପାର୍ଟିକୁ ବିଶେଷକରି ଲୋହିଆଙ୍କୁ ଆମେରିକାରୁ ପ୍ରଚୁର ଅର୍ଥ ସାହାଯ୍ୟ ମିଳୁଛି ।

 

ବିଶ୍ୱରେ ପ୍ରଗତିଶୀଳ ଏବଂ ଗରିବମାନଙ୍କ ସହାୟକ ବୋଲାଉଥିବା ଶକ୍ତିସଂପନ୍ନ ଦେଶର ସ୍ୱାର୍ଥନୀତିର ଏହା ଏକ ନମୁନା । ଆନ୍ତର୍ଜାତିକ ରାଜନୀତିରେ ଗୋଷ୍ଠୀବାଦର ପ୍ରଭାବରେ ପଡ଼ି ତଟସ୍ଥ ନୀତିର ସମର୍ଥକମାନଙ୍କ ବିରୁଦ୍ଧରେ କୁତ୍ସାରଟନା କରିବା ରୁଷିଆପାଇଁ ସହଜ ବ୍ୟାପାର ଥିଲା; କିନ୍ତୁ ଏଭଳି ଆରୋପକୁ ପ୍ରମାଣିତ କରିବା ସମ୍ଭବ ନଥିଲା ।

 

ମସ୍କୋ ବିଶ୍ୱବିଦ୍ୟାଳୟର ପ୍ରଫେସର୍‍ ବର୍ଗା ତାଙ୍କର ଏକ ଲେଖାରେ ଲୋହିଆଙ୍କ ପ୍ରତି ଏହି ଆରୋପ କରିଥିଲେ । ଲୋହିଆ ତାଙ୍କୁ ଏକ ପତ୍ର ଲେଖି ଉକ୍ତ ଆରୋପକୁ ପ୍ରମାଣିତ କରନ୍ତୁ ବୋଲି ଆହ୍ୱାନ କରିଥିଲେ । କିନ୍ତୁ ପ୍ରଫେସର୍‍ ବର୍ଗା ତା’ର ଉତ୍ତରରେ ନିଜ ସ୍ୱାସ୍ଥ୍ୟ ଖରାପ ଥିବା ଛଳନା କରି ମୂଳ ପ୍ରଶ୍ନକୁ ଏଡ଼ି ଦେଇଥିଲେ । ତୃତୀୟ ଶକ୍ତିର କଳ୍ପନାକୁ ପ୍ରସାରିତ କରିବା ଚେଷ୍ଟାରେ ଲୋହିଆଙ୍କୁ ଦେଶ ଭିତରେ ଯେପରି ଅସହଯୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେହିପରି ବିଦେଶୀ ଶକ୍ତିମାନଙ୍କର ଶତ୍ରୁତା ମଧ୍ୟ ସହିବାକୁ ପଡ଼ିଥିଲା ।

 

କଂଗ୍ରେସରୁ ଅଲଗା ହୋଇ ସମାଜବାଦୀ ଦଳକୁ ସୁଦୃଢ଼ ଭିତ୍ତି ଉପରେ ଛିଡ଼ା କରାଇବା ପାଇଁ ସମାଜବାଦୀ ନେତା ସଫଳ ହୋଇପାରୁ ନଥିଲେ । କଂଗ୍ରେସ ଭଳି ଏକ ସୁଦୃଢ଼ ଶକ୍ତିଶାଳୀ ଦଳ ବିରୁଦ୍ଧରେ ଲଢ଼େଇ କରିବାପାଇଁ ସଂକଳ୍ପ ଶକ୍ତିହିଁ ଏକମାତ୍ର ଅବଲମ୍ବନ ହୋଇ ପାରିଥାନ୍ତା; କିନ୍ତୁ ସଂକଳ୍ପହୀନତା ତ ସମାଜବାଦୀ ଆନ୍ଦୋଳନର ଆରମ୍ଭରୁ ଗୋଟିଏ ଚରିତ୍ର ହୋଇ ଚଳିଗଲା । ସମାଜବାଦୀ ଦଳର ଛବିକୁ ସ୍ପଷ୍ଟ କରିବାପାଇଁ ଲୋହିଆ ସେହି ସମୟରେ କହୁଥିଲେ, ‘‘ଯେଉଁମାନେ କହୁଛନ୍ତି କଂଗ୍ରେସ ଏବଂ ସୋସାଲିଷ୍ଟ ଭିତରେ କେବଳ ଗତିର ଫରକ ଅଛି, ସେମାନେ ଭୁଲ କରୁଛନ୍ତି । ଏହା କେବଳ ଗତିର ଫରକ ନୁହେଁ, ଏଥିରେ ମୌଳିକ ନୀତି ଏବଂ ଲକ୍ଷ୍ୟର ଫରକ ମଧ୍ୟ ରହିଛି ।’’

 

୧୯୪୯ ମାର୍ଚ୍ଚ ମାସରେ ପାଟନାଠାରେ ପାର୍ଟିର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ବସିଲା ଏବଂ ଏହା ଗୋଟିଏ ନୂଆ ବିଧାନ ପ୍ରସ୍ତୁତ କଲା । ସେଇ ସମ୍ମିଳନୀରେ ଲୋହିଆ ‘‘ଆଗେ ବଢ଼ୋ’’ ନାମକ ଏକ ପ୍ରସ୍ତାବ ଆଗତ କରି କହିଥିଲେ, ‘‘ନୂଆ ବିଧାନ ଗ୍ରହଣ କରି ପାର୍ଟିକୁ ଅସ୍ଥିପିଞ୍ଜରା ପ୍ରଦାନ କରିଛୁଁ; କିନ୍ତୁ ସେଥିରେ ପ୍ରାଣ ଭରିବାକୁ ହେବ । ଏହି ପ୍ରସ୍ତାବ ତହିଁରେ ରକ୍ତମାଂସର କାର୍ଯ୍ୟ କରିବ ।’’

 

ବିଜୁଳିଦ୍ୱାରା ଚାଳିତ କ୍ଷୁଦ୍ର ଏବଂ ବିକେନ୍ଦ୍ରିତ ଶିଳ୍ପର ପରିକଳ୍ପନା ମଧ୍ୟ ଲୋହିଆଙ୍କ ଦୂରଦୃଷ୍ଟିର ଅନ୍ୟ ଏକ ଦୃଷ୍ଟାନ୍ତ ଥିଲା । ଏହି ପରିକଳ୍ପନାକୁ ଲୋହିଆ ନିମ୍ନମତେ ବୁଝାଇଥିଲେ, ‘‘ପ୍ରତି ବ୍ୟକ୍ତି ପିଛା ପଶ୍ଚିମ ୟୁରୋପରେ ତିନି ହଜାର ଟଙ୍କା ଏବଂ ଆମେରିକାରେ ଆଠ ହଜାର ଟଙ୍କାର ପୁଞ୍ଜି ଶିଳ୍ପକ୍ଷେତ୍ରରେ ବିନିଯୋଗ କରାଯାଏ । କିନ୍ତୁ ଭାରତରେ ମାତ୍ର ୧୫୦ ଟଙ୍କା । ଏଭଳି ପରିସ୍ଥିତିରେ ବିରାଟ ଆକାରରେ ଚଳୁଥିବା କଳକାରଖାନାଗୁଡ଼ିକ ଚଳାଇବା ଏ ଦେଶରେ ବିନିଯୋଗ କରାଯାଉଥିବା ପୁଞ୍ଜିଦ୍ୱାରା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ । ତେଣୁ ଛୋଟ ଛୋଟ ମେସିନଦ୍ୱାରା ଚଳୁଥିବା ଶିଳ୍ପଦ୍ୱାରାହିଁ ଦେଶର ଉତ୍ପାଦନ ବଢ଼ିପାରିବ । ଦେଶର ଗାଁ ଏବଂ ସହରଗୁଡ଼ିକରେ କଞ୍ଚାମାଲର ଅଭାବ ନାହିଁ । ତା’ର ପୂରା ଉପଯୋଗ ହୋଇପାରୁ ନାହିଁ କେବଳ ଛୋଟ ଛୋଟ ମେସିନଗୁଡ଼ିକର ମାର୍ଫତ୍‍ରେହିଁ ତା’ର ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ । ଦେଶର ସମସ୍ତ ଗ୍ରାମ ଏବଂ ସହରଗୁଡ଼ିକରେ ବିଦ୍ୟୁତ୍‌ଚାଳିତ ଛୋଟ ଛୋଟ ମେସିନଗୁଡ଼ିକର ଏକ ମସ୍ତବଡ଼ ଜାଲ ବୁଣା ହୋଇ ସବୁ ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଛି ଏବଂ ଦେଶର ସମ୍ପତ୍ତି ବଢ଼ିବାରେ ଲାଗିଛି । ମୁଁ ସେଇ ସମୟର ଚିତ୍ର ବର୍ତ୍ତମାନ ମୋ ଆଖି ସାମ୍ନାରେ ଦେଖିପାରୁଛି-।’’

 

ଏହି ସମୟରେ ଲୋହିଆ ଗାଁ, ଜିଲ୍ଲା, ପ୍ରଦେଶ ଏବଂ କେନ୍ଦ୍ର–ଏହି ଚାରି ଖମ୍ବକୁ ନେଇ ଯେଉଁ ବିକେନ୍ଦ୍ରିତ ଶାସନ ବ୍ୟବସ୍ଥାର କଳ୍ପନା କରିଥିଲେ, ତାହାକୁ ‘ଚୌଖମ୍ବାରାଜ’ରୂପେ ନାମକରଣ କଲେ ।

 

ପାଟନାରେ ‘‘ହିନ୍ଦ୍‌–କୃଷକ ପଞ୍ଚାୟତ’’ର ସ୍ଥାପନା କରାଗଲା–ଅଧ୍ୟକ୍ଷ ଭାବରେ ଲୋହିଆ ନିର୍ବାଚିତ ହେଲେ ।

 

ସେ ସମୟରେ ଉତ୍ତରପ୍ରଦେଶରେ କୃଷକମାନଙ୍କ ଭିତରେ ଆଖୁର କମ୍‌ ଦାମ୍‌ ଏବଂ ଖଜଣାର ଦଶ ଗୁଣ ବୃଦ୍ଧି ହେତୁ ଖୁବ୍‌ ହାହାକାର ପଡ଼ିଯାଇଥିଲା । ଏହିସବୁ ସମସ୍ୟାକୁ ନେଇ ଉତ୍ତରପ୍ରଦେଶର ସୋସାଲିଷ୍ଟ ପାର୍ଟି ୨୫ ନଭେମ୍ବର ୧୯୪୯ ଦିନ ଲକ୍ଷ୍ନୌରେ ଏକ ବିରାଟ ଚାଷୀ ବିକ୍ଷୋଭର ଆୟୋଜନ କଲେ । ଏହି ବିକ୍ଷୋଭରେ ଯୋଗ ଦେବାପାଇଁ ଏକ ଲକ୍ଷରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ । ଗୋମତୀ ନଦୀକୂଳ ସେଦିନ ସରଗରମ ହୋଇ ଉଠିଥିଲା ।

 

୨୪ ନଭେମ୍ବର ରାତିରୁହିଁ କୃଷକମାନେ ରୁଣ୍ଡ ହେବା ଆରମ୍ଭ କରିଥିଲେ । ସୁଦୂର ଜିଲ୍ଲାମାନଙ୍କରୁ ଯେଉଁ ଗରିବ ସ୍ତ୍ରୀ ପୁରୁଷମାନେ ଆସି ପହଞ୍ଚିଥିଲେ, ସମସ୍ତଙ୍କ ଅବସ୍ଥା ଦୟନୀୟ । ରାତିରେ ଭୀଷଣ ଶୀତ । ଗରିବ କୃଷକମାନେ ଲାଠିର ଆଶ୍ରୟରେ ଏବଂ ପୁରୁଣା କମ୍ବଳ ଘୋଡ଼ିହୋଇ କିମ୍ବା ଚିରା ଚାଦରରେ ଶରୀର ଢାଙ୍କି ଛତୁ ଏବଂ ଭଜାବୁଟ ପୁଟୁଳି କାଖରେ ଜାକି ଆସିବାରେ ଲାଗିଥିଲେ । କୋଳରେ ଭୋକିଲା ଛୁଆମାନଙ୍କୁ ଜାକି ଜୀର୍ଣ୍ଣଶୀର୍ଣ୍ଣ ଶରୀରର ସ୍ତ୍ରୀଲୋକମାନେ । ସମସ୍ତଙ୍କ ଲୁଗା ଚିରା–ଦେହ ଦୁର୍ବଳ । କିନ୍ତୁ ଆଖିରେ ତାଙ୍କର ବିଦ୍ରୋହର ଚମକ, ଆଶା ଏବଂ ଆଭାର ଦୀପ୍ତି ।

 

ନଭେମ୍ୱର ୨୫ ତାରିଖ ସକାଳେ ଲକ୍ଷାଧିକ କୃଷକ ଆସି ରୁଣ୍ଡ ହେବାରୁ ଗୋମତୀ ନଦୀକୂଳରେ ଗୋଟାଏ ମେଳା ବସିଗଲା । ତାହା ପରେ ଶୋଭାଯାତ୍ରାରେ ପରିଣତ ହେଲା । ମାଇଲ ମାଇଲ ଧରି ଲମ୍ବା ଶୋଭାଯାତ୍ରା । ଅପୂର୍ବ ଦୃଶ୍ୟ । ଶୋଭାଯାତ୍ରାର ସର୍ବାଗ୍ରେ ଗୋଟାଏ ଟ୍ରକ୍ ଉପରେ ଛିଡ଼ା ହୋଇଥିଲେ ଡକ୍ଟର ଲୋହିଆ ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବ ।

 

ଖବରକାଗଜଗୁଡ଼ିକ ଏଇ ଶୋଭାଯାତ୍ରାର ବିବରଣୀ ଛାପିବା ସମୟରେ ପରିଷ୍କାର ଲେଖିଲେ ଯେ କଂଗ୍ରେସ ବିରୁଦ୍ଧରେ ବର୍ତ୍ତମାନ ଗୋଟାଏ ସୁଦୃଢ଼ ବିରୋଧୀ ପାର୍ଟି ଛିଡ଼ାହେଲା ।

 

କୃଷକମାନଙ୍କର ମ୍ଳାନ ଧ୍ୱନିର ସ୍ଲୋଗାନ ମଧ୍ୟ ଆକାଶ–ପାତାଳ କମ୍ପାଇବାରେ ସମ୍ପୂର୍ଣ୍ଣ ସମର୍ଥ ଥିଲା । ଲକ୍ଷ୍ନୌର ନରନାରୀ ସଡ଼କ ଉପରେ ଏ ନୂଆ ଦୃଶ୍ୟ–ଦେଶକୁ ବଦଳେଇ ଦେବାର ଅଭୂତପୂର୍ବ ଦୃଶ୍ୟ ଦେଖିବାପାଇଁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ ।

 

ସମଗ୍ର ସହରର ସଡ଼କ ପରିକ୍ରମା କରି ଏଇ ବିଶାଳ ଶୋଭାଯାତ୍ରା ବିଧାନସଭା ଭବନରେ ପହଞ୍ଚିଲା; କିନ୍ତୁ ମୁଖ୍ୟମନ୍ତ୍ରୀ ଗୋବିନ୍ଦବଲ୍ଲଭ ପନ୍ଥ ପ୍ରଦେଶର ଲକ୍ଷ ଲକ୍ଷ କୃଷକଙ୍କୁ ଆଜି ମଧ୍ୟ ହତାଦର କଲେ । ପୂର୍ବରୁ ସୂଚନା ଦିଆହୋଇଥିବା ସତ୍ତ୍ୱେ ସେ ସେଦିନ ଲକ୍ଷ୍ନୌ ସହର ବାହାରକୁ ଚାଲିଯାଇଥିଲେ । ବିଧାନସଭାର ଫାଟକ ବନ୍ଦ ଥିଲା । ଫଉଜ ମୁତୟନ ରହିଥିଲେ ।

 

ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ କୃଷକମାନଙ୍କର ଦାବିପତ୍ର ବିଧାନସଭାର ଫାଟକରେ ଲଟକେଇ ଦିଆଗଲା ଏବଂ ସେଇଠୁ ଶୋଭାଯାତ୍ରା ମଉଳିଗଲା ।

 

ଲକ୍ଷ୍ନୌର ଜନ–ପ୍ରଦର୍ଶନର ସଫଳତା ପରେ ୨୬ ଫେବୃୟାରୀ ୧୯୫୦ ଦିନ ରୀୱାଁ ସହରରେ ‘‘ହିନ୍ଦ୍ କୃଷକ ପଞ୍ଚାୟତ’’ର ପ୍ରଥମ ରାଷ୍ଟ୍ରୀୟ ସମ୍ମେଳନ ଲୋହିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଲା । ଲୋହିଆ ଲକ୍ଷ୍ନୌରୁ ରୀୱାଁ ଅଭିମୁଖେ ବାହାରିଲେ । ଏଇଠି ଆଉ ଗୋଟାଏ ପ୍ରକରଣର ଉଲ୍ଲେଖ କରିବା ନିତାନ୍ତ ଆବଶ୍ୟକ ମନେ ହୁଏ ।

 

ଲୋହିଆ ଆରମ୍ଭରୁହିଁ ମଣିଷଙ୍କ ସୁବିଧାପାଇଁ ‘‘ମାନବୀୟ ଶୋଷଣ’’ର ଘୋର ବିରୋଧୀ ଥିଲେ । ମଣିଷଦ୍ୱାରା ଟଣାଯାଉଥିବା ରିକ୍‌ସାରେ ସେଥିପାଇଁ ସେ ବସୁ ନଥିଲେ ।

 

ରୀୱାଁ ଅଭିମୁଖରେ ଲୋହିଆ ଯେତେବେଳେ ବାହାରିଲେ, ଲକ୍ଷ୍ନୌର ‘‘ନିଉ ହାଇଦ୍ରାବାଦ’’ରୁ ଷ୍ଟେସନ୍ ପର୍ଯ୍ୟନ୍ତ ଯିବାପାଇଁ କୌଣସି ଟାଙ୍ଗାଗାଡ଼ି କିମ୍ବା ମୋଟରର ଯୋଗାଡ଼ ରାତିରେ ହୋଇପାରିଲା ନାହିଁ । ରାତି ତିନିଟାବେଳେ ଟ୍ରେନ୍ ଯାଉଥିଲା । ଷ୍ଟେସନ୍‍ରେ ପହଞ୍ଚି ଗାଡ଼ି ଧରିବା ନିତାନ୍ତ ଆବଶ୍ୟକ ଥିଲା । ସେତେବେଳେ ରିକ୍‌ସା ଛଡ଼ା କୌଣସି ଯାନବାହନ ମିଳିବାର ଆଉ ଆଶା ନଥିଲା । ଲୋହିଆ ତ ରିକ୍‌ସାରେ ନ ବସିବାପାଇଁ ପ୍ରତିଜ୍ଞା କରି ସାରିଥିଲେ, ବାଧ୍ୟ ହୋଇ ସେ ଚାଲି ଚାଲି ଷ୍ଟେସନ୍ ଅଭିମୁଖରେ ବାହାରି ପଡ଼ିଲେ । ପାଞ୍ଚ–ଛଅ ମାଇଲ ରାସ୍ତା ପାରହୋଇ ସେ ଯେତେବେଳେ ଷ୍ଟେସନ୍‍ରେ ପହଞ୍ଚିଲେ, ସେତେବେଳକୁ ଗାଡ଼ି ଚାଲିଯାଇ ସାରିଥିଲା । ଅନ୍ୟ ଗାଡ଼ି ଧରି କୌଣସିମତେ ଠିକ୍‌ ସମୟରେ ରୀୱାଁରେ ପହଞ୍ଚିବା ତାଙ୍କ ପକ୍ଷରେ ଆଉ ସମ୍ଭବପର ନଥିଲା ।

 

ବର୍ତ୍ତମାନ ବଡ଼ ବିପତ୍ତି ପଡ଼ିଲା । ରୀୱାଁ ସମ୍ମିଳନୀର ଅଧ୍ୟକ୍ଷ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ଲକ୍ଷ୍ନୌ ପ୍ଲାଟ୍‌ଫର୍ମ୍ ଉପରେ ଛିଡ଼ାହୋଇ ରହିଥିଲେ ।

 

ତା’ପରେ ବଡ଼ କଷ୍ଟରେ ଏଲାହାବାଦ ପର୍ଯ୍ୟନ୍ତ ଉଡ଼ାଜାହାଜ ଯାତ୍ରାର ଯୋଗାଡ଼ କରାଗଲା । ତା’ପରେ ଏଲାହାବାଦ ବାଟ ଦେଇ ଲୋହିଆ କୌଣସିମତେ ରୀୱାଁରେ ପହଞ୍ଚିଗଲେ-

 

ରୀୱାଁରେ ସମଗ୍ର ଦେଶର କୃଷକମାନଙ୍କର ଭିଡ଼ ଦେଖି ସରକାର ଡରିଗଲେ । ତେଣୁ ରୀୱାଁ ସଭାରେ ସରକାର ବିଘ୍ନ ଘଟାଇବାକୁ ଆରମ୍ଭ କଲେ । ଏପରି କି ସଭାରେ ପାନୀୟ ଜଳ ଯୋଗାଣର ସୁବିଧାକୁ ମଧ୍ୟ ବାତିଲ କରି ଦିଆଗଲା ।

 

ସମ୍ମେଳନକୁ ଆସୁଥିବା ଅସୁମାରି ଲୋକଙ୍କପାଇଁ ଅଧିକ ବସ୍‌ ଦେବା କଥା ତେଣିକି ଥାଉ, ସାଧାରଣ ଭାବରେ ଯା–ଆସ କରୁଥିବା ମୋଟରଗୁଡ଼ିକର ସଂଖ୍ୟା ମଧ୍ୟ ସରକାର କମାଇଦେଲେ । ସେତେବେଳେ ଲୋହିଆ ସରକାରଙ୍କୁ ଆହ୍ୱାନ ଦେଲେ–‘‘ଯେତେ ଜୋର୍–ଜୁଲୁମ କଲେ ମଧ୍ୟ ସରକାର ଏଇ ସମ୍ମେଳନକୁ ବନ୍ଦ କରିଦେଇ ପାରିବେ ନାହିଁ । ସମ୍ମେଳନ ନିଶ୍ଚୟ ହେବ-। ସମ୍ମେଳନକୁ ଆସୁଥିବା କୃଷକମାନେ ସତନା ଷ୍ଟେସନ୍‍ରୁ ରୀୱାଁ ପର୍ଯ୍ୟନ୍ତ ଦୀର୍ଘ ଚାଳିଶ ମାଇଲ ବାଟ ଚାଲି ଚାଲି ଆସିବେ, ଖୋଲା ପଡ଼ିଆରେ ରହିବେ, ପାଣି ଅଭାବରୁ ନଦୀ ପର୍ଯ୍ୟନ୍ତ ଯାଇ ପାଣି ପିଇବେ ଏବଂ ସମ୍ମେଳନକୁ ସାଫଲ୍ୟମଣ୍ଡିତ କରିବେ ।’’

 

ତା’ପରେ ସରକାରଙ୍କ ସମସ୍ତ ବାଧା ସତ୍ତ୍ୱେ ଠିକ୍‌ ସମୟରେ ସମ୍ମେଳନ ଆରମ୍ଭ ହେଲା-। ଲୋହିଆଙ୍କର ଆଶା ଥିଲା ଯେ ଦେଶର ପାଞ୍ଚ ଲକ୍ଷ ଗ୍ରାମ ଭିତରୁ ନିଃସହାୟ ଏବଂ ଦରିଦ୍ର ଭାବରେ ଜୀବନଯାପନ କରୁଥିବା କୋଟି କୋଟି କୃଷକ ‘‘ଏକ ନୂଆ ସଂସ୍କୃତି’’ର ଜନ୍ମଦାତା ହେବେ-। କୃଷକମାନେ ଦେଶର ଦୈନନ୍ଦିନ ଜୀବନ ଉପରେ ସ୍ଥାୟୀ ଏବଂ ନିରବଚ୍ଛିନ୍ନ ଭାବରେ ପ୍ରଭାବ ପକାନ୍ତୁ–ଏହା ଲୋହିଆଙ୍କ ସ୍ୱପ୍ନ ଥିଲା । ରୀୱାଁ ସମ୍ମିଳନୀର ଅଧ୍ୟକ୍ଷୀୟ ଭାଷଣରେ ଲୋହିଆ ‘ଗରିବୀ ହଟାଅ’ ନାମକ ଏକ ତେରସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ (ବହୁତ କମ୍‌ ଲୋକ ଜାଣନ୍ତି ଯେ ଗରିବୀ ହଟାଅ କାର୍ଯ୍ୟକ୍ରମର ଜନ୍ମଦାତା ହେଉଛନ୍ତି ଲୋହିଆ) ।

 

ସେଇ ବର୍ଷ ମେ ୧୯୫୦ ସାଲରେ ‘‘ଚମ୍ପାରନ ଯାଞ୍ଚ ସମିତି’’ର ଅଧ୍ୟକ୍ଷରୂପେ ଲୋହିଆ ଚମ୍ପାରନ ଜିଲ୍ଲାରେ ଗସ୍ତ କରିବାକୁ ଲାଗିଲେ ।

 

ବିହାରର ଚମ୍ପାରନ ଜିଲ୍ଲାର କୃଷକମାନଙ୍କ ‘‘ଜମି ସମ୍ବନ୍ଧୀୟ ଅଭିଯୋଗ’’କୁ ନେଇ ଏଇ ସମିତି ଗଠନ କରାଯାଇଥିଲା । ପୂରାପୂରି ଗୋଟାଏ ମାସ ଚମ୍ପାରନରେ କାମ କରିସାରିଲା ପରେ ଲୋହିଆ ପାର୍ଟିର ରାଷ୍ଟ୍ରୀୟ ସମିତିକୁ ନିଜର ରିପୋର୍ଟ ଦେଲେ ।

 

ଏଇ ସମୟରେ ସୋସାଲିଷ୍ଟ ପାର୍ଟିର ନେତୃତ୍ୱରେ ବିଭିନ୍ନ ପ୍ରଦେଶର ରାଜଧାନୀଗୁଡ଼ିକର ଜନତାର ଦାବିମାନଙ୍କୁ ନେଇ ଅନେକ ପ୍ରଦର୍ଶନ କଲା ପରେ ସନ ୧୯୫୧ରେ ଦେଶର ରାଜଧାନୀ ଦିଲ୍ଲୀରେ ‘‘ଜନବାଣୀ ଦିବସ’’ ନାମରେ ଗୋଟାଏ ମସ୍ତବଡ଼ ଜନ–ପ୍ରଦର୍ଶନ କରିବାପାଇଁ ପାର୍ଟି ସ୍ଥିର କଲା ।

 

ପୁଣି ଥରକପାଇଁ ‘‘ଜନବାଣୀ–ଦିବସ ସମିତି’’ର ଅଧ୍ୟକ୍ଷତାର ଗୁରୁଦାୟିତ୍ୱ ଲୋହିଆଙ୍କ ଉପରେ ଦିଆଗଲା ।

 

ଲୋହିଆ ମଧ୍ୟ ‘‘ଜନବାଣୀ–ଦିବସ’’କୁ ସାଫଲ୍ୟଶ୍ରୀମଣ୍ଡିତ କରିବାପାଇଁ ମନ–ପ୍ରାଣ ଦେଇ ଲାଗିପଡ଼ିଲେ ।

 

ଲୋହିଆ ଦେଶର ସମସ୍ତ ପାର୍ଟି–ଶାଖାମାନଙ୍କୁ ଚିଠି ଲେଖି ୨୦ ଅପ୍ରେଲଠାରୁ ୧୭ ମେ’ ପର୍ଯ୍ୟନ୍ତ ଗଠନମୂଳକ କାର୍ଯ୍ୟକ୍ରମ ଚଳାଇବା ପାଇଁ ଗୋଟାଏ ନୂଆ ଆହ୍ୱାନ ଦେଲେ–ଗାନ୍ଧିଙ୍କ ରଚନାତ୍ମକ କାର୍ଯ୍ୟର ସୂର୍ଯ୍ୟ ହେବ ଫାଉଡ଼ା । ଫାଉଡ଼ାପାଇଁ କୌଣସି ପୁଞ୍ଜିର ଆବଶ୍ୟକ ହୁଏ ନାହିଁ–କେବଳ ଐଚ୍ଛିକ ଏବଂ ସାମୂହିକ ଶ୍ରମ ଆବଶ୍ୟକ ହୁଏ ।

 

ତା’ପରେ ଏଇ ଯୋଜନାକୁ ସଫଳ କରିବାପାଇଁ ଲୋହିଆ ଦେଶସାରା ତୋଫାନୀ ଗସ୍ତ ଆରମ୍ଭ କରିଦେଲେ । ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ତିନିଶହ ଏକର ଜମିପାଇଁ ନାଳ ଖୋଳିବା କାର୍ଯ୍ୟର ଉଦ୍‌ଘାଟନ ଲୋହିଆ ନିଜ ହାତରେ କଲେ । ପଥରେଡ଼ି ଗାଁର କୃଷକମାନେ ପନିୟାରୀ ନଦୀର ଦୁଇ ପାହାଡ଼ ମଝିରେ ‘‘ଲୋହିଆ ସାଗର’’ ବନ୍ଧ ବାନ୍ଧିଲେ ।

 

‘‘ଜନବାଣୀ–ଦିବସ’’ ଉପଲକ୍ଷେ ଦିଲ୍ଲୀରେ ଜନ–ପ୍ରଦର୍ଶନ ନିମନ୍ତେ ୧୯୫୧ ଜୁନ୍‌ ୩ ତାରିଖ ସ୍ଥିର ହେଲା ।

 

କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ଅଞ୍ଚଳର କୃଷକମାନେ ଜୁନ୍‌ ୩ ତାରିଖ ଦିନ ଆସି ଦିଲ୍ଲୀ ସହରରେ ରୁଣ୍ଡ ହେଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଦର୍ଶନକାରୀମାନେ ରାଜଘାଟଠାରେ ଗାନ୍ଧିଙ୍କ ସମାଧି ଛୁଇଁ ପ୍ରତିଜ୍ଞା କଲା ପରେ ରାଷ୍ଟ୍ରପତି ଭବନ ଅଭିମୁଖରେ ଯାତ୍ରା ଆରମ୍ଭ କରିଦେଲେ । ମାଇଲ ମାଇଲ ଧରି ଲମ୍ବା ଏଇ ଶୋଭାଯାତ୍ରା ଦିଲ୍ଲୀବାସୀଙ୍କର ଜୀବନରେ ଏକ ଅଭୂତପୂର୍ବ ଦୃଶ୍ୟ ଥିଲା । ଛଅ ଦଫାସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ହାତରେ ଦେଲା ପରେ ଶୋଭାଯାତ୍ରା ଶେଷ ହେଲା । ଏଇ ଶୋଭାଯାତ୍ରାରେ ପ୍ରଥମ ଥରପାଇଁ ସ୍ଲୋଗାନ ଦିଆଗଲା–‘‘ଅନ୍ନ–ବସ୍ତ୍ର–କାମ ଦିଅ–ନୋହିଲେ ଗାଦି ଛାଡ଼ିଦିଅ’’ ।

 

ଏହା ଭିତରେ ଆଉ ଏକ ଘଟଣା ଘଟିଥିଲା ।

 

୧୬ ମେ’ ୧୯୫୧ଠାରୁ ମହୀଶୂର ରାଜ୍ୟର ଶିମୋଗା ଜିଲ୍ଲାର କାଗାଡ଼ୁ ଗାଁର କୃଷକମାନେ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ ଆରମ୍ଭ କରିଥିଲେ । ସେଠାରେ ସରକାର, ଜମିଦାର ଏବଂ ବ୍ୟବସାୟୀମାନଙ୍କ ମଧ୍ୟରେ ଗୋଟାଏ ମେଣ୍ଟ ହୋଇ ଯାଇଥିଲା । ଗାଁର ସତୁରି ଜଣ କୃଷକଙ୍କର ପ୍ରାୟ ୨୦୦ ଏକର ଜମି ବେଦଖଲ କରି ନିଆଯାଇଥିଲା । କୃଷକମାନଙ୍କଠାରୁ ଏକର ପିଛା ୩୦ ଟଙ୍କା ଦରରେ ଖଜଣା ଫସଲ ଅମଳ ସମୟରେ ଫସଲ ଆକାରରେ ଅସୁଲ କରି ନିଆଯାଉଥିଲା । କିନ୍ତୁ ବଜାରରେ ଫସଲ ଚଢ଼ା ଦରରେ ବିକ୍ରି କରାଯାଉଥିଲା । ଜମିଦାର ଏକର ପିଛା ସରକାରଙ୍କୁ କେବଳ ମାତ୍ର ୨ ଟଙ୍କା ହିସାବରେ ଖଜଣା ଦେଉଥିଲେ । ଜମିଦାର ଖଜଣା ବଢ଼ାଇଦେଲେ ଏବଂ କୃଷକମାନେ ତାହା ପଇଠ କରିବାକୁ ସଫା ମନା କରିଦେଲେ ।

 

ମହୀଶୂର ସୋସାଲିଷ୍ଟ ପାର୍ଟିର କାର୍ଯ୍ୟକାରୀ ସମିତିର ସମସ୍ତ ସଦସ୍ୟ ଜେଲ ଭିତରେ ବନ୍ଦ ହୋଇ ରହିଥିଲେ । ଚାରି ଶହ କୃଷକ ମଧ୍ୟ ଗିରଫ୍ ହୋଇ ସାରିଥିଲେ । ଲୋହିଆ ଏଇ ସଂଘର୍ଷରେ ଭାଗ ନେବାପାଇଁ ତିନି ଜଣ ବନ୍ଧୁଙ୍କ ସହିତ ସାଗର ଷ୍ଟେସନ୍ ବାଟ ଦେଇ ଯାଉଥିଲେ । କିନ୍ତୁ ସେଇ ସାଗର ଷ୍ଟେସନ୍‍ର ପ୍ରତୀକ୍ଷାଳୟରେ ଜୁନ୍‌ ୧୪ ତାରିଖର ଅଧରାତିବେଳେ ଲୋହିଆଙ୍କୁ ଗିରଫ୍ କରି ନିଆଗଲା ଏବଂ ତାଙ୍କ ଉପରେ ବେଆଇନ ପ୍ରବେଶର ଅଭିଯୋଗ ଆରୋପ କରାଗଲା ।

 

ତା’ ଆରଦିନ, ସାଗର ସହରର ମାଜିଷ୍ଟ୍ରେଟଙ୍କ ଆଗରେ ତାଙ୍କୁ ପେଶ୍‌ କରାଗଲା । ମକଦ୍ଦମା ସ୍ୱାଭାବିକ ଗତିରେ ଚାଲିଲା ।

 

ୟା’ ଭିତରେ ଲୋହିଆ ନିଜ ଗିରଫ୍‍ଦାରିକୁ ବେଆଇନ ଏବଂ ଅନୁଚିତ ବୋଲି ମହୀଶୂର ଉଚ୍ଚ ନ୍ୟାୟାଳୟରେ ‘‘ହେବିୟସ କର୍ପସ’’ ଅର୍ଜି ଦାଖଲ କଲେ ।

 

ପହିଲା ଜୁଲାଇ ଦିନକୁ ସମଗ୍ର ଦେଶରେ ଲୋହିଆଙ୍କ ଗିରଫ୍‍ଦାରିର ବିରୋଧ ଦିବସରୂପରେ ପାଳନ କରାଗଲା । ସେଦିନ ଲଣ୍ଡନରେ ରହୁଥିବା ଭାରତୀୟମାନେ ମଧ୍ୟ ଭାରତୀୟ ହାଇକମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋହିଆଙ୍କ ଗିରଫ୍‍ଦାରିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ ।

 

ଜୁନ୍‌ ମାସର ଶେଷଭାଗକୁ ଲୋହିଆଙ୍କର ଆମେରିକା ଯିବାର ଥିଲା । ଗିରଫ୍ ହେବାଦ୍ୱାରା ତାଙ୍କର ଆମେରିକା ଯାତ୍ରାରେ ବାଧା ପଡ଼ିଲା । ଆମେରିକାର ଖବରକାଗଜଗୁଡ଼ିକ ମଧ୍ୟ ଲେଖିଲେ ଯେ ଆମେରିକା ଯାତ୍ରାର ଠିକ୍‌ ଅବ୍ୟବହିତ ପୂର୍ବରୁ ଲୋହିଆଙ୍କୁ ଗୋଟାଏ ସାମାନ୍ୟ ଘଟଣାରେ ଗିରଫ୍ କରି ସରକାର ତାଙ୍କ ଯାତ୍ରାରେ ବାଧା ସୃଷ୍ଟିକଲେ ।

 

ଲୋହିଆ ଜେଲରେ ଥିଲେ ।

 

ତାଙ୍କର ଆମେରିକା ଯିବାର ଥିଲା । ୟୁରୋପର ଷ୍ଟକ୍‌ହୋମ୍‌ରେ ହେବାକୁ ଯାଉଥିବା ଅନ୍ତର୍ରାଷ୍ଟ୍ରୀୟ ସମ୍ମେଳନରେ ମଧ୍ୟ ତାଙ୍କର ଯୋଗ ଦେବାର ଥିଲା । ଯୁଗୋସ୍ଲାଭିଆର ମଧ୍ୟ ନିମନ୍ତ୍ରଣ ଥିଲା । ସେଠିକି ସେ ଯାଇଥାନ୍ତେ । କିନ୍ତୁ ଲୋହିଆ କିପରି ବା ଯାଇପାରନ୍ତେ ! ସରକାର ଭାରତର ସମସ୍ତ ସ୍ଥାନରେ ତାଙ୍କପାଇଁ ଯେମିତି ଜେଲ୍‍ଖାନା ଖୋଲି ଦେଇଥିଲେ ।

 

ଏଇ ଘଟଣାକୁ କେନ୍ଦ୍ର କରି ଦେଶ ବିଦେଶର ସମସ୍ତ ଖବରକାଗଜ ଗୋଟାଏ ହଇଚଇ ଖେଳାଇଦେଲେ ।

 

ଶେଷରେ ବାଧ୍ୟ ହୋଇ ସରକାର ଜୁନ୍‌ ୨୧ ତାରିଖ ଦିନ ଲୋହିଆଙ୍କୁ ଖଲାସ କରିଦେଲେ । କିନ୍ତୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବିଶୃଙ୍ଖଳ ହୋଇଗଲା ।

 

ଆମେରିକା ଯାତ୍ରା ପୂର୍ବରୁ କେତେକ ଆମେରିକୀୟ ସାମ୍ବାଦିକ ପାଟନାଠାରେ ଲୋହିଆଙ୍କୁ ଘେରିଯାଇ ସାମ୍ୟବାଦ ବିଷୟରେ ତାଙ୍କର ବିଚାର ଜାଣିବାକୁ ଚାହିଁଲେ । ଲୋହିଆ ତାଙ୍କର ପ୍ରଖର ବୁଦ୍ଧିରେ ଗୋଟିଏ ସୂତ୍ରଦ୍ୱାରା ଉତ୍ତର ଦେଲେ– ‘‘ସାମ୍ୟବାଦ = ସମାଜବାଦ+ଏକଛତ୍ରବାଦ+ରୁଷିଆ+ଯୁଦ୍ଧ–ସ୍ୱାଧୀନତା ।’’

 

ଲୋହିଆଙ୍କର ଏଇ ଅନୁପମ ଗାଣିତିକ ସୂତ୍ରକୁ ଶୁଣି ଆମେରିକୀୟ ସାମ୍ବାଦିକ ଦଳ ଚକିତ ହୋଇଥିଲେ ।

 

ଜଣେ ସାମ୍ବାଦିକ ଲୋହିଆଙ୍କ ସହିତ ଏଇ ସାକ୍ଷାତ ବିଷୟରେ ଲେଖିଲେ–

 

‘‘ସମାଜବାଦୀ ଦଳର ଏଇ ଭାବୁକ ତଥା ଦାର୍ଶନିକ ରାମମନୋହର ଲୋହିଆଙ୍କୁ ସମସ୍ତେ ସ୍ନେହରେ ‘ଡକ୍ଟର ସାହେବ’ କହନ୍ତି । ....ଆମେ ପହଞ୍ଚିଲାବେଳକୁ ସମ୍ମେଳନର ପ୍ରତିନିଧିମାନେ ତାଙ୍କୁ ଘେରି ରହିଥିଲେ । ଗୋଟାଏ ଛୋଟକାଟିଆ ଚାହା ଦୋକାନରେ ବସି ସେ ଚିନାବାଦାମ ଖାଉଥିଲେ । ମୋଟା ଫ୍ରେମର ଚଶମା ଭିତର ଦେଇ ଆମକୁ ଦେଖି ସେ ହସିଦେଲେ-। ସେତେବେଳେ ଲୋହିଆ ଭାରତୀୟ କୃଷକ ଭଳି ଅତି ସାଦାସିଧା ଏବଂ ଆମେରିକୀୟମାନଙ୍କ ଭଳି ଚଞ୍ଚଳ ଦେଖାଯାଉଥିଲେ । ତାଙ୍କର ରୁକ୍ଷ ଅଲରା କେଶରାଶିଯୁକ୍ତ ଚେହେରା ଦେଖି ଲାହୋର କିଲ୍ଲାରେ ଭୋଗ କରିଥିବା ଯାତନା ତଥା ଅହିଂସା ଉପରେ ତାଙ୍କ ଦୃଢ଼ବିଶ୍ୱାସ ସମ୍ବନ୍ଧରେ ଆମ୍ଭର ସ୍ମୃତି ସାକାର ହୋଇଉଠିଲା ।

 

‘‘ଗାନ୍ଧିଙ୍କ ପରେ ଲୋହିଆହିଁ ଏକମାତ୍ର ପ୍ରବୁଦ୍ଧ ଗାନ୍ଧୀବାଦୀ ବ୍ୟକ୍ତି ଅଟନ୍ତି । ଲୋହିଆ କହିଲେ ସାମାଜିକ ଅନ୍ୟାୟର ପ୍ରତିକାର ପାଇଁ ଗାନ୍ଧିଙ୍କ ଦାନ ମାର୍କସ୍‍ଙ୍କ ଦାନଠୁଁ ମଧ୍ୟ ଅତି ଉଚ୍ଚରେ-

 

‘‘ଲୋହିଆଙ୍କ ଭିତରେ ତୀକ୍ଷ୍ଣ ରାଜନୈତିକ ଏବଂ ଗୋଟାଏ ଭାବୁକ କବିଶକ୍ତିର ଅପୂର୍ବ ମିଳନ ରହିଛି ଏବଂ ତା’ ଉପରେ ରହିଛି ଗାନ୍ଧୀବାଦର ସୂକ୍ଷ୍ମ ପାଲିସ୍‌ ଅଳ୍ପ ଦିନ ତଳେ ଲୋହିଆ ଲେଖିଥିଲେ–

 

‘ଜୀବନର ଦୁଇଟି ଦିଗ ଅଛି । ଈଶ୍ୱର ଏବଂ ସ୍ତ୍ରୀ । ଈଶ୍ୱରଙ୍କ ସାଙ୍ଗରେ ମୋର କେବେ ଭେଟ ହୋଇ ନାହିଁ ଏବଂ ସ୍ତ୍ରୀ ଛଳନାମୟୀ । କିନ୍ତୁ ଏପରି ଏକ ବ୍ୟକ୍ତି ସାଙ୍ଗରେ ମୋର ସାକ୍ଷାତ ହୋଇଥିଲା, ଯାହାଙ୍କ ଭିତରେ ସତ୍ୟ ଓ ସୌନ୍ଦର୍ଯ୍ୟପାଇଁ ଅନନ୍ତ ତୃଷା ଥିଲା । ସେ ବ୍ୟକ୍ତି ଚାଲିଯାଇଛନ୍ତି । ବର୍ତ୍ତମାନ ନୂଆ ଭାବରେ ତୃଷା ଜାଗ୍ରତ ହୋଇଛି । ବେଳେବେଳେ ଅସ୍ପଷ୍ଟ ଆଶା ମଧ୍ୟ ଦେଖାଦେଉଛି ଯେ ଏପରି ଏକ ନୂତନ ମଣିଷ ସୃଷ୍ଟି ହେବ...ରାସ୍ତା ଦୀପ୍ତିମୟ ହୋଇଉଠିବ ।’

 

‘‘ଲୋହିଆ ବିବାହ କରି ନଥିଲେ, ଯାହାକୁ କି ଭାରତୀୟ ପରମ୍ପରା ଅନୁସାରେ ‘ତପସ୍ୟା’ ବୋଲି ସ୍ୱୀକାର କରାଯାଏ । ଲୋହିଆ ବାସହୀନ ବ୍ୟକ୍ତିର ଜୀବନକୁ ଗ୍ରହଣ କରି ନେଇଥିଲେ–ଯାହାର କି କେବେ କୌଣସି ସମ୍ପତ୍ତି ନଥିଲା । ସେ କେବଳ ଗୋଟାଏ ସିଦ୍ଧାନ୍ତକୁ ବିବାହ କରିଥିଲେ–ଯେଉଁ ସିଦ୍ଧାନ୍ତକୁ କି ବେଳେବେଳେ ଈଶ୍ୱରଙ୍କ ସାଙ୍ଗରେ ତୁଳନା କରାଯାଇପାରେ ।

 

‘‘ଲୋହିଆ କହିଲେ ସମାଜବାଦ, ସ୍ୱାଧୀନତା ଏବଂ ଅହିଂସା ଭିତରେ ଯେଉଁ ସତ୍ୟ ନିହିତ ଅଛି, ତାହାହିଁ ହେଉଛି ଏଇ ଶତାବ୍ଦୀର ଏକ ମହାନ୍‌ ଦାନ ।

 

‘‘ଆମକୁ ଧାରଣା ଦିଆଯାଇଥିଲା ଯେ ଲୋହିଆ ହେଉଛନ୍ତି ଘୋର ଆମେରିକାବିରୋଧୀ । କିନ୍ତୁ ତାଙ୍କ ସଙ୍ଗେ ଦେଖାହେଲା ପରେ ମୋର ମନେହେଲା ଯେ ତାଙ୍କଠୁ ବେଶୀ ବୁଦ୍ଧିମାନ୍‌ ବ୍ୟକ୍ତି ଆଉ ଅନ୍ୟ ବା କିଏ ଥାଇପାରେ ! ବନ୍ଧୁତା ଏବଂ ଥଟା ପରିହାସ କରିବାରେ ତାଙ୍କର କୌଣସି ପଟାନ୍ତର ନାହିଁ । ତାଙ୍କର କେବଳ ଗୋଟାଏ ଦୁର୍ବଳତା ଅଛି, ଗୋଟିଏ ଅଣଗାନ୍ଧୀବାଦୀ ଅଭ୍ୟାସ–ସମୟ ବିଷୟରେ ଆଦୌ ଚିନ୍ତା ନ କରିବା ଯେତେବେଳେ ମାଇଲ ମାଇଲ ଦୂରତ୍ୱର କୌଣସି ସଭାରେ ହାଜର ହେବା କଥା, ସେତେବେଳେ ତାଙ୍କୁ ଗାଧୁଆଘରେ ପାଇବା ଅସମ୍ଭବ ନୁହେଁ ।

 

‘‘ଯେତେବେଳେ ‘‘ଲୋହିଆ, ଅଶୋକ, ଜୟପ୍ରକାଶ’ ଧ୍ୱନି ଉଠୁଥିଲା, ସେତେବେଳେ ଆମର ମନେ ହେଉଥିଲା ଯେ ଏଇ ତ୍ରିଶକ୍ତି ଯଦି କେବେ ସୁବିଧା ପା’ନ୍ତି, ତେବେ ନିଶ୍ଚୟ ଗୋଟାଏ ଆଦର୍ଶ ସରକାର ଗଠନ କରିପାରିବେ ।’’

 

୧୧

 

ସନ ୧୯୪୯ ଜୁଲାଇ ।

 

‘‘ନେପାଳ ଦିବସ’’ ସମ୍ବନ୍ଧରେ ଲୋହିଆ ଜେଲରେ ବନ୍ଦୀ ।

 

ସେତେବେଳେ ତାଙ୍କର ଷ୍ଟକ୍‌ହୋମ୍ ଯିବାର ଥିଲା ।

 

ଲୋହିଆ ବିଶ୍ୱ ସରକାର ସ୍ଥାପନର ଏକ ପ୍ରମୁଖ ସମର୍ଥକ ଥିଲେ । ବିଶ୍ୱ ସରକାର ସମ୍ବନ୍ଧୀୟ କଳ୍ପନା ଥିଲା ତାଙ୍କର ଅତି ପୁରାତନ । ଏଇ ଆନ୍ଦୋଳନକୁ କେନ୍ଦ୍ର କରି ସମଗ୍ର ବିଶ୍ୱର ସମର୍ଥକମାନେ ଆସି ଷ୍ଟକ୍‌ହୋମ୍‍ରେ ଏକାଠି ହେବାର ଥିଲା । ଲୋହିଆ ଏଇ ସମ୍ମେଳନ ପାଇଁ ଭାରତର ପ୍ରତିନିଧି ଭାବରେ ବଛାଯାଇଥିଲେ । ଯିବା ଦିନ ପାଖେଇ ପାଖେଇ ଆସୁଥିଲା ।

 

ଜୁଲାଇ ୩ ତାରିଖ ଦିନ ଲୋହିଆ ଜେଲରୁ ଖଲାସ ହେଲେ ।

 

ଅଗଷ୍ଟ ୨୪ ତାରିଖ ଦିନ ସେ ଷ୍ଟକ୍‌ହୋମ୍‌ ଅଭିମୁଖରେ ଯାତ୍ରା ଆରମ୍ଭ କଲେ ।

 

ସ୍ୱିଡ଼େନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ସେପ୍‌ଟେମ୍ବର ପ୍ରଥମ ସପ୍ତାହରେ ‘‘ବିଶ୍ୱ ସରକାର’’ ସମର୍ଥକମାନଙ୍କର ସମ୍ମେଳନ ଆରମ୍ଭ ହେଲା । ସେଇଠି ଯଦିଓ ସମଗ୍ର ବିଶ୍ୱର ବିଜ୍ଞ ରାଜନୀତିଜ୍ଞମାନେ ରୁଣ୍ଡ ହୋଇଥିଲେ, ତଥାପି ଲୋହିଆଙ୍କ ଭାଷଣ ସେମାନଙ୍କ ଭିତରେ ପ୍ରଶଂସିତ ହେଲା ।

 

ସେଇଠି ଲୋହିଆ କହିଥିଲେ–‘‘ସମଗ୍ର ୟୁରୋପରେ ଯେଉଁ ସାମରିକ ପ୍ରସ୍ତୁତ ଚାଲିଛି, ତାକୁ ଦେଖି ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ଯଦି ଶାନ୍ତିର ଏକ ତୃତୀୟ ଶକ୍ତି ସଂକଳ୍ପବାନ୍‌ ନହୁଏ, ତେବେ ବିସ୍ଫୋରଣ ତ ଅବଶ୍ୟମ୍ଭାବୀ । ଆଜି ଶକ୍ତିଶାଳୀ ମେଣ୍ଟରୁ ଅଲଗା ରହି ଯେଉଁ ରାଷ୍ଟ୍ର ନିରପେକ୍ଷ ରହିବାପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପ୍ରତି ମୋର ସ୍ନେହ ଏବଂ ସହାନୁଭୂତି ନିଶ୍ଚୟ ରହିଛି । କେନ୍ଦ୍ରୀକରଣକୁ ଦୂର କରିବା ହେଉଛି ଆଜିର ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ । କେବଳ ବିଶ୍ୱସରକାରଙ୍କଦ୍ୱାରାହିଁ ଏ ପ୍ରଶ୍ନର ସମାଧାନ ହୋଇପାରିବ । ସମଗ୍ର ସଂସାରରେ ପାଞ୍ଚ ଦଫା ଉପରେ ଆଧାରିତ ଗୋଟାଏ ବ୍ୟବସ୍ଥାର ନିର୍ମାଣ ହେବା ନିତାନ୍ତ ଆବଶ୍ୟକ । ସ୍ଥାନୀୟ କାରବାରରେ ଗ୍ରାମ ଏବଂ ନଗରଗୁଡ଼ିକୁ ସ୍ୱାଧୀନତା ଦେବା ଉଚିତ । ନିଜ ଅଞ୍ଚଳର ବ୍ୟବସ୍ଥାପାଇଁ ଜିଲ୍ଲାଗୁଡ଼ିକୁ ଅଧିକାର ଦେବା ଉଚିତ । ପ୍ରାନ୍ତୀୟ କ୍ଷେତ୍ରର ବ୍ୟବସ୍ଥା ପ୍ରଦେଶ ହାତରେହିଁ ରହୁ । କେତେକ ମୁଖ୍ୟ ପ୍ରଶ୍ନ କେନ୍ଦ୍ର ସରକାରଙ୍କ ହାତରେ ଅର୍ପଣ କରିଦେବା ଆବଶ୍ୟକ ଏବଂ ‘ବିଶ୍ୱ ସରକାର’ ଅନ୍ତର୍ରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ତଥା ବିଶ୍ୱର ପୁନର୍ନିର୍ମାଣ ଭଳି ସୀମିତ କାର୍ଯ୍ୟ କରନ୍ତୁ । ଏଇ ପାଞ୍ଚ ଦଫା ଉପରେ ‘ବିଶ୍ୱ ସରକାର’ ଆଧାରିତ ହେବା ଉଚିତ । ଏପରି ଭାବରେ ‘ବିଶ୍ୱ ସରକାର’ ନିରସ୍ତ୍ରୀକରଣପୂର୍ବକ ଯୁଦ୍ଧକୁ ଏଡ଼ିଦେଇ ପାରିବ ଏବଂ ଶାନ୍ତିସ୍ଥାପନ କରିପାରିବ ।’’

 

ଲୋହିଆ ଷ୍ଟକ୍‌ହୋମ୍‌ ସମ୍ମେଳନ ପରେ ପରେ କୋପେନ୍‌ହେଗେନ୍‌ ଗଲେ । ତା’ପରେ ସେଇଠୁ ସିଧା ନିଜର ପୂର୍ବପରିଚିତ ଦେଶ ଜର୍ମାନୀକୁ ଗଲେ । ହମ୍ବର୍ଗ, ହାନୋବର ଏବଂ ବନ୍‌ରେ କିଛି କିଛି ସମୟ ରହି ଶେଷରେ ସେ ବର୍ଲିନ୍‌ରେ ପହଞ୍ଚିଲେ ।

 

ଦୀର୍ଘ ସତରବର୍ଷ ପରେ ଲୋହିଆ ନିଜ ପୂର୍ବପରିଚିତ ବର୍ଲିନ୍‌ ସହରକୁ ଦେଖିଲେ ।

 

କିନ୍ତୁ ଏ ଭିତରେ ବର୍ଲିନ୍‌ ଖୁବ୍‌ ବଦଳି ଯାଇଥିଲା । ସନ ୧୯୩୩ରେ ଲୋହିଆ ଯେଉଁ ବର୍ଲିନ୍‍ରୁ ବିଦାୟ ନେଇଥିଲେ, ସେଇ ବର୍ଲିନ୍‌ ସହରରେ ବର୍ତ୍ତମାନ ଦେଖାଦେଇଥିଲା ବିରାଟ ପରିବର୍ତ୍ତନ । ଲୋହିଆଙ୍କ ମସ୍ତିଷ୍କରେ ନିଜ ଛାତ୍ର–ଜୀବନର ଅନେକ ‘ସ୍ମୃତି’ ଉଙ୍କି ମାରିଉଠିଲା । କିନ୍ତୁ ସେଇ ‘ସ୍ମୃତି’ ସାଙ୍ଗରେ ଆଜିର ବର୍ଲିନ୍‌ ଯେମିତି ଆଦୌ ଖାପ ଖାଉ ନଥିଲା ।

 

ଲୋହିଆ ଦେଖିଲେ–ସମଗ୍ର ସହର ଭିତରେ ଯେମିତି ଗୋଟାଏ କଳା ଛାଇ ଘୂରିବୁଲୁଛି-। ବର୍ଲିନ୍‌ରେ ବୈଭବ ଥିଲା ଅତି ପୁରାତନ । ଅଧିକାଂଶ ପରିଚିତ କୋଠାବାଡ଼ି ଧ୍ୱଂସ ପାଇଯାଇଥିଲା । ଲୋହିଆ ସେଇ ପୁରୁଣା ହୋଟେଲଗୁଡ଼ିକୁ ଖୋଜିବାକୁ ଆରମ୍ଭ କଲେ–ଯେଉଁଠିକି ସେ ଅତୀତରେ ନିଜର ସୁନ୍ଦର ସନ୍ଧ୍ୟାଗୁଡ଼ିକ ବିତେଇଥିଲେ । କିନ୍ତୁ ଗୋଟାଏବି ମିଳିଲା ନାହିଁ ।

 

ସେଇଠି ଛାତ୍ର–ଜୀବନର ଜଣେ ବନ୍ଧୁଙ୍କ କଥା ଲୋହିଆଙ୍କର ମନେପଡ଼ିଲା–ବେରର୍ନର ଆର୍ଟନ୍‌ । ତାଙ୍କୁ ଖୋଜି ଖୋଜି ଲୋହିଆ ‘ଫ୍ରାଙ୍କ୍‍ଫର୍ଟ’ରେ ଯାଇ ପହଞ୍ଚିଲେ । ଦେଖାହେଲା ପରେ ଆର୍ଟନ୍‌ କହିଲେ–ସେଇ ସମୟର ବନ୍ଧୁମାନଙ୍କ ଭିତରେ କେବଳ ଏକାକୀ ତୁମେହିଁ ବଞ୍ଚି ରହିଛ, ବାକି ସମସ୍ତେ ମରି ସାରିଛନ୍ତି ।’’

 

ଦୁନିଆର ଏଇ ନିର୍ମମ ପରିବର୍ତ୍ତନ ଦେଖି ଲୋହିଆଙ୍କ ମନ ହାହାକାର କରିଉଠିଲା–ଯେଉଁଠି ପୁରୁଣା ଘର ନାହିଁ, ପୁରୁଣା ହୋଟେଲ ନାହିଁ କିମ୍ବା ପୁରୁଣା ବନ୍ଧୁବି ନାହାନ୍ତି । ଜର୍ମାନୀର ଜୀବନ, ଶରୀର ଏବଂ ମନ ପରିବର୍ତ୍ତନ ହୋଇଯାଇଛି । ବହୁତ ଖୋଜାଖୋଜି କଲା ପରେ ଲୋହିଆ ତିନି ଜଣ ପୁରୁଣା ବନ୍ଧୁଙ୍କୁ ପାଇଲେ–ଜଣେ କୋବଲେନ୍‌ସରେ, ଜଣେ ଜର୍ମାନୀ ଆସେମ୍ବ୍ଳିରେ, ଆଉ ଜଣେ ରୋମ୍‌ରେ । ଷୋଳବର୍ଷ ଭିତରେ କେବଳ ମାତ୍ର ଗୋଟାଏ ମହାଯୁଦ୍ଧ ଏତେ ପରିବର୍ତ୍ତନ କରି ଦେଇଥିଲା ।

 

ବର୍ଲିନ୍‌ରୁ ଖୁବ୍ ଦୁଃଖ ମନରେ ଲୋହିଆ ଆସିଲେ ପ୍ୟାରିସ୍‌କୁ । ପ୍ୟାରିସ୍‌ ରେଡ଼ିଓରେ ନିଜର ଭାଷଣ ପ୍ରସାରିତ କରିବାବେଳେ ଲୋହିଆ କହିଲେ–‘‘ଷୋଳବର୍ଷ ପୂର୍ବେ ମୁଁ ଯେତେବେଳେ ୟୁରୋପରେ ଥିଲି, ସେତେବେଳେ ଯେଉଁ ଯୁଦ୍ଧବିରୋଧୀ ଭାବନା ଥିଲା, ତାହା ଆଉ ଆଜି ନାହିଁ । .....ସମାଜବାଦ କେଉଁଠି କେଉଁଠି ପୁଞ୍ଜିବାଦ ସାଙ୍ଗରେ ମିଶିଯାଉଛି ତ ଆଉ କେଉଁଠି କେଉଁଠି ସାମ୍ୟବାଦ ସାଙ୍ଗରେ । ଏଣୁ ଏଇ ଦୁଇଟି ବିରାଟ ରାକ୍ଷସରୁ ଅଲଗା ଆଉ ଏକ ତୃତୀୟ ରାସ୍ତା ଯେମିତି କାହାକୁ ଆଉ ଦେଖାଯାଉନି । ....

 

‘‘ମସ୍ତିଷ୍କ ଦାସ ହୋଇଯାଇଛି । ବିଚାରର ସ୍ଥାନ ପ୍ରଚାର ଅଧିକାର କରିନେଇଛି । ଲୋକମାନେ ଯେମିତି ସେଇ ପଚାଶବର୍ଷ ଆଗର ପୁରୁଣା ବିଚାରଧାରା ଭିତରେ ହଜିଯାଇଛନ୍ତି । ତେଣୁ ବିଚାର ଆଜି ଶକ୍ତିର ଗୋଲାମ ହୋଇ ରହିଯାଇଛି ।’’

 

ପ୍ୟାରିସ୍‌ ପରେ ଲୋହିଆ ଇଂଲଣ୍ଡ, ପଶ୍ଚିମ ଆଫ୍ରିକା ଏବଂ ଦକ୍ଷିଣ–ପଶ୍ଚିମ ଏସିଆର କେତେକ ଦେଶକୁ ମଧ୍ୟ ଗଲେ ।

 

ଲୋହିଆ ଇସ୍‌ରାଏଲକୁ ମଧ୍ୟ ଗଲେ । ଇସ୍‌ରାଏଲ ଯାଉଥିବା ଯୋଗୁଁ ମିଶର ଯାତ୍ରାରେ କେତେକ ବାଧା ଆସି ଦେଖାଦେଲା । ବଡ଼ କଷ୍ଟରେ ଶେଷକୁ ସେ ମିଶର ଯାଇପାରିଲେ ।

 

ଏଭଳି ଭାବରେ ଦୀର୍ଘ ଦଶ ସପ୍ତାହର ଯାତ୍ରା ପରେ ନଭେମ୍ବର ୧୫ ତାରିଖ ଦିନ ଲୋହିଆ ନିଜ ଦେଶକୁ ଫେରିଆସିଲେ ।

 

ସନ ୧୯୫୧ ଜର୍ମାନୀ ପୁଣି ଥରକପାଇଁ ଲୋହିଆଙ୍କୁ ନିମନ୍ତ୍ରଣ କଲା ।

 

ଜର୍ମାନୀର ଫ୍ରାଙ୍କ୍‍ଫର୍ଟ ସହରରେ ବିଶ୍ୱର ସମାଜବାଦୀମାନଙ୍କର ଠିକ୍‌ ଯୁଦ୍ଧ ପରେ ଗୋଟାଏ ଅନ୍ତର୍ରାଷ୍ଟ୍ରୀୟ ସମ୍ମେଳନ ହେବାର ଥିଲା । ପୁଣି ଏଭଳି ଏକ ସମ୍ମେଳନରେ ଭାରତ ପକ୍ଷରୁ ଯୋଗ ଦେବାପାଇଁ ଭାରତୀୟ ସୋସାଲିଷ୍ଟ ପାର୍ଟିକୁ ଲୋହିଆଙ୍କ ଛଡ଼ା ଆଉ କିଏ ବା ମିଳନ୍ତା ! ତେଣୁ ପୁଣି ଥରକପାଇଁ ଲୋହିଆ ଜର୍ମାନୀ ଅଭିମୁଖରେ ବାହାରି ପଡ଼ିଲେ ।

 

ଜୁଲାଇ ୩ ତାରିଖ ଦିନ ସମ୍ମେଳନ ଆରମ୍ଭ ହେଲା ।

 

କିନ୍ତୁ ଲୋହିଆ ପହଞ୍ଚିପାରିଲେ ଠିକ୍‌ ଦିନକ ପରେ ଚାରି ଜୁଲାଇରେ ।

 

ସେଇଠି ପହଞ୍ଚିବାକ୍ଷଣି ଲୋହିଆଙ୍କୁ ଗୋଟାଏ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଲା ।

 

ସମ୍ମେଳନର ପ୍ରଥମ ଦିବସରେହିଁ ଅନ୍ତର୍ରାଷ୍ଟ୍ରୀୟ ଅବସ୍ଥା ଉପରେ ଗୋଟାଏ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବଟି ମୂଳତଃ ଆଟଲାଣ୍ଟିକ ମେଣ୍ଟକୁ ସମର୍ଥନ କରୁଥିଲା । ପ୍ରସ୍ତାବରେ କୁହାଯାଇଥିଲା–‘‘କୋରିଆ ଯୁଦ୍ଧରେ ଏହା ପ୍ରମାଣିତ ହେଉଛି ଯେ ଶାନ୍ତିପ୍ରେମୀ ଜନତାର ସାମୂହିକ ଚେଷ୍ଟା ଆକ୍ରମଣର ପ୍ରତିରୋଧ କରିପାରିବ ଏବଂ ଦୁନିଆକୁ ମହାଯୁଦ୍ଧରୁ ରକ୍ଷା କରିପାରିବ । ସମ୍ମେଳନର ମତରେ ସଂଯୁକ୍ତ–ରାଷ୍ଟ୍ରସଙ୍ଘଦ୍ୱାରା ଯୁଦ୍ଧ ବନ୍ଦ କରିବାକୁ ଯେଉଁ ପ୍ରଚେଷ୍ଟା ଜାରି ରହିଛି, ଜନତନ୍ତ୍ରବାଦୀଙ୍କ କର୍ତ୍ତବ୍ୟ ହେଉଛି, ସେନା ପ୍ରସ୍ତୁତ କରି ସେଥିରେ ଅଂଶଗ୍ରହଣ କରିବା ।’’

 

ସମ୍ମେଳନରେ ପହଞ୍ଚିବା ସଙ୍ଗେ ସଙ୍ଗେ ଏଇ ପ୍ରସ୍ତାବର ରୂପରେଖ ଦେଖି ସେ ବିବ୍ରତ ହୋଇପଡ଼ିଲେ । ତା’ପରେ ନିଃସଙ୍କୋଚ ହୋଇ ପ୍ରସ୍ତାବର ପାରୁପର୍ଯ୍ୟନ୍ତ ବିରୋଧ କରିବାକୁ ଯାଇ ଯେଉଁ ଭାଷଣ ଦେଲେ, ତାହା ଶୁଣି ଶ୍ରୋତାଗଣ ଅବାକ୍‌ ହୋଇ ରହିଗଲେ । ଲୋହିଆ କହିଲେ–

 

‘‘ଏପରି କେହି ମନେ କରନ୍ତୁ ନାହିଁ ଯେ ଏଠିକା ଲୋକମାନଙ୍କ ଅପେକ୍ଷା ମୁଁ ନିଜକୁ ଶ୍ରେଷ୍ଠ ମନେ କରୁଛି । ମୋ ଦୃଷ୍ଟିରେ କୌଣସି ଏକ ଉଦାରବାଦୀ (ଲିବରାଲ) କିମ୍ବା ପ୍ରତିଗାମୀ ପାର୍ଟିର ପ୍ରସ୍ତାବଠାରୁ ଏଇ ପ୍ରସ୍ତାବଟି ଭିନ୍ନ ନୁହେଁ । ପ୍ରସ୍ତାବରେ ଏପରି କୌଣସି ବିଶେଷତ୍ୱ ନାହିଁ, ଯାହାକୁ କି ସମାଜବାଦ ଆପଣାର ବୋଲି କହିପାରିବ । ଯଦି ଆମ୍ଭମାନଙ୍କ ଭିତରେ ସମାଜବାଦ ନୀତିକୁ କାର୍ଯ୍ୟରେ ପରିଣତ କରିବାର ଶକ୍ତି ନାହିଁ, ତଥାପି ସ୍ପଷ୍ଟଭାବରେ ସମାଜବାଦୀ କଣ୍ଠରେ କହିବା ନିହାତି ଆବଶ୍ୟକ । ଯେଉଁ ଦୁନିଆରେ ମୁଷ୍ଟିମେୟ କେତେକ ଲୋକଙ୍କ ହାତରେ ତେଲ ଆଉ ଇସ୍ପାତର କାରଖାନାଗୁଡ଼ିକ କେନ୍ଦ୍ରୀଭୂତ ହୋଇ ରହିଛି, ଆମେ କ’ଣ ସେମାନଙ୍କର ସମର୍ଥନ କରିବାକୁ ଚାହୁଁ ? ଆମେ ପୃଥିବୀଟାକୁ ଆଟଲାଣ୍ଟିକ ଓ ସୋଭିଏଟ୍‌ ଦଳରେ ବିଭାଜନ କରିବାକୁ କଦାପି ସ୍ୱୀକାର କରିନେବୁ ନାହିଁ । ଆଉ ଏକ ତୃତୀୟ ପୃଥିବୀ ମଧ୍ୟ ଅଛି–ଯାହା କି ଏ ଦୁଇ ଦଳରେ ଆଦୌ ସାମିଲ ନୁହେଁ । ସେହି ପୃଥିବୀ ହେଉଛି ଇଣ୍ଡୋନେସିଆ, ନେପାଳ, ଭାରତ ଏବଂ ମିଶର ପର୍ଯ୍ୟନ୍ତ ବ୍ୟାପ୍ତ ଏବଂ ତା’ରି ଭିତରେ ଯୁଗୋସ୍ଲୋଭିଆ ଏବଂ ସ୍ୱିଡ଼େନ୍ ମଧ୍ୟ ସାମିଲ ହୋଇ ରହିଛି । ...

 

‘‘...ମୁଁ ଭାବୁଛି ଯେ ପଶ୍ଚିମ–ୟୁରୋପର ରାଷ୍ଟ୍ରଗୁଡ଼ିକ ପାଇଁ ଆମେରିକା ସହିତ ସମ୍ବନ୍ଧ ସ୍ଥାପନ କରିବା ନିହାତି ଜରୁରୀ ହୋଇପଡ଼ିଛି ଏବଂ ସୋସାଲିଷ୍ଟ ପାର୍ଟି ମଧ୍ୟ ତାକୁ ସମର୍ଥନ କରେ । କିନ୍ତୁ ହିନ୍ଦୁସ୍ଥାନ ଏବଂ ଅନ୍ୟ ରାଷ୍ଟ୍ର ଆଟଲାଣ୍ଟିକ ମେଣ୍ଟ ସହିତ ସମ୍ବନ୍ଧିତ ନୁହେଁ । .....ତଥାପି ୟୁରୋପର ମୁଣ୍ଡ ଉପରେ ତ ଗୋଟାଏ ଶୋକାତୁର ବୋଝ ଲଦା ହୋଇ ରହିଛି । ଅନ୍ୟ ଦେଶଗୁଡ଼ିକ ଉପରେବି କ’ଣ ଏପରି ବୋଝ ଲଦି ଦିଆଯିବ ?

 

‘‘....ଦୁନିଆର ଦୁଇ–ତୃତୀୟାଂଶ ଆଜି ଭୟାନକ ଦାରିଦ୍ର୍ୟ ଭିତରେ ବୁଡ଼ିରହିଛି । ଧନୀ ଏବଂ ଗରିବ ରାଷ୍ଟ୍ରର ତଫାତ୍‌ଟା ଏକ ମହତ୍ୱପୂର୍ଣ୍ଣ ଅନ୍ତର୍ରାଷ୍ଟ୍ରୀୟ ପ୍ରଶ୍ନ ଅଟେ । ଧନୀ ଦେଶଗୁଡ଼ିକ ଆପଣା ଧନକୁ ସୁରକ୍ଷିତ ରଖିବାକୁ ଚାହାନ୍ତି । ଶାନ୍ତିର ପ୍ରସ୍ତାବ ସୁରକ୍ଷାର ଲାଳସା ଉପରେ ସମ୍ପୂର୍ଣ୍ଣରୂପେ ଆଧାରିତ । .....ଏପରି ମଧ୍ୟ କୁହାଯାଉଛି ଯେ ସୋଭିଏଟ୍‌ ଦୁନିଆ ରୁଟିର ଏବଂ ଆଟଲାଣ୍ଟିକ ସ୍ୱତନ୍ତ୍ରତାର ଦୁନିଆ ଅଟେ; କିନ୍ତୁ ଏସବୁ ହେଉଛି କେବଳ ମିଥ୍ୟା କଳହ । ରୁଟି ଏବଂ ସ୍ୱାତନ୍ତ୍ର୍ୟ–ପରସ୍ପରର ସମ୍ପର୍କ ଅତି ନିକଟ । କମ୍ୟୁନିଜମ୍‌ର ଆଶଙ୍କା ଗରିବ ଦେଶରେ ନାହିଁ, ବରଂ ଏପରି ଦେଶରେ ଅଧିକ ବିପଦ ଅଛି ସେଇମାନଙ୍କଠାରୁ, ଯେଉଁମାନେ ଉତ୍ପାଦିତ ସମ୍ପତ୍ତିର ସଂଚୟ କରିବାରେ ସର୍ବଦା ବ୍ୟସ୍ତ । ଯେଉଁଠି ଆର୍ଥିକ ଲୋକତନ୍ତ୍ର ନାହିଁ, ସେଇଠି ରାଜକୀୟ ଲୋକତନ୍ତ୍ର କଦାପି ପ୍ରତିଷ୍ଠିତ ହୋଇପାରିବ ନାହିଁ । ଏପରି ଭାବରେ ଯେଉଁଠି ରାଜକୀୟ ଲୋକସ୍ୱାତନ୍ତ୍ର୍ୟ ନାହିଁ, ସେଇଠି ଆର୍ଥିକ ଲୋକତନ୍ତ୍ର ମଧ୍ୟ ଆସିପାରିବ ନାହିଁ । ଚୀନରେ କମ୍ୟୁନିଷ୍ଟମାନଙ୍କ ବିଜୟଫଳରେ ଆର୍ଥିକ ଲୋକତନ୍ତ୍ର ଏବଂ ରୁଟି ହାସଲ କରିବାର ବାଟ ଏପର୍ଯ୍ୟନ୍ତ ପରିଷ୍କାର ହୋଇପାରିନି । ଆଟଲାଣ୍ଟିକ ମେଣ୍ଟକୁ ମଧ୍ୟ ବର୍ତ୍ତମାନ ସ୍ୱାଧୀନତାର ପୃଥିବୀ ବୋଲି କଦାପି କୁହାଯାଇପାରିବ ନାହିଁ-

 

‘‘ମାଡ଼ାଗାସ୍କାର କିମ୍ବା ଆଲଜେରିଆରେ ଯାହା କିଛି ହୋଇଯାଇଛି, ସେଇଠି ପରିଷ୍କାର ପ୍ରମାଣିତ ହୋଇଯାଇଛି ଯେ ଆଟଲାଣ୍ଟିକ ଦୁନିଆ ସ୍ୱାଧୀନତାର ଦୁନିଆ ନୁହେଁ । ଏସବୁକୁ ଆଖି ଆଗରେ ରଖିଲେ ଆମେ ଏଭଳି ଏକ ଦୁର୍ବଳ ପ୍ରସ୍ତାବ ବାଢ଼ିବାକୁ ନିଶ୍ଚୟ ଲଜ୍ଜାବୋଧ କରିବୁ । ଯେତେଦୂର ସମ୍ଭବ ପଶ୍ଚିମ–ୟୁରୋପର ସୋସାଲିଷ୍ଟ ପାର୍ଟିଗୁଡ଼ିକ ଆଟଲାଣ୍ଟିକ ଦୁନିଆରୁ କେବେ ଅଲଗା ହୋଇପାରିବେ ନାହିଁ; କିନ୍ତୁ ଅନ୍ୟ ଦେଶର ପାର୍ଟିଗୁଡ଼ିକ ଏସବୁ ମାନିବା ଉଚିତ ନୁହେଁ ।

 

‘‘....ବର୍ମା ଏଇ ଦୃଷ୍ଟିକୋଣରୁ ଗୋଟାଏ ଉଦାହରଣ । ସେ କମ୍ୟୁନିଷ୍ଟ ଆକ୍ରମଣରୁ ନିଜକୁ ରକ୍ଷାକଲା ଏବଂ ସୋଭିଏଟ୍‌ କିମ୍ବା ଆଟଲାଣ୍ଟିକ ମେଣ୍ଟରୁ ପୂରାପୂରି ଅଲଗା ହୋଇ ରହିଲା-। ଆମକୁ ଜମିଦାର କିମ୍ବା ପୁଞ୍ଜିପତିମାନଙ୍କୁ ଶେଷ କରିଦେବାକୁହିଁ ପଡ଼ିବ । ଏପରି କରିବାକୁ ଗଲେ ଆମ ଦେଶରେ ଯେଉଁ ଜାତି–ଭେଦ ପ୍ରଥା ରହିଛି–ଯାହାକି ସର୍ବଦା କଳଙ୍କମୟ ତାକୁ ମଧ୍ୟ ଲୋପ କରିବାକୁହିଁ ହେବ । କିନ୍ତୁ ଅନ୍ତର୍ରାଷ୍ଟ୍ରୀୟ କ୍ଷେତ୍ରରେ ମଧ୍ୟ ଏଭଳି ଜାତିପ୍ରଥା ରହିଛି–ଯାହା ଭିତରେ କି ପାଞ୍ଚଟି ବଡ଼ବଡ଼ ରାଷ୍ଟ୍ରସବୁ କିଛି ସ୍ଥିର କରନ୍ତି ଏବଂ ପ୍ରାୟ ଆଉ ପ୍ରାୟ ପଞ୍ଚଷଠିଟି ଛୋଟ ଛୋଟ ରାଷ୍ଟ୍ର ରହିଛି । ଅନେକ ଦେଶ ତ ଏଯାଏଁ ଅସ୍ପୃଶ୍ୟ ଭଳି ରହିଛନ୍ତି । ଶାନ୍ତି ହାସଲ କେବଳ ସେତେବେଳେ ଯାଇ ସମ୍ଭବପର ହେବ, ଯେତେବେଳେ କି ରାଷ୍ଟ୍ରଗୁଡ଼ିକ ଭିତରେ ଗୋଟିଏ ସମାନତା ଆସିଯିବ ।’’

 

ଲୋହିଆଙ୍କର ଏଇ ତେଜସ୍ୱୀ, ଓଜସ୍ୱୀ ଓ ନିର୍ଭୀକ ଭାଷଣ ଏବଂ ତାଙ୍କର ତାଜା ବିଚାରଦ୍ୱାରା ପୂରା ସମ୍ମେଳନ ଅବାକ୍‌ ହୋଇ ରହିଗଲା । ସମସ୍ତ ଉପସ୍ଥିତ ସମାଜବାଦୀ ସଭ୍ୟ ଲୋହିଆଙ୍କଦ୍ୱାରା ସମ୍ପୂର୍ଣ୍ଣଭାବେ ପ୍ରଭାବିତ ହୋଇ ପଡ଼ିଥିଲେ; କିନ୍ତୁ ପ୍ରସ୍ତାବଟିର ସ୍ୱୀକୃତି ସମୟରେ ଓଲଟା ଫଳ ମିଳିଲା । ସମାଜବାଦୀ ଅନ୍ତର୍ରାଷ୍ଟ୍ରୀୟ ସମ୍ମେଳନର ଇଂରେଜ ପ୍ରଧାନମନ୍ତ୍ରୀ କହିଲେ ଯେ ସେ ଲୋହିଆଙ୍କ ମତରେ ପଞ୍ଚସ୍ତରି ଭାଗ ଏକମତ । କିନ୍ତୁ ରାଜନୀତିର ପ୍ରକୃତସ୍ୱରୂପ ଅନ୍ୟ ଆକାରରେ ଦେଖାଦେଲା । ସେଇ ସମାଜବାଦୀ ଅନ୍ତର୍ରାଷ୍ଟ୍ରୀୟ ସମ୍ମେଳନ ପ୍ରକୃତରେ କେବଳ ୟୁରୋପର ସୋସାଲିଷ୍ଟ ପାର୍ଟିରହିଁ ପ୍ରତିନିଧିତ୍ୱ କରୁଥିଲା, ତେଣୁ ପ୍ରସ୍ତାବଟି ପାସ୍ ହୋଇଗଲା ।

 

ଫ୍ରାଙ୍କ୍‍ଫର୍ଟ ସମ୍ମେଳନ ପରେ ଲୋହିଆ ଯୁଗୋସ୍ଲାଭିଆକୁ ମଧ୍ୟ ଗଲେ । ପୁଣି ୟୁରୋପରୁ ଆମେରିକା, ଜାପାନ, ହଂକଂ, ଇଣ୍ଡୋନେସିଆ, ଥାଇଲାଣ୍ଡ ମାଳୟ ଏବଂ ଲଙ୍କା ବୁଲି ବୁଲି ଲୋହିଆ ନିଜ ଦେଶକୁ ଫେରି ଆସିଲେ ।

 

ଏଇ ଯାତ୍ରାଫଳରେ ଲୋହିଆଙ୍କର ଏକ ବିଚିତ୍ର ଅନୁଭୂତି ଆସିଲା ।

 

ଲୋହିଆ ଯେତେବେଳେ ହଂକଂରେ ପହଞ୍ଚିଲେ, ସେଠିକା ଅଧିକାରୀମାନେ ତାଙ୍କୁ କୌଣସି ବକ୍ତବ୍ୟ ଦେବାପାଇଁ ମନା କରିଦେଲେ । କିନ୍ତୁ ଲୋହିଆ ତ କେବେ ଏମିତି ବନ୍ଧନକୁ ମାନନ୍ତି ନାହିଁ । ସେଇଠିକାର ଦୁଇଟି ଖବରକାଗଜ–‘‘ଟାଇଗର ଷ୍ଟାଣ୍ଡାର୍ଡ଼’’ ଏବଂ ‘‘ସାଉଥ ଚାଳନା ମର୍ଣ୍ଣିଂ ପୋଷ୍ଟ’’ ତାଙ୍କ ସହିତ ସାକ୍ଷାତର ବିବରଣୀ ପ୍ରକାଶ କରିଦେଲେ ।

 

ସେଇଠି ଲୋହିଆ କହିଥିଲେ, ‘‘ପୃଥିବୀରେ ସର୍ବଶ୍ରେଷ୍ଠ ସ୍ଥାନଗୁଡ଼ିକ ମଧ୍ୟରୁ ହଂକଂ ଗୋଟାଏ ହେଲେ ମଧ୍ୟ, ଟୋକିଓଠାରୁ କାଇରୋ ପର୍ଯ୍ୟନ୍ତ ବ୍ୟାପି ରହିଥିବା ଅପରିଷ୍କାର ଓ ରୋଗଗ୍ରସ୍ତ ଦୁନିଆର ଏକ ଅଂଶବିଶେଷ । ...ଏଠିକି ଆସିଲା ପରେ ମତେ ଅରୁଚି ଲାଗିଲା ଏବଂ ଅନୁଭବ ହେଲା ଯେ ଅତ୍ୟଧିକ ଜନସଂଖ୍ୟା, ଆବର୍ଜନା ଏବଂ ଶୁଖିବାପାଇଁ ବାହାରେ ଟଙ୍ଗା ଯାଉଥିବା କପଡ଼ାର ଦୁନିଆ ଭିତରକୁ ମୁଁ ଆସିଯାଇଛି ।’’

 

ଲୋହିଆ ଏଇ ଯାତ୍ରାରେ ଦୁଇଟି ଦୁନିଆ ଦେଖିଲେ । ଗୋଟାଏ ହେଲା ରୋମ୍‌ଠାରୁ ହୋନୋଲୁଲୁ ପର୍ଯ୍ୟନ୍ତ–ଯେଉଁମାନେ ପରିଷ୍କାର ଏବଂ ବହୁଳ ଭାବରେ ଖାଦ୍ୟ ଖାଆନ୍ତି ଏବଂ ଭଲ ଭଲ କୋଠାବାଡ଼ିରେ ରହନ୍ତି ଅନ୍ୟଟି ହେଲା, ଟୋକିଓଠାରୁ କାଇରୋ ପର୍ଯ୍ୟନ୍ତ–ଯେଉଁମାନେ କି ଭୋକ ଓ ଓପାସରେ ଶଢ଼ି ମରିବା ସଙ୍ଗେ ସଙ୍ଗେ ଆବର୍ଜନାପୂର୍ଣ୍ଣ ଘରେ ରହନ୍ତି ।

 

ଦୁନିଆ ଭ୍ରମଣ କଲା ପରେ ବିଭିନ୍ନ ଦେଶଗୁଡ଼ିକ ସମ୍ବନ୍ଧରେ ଲୋହିଆ ଯେଉଁ ମୌଳିକ ଚିତ୍ରଣ କରି କହିଥିଲେ, ତାହା ହେଉଛି–

 

ଜର୍ମାନୀ–ବୁଢ଼ୀ ବେଶ୍ୟା ଯେମିତି ପୁଣି ଥରକପାଇଁ ତା’ର ମଉଳା ସୌନ୍ଦର୍ଯ୍ୟ ହାସଲ କରିବାପାଇଁ ଆପ୍ରାଣ ଚେଷ୍ଟା କରୁଛି ଅଥବା ଖୁବ୍‌ ସୁନ୍ଦର ଏବଂ ଚିରନ୍ତନ ଯୌବନ, ତାହା କହି ହେବ ନାହିଁ । ଦୁନିଆରେ ସବୁଠୁ ଅଧିକ ମୌଳିକ ଚିନ୍ତା କରିବା ଲୋକ । ତଥାପି ସେମାନେ ୟୁରୋପୀୟ ସଭ୍ୟତାର ମୋହ ଭାଙ୍ଗି ଦେଇପାରି ନାହାନ୍ତି ।

 

ଯୁଗୋସ୍ଲାଭିଆ–ଆଂଶିକ ଭାବରେ ସମାଜବାଦୀ ହେବାକୁ ଚେଷ୍ଟା କରୁଥିବା ଗୋଟାଏ କମ୍ୟୁନିଷ୍ଟ ଦେଶ । ସାହସୀ ଲୋକେ–ଯେଉଁମାନେ କି ସ୍ୱାଧୀନତାର ମୂଲ୍ୟ ଦେଇ ଅସ୍ଥାୟୀ ଶାନ୍ତି କିଣିବା ବଦଳରେ ନିଜ ପ୍ରାଣ ଦେବାକୁ ତତ୍ପର ରହି ଶାନ୍ତି ହାସଲ କରିବାକୁ ଚାହାନ୍ତି ।

 

ଆମେରିକା–ଏପରି ଏକ ଦେଶ, ଯେଉଁଠି ସମସ୍ତ ମହିଳା ରାଜକୁମାରୀ ବୋଲି ମନେ କରନ୍ତି ଏବଂ ରାଜକୁମାରୀ ସଙ୍ଗରେ ଚାକରାଣୀ ଭଳି ଏବଂ ଚାକରାଣୀ ସଙ୍ଗରେ ରାଜକୁମାରୀ ଭଳି ବ୍ୟବହାର କରିବାର ସମତାବାଦୀ ସ୍ୱପ୍ନ–ଯାହା କି ପ୍ରାୟ ପୂର୍ଣ୍ଣ ହୋଇସାରିଛି । ଏପରି ଲୋକେ–ଯେଉଁମାନେ କି କିଛି ଦାନ କରିବାପାଇଁ ସର୍ବଦା ଉଦାରତା ସହ ଉତ୍ସୁକ କିନ୍ତୁ ସେମାନଙ୍କର ଅହଂ ଏତେ ବେଶି ଯେ ସେମାନେ ନେବାକୁ ଆଦୌ ଚାହାନ୍ତି ନାହିଁ । ଦୁନିଆରେ ସବୁଠୁ ଅଧିକ ଟାଣୁଆ ଲୋକ–ଯେଉଁମାନେ କି ଏପର୍ଯ୍ୟନ୍ତ ମାନବୀୟ ଇତିହାସର ଗୋଟାଏ ଉଦାହରଣ ପ୍ରସ୍ତୁତ କରିବାପାଇଁ ସମର୍ଥ । ସୌନ୍ଦର୍ଯ୍ୟ ବିଗିଡ଼ିଯାଇ ବ୍ୟଭିଚାର ସୃଷ୍ଟି ହୁଏ, ସତ୍ୟ ନଷ୍ଟ ହୋଇ କ୍ରୂରତାରେ ପରିଣତ ହୋଇଯାଏ । ବୋଧେ ବର୍ତ୍ତମାନ ମଧ୍ୟ ଏମାନେ କଠୋର ଏବଂ କୋମଳ, ସତ୍ୟ ଏବଂ ସୌନ୍ଦର୍ଯ୍ୟର ମିଶ୍ରଣକୁ ଅତି ସହଜରେ ଗ୍ରହଣ କରିଯିବେ–ଏହାର କ୍ଷୀଣ ସମ୍ଭାବନା ରହିଛି ।

 

ହାଓ୍ୱାଇ–ଯେଉଁଠି କି ସ୍ୱାଗତ ଏବଂ ବିଦାୟ କେବଳ ଚୁମ୍ବନଦ୍ୱାରାହିଁ କରାଯାଏ ଏବଂ ତା’ରି ଭିତରେ ପୃଥିବୀର ସବୁଠୁ ବେଶୀ ସକ୍ରିୟ ଜ୍ୱାଳାମୁଖୀ ହାଲେମାଉମାଭର ମୁହଁରୁ ଯେମିତି ବିଷବୋଳା ଚେତାବନୀ ବାହାରୁଥାଏ ।

 

ଜାପାନ–ସ୍ଥିରତା ଭିତରେବି ଉଦାସ ଏବଂ ରଙ୍ଗୀନ; କିନ୍ତୁ ଗତିରେ ହାସ୍ୟ ଏବଂ କ୍ରିୟାରେ ମୁଖରିତ ହେବାର ଗୁଡ଼ାଏ ଚେହେରା । ଗୋଟାଏ ଅନୁପମ ଅନୁଶାସନହିଁ ଭିତର ଏବଂ ବାହାର ଢାଞ୍ଚାର ସଂଘର୍ଷକୁ ଯେମିତି ରୋକି ଦେଇପାରିଛି । ସମନ୍ୱୟର ଅଭାବ ରହିଛି ।

 

ହଂକଂ–ଗୋଟାଏ ସୁନ୍ଦର ଆବୁ ଯାହାକୁ ପେକିଂ ଏବଂ ଫର୍ମୋଜା ପାଳି ରଖିଛନ୍ତି ଏବଂ ଇଂରେଜ ଯାଦୁଗର ଯେଉଁମାନଙ୍କୁ ନିଜ ହାତମୁଠାରୁ ବାହାରି ଯିବାକୁ ଦେଉ ନାହିଁ । ଯେଉଁଠି ଏକରୂପତା ଏବଂ ସହ–ଅସ୍ତିତ୍ୱର ଦୁଇଟି ଖରାପ ଦିଗ ସ୍ପଷ୍ଟ । ଯେଉଁଠି ଲୋକେ ବର୍ତ୍ତମାନ ମଧ୍ୟ ସହ–ଅସ୍ତିତ୍ୱ ଏବଂ ସାନ୍ନିଧ୍ୟ ପାଇବାର ଚେଷ୍ଟା କରିପାରନ୍ତି ।

 

ଥାଇଲାଣ୍ଡ–ସୁବିଧାବାଦର ମୁକୁଟମଣି । ସମସ୍ତ ଏସୀୟ ସରକାର ସମସ୍ତଙ୍କଠୁଁ ସୁବିଧାବାଦୀ ରାଜନୀତି କରୁଛନ୍ତି; କିନ୍ତୁ ଥାଇ ସରକାର ଅଧିକ ଚତୁର ଏବଂ ସଫଳ ଅଟେ । ହିନ୍ଦୁସ୍ଥାନର ଗୋଟାଏ ବିରାଟ ଅଂଶ, ଗୋଟାଏ ଅଂଶ ଚୀନର ଏବଂ ଆଉ ଗୋଟାଏ ଅଂଶ ଅନ୍ୟ କାହାର–ଏସବୁକୁ ମିଶାଇ ଗୋଟାଏ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ; କିନ୍ତୁ ଚିନ୍ତାରହିତ ଲୋକଙ୍କର ଜନ୍ମ ହେଲା, ଯାହାର ଦାନ ବୋଧେ ବର୍ତ୍ତମାନ ମଧ୍ୟ ଅନୁପମ ।

 

ସିଙ୍ଗାପୁର ଏବଂ ମାଳୟ–ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ସନ୍ଧିସ୍ଥଳ ଏବଂ ବିଭିନ୍ନ ଜାତି ତଥା ଦେଶଗୁଡ଼ିକର ମିଳନ କ୍ଷେତ୍ର–ଏହି କାରଣରୁ ଏହା ଗୋଟିଏ ତୀର୍ଥସ୍ଥଳ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନେ ସେତେଟା ସ୍ୱାଧୀନ ନୁହନ୍ତି କି ତାଙ୍କର ହୃଦୟ ମଧ୍ୟ ସେତେଟା ବିଶାଳ ନୁହେଁ ଯେ ଏହି ତୀର୍ଥସ୍ଥଳକୁ ମାନବତାର ଶାରୀରିକ ତଥା ସାଂସ୍କୃତିକ ସାନ୍ନିଧ୍ୟର ଗୋଟାଏ ଜୀବନ–ମନ୍ଦିରରୂପେ ନିର୍ମାଣ କରିପାରିବେ ।

 

ଇଣ୍ଡୋନେସିଆ–ହିନ୍ଦୁସ୍ଥାନ ଭଳି ବଦଳିବାର ପ୍ରବଳ ଇଚ୍ଛା ଅଛି; କିନ୍ତୁ ଚେଷ୍ଟାର ଅଭାବ ଏବଂ ବେପରୁଆ ଭାବ ରହିଛି–ଆବଶ୍ୟକରୁ ଅଧିକ ବେପରୁଆ ଭାବ । ଆରବ ଏବଂ ୟୁରୋପଠୁଁବି ଅଧିକ ପ୍ରାଚୀନ ଇଣ୍ଡୋନେସିଆ । ବୋଧହୁଏ ବର୍ତ୍ତମାନ ମଧ୍ୟ ସକ୍ରିୟତା ଏବଂ ସଞ୍ଚଳନର ଏକ ନୂତନ ମାନବୀୟ ସଭ୍ୟତାର ନିର୍ମାଣ କରିବାରେ ଖୁବ୍‌ ବଡ଼ ଅଂଶଗ୍ରହଣ କରିପାରିବ ।

 

ଲଙ୍କା–ଏସିଆର ଏକ ସୌନ୍ଦର୍ଯ୍ୟଶାଳୀ ଅଂଶବିଶେଷ, ଯିଏ କି ନିଜକୁ ୟୁରୋପ ଭଳି ଗଢ଼ି ତୋଳିବାର ଚେଷ୍ଟା କରୁଥିଲା–ବର୍ତ୍ତମାନ ବଡ଼ ଦ୍ୱନ୍ଦ୍ୱ ଭିତରେ ଗତି କରୁଛି, କୌଣସି ଦିନ ମାନବୀୟତାକୁ ଗ୍ରହଣ କରିବାପାଇଁ ଚେଷ୍ଟା କରିପାରେ ।

 

୧୯୫୧ ଜୁଲାଇ ତେର ତାରିଖ ଦିନ ଲୋହିଆ ଆମେରିକାରେ ପହଞ୍ଚିଲେ ।

 

ଲୋହିଆଙ୍କର ଉଡ଼ାଜାହାଜ ଯେମିତି ନ୍ୟୁୟର୍କର ‘ଆଇଡ଼ଲ ଓ୍ୱାଇଲ୍‌ଡ଼୍’ ବିମାଘାଟିରେ ପହଞ୍ଚିଲା, ତାଙ୍କ ପ୍ରତୀକ୍ଷାରେ ରହିଥିବା ଖବରକାଗଜଗୁଡ଼ିକର ସାମ୍ବାଦିକମାନେ ତାଙ୍କୁ ଘେରିଯାଇ ପ୍ରଥମେ ପ୍ରଶ୍ନ କଲେ–‘‘ଆପଣ ଆମେରିକା କାହିଁକି ଆସିଛନ୍ତି ?’’

 

ତା’ପରେ ଲୋହିଆ ସ୍ୱଭାବସୁଲଭ ଭାବରେ ହସି ହସି ଅତି ସହଜ ଢଙ୍ଗରେ କହିଲେ–‘‘ପିଲାଦିନରୁ ମୋର ଲିଙ୍କନ୍‌ ଏବଂ ଜେଫରସନ୍‌ଙ୍କ ଲେଖା ବିଷୟରେ ପ୍ରବଳ ଆଗ୍ରହ ରହିଥିଲା ଏବଂ ଯେଉଁ ଜାତି ବ୍ୟବସାୟ ଆଉ ଶିଳ୍ପକ୍ଷେତ୍ରରେ ବିଖ୍ୟାତ, ସେଇ ଜାତି–ସଂପ୍ରଦାୟର ହୋଇଥିବା ଯୋଗୁଁ ମୋର ‘ରକ୍‌ଫେଲର’ ଏବଂ ଫୋର୍ଡ଼ଙ୍କ ଉପରେବି ଆଗ୍ରହ ରହିଥିଲା । ତା’ ଛଡ଼ା ଅପଟନ୍‌ ସିଙ୍କଲୋୟର ଭଳି ଲେଖକ ତଥା କ୍ଳେୟର ଏବଂ ମାକଲିଙ୍କ ଭଳି ସ୍ତ୍ରୀମାନଙ୍କର ପ୍ରଭାବ ମଧ୍ୟ ସହଜ ଥିଲା । ମାର୍କିନ୍‌ ଜନତା ପ୍ରତି ମୋର ଆକର୍ଷଣ ରହିଛି ଏବଂ ଆଧୁନିକ ସଭ୍ୟତା ଉପରେ ସନ୍ଦେହ ମଧ୍ୟ ରହିଛି–ଯାହା କି ଆମେରିକାରେ ଚରମ ସୀମାକୁ ଛୁଇଁଯାଇଛି । ମୁଁ ଏଇଠିକି ଖୋଜିବାକୁ ଆସିଛି ଯେ ପ୍ରକୃତରେ କିଏ ଉନ୍ନତିର ଶିଖରରେ ପହଞ୍ଚିଛି–ମୋର ଆକର୍ଷଣ ନା ମୋର ଆଶଙ୍କା ? ମୁଁ ସବୁଠୁ ବୁଦ୍ଧିମାନ୍‌ ତ ନୁହେଁ, ତଥାପି ସବୁଠୁ ଗୋଟାଏ ପ୍ରାଚୀନ ଦେଶରୁ ଖୁବ୍‌ କମ୍‌ ବୟସର ଗୋଟାଏ ବଳଶାଳୀ ଦେଶକୁ ଆସିଛି ।’’

 

ତା’ପରେ ସାମ୍ବାଦିକମାନେ ଆଗ୍ରହ ପ୍ରକାଶ କରି, ଆମେରିକା ଯାତ୍ରା ପୂର୍ବରୁ ଭାରତରେ ତାଙ୍କର ଗିରଫ୍‍ଦାରି ସମ୍ବନ୍ଧରେ ଯେତେବେଳେ ପ୍ରଶ୍ନ କଲେ, ଲୋହିଆ ତା’ରି ଉତ୍ତର ଦେବାକୁ ଯାଇ କହିଲେ–‘‘ଫାଉଡ଼ା– ଜେଲ–ଭୋଟ’’ ହେଉଛି ଆମର କାର୍ଯ୍ୟକ୍ରମର ତ୍ରିବିଧ ମାର୍ଗ ।

 

ଫାଉଡ଼ା–ରଚନାତ୍ମକ କାର୍ଯ୍ୟର ପ୍ରତୀକ ।

 

ଜେଲ–ଅନ୍ୟାୟ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ସଂଘର୍ଷ ।

 

ଭୋଟ–ରାଜନୀତି କାର୍ଯ୍ୟକଳାପର ଦ୍ୟୋତକ ।

 

ତା’ପରେ ଜଣେ ସାମ୍ବାଦିକ ପଚାରିଲେ–‘‘ଆଗାମୀ ନିର୍ବାଚନରେ ହିନ୍ଦୁସ୍ଥାନର ଲୋକେ କ’ଣ କରିବେ ?’’

 

ଲୋହିଆଙ୍କର ସଂକ୍ଷିପ୍ତ ଉତ୍ତର ଥିଲା–‘‘ମୁଁ ଚାହେଁ ଯେ ସେମାନେ ବର୍ତ୍ତମାନର ଅତ୍ୟାଚାରୀ ଦୁଷ୍ଟ ସରକାରଙ୍କ ଜୁଆଖେଳକୁ ଭାଙ୍ଗିଦେବେ ।’’

 

ଏଭଳି ପ୍ରଶ୍ନ–ଉତ୍ତରଦ୍ୱାରା ଆମେରିକାର ବାକ୍‌ପଟୁ ସାମ୍ବାଦିକମାନେ ଲୋହିଆଙ୍କର ଉର୍ବର ମସ୍ତିଷ୍କ ଏବଂ ଚତୁର ରାଜନୀତିକ ବୁଝାମଣାକୁ ଚିହ୍ନିପାରିଲେ ଏବଂ ତାଙ୍କଦ୍ୱାରା ଖୁବ୍ ପ୍ରଭାବିତ ମଧ୍ୟ ହେଲେ ।

 

ବିମାନଘାଟିରେ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା ମୋଟରଗାଡ଼ିଗୁଡ଼ିକୁ ଦେଖି ଲୋହିଆ ବ୍ୟଙ୍ଗାତ୍ମକ କଣ୍ଠରେ କହିଲେ–‘‘ଏତେଗୁଡ଼େ ମୋଟରଗାଡ଼ି ବୋଧେ ସମଗ୍ର ହିନ୍ଦୁସ୍ଥାନ ଭିତରେ ନଥିବ ଏବଂ ଯେତେ ବିଜୁଳିଶକ୍ତି ଏଠିକାର ଗୋଟାଏ ସହର ଖର୍ଚ୍ଚ କରୁଛି, ସମଗ୍ର ହିନ୍ଦୁସ୍ଥାନରେ ମଧ୍ୟ ସେତେ ବିଜୁଳି ଖର୍ଚ୍ଚ ହେଉ ନଥିବ । ଏପରି ଅବସ୍ଥାରେ ହିନ୍ଦୁସ୍ଥାନ ଏବଂ ଆମେରିକା କିମିତି ବନ୍ଧୁ ହୋଇପାରିବେ ?’’

 

ଆମେରିକାର ଟେନେସି ରାଜ୍ୟରେ ନଶ୍‌ବିଲେର ଫିସ୍କ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବାକୁ ଯାଇ ସେଠିକା ଜାତିଭେଦ ନୀତିର ଆଲୋଚନା ପ୍ରସଙ୍ଗରେ ନିଗ୍ରୋମାନଙ୍କୁ କହିଲେ–‘‘ଯଦି ଚାରି ଶହ ବର୍ଷ ଆଗରୁ ନିଗ୍ରୋମାନେ ରାଜନୀତିକ ଶକ୍ତିର ଅଧିକାରୀ ହୋଇପାରିଥାନ୍ତେ, ଯଦି ଆଫ୍ରିକା ସ୍ୱତନ୍ତ୍ର କିମ୍ବା ୟୁରୋପର ଶାସକ ହୋଇଥାନ୍ତା, ତେବେ ସୌନ୍ଦର୍ଯ୍ୟ ତଥା ଦର୍ଶନ ସମ୍ବନ୍ଧୀୟ ମାପକାଠି ବୋଧେ ଅନ୍ୟ ପ୍ରକାର ହୋଇଥାନ୍ତା ।’’

 

ଏଇ ଭାଷଣରେ ଲୋହିଆ ଅଠରବର୍ଷ ଆଗର ଗୋଟାଏ ସ୍ମରଣୀୟ ଘଟଣା ଶୁଣାଇଲେ–‘‘ବର୍ଲିନ୍‌ରେ ଗୋଟାଏ ଆମେରିକୀୟ ଝିଅ ଆମକୁ ନିମନ୍ତ୍ରଣ କରିଥିଲେ ଯେ ଆମେ ପ୍ୟାରିସ୍ ଗଲେ ତାଙ୍କୁ ଯେମିତି ନିଶ୍ଚୟ ଦେଖାକରୁଁ । ଜଣେ ଭାରତୀୟ ବନ୍ଧୁଙ୍କ ସାଙ୍ଗରେ ତାଙ୍କୁ ଦେଖା କରିବାପାଇଁ ଆମେ ଯେତେବେଳେ ପ୍ୟାରିସ୍‌ସ୍ଥ ତାଙ୍କ ବାସଭବନକୁ ଗଲୁ, ସେଇଠି ଚୌକିଦାର ଆମକୁ ଭିତରକୁ ଯିବାପାଇଁ ଅଟକେଇଦେଲା । କାରଣ ଆମେ ଧଳା ଚମଡ଼ାର ଲୋକ ନଥିଲୁଁ । ତା’ପରେ ଆମେ ଟେଲିଫୋନ୍‌ କରି ସେଇ ଝିଅଟିକୁ ପାଖରେ ଥିବା ଗୋଟାଏ ଚା’ ଦୋକାନକୁ ଡାକିଲୁ । ସେ ଆସିବାରୁ ଆମେ ଦେଖିଲୁ ଯେ ତା’ ଆଖି ଯୋଡ଼ିକ ଲୁହରେ ଛଳଛଳ–ଯେମିତି କି ସଭ୍ୟତା ଉପରେ କୌଣସି ଆଘାତ ଲାଗିଥିଲା ସେଇଠୁ ମୁଁ ଅନୁଭବ କଲି ଯେ ଆମେରିକାରେ ମଧ୍ୟ କିଛି ଭଲ କଥା ଅଛି । ଅନ୍ତତଃ ପକ୍ଷେ ଆମେରିକାର ସ୍ତ୍ରୀମାନେ ନିଶ୍ଚୟ ଭଲ-। ସେମାନେ ନିଜ ଅଧିକାର ପ୍ରତି ସର୍ବଦା ଯେମିତି ଜାଗ୍ରତ ଅଛନ୍ତି । ୟୁରୋପର କୌଣସି ଝିଅ ସେମିତି କରିପାରନ୍ତା ନାହିଁ–କାହିଁକି ନା ସେମାନେ ବେଶୀ ସଭ୍ୟା; କିନ୍ତୁ ଆମେରିକାର ଲୋକଙ୍କ ଭିତରେ ବର୍ତ୍ତମାନ ସୁଦ୍ଧା ନିର୍ମଳ ଭାବନା ରହିଛି, ଯଦ୍ଦ୍ୱାରା କି ସେ ଆଉ ବେଶୀ କିଛି ନହେଲେବି ନିଜର ସହାନୁଭୂତି ଦେଖାଇ ପାରିଲେ ଏବଂ ନିଜର ବିଚାର ପ୍ରତି ଲୁହ ଗଡ଼େଇଲେ-। ସେ ମେକ୍‌ସିନ୍‌ ଥିଲେ ଏବଂ ଜୋସେଫାଇନ ବେକର ମଧ୍ୟ, ସେ ପ୍ୟାରିସ୍‌ ଭିତରେ ତୋଫାନ ଭଳି ଛାଇ ଯାଉଥିଲେ, ଆଉ ସେ ତୋଫାନ ଭିତରେ ମୁଁ ବି ହଜି ଯାଇଥିଲି..... । କିନ୍ତୁ କେଉଁଠି କିଛି ଅନ୍ତର ନାହିଁ–ମିପୋଲୀରେ ଓଠଗୁଡ଼ିକ ମୋଟା ହେଲେ ପ୍ୟାରିସ୍‌ରେ ପତଳା । ବର୍ଲିନ୍‌ରେ ଚମଡ଼ା ଧଳା ହେଲେ ନଶ୍‌ବିଲେରେ କଳା ।

 

ଭିତରର ହୃଦୟ ସବୁ ସମାନ ।

 

ଟେନେସିର ଗୋଟାଏ ଗାଁକୁ ଦେଖି ଲୋହିଆ ଆଶ୍ଚର୍ଯ୍ୟରେ ଭାଙ୍ଗିପଡ଼ିଲେ । ସେଠିକା ଅଧିକାଂଶ କୃଷକଙ୍କ ଘରେ ପାଣିକଳ, ବିଜୁଳି ପଙ୍ଖା କିମ୍ବା କୌଣସି ଆଧୁନିକ ସୁବିଧା ନଥିଲା । ସେମାନେ ସବୁ କୂଅରୁ ପାଣି ନେଉଥିଲେ । ସେଠିକା ବିଦ୍ୟାଳୟର ଆଠଟି ଶ୍ରେଣୀପାଇଁ କେବଳ ମାତ୍ର ଦୁଇ ଜଣ ଶିକ୍ଷକ ରହିଥିଲେ । ସେଠି ଲୋହିଆଙ୍କର ମନେ ହେଲା ଯେ ସମଗ୍ର ପୃଥିବୀର କୃଷକମାନଙ୍କର ଅବସ୍ଥା ପ୍ରାୟ ସମାନ ।

 

ପନ୍ଦର ଜୁଲାଇ ଦିନ ଲୋହିଆ ଆଲବାମା ଆଡ଼କୁ ଗଲେ । ସେଇଠି ଜାତି–ଭେଦର ଭାବନା ଥିଲା ଖୁବ୍‌ ତୀବ୍ର । ଲୋହିଆଙ୍କ ବନ୍ଧୁମାନେ ସଦାସର୍ବଦା ଡରୁଥିଲେ ଯେ ଲୋହିଆଙ୍କୁ ଦେଖି ଲୋକେ ଯେମିତି ନିଗ୍ରୋ ବୋଲି ମନେ ନ କରନ୍ତି ।

 

ସେଇଠି ଲୋହିଆ ଯେତେଠିବି ଭାଷଣ ଦେଲେ, ସେସବୁ ଶୁଣି ଲୋକମାନେ ଖୁବ୍‌ ପ୍ରଭାବିତ ହେଲେ । ଭାଷଣ ସମୟରେ ଯେମିତି ପବନରେ ବିଦ୍ୟୁତ୍‌ ଚମକି ଉଠୁଥିଲା । ଲୋକେ ଶୁଣନ୍ତି, କିନ୍ତୁ ଏକମତ ହୁଅନ୍ତି ନାହିଁ । ଆକର୍ଷିତ ହୁଅନ୍ତି; କିନ୍ତୁ ମତ ପରିବର୍ତ୍ତନ କରନ୍ତି ନାହିଁ ।

 

ଗୋଟାଏ ସ୍ଥାନରେ ତ ଲୋହିଆଙ୍କୁ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । ଜଣେ ଆମେରିକାନ୍‌ ପଚାରିଲା–‘‘ଆପଣ କ’ଣ ଟ୍ରୁମାନଙ୍କୁ ସମାଜବାଦୀ କହିପାରିବେ ?’’

 

ଲୋହିଆ କହିଲେ–‘‘ଟ୍ରୁମାନଙ୍କୁ ମୁଁ ପସନ୍ଦ କରେ; କିନ୍ତୁ ସେ ସମାଜବାଦୀ ନୁହନ୍ତି ।’’

 

ପ୍ରଶ୍ନକର୍ତ୍ତା କହିଲେ–‘‘ମୋ ତରଫରୁ ଆପଣ ତାଙ୍କୁ ହିନ୍ଦୁସ୍ଥାନକୁ ନେଇଯାନ୍ତୁ ।’’

 

ଲୋହିଆ କହିଲେ–‘‘ମୁଁ ଟ୍ରୁମାନଙ୍କୁ ଆମେରିକାରୁ ଦୂରକୁ ନେଇଯିବା ପାଇଁ ଚାହେଁନା; କିନ୍ତୁ ହଁ, ଆମେରିକା ଲୋକେ ଯଦି ଚାହିଁବେ, ତେବେ ଆମେ ଖୁସିରେ ନେହେରୁଙ୍କୁ ଏଠିକି ପଠେଇଦେବୁ ।’’

 

ଲୋହିଆ ଯେତେବେଳେ ୱାଶିଂଟନ୍‌ରେ ପହଞ୍ଚିଲେ, ତାଙ୍କୁ ସ୍ୱାଗତ କରିବାପାଇଁ ବିମାନଘାଟିରେ ଖୁବ୍ ଭିଡ଼ ଜମିଥିଲା । ଆମେରିକା ସଂସଦର ସଦସ୍ୟ, ସରକାରୀ ଅଧିକାରୀ, ଆରବୀୟ ସମାଜବାଦୀ, ଆମେରିକାନ୍‌ ଛାତ୍ରଛାତ୍ରୀମାନେ ଏବଂ ଭାରତୀୟ ଦୂତାବାସର କେତେକ ଲୋକ–ଯେଉଁମାନେ କି କେବଳ ବ୍ୟକ୍ତିଗତ ଭାବରେ ଆସିଥିଲେ; କିନ୍ତୁ ଦୂତାବାସ ତରଫରୁ ନୁହେଁ-

 

ସେଇଠି ଲୋହିଆ ବିଶ୍ୱବିଖ୍ୟାତ ଉପନ୍ୟାସଲେଖିକା ଶ୍ରୀମତୀ ପର୍ଲବକ୍‌ଙ୍କ ଘରକୁ ଭୋଜି ଖାଇବାକୁ ଗଲେ ଏବଂ ଘଣ୍ଟା ଘଣ୍ଟା ଧରି ସାହିତ୍ୟ ଏବଂ ରାଜନୀତି ଉପରେ ଚର୍ଚ୍ଚା ଚାଲିଲା-

Unknown

 

ସେଇଠୁ ଲୋହିଆ ବିଶ୍ୱ–ଗୌରବ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‍ଙ୍କୁ ସାକ୍ଷାତ କରିବାପାଇଁ ପ୍ରିନସଟନ୍‌ ଗଲେ ।

 

ରାସ୍ତାରେ ଯେଉଁ ମୋଟରଗାଡ଼ିରେ ସେ ଯାଉଥିଲେ, ତା’ର ଡ୍ରାଇଭର ସହିତ କଥାବାର୍ତ୍ତା କଲାବେଳେ ଲୋହିଆ ପଚାରିଲେ–‘‘ତମେ କ’ଣ ନେହେରୁଙ୍କୁ ଜାଣ ?’’

 

ଡ୍ରାଇଭର କହିଲା–‘‘ନା । ସେ କ’ଣ କୌଣସି ବିଦେଶୀ ରାଜଦୂତ କି ?’’

 

ତା’ପରେ ଲୋହିଆ କହିଲେ–‘‘ହଁ, ତୁମର ଅନୁମାନ ପ୍ରାୟ କେତେକାଂଶରେ ସତ୍ୟ । ତେବେ ତୁମେ କୌଣସି ଭାରତୀୟଙ୍କୁ ଜାଣ କି ?’’

 

ସାଙ୍ଗେ ସାଙ୍ଗେ ଡ୍ରାଇଭର କହିଲା–‘‘ହଁ, ଗାନ୍ଧିଙ୍କ ବିଷୟରେ ଶୁଣିଛି ଯେ ସେ ଲେଙ୍ଗୁଟି ପିନ୍ଧି ଆଉ ଅନଶନ କରି ଇଂରେଜ ସହ ଲଢ଼େଇ କଲେ ଏବଂ ତାଙ୍କୁ ହତ୍ୟା କରି ଦିଆଗଲା ।’’

 

ଲୋହିଆ ଖୋଳତାଡ଼ କରିବାରୁ ଜଣାଗଲା ଯେ ଏକ–ତୃତୀୟାଂଶ ଆମେରିକା ଲୋକେ ଆମେରିକାର ବିଦେଶମନ୍ତ୍ରୀ ଆଚେସନଙ୍କ ନାଁ ମଧ୍ୟ ଜାଣନ୍ତିନି । ଲୋହିଆଙ୍କ ମନ ପ୍ରଫୁଲ୍ଲିତ ହୋଇଉଠିଲା । କାରଣ ଆଉ କିଛି ନହେଲେବି ଡ୍ରାଇଭର ଗାନ୍ଧିଜୀଙ୍କ ନାଁ ତ ଜାଣିଛି !

 

ଲୋହିଆ ଯେତେବେଳେ ଆଇନ୍‌ଷ୍ଟାଇନ୍‌ଙ୍କ ଘରେ ପହଞ୍ଚିଲେ, ସେତେବେଳେ ଆଇନ୍‌ଷ୍ଟାଇନ୍‌ ମହୋଦୟ ନିଜ ବଙ୍ଗଳା ବାରଣ୍ଡାରେ ବସି ତାଙ୍କୁ ଅପେକ୍ଷା କରି ରହିଥିଲେ । ଘଣ୍ଟା ଘଣ୍ଟା ଧରି ଦୁହିଁଙ୍କ ଭିତରେ ଦୁର୍ଲ୍ଲଭ କଥାବାର୍ତ୍ତା ଚାଲିଲା । କଥାବାର୍ତ୍ତାର ଶ୍ରେଷ୍ଠତମ ଅଂଶ ଥିଲା–ମାନବତାର ବ୍ୟଙ୍ଗପୂର୍ଣ୍ଣ ଦଶାର ସିଂହାବଲୋକନପୂର୍ବକ ଦୁହିଁଙ୍କର ମନଖୋଲା ହସ । ପ୍ରଥମେ ଦୁଇ ଜଣ ଜର୍ମାନ ଭାଷାରେ କଥାବାର୍ତ୍ତା କଲେ କିନ୍ତୁ ପରେ ପରେ ଇଂରେଜୀ ଭାଷା ବ୍ୟବହାର କଲେ ।

 

ଆଇନ୍‌ଷ୍ଟାଇନ୍‌ ଭାରତୀୟ ରାଜନୀତି, ସମାଜବାଦୀ କାର୍ଯ୍ୟକ୍ରମ ଉପରେ କଥାବାର୍ତ୍ତା କରି ଜମିଦାରୀର ସମାପ୍ତି ଏବଂ ଜମିବାଡ଼ି ବଣ୍ଟନର ପ୍ରଶ୍ନ ଉପରେ ଆଗ୍ରହ ପ୍ରକାଶ କଲେ । ତା’ପରେ ଲୋହିଆ ଜମିଦାରଙ୍କୁ କ୍ଷତିପୂରଣ ନ ଦେଇ କେବଳ ପୁନର୍ବାସ ସାହାଯ୍ୟ ଦେବା ବିଷୟରେ ନିଜ ଦୃଷ୍ଟିକୋଣ ଉପସ୍ଥାପିତ କରିବାରୁ ଆଇନ୍‌ଷ୍ଟାଇନ୍‌ ପୁଲକିତ ହୋଇଉଠି କହିଲେ–‘‘ଆଚ୍ଛା, ଖୁବ୍‌ ଭଲ ; କିନ୍ତୁ ନେହେରୁ କାହିଁକି ଏସବୁ କଲେ ନାହିଁ ?’’

 

ତା’ପରେ ଲୋହିଆ ଦୁଃଖିତ ହୋଇ କହିଲେ–‘‘ସେକଥା ମୋତେ ଜଣା ନାହିଁ । କେତେକ ଲୋକ ଖୁବ୍‌ ଭଲ ଭଲ କଥା କହନ୍ତି; କିନ୍ତୁ ସେମାନଙ୍କ କାର୍ଯ୍ୟକଳାପ ଅତି ଖରାପ ।’’

 

କଥାବାର୍ତ୍ତା ଭିତରେ ଆଇନ୍‌ଷ୍ଟାଇନ୍‌ କହିଲେ–‘‘ଦେଖୁଛି, ଆପଣ ଜଣେ ସ୍ୱତନ୍ତ୍ର ବୁଦ୍ଧିସମ୍ପନ୍ନ ବ୍ୟକ୍ତିବିଶେଷ ଅଟନ୍ତି ।’’

 

ଲୋହିଆ କହିଲେ–‘‘ମୁଁ ଆପଣଙ୍କୁ ଗୋଟାଏ ପ୍ରଶ୍ନ ପଚାରିପାରେ କି ? ରାଜନୀତି ସମ୍ବନ୍ଧରେ ନୁହେଁ । ମୁଁ ତ ଏଠିକି ଆପଣଙ୍କଠାରୁ ଶିଖିବାପାଇଁ ଆସିଛି ଏବଂ ରାଜନୀତିରେ ମୁଁ ବୋଧେ କିଛିଟା ଶିଖେଇବି ପାରେ; କିନ୍ତୁ ମାନବୀୟ ମସ୍ତିଷ୍କର ଉଚ୍ଚତମ କ୍ଷେତ୍ରରେ ଆମେ ଆପଣଙ୍କ ସାହାଯ୍ୟ ଚାହୁଁ । ହିନ୍ଦୁସ୍ଥାନରେ ମୁଁ କହିଥିଲି ଯେ ଆମ ଶତାବ୍ଦୀରେ କେବଳ ତିନି ଜଣ ମାତ୍ର ମହାନ୍‌ ବ୍ୟକ୍ତି ଜନ୍ମ ହୋଇଛନ୍ତି–ଗାନ୍ଧି, ବର୍ଣ୍ଣାଡ଼ଶ ଏବଂ ଆପଣ । ବର୍ଲିନ୍‌ରେ ମୁଁ କହିଥିଲି ଯେ ଆମ ଶତାବ୍ଦୀରେ କେବଳ ମାତ୍ର ଦୁଇଟି ବିଚାରଧାରା ଦେଖାଦେଇଛି–ଗାନ୍ଧି ଏବଂ ଅଣୁଶକ୍ତି । ଗାନ୍ଧି ତ ଚାଲିଗଲେ ଏବଂ ଆପଣଙ୍କର ଆବିଷ୍କାର ମୃତ୍ୟୁର ଅସ୍ତ୍ରରୂପେ ଛିଡ଼ା ହୋଇ ରହିଛି । ମନୁଷ୍ୟର ମସ୍ତିଷ୍କ ଏଇ ବିକୃତିରୁ, ଏଇ ବନ୍ଧନରୁ ଏବଂ ଜାଲରୁ କିମିତି ମୁକୁଳି ପାରିବ, ଯାହା ଆଜି ମାନବତାର ଶ୍ୱାସରୁଦ୍ଧ କରୁଛି । ଆପଣ କ’ଣ ଆଉ କିଛି ନୂଆ ଗଠନର ପରିକଳ୍ପନା କରୁଛନ୍ତି, ଯାହାର ସନ୍ଧାନ ନୂତନ ଦିଗ୍‌ଦର୍ଶନ ପାଇଁ ଆମ ସମସ୍ତଙ୍କୁ ମୁକ୍ତ କରିପାରିବ ?’’

 

ଅନେକ ସମୟ ଧରି କଥାବାର୍ତ୍ତା ଭିତରେ ଆଇନ୍‌ଷ୍ଟାଇନ୍‌ କହିଥିଲେ, ‘‘କୌଣସି ମନୁଷ୍ୟ ସହିତ ଦେଖାକରିବା ସତେ କେତେ ଭଲ ! ମଣିଷ କେତେ ଏକଲା ପଡ଼ିଯାଏ !’’

 

ତା’ପରେ ଶେଷଜୀବନ ପର୍ଯ୍ୟନ୍ତ ଲୋହିଆ ଭାବିଥିଲେ ଯେ ଗାନ୍ଧି ଏବଂ ଆଇନ୍‌ଷ୍ଟାଇନ୍‌–ଦୁହିଁଙ୍କ ଆଖିରେ ମାନବିକତାର ଗଭୀରତା ସମାନ ଭାବରେ ବିଦ୍ୟମାନ ହୋଇ ରହିଥିଲା ।

 

ତା’ପରେ ଲୋହିଆ ନ୍ୟୁୟର୍କ ଆସିଲେ ଏବଂ ସେଠିକାର କେତେକ କଲେଜ ଏବଂ ସଂସ୍ଥାମାନଙ୍କରେ ଭାଷଣ ଦେଲେ । ସେଇଠି ତାଙ୍କର ସାକ୍ଷାତ କେତେକ ବିଖ୍ୟାତ ଆମେରିକୀୟ ବ୍ୟବସାୟୀମାନଙ୍କ ସହିତ ହୋଇଥିଲା ।

 

ନ୍ୟୁୟର୍କରେ ଲୋହିଆ ଶ୍ରୀମତୀ ରୁଜ୍‌ଭେଲ୍‌ଟଙ୍କ ସହିତ ମଧ୍ୟ ଦେଖାକଲେ ।

 

ସେଇଠୁ ତିନି ହଜାର ମାଇଲ ବିମାନଯାତ୍ରା କରି ଲୋହିଆ ସାନଫ୍ରାନ୍‌ସିସ୍‌କୋକୁ ଗଲେ । ସେଠି ସେ ଗୋଟାଏ ରେଡ଼ିଓ ଭାଷଣ ଦେଲେ, ଯାହାକୁ ଆମେରିକାର ପ୍ରାୟ ପଚାଶ ଲକ୍ଷ ଲୋକ ଶୁଣିଲେ । ସେଇଠି ଲୋହିଆ କହିଥିଲେ–

 

‘‘ରୁଟି ଏବଂ ସ୍ୱାଧୀନତା ବିଷୟ ମୁଁ ବୁଝିପାରେ; କିନ୍ତୁ ଯେତେବେଳେ ଲୋକେ ଏହି ପ୍ରଶ୍ନ ଉଠାନ୍ତି ଯେ ଏସିଆବାସୀ ଖାଦ୍ୟ ବେଶୀ ଚାହାନ୍ତି ନା ସ୍ୱାଧୀନତା, ସେତେବେଳେ ମୁଁ ରାଗରେ ଜଳିଯାଏ । ଏଇଥିରୁ ଜଣାପଡ଼େ ଯେ ଯେପର୍ଯ୍ୟନ୍ତ ଏସିଆବାସୀଙ୍କ ପେଟ ନ ପୂରିଛି, ସେମାନଙ୍କର ସ୍ୱାଧୀନତା କିମ୍ବା ଲୋକତନ୍ତ୍ର ପ୍ରତି କୌଣସି ରୁଚି ରହିବ ନାହିଁ । ସ୍ୱାଧୀନତା ଏବଂ ଖାଦ୍ୟକୁ କଦାପି ଅଲଗା କରାଯାଇ ନ ପାରେ । ଅନ୍ତତଃ ପକ୍ଷେ ଏସିଆରେ ଆଉ ଆମକୁ ଏ ଦୁଇଟି ଜିନିଷ କମ୍ୟୁନିଜମ୍ ଦେଇପାରିବ ନାହିଁ କି ପୁଞ୍ଜିବାଦ ମଧ୍ୟ ଦେଇପାରିବ ନାହିଁ...ମୁଁ କହିବାକୁ ଚାହେଁ ଯେ ଏସିଆକୁ ପୁଞ୍ଜିବାଦ ଏବଂ ସାମନ୍ତବାଦ କବଳରୁ ରକ୍ଷା କରିହିଁ କମ୍ୟୁନିଜମ୍‌ରୁ ରକ୍ଷା କରାଯାଇପାରେ ।’’

 

ସେଇଠି ଲୋହିଆଙ୍କୁ ଗୋଟାଏ କଥା ଦେଖି ଆଶ୍ଚର୍ଯ୍ୟ ହେବାକୁ ପଡ଼ିଲା ଯେ ଆମେରିକାର ସମାଜବାଦୀମାନଙ୍କ ଭିତରେ ଏପରି ଧାରଣା ରହିଛି ଯେ ସମାଜବାଦ କେବଳ ଦାରିଦ୍ର୍ୟ ଭିତରେହିଁ ବଢ଼ିପାରେ ।

 

ତା’ପରେ ଲୋହିଆ ଚିକାଗୋ ଗଲେ । ଚିକାଗୋରୁ ନର୍ଥ–ସାଉଥ ଡାକୋଟା ।

 

ପୁଣି ଲୋହିଆ ମେକ୍‌ସିକୋ ଆସିଲେ । ସେଇଠି ଭାଷଣ ପରେ ଗୋଟାଏ ଖୁବ୍‌ ଡେଙ୍ଗା ଯୁବକ–ଯେ କି ଦ୍ୱିତୀୟ ମହାଯୁଦ୍ଧରେ ଲଢ଼ି ସାରିଥିଲା, ଲୋହିଆଙ୍କ ନିକଟକୁ ଆସି କହିଲା–‘‘ଆଃ, ଆମେରିକାର ରାଜନୀତିଜ୍ଞମାନେ କେବେ ଯଦି ଆପଣଙ୍କ ଭଳି କହିବା ଶିଖିପାରନ୍ତେ !’’

 

ଗୋଟାଏ ରାତି ଲୋହିଆ ବର୍କଲରେ ମଧ୍ୟ ବିତେଇଲେ । ଲୋହିଆଙ୍କ ପାଇଁ ସେ ରାତିଟି ବେଶ୍‌ ମନୋରଞ୍ଜନସିଦ୍ଧ ହେଲା । ଗୋଟାଏ ଇତାଲୀୟ ଚା’ ଦୋକାନରୁ ଆରମ୍ଭ କରି ସେ ଚୀନ କ୍ଳବ୍ ପର୍ଯ୍ୟନ୍ତ ବୁଲିଲେ ଏବଂ ତା’ପରେ ଗୋଟାଏ ଆମେରିକାନ୍‌ ‘ନାଇଟ୍‌ କ୍ଳବ୍’କୁ ମଧ୍ୟ ଗଲେ-। ସେଇଠି ଲୋହିଆଙ୍କୁ ବର୍ଲେକ୍‌ସ ନୃତ୍ୟ ଖୁବ୍‌ ପସନ୍ଦ ଆସିଲା । ଲୋହିଆ କହିଲେ–ନାରୀଠୁ ଅଧିକ ସୁନ୍ଦର ଆଉ କିଛି ନାହିଁ ଏବଂ ନିଃସନ୍ଦେହ ଯେ ଏପରି ନୃତ୍ୟରେ ନାରୀର ରୂପ ସବୁଠୁ ଭଲ ଭାବରେ ପ୍ରକାଶ ପାଏ ।’’

 

ଲୋହିଆ ‘ହଲିଉଡ଼୍’ ମଧ୍ୟ ଗଲେ । ସେଇଠି ସେ ଗ୍ରେଟା ଗାର୍ବୋଙ୍କ ସହ ଦେଖା କରିବାକୁ ଇଚ୍ଛା କରିଥିଲେ; କିନ୍ତୁ ତାଙ୍କୁ ହତାଶ ହେବାକୁ ପଡ଼ିଲା । କାରଣ ସେତେବେଳେ ସେ ବାହାରେ ଥିଲେ ।

 

ଏଭଳି ଭାବରେ ପ୍ରାୟ ଛ’ ସପ୍ତାହ ପର୍ଯ୍ୟନ୍ତ ତୋଫାନୀ ଆମେରିକା ଗସ୍ତ ପୂରାକରି ଲୋହିଆ ଅଗଷ୍ଟ ୨୫ ତାରିଖ ଦିନ ସ୍ୱଦେଶକୁ ଫେରିବା ବାଟରେ ଜାପାନ ଅଭିମୁଖରେ ବାହାରିପଡ଼ିଲେ ।

 

ଆମେରିକାରୁ ଉଡ଼ିବା ଆଗରୁ ବିମାନଘାଟିରେ ବିଦାୟ ଦେବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଲୋହିଆ କହିଲେ–‘‘ଆମେରିକା ଲୋକଙ୍କ ପ୍ରତି ମୋର ଆକର୍ଷଣ ଖୁବ୍‌ ବଢ଼ିଯାଇଛି; କିନ୍ତୁ ଆଧୁନିକ ସଭ୍ୟତା ବିଷୟରେ ମୋର ଆଶଙ୍କା ମଧ୍ୟ ବଢ଼ିଛି ।’’

 

ତା’ପରେ ଜଣେ ପଚାରିଲେ–‘‘ଆପଣଙ୍କ ସାଙ୍ଗେ ପୁଣି ଆଉ କେବେ ଦେଖା ହେବ ?’’

 

ଲୋହିଆ କହିଲେ–‘‘ଯେତେବେଳେ ଆପଣ ଏଇ ମହାନ୍‌ ଦେଶ ଭିତରେ କିଛି ଭଲ କାମ କରିବେ ।’’

 

ସମଗ୍ର ଆମେରିକା ଗସ୍ତବେଳେ ଲୋହିଆ ଧୋତି, କୁରୁତା, ଜ୍ୟାକେଟ୍‌ ଏବଂ ଗାନ୍ଧୀଟୋପିହିଁ ପିନ୍ଧିଥିଲେ । ଲୋହିଆଙ୍କର ପୋଷାକ, ତୀକ୍ଷ୍ଣ କଥା ଏବଂ ସ୍ପଷ୍ଟବାଦିତା ଆମେରିକା ଯୁବକ–ଯୁବତୀମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିଲା ।

 

ଏଥର ପୃଥିବୀ ଭ୍ରମଣ କରି ଫେରିଆସିଥିବା ଲୋହିଆ ମନରେ ଗୋଟାଏ ସ୍ୱପ୍ନ ନେଇ ମଧ୍ୟ ଫେରିଥିଲେ । ତା’ ହେଉଛି–ଏସିଆର ସମସ୍ତ ସୋସାଲିଷ୍ଟ ପାର୍ଟିର ସଂଗଠନ ଖୁବ୍‌ ଭଲ ଭାବରେ କରିବା ଉଚିତ ।

 

ଲୋହିଆଙ୍କର ଏଇ ସ୍ୱପ୍ନ ୧୯୫୨ରେ ପୂର୍ଣ୍ଣ ହେଲା । ରେଙ୍ଗୁନଠାରେ ୨୫ ତାରିଖରୁ ୨୯ ତାରିଖ ମାର୍ଚ୍ଚ ୧୯୫୨ରେ ‘‘ଏସିଆନ୍‌ ସୋସାଲିଷ୍ଟ କନ୍‌ଫରେନ୍‌ସ’’ର ମୂଳଭିତ୍ତି ପଡ଼ିଲା । ସେଠାରେ ଇଣ୍ଡୋନେସିଆ, ବର୍ମା, ଭାରତ ଏବଂ ଜାପାନର ସୋସାଲିଷ୍ଟମାନେ ଏକତ୍ର ହେଲେ । ସେଇଠି ନିଜ ଭାଷଣରେ ଲୋହିଆ କହିଲେ, ରୋମଠାରୁ ହୋନୋଲୁଲୁ ପର୍ଯ୍ୟନ୍ତ ଗୋଟାଏ ଦୁନିଆ ଏବଂ ଅନ୍ୟଟି ହେଉଛି, ଟୋକିଓଠାରୁ କାଇରୋ ପର୍ଯ୍ୟନ୍ତ । ସମଗ୍ର ଏସିଆ ଦାରିଦ୍ର୍ୟର ଶିକାର ହୋଇପଡ଼ିଛି ଏବଂ ଏସିଆସ୍ଥ ଦେଶମାନଙ୍କ ଭିତରେ ପରସ୍ପର ଚିହ୍ନା ପରିଚୟ ମଧ୍ୟ ଭଲ ଭାବରେ ହୋଇପାରି ନାହିଁ ।

 

ସମଗ୍ର ଏସିଆକୁ ପ୍ରଥମେ ନିଜ ନିଜ ଭିତରେ ଚିହ୍ନିଯିବା ନିତାନ୍ତ ଆବଶ୍ୟକ । ପରପସ୍ପର ସହାନୁଭୂତି–ପ୍ରେରିତ ଏକ ସମାନ ସମିତିକୁ ସ୍ୱୀକାର କରିନେବା ଉଚିତ ।

 

‘‘ଏସିୟାୟୀ ସମାଜବାଦୀ ସମ୍ମେଳନ’’ର ନିର୍ମାଣପାଇଁ ଲୋହିଆ ଆପ୍ରାଣ ଚେଷ୍ଟା କରିଥିଲେ । ତେବେ ୧୯୫୩ ସାଲର ଜାନୁୟାରୀ ମାସରେ ରେଙ୍ଗୁନଠାରେ ଯେତେବେଳେ ଏଇ ସମ୍ମେଳନ ଆରମ୍ଭ ହେଲା, ଲୋହିଆ ସେଇଠି ଯୋଗବି ଦେଇପାରିଲେ ନାହିଁ । ନିଜ ଦେଶର ସୋସାଲିଷ୍ଟ ପାର୍ଟି ଭିତରେ ନୀତି ସମ୍ବନ୍ଧୀୟ ବିବାଦ ବଡ଼ ଦୟନୀୟ ଥିଲା । ଲୋହିଆଙ୍କଦ୍ୱାରା ଆଗତ କରାଯାଇଥିବା ନୀତିଗୁଡ଼ିକୁ ଛାଡ଼ି ଅନ୍ୟ ନେତାଙ୍କ ପାଖରେ ଯେମିତି ଆଉ କୌଣସି ‘ନୀତି’ହିଁ ନଥିଲା । ତେଣୁ ସେମାନେ ଦେଖାଣିଆ ଭାବରେ ଲୋହିଆଙ୍କ ନୀତିକୁ ସ୍ୱୀକାର କରି ଯାଉଥିଲେ; କିନ୍ତୁ ହୃଦୟର ସହିତ କେହି ତାକୁ କାର୍ଯ୍ୟରେ ପରିଣତ କରୁ ନଥିଲେ । ପାର୍ଟିନେତାଙ୍କର ଏଇ ଦୋମୁହାଁ କଥା ଯୋଗୁଁ ଲୋହିଆ ଖୁବ୍‌ ଦୁଃଖିତ ଥିଲେ ।

 

ଜୟପ୍ରକାଶ ନାରାୟଣ ଭାରତୀୟ ପ୍ରତିନିଧିମଣ୍ଡଳର ନେତା ଭାବରେ ରେଙ୍ଗୁନ ଗଲେ । ଭାରତୀୟ ସମାଜବାଦୀଙ୍କଠାରୁ ଏଇ ଆଶା କରାଯାଉଥିଲା ଯେ, ସେମାନେ ଏସିଆର ସମାଜବାଦୀମାନଙ୍କୁ ‘ନେହେରୁ–ମାଓ’ଙ୍କ ରାଜନୀତିରୁ ଅଲଗା ରଖିବାପାଇଁ ନେତୃତ୍ୱ ଦେବେ; କିନ୍ତୁ ହେଲା ଠିକ୍‌ ତା’ର ଓଲଟା । ସେଇଠି ଜୟପ୍ରକାଶ ନାରାୟଣ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଜଣେ ମହାନ୍‌ ବ୍ୟକ୍ତିରୂପେ ଘୋଷଣା କରି କହିଲେ ଯେ ତାଙ୍କ ହାତରେ ହିନ୍ଦୁସ୍ଥାନର ଭବିଷ୍ୟତ୍‌ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ରହିଛି । ଏହାଦ୍ୱାରା ଏସିଆର ଅନ୍ୟ ସମାଜବାଦୀମାନଙ୍କ ମନରେ ବଡ଼ ନୈରାଶ୍ୟ ଏବ ଅନ୍ତର୍ବିବାଦ ଜାତ ହେଲା, ଯଦ୍ଦ୍ୱାରା କି ‘‘ଏସିୟା ସମାଜବାଦୀ କନ୍‌ଫେରେନ୍‌ସ’’ ଜନ୍ମ ନେଉ ନେଉ ଭାଙ୍ଗିଗଲା ।

 

ଭାରତର ସମାଜବାଦୀ ଆନ୍ଦୋଳନ ସେତେବେଳେ ଅତି ରୋଗିଣା ଅବସ୍ଥାରେ ଯେମିତି ଖଟ ଉପରେ ପଡ଼ି ରହିଥିଲା ।

 

ସନ ୧୯୫୨ ମେ’ ମାସରେ ପଞ୍ଚମଢ଼ିଠାରେ ସୋସାଲିଷ୍ଟ ପାର୍ଟିର ସମ୍ମେଳନ ବସିଲା । ଏଇ ସମ୍ମେଳନର କିଛି ସମୟ ଆଗରୁହିଁ ଦେଶ ଭିତରେ ସାଧାରଣ ନିର୍ବାଚନ ହୋଇ ସାରିଥିଲା । ଆଉ ସେଇ ନିର୍ବାଚନର ପରିଣାମସ୍ୱରୂପ ପାର୍ଟିର ନେତାମାନେ ଯେପରି ଭାବରେ ପରାସ୍ତ ହୋଇ ଯାଇଥିଲେ, ତଦ୍ଦ୍ୱାରା ପାର୍ଟି ସମ୍ପୂର୍ଣ୍ଣରୂପେ ଧ୍ୱଂସ ପାଇଯିବାର ସମୟ ଆସି ପହଞ୍ଚି ଯାଇଥିଲା । ପାର୍ଟିର ଆତ୍ମବିଶ୍ୱାସ ଏକାବେଳକେ ଦୋହଲି ଯାଇଥିଲା । ଧୈର୍ଯ୍ୟ ଏବଂ ଦୃଢ଼ତାର ସ୍ଥାନ ଅଧିକାର କରି ନେଇଥିଲା ବିଫଳତା ଏବଂ ଅକର୍ମଣ୍ୟତା ।

 

ଲୋହିଆଙ୍କ ଅଧ୍ୟକ୍ଷତାରେ ପଞ୍ଚମଢ଼ି ସମ୍ମେଳନ ଏକ ଉଦ୍ଦେଶ୍ୟରେ ଡକା ଯାଇଥିଲା ଯେ ପାର୍ଟି ଭିତରେ ପୁଣି ଥରକପାଇଁ ପ୍ରାଣ ସଞ୍ଚାର କରିବା ନିମିତ୍ତ ଉଦ୍ୟମ ହେବା ଦରକାର । ନିର୍ବାଚନା ପରାଜୟର ଶବ ବ୍ୟବଚ୍ଛେଦ ବଦଳରେ ଉପଯୁକ୍ତ ବିଚାରଧାରା ପ୍ରତି ଧ୍ୟାନ ଆକର୍ଷଣ କରିବା ଉଚିତ ।

 

କିନ୍ତୁ ସାଧାରଣ ନିର୍ବାଚନର ପରାଜୟକୁ ସହ୍ୟ କରାଯିବା ପାଇଁ ଶକ୍ତି ସଂଗ୍ରହ କରିବା ଆଗରୁହିଁ କମଳାଦେବୀ ଚଟ୍ଟୋପାଧ୍ୟାୟ, ଅଚ୍ୟୁତ ପଟ୍ଟବର୍ଦ୍ଧନ ଏବଂ ଅରୁଣା ଆସଫ ଅଲ୍ଲି ପାର୍ଟି ଛାଡ଼ିଦେଇ ବହୁଦୂରକୁ ଚାଲିଗଲେ । ଯୁସୁଫ ମେହର ଅଲିଙ୍କୁ କାଳଗ୍ରାସ କରି ଯାଇଥିଲା ।

 

ଏପରି ନୈରାଶ୍ୟ ଘେରି ରହିଥିଲା । ଏଭଳି ସଙ୍କଟ ଲାଗି ରହିଥିଲା । ପାର୍ଟି ଏପର୍ଯ୍ୟନ୍ତ ନିଜକୁ ମାର୍କସ୍‍ବାଦୀ ବୋଲି ମନେ କରୁଥିଲା । ଅନ୍ୟ ଦିଗରେ ଦୃଢ଼ତାର ସହ କୌଣସି ସଂଘର୍ଷ ଚଳାଇବା ପାଇଁ ମଧ୍ୟ ତା’ ଭିତରେ କ୍ଷମତା ନଥିଲା । କେବଳ ସେତିକି ନୁହେଁ, ପାର୍ଟିର ସଂଘର୍ଷମୟ ରୂପରେଖର କଥାବାର୍ତ୍ତାବେଳେ ଲୋହିଆଙ୍କୁ ଥଟା–ପରିହାସରେ ଉଡ଼େଇ ଦିଆଯାଉଥିଲା । କହୁଥିଲେ, ଲୋହିଆ ମାର୍କସ୍‌ବାଦୀ ନୁହନ୍ତି; ତେଣୁ ସେ ଜଣେ କ୍ରାନ୍ତିକାରୀ ହୋଇ ନ ପାରନ୍ତି । କିନ୍ତୁ ଦୁନିଆ ଦେଖିଲେ ଯେ ସାଧାରଣ ନିର୍ବାଚନରେ ପାର୍ଟିର ପରାଜୟ ପରେ ମଧ୍ୟ ଯେତେବେଳେ ଅନ୍ୟ ନେତାମାନେ ନିଜ ନିଜର ମଞ୍ଚ ଛାଡ଼ି ଜଣକ ପରେ ଜଣେ ଚାଲି ଯାଉଥିଲେ, ସେତେବେଳେ ଲୋହିଆହିଁ ଏକମାତ୍ର ବ୍ୟକ୍ତି ଥିଲେ, ଯାହାଙ୍କର ମାନସିକ ସନ୍ତୁଳନ ସ୍ଥିର ଥିଲା ।

 

ସେତେବେଳେ ଲୋହିଆ ଆପଣା ସ୍ୱଭାବଗତ ଆବେଗଦ୍ୱାରା ପାର୍ଟିକୁ ମୃତ୍ୟୁମୁଖରୁ ରକ୍ଷା କରିନେଲେ । ଲୋହିଆଙ୍କ ଫୁର୍ତ୍ତି ଆଉ ସାହସକୁ ଦେଖି ପାର୍ଟିରୁ ବୁଦ୍ଧିମାନ୍‌ ଆଉ କର୍ମଠ ଯୁବକମାନେ ତାଙ୍କ ଚାରିପାଖରେ ଖଟିବାକୁ ଆରମ୍ଭ କଲେ । ପଞ୍ଚମଢ଼ିରେ ଲୋହିଆ କହିଲେ, ‘‘ଆଜିର ଆଶାଦୀପ ନିଶ୍ଚୟ ସମାଜବାଦ ଅଟେ; କିନ୍ତୁ ଆମର ଏଇ ବିଚାରଧାରା ଆଜି ବିପତ୍ତି ଭିତରେ ପଡ଼ିଯାଇଛି । ଆଜି ତା’ ଭିତରେ ବୌଦ୍ଧିକ ଦୁର୍ବଳତା ଆସିଯାଇଛି । ପୁଞ୍ଜିବାଦ ଏବଂ ସାମ୍ୟବାଦଦ୍ୱାରା ବିଭାଜିତ ଦୁନିଆରେ ସମାଜବାଦ ନିଜର ତତ୍ତ୍ୱପ୍ରଣାଳୀକୁ ସ୍ପଷ୍ଟ କରିପାରୁ ନାହିଁ । ....ଉଧାର ନେଇ ବା ଋଣ କରି ବଞ୍ଚି ରହିବାର ଅଭ୍ୟାସଟାକୁ ସମାଜବାଦୀମାନଙ୍କୁ ଛାଡ଼ିବାକୁହିଁ ହେବ । ଆଜିପର୍ଯ୍ୟନ୍ତ ଖୁବ୍‌ ଉଧାର ହେଲାଣି । ....ସମାଜବାଦ ପାଇଁ ବର୍ତ୍ତମାନ ଏକ ମୌଳିକ ଭିତ୍ତି ଖୋଜି ନିଜର ସ୍ୱତନ୍ତ୍ର ବିଚାରଧାରାର ନିର୍ମାଣ କରିବା ନିତାନ୍ତ ଆବଶ୍ୟକ ।’’

 

ଲୋହିଆ ମାର୍କସ୍‌ ତଥା ଗାନ୍ଧିଙ୍କୁ ତ ନିଶ୍ଚୟ ମାନୁଥିଲେ; କିନ୍ତୁ ତାଙ୍କର ଦର୍ଶନକୁ ଯଥାକଥା ଭାବରେ ସ୍ୱୀକାର କରୁ ନଥିଲେ । ଲୋହିଆ ସେ ଦୁହିଁଙ୍କ ଦର୍ଶନ ଭିତରେହିଁ ନିଜର ଏକ ବିଚାରସୂତ୍ରକୁ ଆଗେ ବଢ଼େଇଲେ । ଲୋହିଆଙ୍କ ନୂତନ ଦର୍ଶନ ଥିଲା ଗୋଟିଏ ଦର୍ଶନରେ ଆଉ ଗୋଟିଏ ଦର୍ଶନର ଅଂଶ ମିଶାଇ କଲମ କରିବା ତାଙ୍କର ରୀତି ନଥିଲା । ଲୋହିଆ କହିଲେ, ‘‘ମାର୍କସ୍‌ବାଦର ଭାଷା ଉଚ୍ଚାରଣ କରୁଥିବା ଲୋକମାନେ ଏତିକି ଜାଣନ୍ତି ନାହିଁ ଯେ ମାର୍କସ୍‌ଙ୍କର କିଛି ମୂଳତତ୍ତ୍ୱ ବିଚାର ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ରହିଛି । ଉଦାହରଣସ୍ୱରୂପ–ତାଙ୍କର ପୁଞ୍ଜିବାଦ ଉତ୍‌କ୍ରାନ୍ତି ସମ୍ବନ୍ଧୀୟ ସିଦ୍ଧାନ୍ତ ।’’ ....

 

ପଞ୍ଚମଢ଼ିରେ ଲୋହିଆ ସମାଜବାଦୀ ଆନ୍ଦୋଳନକୁ ପୁରୁଣା ରାସ୍ତାରୁ ଓହରେଇ ଆଣି ଗୋଟାଏ ନୂତନ ଦିଗରେ ଆଗେଇ ନେବାକୁ ଚେଷ୍ଟା କଲେ ।

 

ସେତେବେଳେ ଦଳର ସର୍ବମାନ୍ୟ ପୁରୁଖା ନେତା ଆଚାର୍ଯ୍ୟ ନରେନ୍ଦ୍ରଦେବ ଚୀନ ଭ୍ରମଣରେ ଯାଇଥିବା ଯୋଗୁଁ ପଞ୍ଚମଢ଼ିରେ ଉପସ୍ଥିତ ନଥିଲେ । ଆଚାର୍ଯ୍ୟ ମହାଶୟ ବିଖ୍ୟାତ ଏବଂ ଟାଣୁଆ ମାର୍କସ୍‌ବାଦୀ ନେତା ଥିଲେ । ଲୋହିଆ ପଞ୍ଚମଢ଼ିଠାରେ ମାର୍କସ୍‍ଙ୍କ ଉପରେ ଯେଉଁ ସମାଲୋଚନା କଲେ ଏବଂ ମାର୍କସ୍‍ଙ୍କ ସିଦ୍ଧାନ୍ତର ଅପୂର୍ଣ୍ଣତା ବୟାନ କରିଥିଲେ, ତାକୁ ଆଚାର୍ଯ୍ୟ ମହାଶୟ ଶୁଣିପାରି ନଥିଲେ ।

 

ଜୁନ୍‌ ୧୯୫୨ରେ ହରଦୋଇ (ଉତ୍ତର ପ୍ରଦେଶ)ଠାରେ ଅନୁଷ୍ଠିତ ଗୋଟାଏ ସମ୍ମେଳନରେ ଦୁହିଁଙ୍କ ଭିତରେ ଏ ସମ୍ବନ୍ଧରେ ଚର୍ଚ୍ଚା ହେଲା ।

 

ସେଇ ସମ୍ମେଳନରେ ଯେତେବେଳେ ଲୋହିଆ ଭାଷଣ ଦେଉଥିଲେ, ଆଚାର୍ଯ୍ୟ ମହାଶୟ ଖୁବ୍‌ ମନଧ୍ୟାନ ଦେଇ ଲୋହିଆଙ୍କ ଭାଷଣ ଶୁଣୁଥିଲେ । ଲୋହିଆ ଖାସ୍ ଆଚାର୍ଯ୍ୟ ମହାଶୟଙ୍କ ନିମନ୍ତେହିଁ ପଞ୍ଚମଢ଼ିରେ କହିଥିବା ବକ୍ତବ୍ୟକୁ ଖୁବ୍‌ ଜୋର ଦେଇ ଦୋହରେଇଲେ ଏବଂ ଆଧ୍ୟାତ୍ମିକ ଓ ଭୌତିକ, ବର୍ତ୍ତମାନ ଓ ଭବିଷ୍ୟତ, ଧାର୍ମିକତା ଓ ଧର୍ମ ଅଚେତନତା, ବ୍ୟକ୍ତି ଏବଂ ସମାଜ, ଖାଦ୍ୟ ଓ ସଭ୍ୟତା ଏବଂ ଆଜିର ଦୁନିଆକୁ ସସ୍ତ୍ରସ୍ତ କରୁଥିବା ଦ୍ୱନ୍ଦ୍ୱମାନଙ୍କ ବିଷୟରେ ବ୍ୟାଖ୍ୟାନ ଦେଲେ ।

 

ଭାଷଣ ମଝିରେ ଲୋହିଆ କହିଲେ–‘‘ଆପଣମାନେ ନରେନ୍ଦ୍ରଦେବ ମହାଶୟଙ୍କୁ ମାର୍କସ୍‍ପନ୍ଥୀ ବୋଲି ସ୍ୱୀକାର କରନ୍ତି । କାଲିହିଁ ଆମ ଦୁହିଁଙ୍କ ଭିତରେ ପୁନର୍ଜନ୍ମ ସମ୍ବନ୍ଧରେ ଯୁକ୍ତି ହୋଇଥିଲା.... ।’’

 

ଲୋହିଆଙ୍କୁ ମଝିରେ ବାଧା ଦେଇ ନରେନ୍ଦ୍ରଦେବ ପଚାରିଲେ–‘‘ମୁଁ କ’ଣ କହିଥିଲି ଯେ ପୁନର୍ଜନ୍ମ ଉପରେ ମୋର ବିଶ୍ୱାସ ଅଛି ?’’

 

ଲୋହିଆ ଉତ୍ତର ଦେଲେ–‘‘ମୁଁ ବି ଏକଥା କେତେବେଳେ କହିଲି ଯେ ଆପଣଙ୍କର ପୁନର୍ଜନ୍ମ ଉପରେ ବିଶ୍ୱାସ ଅଛି ? ମୁଁ ତ କେବଳ ଏତିକି ମାତ୍ର ଯେ ଆମ ଦୁହିଁଙ୍କ ଭିତରେ କେବଳ ପୁନର୍ଜନ୍ମ ସମ୍ବନ୍ଧରେ ଯୁକ୍ତି ମାତ୍ର ହୋଇଚି । ତା’ ଛଡ଼ା ଏଇଆ କହିଥାନ୍ତି ଯେ ‘ପୁନର୍ଜନ୍ମ ଅଛି ନା ନାହିଁ’ ଏ ସମ୍ବନ୍ଧରେ ଆପଣଙ୍କ ମନ ଭିତରେ ଦ୍ୱିଧାଭାବ ଅଛି । ପ୍ରକୃତ ମାର୍କସ୍‍ବାଦୀ ନିଶ୍ଚୟ କହିଦେବ ଯେ ପୁନର୍ଜନ୍ମ ହେଉଛି ସମ୍ପୂର୍ଣ୍ଣ ମିଥ୍ୟା ।’’

 

ଯେଉଁମାନେ ଆଚାର୍ଯ୍ୟ ନରେନ୍ଦ୍ରଦେବ ଏବଂ ଲୋହିଆଙ୍କ ଭିତରେ ଥିବା ମଧୁର ଏବଂ ଗଭୀର ସ୍ନେହପୂର୍ଣ୍ଣ ସମ୍ପର୍କଟାକୁ ଜାଣନ୍ତି, ସେମାନେହିଁ ଏଇ ଦ୍ୱନ୍ଦ୍ୱର ଗାମ୍ଭୀର୍ଯ୍ୟ ଓ ଗଭୀରତାକୁ ସହଜରେ ବୁଝିପାରିବେ ।

 

ସେଇ ବର୍ଷ ଗୁଜରାଟ ପାର୍ଟିର ସମ୍ମେଳନ ବସିଲା । ଲୋହିଆ ଭାଷଣ ଦେବାକୁ ଯାଇ ଇତିହାସର ଏକ ନୂତନ ବ୍ୟାଖ୍ୟା ପ୍ରସ୍ତୁତ କଲେ । ସେଇ ବ୍ୟାଖ୍ୟାକୁ ବିସ୍ତୃତ ଭାବରେ ପୁଷ୍ଟକରି କିଛିଦିନ ପରେ ହାଇଦ୍ରାବାଦଠାରେ ଆୟୋଜିତ ‘‘ନବ ସଂସ୍କୃତି ସଂଘ’’ର ଭାଷଣମାଳାରେ ଉପସ୍ଥାପିତ କଲେ । ତା’ପରେ ଏଇ ପ୍ରବନ୍ଧ ‘ଇତିହାସ ଚକ୍ର’ (Wheel of History) ନାମରେ ବହି ଆକାରରେ ଛାପାଗଲା । ଇତିହାସର ଏକ ନୂତନ ବ୍ୟାଖ୍ୟାରେ ତିନୋଟି ନିର୍ଦ୍ଦେଶର ଇଙ୍ଗିତ ରହିଛି–(୧) ମନୁଷ୍ୟ କିମ୍ବା ସଭ୍ୟତାର ପ୍ରଗତି ସିଧାସଳଖ ଭାବରେ କୌଣସି ଗୋଟାଏ ଦିଗରୁ ହୋଇ ନାହିଁ । ଗୋଟାଏ ସମୟ ଆସେ, ଯେତେବେଳେ କୌଣସି ସଭ୍ୟତା ବିକଶିତ ହୋଇ ନିଜର ଚରମ ସୀମାରେ ପହଞ୍ଚିଯାଏ । ତା’ପରେ ପୁଣି ତାହା ହ୍ରାସ ପାଏ । ଯେତେବେଳେବି ହେଉନା କାହିଁକି ସମସ୍ତ ସଭ୍ୟତାର ସହିତ ଏହା ସାଧାରଣତଃ ଘଟିଥାଏ । (୨) ଯେକୌଣସି ସଭ୍ୟତା ବା ସମାଜ ଯେତେବେଳେ ବିକାଶର ଅବସ୍ଥାରେ ଥାଏ, ସେତେବେଳେ ତାହାର ଗତିଶୀଳତା ମଧ୍ୟ ଥାଏ ଏବଂ ସାମାଜିକ ବିଭାଜନର ଏକ ତରଳତା ଥାଏ–ଯାହାକୁ କି ଆମେ ଶ୍ରେଣୀ ବର୍ଗ) ବ୍ୟବସ୍ଥା ବୋଲି କହିଥାଉଁ । ଏହି ଅବସ୍ଥାରେ ଶ୍ରେଣୀ ଆପଣାଛାଏଁ ଏବଂ ଅନ୍ୟ ଶ୍ରେଣୀ ତୁଳନାରେ ପ୍ରଗତି କରିଥାଏ । ଗୋଟିଏ ଶ୍ରେଣୀର ବ୍ୟକ୍ତି ସହଜରେ ଅନ୍ୟ ଶ୍ରେଣୀ ଭିତରକୁବି ଯାଇପାରେ । କିନ୍ତୁ ଯେତେବେଳେ ସମାଜ ବା ସଭ୍ୟତାର ହ୍ରାସ ହେବାକୁ ଆରମ୍ଭ କରେ, ସେତେବେଳେ ଆନ୍ତରିକ ଗତିଶୀଳତା ବନ୍ଦ ହୋଇଯାଏ । କୌଣସି ଅଦଳ–ବଦଳ ହୋଇପାରେ ନାହିଁ। ଏହାକୁ ବର୍ଣ୍ଣ ବ୍ୟବସ୍ଥାର ସଂଜ୍ଞା ଦିଆଯାଇପାରେ । (୩) ଇତିହାସରେ ଶକ୍ତି ଏବଂ ସମୃଦ୍ଧିକେନ୍ଦ୍ରର ଭୌଗୋଳିକ ପରିବର୍ତ୍ତନ ହୋଇଯାଏ । ଗୋଟାଏ ଭୌଗୋଳିକ କ୍ଷେତ୍ରର ସଭ୍ୟତାର ହ୍ରାସ ହେବାପରେ ଅନ୍ୟ କୌଣସି ଏକ କ୍ଷେତ୍ରରେ ନୂତନ ସଭ୍ୟତା ଜନ୍ମ ନିଏ ଏବଂ ବିକଶିତ ହୋଇଥାଏ ।

 

ଏହି ବ୍ୟାଖ୍ୟା ସହିତ ଲୋହିଆ କହିଲେ ଯେ ଇତିହାସର ଏଇସବୁ ତତ୍ତ୍ୱକୁ ବୁଝି ଆମେ ଏପରି ଏକ ବିଶ୍ୱ ସଭ୍ୟତାର ନିର୍ମାଣପାଇଁ ଚେଷ୍ଟା କରିବା, ଯେଉଁଠି ଶ୍ରେଣୀରୁ ବର୍ଣ୍ଣ ଏବଂ ବର୍ଣ୍ଣରୁ ଶ୍ରେଣୀର ପରିବର୍ତ୍ତନ ନଥିବ, ଯେଉଁଠି ସଭ୍ୟତାର ଭୌଗୋଳିକ ସ୍ଥାନାନ୍ତର ନଥିବ, ଯାହା କି ମୋଟଉପରେ ବିଶ୍ୱ–ସଭ୍ୟତା ହେବ ଏବଂ ବର୍ଗ ଓ ବର୍ଣ୍ଣହୀନ ହେବ ଏବଂ ଯାହା କି ବ୍ୟକ୍ତି ଏବଂ ସମାଜର ଚତୁର୍ମୁଖୀ ବିକାଶ ଘଟାଇପାରେ । ସେତେବେଳେ ଯାଇ ମନୁଷ୍ୟ ତା’ର ପ୍ରକୃତ ଲକ୍ଷ୍ୟକୁ ହାସଲ କରିପାରିବ ।

 

ଏଭଳି ନୂଆ ବିଚାର ତଥା ନୂଆ ଦର୍ଶନରେ ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି, କେତେ ଲୋକ ସ୍ୱୀକାର କରିନେଇପାରନ୍ତି । ଆଉ କେତେ ଲୋକ ବିରୋଧ ମଧ୍ୟ କରିପାରନ୍ତି । ନୂତନ ଦର୍ଶନ ଯେତେ ସ୍ୱୀକୃତି ପାଏ, ସେତିକି ତୀବ୍ର ବିରୋଧର ମଧ୍ୟ ସମ୍ମୁଖୀନ ହୁଏ । ବିଚାର ଦେବା ଲୋକ ପ୍ରତି ଶତ୍ରୁ ମିତ୍ରଙ୍କର ଈର୍ଷାହିଁ ଏହାର ଏକ ମୁଖ୍ୟ କାରଣ ହୁଏ ଏବଂ ଅନ୍ୟ କାରଣ ହୁଏ–ସିଦ୍ଧାନ୍ତର ବୈଚାରିକ ବିରୋଧ । ସୋସାଲିଷ୍ଟ ପାର୍ଟି ଭିତରେ ଲୋହିଆଙ୍କ ବିଚାରର ଗୋଟିଏ ସଂଗଠିତ ବିରୋଧ ଆରମ୍ଭ ହୋଇଗଲା ଏବଂ ଲୋହିଆଙ୍କ ବ୍ୟକ୍ତିତ୍ୱ ଏବଂ ବିବାଦପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ରହିଗଲା । ପଞ୍ଚମଢ଼ି, ହରଦୋଇ ଏବଂ ଗୁଜରାଟରେ ଲୋହିଆ ଯେଉଁ ନୂତନ ରାଜନୈତିକ, ଦାର୍ଶନିକ ତଥା ଐତିହାସିକ ସିଦ୍ଧାନ୍ତର ସ୍ଥାପନା କରିଥିଲେ, ତାହାର ପରିଣାମ ଶେଷରେ ଏଇଆହିଁ ହେଲା ।

 

ଏଇ ସମୟ ଭିତରେ ଜୟପ୍ରକାଶ ନାରାୟଣ ଏକୋଇଶ ଦିନପାଇଁ ଆତ୍ମଶୁଦ୍ଧି ସକାଶେ ଅନଶନ ଆରମ୍ଭ କରିଦେଲେ । ଆତ୍ମଶୁଦ୍ଧି ଉପରେ ସେ କେବଳ ମାର୍କସ୍‍ବାଦକୁ ପରିତ୍ୟାଗ କଲେ ନାହିଁ, ବରଂ ସମାଜବାଦର ରାଜନୈତିକ ସିଦ୍ଧାନ୍ତକୁ ମଧ୍ୟ ଛାଡ଼ିଦେଲେ ଏବଂ ପ୍ରେମର ରାଜନୀତିର କଥା କହିବାକୁ ଆରମ୍ଭ କରିଦେଲେ । ଗାନ୍ଧିଙ୍କ ସିଦ୍ଧାନ୍ତକୁ ଏପରି ଏକତରଫା ଭାବରେ ଗ୍ରହଣ କରିବାଫଳରେ ସେ ବ୍ୟବହାରରେ ନେହେରୁଙ୍କ ସମର୍ଥକ ହୋଇପଡ଼ିଲେ ।

 

ଏହାର ଶେଷ ପରିଣାମ ଏଇଆ ହେଲା ଯେ ଦେଶର ସମାଜବାଦୀ ଆନ୍ଦୋଳନ ଏକନିଷ୍ଟ ନେତୃତ୍ୱକୁ ହରେଇ ବସିଲା । ଲୋହିଆ ସର୍ବଦା ଚେଷ୍ଟା କରୁଥିଲେ ଯେ ଭାରତର ସମାଜବାଦୀ ଆନ୍ଦୋଳନ ସିଦ୍ଧାନ୍ତନିଷ୍ଠ, କର୍ମଠ ଏବଂ ଗତିଶୀଳ ହେଉ ଏବଂ ଏଇ ଚେଷ୍ଟାରେ ଏକାକୀ ହୋଇ ଲୋହିଆଙ୍କୁ ‘‘ଏକଲା ଚଲୋରେ’’ ବାଟକୁ ବାଛିନେବାକୁ ପଡ଼ିଥିଲା ।

 

ସନ ୧୯୫୨ ପର୍ଯ୍ୟନ୍ତ ଜୟପ୍ରକାଶ ନାରାୟଣ ମାର୍କସ୍‍ବାଦୀ ସିଦ୍ଧାନ୍ତ ଉପରେ ସୋସାଲିଷ୍ଟ ପାର୍ଟି ଭିତରେ ସର୍ବମାନ୍ୟ ନେତା ହୋଇ ରହିଥିଲେ । କିନ୍ତୁ ଠିକ୍‌ ଅନଶନ ପରେ ପରେ ସେ ସକ୍ରିୟ ରାଜନୀତିରୁ ଦ୍ରୁତଗତିରେ ଅପସରି ଯିବାକୁ ଲାଗିଲେ । ଏଣେ ଲୋହିଆ ନିଜର ବିଚାରଗୁଡ଼ିକୁ ପରିଷ୍କୃତ କରି ମାର୍କସ୍‌ବାଦକୁ ସ୍ପଷ୍ଟ ଭାବରେ ଛାଡ଼ିଦେଲେ ଏବଂ ତା’ ପରେ ପରେ ସ୍ପଷ୍ଟ ହୋଇଗଲା ଯେ ପାର୍ଟିର ସୈଦ୍ଧାନ୍ତିକ ନେତୃତ୍ୱ ମୁଖ୍ୟ ଭାବରେ କେବଳ ଲୋହିଆହିଁ ନେଇପାରିବେ ।

 

ଲୋହିଆ ପାର୍ଟି ସଙ୍ଗଠନକୁ ଅତି ଦୃଢ଼ କରିବାକୁ ଚାହୁଁଥିଲେ; କିନ୍ତୁ କୌଣସି ପଦପଦବୀ କିମ୍ବା ନେତୃତ୍ୱ ନେବାର ଇଚ୍ଛା ତାଙ୍କର କସ୍ମିନ୍‌କାଳେ ମଧ୍ୟ ନଥିଲା । ସେ ସ୍ପଷ୍ଟ ଭାବରେ କହିଥିଲେ–‘‘ମୁଁ ଜୟପ୍ରକାଶ ନାରାୟଣଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହେଁ, କିନ୍ତୁ କାହାରି କୃପାରୁ (ନେହେରୁଙ୍କ) ନୁହେଁ, ବରଂ ଜନତାର ଦୃଢ଼ବିଶ୍ୱାସ ଉପରେ ।’’ ଲୋହିଆଙ୍କର ଏଇ ବକ୍ତବ୍ୟ ମଧ୍ୟ ଜୟପ୍ରକାଶ ନାରାୟଣଙ୍କ ହୃଦୟର ଦୃଢ଼ବିଶ୍ୱାସକୁ ଆଉ ଫେରାଇ ଆଣିପାରିଲା ନାହିଁ-

 

ଏଇ ସମୟରେ ଦେଶର ରାଜନୀତିରେ ଗୋଟାଏ ନୂତନ ତଥା ମହତ୍ୱପୂର୍ଣ୍ଣ ପରିସ୍ଥିତି ଉପୁଜିଲା । କଂଗ୍ରେସର କାର୍ଯ୍ୟକଳାପରେ ବିରକ୍ତି ପ୍ରକାଶ କରି କଂଗ୍ରେସର ପ୍ରମୁଖ ନେତା ଗାନ୍ଧୀବାଦୀ ଆଚାର୍ଯ୍ୟ କୃପାଳିନୀ, ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ଏବଂ ଟି. ପ୍ରକାଶମ୍‌ ଭଳି ଲୋକେ କଂଗ୍ରେସ ଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଲେ । ତା’ପରେ ସେମାନେ ‘‘କିଷାନ ମଜଦୁର ପ୍ରଜା ପାର୍ଟି’’ର ସ୍ଥାପନା କଲେ ଏବଂ ୧୯୫୨ର ନିର୍ବାଚନ ଲଢ଼ିଲେ । ଏହି ପାର୍ଟିକୁ ମଧ୍ୟ ସୋସାଲିଷ୍ଟ ପାର୍ଟି ଭଳି ପରାଜୟର ସ୍ୱାଦୁ ଚାଖିବାକୁ ପଡ଼ିଲା ଏବଂ ପରାଜୟର ପୀଡ଼ାରେ ସମାନ କାରଣରୁ ସୋସାଲିଷ୍ଟ ପାର୍ଟି ତଥା କିଷାନ ମଜଦୁର ପ୍ରଜା ପାର୍ଟି ପରସ୍ପର ନିକଟକୁ ଆସିବାକୁ ଲାଗିଲେ । ଲୋହିଆଙ୍କୁ ଏ ଦୁଇଟି କଂଗ୍ରେସବିରୋଧୀ ପାର୍ଟିର ମିଶ୍ରଣ ଖୁବ୍‌ ଭଲ ଲାଗିଲା । ତାଙ୍କର ମନେହେଲା ଯେ ଏହି ନୂତନ ମେଣ୍ଟ ଯୋଗୁଁ ବୋଧେ ସିଦ୍ଧାନ୍ତ ତଥା ବ୍ୟବହାରର ଏକ ନୂତନ ପରମ୍ପରା ସୃଷ୍ଟି ହେବ ଏବଂ ଦୁଇ ପାର୍ଟିର ମିଳିତ ଶକ୍ତି ଦେଶର ରାଜନୀତିକ ଜୀବନରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବ ।

 

ଲୋହିଆ ଖୁବ୍‌ ଆତ୍ମବିଶ୍ୱାସର ସହିତ ଆଗେଇ ଯାଇ କିଷାନ ମଜଦୁର ପ୍ରଜାପାର୍ଟି ଏବଂ ସୋସାଲିଷ୍ଟ ପାର୍ଟିର ମିଶ୍ରଣ ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ସନ ୧୯୫୨ର ୨୪ ଓ ୨୫ ତାରିଖ ସେପ୍‌ଟେମ୍ବରରେ ବମ୍ବେରେ ସୋସାଲିଷ୍ଟ ପାର୍ଟିର ଜାତୀୟ ପରିଷଦ (General Council) ବସିଲା ଏବଂ ମିଶ୍ରଣ ସମ୍ବନ୍ଧରେ ନିର୍ଣ୍ଣୟ ନିଆଗଲା । ପୁଣି ୨୬ ତାରିଖରେ ଦୁଇ ଦଳର ଏକ ସଂଯୁକ୍ତ ବୈଠକ ବସିଲା । ମିଶ୍ରଣର ପ୍ରଥମ ସୋପାନ ଭାବରେ ସଂସଦ ଭିତରେ ଦୁଇ ଦଳର ଗୋଟାଏ ସଂଯୁକ୍ତ ସଂଗଠନ, ଗୋଟାଏ ସ୍ୱୀକୃତି କାର୍ଯ୍ୟକ୍ରମର ଆଧାର ଉପରେ ପ୍ରସ୍ତୁତ କରାଗଲା ଏପରି ଭାବରେ ପ୍ରଜା–ସୋସାଲିଷ୍ଟ ପାର୍ଟିର ଜନ୍ମ ହେଲା ।

 

ପ୍ରଜା–ସୋସାଲିଷ୍ଟ ପାର୍ଟିର ଜନ୍ମରୁହିଁ ଲୋହିଆଙ୍କ ମନରେ ଖୁବ୍‌ ବଡ଼ ଆଶାର ସଞ୍ଚାର ହେଲା । ଏଇ ପାର୍ଟିର ଜନ୍ମରୁହିଁ ଲୋହିଆ ତା’ର ଚରିତ୍ରକୁ ସ୍ପଷ୍ଟ କରିବାପାଇଁ ଚାହିଁଲେ ।

 

କ୍ଷମତା ଲାଭ କରିବାର ଗଭୀର ଇଚ୍ଛା ଦଳଗୁଡ଼ିକର ସବୁଠୁ ବଡ଼ ପରୀକ୍ଷା । ଏଇ ଦେଶରେ ଏଭଳି ଇଚ୍ଛାଶକ୍ତିକୁ ଲୁଚେଇ ରଖିବାକୁ ଏକ ବିଚିତ୍ର ଚେଷ୍ଟା ହୁଏ, ଯେପରି କି କ୍ଷମତା–ଲାଳସା ଗୋଟାଏ ପାପ କିମ୍ବା ଗୋଟାଏ ଅଶୋଭନୀୟ ଜିନିଷ ।

 

ଲୋହିଆ କହିଲେ–‘‘ଜୀବିତ ପାର୍ଟି ନିଜର ଶକ୍ତି ଖର୍ଚ୍ଚ କରିବାଦ୍ୱାରାହିଁ ପ୍ରଗତି କରିଥାଏ । ....ଆସନ୍ତା ବର୍ଷେ ଦୁଇବର୍ଷ ଭିତରେ ଦେଶ ଭିତରେ ମରୁଡ଼ି ପଡ଼ିବାର ପୂର୍ଣ୍ଣ ସମ୍ଭାବନା ରହିଛି ଏବଂ ସେଇ ଦୃଷ୍ଟିରୁ ତୁରନ୍ତ ସଂଘର୍ଷର ଆବଶ୍ୟକତା ମଧ୍ୟ ରହିଛି ।’’

 

ଲୋହିଆ ପ୍ରଜା ସୋସାଲିଷ୍ଟ ପାର୍ଟିକୁ ଗୋଟାଏ ନୂତନ ଉତ୍ସାହପଦ ଶକ୍ତିଶାଳୀ ଦଳ ଭାବରେ ରୂପ ଦେବାପାଇଁ ଅକ୍ଳାନ୍ତ ଉଦ୍ୟମ କରି ଚାଲିଥିଲେ ।

 

ଗୋଟାଏ ନୂତନ ସୁଦୃଢ଼ ବିରୋଧୀ ପାର୍ଟିର ଜନ୍ମ ନେବା ଏବଂ ଦେଶ ଭିତରେ ତା’ର ପ୍ରଭାବ ବଢ଼ିଚାଲିବା କଂଗ୍ରେସ ନେତାମାନଙ୍କ ଚିନ୍ତାର କାରଣ ହେଲା । ନେହେରୁ ବିଶେଷ ଭାବରେ ସତର୍କ ହୋଇଉଠିଲେ ଏବଂ ପ୍ରଜା ସୋସାଲିଷ୍ଟ ପାର୍ଟିରେ ବଢ଼ୁଥିବା ଆତ୍ମବିଶ୍ୱାସକୁ ଭାଙ୍ଗି ଚୂରମାର କରିଦେବାର ଗୋଟାଏ ନାଟକ ଆରମ୍ଭ କରିଦେଲେ ।

 

ନେହେରୁ ଥିଲେ ଜଣେ ଅତି ସୁଚତୁର ରାଜନୀତିଜ୍ଞ । ସେ ଭାରତର ଆଉ ସମସ୍ତ ନେତାଙ୍କୁ ଖୁବ୍‌ ଭଲ ଭାବରେ ଚିହ୍ନିପାରିଥିଲେ । ୧୯୫୩ ସାଲ ଫେବୃୟାରୀ ମାସରେ ନେହେରୁ ଜୟପ୍ରକାଶ ନାରାୟଣଙ୍କୁ ନିଜ ପାଖକୁ ଡାକିଲେ ଏବଂ ସରକାରୀ ଓ ବେସରକାରୀ ସ୍ତରରେ ସରକାର ସମ୍ବନ୍ଧରେ ଚର୍ଚ୍ଚା ଆରମ୍ଭ କରିଦେଲେ । ପୁଣି ଆଚାର୍ଯ୍ୟ କୃପାଳିନୀ ଏବଂ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ସହିତ ସାକ୍ଷାତ କରି କଥାବାର୍ତ୍ତା ଚଳାଇଲେ ।

 

ଲୋହିଆ ନେହେରୁଙ୍କ ଚାଲ୍‌କୁ ବୁଝିପାରୁଥିଲେ । କିନ୍ତୁ ନେହେରୁଙ୍କୁ ଦେଖାକରୁଥିବା ଅନ୍ୟାନ୍ୟ ନେତାଙ୍କ ମନରେ ସରକାର ପ୍ରତି ମୋହ ଜନ୍ମିଲା । ସେମାନେ ଏ କଥା ବୁଝିପାରୁ ନଥିଲେ ଯେ ନେହେରୁ ସେମାନଙ୍କୁ ନେଇ ଗୋଟାଏ ଖେଳ ଖେଳୁଛନ୍ତି । ନିଜ ପ୍ରଭୁତ୍ୱକୁ ଛାଡ଼ିବା ବା ଖଣ୍ଡିତ କରିବା କିମ୍ବା ଅନ୍ୟମାନଙ୍କୁ ସେଥିରେ ଅଂଶୀଦାର କରିବା କେବେହେଲେ ତାଙ୍କର କଳ୍ପନା ନଥିଲା । ତେବେ କଥାବାର୍ତ୍ତା ମାଧ୍ୟମରେହିଁ ସମାଜବାଦୀ ମନ ଭିତରେ ଶଙ୍କା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ତାଙ୍କର ଉଦ୍ଦେଶ୍ୟ ଅବଶ୍ୟ ଥିଲା ।

 

ସ୍ୱାଭାବିକ ଭାବରେ ନେହେରୁଙ୍କର ଏଇ ଖେଳ ଶେଷ ହେବାପରେ ଜୟପ୍ରକାଶ ନାରାୟଣ ଘୋର ନୈରାଶ୍ୟର ଘେର ଭିତରେ ପଡ଼ିଗଲେ । ସେ ନୀରବରେ ଭୂଦାନ ଆନ୍ଦୋଳନ ଆଡ଼କୁ ଖସିଗଲେ । ତାହାର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିଲା । କର୍ମକର୍ତ୍ତାଙ୍କ ମନରେ ଭ୍ରମ ଉତ୍ପନ୍ନ ହେଲା; ପାର୍ଟି ଉପରୁ ଜନତାଙ୍କ ବିଶ୍ୱାସ ତୁଟିବାକୁ ଲାଗିଲା ଏବଂ ନେହେରୁଙ୍କୁ ଲାଭ ଉଠେଇବାର ଏକ ଅପୂର୍ବ ସୁଯୋଗ ମିଳିଗଲା ।

 

ଲୋହିଆ ଜୟପ୍ରକାଶ ନାରାୟଣଙ୍କ କାର୍ଯ୍ୟକୁ ଖୋଲାଖୋଲି ଭାବରେ ଆଲୋଚନା କରିବାକୁ ଲାଗିଲେ । ଅନ୍ୟାନ୍ୟ ନେତା ଆଉ ଲୋହିଆଙ୍କ ଭିତରେ ଗୋଟାଏ ମନାନ୍ତର ସୃଷ୍ଟି ହେବାକୁ ଲାଗିଲା । ପାର୍ଟିର ନେତୃତ୍ୱ ସମ୍ମେଳନରେ ଏଇ ‘ମନାନ୍ତର’ର ସ୍ପଷ୍ଟ ରୂପ ଦେଖିବାକୁ ମିଳିଲା । ମଝିରେ ଥରେ ନେହେରୁ ବିରୋଧୀଦଳ ନେତାଙ୍କ ଭିତରେ ସୃଷ୍ଟି ହୋଇଥିବା ‘ମତାନ୍ତର’କୁ ବିସ୍ତାର ରୂପ ଦେବାପାଇଁ ମିଳିତ ମନ୍ତ୍ରିମଣ୍ଡଳ ଗଠନର ଚର୍ଚ୍ଚା ମଧ୍ୟ ଆରମ୍ଭ କରିଦେଲେ-। ଏହା ଚରମ ଅସ୍ତ୍ର ଥିଲା, ଯାହା କି ଏକଦମ୍ କାଟୁ କରିଗଲା । ଅନେକ ନେତା ସକ୍ରିୟତା ତ୍ୟାଗକରି ନେହେରୁଙ୍କ ଏଇ ଅବାସ୍ତବ ପ୍ରସ୍ତାବ ଉପରେ ଆଶାୟୀ ଦୃଷ୍ଟିରେ ଚାହିଁରହିଲେ-। ଲୋହିଆ ଏଭଳି ନେତାଙ୍କ ମନ ଭିତରେ ଦେଖା ଦେଇଥିବା କ୍ଷମତାର ଲୋଭକୁ ସହଜରେ ଜାଣିଗଲେ ।

 

ଠିକ୍‌ ସେଇ ସମୟରେ ଭାରତ ଭ୍ରମଣରେ ଆସିଥିବା ଫ୍ରାନ୍‌ସର ସୋସାଲିଷ୍ଟ ପାର୍ଟିର ମନ୍ତ୍ରୀ ଶ୍ରୀ ‘ମୋଲେ’ ଲୋହିଆଙ୍କୁ ଦେଖାକରି ପଚାରିଲେ–‘‘ପାର୍ଲିଆମେଣ୍ଟ୍‍ରେ ଯଦି କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଅଛି, ତେବେ ସେ (କଂଗ୍ରେସ) ପ୍ରଜା–ସୋସାଲିଷ୍ଟ ପାର୍ଟି ସହିତ ମିଶି ସଂଯୁକ୍ତ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଚାହୁଁଛି କାହିଁକି ?’’

 

ସେତେବେଳେ ଲୋହିଆ କହିଥିଲେ–‘‘ଶ୍ରୀ ମୋଲେ, ଆପଣ ତ ଜଣେ ଭୌତିକବାଦୀ ବ୍ୟକ୍ତି ଅଟନ୍ତି । ଆପଣ ଆମ ଆଧ୍ୟାତ୍ମିକବାଦୀ ଲୋକଙ୍କ ମନ କିମିତି ଚାଲେ, ତାହା କିପରି ଜାଣିପାରିବେ ?’’

 

ଅଗଷ୍ଟ ୧୯୫୩ ସାଲରେ ଲୋହିଆ ଆଜମଗଡ଼ (ଉତ୍ତର ପ୍ରଦେଶ) ଜିଲ୍ଲାକୁ ଗସ୍ତରେ ଗଲେ । ନଅ ଅଗଷ୍ଟରୁହିଁ ସେଠିକା କୃଷକ ଭୂମି–ସତ୍ୟାଗ୍ରହ କରି ଖୁବ୍‌ ବାହାଦୁରି ସହକାରେ ଲଢ଼େଇ ଚଳେଇ ଆସୁଥିଲେ । ସରକାରୀ କାଗଜପତ୍ରରେ ଭୁଲ୍‌ ରାଜସ୍ୱ ନିର୍ଣ୍ଣୟ କରାଯାଇଥିଲା । କୃଷକମାନେ ତା’ର ବିରୋଧ କରୁଥିଲେ । ଶହ ଶହ କୃଷକ ଜେଲ ବରଣ କରିସାରିଥିଲେ । ପୋଲିସ୍‍ର ଅତ୍ୟାଚାରର ନଗ୍ନ ନୃତ୍ୟ ଚାଲିଥିଲା । ସ୍ତ୍ରୀଲୋକମାନଙ୍କୁ ମଧ୍ୟ ପୋଲିସ୍ କଷ୍ଟ ଦେଉଥିଲା । ଲୋହିଆ ଏଇ ଘଟଣାକୁ ନେଇ ସମଗ୍ର ଦେଶରେ ଗୋଟାଏ ହଇଚଇ ପକେଇଦେଲେ ।

 

ଗାଜିପୁର ଜିଲ୍ଲା ପାର୍ଟିର ମନ୍ତ୍ରୀ ଦଳ ସିଙ୍ଗାର ଦୁବେଙ୍କୁ ପୋଲିସ୍ ଏତେ ନିର୍ଦ୍ଦୟ ଭାବରେ ପ୍ରହାର କଲେ ଯେ ଲୋହିଆ ଯେତେବେଳେ ତାଙ୍କୁ ବାରଣାସୀ ଡାକ୍ତରଖାନାକୁ ଦେଖିବାପାଇଁ ଗଲେ, ତାଙ୍କ ହାତ ଆଉ ଗୋଡ଼ରେ ପଟି ବନ୍ଧା ଯାଇଥିଲା ଏବଂ ମୁଣ୍ଡରେ ପ୍ରାୟ ସାତ ସାତ ଇଞ୍ଚ୍‍ର ଗଭୀର ଚୋଟ ଲାଗିଥିଲା ।

 

ଦଳ ସିଙ୍ଗାର ଦୁବେ ଏତେ କଷ୍ଟକୁ ହଜମ କରି ବଞ୍ଚିବାର ମୋହ ନେଇ ମରଣ ସଙ୍ଗେ ଯୁଝୁଥିଲେ । ଲୋହିଆ ତାଙ୍କୁ ‘‘ଗାଜିପୁରର ବୀର’’ କହି ସମ୍ମାନିତ କଲେ ।

 

ଲକ୍ଷ୍ନୌ ଛାତ୍ରଙ୍କ ଉପରେ ପନ୍ଥ ସରକାର ପାଗଳଙ୍କ ଭଳି ଗୁଳି ବୃଷ୍ଟି କରିଥିଲେ ।

 

ମଣିପୁରର ପାର୍ଟିନେତା ତଥା ସଂସଦ ସଦସ୍ୟ ରିସାଂଗ କେସାଂଗଙ୍କୁ ପୋଲିସ୍ ଅଫିସର ଅପମାନିତ ତଥା ଚାପୁଡ଼ା ମାରିବାର ଏକ ଦୁଃସାହସ କରିଥିଲେ ।

 

ଦେଶ ଭିତରେ ଏପରି ନିରଙ୍କୁଶ ପୋଲିସ୍‍ରାଜ ବିରୁଦ୍ଧରେ ଲୋହିଆ ସ୍ୱର ଉତ୍ତୋଳନ କଲେ । ଲୋହିଆ କ୍ଷୁବ୍ଧ ସ୍ୱରରେ ପ୍ରଶ୍ନକଲେ ଯେ ଆଜମଗଡ଼, ଗାଜିପୁର, ଲକ୍ଷ୍ନୌ, ମଣିପୁର ଭଳି କାଣ୍ଡକାରଖାନାକୁ ନେଇ ମଧ୍ୟ ପାର୍ଟି ଭିତରେ ପାଟିତୁଣ୍ଡ କାହିଁକି ହେଉ ନାହିଁ ?

 

ସେତେବେଳେ ଏଲାହାବାଦ ଖୁବ୍‌ ସରଗରମ ଥିଲା ।

 

ସବୁଆଡ଼େ ଲାଲଝଣ୍ଡା ଏବଂ ଲାଲଟୋପିର ସୌନ୍ଦର୍ଯ୍ୟ ଥିଲା ।

 

ଏଲାହାବାଦରେ ସନ ୧୯୫୩ର ୨୯ ତାରିଖରୁ ୩୧ ଡିସେମ୍ବର ଭିତରେ ସୋସାଲିଷ୍ଟ ପାର୍ଟିର ପ୍ରଥମ ସମ୍ମେଳନ ଥିଲା । ସମଗ୍ର ଦେଶର ବଡ଼ବଡ଼ ନେତାମାନେ ଉପସ୍ଥିତ ଥିଲେ–ଆଚାର୍ଯ୍ୟ କୃପାଳିନୀ, ଆଚାର୍ଯ୍ୟ ନରେନ୍ଦ୍ରଦେବ, ଲୋହିଆ, ଜୟପ୍ରକାଶ, ଅଶୋକ ମେହେଟ୍ଟାଙ୍କ ଭଳି ସମସ୍ତ ବଳିଷ୍ଠ ଲୋକେ ।

 

ସମଗ୍ର ଦେଶର ଦୃଷ୍ଟି ଏଲାହାବାଦ ଉପରେ ଆସି କେନ୍ଦ୍ରୀଭୂତ ହୋଇପଡ଼ିଥିଲା ।

 

ସନ ୧୯୫୦ ପରେ ସମାଜବାଦୀମାନଙ୍କର ହୋଇଥିଲା ପ୍ରଥମ ସମ୍ମେଳନ ।

 

ସେଇଠି ଲୋହିଆ ଯେଉଁସବୁ ସିଦ୍ଧାନ୍ତର ପ୍ରମାଣ କଲେ ତାହା ‘‘ଲୋହିଆ ଥିସିସ୍‌’’ ବା ‘‘ଏଲାହାବାଦ ଥିସିସ୍‌’’ ନାମରେ ପ୍ରସିଦ୍ଧ ହୋଇ ରହିଛି ।

 

ନିଜ ରିପୋର୍ଟରେ ଲୋହିଆ ଦେଶର ବର୍ତ୍ତମାନ ପରିସ୍ଥିତି ଉପରେ ପୂର୍ଣ୍ଣ ଆଲୋକପାତ କରି ଆଲୋଚନା କଲେ । ଚୌଖମ୍ବାରାଜ, ବିକେନ୍ଦ୍ରୀକରଣ, ଆର୍ଥିକ ସମାନତା, କୃଷି ଏବଂ ଶିଳ୍ପ ନୀତି ଲୋହିଆଙ୍କର ମୁଖ୍ୟ ବିଷୟ ଥିଲା । ସେଇଠି ଲୋହିଆଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ବଛାଗଲା । ପରିସ୍ଥିତିର ଚାପ ଯୋଗୁଁ ଲୋହିଆଙ୍କୁ ସେଇ ପଦ ଗ୍ରହଣ କରିବାକୁହିଁ ପଡ଼ିଲା ।

 

ଲୋହିଆଙ୍କର ସଂଘର୍ଷମୟ ରାଜନୀତିକ ଜୀବନ ଏବଂ ସମାଜବାଦୀ ଆନ୍ଦୋଳନ ପାଇଁ ଆସନ୍ତା ବର୍ଷଗୁଡ଼ିକ ଯେମିତି ଭୟାନକ ତୋଫାନ ନେଇ ଆଗେଇ ଆସୁଥିଲା; କିନ୍ତୁ ବିଶେଷଭାବେ ୧୯୫୯ ସାଲ ତାଙ୍କ ପକ୍ଷରେ ସଂଘର୍ଷମୟ ବର୍ଷ ବୋଲି ପ୍ରମାଣିତ ହେଲା ।

 

ପାର୍ଟିର ମହାମନ୍ତ୍ରୀ ହେବାପରେ ଲୋହିଆ ସମଗ୍ର ଦେଶର ପାର୍ଟି କର୍ମକର୍ତ୍ତାଙ୍କ କାନରେ ଗୋଟାଏ ମନ୍ତ୍ର ଫୁଙ୍କିଦେଲେ–‘‘ଚାରିଆଡ଼େ ଅନ୍ୟାୟର ରାଜତ୍ୱ ଚାଲିଛି ଏବଂ ଏଇ ଅନ୍ୟାୟ ସଂଘର୍ଷକୁ ନିମନ୍ତ୍ରଣ କରି ଆଣୁଛି ।’’

 

ଲୋହିଆଙ୍କ ଉପସ୍ଥିତିରେ ଓ ତାଙ୍କ ପ୍ରେରଣାରେ ୧୯୫୪ ମେ ୧୩ ଓ ୧୪ ତାରିଖ ଦିନ ଉତ୍ତରପ୍ରଦେଶ ପ୍ରଜା–ସୋସାଲିଷ୍ଟ ପାର୍ଟିର କାର୍ଯ୍ୟକାରିଣୀ ସମିତି ନିର୍ଣ୍ଣୟ କଲା ଯେ ଉତ୍ତରପ୍ରଦେଶର କେନାଲ କର ବୃଦ୍ଧି ବିରୋଧରେ ସବିନୟ ଅବଜ୍ଞା ଆରମ୍ଭ କରାଯାଉ ।

 

ଲୋହିଆଙ୍କ ଆହ୍ୱାନ ଫଳରେ ଆନ୍ଦୋଳନ ଆରମ୍ଭ ହେଲା । ଜୁନ୍‌ ୧୯୫୪ ସୁଦ୍ଧା ୧୨ଟି ଜିଲ୍ଲାରୁ ପନ୍ଦର ଶହରୁ ଅଧିକ ଲୋକ ଗିରଫ୍ ହୋଇଗଲେ । ସମଗ୍ର ପ୍ରଦେଶରେ ଗୋଟାଏ ଚିତ୍କାର ଥିଲା–

 

‘‘ଆମେ ଜଳକର ଦେବୁ ନାହିଁ ।’’

 

ଜେଲ ଯିବା ଲୋକଙ୍କ ମନରେ ସାହସ ବାନ୍ଧି ରଖିବାପାଇଁ ଲୋହିଆ କହିଥିଲେ–‘‘କିଛି ସମୟ ପୂର୍ବେ ଆରୌସ୍କାବ ଡ୍ରାବନି ନାମକ ଜଣେ ଖେଳାଳି ଦୀର୍ଘ ଦଶବର୍ଷ ଧରି ଚେଷ୍ଟା କଲା ପରେ ସେଇ ବର୍ଷ ଟେନିସ୍‌ରେ ଚମ୍ପିୟାନ ହୋଇପାରିଥିଲେ । ଦୀର୍ଘ ନଅବର୍ଷ କାଳ ପରାସ୍ତ ହୋଇ ମଧ୍ୟ ସେ ସାହସ ହରାଇ ନଥିଲେ । ସେଇଠୁଁ ଏଇ ଶିକ୍ଷା ନିଆଯାଇପାରେ ଯେ ଯେତେ ପରାସ୍ତ ହେଲେ ମଧ୍ୟ ମନ ଯଦି ଦୃଢ଼ ରହେ, ତେବେ ଦିନେ ନା ଦିନେ ଅବଶ୍ୟ ବିଜୟ ହାସଲ ହୋଇପାରିବ ।’’

 

ସମଗ୍ର ଉତ୍ତରପ୍ରଦେଶ ଭିତରେ ବୁଲି ବୁଲି ଲୋହିଆ ବିପ୍ଳବର ନିଆଁ ଲଗେଇଦେଲେ । ଗୋଟାଏ ଭାଷଣରେ ସେ କହିଲେ–‘‘ସରକାର ଜଳକର ଦୁଇ ଗୁଣରୁ ସାତ ଗୁଣକୁ ବଢ଼ାଇ ଦେଇଛନ୍ତି । ବୃଦ୍ଧି ଜଳକର ନ ଦେଇ କୃଷକମାନେ ଏଇ ଜୁଲମ ବିରୋଧରେ ଲଢ଼ିବା ଉଚିତ ।’’ ....ସରକାର ମନରେ ଜିଦ୍‌ ଉଠିଚି । ଦିନେ ଲକ୍ଷ୍ନୌରେ ପୋଲିସ୍ ଓ ଛାତ୍ରମାନଙ୍କ ମଧ୍ୟରେ ହୋରିଖେଳ ହୋଇଗଲା । ପୋଲିସ୍ ସବୁବେଳେ ଲାଠି, ଗୁଳି ଏବଂ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରେ; କିନ୍ତୁ ପୋଲିସ୍ ସେଦିନ ନିଜ ଭ୍ୟାନ୍‌ରେ ଟେକାପଥର ବୋଝେଇ କରି ଆଣି ଛାତ୍ରମାନଙ୍କ ଉପରକୁ ଫିଙ୍ଗିଥିଲା ।

 

ଏଇ ସୁଯୋଗରେ ଲୋହିଆ ‘‘ବାଣୀ–ସ୍ୱତନ୍ତ୍ରତା’’ ପାଇଁ ମଧ୍ୟ ଲଢ଼େଇ ଆରମ୍ଭ କରିଦେଲେ । ନିଜର ହକ୍‌ ଦାବି ହାସଲପାଇଁ ଜନତାଙ୍କୁ ମୃତ୍ୟୁ ଆଲିଙ୍ଗନ କରିବା ପର୍ଯ୍ୟନ୍ତ ଲଢ଼େଇ କରିବାକୁ ସେ ଉଦ୍‌ବୋଧନ ଦେଲେ ।

 

୪ ଜୁଲାଇ ୧୯୫୪ ।

 

ଗୋଟାଏ ଦିନରେ ଲୋହିଆ କାୟମଗଞ୍ଜ ଏବଂ ଫାରୁଖାବାଦରେ ଦୁଇଟି ଭାଷଣ ଦେଲେ । ସେଇ ରାତିରେ ଲୋହିଆ ଯେତେବେଳେ ଜଣକ ଘରେ ଭୋଜନ କରୁଥିଲେ, ତାଙ୍କୁ ଗିରଫ୍ କରାଗଲା ଏବଂ ତାଙ୍କୁ ନେଇ ଫାରୁଖାବାଦ ଜେଲ ଭିତରେ ବନ୍ଦକରି ଦିଆଗଲା ।

 

ଠିକ୍‌ ଦିଦିନ ପରେ ମୋକଦ୍ଦମା ଚଳାଇବା ପାଇଁ ମାଜିଷ୍ଟ୍ରେଟ ଜେଲ ଭିତରକୁ ଆସିଲେ-। ଜେଲର ସରହଦ ଭିତରେ ମୋକଦ୍ଦମା ଚଳେଇବାର ଏଇ ପ୍ରଣାଳୀକୁ ଲୋହିଆ ଘୋର ବିରୋଧ କରିଥିଲେ । ସେ ଉଚ୍ଚ ନ୍ୟାୟାଳୟକୁ ଅର୍ଜି ଦେଲେ ଯେ, ଆଇନ ଅନୁସାରେ ଏ ମୋକଦ୍ଦମା ଉଚ୍ଚ ନ୍ୟାୟାଳୟରେ ହେବା ଦରକାର । ଉଚ୍ଚ ନ୍ୟାୟାଳୟ ତାଙ୍କ ଦରଖାସ୍ତଟିକୁ ମଞ୍ଜୁର କରିଦେଲେ-

 

ତା’ପରେ ଲୋହିଆ ଜୁଲାଇ ୯ ତାରିଖ ଦିନ ‘‘ଭାଷଣପାଇଁ ଗିରଫ୍‍ଦାରିର ଅନୈତିକତା’’ ଏବଂ ‘‘ଆପଣା ନ୍ୟାଯ୍ୟ ଦାବି ନିମନ୍ତେ ଲଢ଼େଇର ଆଇନଗତ ମାନ୍ୟତା’’ ଆଦି କେତୋଟି ପ୍ରଶ୍ନକୁ ନେଇ ‘‘ହେଭିୟସ୍‌ କର୍‌ପସ୍‌’’ ଦରଖାସ୍ତ ଏହ୍ଲାବାଦ ହାଇକୋର୍ଟରେ ନିଜ ସହଯୋଗୀ ଧର୍ମବୀର ଗୋସ୍ୱାମୀଙ୍କ ମାର୍ଫତ୍‌ରେ ଦେଲେ ।

 

ଲୋହିଆଙ୍କୁ ଜୁଲାଇ ୨୧ ତାରିଖରେ ନୈନି ଜେଲକୁ ଅଣାଗଲା । ରାସ୍ତାରେ ଏହ୍ଲାବାଦ ଷ୍ଟେସନ୍‍ରେ ତାଙ୍କ ବନ୍ଧୁ, ପାର୍ଟିର କର୍ମକର୍ତ୍ତା ତଥା ସାମ୍ବାଦିକମାନେ ତାଙ୍କୁ ଘେରି ଯାଇଥିଲେ । ସେଇଠି ଲୋହିଆ ନିଜର ବକ୍ତବ୍ୟ ଦେଇଥିଲେ–‘‘ସର୍ଦ୍ଦାର ପଟେଲ ରାଜନୀତିକ ନେତାମାନଙ୍କୁ ଗିରଫ୍ କଲା ପରେ ଅତି କମ୍‌ ପକ୍ଷରେ ନୀରବ ରହିବାର ଭଦ୍ରାମି ଦେଖାଉଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ସମସ୍ତ ଘଟଣା ଉପରେ କିଛି କହିବା ଯେମିତି ନିହାତି ଆବଶ୍ୟକ ହୋଇପଡ଼ିଛି । ତାଙ୍କର ମନେରଖିବା ଉଚିତ ଯେ ଆଜି ସେମାନେ ଯେଉଁ ଶୀର୍ଷସ୍ଥାନରେ ପହଞ୍ଚି ପାରିଛନ୍ତି, ସେଇଠି ତାଙ୍କୁ ନେଇ ବସେଇବାରେ ଆମର ମଧ୍ୟ ହାତ ଅଛି । ଯେଉଁମାନଙ୍କୁ ତାଙ୍କ ଭାଗ୍ୟ ଏବଂ ଗାନ୍ଧିଜୀ ଗୋଟାଏ ସ୍ଥାନକୁ ଉଠେଇ ଦେଇଛନ୍ତି, ସେମାନେ ପ୍ରକୃତରେ ଖୁବ୍‌ ଛୋଟଲୋକ ଏବଂ ଇତିହାସ ଏମାନଙ୍କ ବିଷୟରେ ଅବିକଳ ଏଇଆ ଲେଖିବ ।’’

 

ସେତେବେଳେ ପ୍ରଧାନମନ୍ତ୍ରୀ ନେହେରୁ କହିଲେ ଯେ ସ୍ୱାଧୀନ ଦେଶରେ ସତ୍ୟାଗ୍ରହର କୌଣସି ସ୍ଥାନ ନାହିଁ ।

 

ଏଇ ସନ୍ଦର୍ଭରେ ନୈନି ଜେଲରୁ ଲୋହିଆ ରାଷ୍ଟ୍ରପତିଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିଲେ–ଏହା ଏକ ଐତିହାସିକ ରାଜନୀତିକ ଦସ୍ତାବିଜ ।

 

ଲୋହିଆ ସେଇ ଚିଠିରେ ଲେଖିଥିଲେ–

 

‘‘.....ମୋର କେବଳ ଦୁଇଟି ଇଚ୍ଛା ଅଛି–ଏକ, ବିନା ‘ପାସ୍‌ପୋଟ୍’’ରେ ସାରା ବିଶ୍ୱ ଭ୍ରମଣ କରିବା ଏବଂ ଅନ୍ୟଟି ହେଲା–ଆପଣଙ୍କ ପ୍ରଧାନମନ୍ତ୍ରୀ ଦୀର୍ଘ ଦିନପାଇଁ ବଞ୍ଚିରହନ୍ତୁ–କାହିଁକି ନା ସେ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଥିବା କାରଣରୁ ଜନତା ପୁଣି ତାଙ୍କୁ ଥରେ ଜେଲ ପଠେଇବାର ସୁଯୋଗ ପାଉ ।’’

 

ଠିକ୍‌ ସେତିକିବେଳେ ବ୍ରିଟିଶ ବାମପନ୍ଥୀ ନେତା ଫ୍ରେନର୍‌ ବ୍ରେକଓ୍ୱେ ନେହେରୁଙ୍କୁ ଲେଖିଲେ–‘‘ଲୋହିଆ ଏବଂ ଅନ୍ୟାନ୍ୟ ପନ୍ଦର ଶହ ଲୋକ ଗିରଫ୍ ହୋଇଥିବା ଯୋଗୁଁ ଆମେ ଯେଉଁମାନେ କି ଭାରତର ସ୍ୱାଧୀନତା ସଂଗ୍ରାମକୁ ବଧେଇ ଜଣେଇଥିଲୁଁ, ଅଶାନ୍ତି ଅନୁଭବ କରୁଛୁଁ ।

 

ସେଦିନ ଏହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଏତେଦୂର ଭିଡ଼ ହେଲା ଯେ ସୋରିଷ ପକେଇବାକୁବି ଜାଗା ନଥିଲା । ତାହା ଥିଲା ୨୬ ଜୁଲାଇ ୧୯୫୪ର ଐତିହାସିକ ଦିନ ।

 

ସେଦିନ ଥିଲା ଜନତାର ହକ୍ ଦାବିପାଇଁ ଲଢ଼ୁଥିବା ଜନନାୟକ ଲୋହିଆଙ୍କ ମୋକଦ୍ଦମାର ଆରମ୍ଭ ଦିବସ । ଜନତା ମନରେ ଅସୁମାରି ଆଗ୍ରହ ।

 

ପୋଲିସ୍‌ ପହରା ଭିତରେ ବିପ୍ଳବୀ ଲୋହିଆଙ୍କୁ ଅଦାଲତରୁ ଅଣାଗଲା । ମୋକଦ୍ଦମା ବିଚାରପତି ଶ୍ରୀ ମିଶ୍ରିଲାଲ ଚତୁର୍ବେଦୀ ଏବଂ ବିଚାରପତି ଶ୍ରୀ ଏମ: ସି: ଦେଶାଇଙ୍କ ‘‘ଡିଭିଜନ୍ ବେଞ୍ଚ’’ ସମ୍ମୁଖରେ ଥିଲା ।

 

ଦୁଇ ହଜାର ଦର୍ଶକ ଏବଂ ଦୁଇ ଜଣ ନ୍ୟାୟାଧୀଶଙ୍କ ସମ୍ମୁଖରେ ମୋକଦ୍ଦମାର ବିଚାର ଆରମ୍ଭ ହେଲା । ଆରମ୍ଭର ଦୁଇ ଦିନ ଭିତରେ ଲୋହିଆଙ୍କ ଓକିଲ ଶ୍ରୀ ସତୀଶଚନ୍ଦ୍ର ଖରେ ହେଭିୟସ୍‌ କର୍ପସର ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ ମାମଲାର ଭୂମିକା ପ୍ରସ୍ତୁତ କଲେ । ୨୭ ତାରିଖର କିଛି ସମୟପାଇଁ ଏବଂ ୨୮ ତାରିଖ ଦିନ ସରକାରଙ୍କ ମହାଧିବକ୍ତା (ଆଡ଼୍‍ଭୋକେଟ ଜେନେରାଲ) ଶ୍ରୀ କହ୍ନେୟାଲାଲ ମିଶ୍ର ଉତ୍ତର ଦେଲେ ।

 

ଏହା ପର ତାରିଖରୁ ଲୋହିଆଙ୍କ ଆବେଦନର ଶୁଣାଣି ଆରମ୍ଭ ହେଲା । ଲୋହିଆ କହିଲେ–‘‘ମୁଁ ଏଠିକି ଜଣେ ଦୋଷୀ ହିସାବରେ ଆସି ନାହିଁ, ସରକାର ଦୋଷ ଆରୋପ କରିଛନ୍ତି । ଭାଷଣ ଦେବା କାରଣରୁ ମୁଁ ପ୍ରଥମ ଥରପାଇଁ ଗିରଫ୍ ହୋଇଛି । ୧୯୩୨ ସାଲର ‘ସ୍ପେଶାଲ ପାଓ୍ୱାର ଆକ୍‌ଟ’ ଯାହା ବଳରେ ମୋତେ ଗିରଫ୍ କରାଯାଇଛି–ତାହା ଭାରତୀୟ ସମ୍ବିଧାନର ଖିଲାପ କରୁଛି । ଏହା ସାମ୍ରାଜ୍ୟବାଦୀ ଶସ୍ତ୍ରାଗାରରୁ ଅଣାଯାଇଥିବା ଗୋଟାଏ ନଗ୍ନ ଖଡ଼୍‌ଗ ଛଡ଼ା ଆଉ କିଛି ହୋଇ ନ ପାରେ । ସ୍ୱାଧୀନ ଦେଶର ସ୍ୱଚ୍ଛନ୍ଦତାର ପରିବେଶ ଭିତରେ ଏଭଳି କାନୁନ ରହିବାହିଁ ଅନୁଚିତ । ସ୍ୱାଧୀନ ସଂସଦ ତାକୁ ଏପର୍ଯ୍ୟନ୍ତ ମଞ୍ଜୁର କରି ନାହାନ୍ତି । ....ଜେଲ୍‍ଖାନା ପ୍ରତି ମୋର ଆନ୍ତରିକ ଘୃଣା ଅଛି । କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଅତ୍ୟାଚାରୀ ସମଗ୍ର ଦୁନିଆ ଭିତରେ ଛାଇ ହୋଇ ରହିଥିବେ, ଜେଲ୍‍ଖାନାକୁ ଆନ୍ତରିକ ଘୃଣା କରୁଥିବା ଲୋକମାନଙ୍କଦ୍ୱାରାହିଁ ଜେଲ୍‍ଖାନା ପୂର୍ଣ୍ଣ ହୋଇଯିବ..... ।

 

ଲୋହିଆ ଯେତେବେଳେ ନିବେଦନ ଶେଷ କଲେ, ସେତେବେଳେ ଅଦାଲତର ବାହାରେ ଏବଂ ଭିତରେ ଛିଡ଼ା ହୋଇଥିବା ଜନତା ଏପରି ଭାବରେ ନୀରବ ରହିଥିଲେ, ଯେପରି କି ଯୁଗଯୁଗ ପରେ ସେମାନଙ୍କୁ ନ୍ୟାୟର ଏକ ଅପୂର୍ବ ପରୀକ୍ଷା ଦେଖିବାକୁ ମିଳିଛି । ଲୋକଙ୍କର ଆଗ୍ରହ ଚରମ ସୀମାରେ ପହଞ୍ଚି ଯାଇଥିଲା ।

 

ଲୋକେ ନିଷ୍ପତ୍ତି ଶୁଣିବାପାଇଁ ଅଧୀର ହୋଇ ପଡ଼ୁଥିଲେ ।

 

କିନ୍ତୁ ନିଷ୍ପତ୍ତିର ତିଥି ଘୋଷଣା କରାଗଲା ୧୨ ଅଗଷ୍ଟକୁ ।

 

କିନ୍ତୁ ଅଗଷ୍ଟ ୧୨ ତାରିଖରେ ମଧ୍ୟ ନିଷ୍ପତ୍ତି ହୋଇପାରିଲା ନାହିଁ । କାରଣ ଦୁଇ ବିଚାରପତିଙ୍କ ଭିତରେ ମତୈକ୍ୟ ନଥିଲା ।

 

ବିଚାରପତି ଦେଶାଇଙ୍କ ନିର୍ଣ୍ଣୟ ଥିଲା–ଜଳକର ପଇଠ ନ କରିବା କୌଣସି କାନୁନ ମୁତାବକ ଦୋଷ ନୁହେଁ ଏବଂ ‘ସ୍ପେଶାଲ ପାଓ୍ୱାର ଆକ୍‌ଟ’ (Special Power Act) ନିଃସନ୍ଦେହ ଭାବରେ ବାଣୀ–ସ୍ୱାତନ୍ତ୍ର୍ୟ ଅଧିକାର ଉପରେ ଆକ୍ରମଣ କରୁଛି ।’’

 

ବିଚାରପତି ଚତୁର୍ବେଦୀଙ୍କ ନିର୍ଣ୍ଣୟ ଥିଲା–‘‘ଆଇନ ଭଙ୍ଗ କରିବାର ଉପଦେଶ ସୁବ୍ୟବସ୍ଥାକୁ ଧ୍ୱଂସ କରିବା ଭଳି କାର୍ଯ୍ୟ ହେବ ଏବଂ ‘ସ୍ପେଶାଲ ପାଓ୍ୱାର ଆକ୍‌ଟ’ ଭାରତୀୟ ସମ୍ବିଧାନର ୧୯ ଧାରାର ନୂତନ ସଂଶୋଧନ ଧାରା ୨ ଅନୁସାରେ ସମର୍ଥନଯୋଗ୍ୟ ଅଟେ ।’’

 

ଜନତା ସ୍ତବ୍ଧ ।

 

ଆଘାତ ପାଇଲା ଭଳି ଦୁଇ ନ୍ୟାୟାଧୀଶଙ୍କ ଦୁଇ ବିରୋଧୀ ମତକୁ ଶୁଣି ସେମାନେ ବ୍ୟସ୍ତ ହୋଇପଡ଼ିଲେ । ବର୍ତ୍ତମାନ କ’ଣ ହେବ ?

 

ଶେଷରେ ଲୋହିଆଙ୍କ ଦରଖାସ୍ତ ତୃତୀୟ ନ୍ୟାୟାଧୀଶ ଶ୍ରୀ ଚନ୍ଦ୍ରଭାନ୍‌ ଅଗ୍ରଓ୍ୱାଲାଙ୍କ ସମ୍ମୁଖରେ ଫଇସଲା ପାଇଁ ପେଶ୍‌ କରାଗଲା ।

 

ଶ୍ରୀ ଖରେ ଓ ଶ୍ରୀ ମିଶ୍ରଙ୍କ ତର୍କ, ଲୋହିଆଙ୍କ ନିବେଦନ ଏବଂ ଦୁଇ ଜଣ ନ୍ୟାୟାଧୀଶଙ୍କ ଫଇସଲାର ଐତିହାସିକ କାଗଜପତ୍ର ବିଚାରପତି ଶ୍ରୀ ଅଗ୍ରଓ୍ୱାଲାଙ୍କ ସାମ୍ନାରେ ଥିଲା ।

 

ଆଜିବି ଅଦାଲତରେ ସୋରିଷ ପକାଇବାକୁ ଜାଗା ନଥିଲା ।

 

ଏଲାହାବାଦ ଜନତା ଭିତରେ କୌଣସି ଏକ ରାଜନୈତିକ ମୋକଦ୍ଦମା ପ୍ରତି ଏତେଟା ଆଗ୍ରହ ଏହା ଆଗରୁ କେବେ ଦେଖାଯାଇ ନଥିଲା ।

 

୨୪ ଅଗଷ୍ଟ, ୧୯୫୪ ।

 

ଲୋହିଆ ନିଜର ନିବେଦନ ପେଶ୍‌ କରିବା ଉପରେ ଥିଲେ ।

 

ଜନତା ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ।

 

ବିଚାରପତିଙ୍କ ଆଦେଶରେ ଲୋହିଆ କହିଲେ–‘‘ଗଣତନ୍ତ୍ରରେ ଆଇନ ନ ମାନିବା କିମ୍ବା କର ପଇଠ ନ କରିବାର ପ୍ରଚାର କୌଣସି ରାଜନୈତିକ ନେତା କହିଛନ୍ତି କି ନାହିଁ ? ମୁଁ ମାନବୀୟ ଇତିହାସର ତିନୋଟି ସବୁଠୁ ଉଲ୍ଲେଖନୀୟ ଉଦାହରଣକୁ ବାଛି ନେଇ କହୁଛି–ଭାରତ, ଆମେରିକା ଏବଂ ୟୁନାନ୍‌ । ଯେଉଁମାନଙ୍କ ଉଦାହରଣ ଦେବି ସେମାନେ ଏହି ଦେଶମାନଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତି ଥିଲେ । ସେମାନେ ନିଜର ଜୀବନ ଗରିବ ଭଳି କାଟିଥିଲେ ଏବଂ ତାଙ୍କର ବିଶ୍ୱାସ ଥିଲା ଯେ ବାଣୀ–ସ୍ୱାତନ୍ତ୍ର୍ୟ କେବଳ ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ ନୁହେଁ । ତିନି ଜଣଙ୍କ ଭିତରୁ ଦୁଇ ଜଣ ଭୟାନକ ମୃତ୍ୟୁକୁ ବରଣ କଲେ ଏବଂ ତୃତୀୟ ଜଣକ କମ୍ ପକ୍ଷରେ ଜେଲ ଭିତରେ ରହିଛି । ମୁଁ ସର୍ବପ୍ରଥମେ ସକ୍ରେଟିସ୍‌ଙ୍କ ବିଚାର କଥା ଉଲ୍ଲେଖ କରୁଛି ।

 

‘‘ଏଥେନ୍‌ସ ରାଜ୍ୟରେ ନୀତିଭ୍ରଷ୍ଟତାର ସମାଲୋଚନା ଯୋଗୁଁ ଏହି ମୋକଦ୍ଦମା ହୋଇଥିଲା । ସକ୍ରେଟିସ୍‌ଙ୍କୁ ମୃତ୍ୟୁଦଣ୍ଡ ମିଳିଲା । ଦଣ୍ଡବିଧାନ ପରେ ପରେ ସକ୍ରେଟିସ୍‌ଙ୍କ ବନ୍ଧୁମାନେ ତାଙ୍କୁ ଉଡ଼େଇ ନେଇ ଚାଲିଯିବାର ଗୋଟାଏ ଯୋଜନା କରିଥିଲେ । କିନ୍ତୁ ସକ୍ରେଟିସ୍‌ ତାହା ମାନିଲେ ନାହିଁ । କାହିଁକି ନା, ତାହା କରିବାକୁ ସେ ଆଇନଭଙ୍ଗ ବୋଲି ମାନୁଥିଲେ । ସକ୍ରେଟିସ୍‌ ସର୍ବଦା ଖରାପ ଏବଂ ଅନ୍ୟାୟପୂର୍ଣ୍ଣ ଆଇନଭଙ୍ଗ କରିବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ ଦୂଷିତ ଏବଂ ଅନ୍ୟାୟୀ ଆଇନ ଭଙ୍ଗ କରିବାକୁ ଚାହୁଁଥିଲେ, ସେମାନଙ୍କ ମଧ୍ୟରେ ସେ ପ୍ରାୟ ପ୍ରଥମ ଏବଂ ଅଗ୍ରଣୀ ଥିଲେ । ....ସେ ସମସ୍ତ ଆଇନ ଭଙ୍ଗ କରିବାକୁ ଚାହୁଁ ନଥିଲେ । ସେ ବୋଧେ ପ୍ରଥମ ବ୍ୟକ୍ତି ଥିଲେ, ଯେ କି ଦୃଢ଼ତାର ସହ ଉତ୍ତର ଦେଇଥିଲେ । ଯେ ଯଦି ଆଇନ ପ୍ରଗତିଶୀଳ ଏବଂ ସୁବ୍ୟବସ୍ଥିତ ସମାଜର ମୂଳଭିତ୍ତି ହୋଇପାରିବ, ତେବେ ତା’ର ସମ୍ମାନ କରିବା ଉଚିତ.... ।

 

‘‘ମୁଁ ବର୍ତ୍ତମାନ ହେନେରୀ ଡେଭିଡ଼୍‌ ଥୋରୋଙ୍କ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରୁଛି । ଆମେରିକାରେ ସେ କର ପଇଠ ନ କରିବାକୁ ପ୍ରଚାର ଆରମ୍ଭ କରିଦେଲେ । ତାଙ୍କର ରାୟ ଥିଲା ଯେ ଯଦି ‘ଜନତନ୍ତ୍ର’ ବହୁମତ ଉପରେ ନିର୍ଭର କରେ ଏବଂ ଜନତାଙ୍କୁ ପାଞ୍ଚବର୍ଷରେ ଥରେ ମତଦାନ ଦେବାକୁ ସୁଯୋଗ ମିଳେ ତାହାହେଲେ ବ୍ୟକ୍ତି–ସ୍ୱାତନ୍ତ୍ର୍ୟ ନିରର୍ଥକ ହୋଇଯିବ । ....ଥୋରୋ ଏହା ମଧ୍ୟ କହିଛନ୍ତି ଯେ ସମର୍ଥନ ଦେଉଥିବା ଶତକଡ଼ା ୯୯ ଲୋକଙ୍କ ମୁକାବିଲାରେ ବିରୋଧ କରୁଥିବା ଜଣେ ଲୋକ ସଚ୍ଚୋଟ ହୋଇପାରେ ।

 

‘‘ତୃତୀୟ ବ୍ୟକ୍ତି ହେଉଛନ୍ତି ମହାତ୍ମା ଗାନ୍ଧି । ମୋର ବିଶ୍ୱାସ ଯେ ସେ କେବଳ ଭାରତପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱପାଇଁ ଗତ ପାଞ୍ଚ ଶହ ବର୍ଷ ଭିତରେ ସର୍ବଶ୍ରେଷ୍ଠ ରାଜନୈତିକ ବ୍ୟକ୍ତି ଅଟନ୍ତି । ....ସେ କହିଥିଲେ ଯେ କର ପଇଠ ନ କରିବା ଜନତାର ସବୁଠୁ ପୁରୁଣା, ସହଜ ଏବଂ ଜନ୍ମସିଦ୍ଧ ଅଧିକାର ଅଟେ । ....ଥରେ ଗାନ୍ଧିଜୀଙ୍କ ସହିତ ମୋର କଥାବାର୍ତ୍ତା ହୋଇଥିଲା, ମୁଁ ଏବଂ ମୋ ସାମ୍ନାରେ ଅନ୍ୟ କେତେକ ଲୋକ ମଧ୍ୟ ତାଙ୍କର ଏକ ବିଶିଷ୍ଟ ନୀତିକୁ ଗ୍ରହଣ କରିପାରୁ ନଥିଲୁ; ତଥାପି ଆମେ ଚାହୁଁଥିଲୁ ଯେ ତାଙ୍କର ‘ସତ୍ୟାଗ୍ରହ’ ଅସ୍ତ୍ର ଯୁଗଯୁଗ ଧରି ସମଗ୍ର ବିଶ୍ୱରେ ପ୍ରସାର ହୋଇଯାଉ । ଯଦି ଅନ୍ୟ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ ନ କହେ, ତେବେ ତା’ର ଅର୍ଥ ଏହା ନୁହେଁ ଯେ ମୋ ପାଖରେ ଆଉ କୌଣସି ଉଦାହରଣ ନାହିଁ । ମୁଁ ସନ୍ଥ ଭିତରେ ପ୍ରହଲ୍ଲାଦ ଏବଂ ଜ୍ଞାନୀଙ୍କ ଭିତରେ ଚାର୍ବାକ୍‌ଙ୍କୁ ଉଲ୍ଲେଖ କରୁଛି । କିନ୍ତୁ ଏହି ପରମ୍ପରାକୁ ଆମେ କାର୍ଯ୍ୟକ୍ଷେତ୍ରରେ ଚଳେଇ ରଖିପାରିଲୁ ନାହିଁ । ସକ୍ରେଟିସ୍‌ଙ୍କଠାରୁ ଗାନ୍ଧିଙ୍କ ପର୍ଯ୍ୟନ୍ତ–ମାନବିକତା ଏକ ଦୀର୍ଘ କଣ୍ଟକମୟ ପଥ ଅତିକ୍ରମ କରି ଯାଇଛି ଏବଂ ଗାନ୍ଧିଜୀ ସତ୍ୟାଗ୍ରହ ରୂପକ ଏକ ମହାନ୍‌ ରାଜନୈତିକ ଅସ୍ତ୍ର ଦେଇ ଯାଇଛନ୍ତି । ....ସକ୍ରେଟିସ୍‌, ଥୋରୋ ଏବଂ ଗାନ୍ଧି ଆଇନର ପ୍ରତିରୋଧ କରିବାପାଇଁ ଉତ୍ତେଜନା ସୃଷ୍ଟି କରିବା ବ୍ୟକ୍ତି ଥିଲେ ।

 

‘‘ସକ୍ରେଟିସ୍‌, ଥୋରୋ, ଗାନ୍ଧି ଏବଂ ତାଙ୍କ ଭଳି ଅନ୍ୟ ଲୋକମାନେ ଯେତେବେଳେ ଆଇନର ସବିନୟ ଅବଜ୍ଞା କରନ୍ତି, ସେତେବେଳେ ସେମାନେ ନିଜ କର୍ମ ଜରିଆରେ ମିଳୁଥିବା ଦଣ୍ଡକୁ ସହଜରେ ହଜମ କରିଯାନ୍ତି । ଏଇ ତିନି ଜଣ ଅସଂଖ୍ୟ ଲୋକଙ୍କୁ ଆଇନ ଭଙ୍ଗ କରିବାକୁ ଉତ୍ତେଜନା ଦେଇ ଯାଇଛନ୍ତି । ତାଙ୍କ ପ୍ରଚାର ମଧ୍ୟ ତାଙ୍କ ରଚନା ଭିତରେ ମହଜୁଦ୍‌ ହୋଇ ରହିଛି । ଯଦି ଏଇ ତିନି ମହାମାନବ ନିଜ ନିଜ ପୁସ୍ତକ ମାଧ୍ୟମରେ ଜନତାଙ୍କୁ ଆଇନ ଭଙ୍ଗ କରିବାକୁ ସର୍ବଦା ଉତ୍ତେଜନା ଦେଇ ଆସିଛନ୍ତି, ତେବେ ଆପଣଙ୍କ ନ୍ୟାୟର ସମ୍ବନ୍ଧ ଏହା ସହିତ ରହିବା ଉଚିତ ।

 

‘‘ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ମାନବମସ୍ତିଷ୍କର ବିଶାଳତା ଦୃଷ୍ଟିରୁ ଆଜିର ସର୍ବଶ୍ରେଷ୍ଠ ଜୀବିତ ବ୍ୟକ୍ତି ଅଟନ୍ତି । ସେ ଆମେରିକାନ୍‌ମାନଙ୍କୁ କହିଥିଲେ ଯେ ଯେଉଁ ଆଇନଦ୍ୱାରା କମ୍ୟୁନିଷ୍ଟ ପାର୍ଟିର ସଭ୍ୟମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ଲୋକମାନଙ୍କୁ ସେମାନଙ୍କ ବିଷୟରେ ତଥ୍ୟ ପ୍ରକାଶ କରିବାପାଇଁ ବାଧ୍ୟ କରାଯାଇଛି, ଏଭଳି ଆଇନକୁ ଶାନ୍ତିପୂର୍ଣ୍ଣ ଉପାୟରେ ଭଙ୍ଗ କରିବା ଉଚିତ ।

 

‘‘ଯଦି ସତ୍ୟାଗ୍ରହର ସିଦ୍ଧାନ୍ତକୁ ଅସ୍ୱୀକାର କରାଯାଏ, ତେବେ ଜନତନ୍ତ୍ରରେ ସାମୁଦାୟିକ ପ୍ରତିକାର ପାଇଁ ରାସ୍ତା ବନ୍ଦ ହୋଇଯିବ ଏବଂ ଏପରି ଅବସ୍ଥାରେ ସଶସ୍ତ୍ର ବିଦ୍ରୋହପାଇଁ ବାଟ ଫିଟିଯିବ ।

 

‘‘.....ମୁଁ ହେଉଛି ପ୍ରଥମ ସତ୍ୟାଗ୍ରହୀ, ଯାହାଙ୍କ ବିରୁଦ୍ଧରେ ସତ୍ୟାଗ୍ରହ ପ୍ରଚାରର ଅଭିଯୋଗରେ ମକଦ୍ଦମା ପେଶ୍‌ କରାଯାଇଛି । ମୁଁ କୌଣସି ପ୍ରକାର ଆଇନ ଭଙ୍ଗ କରିବାପାଇଁ ପ୍ରଚାର ମାତ୍ର କରିଛି । ମୁଁ ଆଜିକି ପଚାଶ ଦିନ ହେଲା ଜେଲ୍‌ରେ ରହିଛି । ‘ହେଭିୟସ କର୍‌ପସ୍’ ଅର୍ଜିର ଅତିଶୀଘ୍ର ଫଇସଲା ହେବାପାଇଁ କିଛି ନିୟମ ହେବା ଦରକାର । ମୁଁ ଜାଣେ ନାହିଁ ଯେ ବିଚାରପତି ଶ୍ରୀ ଅଗ୍ରଓ୍ୱାଲାଙ୍କ ଫଇସଲା ପାଇଁ ଆଉ ଏମିତି କେତେଦିନ ଲାଗିବ ?’’

 

ଅଦାଲତରେ ଉପସ୍ଥିତ ଥିବା ଭାରତୀୟ ଜନତନ୍ତ୍ରର ସମସ୍ତ ନାଗରିକ ଅଣନିଃଶ୍ୱାସୀ ହୋଇ ବିଚାରପତି ଶ୍ରୀ ଅଗ୍ରଓ୍ୱାଲାଙ୍କ ନିଷ୍ପତ୍ତିର ପ୍ରତୀକ୍ଷାରେ ମୁଣ୍ଡ ଟେକି ଚାହିଁ ରହିଲେ ।

 

ବିଚାରପତି ଶ୍ରୀ ଅଗ୍ରଓ୍ୱାଲା ନିଜ ଫଇସଲା ଶୁଣେଇଲେ–

 

‘‘୧୯୩୨ ସାଲର ‘ସ୍ପେଶାଲ ପାଓ୍ୱାର ଆକ୍‌ଟ’ (Special Power Act)ର ୩ ଧାରା ୧୯୫୦ ସାଲର ଭାରତୀୟ ସମ୍ବିଧାନର ଠିକ୍‌ ବିପରୀତ ଅଟେ ଏବଂ ଏଇ ‘ଆକ୍‌ଟ’ ଯୋଗୁଁ ଯେଉଁ ପ୍ରତିବନ୍ଧକ ଲଗାଯାଇଛି, ତାହା ସାର୍ବଜନୀନ ସୁବ୍ୟବସ୍ଥାର ଘୋର ବିରୋଧୀ ଅଟେ । .....ମୁଁ ସ୍ୱୀକାର କରୁଛି ଯେ ଆଇନର ପାଳନ କରିବା ସଫଳ ଜନତନ୍ତ୍ରର ଏକ ମୌଳିକ ବନ୍ଧନ ଅଟେ । ...ଜନତନ୍ତ୍ରରେ କେହି ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି କିମ୍ବା ପାର୍ଟି ଆଇନଭଙ୍ଗ କରିବାପାଇଁ ଅକାରଣ ଉତ୍ସାହ ଦେବେ ନାହିଁ । ....ସକ୍ରେଟିସ୍‌, ଯାହାଙ୍କ ଉପରେ ଯୁବକମାନଙ୍କୁ ନୀତିଭ୍ରଷ୍ଟ କରାଇବା, ଦେଶର ଆଇନ ଭଙ୍ଗ କରିବାକୁ ଉତ୍ତେଜିତ କରିବା ଆରୋପ ଲଗାଯାଇଥିଲା, ସେ ବିଚାର ଏବଂ ଭାଷଣସ୍ୱାତନ୍ତ୍ର୍ୟ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ନିଜର ମୋକଦ୍ଦମା ସମୟରେ ସେ କହିଥିଲେ ଯେ......‘ଏଥେନ୍‌ସର ଲୋକେ ! ମୁଁ ଆପଣମାନଙ୍କୁ ସମ୍ମାନ ଦେଉଛି, କିନ୍ତୁ ଆପଣଙ୍କ ବଦଳରେ ଭଗବାନଙ୍କ ଆଦେଶକୁ ପାଳନ କରିବି, ଯେହେତୁ ଏହା ଈଶ୍ୱରଙ୍କ ଆଦେଶ ଏବଂ ମୋର ବିଶ୍ୱାସ ଯେ ଈଶ୍ୱରଙ୍କ ସେବାଠାରୁ ଆହୁରି ଭଲ କଥା କିଛି ଥାଇ ନ ପାରେ । ହତ୍ୟାଦ୍ୱାରା ଆପଣମାନେ ନିଜର ପାପୀ–ଜୀବନର ନିନ୍ଦା ଓ ସମାଲୋଚନାକୁ ବନ୍ଦ କରିଦେଇପାରିବେ, ଏହା ମାନିବା ଭୁଲ । ନିଜର ସୁରକ୍ଷାପାଇଁ ଏହା ସମ୍ମାନପୂର୍ଣ୍ଣ ବାଟ ନୁହେଁ ।’ ....ଥୋରୋ ମଧ୍ୟ କହିଛନ୍ତି–‘ଆଇନ କେତେବେଳେ ମଧ୍ୟ ଲୋକଙ୍କୁ ଅଧିକ ନ୍ୟାୟବାନ୍‌ କରିପାରି ନାହିଁ ।’

 

୧୯୧୮ ସାଲର ‘ହଣ୍ଟର କମିଟି’ ସାମ୍ନାରେ ନିଜର ଲିଖିତ ନିବେଦନରେ ଗାନ୍ଧିଜୀ ସତ୍ୟାଗ୍ରହର ସିଦ୍ଧାନ୍ତ ନିମ୍ନମତେ ପେଶ୍‌ କରିଥିଲେ–

 

‘‘ଆଇନ ଭଙ୍ଗ କରୁଥିବା ଲୋକ ଆଇନକୁ ଚାଲ୍‍ବାଜିଦ୍ୱାରା ଭଙ୍ଗ କରେ ଏବଂ ଦଣ୍ଡକୁ ଏଡ଼ିବାପାଇଁ ଚେଷ୍ଟା କରେ; କିନ୍ତୁ ସତ୍ୟାଗ୍ରହ କରୁଥିବା ଲୋକେ କେବେ ଏପରି କରେ ନାହିଁ । ଯେଉଁ ରାଜ୍ୟରେ ସେ ରହେ, ସେଠିକା ଆଇନକୁ ସେ ସର୍ବଦା ପାଳନ କରେ । କେବଳ ସୁରକ୍ଷା ଭୟରେ ନୁହେଁ, ବରଂ ସେ ସ୍ୱୀକାର କରେ ଯେ ଆଇନ ସମାଜର କଲ୍ୟାଣପାଇଁ ନୁହେଁ, ବରଂ ସେ ସ୍ୱୀକାର କରେ ଯେ ଆଇନ ସମାଜର କଲ୍ୟାଣପାଇଁ ଭଲ; କିନ୍ତୁ ଏଭଳି ପରିସ୍ଥିତି ଉପୁଜେ, ଯେଉଁଠି ସେ ଆଇନପାଳନକୁ ଆଇନର ଅସମ୍ମାନ ବୋଲି ମନେକରେ । ସେଇଠି ସେ ପ୍ରକାଶ୍ୟରେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ତାକୁ ଭଙ୍ଗକରେ ଏବଂ ଧୈର୍ଯ୍ୟ ସହକାରେ ସେ ଆଇନ ଭଙ୍ଗପାଇଁ ଦିଆଯାଉଥିବା ଦଣ୍ଡକୁ ସ୍ୱୀକାର କରିଯାଏ । ...ଏଭଳି ଆଇନଭଙ୍ଗ କରି ସରକାରଙ୍କ ସହ ଅସହଯୋଗ କରେ । ଆଇନ ଭଙ୍ଗ କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯାଇପାରେ, ତେବେବି ଏହା ଅତି ଆବଶ୍ୟକ ନୁହେଁ ଯେ ଆଇନ ଭଙ୍ଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ । ପ୍ରତ୍ୟକ୍ଷ ଆଇନ ଭଙ୍ଗ ଏବଂ ଆଇନଭଙ୍ଗକୁ ଉତ୍ସାହିତ କରିବା ଭିତରେ ପ୍ରଭେଦ ରହିଛି । ଆଇନଭଙ୍ଗକୁ ଉତ୍ସାହିତ କରିବା ଭାଷଣ ଏବଂ ସ୍ୱାତନ୍ତ୍ର୍ୟ ଅଧିକାରର ପ୍ରତ୍ୟକ୍ଷ କୃତି ଅଟେ ଏବଂ ଏଇ ଅଧିକାରକୁ ଭାରତୀୟ ସମ୍ବିଧାନର ଧାରା ୧୯ର ଦ୍ୱିତୀୟ ପଂକ୍ତିରେ ଉଲ୍ଲିଖିତ ନିୟମ ଭିତରେହିଁ ନିୟନ୍ତ୍ରିତ କରାଯାଇପାରେ ।

 

‘‘ମୋ ଦୃଷ୍ଟିରେ ଆମର ସମ୍ବିଧାନ ପ୍ରତ୍ୟେକ ଭାରତୀୟ ନାଗରିକ ପାଇଁ ସତ୍ୟାଗ୍ରହ ବା ଆଇନ–ଅମାନ୍ୟର ପ୍ରଚାରର ଅଧିକାରକୁ ସଂରକ୍ଷିତ କରୁଛି–ଧାରା ୧୯ର ୨ରେ ଥିବା ଉଲ୍ଲେଖନୀୟ ନିୟମକୁ ଛାଡ଼ି ।’’

 

ବିଚାରପତି ଅଗ୍ରଓ୍ୱାଲାଙ୍କ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ଫଇସଲା ପରେ ଲୋହିଆ ଅଗଷ୍ଟ ୨୦ ତାରିଖରେ ଖଲାସ ହୋଇଗଲେ । ଅଦାଲତ ସରକାରଙ୍କୁ ଟ୫୦୦.୦୦ ଖର୍ଚ୍ଚ ଦେବାକୁ ମଧ୍ୟ ଆଦେଶ ଦେଲେ ।

 

ନ୍ୟାୟର ଏହା ଏକ ସର୍ବୋଚ୍ଚ ଉଦାହରଣ ଥିଲା । ଜନତନ୍ତ୍ରର ପ୍ରତିଷ୍ଠା ବଢ଼ିଲା । ନ୍ୟାୟ ଆଜି ହୋଇଗଲା ଯଶସ୍ୱୀ ।

 

ମୁକ୍ତ ବ୍ୟକ୍ତି ଭାବରେ ଲୋହିଆ ଯେତେବେଳେ ଅଦାଲତର ବାହାରକୁ ଆସିଲେ, ପ୍ରଫୁଲ୍ଲିତ ଏବଂ ଉଲ୍ଲସିତ ଜନତାର ଭିଡ଼ ତାଙ୍କୁ ନିଜ ଭିତରେ ହଜେଇ ଦେବାକୁ ଚାହିଁଲା ।

 

ଲୋହିଆଙ୍କୁ ମୁକ୍ତି ମିଳିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଦେଢ଼ ହଜାର ସତ୍ୟାଗ୍ରହୀଙ୍କୁ ମଧ୍ୟ ମୁକ୍ତ କରି ଦିଆଗଲା ।

 

ଆଜି ଜନତାକୁ ମିଳିଥିଲା ଜନତନ୍ତ୍ରର ଏକ ବୁନିଆଦୀ ଅଧିକାର ।

 

ମକଦ୍ଦମା ଚାଲିଥିବାବେଳେ ଲକ୍ଷ୍ନୌ ବିଧାନସଭାର ଦର୍ଶକ ଗାଲେରୀରୁ ସମାଜବାଦୀ କାର୍ଯ୍ୟକର୍ତ୍ତାମାନେ ଏଇ ‘କଳା ଆଇନ’କୁ ଫେରସ୍ତ କରିନେବା ପାଇଁ ସ୍ଲୋଗାନ ଦେଲେ; ଫଳରେ ସଭାକାମ ବନ୍ଦ ହୋଇଯାଇଥିଲା । ଏହି ସମାଜବାଦୀମାନଙ୍କ ଭିତରେ ଚନ୍ଦ୍ରିକା ସିଂହ, କରୁଣେଶ, ଧର୍ମବୀର ଗୋସ୍ୱାମୀ, ରଜନୀକାନ୍ତ ବର୍ମା, ରଙ୍ଗନାଥ ଏବଂ ଓଁପ୍ରକାଶ ଦୀପକ ପ୍ରମୁଖ ଥିଲେ ।

 

ଏହି ମୋକଦ୍ଦମା ଚାଲିଥିବାବେଳେ ଲୋହିଆଙ୍କୁ ମାନସିକ ସ୍ତରରେ ଯେଉଁ ଉଗ୍ରତା ଏବଂ ସନ୍ତାପ ଭିତରେ ଦିନ କଟାଇବାକୁ ପଡ଼ିଥିଲା, ତା’ର ପ୍ରତିକ୍ରିୟାସ୍ୱରୂପ ସେ ଖୁବ୍‌ କ୍ଳାନ୍ତ–ଶ୍ରାନ୍ତ ହୋଇପଡ଼ିଥିଲେ । ସାମ୍ବାଦିକମାନଙ୍କୁ ସେ ଏକ ସାକ୍ଷାତକାରରେ କହିଥିଲେ–‘‘ମୋର ଏହି ଦି’ମାସ ବେଆଇନ ସ୍ଥାନବଦ୍ଧତା ମୋତେ ସିଝେଇ ମାରିଛି । କ୍ରୋଧ ତଥା ସହାନୁଭୂତି ମଝିରେ ମୋର ଭାରସାମ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯଦ୍ୟପି ଅନେକ ଦିନ ଧରି କ୍ରୋଧର ପ୍ରଭାବ ତ ରହିବହିଁ ରହିବ, ତଥାପି ସହାନୁଭୂତିର ମାତ୍ରା ବଢ଼ାଇବା ପାଇଁ ମୁଁ କିଛିଦିନ ସକାଶେ ମୋର ବନ୍ଧୁମାନଙ୍କ ସହିତ ପାହାଡ଼ କିମ୍ବା ଗୁମ୍ଫା ଅଥବା ସମୁଦ୍ରକୂଳରେ ରହିବି ।’’

 

କିନ୍ତୁ ଲୋହିଆଙ୍କର ଭାଗ୍ୟ ! ବିଧିର ବିଧାନ ।

 

ଲୋହିଆଙ୍କ ଭାଗ୍ୟରେ ପାହାଡ଼, ଗୁମ୍ଫା କିମ୍ବା ସମୁଦ୍ରବି ନଥିଲା ।

 

ସଫଳତା ତାଙ୍କ ଭାଗ୍ୟରେ ଅସଫଳତାର ସ୍ଥାନ ନେଲା ।

 

ସୁଖର ସମୟ ଦୁଃଖର ଦିନ ହେଲା ।

 

ଜେଲର କାଳ କୋଠରୀ ଭିତରେ ବନ୍ଦ କରି ମଧ୍ୟ ସରକାର ତାଙ୍କ ସହିତ ସେପରି ବ୍ୟବହାର କରି ନଥିଲେ, ଯାହାର ସ୍ୱାଦୁ କି ଲୋହିଆଙ୍କୁ ଜେଲ ବାହାରେ ନିଜ ବନ୍ଧୁମାନଙ୍କ ପାଖରୁ ଚାଖିବାକୁ ପଡ଼ିଥିଲା । ବନ୍ଧୁମାନେହିଁ ଲୋହିଆଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ସହିତ ଅତି କଦର୍ଯ୍ୟ ବ୍ୟବହାର କଲେ ।

 

ତା’ପରେ ମହାନ୍‌ ଯୋଦ୍ଧା, ମହାନ୍‌ ବିଚାରକଙ୍କୁ ଆଉ ଏକ ନୂତନ ଯୁଦ୍ଧର ଭୂମିକା ନିର୍ମାଣ କରିବାକୁ ପଡ଼ିଲା ।

 

ବର୍ତ୍ତମାନ ଟିକିଏ ବାହାର ଦୁନିଆର ରଙ୍ଗ ଦେଖନ୍ତୁ ।

 

ଯେତେବେଳେ ଲୋହିଆ ନୈନି ଜେଲରେ ବନ୍ଦୀ ଥିଲେ, ଗୋଟାଏ କାଣ୍ଡ ଘଟିଥିଲା । ସେତେବେଳେ କେରଳ ପ୍ରଦେଶରେ ସୋସାଲିଷ୍ଟ ପାର୍ଟିର ସରକାର ଚାଲିଥିଲା । ସେଇ ସରକାର ନିରସ୍ତ୍ର ଲୋକଙ୍କ ଉପରେ ଗୁଳି ଚଳେଇ ସାତ ଜଣଙ୍କୁ ହତ୍ୟା କଲେ ଏବଂ ଆଠ ଜଣଙ୍କୁ ଆହତ କରିଦେଲେ ।

 

ଜେଲରେ ବନ୍ଦ ଲୋହିଆ ସେତେବେଳେ ଅଦାଲତ ଲଢ଼େଇରେ ବ୍ୟସ୍ତ ଥିଲେ । ଏହି ସମାଚାର ଶୁଣିବାକ୍ଷଣି ସେ କ୍ଷଣକପାଇଁ ଜଡ଼ ପାଲଟିଗଲେ । ତାଙ୍କ ହୃଦୟ ଥରିଉଠିଲା । ଲୋହିଆ ଜେଲ ଭିତରୁହିଁ ୧୯୫୪ ଅଗଷ୍ଟ ୧୨ ତାରିଖ ଦିନ ପାର୍ଟିର ମହାମନ୍ତ୍ରୀ ଭାବରେ କେରଳର ସୋସାଲିଷ୍ଟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟମ ଥାନୁ ପିଲାଇଙ୍କୁ ତାର କଲେ ଓ ତା’ର ପ୍ରତିଲିପି ପାର୍ଟିର ଅଧ୍ୟକ୍ଷ ଆଚାର୍ଯ୍ୟ କୃପାଳିନୀଙ୍କ ନିକଟକୁ ପଠାଇ ଦେଲେ । ତାରରେ ଲୋହିଆ ଲେଖିଥିଲେ–‘‘ଅବ୍ୟବସ୍ଥା ସୃଷ୍ଟି କରିବା ଲୋକେ ପୂରାପୂରି ଭୁଲ ରାସ୍ତାରେ ଯାଇଥିବେ । ସେମାନେ ଉତ୍ତେଜକ ଅବସ୍ଥା ନିଶ୍ଚୟ ସୃଷ୍ଟି କରିଥାଇପାରନ୍ତି; ତଥାପି ଏ ଗୁଳିକାଣ୍ଡ ଯାହା ଫଳରେ ଲୋକଙ୍କର ମୃତ୍ୟୁ ଘଟିଛି–ବିଲ୍‌କୁଲ୍ ଅନ୍ୟାୟ । କେବଳ ସଶସ୍ତ୍ର ବିଦ୍ରୋହକୁ ଛାଡ଼ିକରି ଏବଂ ଯେଉଁଠି ଲୋକେ ହତ୍ୟା କରନ୍ତି ଏବଂ ଆହୁରି ହତ୍ୟାର ଆଶଙ୍କା ମଧ୍ୟ ଥାଏ, ସେପରି ଅବସ୍ଥାକୁ ଛାଡ଼ି ପୁଲିସ୍‌ଦ୍ୱାରା ଗୁଳିଚାଳନା ପୂରାପୂରି ଅନୁଚିତ । ଏଣୁ ମୁଁ ସୁପାରିସ୍ କରୁଛି ଯେ ସଂପୃକ୍ତ ଅଫିସରମାନଙ୍କୁ ସସ୍‌ପେଣ୍ଡ କରାଯାଇ ବେସରକାରୀ ଅନୁସନ୍ଧାନ କମିଟି ଗଢ଼ାଯାଉ ଏବଂ ତା’ ସଙ୍ଗେ ସଙ୍ଗେ ସରକାର ଏଇ ସିଦ୍ଧାନ୍ତ ଉପରେ ଇସ୍ତଫା ଦିଅନ୍ତୁ ।’’

 

ଖବରକାଗଜରୁ ଲୋହିଆ ଜାଣିପାରିଲେ ଯେ କେରଳର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ରାଜି ହେଲେ ନାହିଁ । ଏଇ ଘଟଣା ଲୋହିଆଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ବିଶ୍ୱ–ଇତିହାସରେ ଏଥିରୁ ଗୋଟାଏ ମହାନ୍‌ ସିଦ୍ଧାନ୍ତ ଜନ୍ମ ନେଲା ଏବଂ ଅହିଂସାର ଅମୂର୍ତ୍ତ ସିଦ୍ଧାନ୍ତକୁ ମୂର୍ତ୍ତ ରୂପ ମିଳିଲା-। ସ୍ୱାଭାବିକ ଭାବରେ ଲୋହିଆ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ପ୍ରତୀକ୍ଷା କରିଥିଲେ ।

 

କିନ୍ତୁ ଯେତେବେଳେ ସତର ଅଗଷ୍ଟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ଅଧ୍ୟକ୍ଷ କାହାରି ପାଖରୁ ଉତ୍ତର ମିଳିଲା ନାହିଁ, ଲୋହିଆ କୃପାଳିନୀଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲେ–‘‘ଗିରଫ୍ ହୋଇଥିବା ଯୋଗୁଁ ମୋର ଅନୁପସ୍ଥିତି ସକାଶେ ମୁଁ ମହାମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଥିଲି । କେବଳ ମହାମନ୍ତ୍ରୀ ପଦରୁ ନୁହେଁ, ତା’ ସାଙ୍ଗେ ସାଙ୍ଗେ କାର୍ଯ୍ୟକାରିଣୀ ସମିତିର ସଭ୍ୟ ପଦରୁ ମଧ୍ୟ ବର୍ତ୍ତମାନ ମୋତେ ଇସ୍ତଫା ଦେବାକୁ ପଡ଼ିଲା । ଅଗଷ୍ଟ ୧୨ ତାରିଖ ଦିନ ମୁଁ କେରଳ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଗୋଟାଏ ଏକ୍‌ସପ୍ରେସ୍‌ ତାର ପଠାଇଥିଲି । ଆଜି ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀଙ୍କଠାରୁ ତା’ର କୌଣସି ଉତ୍ତର ମଧ୍ୟ ପାଇପାରିଲି ନାହିଁ । ଅର୍ଥାତ୍‌ ଉତ୍ତର ଦେବାର ଦାୟିତ୍ୱକୁ ମଧ୍ୟ ସେ ସ୍ୱୀକାର କରୁ ନାହାନ୍ତି । ଓଲଟା ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି ଯେ ଅଭିଯୋଗ ପ୍ରମାଣିତ ହେବା ଦରକାର । ....ଏଭଳି ବିବୃତି ଦେବା ପଛରେ ଦୋଷ ନିଶ୍ଚୟ ଲୁଚି ରହିଥାଏ । ଯଦି ମୁଁ ମୁକ୍ତ ହୋଇଥାନ୍ତି, ତେବେ ଏ ପ୍ରଶ୍ନକୁ ମୁଁ ନିଶ୍ଚୟ କାର୍ଯ୍ୟକାରିଣୀ ସମିତି ଆଗରେ ଉପସ୍ଥାପିତ କରିଥାନ୍ତି । ଯଦି କାର୍ଯ୍ୟକାରିଣୀ ସମିତି ମଧ୍ୟ ସୁବିଧାବାଦର ଆଶ୍ରୟ ନିଅନ୍ତା, ତେବେ ଜେନେରାଲ କାଉନ୍‌ସିଲ୍ ଡାକିଥାନ୍ତି । ....ମତେ କୁହାଯିବ ଯେ ମତେ ପରିସ୍ଥିତି ବିଷୟରେ କିଛି ଜଣା ନାହିଁ । ଏଭଳି କଥାବାର୍ତ୍ତା କରିବା ଲୋକେ ତତ୍ତ୍ୱଶୂନ୍ୟ ଆଉ କପଟୀ ଛଡ଼ା ଅନ୍ୟ କିଛି ହୋଇ ନ ପାରନ୍ତି, ଯେଉଁମାନେ କି ତଥାକଥିତ ପରିସ୍ଥିତିର ଫାଇଦା ଉଠେଇ କ୍ଷମତାକୁ ଜାବୁଡ଼ି ଧରିବାକୁ ସର୍ବଦା ପ୍ରସ୍ତୁତ ରହନ୍ତି । ...ଅନୁଗ୍ରହପୂର୍ବକ ମୋର ଇସ୍ତଫା ମଞ୍ଜୁର କରିନିଅନ୍ତୁ ଏବଂ ତାକୁ ପ୍ରକାଶିତବି କରିଦିଅନ୍ତୁ ।’’

 

ଏଇ ଚିଠିର ଉତ୍ତର ମଧ୍ୟ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଲୋହିଆଙ୍କୁ ମିଳିଲା ନାହିଁ । ସେ ଅଧ୍ୟକ୍ଷ କୃପାଳିନୀଙ୍କୁ ପୁଣି ଥରେ ଚିଠି ଲେଖିଲେ–‘‘ଯଦି ଅନ୍ୟମାନେ ହତ୍ୟା କରନ୍ତି, ତେବେ ତାହା ଅନୁଚିତ, ସ୍ୱେଚ୍ଛାଚାରୀ ଏବଂ ବର୍ବର ହୁଏ; କିନ୍ତୁ ଯେତେବେଳେ ଆମେ ହତ୍ୟା କରୁଁ, ସେତେବେଳେ ପରିସ୍ଥିତି ଏବଂ ନିୟମକାନୁନ ଆଦିର ଅପ୍ରାସଙ୍ଗିକ ପ୍ରଶ୍ନ ଉଠାଯାଏ । ଆପଣ ଏବଂ କଂଗ୍ରେସ ପାର୍ଟି ଦୁହେଁ ମିଶି କମ୍ୟୁନିଷ୍ଟମାନଙ୍କୁ ଏବଂ ସମାଜବିରୋଧୀ ତତ୍ତ୍ୱଗୁଡ଼ିକୁହିଁ ଗୁଳିକାଣ୍ଡର ମୁଖ୍ୟ କାରଣ ବୋଲି କହୁଛନ୍ତି । ଯଦି କଂଗ୍ରେସ ପାର୍ଟି ଏମିତି କରେ, ସେତେବେଳେ ଆପଣ ତାକୁ ବାହାନା ବୋଲି ଆଖ୍ୟା ଦିଅନ୍ତି । କିନ୍ତୁ ଯେତେବେଳେ ଆପଣ ନିଜେ ସେମିତି କରନ୍ତି, ସେତେବେଳେ ଆପଣ ଗାନ୍ଧି ଏବଂ ସରାସମସଙ୍କ ଅନୁଯାୟୀ ହୋଇଯାନ୍ତି ।’’

 

ଜେଲ ଭିତରେ ପ୍ରତି ମୁହୂର୍ତ୍ତରେ ବ୍ୟସ୍ତତା ଭିତରେ ଦିନ କଟାଉଥିବା ଲୋହିଆ ଅଧ୍ୟକ୍ଷ କୃପାଳିନୀଙ୍କ ଉତ୍ତରକୁ ଅପେକ୍ଷା କରିଥିଲେ । ତାଙ୍କ ଦିଖଣ୍ଡ ଚିଠିର ଉତ୍ତର ଆଉ ଆସିଲାନି କିମ୍ବା କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବାର ସୂଚନା ମଧ୍ୟ ମିଳିଲା ନାହିଁ । କାର୍ଯ୍ୟକାରିଣୀ ସମିତିର ବୈଠକ ମଧ୍ୟ ଡକାଗଲା ନାହିଁ । ଲୋହିଆ ପୂରାପୂରି ଘୋର ଅନ୍ଧକାର ଭିତରେ ପଡ଼ି ରହିଥିଲେ ।

 

କିନ୍ତୁ ଅଗଷ୍ଟ ୨୮ ତାରିଖ ଦିନ ଜେଲରୁ ମୁକୁଳିବା ପରେ ସେ କୃପାଳିନୀଙ୍କଠାରୁ ଦିଖଣ୍ଡ ଚିଠି ପାଇଲେ । ପ୍ରଥମ ଚିଠି ଲୋହିଆଙ୍କଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଉପରେ ନୀରବ ଥିଲା । ଦ୍ୱିତୀୟ ଚିଠିରେ ତାଙ୍କୁ କାର୍ଯ୍ୟକାରିଣୀ ବୈଠକକୁ ଆସି ତାଙ୍କ ଦୃଷ୍ଟିକୋଣକୁ ଉପସ୍ଥାପିତ କରି କାର୍ଯ୍ୟକାରିଣୀ ସମିତିର ମତକୁ ନିଜ ସପକ୍ଷରେ କରିନେବା ପାଇଁ ପରାମର୍ଶ ଦିଆଯାଇଥିଲା ।

 

ଲୋହିଆଙ୍କର ମନେହେଲା, ଯେମିତି ଚେଇଁ ଶୋଇଥିବା ଭଳି ଏଇ ନେତାମାନେ ତାଙ୍କ ବିଚାରକୁ ଜାଣୁଥିଲେ; କିନ୍ତୁ କିଛି କରିବାପାଇଁ ଚାହୁଁ ନଥିଲେ । ଲୋହିଆଙ୍କ ପାଇଁ ତାହା କିନ୍ତୁ ସିଦ୍ଧାନ୍ତର ପ୍ରଶ୍ନ ଥିଲା । ସେତେବେଳେ ଲୋହିଆ କହିଥିଲେ–‘‘ପଦବୀ ଗ୍ରହଣ କରିବାପାଇଁ ସମ୍ଭବତଃ ମୁଁ ଅନୁପଯୁକ୍ତ ଅଟେ କିମ୍ବା ପାର୍ଟି ବର୍ତ୍ତମାନ ସେମିତି କିଛି ଉନ୍ନତ ଅବସ୍ଥାକୁ ଆସି ନାହିଁ, ଯାହାର ସାଧାରଣ ସମ୍ପାଦକ ମୁଁ ହୋଇପାରିବି ।’’

 

ଲୋହିଆ ସମାଜବାଦୀ ନେତାଙ୍କଦ୍ୱାରା ସମ୍ପୂର୍ଣ୍ଣ ନିରାଶ ହୋଇ ପଡ଼ିଥିଲେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ତ୍ତମାନ ସୁଦ୍ଧା ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ସେ ସେମାନଙ୍କ ଭିତରେ ତାଙ୍କ ମତର ପ୍ରଚାର କରିବାକୁ ଲାଗିଲେ । ଲୋହିଆ କହିଲେ–‘‘ଫାଶୀ ଦେବାରେ ଜୀବନ ବଦଳରେ ଜୀବନ ନେବାର ନ୍ୟାୟସଂଗତ ତଥ୍ୟ ଲାଗୁ କରାଯାଉଛି, ପୁଣି ସେଇ ତଥ୍ୟ ସରକାରୀ ଆଡ଼ୁ ଗୁଳିକାଣ୍ଡରେବି ଲାଗୁ କରାଯିବା ଉଚିତ ।

 

‘‘ହିନ୍ଦୁସ୍ଥାନରେ ମଣିଷର ମୂଲ୍ୟ କିଛି ନାହିଁ । ଭାରତୀୟ ଜନତା ମଣିଷ ନା ପୋକମାଛି-?’’

 

କେରଳର ଏହି କାଣ୍ଡ ସମାଜବାଦୀ ଦଳପାଇଁ ଏକ ସଙ୍କଟରୂପ ନେଇ ଦେଖାଦେଲା ।

 

ଲୋହିଆ ସିଦ୍ଧାନ୍ତପାଇଁ ନିଜର ସର୍ବସ୍ୱ ହୋମ କରିଦେଇ ମଧ୍ୟ ଆନ୍ଦୋଳନକୁ ସିଦ୍ଧାନ୍ତନିଷ୍ଠ କରି ଥୋଇବାପାଇଁ ଜିଦ୍‌ଧରି ବସିଥିଲେ; କିନ୍ତୁ ଅନ୍ୟାନ୍ୟ ନେତାମାନେ ସୁଯୋଗ ଉପରେ ନିର୍ଭର କରି ଚଳିବାକୁ ଚାହୁଁଥିଲେ ।

 

ଦିଲ୍ଲୀରେ ଏଇ ଘଟଣାର ବିଚାର କରିବାପାଇଁ ୧୯୫୪ ସେପ୍‍ଟେମ୍ବର ୪ ଓ ୫ ତାରିଖରେ ପାର୍ଟିର କାର୍ଯ୍ୟକାରିଣୀ ସମିତିର ଏକ ବୈଠକ ବସିବାର ଥିଲା ।

 

ସେତେବେଳେ ଦଳର ନେତାମାନେ ମିଶି ଗୋଟାଏ ମେଣ୍ଟ ବାନ୍ଧିଥିଲେ ଏବଂ କର୍ମକର୍ତ୍ତାମାନଙ୍କ ସହ ମିଶି ଲୋହିଆ ଥିଲେ ଠିକ୍‌ ତା’ର ବିପରୀତ ଦିଗରେ ।

 

ସମସ୍ତ କର୍ମକର୍ତ୍ତା ମନରେ ଖୁବ୍‌ ଆଶା ବାନ୍ଧି ଦିଲ୍ଲୀର ସେହି ବୈଠକକୁ ଆଶାୟୀ ନେତ୍ରରେ ଚାହିଁ ରହିଥିଲେ । ଜୟପ୍ରକାଶ ନାରାୟଣ ମଧ୍ୟ ମଧ୍ୟସ୍ଥତା କରିବାପାଇଁ ଏଇ ବୈଠକରେ ଯୋଗ ଦେବାର ଥିଲା ।

 

ଏପରି ଏକ ନ ଯଯୌ ନ ତସ୍ଥୌ ଅବସ୍ଥାରେ ଦିଲ୍ଲୀରେ ବୈଠକ ବସିଲା । କିନ୍ତୁ ଆରମ୍ଭରୁହିଁ ବୈଠକରେ ଦେଖାଦେଲା ଅନ୍ୟ ପ୍ରକାର ବାତାବରଣ । ଅଶୋକ ମେହେଟ୍ଟା, ସୁଚେତା କୃପାଳିନୀ ଏବଂ ଶ୍ରୀ କାମାଥ ଲୋହିଆଙ୍କ ଉପରେ ଆକ୍ରମଣ କରିବାପାଇଁ ଯେମିତି ଆଗରୁ ପ୍ରସ୍ତୁତ ହୋଇ ବସିଥିଲେ । ଯେ କୌଣସିମତେ... ଯେକୌଣସି ଉପାୟରେ ଲୋହିଆଙ୍କୁ ଅପମାନିତ କରିବାହିଁ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । ସିଦ୍ଧାନ୍ତର ଚର୍ଚ୍ଚା ନ କରି ଲୋହିଆଙ୍କ ପ୍ରତି ଅପରାଧୀର ଭାଷା, କାର୍ଯ୍ୟପଦ୍ଧତି ଆଦି ଫାଲତୁ କଥାର ଆଶ୍ରୟ ନେଇ ସେମାନେ କଟୂକ୍ତି କରି ଚାଲିଥିଲେ । ତାଙ୍କ ଉପରେ ଦୋଷ ଦିଆଗଲା ଯେ ସେ ଅଧ୍ୟକ୍ଷଙ୍କ ବିନା ପରାମର୍ଶରେ କେରଳ ମନ୍ତ୍ରିମଣ୍ଡଳଙ୍କ ଇସ୍ତଫା କାହିଁକି ଦାବି କଲେ ? ଏଭଳି ଅନେକ କିଛି ଅଭିଯୋଗ ତାଙ୍କ ବିରୁଦ୍ଧରେ ଅଣାଗଲା । ଶେଷରେ ଏହାବି କୁହାଗଲା ଯେ ଲୋହିଆ ଦଳକୁ ଭାଙ୍ଗିଦେବାର ଅବସ୍ଥାକୁ ନେଇ ଆସିଛନ୍ତି ।

 

ଏତେ ଅପମାନ...ଏତେ ମିଛ...ଏତେ ଷଡ଼ଯନ୍ତ୍ର !

 

ଲୋହିଆ ବିରକ୍ତ ହୋଇଉଠିଲେ । ବୈଠକରେ ବସିରହିବା ତାଙ୍କ ପକ୍ଷରେ ଅସମ୍ଭବ ହେଲା ଏବଂ ସେ ସେଠାରୁ ଉଠି ଚାଲିଗଲେ ।

 

କିନ୍ତୁ ସେଦିନ ଜୟପ୍ରକାଶ ନାରାୟଣ ଲୋହିଆଙ୍କ କଥାକୁ ସମର୍ଥନ କଲେ । ସେ କହିଲେ ଯେ କେବଳ ମନ୍ତ୍ରିମଣ୍ଡଳହିଁ ନୁହେଁ, କାର୍ଯ୍ୟକାରୀ ସମିତି ମଧ୍ୟ ଇସ୍ତଫା ଦେବା ଉଚିତ ।

 

ଜୟପ୍ରକାଶ ନାରାୟଣଙ୍କୁ ପ୍ରସ୍ତାବର ଚିଠା ପ୍ରସ୍ତୁତ କରି ଆସନ୍ତାକାଲି ବୈଠକରେ ଉପସ୍ଥାପିତ କରିବାର ଦାୟିତ୍ୱ ଦେଇ ସେଦିନ ସେତିକିରେ ବୈଠକ ଶେଷ ହେଲା ।

 

ତା’ ପରଦିନ ଜୟପ୍ରକାଶ ନାରାୟଣ ଚିଠା ଉପସ୍ଥାପିତ କଲେ । ଚିଠା ତିଆରି କଲାବେଳେ ବୋଧେ ତାଙ୍କ ମନ ବଦଳି ଯାଇଥିଲା । କାରଣ ଚିଠାରେ ଲୋହିଆଙ୍କ ଚିନ୍ତାଧାରାର ଛାୟା ପଡ଼ିଥିଲେ ମଧ୍ୟ ଇସ୍ତଫା ଦେବା ବିଷୟର ଉଲ୍ଲେଖ ଆଦୌ ନଥିଲା ଏବଂ ଚିଠା ଉପରେ ଯୁକ୍ତିତର୍କ ହେଲାପରେ ପ୍ରସ୍ତାବର ଯେଉଁ ପ୍ରକାର ରୂପରେଖ ରହିଲା, ତାହା ଗୋଟାଏ ଆତ୍ମାହୀନ ଏବଂ ଅତ୍ୟନ୍ତ ଦୁର୍ବଳ ପ୍ରସ୍ତାବ ଥିଲା ।

 

ଜୟପ୍ରକାଶ ନାରାୟଣ ନିଜ ପ୍ରସ୍ତାବର ପ୍ରାଣ ଉଡ଼ିଯାଉଥିବାର ଦେଖି ମଧ୍ୟ ନୀରବ ରହିଗଲେ ।

 

ଏଣେ କୃପାଳିନୀ ମଧ୍ୟ ଲୋହିଆଙ୍କ ବିଚାରର ଜଣେ ସମର୍ଥକ ହୋଇ ପଡ଼ିଥିଲେ । ଏ ସମ୍ବନ୍ଧରେ ସେ ଲେଖିଥିଲେ–‘‘ଲୋହିଆ ଗାନ୍ଧିଙ୍କ ସିଦ୍ଧାନ୍ତକୁ ଆହୁରି ପାଦେ ଆଗେଇ ନେଇଛନ୍ତି ।’’

 

କିନ୍ତୁ ଆଜି କୃପାଳିନୀ ଏବଂ ଜୟପ୍ରକାଶ କେଜାଣି କାହିଁକି ନୀରବ ରହିଥିଲେ ।

 

କେବଳ ଏତିକି ନୁହେଁ, କଟା ଘା’ରେ ଲୁଣ ଛିଟିକା ମାରିବାକୁ ମଧ୍ୟ ଲୋକେ ପଛେଇ ନଥିଲେ । ଜଣେ ସଭ୍ୟ ଲୋହିଆଙ୍କ ଉପରେ ଅଭିଯୋଗ ଆଗତ କଲେ ଯେ ସେ ନେହେରୁ ଏବଂ ନେହେରୁଙ୍କ ବନ୍ଧୁମାନଙ୍କ ପ୍ରତି ବଡ଼ କଟୁଭାଷା ପ୍ରୟୋଗ କରିଛନ୍ତି ।

 

କିନ୍ତୁ ମଧୁ ଲିମାୟେଙ୍କ ଭଳି ନବଯୁବକଙ୍କ ପକ୍ଷରେ ଏହି ଆଘାତକୁ ସହ୍ୟ କରିଯିବା ସହଜ ନଥିଲା । ସେ କହିଲେ–‘‘ଲୋହିଆଙ୍କ ବକ୍ତବ୍ୟର ଆଲୋଚନା କରିବାର ଅଧିକାର କାର୍ଯ୍ୟକାରୀ ସମିତିର ନାହିଁ । ବେଭାନ୍‌ ତ ୟାଠୁଁ ଅଧିକ କଟୁ ଆଉ ତୀକ୍ଷ୍ଣ ଭାଷାରେ ଚର୍ଚ୍ଚିଲଙ୍କୁବି ସମାଲୋଚନା କରନ୍ତି । ନେହେରୁ କ’ଣ ଚର୍ଚ୍ଚିଲଙ୍କଠାରୁ ଖୁବ୍‌ ବଡ଼ଲୋକ କି ?

 

ମଧୁଲିମାୟେଙ୍କର ଏହି ଜବାବ ଫଳରେ ନେହେରୁଙ୍କ ସମ୍ମାନର ଠିକାଦାରଙ୍କ ମୁହଁ ବନ୍ଦ ହୋଇଗଲା ।

 

ଶେଷରେ ସ୍ଥିର ହେଲା ଯେ ଦଳର ଏକ ବିଶେଷ ସମ୍ମିଳନୀ ଡକେଇ କେରଳର ଗୁଳିକାଣ୍ଡ ବିଷୟରେ ପୁନର୍ବିଚାର କରାଯାଉ ।

 

ଏହି ଗରମାଗରମ ବାତାବରଣ ଲାଗିରହିଲା ।

 

ନାଗପୁରରେ ୧୯୫୪ ନଭେମ୍ବର ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାର୍ଟିର ବିଶେଷ ଅଧିବେଶନ ବସିଲା । ସେଇଠି ଅଶୋକ ମେହେଟ୍ଟା ପ୍ରଥମରୁହିଁ ଆହ୍ୱାନ ଦେଲେ ଯେ ଯଦି ସମ୍ମେଳନ କାର୍ଯ୍ୟକାରିଣୀ ସମିତିର ପ୍ରସ୍ତାବକୁ ମଞ୍ଜୁର ନ କରେ, ତେବେ କାର୍ଯ୍ୟକାରିଣୀ ସମିତି ଇସ୍ତଫା ଦାଖଲ କରିଦେବ ।

 

ଅଶୋକ ମେହେଟ୍ଟାଙ୍କ ଏହି ଆହ୍ୱାନ ଫଳରେ ପ୍ରତିନିଧିମାନଙ୍କ ଭିତରେ ନୀରବତା ଛାଇଗଲା । ସେମାନେ ଆଶ୍ଚର୍ଯ୍ୟରେ କେବଳ ପରସ୍ପରର ମୁହଁ ଦେଖିବାକୁ ଲାଗିଲେ । ନା ପ୍ରସ୍ତାବ ଉପରେ ସଂଶୋଧନ ପ୍ରସ୍ତାବ ଆସିଲା ନା ଖୋଲା ଆଲୋଚନା ହେଲା ! ଠିକ୍‌ ସେତିକିବେଳେ ଜଣେ ସାହସୀ ଏବଂ ଚତୁର ପ୍ରତିନିଧି ଏକ ସଂଶୋଧନ ପ୍ରସ୍ତାବ ବାଢ଼ିଲେ ଯେ ପ୍ରସ୍ତାବରେ କେବଳ ଏତିକି ଯୋଡ଼ି ଦିଆଯାଉ–‘‘ଆଉ କେରଳ ମନ୍ତ୍ରିମଣ୍ଡଳକୁ ଇସ୍ତଫା ଦେବାର ଆଦେଶ ଦିଆଯାଉଛି ।’’

 

ପ୍ରତିନିଧିମାନଙ୍କ ପିଣ୍ଡରେ ପ୍ରାଣ ପଶିଲା । ଉତ୍ତେଜନା ଦେଖାଗଲା । ଗରମାଗରମ ଭାଷଣ ମଧ୍ୟ ଚାଲିଲା । କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟମ୍‌ ଥାନୁ ପିଲାଇବି ଆତ୍ମରକ୍ଷାର ଭାଷଣ ଦେଲେ । ବିଜୟରାମ ରାଜୁ ନିଜ ଭାଷଣରେ କହିଲେ ଯେ ଥାନୁ ପିଲାଇ ଟେଲିଫୋନ୍‌ କରି ପୋଲିସ୍‌କୁ ଗୁଳି ଚଳେଇବାକୁ ଆଦେଶ ଦେଇଥିଲେ । ଜୟପ୍ରକାଶ ନାରାୟଣ କହିଲେ, ‘‘ଯଦି ଥାନୁ ପିଲାଇଙ୍କ ହୃଦୟ ପରିବର୍ତ୍ତନ ହୋଇଯାଏ ଆଉ ସେ ଯଦି ସ୍ୱେଚ୍ଛାରେ ଇସ୍ତଫା ଦେଇଦିଅନ୍ତି, ତେବେ ପ୍ରସ୍ତାବଦ୍ୱାରା ଇସ୍ତଫା ଦିଅନ୍ତୁ ବୋଲି କଠୋର ନୀତି ଗ୍ରହଣ କରି ଲାଭ କ’ଣ ?’’

 

ଲୋହିଆ କହିଲେ–‘‘ନ୍ୟାୟର ଅନୁସନ୍ଧାନ ଏବଂ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ–ଏ ଦି’ଟା ସମ୍ପୂର୍ଣ୍ଣ ଅଲଗା ବିଷୟ । ....କଂଗ୍ରେସ ମଧ୍ୟ ଅନୁସନ୍ଧାନ କରାଉଛି ।’’

 

ସିଦ୍ଧାନ୍ତନିଷ୍ଠା ଏବଂ ବ୍ୟକ୍ତିନିଷ୍ଠା ଏ ଦୁଇଟା ଭିତରେ ସଂଘର୍ଷ ଲାଗିଗଲା । ମତାମତ ଲୋଡ଼ାଗଲା । ପ୍ରସ୍ତାବର ସପକ୍ଷରେ ୩୦୩ ଏବଂ ବିପକ୍ଷରେ ୨୧୭ ଭୋଟ ମିଳିଲା । ପ୍ରସ୍ତାବ ପାସ୍ ହୋଇଗଲା ଏବଂ ଠିକ୍‌ ତା’ ପରେ ପରେହିଁ କାର୍ଯ୍ୟକାରିଣୀ ସମିତି ଇସ୍ତଫା ଦେଇଦେଲା । ପ୍ରତିନିଧିମାନେ ଏଇ ଗୋଲକଧନ୍ଦାର ଉଦ୍ଦେଶ୍ୟକୁ ବୁଝିପାରିଲେ ନାହିଁ । ଏପରି ଭାବରେ କ’ଣ ପାର୍ଟି ଚାଲିପାରିବ ?

 

ତା’ପରେ ଲୋକ ଧାଇଁଲେ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ନିକଟକୁ । ଆଚାର୍ଯ୍ୟ ମହାଶୟ ସଦ୍ୟ ବିଦେଶଯାତ୍ରାରୁ ଫେରିଥାନ୍ତି । ଦୀର୍ଘ ଦିନ ଧରି ଘଟଣାଠାରୁ ବହୁଦୂରରେ ରହିବାଦ୍ୱାରା ସେ ପୂର୍ଣ୍ଣ ବିବରଣୀ କିଛି ଜାଣନ୍ତି ନାହିଁ କହି ଉକ୍ତ ଘଟଣାର ମୂଳରୁ ଶେଷ ଯାଏଁ ନୀରବ ରହି ଯାଇଥିଲେ ।

 

ପାର୍ଟିର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯେତେବେଳେ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କୁ ଅନୁରୋଧ କରାଗଲା, ସେ ସର୍ତ୍ତ ବାଢ଼ିଲେ ଯେ ଯଦି ଲୋହିଆ ମଧ୍ୟ କାର୍ଯ୍ୟକାରୀ ସମିତିରେ ରହିବେ, ତେବେ ସେ ଅଧ୍ୟକ୍ଷ ପଦରେ ରହିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏ କି ବିଡ଼ମ୍ବନା ! ଏଇଆ କ’ଣ ବୁଝିବାକୁ ହେବ ଯେ ବିଦେଶରେ ରହିବାଦ୍ୱାରା ପ୍ରକୃତରେ ନରେନ୍ଦ୍ରଦେବଙ୍କୁ ଏଠିକା ଅବସ୍ଥାର ଲେଶମାତ୍ର ଆଭାସ ଜଣା ନଥିଲା !

 

ତା’ ପରେ ପରେ ୧୯୫୫ ସାଲର ଠିକ୍‌ ଆରମ୍ଭରେହିଁ କଂଗ୍ରେସ କେରଳର ଏଇ ସରକାରଙ୍କୁ ବିଧାନସଭାରେ ପରାଜିତ କରି ପତନ ଘଟାଇଲା ।

 

ଭାରତରେ ପ୍ରତିଷ୍ଠିତ ପ୍ରଥମ ସମାଜବାଦୀ ସରକାରଙ୍କ ପତନ ଏପରି ଭାବରେ ଘଟିଥିଲା । କିନ୍ତୁ ଏହି ଅଭିଶାପ ଶେଷରେ ବରଦାନ ପ୍ରମାଣିତ ହେଲା; କାରଣ ଏଇ ଘଟଣାକୁ ନେଇହିଁ ସମାଜବାଦୀ ଆନ୍ଦୋଳନରେ ସଂସ୍କାର ଆରମ୍ଭ ହୋଇ ଯାଇଥିଲା ।

 

ସନ ୧୯୫୫ରେହିଁ ସମାଜବାଦୀ ଆନ୍ଦୋଳନରେ ଦେଖାଦେଲା ବିସ୍ଫୋରଣ ।

 

ସନ ୧୯୫୫ର ଆରମ୍ଭରେହିଁ କଂଗ୍ରେସର ‘ଆବାଡ଼ି’ ଅଧିବେଶନରେ ‘ସମାଜବାଦୀ ଢାଞ୍ଚାରେ ସମାଜ ନିର୍ମାଣ’ର ପ୍ରସ୍ତାବ ପାସ୍ ହୋଇଗଲା । ଏହାଦ୍ୱାରା ଭାରତର ସେଭଳି ସୋସାଲିଷ୍ଟମାନଙ୍କ ମନରେ ଧର୍ମସଙ୍କଟ ସୃଷ୍ଟି ହେଲା, ଯେଉଁମାନେ କି ମନ ଭିତରେ କଂଗ୍ରେସ ପ୍ରତି ଆସକ୍ତି ଅନୁଭବ କରି ଆସୁଥିଲେ । ଅଶୋକ ମେହେଟ୍ଟା ମଧ୍ୟ କହିଲେ ଯେ, ‘‘କଂଗ୍ରେସର ଏ ପ୍ରସ୍ତାବକୁ ସ୍ୱାଗତ କରାଯିବା ଉଚିତ । ଏହା ଫଳରେ କଂଗ୍ରେସ ପାର୍ଟି ସୋସାଲିଷ୍ଟ ପାର୍ଟିର ଅତି ନିକଟକୁ ଆସିଯାଇଛି ।’’

 

ନେହେରୁ ଅଶୋକ ମେହେଟ୍ଟାଙ୍କର ଏଇ ବକ୍ତବ୍ୟର ଖୁବ୍‌ ପ୍ରଚାର କଲେ ଏବଂ କରାଇଲେ ମଧ୍ୟ । ଶେଷରେ କହିଲେ–‘‘ଆମେ ସମସ୍ତେ ସମାଜବାଦୀ ଅଟୁଁ ଏବଂ କଂଗ୍ରେସର ସମାଜବାଦୀ ନୀତିକୁ ସୋସାଲିଷ୍ଟ ନେତାବି ସ୍ୱାଗତ କରୁଛନ୍ତି ।’’

 

ସେତେବେଳେ ଲୋହିଆ ଆହ୍ୱାନ ଦେଇଥିଲେ–‘‘ପାର୍ଟିର ଯେଉଁ ଲୋକମାନେ କଂଗ୍ରେସର ଏଇ ସମାଜବାଦୀ ନୀତି ଉପରେ ବିଶ୍ୱାସ କରୁଛନ୍ତି, ସେମାନେ ସମସ୍ତେ ନେହେରୁଙ୍କ ଦରବାରରେ ସାମିଲ ହୋଇଯିବା ଉଚିତ ।’’

 

ଏଣୁ ବମ୍ବେରେ ମଧୁଲିମାୟେ ଅଶୋକ ମେହେଟ୍ଟାଙ୍କୁ ନୀତିର ସମାଲୋଚନା କରିବାକୁ ଆରମ୍ଭ କରିଦେଲେ । ମଧୁଲିମାୟେଙ୍କ ଉପରେ ଅବିଶ୍ୱାସ ଏବଂ ଅନୁଶାସନଭଙ୍ଗର କାର୍ଯ୍ୟାନୁଷ୍ଠାନ ବମ୍ବେ ପାର୍ଟି ଗ୍ରହଣ କରିଗଲେ । ତାଙ୍କୁ ପାର୍ଟିର ସଭ୍ୟ ପଦରୁ ବହିଷ୍କାର କରି ଦିଆଗଲା । ମଧୁଲିମାୟେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତିରେ ଅପିଲ୍ କଲେ; କିନ୍ତୁ କାର୍ଯ୍ୟକାରିଣୀ ସମିତି ମଧ୍ୟ ଅଧିକ କିଛି ବିଚାର ନ କରି ବମ୍ବେ ପାର୍ଟିର ନିର୍ଣ୍ଣୟକୁ ସ୍ୱୀକୃତି ପ୍ରଦାନ କରିଦେଲେ ।

 

ମଧୁଲିମାୟେଙ୍କ ପ୍ରତି ଏ ଅନ୍ୟାୟ ବିଚାର ଦେଖି ଲୋହିଆ ନୀରବ ରହିପାରିଲେନି । ଲୋହିଆ ବିବୃତି ଦେଲେ–‘‘ବମ୍ବେ ପାର୍ଟିର ଫଇସଲାକୁ ମୁଁ ଏବଂ ମୋର ସମସ୍କନ୍ଧ ବନ୍ଧୁମାନେ ବଡ଼ ଗମ୍ଭୀର ଭାବରେ ଗ୍ରହଣ କରିଛୁ ।’’

 

ଲୋହିଆ ଦେଶର ସଂଗ୍ରାମୀ ସମାଜବାଦୀମାନଙ୍କୁ ପରାମର୍ଶ ଦେଲେ ଯେ ଦେଶବ୍ୟାପୀ ମଧୁଲିମାୟେଙ୍କୁ ନେଇ ତାଙ୍କର ସାର୍ବଜନୀନ ଭାଷଣର ବ୍ୟବସ୍ଥା କରାଯାଉ ।

 

ଧୀରେ ଧୀରେ ପ୍ରଜା–ସୋସାଲିଷ୍ଟ ପାର୍ଟିର ପଙ୍ଗୁ ନୀତିରେ ବିରକ୍ତି ପ୍ରକାଶ କରୁଥିବା ସଂଗ୍ରାମୀ ସୋସାଲିଷ୍ଟମାନେ ଲୋହିଆଙ୍କ ପଛରେ ଆସି ଛିଡ଼ା ହେବାକୁ ଲାଗିଲେ ।

 

ଉତ୍ତରପ୍ରଦେଶର ପାର୍ଟି ସ୍ୱ–ପ୍ରାନ୍ତୀୟ ସମ୍ମେଳନରେ ଯୋଗ ଦେବାପାଇଁ ମଧୁଲିମାୟେଙ୍କୁ ନିମନ୍ତ୍ରଣ କଲେ । ଫଳସ୍ୱରୂପ ପାର୍ଟିର ରାଷ୍ଟ୍ରୀୟ ସମିତି ଉତ୍ତରପ୍ରଦେଶର କାର୍ଯ୍ୟକାରିଣୀ ସମିତିକୁ ବେଆଇନ ଘୋଷଣା କରିଦେଲେ । ଗାଜିପୁରରେ ସମ୍ମେଳନ ହେଲା । ମଧୁଲିମାୟେ ଆସିଲେ । ଶେଷରେ ପରିଣାମସ୍ୱରୂପ ପାର୍ଟିର ଅଧିକାଂଶ ସଦସ୍ୟ ବହିଷ୍କାରର ଶିକାର ହେବାକୁ ଲାଗିଲେ । ଏହା ବଡ଼ ବିଷମ ପରିସ୍ଥିତି ଉପୁଜାଇଲା ।

 

ଲୋହିଆ ସଭ୍ୟମାନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ବିରୁଦ୍ଧରେ, ବିଦ୍ରୋହ କରିବାକୁ ଆହ୍ୱାନ ଦେଲେ ।

 

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ଉତ୍ତରପ୍ରଦେଶର କାର୍ଯ୍ୟକାରିଣୀ ସମିତିକୁ ବରଖାସ୍ତ କରିଦେଲେ ଏବଂ ଗାଜିପୁର ସମ୍ମେଳନକୁ ବେଆଇନ ଘୋଷଣା କରିଦେଲେ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତିର ନୀତି ଥିଲା ପ୍ରତିଶୋଧ ନେବା ।

 

ଏ ସମୟରେ ଆଉ ଏକ ଘଟଣା ଘଟିଲା ।

 

୧୯୫୫ ସାଲର ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ (ଓଡ଼ିଶା)ରେ ସମାଜବାଦୀ ଯୁବକଙ୍କର ସମ୍ମେଳନ ବସିଲା । ସଭାପତିତ୍ୱ କରିବାପାଇଁ ମଧୁଲିମାୟେଙ୍କୁ ନିମନ୍ତ୍ରଣ କରାଗଲା । ଆଚାର୍ଯ୍ୟ ନରେନ୍ଦ୍ରଦେବ, ଲୋହିଆ, ଅଶୋକ ମେହେଟ୍ଟା ପ୍ରଭୃତି ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଗଲା-। କିନ୍ତୁ ଦଳର ମହାମନ୍ତ୍ରୀ ଜରୁରୀ ଚିଠି ପଠାଇ ଦଳର ପଦାଧିକାରୀଙ୍କୁ ଉକ୍ତ ସମ୍ମେଳନରେ ଅସହଯୋଗ କରିବାକୁ ନିର୍ଦ୍ଦେଶ ଦେଲେ । ତେଣୁ ପାର୍ଟିର କୌଣସି ନେତା ସେଠାକୁ ଗଲେ ନାହିଁ-। କେବଳ ଲୋହିଆହିଁ ପୁରୀରେ ପହଞ୍ଚି ସମ୍ମେଳନକୁ ଉଦ୍‌ଘାଟନ କରିଥିଲେ ।

 

ଏଣେ ମଣିପୁରରେ ପାର୍ଟି ସରକାରଙ୍କ ସହ ସଂଘର୍ଷରତ ଥିଲା ।

 

ଏ ସଂକ୍ରାନ୍ତରେ ଲୋହିଆ ଏପ୍ରିଲ ମାସରେ ମଣିପୁର ଗଲେ । ତାଙ୍କୁ ସଭା କରିବାପାଇଁ ଅନୁମତି ଦିଆଗଲା ନାହିଁ । ବିନାନୁମତିରେହିଁ ଲୋହିଆ ସଭା କରିବାପାଇଁ ଘୋଷଣା କରିଦେଲେ-

 

ପୋଲୋ–ଗ୍ରାଉଣ୍ଡରେ ସଭା ହେବାର ଘୋଷଣା କରାଗଲା ।

 

ସଂଖ୍ୟାହୀନ ଲୋକ ଲୋହିଆଙ୍କ ଭାଷଣ ଶୁଣିବାକୁ ଆସିଲେ । ବାତାବରଣ ଖୁବ୍‌ ଭୟାବହ ହୋଇପଡ଼ିଲା । ଜନତା ହତା ବାହାରେ ଛିଡ଼ା ହୋଇ ରହିଲେ ।

 

ଲୋହିଆଙ୍କ ସମେତ ଅନ୍ୟ ଛଅ ଜଣ ସଭ୍ୟଙ୍କୁ ଗିରଫ୍ କରି ନିଆଗଲା । ଗୋଟାଏ ଛୋଟ କୋଠରୀ ଭିତରେ ସେମାନଙ୍କୁ ରଖାଗଲା । ସେମାନଙ୍କୁ ସାଧାରଣ ବନ୍ଦୀର ସୁବିଧା ମଧ୍ୟ ଦିଆଗଲା ନାହିଁ । ସେମାନଙ୍କୁ କଷ୍ଟ ଦିଆଗଲା, ମାଡ଼ ମଧ୍ୟ ହେଲା ।

 

ଲୋହିଆ ମଣିପୁରର ନ୍ୟାୟାଧୀଶଙ୍କ ଅଦାଲତରେ ‘‘ହେଭିୟସ କର୍ପସ’’ ଦରଖାସ୍ତ କଲେ । ଅଦାଲତ ଲୋହିଆଙ୍କୁ ମୁକ୍ତ କରିଦେବାକୁ ଆଦେଶ ଦେଲେ । ଲୋହିଆ ମୁକୁଳିଗଲେ । କିନ୍ତୁ ଜେଲ ଫାଟକ ପାଖରେହିଁ ତାଙ୍କୁ ଗିରଫ୍ କରି ନଜରବନ୍ଦୀରୂପେ ରଖାଗଲା ।

 

ଲୋକସଭାରେ ପ୍ରଶ୍ନ ରଖାଗଲା ।

 

ପୁଣି ଆଉ ଏକ ଦରଖାସ୍ତ ଦେଲା ପରେ ନ୍ୟାୟାଧୀଶ ଲୋହିଆଙ୍କୁ ମୁକ୍ତ କରିଦେବାର ଆଦେଶ ଦେଲେ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପରେ ପଚିଶ ଟଙ୍କା ଜୋରିମାନା କଲେ ।

 

ଲୋହିଆଙ୍କ ମୁକ୍ତି ସାଙ୍ଗେ ସାଙ୍ଗେହିଁ ୧୪୪ ଧାରା ଉଠାଇ ନିଆଗଲା ।

 

ବର୍ତ୍ତମାନ ଲୋହିଆ ସଂଗ୍ରାମଶୀଳ ସୋସାଲିଷ୍ଟମାନଙ୍କୁ ସଙ୍ଗଠିତ କରି ଏକ ନୂତନ ଦଳ ଗଠନ କରିବାର କଳ୍ପନା କଲେ ।

 

ଦିଲ୍ଲୀ, ମହୀଶୂର, ମଧ୍ୟଭାରତ, ବିନ୍ଧ୍ୟ ପ୍ରଦେଶ, ମାନ୍ଦ୍ରାଜ, ମଣିପୁର, ବିହାର, ବମ୍ବେ, ଆନ୍ଧ୍ର ପ୍ରଭୃତିର ଶାଖା ପାର୍ଟିସବୁ ପ୍ରସ୍ତାବ ଗ୍ରହଣ କରି ନୂତନ ଦଳକୁ ସ୍ୱାଗତ କରିବାକୁ ଲାଗିଲେ ।

 

ପ୍ରାୟ ନିଶ୍ଚିତ ହୋଇଗଲା ଯେ ଲୋହିଆଙ୍କ ନେତୃତ୍ୱରେ ବର୍ତ୍ତମାନ ଗୋଟାଏ ନୂତନ ଦଳ ଗଠିତ ହେବ, ଯାହା ବାସ୍ତବରେ ହେବ ଦେଶ ଏବଂ ଜନତାର ଏକ ସଂଗ୍ରାମଶୀଳ ସୋସାଲିଷ୍ଟ ଦଳ ।

 

ଏହି ନୂତନ ଦଳର କଳ୍ପନାଦ୍ୱାରା ଆଶାର ନୂତନ କିରଣ ଫୁଟି ଉଠିଲା । ସମାଜବାଦୀ ଆନ୍ଦୋଳନକୁ ଚତୁର୍ଦ୍ଦିଗରୁ ଘେରି ରହିଥିବା ନୈରାଶ୍ୟ ଅନ୍ଧକାର ଅପସରିଗଲା ।

 

୧୨

 

ସନ ୧୯୫୫ ଏବଂ ୧୯୫୬ର ମଧ୍ୟବର୍ତ୍ତୀ ଏକ ସମୟ ।

 

ଯେତେବେଳେ ସନ ୧୯୫୬ ଆରମ୍ଭ ହେଲା, ଗୋଟାଏ ପୁରାତନ ଲାଲଝଣ୍ଡା ନୂଆ ରୂପରେ ନୂଆ ପ୍ରେରଣା ନେଇ ଉଡ଼ିଲା ।

 

ସେଇ ସମୟରେ ସମାଜବାଦୀ ପାର୍ଟି ଗଢ଼ାଗଲା ।

 

ଗତ କେତେ ବର୍ଷ ଧରି ସମାଜବାଦୀ ଆନ୍ଦୋଳନ ଭିତରେ ପଶି ଲୋହିଆଙ୍କୁ ଖୁବ୍‌ ମାନସିକ ସଂଘର୍ଷ କରିବାକୁ ପଡ଼ିଥିଲା ।

 

ଲୋହିଆ ସାମାନ୍ୟ ଶାନ୍ତିରେ ନିଃଶ୍ୱାସ ମାଇଲେ ।

 

ଥରେ ତାଙ୍କର ସାମାନ୍ୟ ଆହ୍ୱାନକ୍ରମେ ଦେଶର ପ୍ରାୟ ବାର ଶହ ନବଯୁବକ, ସଂଗ୍ରାମୀ ସୋସାଲିଷ୍ଟ ହାଇଦ୍ରାବାଦଠାରେ ଆସି ରୁଣ୍ଡ ହୋଇଗଲେ ।

 

ଏଇ ସମ୍ମେଳନକୁ ଦେଖି ମନେହେଲା ଯେ ବ୍ୟକ୍ତିଗତ ଭାବରେ ଲୋହିଆଙ୍କୁ ସ୍ନେହ କରୁଥିବା ଲୋକଙ୍କ ସଂଖ୍ୟା ପ୍ରକୃତରେ କିଛି କମ୍‌ ନଥିଲା ।

 

ହାଇଦ୍ରାବାଦରେ ଯେଉଁମାନେ ଲୋହିଆଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିକୁ ଜନ୍ମ ଦେବାପାଇଁ ଆସି ରୁଣ୍ଡ ହୋଇଥିଲେ, ସେମାନେ ସମସ୍ତେ ନିଷ୍ଠାର ସହିତ ରାଜନୀତି ଚଳେଇବାର ବୁଦ୍ଧିମାନ୍‌ ଲୋକ ଥିଲେ, ଯେଉଁମାନେ କି ମନରେ ଆଉ କାମରେ ବାସ୍ତବିକ ସମାଜବାଦ ନିର୍ମାଣ କରିବାକୁ ଚାହୁଁଥିଲେ । ଏଭଳି ସମାଜବାଦ ଯାହା କି କୌଣସି ସୀମିତ ଗୋଷ୍ଠୀ ଭିତରେ ଗୋଟାଏ ଫେସନରେ ପରିଣତ ନ ହୋଇ ବାସ୍ତବ କ୍ଷେତ୍ରରେ ଜନତାକୁ ନେଇ ଏକ ନୂତନ ସମାଜର ପ୍ରତିଷ୍ଠା କରିପାରିବ ।

 

ଲୋହିଆଙ୍କ ପ୍ରେରଣାରେ ଗଠିତ ଏଇ ସୋସାଲିଷ୍ଟ ପାର୍ଟିର ନିର୍ମାଣ ସାଙ୍ଗେ ସାଙ୍ଗେହିଁ ଲୋହିଆଙ୍କ ଉପରେ ଏକ ବିରାଟ ରାଜନୀତିକ ଗୁରୁଦାୟିତ୍ୱ ଆସି ପଡ଼ିଲା । ତଥାପି ଲୋହିଆ ଦେଶ ଭିତରୁ ବାଛି ବାଛି ଏଭଳି ପ୍ରେମୀଙ୍କୁ ଏକତ୍ର କରିଥିଲେ, ଯେଉଁମାନେ କି ଯେକୌଣସି ପରିସ୍ଥିତିରେ ମଧ୍ୟ ନୂଆ ଦେଶର ନୂତନ ନିର୍ମାତା ହୋଇପାରିବେ ।

 

ହାଇଦ୍ରାବାଦରେ ଲୋହିଆଙ୍କ ନେତୃତ୍ୱରେ ଯେଉଁମାନେ ବାଛି ହୋଇ ଆସିଲେ, ସେମାନଙ୍କ ଭିତରେ ଗୋପାଳ ନାରାୟଣ ସାକ୍‌ସେନା, ରାଜନାରାୟଣ ସିଂହ, ବିପିନପାଲ ଦାସ, ବିଜୟରାମ ରାଜୁ, ବାଲେଶ୍ୱର ଦୟାଲ, ମଣିରାମ ବାଗଡ଼ି, ମଧୁଲିମାୟେ, ଏନ୍ଥୋନୀ ପିଲାଇ, ଲାଡ଼ଲିମୋହନ ନିଗମ, ରବି ରାୟ ପ୍ରଭୃତିଙ୍କ ନାମ ମୁଖ୍ୟ ଥିଲା ।

 

ସେଇଠି ଲୋହିଆ ଅଧ୍ୟକ୍ଷ ଭାବରେ ଯେଉଁ ଭାଷଣ ଦେଲେ, ତାହା ସମାଜବାଦୀ ଆନ୍ଦୋଳନର ଅନ୍ୟ ଏକ ଐତିହାସିକ ଦସ୍ତାବିଜ ।

 

ଲୋହିଆ କହିଥିଲେ–

 

‘‘.....ବନ୍ଧ୍ୟା ଗାନ୍ଧୀବାଦ କେବଳ ଧନୀମାନଙ୍କ ହୃଦୟ ପରିବର୍ତ୍ତନ କରିବା ଉପରେହିଁ ଧ୍ୟାନ ଦେଇଛି ଏବଂ ଗରିବଙ୍କ ହୃଦୟ ପରିବର୍ତ୍ତନକୁ ପୂରା ଉପେକ୍ଷା କରିଯାଉଛି । ମାର୍କସ୍‍ବାଦ, ଯାହା କି ହିନ୍ଦୁସ୍ଥାନ ଭିତରେ ଶ୍ରେଣୀସଂଘର୍ଷର ପର୍ଯ୍ୟାୟବାଚୀ ହୋଇଉଠିଛି । ଜୋର୍‍ସୋର୍‌ରେ ଏହି ସିଦ୍ଧାନ୍ତର ପ୍ରଚାର କରୁଛି, କିନ୍ତୁ ଏହି ଶ୍ରେଣୀ–ସଂଘର୍ଷ ସଦାବେଳେ ଭବିଷ୍ୟତ ପାଇଁ ରହିଯାଏ ।

 

‘‘.....ସମାଜବାଦ ନିଜକୁ ନିଜେ ଗାନ୍ଧୀବାଦୀ କିମ୍ବା ମାର୍କସ୍‍ବାଦୀ ଏବଂ ଗାନ୍ଧିବିରୋଧୀ କିମ୍ବା ମାର୍କସ୍‍ବିରୋଧୀ ବୋଲାଇବାର କୌଣସି ଆବଶ୍ୟକତାହିଁ ନାହିଁ; କାରଣ ଏହା ଫଳରେ ବିଚାରର ସ୍ଥାନ ଗୋଟାଏ ତାବିଜ୍ ନେଇଯିବ..... ।

 

‘‘କ୍ରାନ୍ତିର ଶେଷ ସୋପାନରେ ହିଂସାର ପ୍ରୟୋଗ ହେବ କି ନ ହେବ ତାହା ହେଉଛି ଏକ ନିରର୍ଥକ ଏବଂ ମହତ୍ତ୍ୱହୀନ ପ୍ରଶ୍ନ–ଯେମିତି କି ଆହୁରି ଅନେକ ବର୍ଷ ଧରି ବଞ୍ଚି ରହିବାକୁ ଥିବା କୌଣସି ଲୋକର ଶୁଦ୍ଧିକ୍ରିୟା ସମ୍ବନ୍ଧୀୟ ଯୁକ୍ତିତର୍କ ମୂଲ୍ୟହୀନ । ଏଭଳି ମୂର୍ଖତାପୂର୍ଣ୍ଣ ଯୁକ୍ତିତର୍କ ବର୍ତ୍ତମାନ ପର୍ଯ୍ୟନ୍ତ ଏଇଥିପାଇଁ ଚାଲିଆସୁଛି ଯେ ଲୋକେ ସଂସଦୀୟ ପଦ୍ଧତି ଏବଂ ସଶସ୍ତ୍ର ବିଦ୍ରୋହ, ଏଇ ଦୁଇଟି ରାସ୍ତାକୁହିଁ ଭଲ ଭାବରେ ଜାଣନ୍ତି । ବ୍ୟକ୍ତିଗତ ଏବଂ ସାମୂହିକ ସତ୍ୟାଗ୍ରହ ରୂପରେ ବର୍ତ୍ତମାନ ଏକ ନୂତନ ପଥ ଖୋଲିଛି । ଅସଲ ପ୍ରଶ୍ନ ହେଉଛି, କ୍ରାନ୍ତିର ସଙ୍ଗଠନ ଅହିଂସା ଉପରେ ଆଧାରିତ ହେବା ଉଚିତ ନା ହିଂସା ଉପରେ ? ....ଅହିଂସାତ୍ମକ କ୍ରାନ୍ତିର ମାର୍ଗରେ ବେଳେବେଳେ ଅହିଂସାର ପଣତକାନିଟା ଭାରି ଓଜନିଆ ହୋଇପଡ଼େ ତ ଆଉ କେତେବେଳେ ହିଂସାର ମଧ୍ୟ । ଆମେ ନା ଅହିଂସାକୁ ଛାଡ଼ିପାରିବା ନା କ୍ରାନ୍ତିକୁ ।

 

‘‘ଉଚ୍ଚ ଶ୍ରେଣୀ ଉପରେ କ୍ରୋଧ ନୀଚଙ୍କଠୁଁ ଦୂରେଇ ରହିବାର ମାନେ ସମାଜବାଦ ନୁହେଁ-। ଶୋଷଣର ବିରୁଦ୍ଧରେ ସହାନୁଭୂତି ଏବଂ କ୍ରୋଧର ଏକତାହିଁ ପ୍ରକୃତ ସମାଜବାଦର ପଥ ପରିଷ୍କାର କରିପାରିବ ।

 

‘‘ସମାଜବାଦୀ ଆନ୍ଦୋଳନକୁ ବର୍ତ୍ତମାନ ଉତ୍ତେଜିତ ଏବଂ ଏକତ୍ର କରିବା–‘‘ଏ ଦୁଇଟାଯାକ କଳା ଶିଖିବାକୁ ପଡ଼ିବ । ସେତିକି ଉତ୍ତେଜନା ସୃଷ୍ଟି କରିବା ଦରକାର, ଯେତିକି ପରିସ୍ଥିତି ଅନୁସାରେ ଅନୁକୂଳ ହେବ । ତା’ପରେ ସେଇ ଉତ୍ତେଜନାର ଫଳକୁ ଏକତ୍ର କରିନେବା ପରେ ପୁଣି ଜାଗ୍ରତ କରିବା କିମ୍ବା ଉତ୍ତେଜିତ କରିବା ଆବଶ୍ୟକ–ଯେ ପର୍ଯ୍ୟନ୍ତ କି ଶୋଷଣ ବିରୁଦ୍ଧରେ ଶେଷ ଲଢ଼େଇ ବା ଶେଷ ଉତ୍ତେଜନାର ଜୟ ନ ହୋଇଛି । ...ସେଇ ଦୃଷ୍ଟିରୁ ସମାଜବାଦୀ ଆନ୍ଦୋଳନ ପକ୍ଷରେ ଉଚିତ ଯେ ସେ ନିଜ କାମ ନିଜେହିଁ ଆରମ୍ଭ କରୁ ଏବଂ ଅନ୍ୟଦ୍ୱାରା ସୃଷ୍ଟି କରାଯାଇଥିବା ପରିସ୍ଥିତିର ଉତ୍ତର ଦେବା ଭଳି ପୁରୁଣା ଅଭ୍ୟାସକୁ ସଦାସର୍ବଦା ପାଇଁ ବର୍ଜନ କରୁ ।’’

 

ସୋସାଲିଷ୍ଟ ପାର୍ଟି ନିର୍ମାଣର ଠିକ୍‌ ଦୁଇ ମାସ ପରେ ।

 

ଲକ୍ଷ୍ନୌ ସହରରେ ଗୋମତୀ ନଦୀକୂଳରେ ଏକ ଲକ୍ଷ କୃଷକ ଏକତ୍ର ହେଲେ ।

 

ମାର୍ଚ୍ଚ ମାସରେ ଲକ୍ଷ୍ନୌରେ ଲୋହିଆଙ୍କ ନେତୃତ୍ୱରେ ଦୀର୍ଘ ଦୁଇ ମାଇଲ ଲମ୍ବର ଗୋଟାଏ ବିରାଟ ଶୋଭାଯାତ୍ରା ବାହାରିଲା ।

 

ଗୋମତୀ କୂଳରୁ...ସୋସାଲିଷ୍ଟ ନଗରରୁ ଉଠିଆସି ଶୋଭାଯାତ୍ରା ‘କାଉନ୍‍ସିଲ୍‌ ହାଉସ୍‌’ ପର୍ଯ୍ୟନ୍ତ ଗଲା ।

 

ଏଇ ଜନପ୍ରଦର୍ଶନରୁ ଲୋକଙ୍କୁ ସୋସାଲିଷ୍ଟ ପାର୍ଟିର ଉନ୍ନତି ପଥ ତଥା ଲୋହିଆଙ୍କ ଟାଣୁଆ ନେତୃତ୍ୱର ସୂଚନା ମିଳିଲା ।

 

ଲୋହିଆ ସୋସାଲିଷ୍ଟ ପାର୍ଟି ଲୋକଙ୍କ ମନ ଭିତରେ ସତ୍ୟ ଭାବନା ସୃଷ୍ଟି କରିବାପାଇଁ ଅନେକ ନୂଆ ନୂଆ ପ୍ରୟୋଗ କରିବା ଆରମ୍ଭ କରିଦେଲେ । ଦଳର ଅଧ୍ୟକ୍ଷ ଭାବରେ ଲୋହିଆ ଦଳର ସଦସ୍ୟମାନଙ୍କ ପାଖକୁ ଏକ ସାପ୍ତାହିକ ପରିପତ୍ର ପଠାନ୍ତି ଏବଂ ସଦସ୍ୟମାନେ ମଧ୍ୟ ତା’ର ଉତ୍ତର ଦିଅନ୍ତି । ଏଭଳି ଭାବରେ ନେତା ଏବଂ ସାଧାରଣ କର୍ମକର୍ତ୍ତାଙ୍କ ଭିତରେ ସିଧାସଳଖ ସମ୍ପର୍କ ବୃଦ୍ଧି କରିବାରେ ଏହା ଏକ ସଫଳ ଉପାୟ ପ୍ରମାଣିତ ହେଲା ।

 

ସନ ୧୯୫୭ ନିର୍ବାଚନ ପାଖେଇ ଆସୁଥିଲା ।

 

ଲୋହିଆ ଦଳର କର୍ମକର୍ତ୍ତାଙ୍କୁ ନେଇ ନିର୍ବାଚନ ପାଇଁ ଗୋଟାଏ ପ୍ରକାର ବିଶେଷ ଶିକ୍ଷା ଦେବାକୁ ଆରମ୍ଭ କରିଦେଲେ । ନିଜର ଗୋଟାଏ ଚିଠିରେ ସେ ସମସ୍ତ କର୍ମକର୍ତ୍ତାଙ୍କୁ ଲେଖିଲେ–

 

‘‘ସମାଜବାଦ ଆନ୍ଦୋଳନର ରାସ୍ତାରେ ଆସିଥିବା ବାଧାବିଘ୍ନ ବିରୁଦ୍ଧରେ ମୁଁ ମଧ୍ୟ ଜନତା ତଥା କର୍ମକର୍ତ୍ତାଙ୍କୁ ଏବଠୁଁ ସାବଧାନ କରିଦେବାକୁ ଚାହୁଁଛି ।

 

‘‘ସମସ୍ତ ପଦାଧିକାରୀଙ୍କୁ ପାର୍ଟିର ବିଧାନ, ନୀତି ଏବଂ ରୀତିର ସଂରକ୍ଷକ ହେବାକୁ ପଡ଼ିବ ।’’

 

ସନ ୧୯୫୬ ଅଗଷ୍ଟ ମାସରୁ ଲୋହିଆ ହାଇଦ୍ରାବାଦରୁହିଁ ‘ମ୍ୟାନ୍‌ କାଇଣ୍ଡ’ ନାମକ ଇଂରାଜୀରେ ଏକ ଅନ୍ତର୍ରାଷ୍ଟ୍ରୀୟ ମାସିକ ପ୍ରକାଶନ ଆରମ୍ଭ କଲେ । ଲୋହିଆ ଏହାର ମୁଖ୍ୟ ସମ୍ପାଦକ ଥିଲେ । ଏ ସମ୍ବନ୍ଧରେ ଲୋହିଆ ଲେଖିଥିଲେ–‘‘ଯଥାର୍ଥ୍ୟ ଆଞ୍ଚଳିକ ଏବଂ ବିଶ୍ୱବ୍ୟାପୀ ଆଦର୍ଶର ଲଗାତାର ଅନୁସନ୍ଧାନ ହେବା ଉଚିତ । ....ଦୁନିଆର ସତ୍ୟ ସଂଶୋଧନ ଏବଂ ଏକ ଆଦର୍ଶ ଭବିଷ୍ୟତର ଅନ୍ୱେଷଣହିଁ ‘ମ୍ୟାନ୍‌ କାଇଣ୍ଡ’ର ମୁଖ୍ୟ ଉଦ୍ଦେଶ୍ୟ ।’’

 

ସୋସାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ଥିବା ସମୟରେ ଲୋହିଆ ଅନେକ ନୂତନ ବିଚାରଧାରାର ସୂତ୍ରପାତ କରିଥିଲେ ।

 

ନିର୍ବାଚନ ପାଖେଇ ପାଖେଇ ଆସୁଥିଲା । ଲୋହିଆ ଘୋଷଣା କଲେ ନିର୍ବାଚନ ନୀତି–‘‘ସୋସାଲିଷ୍ଟ ପାର୍ଟି ଦେଶରେ ବିଚାରର ପରିବର୍ତ୍ତନ ଚାହେଁ । କେବଳ ମତର ପରିବର୍ତ୍ତନ ନୁହେଁ, ବରଂ କିଛିଟା ନିଷ୍ଠା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । କେତୋଟି ଜାଗା ହାସଲ କରିବାପାଇଁ ନିଜ ଉଚ୍ଚ ଆଦର୍ଶର ସଉଦା କରିବା ସପକ୍ଷରେ ସେ ନୁହେଁ । ସେ ନିର୍ବାଚନକୁ ଅତି ଗଭୀର ଦୃଷ୍ଟିରେ ଦେଖିବାକୁ ଚାହେଁ । ନିର୍ବାଚନର ଅର୍ଥ ହେଉଛି ଜନତାର ସାର୍ବଭୌମତାର ଅଭିବ୍ୟକ୍ତି । ଦେଶର ରାଜନୈତିକ ଜୀବନକୁ ଶୁଦ୍ଧ ଏବଂ ଦୃଢ଼ କରିବା ତଥା ସବୁ ପ୍ରକାରର ଶୋଷଣର ନିକାଶ କରିବାହିଁ ସୋସାଲିଷ୍ଟ ପାର୍ଟିର ଉଦ୍ଦିଷ୍ଟ କାର୍ଯ୍ୟ ଅଟେ । ନିଜର ଧ୍ୟେୟ ସିଦ୍ଧିପାଇଁ ସୋସାଲିଷ୍ଟ ପାର୍ଟି ପ୍ରାଣନ୍ତକ ଚେଷ୍ଟା କରିଚାଲିଛି । ନିର୍ବାଚନ ହେଉଛି ଲକ୍ଷ୍ୟପ୍ରାପ୍ତିର ଗୋଟାଏ ସାଧନ । ସୋସାଲିଷ୍ଟ ପାର୍ଟି ଜାଣେ ଯେ ଚତୁର୍ଦ୍ଦିଗର ରାଜନୀତିକ ପଙ୍କ ଭିତରେ ପାର୍ଟି ନଷ୍ଟ ହୋଇଯିବାର ବିପଦ ରହିଛି; ତଥାପି ଆପଣାର ଉଦ୍ଦେଶ୍ୟସିଦ୍ଧି ନିମନ୍ତେ ପାର୍ଟି ଜାଗ୍ରତ ହେବ, ନଚେତ୍‌ ଧ୍ୱଂସ ପାଇଯିବ ।’’

 

ବର୍ତ୍ତମାନ ସୋସାଲିଷ୍ଟ ପାର୍ଟିର ବାର୍ଷିକ ଅଧିବେଶନର ସମୟବି ନିକଟ ହୋଇ ଆସୁଥିଲା ।

 

ଲୋହିଆଙ୍କର ଗୋଟାଏ କଳ୍ପନା ଥିଲା ଯେ ପାର୍ଟିର ପ୍ରଥମ ବାର୍ଷିକ ଅଧିବେଶନ ଭାରତର କେନ୍ଦ୍ରବିନ୍ଦୁରେ ଅନୁଷ୍ଠିତ ହେଉ । ତେଣୁ ମଧ୍ୟପ୍ରଦେଶର ସିହୋରା ସ୍ଥାନକୁ ବଛାଗଲା ।

 

୨୮, ୨୯, ୩୦ ଡିସେମ୍ବର ୧୯୫୬ ।

 

ସିହୋରା–ସୋସାଲିଷ୍ଟ ପାର୍ଟିର ପ୍ରଥମ ଅଧିବେଶନ । ହାଇଦ୍ରାବାଦଠାରେ ସ୍ଥାପନା ସମ୍ମେଳନ ପରେ ପ୍ରଥମ ଥରପାଇଁ ସମଗ୍ର ଦେଶର ସୋସାଲିଷ୍ଟମାନେ ଏକତ୍ର ହେଲେ ।

 

ଲୋହିଆ ସଭାପତିତ୍ୱ କରୁଥିଲେ ।

 

ଏଇଠି ଲୋହିଆ ଏକ ଆମୋଦଦାୟକ ଭୂମିକା ଗ୍ରହଣ କଲେ ।

 

ତ୍ରିଦିବସୀୟ ସମ୍ମେଳନରେ ଲୋହିଆ ପ୍ରଥମ ଦିନଟି ପୂର୍ଣ୍ଣ ଅଂଶଗ୍ରହଣ କଲେ । ଦ୍ୱିତୀୟ ଦିନ ସେ ଆଉ ସମ୍ମେଳନରେ ଉପସ୍ଥିତ ହେଲେ ନାହିଁ ଏବଂ ତୃତୀୟ ନିନ ସନ୍ଧ୍ୟାର ଶେଷ ସଭାକୁ କିଛି ସମୟପାଇଁ ଆସିଲେ । ଜାଣିଶୁଣି ଲୋହିଆ ନିଜକୁ ସମ୍ମେଳନଠାରୁ ଦୂରେଇ ରଖିଲେ ।

 

ବୁଝିବାକୁ ଗଲେ ଏ କଥା ବାସ୍ତବିକ ଖୁବ୍‌ ଆଶ୍ଚର୍ଯ୍ୟ ମନେ ହୁଏ । ନିଜ ସମ୍ମେଳନ ଏବଂ ନିଜେ ଏତେଟା ଉଦାସୀନ । କଥା କ’ଣ ହୋଇପାରେ ?

 

ବିଷୟ ଗମ୍ଭୀର ଥିଲା ।

 

ବର୍ଷକର ଦଳଗତ କାର୍ଯ୍ୟକଳାପରେ ଲୋହିଆ ଦେଖିଥିଲେ ଯେ ତାଙ୍କର ଅତ୍ୟଧିକ ଆଗ୍ରହ ନେବା ଫଳରେ ପାର୍ଟି ଭିତରେ ଗୋଟାଏ ଖରାପ ଅବସ୍ଥା ସୃଷ୍ଟି ହୋଇ ଆସିଥିଲା । ‘‘ସବୁ କିଛି ନିଜେ ଲୋହିଆ’’–ଏହାହିଁ ଅନୁଭବ ହେଉଥିଲା । ପାର୍ଟିର ବ୍ୟକ୍ତିତ୍ୱ ଉପରେ କୁପ୍ରଭାବ ପଡ଼ୁଥିଲା । ପାର୍ଟିର ମୁଖ୍ୟ କର୍ମକର୍ତ୍ତାମାନେ ମଧ୍ୟ ଲୋହିଆଙ୍କ ଉପରେ ଭରସା କରି ନିଜ ନିଜର କାମ ଦାୟିତ୍ୱପୂର୍ଣ୍ଣ ଭାବରେ ସମ୍ପାଦନା କରୁ ନଥିଲେ । ମୂଳତଃ କେତେକ ଲୋକ ଏପରି ମଧ୍ୟ ଥିଲେ–ଯେଉଁମାନେ କି ଲୋହିଆଙ୍କ ସାମ୍ନାରେ ବିଲ୍‍କୁଲ୍ ଚୁପ୍‌ ରହୁଥିଲେ; କିନ୍ତୁ ପରେ ପରେ ପାର୍ଟିର ନିୟମକୁ ଉପେକ୍ଷା କରି ଯାଉଥିଲେ । ପରିଣାମସ୍ୱରୂପ ପାର୍ଟି ଭିତରେ ମିଥ୍ୟାର କଳେବର ବୃଦ୍ଧି ହେବାରେ ଲାଗିଥିଲା । ଏପରି ଘଟଣା ଯୋଗୁଁ ଲୋହିଆ ବିରକ୍ତ ହୋଇ ଉଠିଥିଲେ । ତେଣୁ ସେ ଜାଣିଶୁଣି ନିଜେ ସମ୍ମେଳନରେ ଅନୁପସ୍ଥିତ ରହିଲେ । ତାଙ୍କର ଇଚ୍ଛା ଥିଲା, ତାଙ୍କ ଅନୁପସ୍ଥିତିରେ ଅନ୍ୟମାନେ ଖୋଲାଖୋଲି ଭାବରେ କହନ୍ତୁ, ଭାବନ୍ତୁ ଏବଂ ମସ୍ତିଷ୍କର ପଙ୍ଗୁତ୍ୱକୁ ନଷ୍ଟ କରନ୍ତୁ ।

 

ଲୋହିଆଙ୍କ ପ୍ରତି ପାର୍ଟି ଲୋକଙ୍କର ଏତେଦୂର ଶ୍ରଦ୍ଧା ଆଉ ବିଶ୍ୱାସ ଥିଲା ଯେ ସେମାନେ ସମସ୍ତେ ପ୍ରାୟ ଭାବିବା–ବିଚାରିବା କାମ ଲୋହିଆଙ୍କ ଉପରେହିଁ ଛାଡ଼ି ଦେଇଥିଲେ । ଏହି ଅବସ୍ଥା ଲୋହିଆଙ୍କ ପକ୍ଷରେ ଅସହ୍ୟ ହୋଇ ଉଠୁଥିଲା । ଯଦିଓ ଲୋହିଆଙ୍କ ମନରେ ଅଦମ୍ୟ ଆତ୍ମବିଶ୍ୱାସ ରହିଥିଲା, ତଥାପି ସେ ଏଭଳି ସ୍ଥିତିର କୁପରିଣାମ ପ୍ରତି ସତର୍କ ଥିଲେ । ମନେ ହେଉଥିଲା ଯେମିତି କି ପାର୍ଟି ଭିତରେ ଗୁଡ଼ାଏ ତୋଷାମୋଦକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅତଏବ ଏଥିପ୍ରତି ବାଧା ସୃଷ୍ଟି କରିବାପାଇଁ ଲୋହିଆ ନିତାନ୍ତ ଆବଶ୍ୟକ ମନେକଲେ ।

 

ସେଇଠି ଲୋହିଆ ନିଜ ଅଧ୍ୟକ୍ଷୀୟ ଭାଷଣରେ କହିଲେ–

 

‘‘ହିନ୍ଦୁସ୍ଥାନ ବେଳକୁ ବେଳ ଦେଉଳିଆ ହୋଇଆସୁଛି, ଆଉ ହେବ ମଧ୍ୟ । ଆଜିକି ଦଶବର୍ଷ ଧରି ସରକାର ଗଚ୍ଛିତ ପୁଞ୍ଜି ମଧ୍ୟ ଖର୍ଚ୍ଚ କରି ଦେଇ ସାରିଛନ୍ତି । ପ୍ରାୟ ସତର–ଅଠର ଶହ କୋଟି ଟଙ୍କା ଖର୍ଚ୍ଚ କରି ଦେଇ ସାରିଲେଣି... । ଏଇ ଦଶବର୍ଷ ଧରି ଦାରିଦ୍ର୍ୟ ଆଉ ଅସମାନତାର ନେହେରୁ–ଚକ୍ର ଖୁବ୍‌ ଜୋରରେ ଘୂରୁଛି । ତେଣୁ ଏହି ଚକ୍ରକୁ ଭାଙ୍ଗିବାକୁ ହେଲେ ଧନୀଙ୍କ କୈଳାସଶୃଙ୍ଗକୁ ଏପରି ଧ୍ୱଂସ କରିଦେବା ଉଚିତ ଏବଂ ଗରିବଙ୍କ ପାତାଳକୁ ଏପରି ଉପରକୁ ଉଠେଇବା ଦରକାର ଯେ ଯେମିତି କି ସମାନତା ଆଉ ଏକ ଦଶକ ଭିତରେ ଆସିଯିବ ।

 

‘‘ବିରୋଧୀଦଳମାନେ ଯେପରି ଭାବରେ ଶିଖର–ରାଜନୀତି କରିବାପାଇଁ ବ୍ୟଗ୍ର, ତାହା ଦେଖିଲେ ହାସ୍ୟାସ୍ପଦ ଲାଗେ । ନା କମିଟିମାନେ କାମ କରୁଛନ୍ତି, ନା ନୂଆଲୋକ ସୃଷ୍ଟି ହେଉଛନ୍ତି, ନା ପଇସା, ନା ପାଦ ରଖିବା ଭଳି ସଂଗଠନ ତିଆରି ହୋଇଛି–କିନ୍ତୁ ଶିଖର–ରାଜନୀତି କରିବାରେ ସମସ୍ତେ ଲାଗି ପଡ଼ିଛନ୍ତି । ସେଇ ବିରୋଧୀ ନେତାଙ୍କ ଅବସ୍ଥା ସେତେବେଳେ ଦେଖିବାର ଯୋଗ୍ୟ ଥିଲା, ଯେତେବେଳେ କି ସେମାନେ ସମସ୍ତେ ୧୯୫୨ ନିର୍ବାଚନରେ ଅତି ଦୟନୀୟ ଭାବରେ ପରାସ୍ତ ହୋଇଥିଲେ । ସେମାନଙ୍କ ଚେହେରାଗୁଡ଼ିକ ହୋଇଥିଲା–ଯେମିତି କି ଧୋବା ଲୁଗା କାଚିସାରିଛି, କିନ୍ତୁ ଇସ୍ତ୍ରୀ ନ କରି ରଖିଛି । ତା’ପରେ ସେମାନେ ଲମ୍ବା ଆଉ ସିଧା ରାସ୍ତା ଛାଡ଼ି ଶୀଘ୍ର ଗାଦିରେ ପହଞ୍ଚିଯିବେ ବୋଲି ପାଦଚଲା ରାସ୍ତାର ଆଶ୍ରୟ ନେଇ ବସିଲେ ।

 

‘‘ଚତୁରତାରେ କ’ଣ ଦେଶ ବଦଳିବ ? ମନ ବଦଳିଲେହିଁ ରାଜନୀତିର ମୌଳିକ ପରିବର୍ତ୍ତନ ଆସିବ । ତେବେ ଯାଇ ଦେଶବି ବଦଳିବ । ବାସ୍ତବିକ ଯେଉଁଟା ଲମ୍ବା ରାସ୍ତା, ତାହାହିଁ ଛୋଟ ରାସ୍ତା । ଆଉ ଯୋଉଟା ପାଦଚଲା ରାସ୍ତା, ତାହାହିଁ ଲମ୍ବା ରାସ୍ତା । ପାଦଚଲା ରାସ୍ତା ଠିକ୍‌ ମୃଗମରୀଚିକା ରାସ୍ତା ଭଳି, ତାହାବି ମରୁଭୂମିର ।’’

 

ସନ ୧୯୫୬ ଶେଷ ମାସ ଏବଂ ୧୯୫୭ର ଠିକ୍‌ ଆରମ୍ଭରେହିଁ ଲୋହିଆଙ୍କର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଚେଷ୍ଟା ସଫଳତା ହାସଲ କରୁ କରୁ ରହିଗଲା ।

 

ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ‘ଅଖିଳ ଭାରତୀୟ ପରିଗଣିତ ଜାତିସଂଘ’ର ବିଚାର ଏବଂ ସୋସାଲିଷ୍ଟ ପାର୍ଟିର ‘ପଛୁଆ’ ଏବଂ ପରିଗଣିତ ଜାତି ସମ୍ବନ୍ଧୀୟ ନୀତିରେ ବହୁତ କିଛି ଏକରୂପତା ତଥା ସାମ୍ୟ ରହିଥିଲା । ଲୋହିଆଙ୍କ ଦୁଇ ଜଣ ସହଯୋଗୀ ବିମଳ ମେହରୋତ୍ରା ଏବଂ ଧର୍ମବୀର ଗୋସ୍ୱାମୀ ଡକ୍ଟର ଆମ୍ବେଦକରଙ୍କୁ ଦେଖାକରି ଆଲୋଚନା ଚଳାଇଲେ । ତା’ପରେ ଲୋହିଆ ଡକ୍ଟର ଆମ୍ୱେଦକରଙ୍କ ଦଳକୁ ସୋସାଲିଷ୍ଟ ପାର୍ଟିରେ ସାମିଲ ହୋଇଯିବା ପାଇଁ ଚିଠି ଲେଖିଲେ । ଡକ୍ଟର ଲୋହିଆଙ୍କ ଇଚ୍ଛା ଥିଲା ଯେ ଡକ୍ଟର ଆମ୍ବେଦକର କେବଳ ପରିଗଣିତ ଜାତିରହିଁ କାହିଁକି, ସମଗ୍ର ଭାରତର ନେତା ହୁଅନ୍ତୁ । କିନ୍ତୁ ସଦାସର୍ବଦା ଭଳି ଏଥର ମଧ୍ୟ ଦୁର୍ଭାଗ୍ୟ ଆସି ଆଗରେ ଛିଡ଼ାହେଲା ଏବଂ ଅଚାନକ ମୃତ୍ୟୁ ଆସି ଡକ୍ଟର ଆମ୍ବେଦକରଙ୍କୁ ନେଇ ଚାଲିଗଲା । ଫଳରେ ଲୋହିଆଙ୍କ ସ୍ୱପ୍ନ ଆଉ ପୂରା ହୋଇପାରିଲା ନାହିଁ ।

 

ବର୍ତ୍ତମାନ ଆସିଲା ସନ ୧୯୫୭ ନିର୍ବାଚନ ।

 

ପାର୍ଟିର ସାଙ୍ଗ–ସାଥୀମାନେ ଏଥରବି ଲୋହିଆଙ୍କୁ ନିର୍ବାଚନରେ ଲଢ଼ିବାପାଇଁ ବାଧ୍ୟ କଲେ । ଲୋହିଆ ନିଜେ ନିର୍ବାଚନରେ ଅଂଶଗ୍ରହଣ ନ କରି ଅନ୍ୟମାନଙ୍କୁ ଲଢ଼େଇବା ପାଇଁ ଚାହୁଁଥିଲେ । କିନ୍ତୁ ପରିସ୍ଥିତିର ଚାପାରେ ପଡ଼ି ସେ ନିର୍ବାଚନ ଭିତରକୁ ଡେଇଁ ପଡ଼ିବାକୁ ବାଧ୍ୟ ହେଲେ । ସେ ଉତ୍ତରପ୍ରଦେଶର ଚକିଆଚନ୍ଦୋଲି ନିର୍ବାଚନ ମଣ୍ଡଳୀରୁ ସଂସଦ ସଭ୍ୟପାଇଁ ଛିଡ଼ାହେଲେ । ସେ କହିଥିଲେ ଯେ, ‘‘ନିର୍ବାଚନରେ ପରାସ୍ତ ହେବାକୁ ଯାଉଥିବା ବନ୍ଧୁମାନଙ୍କ ଦୁଃଖରେ ଭାଗୀଦାର ହେବାପାଇଁ ମୁଁ ଛିଡ଼ା ହେଉଛି ।’’

 

ଲୋହିଆ ଛିଡ଼ାହେଲେ ଓ ନିର୍ବାଚନ ଲଢ଼େଇରେବି ସତ୍ୟ, ସିଦ୍ଧାନ୍ତ ଏବଂ ନିର୍ଭୀକତାର ଆଦର୍ଶ ଉପସ୍ଥାପିତ କଲେ । ନିଜ ଅଞ୍ଚଳ ପ୍ରତି ଅଧିକ ଧ୍ୟାନ ନ ଦେଇ ସେ ଦଳର ଅନ୍ୟ ସଭ୍ୟମାନଙ୍କ ଅଞ୍ଚଳ ପ୍ରତି ଅଧିକ ଜୋର୍‌ ଦେଲେ । ଏହି ସୁଯୋଗରେ ନେହେରୁ ତଥା ଅନ୍ୟ କଂଗ୍ରେସୀ ନେତାମାନେ ଲୋହିଆଙ୍କ କ୍ଷେତ୍ରରେ ତାଙ୍କ ବିରୁଦ୍ଧରେ ନିଜର ସମସ୍ତ ଶକ୍ତି ଏକତ୍ର କରିବାରେ ଲାଗିପଡ଼ିଲେ । ପରିଣାମ ହେଲା ଯେ ଲୋହିଆ ନିଜର କଂଗ୍ରେସୀ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ପ୍ରାୟ ତିରିଶ ପଇଁତିରିଶ ହଜାର ଭୋଟରେ ହାରିଗଲେ ।

 

ଲୋହିଆ ନିଜର ବ୍ୟକ୍ତିଗତ ଜୟ ବା ପରାଜୟର ଫଳାଫଳ ପ୍ରତି ଆଗ ଅପେକ୍ଷା ଆଦୌ ଅଧିକ ମହତ୍ତ୍ୱ ଦେଇ ନଥିଲେ । କିନ୍ତୁ ବ୍ୟକ୍ତିଗତ ଭାବରେ ପରାସ୍ତର ଯେଉଁ ସ୍ୱାଭାବିକ ପରିଣାମ ହେବା କଥା, ତା’ଠୁଁ ଲୋହିଆ ମଧ୍ୟ ଭଲ । କିପରି ମୁକ୍ତ ରହିପାରନ୍ତେ ! ନିଜର ପରାଜୟ ପରେ ସେ କହିଲେ–‘‘ଏମିତି ମଉକା ଉପରେ ବଡ଼ ଦୁଃଖ ଲାଗେ । ଶରୀର ନିଜ ଧର୍ମକୁ ତ ଯେମିତି ହେଲେ ପାଳନ କରିଯାଏ । କିନ୍ତୁ ହଁ, ମନଟା ଏମିତିବେଳେ ଚିନ୍ତା କରିବସେ, ଏସବୁ କ’ଣ ହେଇଯାଉଚି ? ସେ ଯାହାହେଉ, ସୋସାଲିଷ୍ଟ ପାର୍ଟି ଆଉ ମୋ ଭିତରେ ଏଭଳି ସାହସ ଆଉ ଧୈର୍ଯ୍ୟ ସଞ୍ଚାର ହେଉ, ଯାହା କି ମହମ୍ମଦ ଘୋରୀଙ୍କ ପାଖରେ ଥିଲା–ସେ ସତର ଥର ହାରିବା ପରେ ମଧ୍ୟ ଅଠର ଥର ଚେଷ୍ଟା କରିଥିଲେ ।

 

ଏଭଳି ଏକ ତିକ୍ତ ଅନୁଭୂତି ସହ ନିର୍ବାଚନ ଶେଷ ହେଲା ।

 

ଲୋହିଆ ବର୍ତ୍ତମାନ ନିଜର ସମସ୍ତ ଶକ୍ତି ଦେଶ ତଥା ପାର୍ଟିପାଇଁ ଖଟାଇବାକୁ ଆରମ୍ଭ କରିଦେଲେ । ଲୋହିଆ ନିର୍ଭୀକତାପୂର୍ବକ କଂଗ୍ରେସ ସରକାରର ସେଇ ରୋଗ ପ୍ରତି ଅଙ୍ଗୁଳି ଟେକିବାକୁ ଆରମ୍ଭ କରିଦେଲେ, ଯାହା କି ଦେଶ ପକ୍ଷରେ ଏକ କ୍ଷତ ଭଳି ରହିଥିଲା । ସର୍ବାଗ୍ରେ ସେ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ଅସୀମିତ ଖର୍ଚ୍ଚ ପ୍ରତି ପ୍ରହାର ଆରମ୍ଭ କଲେ ।

 

ଅନ୍ୟ ପ୍ରହାର–ଲୋହିଆ ଭାରତରେ ଇଂରେଜୀ ଭାଷାର ସାର୍ବଜନିକ ପ୍ରୟୋଗ ତଥା ତା’ର ରାଜକୀୟ ବ୍ୟବହାର ଉପରେ ଆରମ୍ଭ କଲେ ।

 

ଏପରି ଭାବରେ ଲୋହିଆ ସେତେବେଳେ ସର୍ବପ୍ରଥମ ପାଇଁ ଦାବି କଲେ ଯେ ସାଢ଼େ ଛଅ ଏକର ଜମି ଉପରୁ ରାଜସ୍ୱ ଉଠାଇ ଦିଆଯାଉ ।

 

ଏହି ଦାବିକୁ ସାର୍ବଜନିକ ଆନ୍ଦୋଳନର ରୂପ ଦେବାପାଇଁ ଲୋହିଆ ଭାରତବର୍ଷର ଚାରିଆଡ଼େ ବୁଲି ବୁଲି ସତ୍ୟାଗ୍ରହ (ସିଭିଲନାଫର୍‌ମାନି)ର କାର୍ଯ୍ୟକଳାପ ଆରମ୍ଭ କରାଇଦେଲେ ।

 

ସେ ସମୟରେ ଯେତେବେଳେ ଉତ୍ତରପ୍ରଦେଶରେ ସତ୍ୟାଗ୍ରହ ଆନ୍ଦୋଳନ ଚାଲୁଥିଲା ଏବଂ ପ୍ରାୟ ତିନି ହଜାର ଲୋକ ସମଗ୍ର ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ବନ୍ଦ ହୋଇ ରହିଥିଲେ, ସେତେବେଳେ ଜୟପ୍ରକାଶ ନାରାୟଣ ଖଣ୍ଡେ ଚିଠି ଲେଖି ଲୋହିଆଙ୍କୁ ଦେଖା କରିବାପାଇଁ ଇଚ୍ଛା ପ୍ରକାଶ କଲେ ।

 

ଏତେ ଦିନ ପରେ ଜୟପ୍ରକାଶଙ୍କର ଏଭଳି ଇଚ୍ଛାଦ୍ୱାରା ସମାଜବାଦୀ କ୍ଷେତ୍ରରେ ଅଳ୍ପେ ବହୁତେ ଫୁସରଫାସର ଆରମ୍ଭ ହୋଇଗଲା । ଜୟପ୍ରକାଶ ଚାହୁଁଥିଲେ ଯେ ପ୍ରଜା–ସୋସାଲିଷ୍ଟ ପାର୍ଟି ଏବଂ ସୋସାଲିଷ୍ଟ ପାର୍ଟି ଏକା ହୋଇଯାଉ ଏବଂ ଲୋକତାନ୍ତ୍ରିକ ସମାଜବାଦର ଗୋଟାଏ ପାର୍ଟି ବା ଦଳ ହୋଇ ରହୁ ।

 

ଠିକ୍‌ ୧୫ ଜୁଲାଇ ଦିନ ଲକ୍ଷ୍ନୌଠାରେ ଲୋହିଆଙ୍କର ଗୋଟାଏ କାର୍ଯ୍ୟକ୍ରମ ରହିଥିଲା । ସେଇ ତାରିଖ ନିଶ୍ଚିତ ଥିଲା; ତେଣୁ ଜୟପ୍ରକାଶ ଲୋହିଆଙ୍କୁ ଦେଖା କରିବାକୁ ଆସିଲେ । ଲୋହିଆ ମଧ୍ୟ ସମାଜବାଦର ଏକ ଦୃଢ଼ ଦଳର ସମ୍ଭାବିତ ନିର୍ମାଣର ସ୍ୱାଗତ କଲେ ଏବଂ ସ୍ପଷ୍ଟ ଭାବରେ କହିଲେ ଯେ, ସୋସାଲିଷ୍ଟ ପାର୍ଟିର ବିଧାନ, ନୀତି ଏବଂ କାର୍ଯ୍ୟକ୍ରମ ଚାଲୁଥିବ, କିନ୍ତୁ ଅନ୍ୟ ବିଷୟପାଇଁ ଏକ ମିଳିତ କମିଟି ଗଠନ କରାଯାଇପାରେ ।’’ ଝଣ୍ଡା, ନାମ ଏବଂ ନିର୍ବାଚନ ଚିହ୍ନପାଇଁ ତାଙ୍କର କୌଣସି ବିଶେଷ ଆଗ୍ରହ ନଥିଲା । ଏଇ ତିନୋଟି ବିଷୟ ପ୍ରଜା–ସୋସାଲିଷ୍ଟ ପାର୍ଟି ସ୍ୱୀକାର କରିନେଉ ବୋଲି ସେ ମତପ୍ରକାଶ କଲେ । କିନ୍ତୁ ଏ ସମ୍ବନ୍ଧରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ସମ୍ମେଳନହିଁ କରିପାରିବ, ଏହା ସ୍ପଷ୍ଟ ଭାବରେ କହିଦେଲେ ।

 

ଜୟପ୍ରକାଶ ନାରାୟଣ ଲୋହିଆଙ୍କ କଥାକୁ ମାନିନେଇ ପ୍ରଜା–ସୋସାଲିଷ୍ଟ ପାର୍ଟିର ତାତ୍କାଳିକ ଅଧ୍ୟକ୍ଷ ଗଙ୍ଗାଶରଣ ସିଂହଙ୍କ ସହ କଥାବାର୍ତ୍ତା ଚଳାଇଲେ । କିନ୍ତୁ ଆଉ ବେଶୀ ଦିନ ନ ଯାଉଣୁହିଁ ସେ ଅସଫଳ ହୋଇଗଲେ ଏବଂ ଲକ୍ଷ୍ନୌ କଥାବାର୍ତ୍ତା ଫଳପ୍ରଦ ହେଲା ନାହିଁ ବୋଲି ସେ ଘୋଷଣା କରିଦେଲେ ।

 

ଅଗଷ୍ଟ ମାସରେ ପୁଣି ଥରକପାଇଁ ଜୟପ୍ରକାଶ ନାରାୟଣ କଲିକତାଠାରେ ଲୋହିଆଙ୍କୁ ଦେଖାକଲେ । ତଥାପି କିଛି ସ୍ଥିର ହୋଇପାରିଲା ନାହିଁ । କାରଣ ପ୍ରଜା–ସୋସାଲିଷ୍ଟ ପାର୍ଟି ଉପରେ ଜୟପ୍ରକାଶ ନାରାୟଣଙ୍କ ପ୍ରଭାବ ଯେତିକି ଅଛି ବୋଲି ମନେହେଉଥିଲା ସେତକ ଆଉ ନଥିଲା । ସେ ଆପ୍ରାଣ ଚେଷ୍ଟା କରି ମଧ୍ୟ ଏଇ କଥାବାର୍ତ୍ତାକୁ ଆଉ ଅଧିକ ଦୂରକୁ ଆଧିକାରିକ ଢଙ୍ଗରେ ଟାଣିନେଇ ପାରିଲେ ନାହିଁ । ଜୟପ୍ରକାଶ ନାରାୟଣ ସେ ସମୟରେ ସକ୍ରିୟ ରାଜନୀତିଠୁଁ ଦୂରରେ ରହିବେ ବୋଲି କହୁଥିଲେ ଏବଂ ତତ୍‌ ସଙ୍ଗେ ସଙ୍ଗେ ଏଇ ବିଶ୍ୱାସବି ରଖିଥିଲେ ଯେ ଯେଉଁ ବିଷୟକୁ ମୁଁ ଉଚିତ ବୋଲି ମନେକରିବି, ତାକୁ ପ୍ରଜା–ସୋସାଲିଷ୍ଟ ହୁଏତ ନାମଞ୍ଜୁର କରିପାରିବ ନାହିଁ ।

 

ଏଇ କଥାବାର୍ତ୍ତାର ବିଫଳତା ପରେ ଜୟପ୍ରକାଶଙ୍କୁ ସ୍ଥିତିର ଆଭାସ ମିଳିଗଲା । ଏବଂ ରାଜନୀତିରୁ ସେ ଶୀଘ୍ର ସନ୍ନ୍ୟାସ ଗ୍ରହଣ କରିନେବାର ନିର୍ଣ୍ଣୟ କରିନେଲେ ।

 

ଏଇ କଥାବାର୍ତ୍ତାର ଅସଫଳତାର ଦୁଷ୍ପରିଣାମର ଶିକାର ଲୋହିଆଙ୍କୁ ହେବାକୁ ପଡ଼ିଲା-। ଗୋଟାଏ ଆଡ଼ୁ ଅଶୋକ ମେହେଟ୍ଟା କହିଲେ ଯେ, ‘‘ଡକ୍ଟର ଲୋହିଆଙ୍କ ଆଡ଼ୁ ଖୁବ୍‌ ବେଶୀ କିଣାବିକା ହେବା ଯୋଗୁଁ କଥାବାର୍ତ୍ତା ଭଙ୍ଗ ହୋଇଗଲା ।’’ ଅନ୍ୟ ଆଡ଼େ ସୋସାଲିଷ୍ଟ ପାର୍ଟିର କେତେକ ଅପରିପକ୍ୱ ମସ୍ତିଷ୍କର ଲୋକେ–ଯେଉଁମାନେ କି ଗୋଟାଏ ନୂତନ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ଥିଲେ–ତାହା ଧ୍ୱଂସ ପାଇଯିବା ଯୋଗୁଁ ଲୋହିଆଙ୍କ ଉପରେ ‘‘ନେତୃତ୍ୱ ଅଭିଳାଷୀ’’ ଦୋଷ ଢାଳିଦେଲେ ।

 

ପାର୍ଟି ଭିତରୁ ଅଳିଆ ସଫା କରିବାପାଇଁ ଲୋହିଆଙ୍କୁ ପୁଣି ଥରକପାଇଁ ଝାଡ଼ୁଦାର ଭୂମିକା ଗ୍ରହଣ କରିବାକୁ ପଡ଼ିଲା ।

 

୧୯୫୭ ଦୁଇ ତାରିଖ ଦିନ ଲୋହିଆ ପୁଣି ଗିରଫ୍ ହେଲେ ।

 

ଗିରଫ୍ ହେବାର ଏଇ ପ୍ରସଙ୍ଗ ବଡ଼ ଅଦ୍ଭୁତ ଥିଲା ।

 

ଲକ୍ଷ୍ନୌର ବିକ୍ରିକର ଅଫିସର ହତା ଭିତରେ ଲୋହିଆ ଛିଡ଼ା ହୋଇଥିଲେ । ଠିକ୍‌ ସେତିକିବେଳେ ଗୋଟାଏ ଡାକବାଲା ସେଦିନର ଡାକ ଦେବାପାଇଁ ଅଫିସ୍ ଭିତରକୁ ଯାଉଥିଲା । ଲୋହିଆ ସେ ଡାକବାଲାକୁ ଅଟକେଇ କହିଲା, ‘‘ତମେ ଏଇ ଦୁର୍ନୀତିଗ୍ରସ୍ତ ବିକ୍ରିକର ଅଫିସ୍ ଭିତରକୁ ଯାଅ କି ? ତା’ ଭିତରେ ହେଉଥିବା କାମ ଯୋଗୁଁ ଖାଇବା–ପିଇବା ଜିନିଷର ଦର ବଢ଼ିଯାଉଛି ।’’

 

ତା’ପରେ ଏଇ ସାମାନ୍ୟ କାମପାଇଁ ତାଙ୍କୁ ‘‘କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍‌ଟର (Criminal Law Amendment Act ) ୭ମ ଧାରା ଅନୁଯାୟୀ ଗିରଫ୍ କରି ନିଆଗଲା-

 

ସେଇ କାନୁନରେ କୁହାଯାଇଥିବା ଅପରାଧ ଭିତରେ–ଧମକ, ହସ୍ତକ୍ଷେପ, ବାଧା ଏବଂ ହିଂସା ପ୍ରଭୃତି ପ୍ରଦର୍ଶନର ଏକ ସମାବେଶ ରହିଥିଲା । କିନ୍ତୁ ଲୋହିଆ ସେଥି ଭିତରୁ କୌଣସି ଗୋଟାଏ ଦୋଷବି କରି ନଥିଲେ । ଡାକବାଲାକୁ କେବଳ ଉପରୋକ୍ତ ସେଇ ପଦେ କଥା କହିବା ଯୋଗୁଁହିଁ ତାଙ୍କୁ ଗିରଫ୍ କରି ନିଆଗଲା । ସେ ଡାକବାଲା କାମରେ ବାଧା ଦେଇ ନଥିଲେ କି ହସ୍ତକ୍ଷେପ କରି ନଥିଲେ କିମ୍ବା ହିଂସା ମଧ୍ୟ ପ୍ରଦର୍ଶନ କରି ନଥିଲେ; ତଥାପି ଏଇ ସାମାନ୍ୟ ଘଟଣା ଯୋଗୁଁ ତାଙ୍କୁ ଗିରଫ୍ କରି ନିଆଗଲା, ଯଦିଓ ପରେ ପରେ ସେଇ ଡାକବାଲା ତା’ର ଜମାନବନ୍ଦୀରେ କହିଥିଲା ଯେ ସେ ଅଫିସ୍ ଭିତରକୁ ଯାଇ ଡାକି ଦେଇ ଆସିଥିଲା ।

 

ଗିରଫ୍ ହେବାର ଠିକ୍‌ ଦିନକ ଆଗରୁ–ନଭେମ୍ବର ୧ ତାରିଖ ଦିନ ଲକ୍ଷ୍ନୌର ଗୋଟାଏ ସାଧାରଣସଭାରେ ଲୋହିଆ କହି ସାରିଥିଲେ, ‘‘ଆଜିକାଲି ଅଦାଲତଗୁଡ଼ା ବେଇମାନ ହେଇପଡ଼ିଚନ୍ତି, ବେଶୀମାତ୍ରାରେ ଛୋଟ ଛୋଟ ଅଦାଲତଗୁଡ଼ାକ ।’’

 

ସେଇ ବର୍ଷ ଜୁନ୍‌ ମାସରେ ସମାଜବାଦୀ ପାର୍ଟି ଦେଶର ବିଭିନ୍ନ ସହରର ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲଗାଯାଇଥିବା ବ୍ରିଟିଶ ଶାସକଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ହଟେଇଦେବା ପାଇଁ ଜୋର ଅଭିଯାନ ଆରମ୍ଭ କରିଥିଲେ...ସେ ସମ୍ବନ୍ଧରେ ଜେଲ ଭିତରେ ହଜାର ହଜାର ଲୋକ ବନ୍ଦୀ ହୋଇ ରହିଥିଲେ । ସେମାନଙ୍କ ଦଣ୍ଡର ଅବଧି ଥିଲା ଖୁବ୍‌ ବେଶୀ । ଏ ଭିତରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସେଇ ପ୍ରତିମୂର୍ତ୍ତିଗୁଡ଼ାକୁ ହଟେଇଦେବା ପାଇଁ ସରକାର ନିଜେ ଘୋଷଣା କଲେ ମଧ୍ୟ ଜେଲରେ ବନ୍ଦୀ ହୋଇ ରହିଥିବା ସୋସାଲିଷ୍ଟ ଲୋକଙ୍କୁ ମୁକ୍ତ କରାଗଲା ନାହିଁ । ସେ ବିଷୟରେ ଲୋହିଆ କହିଲେ, ‘‘ରାଜନାରାୟଣଙ୍କୁ ପ୍ରତିମୂର୍ତ୍ତି ହଟେଇବା ଯୋଗୁଁ ଅଠର ମାସ ଯେତେବେଳେ ଜେଲ ହୋଇଗଲା, ସଂପୂର୍ଣ୍ଣାନନ୍ଦଙ୍କୁ (ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ) ପ୍ରତିମୂର୍ତ୍ତି ହଟେଇନେବା ପାଇଁ ଆଦେଶ ଦେଇଥିବା ଯୋଗୁଁ ଅଣତିରିଶ ମାସ ଜେଲ ହେବା ଦରକାର ।

ଲୋହିଆଙ୍କର ଏଇ ଗିରଫ୍‍ଦାରି ପରେ ନଭେମ୍ବର ୧୬ ତାରିଖ ଦିନ ଦେଶର ବିଭିନ୍ନ ପାର୍ଟି ଶାଖାଗୁଡ଼ିକ ‘‘ଲୋହିଆ ଦିବସ’’ ପାଳନ କରି ଗିରଫ୍‍ଦାର ପାଇଁ ‘‘ଧିକ୍‌କାର’’ ପ୍ରସ୍ତାବସବୁ ଗ୍ରହଣ କରିନେଲେ ।

ଲୋହିଆ ଲକ୍ଷ୍ନୌ ଜେଲ୍‌ରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟକୁ ଚିଠି ଲେଖି ଏଇ ଅନ୍ୟାୟ ଦଣ୍ଡରୁ ମୁକ୍ତି ପାଇବାପାଇଁ ଚେଷ୍ଟା କଲେ ।

ଏ ଭିତରେ ନଭେମ୍ବର ୩୦ ତାରିଖ ଦିନ ଜେଲ୍‍ ହତା ଭିତରେ ମୋକଦ୍ଦମାର ଶୁଣାଣି କରିବାପାଇଁ ମାଜିଷ୍ଟ୍ରେଟ ଆସିଲେ । ଲୋହିଆ ମୋକଦ୍ଦମା ବିଚାରରେ ଉପସ୍ଥିତ ହେବାପାଇଁ ସଫା ମନା କରିଦେଲେ । କାରଣ ତାଙ୍କ ଓକିଲଙ୍କୁ ତାଙ୍କ ସହିତ ଏକାନ୍ତରେ ଦେଖା କରିବାପାଇଁ ଅନୁମତି ଦିଆଯାଇ ନଥିଲା ଏବଂ ବିଚାର–ବିମର୍ଷ ମଧ୍ୟ ହୋଇପାରି ନଥିଲା ।

କିନ୍ତୁ ସେଦିନ ସରକାରୀ ଅଧିକାରୀମାନେ ଗୋଟାଏ ସଇତାନର ନାଟକ ଆରମ୍ଭ କରିଦେଲେ ।

ପ୍ରାୟ ଚାରିଟାବେଳେ ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଆସି ଲୋହିଆଙ୍କୁ କହିଲେ ଯେ ଶକ୍ତି ପ୍ରୟୋଗ କରି ତାଙ୍କୁ (ଲୋହିଆଙ୍କୁ) ନେଇ ଅଦାଲତରେ ହାଜର କରିବାପାଇଁ ତାଙ୍କୁ ଆଦେଶ ମିଳିଛି ।

ଲୋହିଆ କହିଲେ ଯେ ଘଟଣା ପ୍ରତି ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି; ତଥାପି ତୁମେ ଯଦି ଇଚ୍ଛା କର, ଶକ୍ତି ଖଟେଇବି ପାର ।

କିଛି ସମୟ ପରେ ସୁପରିନ୍‌ଟେଣ୍ଡେଣ୍ଟ ଏବଂ ଜେଲର୍‌ ଆସିଲେ । ତାଙ୍କ ସାଙ୍ଗରେ ଅଠର–କୋଡ଼ିଏ ଜଣ ଓ୍ୱାର୍ଡ଼ର, ତିରିଶ–ପଇଁତିରିଶ ନମ୍ବରଦାର ଏବଂ ପଚାଶରୁ ଅଧିକ କଏଦୀ ହାତରେ ଠେଙ୍ଗା ଧରି ଆସିଥିଲେ । ସାଙ୍ଗେ ସାଙ୍ଗେ ‘ପଗଲୀ ଘଣ୍ଟି’ ବଜାଗଲା, ତା’ପରେ ସିପାହୀଙ୍କ ହ୍ୱିସିଲ ବାଜିଲା ଏବଂ ବିନା କାରଣରେହିଁ ସେଇଠି ଉପସ୍ଥିତ ଥିବା ସତ୍ୟାଗ୍ରହୀଙ୍କ ଉପରେ ଆରମ୍ଭ ହେଲା ଲାଠିମାଡ଼ । ଲାଠିର ମୁଠି, ଜୋତା ଏବଂ ଘୁଷିଦ୍ୱାରା ମାରି ମାରି ଲୋକଙ୍କୁ ତଳେ ପକେଇ ଦିଆଗଲା । ଆକ୍ରମଣ ତଥା ଭିଡ଼ାଓଟରା ଯୋଗୁଁ କେତେ ଜଣ ସତ୍ୟାଗ୍ରହୀ ଲଙ୍ଗଳାମୁକୁଳା ହୋଇଗଲେ । ସେମାନଙ୍କର ଗୁପ୍ତାଂଶ ଉପରେ ଆଘାତ କରାଗଲା । ତା’ପରେ ଶକ୍ତି ଖଟେଇ ଲୋହିଆଙ୍କୁ ଧରି ଗୋଟାଏ ଚୌକି ଉପରେ ବସେଇ ତା’ ଚାରିଆଡ଼ୁ ବାନ୍ଧି ଦିଆଗଲା ଏବଂ ଚୌକି ସହିତ ଉଠେଇ ପ୍ରାୟ ଦେଢ଼ ଫର୍ଲଙ୍ଗ ଦୂରରେ ଥିବା ମାଜିଷ୍ଟ୍ରେଟଙ୍କ ପାଖକୁ ନିଆଗଲା-

ଲୋହିଆ ଏଇ ଅମାନୁଷିକ ନାଟକଦ୍ୱାରା ଅତିଶୟ କ୍ଷୁବ୍ଧ ହୋଇ ପଡ଼ିଥିଲେ । ସେ ମାଜିଷ୍ଟ୍ରେଟଙ୍କ ଆଗରେ କୌଣସି କଥା କହିବାକୁ ସ୍ପଷ୍ଟ ମନାକରିଦେଲେ । ତା’ପରେ ତାଙ୍କୁ ଜଙ୍ଗଲୀ ଜାନୁଆର ପଶୁଙ୍କ ଭଳି ପୁଣି ସିପାହୀମାନେ ଜବରଦସ୍ତ ଗୋଟାଏ ସାଦା କାଗଜରେ ତାଙ୍କ ଟିପଚିହ୍ନ ନେଇଗଲେ । ଏଇ ଜୋର୍ ଜବରଦସ୍ତ ଯୋଗୁଁ ଲୋହିଆଙ୍କ ଆଙ୍ଗୁଠି ଖଣ୍ଡିଆଖାବରା ହୋଇଗଲା ।

 

କେବଳ ଏତିକି ନୁହେଁ, ସେଦିନ ଜେଲ୍‌ବାଲା ଖୁବ୍‌ ଅତ୍ୟାଚାର କଲେ । ଲୋହିଆ ଏବଂ ଅନ୍ୟାନ୍ୟ ସତ୍ୟାଗ୍ରହୀଙ୍କ ଜିନିଷପତ୍ର ଲୁଟ କରି ନିଆଗଲା । ଶ୍ରୀକୃଷ୍ଣ ପାଲ ସିଂହ ନାମକ ଜଣେ ଲୋକଙ୍କଠାରୁ ଗୋଟାଏ ଘଣ୍ଟା, ଚେନ୍‌ ତଥା ଅଧତୋଳା ସୁନାର ଗୋଟାଏ ମୁଦି ଛଡ଼େଇନେଲେ । ଏ ଘଟଣାର ସୂଚନା ଜେଲ୍‌ ବାହାରେ ପହଞ୍ଚିଲା ଏବଂ ରାତି ଗୋଟାଏବେଳେ ଧର୍ମବୀର ଗୋସ୍ୱାମୀ ନିଜ ତରଫରୁ ଏଲାହାବାଦସ୍ଥ ଉଚ୍ଚ ନ୍ୟାୟାଳୟ ଲକ୍ଷ୍ନୌ ବେଞ୍ଚର ବିଚାରପତି ଶ୍ରୀ ରଣଧୀର ସିଂହଙ୍କ ସମ୍ମୁଖରେ ଦରଖାସ୍ତ ପେଶ୍‌ କଲେ । ସେ ସମୟରେ କୌଣସି ଓକିଲ ନ ମିଳିବାରୁ ଲୋହିଆଙ୍କ ସହଯୋଗୀ ରାଜନାରାୟଣ ସିଂହ ଓକିଲ ଭାବରେ ଲଢ଼ିଲେ । ବିଚାରପତି ଶ୍ରୀ ସିଂହ ତାଙ୍କୁ ବିଚାରପତି ଶ୍ରୀ ବେଗଙ୍କ ସମ୍ମୁଖରେ ପେଶ୍‌ କରିବାପାଇଁ କହିଲେ ।

 

ଉଚ୍ଚ ନ୍ୟାୟାଳୟରେ ଡିସେମ୍ବର ୩, ୫ ଏବଂ ୬ ତାରିଖ ତିନି ଧରି ଶୁଣାଣି ଚାଲିଲା । ବିଚାରପତି ଶ୍ରୀ ନସିରୁଲ୍ଲା ବେଗ୍‌ ଏବଂ ବିଚାରପତି ଶ୍ରୀ ଆନନ୍ଦ ନାରାୟଣ ମୁଲ୍ଲାଙ୍କ ସମ୍ମୁଖରେ ମକଦ୍ଦମା ପେଶ୍‌ କରାଗଲା । ଲୋହିଆ ନିଜେ ଯୁକ୍ତି କଲେ ।

 

ତିନି ଦିନ ଧରି ବାଦବିସମ୍ବାଦ ଲୋହିଆଙ୍କ ଉପରେ ଆରୋପିତ ଅଭିଯୋଗ ପୂର୍ଣ୍ଣମାତ୍ରାରେ ନକଲି ଏବଂ ମିଥ୍ୟା ଘୋଷଣା କରି ଲୋହିଆଙ୍କୁ ଆଉ ଅଧିକ ଏକ ମିନିଟ୍‌ପାଇଁବି ଜେଲ୍‌ରେ ରଖିବା ଅନ୍ୟାୟ ବୋଲି ବିଚାରପତି ବେଗ୍‌ ଆଦେଶ ଦେଲେ; କିନ୍ତୁ ବିଚାରପତି ମୁଲ୍ଲାଙ୍କ ବିଚାର ଏହାର ଠିକ୍‌ ବିପରୀତ ଥିଲା ।

 

Unknown

ଦୁଇ ଜଣ ବିଚାରପତିଙ୍କ ରାୟ ମେଳ ନ ଖାଇବା ଯୋଗୁଁ ପୁଣି ମାମଲାଟି ତୃତୀୟ ବିଚାରପତି ଶ୍ରୀ ରଘୁବୀର ଦୟାଲଙ୍କ ସାମ୍ନାରେ ପେଶ୍‌ କରାଗଲା । ବିଚାରପତି ଶ୍ରୀ ରଘୁବର ଦୟାଲ ମଧ୍ୟ ବିଚାରପତି ଶ୍ରୀ ମୁଲ୍ଲାଙ୍କ ରାୟକୁ ସମର୍ଥନ କଲେ ।

 

ଲୋହିଆଙ୍କ ମାମଲାରେ ବରାବର ଇତିହାସର ପୁନରାବୃତ୍ତି ହେବାକୁ ଲାଗିଲା ।

ଲୋହିଆଙ୍କ ଅବୈଧାନିକ ବନ୍ଦିତ୍ୱକୁ ଆହ୍ୱାନ ଦେବାକୁ ଯାଇ ଡିସେମ୍ବର ୨୧ ତାରିଖ ଦିନ ସୁପ୍ରିମ୍‌କୋର୍ଟରେ ଗୋଟାଏ ରିଟ୍‌ ଦାଖଲ କରାଗଲା, ଯାହାର ଶୁଣାଣି ତାରିଖ ନିଶ୍ଚିତ ହେଲା ୨୩ ଡିସେମ୍ବରକୁ । କିନ୍ତୁ ଡିସେମ୍ବର ୨୩ ତାରିଖ ସକାଳୁହିଁ ଲୋହିଆଙ୍କୁ ଖଲାସ କରି ଦିଆଗଲା ।

ଏଥର ସରକାର ଲୋହିଆଙ୍କ ଉପରେ ଯେପରି ବର୍ବରତା ଏବଂ ଦୁର୍ବ୍ୟବହାର ଦେଖାଇଲେ, ତାହାର ପରିଣାମସ୍ୱରୂପ ଲୋହିଆ ବହୁତ ମାନସିକ ପୀଡ଼ା ଭୋଗ କଲେ । ତାଙ୍କର ରକ୍ତଚାପ ଖୁବ୍‌ ବଢ଼ିଗଲା । ତାଙ୍କ ଦାନ୍ତ ଏବଂ କାନରେ କଷ୍ଟ ଅନୁଭୂତ ହେଲା । ଏହିଠାରୁ ତାଙ୍କର ହୃଦ୍‌ରୋଗ ଦେଖାଦେଲା ।

ଲୋହିଆ ଆସାମ ଗସ୍ତରେ ଗଲେ ।

୧୨ ନଭେମ୍ବର ୧୯୫୮ ।

ଗୌହାଟୀ, ନୌଗାଁ, ଗୋଲାଘାଟ, ଦିବ୍ରୁଗଡ଼, ଜୋରହଟ ପ୍ରଭୃତି ଜାଗା ବୁଲିଲା ପରେ ଲୋହିଆ ନେଫା (ପୂର୍ବୋତ୍ତର ସୀମା)ର ଜୟରାମପୁର ସ୍ଥାନରେ ପହଞ୍ଚିଲେ । ସୀମା ପାଖରେ ଲୋହିଆଙ୍କୁ ଅଟକାଇ ଦିଆଗଲା । ସିପାହୀମାନେ ବାଧ୍ୟ କରି ତାଙ୍କୁ ନେଫା ଭିତରେ ପୂରାଇ ଦେଲେ ନାହିଁ ।

ଲୋହିଆ ଖୁବ୍‌ କ୍ଷୁଣ୍ଣ ହେଲେ । ଏ କି ପ୍ରକାର ଦୁର୍ବ୍ୟବହାର ! ନିଜ ଦେଶର ଗୋଟାଏ ସ୍ଥାନକୁ ଯିବାପାଇଁ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ! ଏ ପ୍ରତିବନ୍ଧକ ତାଙ୍କ ପକ୍ଷରେ ଅସହ୍ୟ ଏବଂ ଅପମାନଜନକ ମନେହେଲା ।

 

ଲୋହିଆ ଖୁବ୍ ସଂଯମ ସହକାରେ କାମ କଲେ । ଜୋରହଟ ପାର୍ଟି ଶାଖା ଆସାମ ରାଜ୍ୟପାଳଙ୍କୁ ତାର କଲେ–‘‘୧୮ରୁ ୨୨ ନଭେମ୍ବର ଭିତରେ ରାମମନୋହର ଲୋହିଆ ସୀମାନ୍ତସ୍ଥିତ ତିଖ କମିଶନାରୀ ଭିତରକୁ ଯିବାପାଇଁ ଚାହାନ୍ତି । ଦୟାକରି ଅନୁମତି ଦିଅନ୍ତୁ ।’’

 

ରାଜ୍ୟପାଳଙ୍କ ଉତ୍ତର ଆସିଲା–‘‘ତିଖ କମିଶନାରୀ ଭିତରେ ପ୍ରବେଶ କରିବାପାଇଁ ଅନୁମତି ମାଗୁଥିବା ବିଷୟ ନେଇ ରାଜ୍ୟପାଳ ଆପଣଙ୍କ ସହିତ ଦେଖାକରି ସେ ବିଷୟରେ କଥାବାର୍ତ୍ତା କରିବାକୁ ଚାହାନ୍ତି–ଯଦି ଆପଣ ଅନୁଗ୍ରହପୂର୍ବକ ଶିଲଂ ଆସନ୍ତି ।’’

 

ତା’ରି ଉତ୍ତରରେ ଲୋହିଆ ନିଜ ଆଡ଼ୁ ଲେଖାଇଲେ–‘‘ଡାକ୍ତର ଲୋହିଆଙ୍କୁ ଆପଣଙ୍କ ବାର୍ତ୍ତା ମିଳିଛି । ସେ ଇଚ୍ଛା କରନ୍ତି ଯେ ରାଜ୍ୟପାଳଙ୍କୁ ତାଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମ ସୂଚିତ କରି ଦିଆଯାଉ–ଯାହା କି ଏ ମାସର ଊଣେଇଶ ତାରିଖ ଦିନ ଦିବ୍ରୁଗଡ଼ରେ ଶେଷ ହୋଇଯାଉଛି । ତାଙ୍କ ପକ୍ଷରେ ଶିଲଂ ଯାଇ ଆସିବା ଆଦୌ ସମ୍ଭବପର ହେବ ନାହିଁ । ସେ ଯାହାହେଉ, ସେ ବୁଝିପାରୁ ନାହାନ୍ତି ଯେ ଯିବା ଆଗରୁ ରାଜ୍ୟପାଳ ତାଙ୍କୁ କାହିଁକି ଦେଖା କରିବାକୁ ଚାହାନ୍ତି ? ଯଦି ରାଜ୍ୟପାଳ ତାଙ୍କ ଗସ୍ତକ୍ରମ ପ୍ରତି ଆଗ୍ରହୀ, ତେବେ ସେ ଗସ୍ତ ଶେଷରେ ତାଙ୍କୁ ଦେଖା କରିପାରିବେ ।’’ ମାତ୍ର ଏହା ଯେପରି କି ଏ ସରକାର ପାଇଁ ସ୍ୱାଭାବିକ ଥିଲା–ଲୋହିଆଙ୍କୁ ନେଫା ଯିବାକୁ ଅନୁମତି ମିଳିଲା ନାହିଁ । ସେତେବେଳେ ଖୁବ୍‌ ପଶ୍ଚାତ୍ତାପ ସ୍ୱରରେ ଲୋହିଆ କହିଲେ–‘‘ମୁଁ ମୋ ଚରିତ୍ରର ଠିକ୍‌ ବିପରୀତ କାମ କଲି । ବୋଧହୁଏ ବଢ଼ୁଥିବା ବୟସ ଏହା ପଛରେ ଗୋଟାଏ କାରଣବି ହୋଇପାରେ । କିନ୍ତୁ ମୁଁ ୧୯୫୯ ନଭେମ୍ବର ୨୩ ତାରିଖ ଦିନ ଅର୍ଥାତ୍‌ ଗୋଟାଏ ବର୍ଷ ପରେ ପୁଣି ଫେରିଆସିବି । ସେତେବେଳେ ମୁଁ ଉତ୍ତର–ପୂର୍ବ ସୀମାନ୍ତ ଅଞ୍ଚଳ (ଲୋହିଆ ତା’ର ନାମକରଣ କଲେ–ଉର୍ବସିଅମ୍‌) ସ୍ଥାନରେ ନିଶ୍ଚୟ ପ୍ରବେଶ କରିବି ।’’

 

ତା’ପରେ ତାଙ୍କର ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସେ ୨୩ ନଭେମ୍ବର ୧୯୫୯ ଦିନ–ଠିକ୍‌ ବର୍ଷକ ପରେ–ଉର୍ବସୀୟମ ଭିତରେ ପ୍ରବେଶ କଲେ । ସରକାର ପୂର୍ଣ୍ଣ ସତର୍କତା ଅବଲମ୍ବନ କଲେ । ଉର୍ବସୀୟମ ଭିତରେ ପାଦ ପକାଇବାକ୍ଷଣି ତାଙ୍କୁ ଧରି ନିଆଗଲା ଏବଂ ଦିବ୍ରୁଗଡ଼ ଆଣି ତାଙ୍କୁ ଛାଡ଼ି ଦିଆଗଲା ।

 

ଏହାକୁ ମିଶାଇ ଲୋହିଆଙ୍କୁ ତେର ଥରପାଇଁ ବନ୍ଦୀ କରାଗଲା ।

 

ଲୋହିଆ ସେତେବେଳେ ଲେଖିଥିଲେ

 

‘‘ମୋ ପାଖରେ କୌଣସି ଅଟ୍ଟାଳିକା ବା ବଗିଚା ନାହିଁ କିମ୍ବା ପୁରୁଣା ନଉକରଶାହୀ ବା ସାମନ୍ତବାଦୀ ମହଲ କିମ୍ବା ବଗିଚା ମଧ୍ୟ ମୋପାଇଁ ଉପଲବ୍ଧ ନୁହେଁ ଏବଂ ସେଥିସକାଶେ ମୋ ଦେଶରେ ତା’ର ସମସ୍ତ ସୌନ୍ଦର୍ଯ୍ୟ ଓ ରୂପ ଦେଖିବାହିଁ ମୋପାଇଁ ଖୁବ୍‌ ଆନନ୍ଦଦାୟକ ଅଟେ । ମୁଁ ଜାଣିଲି ଯେ ରୁକ୍ମଣୀ ସେଇ ଅଞ୍ଚଳର ଥିଲେ, ତାହା ‘‘ମିସ୍‌ମୀ’’ କ୍ଷେତ୍ର ନାମରେ ନାମିତ । ଭାରତ ସରକାରଙ୍କ ମୂର୍ଖତାର ଆଂଶିକ କାରଣ ଏଇଆ ହୋଇପାରେ ଯେ ଏ ଅଞ୍ଚଳର ଲୋକଙ୍କ ବିଷୟରେ କିମ୍ଭୂତ ବିଚାର ପୋଷଣ କରୁଥିବା ଜଣେ ଭୂତପୂର୍ବ ପାଦ୍ରୀ ଶ୍ରୀ ବେରିୟର୍‌ ଆଲ୍‌ଓ୍ୱିନ ଆସାମର ଆଦିବାସୀମାନଙ୍କ ମାମଲାରେ ଭାରତ ସରକାରଙ୍କର ପରାମର୍ଶଦାତା ଅଟନ୍ତି । ସେଇ ଭୂତପୂର୍ବ ପାଦ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ମିଳିମିଶି ଆଦିବାସୀମାନଙ୍କ ପାଇଁ ଗୋଟାଏ ‘‘ସୁରକ୍ଷିତ ବନ’’ ତିଆରି କରିବାର ସିଦ୍ଧାନ୍ତ ବାହାର କରିଛନ୍ତି, ଯାହାଦ୍ୱାରା କି ଆଦିବାସୀମାନଙ୍କୁ ଠିକ୍‌ ସେମିତି ଭାବରେ ରଖାଯାଉଛି...ଯେମିତି କି ଗିର ଅରଣ୍ୟର ସିଂହଙ୍କୁ ରଖାଯାଏ । କିନ୍ତୁ ବାହାର ଦୁନିଆଠୁଁ ସେମାନଙ୍କ ଦୂରତ୍ୱ ଆହୁରି ଖୁବ୍‌ ବେଶୀ । ସହର ଅଞ୍ଚଳର ଜଣେ ଅଧ୍ୟାପକଙ୍କୁ ଗୋଟାଏ ଅଞ୍ଚଳର ଏକ ଧନିକ କନ୍ୟା ସହ ବିବାହ କରିବାର ଚେଷ୍ଟା ଯୋଗୁଁ ତାଙ୍କୁ ତିନି ଥର ଗିରଫ୍ କରାଗଲା ଏବଂ ଚତୁର୍ଥ ଥରପାଇଁ ମଧ୍ୟ–କାରଣ ତାଙ୍କୁ ବିବାହ କରିବାପାଇଁ ସେ ଝିଅଟି ଦୃଢ଼ ରହିଥିଲା । ଗତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶିବ, ଦୁର୍ଗା, ଗାନ୍ଧିଜୀ ଏବଂ ଏପରି କି ନେହେରୁଙ୍କ ଫଟୋ ମଧ୍ୟ ଦୋକାନ ବଜାରରେ ଟାଙ୍ଗିବାପାଇଁ ଅନୁମତି ନଥିଲା । କାରଣ ସେଇ ଭୂତପୂର୍ବ ପାଦ୍ରୀଙ୍କ ମତରେ ଏହାଦ୍ୱାରା ଲୋକେ କୁଆଡ଼େ ବିରକ୍ତ ଏବଂ ଭ୍ରଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । ସମସ୍ତେ ଜାଣନ୍ତି ଯେ ମୁଁ ଉର୍ବସୀୟମରେ ଜମି କିଣିବି ନାହିଁ କି ସେଠିକାର ଲୋକଙ୍କୁ ଶୋଷଣ କରିବି ନାହିଁ । ଏକଥାର ମଧ୍ୟ ସମ୍ଭାବନା ନାହିଁ ଯେ ମୁଁ କୌଣସି ପ୍ରକାର ଭାରତବିରୋଧୀ କାର୍ଯ୍ୟକଳାପ ପାଇଁ ଚୀନ କିମ୍ବା ବର୍ମାସହ ସମ୍ପର୍କ ସ୍ଥାପନ କରନ୍ତି । ଯଦି ସରକାରଙ୍କୁ ମୋର ଶାରୀରିକ ସୁରକ୍ଷାର ଚିନ୍ତା ଥିଲା, ତେବେ ମୁଁ କହିବି ଯେ ସେ ନିଜ କାମ ଦେଖନ୍ତୁ ଏବଂ ଅନ୍ୟ ଲୋକଙ୍କର ଜୀବନରେ ଏଭଳି ମୂର୍ଖତାପୂର୍ଣ୍ଣ ଢଙ୍ଗରେ ଅଯଥା ହସ୍ତକ୍ଷେପ କରନ୍ତୁ ନାହିଁ ।

 

ଭାରତର ଏକ ଚାଳିଶହଜାର ବର୍ଗମାଇଲ ଭିତରକୁ କାହାରିକୁ ଯିବାପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ଭାରତ ସରକାରଙ୍କ ଗୋଟାଏ ବଡ଼ ମୂର୍ଖତାର ପ୍ରମାଣ ଅଟେ । ଲୋହିଆ ଏଥିପ୍ରତି ମଧ୍ୟ ସମସ୍ତ ଦେଶର ଧ୍ୟାନ ଆକର୍ଷଣ କଲେ ।

 

ଭାରତରେ ସମାଜବାଦୀ ଆନ୍ଦୋଳନ, ଯାହା କି କେବଳ ଲୋହିଆଙ୍କ ଯୋଗୁଁହିଁ ଆଗେଇଥିଲା, ଦୃଢ଼ ହେବାରେ ଲାଗିଥିଲା ଏବଂ ଜନତାଙ୍କୁ ଜାଗ୍ରତ କରାଇବାରେ ସଫଳ ମଧ୍ୟ ହୋଇପାରିଥିଲା–ତାହା କେବେ କେଉଁଠି କିମିତି ସେହି ଲୋହିଆଙ୍କ ଯୋଗୁଁହିଁ ପଛେଇ ମଧ୍ୟ ଯାଇଥିଲା । ଯଦିଓ ଲୋହିଆଙ୍କ ଯୋଗୁଁ ଦେଶରେ ସଂଗ୍ରାମୀ ଦେଶଭକ୍ତଙ୍କର ଗୋଟାଏ ସଶସ୍ତ୍ର ଫଉଜ ପ୍ରସ୍ତୁତ ହେଲେ, ତଥାପି ମାନସିକ ରୂପରେ ସେମାନେ ସମସ୍ତେ ଲୋହିଆଙ୍କ ବୁଦ୍ଧି ଉପରେହିଁ ସଦା–ଆଶ୍ରିତ ହୋଇ ରହିଲେ । ଲୋହିଆଙ୍କ ଭାବନା, ବିଚାର ସବୁ କିଛି ଯେମିତି ସେମାନଙ୍କର ଭାବନା ଆଉ ବିଚାର ହୋଇପଡ଼ିଲା । ଲୋହିଆଙ୍କ ମସ୍ତିଷ୍କରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବରେ କିଛି ବିଚାର କରିବା ପଦ୍ଧତି କିମ୍ବା ଅଭ୍ୟାସ କିମ୍ବା ଇଚ୍ଛା କାର୍ଯ୍ୟକର୍ତ୍ତାଙ୍କ ଭିତରେ ଯେମିତି କେବେ ସୃଷ୍ଟି ହୋଇପାରିଲା ନାହିଁ ।

 

ଲୋହିଆଙ୍କ ନିର୍ଦ୍ଦେଶିତ ପଥରେ ବୀରତା ଏବଂ ନିର୍ଭୀକତାର ସହ ଆଗେଇଯିବା ପାଇଁ ଲୋକେ ତ ଶିଖିଗଲେ; କିନ୍ତୁ ନିଜର ରାସ୍ତା ନିଜେ ଖୋଜି ବାହାର କରିବା ଭଳି ପ୍ରକୃତି ସେମାନଙ୍କ ଭିତରେ ସୃଷ୍ଟି ହୋଇପାରିଲା ନାହିଁ ।

 

ଲୋହିଆଙ୍କ ନେତୃତ୍ୱର ମହାନତା ସହ ଏଇ ବିଡ଼ମ୍ବନାବି ଆସି ଦେଖାଦେଲା । ଲୋକେ ଲୋହିଆଙ୍କ ବୁଦ୍ଧି ଆଗରେ ଏତେଦୂର ଦବି ଚପି ରହିଲେ ଯେ ସ୍ୱତନ୍ତ୍ର ଭାବରେ ତାଙ୍କର ମାନସିକ ବିକାଶ ହୋଇପାରିଲା ନାହିଁ କିମ୍ବା ସେଥିପ୍ରତି କେହି ସତର୍କ ରହିବାକୁ ମଧ୍ୟ ଚେଷ୍ଟା କଲେ ନାହିଁ ।

 

ଲୋହିଆଙ୍କ ନିଜସ୍ୱ ଅକ୍ଷମତା !

 

ବିଚାର, ସିଦ୍ଧାନ୍ତ, ନୀତି, କାର୍ଯ୍ୟକ୍ରମ, ସଂଘର୍ଷ, ଜେଲ୍‌ଯାତ୍ରା ଏବଂ ତା’ ଉପରେ ପୁଣି ଛୋଟ ଅଦାଲତଠାରୁ ଉଚ୍ଚ ଅଦାଲତ ପର୍ଯ୍ୟନ୍ତ ମୋକଦ୍ଦମାର ଗୁରୁଭାର । ଜଣେ ଲୋକ ପକ୍ଷରେ ଏତେଗୁଡ଼ିଏ କାମ ସମ୍ଭାଳିବା କଦାପି ସମ୍ଭବପର ନୁହେଁ ।

 

କିନ୍ତୁ ଲୋହିଆ ଅନ୍ୟ ଏକ ଲୋହିଆ ସୃଷ୍ଟି କରିବାପାଇଁ ବୋଧହୁଏ ନିଜକୁ ଅତି ଅସମର୍ଥ ମନେକଲେ ।

 

ତା’ପରେ ଲୋହିଆଙ୍କ ବୁଦ୍ଧି–ବିକାଶ ମଧ୍ୟ କିଛିଟା ଅନୁସନ୍ଧାନ ପ୍ରକୃତିର ଥିଲା । ସେ ନୂତନତ୍ୱର ସନ୍ଧାନ....ନୂତନତ୍ୱର ପ୍ରୟୋଗ ପ୍ରତି ସବୁବେଳେ ଉତ୍ସାହ ପ୍ରକାଶ କରୁଥିଲେ । ଏହା ତାଙ୍କର ସ୍ୱଭାବ ଥିଲା ।

 

ଏଇ ପ୍ରକୃତି ତାଙ୍କୁ ସନ ୧୯୬୦ରେ ସମାଜବାଦୀ ଆନ୍ଦୋଳନରେ କେତେକ ନୂତନ ପ୍ରୟୋଗ କରିବାପାଇଁ ଯଥେଷ୍ଟ ପ୍ରେରଣା ଦେଲା ।

 

ଇଂରେଜୀ ହଟାଅ, ଦରଦାମ୍‍ ନିୟନ୍ତ୍ରଣ କର, ଜାତିଭେଦ ଭାଙ୍ଗି, ହିମାଳୟକୁ ରକ୍ଷା କର ପ୍ରଭୃତି ସମ୍ମେଳନଗୁଡ଼ିକର ଏକ ନୂତନ ପ୍ରୟୋଗ ଲୋହିଆ ଆରମ୍ଭ କଲେ । ଏହା ୧୯୬୦ ସାଲର କଥା । ସେଇ ବର୍ଷ ଆନ୍ଦୋଳନରେ ପ୍ରାୟ ଲକ୍ଷେ ଖଣ୍ଡେ ସମାଜବାଦୀ ଲୋକ ‘‘ସିଭିଲ୍‌ ନାଫରମାନୀ’’ରେ ଅଂଶଗ୍ରହଣ କଲେ ।

 

କେବଳ ଏଭଳିହିଁ ନୁହେଁ, ସମାଜବାଦୀ ଆନ୍ଦୋଳନର ସନ୍ତୋଷଜନକ ପ୍ରଗତି ଯୋଗୁଁ ଆଉ ଏକ ସଙ୍ଗଠନାତ୍ମକ ପ୍ରୟୋଗବି କଲେ । ତାଙ୍କର ଇସାରା ଥିଲା–‘‘ମୋର ପରାମର୍ଶ ହେଉଛି ଯେ ନିର୍ବାଚନ ମଣ୍ଡଳୀର ଉପର ସଙ୍ଗଠନକୁ ପ୍ରାୟ ଦୁଇ ତିନିବର୍ଷ ପାଇଁ ସ୍ଥଗିତ କରି ଦିଆଯାଉ ।’’

 

କିନ୍ତୁ ଲୋହିଆଙ୍କ ଏଇ ସମସ୍ତ ସ୍ୱପ୍ନ କେବେ ପୂର୍ଣ୍ଣ ହୋଇପାରିଲା ନାହିଁ । ତାହା ମଧ୍ୟ ଏକ ବିଡ଼ମ୍ବନା କହିଲେ ଚଳେ ।

 

ସେଇ ବର୍ଷ ଲୋହିଆ ଯେମିତି ସ୍ୱାଭାବିକ ଭାବରେ ଯାଇ ଗୋଟାଏ ଝିନ୍‌ଝଟ ଭିତରେ ପଡ଼ିଗଲେ ।

 

ଲୋହିଆ ନିଜ ଗସ୍ତ ସମୟରେ ଯେତେଦୂର ସମ୍ଭବ ହୋଇପାରେ ଯାଇ ସର୍କିଟ୍‌ ହାଉସ୍‌ କିମ୍ବା ଡାକବଙ୍ଗଳାରେ ରହନ୍ତି । ତାହା ତାଙ୍କୁ ଭଲ ଲାଗେ । ଡାକବଙ୍ଗଳା କିମ୍ବା ସର୍କିଟ୍‌ ହାଉସ୍‌କୁ ସେ ଜନତାର ସମ୍ପତ୍ତି ବୋଲି ମନେକରନ୍ତି । ତାଙ୍କ ଦୃଷ୍ଟିରେ ସେଗୁଡ଼ା ସରକାରୀ ଧର୍ମଶାଳା ଅଟେ-। କିନ୍ତୁ ନିୟମ ଦୃଷ୍ଟିରୁ ସାଧାରଣ ଜନତା ତାହାର ବ୍ୟବହାର କରିପାରନ୍ତି ନାହିଁ ।

 

୧୭ ଅପ୍ରେଲ ୧୯୬୦ ସାଲର ଘଟଣା । ଲୋହିଆ ଯାଇ ରହିଲେ କାନପୁର ସର୍କିଟ୍‌ ହାଉସ୍‌ରେ । ରହିବାପାଇଁ କୌଣସି ସୂଚନା ନ ଦେବା ଭଳି କୌଣସି କାରଣରୁ ତାଙ୍କୁ ସେଇଠି ‘‘ଅନଧିକୃତ–ପ୍ରବେଶ’’ପାଇଁ ଶାରଦାପ୍ରସାଦ ମଲ୍ଲ, ଜଗଦୀଶ ଅବସ୍ଥି, ରଜନୀକାନ୍ତ ବର୍ମା, ଜଗନ ରାୟଯାଦା ପ୍ରଭୃତି ସହଯୋଗୀମାନଙ୍କ ସହ ଗିରଫ୍ କରାଗଲା । ପୁଣି ଚାଲିଲା ମକଦ୍ଦମାର ଚକ୍କର-। ଶେଷରେ ଶହେ ଟଙ୍କା ଜୋରିମାନା ଦେବାକୁ ପଡ଼ିଲା ।

 

୧୯୬୧ ସାଲରେ ‘‘ଇଂରେଜୀ ହଟାଅ’’ ଆନ୍ଦୋଳନର ପ୍ରଚାର ଯୋଗୁଁ ମାନ୍ଦ୍ରାଜର ଗୋଟାଏ ସଭାରେ ତାଙ୍କ ଉପରକୁ ପଥରମାଡ଼ କରାଯାଇଥିଲା ।

 

ସେଇ ବର୍ଷ ଲୋହିଆ ପୁଣି ଥରେ ବିଦେଶ–ଯାତ୍ରା କଲେ । ସେ ବାଓ୍ୱାଜାଣ୍ଟିୟମ, ଏଥେନ୍‌ସ, ରୋମ, କାଇରେକୁ ଗଲେ ଏବଂ ସେଇ ଦେଶର ସମାଜବାଦୀ ନେତାମାନଙ୍କ ସହ ସାକ୍ଷାତ୍‌ କଲେ ।

 

ଦେଶର ତୃତୀୟ ସାଧାରଣ ନିର୍ବାଚନ । ସନ ୧୯୬୨ ।

 

ଦେଶବିଦେଶରେ ପାଟିତୁଣ୍ଡ ଆରମ୍ଭ ହୋଇଗଲା । ନେହେରୁଙ୍କ ସହିତ ଲୋହିଆ ଲଢ଼ୁଥିଲେ ।

 

ଦୁନିଆ ନେହେରୁଙ୍କୁ ଅଜେୟ ମନେକରୁଥିଲା । ତାଙ୍କ ବିରୁଦ୍ଧରେ ନିର୍ବାଚନକ୍ଷେତ୍ରରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟାବାଦୀ ବା ସମ୍ପ୍ରଦାୟବାଦୀମାନେହିଁ ଛିଡ଼ା ହୋଇଥିଲେ । ରାଜନୈତିକ ସିଦ୍ଧାନ୍ତ ଦୃଷ୍ଟିରୁ ଲୋହିଆ ପ୍ରଥମ ଥରପାଇଁ ନେହେରୁଙ୍କୁ ନିର୍ବାଚନରେ ବିରୋଧ କରୁଥିଲେ ।

 

ସମଗ୍ର ସଂସାରର ଆଖି ଫୁଲପୁର ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିଥିଲା ।

 

କାହିଁ ନେହେରୁଙ୍କ ଶକ୍ତି, ବୈଭବ, ସରକାରୀ କଳ, କଂଗ୍ରେସ ସଙ୍ଗଠନ ଆଉ କାହିଁ ବା ଲୋହିଆଙ୍କର ସୀମିତ ଶକ୍ତି, ଅସଙ୍ଗଠିତ ପାର୍ଟିର ଢାଞ୍ଚା ଏବଂ ଧନର ତୀବ୍ର ଅଭାବ ।

 

ତଥାପି ସମସ୍ତେ ଜାଣୁଥିଲେ ଯେ ଏଇ ଲଢ଼େଇଟା ଖୁବ୍‌ ଆମୋଦଦାୟକ ହେବ ।

 

କଂଗ୍ରେସ ଏବଂ ନେହେରୁ ନିଜର ସମସ୍ତ ଶକ୍ତି ଫୁଲପୁର ନିର୍ବାଚନ ମଣ୍ଡଳୀରେହିଁ କେନ୍ଦ୍ରୀଭୂତ କରିଦେଲେ । ବୋଧହୁଏ ସେ ଲୋହିଆଙ୍କ ଶକ୍ତି ତଥା ତାଙ୍କର ମୁକାବିଲାର ଢଙ୍ଗକୁ ଖୁବ୍‌ ଭଲ ଭାବରେ ଜାଣିଥିଲେ ।

 

ଲୋହିଆ ନିଜ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ଉଦ୍ଦେଶ୍ୟରେ ପ୍ରଚାରିତ ‘‘ବରଗଦ୍‌ଜୀ ବାତ୍‌’’ (ବରଗଛର କଥା)ରେ ସ୍ପଷ୍ଟ ଭାବରେ କହିଲେ, ‘‘ହିନ୍ଦୁସ୍ଥାନର ସାଧାରଣ ଲୋକ ଏବଂ ଗରିବମାନେ ମନେକରନ୍ତି ଯେ ମୁଁ ବୋଧହୁଏ ତାଙ୍କର ଅତି ଆପଣାର ଲୋକ–ୟା ଛଡ଼ା ମୋ ପାଖରେ ଆଉ କିଛି ନାହିଁ ।’’

 

ଲୋହିଆ ଫୁଲପୁର ନିର୍ବାଚନ ମଣ୍ଡଳୀକୁ ଆସିବା ପୂର୍ବରୁ ଏଲ୍‌ହାବାଦର ପ୍ରମୁଖ ସମାଜବାଦୀ ରଜନୀକାନ୍ତ ବର୍ମା ସେଇ ନିର୍ବାଚନ ମଣ୍ଡଳୀର ସମ୍ଭାବିତ ପ୍ରାର୍ଥୀ ଥିଲେ ଏବଂ ନେହେରୁଙ୍କ ସାଙ୍ଗରେ ଟକ୍କର ଦେବାପାଇଁ ସେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ । କିନ୍ତୁ ହଠାତ୍‌ ଗୋଆକୁ ମିଲିଟାରୀ ଶକ୍ତିଦ୍ୱାରା ଅଧିକାର କରି ଗୋଆକୁ ଉପଲକ୍ଷ୍ୟରୂପେ ରଖିକରି ଯେତେବେଳେ କଂଗ୍ରେସ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲା, ସେତେବେଳେ ଫୁଲପୁର ଜନତାଙ୍କ ମନରେ ଗୋଆ ଅଧିକାରର ପ୍ରକୃତ ତଥ୍ୟ ତଥା ଲୋହିଆଙ୍କର ସେଥିପ୍ରତି ଅବଦାନ ଏବଂ ନେହେରୁଙ୍କର ଟାଳଟୁଳ ନୀତିର ମୁଖା ଖୋଲିଦେବା ପାଇଁ ଲୋହିଆ ବାଧ୍ୟ ହୋଇ ଉକ୍ତ ନିର୍ବାଚନ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ ।

 

ନେହେରୁଙ୍କ ବିରୁଦ୍ଧରେ ନିର୍ବାଚନ କ୍ଷେତ୍ରକୁ ଓହ୍ଲେଇ ଆସିବାରେ ଲୋହିଆଙ୍କୁ ନିଜ ସିଦ୍ଧାନ୍ତ ରକ୍ଷାପାଇଁ ଏଭଳି ଏକ ବ୍ୟୂହ ସଙ୍ଗଠିତ କରିବାରେ ଯେତିକିଟା ଆନନ୍ଦ ମିଳିଥିଲା, ତା’ଠୁଁ ଅଧିକ ମାନସିକ ସଂଘର୍ଷ ଭିତର ଦେଇ ମଧ୍ୟ ଗତି କରିବାକୁ ପଡ଼ିଥିଲା । ନେହେରୁ, ଯେ କି ଦିନେ ଲୋହିଆଙ୍କର ଅତି ପ୍ରିୟ ଥିଲେ, ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱୀ ରୂପରେ ଛିଡ଼ା ହୋଇଥିଲେ । ନିର୍ବାଚନ ଦରଖାସ୍ତ ଦାଖଲ କରିବାର ଦିନକ ଆଗରୁ ଲୋହିଆ ନେହେରୁଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିଲେ-। ସେ ଚିଠିର ମର୍ମ ଏହି–

 

‘‘ପ୍ରିୟ ପ୍ରେସିଡ଼େଣ୍ଟ୍ !

 

ଆପଣ ଏ ସମ୍ବୋଧନଟି ପଢ଼ି ହୁଏତ ଆଶ୍ଚର୍ଯ୍ୟ ହେବେ । ଆଜି ମୁଁ କିଛିଟା ଲେଖିବାପାଇଁ ବାଧ୍ୟ ହୋଇ ପଡ଼ିଚି । ମୁଖ୍ୟତଃ ଆପଣଙ୍କ ବିରୁଦ୍ଧରେ ଯେତେବେଳେ ନିର୍ବାଚନ ଲଢ଼ିବାପାଇଁ ନଥିପତ୍ର ଦାଖଲ କଲି, ସେତେବେଳେ ଅନେକ ପୁରୁଣା କଥା–ଗୋଟାକ ପରେ ଗୋଟାଏ–ମନେ ପଡ଼ିଯାଉଚି । କିନ୍ତୁ ରାଜନୀତିରେ ‘ଆପଣା–ସମ୍ବନ୍ଧ’ର କୌଣସି ମାନେହିଁ ନାହିଁ । ଯେତେବେଳେ ମୁଁ କଂଗ୍ରେସ କମିଟିର ଦୁଆରୁ ଶେଷ ଥରପାଇଁ ଚାଲି ଆସିଥିଲି, ସେତେବେଳେ ମୁଁ ସେଇ କୋଠାଘରକୁ ନମସ୍କାର କରିଥିଲି । ଅରୁଣା ମୋ ସାଙ୍ଗରେ ଥିଲେ । ସେ କହିଥିଲେ ଯେ ଏ କ’ଣ କରୁଛ ? ଭାବପ୍ରବଣତା ଭିତରେ ଶୀଘ୍ର ତା’ର ନିଷ୍ପତ୍ତି ଯେମିତି ନହୁଏ ! ଆଜି...ଅନେକ ଦିନ ପରେ ମୁଁ ଏଇ ନିଷ୍ପତ୍ତିରେ ପହଞ୍ଚିଛି ଯେ ସେହି ନିଷ୍ପତ୍ତିରେ ‘ଶ୍ରୀଘ୍ରତା’ ବୋଲି କିଛି ନଥିଲା । ତାହା ଆପଣଙ୍କ ଆଉ ମୋ ଭିତରେ ଥିଲା ଶେଷ ଦେଖା ।

 

ଏଇ ନିର୍ବାଚନରେ ଆପଣଙ୍କ ବିଜୟ ପ୍ରାୟ ନିଶ୍ଚିତ କହିଲେ ଚଳେ; କିନ୍ତୁ ‘ପ୍ରାୟ ନିଶ୍ଚିତ’ଟା ଯଦି ଅନିଶ୍ଚିତ କିମ୍ବା ପରାଜୟରେ ବଦଳିଯାଏ, ତେବେ ମୁଁ ଖୁବ୍‌ ଖୁସିହେବି ଏବଂ ଦେଶର ମଧ୍ୟ ମଙ୍ଗଳ ହେବ । ଆପଣବି ନିଜକୁ ସୁଧାରିନେଇ ଖୁବ୍‌ ଭଲଲୋକ ହେବାପାଇଁ ଗୋଟାଏ ସୁଯୋଗ ପାଇପାରିବେ ।

 

ଭାବୁଚି, ମୋର ଏ ଚିଠିଟାକୁ ଆପଣ ନିର୍ବାଚନରେ ହୁଏତ ବ୍ୟବହାରବି କରିପାରନ୍ତି । କିନ୍ତୁ ମୁଁ ଜାଣେ ଯେ ଆଜି ପର୍ଯ୍ୟନ୍ତ ଆପଣ ମୋର ଯାହା କିଛି କ୍ଷତି କରିଛନ୍ତି, ତା’ଠୁଁ ଅଧିକ କ’ଣ ବା ଆଉ କରିପାରିବେ ? ଶେଷରେ ମୋର ଇଚ୍ଛା ଯେ ଆପଣ ଦୀର୍ଘଜୀବୀ ହୁଅନ୍ତୁ, କାରଣ ଆପଣଙ୍କୁ ସୁଧାରି ୧୯୪୭ ପୂର୍ବରୁ ନେହେରୁ ରୂପରେ ପରିଣତ କରିବାପାଇଁ ମତେ ଗୋଟାଏ ସୁଯୋଗ ଅନ୍ତତଃ ମିଳିପାରିବ ।

ଆପଣଙ୍କର

ରାମମନୋହର ଲୋହିଆ’’

ନେହେରୁ ସାଙ୍ଗେ ସାଙ୍ଗେ ତା’ର ଉତ୍ତର ଦେଇଥିଲେ । ତା’ର ନମୁନା ହେଲା–

‘‘ପ୍ରିୟ ରାମମନୋହର,

ତୁମ ଚିଠି ତାରିଖ କିମ୍ୱା ଠିକଣା ନଥାଇ ପାଇଲି । ଜାଣେନା, ମୋ ଚିଠିଟା ତୁମକୁ ମିଳିପାରିବ କି ନା ! କାରଣ ମୋ ପାଖରେ ତୁମର ଠିକଣା ନାହିଁ । ସୋସାଲିଷ୍ଟ ପାର୍ଟି ଏଲାହାବାଦ ଠିକଣାରେ ପଠାଉଚି !

ମୁଁ ଖୁବ୍‌ ଖୁସି ଯେ ରାଜନୀତିରେ ତୁମ ଭଳି ଜଣେ ଗମ୍ଭୀର ଲୋକ ନିର୍ବାଚନରେ ମୋ ବିରୁଦ୍ଧରେ ଛିଡ଼ା ହୋଇଛନ୍ତି । ଭାବୁଚି, ଏଇ ନିର୍ବାଚନରେ ରାଜନୈତିକ ସିଦ୍ଧାନ୍ତ ଓ କାର୍ଯ୍ୟକ୍ରମ ଉପରେ ଖୁବ୍‌ ବେଶୀ ପାଟିତୁଣ୍ତ ହେବ । କେବଳ ଗୋଟାଏ କଥା ମନେରଖ, ଏ ନିର୍ବାଚନରେ ବ୍ୟକ୍ତିଗତ ଚର୍ଚ୍ଚାଟା ଯେମିତି ଟିକିଏ କମ୍‌ ହୁଏ । ମୁଁ ମୋ ଆଡ଼ୁ କଥା ଦେଉଚି ଯେ ଏଇ ନିର୍ବାଚନରେ ମୁଁ ଦିନକପାଇଁବି ମୋ ନିର୍ବାଚନ ମଣ୍ତଳୀକୁ ଯିବି ନାହିଁ ।

ତୁମର

ଜବାହରଲାଲ ନେହେରୁ

 

ଏ ଚିଠି ଲେଖିବି ନେହେରୁ ନିର୍ବାଚନ ଭିତରେ ପ୍ରାୟ ତିନି ଚାରି ଥରପାଇଁ ନିର୍ବାଚନ ପ୍ରଚାରରେ ଫୁଲପୁରକୁ ଆସିଥିଲେ ।

 

ନିର୍ବାଚନ ତ ଘମାଘୋଟ ହେଲା, କିନ୍ତୁ ଲୋହିଆ ହାରିଗଲେ ।

 

ଲୋହିଆ ଏ ନିର୍ବାଚନରେବି ହାରିଲେ । କିନ୍ତୁ ହାରିବା ସାଙ୍ଗେ ସାଙ୍ଗେ ଗୋଟାଏ ଦୃଷ୍ଟିରୁ ଲୋହିଆଙ୍କର ଜୟ ମଧ୍ୟ ହେଲା । କଂଗ୍ରେସ ତଥା ସରକାରଙ୍କ ସମସ୍ତ ବଳପ୍ରୟୋଗ ସତ୍ତ୍ୱେବି ଏହା ପ୍ରମାଣିତ ହୋଇଗଲା ଯେ ନେହେରୁ ଅଜେୟ ନୁହନ୍ତି । ଫୁଲପୁର ନିର୍ବାଚନ ମଣ୍ତଳୀର ୪୩ଟି କେନ୍ଦ୍ରରେ ଲୋହିଆ ନେହେରୁଙ୍କୁ ଶହ ଶହ ଭୋଟ ପଛରେ ପକେଇଦେଲେ । ଏଇ ସମୟରେ ଆମେରିକାର ପ୍ରମୁଖ ଖବରକାଗଜ ‘‘ଟାଇମ୍‌ସ୍’’ ନିଜର ଟିପ୍ପଣୀରେ ଲେଖିଥିଲା–‘‘ନେହେରୁଙ୍କୁ ଭୋଟ ଦେବା ଦି’ଜଣ ଭୋଟରଙ୍କ ପଛରେ ଜଣେ ସୋସାଲିଷ୍ଟ ପାର୍ଟିର ନେତା ଲୋହିଆଙ୍କୁ ଭୋଟ ଦେଇଥିଲେ ।’’

 

ଫୁଲପୁର ନିର୍ବାଚନ ପରିଣାମରୁ ଭାରତର ଜନତା କହିଲେ–ପଥର ତ ଖଣ୍ତଖଣ୍ତ ହେଲାନି, ସାମାନ୍ୟ ଫାଟିଗଲା । ମାନେ ମାମଲା ଆଦୌ ଏକତରଫା ନଥିଲା । ନେହେରୁ ଅଜେୟ ନଥିଲେ ।

 

ନିର୍ବାଚନରେ ପରାଜୟ ବେଶୀ ହେଲେ ବ୍ୟକ୍ତିଗତ ସ୍ତରରେ ସହ୍ୟ କରିହୁଏ । ଲୋହିଆ ଠିକ୍‌ବି ସେମିତି ସହିଗଲେ । କିନ୍ତୁ ସେଇ ବର୍ଷ ୧୯୭୨ ସାଲରେ ଭାରତ ଦେଶର ଯେଉଁ ବିଶ୍ୱବ୍ୟାପୀ ଅପ୍ରତିଷ୍ଠା ହେଲା, ତାକୁ ଲୋହିଆ ଆଦୌ ସହ୍ୟ କରିପାରିଲେ ନାହିଁ ।

 

ତାହା ଥିଲା ଚୀନର ଆକ୍ରମଣ ।

 

୧୯୬୨ ସାଲ ଅକ୍ଟୋବର ୨୦ ତାରିଖ ଦିନ ନେହେରୁଙ୍କ ମିତ୍ର ଦେଶ ଚୀନ ଭାରତ ଉପରେ ଆକ୍ରମଣ କଲା ।

 

ଲୋହିଆଙ୍କ ଆତ୍ମା ଚିତ୍କାର କରିଉଠିଲା ।

 

ସେ ସନ ୧୯୫୦ରୁ ଗଳା ଫାଡ଼ି ଫାଡ଼ି ଭାରତ ସରକାରଙ୍କୁ ଚେତାବନୀ ଦେଇ ଆସୁଥିଲେ ଯେ ଭାରତ ସୀମା ହେଉଚି କୈଳାସ, ମାନସରୋବର ଏବଂ ପୂର୍ବବାହିନୀ ବ୍ରହ୍ମପୁତ୍ର ।

 

କିନ୍ତୁ ଲୋହିଆଙ୍କ କଥା ସେତେବେଳେ କେହି ଶୁଣି ନଥିଲେ । କିଏ ବା ଶୁଣନ୍ତା ?

 

ତା’ପରେ ଲୋହିଆ ସମଗ୍ର ଦେଶ ଭିତରେ ବୁଲି ବୁଲି ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କଲେ । ଲୋକଙ୍କୁ ନୈତିକ ଉତ୍ଥାନ ଏବଂ ପ୍ରେରଣା ଦେବାରେ ଲାଗିଲେ ।

 

ପାଟନାଠାରେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ରପ୍ରସାଦଙ୍କ ଅଧ୍ୟକ୍ଷତାରେ ‘‘ହିମାଳୟ ରକ୍ଷାକର’’ ସମ୍ମେଳନର ଆୟୋଜନ ଲୋହିଆ କରିଥିଲେ ।

 

ଦେଶ ଉପରେ ଘନେଇ ଆସିଥିବା ସଙ୍କଟ ସମୟରେ ଲୋହିଆ କ’ଣ କେବେ କ୍ଷଣକପାଇଁ ଶାନ୍ତିରେ ବସି ପାରିଥାନ୍ତେ ?

 

୧୩

 

ସନ ୧୯୬୨ ଏଗାର ନଭେମ୍ୱର ।

 

କଲିକତାର ଏକ ମହତ୍ୱପୂର୍ଣ୍ଣ ସଭାରେ ଲୋହିଆ ଆହ୍ୱାନ ଦେଇଥିଲେ–

 

‘‘ଚୀନ ଏବଂ ଭାରତର ସଂଘର୍ଷ ତ ଦୁନିଆର ପଛୁଆ ରଙ୍ଗୀନ ଲୋକଙ୍କ ସଂଘର୍ଷ । ଆଜି ଗୋଟାଏ ଦୁର୍ବଳ ଦେଶ ଅନ୍ୟ ଏକ ଦୁର୍ବଳ ଓ ଗରିବ ଦେଶ ଉପରେ ଆକ୍ରମଣ କରୁଛି । ଏଥିପାଇଁ ଏହା ୟୁରୋପର ଫାସିଷ୍ଟବାଦଠୁଁବି ଆହୁରି ଭୟାନକ ଅଟେ । ...ଯେତେବେଳେ ମୁଁ ୟୁରୋପରେ ପଢ଼ୁଥିଲି, ସେତେବେଳେ ଗୋଟାଏ ଚୀନା ବିଦ୍ୟାର୍ଥୀ ମୋର ବନ୍ଧୁ ଥିଲା । ସେତେବେଳେ ଆମେ ଦୁହେଁ ମିଶି ଏଇ ସ୍ୱପ୍ନ ଦେଖୁଥିଲୁଁ ଯେ ଏମିତି ଗୋଟାଏ ଦିନବି ନିଶ୍ଚିୟ ଆସିବ, ଯେତେବେଳେ କି ଚୀନ ଆଉ ଭାରତ ମିଶି ସଂସାର ଭିତରେ ରହିଥିବା କଳା–ଗୋରା ବିଭେଦକୁ ଧ୍ୱଂସ କରିଦେବା ପାଇଁ ଚେଷ୍ଟା କରିବେ । ତା’ପରେ ଦୁହେଁ ମିଶି ଅଷ୍ଟ୍ରେଲିଆ, ସାଇବେରିଆ ଏବଂ କାଲିଫୋର୍ଣ୍ଣିଆର ଦରଜା ବାଡ଼େଇବେ । କିନ୍ତୁ ଚୀନ ଗୋଟାଏ ପାଗଳ ହିଂସ୍ର ପଶୁ ଭଳି ଆମ ଆଡ଼କୁ ଚଢ଼ିଆସିଛି । ଏହି ଯୁଦ୍ଧରେ ଆମେ ମାଡ଼ ଖାଉଚୁଁ । ଆମର ଅସଂଖ୍ୟ ଯବାନ୍‌ ମରିବାରେ ଲାଗିଛନ୍ତି । ଆମ ହିସାବରେ ଆମର ପ୍ରାୟ ଏକ ଲକ୍ଷ ବର୍ଗ ମାଇଲରୁବି ବେଶୀ ଜମି ଆମ ହାତରୁ ଛଡ଼େଇ ନିଆଯାଇଛି । .....ଏଇ ଦୁର୍ବଳତା ପାଇଁ ଦାୟୀ କିଏ ? ......ତିନିବର୍ଷ ଆଗରୁ ଚୀନ ତିବ୍ବତକୁ ମଧ୍ୟ ମାଡ଼ି ବସିଥିଲା । ସେତେବେଳେ ମୁଁ କହିଥିଲି ଯେ ଏହା ଶିଶୁହତ୍ୟା କରାଯାଉଛି । କିନ୍ତୁ ଭାବ୍ବତ ବଡ଼ ଦେଶ ସହ ବନ୍ଧୁତାପାଇଁ ସାନ ଭାଇର ହତ୍ୟାକୁ ଦେଖିବାରେ ଲାଗିଥିଲା । ତିବ୍ବତ ଭାରତର ତକିଆ ଭଳି ଥିଲା । ସେଥିପାଇଁ ଯଦି ତିବ୍ବତ ସ୍ୱାଧୀନ ରହିଥାନ୍ତା, ତେବେ ମାକ୍‌ମୋହନ ରେଖା, ନଚେତ୍‌ କୈଳାସ ରେଖା ଆମର ସୀମାରେଖା ହୋଇ ରହିଥାନ୍ତା । .......ଏଭଳି ଦୁର୍ବଳ ଏବଂ ଭୁଲ ରଣନୀତି ଏବଂ ବିଦେଶ ନୀତିପାଇଁ ସିଧାସଳଖ ନେହେରୁହିଁ ଦାୟୀ ।’’

 

କଲିକତାର ବିଶାଳ ଜନସମୁଦ୍ର ଆଗରେ ଲୋହିଆ କହିଯାଉଥିଲେ ।

 

‘‘ଆଜି ଚୀନମାନଙ୍କୁ ତଡ଼ିବାର ପ୍ରକୃତ ଅର୍ଥ ହେଉଚି ଦିଲ୍ଲୀ ସରକାରଙ୍କୁ ତଡ଼ି ବାହାର କରିବା । ......ଯିଏ ଆଭ୍ୟନ୍ତରୀଣ କ୍ରାନ୍ତି ସୃଷ୍ଟି କରିପାରେ ନାହିଁ, ସେଇ ଦେଶ ନିଜ ସ୍ୱାଧୀନତାର ରକ୍ଷା ମଧ୍ୟ ବହିଃ ଆକ୍ରମଣର କବଳରୁ କେବେ କରିପାରିବ ନାହିଁ । .....ଭାରତର ଦୁର୍ଭାଗ୍ୟ ହେଉଛି ଏଇ ଯେ ରାଣାପ୍ରତାପ, ଶିବାଜୀ, ଗାନ୍ଧି ଯେତେ ସୃଷ୍ଟି ହେଉଚନ୍ତି, ସେତିକି ଶହେ ଗୁଣରେ......ହଜାରେ ଗୁଣରେ ଅଳସୁଆ ଏବଂ ଦେଶଦ୍ରୋହୀ ସବୁ ସୃଷ୍ଟି ହେଉଛନ୍ତି । .......ଆମର ସୈନ୍ୟବାହିନୀ ଦିନକୁ ତିରିଶ ମାଇଲ ବେଗରେ ଦଉଡ଼ି ମଧ୍ୟ ପୃଷ୍ଠଭଙ୍ଗ ଦେଉଛନ୍ତି । ଭାରତୀୟ ସେନା ଯଦି ବାହାଦୁର ହୋଇଥାନ୍ତେ, ତେବେ ସେମାନଙ୍କର ମୁହଁ ଚୀନ ଆଡ଼କୁ ମୁହାଁଇଥାନ୍ତା ।’’

 

ବାସ୍ତବିକ କହିବାକୁ ଗଲେ ଚୀନ ଆକ୍ରମଣ ଆଉ ଆମ ଦେଶର ଭୁଲ ରଣନୀତି ଏବଂ ତା’ର ପ୍ରଭାବକୁ ଦେଖି ଲୋହିଆ ଖୁବ୍‌ ବ୍ୟସ୍ତ ହୋଇ ପଡ଼ିଥିଲେ । ଦିଲ୍ଲୀ ସରକାର ବର୍ତ୍ତମାନ ସୁଦ୍ଧା ସଉଦାବାଦୀ କରିବାରେ ଲାଗିଥିଲେ ଏବଂ ଦେଶର ଅସଂଖ୍ୟ ଯବାନ୍‌ ହାଣ ଖାଇବାରେ ଲାଗିଥିଲେ...ଭାରତର ମାଟି ହାତରୁ ଖସି ଖସି ଯାଉଥିଲା ।

 

ଏଇ ପ୍ରସଙ୍ଗ ଉପରେ ମାର୍ଚ୍ଚ ୧୯୬୩ରେ ଲୋହିଆ ମାଙ୍ଗାଲୋଇଠାରେ ଭାଷଣ ଦେବାକୁ ଯାଇ କହିଲେ–‘‘ ଆଜି ମୁଁ ମହୀଶୂରରୁ ଆସିବା ବାଟରେ ପେରିୟାପଟଣଠାରେ ତିବ୍ବତର ନିରାଶ୍ରିତ ଜନତାଙ୍କୁ ଦେଖିଲି । ସେଇ ମଳିନ ପୋଷାକ, ଚିରା ଲେଙ୍କଡ଼ା ଧୋତି ଏବଂ ମୋଟା ଧୋତି ପିନ୍ଧିଥିବା ଲୋକେ । ଦିଲ୍ଲୀ ସରକାର ନିଜ ଦେଶରୁ ଦାରିଦ୍ର୍ୟ ତ ଦୂର କରିପାରିଲେ ନାହିଁ, ଆଉ ନିରାଶ୍ରିତ ତିବ୍ବତୀୟଙ୍କ ଦାରିଦ୍ର୍ୟ ବା କିପରି ଦୂର କରିପାରିବେ ? ତିବ୍ବତୀୟମାନଙ୍କୁ ନୂତନ ବିଚାର ଏବଂ ଆଚରଣ ଶିଖିବାକୁହିଁ ପଡ଼ିବ । ମୋ ମତରେ ଦଲେଇଲାମା ଭାରତରେ ବସିରହି ଅଯଥା ନିଜର ସମୟ ନଷ୍ଟ କରିବାରେ ଲାଗିଛନ୍ତି । ଏଇ ନପୁଂସକ ଦିଲ୍ଲୀ ସରକାର ନିଜେ ତ ନିଜର ସୀମାକୁ ରକ୍ଷା କରିପାରିଲେ, ନାହିଁ, ଆଉ ତିବ୍ବତକୁ ବା କିପରି ସ୍ୱାଧୀନ କରାଇପାରିବେ ? ସେଥିପାଇଁ ଦଲେଇଲାମା ସୀମାନ୍ତ ଦେଶ ଆଡ଼କୁ ଦୃଷ୍ଟି ଦେବା ଦରକାର–ଯୋଉମାନେ କି ତିବ୍ବତକୁ ସ୍ୱାଧୀନ କରାଇପାରିବେ..... ।’’

 

ଏଇ ସମୟରେ ଲୋହିଆଙ୍କ ମନ ଭିତରେ ଗୋଟାଏ କଳ୍ପନା ସାକାର ହୋଇ ଉଠୁଥିଲା–ହିନ୍ଦୁସ୍ଥାନ–ପାକିସ୍ଥାନ ଭିତରେ ମହାସଂଘ ଗଢ଼ାଯାଉ ।

 

ସେ କହିଲେ, ‘‘ହିନ୍ଦୁସ୍ଥାନ–ପାକିସ୍ଥାନ ଭିତରେ ମହାସଂଘ ଗଢ଼ାଗଲେହିଁ ଏମାନଙ୍କର ସମସ୍ୟାର ସମାଧାନ ହୋଇପାରିବ । ଏଥିପାଇଁ ନେଣ–ଦେଣ ହେବା ଉଚିତ । ମହାସଂଘର ରୂପରେଖ ଏପରି ହେବା ଉଚିତ ଯେ ପାକିସ୍ଥାନର ଲୋକ ଯଦି ଅଧ୍ୟକ୍ଷ ପଦରେ ରହନ୍ତି, ତେବେ ହିନ୍ଦୁସ୍ଥାନୀଙ୍କୁ ପ୍ରଧାନମନ୍ତ୍ରୀ ପଦ ସ୍ୱୀକାର କରିନେବା ଉଚିତ କିମ୍ୱା ହିନ୍ଦୁସ୍ଥାନୀ ଅଧ୍ୟକ୍ଷ ହେଲେ ପାକିସ୍ଥାନୀ ପ୍ରଧାନମନ୍ତ୍ରୀ ହେବା ଉଚିତ । ଏଥିପାଇଁ ଦୁଇ ଦେଶର ଜନତାଙ୍କ ମନ ଭିତରେ ପରିବର୍ତ୍ତନ ଆଣିବାକୁ ହେବ । ଆଜିକାଲି ହିନ୍ଦୁସ୍ଥାନ–ପାକିସ୍ଥାନ ଭିତରେ ଚାଲିଥିବା କଥାବାର୍ତ୍ତା କେବଳ ଆମେରିକା ଆଉ ଇଂରେଜଙ୍କ ଚାପାରେହିଁ ଚାଲିଛି । ଆପଣା ଭାଇ ସାଙ୍ଗେ କଥାବାର୍ତ୍ତା କ’ଣ ଅନ୍ୟର ନିର୍ଦ୍ଦେଶ ଉପରେ କରାଯାଏ ?’’

 

ଲୋହିଆଙ୍କର ବିଶ୍ୱାସ ଯେ ପ୍ରୟୋଗାତ୍ମକ ଭାବରେ ଯଦି ମହାସଂଘ ଗଢ଼ାଯାଏ, ତେବେ ସମୟର ଚକ୍ର କେବେ ନା କେବେ ନିଶ୍ଚୟ ଭାରତ ଏବଂ ପାକିସ୍ଥାନକୁ ଏକାଠି କରିଦେବ ।

 

ଫରୁକାବାଦ (ଉତ୍ତରପ୍ରଦେଶ)ରେ ୧୯୬୩ ସାଲର ମଧ୍ୟଭାଗରେ ଲୋକସଭାର ଉପ–ନିର୍ବାଚନ ହେଲା ।

 

ଲୋହିଆ ସେଇଠୁଁ ଛିଡ଼ାହେଲେ ।

 

ଫୁଲପୁରରେ ବର୍ଷକ ଆଗରୁ ଲୋହିଆଙ୍କ ପରାଜୟର ସଠିକ୍‌ ଜବାବ ଦେବାର ଏକ ଅବସର ଆସିଯାଇଥିଲା ।

 

କଂଗ୍ରେସ ଦଳ ଏଇ ନିର୍ବାଚନକୁ ପ୍ରତିଷ୍ଠାର ପ୍ରଶ୍ନ ବୋଲି ଧରିନେଇଥିଲା ଏବଂ ନିଜର ସମସ୍ତ ଶକ୍ତି ଖଟେଇ ଲାଗିପଡ଼ିଥିଲା ଯେ ଲୋହିଆ ଏଠୁଁବି ହାରନ୍ତୁ ।

 

ଏଇ ନିର୍ବାଚନରେ ଜନସଂଘ କୌଣସି ସର୍ତ୍ତ ନ ରଖି ଖୋଲାଖୋଲି ଭାବରେ ଲୋହିଆଙ୍କୁ ସମର୍ଥନ କଲା ।

 

ତା’ପରେ...ଯେତେବେଳେ ନିର୍ବାଚନ ଫଳ ଘୋଷଣା କରାଗଲା, ଦେଖାଗଲା ଲୋହିଆ ଅଠାବନ ହଜାର ଭୋଟରେ ବିଜୟ ଲାଭ କରିଥିଲେ ।

 

ଫରୁକାବାଦର ଜନତା ଫୁଲପୁର ନିର୍ବାଚନର ସଠିକ ଜବାବ ଦେଇଥିଲେ ।

 

ନିଜର ସମସ୍ତ ଶକ୍ତି ଖଟେଇବା ସତ୍ତ୍ୱେବି ନେହେରୁ ତଥା କଂଗ୍ରେସ ଦଳର ନାକ ତଳକୁ ହୋଇଗଲା ।

 

ଲୋକସଭାରେ ଲୋହିଆ ।

 

କଂଗ୍ରେସକୁ ଅସମ୍ଭବ ମନେହେଉଥିବା କଥା ସତ୍ୟରେ ପରିଣତ ହୋଇଗଲା ଏବଂ ଦେଶବାସୀ ମନେ କଲେ ଯେ ଏଇ ଘଟଣା ଖୁବ୍‌ ବିଳମ୍ୱରେ ଘଟିଲା ।

 

ପ୍ରଥମ ଦିନ–ଯେତେବେଳେ ଲୋହିଆ ଲୋକସଭାରେ ପଦାର୍ପଣ କଲେ, ମନେହେଲା ଯେମିତି କି ପ୍ରଥମ ଥରପାଇଁ ଲୋକସଭା ଭିତରେ ପ୍ରାଣସଂଚାର ହେଲା । ବିରୋଧୀଦଳଙ୍କ ସହିତ ଛିଡ଼ା ହୋଇ କଂଗ୍ରେସୀ ସଦସ୍ୟମାନେ ମଧ୍ୟ ଲୋହିଆଙ୍କୁ ସ୍ୱାଗତ କରିଥିଲେ ।

 

ସେଇ ଦିନ ଲୋକସଭା ଅତିଶୟ ଉତ୍ସାହରେ ହସୁଥିଲା ।

 

ଲୋହିଆ ଲୋକସଭାରେ ପ୍ରବେଶ କରିବା ସାଙ୍ଗେ ସାଙ୍ଗେ ଦେଶର ରାଜନୀତିରେ ନୂତନତ୍ୱର ଘଣ୍ଟାଚକଟା ଆରମ୍ଭ ହୋଇଗଲା । ସାଧାରଣ ଜନତାଙ୍କ ମସ୍ତିଷ୍କ ମଧ୍ୟ ଧରାବନ୍ଧା ପ୍ରଣାଳୀରେ ଚିନ୍ତା କରିବା ଅପେକ୍ଷା କ୍ରାନ୍ତି ଏବଂ ପରିବର୍ତ୍ତନ ଦିଗ ଆଡ଼ୁ ପ୍ରସ୍ତୁତ ହେବାକୁ ଆରମ୍ଭ କଲା ।

 

ଲୋକସଭାରେ ଲୋହିଆଙ୍କ ଭାଷଣ ଜନ–ମାନସପାଇଁ ବିଚାରର ଖୋରାକି ଭାବରେ ପ୍ରମାଣିତ ହେଲା ।

ଲୋକସଭାରେ ପ୍ରବେଶ କରିବା ଦିନରେହିଁ ଦିଲ୍ଲୀର ରାମଲୀଳା ମୈଦାନରେ ଲୋହିଆଙ୍କୁ ଜନତା ସ୍ୱାଗତ କଲେ ।

 

ଲୋକସଭାରେ ଏଇ ସୂତ୍ରରେ ‘‘ତିନି ଅଣା ବନାମ ପନ୍ଦର ଅଣା’’ ଭଳି ଲୋହିଆଙ୍କ ଯୁକ୍ତିତର୍କ ଜନତାର ଆଖି ଖୋଲିଦେଲା । ଲୋକସଭାରେ ଲୋହିଆ ନିଜ ଗଣନାଦ୍ୱାରା ପ୍ରମାଣିତ କରିଦେଲେ ଯେ, ଅଠର କୋଟି କିମ୍ୱା ଷୋଳ କୋଟି ପର୍ଯ୍ୟନ୍ତ ଭାରତର ଲୋକେ ସରକାରଙ୍କ ନିଜ ଗଣନାମୁତାବକ ଦୈନିକ ସାଢ଼େ ତିନି ଅଣା କିମ୍ୱା ଚାରି ଅଣା ହିସାବରେ ନିଜର ଜୀବନ ବିତାଉଛନ୍ତି । କିନ୍ତୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଏ ସମ୍ୱନ୍ଧରେ ପନ୍ଦର ଅଣାର କଥା କହୁଛନ୍ତି, ଯାହା କି ନିତାନ୍ତ ଭୁଲ ଏବଂ ମିଥ୍ୟା ଅଟେ ।

 

ଏପରି ଭାବରେ ଲୋକସଭାରେ ନିଜ ଭାଷଣଦ୍ୱାରା ଲୋହିଆ ଅଧିକାଂଶ ବିଷୟ ଉପରେ ସରକାରଙ୍କ ଭୁଲ ତଥା ମିଥ୍ୟାର ଆବରଣକୁ ଖୋଲି ସମାଲୋଚନା କରିବାକୁ ଲାଗିଲେ । ଏତଦ୍ଦ୍ୱାରା ଗୋଟାଏ ଦିଗରୁ ଲୋକେ ସଜାଗ ହେଲେ ଏବଂ ଅନ୍ୟ ଦିଗରୁ ଲୋକସଭାରେ କହିଲାବେଳେ ମନ୍ତ୍ରୀମାନେ ମଧ୍ୟ ସତର୍କତା ଅବଲମ୍ୱନ କରିବାକୁ ବାଧ୍ୟ ହେଲେ ।

 

ସତ କହିବାକୁ ଗଲେ ଲୋହିଆ ନିଜ କୃତିଦ୍ୱାରା ପ୍ରମାଣିତ କରିଦେଲେ ଯେ, ସେ ନିଜେ ଏକୁଟିଆହିଁ ଲୋକସଭା ଭିତରେ ଜନତାଙ୍କ ମଙ୍ଗଳପାଇଁ ଲଢ଼ିବାର ଏକମାତ୍ର ଜନପ୍ରତିନିଧି ଅଟନ୍ତି । ଲୋହିଆଙ୍କର ବ୍ୟକ୍ତିତ୍ୱ ଲୋକସଭାରେ ଗୋଟାଏ ପ୍ରହରୀ ଭଳି ହୋଇ ଯାଇଛି ।

 

ଲୋହିଆଙ୍କ ପ୍ରେରଣାରେ...ତାଙ୍କରି ନେତୃତ୍ୱରେ ତେର ମାର୍ଚ୍ଚ ସନ ୧୯୬୪ ଦିନ ଦିଲ୍ଲୀରେ ‘‘ଜନବାଣୀ ଦିବସ’’ ପାଳନ କରାଗଲା ।

 

ଭାରତର ଜନତା ମହଙ୍ଗାଦ୍ୱାରା ଭୀତତ୍ରସ୍ତ ଅଟନ୍ତି । ସମଗ୍ର ଦେଶର ଗରିବ ଲୋକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଦିଲ୍ଲୀରେ ରୁଣ୍ତ ହେଲେ ଏବଂ ଦେଶର ଦୁର୍ଦ୍ଦଶାପୀଡ଼ିତ ଲୋକେ ସମସ୍ୱରରେ ସ୍ଲୋଗାନ ଦେଲେ–

 

‘‘ଗୁଂଜେ ଧରତୀ ନଭ୍‌ ପାତାଲ–ଗଦି ଛୋଡ଼ୋ ଜୱାହରଲାଲ’’

 

‘‘ଅନ୍ନ–ଦାମ୍‌ କା ଘଟ୍‌ନା ବଢ଼ନା–ଆନା ସେର୍‌କେ ଭିତର୍‌ ହେ ।’’

 

‘‘ପୁନ୍‌ଜୀପତିୟୋ କେ କଇ ଦଲାଲ୍‌–ସବସେ ବଡ଼ା ଜୱାହରଲାଲ ।’’

 

‘‘ଗଦ୍‌ଦୀ ଛୋଡ଼ୋ ତୁମ ତତ୍‌କାଲ–ଲକ୍‌ୱାମାର୍‌ ଜବାହରଲାଲ’’

 

ଲୋହିଆ ନିଜେହିଁ ଶୋଭାଯାତ୍ରାର ସଂଚାଳନ କଲେ ।

 

ଏହି ଶୋଭାଯାତ୍ରାରୁ ଦିଲ୍ଲୀର କଂଗ୍ରେସ ସରକାର ଜାଣିଗଲେ ଯେ ବର୍ତ୍ତମାନ ଦେଶଟା କୁଆଡ଼ିକି ଯାଉଛି ଏବଂ ପବନର ଗତି କୁଆଡ଼ିକି ।

 

ପନ୍ଦର ଅଗଷ୍ଟରୁ ଲୋହିଆ ପୁଣି ପୂର୍ବ ଦେଶଗୁଡ଼ିକ ଦେଇ ବିଶ୍ୱ ଭ୍ରମଣପାଇଁ ବାହାରିପଡ଼ିଲେ । ପ୍ରାୟ ମେ’ ମାସ ପର୍ଯ୍ୟନ୍ତ ସେ ଆମେରିକାରେ ରହିଲେ ।

 

ଆମେରିକାର ଏରିଜୋନା ବିଶ୍ୱବିଦ୍ୟାଳୟରେ ଭାଷଣ ଦେବାପାଇଁ ଲୋହିଆଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

 

ଏରିଜୋନା ବିଶ୍ୱବିଦ୍ୟାଳୟରେ ସେ ପହିଲା ମେ’ ଦିନ ଭାଷଣ ଦେଲେ । ତା’ପରେ ଅନ୍ୟାନ୍ୟ କଲେଜ ତଥା ସଂସ୍ଥାଗୁଡ଼ିକରେ ଅନେକ ଦିନ ଧରି ତାଙ୍କ ଭାଷଣ ଲାଗିରହିଲା ।

 

ନିଜର ଏଇ ଆମେରିକା ଯାତ୍ରା ସମୟରେ ଲୋହିଆ ନିଜ ଭାଷଣର ଅର୍ଥ ତଥା ତୀକ୍ଷ୍ଣ ବକ୍ତବ୍ୟଦ୍ୱାରା ଆମେରିକାର ଶ୍ରୋତାମାନଙ୍କୁ ଅସମ୍ଭବଭାବରେ ମୋହିତ କରିଦେଲେ । ଯେତେବେଳେ ଲୋହିଆ ଆମେରିକା ଭ୍ରମଣରେ ବ୍ୟସ୍ତ ଥିଲେ, ସେତେବେଳେ ଠିକ୍‌ ସତେଇଶ ମେ’ ଦିନ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦେହାନ୍ତ ହୋଇଗଲା ।

 

ଭାରତର ସ୍ୱରାଜ୍ୟ ପରେ ପରେ ନେହେରୁ ପ୍ରଧାନମନ୍ତ୍ରୀ ହେଲାପରେ, ତାଙ୍କ ନୀତିର ପ୍ରଧାନ ଆଲୋଚକ ଥିଲେ ସ୍ୱଂୟ ଲୋହିଆ । ଯଦିଓ କେବେ ନେହେରୁ ଲୋହିଆଙ୍କର ଅତି ପ୍ରିୟ ଥିଲେ, ନେହେରୁଙ୍କ ନିଧନ ଯୋଗୁଁ ଲୋହିଆଙ୍କ ମନରେ ଖୁବ୍‌ ଦୁଃଖ ଜାତ ହେଲା । କିନ୍ତୁ ସେତେବେଳେ ଲୋହିଆ ଦେଶଠୁଁ ଥିଲେ ବହୁତ ଦୂରରେ । ଆମେରିକାର ଜୈକ୍‌ସନ୍‌ ନଗରରୁ ଲୋହିଆ ନେହେରୁଙ୍କ ଦେହାନ୍ତ ଯୋଗୁଁ ନିମ୍ନଲିଖିତ ଶୋକ ସନ୍ଦେଶ ପଠାଇଥିଲେ ।

 

‘‘ଭାରତର ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଦଳର ସବୁଠୁ ବିଶିଷ୍ଟ ନେତାଙ୍କ ନିଧନ ଯୋଗୁଁ ମୁଁ ଖୁବ୍‌ ଦୁଃଖିତ–ଏପରି ଏକ ବ୍ୟକ୍ତିଙ୍କ ମୃତ୍ୟୁରେ–ଯେ କି ଅତୀତରେ ଆମ ସମସ୍ତଙ୍କୁ ମର୍ମସ୍ପର୍ଶୀ ଭାବରେ ନେତୃତ୍ୱ ଦେଇଥିଲେ–ମୁଁ ଶୋକାଭିଭୂତ । ତାଙ୍କ ଭିତରେ ଅତି କମ୍‌ରେ ଜଣେ କ୍ରାନ୍ତିକାରୀର ଆଚରଣ ରହିଥିଲା । ମୁଁ ତାଙ୍କ ସୁପୁତ୍ରୀଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି–ଯେ କି ବର୍ତ୍ତମାନ ଅତିଶୟ ଶୋକମଗ୍ନା । ମୁଁ ତାଙ୍କୁ କେବଳ ଏତିକି କହିବାକୁ ଚାହେଁ ଯେ, ତାଙ୍କ ଶୋକରେ ମୁଁ ବି ଭାଗୀଦାର । କାରଣ ସ୍ମୃତିଗୁଡ଼ା ଯେତିକି ଅସ୍ପଷ୍ଟ ହେଲେବି ନିଜର ଚିହ୍ନ ଅବଶ୍ୟ ଛାଡ଼ିଯାନ୍ତି । ଯେଉଁମାନେ ଆଜି ଶୋକ–ବିହ୍ୱଳ, ସେମାନଙ୍କୁ ମୁଁ କେବଳ ଏତିକି ମାତ୍ର କହିବାକୁ ଚାହେଁ ଯେ, ସେମାନେ ସେଇ ବନ୍ଧନକୁ ଛିଡ଼େଇ ଦିଅନ୍ତୁ–ଯେଉଁ ବନ୍ଧନ କି ଦିନେ କ୍ରାନ୍ତିକୁ ବନ୍ଦୀ କରି ରଖିଥିଲା । ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଉପରେ କିଛି କହିବାକୁ ମତେ ଏଇଥିପାଇଁ ବିଳମ୍ୱ ହେଲା ଯେ, ଯେତେବେଳେ ଏଇ ଖବର ମତେ ପ୍ରଥମଥର ପାଇଁ ମିଳିଲା, ସେତେବେଳେ ମୁଁ ଅନ୍ୟାୟର ଆଉ ଏକ କ୍ଷେତ୍ରରେ ନିଜକୁ ଜଡ଼ିତ କରି ରଖିଥିଲି ଏବଂ ୧୯୪୬ ପର୍ଯ୍ୟନ୍ତର ସେଇ ଯୋଦ୍ଧାଙ୍କର ପୁଣ୍ୟସ୍ମୃତିରେ ମୁଁ ସେଇ ଅନ୍ୟାୟର ବିରୁଦ୍ଧାଚରଣ କରିବାକୁ ଠିକ୍ କରି ନେଲି ।’’

 

ଉପରୋକ୍ତ ବକ୍ତବ୍ୟର ସାଙ୍କେତିକ ଅନ୍ୟାୟର ଏକ ସୁନ୍ଦର ହୃଦୟଗ୍ରାହୀ କାହାଣୀ ଲୁଚି ରହିଛି ।

 

ସତେଇଶ ମେ’–ଯେଉଁ ଦିନ ଭାରତର ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହେଲା, ସେଇ ଦିନ...ଠିକ୍ ସେଇ ଦିନ... ସୁଦୂର ଆମେରିକାରେ ଲୋହିଆ ଗୋଟାଏ ଅନ୍ୟାୟ କ୍ଷେତ୍ରର ସଂଘର୍ଷରତ ରହିଥିଲେ ।

 

ଘଟଣାଟି ଏପରି–

 

ଏରିଜୋନାରୁ ଛବିଶ ମେ’ ଦିନ ଲୋହିଆ ଯାଇ ପହଞ୍ଚିଲେ ଜୈକ୍‍ସନ୍‌ରେ । ସେଇଠୁଁ ନାଗରିକ ଅଧିକାର କାର୍ଯ୍ୟ–କେନ୍ଦ୍ର–ତେଉଗ୍‌ଲୋ ସଂଦର୍ନ କଲେଜକୁ ତାଙ୍କର ଯିବାର ଥିଲା । ତାଙ୍କ ସାଙ୍ଗରେ ‘‘ସ୍ତେପନ୍‌ ପୋଇଟ୍ରୀ ସେଣ୍ଟର’’ର ସଂସ୍ଥାପକ ଶ୍ରୀମତୀ ରୁଥ୍‌ ସ୍ତେପନ୍ ମଧ୍ୟ ଥିଲେ । ଲୋହିଆ ଧୋତି, କୁର୍ତ୍ତା, ଜାକେଟ୍‌ ତଥା ଚପଲ ପିନ୍ଧିଥିଲେ । ଉଡ଼ାଜାହାଜ ପଡ଼ିଆରେ ତାଙ୍କୁ ଜୋର୍‌ଦାର ସ୍ୱାଗତ କରାଗଲା ।

 

ଏରୋଡ଼୍ରମରୁ ଲୋହିଆ ନିଜର ଆମେରିକାନ୍‌ ବନ୍ଧୁଙ୍କ ସହିତ ଗୋଟାଏ ହୋଟେଲକୁ ଖାଇବାପାଇଁ ଗଲେ । କିନ୍ତୁ ତାଙ୍କୁ ଖାଇବାକୁ ନଦେଇ ହୋଟେଲରୁ ବାହାରକୁ ବାହାର କରିଦିଆଗଲା । ସେତେବେଳେ ଲୋହିଆ କହିଥିଲେ–

 

‘‘ମୁଁ ପରିଷ୍କାର ଭାବରେ କହି ଦେଉଛି ଯେ, ମୁଁ ଆମେରିକାନ୍ ଜୀବନର କୌଣସି ଖରାପ ଅଭ୍ୟାସକୁ ବାହାରେ ପ୍ରକାଶ କରେଇଦେବା କିମ୍ୱା ତାକୁ ପ୍ରଚାରିତ କରେଇଦେବାକୁ ଚାହେଁନା । ସେଭଳି କୁଅଭ୍ୟାସ ତ ପ୍ରାୟ ସବୁ ସ୍ଥାନରେ ରହିଛି–ଆମ ଦେଶ ଭାରତରେ ମଧ୍ୟ ଅଛି-। ମୁଁ ସେପରି ସ୍ଥାନକୁ ଯିବାପାଇଁ ଚାହେଁନା–ଯେଉଁଠି କି ମୋର ଆଦର ନାହିଁ । ଯଦି କୌଣସି ଏକ ସର୍ବସାଧାରଣ ସ୍ଥାନକୁ ଯାଇ ମୁଁ ଆଇନ ଭାଙ୍ଗିବାକୁ ଚେଷ୍ଟା କରିବି, ତେବେ ମୁଁ ନିଶ୍ଚୟ ଆଶା କରିବି ଯେ, ମେୟର କିମ୍ୱା ଅନ୍ୟ ଯେକୌଣସି ଅଧିକାରୀ ମତେ ଗିରଫ୍ କରି ପାରିବେ... ଏବଂ ମୁଁ ତାଙ୍କ ପ୍ରତି କୌଣସି ଅଭିଯୋଗବି କରିବି ନାହିଁ । ମୁଁ ଗୋଟାଏ ଆମେରିକାନ୍‌ ନାଗରିକ ଭଳି ବ୍ୟବହାର କରିବାକୁ ଏବଂ ପାଇବାକୁ ଚାହେଁ ।’’

 

ଲୋହିଆ ଯେକୌଣସି ସଭ୍ୟ ମନୁଷ୍ୟ ଏପରି ବର୍ଣ୍ଣ–ଭେଦ କାରଣ ଯୋଗୁଁ ପ୍ରକୃତ ନାଗରିକ ଅଧିକାରରୁ ବଞ୍ଚିତ କରି ରଖିବାର ପ୍ରକୃତିକୁ ପଶୁତ୍ୱ ଛଡ଼ା ଆଉ କିଛି ନୁହେଁ ବୋଲି କହିଲେ ଏବଂ ହୋଟେଲର ସଂଚାଳକଙ୍କୁ ଖବର ପଠେଇଦେଲେ ଯେ, ସେ କାଲି ପୁଣି ଆସିବେ ଏବଂ ହୋଟେଲ ଭିତରେ ପଶିବେ ।

 

ତା’ ଆରଦିନ ଲୋହିଆ ପୁଣି ହୋଟେଲକୁ ଗଲେ । ତାଙ୍କ ସାଙ୍ଗରେ ଆମେରିକାନ୍‌ ମହିଳା ଶ୍ରୀମତୀ ରୁଥ୍ ସ୍ତେପନ୍‌ ମଧ୍ୟ ଥିଲେ ।

 

ଲୋହିଆ ହୋଟେଲରେ ପାଦ ଦେବାକ୍ଷଣି ମାନେଜର ଆସି କହିଲେ, ‘‘ଏଇ ଜାଗାଟି ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସନ୍ଦର୍ଭ । ଆପଣଙ୍କ ସହ ଆମର କୌଣସି ବେପାର କରିବାର ନାହିଁ । ଆପଣ ଫେରିଯାଆନ୍ତୁ ।’’

 

ସାଙ୍ଗେ ସାଙ୍ଗେ ପୋଲିସ୍ ଅଧିକାରୀ ଆସି ହସ୍ତକ୍ଷେପ କରି କହିଲେ, ‘‘ଆପଣ ମାନେଜରଙ୍କ କଥା ଶୁଣିଲେ ତ ? ସେ ଆପଣଙ୍କୁ ଫେରିଯିବା ପାଇଁ କହୁଛନ୍ତି । ଆପଣ ଦୟାକରି ଏଠୁଁ ଚାଲିଯାନ୍ତୁ ।’’

 

ଲୋହିଆ ଦୃଢ଼ତାର ସହ କହିଲେ, ‘‘ମୁଁ କଦାପି ଯିବି ନାହିଁ । ମୁଁ ଏଇଠି ଛିଡ଼ା ହୋଇ ରହିବି ।’’

 

ତା’ପରେ ପୋଲିସ୍ ଅଧିକାରୀ କହିଲେ, ‘‘ମୁଁ ବଡ଼ ଦୁଃଖିତ । ମତେ ଆପଣଙ୍କୁ ଗିରଫ୍ କରିବାକୁଇ ପଡ଼ିବ ।’’

 

ତା’ପରେ ସେଇ ଅଧିକାରୀ ଲୋହିଆଙ୍କୁ ଧରି ନେଇ ବାହାରେ ଥିବା ପୋଲିସ୍ ମୋଟରରେ ବସେଇ ନେଇଗଲେ । ସେତେବେଳେ ଲୋହିଆ ହସି ହସି ଅଧିକାରୀଙ୍କ କାନ୍ଧ ଉପରେ ହାତ ରଖି ପଚାରିଲେ–‘‘ଭାଇ, ତମ କାମ ତ ପୂରା ହୋଇଗଲା ?’’

 

ଅଧିକାରୀ କହିଲେ ‘‘ନା, ଏଇ ମାତ୍ର ତ ଆରମ୍ଭ ହେଉଛି ।’’

 

ତା’ପରେ ଭାରତୀୟ ଦୂତାବାସର ଦି’ଜଣ ଲୋକ ଏ ଘଟଣାର ସୂଚନା ପାଇ ହୋଟେଲକୁ ଆସିଲେ । ତାଙ୍କ ଭିତରୁ ଜଣକୁବି ଲୋହିଆ ମନେକରି ପୋଲିସ୍ ଧରି ନେଇଗଲେ ।

 

କିଛି ସମୟ ପରେ ପୋଲିସ୍ ଲୋହିଆଙ୍କୁ ଛାଡ଼ିଦେଲେ ।

 

ଏ ଘଟଣାର ଚର୍ଚ୍ଚା କରିବାକୁ ଯାଇ ଅଠେଇଶ ମେ’ ଅଙ୍କରେ ଆମେରିକାର ଖବରକାଗଜ ‘‘ଡେଲି ନ୍ୟୁଜ’’ (Daily News) ଲେଖିଲା–‘‘ଭାରତୀୟ ବିଧାନ–ନିର୍ମାତାଙ୍କୁ ହୋଟେଲ ଭିତରେ ପଶିବାକୁ ଦିଆଗଲା ନାହିଁ, ଯଦିଓ ସେ ଦୁଇ ତୃତୀୟାଂଶ ଶରୀରକୁ ଢାଙ୍କିବା ଭଳି ଆଶ୍ଚର୍ଯ୍ୟ ଧରଣର କପଡ଼ା ଆଉ ସେଣ୍ତଲ୍ ପିନ୍ଧି ହୋଟେଲ ଭିତରକୁ ପଶିବାପାଇଁ ଚାହୁଁଥିଲେ...’’

 

ଲୋହିଆ ପୂରା ଆମେରିକା ଯାତ୍ରାରେ ଧୋତି କୁରୁତା ଏବଂ ଜାକେଟହିଁ ପିନ୍ଧୁଥିଲେ ।

 

ଆଉ ଠିକ୍‌ ସେତିକିବେଳେ, ଯେତେବେଳେ କି ସମଗ୍ର ଭାରତ ଦେଶ ନିଜର ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁଁ ଶୋକାଭିଭୂତ ହୋଇ ପଡ଼ିଥିଲେ, ଲୋହିଆ ମାନବୀୟ ଅନ୍ୟାୟର ପ୍ରତିକାର ପାଇଁ ଆମେରିକାରେ ସଂଘର୍ଷରତ ଥିଲେ ।

 

ତା’ ଆରଦିନ...ୱାଶିଂଟନସ୍ଥ ଆମେରିକାର ଗୃହବିଭାଗ ଲୋହିଆଙ୍କ ପ୍ରତି ଜୈକ୍‌ସନ୍‌ରେ କରାଯାଇଥିବା ଦୁର୍ବ୍ୟବହାର ପାଇଁ ଭାରତୀୟ ଦୂତାବାସ ନିକଟକୁ କ୍ଷମାଯାଚନାପୂର୍ବକ ଗୋଟାଏ ଦୁଃଖଦ ପତ୍ର ଲେଖିଲେ ଏବଂ ତତ୍‌ ସଙ୍ଗେ ସଙ୍ଗେ ଜଣେ ସରକାରୀ ପ୍ରତିନିଧି ଆସି ଲୋହିଆଙ୍କ ନିକଟରେ ମୌଖିକ କ୍ଷମାଯାଚନା କଲେ । ସେତେବେଳେ ଲୋହିଆ କହିଲେ, ‘‘ମତେ କ୍ଷମା ମାଗିବାର କାରଣ କ’ଣ ? କ୍ଷମା ତ ଆମେରିକାର ରାଷ୍ଟ୍ରପତି ଦୁନିଆର ସମସ୍ତ କଳା ଲୋକଙ୍କୁ ମାଗିବା ଉଚିତ, ଯାହାଙ୍କ ଉପରେ ଧଳା ଚମଡ଼ାଧାରୀମାନେ ଅନ୍ୟାୟ କରୁଛନ୍ତି ।’’

 

ତା’ ପରଦିନ ଲୋହିଆ ଉଡ଼ାଜାହାଜ ଯୋଗେ ନ୍ୟୁୟର୍କ ଅଭିମୁଖରେ ବାହାରିପଡ଼ିଲେ ।

 

ପୂର୍ବୀୟ ଦେଶର ଏଇ ଯାତ୍ରାରୁ ଲୋହିଆ ଜୁନ୍‌ ମାସର ଶେଷ ଆଡ଼କୁ ସ୍ୱଦେଶକୁ ଫେରିଆସିଲେ । ଏହି ଯାତ୍ରା ସମୟରେ ଲୋହିଆ ଯେଉଁ ଦେଶଗୁଡ଼ିକୁ ଯାଇଥିଲେ, ସେଗୁଡ଼ିକ ବିଷୟରେ ନିଜର ମୌଳିକ ଚିନ୍ତାଧାରା ଏପରି ଭାବରେ ବ୍ୟକ୍ତ କରିଛନ୍ତି–

 

କମ୍ୱୋଜ–ଯେଉଁଠି ହିନ୍ଦୁସ୍ଥାନ କିମ୍ୱା ଜମ୍ୱୁଦ୍ୱୀପର ଦୀପ୍ତିମୟ ଭାବନା ବିଦ୍ୟମାନ ହୋଇ ରହିଛି । କିନ୍ତୁ ଏଇ ଭାବନା ପ୍ରାୟ ପ୍ରତ୍ୟେକ ସ୍ଥଳରେ ଯେମିତି ପଛକୁ ହଟି ହଟି ଯାଉଛି । କାରଣ ତା’ ଉପରେ ସାମାନ୍ୟ କିଛି ବୁନିଆଦୀ ଭୁଲ୍‌ର ପ୍ରଭାବ ଏପର୍ଯ୍ୟନ୍ତବି ରହିଛି ଯାହା ସଂଶୋଧନର ଆବଶ୍ୟକତା ମନେ ହୁଏ ।

 

ସୈଗାଁଓ–ଭିଏତ୍‌ନାମ–ଯେଉଁଠି କି ମହିଳାମାନେ କୋମଳତାର ଚରମ ସୀମାରେ ପହଞ୍ଚି ଯାଇଛନ୍ତି । ଯେଉଁଠି ସ୍ୱାଧୀନତା ଏବଂ ଦାସତ୍ୱର ଯୁଦ୍ଧ ଦୀର୍ଘ ଦଶଶତାବ୍ଦୀ ଧରି ଚାଲିଆସୁଛି, ଯଦ୍ଦ୍ୱାରା ବିଶ୍ୱାସ ହୁଏ ଯେ, ଦିନେ ନା ଦିନେ ସ୍ୱାଧୀନତାର ବିଜୟ ନିଶ୍ଚୟ ହେବ ଏବଂ ସବୁଦିନ ପାଇଁ ଦାସତ୍ୱର ବନ୍ଧନ ଧ୍ୱଂସ ପାଇଯିବ । ଏଠିକାର ମହିଳାମାନେ ଯେଉଁମାନେ କି ରାଣୀ ଭଳି ପୃଷ୍ଠପୋଷାକ ଭିତରେ ରହନ୍ତି, ସେମାନଙ୍କୁ ପୁରୁଷଙ୍କ ଭଳି ସମଅଧିକାର ନିଶ୍ଚୟ ମିଳିବ ଏବଂ ସେମାନଙ୍କ କୋମଳତା ମଧ୍ୟ କାଏମ ରହିବ ।

 

ମନିଲା–ଫିଲିପିନ୍‌ସ–ଯେଉଁଠିକାର ପୁରୁଷମାନେ ଏମ୍ୱ୍ରଏଡ଼ରି ପୋଷାକ ପିନ୍ଧନ୍ତି, ଯେଉଁ ସ୍ଥାନରେ ସିନେଟର ବ୍ଲୁ ରିବନ କମିଟି ଭଳି ଅନୁସନ୍ଧାନ କମିଟିମାନଙ୍କରେ ରୁହନ୍ତି, ଯେଉଁମାନେ କି କେବଳ ଉଚ୍ଚାରଣକୁ ଛାଡ଼ିଦେଲେ ଆଉ ସମସ୍ତ ସମୟରେ ଆମେରିକାନ୍‌ ସିନେଟରଙ୍କ ସମାନତା କରନ୍ତି, ଯେଉଁଠି କି ଚାରିଶହ ବର୍ଷର ପୁରୁଣା ସ୍ପେନ୍‌କୁ କେବଳ ଷାଠିଏବର୍ଷର ଆମେରିକା ପରାସ୍ତ କରି ରଖିଛି ।

 

ସିଡ଼ନି–ଅଷ୍ଟ୍ରେଲିୟା–ୟୁରୋପୀୟ ଚିନ୍ତାଧାରାର ଏକ ଜୀବନ୍ତ ସ୍ମାରକ । ୟୁରୋପର ତ୍ୟକ୍ତ, ଚୋର, ଗୁଣ୍ତା, ହତ୍ୟାକାରୀ ଏବଂ ବଦମାସମାନଙ୍କର ଏକ ସମୂହକୁ ନେଇ ସେ ଦେଶ ଗଢ଼ିଉଠିଚି । ଦକ୍ଷିଣ ପେସିଫିକ୍‌ ଅଧିକ ଶକ୍ତିଶାଳୀ ଅଟେ, ଯାହାର ଜୀବନସ୍ତର ଆମେରିକାବାସୀଙ୍କ ଭଳି ସବୁବେଳେ ଉଚ୍ଚରେ । ରଙ୍ଗିନ ଲୋକପାଇଁ ଏହା ଗୋଟାଏ କିମ୍ଭୂତକିମାକାର ଦେଶ–ଯେଉଁଠି କି ରଙ୍ଗିନ ଲୋକଙ୍କର ନାମକୁ ମାତ୍ର ପ୍ରବେଶ ଥାଏ ।

 

ଫିଜି–ଅଷ୍ଟ୍ରେଲିୟା ଏବଂ ବ୍ରିଟେନର ପୁଞ୍ଜିପତି ଏବଂ ଦଲାଲମାନେ ଏଠିକାର ବହୁସଂଖ୍ୟକ ଲୋକଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଏବଂ ଆତ୍ମନିର୍ଣ୍ଣୟରୁ ବଞ୍ଚିତ କରି ରଖିଚନ୍ତି-

 

ସମୋଆ, ପାଗୋପାଗୋଁ–ଯେଉଁଠି ସମୁଦ୍ର ଏବଂ ଧରିତ୍ରୀ ଗୋଟାଏ ଧରାତଳ ଉପରେ ଏକତ୍ର ହୋଇଛନ୍ତି, ଯେଉଁଠି ଦକ୍ଷିଣ ପେସିଫିକ୍‌ର ଅନୁପମ ସୌନ୍ଦର୍ଯ୍ୟର ସାମଞ୍ଜସ୍ୟ ସ୍ଥାପିତ ହୋଇଛି ଏବଂ ଯେଉଁଠି ଆଖି ବାଧ୍ୟ ହୁଏ ତାଙ୍କର ଗୁଣଗାନ କରିବାକୁ, ଯାହାକୁ ଦେଖିଲେ ପ୍ରୟାଣର ସ୍ମୃତି ଆପଣାଛାଏଁ ଅଙ୍କିତ ହୋଇଯାଏ । ଯେଉଁଠି ଚତୁର୍ଦ୍ଦିଗରେ ବିଶାଳ ସମୁଦ୍ର ଉପରେ ଅବଲମ୍ୱିତ ଜମିସମୂହ ଏକାକୀ ଭାବର ନିମନ୍ତ୍ରଣ ଦିଏ, ଯାହା କି ବରଫାବୃତ ହିମାଳୟଠାରୁ କମ୍‌ ନିଷ୍ଠୁର ।

 

ସଂଯୁକ୍ତରାଷ୍ଟ୍ର ଆମେରିକା–ଯେଉଁଠି ଉତ୍ତରୋତ୍ତର ଭାବରେ ବୃଦ୍ଧି ପାଉଥିବା ପ୍ରତିଯୋଗିତା ଏବଂ ତୃଷ୍ଟି ସହିତ କେବେକେବେ ଅସହମତିର ଦର୍ଶନ ହୁଏ, ଯାହା କି ଗୋରା ଏବଂ କଳାଙ୍କ ଭିତରେ ସମାନତାର ସଂଘର୍ଷକୁ ନେଇ ଜନ୍ମହୁଏ, ଯାହାର ଫଳସ୍ୱରୂପ ଏଇ ମହାନ ଦେଶ ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟାଏ ଗୋରା ଦେଶ ଭାବରେ ଗଢ଼ିଉଠିଚି, ଯେତେ ଅଳ୍ପମାତ୍ରାରେ ହେଉପଛକେ ଅଳ୍ପସଂଖ୍ୟକଙ୍କ ଆଦର୍ଶବାଦ ଫୁଟି ବାହାରିପଡ଼ୁଛି ଏବଂ ସ୍ୱତନ୍ତ୍ରତାର କାନୁନ ଏକ ଆଡ଼ମ୍ୱର ମାତ୍ର ହୋଇ ରହିଯାଉଛି । ଯଦ୍ୟପି ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ସୁଧାରବାଦୀ ଦୃଷ୍ଟିକୋଣ ପ୍ରଭାବଶାଳୀ ଭାବରେ ରହିଛି; ତଥାପି ଏ ଦେଶ ଅନାଦର୍ଶବାଦୀ ଏବଂ ବଡ଼ବଡ଼ ନିର୍ଣ୍ଣୟ କରିବାପାଇଁ ଅଯୋଗ୍ୟ; କିନ୍ତୁ ବେଳେବେଳେ ଫୁଟି ବାହାରି ପଡ଼ୁଥିବା ଆଦର୍ଶବାଦର ଧାରାରେ ବୋହିଯିବା ପାଇଁ ଉଦ୍ୟତ । ଆଶଙ୍କାକୁ ସ୍ଥାନ ଦେବାକୁ ଯାଇ ସମାନଭାବରେ ରୁଚିବାଦୀ ଏବଂ ଆଦର୍ଶବାଦୀ ରୂପ କ’ଣ ନିଜର ଆଦର୍ଶବାଦୀ ଅଳ୍ପସଂଖ୍ୟକଙ୍କ ନେତୃତ୍ୱକୁ ସ୍ୱୀକାର କରିଯିବ ? ଯାହା ଫଳରେ କି ଦାରିଦ୍ର୍ୟଶୂନ୍ୟ ଏବଂ ଅସ୍ତ୍ରଶସ୍ତ୍ରହୀନ ଏକ ସଂସାର ଗଢ଼ା ଯାଇ ପାରିବ । ଏଇ ସଂଯୁକ୍ତ ରାଜ୍ୟ ଆମେରିକା, ଯେଉଁଠି କି ମିସିସିପି ରାଜ୍ୟର ସରକାର ମତେ ଗିରଫ୍ କରେ ଏବଂ ୱାଶିଂଟନ ସରକାର କ୍ଷମା ମାଗେ, ଏଇ ହେଉଛି ସେଇ ଦେଶ–ଯେଉଁଠି ମୁଁ ଆଦର୍ଶବାଦୀ ପ୍ରେରଣା ଦେବା ଭଳି ମାଙ୍ଗଳିକ କାର୍ଯ୍ୟରେ ସୁଜନ ଭାବରେ ପରିଗଣିତ ହୁଏ ଏବଂ ସେଥିପାଇଁ ସେଇ ସ୍ନେହ ସୃଷ୍ଟି କରିପାରେ, ଯାହା କି ମୁଁ ମୋର ୧୯୫୧ ସାଲର ଯାତ୍ରାରେ କରିପାରି ନଥିଲି ।

 

ମେକ୍‌ସିକୋ–ଯେଉଁଠି କ୍ରାନ୍ତି ଶବ୍ଦର କୌଣସି ଅନ୍ୟ ସ୍ଥାନ ବଦଳରେ ରାତ୍ରି–କ୍ଳବ୍‍ର ଗୀତରେ ପ୍ରାୟ ବ୍ୟବହାର କରାଯାଏ ଏବଂ ଯେଉଁଠି ସରକାରୀ ଦଳ ବିରୋଧୀଦଳକୁ ନେତା ପ୍ରଦାନ କରିବାର ସୀମା ପର୍ଯ୍ୟନ୍ତ ଯାଇପାରେ, ତଥା ଯେଉଁଠି ସ୍ପେନୀୟମାନେ ଏଜ୍‌ଟେକ୍‌ ଲୋକମାନଙ୍କୁ ନଷ୍ଟ କରିଦିଅନ୍ତି । ଏଇ ହେଉଛି ସେଇ ଦେଶ, ଯେଉଁଠିକାର ଲୋକେ ଦୁନିଆର ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ମିଶ୍ରଣପ୍ରିୟ; କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ରାନ୍ତିର ଆବଶ୍ୟକତା ରହିଛି ।

 

ଇଂଲଣ୍ତ, ଉତ୍ତର ଆୟାରଲାଣ୍ତ, ଫ୍ରାନ୍‌ସ, ବେଲ୍‌ଜିୟମ, ଇଟାଲୀ–ଆର୍ଥିକ ସଂପନ୍ନତା ଯାହାର ରାଜନୀତିକୁ ହତ୍ୟା କରିଦେଇଛି ଏବଂ ତା’ପରେ ଦିଲ୍ଲୀକୁ ଫେରିଆସି ଦିଲ୍ଲୀ ସମ୍ୱନ୍ଧରେ ଲୋହିଆ କହିଲେ–

 

ଦିଲ୍ଲୀ–ମାଛ ନିଜ ପୋଖରୀକୁ ଫେରିଆସିଛି । ଯଦିଓ ପାଣି ଗୋଳିଆ; ତଥାପି ସେ ଏଇ ପାଣି ଭିତରକୁ ଆସିବାପାଇଁ ଛଟପଟ ହେଉଥିଲା । ଥରକପାଇଁ ଏହା ଯେତେବେଳେ ପ୍ରଶାନ୍ତ ମହାସାଗରର ବିସ୍ତୃତି ଉପରୁ ଫେରିଆସିଲା ଏବଂ ଅନ୍ୟଥର ପାଇଁ ଯେବେ ୟୁରୋପରେ ତା’ର ଯାତ୍ରାକୁ ସଂକ୍ଷିପ୍ତ କରିବାକୁ ପଡ଼ିଲା ।

 

ମୋର କେବଳ କଂଗ୍ରେସ ସରକାର ସହିତ ଲଢ଼ିବାର ଅଛି ଘୋଷଣା କରିବା ସାଙ୍ଗେ ସାଙ୍ଗେ ଲୋହିଆ ଦେଶକୁ ସ୍ପଷ୍ଟ ଭାବରେ କହିଦେଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ଶାସନ କାଏମ ରହିଥିବ, ଦେଶର କୌଣସି ମଙ୍ଗଳ ହୋଇପାରିବନି ଏବଂ ଏତିକି କହିବା ସାଙ୍ଗେ ସାଙ୍ଗେ ଲୋହିଆ ନିଜ କାର୍ଯ୍ୟର ରାସ୍ତାବି ଠିକ୍‌ କରିନେଲେ । ଲୋହିଆ ବର୍ତ୍ତମାନ ପ୍ରତ୍ୟେକ ସ୍ତରରେ କଂଗ୍ରେମ ସରକାର ସହ ଲଢ଼ିବା ଏବଂ ତା’ର ପତନ କରେଇବା ପାଇଁ ଚେଷ୍ଟା କରିବାରେ ଲାଗିପଡ଼ିଲେ ।

 

ଲୋହିଆ ସନ ୧୯୬୪ ମସିହାରେ ଯାଉ ଯାଉ ଦେଶର ସମସ୍ତ ସମାଜବାଦୀ ସଙ୍ଗଠନଗୁଡ଼ିକୁ ଏବଂ ଶକ୍ତିଗୁଡ଼ିକୁ ଏକଜୁଟ ହେବାପାଇଁ ଆହ୍ୱାନ କଲେ । ତତ୍‌କାଳୀନ ଦୁଇଟି ସମାଜବାଦୀ ଦଳ ପ୍ରଜା ସମାଜବାଦୀ ପାର୍ଟି ଏବଂ ସମାଜବାଦୀ ପାର୍ଟିର ସଦସ୍ୟମାନେ ଲୋହିଆଙ୍କ ଆହ୍ୱାନ ଫଳରେ ଦୁଇଟି ଦଳକୁ ଏକାଠି କରି ଗୋଟାଏ ସ–ଶକ୍ତ ସମାଜବାଦୀ ସଙ୍ଗଠନ ଭାବରେ ଗଢ଼ି ତୋଳିବାର ଆବଶ୍ୟକତା ଅନୁଭବ କଲେ ଏବଂ ଫଳସ୍ୱରୂପ ‘‘ସଂଯୁକ୍ତ ସମାଜବାଦୀ ଦଳ’’ର ସ୍ଥାପନା ଲୋହିଆଙ୍କ ପ୍ରେରଣାଦ୍ୱାରାହିଁ ସମ୍ଭବ ହେଲା ।

 

ସନ ୧୯୬୫ର ଅଣତ୍ରିଶ ଜାନୁୟାରିଠାରୁ ପହିଲା ଫେବୃୟାରୀ ପର୍ଯ୍ୟନ୍ତ ବାରାଣସୀଠାରେ ସଂଯୁକ୍ତ ସମାଜବାଦୀ ଦଳର ସ୍ଥାପନା ସମ୍ମେଳନ ଶ୍ରୀ ଏସ୍‌.ଏମ୍‌. ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ।

 

ସମାଜବାଦୀ ସଙ୍ଗଠନର ଏଇ ଏକତା ଓ ସମାଜବାଦ ପ୍ରତି ଲୋହିଆଙ୍କର ଏକ ମହାନ୍‌ ଦାନ ଥିଲା ।

 

ସମାଜବାଦୀ ଆନ୍ଦୋଳନକୁ ପ୍ରେରଣା ଦେବା ସାଙ୍ଗେ ସାଙ୍ଗେ ଲୋହିଆ ସେତେବେଳେ ଦେଶରୁ ‘‘ଇଂରେଜୀ ହଟାଅ’’ ଆନ୍ଦୋଳନ ଚଳେଇବାକୁ ଲାଗିଲେ ଏବଂ ଭାରତୀୟ ଭାଷାମାନଙ୍କୁ ସାର୍ବଜନୀନ ଭାବରେ ପ୍ରଚଳିତ କରେଇବାକୁ ଜନ–ଆନ୍ଦୋଳନର ସୃଷ୍ଟିବି କଲେ । ଜୁନ୍ ୧୯୬୫ରେ ଲୋହିଆ ଜର୍ମାନୀ, ରୁଷ ଏବଂ ଆଫ୍‌ଗାନିସ୍ଥାନକୁ ଯାତ୍ରା କଲେ ।

 

ସମଗ୍ର ବିଶ୍ୱରେ, ସେତେବେଳେ ସମାଜବାଦୀ ଆନ୍ଦୋଳନ ପୁଞ୍ଜିବାଦ ତଥା ସାମ୍ୟବାଦର ମଝିରେ ପେଷିହୋଇ ଚୂରମାର ହୋଇ ଯାଉଥିଲା । ବିଶେଷକରି ୟୁରୋପର ସମାଜବାଦୀ ନେତାଙ୍କର ଦୃଢ଼ତା ହୁଗୁଳା ହୋଇଆସୁଥିଲା । ଠିକ୍‌ ସେତିକିବେଳେ ଜର୍ମାନୀର ସମାଜବାଦୀ ପାର୍ଟି ଲୋହିଆଙ୍କୁ ନିମନ୍ତ୍ରଣ କରି ନିବେଦନ କଲେ ଯେ, ସେ ସେଠିକି ଆସି ସମାଜବାଦୀ ଆନ୍ଦୋଳନର ମାର୍ଗ ଦର୍ଶନ କରାନ୍ତୁ ।

 

ଲୋହିଆ ଜର୍ମାନୀ ଗଲେ । ରୁଷ ଗଲେ । ଆଫଗାନିସ୍ଥାନବି ଗଲେ । ବିଶ୍ୱର ପ୍ରମୁଖ ସମାଜବାଦୀମାନଙ୍କ ସହ ସମ୍ପର୍କ ସ୍ଥାପନ କଲେ ଏବଂ ସମାଜବାଦର ବିଶ୍ୱସଙ୍ଗଠନର କଳ୍ପନା ପୁଣି ଥରକପାଇଁ ଜାଗ୍ରତ ହୋଇ ଉଠିଲା ।

 

ଆଫଗାନିସ୍ଥାନ ଯାତ୍ରା ପଛରେ ଲୋହିଆଙ୍କର ଗୋଟାଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଥିଲା । ସେତେବେଳେ ଭାରତର ସ୍ୱାତନ୍ତ୍ର୍ୟ ସଂଗ୍ରାମର ଅଗ୍ରଣୀ ଏବଂ ମହାନ୍‌ ନେତା ଖାନ୍‌ ଅବଦୁଲ୍‌ ଗଫାର ଖାନ୍‌ କାବୁଲରେ ରହୁଥିଲେ । ପାକିସ୍ଥାନ ସୃଷ୍ଟି ହେବାପରେ ଦୀର୍ଘ ପନ୍ଦରବର୍ଷ ଧରି ଜେଲରେ ରହିବା ପରେ ସ୍ୱାସ୍ଥ୍ୟଲାଭ କରିବାପାଇଁ ଖାଁ ସାହେବ କାବୁଲରେ ରହୁଥିଲେ । ସ୍ୱାଧୀନତାର ଆଗରୁ ଯେତେବେଳେ ଖାଁ ସାହେବ ଭାରତରେ ରହୁଥିଲେ, ସେତେବେଳେ ଲୋହିଆଙ୍କ ପ୍ରତି ତାଙ୍କର ଖୁବ୍‌ ସ୍ନେହ ରହିଥିଲା ଏବଂ ସ୍ୱାଧୀନତା ପରେ ପରେ ଲୋହିଆଙ୍କ ସହିତ ତାଙ୍କର ଆଉ ଦେଖା ହୋଇ ନଥିଲା ।

 

ଖାଁ ସାହେବଙ୍କୁ ଦେଖା କରିବାପାଇଁ ଲୋହିଆ କାବୁଲ ଗଲେ । ସେଇଠି ଖାଁ ସାହେବଙ୍କ ପାଖରେ ଲୋହିଆ ଚାରିଦିନ ଧରି ରହିଲେ । ଖାଁ ସାହେବଙ୍କ ସହ ସାକ୍ଷାତ ସମ୍ୱନ୍ଧରେ ଚର୍ଚ୍ଚା କରିବାକୁ ଯାଇ ଲୋହିଆ କହିଥିଲେ–

 

‘‘ପ୍ରାୟ ଅଠରବର୍ଷ ପରେ ଆମେ ପରସ୍ପରକୁ ଦେଖା କରିଥିଲୁଁ, ଆଉ ସେଇ ଦୃଶ୍ୟ ଥିଲା ଖୁବ୍‌ ହୃଦୟବିଦାରକ । ଖାଁ ଅବଦୁଲ୍‌ ଗଫାର ଖାଁ ପଠାଣ ତ ନିଶ୍ଚୟ...ଆଉ ଖୁବ୍‌ ହୃଷ୍ଟପୁଷ୍ଟ, ଉଚ୍ଚା, ପୂରା ପଠାଣ ମଧ୍ୟ । କିନ୍ତୁ ତାଙ୍କର ହୃଦୟବି ଖୁବ୍‌ କୋମଳ । ଦେଖା ହେବା ସାଙ୍ଗେ ସାଙ୍ଗେ ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିଗଲା । ଆଜି ମଧ୍ୟ ଖାଁ ସାହେବ ହତାଶ ନୁହନ୍ତି । ତାଙ୍କ ଭିତରେ ଦୃଢ଼–ନିଶ୍ଚୟର ଭାବନା ଏପରି ଭାବରେ ଛପି ରହିଛି, ଯେମିତି କି ଜ୍ୱାଳାମୁଖୀ ଭିତରେ ନିଆଁ ଛପି ରହିଥାଏ । ଆମ ରାଷ୍ଟୀୟ ନେତୃତ୍ୱ ପ୍ରତି ଖାଁ ସାହେବଙ୍କର ଅଭିଯୋଗ ରହିଛି ଯେ, ସେ ହିନ୍ଦୁସ୍ତାନକୁ ଭାଗ କରିବାପାଇଁ ବ୍ରିଟିଶ ସାମ୍ରାଜ୍ୟବାଦୀ ଷଡ଼ଯନ୍ତ୍ରର ଶିକାର ହୋଇ କେବଳ ତାଙ୍କର ଆନ୍ଦୋଳନ ସହ ନୁହେଁ, ବରଂ ସମଗ୍ର ହିନ୍ଦୁସ୍ତାନର ସାର୍ବଭୌମତ୍ୱ ପ୍ରତି ବିଶ୍ୱାସଘାତକତା କରିଥିଲେ-

 

ମୁଁ ତାଙ୍କ ସାମ୍ନାରେ ଲଜ୍ଜିତ ହୋଇ ପଡ଼ିଥିଲି । ମୁଁ ଏହା ଅନୁଭବ କରୁଥିଲି ଯେ, ତାଙ୍କର ଆଖି ଦି’ଟା ମତେ ତରଳେଇ ଦେଇ କହୁଛି ‘ତମରି ନେତାମାନେ ମୋ ସାଙ୍ଗେ ତଥା ମୋର ପଠାଣ ଜାତି ସାଙ୍ଗେ ରୀତିମତ ବିଶ୍ୱାସଘାତକତା କରିଛନ୍ତି ।’

 

ଲୋହିଆ ଖାଁ ସାହେବଙ୍କ ସହ ଦେଖା କଲା ପରେ ତାଙ୍କୁ ଥରେ ଭାରତ ଆସିବାପାଇଁ ଉତ୍ସାହିତ କଲେ । କିନ୍ତୁ ଖାଁ ସାହେବଙ୍କର ଭାରତ ଆସିବାର ସରକାରୀ ସ୍ତରରେ ଅନେକ ବୈଧାନିକ ବାଧା ରହିଥିଲା । ଦେଶକୁ ଫେରିଆସି ଲୋହିଆ ଖାଁ ସାହେବଙ୍କୁ ଭାରତକୁ ନିମନ୍ତ୍ରଣ କରିବାପାଇଁ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାଲାଗି ଉତ୍ସାହିତ କଲେ । କିନ୍ତୁ କେଜାଣି କି ରହସ୍ୟ ଥିଲା ଯେ, ଏ ସମ୍ୱନ୍ଧରେ ଭାରତ ସରକାର ସେତେଟା ଆଗ୍ରହ ପ୍ରକାଶ କଲେ ନାହିଁ ଏବଂ ଲୋହିଆଙ୍କର ଏଇ ଚେଷ୍ଟା ମଧ୍ୟ ଶେଷରେ ନିଷ୍ଫଳ ହୋଇଗଲା ।

 

୧୯୬୫ ସାଲରେ ଆରମ୍ଭ ହେଲା ଭାରତ–ପାକିସ୍ଥାନ ଯୁଦ୍ଧ ।

 

ଏଇ ଯୁଦ୍ଧ ଭାରତ–ଚୀନ ଯୁଦ୍ଧଠୁଁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏଇ ମାମଲା କେବଳ ସୈନିକ ଯୁଦ୍ଧ ସ୍ତରରେ ସୀମିତ ନଥିଲା । ଏଇ ଯୁଦ୍ଧ ଯୋଗୁଁ ଭାରତରେ ରହୁଥିବା ମୁସଲମାନମାନଙ୍କ ଅବସ୍ଥା ବଡ଼ ଦୟନୀୟ ହୋଇ ଯାଇଥିଲା । ଅଠରବର୍ଷ ଆଗର ଭାରତୀୟ ମୁସଲମାନମାନେ ଆଜି ଥିଲେ ପାକିସ୍ଥାନର ନାଗରିକ । ଅଠରବର୍ଷ ଆଗର ଭାଇ–ଭାଇ ଆଜି ହିନ୍ଦୁସ୍ତାନ ଆଉ ପାକିସ୍ଥାନ ନାମରେ ଯୁଦ୍ଧରତ ଥିଲେ । ଏପରି ଅବସ୍ଥାରେ ଭାରତରେ ରହୁଥିବା ମୁସଲମାନଙ୍କ ଉପରେ ନିଜ ନିଜର ରାଷ୍ଟ୍ରୀୟତାର ପ୍ରମାଣ କରିବାର ଗୁରୁଦାୟିତ୍ୱ ଆସି ଉପସ୍ଥିତ ହେଲା । ଭାରତର ହିନ୍ଦୁ ଭାରତର ମୁସଲମାନଙ୍କ ଉପରେ ଶଙ୍କାର ଦୃଷ୍ଟି ରଖିଲେ । ସେତେବେଳେ ଲୋହିଆ ସମଗ୍ର ଭାରତ ଭିତରେ ବୁଲି ଲୋକଙ୍କୁ ଜଣାଇ ଦେଲେ ଯେ, ଭାରତର ପ୍ରତ୍ୟେକ ନାଗରିକଙ୍କର ଧର୍ମ ହେଉଛି ସେମାନେ ଭାରତର ମୁସଲମାନଙ୍କ ପ୍ରତି ଆଗ ଅପେକ୍ଷା ଆହୁରି ଅଧିକ ଭ୍ରାତୃତ୍ୱର ଭାବନା ସୃଷ୍ଟି କରନ୍ତୁ ଏବଂ ସେମାନଙ୍କ ମନୋବଳକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ । ସେତେବେଳେ ଲୋହିଆ କହିଥିଲେ, ଆମ ସମସ୍ତଙ୍କୁ ପାକିସ୍ଥାନର ମୁସଲମାନଙ୍କ ପ୍ରତି ଚଟାଣ ଭଳି କଠୋର ଏବଂ ଭାରତୀୟ ମୁସଲମାନଙ୍କ ପ୍ରତି ଫୁଲ ଭଳି କୋମଳ ହେବାକୁ ପଡ଼ିବ ।

 

ବାସ୍ତବିକ, ସେତେବେଳେ ଲୋହିଆ ଭାରତର ମୁସଲମାନଙ୍କ ପାଇଁ ଏକମାତ୍ର ଆଶା ରୂପରେ ଦେଖା ଦେଇଥିଲେ ।

 

ଅଗଷ୍ଟ ୧୯୬୫ ସାଲରେ ଲୋହିଆ ଗୋଟାଏ ସଭା କରିବାପାଇଁ ପାଟନା ଗଲେ ।

 

ସେତେବେଳେ ୧୬ ଅଗଷ୍ଟ ଦିନ ଲୋକସଭାରେ କଚ୍ଛ ସମ୍ୱନ୍ଧୀୟ ଆଲୋଚନା ହେବାର ଥିଲା; କିନ୍ତୁ ପାଟନାରେ ନଅ ଅଗଷ୍ଟ ଦିନ ଲୋହିଆଙ୍କୁ ଗିରଫ୍ କରି ନିଆଗଲା । ପାଟନାରେ ଖୁବ୍‌ ଉପଦ୍ରବ ହେଇଥିଲା ଏବଂ ସରକାର ତାକୁ ଗୋଟାଏ ବାହାନା ଗଢ଼ି ଲୋହିଆଙ୍କୁ ଜେଲ୍‌ରେ ବନ୍ଦ କରିଦେଇ ତାଙ୍କୁ କଚ୍ଛ ବିବାଦରେ ଅଂଶଗ୍ରହଣ କରିବାରୁ ବଞ୍ଚିତ କରି ରଖିଦେଲେ । ଲୋହିଆଙ୍କୁ ଭାରତ–ସୁରକ୍ଷା ଆଇନ ବଳରେ ଗିରଫ୍ କରାଯାଇଥିଲା ।

 

ଲୋହିଆ ତାଙ୍କର ଏଇ ଗିରଫ୍‍ଦାରିକୁ ଅବୈଧ ଆଖ୍ୟା ଦେଇ ସଂସଦ ସଦସ୍ୟଙ୍କ ବିଶେଷାଧିକାରର ଅବମାନନା ବୋଲି କହିଲେ ଏବଂ ଭାରତର ଉଚ୍ଚତମ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟରେ ଅପିଲ୍ କଲେ ।

 

ସୁପ୍ରିମ୍‍କୋର୍ଟ ଲୋହିଆଙ୍କ ଅପିଲ୍‍ର ଶୁଣାଣି ଆରମ୍ଭ କଲେ । ଲୋହିଆ ନିଜେ ଯୁକ୍ତି କଲେ ଏବଂ ସୁପ୍ରିମ୍‌କୋର୍ଟର ନିର୍ଣ୍ଣୟ ଲୋହିଆଙ୍କ ସପକ୍ଷରେ ଗଲା । ଲୋହିଆ ମୁକ୍ତ ହେଲେ ।

 

ଭାରତ–ସୁରକ୍ଷା ଆଇନ କବଳରୁ ମୁକ୍ତି ପାଇଯିବା ଲୋହିଆଙ୍କ ପାଇଁ ଏକ ଅପୂର୍ବ ଘଟଣା ।

 

ଏଥର କାନୁନ କବଳରୁ ମୁକ୍ତି ଲାଭ କରି ଲୋହିଆ ସିଧା–ସଳଖ ଦିଲ୍ଲୀସ୍ଥ ନିଜ ନିବାସ–୭, ଗୁରୁଦ୍ୱାର ରକାବଗଂଜ ରୋଡ଼୍‍କୁ ଫେରିଆସିଲେ । ଦେଶଭକ୍ତ ଲୋହିଆ ଭାରତ–ସୁରକ୍ଷା ଆଇନ ବଳରେ ଗିରଫ୍ ହେବା ଘଟଣା, ତାଙ୍କ ମନରେ ଗଭୀର ଆଘାତ ଦେଲା । ଭାରତ ସରକାରଦ୍ୱାରା ତାଙ୍କର ଦେଶପ୍ରେମକୁ ଏପରି ଭାବରେ ଆହ୍ୱାନ ଦିଆଯିବା ଫଳରେ ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଥିଲେ । ସେତେବେଳେ ସଂସଦର କାର୍ଯ୍ୟକ୍ରମ ଚାଲିଥିଲା । କିନ୍ତୁ କୋଳାହଳପୂର୍ଣ୍ଣ ସଂସଦ ଭବନ ଆଡ଼କୁ ଉନ୍ମୁଖ ନ ହୋଇ, ଉପରେ ପ୍ରସନ୍ନ କିନ୍ତୁ ଭିତରେ ଆହତ ଲୋହିଆ ମୁକ୍ତିର ପ୍ରଥମ ଦିନଟି ନିଜର ଶାନ୍ତ କୋଠରୀ ଭିତରେ ବିତେଇ ଦେବାହିଁ ଉଚିତ ମନେକଲେ । ସେତେବେଳେ ଲୋହିଆ ଅତ୍ୟନ୍ତ ଆହତ କଣ୍ଠରେ କହିଥିଲେ–‘‘ହିନ୍ଦୁସ୍ତାନର ସବୁଠୁ ବଡ଼ ବିଧାୟିକା ଆମ ସଂସଦର ମନରେ ମୋ ଭଳି ଗୋଟାଏ ଛୋଟଲୋକ ପାଇଁ କି ଇଜ୍ଜତ ଅଛି, ତାହା ମୁଁ ଜାଣି ସାରିଛି । ଅତି କମ୍‌ ପକ୍ଷରେ ଦିନକପାଇଁବି ଏତକ କହିବାର ଅଧିକାର ମୋର ଅଛି ଯେ, ମୋ ମନରେ ସଂସଦ ପ୍ରତି କେତେ ଇଜ୍ଜତ ରହିଯାଇଛି ।

 

ନଅ ସେପ୍‌ଟେମ୍ୱର ଦିନ ଲୋହିଆ ସଂସଦକୁ ଗଲେ । ସଦନ ଭିତରେ ପଶିବାକ୍ଷଣି ବିପୁଳ ହର୍ଷଧ୍ୱନିଦ୍ୱାରା ତାଙ୍କୁ ସ୍ୱାଗତ କରାଗଲା ।

 

ସେଇ ସମୟରେ ଲୋହିଆ ‘‘ଭାରତ–ପାକ୍‌–ଏକତା’’ର ଆନ୍ଦୋଳନ ଚଳାଇଲେ । ଲୋହିଆଙ୍କର କାର୍ଯ୍ୟସମୂହ ଇତିହାସକୁ ବଦଳେଇ ଦେବାଭଳି ଥିଲା । କିନ୍ତୁ ଭାରତ ସରକାର ଏଭଳି କାମରେ କେବେ ସାହାଯ୍ୟ କରିବା ତ ଦୂରର କଥା, ତାଙ୍କ ଚଲାବାଟରେ ଖାଲି କଣ୍ଟା ବିଛାଇବାରେହିଁ ଲାଗିଲେ ।

 

ସନ ୧୯୬୪ରୁ ୧୯୬୬ ପର୍ଯ୍ୟନ୍ତ ସମୟ କେବଳ ଗୁଡ଼ାଏ ଘଟଣାରେହିଁ ଭରପୂର ।

 

ପ୍ରଧାନମନ୍ତ୍ରୀ ନେହେରୁଙ୍କ ମୃତ୍ୟୁ, ଲାଲବାହାଦୁର ଶାସ୍ତ୍ରୀଙ୍କର ଅଠର ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀତ୍ୱର ସମୟ, ପାକିସ୍ଥାନର ଆକ୍ରମଣ, ଶାସ୍ତ୍ରୀଜୀଙ୍କର ତାସ୍‌କେଣ୍ଟଠାରେ ଅଚାନକ ମୃତ୍ୟୁ, ନେହେରୁଙ୍କ ସୁପୁତ୍ରୀ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦିଲ୍ଲୀ ସିଂହାସନରେ ବସିବା...ପ୍ରଭୃତି ଘଟଣାଗୁଡ଼ିକ ଖୁବ୍‌ ଶୀଘ୍ର ଶୀଘ୍ର ଘଟିଯିବାକୁ ଲାଗିଲା ।

 

ଲୋହିଆଙ୍କ ନେତୃତ୍ୱରେ ଦେଶ ଭିତରେ ସମାଜବାଦୀ ସଂଗଠନ ମଧ୍ୟ ପ୍ରଗତି ପଥରେ ଆଗେଇ ଚାଲିଥିଲା ।

 

ସନ ୧୯୬୬ର ମଧ୍ୟଭାଗରେ ୧୧ ଜୁଲାଇ ଦିନ ମହଙ୍ଗା, ଭ୍ରଷ୍ଟାଚାର ଏବଂ ଜନତାଙ୍କ ଦୁଃଖ ଦୂର କରିବାକୁ ଅସମର୍ଥ କଂଗ୍ରେସୀ ସରକାର ପ୍ରତି ବିରୋଧ ପ୍ରକାଶ କରିବାପାଇଁ ସଂଯୁକ୍ତ ସମାଜବାଦୀ ଦଳର ଆହ୍ୱାନକ୍ରମେ ‘‘ଉତ୍ତରପ୍ରଦେଶ ବନ୍ଦ’’ର ଆୟୋଜନ ଚାଲିଲା ।

 

ଏଗାର ଜୁଲାଇ ଦିନ ଆଗ୍ରା ଷ୍ଟେସନ୍‌ରେ ଲୋହିଆଙ୍କୁ ଗିରଫ୍ କରି ନିଆଗଲା । ଆଗ୍ରାର ମାଜିଷ୍ଟ୍ରେଟ ଶ୍ରୀ ଚିତ୍ରାଙ୍ଗଦ ସିଂହଙ୍କ ଅଦାଲତରେ ଏବଂ ତା’ପରେ ଏଲାହାବାଦ ହାଇକୋର୍ଟରେ ତାଙ୍କର ମକଦ୍ଦମା ଚାଲିଲା ।

 

ଆଗ୍ରା କାରାବାସ ସମୟରେ ଗୋଟାଏ ଘଟଣା ଘଟିଲା, ଯଦ୍ଦ୍ୱାରା କି ଲୋହିଆଙ୍କର ଚରିତ୍ର ଏବଂ ତାଙ୍କର ମାନବିକତାର ଦୃଷ୍ଟିକୋଣ ଉପରେ ପୂରା ଆଲୋକପାତ କରାଯାଏ । ଏ ସମ୍ୱନ୍ଧରେ ଲୋହିଆଙ୍କର ବ୍ୟକ୍ତିଗତ କୃତି, ସାର୍ବଜନୀନ ମହତ୍ତ୍ୱର ବିଚାର ଉତ୍ତେଜକ କୃତି ବୋଲି ପ୍ରମାଣିତ ହୋଇଗଲା ।

 

ଲୋହିଆ ଥିଲେ ଜେଲ୍‌ରେ । ଦିନେ ସନ୍ଧ୍ୟାରେ, ସେଇ ଜେଲ୍‌ ଭିତରେ ଲୋକଗୀତ ଗାଇବାର ଗୋଟାଏ କାର୍ଯ୍ୟକ୍ରମ ରଖାଗଲା । ଅନ୍ୟ କଏଦୀମାନେ ମଧ୍ୟ ଆସିଲେ । ଫାଶୀ ଦଣ୍ତ ପାଉଥିବା ବନ୍ଦୀମାନେ ମଧ୍ୟ ଆସିଲେ । ସେଇଠି ଫାଶୀର ପ୍ରତୀକ୍ଷାରେ ଦିନ କାଟୁଥିବା କଏଦୀମାନଙ୍କ ପରିଚୟ ଲୋହିଆଙ୍କୁ ମିଳିଲା । ସେମାନଙ୍କୁ ଦେଖି ଲୋହିଆଙ୍କ ମନ ବ୍ୟସ୍ତ ହୋଇଉଠିଲା...ହାହାକାର କରିଉଠିଲା ।

 

ଲୋହିଆ ନିଜେ ସେଇଠି ଜଣେ କଏଦୀ ହୋଇ ରହିଥିଲେ । କଏଦୀ ବ୍ୟକ୍ତି ବଡ଼ ଅସହାୟ ମନେ ହୁଏ । ସେ ଇଚ୍ଛାକରି ମଧ୍ୟ କାହାରିକୁ କୌଣସି ସାହାଯ୍ୟ କରିପାରେ ନାହିଁ । ଫାଶୀ ପାଉଥିବା କଏଦୀମାନଙ୍କୁ ଦେଖି ଲୋହିଆଙ୍କ ମନ କରୁଣାର୍ତ୍ତ ଉତ୍ତେଜନାରେ ଥରିଉଠିଲା । ଥରଥର କରି ଲୋହିଆ ସେମାନଙ୍କୁ କୁଣ୍ଢେଇ ପକେଇଲେ । ସେ ଜଣ ଜଣ କରି ପଚାରିଲେ ଯେ, ସେମାନେ ସମସ୍ତେ କି କି ଅପରାଧ କରିଛନ୍ତି । ସେମାନଙ୍କ ଭିତରେ ଆଗ୍ରା ଫତେପୁର ସିତ୍ରୀର ଜଣେ କଏଦୀ ଥିଲା । ନାଁଟି ତା’ର ଥିଲା ତୋତା ଓରଫ୍ ବାବା । ତୋତାକୁ ନିଜ ପ୍ରେମିକାର ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ତର ଆଦେଶ ହୋଇଥିଲା ।

 

ତୋତାକୁ ବିଗତ ମାସ ୧୯ ଜୁନ୍ ଦିନ ଫାଶୀ ଦିଆଯିବାର ଥିଲା । ଫାଶୀ ଦେବାର ସମସ୍ତ ଆୟୋଜନ ଶେଷ ହୋଇ ସାରିଥିଲା । ତୋତାବି ଫାଶୀ ପାଇବାପାଇଁ ନିଜକୁ ପ୍ରସ୍ତୁତ କରିନେଇ ସାରିଥିଲା । ତୋତା ପାଖରେ ପନ୍ଦର ବିଘା (ଏକର) ଜମି ଥିଲା । ସେଥିରୁ ଦଶ ଏକର ସେ ‘‘ରାଷ୍ଟ୍ରୀୟ ସୁରକ୍ଷା କୋଷ’’ପାଇଁ ଏବଂ ଆଉ ପାଞ୍ଚ ଏକର ନିଜ ପ୍ରେମିକା ନାଁରେ କରି ଦେଇଥିଲା । ଫାଶୀ ଦେବାପାଇଁ ନିର୍ଦ୍ଦିଷ୍ଟ ହତ୍ୟାକାରୀ–ଯେ କି ବାହାରୁ ଆସିଥାଏ–ଆସି ସାରିଥିଲା; କିନ୍ତୁ ଠିକ୍‌ ସମୟରେ ହାଇକୋର୍ଟରୁ ଫାଶୀର ୱାରଣ୍ଟ୍ ଆସି ନ ପାରିବା ଯୋଗୁଁ ତୋତାର ଫାଶୀ ଦଣ୍ତକୁ ସେ ଦିନ ସ୍ଥଗିତ କରି ଦିଆଯାଇଥିଲା ।

 

ଲୋହିଆ ଭାବିଲେ–ତୋତା ମନେମନେ ଫାଶୀରେ ଚଢ଼ିବାପାଇଁ ପ୍ରସ୍ତୁତ ହୋଇସାରିଛି-। ଫାଶୀର ପାଖେଇ ଆସୁଥିବା ପ୍ରତିଟି ମୁହୂର୍ତ୍ତକୁ ସେ ଭୋଗ କରି ସାରିଛି । ଫାଶୀ ପାଇବା ଆଗରୁ ଜଣେ ଲୋକର ମନରେ ଯେତିକିଟା ପଶ୍ଚାତ୍ତାପ, ଯେତିକିଟା ହୃଦୟ ପରିବର୍ତ୍ତନ, ଯେତିକିଟା କାନ୍ଦକଟା କରିବାର କଥା, ସେ ସମସ୍ତ ପରିସ୍ଥିତି ଭିତର ଦେଇ ତୋତା ଗତି କରିସାରିଛି-

 

ଲୋହିଆ ପଚାରିବାରୁ ତୋତା କହିଲା ଯେ, ବର୍ତ୍ତମାନ ତାକୁ ଅଠର ଜୁଲାଇ ଦିନ ଫାଶୀ ଦିଆଯିବ । ସେ ଖୁବ୍‌ ଦୁଃଖିତ ଥିଲା । ତା’ କଥା ଶୁଣି ଲୋହିଆବି ଦୁଃଖିତ ହୋଇପଡ଼ିଲେ । ଲୋହିଆ ଥିଲେ ଫାଶୀ ଦଣ୍ତର ଜନ୍ମଜାତ ବିରୋଧୀ । ସେ କହୁଥିଲେ–‘‘ଯଦି ଚାହଁ, ସାରା ଜୀବନ ଜେଲରେ ବନ୍ଦୀକରି ରଖ; କିନ୍ତୁ ଫାଶୀ ଦିଅନା । କାରଣ ତଣ୍ଟିଚିପି ମାରିଦେବା ମନୁଷ୍ୟତାର କାର୍ଯ୍ୟ ନୁହେଁ । ...ଆମେ କି ଧରଣର ପଶୁ ଯେଉଁମାନେ କି ମନୁଷ୍ୟର ତଣ୍ଟିଚିପି ହତ୍ୟା କରନ୍ତି ।’’

 

ତା’ ଆରଦିନ, ଲୋହିଆଙ୍କୁ ଦେଖା କରିବାପାଇଁ ଗୌଡ଼େ ମୁରହରି ସଂସଦର ସଭ୍ୟ ଆସିଲେ । ଲୋହିଆ ସେମାନଙ୍କର ମାର୍ଫତ୍‍ରେ ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀଙ୍କ ନିକଟକୁ ତୋତା ତରଫରୁ ଦୟାପାଇଁ ପ୍ରାର୍ଥନା ପତ୍ର ପଠାଇଦେଲେ ଏବଂ ନିଜଆଡ଼ୁ ମଧ୍ୟ କହି ପଠେଇଲେ ଯେ, ବର୍ତ୍ତମାନ ତୋତା ଯଥାର୍ଥରେ ଫାଶୀ ପାଇବା ସମୟ ପର୍ଯ୍ୟନ୍ତର–ପ୍ରତିଟି ପରିସ୍ଥିତି ଦେଇ ଗତି କରିସାରିଛି ଏବଂ ବର୍ତ୍ତମାନ ସୁଦ୍ଧା ତା’ର ହୃଦୟର ପରିବର୍ତ୍ତନବି ହୋଇସାରିଛି । ଏପରି କି ସେ ତା’ର ଜମି ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସୁରକ୍ଷା କୋଷକୁ ଦାନ କରି ଦେଇ ସାରିଛି । ପୁଣି ତା’ର ଅପରାଧଟା କେବଳ ପ୍ରେମଜନିତ ବ୍ୟାପାର ଭିତରେହିଁ ସୀମିତ ଥିଲା । ତେଣୁ ତା’ ଉପରେ ଦୟା ପ୍ରଦର୍ଶନ କରି ତାକୁ ଆଉ ଫାଶୀ ନ ଦିଆଯାଉ ।

 

ପ୍ରାର୍ଥନା ପତ୍ରଟିକୁ ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀଙ୍କ ନିକଟରେ ପହଞ୍ଚେଇ ଦିଆଗଲା । କିନ୍ତୁ ତାକୁ ସେମାନେ ଖାରଜ କରିଦେଲେ । ଏ ଭିତରେ ଲୋହିଆଙ୍କୁ ରକ୍ତଚାପର ଦଉରା ପଡ଼ିଲା ଏବଂ ସେ ଯେତେବେଳେ ଜେଲ ହାସପାତାଳର ଖଟିଆ ଉପରେ ପଡ଼ି ରହିଥିଲେ, ଠିକ୍‌ ସେତିକିବେଳେ ଲୋହିଆଙ୍କ ବନ୍ଧୁ ତଥା ନିଜ ସେକ୍ରେଟେରୀ ସୁଶ୍ରୀ ରମା ମିତ୍ର ଦିନେ ଆସି କହିଲେ ଯେ, ତୋତାର ଅର୍ଜି ଖାରଜ କରି ଦିଆଯାଇଛି । ଶୁଣିଦେଇ ଲୋହିଆ ବ୍ୟସ୍ତ ଏବଂ ଅସମ୍ଭାଳ ହୋଇଉଠିଲେ । କିଛି ସମୟ ନୀରବ ରହିବା ପରେ କହିଲେ–‘‘ଖାରଜ ତ ନିଶ୍ଚୟ କରିଦେବେ ।’’

 

ଧୀରେ ଧୀରେ ଅଠର ଜୁଲାଇବି ଆସିଗଲା । ଲୋହିଆଙ୍କ ମୁଣ୍ତରେ ତୋତାର ଫାଶୀ ଭୂତ ସବାର ହୋଇପଡ଼ିଥିଲା । ତାଙ୍କର ବିକଳତା ଏବଂ ବ୍ୟସ୍ତତା କଥା ଆଉ ବା କ’ଣ କହିବା ! ଲୋହିଆ ସାଧାରଣତଃ ସକାଳ ଛ’ଟାରେ ଉଠନ୍ତି; କିନ୍ତୁ ଅଠର ତାରିଖ ଦିନ...ତୋତାର ଫାଶୀ ଦିନ...ଚାରିଟାରୁହିଁ ଉଠିପଡ଼ିଲେ । ଫାଶୀ...ଫାଶୀ... ଫାଶୀ... !!

 

ଲୋହିଆ ବିକଳରେ ଛଟପଟ ହେବାକୁ ଲାଗିଲେ ଏବଂ ତୋତାକୁ ଠିକ୍‌ ସକାଳୁ ସକାଳୁହିଁ ଫାଶୀ ଦେଇ ଦିଆଗଲା । ଲୋହିଆ ହାତ ମଳି ମଳିହିଁ ରହିଗଲେ ।

 

ଲୋହିଆଙ୍କ ବିଚାର ଥିଲା ଯେ, ତୋତାକୁ ସେତେବେଳେ ୧୯ ଜୁନ୍ ତିଥି ନିଶ୍ଚିତ କରି ଫାଶୀ ଦିଆଯାଇ ପାରିଲା ନାହିଁ, ଆଉ ସେ ସେଇ ଭୟରୁ ଯେତେବେଳେ ପାର ପାଇ ଯାଇଛି, ତେବେ ତାକୁ ଆଉ ବର୍ତ୍ତମାନ ଫାଶୀ ଦେବା ଆଦୌ ଉଚିତ ନୁହେଁ । ତାଙ୍କ ମତରେ ଆଉ ଗୋଟାଏ ନୂଆ ତୋତା ଜନ୍ମ ହୋଇ ସାରିଥିଲା । ଏ ମାମଲା ଯଦି ଜଣେ ବଡ଼ଲୋକର ହୋଇଥାନ୍ତା, ତେବେ ତା’ର ପ୍ରାର୍ଥନାପତ୍ର ଉପରେ ବାରମ୍ବାର ବିଚାର କରାଯାଇଥାନ୍ତା । ସେ କହିଲେ ଯେ, କିଛି ସମୟ ଆଗରୁ ଏପରି ଜଣେ ଡାକ୍ତରଙ୍କ ଫାଶୀଦଣ୍ତକୁ କ୍ଷମା କରିଦିଆଗଲା–ଯାହା ଉପରେ କି କେତୋଟି ମାତ୍ର ଟଙ୍କା ଲୋଭରେ ଅନେକ ଲୋକଙ୍କୁ ଭୁଲ ଔଷଧ ଏବଂ ଇଞ୍ଜେକ୍‍ସନ୍‌ ଦେଇ ମାରିଦେବାର ଅଭିଯୋଗ ଥିଲା । ଡାକ୍ତର ତୁଳନାରେ ତ ତୋତାର ଅପରାଧ ଖୁବ୍‌ କମ୍‌ ଥିଲା । କିନ୍ତୁ ଡାକ୍ତର ଯେ ‘‘ବଡ଼ଲୋକ’’ ଥିଲା !

 

ଏଇ ଘଟଣା ଲୋହିଆଙ୍କ ମନରେ ଖୁବ୍‌ ବଡ଼ ଆଘାତ ଦେଲା ଏବଂ ସେ ଏଇ ଘଟଣାକୁ ନେଇ ଅନେକ ଦିନ ଧରି ଅସ୍ଥିର ହୋଇ ପଡ଼ିଲେ ।

 

ଲୋହିଆଙ୍କ ହୃଦୟର ବିଶାଳତା ଉପରେ ପୀଡ଼ିତ ମାନବର ଏହା ଏକ ଚିତ୍ର ଅଟେ ।

 

ବର୍ତ୍ତମାନ ଆସିଗଲା ୧୯୬୭ ।

 

ବର୍ଷ ଆରମ୍ଭରୁହିଁ ସ୍ୱାଧୀନ ଭାରତର ଚତୁର୍ଥ ସାଧାରଣ ନିର୍ବାଚନ ହେଲା ।

 

ନିର୍ବାଚନ ଆଗରୁହିଁ ଲୋହିଆ ସମଗ୍ର ଭାରତ ଭିତରେ ତୋଫାନୀ ଗସ୍ତ କରି ଚାରିଆଡ଼େ ସତେ ଯେପରି ବିପ୍ଳବର ନିଆଁ ଜାଳିଦେଲେ ।

 

ଲୋହିଆଙ୍କ ସ୍ଲୋଗାନ ଥିଲା–‘‘କଂଗ୍ରେସ ହଟାଓ–ଦେଶ୍‌ ବଞ୍ଚାଓ ।’’

 

ଲୋହିଆଙ୍କର ସ୍ପଷ୍ଟ ମନେ ହେଉଥିଲା ଯେ, ଦେଶ ଭିତରେ କଂଗ୍ରେସ ଶାସନର ପାପହାଣ୍ତି ପୂର୍ଣ୍ଣ ହୋଇ ସାରିଲାଣି । ଜନତା ଯଦି କିଛିମାତ୍ରାରେ ଜାଗ୍ରତ ହୋଇ ଉଠିବେ, ତେବେ ଏଇ ‘‘କଳା–ଶାସନ’’ର ସମାଧି ହୋଇଯିବ ।

 

ଏକାକୀ, ମନ ଭିତରେ ଏଇ ଅନୁପମ ଆଶା ପୋଷଣ କରି, ଲୋହିଆ ସମଗ୍ର ଦେଶର ଜନତାଙ୍କୁ ଜାଗ୍ରତ କରିବାପାଇଁ ବୁଲିବାରେ ଲାଗିଲେ ।

 

ଲୋହିଆ ଖୁବ୍‌ ଆତ୍ମ–ବିଶ୍ୱାସର ସହ ଜନତାଙ୍କୁ ଆଶ୍ୱାସନା ଦେଲେ ଯେ, ଦେଶରୁ ବର୍ତ୍ତମାନ କଂଗ୍ରେସ ଶାସନର ଯିବାବେଳ ଆସିଗଲାଣି । ଏଇ ନିର୍ବାଚନରେ ଅନେକ ରାଜ୍ୟରେ କଂଗ୍ରେସୀ ସରକାରଙ୍କ ପତନ ଅବଶ୍ୟମ୍ଭାବୀ ।

 

କିନ୍ତୁ ସେତେବେଳେ ଲୋହିଆଙ୍କର ଏଇ କଥା ଲୋକଙ୍କୁ ସ୍ୱପ୍ନଭଳି ମନେ ହେଉଥିଲା ।

 

ଶେଷରେ ନିର୍ବାଚନ ହେଲା, ଫଳ ଘୋଷଣା କରାଗଲା ।

 

ଲୋହିଆ ଏଥର ମଧ୍ୟ ପରୁଖାବାଦ, କନୌଜ କ୍ଷେତ୍ରରୁ ଲୋକସଭା ପାଇଁ ଛିଡ଼ାହେଲେ ଏବଂ ଜିଣିଲେ । ଲୋହିଆଙ୍କ କ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଜାତିବାଦର ସାହାଯ୍ୟ ନେଇ ଲୋହିଆଙ୍କୁ ଟଳେଇ ଦେବାକୁ ଚାହିଁଲେ; କିନ୍ତୁ ତା’ କ’ଣ କେବେ ସମ୍ଭବ ଥିଲା ?

 

ଲୋହିଆ ଜିଣିଲେ । ପୁଣି ଥରକପାଇଁ ସେ ଲୋକସଭାକୁ ନିର୍ବାଚିତ ହେଲେ ଏବଂ ନିର୍ବାଚନର ପରିଣାମରୁ ସମଗ୍ର ଦେଶର ନକ୍ସା ବଦଳିଗଲା ।

 

ଯଦ୍ୟପି କଂଗ୍ରେସ ବହୁମତରେ ଜିଣିଥିବା ସବୁଠୁ ବଡ଼ ପାର୍ଟିଥିଲା, ତଥାପି ଲୋହିଆଙ୍କ ପ୍ରେରଣାଦ୍ୱାରା ଅନ୍ୟ ସମସ୍ତ ଦଳ ଏକାଠି ହୋଇ ନିଜର ଶକ୍ତିକୁ କଂଗ୍ରେସ ଅପେକ୍ଷା ଅଧିକ ବଡ଼ କରି ଥୋଇଲେ । ସମସ୍ତ ଦଳ ଏକାଠି ହୋଇ କଂଗ୍ରେସ ଅପେକ୍ଷା ଖୁବ୍‌ ବଡ଼ ହୋଇଗଲେ ।

 

ବିରୋଧୀଦଳଙ୍କ ଏକତା ଲୋହିଆଙ୍କ ରାଜନୀତିକ ଜୀବନର ସମ୍ଭବତଃ ସବୁଠୁ ବଡ଼ କୃତିତ୍ୱ ବୋଲି ପ୍ରମାଣିତ ହୋଇଗଲା ।

 

ଦେଖୁଦେଖୁ ଭାରତର ନ’ଟି ରାଜ୍ୟ–ବଙ୍ଗ, ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମାଡ଼୍ରାସ, ହରିୟାନା, ପଞ୍ଜାବରେ ଅଣକଂଗ୍ରେସ ସରକାର ଗଠିତ ହେଲା ।

 

ବର୍ତ୍ତମାନ ସମଗ୍ର ଦେଶ ଲୋହିଆଙ୍କୁ, ରାଜନୈତିକ ଦୃଷ୍ଟି ଏବଂ ଦୂରଦର୍ଶିତାର ଏକ ସୁଦୃଢ଼ ସ୍ତମ୍ଭ ବୋଲି ସ୍ୱୀକାର କଲେ ।

 

ଯେତେବେଳେ ଲୋହିଆ ନିର୍ବାଚନ ଗସ୍ତରେ ବ୍ୟସ୍ତ ଥିଲେ, ଏଲାହାବାଦଠାରେ ତାଙ୍କୁ ଦେଖା କରିବାପାଇଁ ଆସିଲେ–ରୁଷ୍‌ର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଷ୍ଟାଲିନ୍‌ଙ୍କ କନ୍ୟା ଶ୍ୱେତଲାନା । ସେ ତାଙ୍କ ଦେଶ ରୁଷ୍‌ ଉପରେ ବିରକ୍ତି ପ୍ରକାଶ କରି ଭାରତକୁ ଚାଲି ଆସିଥିଲେ ଏବଂ ଏଇଠି ସ୍ଥାୟୀ ଭାବରେ ରହିବାକୁ ଚାହୁଁଥିଲେ । ସେ ଭାରତର ପୁରାତନ କ୍ରାନ୍ତିକାରୀ ନେତା ଶ୍ରୀ ବ୍ରଜେଶ୍‌ ସିଂହଙ୍କୁ ବିବାହ କରିଥିଲେ ।

 

କିନ୍ତୁ ଭାରତ ସରକାର ତାଙ୍କ ପ୍ରତି କୌଣସି ସହାନୁଭୂତି ଦେଖାଇଲେ ନାହିଁ ।

 

ଲୋହିଆଙ୍କୁ ସେ ତାଙ୍କର ଅସ୍ଥିରତାର କଥା କହିଲେ ଏବଂ ଭାରତରେ ରହିବାପାଇଁ ଇଚ୍ଛା ପ୍ରକାଶ କଲେ । ଲୋହିଆ ମାନବିକତା ଦୃଷ୍ଟିକୋଣରୁ ତାଙ୍କ ସପକ୍ଷରେ ଭାରତ ସରକାରଙ୍କ ସହିତ ବିବାଦ ଆରମ୍ଭ କରିଦେଲେ ।

 

ଏ ଭିତରେ ଭାରତ ସରକାରଙ୍କ ନିଷ୍ଠୁରଭାବ ଦେଖି ଶ୍ୱେତଲାନା ସ୍ୱିଜରଲ୍ୟାଣ୍ତ ଚାଲିଗଲେ । ତଥାପି ସେ ଯିବାପରେ ମଧ୍ୟ ଲୋହିଆ ତାଙ୍କପାଇଁ ଲଢ଼େଇ ଜାରି ରଖିଲେ ।

 

୨୧ ମାର୍ଚ୍ଚ ୧୯୬୭ ଦିନ ଲୋହିଆ ଲୋକସଭାରେ ଏ ସମ୍ୱନ୍ଧରେ ଆରମ୍ଭ କରିଦେଲେ ଯୁକ୍ତିତର୍କ ।

 

ଶ୍ୱେତଲାନା ସ୍ୱିଜରଲ୍ୟାଣ୍ତରୁ ଲୋହିଆଙ୍କ ନିକଟକୁ ଚିଠି ଲେଖିଲେ ଏବଂ ଲୋହିଆ ବରାବର ତାଙ୍କ ସପକ୍ଷରେ ଲୋକସଭାରେ ଆଲୋଚନା କରିବାକୁ ଲାଗିଲେ । କିନ୍ତୁ ଫଳ କିଛି ହେଲାନି । ଭାରତ ସରକାର ବିଶ୍ୱର ଏପରି ଏକ ସମ୍ମାନିତା ମହିଳାଙ୍କୁ ନିଜ ଦେଶରେ ଶରଣ ଦେବାକୁ କୌଣସିମତେ ରାଜି ହେଲେନି । ଭାରତର ମହିଳା ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ୱେତଲାନାଙ୍କ ଦୁଃଖକୁ ବୁଝି ପାରିଲେନି ।

 

୩୧ ମାର୍ଚ୍ଚ ୧୯୬୭ ଦିନ ଏ ସମ୍ୱନ୍ଧରେ ଲୋହିଆ ଲୋକସଭାରେ କହିଥିଲେ–

 

‘‘......ପ୍ରତ୍ୟେକ ମଣିଷର ଗୋଟାଏ ଜନ୍ମିତ ମା’ ଥାଏ । ଶ୍ୱେତଲାନାଙ୍କ ଜନ୍ମିତ ମା’ ହଉଛି ରୁଷିଆ । କିନ୍ତୁ ତା’ ଛଡ଼ା ଆଉ ଗୋଟାଏ ମା’ବି ସବୁବେଳେ ଥାଏ ଏବଂ ମଣିଷକୁ ସେଇ ମାଆର ଆବଶ୍ୟକତା ସବୁବେଳେ ଅନୁଭୂତ ହୁଏ । ସେ ହଉଚି ପୃଥିବୀମାତା । ସଫା କଥା ହଉଛି ଯେ, ପୃଥିବୀମାତା ସଶରୀରେ ତ ଆମକୁ ମିଳିପାରେ ନାହିଁ, ସେଇଥିରୁ କୌଣସି ନା କୌଣସି ଭାଗକୁ ଜାବୁଡ଼ି ଧରିହିଁ ଆମେ ସବୁ ବଞ୍ଚିରହୁ ।

 

ବର୍ତ୍ତମାନ ଶ୍ୱେତଲାନାଙ୍କ ମାମଲା ଏତେଦୂର ବିଗିଡ଼ି ଯାଇଚି ଯେ, ନିଜର ପ୍ରାକୃତିକ ମା’ ଉପରେ ତାଙ୍କର ଖୁବ୍‌ ଦୁଃଖ ହୋଇଛି । ହୃଦୟ ଛିନ୍ନଭିନ୍ନ ହୋଇ ଯାଇଛି । ସେଇଠୁଁ ସେ ଗ୍ରହଣ କଲେ ଗୋଟାଏ ଭାବନା–ମାତାଙ୍କୁ, ଯାହା କି ପୃଥିବୀ–ମାତାଙ୍କର ଭାରତୀୟ ଅଂଶବିଶେଷ । ନିଜ ପ୍ରାକୃତିକ ମାତା ତାଙ୍କ ହୃଦୟରେ ଅନେକ ଦୁଃଖ ଦେଇଛନ୍ତି । ନିଜର ବୋଲି ଭାବୁଥିବା ମାଆ ତାଙ୍କୁ ହତାଦର କରିଦେଲା ।’’

 

ନିର୍ବାଚନ ଶେଷ ହେବା ପରେ ପରେ ଲୋହିଆଙ୍କୁ ଆଉ ଏକ ପରାଜୟର ଖେଳ ଖେଳିବାକୁ ପଡ଼ିଲା । ତାହା ଥିଲା ରାଷ୍ଟ୍ରପତି ନିର୍ବାଚନ ।

 

ସତ୍ତାଧାରୀ କଂଗ୍ରେସ ଦଳର ସମର୍ଥନରେ ପ୍ରାର୍ଥୀ ଥିଲେ ଡକ୍ଟର ଜାକିର ହୁସେନ୍‌ ଏବଂ ଲୋହିଆଙ୍କ ପ୍ରେରଣାରେ ଅଣ–କଂଗ୍ରେସୀ ଦଳଗୁଡ଼ିକ ଏକମତ ହୋଇ ଭାରତର ଭୂତପୂର୍ବ ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ସୁବ୍‌ବାରାଓଙ୍କୁ ପ୍ରାର୍ଥୀ କଲେ ।

 

ଭାରତ ଇତିହାସରେ ନିଜସ୍ୱ ଢଙ୍ଗରେ ଏହା ଥିଲା ଏକ ଅଭୂତପୂର୍ବ ଏବଂ ଅପୂର୍ବ ନିର୍ବାଚନ । ଏ ପ୍ରସଙ୍ଗ ଉପରେ ଲୋହିଆ ସଂସଦ ଏବଂ ବିଧାନସଭା ସଭ୍ୟଙ୍କ ନାମରେ ଯେଉଁ ପତ୍ର ପ୍ରକାଶିତ କରିଥିଲେ, ତାହା ହଉଛି ଏକ ଐତିହାସିକ ଦସ୍ତାବିଜ । ଶେଷରେ, ନିର୍ବାଚନ ପରେ ଯେତେବେଳେ ଫଳ ଘୋଷଣା କରାଗଲା, ଡକ୍ଟର ଜାକିର ହୁସେନ୍‌ଙ୍କରହିଁ ବିଜୟ ହେଲା ।

 

ଲୋହିଆ ସେତେବେଳକୁ ସାମାନ୍ୟ କ୍ଳାନ୍ତି ଅନୁଭବ କରୁଥିଲେ । ତାଙ୍କ ରକ୍ତଚାପ ତାଙ୍କୁ ଖୁବ୍‌ ବ୍ୟତିବ୍ୟସ୍ତ କରୁଥିଲା । ହୃଦୟବି ବେଳକୁ ବେଳ ଦୁର୍ବଳ ହୋଇଯାଉଥିଲା । ତଥାପି ଦେଶ ଏବଂ ସମାଜବାଦ ଚିନ୍ତା ସାମ୍ନାରେ ସେ ନିଜ ଚିନ୍ତା ବା କାହିଁକି କରନ୍ତେ !

 

ତାଙ୍କର ସ୍ୱଭାବ ମଧ୍ୟ ବେଳକୁ ବେଳ ଅଧୀରତା ଆଡ଼କୁ ଗତି କରି ଯାଉଥିଲା । ଅନେକ କାମ ଶୀଘ୍ର ଶେଷ ହୋଇଯାଉ, ଏଇ ଆଶାରେ ସେ କାମବି ଖୁବ୍‌ କରିବାରେ ଲାଗିଲେ ।

 

ସେପ୍‌ଟେମ୍ୱ ୨୭ ତାରିଖ ଦିନ ଲୋହିଆ ପାଟନା ଯାଇ ନିଜର ପ୍ରିୟ ଆଉ ପୁରୁଣା ବନ୍ଧୁ ଜୟପ୍ରକାଶ ନାରାୟଣଙ୍କ ସହ ଦେଖାକଲେ । ବହୁତ ଦିନ ପରେ ଦୁଇଜଣ ପୁରୁଣା ବନ୍ଧୁ, ସାଥୀ, ସହଯୋଗୀଙ୍କର ଭେଟ ହେଲା । ଘଣ୍ଟା ଘଣ୍ଟା ଧରି ଦୁଇଜଣଙ୍କ ଭିତରେ କଥାବାର୍ତ୍ତା ହେଲା । ଲୋହିଆ ଜୟପ୍ରକାଶ ନାରାୟଣଙ୍କୁ ଭାରତକୁ ଆଖି ଆଗରେ ରଖି ପୁଣି ଥରକପାଇଁ ରାଜନୀତିରେ ସକ୍ରିୟ ହେବାପାଇଁ ଉତ୍ସାହିତ କଲେ ।

 

ଲୋକଙ୍କ ମନରେ ଆଶାର ସଂଚାର ହେଲା । ବୋଧହୁଏ ବର୍ତ୍ତମାନ ଲୋହିଆଙ୍କୁ ଜୟପ୍ରକାଶ ନାରାୟଣଙ୍କ ସହଯୋଗ ଯଦି ମିଳେ, ତେବେ ଦେଶର ସମାଜବାଦକୁ ଖୁବ୍‌ ଶକ୍ତି ମିଳିବ । କିନ୍ତୁ......

 

୧୪

 

କିଏ ଜାଣିଥିଲା ଯେ, ଏଇ ବର୍ଷ ୧୯୬୭–ଏଇ ସତାବନର ଆୟୁ ଲୋହିଆଙ୍କ ଜୀବନର ଶେଷବର୍ଷ ହେବ ।

 

କିଏ ଜାଣିଥିଲା ଯେ, ଜ୍ୟୋତି ବର୍ତ୍ତମାନ ନିର୍ବାପିତ ହେବା ଉପରେ କିମ୍ୱା ସଂଘର୍ଷର ଏ କାହାଣୀ ବର୍ତ୍ତମାନ ଶେଷ ହେବା ଉପରେ ।

 

ତିରିଶ ସେପ୍‌ଟେମ୍ୱର ୧୯୬୭ ।

 

ନୂଆଦିଲ୍ଲୀସ୍ଥ ୱେଲିଂଡ଼ନ୍‌ ହାସପାତାଳରେ ଲୋହିଆଙ୍କ ‘‘ପୌରୁଷ ଗ୍ରନ୍ଥି’’ର ଅପରେସନ୍ କରାଗଲା । ଅପରେସନ୍ କଲାଭଳି ତାଙ୍କୁ ଏମିତି କି ରୋଗ ଥିଲା କେହି ଜାଣି ନଥିଲେ । ତାଙ୍କର ନିକଟତମ ବନ୍ଧୁମାନଙ୍କୁ ମଧ୍ୟ ଜଣା ନଥିଲାବେଳେ ଅଚାନକ ସମଗ୍ର ଦେଶ ଆଶ୍ଚର୍ଯ୍ୟର ସହିତ ଖବରକାଗଜରେ ପଢ଼ିବାକୁ ପାଇଲେ ଯେ, ଡକ୍ଟର ରାମମନୋହର ଲୋହିଆଙ୍କର ଅପରେସନ୍ କରାଯାଇଛି ଏବଂ ପନ୍ଦର ଦିନ ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ।

 

ଲୋହିଆଙ୍କୁ ଏହା ଏକ ସାଧାରଣ ଅପରେସନ୍, ଏତିକି ମାତ୍ର କୁହାଯାଇଥିଲା । କିନ୍ତୁ ଦୁଇ ତାରିଖରେ ଗାନ୍ଧିଜୟନ୍ତୀ ଦିନ ଅଚାନକ ଲୋହିଆଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିଗଲା ଏବଂ ଅପରେସନ୍ ସାଙ୍ଘାତିକ ହୋଇପଡ଼ିଲା ।

 

ହଠାତ୍ ରକ୍ତସ୍ରାବ କ୍ଷିପ୍ର ଗତିରେ ଆରମ୍ଭ ହୋଇଗଲା । ଜ୍ୱର ମାଡ଼ି ଆସିଲା ଏବଂ ରକ୍ତଚାପ ବଢ଼ିଯିବା ଯୋଗୁଁ ଅବସ୍ଥା ଅସମ୍ଭାଳ ହୋଇପଡ଼ିଲା । ଲୋହିଆ ବେହୋସ ହୋଇଗଲେ । ମଝିରେ ମଝିରେ କିଛିକ୍ଷଣ ପାଇଁ ହୋସରେ ଆସୁଥିଲେ ।

 

ଡାକ୍ତରଖାନାରେ ଯେତେ ଡାକ୍ତର, ସେତିକି ମତ ।

 

କେତେଜଣ କହୁଥିଲେ ଯେ, ଏଇ ଅବସ୍ଥା ଏବଂ ସାଙ୍ଘାତିକତା ଲୋହିଆଙ୍କ ହୃଦୟ ଦୁର୍ବଳ ଥିବାରୁ ସୃଷ୍ଟି ହେଲା । ଆଉ କେତେକ କହୁଥିଲେ ଅପରେସନ୍ ସହିତ ଏ ଅବସ୍ଥାର ସମ୍ୱନ୍ଧ ଅଛି ।

 

ଦିନବେଳେ ଲୋହିଆଙ୍କ ଅବସ୍ଥା ଆହୁରି ଅଧିକ ଚିନ୍ତାଜନକ ହୋଇ ଉଠିଲା । ରକ୍ତ ଅତ୍ୟଧିକ ପରିମାଣରେ ବୋହି ଯାଇଥିଲା । ଦେଶବ୍ୟାପୀ ତାର, ଟେଲିଫୋନ୍‌, ରେଡ଼ିଓଦ୍ୱାରା ଖବର ବ୍ୟାପିଗଲା । ଯାହାକୁ ଦେଖ, ମୁହଁରେ ସେଇ ଗୋଟାଏ କଥା ଲୋହିଆଙ୍କ ଅବସ୍ଥା ଭଲ ନାହିଁ ଏବଂ ଚେହେରାରେ ବିଷଣ୍ଣତା ।

 

ଖବର ପାଇବା ସାଙ୍ଗେ ସାଙ୍ଗେ ପାଟନାରୁ ଜୟପ୍ରକାଶ ନାରାୟଣ ଏବଂ ତାଙ୍କ ସ୍ତ୍ରୀ ପ୍ରଭାବତୀ ଦେବୀ, ମନ୍ତ୍ରୀ କର୍ପୂରୀ ଠାକୁର, ରାମାନନ୍ଦ ତିୱାରୀ ଏବଂ ପାଟନାର କେତେକ ପ୍ରମୁଖ ଚିକିତ୍ସକ ଡାକ୍ତର ଉଡ଼ାଜାହାଜରେ ବୋଝେଇ ହୋଇ ଦିଲ୍ଲୀ ପହଞ୍ଚିଗଲେ ।

 

କାବୁଲରେ ଥିଲେ ରାଜନାରାୟଣ । ସେ ମଧ୍ୟ ଉଡ଼ାଜାହଜରେ ଦିଲ୍ଲୀ ଚାଲିଆସିଲେ ।

 

‘‘ମେଡ଼ିକାଲ ଇନ୍‌ଷ୍ଟିଚ୍ୟୁଟ୍‌’’ର ବିଶେଷଜ୍ଞ ଡାକ୍ତର ୱିଗ୍‍ଙ୍କୁ ଡକାଗଲା । ଡାକ୍ତର ୱିଗ୍‌ ଚିକିତ୍ସା ଦାୟିତ୍ୱ ସମ୍ଭାଳିଲେ । ତିନି ଅକ୍‌ଟୋବର ସକାଳ ଯାଏଁ ଲୋହିଆଙ୍କ ଅବସ୍ଥା ସୁଧୁରିଗଲା ।

 

କିନ୍ତୁ ଅଳ୍ପ ସମୟପାଇଁ ତିନି ତାରିଖ ରାତିରେ ଲୋହିଆଙ୍କ ଦେହରେ କମ୍ପ ଆସିଲା । ୱେଲିଂଗଡ଼ନ ଡାକ୍ତରଖାନାର ଡାକ୍ତରମାନେ ଏଇ କମ୍ପର କାରଣ କ’ଣ ବୁଝି ପାରିଲେନି ।

 

ସେତେବେଳକୁ ମଧୁଲିମାୟେ ଏବଂ ଜର୍ଜ ଫର୍ନାଡ଼ିସ୍‌ ବମ୍ୱେର ପ୍ରଖ୍ୟାତ ବିଶେଷଜ୍ଞ ଡାକ୍ତର କୋବାଲାବାଲା ଏବଂ ଡାକ୍ତର ଦସ୍ତୁରଙ୍କୁ ସାଙ୍ଗରେ ନେଇ ଆସି ଦିଲ୍ଲୀରେ ପହଞ୍ଚିଗଲେ ।

 

ଏ ଦି’ଜଣ ଡାକ୍ତର ଅତି ସତର୍କତା ସହ ଯାଞ୍ଚ କଲା ପରେ ଜାଣିଲେ ଯେ, ଲୋହିଆଙ୍କ ରକ୍ତରେ ବିଷ ଗୋଳି ହୋଇଯାଇଥିବାରୁ ଅବସ୍ଥା ଏପରି ସାଙ୍ଘାତିକ ହୋଇପଡ଼ିଛି ।

 

ସେ ଏମ୍‌ପିସିଲିନ୍‌ ନାମକ ଔଷଧ ଦେବା ଦରକାର ବୋଲି କହିଲେ । ସେଇ ଔଷଧ ଭାରତରେ ମିଳେ ନାହିଁ । ଉଡ଼ାଜାହାଜ ଯୋଗେ ସେଇ ଔଷଧ ଇଂଲଣ୍ତରୁ ଅଣାଗଲା । ସେଇ ନୂଆ ଔଷଧରୁ ଇଞ୍ଜେକ୍‌ସନ୍ ଦେବାଦ୍ୱାରା କିଛିଟା ଆଶ୍ୱସ୍ତି ମିଳିଲା ।

 

ପାଞ୍ଚ ତାରିଖ ଦିନ ଅଚାନକ ପୁଣି ଅବସ୍ଥା ଖରାପ । ବମ୍ୱେଇର ଡାକ୍ତରମାନଙ୍କ ସିଦ୍ଧାନ୍ତଦ୍ୱାରା ଲଣ୍ତନରୁ ‘ପେରିଷ୍ଟନ୍‌–ଏନ୍‌’ ଏବଂ ‘ଫୁରାଦାନ୍ତିନ’ ନାମକ ଔଷଧ ମଗେଇ ଆଣିବାର ବ୍ୟବସ୍ଥା କରାଗଲା ।

 

ଲୋହିଆଙ୍କର ପ୍ରତି ମୁହୂର୍ତ୍ତରେ ଅବସ୍ଥା ଖରାପ ହେଉଥିବାର କାରଣ ଦିଲ୍ଲୀର ଡାକ୍ତରଖାନାର ଡାକ୍ତରମାନେ ଆଦୌ ଜାଣି ପାରିଲେ ନାହିଁ । ସେମାନଙ୍କର ସମସ୍ତ ପ୍ରଚେଷ୍ଟା ବେକାର ହେବାକୁ ଲାଗିଲା ।

 

ପାଟନା, ବନାରସ, ଲକ୍ଷ୍ନୌ ଏବଂ ଭୋପାଳର ଡାକ୍ତରମାନେ ମଧ୍ୟ ପରୀକ୍ଷା କଲେ । ଲୋହିଆଙ୍କ ରକ୍ତରେ ମୂତ୍ରକଣାର ବୃଦ୍ଧି ଯୋଗୁଁ ସମସ୍ତେ ଚିନ୍ତିତ ହୋଇପଡ଼ିଲେ । ଲୋହିଆଙ୍କ ଜ୍ୱର ବଢ଼ିବାରେ ଲାଗିଲା ।

 

ଲୋହିଆ ଦୁଇ ଅକ୍ଟୋବର ପରେ ପରେ ବରାବର ବେହୋସୀର ଶିକାର ହୋଇପଡ଼ିଲେ ।

 

ସମଗ୍ର ଦେଶର ଲୋକେ ଚିନ୍ତିତ ହୋଇଉଠିଲେ । ଏହା କ’ଣ ହେଉଛି ? ଏତେ ଚିକିତ୍ସା କଲାପରେ ମଧ୍ୟ ରୋଗକୁ କାବୁ କରାଯାଇପାରୁନାହିଁ !

 

ଦେଶବ୍ୟାପୀ ଲୋହିଆଙ୍କ ବନ୍ଧୁମାନେ ପଡ଼ିଉଠି ଦିଲ୍ଲୀରେ ଆସି ପହଞ୍ଚିଗଲେ । ଚାରିଆଡ଼ୁ ଲୋହିଆଙ୍କ ଭକ୍ତ, ସାଥୀ, ସମାଜବାଦୀ ଲୋକ ଦିଲ୍ଲୀରେ ଆସି ରୁଣ୍ତ ହେବାକୁ ଲାଗିଲେ-। ୱେଲିଙ୍ଗଡ଼ନ ହସପିଟାଲର ବାରଣ୍ତା ଏବଂ ଲନ୍‌ ଲୋକଙ୍କଦ୍ୱାରା ଭରପୂର ହୋଇଗଲା-

 

ସାତ ତାରିଖ ସକାଳେ ଡାକ୍ତରମାନେ ବଡ଼ ଆଶାଜନକ ବାଣୀରେ ଘୋଷଣା କଲେ ଯେ, ଯଦି ଅବସ୍ଥା ସୁଧୁରିବାର ଏଇ ଗତି ରହେ, ତେବେ ଲୋହିଆ ଶୀଘ୍ର ବିପଦର ବାହାରକୁ ଆସିଯିବେ । କିନ୍ତୁ ଅଚାନକ ସେ ଦିନ ରାତିରେ ଅବସ୍ଥା ଆହୁରି ବିଗିଡ଼ିଗଲା । ଚିନ୍ତା ବଢ଼ିଗଲା ଖୁବ୍‌ ବେଶୀ ।

 

ମଧୁଲିମାୟେ ଲଣ୍ତନର ବିଶେଷଜ୍ଞ ଡାକ୍ତର ରିଚେଜ୍‌ଙ୍କୁ ଫୋନ୍‌ କରି ଲୋହିଆଙ୍କ ଅବସ୍ଥା ବର୍ଣ୍ଣନା କରିବା ସାଙ୍ଗେ ସାଙ୍ଗେ ତାଙ୍କର ମତାମତ ଲୋଡ଼ିଲେ । ଡାକ୍ତର ରିଚେଜ୍ କହିଲେ, ‘‘ମୋର ପୂରା ସନ୍ଦେହ ହେଉଛି ଯେ, ଡାକ୍ତର ଲୋହିଆଙ୍କର ଏ ସମସ୍ତ ଗୋଳମାଳର କାରଣ ଅପରେସନ୍‍ରୁହିଁ ଆରମ୍ଭ ହୋଇଛି ।’’ ସେ କହିଲେ–‘‘ମୋ ବିଚାରରେ ଅପରେସନ୍ ଜାଗାରେ ଘା’ ହୋଇ ଯାଇଛି ।’’

 

ସେତେବେଳକୁ ବିଦେଶ ଗସ୍ତରୁ ଫେରି ଆସିଥିବା ଉପ–ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଶୀଘ୍ର ଆସି ଲୋହିଆଙ୍କୁ ଦେଖିଲେ ଏବଂ ଖୁବ୍‌ ଚିନ୍ତିତ ହୋଇଉଠିଲେ । ମୋରାରଜୀ ଭାଇଙ୍କ ଆଗ୍ରହରେ ବମ୍ୱେର ସର୍ଜନ ଡାକ୍ତର ଶାନ୍ତିଲାଲ ମେହେଟ୍ଟା ଆସିଲେ । ସେ ଡାକ୍ତର ରିଚେଜ୍‌ଙ୍କ ଧାରଣାର ପୁଷ୍ଟି କରିଦେଲେ ଯେ, ପ୍ରକୃତରେ ଡାକ୍ତର ଲୋହିଆଙ୍କ ଅପରେସନ୍ ଘା’ର ରୂପ ଧାରଣ କରିଯାଇଛି । ସେ ୱେଲିଂଡ଼ନ ଡାକ୍ତରଖାନାର ଡାକ୍ତରମାନଙ୍କ ବିରୋଧ ସତ୍ତ୍ୱେବି ଲୋହିଆଙ୍କ ଘା’ର ସିଲେଇ ଫିଟାଇ ଦେଇ ଘା’ରୁ ଗୁଡ଼ାଏ ପୂଜ ବାହାର କରିଦେଲେ ।

 

ଲୁଧିଆନାସ୍ଥ ଆମେରିକାନ୍‌ ଡାକ୍ତର ଡକ୍ଟର ଡେଭିଡ଼ ତା’ ଆରଦିନ ରକ୍ତଚାପକୁ ସମ୍ଭାଳିବାପାଇଁ ଲୋହିଆଙ୍କ ଗଳାର ସ୍ନାୟୁକୁ ଖୋଲିଦେଲେ ।

 

ଏସବୁ ହେବା ସତ୍ତ୍ୱେବି ଅବସ୍ଥା ସୁଧୁରିବାର ଲକ୍ଷଣ ଦେଖାଗଲା ନାହିଁ । ନ’ ତାରିଖରେ ରାତିସାରା ଲୋହିଆ ଭୟାନକ ହାକୁଟିଦ୍ୱାରା ଆକ୍ରାନ୍ତ ହୋଇ ରହିଲେ । ହାକୁଟି ଏତେ ପ୍ରଖର ଥିଲା ଯେ, ବାହାର ବାରଣ୍ତା, ଏପରିକି ଲନ୍‌ ପର୍ଯ୍ୟନ୍ତବି ଶୁଣାଯାଉଥିଲା ।

 

ଦଶ ଅକ୍‌ଟୋବର ଦିନ ଜର୍ମାନୀର ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ‘‘ଏଲ୍‌କେନ୍‌’’ଙ୍କୁ ଡକାଗଲା-। ସେ ଡାକ୍ତର ମେହେଟ୍ଟା ଏବଂ ଡାକ୍ତର ଡେବିଡ଼ଙ୍କ ଚିକିତ୍ସା ପଦ୍ଧତିକୁହିଁ ଗ୍ରହଣ କଲେ ଏବଂ ସୁଧୁରିଯିବାର ବାଣୀ ଶୁଣାଇଲେ । କିନ୍ତୁ ଲୋହିଆଙ୍କ ଶରୀର ଭିତରେ ଏପର୍ଯ୍ୟନ୍ତ ଏଭଳି ଗୁଡ଼ାଏ ଗୋଳମାଳ ସୃଷ୍ଟି ହୋଇ ସାରିଥିଲା ଯେ, ସମସ୍ତ ପ୍ରଚେଷ୍ଟା, ସମସ୍ତ ପ୍ରକାର ଚିକିତ୍ସା ଅସଫଳ ପ୍ରମାଣିତ ହେବାରେ ଲାଗିଲା ।

 

ଡକ୍ଟର ଲୋହିଆଙ୍କ ଶରୀର ଅସଫଳ ଭାବରେ ଖରାପ ଆଡ଼କୁ ଗତି କରି ଯାଉଥିଲା । କିନ୍ତୁ ସେ ନିଜର ଅଦମ୍ୟ ଜୀବନୀ–ଶକ୍ତି ବଳରେ ମୃତ୍ୟୁ ସହିତ ତୁମୂଳ ଲଢ଼େଇ କରିବାରେ ଲାଗିଥିଲେ, ଦୃଢ଼ତାର ସହ ରୋଗର ମୁକାବିଲା କରିବାରେ ଲାଗିଥିଲେ, ଯେମିତି କି ଯମରାଜଙ୍କ ସହିତ ଏଇ ଯୁଦ୍ଧବି ସେ ରାଜନୈତିକ ଯୁଦ୍ଧ ଭଳି ଲଢ଼ୁଛନ୍ତି ।

 

ଦିଲ୍ଲୀସ୍ଥ ୱେଲିଂଡ଼ନ ଡାକ୍ତରଖାନା ସମଗ୍ର ଦେଶର ଚିନ୍ତାର କେନ୍ଦ୍ର ହୋଇପଡ଼ିଲା । ମୃତ୍ୟୁ ସହିତ ସଂଘର୍ଷରତ ଲୋହିଆ ଏବଂ ତାଙ୍କୁ ସ୍ନେହ କରୁଥିବା ସମସ୍ତ ଭାରତବାସୀ, ସମସ୍ତେ ଅସମ୍ଭାଳ ହୋଇପଡ଼ିଲେ । ଏହା ସତ ଯେ, କୌଣସି ଏକ ବ୍ୟକ୍ତିର ଜୀବନ ରକ୍ଷାପାଇଁ ବର୍ତ୍ତମାନର ଇତିହାସରେ ଏତିକି ପ୍ରାର୍ଥନା କରାଯାଇ ନଥିଲା, ଯାହା କି ଏଇ ଦଶଦିନ ଭିତରେ ଲୋହିଆଙ୍କ ପାଇଁ କରାଯାଇଥିଲା ।

 

ପ୍ରାୟ ଦୁଇ ହଜାର ଲୋକ ସଦାସର୍ବଦା ୱେଲିଂଡ଼ନ ଡାକ୍ତରଖାନା ବାହାର ଲନ୍‌ରେ ଚିନ୍ତାତୁର ଭାବରେ ବସିରହି ଡାକ୍ତରମାନଙ୍କ ନିକଟରୁ ଲୋହିଆଙ୍କ ଆରୋଗ୍ୟ ଲାଭ ବିଷୟରେ ଶୁଣିବାକୁ କାନ ଡେରି ରହିଥିଲେ ।

 

ଲୋହିଆଙ୍କ ଅବସ୍ଥା ଏତେଦୂର ବିଗିଡ଼ି ଯାଇଥିଲା ଯେ, କେହି ମଧ୍ୟ ତାଙ୍କ ପାଖକୁ ଯାଇ ପାରୁ ନଥିଲେ, ଆଖି ପୂରେଇ ଟିକିଏ ଦେଖିବି ପାରୁ ନଥିଲେ, ତଥାପି ଲୋକେ ‘‘ଲନ୍‌’’ରେ ବସି ରହିଥିଲେ ।

 

ଲୋହିଆ ସେଇ ଦିନଗୁଡ଼ିକ ଭିତରେ ପୂରାପୂରି ଅଚେତ ଅବସ୍ଥାରେ ରହିଲେ । ମଝିରେ ମଝିରେ କିଛି ସମୟପାଇଁ ହୋସରେ ଆସନ୍ତି । ପରିଚିତ ଜନଙ୍କୁ ଚିହ୍ନିବାପାଇଁ ଚେଷ୍ଟା ମଧ୍ୟ କରନ୍ତି । ଟିକିଏ ହୋସ ଆସିଲେ ନିଜର ସ୍ୱଭାବଗତ ବିନୋଦଭରା ମୃଦୁ ହସରେ ବ୍ୟଙ୍ଗ କରିବାପାଇଁ ପଛାଇ ଯାନ୍ତିନି ।

 

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଯେତେବେଳେ ଲୋହିଆଙ୍କୁ ଦେଖିବାକୁ ଆସିଲେ, ସେତେବେଳେ ସେ ହୋସ୍‌ରେ ଥିଲେ । ତାଙ୍କୁ ଦେଖିବାକ୍ଷଣି ସେ (ଲୋହିଆ) ରାଜନାରାୟଣଙ୍କୁ କହିଥିଲେ ‘‘ତାଙ୍କୁ ବସାଅ, ଖୁଆଅ, ପିଆଅ ।’’

 

ଥରେ ଯେତେବେଳେ ତାଙ୍କର ହୋସ୍‌ ଆସିଲା, ତାଙ୍କ ଚାରିପାଖରେ ଡାକ୍ତରମାନେ ଘେରି ରହିଥିଲେ । ଡାକ୍ତରମାନଙ୍କୁ ଦେଖି ଲୋହିଆ ଗୁଣୁଗୁଣୁ ସ୍ୱରରେ କହିଲେ–‘‘ଏ ଦେଶର ଡାକ୍ତର ତଥା ରାଜନୈତିକ ନେତାମାନଙ୍କର ପ୍ରାୟ ଗୋଟାଏ ଅବସ୍ଥା । ଦୁହେଁ ସମ୍ପୂର୍ଣ୍ଣରୂପେ ଅଜ୍ଞ...-।’’

 

ଅଚେତ ଅବସ୍ଥାରେ ଲୋହିଆ ଖୁବ୍‌ କଷ୍ଟ ପାଉଥିଲେ । ଲଗାଏତ ପ୍ରଳାପ କରୁଥିଲେ । କିନ୍ତୁ ସଦାବେଳେ ଜର୍ମାନ, ହିନ୍ଦୀ ଏବଂ ବଙ୍ଗଳାରେହିଁ କହୁଥିଲେ । ସେ ଚିତ୍କାର କରି କହୁଥିଲେ ‘‘ଲକ୍ଷ ଲକ୍ଷ ଲୋକଙ୍କର ଅବସ୍ଥା କ’ଣ ହେବ ? କୃଷକମାନଙ୍କର କ’ଣ ହେବ ? ଖଜଣା ବିଷୟ କ’ଣ ହେବ ?’’

 

ଥରେ ପ୍ରଳାପ କରିବା ଅବସ୍ଥାରେ ଚିତ୍କାର କରି ଉଠିଥିଲେ–‘‘ମୋ ଜଣକପାଇଁ ଏତେ ଡାକ୍ତର । କୋଟି କୋଟି ଲୋକ ତ ଗୋଟାଏ ଡାକ୍ତରର ଚେହେରା ମଧ୍ୟ ଦେଖିବାକୁ ପାନ୍ତିନି ।’’

 

ଆଉଥରେ ପାଟି କରିଥିଲେ–‘‘ବହୁକାମ କରିବାକୁ ଅଛି । ବହୁକାମ ହେବାକୁ ଅଛି । କିନ୍ତୁ ଜଣେ ଲୋକ ବା କ’ଣ କରି ପାରିବ !’’

 

ଏହି ବାକ୍ୟଗୁଡ଼ିକରୁ ଲୋହିଆଙ୍କର ଆନ୍ତରିକ ଅଶାନ୍ତି ସ୍ପଷ୍ଟ ଜଣାପଡ଼େ ।

 

ରୋଗଟା, ଲୋହିଆ ଦେଶର ସମସ୍ତ ଶ୍ରେଣୀରେ ଲୋକଙ୍କ ପକ୍ଷରେ କେତେ ପ୍ରିୟ, ସେଇ ରହସ୍ୟ ଖୋଲିଦେଲା ।

 

ରାଷ୍ଟ୍ରପତିଙ୍କଠୁଁ ଆରମ୍ଭ କରି ସାମାନ୍ୟ ଗୋଟାଏ ରିକ୍ସାବାଲା ପର୍ଯ୍ୟନ୍ତ ଲୋହିଆଙ୍କୁ ଦେଖିବାପାଇଁ ଆସିଲେ । ସମସ୍ତେ ଲୋହିଆଙ୍କ ପାଇଁ ଚିନ୍ତିତ ଥିଲେ ।

 

ଜଣେ ଲୋକ, ଛିଣ୍ତା ଲେଙ୍କଡ଼ା ପିନ୍ଧି ଆସିଲା ଏବଂ ଏହା କହି ଧାରଣା ଦେଇ ବସିଲା ଯେ ପର୍ଯ୍ୟନ୍ତ ମତେ ଲୋହିଆଙ୍କୁ ଦେଖିବାପାଇଁ ସୁଯୋଗ ନ ଦିଆଯାଇଛି, ମୁଁ ଫେରିଯିବି ନାହିଁ । ସେ ଲୋହିଆଙ୍କ ସାଙ୍ଗରେ ଦିଲ୍ଲୀସ୍ଥ ତିହାଡ଼ ଜେଲରେ ଗୋଟାଏ ଅଣରାଜନୈତିକ କଏଦୀ ଭାବରେ ଚଳୁଥିଲା । ସେ ସେଇଠିବି ଲୋହିଆଙ୍କ ପ୍ରତି ଅତ୍ୟଧିକ ଭାବରେ ପ୍ରଭାବିତ ହୋଇ ପଡ଼ିଥିଲା ।

 

ଭାରତ ସରକାରଙ୍କ ନଜରବନ୍ଦୀ କଏଦୀ, ଭୂତପୂର୍ବ କାଶ୍ମୀର ପ୍ରଧାନମନ୍ତ୍ରୀ ଶେଖ ଅବଦୁଲ ପୋଲିସ୍ ଘେର ଭିତରେ ମଧ୍ୟ ଆସିଲେ ।

 

ରିୱାର ଜଣେ ଦୋକାନୀ ବୈଜନାଥ ନିଜ ଦୋକାନଟାକୁ ବିକି ଦେଇ ପତ୍ନୀ ସାଙ୍ଗରେ ଆସି ବସିରହିଲା । ତା’ ସ୍ତ୍ରୀ ଚବିଶିଘଣ୍ଟା କାଳ ଲୋହିଆଙ୍କ ଜୀବନ ରକ୍ଷାପାଇଁ କେବଳ ପ୍ରାର୍ଥନା କରିବାରେ ଲାଗିଥିଲା । ଆଉ ଜଣେ ନିହାତି ଗରିବ ସ୍ତ୍ରୀଲୋକ, ସେ ଦିନଗୁଡ଼ିକରେ ଉପବାସ କରି ଲୋହିଆଙ୍କ ଜୀବନ ରକ୍ଷାପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଥିଲା ।

 

ଲୋହିଆଙ୍କୁ ସେହି ଦିନଗୁଡ଼ିକରେ ବରାବର ରକ୍ତ ଦିଆଯାଉଥିଲା । ଯେତେବେଳେ ଥରେ ରକ୍ତର ନିଅଣ୍ଟ ପଡ଼ିଲା, ପ୍ରାୟ ଦେଢ଼ଶହ ଖଣ୍ତେ ଲୋକ–ଯେଉଁମାନେ କି କୌଣସି ରାଜନୀତି ଦଳ ସହିତ ସମ୍ୱନ୍ଧିତ ନଥିଲେ, ଲୋହିଆଙ୍କ ପାଇଁ କେବଳ ରକ୍ତ ଦେବାଲାଗି ଇଚ୍ଛା ପ୍ରକାଶ କଲେ ନାହିଁ, ବରଂ ତତ୍ପର ହୋଇ ଉଠିଲେ । ଯାହାଙ୍କ ରକ୍ତ ନେବାକୁ ଡାକ୍ତର ମନା କରି ଦିଅନ୍ତି, ସେମାନେ ସବୁ ଉଦାସ ହୋଇ ନିଜ ନିଜକୁ ହତଭାଗା ବୋଲି ମନେ କରନ୍ତି ।

 

ଦଶ ତାରିଖ ରାତିଟା ଲୋହିଆ ଶାନ୍ତିରେ କଟେଇନେଲେ ।

 

ଏଗାର ତାରିଖ ଦିନସାରା ଲୋହିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ସନ୍ତୋଷଜନକ ଲକ୍ଷଣ ଦେଖାଗଲା ।

 

ସମସ୍ତେ ଆଶ୍ୱସ୍ତ ହେଲେ, ସନ୍ତୋଷରେ ନିଃଶ୍ୱାସ ମାଇଲେ ।

 

ଏଗାର ତାରିଖ ଶେଷ ହୋଇ ଆସୁଥିଲା । ନବ ରାତ୍ରିର ନବମୀ ତିଥିର ଅୟମାରମ୍ଭ । ଦୁର୍ଗାଙ୍କ ପୂଜା ଶେଷ ହୋଇ ଆସୁଥିଲା ।

 

ହଠାତ୍‌ ଅଧରାତିରେ ଲୋହିଆଙ୍କ ଅବସ୍ଥା ବିଗିଡ଼ିଗଲା । ରକ୍ତଚାପ ଖସି ଆସି ୪୦ ଡିଗ୍ରୀରେ ରହିଗଲା ।

 

ଡାକ୍ତରଙ୍କ ହାତ–ଗୋଡ଼ ଥରିଗଲା । ...

 

ଏବଂ ବାର ତାରିଖ ଆରମ୍ଭ ହୋଇ ସାରିଥିଲା । ନବ ରାତ୍ରିର ନବମୀବି ଆରମ୍ଭ ହୋଇ ସାରିଥିଲା ।

 

ହଠାତ୍‌ କେଉଁଠି ରଣଚଣ୍ତୀ ଦୁର୍ଗାଙ୍କର ଅଟ୍ଟହାସ ଶୁଣାଗଲା ।

 

ଲୋହିଆ ରାତି ଗୋଟାଏ ବାଜି ପାଞ୍ଚମିନିଟ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ସବୁ ଶେଷ !

 

ଦଶ ଦିନର, ମୃତ୍ୟୁ ସହିତ ସଂଘର୍ଷରତ କାହାଣୀ ସମାପ୍ତ !

 

ସତାବନବର୍ଷର ସଂଘର୍ଷମୟ ଜୀବନ ସାମାନ୍ୟ ଆଘାତରେ ଶେଷ !

 

ମୃତ୍ୟୁ ଶେଷରେ ଶକ୍ତି ଉପରେ ବିଜୟ ଲାଭ କଲା ।

 

ମୃତ୍ୟୁ ଲୋହିଆଙ୍କ ଜୀବନ ନେବାରେ ସଫଳ ତ ନିଶ୍ଚୟ ହେଲା; କିନ୍ତୁ ତାଙ୍କ ମୃତ ଚେହେରା ଉପରୁ ଆହ୍ୱାନର ମୁଦ୍ରାକୁ ହରଣ କରି ନେଇ ପାରିଲା ନାହିଁ ।

 

ଡାକ୍ତରଖାନାର ୱାଡ଼୍ ଭିତରୁ ବାହାରି ଆସି ଡାକ୍ତର ଲାଲ ପରାସ୍ତ କଣ୍ଠରେ କହିଲେ, ‘‘ଡକ୍ଟର ଲୋହିଆ ଚାଲିଗଲେ ।’’ ଏବଂ ତା’ପରେ ଏଇ କଥା ସମଗ୍ର ଦେଶ ଭିତରେ ବିଜୁଳି ଭଳି ଖେଳିଯାଇ ଚତୁର୍ଦ୍ଦିଗର ବାୟୁମଣ୍ଡଳକୁ ଶୋକାତୁର କରିଦେଲା ।

 

ସମଗ୍ର ଦେଶ ହାହାକାର କରିଉଠିଲା ।

 

ଲୋହିଆଙ୍କ ଜୟ ଜୟକାରର ଗର୍ଜନ ଛାଡ଼ୁଥିବା ରାଜନାରାୟଣଙ୍କ ଗଗନଭେଦୀ ଶବ୍ଦ ଭୀଷଣ ଚିତ୍କାର ସହିତ ଆର୍ତ୍ତନାଦ କରିଉଠିଲା ।

 

ଜୟପ୍ରକାଶ ନାରାୟଣ ନିଜର ଆଜନ୍ମ ସହଯୋଗୀର ଶେଷ ବିଦାୟରେ କାନ୍ଦିଉଠିଲେ ।

 

ଲୋହିଆଙ୍କ ସେବାରେ ଜୀବନକୁ ବାଜି ଲଗେଇ ଦେଇଥିବା ରମା ମିତ୍ର ନିର୍ଜୀବ ହୋଇପଡ଼ିଲେ ।

 

ସାତନମ୍ୱର ଗୁରୁଦ୍ୱାର ରକାବ୍‌ଗଞ୍ଜ ରୋଡ଼୍‍ସ୍ଥ ବଙ୍ଗଳାରେ ବସି ଲୋହିଆଙ୍କର ବନ୍ଧୁବତ୍ ସେବକ ଶୋଭନର ହାତତିଆରି କଫି ସବୁଦିନ ପାଇଁ ଥଣ୍ତା ହୋଇଗଲା ।

 

ବାଳକୃଷ୍ଣ ଗୁପ୍ତଙ୍କ ବାଲ୍ୟସଖା ଛାଡ଼ିଗଲେ ।

 

ଦିଲ୍ଲୀର ପତ୍ରକାରଙ୍କ ‘‘ତାଜା ଗରମାଗରମ ଖବର’’ ହଜିଗଲା ।

 

ଲୋହିଆଙ୍କ ଚେହେରାରେ ପ୍ରେରଣାଦାୟିନୀ ମନ୍ଦ ମୃଦୁ ହସ, ଗଭୀର ହୋଇ ଶେଷରେ ବରଫ ପାଲଟିଗଲା ।

 

ଦେଶର ରାଜନୀତି ଶୂନ୍ୟ ହୋଇଗଲା ।

 

ଲୋକସଭା ଶ୍ରୀହୀନ ହୋଇଗଲା ।

 

ସରକାର ବିରୋଧହୀନ ହୋଇଗଲା ।

 

ସମାଜବାଦ ଅନାଥ ହୋଇଗଲା ।

 

ହଳ–ଚକର ଲାଲଝଣ୍ତା ଶୋକରେ ନତମସ୍ତକ ହୋଇଗଲା ।

 

୩୦ ଜାନୁୟାରୀ ୧୯୪୮ ପରେ ଦ୍ୱିତୀୟଥର ପାଇଁ ରାଜଧାନୀ ବିଳାପ କରି ଉଠିଲା ।

 

ଭାରତମାତାଙ୍କ କୋଳ ପୁଣି ଥରକପାଇଁ ଶୂନ୍ୟ ହୋଇଗଲା ।

 

କର୍ପୂରୀ ଠାକୁରଙ୍କ ଦୃଢ଼ ଶ୍ରଦ୍ଧା ତରଳିଗଲା ।

 

ଉର୍ମିଲେଶ୍‌ଝା ଲେଖା ଯାଇଥିବା ପତ୍ର ଉପରେ ହସ୍ତାକ୍ଷର କରେଇପାରିଲେ ନାହିଁ ।

 

ଓଁମ୍‌ ପ୍ରକାଶ ଦୀପକ ଏବଂ ଆଧ୍ୟାତ୍ମ ତ୍ରିପାଠୀ ‘‘ଜନ’’ ପତ୍ରିକାର ଲେଖାମାନଙ୍କର ଚର୍ଚ୍ଚା ଲୋହିଆଙ୍କଦ୍ୱାରା କରାଇପାରିଲେ ନାହିଁ ।

 

ମଧୁ, ଜର୍ଜ, କିଶନ୍‌, ଲାଡ଼ଲି...ନିଜ ନିଜର ଧର୍ମପିତାଙ୍କ ପାଇଁ ଲୁହ...

 

ମୋ ଚରିତ୍ରନାୟକଙ୍କ ଲୀଳା ଶେଷ ହୋଇଗଲା ।

 

ମୋର ଏଇ କୃତିର ଶେଷ ଅଧ୍ୟାୟବି ବଣା ହୋଇଗଲି ।

 

ମୋ କଲମର ଉଜ୍ଜ୍ୱଳ କାଳି ଶୁଖିଗଲା ।

Image